Unknown

 

 

 

 

 

 

 

 

 

୧୩୫ତମ ସଂଖ୍ୟା କୋଣାର୍କ ୨୦୦୫

ଓଡ଼ିଶା ସାହିତ୍ୟ ଏକାଡେମୀ

 

କୋଣାର୍କ

ତ୍ରୈମାସିକ ସାରସ୍ୱତ ମୁଖପତ୍ର

 

ସଚ୍ଚିଦାନନ୍ଦ ରାଉତରାୟ

ଗୁରୁପ୍ରସାଦ ମହାନ୍ତି

କିଶୋରୀଚରଣ ଦାସ

 

ସମ୍ପାଦନା :

ଶ୍ରୀ ଦୀପକ ମିଶ୍ର

 

ପରିଚାଳନା ସମ୍ପାଦକ :

ଶ୍ରୀ ଚନ୍ଦ୍ର ଶେଖର ଦାସବର୍ମା

 

ଓଡ଼ିଶା ସାହିତ୍ୟ ଏକାଡେମୀ

 

ପ୍ରକାଶକ :

ଓଡ଼ିଶା ସାହିତ୍ୟ ଏକାଡେମୀ

ସଂସ୍କୃତି ଭବନ, ଭୁବନେଶ୍ୱର- ୭୫୧୦୧୪

ଫୋନ୍/ଫ୍ୟାକ୍ସ : ୨୪୩୧୮୪o

 

ଏକାଡେମୀ କର୍ତ୍ତୃକ ସର୍ବସ୍ୱତ୍ୱାଧିକାର ସଂରକ୍ଷିତ । ରଚନାରେ ପ୍ରକାଶିତ ମତାମତ ଲେଖକଙ୍କ ନିଜସ୍ୱ ମତ ।

 

ସମ୍ପାଦକୀୟ

ବିଷୟ ସୂଚୀ

ସଚ୍ଚିଦାନନ୍ଦ ରାଉତରାୟ

ସାଧାରଣ ମଣିଷର ସଭାକବି

ଜୟନ୍ତ ମହାପାତ୍ର

ସଚ୍ଚି ରାଉତରାୟଙ୍କ କଥାସାହିତ୍ୟ

ଡକ୍ଟର କୃଷ୍ଣଚରଣ ବେହେରା

ଦଶାର୍ଣରୁ ମେଲ୍‌ବୋର୍ଣ : ଏକାୟନର ଆଙ୍ଗିକ

ଶୈଳଜ ରବି

ସମୟର ସମାବର୍ତ୍ତୀ : ସଚ୍ଚି ରାଉତରାୟ

ଗିରିଜାକୁମାର ବଳୀୟାରସିଂହ

ବ୍ୟକ୍ତିମାନସର କବି ସଚ୍ଚି ରାଉତରାୟ

କୁମୁଦଚନ୍ଦ୍ର ଦାଶ

କବି ସଚ୍ଚିଦାନନ୍ଦ : ଏକ ଶ୍ରଦ୍ଧାଞ୍ଜଳି

ଡକ୍ଟର ଗିରିବାଳା ମହାନ୍ତି

ସଚ୍ଚି ରାଉତରାୟଙ୍କ ଦୃଷ୍ଟିରେ ନାରୀମୁକ୍ତି

ଡକ୍ଟର ଅପର୍ଣ୍ଣା ମହାନ୍ତି

ସଚ୍ଚି ରାଉତରାୟଙ୍କ କବିତାରେ

ନାରୀର ବିବର୍ତ୍ତନ

ଡକ୍ଟର ଅରୁଣା ମହାନ୍ତି

ସଚ୍ଚି ରାଉତରାୟଙ୍କ ସର୍ଜ୍ଜନାରେ ଆତ୍ମଖେଦ

ତପନ ପଟ୍ଟନାୟକ

 

ଗୁରୁପ୍ରସାଦ ମହାନ୍ତି

ଗୁରୁପ୍ରସାଦ ଆମ ଦୁଃଖ, ଆମ ବିଷର୍ଣ୍ଣତାର

ପ୍ରମୁଖ ପ୍ରବକ୍ତା

ସୀତାକାନ୍ତ ମହାପାତ୍ର

ଭିନ୍ନ ଜୀବନର ଭାଷ୍ୟକାର କବି ଗୁରୁପ୍ରସାଦ

ହରିହର ମିଶ୍ର

ସମ୍ଭାବନାର ଅଭିସାର

ସୌରୀନ୍ଦ୍ର ବାରିକ୍

ଗୁରୁପ୍ରସାଦଙ୍କ କବିତାର ପ୍ରାରମ୍ଭ

ପ୍ରସ୍ଥ (୧୯୩୯-୧୯୪୦)

ପ୍ରଫେସର ଡକ୍ଟର ନିତ୍ୟାନନ୍ଦ ଶତପଥୀ

ଚେତନାର ଚୌଛକିରେ ଚିହ୍ନିତ ଚରିତ୍ର :

ହରେକୃଷ୍ଣ ଦାସ

ସୁଧୀର ଚନ୍ଦ୍ର ବେହୁରା

ନିହତ ଗୋଧୂଳିରୁ ନଷ୍ଟନକ୍ଷତ୍ର

ଡକ୍ଟର ସଂଗ୍ରାମ ଜେନା

ପରଶ ଓ ପରାସର କବି ଗୁରୁପ୍ରସାଦ

ଡକ୍ଟର ତୀର୍ଥାନନ୍ଦ ମିଶ୍ର

 

କିଶୋରୀଚରଣ ଦାସ

କିଶୋରୀଚରଣ : ପ୍ରବକ୍ତା ନା ପ୍ରତିବାଦୀ ?

ରମାକାନ୍ତ ରଥ

କଥାଶିଳ୍ପୀ କିଶୋରୀ ଚରଣ

ଡକ୍ଟର ବିଭୂତି ପଟ୍ଟନାୟକ

କିଶୋରୀବାବୁଙ୍କ ସହିତ ଏକ ସ୍ୱଗତ ସଂଳାପ

ଚନ୍ଦ୍ରଶେଖର ରଥ

କିଶୋରୀ ଚରଣଙ୍କ ଗଳ୍ପ : ବର୍ଣ୍ଣନା ଓ ବ୍ୟଞ୍ଜନା

ପ୍ରଫେସର ଡକ୍ଟର ବୈଷ୍ଣବ ଚରଣ ସାମଲ

କିଶୋରୀଚରଣଙ୍କ କଥାଗଢ଼ଣ କଳା

ଡକ୍ଟର ଗୌରାଙ୍ଗ ଚରଣ ଦାଶ

କିଶୋରୀ-କଥକତା

ଡକ୍ଟର କଇଳାଶ ପଟ୍ଟନାୟକ

ଗାଳ୍ପିକ କିଶୋରୀଚରଣଙ୍କ ଆତ୍ମଜୀବନୀ

ଗୌରହରି ଦାସ

କିଶୋରୀଚରଣଙ୍କ କ୍ଷୁଦ୍ରଗଳ୍ପ : ଶିଳ୍ପବିଧି

ଡକ୍ଟର ବିଜୟ କୁମାର ଚୌଧୁରୀ

କଥାସାହିତ୍ୟ ଶିଳ୍ପୀ କିଶୋରୀଚରଣ

କୃଷ୍ଣଚନ୍ଦ୍ର ସୁଆର

ଏକାଡେମୀ ସମାଚାର

 

 

ସମ୍ପାଦକୀୟ

।। ଶ୍ରଦ୍ଧାଞ୍ଜଳୀ ।।

 

‘କୋଣାର୍କ’ର ଚଳିତ ସଂଖ୍ୟା ଗଭୀର ଦୁଃଖବିଜଡ଼ିତ ଶବ୍ଦସ୍ମୃତି ସଂଖ୍ୟା । ତେଣୁ ଏଠାରେ ଅନ୍ୟ କୌଣସି ବିଷୟ ଆଧାରିତ ସମ୍ପାଦକୀୟ ଟିପ୍ପଣୀ ନିଷ୍‌ପ୍ରୟୋଜନ ଏବଂ ଔଚିତ୍ୟବୋଧର ପରିପନ୍ଥୀ । ଓଡ଼ିଆ କବିତା ଓ ଗଳ୍ପ ଉପନ୍ୟାସ ଏବଂ ଅନ୍ୟାନ୍ୟ ଗଦ୍ୟରଚନାରେ ଚରମ ପାରଦର୍ଶିତା ହାସଲ କରିଥିବା ଯେଉଁ ତିନିଜଣ ଶିଖରପୁରୁଷ ସେମାନଙ୍କ ସମୁଜ୍ଜ୍ୱଳ ଲେଖନୀକୁ ଚିରକାଳ ନିମନ୍ତେ ଆମ ଭାଷା ସାହିତ୍ୟର ବିସ୍ତୀର୍ଣ୍ଣ ଭୂମିରୁ ଉଠାଇ ନେଲେ ମହାକାଳର ନିର୍ଦ୍ଦେଶରେ; ସେଇ ମହାକାଳ ହିଁ ନିଜର ନିରପେକ୍ଷ ବିଚାରବୋଧରେ ଏଇ ତିନିଜଣଙ୍କୁ କାଳଜୟୀର ବୈଜୟନ୍ତୀ ମାଳା ଓ ମୁକୁଟ ପିନ୍ଧାଇ ଦେଲା ନିଜ ହାତରେ । ସେଇ ନିର୍ବିବାଦ ଅନନ୍ତକାଳର କୌଣସି ଏକ ଅଖ୍ୟାତ କ୍ଷୁଦ୍ର କୋଣରେ ଟଳମଳ ପାଦରେ ଦଣ୍ଡାୟମାନ ଏଇ କ୍ଷୁଦ୍ରାତିକ୍ଷୁଦ୍ର ସମ୍ପାଦକୀୟଟି ସେମାନଙ୍କର ପରିବ୍ୟାପ୍ତ ସ୍ମୃତି ଉଦ୍ଦେଶ୍ୟରେ ଉକ୍ତ ସଂଖ୍ୟାକୁ ଉତ୍ସର୍ଗ କରୁଛି ମାତ୍ର । ସେମାନଙ୍କର ଅମର ଅମ୍ଳାନ ଅକ୍ଷୟ ଅଜର ଆତ୍ମାମାନଙ୍କର ଅଦୃଶ୍ୟ ଆଶୀର୍ବାଦ ଟିକକ ଯଦି ଝରିପଡ଼େ କଦବା କ୍ୱଚିତ “କୋଣାର୍କ”ର ଏଇ ସ୍ମୃତିଉତ୍ସର୍ଗ ସଂଖ୍ୟାର ଅଙ୍ଗପ୍ରତ୍ୟଙ୍ଗରେ; ତାହା ହିଁ ହେବ ‘କୋଣାର୍କ’ ପାଇଁ ମହାର୍ଘ ଅନୁଭବ ଏବଂ ଅନନ୍ୟ ଅନୁଭୂତି ।

 

 

ସମାଚାର ପଞ୍ଜୀକରଣ (କେନ୍ଦ୍ରୀୟ) ନିୟମ ୧୯୫୬ ଅଷ୍ଟମ ଅଧିନିୟମ ଅନୁଯାୟୀ ମୁଦ୍ରଣ ଓ ପୁସ୍ତକ ଅଧିନିୟମର ୧୯-ଡ଼ି ଧାରା-ବି ଅନ୍ତର୍ଗତ ‘କୋଣାର୍କ’ ନାମକ ସାରସ୍ଵତ ପତ୍ରିକାର ସ୍ଵତ୍ଵ ଆଦି ସମ୍ବନ୍ଧୀୟ ବିବରଣୀ ।

 

ଚତୁର୍ଥ ପ୍ରପତ୍ର (ନିୟମ-୮ ଦ୍ରଷ୍ଟବ୍ୟ)

 

୧.

ପତ୍ରିକାର ନାମ

କୋଣାର୍କ

୨.

ପଞ୍ଜୀକରଣ ସଂଖ୍ୟା

ଆର.ଏନ୍.୪୦୪୭/୫୮

୩.

ଭାଷା

ଓଡ଼ିଆ

୪.

ପ୍ରକାଶନର ଆବର୍ତ୍ତତା

ତ୍ରୈମାସିକ

୫.

ମୂଲ୍ୟ

ଟ ୨୫/- (ବିଶେଷ ସଂଖ୍ୟା ବ୍ୟତୀତ)

୬.

ପ୍ରକାଶକଙ୍କ ନାମ

ଶ୍ରୀ ଚନ୍ଦ୍ର ଶେଖର ଦାସବର୍ମା

 

ରାଷ୍ଟ୍ରୀୟତା

ଭାରତୀୟ

 

ଠିକଣା

ସମ୍ପାଦକ, ଓଡ଼ିଶା ସାହିତ୍ୟ ଏକାଡେମୀ ଭୁବନେଶ୍ୱର

୭.

ମୁଦ୍ରାକରଙ୍କ ନାମ

ଶ୍ରୀ ଗିରିଜା କୁମାର ବଳୀୟାରସିଂହ

 

ରାଷ୍ଟ୍ରୀୟତା

ଭାରତୀୟ

 

ଠିକଣା

ଟେକ୍‌ନୋ ଆର୍ଟସ୍ ଅଫସେଟ୍ କଲ୍ୟାଣୀନଗର, କଟକ-୧୩

୮.

ସମ୍ପାଦକଙ୍କ ନାମ

ଶ୍ରୀ ଦୀପକ ମିଶ୍ର

 

ରାଷ୍ଟ୍ରୀୟତା

ଭାରତୀୟ

 

ଠିକଣା

ସଭାପତି, ଓଡ଼ିଶା ସାହିତ୍ୟ ଏକାଡେମୀ ଭୁବନେଶ୍ୱର-୧୪

୯.

ମୁଦ୍ରଣ ସ୍ଥାନ

ଟେକ୍‌ନୋ ଆର୍ଟସ୍ ଅଫସେଟ୍ କଲ୍ୟାଣୀନଗର, କଟକ-୧୩

୧୦.

ସ୍ଵତ୍ୱ

ଓଡ଼ିଶା ସାହିତ୍ୟ ଏକାଡେମୀ

ସଂସ୍କୃତି ଭବନ, ରାଜ୍ୟ ସଂଗ୍ରହାଳୟ ପରିସର ଭୁବନେଶ୍ୱର-୧୪

 

ମୁଁ ଶ୍ରୀ ଚନ୍ଦ୍ର ଶେଖର ଦାସବର୍ମା, ସମ୍ପାଦକ, ଓଡ଼ିଶା ସାହିତ୍ୟ ଏକାଡେମୀ ଏତଦ୍ଦ୍ୱାରା ଘୋଷଣା କରୁଛି ଯେ ଉପରୋକ୍ତ ବିବରଣୀ ମୋର ଜ୍ଞାନ ଓ ବିଶ୍ଵାସମତେ ସତ୍ୟ ଅଟେ ।

 

 

ଚନ୍ଦ୍ର ଶେଖର ଦାସବର୍ମା

ସମ୍ପାଦକ

ଓଡ଼ିଶା ସାହିତ୍ୟ ଏକାଡେମୀ

 

 

Image

 

ସଚ୍ଚିଦାନନ୍ଦ ରାଉତରାୟ

(୧୩ ମେ ୧୯୧୬-୨୧ ଅଗଷ୍ଟ ୨୦୦୪)

 

ସାଧାରଣ ମଣିଷର ସଭାକବି

ଜୟନ୍ତ ମହାପାତ୍ର

 

“The gallery is almost empty,

my play and I are seated face to face,

.....

between us is our acting

.....

I am the onlooker, I am the hero too.”

 

ଉପରୋକ୍ତ ଅନୂଦିତ ପଙ୍‌କ୍ତି କେତୋଟି ସଚ୍ଚି ରାଉତରାୟଙ୍କ ଉତ୍ତର-ପର୍ବର ଏକ କବିତାଂଶ । ପ୍ରତିପକ୍ଷ ଶିବିରର କ୍ରମାଗତ ସକ୍ରିୟତା ସମ୍ପର୍କରେ ଏହା ତାଙ୍କର ଏକ କାବ୍ୟିକ ପ୍ରତିକ୍ରିୟାସମ୍ପନ୍ନ ଭାବାବେଗ । ତାଙ୍କ ଜୀବନର ଚୂଡ଼ାନ୍ତ ପର୍ଯ୍ୟାୟ ପର୍ଯ୍ୟନ୍ତ ବଜାୟ ରହିଛି ଏ ପ୍ରକାର ଭାବାତ୍ମିକତା । ସଚ୍ଚି ରାଉତରାୟଙ୍କ କବିତାର ଏହି ଅନ୍ତର୍ଭାବନା ହିଁ ସର୍ବାଧିକ ଭାବରେ ଅନୁସ୍ପନ୍ଦିତ କରିଆସିଛି ମୋତେ । ତାଙ୍କ କବିତାସବୁ ଏକ ଅଜ୍ଞାତ ଆର୍ତ୍ତି, ଏକାନ୍ତ ଏକାକୀତ୍ୱ ଓ ଆତ୍ମିକ ରହସ୍ୟର ଉତ୍ତପ୍ତ ଉଚ୍ଚାରଣ - ଓଡ଼ିଶୀ ରାତିର ଆତ୍ମାକୁ ଶୂନ୍ୟ କରିଦେଉଥିବା ଆଲୋକର ସ୍ଵର୍ଣଚ୍ଛଟା... ନିର୍ଜ୍ଜନ ପଥଯାତ୍ରା... ଏବଂ କାଠଯୋଡ଼ୀ ପୋଲକଡ଼ରୁ ସାବଧାନୀର ସାଙ୍କେତିକତା ପରି ପ୍ରତୀୟମାନ ଜହ୍ନକିରଣ ମଧ୍ୟ ତାଙ୍କ ପାଇଁ ପାଲଟିଛି ଏକ ଅପ୍ରତ୍ୟାଖ୍ୟାତ କାବ୍ୟିକ ଅଭିଜ୍ଞତା ।

 

୨୦ ଅଗଷ୍ଟ ୨୦୦୪ ମସିହାରେ ସଚ୍ଚି ରାଉତରାୟଙ୍କ ଦେହାନ୍ତ । ସେ ଜୀବନ ବଞ୍ଚି ଆସୁଥିଲେ ସରଳ ଶୈଳୀରେ, ମାପିଚୁପି । ଅଳ୍ପ କେତୋଟି ବର୍ଷ ଆଗରୁ ବିଦାୟ ନେଇସାରିଥିଲେ ତାଙ୍କର ପତ୍ନୀ ଭୂଦେବୀ । କବିଙ୍କ ଦେହାନ୍ତ କାଳରେ କିନ୍ତୁ, ତାଙ୍କଠୁ ବହୁଦୂରରେ ରହିଯାଇଥିଲେ ତାଙ୍କର ପ୍ରାୟ ସମସ୍ତ ସନ୍ତାନ । ଶେଷଶଯ୍ୟା ନିକଟରେ ଉପସ୍ଥିତ ଥିଲେ ତାଙ୍କ ବିଶ୍ୱସ୍ତ ସ୍ତାବକବର୍ଗ - ତାଙ୍କ ପାଠକ, କବି ଓ ଲେଖକ କତିପୟ ।

 

୧୯୩୨ ମସିହାରେ ପ୍ରକାଶ ପାଇଥିଲା ‘ପାଥେୟ’ ଶୀର୍ଷକ କିଛି କବିତାର ଚଟିବହି ଖଣ୍ଡେ ତାଙ୍କର । ବୟସ ତାଙ୍କୁ ସେତେବେଳେ ହୋଇଥିବ ମାତ୍ର ଉଣେଇଶ । ଅଥଚ ବହିଟି ଭିତରୁ ଉଙ୍କି ମାରୁଥିଲା ଏକ ଅଦ୍ଭୁତ ଆନନ୍ଦଲୋକ ଆଡ଼େ ଉହୁଙ୍କି ସାରିଥିବା ତାଜା ତାରୁଣ୍ୟଭରା ମନଟିଏ-

 

I am but one sheep in this large flock

I wander many lands, straying

Away from all my fellow creatures,

I haven’t heard the shepherd’s call

And the flute’s note as I roam

Field and hollow, each winding road.

ନିଖିଳର ମେଷପଲେ ମୁହିଁ ଏକ ମେଷ

ଗୋଠଛାଡ଼ି ଏଣେତେଣେ ବୁଲେ କେତେ ଦେଶ

ଶୁଣିନାହିଁ ବଂଶୀଶ୍ୱନ, ରଖୁଆଳ ଡାକ

ବୁଲିଅଛି ଖାଲବିଲ କେତେ ପଥବାଙ୍କ ।

(‘ପାଥେୟ’-୪୪)

 

ଏ କଥା ସତ ଯେ ବହୁଳ ବ୍ୟବହୃତ ପ୍ରାଚୀନ ପ୍ରୟୋଗ, କ୍ଲିଷ୍ଟକଷାୟିତ କାବ୍ୟଭଙ୍ଗୀ ‘ପାଥେୟ’ର ପୃଷ୍ଠାରେ ପୃଷ୍ଠାରେ ପରିଲକ୍ଷିତ; ସମ୍ଭବତଃ ସଚ୍ଚି ରାଉତରାୟଙ୍କ କାବ୍ୟ ପ୍ରସ୍ତୁତିପର୍ବରେ ଏହା ତାଙ୍କ ପୂର୍ବବର୍ତ୍ତୀ ସନ୍ଥକବିମାନଙ୍କ ଛାୟାପାତର ଛିଟା । ତଥାପି ‘ପାଥେୟ’ରେ ଅନୁଭୂତ ହେଉଥିବା କବିପ୍ରତିଭାର କୁଳୀନ କଣ୍ଠସ୍ୱରକୁ ଏଡ଼ିଦେଇ ହେବନି କଦାପି । ଏବଂ ଏହାର କିୟତ୍‌କାଳ ଉତ୍ତାରେ ଯେତେବେଳେ ଆମେ ତାଙ୍କୁ ପ୍ରତ୍ୟକ୍ଷ କରୁ ଏଇଭଳି ନିମ୍ନୋକ୍ତ ପଂକ୍ତିର ଆବୃତ୍ତି ସହିତ :

 

ମୁଁ ସଚ୍ଚି ରାଉତରା

(ନୁହେଁ ଟାଗୋର ବା ଶେଲି)

ମୁଁ ଏଇ ମାଟିର ଧରା

ଆଉ ଆକାଶର କବି

କାମ ନୁହେଁ ମୋ ଖାଲି ଆଙ୍କିବା କାଗଜରେ ଛବି ।

(‘ରାଜଜେମା’)

 

I am Sachi Routroy

(Not Tagore, nor Shelley)

I am a poet of this earth and sky,

It is not my job

To paint pictures on paper.

 

ସେତେବେଳେ କି ପ୍ରଖର ପ୍ରତ୍ୟୟର ସ୍ପର୍ଶ ତାଙ୍କ ସରଳ ସ୍ଵଚ୍ଛନ୍ଦ ସାରସ୍ୱତ ସନ୍ଦେଶର ସାବଲୀଳ ସ୍ୱତଃସ୍ଫୂର୍ତ୍ତତାରେ ! ଏଣିକି ତାଙ୍କ କବିତାସବୁ ହୋଇଉଠିଛି ଦେଶକାଳର ଦୃଶ୍ୟପଟ – କାବ୍ୟଭାଷାରେ ଦେଖାଦେଇଚି ନୂତନ ବାକ୍‌ଭଙ୍ଗୀ ଓ ପରିମିତ ଶବ୍ଦପ୍ରୟୋଗର ବାଞ୍ଛନୀୟ ବିଚକ୍ଷଣତା । ନିଜ ଚାରିପଟର ସ୍ଥିତି ଓ ସାଧାରଣ ମଣିଷ – ଯେଉଁମାନଙ୍କ ମେଳରେ ସେ ଜୀବନ ବଞ୍ଚିଆସିଛନ୍ତି ଦୀର୍ଘଦିନ– ସଯତ୍ନ ସଜାଗ ଭାବରେ ରେଖାଙ୍କିତ ହୋଇଉଠିଛନ୍ତି ତାଙ୍କ କବିତାର ମାନଚିତ୍ରରେ । ଛାତ୍ରଜୀବନରେ ରାଜନୀତିକ ସଂପୃକ୍ତି ଯୋଗୁ ୧୯୩୦ ମସିହାରେ ଖୋରଧା ହାଇସ୍କୁଲରୁ ଏକପ୍ରକାର ବହିଷ୍କୃତ ମଧ୍ୟ ହୋଇଛନ୍ତି ସେ । ରାତ୍ରିର ତିମିର ଚିରି ତ୍ରିରଙ୍ଗା ପତାକା ଉଡ଼ାଇବାରେ ନେଇଛନ୍ତି ନିର୍ଭୀକ ନେତୃଭୂମିକା । ଏଥିସହିତ ତାଙ୍କ କାବ୍ୟଧାରା କ୍ରମେ ପରିଣତ ହୋଇଛି ପ୍ରମତ୍ତ ପ୍ରତିବାଦର ପ୍ରାଞ୍ଜଳ ପଦାବଳୀ ଭାବରେ – ନିରବଚ୍ଛିନ୍ନ ଶୋଷଣ ଓ ସ୍ୱେଚ୍ଛାଚାର ବିରୋଧରେ ସ୍ୱର ଉତ୍ତୋଳନ କରି ଏକ ନବ୍ୟ ସାମାଜିକ କାବ୍ୟଧାରାର କର୍ଣଧାର ହୋଇଉଠିଛନ୍ତି ସଚ୍ଚି ରାଉତରାୟ ।

 

ଛାତ୍ର ଆନ୍ଦୋଳନରେ ତାଙ୍କ ଭୂମିକା ଥିଲା ଏକ ଅୟମାରମ୍ଭ ମାତ୍ର । ମାତ୍ର ଓଡ଼ିଶାର ସାମନ୍ତବାଦୀ ବ୍ୟବସ୍ଥାରେ ବ୍ୟୂହବଦ୍ଧ ଏବଂ ଦୀର୍ଘକାଳରୁ ବଞ୍ଚିତ ଓ ବିଡ଼ମ୍ବିତ ଜନଗଣଙ୍କୁ ନ୍ୟାୟ ପ୍ରଦାନ ପରିପ୍ରେକ୍ଷୀରେ, ତାଙ୍କ ରଚନାରାଶି ହୋଇଉଠିଲା ଗୋଟିଏ ଗୋଟିଏ ପ୍ରଜ୍ୱଳିତ ପ୍ରେରଣା । ଜନତାର ଜିହ୍ୱାଗ୍ରରେ ଜମିରହିଲା ତାଙ୍କ କବିତାର ପଦସବୁ । ଗାଉଁଲି ଗାଈଆଳ ଟୋକାଠୁ ପଟୁଆରର ପଦାତିକ ପର୍ଯ୍ୟନ୍ତ – ସବୁରି ଛାତିରେ ଚରିଗଲା ସେସବୁ କବିତା ସ୍ଫୁଲିଙ୍ଗ ପରି – ଶାସକର ଗୁଳି ଆଗରେ ହସିହସି ଛାତି ପତାଇଦେଇ ଶହୀଦ୍ ହେଲେ କେତେ କିଏ । ଏହି ହିଁ ହେଉଛନ୍ତି ସେଇ ସ୍ମରଣୀୟ କବି - ଯାହାଙ୍କ ଆଗ୍ନେୟ ପଦାବଳୀ ୧୯୩୮-୩୯ ସାଲର ଢେଙ୍କାନାଳ ପ୍ରଜା ଆନ୍ଦୋଳନକୁ ପ୍ରଦାନ କରିଛି ନୂତନ ପ୍ରାଣଶକ୍ତି । ସେଦିନ କବି ଗାଇଥିଲେ ଏବଂ ତାଙ୍କ ସହିତ ବି ସ୍ଵର ମିଶେଇଥିଲା ଜାଗ୍ରତ ଜନତା :

 

ମାରଥ ତୁ ଯେତେ ଗୁଳି

ମରିବୁ ପଛେ ଡରିବୁ ନାଇଁ ଯାଆନା ଏହା ଭୁଲି ।

.....

ରଖ୍ ତୋ ଲାଠି କାଠର ଲାଠି, ହାଡ଼ର ଆମ ଛାତି

ମରଣ ଆମ ମୈତ୍ର ଜାଣେ କଷଣ ଆମ ସାଥୀ ।

(‘ମାର୍ ତୁ ଯେତେ ଗୁଳି’)

 

Shoot, shoot as steadily as you can!

Our breasts are bare, ready for your bullets.

Put aside your wooden lathis

Beacuse we just don't care,

For our bodies are made of rock!

 

ସଚ୍ଚି ରାଉତରାଙ୍କ ପରି ବିବେକପ୍ରେରିତ କାବ୍ୟିକ ଦାୟବଦ୍ଧତା ଆଜିର ବହୁ କବିଙ୍କ କୃତିରେ ଅନୁପଲବ୍ଧ । ସହସ୍ର ସହସ୍ର - ଓଡ଼ିଆ ଆତ୍ମାର ସୁଦୀର୍ଘ କାଳବ୍ୟାପୀ ସ୍ଵଳ୍ପୋଚ୍ଚାରିତ ସ୍ପରକୁ ତାଙ୍କ କବିତାର ନୂତନ ବାଙ୍‌ମୟରେ ଜୀବନ୍ୟାସ ଦେଇଛନ୍ତି ସେ । ତାଙ୍କ ବାସ୍ତବାବାଦୀ ବିଷୟବସ୍ତୁ ସୁପରିସ୍ଫୁଟ ହୋଇଛି ତାଙ୍କ ସାବଲୀଳ ବେଦନାବିଧୁର ପଦାବଳୀରେ । ଚତୁର୍ଥ ଓ ପଞ୍ଚମ ଦଶକର କବିମାନଙ୍କୁ ଗଭୀର ଭାବରେ ପ୍ରଣୋଦିତ କରିଆସିଛି ସଚ୍ଚି ରାଉତରାୟଙ୍କ କାବ୍ୟଭାଷା ।

 

ଆଜି ମଧ୍ୟ ତାଙ୍କ ଦୀର୍ଘକବିତା ‘ବାଜି ରାଉତ’ ସାମ୍ପ୍ରତିକ ସମାଲୋଚକବର୍ଗଙ୍କ ଦ୍ୱାରା ଏକ ସ୍ମରଣୀୟ ଧ୍ରୂପଦୀକାବ୍ୟ ରୂପେ ସ୍ୱୀକୃତ ଓ ସମାଦୃତ । ଅନେକ କାଳର ଅତିକ୍ରାନ୍ତି ପରେ ସୁଦ୍ଧା ଅବିସ୍ମରଣୀୟ ହୋଇ ରହିଥିବ ଏ କବିତା - ଓଡ଼ିଶା ଇତିହାସର ଏକ ସମୁଜ୍ଜ୍ୱଳ ସ୍ମାରକୀ ଭାବରେ – ସେଇ ସଙ୍କଟସଙ୍କୁଳ ସମୟର ଉଗ୍ର ଅରାଜକତା ବିରୋଧରେ ବୀରୋଚିତ ଏକ ବିଦ୍ରୋହର ସ୍ପର୍ଦ୍ଧିତ ସାକ୍ଷ୍ୟ ବହନ କରି ! ବାରବର୍ଷର ନାଉରିଆ ପିଲା ବାଜି ଯେତେବେଳେ ଫଉଜର ଗୁଳିରେ ଟଳିପଡ଼ିଛି, ସେତେବେଳେ ଏଇ ଶହୀଦ ବାଳକର ସକରୁଣ ସ୍ମୃତିରେ କବି ରାଉତରାୟଙ୍କ ଉଚ୍ଚାରଣ :

 

Poet of future freedom,

Your dying was a poem.

 

ଯେଉଁମାନଙ୍କୁ ନେଇ ତାଙ୍କ କବିତା ଏବଂ ଯେଉଁମାନଙ୍କ ପାଇଁ ପ୍ରକୃତରେ ତାଙ୍କ ସାର୍ଥକ କବିଜୀବନର ଅନ୍ତହୀନ ଆୟୁଷ୍ମାଳ - ସେମାନଙ୍କ ଆଶା ଅଭିଳାଷକୁ କାବ୍ୟବକ୍ତବ୍ୟର ପରିଣତି ଦେବାରେ ସଚ୍ଚି ରାଉତରାୟଙ୍କ ଦୃଢ଼ ଅଙ୍ଗୀକାର ସର୍ବସାଫଲ୍ୟମଣ୍ଡିତ ନିଶ୍ଚୟ । ଯୁଦ୍ଧୋତ୍ତର ବର୍ଷଗୁଡ଼ିକର ବିଷାଦ ବ୍ୟର୍ଥତାରେ ଭାରାକ୍ରାନ୍ତ ରଚନାରାଶିର ବିଲକ୍ଷଣ ଆମେ ତେଣୁ, ଲକ୍ଷ୍ୟ କରିପାରୁନା ସଚ୍ଚି ରାଉତରାୟଙ୍କ କବିତାସବୁରେ; ଇଲିଅଟୀୟ ଶୂନ୍ୟଗର୍ଭତାର ସ୍ୱର ମଧ୍ୟ ଆକ୍ରାନ୍ତ କରିପାରିନି ତାଙ୍କ କାବ୍ୟବ୍ୟକ୍ତିତ୍ଵକୁ । ବରଂ ରାଉତରାୟଙ୍କ କବିତା ଅଗ୍ନିଗର୍ଭ, ଆଦୌ ନୁହେଁ କୌଣସି ଭାବଗତ ଊଷରଭୂମିର ପାଂଶୁଳ ଫର୍ଦ୍ଦପ୍ରସ୍ତୁତି ।

 

ମୋର ସ୍ପଷ୍ଟ ମନେଅଛି, କଟକ ମିଶନରୋଡ଼ସ୍ଥିତ ତାଙ୍କ ବାସଭବନରେ, ତାଙ୍କୁ ଶେଷ କେଇଥର ଭେଟିବା ଭିତରୁ ଥରକର ସ୍ମୃତିଟିଏ । ତାଙ୍କ କବିତାବଳୀର ଏକ ନିର୍ବାଚିତ ଇଂରାଜୀ ଅନୁବାଦ ପୁସ୍ତକ ପ୍ରସ୍ତୁତି ଉଦ୍ଦେଶ୍ୟରେ ସେ ଡାକିଥାନ୍ତି ମୋତେ । ତେଣୁ କେନ୍ଦ୍ର ସାହିତ୍ୟ ଆକାଦେମି ଯେତେବେଳେ ମୋତେ ଏ ଅନୁବାଦ କାର୍ଯ୍ୟ ପାଇଁ ପ୍ରସ୍ତାବ ଦେଲେ, ମୁଁ ସେତେବେଳେ ପ୍ରତ୍ୟାଖ୍ୟାନ କରିପାରି ନଥିଲି ସେ ପ୍ରସ୍ତାବ । ୧୯୯୫ ମସିହାର କଥା ଇଏ । ଏବଂ ସେତେବେଳକୁ ବିଷର୍ଣ୍ଣ ବୟସ୍କତାର ବିବର୍ଣତା ଆକ୍ରାନ୍ତ କରିବାକୁ ଆରମ୍ଭ କରୁଥାଏ କବିଙ୍କୁ... । ମୁଁ ତାଙ୍କ ଆକ୍ଷି ଦୁଇଟିକୁ ଅନାଇଥିଲି, ଦୃଷ୍ଟି ତାଙ୍କର ସ୍ତିମିତ – ଚକ୍ଷୁରୋଗର ଉପସର୍ଗ । ତଥାପି ସେ ଆକ୍ଷିରେ ସେମିତି ସ୍ୱାକ୍ଷରିତ ରହିଥିଲା ସାଗ୍ରହ ସମ୍ପୃକ୍ତି । ଆମେ ପରସ୍ପରକୁ କୁଶଳ ପୁଚ୍ଛିବା ବେଳେ ତାଙ୍କ ଆକ୍ଷି ଦୁଇଟିରୁ ନିଗିଡ଼ି ଆସୁଥିଲା କୋମଳ କରୁଣା । କବିଙ୍କ ନୋଟ୍‌ଖାତାରେ ନିମଜ୍ଜିତ ଥିବା ସେକ୍ରେଟାରୀ ଚାହିଁ ରହିଥାନ୍ତି ଆମ ଉଭୟଙ୍କୁ । ରାଉତରାୟଙ୍କ ପ୍ରଥମ କବିତା ରଚନାକାଳପରେ ପଞ୍ଚଷଠି ବର୍ଷରୁ ଊର୍ଧ୍ୱକାଳ ଅତିକ୍ରାନ୍ତ ହୋଇସାରିଥାଏ ସେତେବେଳକୁ । ଏବେ ଏକ ସାମଗ୍ରିକ ସାରସ୍ୱତ ଜୀବନକୃତିର ସାମ୍ନାସାମ୍ନି ସ୍ୱୟଂ କବି ଓ ମୁଁ ଉଭୟ ।

 

ଏହା ହେଉଛି ୧୯୯୫ ମସିହା ଡିସେମ୍ୱର ୨୦ ତାରିଖ ।

 

ତାଙ୍କ ଆଦ୍ୟ ରଚନା ପର୍ବରେ ରବୀନ୍ଦ୍ରନାଥଙ୍କ ପ୍ରଭାବକୁ ସ୍ୱୀକାର କରିଛନ୍ତି ସ୍ୱୟଂ କବି । କିନ୍ତୁ ସେସବୁ କବିତା ତାଙ୍କ ଅପରିଣତ ବୟସର ସର୍ଜନା - ସେ ଯେତେବେଳେ ରହୁଥାନ୍ତି କଲିକତାରେ । ଯାହାହେଉ, ଅଚିରେ ଏ ପ୍ରଭାବରୁ ମୁକ୍ତ ହୋଇଛନ୍ତି ସେ । କ୍ରମେ ତାଙ୍କ କବିତାର ଚିତ୍ରକଳ୍ପ ନିଜସ୍ୱ ବିରଳ ସୌଷ୍ଠବରେ ସଚକିତ କରିଆସିଛି ସମସ୍ତଙ୍କୁ । ମୋର ଦୁଇଟି ପ୍ରିୟ ପଦ ଉଲ୍ଲେଖ କରୁଛି ମୁଁ :

 

Lacy wisps of silky moonlight

Fall upon dark fronds of coconut plams

In light-hearted holiday joy.

The darkness grins a cold inane smile,

Meaningless and capricious as the giggle

of a dark, tribal girl.

 

ରାଉତରାୟଙ୍କ କବିତା ଏଇଭଳି ଚମକପ୍ରଦ ଚିତ୍ରକଳ୍ପର କବିତା । କବିଙ୍କ ଭାବଚେତନାର ଅନନ୍ୟ ଅଭିବ୍ୟକ୍ତି, ମାଟି ଓ ଆକାଶ ସହିତ ଐକାନ୍ତିକ ଏକାତ୍ମତା, ଏବଂ ଜନ୍ମମୃତ୍ୟୁର ଏ ନିଜସ୍ୱ ଜଗତକୁ ନେଇ ନିରବଚ୍ଛିନ୍ନ ନିଷ୍ଠତାରେ ସତରେ ମର୍ମସ୍ପର୍ଶୀ ତାଙ୍କର କାବ୍ୟିକ କାରୁକାର୍ଯ୍ୟ ! ତାଙ୍କ କବିତା ମାଧ୍ୟମରେ ମୁଁ ଅନୁଭବ କରିପାରେ ଏକ ବିଶାଳ ବ୍ୟାପ୍ତି - ମାନବିକ ମନୋସ୍ଥିତିର ଏକ ମାର୍ମିକ ପ୍ରବହମାନତା – ମ୍ଳାନ ଜୀବନର ବିସ୍ତୃତି ମଧ୍ୟରେ ଏକ ଆନ୍ତରିକ ଆତ୍ମବିଚ୍ଛୁରଣ ।

 

୧୯୪୭ରେ ପ୍ରକାଶିତ ‘ପାଣ୍ଡୁଲିପି’ ଓ ସପ୍ତମ ଦଶକର ଆଦ୍ୟପର୍ବରେ ପ୍ରକାଶିତ ‘କବିତା-୧୯୬୨’ ତାଙ୍କ ସାରସ୍ୱତ କ୍ରମବିବର୍ତ୍ତନର ଦୁଇ ଉଜ୍ଜ୍ୱଳ ଉଲ୍ଲେଖ । ପୃଷ୍ଠାରେ ପୃଷ୍ଠାରେ ପରୀକ୍ଷା ଓ ପ୍ରୟୋଗର ମୁଦ୍ରାଙ୍କନ । ପରବର୍ତ୍ତୀ ପିଢ଼ିର ଲେଖକବର୍ଗଙ୍କ ପକ୍ଷରେ ଏହା ଅବିସମ୍ୱାଦିତ ଉଦାହରଣ । ‘ଦର୍ପଣ’ ପରି ଆକୃତି-କବିତା ଓ ‘ଟେବୁଲ’ ପରି ଗଦ୍ୟକବିତା ଏ କ୍ଷେତ୍ରରେ ଲକ୍ଷଣୀୟ-। ମାତ୍ର ଦୀର୍ଘକାଳ କାଏମ୍ ରହିପାରିନି କାବ୍ୟରୀତିର ଏ ପ୍ରୟୋଗବାଦୀ ପ୍ରାୟାସ ।

 

ଏକ ପରେ ଏକ ଅନେକ କାବ୍ୟଖଣ୍ଡରେ କ୍ରମେ ପ୍ରକାଶଲାଭ କରିଛି ତାଙ୍କ କବିତାସବୁ । ପ୍ରକାଶନ-ବର୍ଷଗୁଡ଼ିକୁ ପ୍ରଚ୍ଛଦରେ ଉଲ୍ଲେଖ ପୂର୍ବକ ପ୍ରତ୍ୟେକ କାବ୍ୟଖଣ୍ଡକୁ ‘କବିତା’ ଶୀର୍ଷକରେ ହିଁ ଚିହ୍ନିତ କରିଆସିଛନ୍ତି ରାଉତରାୟ । କ୍ଷୁଦ୍ରଗଳ୍ପ, ସାରସ୍ଵତ ନିବନ୍ଧାବଳୀ ଓ କବିତା – ସାହିତ୍ୟର ଯେକୌଣସି ଆଙ୍ଗିକରେ ତାଙ୍କ ପ୍ରତିଭାର ସ୍ୱତଃସ୍ଫୂର୍ତ୍ତ ପ୍ରକାଶମାନତା ସମଭାବରେ ସାବଲୀଳ ।

 

କବିତାକୁ ଏକ ବୃହତ୍ତର ସାଂସ୍କୃତିକ ଓ ରାଜନୀତିକ ଶକ୍ତି ତଥା ଓଡ଼ିଶାର ସାମାଜିକ ପରିବର୍ତ୍ତନର ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବରେ ପ୍ରଦର୍ଶନ କରିଆସିଛନ୍ତି ସଚ୍ଚି ରାଉତରାୟ । ନିଜ ବଞ୍ଚୁଥିବା ଜୀବନଶୈଳୀଠାରୁ ବିଚ୍ଛିନ୍ନ ନୁହେଁ ତାଙ୍କ କାବ୍ୟଶୈଳୀ । ପ୍ରକାରାନ୍ତରେ ତାଙ୍କ କବିସତ୍ତା ତାଙ୍କ ନିଜସ୍ଵ ଅନ୍ତଃସତ୍ତାର ହିଁ ଅକପଟ ଆତ୍ମବିବୃତି । ନିଜସ୍ୱ ନିଚ୍ଛକ ସତ୍ୟାଶ୍ରିତ ନିଗୂଢ଼ତମ ଭାବସ୍ପନ୍ଦନକୁ କବିତାରେ କାୟାନ୍ତରିତ କରିବାରେ ସେ ଥିଲେ ଜଣେ ଏକାନ୍ତ ଆକୁତୋଭୟ କବିପୁରୁଷ । ତାଙ୍କର ବିଶ୍ୱସନୀୟତା ଓ ସ୍ୱତଃସ୍ଫୂର୍ତତା ଉଭୟର ସ୍ପଷ୍ଟ ସତ୍ୟପାଠ ହେଉଛି ତାଙ୍କ କବିତା । ମୁଁ ଯଦି କହେ – ସଚ୍ଚି ରାଉତରାୟ କାବ୍ୟକ୍ଷେତ୍ରରେ ଏକ ବିଶେଷ ଗଣତାନ୍ତ୍ରିକତାର ପ୍ରବର୍ତ୍ତକ – ତା’ହେଲେ ଭୁଲ୍ ହେବ କି କିଛି ? ସେ କେବଳ ସାମନ୍ତବାଦୀ ଭୂମ୍ୟଧିକାରୀ ବା ଗଡ଼ଜାତି ରାଜୁଡ଼ା ବର୍ଗର ଉତ୍ପୀଡ଼କ ଶାସନତନ୍ତ୍ରର କଥା କହି କାବ୍ୟିକ ଗଣତନ୍ତ୍ର ପ୍ରବର୍ତ୍ତନ କରିଯାଇନାହାନ୍ତି, ବରଂ ବ୍ୟକ୍ତ କରିଯାଇଛନ୍ତି ନିଜ ପରିଧିସ୍ଥ ପୃଥିବୀର ଶୂନ୍ୟତା ଓ ବିଚ୍ଛିନ୍ନତା ମଧ୍ୟ-। ଉପର୍ଯୁପରି ଗୁରୁତ୍ୱ ପ୍ରଦାନପୂର୍ବକ ଉଲ୍ଲେଖ କରିଚନ୍ତି ସେ :

 

I feel my world

has no place in the map,

nor will it ever appear in it

everytime something happens...

 

ରାଉତରାୟ ଏହି ଆଭାସକଳ୍ପକୁ ଉନ୍ନୀତ କରାଇପାରିଛନ୍ତି ବହୁବର୍ଣ୍ଣାଢ଼୍ୟ ଉଚ୍ଚକୋଟୀକୁ । ମଗ୍ନଚୈତନ୍ୟର ମାୟାଚ୍ଛନ୍ନ ରହସ୍ୟକୁ କାବ୍ୟକଳ୍ପ କରିଛନ୍ତି ସେ । ଧରାବନ୍ଧା ଛାଞ୍ଚର କଠୋର କଟକଣାରୁ କବିତାକୁ ମୁକୁଳାଇଆଣି ସେ ପ୍ରସ୍ତୁତ କରିଛନ୍ତି ନୂତନ ମାନସିକତାର ମାନଚିତ୍ର - ଯାହା ତାଙ୍କ ପୂର୍ବରୁ ଥିଲା ଅଜ୍ଞାତ ଓ ଅନାବିଷ୍କୃତ । ଏହା ଏକ କାବ୍ୟିକ ମୁକ୍ତିର କଥା ।

 

‘ପ୍ରତିମା ନାୟକ’ କବିତାରେ କବିର ଏହି ମୁକ୍ତିର ମୁହୂର୍ତ୍ତଟି ମୂର୍ତ୍ତ:

ଆହା ! ହସୁ ହସୁ ପ୍ରତିମା ନାୟକ

ଅଞ୍ଚଳ ତା’ ନାଇ ଦେହେ

ଦେଖିଅଛି ଖାକୀର ପୋଷାକ ।

(‘ପ୍ରତିମା ନାୟକ’)

Let, let Pratima Nayak smile

No sari's anchal on her body

Just a khaki dress...

ବିଧାନଚନ୍ଦ୍ର ରାୟଙ୍କ ଦେହାନ୍ତକୁ ନେଇ ତାଙ୍କର ଉଚ୍ଚାରଣ :

ଠିକ୍ ସେ ସମୟେ

ନଗରୀର ଏକ କୋଣେ, ନିଭୃତ ଘରରେ

ଏକ ମହାସ୍ତବ୍ଧତାର ତୁଷାର ତମ୍ୱୁରେ

ବରଫ ବିଗ୍ରହ ପରି ଶୋଇ ସେ ପଡ଼ିଲେ ।

(‘ସେ ମଧ୍ୟାହ୍ନରେ ପ୍ରାଣତ୍ୟାଗ କଲେ’)

Just at that hour

In a lonely corner of the city

In the silent depths of a white text

A snowy figure was lost in sleep.

 

ଉପରୋକ୍ତ ଉତ୍ତୀର୍ଣ୍ଣତାରୁ, ଜୀବନବ୍ୟାପୀ ସେ ପଶ୍ଚାତ୍‌ଧାବନ କରିଥିବା କାବ୍ୟିକ ଅବବୋଧର ପରିପୂର୍ଣ୍ଣତାକୁ ଜଣେ ସଚେତନ ପାଠକ ହୃଦୟଙ୍ଗମ କରିପାରେ ପରିଷ୍କାର ।

 

ସେଇଦିନ, ମୋର ମନେଅଛି, ତାଙ୍କ ଆକ୍ଷି ଦୁଇଟିକୁ ମୁଁ ଅନାଇଥିଲି ଆଉଥରେ । ଯେଉଁ କ୍ଳାନ୍ତିର କାରୁଣ୍ୟ ମୁଁ ସେ ଆକ୍ଷିରେ ଆବିଷ୍କାର କରିଥିଲି, ତା’ କେବେ ନଥିଲା ବିବର୍ଣ୍ଣ ବୟସ୍କତାର ବିଧିବଦ୍ଧ ବିମୂର୍ତ୍ତତା । ହୁଏତ ପରିବର୍ତ୍ତିତ ପୃଥିବୀର ପ୍ରଚୁର ଅବଦାନ ଥିଲା ସେ କାଳାତୀତ କ୍ଳାନ୍ତିରେ-। ତାଙ୍କର ସମଗ୍ର ଜୀବନ ଥିଲା ଅତୀତର ବିଭିନ୍ନ ପର୍ଯ୍ୟାୟରେ ସେ ମୁକାବିଲା କରିଆସିଥିବା ଅମାନବିକତା ବିରୋଧରେ ଏକ ସୁଦୀର୍ଘ ସଂଘର୍ଷ ଏବଂ ଯାହାର ଅନ୍ତ ଘଟାଇ ନ ପାରିବାର ନିରୁପାୟତା ହିଁ ବିବଶ ଓ ବିଷର୍ଣ୍ଣ କରିସାରିଥିଲା ତାଙ୍କୁ ।

 

ସଚ୍ଚି ରାଉତରାୟ ଥିଲେ ତାଙ୍କ ସମଯୁଗୀନ ଜଗତର ଚିରଜୀବନ୍ତ କବି । ତାଙ୍କ ଧ୍ୟାନସ୍ଥ ଦୃଷ୍ଟି ଥିଲା ଏକ ପ୍ରବାହ ପରି ପ୍ରାଣଚଞ୍ଚଳ, ନିତ୍ୟ ସଞ୍ଚରଣଶୀଳ :

 

this room,

from whose mid-window can be seen

the hewn path amid the forest green

and the bald dome of the hill,

the morning birds that rise and fly

to come back later to the hill,

and from where the bathed crystal dawn

seem(ed) a calm intimation

of some icon-centre...

 

ସର୍ବୋପରି, କବିତା ହେଉଛି ଜୀବନ ଓ ଜଗତର ନିତାନ୍ତ ନିକଟବର୍ତ୍ତୀ ହେବା ଦିଗରେ ଏକ ଚଲାପଥ; ଜୀବନଜିଜ୍ଞାସା ଓ ଜଗତଜିଜ୍ଞାସାର ବୃହତ୍ତର ବଳୟ ମଧ୍ୟରେ କବିତା ହିଁ ସବୁକିଛିର କେନ୍ଦ୍ରବିନ୍ଦୁ । ସବୁକିଛି ବିଦୀର୍ଣ୍ଣ ବେଦନା ଓ ବିକ୍ଷୁବ୍ଧ ବ୍ୟଙ୍ଗର ବ୍ୟଞ୍ଜନା ଭିତରେ, ସଚ୍ଚି ରାଉତରାୟଙ୍କ ପରି ଜଣେ ମହାନ୍ ସ୍ରଷ୍ଟାଙ୍କର ଆତ୍ମୋପଲବ୍ଧ ନିଃସଙ୍ଗତା ବିଡମ୍ୱିତ ହୋଇପାରେନା କଦାପି ।

ତିନିକୋଣିଆ ବଗିଚା

କଟକ-୭୫୩୦୦୧

***

 

ସଚ୍ଚି ରାଉତରାୟଙ୍କ କଥାସାହିତ୍ୟ

ଡକ୍ଟର କୃଷ୍ଣଚରଣ ବେହେରା

 

କବିତା ରଚନାରେ ସଚ୍ଚି ରାଉତରାୟ (୧୯୧୬-୨୦୦୪) ଯେପରି ବହୁପ୍ରସୂ, ଗଳ୍ପ-ଉପନ୍ୟାସ ରଚନାରେ ସେପରି ହୋଇପାରି ନାହାନ୍ତି । ଏଯାବତ୍ ପ୍ରକାଶିତ ତାଙ୍କର ପ୍ରାୟ ପଚାଶ ଗୋଟି ଗଳ୍ପ ଏବଂ ଉପନ୍ୟାସ ଅଭିଧାରେ ଚିହ୍ନିତ ‘ଚିତ୍ରଗ୍ରୀବ’ ଗ୍ରନ୍ଥଟି ଆମେ ପାଇଛୁଁ । କିନ୍ତୁ ପରିମାଣ, ପ୍ରକର୍ଷ ବା ପ୍ରତିଭାର ପରିଚାୟକ ନୁହେଁ । ଅଳ୍ପ ମଧ୍ୟ ମାନ ବା ଗୁଣର ତଳ୍ପ ହୋଇପାରେ-। ରାଉତରାୟଙ୍କ ଏହି ନାତିପ୍ରତୁଳ କଥାସାହିତ୍ୟ ଆତ୍ମିକ ତଥା ଆଙ୍ଗିକ ଉଭୟ ଦିଗରୁ ସାହିତ୍ୟ କ୍ଷେତ୍ରରେ ନୂତନତାର ସ୍ୱାକ୍ଷର ଅଙ୍କିତ କରିପାରିଛି ।

 

ବିଂଶ ଶତାବ୍ଦୀର ଚତୁର୍ଥ ଦଶକରେ କଥାକାର ଭାବରେ ରାଉତରାୟଙ୍କର ଆତ୍ମପ୍ରକାଶ । ସେତେବେଳକୁ ଆମର ଆଧୁନିକ କଥା ସାହିତ୍ୟର ଜୟଯାତ୍ରା ଆରମ୍ଭ ହୋଇଯାଇଥିଲା । ରାମଶଙ୍କର ରାୟ (୧୮୫୭-୧୯୩୧), ଉମେଶ ଚନ୍ଦ୍ର ସରକାର (୧୮୫୭-୧୯୧୪), ଫକୀରମୋହନ ସେନାପତି (୧୮୪୩-୧୯୧୮), ଚନ୍ଦ୍ରଶେଖର ନନ୍ଦ (୧୮୭୧-୧୯୩୩), ଚିନ୍ତାମଣି ମହାନ୍ତି (୧୮୬୭-୧୯୪୩), ଗୋଦାବରୀଶ ମିଶ୍ର (୧୮୮୬-୧୯୫୬), ଲକ୍ଷ୍ମୀକାନ୍ତ ମହାପାତ୍ର (୧୮୮୮-୧୯୫୩), ଦୟାନିଧି ମିଶ୍ର (୧୮୯୧-୧୯୫୫), ରାମଚନ୍ଦ୍ର ଆଚାର୍ଯ୍ୟ (୧୮୯୩-୧୯୫୧), କୁନ୍ତଳାକୁମାରୀ ସାବତ (୧୯୦୦-୩୮) ପ୍ରମୁଖ ବିଭିନ୍ନ ଲେଖକ-ଲେଖିକା ସେହି ଜୟଯାତ୍ରାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ । ‘ଉତ୍କଳ ସାହିତ୍ୟ’ (୧୮୯୭), ‘ମୁକୁର’ (୧୯୦୬), ‘ସହକାର’ (୧୯୧୯) ପ୍ରଭୃତି ପତ୍ରିକାରେ ଧାରାବାହିକ ଉପନ୍ୟାସ ଓ ଗଳ୍ପମାନ ତ ପ୍ରକାଶ ପାଇବାରେ ଲାଗିଥିଲା ! ତାହା ବ୍ୟତୀତ ‘ମୁକୁର ଉପନ୍ୟାସ ଗ୍ରନ୍ଥମାଳା’ (୧୯୨୪) ଓ ‘ଆନନ୍ଦଲହରୀ ଉପନ୍ୟାସମାଳା’ (୧୯୩୦) ମାସିକ ବା ଦ୍ଵିମାସିକ କିସ୍ତିରେ ଗଳ୍ପ-ଉପନ୍ୟାସମାନ ପ୍ରକାଶ କରୁଥିଲେ । ‘ଓଡ଼ିଆ ସାହିତ୍ୟ ପ୍ରଚାରସଂଘ’ (୧୯୨୪), ‘ସବୁଜ ସାହିତ୍ୟ ସମିତି’ (୧୯୨୫), ‘ଭାରତୀ ତପୋବନ’ (୧୯୨୮) ଭଳି କେତେକ ସାଂସ୍କୃତିକ ପ୍ରତିଷ୍ଠାନ କଥାସାହିତ୍ୟର ସୃଷ୍ଟି ଓ ପ୍ରସାର ପାଇଁ ପ୍ରୋତ୍ସାହନ ଯୋଗାଉଥିଲେ । ଏହା ଫଳରେ ଆମ କଥାସାହିତ୍ୟର ସୃଷ୍ଟିର ପରିମାଣ ବୃଦ୍ଧି ପାଇଥିଲା ଏବଂ ସେହି ସଂଖ୍ୟାଧିକ ସୃଷ୍ଟି ମଧ୍ୟରୁ ଆମେ କେତେକ ଉଚ୍ଚକୋଟୀର ଗଳ୍ପ-ଉପନ୍ୟାସ ପାଇପାରିଥିଲୁ । ଏଠାରେ ଏହା ଉଲ୍ଲେଖଯୋଗ୍ୟ ଯେ- ପ୍ରଥମାବସ୍ଥାରେ ଆମ ଏଠାରେ ଆଧୁନିକ କଥାସାହିତ୍ୟ ସାଧାରଣତଃ ଲଘୁ, ତରଳ ଓ ଉତ୍ତେଜନାମୂଳକ ରଚନା ବୋଲି ବିବେଚିତ ହେଉଥିଲା, ଏବଂ ତାହା ପାଠ କଲେ ପାଠକ ସମାଜ ବିଶେଷତଃ ତରୁଣତରୁଣୀମାନେ ଖରାପ ହୋଇଯିବେ ବୋଲି ମନେକରାଯାଉଥିଲା । କାବ୍ୟକବିତା, ନାଟକାଦି ପାଠ ଯେପରି ସମ୍ଭ୍ରାନ୍ତ ଅଭିଜାତ ପଠନକ୍ରିୟା ରୂପେ ପ୍ରଚଳିତ ଥିଲା, ଗଳ୍ପ-ଉପନ୍ୟାସ ପାଠ ସେହିପରି ମର୍ଯ୍ୟାଦା ଲାଭ କରି ନଥିଲା । ପଣ୍ଡିତ ଗୋପବନ୍ଧୁଙ୍କ ଦ୍ଵାରା ସମ୍ପାଦିତ ‘ସତ୍ୟବାଦୀ' (୧୯୧୫) ପତ୍ରିକା ପ୍ରଥମେ କବିତା ଓ କଥାସାହିତ୍ୟ ପ୍ରକାଶ କରିବା ପାଇଁ କୁଣ୍ଠିତ ଥିଲା । କିନ୍ତୁ ପାଠକମାନେ ‘କେବଳ ନୀରସ ପ୍ରବନ୍ଧ’ ପଢ଼ିବାକୁ ନ ଚାହିଁବାରୁ ‘ସତ୍ୟବାଦୀ’ରେ ଗଳ୍ପ-କବିତାଦି ପ୍ରକାଶ ସମ୍ପର୍କରେ ସେତେବେଳେ ବରିଷ୍ଠ ସାହିତ୍ୟିକ ଫକୀରମୋହନଙ୍କର ପରାମର୍ଶ ଲୋଡ଼ା ଯାଇଥିଲା । ଫକୀରମୋହନ ମତ ପ୍ରକାଶ କରିଥିଲେ– “ସତ୍ୟବାଦୀର ଗୋଟିଏ ବିଶେଷତ୍ୱ ଅଛି । ଆପଣ ପଦ୍ୟ ଆଉ ଗଳ୍ପ ଦେବାକୁ ମନସ୍ଥ କରିଛନ୍ତି; ଏହାର ଯେ ବିଶେଷତ୍ଵ ଗୁରୁଗାମ୍ଭୀର୍ଯ୍ୟ ନଷ୍ଟ ହୋଇଯିବ !” (ସତ୍ୟବାଦୀ- ୨ୟ ଖଣ୍ଡ, ୧ମ- ୨ୟ ସଂଖ୍ୟା- ୧୩୨୩ ଫଗୁଣ-ଚୈତ୍ର) । ଫକୀରମୋହନଙ୍କର ଏହି ପ୍ରତିକୂଳ ଅଭିମତ ସତ୍ତ୍ୱେ ‘ସତ୍ୟବାଦୀ’ ପାଠକସମାଜର ରୁଚି ଓ ଆଗ୍ରହ ନିକଟରେ ନତି ସ୍ୱୀକାର କଲା; ପରେ ପରେ ତହିଁରେ ପଦ୍ୟ ଓ ଗଳ୍ପମାନ ପ୍ରକାଶ ପାଇବାରେ ଲାଗିଲା ।

 

ଆମର ମଧ୍ୟଯୁଗୀୟ ସାହିତ୍ୟ ଯେତେ ପରିମାଣରେ ଶିଳ୍ପକଳାନୁଗ ଥିଲା, ସେତେ ପରିମାଣରେ ଜୀବନାଭିମୁଖୀ ନଥିଲା । ଆଧୁନିକ ସାହିତ୍ୟ- ବିଶେଷତଃ କଥା ସାହିତ୍ୟର ଜୀବନମୁଖୀନତା ଏକ ଉଲ୍ଲେଖନୀୟ ବୈଶିଷ୍ଟ୍ୟ । ବିଚିତ୍ର ବହୁମୁଖୀ ବିଭାବ ଘେନି ଜୀବନ ଓ ସମାଜ ଆମର ଗଳ୍ପ-ଉପନ୍ୟାସମାନଙ୍କରେ ରୂପାୟିତ ହୋଇଥିଲା । ବିଶେଷତଃ ସମାଜର ଜନସାଧାରଣ-ନିପୀଡ଼ିତ ଓ ନିଷ୍ପେଷିତ ମଣିଷ, ଯେଉଁମାନଙ୍କ ପାଇଁ ସାହିତ୍ୟାଙ୍ଗନ ଏକପ୍ରକାର ନିଷିଦ୍ଧ ହୋଇ ରହିଥିଲା, ସେମାନେ ଆସି କଥାସାହିତ୍ୟ କ୍ଷେତ୍ରରେ ଉପଯୁକ୍ତ ଆସନ ଲାଭ କଲେ । ସ୍ଥାନ ପାଇଲେ- କହିଲ ଗୋଛାଏତ-ରାମିୟା ମାଆମାନେ (ପଦ୍ମମାଳୀ), ଆଦିବାସୀ ଭୂଇଁୟା ଗୋଷ୍ଠୀ (ଭୀମା ଭୂଇଁୟା), ଭଗିଆ-ସାରିଆ-ଗୋବରା ଜେନାମାନେ (ଛମାଣ ଆଠଗୁଣ୍ଠ), ଜଳଧର-ସୌଦାମିନୀ- ରାଣ୍ଡୀପୁଅ ଅନନ୍ତାମାନେ । ସେମାନଙ୍କ ଜୀବନର କେବଳ ସୁଖ-ସମ୍ଭୋଗ ନୁହେଁ- କାରୁଣ୍ୟ, ବେଦନା, ବିଷାଦ ମଧ୍ୟ କଥାକାରମାନଙ୍କ ଲେଖନୀରେ ରୂପାୟିତ ହେଲା । ଏପରି ଟ୍ରାଜିକ୍ ଓ ଦୁଃଖମୟ ସ୍ୱର ଆମର ପ୍ରାଚୀନ କଥାସାହିତ୍ୟରେ ପ୍ରାୟ ଶୁଣାଯାଇ ନଥିଲା । ବ୍ୟକ୍ତି ଚରିତ୍ରର ପରିମାର୍ଜନ, ସମାଜ ସଂସ୍କାର, ସ୍ୱଦେଶ ପ୍ରୀତିର ଉଦ୍‌ବୋଧନ ପ୍ରଭୃତି ଆଭିମୁଖ୍ୟ ପ୍ରତି କଥାକାରମାନଙ୍କର ପ୍ରବଣତା ପ୍ରକାଶ ପାଇଲା । ବାସ୍ତବତା ହିଁ ଥିଲା ଆଧୁନିକ କଥାସାହିତ୍ୟର ଭିତ୍ତିଭୂମି । ଘଟଣା ବର୍ଣ୍ଣନା, ସମାଜ ଚିତ୍ରଣ ତଥା ଚରିତ୍ର ରୂପାୟନରେ ଲେଖକ ଲେଖିକାମାନେ ଯାହା ପ୍ରକୃତ, ସମ୍ଭବ ବା ସ୍ଵାଭାବିକ, ଯଥାସମ୍ଭବ ତାହା ହିଁ ଗ୍ରାହକ ସମାଜ ସମକ୍ଷରେ ଉପସ୍ଥାପନ କଲେ । ଏପରିକି, କିମ୍ବଦନ୍ତୀମୂଳକ ଓ ଐତିହାସିକ କଥାବସ୍ତୁରେ ବାସ୍ତବତା ଉପେକ୍ଷିତ ହେଲା ନାହିଁ ।

 

ଊନବିଂଶ ଶତାବ୍ଦୀ ଶେଷ ପର୍ଯ୍ୟନ୍ତ ଆଧୁନିକ କଥାସାହିତ୍ୟର କଳାପକ୍ଷ ସମ୍ପର୍କରେ ଆମ କଥାକାରମାନଙ୍କର ସ୍ପଷ୍ଟ ଧାରଣା ଥିବାର ବୋଲାଯାଇ ନ ପାରେ । ଲେଖକ ଲେଖିକାମାନେ ବଙ୍ଗଳା, ଇଂରାଜୀ ଆଦି ଉପନ୍ୟାସର ମଡେଲ୍‌ରେ ଉପନ୍ୟାସ ଲେଖୁଥିଲେ । ଉପନ୍ୟାସର ଲକ୍ଷଣ, ସ୍ୱରୂପ-ପ୍ରକୃତି, ରଚନାରୀତି ଆଦି ବିଷୟରେ ନିର୍ଦ୍ଦିଷ୍ଟ ସୂତ୍ର ପ୍ରବର୍ତ୍ତିତ ହୋଇ ନ ଥିବାରୁ ଉପନ୍ୟାସ-ରଚନା ବହୁ ପରିମାଣରେ ଅନୁଶାସନ-ନିରପେକ୍ଷ ହୋଇ ରହିଥିଲା; ଏ ପର୍ଯ୍ୟନ୍ତ ମଧ୍ୟ ସେହି ପରିସ୍ଥିତିର ପରିବର୍ତ୍ତନ ହୋଇ ନାହିଁ । ସେହିପରି- ଉପନ୍ୟାସ ଓ କାହାଣୀ, କାହାଣୀ ଓ କ୍ଷୁଦ୍ରଗଳ୍ପ ମଧ୍ୟରେ ଭେଦରେଖା ଥିଲା ଶିଥିଳ ଓ ଅସ୍ପଷ୍ଟ । ବିଭିନ୍ନ କାହାଣୀ ବା ବଡ଼ ଗଳ୍ପକୁ ସେତେବେଳେ ଉପନ୍ୟାସ ନାମରେ ଚିହ୍ନିତ କରାଯାଇଥିବାର ପରିଲକ୍ଷିତ ହୁଏ । ଏପର୍ଯ୍ୟନ୍ତ ମଧ୍ୟ କେତେକ ସମୀକ୍ଷକ ବିଭିନ୍ନ କାହାଣୀକୁ କ୍ଷୁଦ୍ରଗଳ୍ପ ଭାବରେ ଆଲୋଚନା କରୁଥିବାର ଦେଖାଯାଏ । ଯାହାହେଉ, କ୍ରମେ ଏ ପ୍ରସଙ୍ଗରେ ଆଲୋଚନା-ଚର୍ଚ୍ଚା ହେବାରୁ ଆମର କଥାକାରମାନେ ଗଳ୍ପ-ଉପନ୍ୟାସର କଳାପକ୍ଷ ସମ୍ପର୍କରେ ସ୍ପଷ୍ଟ ଧାରଣା ଘେନି ଲେଖନୀ ଚାଳନା କରିଛନ୍ତି । ଉପନ୍ୟାସ ସମ୍ପର୍କରେ ‘ଉତ୍କଳ ସାହିତ୍ୟ’, ‘ସତ୍ୟବାଦୀ’ ଆଦି ପତ୍ରିକାରେ ଆଲୋଚନା ପ୍ରବନ୍ଧମାନ ପ୍ରକାଶ ପାଇଛି । ୧୯୦୪ ମସିହାରେ ପ୍ରକାଶିତ ଚନ୍ଦ୍ରଶେଖର ନନ୍ଦଙ୍କର କ୍ଷୁଦ୍ରଗଳ୍ପ ସମ୍ପର୍କରେ ସେହିପରି ଏକ ଆଲୋଚନାରୁ କିୟଦଂଶ ଦୃଷ୍ଟାନ୍ତ ସ୍ୱରୂପ ଏଠାରେ ଉଦ୍ଧାର କରାଯାଉଛି- “ଉନ୍ନତ ସାହିତ୍ୟ ସଂସାରରେ କ୍ଷୁଦ୍ରଗଳ୍ପର ଆସନ ଉଚ୍ଚ, ଏ କଥା କେହି ଅସ୍ୱୀକାର କରିବେ ନାହିଁ । ନାଟକ, ଉପନ୍ୟାସ ଓ ଆଧ୍ୟାତ୍ମିକ ତତ୍ତ୍ୱପୂର୍ଣ୍ଣ ଦାର୍ଶନିକ ପ୍ରବନ୍ଧର ସଙ୍କଳନ ପରି କ୍ଷୁଦ୍ରଗଳ୍ପର ରଚନା ନିଶ୍ଚୟ ନୈପୁଣ୍ୟ ସାପେକ୍ଷ ଓ କୃତିତ୍ଵର ପରିଚାୟକ । କ୍ଷୁଦ୍ରଗଳ୍ପକୁ ଅଳୀକ କାହାଣୀ ବୋଲି ହେୟଜ୍ଞାନ କରିବା ନିତାନ୍ତ ଅସଙ୍ଗତ । ଉପନ୍ୟାସ ସହିତ ଏହାକୁ ସମାନ କରିବା ମଧ୍ୟ ଉଚିତ ନୁହେଁ । ମହାକାବ୍ୟ ସହିତ ଚତୁର୍ଦ୍ଦଶପାଦୀର ଯେଉଁ ସମ୍ବନ୍ଧ, ଉପନ୍ୟାସ ସହିତ ଏହାର ସେହି ସମ୍ବନ୍ଧ । ଆବେଗପୂର୍ଣ୍ଣ ହୃଦୟର ସାମୟିକ ଗଭୀର ଉଚ୍ଛ୍ୱାସ ଯେପରି କବିତାରେ ପ୍ରତିଫଳିତ ହୋଇଥାଏ, ସେହିପରି ନାନା ବୈଚିତ୍ର୍ୟମୟ ଓ ନାନା ସଂଘାତମୟ ଜୀବନର ରାଶି ରାଶି କ୍ଷୁଦ୍ର ଘଟନାମାନଙ୍କର ମନୋହର ଚିତ୍ର କ୍ଷୁଦ୍ରଗଳ୍ପର ଅଙ୍ଗଭୂତ , ଅଟେ । x x x

 

“ଆଡ଼ମ୍ବରପୂର୍ଣ୍ଣ ବର୍ଣ୍ଣନା କ୍ଷୁଦ୍ରଗଳ୍ପର ଉପଯୋଗୀ ନୁହେଁ । ଉପନ୍ୟାସରେ ଯାହା ବିସ୍ତୃତ ବର୍ଣ୍ଣନାସାପେକ୍ଷ, କ୍ଷୁଦ୍ରଗଳ୍ପରେ ତାହା କେତୋଟି କଥାରେ ଏପରି ସୁନିପୁଣ ଭାବରେ ନିବଦ୍ଧ ହେବା ଉଚିତ, ଯାହା ପାଠକଲେ ଶବ୍ଦ ସଙ୍ଗେ ସଙ୍ଗେ ଯୁଗପତ୍ ନାନା ଭାବରାଜିର ଉଦୟ ହେବ । କ୍ଷୁଦ୍ରଗଳ୍ପରେ ଶବ୍ଦବିନ୍ୟାସରେ ମଧ୍ୟା ମହାନୈପୁଣ୍ୟ ପ୍ରକାଶିତ ହେବା ବିଧେୟ । କେତେଗୁଡ଼ିଏ କଥା କେବଳ ଦିଓଟି ଗୋଟିଏ ଶବ୍ଦରେ ପ୍ରକାଶିତ ହୋଇ ତାହାର ସୌନ୍ଦର୍ଯ୍ୟ ବର୍ଦ୍ଧିତ କରେ ।

 

“ଲେଖକ କେତେବେଳେ ସମ୍ପୂର୍ଣ୍ଣ ଅଜ୍ଞାତ ତୃତୀୟ ପୁରୁଷ ପରି ରହିଥାନ୍ତି, କେତେବେଳେ ବା ଚିତ୍ରିତ ପୁରୁଷମାନଙ୍କ ମଧ୍ୟରେ ଜଣକର ସ୍ଥାନ ଅଧିକାର କରିଥାନ୍ତି । କଥୋପକଥନ ଛଳରେ କ୍ଷୁଦ୍ରଗଳ୍ପ ସ୍ଥଳବିଶେଷରେ ରଚିତ ହୋଇଥିବାରୁ ଦେଖାଯାଏ । କିନ୍ତୁ ଏହା ଯେ ସୁନିପୁଣ ଲେଖକର କାର୍ଯ୍ୟ, ଏଥିରେ ସନ୍ଦେହ ନାହିଁ ।

 

“କ୍ଷୁଦ୍ରଗଳ୍ପରେ ପ୍ରକୃତିର ବର୍ଣ୍ଣନା ଅତି ସଂକ୍ଷିପ୍ତ ହେବା ବାଞ୍ଛନୀୟ । ସାହିତ୍ୟ-ଜଗତରେ ସଂକ୍ଷିପ୍ତତା ଅତି ଆବଶ୍ୟକ, କ୍ଷୁଦ୍ରଗଳ୍ପରେ ତାହା ଅତ୍ୟନ୍ତ ଉପାଦେୟ । ବାଜେ କଥା କହି ସ୍ଥାନ ପୂରଣ କରିବା କ୍ଷୁଦ୍ରଗଳ୍ପରେ ସର୍ବଥା ଦୂଷଣୀୟ | x x x ଅତର୍କିତ ଆରମ୍ଭ ଓ ଆକସ୍ମିକ ପରିସମାପ୍ତି କ୍ଷୁଦ୍ରଗଳ୍ପରେ ସୌନ୍ଦର୍ଯ୍ୟର ମାତ୍ରା ବିଶେଷ ବଢ଼ାଇ ଦିଏ ।” ଇତ୍ୟାଦି । (ସାହିତ୍ୟରେ କ୍ଷୁଦ୍ରଗଳ୍ପ – ଉତ୍କଳ ସାହିତ୍ୟ, ୮ମ ଭାଗ ୧ମ ସଂଖ୍ୟା, ବୈଶାଖ ୧୩୧୧)

 

|| ୨ ||

 

ଏହି ପରିପ୍ରେକ୍ଷୀରେ ରାଉତରାୟଙ୍କର କଥାସାହିତ୍ୟ ସମୀକ୍ଷା କରାଯାଇପାରେ । ତାଙ୍କର ‘ଚିତ୍ରଗ୍ରୀବ’ (୧୯୩୬) ଏକ ଅଭିନବ ଗଦ୍ୟ ରଚନା । ଉପନ୍ୟାସର ସାଧାରଣ ପ୍ରଚଳିତ ସଂଜ୍ଞା ଓ ସ୍ଵରୂପ-ପ୍ରକୃତି ଅନୁଯାୟୀ ଏହାକୁ ବିଚାର କଲେ, ଆମେ ନିରାଶ ହେବା । ଏହାର ଆଖ୍ୟାନ-ଭାଗ ଦୁର୍ବଳ; ଉପନ୍ୟାସ-ସୁଲଭ ବିଧିବଦ୍ଧ କଥାବସ୍ତୁ ଓ ଚରିତ୍ର ଚିତ୍ରଣ ଏଥିରେ ଅନୁପସ୍ଥିତ । କଲିକତା ଚାଟାର୍ଜୀ ଷ୍ଟ୍ରିଟ୍ ମେସ୍‌ରେ ରହୁଥିବା ସୌରୀନ୍ଦ୍ର ମହାନ୍ତି, ମୃଗାଙ୍କ ପଟ୍ଟନାୟକ, ଗଗନ ରାୟ ଓ ଗଣେଶ ଭୂୟାଁ ନାମକ ବ୍ୟକ୍ତି-ଚତୁଷ୍ଟୟଙ୍କର ‘ଚତୁରଙ୍ଗ ସଂଘ’ ଗଠନ ଏବଂ ବିଭିନ୍ନ ବିଷୟରେ ଅନ୍ତରଙ୍ଗ ଆଳାପ-ଆଲୋଚନା ଏହାର ପ୍ରଧାନ ଉପଜୀବ୍ୟ । ଏହି ଆଳାପ-ଆଲୋଚନା ମଧ୍ୟରେ ପ୍ରେମବିହ୍ୱଳ କବି ଗଣେଶଙ୍କ ପାଇଁ ଅନ୍ୟ ବନ୍ଧୁମାନେ ଯୋଗମାୟା ଦାସ ନାମ୍ନୀ ଜଣେ କାଳ୍ପନିକ ପ୍ରେମିକା ବ୍ୟବସ୍ଥା କରିବା ଏବଂ ଯୋଗମାୟା ନାମରେ ମିଥ୍ୟା ପ୍ରେମପତ୍ର ଲେଖା କରାଇ ଗଣେଶଙ୍କୁ ଡହଳ-ବିକଳ କରିବା ଉପାଖ୍ୟାନଟି ଏକ ସୂତ୍ର ରୂପେ ଗ୍ରଥିତ ହୋଇଛି । ଯୋଗମାୟା ବାସ୍ତବିକ ଏକ ମାୟା- ଅଳୀକ କଳ୍ପନା । ମଣିଷ ବହୁ ସମୟରେ ଯେଉଁ ସ୍ଵପ୍ନ ଓ କଳ୍ପନାକୁ ଘେନି ବଞ୍ଚେ, ଗଣେଶ ଚରିତ୍ର ମଧ୍ୟରେ ରାଉତରାୟ ତାହା ହିଁ ରୂପାୟିତ କରିଛନ୍ତି । ପରିଣତିରେ ଗଣେଶଙ୍କର ଚମତ୍କାର ସ୍ଵୀକାରୋକ୍ତି – “ଦେଖ ସୌରୀ, ପ୍ରିୟା ବାହାରେ ନଥାଏ, ପ୍ରିୟା ଥାଏ ମଣିଷର ଅନ୍ତରରେ । ଆପଣ ସତ୍ତାରେ ଯେ ପ୍ରିୟାର ଅଖଣ୍ଡ ସ୍ଵରୂପ ଉପଲବ୍ଧି କରିପାରେ ନାହିଁ, ସେ ପ୍ରେମିକ ନୁହେଁ । ନିଜର କଳ୍ପନାର ଆନନ୍ଦରେ ମଣିଷ ସୃଷ୍ଟି କରେ ଆପଣା ପ୍ରିୟାକୁ - ତାରି ମନର ଆଦର୍ଶରେ । ସେଥିପାଇଁ ଯେ ପ୍ରେମିକ, ସେ ସ୍ରଷ୍ଟା । x x x ବାହାରେ ଆମେ ଯାହାକୁ ଖୋଜୁଁ – ଯାହାକୁ ମୁଠା ଭିତରେ ପାଉଁ, ସେ ପ୍ରିୟା ନୁହେଁ । ସେ ପ୍ରିୟାର ହାଡ଼, ତାର ମାଂସ, ତାର ନିଃଶ୍ୱାସ । ପ୍ରିୟାର ଆତ୍ମା ସେଥିରେ ନାହିଁ । କ୍ଷଣିକ ଉପଭୋଗ ପରେ ସେ ମାଂସ ହୁଏ ଶୂକର ମାଂସ ପରି ଦୁର୍ବହ, ପୁଣି କ୍ଳାନ୍ତିକର । ସେ ନିଶ୍ଵାସ ହୁଏ ସାପର ନିଶ୍ୱାସ ପରି ତୀବ୍ର ! ନାରୀରମାଂସ ଯେ ଚାହେଁ, ସେ ହିଂସ୍ର ପଶୁଠାରୁ ମାଂସାଶୀ; କିନ୍ତୁ ନାରୀର ଆତ୍ମା ଯେ ଚାହେଁ; ଏହି ମନ୍ଦିର ଦୁଆରେ ଛିଡ଼ା ହୋଇ ତମେ ତାକୁ ନମସ୍କାର କର ।” ସେହି କାଳ୍ପନିକ ପ୍ରିୟା ଓ ଅତୀନ୍ଦ୍ରିୟ ପ୍ରେମର ଜୟଗାନ କରି ଶେଷରେ ଗଣେଶ କହିଛନ୍ତି- “ମୁଁ ବଞ୍ଚିବାକୁ ଚାହେଁ । ମୋର ଗୋଟାଏ ଅବଲମ୍ବନ ଲୋଡ଼ା । ଚିତ୍ରଗ୍ରୀବ ପରି ମଣିଷ କେବଳ ଶୂନ୍ୟରେ ବିଚରଣ କରିପାରେ ନାହିଁ । ଟିକିଏ ଉଡ଼ିଲା ପରେ ଡେଣାର ତାର ହୋଇଯାଏ ଘୋଳି । ସେ ବାଧ୍ୟ ହୁଏ, ଗୋଟାଏ ବାସ୍ତବ ପଦାର୍ଥ ଉପରକୁ ଓହ୍ଲାଇ ଆସେ ହାଲିଆ ମାରିବାକୁ । ତାର ଚାହିଁ ଶାଖା, ତାର ଲୋଡ଼ା ନୀଡ଼ । ସେ ଡାଳ ମିଥ୍ୟା ହେଉ, ଭଙ୍ଗା ହେଉ, ସେ ସେତେବେଳେ କିଛି ବାଛବିଚାର କରେ ନାହିଁ । x x ମିଥ୍ୟା ମଧ୍ୟ ବେଳେବେଳେ ମଣିଷକୁ ବଞ୍ଚାଏ । ସେହି ମଧୁର ମିଥ୍ୟାଟିକ ମୋର ହରଣ କରିନିଅ ନା ବନ୍ଧୁ ! ତାହା ମୋତେ ବଳ ଦେଉଛି – ଉଡ଼ିବା ପାଇଁ ନୂତନ ସାହସ ଦେଉଛି ।” (ଭାଗ- ସତର)

 

ଉପାଖ୍ୟାନ - ସୂତ୍ର କ୍ଷୀଣ; ମାତ୍ର ‘ଚିତ୍ରଗ୍ରୀବ’ର ବନ୍ଧୁ ଚତୁଷ୍ଟୟ ନିଜ ନିଜ ମଧ୍ୟରେ ଯେଉଁ ଆଲୋଚନା-ଚର୍ଚ୍ଚା କରିଛନ୍ତି, ତାହା ଆତ୍ମିକ ଦିଗରୁ ଯେପରି ସମୃଦ୍ଧ, ଆଙ୍ଗିକ ଦିଗରୁ ସେହିପରି ପ୍ରଭାବଶାଳୀ । ସାହିତ୍ୟ, ଇତିହାସ, ରାଜନୀତି, ଧର୍ମ, ଦର୍ଶନ, ବିଜ୍ଞାନ, ଶିକ୍ଷା, ସଙ୍ଗୀତ, ଚିତ୍ରକଳା,

 

(୧)

ଚିତ୍ରଗ୍ରୀବ – ୧୯୩୬

(୨)

ମଶାଣିତ ଫୁଲ (ଗଳ୍ପଗୁଚ୍ଛ) – ୧୯୪୫

(୩)

ମାଟିର ଜାତ (ଗଳ୍ପଗୁଚ୍ଛ) – ୧୯୪୫

(୪)

ଛାଇ (ଛାୟାନୂଦିତ ଗଳ୍ପଗୁଚ୍ଛ) – ୧୯୪୯

(୫)

ମାଙ୍କଡ଼ ଓ ଅନ୍ୟାନ୍ୟ ଗଳ୍ପ – ୧୯୮୪

(୬)

ନୂତନ ଗଳ୍ପ – ୧୯୯୦

 

ଏପରିକି ଘୋଡ଼ାଦୌଡ଼ – ଢେଙ୍କିଶାଳରୁ ଢେଙ୍କାନାଳ ଯାଏଁ ବହୁ ବିଭିନ୍ନ ବିଷୟ ତହିଁରେ ଅନ୍ତର୍ଭୁକ୍ତ । ଆଲୋଚନାର ପ୍ରସଙ୍ଗ କ୍ରମରେ ମାର୍କ୍ସ, ଲେନିନ୍, ଟଲଷ୍ଟୟ, ଫ୍ରଏଡ୍, ବର୍ଣ୍ଣାଡ୍ ସ, ରବୀନ୍ଦ୍ରନାଥ, ସିଲର୍, ଭିକ୍ଟର ହ୍ୟୁଗୋ ପ୍ରଭୃତି ପୃଥିବୀର ମହୁ ମନୀଷୀ, ଜ୍ଞାନୀ-ଗୁଣୀଙ୍କ ଉକ୍ତି ଓ ମତାଦର୍ଶ ଉପସ୍ଥାପିତ ହୋଇଛି । ପୁଣି, ଅଧିକାଂଶ ବିଷୟରେ ବିଂଶ ଶତାବ୍ଦୀର ତୃତୀୟ ଦଶକଯାଏ ଉପଲବ୍ଧ ସଦ୍ୟତମ ଜ୍ଞାନ ଓ ଧ୍ୟାନ-ଧାରଣା ଏଥିରେ ଅଭିବ୍ୟକ୍ତି ଲାଭ କରିଛି । ଉଦାହରଣ ସ୍ଵରୂପ- “ଗଗନ ତାର ସିଗାରେଟ୍‌ଟାରେ ନିଆଁ ଲଗାଇ ଦୁଇଫୁଙ୍କା ଟାଣି କହିଲା – ହିଟଲର୍‌ଙ୍କ ଅପେକ୍ଷା ମୁସୋଲିନୀଙ୍କର କିନ୍ତୁ ପରମାର୍ଥ ବୁଦ୍ଧି ଅନେକ ବେଶି । ନିକଟରେ ପଣ୍ଡିଚେରିରୁ ଶ୍ରୀ ଅରବିନ୍ଦଙ୍କର ସମସ୍ତ ଯୋଗ ସଂକ୍ରାନ୍ତ ବହି ମଗାଇ ନେଇ ସେ ପ୍ରମାଣ କରିଛନ୍ତି ଯେ – ସେ ଖାଲି ଜଣେ ଜବରଦସ୍ତ ଶ୍ରୀପଞ୍ଚ ନୁହନ୍ତି, ସଙ୍ଗେ ସଙ୍ଗେ ସେ ଜଣେ ତତ୍ତ୍ୱବାଗୀଶ ବୈରାଗୀ ମଧ୍ୟ ।

 

ପୁଣି ଗୋଟାଏ ହସର ଦମକା ଚାରିଆଡ଼େ ଖେଳିଗଲା । ମୃଗାଙ୍କବାବୁ କହିଲେ- ହାବ୍‌ସିମାନଙ୍କ ମଡ଼ା ଉପରେ ବସି ତାନ୍ତ୍ରିକ ମତରେ ସେ ଶବସାଧନା କରିବେ ନା କ’ଣ ? ଗଗନ କହିଲା – ନା, ନା, ବିମାନ ପୋତରେ ଖୁବ୍ ଉପରକୁ ଉଠି ବାୟୁମଣ୍ଡଳର ଯେଉଁ ଜାଗାରେ ଭଲ ହାଇଡ୍ରୋଜେନ୍ ମିଳେ, ସେଇଠି ବସି ପ୍ରାଣାୟାମ ସାଧନ କରିବେ । ପୁଣି ଆଟଲାଣ୍ଟିକ୍ ମହାସାଗରର ଯେଉଁ ଜାଗାରେ ଗ୍ରୀଷ୍ମ ଉପଦ୍ରବ ଖୁବ୍ କମ୍, ସେଠି ଡେକ୍ ଉପରେ ବସି ସେ ଷଟ୍‌ଚକ୍ରଭେଦ ଏବଂ କୁଣ୍ଡଳିନୀ ମନ୍ତ୍ର ଜପ କରିବେ । ୱାଏର୍‌ଲେସ୍ ସାହାଯ୍ୟରେ ଅରବିନ୍ଦଙ୍କଠୁ ସେ ଶ୍ରୀଘ ଯୋଗ ସମ୍ବନ୍ଧୀୟ ଗୁହ୍ୟାତ୍ ଗୁହ୍ୟତରଂ ଲୋକାଚାର ଶୁଣିବାକୁ ବ୍ୟବସ୍ଥା ନ କରି ଛାଡ଼ିବେନି ଦେଖୁଛି ।

 

ଆଇନ୍ ଛାତ୍ରଟି କହିଲେ- ତାଙ୍କ ପାଇଁ ମହାତ୍ମା ଗାନ୍ଧୀଙ୍କୁ କହି ଖଣ୍ଡେ ଖଦଡ଼ ଗୈରିକ ବସନ, ଗୋଟାଏ କମଣ୍ଡଳୁ ଏବଂ ଖଣ୍ଡେ ବ୍ୟାଘ୍ରା ଛାଲ ପାର୍ସଲ୍ କରି ପଠାଇ ଦେବା ଦରକାର । ଗାନ୍ଧିଜୀଙ୍କ ଉପହାରକୁ ଯେ ସେ ଖୁବ୍ ଖାତିର୍ କରିବେ ଏହା ନିଃସନ୍ଦେହ ।” ଇତ୍ୟାଦି (ଭାଗ - ପାଞ୍ଚ)

 

ଏତେଗୁଡ଼ିଏ ତଥ୍ୟର ଉଲ୍ଲେଖ ଓ ତତ୍ତ୍ୱର ଆଲୋଚନା ଥିଲେ ହେଁ, ଆଲୋଚ୍ୟ ବିଷୟରେ ଏକମୁଖୀନତାର ଅଭାବ ‘ଚିତ୍ରଗ୍ରୀବ’ରେ ପରିଲକ୍ଷିତ ହୁଏ । ତେଣୁ ଏ ଚମତ୍କାର ଆଲୋଚନା- ଚର୍ଚ୍ଚାର ସାମଗ୍ରିକ ପ୍ରଭାବ ପାଠକ ଉପରେ ପଡ଼ିପାରେ ନାହିଁ । ଏହି ଆଲୋଚନା ସବୁର ଲକ୍ଷ୍ୟ କ’ଣ ? - ରାଉତରାୟ କି ଉଦ୍ଦେଶ୍ୟରେ ଚାରିଟି ଚରିତ୍ର ଜରିଆରେ ଏହା କରାଇଛନ୍ତି ? - କେଉଁ ପରିଣାମ ଦିଗରେ ସେ ପାଠକ ସମାଜକୁ ଘେନିଯିବା ପାଇଁ ଚାହାଁନ୍ତି ? - ସମୁଦାୟ ଗ୍ରନ୍ଥରେ ତାଙ୍କର ନିର୍ଦ୍ଦିଷ୍ଟ ବକ୍ତବ୍ୟଟି କ’ଣ ? - ତାହା ସ୍ପଷ୍ଟ ହୁଏ ନାହିଁ ।

 

ଚାରିଟି ମୁଖ୍ୟ ଚରିତ୍ର ବ୍ୟତୀତ ‘ଚିତ୍ରଗ୍ରୀବ’ରେ ଶ୍ରମିକ ନେତାଙ୍କଠାରୁ ଚାକର ଚତୁର୍ଭୁଜ ପର୍ଯ୍ୟନ୍ତ ପ୍ରାୟ ଆଠଗୋଟି ଗୌଣ ଚରିତ୍ରର ସମାବେଶ ହୋଇଛି । କିନ୍ତୁ କି ମୁଖ୍ୟ, କି ଗୌଣ-କୌଣସି ଚରିତ୍ରର ବିକାଶ ବା ବିବର୍ତ୍ତନ ପ୍ରଦର୍ଶିତ ହୋଇ ନାହିଁ । ମୁଖ୍ୟ ଚରିତ୍ର-ଚତୁଷ୍ଟୟର ସାଧାରଣ ପରିଚୟରୁ ଜଣାପଡ଼େ - ସୌରୀନ୍ଦ୍ର ମାର୍କ୍ସଭକ୍ତ, ହେତୁବାଦୀ; ସେ କଲିକତାର ଶ୍ରମିକ-ଆନ୍ଦୋଳନ ସହ ସଂପୃକ୍ତ । ମତାଦର୍ଶ ଦିଗରୁ ଗଗନ, ସୌରୀନ୍ଦ୍ରର ସମଧର୍ମୀ । ସୌରିଠାରୁ ତାହାର ଏକ ଅଧିକା ଗୁଣ – ସେ କବିତା ଲେଖେ । ମୃଗାଙ୍କ ସମସ୍ତଙ୍କ ମଧ୍ୟରେ ବୟୋଜ୍ୟେଷ୍ଠ; ସେ ବିବାହିତ, ଏକ ବୀମା କଂପାନୀର କିରାଣୀ, ଧ୍ୟାନଧାରଣାରେ ଟିକିଏ ରକ୍ଷଣଶୀଳ । ଗଣେଶ ପ୍ରେମବିହ୍ୱଳ କବି, ମତାଦର୍ଶରେ ଭାବବାଦୀ । ତେଣୁ ପରସ୍ପର ମଧ୍ୟରେ ଆଲୋଚନା-ଚର୍ଚ୍ଚା କାଳରେ ସୌରୀ-ଗଗନ ଯୋଡ଼ି ବରାବର ମୃଗାଙ୍କ- ଗଣେଶ ଯୋଡ଼ି ସହିତ ବିତର୍କ-ଦ୍ୱନ୍ଦ୍ୱରେ ଆସିଥିବାର ଦେଖାଯାଏ । ସାମାଜିକ ବ୍ୟାପାର ସମୂହକୁ ମୃଗାଙ୍କ-ଗଣେଶ ଯୋଡ଼ି ଭାବବାଦୀ ଦୃଷ୍ଟିକୋଣରୁ ଦେଖିଥିଲା ବେଳେ, ସୌରୀ-ଗଗନ ଯୋଡ଼ି ବସ୍ତୁବାଦୀ ଓ ହେତୁବାଦୀ ମନୋଭଙ୍ଗୀରୁ ବିଚାର କରିଛନ୍ତି ।

 

‘ଚିତ୍ରଗ୍ରୀବ’ର ଶୈଳୀଗତ ବୈଶିଷ୍ଟ୍ୟ ବିଶେଷ ଉଲ୍ଲେଖଯୋଗ୍ୟ । ସକଳ ପ୍ରକାର ତଥ୍ୟ ଓ ତତ୍ତ୍ୱକୁ ବିଦଗ୍ଧ ଭଙ୍ଗୀରେ କହିବାରେ - ରସିକତାରେ ପ୍ରକାଶ କରିବାରେ ରାଉତରାୟଙ୍କର କୃତିତ୍ୱ ଗ୍ରନ୍ଥର ମୂଳରୁ ଚୂଳଯାଏଁ ଲକ୍ଷ୍ୟ କରାଯାଏ । ଶ୍ଳେଷ, ବ୍ୟଙ୍ଗ, ବକ୍ରୋକ୍ତି ଆଦି ପ୍ରୟୋଗରେ ଗ୍ରନ୍ଥ-ଗର୍ଭିତ ଅଧିକାଂଶ ଆଲୋଚନା ସ୍ନିଗ୍ଧ ମଧୁର । ତାହା ଫଳରେ ବିଭିନ୍ନ ଗୁରୁଗମ୍ଭୀର ବିଷୟ ଯେପରି ପ୍ରାଞ୍ଜଳ ଓ ମନୋରଞ୍ଜକ ହୋଇଛି, ଲଘୁ ତରଳ ବିଷୟ ସେହିପରି ପ୍ରଭାବଶାଳୀ ଓ ଆକର୍ଷଣୀୟ ହୋଇପାରିଛି । ଏହାର ବହୁ ଦୃଷ୍ଟାନ୍ତ ମଧ୍ୟରୁ ଗୋଟିଏ ଯୋଡ଼ିଏ ଏଠାରେ ଉଦ୍ଧାର କରାଯାଉଛି ।

 

“ଗଣେଶବାବୁ - ଏଇ ବର୍ଷା ଯେ ମୋତେ ଅସ୍ଥିର କରିଛି ସୌରି ! ପ୍ରୋଦ୍‌ଭିନ୍ନ କଦମ୍ବର ସୁଗନ୍ଧ ବହି ଆସି ମୋ ପ୍ରାଣଟାକୁ ଉଚ୍ଚାଟ କରିଦେଉଛି । ନ୍ୟଗ୍ରୋଧ ତରୁର ମସୃଣ ପତ୍ରବିଭା ମୋତେ ପ୍ରିୟାର କାନ୍ତି ପରି ଜଣାଯାଉଛି ।

 

ସୌରୀ ଗମ୍ଭୀର ହୋଇ କହିଲା– ଏ ସବୁ ଭାବପ୍ରବଣତା ଭଦ୍ରଲୋକଙ୍କ ପକ୍ଷରେ ଶୋଭନୀୟ ନୁହେଁ । ମେଘକୁ ଦେଖି ମୂର୍ଚ୍ଛା ଯିବା, ବର୍ଷାକୁ ଦେଖି ବାନ୍ତି କରିବା, ଚନ୍ଦ୍ରକୁ ଦେଖି ପ୍ରିୟା-ପ୍ରିୟା ବୋଲି ଡକା ପାରିବା, ଏସବୁ କେବଳ କାବ୍ୟଲୋକରେ ଶୋଭା ପାଏ । ଜୀବନର ବାସ୍ତବ ଭୂଇଁରେ ସୈନିକ ଯେଉଁମାନେ, ସେମାନେ ଏସବୁ ରୋମାଣ୍ଟିସିଜମ୍‌ରୁ ଦୂରରେ ରହିବା ଉଚିତ । ଏହା ଜଡ଼ତା, ଏହା କ୍ଳାନ୍ତି, ଏହା ତନ୍ଦ୍ରା, ଏହା ନିଷ୍କ୍ରିୟତା । ଏହା ସରୀସୃପର ସବିରତା ।” (ଭାଗ-ପନ୍ଦର)

 

ସେହିପରି –

 

“ମାନବ ! ମାନବ ! ! ମାନବ ! ! ! ଦୁନିଆର ସବୁଠାରୁ ବଡ଼, ସବୁଠାରୁ ସତ୍ୟ ସେ । ସୟତାନ ଓ ଦେବତାର ମିଶ୍ରିତ ସହଯୋଗରୁ ସେ ଉଦ୍ଭବ । ସେ ଏକାଧାରରେ ଡାକ୍ତର, ଓକିଲ, ପୁଣି ମିଷ୍ଟର ହାଇଡ୍ । ପ୍ରତିକ୍ରିୟାଶୀଳ ଆଦର୍ଶବାଦର ମିଷ୍ଟ ପ୍ରଲୋଭନରେ ସେ ଯେପରି ନ କରେ ନିଜର ଜାଗ୍ରତ ମନୁଷ୍ୟତ୍ୱର ଅପମାନ – ନିଜର ଶୁଭ୍ର ଚେତନାର ଅବମାନନା ! ଏହା ହିଁ ମୋର ଚରମତମ ପରମତମ କାମନା । ମଣିଷ ଜୀବନାକାଶର ମୁକ୍ତ ବିହଙ୍ଗମ । ସେ ଗତି ଚଞ୍ଚଳ ପ୍ରାଣର ବିଭା – ଶକ୍ତିର ଭ୍ରାମ୍ୟମାନ ପକ୍ଷ । ସେ ରୁଦ୍ରର ପିଙ୍ଗଳ ଜଟାଭ୍ରଷ୍ଟ ବିଭୂତି ! କିନ୍ତୁ ଆଜି ସେ ଧରାଶାୟୀ, ଶକ୍ତିହୀନ, ସାମର୍ଥ୍ୟହୀନ, ମେରୁଦଣ୍ଡହୀନ ! ! ଉତ୍ତାପର ପ୍ରାଚୁର୍ଯ୍ୟରେ, ସର୍ବ ଆଚ୍ଛନ୍ନକାରୀ ମହା କ୍ଷୁଧାର ବିରାମବିହୀନ ହାହା-କାରରେ ସେ ଚିର ଅଶାନ୍ତ, ଚିର ଅସ୍ଥିର, ଚିର ଉଦ୍‌ଭ୍ରାନ୍ତ । ସେ ରୁଦ୍ର ! ସେ ମହାକାଳର ଶିଂଘା ! ସେ ଆଗାମୀ ଚିନ୍ତାଧାରାର ପ୍ରତୀକ ! ସେ ଅନାଗତର ସୂଚନା ! ସେ ଭବିଷ୍ୟତର ଭୂମିକା !” (ଭାଗ- ଅଠର)

 

ଏହି ହେତୁରୁ ୧୯୩୬ ମସିହାରେ ପ୍ରସିଦ୍ଧ ‘ନବଭାରତ’ ପତ୍ରିକାରେ ‘ଚିତ୍ରଗ୍ରୀବ’ର ଆଲୋଚନା କରାଯାଇ ଯଥାର୍ଥରେ ବୋଲ ଯାଇଥିଲା- “ଶ୍ରୀ ସଚ୍ଚି ରାଉତରାୟଙ୍କ ଲିଖିତ ‘ଚିତ୍ରଗ୍ରୀବ’ଟି ବଡ଼ ନୂତନ ଧରଣର ଲେଖା । ବାସ୍ତବିକ୍ ଏପରି ଲିଖନ ଶୈଳୀ ଆଜିଯାଏଁ କୌଣସି ଓଡ଼ିଆ ଲେଖକ ଆୟତ୍ତ କଲାପରି ଜଣାଯାଏ ନାହିଁ । ଲେଖକ ଅନେକଗୁଡ଼ିଏ ବହି ପଢ଼ିଛନ୍ତି ବୋଲି ତାଙ୍କ ଲେଖାରେ ପରିଷ୍କାର ଦେଖାଇ ଦେଇଛନ୍ତି । ଲେଖକ ତରୁଣ, ତେଣୁ ଯାହା ପଢ଼ିଛନ୍ତି, ତାହା ସମ୍ପୂର୍ଣ୍ଣ ଆୟତ୍ତ କରିପାରି ନାହାନ୍ତି । ସଚ୍ଚିବାବୁଙ୍କର ଲେଖାର ଭବିଷ୍ୟତ୍ ଭଲ ଏବଂ ଏଭଳି ଲେଖା ଓଡ଼ିଶାରେ କ୍ରମେ ଆଦର ପାଇବ ନିଶ୍ଚୟ ।” (ନବଭାରତ- ତୃତୀୟ ବର୍ଷ, ପ୍ରଥମ ସଂଖ୍ୟା)

 

‘ଚିତ୍ରଗ୍ରୀବ’ କି ପ୍ରକାର ଉପନ୍ୟାସ ? ସାଧାରଣ ପ୍ରଚଳିତ ସଂଜ୍ଞା ଓ ସ୍ୱରୂପ-ପ୍ରକୃତି ଅନୁଯାୟୀ ଏହା ଠିକ୍ ଉପନ୍ୟାସ ପର୍ଯ୍ୟାୟଭୁକ୍ତ ହୋଇ ନ ପାରେ । ଏଥିରେ ପ୍ରବନ୍ଧର ଗାମ୍ଭୀର୍ଯ୍ୟ ରହିଛି; ଗବେଷଣା-ପ୍ରବନ୍ଧ ଭଳି ଗ୍ରନ୍ଥ ମଧ୍ୟରେ ବିଭିନ୍ନ ଆଲୋଚନା ବିଷୟର ପାଦଟୀକା ବାରମ୍ବାର ସ୍ଥାନିତ ହୋଇଛି । ପୁଣି, ଏଥିରୁ ରମ୍ୟରଚନାର ସ୍ୱାଦ ତଥା କବିତାର ଭାବାବେଗ ମଧ୍ୟ ମିଳିଥାଏ । ତଥାପି ଏହା ଉପନ୍ୟାସ ନାମରେ ଚିହ୍ନିତ ହେଉଛି କାହିଁକି ? କ୍ଷୀଣ ଓ ଶିଥିଳ ଭାବରେ ହେଲେ ବି ଏହାର ଏକ ଆଖ୍ୟାନ- ଭାଗ ରହିଛି- କିଛି ଚରିତ୍ର ଆବିଷ୍କୃତ ହୋଇଛି । ତେଣୁ ଉପନ୍ୟାସ ରଚନାରେ ଏହା ଏକ ନୂତନ ପରୀକ୍ଷା - ଏକ ଅକୁତୋଭୟ ଅଭିକ୍ରିୟା । ଏହାକୁ ‘ଅଣ-ଉପନ୍ୟାସ’ ବା ଆଣ୍ଟି-ନଭେଲ୍ (Anti-novel) ବୋଲାଯାଇପାରେ । ଏହା ପାରମ୍ପରିକ ଉପନ୍ୟାସ-ରଚନାରୀତି ଭାଙ୍ଗି କେବଳ ଲେଖକର କିଛି ବକ୍ତବ୍ୟ ବା ଆଭିମୁଖ୍ୟ ପ୍ରଭାବଶାଳୀ ଭଙ୍ଗୀରେ ଉପସ୍ଥାପନ କରିଥାଏ । ଇଂରାଜୀରେ ଯାହା ଆଣ୍ଟି-ନଭେଲ୍, ଫରାସୀରେ ତାହା ‘ନିଉ ନଭେଲ୍’ (New novel - Nouveau roman) I* ଚଳିତ ଶତାବ୍ଦୀର ପଞ୍ଚମ ଦଶକରେ ଆଲେନ୍ ରବ୍-ଗ୍ରିଲେ (୧୯୨୨-), ନାଥାଲି ସାରାଉଟ୍ (୧୯୨୦-) ପ୍ରମୁଖ ଫରାସୀ କଥାକାର ପ୍ରଥମେ ଏହି ଉପନ୍ୟାସ-ରଚନାରୀତି ପ୍ରବର୍ତ୍ତନ କରିଥିଲେ । କିନ୍ତୁ ଏହାର ପ୍ରାୟ ଗୋଟିଏ ଦଶକ ପୂର୍ବରୁ ରାଉତରାୟ ସେହି ଉପନ୍ୟାସ-ଶୈଳୀରେ ହାତପାକଳ କରିଥିଲେ । ଆମର ସାହିତ୍ୟ-ଇତିହାସରେ ଏହା ଏକ ଉଲ୍ଲେଖନୀୟ ବିଷୟ । ଏଥିରୁ ରାଉତରାୟଙ୍କର ମୌଳିକତା ଓ ସାହିତ୍ୟିକ ଦୂରଦୃଷ୍ଟିର ପରିଚୟ ମିଳିଥାଏ ।

 

|| ୩ ||

 

‘ଚିତ୍ରଗ୍ରୀବ’ରେ ଅଭିନବ ଉପନ୍ୟାସ ରଚନାଶୈଳୀର ପ୍ରବର୍ତ୍ତନ କରିଥିଲା ପରି ରାଉତରାୟ ନିଜର ଗଳ୍ପ ସୃଷ୍ଟିରେ ମଧ୍ୟ କିଛି ନୂତନ ପରୀକ୍ଷା-ନିରୀକ୍ଷା କରିଛନ୍ତି । ତାଙ୍କ ପୂର୍ବରୁ ଆମ ସାହିତ୍ୟରେ ସାମାଜିକ ବାସ୍ତବତା, ଏପରିକି ବ୍ୟାଖ୍ୟାତ୍ମକ ବାସ୍ତବତା (critical realism) ଭିତ୍ତିରେ କଥାସାହିତ୍ୟ ସୃଷ୍ଟି ହୋଇଥିଲା । ଫକୀରମୋହନ, କୁନ୍ତଳାକୁମାରୀ ପ୍ରମୁଖଙ୍କର ଗଳ୍ପ ଉପନ୍ୟାସରେ ତାହାର ଉଦାହରଣ ମିଳେ । କିନ୍ତୁ ସମାଜବାଦୀ ବାସ୍ତବତା ବା Socialist Realism ଆମ କଥାସାହିତ୍ୟରେ ପ୍ରାୟ ଅନୁସୃତ ହୋଇ ନଥିଲା । ୧୯୧୭ ମସିହାରେ ସୋଭିଏତ୍‍ ଇଉନିୟନ୍ ଜନ୍ମ ନେଲା ପରେ ସେଠାରେ ବୁର୍ଜୋୟା କଳାସାହିତ୍ୟଠାରୁ ଭିନ୍ନ ‘ପ୍ରୋଲେଟ୍ କଲ୍‌ଟ’ ବା ପ୍ରୋଲିଟେରିୟାନ୍ କଲ୍‍ଚର୍ ସାଂସ୍କୃତିକ ବିପ୍ଳବର ଆଭିମୁଖ୍ୟ ଭାବରେ ଗୃହୀତ ହେଲା । ସମାଜବାଦୀ ବାସ୍ତବତା ସେହି ପ୍ରୋଲେଟ୍ କଲ୍ଟର ହିଁ ରଣଧ୍ୱନି ବା ଘୋଷଣାନାମା-। ଏହି ଆଭିମୁଖ୍ୟ ଘେନି ରଚିତ ଗଳ୍ପ-ଉପନ୍ୟାସରେ ବଳିଷ୍ଠ ସାମାଜିକ ଅଙ୍ଗୀକାର ସହିତ ଗଭୀର ଆଶାବାଦ ସ୍ଥାନ ପାଇଥାଏ – ଜୀବନ ଓ ସମାଜ ପ୍ରତି କ୍ରାନ୍ତିକାରୀ ଅସ୍ତିବାଚକ ଦୃଷ୍ଟିକୋଣ ପ୍ରକଟିତ ହୋଇଥାଏ । ରାଉତରାୟ ‘ଚିତ୍ରଗ୍ରୀବ’ ଉପନ୍ୟାସରେ ହେତୁବାଦ, ସାମାଜିକ ବାସ୍ତବତା,

 

*Literary Terms by Chris Baldick, Oxford University Press, Oxford, U.K. (1991) - Page 12.

 

ମାର୍କ୍ସବାଦ ପ୍ରଭୃତି ବିଷୟର ଆଲୋଚନା କରିଥିଲା ବେଳେ, ଆପଣା ଗଳ୍ପସୃଷ୍ଟିରେ ବ୍ୟାଖ୍ୟାତ୍ମକ ବାସ୍ତବତା ସହିତ ଏହି ସମାଜବାଦୀ ବାସ୍ତବତାର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ବ୍ୟାଖ୍ୟାତ୍ମକ ବାସ୍ତବତା ଭିତ୍ତିରେ ରଚିତ ତାଙ୍କର ‘ବିସର୍ଜନ’, ‘ରିକ୍ସାବାଲା’, ‘ଆଙ୍ଗୁଠି', ‘ଅନ୍ଧାରୁଆ’ ପ୍ରଭୃତି ଗଳ୍ପରେ ଶୋଷଣ-ପୀଡ଼ନର ଚିତ୍ର ସହିତ ତାହାର କାରଣ ସ୍ଵରୂପ ଅନ୍ଧବିଶ୍ୱାସ, ଧର୍ମଭୟ, ଜାତିଭେଦ, ପୁରୋହିତ ପ୍ରଥା, ଶ୍ରେଣୀ ବୈଷମ୍ୟ, ସାମନ୍ତବାଦୀ ମନୋବୃତ୍ତି ପ୍ରଭୃତି ଉପସ୍ଥାପିତ ହୋଇଛି । ଏହା କେବଳ ସ୍ଥିତାବସ୍ଥାର ଚିତ୍ର, ସ୍ଥିତି-ଅତିକ୍ରାନ୍ତ ବିକାଶଶୀଳ ଚିତ୍ର ନୁହେଁ । କିନ୍ତୁ ରାଉତରାୟଙ୍କର ‘ତୃଣ’, ‘ଗଳ୍ପ ନୁହେଁ’, ‘ରାଜାରାଣୀ ଓ କୁକୁର’ ପ୍ରଭୃତି ଗଳ୍ପ ସମାଜବାଦୀ ବାସ୍ତବତା ଭିତ୍ତିରେ ରଚିତ । ତୃଣଗୁଚ୍ଛ ଜନଗଣଙ୍କ ଶକ୍ତିର ପ୍ରତୀକ । ତୃଣ ସାମାନ୍ୟ ଓ ତୁଚ୍ଛାତିତୁଚ୍ଛ ହୋଇପାରେ, କିନ୍ତୁ ଗଳ୍ପ ମଧ୍ୟରେ ପ୍ରଦର୍ଶିତ ହୋଇଥିବା ପ୍ରକାରେ ତାହା ଏକ ଯୁଦ୍ଧ ଶିବିର ଏବଂ ତହିଁରେ ଥିବା ଶକ୍ତିଶାଳୀ ଅସ୍ତ୍ରଶସ୍ତ୍ର, ସୈନ୍ୟବାହିନୀକୁ ଧ୍ୱଂସ କରିଦେଇପାରେ । ରାଉତରାୟଙ୍କ ଭାଷାରେ – ଏ ସୃଷ୍ଟିରେ ‘ଅଛି ଅନନ୍ତ ଶକ୍ତି ଏବଂ ଅନନ୍ତ ପ୍ରାଣର ଚେତନାତରଙ୍ଗ’ । ତାକୁ ଜାଗ୍ରତ କରିବା ପାଇଁ ଖଣ୍ଡିଆ ଜଳନ୍ତା ସିଗାରେଟ୍‌ର ଅଗ୍ନିକଣାଟିଏ ମାତ୍ର ଆବଶ୍ୟକ ।

 

ସେହିପରି ‘ରାଜାରାଣୀ ଓ କୁକୁର’ ଗଳ୍ପରେ ରାଜା-ପ୍ରଜାଙ୍କର ଶ୍ରେଣୀସଂଘର୍ଷର ଚିତ୍ର ସୁପରିସ୍ଫୁଟ ଏବଂ ସେହି ସଂଘର୍ଷରେ ପ୍ରଜାମଣ୍ଡଳର ଜୟଲାଭ ସୂଚିତ । କଲିକତାରେ ନିର୍ବାସିତ ରାଜାରାଣୀ, ରେସିଡେଣ୍ଟଙ୍କ ପରାମର୍ଶରେ ନିଜ ଗଡ଼କୁ ବାହୁଡ଼ିବେ; ତହିଁରେ କିନ୍ତୁ ପ୍ରଜାମାନଙ୍କର ସମର୍ଥନ ନାଇଁ । ପ୍ରଜାମାନେ ରାଜ-ବାହୁଡ଼ାକୁ ପ୍ରତିରୋଧ କରିବା ପାଇଁ ପ୍ରସ୍ତୁତ । ସେମାନେ ଚାହାନ୍ତି- “ବ୍ୟକ୍ତିଗତ ଭାବରେ ଆମେ ରାଜା-ରାଣୀଙ୍କର ସୁଖ ଓ ଶାନ୍ତି କାମନା କରୁଁ । ସେମାନେ ବାହାରେ କିମ୍ବା ରାଜ୍ୟ ଭିତରେ ଦୁନିଆର ଆଉ ପାଞ୍ଚଜଣ ମଣିଷଙ୍କ ଭଳି ସୁଖଶାନ୍ତିରେ ରହୁନ୍ତ ! ସେଥିରେ କାହାରି କିଛି କ୍ଷତି ନାହିଁ । କିନ୍ତୁ ଶାସନକାଳ ପ୍ରଜାହାତକୁ ଆସିବ ହିଁ ଆସିବ । ଏହା ଧ୍ରୁବ ସତ୍ୟ । ଆମେ ପ୍ରଜାଶାସନ ଚାହୁଁ । ଶୀଘ୍ର ହୁଏତ ପୁଣି ଲଢ଼େଇ ଡାକରା ଆସିବ ।” ‘ଗଳ୍ପ ନୁହେଁ’ ସମ୍ପୂର୍ଣ୍ଣ ଭିନ୍ନ ସ୍ଵାଦର । ଏଥିରେ ଅମିତାଭ ଚରିତ୍ରର ବ୍ୟକ୍ତିତ୍ୱରେ କବି ଓ କର୍ମୀର ସମ୍ପର୍କ ପ୍ରଦର୍ଶିତ ହୋଇଛି । କବି ଭାବରେ ଅମିତାଭ ଯେପରି ରୋମାଣ୍ଟିକ୍ ଓ ମୀରା ପ୍ରତି ପ୍ରେମପ୍ରବଣ, କର୍ମୀ ଭାବରେ ସେହିପରି ବିଦ୍ରୋହୀ ଓ ବସ୍ତୁବାଦୀ । ମୀରା ସହ ବିବାହ ପ୍ରସ୍ତାବ ପ୍ରତ୍ୟାଖ୍ୟାନ କରି ସେ କଲିକତାରୁ କଟକ ପଳାଇ ଆସିଛି । କବି ଓ କର୍ମୀର ଦ୍ୱନ୍ଦ୍ୱରେ କର୍ମୀର ହିଁ ଜୟ ହୋଇଛି । ବିଦାୟ ଲଗ୍ନରେ ଅମିତାଭ ମୀରାକୁ କହିଛି- “ଯେଉଁଠି ମତର ଐକ୍ୟ ଅଛି, ଯେଉଁଠି କମରେଡ୍‌ସିପ୍ ଅଛି, ଯେଉଁଠି ଜାଣିଶୁଣି ପଥ-ନିର୍ବାଚନ କରିନେବାର ଯୋଗ୍ୟତା ଓ କ୍ଷମତା ଅଛି, ସେଠିକା କଥା ଅଲଗା । କିନ୍ତୁ ତମେ ତ ସଚେତନ ନୁହଁ ମୀରା ! ତମେ ମୋତେ ଭଲପାଇଛ ମତ ବା ପଥର ଆକର୍ଷଣରେ ନୁହେଁ । ଗୋଟାଏ ଅର୍ଦ୍ଧଚେତନ ଭାବପ୍ରବଣତା ଆଉ ସେଣ୍ଟିମେଣ୍ଟର ସ୍ୱପ୍ନରେ ଅନ୍ଧ ହୋଇ ଏତେ ବଡ଼ ବାସ୍ତବତାକୁ ଭୁଲିଗଲେ, ସେ ନିଶ୍ଚୟ ଦିନେ ପ୍ରତିଶୋଧ ନେବ । ବାସ୍ତବତାର କଠିନ ବାଲୁକାପ୍ରାନ୍ତରେ ତମର ଏ ସ୍ଵପ୍ନର ଲହରୀ ଧକ୍କା ଖାଇ କେତେଦିନ ତିଷ୍ଠି ପାରିବ ? x x x ପ୍ରେମ ଖାଲି ସେଣ୍ଟିମେଣ୍ଟ୍ ନୁହେଁ, ତାହା ଅପେକ୍ଷା ଢେର୍ ବଡ଼ । ମୋ ପଥ ତମ ପାଇଁ ନୁହେଁ । ତାହା ତମେ ସହ୍ୟ କରିପାରିବ ନାହିଁ । ମୋରି ପରି ହତଭାଗା ଆଉ ଅଲକ୍ଷଣାର ଦଳ ସେଇ ପଥର ଚିରନ୍ତନ ଯାତ୍ରୀ । ତମର ଯେଉଁ ପଥ ସଙ୍ଗେ ଜମାରୁ ପରିଚୟ ନାହିଁ, ମୋ ପାଇଁ ସେ ପଥରେ ଗୋଡ଼ ବଢ଼ାଇଥିଲେ, ଭାଙ୍ଗି ପଡ଼ିଥାନ୍ତ ସିନା, ଚାଲିପାରି ନଥାନ୍ତ ।”

 

ମନସ୍ତାତ୍ତ୍ୱିକ ଗଳ୍ପରଚନାରେ ରାଉତରାୟ ବେଶ୍ ଧୁରୀଣତା ପ୍ରକାଶ କରିଛନ୍ତି । ତାଙ୍କର ଅଧିକାଂଶ ଗଳ୍ପରେ ପାତ୍ରପାତ୍ରୀଙ୍କର ଉଭା ଦିଗଠାରୁ ପୋତା ଦିଗର ପ୍ରଦର୍ଶନ ହୋଇଛି ଭଲ ଭାବରେ – ଚରିତ୍ର ସମୂହର ବହିରଙ୍ଗ ଚିତ୍ର ଅପେକ୍ଷା ଅନ୍ତରଙ୍ଗ ଚିତ୍ର ଅଙ୍କିତ ହୋଇଛି ଅଧିକ ନିପୁଣତା ସହକାରେ । ଏଠାରେ ଏହା ଉଲ୍ଲେଖନୀୟ ଯେ- ସେତେବେଳକୁ ମନୋବିଜ୍ଞାନ ବିକାଶ ଲାଭ ପୂର୍ବକ ଚିକିତ୍ସା, ସାହିତ୍ୟ, ଚିତ୍ରକଳାଦି କ୍ଷେତ୍ରରେ ନିଜର ପ୍ରତୁଳ ପ୍ରଭାବ ପକାଇବାରେ ଲାଗିଥିଲା । ରାଉତରାୟ ଏ ବିଷୟରେ କେବଳ ଅବହିତ ନଥିଲେ, କିଛି ଜ୍ଞାନ ଅର୍ଜନ କରିଥିଲେ ମଧ୍ୟ । ତାଙ୍କର ‘ମଶାଣିର ଫୁଲ’, ‘ଅନ୍ଧାରୁଆ’, ‘ମଲା କଇଁ’, ‘ମାଟିର ତାଜ’ ପ୍ରଭୃତି ଗଳ୍ପରୁ ଏହାର ପ୍ରମାଣ ମିଳିଥାଏ । ଆପଣା ପାପଗର୍ଭ ନଷ୍ଟ କରାଇବାକୁ ଯାଇ ପ୍ରାଣ ହରାଇଥିବା ଜଟିଆମା– ବହୂର ଶବ ସତ୍କାର କଲାବେଳେ ତାହାର ନାକଗୁଣାଟି ନେବା ପାଇଁ ଜଗୁତିଆଡ଼ିର ମାନସିକ ଆଲୋଡ଼ନ, ଗୋହତ୍ୟା ପାପରେ ଗରିବ ଚାଷୀ ପହଲି ପଧାନର ଅନ୍ଧବିଶ୍ୱାସ-ଜନିତ ମାନସିକ ଦ୍ୱନ୍ଦ୍ୱ, ପ୍ରେମିକ-ପ୍ରେମିକା ଲୋଚନା-ସୁନ୍ଦରୀଙ୍କର ସାନ ସାନ କଥାରେ ରାଗରୁଷା, ମାନ ଅଭିମାନରୁ ହୃଦୟ-ମନ୍ଥନ, ସ୍ଵାମୀଠାରୁ ତଲାକ୍ ଘେନି ବାପଘରକୁ ପଳାଇ ଆସିଲା ପରେ ଅମିନାର ଆପଣା ପୂର୍ବ ପ୍ରେମିକ ମଦନା ତଥା ତାହାର ସ୍ତ୍ରୀ ଗୁରୁବାରୀକୁ ଘେନି ମାନସିକ ବିକ୍ଷୋଭ ଏହି ଗଳ୍ପଗୁଡ଼ିକ ମଧ୍ୟରେ ଚମତ୍କାର ଭାବରେ ଦର୍ଶାଇ ଦିଆଯାଇଛି । ବିଚାରୀ ଅମିନାର ମନୋବିକଳନର ଚିତ୍ର ଦୃଷ୍ଟାନ୍ତ ରୂପେ ଏଠାରେ ଉଦ୍ଧାର କରାଯାଇପାରେ- “ଅମିନା ନିଜ ଘରେ କାହା ସାଙ୍ଗେ ପଟେ କଜିଆ ନଗେଇ ସାରିଲାଣି । ଖାଲି ସେତିକି ନୁହଁ, କଜିଆ କରୁ କରୁ ସେ କୁଆଡ଼େ ବେହୋସ୍ ହୋଇ ତଳେ ପଡ଼ିଗଲା । କେତେ କଣ ବାଉଳି ଚାଉଳି ହେଲା । ସାଦି ହବାର ବର୍ଷ ଗୋଟାକ ଭିତରେ ଅମିନାର ଯେ କାହିଁକି ଏମିତି ଚିଡ଼ିଚିଡ଼ା ପ୍ରକୃତି ହୋଇଗଲା, ସେ କଥା ମଦନା ଜମା ଠଉରାଇ ପାରିଲା ନାହିଁ । x x ସମସ୍ତଙ୍କ ଅପେକ୍ଷା ମଦନା ଭାରିଯା ଗୁରୁବାରୀ ଉପରେ ଅମିନାର ଭାରି ରାଗ । ତା’ ସାଙ୍ଗରେ କଜିଆ ନଗେଇ ତାକୁ ପରସ୍ତେ ମନ ପୂରାଇ ଗାଳିଗୁଲଜ ଦେବା ପାଇଁ ସେ ଯେମିତି ସବୁବେଳେ ବାର ଆଳ ଖୋଜି ବୁଲୁଥାଏ ! ସେଦିନ ଅମିନାର କୁକୁଡ଼ାଟା ମଦନା ଘରକୁ କେମିତି ବାଡ଼ ତଳେ ଗଳି ପଳାଇ ଆସିଥିଲା । ଏଇ କଥାକୁ ନେଇ ଅମିନା ଗୁରୁବାରୀର ଚଉଦ ପୁରୁଷକୁ ଖୋଳି ତାଳି ଥୋଇଦେଲା । x x କାହାରି ସାଙ୍ଗରେ ଝଟାପଟା କଜିଆ ନଗାଇଲା ବେଳେ ଅମିନାର ନୁଗାପଟା, ଘରବାହାର କିଛି ଜ୍ଞାନ ରହେ ନାହିଁ । ସେ ଅଣନିଃଶ୍ଵାସୀ ହେଇ ନିଜକୁ ଏକପ୍ରକାର ଭୁଲିଯାଏ । ସେଦିନ ଗୁରୁବାରୀ ସାଙ୍ଗରେ କଜିଆ କରୁ କରୁ ଅମିନା ବେଦମ ହେଇଯାଇ ବେହୋସ ହୋଇ ତଳେ ପଡ଼ିଗଲା । ହତାଗୋଡ଼ ଅଠା ଅଠା ହେଇଗଲା । ତାର ଗୋରା ମୁହଁଟା କାଳିଆ ଦିଶିଲା । x x x ଏହାର କିଛିଦିନ ପରେ ଅମିନା ଦିନେ ବେହୋସ ହୋଇ ତଳେ ପଡ଼ିଗଲା । ବେହୋସ ହୋଇ ସେ ଖାଲି ଅନବରତ ପ୍ରଳାପ କରିବାକୁ ଲାଗିଲା । ତା ସ୍ୱାମୀ ଆଉ ଗୁରୁବାରୀ ବିରୁଦ୍ଧରେ ସେ କେବଳ ପ୍ରଳାପର ବିଷବାନ୍ତି କରିବାକୁ ଲାଗିଲା । ଗୁରୁବାରୀକୁ ଯେ ସେ ଖୁଣ୍ କରିବାକୁ ଚାହେଁ, ଆଉ ତା ସ୍ୱାମୀକୁ ଜାହାନ୍ନାମକୁ ପଠେଇବାକୁ ଚାହେ, କେବଳ ଦିନ ତମାମ୍ ସେ ଏଇଭଳି ଗର୍ଜନ କରିବାକୁ ଲାଗିଲା ।” (ମାଟିର ତାଜ)

 

ଯେଉଁ ଟ୍ରାଜିକ୍ ଓ ଦୁଃଖମୟ ବିଭାବ ଆମର ଆଧୁନିକ କଥା ସାହିତ୍ୟରେ ବିକାଶଲାଭ କରିଥିଲା, ତାହା ରାଉତରାୟଙ୍କ ଗଳ୍ପସୃଷ୍ଟିରେ ବହୁଗୁଣିତ ହୋଇଥିବାର ଲକ୍ଷ୍ୟ କରାଯାଏ । ବ୍ୟକ୍ତି ତଥା ସମାଜ-ଜୀବନର ନାନା ଗ୍ଳାନି, ପରାଜୟ, ନିରାଶା, ବିଫଳତା, ବିଷାଦ, କାରୁଣ୍ୟ, ବେଦନା ଓ ଦୁଃଖଶୋକ ତାଙ୍କର ଅଧିକାଂଶ ଗଳ୍ପରେ ରୂପାୟିତ ହୋଇଛି । ଫଳରେ ମଣିଷର ବିଚିତ୍ର ବ୍ୟକ୍ତିତ୍ୱକୁ ଚିହ୍ନିବା-ଜୀବନର ବହୁମୁଖୀ ବିଭାବ ବିଷୟରେ ଅବହିତ ହେବା ପାଠକସମାଜ ପକ୍ଷରେ ସହଜ ଓ ସୁକର ହୋଇଛି । ‘ବିସର୍ଜନ’ ଗଳ୍ପରେ ବସ୍ତିନେତା ମିଶ୍ରଙ୍କ ଶଯ୍ୟାସଙ୍ଗିନୀ ହୋଇ ପରେ ଉପେକ୍ଷିତା ଓ ମୃତ ପୁତ୍ରର ଶୋକରେ ବିଧୁରା ଅଇଁଠା ମାଆର ବିଡ଼ମ୍ବିତ ଜୀବନର କାରୁଣ୍ୟ– ‘ରଜାପୁଅ’ ଗଳ୍ପରେ ଭାରତଲୀଳାରେ ରାଜକୁମାର ଭୂମିକାରେ ଅଭିନେତା ନକୁଳା, ମାଣିକକୁ ଘେନି ଦେଖିଥିବା ସ୍ୱପ୍ନ ସହିତ ସାହୁକାର-ଅତ୍ୟାଚାର ଓ ବସନ୍ତ ରୋଗରେ ତା ଜୀବନର ଦୁଃଖମୟ ପରିଣତି– ‘କେହି ନୁହେଁ’ ଗଳ୍ପରେ କଲିକତା-ପ୍ରବାସୀ କୁଞ୍ଜିଆର ଦାମ୍ପତ୍ୟ ଜୀବନର ବେଦନା ଓ ବିଫଳତା- ‘ସାକ୍ଷୀ’ ଗଳ୍ପରେ ମିଥ୍ୟା ସାକ୍ଷ୍ୟ ଦେଇ ଆପଣା ସାଇକେଲ୍-ଚୋର ବଇଜୁ ସାମଲକୁ ଚୋରି ଅପରାଧରୁ ଖଲାସ କରିଦେବାରେ ଜିନତାନ ସାହୁ ମନର ବିକ୍ଷୋଭ ଓ ବିଶାଦ– ‘ପଣ୍ଡିତଙ୍କ ମୃତ୍ୟୁ’ ଗଳ୍ପରେ ମୁଲିଆଣୀ ଜାନକୀ ସହ ମୃତଦାର ବିଶ୍ୱମ୍ଭର ନନ୍ଦଙ୍କ ଯୌନ ସମ୍ପର୍କ ସ୍ଵପୁତ୍ର ସନାତନ ଦ୍ୱାରା ଧରା ପଡ଼ିଯିବାରେ ନୀତିନିଷ୍ଠ ନନ୍ଦଙ୍କର ଆତ୍ମଗ୍ଳାନି ଓ ପରିଶେଷରେ ମୃତ୍ୟୁ - ‘ରଙ୍ଗଲତା’ ଗଳ୍ପରେ ପ୍ରତିଦ୍ୱନ୍ଦ୍ୱୀ ଦୁଇ ସମୁଦୀଙ୍କ ବାସ୍ ଯୋଡ଼ିକର ଦୁର୍ଘଟଣା-ଜନିତ ଶୋଚନୀୟ ପରିଣତି ପ୍ରଭୃତି ଏହାର ଉଜ୍ଜ୍ୱଳ ଉଦାହରଣ । ଏପରି କି ଛାୟାବଲମ୍ବନରେ ଲିଖିତ ରାଉତରାୟଙ୍କର ‘ଅଦୃଶ୍ୟ କ୍ଷତ’, ‘ସାତଟଙ୍କା ଛ’ ଅଣା’, ‘କାଳ୍ପନିକ’ ଓ ‘ବାଦସାହା’ ଗଳ୍ପଗୁଡ଼ିକରେ ନରନାରୀଙ୍କ ଜୀବନର ଟ୍ରାଜିକ୍ ଓ ବେଦନା ବିଧୁର ଚିତ୍ର ପ୍ରଭାବଶାଳୀ ରୀତିରେ ଅଙ୍କିତ ହୋଇପାରିଛି ।

 

ଗ୍ରାମୀଣ ପରିବେଶ ଓ ସରଳ ସ୍ୱାଭାବିକ ଜୀବନଯାତ୍ରା ପ୍ରତି ଦରଦ ଓ ଭାବାବେଗ ରାଉତରାୟଙ୍କର କେତେକ ଗଳ୍ପରେ ସୁପରିସ୍ଫୁଟ । ନିଜର ବାଲ୍ୟ ଓ କିଶୋର ଜୀବନ ରାଉତରାୟ ମୁଖ୍ୟତଃ ପଲ୍ଲୀ-ପରିବେଶରେ ଅତିବାହିତ କରିଥିଲେ । ସେହି ପଲ୍ଲୀ-ପରିବେଶର ସ୍ନିଗ୍ଧମଧୁର ସ୍ମୃତି ତଥା ଗ୍ରାମୀଣ ଜୀବନର ଅଭାବ ଅସୁବିଧା, ଅନ୍ୟାୟ ପୀଡ଼ନ ପ୍ରତି ସମ୍ବେଦନା ପୂର୍ବରୁ ତାଙ୍କର ବିଭିନ୍ନ କବିତାରେ (୧୯୪୧ରେ ସେଗୁଡ଼ିକ ‘ପଲ୍ଲୀଶ୍ରୀ’ର କାବ୍ୟ ସଞ୍ଚୟନରେ ସଙ୍କଳିତ) ପ୍ରକାଶ ପାଇଥିଲା । ପରେ ତାଙ୍କର ବିଭିନ୍ନ ଗଳ୍ପରେ ତାହାରି ସ୍ପଷ୍ଟ ମୁଦ୍ରାଙ୍କ ପରିଲକ୍ଷିତ ହୁଏ । ତାଙ୍କର ‘ମଲାକଇଁ’, ‘ମାଙ୍କଡ଼’, ‘ଗୋଧି’, ‘ପଦ୍ମବୀଜ’ ପ୍ରଭୃତି ଗଳ୍ପରେ ସେହି ନଷ୍ଟାଲ୍‌ଜିକ୍ (Nostalgic) ଭାବାବେଗ ଜୀବନ୍ତ ଭାବରେ ପ୍ରକଟିତ ହୋଇଛି । ଦୃଷ୍ଟାନ୍ତ ସ୍ୱରୂପ – ଅରଖପୁର ଗାଁରେ “ସେଦିନ ଅଚ୍ୟୁତ ଗୋସେଇଁଙ୍କ ଜନ୍ମତିଥି । ଖୁବ୍ ଜୋର୍‌ରେ ଧୁନି ଲାଗିଥାଏ । ଭଜନ ଚାଲିଥାଏ ଘମାଘୋଟ-। ଦୀପରୁ ତେଲ ସରିଗଲେ ପୁଣି ଟିକିଏ ତେଲ ଢଳା ଯାଉଥାଏ । ମଣ୍ଡଳୀ ଭିତରେ ଚିଲମ ବୁଲୁଥାଏ । ହାତମୁଠା ସନ୍ଧିରେ ଗୋଟାଏ ଗୋଟାଏ ଟାଣ୍ ଦେଇ ଜଣେ ଆଉ ଜଣକ ହାତକୁ ଚିଲମ ବଢ଼ାଇ ଦେଉଥାଏ । ସମସ୍ତଙ୍କ ଆଖି ଧୂସରରୁ ଲାଲ୍ ହୋଇଆସିଲାଣି । ସଂସାର ଶୂନ୍ୟ ମଣ୍ଡଳ ପରି ପ୍ରତେ ହେଉଛି । ତାରି ଭିତରେ ବାବା ବୁଝାଉଥାନ୍ତି ଲାଲ୍ ଲାଲ୍ ଆଖିକୁ ବିସ୍ଫାରିତ କରି, ତିନି ନାଡ଼ୀର ରହସ୍ୟ । ଇଡ଼ା, ପିଙ୍ଗଳା, ଶିଶୁମୁନା ଭିତରେ ପବନ ଚାଳନା କରି ମୂଳାଧାରରେ ଶୋଇଥିବା କୁଣ୍ଡଳିନୀ ସାପକୁ କେମିତି ଉଠାଇବାକୁ ହୁଏ – କିମିତି ତାକୁ ଊର୍ଦ୍ଧ୍ୱକୁ ଚାଳନା କରିବାକୁ ହୁଏ ।” (ଗୋଧି) ସେହିପରି – “ଗାଁର ସେଇ ପଦ୍ମପୋଖରୀ । ତିନିଟାଯାକ କୂଳରେ ଘନ ପଦ୍ମଫୁଲ ଓ କଇଁଫୁଲର ଲଟାଦଳ ଭର୍ତ୍ତି । x x ପୋଖରୀରେ ମାଛ ଅପେକ୍ଷା ଜୋକ ବେଶି । ଥରେ ଖୁଦୁରୁକଣୀ ଓଷାରେ ବନ ଅପା କହିଲା ପଦ୍ମଫୁଲ ଆଣି ଦେବାକୁ ହେବ । ମୋର ମନେପଡ଼ିଲା ସାପୁଆ କେଳାର ଗୀତ –

 

ପଦ୍ମାବତୀ ରାଣୀ କଂସର ଘରଣୀ କରିଛି ଧନତ୍ରୀ ଓଷା

ଲକ୍ଷ ଭାର ପଦ୍ମ ଦେବୁରେ କହ୍ନାଇ ପାଖୁଡ଼ା ନଥିବ ମିଶା ।

 

ସବୁ ବାହାଦୁରି ନିଜେ ନେବା ପାଇଁ ମୁଁ କାହାକୁ କିଛି ନ କହି ଭୁଷ୍‌କିନା ପାଣିରେ ପଶିଗଲି । ଦଳରେ ଗୋଡ଼ ଛନ୍ଦି ହୋଇଗଲାଣି, ମୋର ହୋସ୍ ନାଇଁ । କିଛି ‘ପଦ୍ମଫୁଲ ତୋଳି ବେକରେ ପକାଇଛି ହଠାତ୍ ମୋ ଦିହସାରା ଜଳି ଉଠିଲା । କିଏ ଯେମିତି ନିଆଁ ଚେଙ୍କିଦେଲା ପରି ଲାଗିଲା । ମନେହେଲା ଦିହସାରା କିଏ ଯେମତି କାମୁଡ଼ି ଧରିଛି । ମୁଁ ଅସହ୍ୟ ଯନ୍ତ୍ରଣାରେ ପାଟିକଲି । ହଉ-ହାଉ କରି ଉପରକୁ ଉଠିଆସି ଦେଖେ ତ ଗୋଡ଼ ହାତ, ବେକ ଛାତି, ପିଠିଗାଲ ସବୁଠି ପନ୍ଦରଟା କି କୋଡ଼ିଏଟା ଜୋକ ଲାଖି ରହିଛନ୍ତି । ମୋ ରକ୍ତ ଝୁଣିବାରେ ଲାଗିଛନ୍ତି ।” (ପଦ୍ମବୀଜ)

 

ଜଣେ ବହୁପାଠୀ ବ୍ୟକ୍ତି ଭାବରେ ରାଉତରାୟ ବିଶ୍ୱର ବିଭିନ୍ନ ସାହିତ୍ୟର ଗଳ୍ପ ଉପନ୍ୟାସମାନ ପାଠ କରିଥିଲେ । ତହିଁରୁ ଚେଖଭ୍, ଗୋର୍କିଙ୍କ ଭଳି କେତେକ ବିଖ୍ୟାତ ଲେଖକଙ୍କର କେତୋଟି ଗଳ୍ପର ସେ ଛାୟାନୁବାଦ କରିଛନ୍ତି; ସେଗୁଡ଼ିକ ‘ଛାଇ’ ଗଳ୍ପ-ସଞ୍ଚୟନରେ ଏକତ୍ର ସ୍ଥାନିତ ହୋଇଛି । ଚଳିତ ଶତାବ୍ଦୀର ଚତୁର୍ଥ ଦଶକ ପର୍ଯ୍ୟନ୍ତ ଆମ ସାହିତ୍ୟରେ ଅଣ-ଓଡ଼ିଆ ଗଳ୍ପ-ଉପନ୍ୟାସର ଅନୁବାଦ-ଅନୁସରଣ ପ୍ରକାଶ ଅତ୍ୟନ୍ତ ଊଣା ଥିଲା । ସେହି ପରିସ୍ଥିତିରେ ରାଉତରାୟଙ୍କର ଏହି ଛାୟାନୂଦିତ ଗଳ୍ପଗୁଡ଼ିକ ଏହି ଅଣ-ଓଡ଼ିଆ ଗଳ୍ପଗୁଡ଼ିକର ଉତ୍କଳୀକରଣ ଏକ ଉଲ୍ଲେଖନୀୟ ବୈଶିଷ୍ଟ୍ୟ । ଗଳ୍ପଗୁଡ଼ିକ ମଧ୍ୟରେ କଟକ, ଯାଜପୁର ଆଦି ଘଟଣା-ସ୍ଥଳ ଓ ସ୍ଥାନୀୟ ପରିବେଶର ଚିତ୍ର ରହିଛି ଏବଂ ଚରିତ୍ରଗୁଡ଼ିକର ରେଣୁ, ଗଣପତି ପ୍ରଭୃତି ଓଡ଼ିଆ ନାମକରଣ ହୋଇଛି ।

 

‘ମାଙ୍କଡ଼ ଓ ଅନ୍ୟାନ୍ୟ ଗଳ୍ପ’ ସଞ୍ଚୟନର ପୂର୍ବଭାସରେ ରାଉତରାୟ ଉଲ୍ଲେଖ କରିଛନ୍ତି-“ଆଧୁନିକ ଗଳ୍ପ ପ୍ରାୟ ଗଳ୍ପହୀନ ଏବଂ କେତେକାଂଶରେ କାବ୍ୟଧର୍ମୀ । ଆଧୁନିକ ଗଳ୍ପକୁ ପ୍ରତୀକୀ ମଧ୍ୟ କୁହାଯାଇପାରେ । ପ୍ରତ୍ୟେକଟି ଗଳ୍ପ ଗୋଟିଏ ଗୋଟିଏ ପ୍ରତୀକରେ ପରିଣତ ହୋଇପାରିଲେ ହିଁ ସାର୍ଥକତା ଲାଭ କରେ ।” ଏହି ଉକ୍ତିଗୁଡ଼ିକ ରାଉତରାୟଙ୍କ ନିଜର କଥାସାହିତ୍ୟ ସୃଷ୍ଟି ପ୍ରତି ଊଣାଧିକେ ପ୍ରଯୋଜ୍ୟ । ‘ଚିତ୍ରଗ୍ରୀବ’ର କ୍ଷୀଣ ଆଖ୍ୟାନମୂଳକ ବିଷୟ ପୂର୍ବରୁ ଆଲୋଚିତ ହୋଇଛି । ରାଉତରାୟ ଯେପରି ‘ଗୋଧୂଳିର ଆତ୍ମା’ ଭଳି ଗଳ୍ପହୀନ ଗଳ୍ପ ଲେଖିଛନ୍ତି, ସେହିପରି ଲେଖିଛନ୍ତି ‘ରଙ୍ଗଲତା’, ‘ବାଗର୍ଥ’ ଭଳି ଘଟଣାପ୍ରଧାନ ଗଳ୍ପ । ‘ଅସ୍ତରାଗ’, ‘ସୂର୍ଯ୍ୟଙ୍କ ସପ୍ତାଶ୍ୱ’ ଭଳି ପ୍ରତୀକଧର୍ମୀ ଗଳ୍ପ, ତଥା ‘ସହସ୍ର ଶଯ୍ୟାର ନାୟିକା’ ଭଳି କାବ୍ୟଧର୍ମୀ ଗଳ୍ପ ମଧ୍ୟ ଲେଖିଛନ୍ତି । ଗଳ୍ପ ରଚନାରେ ସେ ଯାହା ଯେପରି ପରୀକ୍ଷା-ନିରୀକ୍ଷା କରିଥାଆନ୍ତୁ ପଛକେ, ତାଙ୍କର ପ୍ରାୟ ପ୍ରତ୍ୟେକ ଗଳ୍ପରେ କିଛି-ନା-କିଛି, ମାନସିକ ପ୍ରବଣତା ବା ସମାଜ ପ୍ରତି ଅଙ୍ଗୀକାର ସ୍ପଷ୍ଟ ଲକ୍ଷ୍ୟ କରିହୁଏ ।

 

ରାଉତରାୟଙ୍କର ଅଧିକାଂଶ ଗଳ୍ପ କ୍ଷୁଦ୍ରଗଳ୍ପ – ଶ୍ରେଣୀର । ‘ତୃଣ’ ‘ବାଗର୍ଥ’ ଭଳି କାହାଣୀ ସେ ଖୁବ୍ କମ୍ ଲେଖିଛନ୍ତି । କ୍ଷୁଦ୍ରଗଳ୍ପ-ସୁଲଭ ଜୀବନ ଓ ସମାଜର ଖଣ୍ଡାଂଶ-ଚିତ୍ର ଓ ଭାବର ଏକମୁଖୀନତା ସହିତ ବାହୁଲ୍ୟ ବର୍ଜିତ ବର୍ଣ୍ଣନା ଓ ଚରିତ୍ରାୟନ ତାଙ୍କର ଅଧିକାଂଶ ଗଳ୍ପରେ ପରିଲକ୍ଷିତ ହୁଏ । ପ୍ରଭାବବାଦୀ (Impressionistic) ଶୈଳୀ ରାଉତରାୟ ଆପଣା ଗଳ୍ପ ରଚନାରେ ଅନେକତ୍ର ବ୍ୟବହାର କରିଛନ୍ତି । ବ୍ୟଞ୍ଜନା ଓ ବକ୍ରୋକ୍ତିରେ ସେ ବହୁ ସ୍ଥଳରେ ନିଜର ବକ୍ତବ୍ୟକୁ ରସୋତ୍ତୀର୍ଣ୍ଣ କରାଇପାରିଛନ୍ତି ।

 

କଥାସାହିତ୍ୟର ଭାଷା-ବିନ୍ୟାସରେ ରାଉତରାୟଙ୍କ କୃତିତ୍ୱ ବାରି ହୋଇପଡ଼େ । ମୋଟାମୋଟି ଭାବରେ ଦେଖିଲେ, ଆପଣା ଗଳ୍ପ-ଉପନ୍ୟାସରେ ସେ ସଂସ୍କୃତାନୁଗ ଭାଷା ସହିତ ସାଧାରଣ ଲୋକ ପ୍ରଚଳିତ ଭାଷାର ସମନ୍ୱୟ ସାଧନ କରିପାରିଛନ୍ତି । ପୁଣି, ଘଟଣା, ପରିସ୍ଥିତି ଓ ଚରିତ୍ରର ଆବଶ୍ୟକତା ଅନୁଯାୟୀ ଭାଷା-ପ୍ରୟୋଗରେ ରୂପଭେଦ ଓ ପ୍ରାୟ ସର୍ବତ୍ର ଅନୁସରଣ କରିଛନ୍ତି । ଗ୍ରାମୀଣ ପରିବେଶ ଚିତ୍ରଣରେ ଆଞ୍ଚଳିକ ଗାଉଁଲି ଭାଷା, ଗୁରୁଗମ୍ଭୀର ତତ୍ତ୍ୱ ବା ତଥ୍ୟ ଆଲୋଚନାରେ ଇଂରାଜୀ-ସଂସ୍କୃତାଦି ଶବ୍ଦ ବା ବାକ୍ୟମିଶା ଶୁଦ୍ଧ ମାର୍ଜିତ ଭାଷା, ଏବଂ ଇସଲାମୀ ଓ ଖ୍ରୀଷ୍ଟିୟାନ୍ ଜୀବନ ଚିତ୍ରଣରେ ଯଥାକ୍ରମେ ଉର୍ଦ୍ଦୁ ଓ ଇଂରାଜୀ ଶବ୍ଦ ବା ବାକ୍‌ଭଙ୍ଗୀ ସମନ୍ୱିତ ଭାଷା ସେ ସଫଳତାର ସହିତ ବ୍ୟବହାର କରିଛନ୍ତି । ଉଦାହରଣ ସ୍ଵରୂପ- ଗୁରୁଗମ୍ଭୀର ଆଲୋଚନାର ଭାଷା – “ଜୀବନ ଗୋଟାଏ ଅବିଚ୍ଛନ୍ନ ଗତି । ଜୀବନକୁ ପରିବର୍ତ୍ତନଶୀଳ କରିବା ଠିକ୍ ନୁହେଁ । ପରିବର୍ତ୍ତନ ମାନେ କ’ଣ ? ଯାହା ହୋଇଛି ତହିଁରେ କିଛି ନୂଆ ଦେଖିଲେ, ଆମେ କହୁଁ ପରିବର୍ତ୍ତନ-। କିନ୍ତୁ ଜୀବନ ଏ ପର୍ଯ୍ୟନ୍ତ କିଛି ହୋଇନି । ତାହା ବରାବର ହେଉଛି । ତାହା ଗୋଟାଏ ଅସମ୍ପୂର୍ଣ୍ଣ ପ୍ରଣାଳୀ; ପ୍ରତି ମୁହୂର୍ତ୍ତରେ ତାହା କ୍ରମଶଃ ପରିପୂର୍ଣ୍ଣତାର ଅବସ୍ଥା ଆଡ଼କୁ ଗତି କରୁଛି । ତାହା ଗୋଟାଏ Unceasing becoming । - ଗତିତତ୍ତ୍ୱର ବ୍ୟାଖ୍ୟାନ ମଝିରେ ତା ମୁହଁରେ ଗୋଟାଏ ସାତ୍ତ୍ୱିକ ନିରାମିଷ ଭାବର ଛାୟା କଲ୍ଲୋଳିତ ହୋଇଉଠେ । ଦିନେ ଦିନେ ସୌରୀର ଏହି ଗୁରୁଗମ୍ଭୀର ଶାଙ୍କର ଭାଷ୍ୟ ଶ୍ରୋତୃମଣ୍ଡଳୀର ନିତାନ୍ତ ଅଖାଦ୍ୟ ହୋଇଉଠିଲେ, ସେ ଶାସ୍ତ୍ରୀୟ ଗବେଷଣା ଛାଡ଼ି ହଠାତ୍ ଏପରି ଗୋଟାଏ ମଧୁର ଆଲୋଚନାର ଅବତାରଣା କରେ ଯାହା ତାର ନିସ୍ତେଜ ଶ୍ରୋତାମାନଙ୍କ ମଧ୍ୟରେ ପୁଣି ତୀବ୍ର କ୍ଷୁତ୍‌ପିପାସାର ଉଦ୍ରେକ କରିଦିଏ ।” (ଚିତ୍ରଗ୍ରୀବ, ଭାଗ- ଏକ)

 

ଇସ୍‌ଲାମୀ ଚରିତ୍ର ଓ ପରିବେଶ ଚିତ୍ରଣରେ ଉର୍ଦ୍ଦୁମିଶା ଭାଷା – “ଅମିନାର ମୃତଦେହକୁ ପଶ୍ଚିମ ଦିଗକୁ ମୁହଁ ବୁଲାଇ ଶୁଆଇ ଦିଆଗଲା । ତା’ ପରେ ତାକୁ ୱାଜ୍ କରାଇ ନମାଜ ପଢ଼ି, ତାବୁତ୍‌ରେ ଶୁଆଇ କବର ଭୂଇଁକୁ ନିଆଗଲା । ଅମିନାର ଆତ୍ମାର ସଦ୍‌ଗତି ପାଇଁ ମୌଲବୀ ସାହେବ ମସ୍‌ଜିଦ୍ ସାମ୍ନାରେ ଜେନାଜା ପଢ଼ିଲେ – ଶୁଭନକା ଆଲମା ହୁମା ବହା ମଜିକା ୱାଜ୍ଜଲା ସନାଉକା...” (ମାଟିର ତାଜ)

 

ଆଞ୍ଚଳିକ ଗାଉଁଲି ଭାଷା – “ଦି ସମୁଦି ବେଗି ବେଗି ଚାଲିଛନ୍ତି ବସ୍ ଧରିବାକୁ । ଭୁବନେଶ୍ଵର ଯିବେ । ବଡ଼ ସମୁଦି ଆଗରୁ ପାଟି କରୁଛନ୍ତି : ବେଇକି ବେଇକି ଆସ, ହେ । ବାସୁ ଫିଟିଯିବ ହେ । ପଛରୁ ସାନ ସମୁଦି ଜବାବ ଦେଉଛନ୍ତି : ଯାଉଚି ତ କିସ କରିବି ହେ । ପାଣ୍ଡେଇ ଯୋଡ଼ାକ ଛାଡ଼ି ଆଇଲି ହେ । x x x ସାନ ସମୁଦି କହିଲେ : ଦଶୁଟା ଅଧରେ ପହଞ୍ଚିଯିବାର ଏକା-। ଫାଷ୍ଟୁ ଆୱାର୍‌ରେ ଆଣ୍ଡାର ସେକ୍ରେଟାରୀକୁ ଭେଟିବାର । ମାତ୍ରକ ଆଗରୁ ଯାଇ ଜଗିବାର ହେବ-। ବଡ଼ ସମୁଦି ପଚାରିଲେ, : ଆଣ୍ଡାର ସେକ୍ରେଟାରୀ କିସ ହେ ? ଜବାବ ମିଳିଲା : ଏତିକି ଜାଣିନା ସମୁଦିଏ, ସେକ୍ରେଟାରୀର ସମାନ ତଳୁଟା ଏକା ।” (ରଙ୍ଗଲତା)

 

କିଛି ବଙ୍ଗଳା ଶବ୍ଦ ଓ ବାକ୍‌ଭଙ୍ଗୀ ରାଉତରାୟଙ୍କ କଥାସାହିତ୍ୟରେ ଲକ୍ଷ୍ୟ କରାଯାଏ । ଏହା ବୋଧହୁଏ ଛାତ୍ରାବସ୍ଥା ଓ କର୍ମଜୀବନରେ ତାଙ୍କର ଦୀର୍ଘକାଳ କଲିକତା-ପ୍ରବାସର ଫଳ । କିନ୍ତୁ ଗଳ୍ପ–ଉପନ୍ୟାସରେ ଏହି ଅଯଥା ପ୍ରଭାବ ସ୍ପୃହଣୀୟ ମନେହୁଏ ନାହିଁ । ‘ଭୟ ପାଇବା’ କଥାଟି ରାଉତରାୟ ଆପଣା ଉପନ୍ୟାସ ଓ ଗଳ୍ପରେ ବାରମ୍ବାର ପ୍ରୟୋଗ କରିଛନ୍ତି । ଏହା ଓଡ଼ିଆ ପ୍ରୟୋଗ ନୁହେଁ । ସେହିପରି - ଅଫୁରନ୍ତ, ହାବୁଡ଼ୁବୁ ଖାଇବା, ହାମ୍ପେଇ ଉଠିବା, ଆଁକଡ଼ି ଧରିବା, ପରିହାସ ଏତେଦୂର ଗଡ଼ାଇବ ପ୍ରଭୃତି ବଙ୍ଗଳା ଶବ୍ଦ ଓ ବାକ୍‌ଭଙ୍ଗୀ ଆମ ଭାଷାରେ ଗ୍ରହଣୀୟ ହୋଇପାରିବ କି ? ଏଗୁଡ଼ିକର ଓଡ଼ିଆ ପ୍ରତିଶବ୍ଦ ବା ବାକ୍‌ଭଙ୍ଗୀ କ’ଣ ନାହିଁ ?

 

***

 

ଉତ୍କଳ ଆପାର୍ଟମେଣ୍ଟ

କଲ୍ୟାଣୀନଗର, କଟକ-୧୩

 

 

ଦଶାର୍ଣରୁ ମେଲ୍‌ବୋର୍ଣ: ଏକାୟନର ଆଙ୍ଗିକ

।। କବି ସଚ୍ଚିରାଉତରାୟ ଏବଂ ଓଡ଼ିଆ ଆଧୁନିକତାବାଦ ।।

 

Unknown

ଶୈଳଜ ରବି

 

ନିଜ କୈଶୋରର ସ୍ମୃତିଚାରଣ କରିବାକୁ ଯାଇ ସଚ୍ଚିବାବୁ ଲେଖିଛନ୍ତି ତାଙ୍କ ଗାଁରେ ଥିବା ଗୋଟାଏ ବାରମାସୀ ବୁଦା କଥା । ତା’ର ବଡ଼ ବଡ଼ ପତ୍ରମାନ ଥିଲା ‘‘ଗାଁର ବ୍ଲାକ୍‌ବୋର୍ଡ ଓ ବ୍ଲାକ୍‌ମେଲ୍ ବୋର୍ଡ ।” ସେଥିରେ କେହି କେହି ବେଳେ ବେଳେ ଲେଖିଦେଇଥାଏ ‘ହରେକୃଷ୍ଣ ହରେ ରାମ୍ ।’ ପୁଣି ଆଉ କେତେବେଳେ ବା ସଚ୍ଚିବାବୁଙ୍କ ନାଁକୁ ଗାଁର କୋଉ ଝିଅ ନାଁ ସହିତ ଯୋଡ଼ି ଲେଖାହୋଇଥାଏ, ବୁଢ଼ାବାବୁ (ସଚ୍ଚିବାବୁଙ୍କ ପିଲାବେଳ ନାଁ) + ଯଶୋଦା । (୧)

 

ସେହି କିଶୋର ଅବସ୍ଥାରୁ ସଚ୍ଚିବାବୁଙ୍କ ସାହିତ୍ୟ ଚର୍ଚ୍ଚା । ଏବଂ ସେହି କିଶୋର ଅବସ୍ଥାରୁ ମୃତ୍ୟୁ ଯାବତ୍ ସେ ଜଣେ ବିବଦମାନ ସାହିତ୍ୟିକ ହୋଇ ରହିଗଲେ । ତାଙ୍କ ନାଁ ଲେଖାହୋଇଛି ଅନେକ ବ୍ଲାକ୍‌ବୋର୍ଡରେ । ପୁଣି ଅନେକ ବ୍ଲାକ୍‌ମେଲ୍ ବୋର୍ଡରେ । ଭଞ୍ଜୀୟ ସାହିତ୍ୟର ଅଶ୍ଳୀଳତାକୁ ସମର୍ଥନ କରି ଅଥବା ‘ବିକୃତ ଗଦ୍ୟ-କବିତା’ ରଚନା କରି ତରୁଣ ସଚ୍ଚି ରାଉତରାୟ ଯେପରି ‘ରସଚକ୍ର’, ‘ଉତ୍କଳ ସାହିତ୍ୟ’ ଇତ୍ୟାଦି ଦ୍ୱାରା ନିନ୍ଦିତ ହୋଇଛନ୍ତି ସେହିପରି ପରବର୍ତ୍ତୀ କାଳରେ ଓଡ଼ିଆ କାବ୍ୟ କବିତାରେ ଆଧୁନିକତାର ପ୍ରବର୍ତ୍ତକ ପ୍ରଶ୍ନ ଅଥବା ଓଡ଼ିଆ ପ୍ରଗତିଶୀଳ ସାହିତ୍ୟର ‘ପିତୃତ୍ୱ’ ପ୍ରଶ୍ନ ନେଇ ତାଙ୍କୁ ଠିଆ କରି ଦିଆହୋଇଛି ବିଭିନ୍ନ ବାଦିପାଲାରେ । ପୁଣି କେହି କେହି ପ୍ରଶ୍ନକରିଛନ୍ତି ସଚ୍ଚିରାଉତରାୟ କ’ଣ ପ୍ରକୃତରେ ଆଧୁନିକ ଅଥବା ପ୍ରଗତିଶୀଳ ? ସେମାନଙ୍କ ଉତ୍ତର: ସଚ୍ଚିବାବୁ ଗୋଟାଏ ଫ୍ରଡ଼୍ । ଡ: ମାନସିଂହଙ୍କ ଭାଷାରେ, ତାଙ୍କର ପ୍ରଗତିଶୀଳତା “ବାମପନ୍ଥୀ ଭଣ୍ଡାମି ଏବଂ କପଟ କୁଶଳ-ପ୍ରଚାର”।(୨) ଦୁଃଖର ବିଷୟ, ଏ ସବୁ ସମାଲୋଚନାରେ କ୍ଷୁବ୍ଧ ସଚ୍ଚିବାବୁ ବେଳେ ବେଳେ ଇନ୍ଦ୍ରପଦ ହରାଉଥିବା ଇନ୍ଦ୍ରପରି ଆତଙ୍କ ଜର୍ଜରିତ ହୋଇଛନ୍ତି । ଆତ୍ମପକ୍ଷ ସମର୍ଥନ କରି କେତେ ଗୁଡ଼ିଏ ଗାଳିଦିଆ ପଦ୍ୟ ଲେଖିଛନ୍ତି ଏବଂ ଉପର ଲିଖିତ ପାଲାମାନଙ୍କରେ କେତେବେଳେ ସ୍ୱୟଂ ଗାୟକରୂପେ ଅବତ୍ତୀର୍ଣ୍ଣ ହୋଇଛନ୍ତି ତ କେତେବେଳେ ପାଳିଆର ଛଦ୍ମବେଶରେ ଠିଆ ହୋଇଛନ୍ତି । ନିଜର ପ୍ରତିଭା ସମ୍ପର୍କରେ ସନ୍ଦିହାନ କୌଣସି ଅର୍ବାଚୀନ ତରୁଣ କବିର ପ୍ରୌଢି ପରି ଶୁଣାଯାଉଥିବା ଗୁଡ଼ାଏ ପିଲାଳିଆ ଢମ ମଧ୍ୟ ନିଜ ବିଷୟରେ ନିଜର ଆତ୍ମଜୀବନୀରେ କରିଛନ୍ତି । କ୍ଷୋଭର ବିଷୟ, ସଚ୍ଚିବାବୁ ନିଜେ ନିଜର ଉଚ୍ଚତା କଳି ପାରିନଥିଲେ ।

 

ଅନେକ ‘ବ୍ଲାକ୍‌ବୋର୍ଡ’ରେ ଲେଖା ହୋଇଛି : ସଚ୍ଚିବାବୁ ଜଣେ ଯୁଗସ୍ରଷ୍ଟା । ମାତ୍ର ସଚ୍ଚିବାବୁ ନଥିଲେ କୌଣସି ବାରବର୍ଷିଆ ଯୁଗର ସ୍ରଷ୍ଟା କିମ୍ବା କେବଳ କୌଣସି ଏକ ‘ନୂତନ ଧାରାର ପ୍ରବର୍ତ୍ତକ’ । ସେ ଥିଲେ ଜଣେ କାଳାନ୍ତର ପୁରୁଷ, ଯାହାଙ୍କୁ ଟମାସ୍ କୁନ୍ (Thomas Kuhn)ଙ୍କ ଭାଷାରେ କହିପାରିବା, ଜଣେ Paradigm Maker । (୩) ଏ ଆଲୋଚକମତରେ ଓଡ଼ିଆ ସାହିତ୍ୟର ଛଅଶହ ବର୍ଷ ଇତିହାସରେ ଏହିଭଳି ଚାରିଜଣ ମାତ୍ର କାଳାନ୍ତର ପୁରୁଷ ଆବିର୍ଭାବ ହୋଇଛନ୍ତି । ସାରଳା, ଜଗନ୍ନାଥ ଦାସ, ଫକୀର ମୋହନ ଏବଂ ସଚ୍ଚି ରାଉତରାୟଙ୍କୁ ଆମେ ଓଡ଼ିଆ ସାହିତ୍ୟର କାଳାନ୍ତର-ଦ୍ରଷ୍ଟା-ଚତୁଷ୍ଟୟ କହିପାରୁ । ଏମାନେ କୌଣସି ଧାରା ପ୍ରବର୍ତ୍ତକ ଭଳି ଓଡ଼ିଆ ସାରସ୍ୱତ ମାନଚିତ୍ରରେ କେବଳ କେତେକ ନୂତନ ମାର୍ଗ ଖଞ୍ଜି ଦେଇନାହାନ୍ତି । ଏମାନେ ସାହିତ୍ୟର ସମକାଳୀନ ମାନଚିତ୍ରକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଛନ୍ତି । କେବଳ ବିଷୟବସ୍ତୁ, ଭାଷା ଅଥବା ଆଙ୍ଗିକ ଭଳି ସାହିତ୍ୟର ବାହ୍ୟ ପଞ୍ଜରରେ ପରିବର୍ତ୍ତନ ଆଣିନାହାନ୍ତି ଏମାନେ ପରିବର୍ତ୍ତନ ଆଣିଛନ୍ତି ସମ୍ପ୍ରତ୍ୟୟ (concept) ସ୍ତରରେ । ଏ ପରିବର୍ତ୍ତନ ସାହିତ୍ୟର ନାଭିକେନ୍ଦ୍ରକୁ ଅର୍ଥାତ୍, ତାର ଗଭୀରତମ ପ୍ରଦେଶର ସଂରଚନା (deep structure)କୁ ସ୍ପର୍ଶ କରେ ।

 

ଯେତେବେଳେ ‘ଗ୍ରାମ୍ୟତା’ ଅଳଙ୍କାର ଶାସ୍ତ୍ରରେ ଏକ ଦୋଷ ବିବେଚିତ ହେଉଥିଲା ସେତେବେଳେ ସାରଳା ସମ୍ପୂର୍ଣ୍ଣ ଗ୍ରାମ୍ୟଶୈଳୀରେ ଏକ ମହାକାବ୍ୟର ପୁନର୍ଲିଖନ କରିବା ପାଇଁ ସାହସ ବଳାଇଲେ । ସେ ପରୀକ୍ଷା ଏପର୍ଯ୍ୟନ୍ତ ଓଡ଼ିଆ ସାହିତ୍ୟରେ ଅଦ୍ୱିତୀୟ ହୋଇ ରହିଛି । ଯେତେବେଳେ ଶାସ୍ତ୍ରକୁ ଲୋକଭାଷାରେ ଅନୁବାଦ କରିବା ଏକ ଦ୍ରୋହାଚରଣ (blasphemy) ବିବେଚିତ ହେଉଥିଲା ସେତେବେଳେ ଜଗନ୍ନାଥ ଦାସ ‘ଶ୍ରୀମଦ୍‌ଭାଗବତମ୍’ର କେବଳ ଓଡ଼ିଆ ଅନୁବାଦ କଲେ ନାହିଁ, ତା’ର ଅନୁକୃତି (transcreation)ଟିଏ ଦେଲେ ଯାହାକି ସମକାଳୀନ ସମାଜରେ ଅନୁବାଦ ତୁଳନାରେ ମଧ୍ୟ ଏକ ଅଧିକ ଗର୍ହିତ ସ୍ୱୈରାଚାର ରୂପେ ବିବେଚିତ ହୋଇଥିବ-। ଶାସ୍ତ୍ରର ଅନୁକୃତି ହିସାବରେ ଜଗନ୍ନାଥ ଦାସଙ୍କ ପରୀକ୍ଷା ଏପର୍ଯ୍ୟନ୍ତ ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ଅନତିକ୍ରମଣୀୟ ହୋଇ ରହିଛି । କଥକତା ମୂଳତଃ ଏକ ମୌଖିକ ପ୍ରକ୍ରିୟା । ଓଡ଼ିଆ ଲିଖିତ ଭାଷାରେ ଏହାର ସାବଲୀଳ ରୂପାନ୍ତର ପାଇଁ ଫକୀର ମୋହନ ହିଁ ପ୍ରଥମ ବିନ୍ଧାଣୀ ଯିଏ ଅପୂର୍ବ ସମ୍ଭାବନା ସୃଷ୍ଟି କରିଥିଲେ । ସମାଜର ‘ଆଧୁନିକତା’ (modernity) ପରି ସାହିତ୍ୟର ଆଧୁନିକତାବାଦ (modernism) ମଧ୍ୟ ଏକ ଜଟିଳ ପ୍ରକ୍ରିୟା । ଏହାକୁ କେବଳ ଆଙ୍ଗିକଗତ କେତୋଟି ଶକୁନ ବା ଶଙ୍କୁ ଦେଇ ଯେ ବୁଝିହେବ ନାହିଁ- ଏହା ଓଡ଼ିଆ ସାହିତ୍ୟରେ ସଚ୍ଚି ରାଉତରାୟ ହିଁ ନିଜ ସାହିତ୍ୟ କର୍ମ ମାଧ୍ୟମରେ ପ୍ରମାଣ କରି ଦେଇଯାଇଛନ୍ତି । ସାରଳା ଦାସ ମହାକାବ୍ୟର, ଜଗନ୍ନାଥ ଦାସ ଅନୁବାଦର, ଫକୀର ମୋହନ ମୌଖିକତାର ତଥା ସଚ୍ଚି ରାଉତରାୟ ଆଧୁନିକତାବାଦର ସମକାଳୀନ ସମ୍ପ୍ରତ୍ୟୟକୁ ଓଲଟ ପାଲଟ କରିଦେଇଛନ୍ତି । ଚକ ଦୁଇଥର ଉଦ୍ଭାବନ ହୋଇନପାରେ । ଚକର ସେଇ ପ୍ରଥମ ଓ ଶେଷ ଉଦ୍ଭାବକ, ପ୍ରାକ୍-ଐତିହାସିକ ଯୁଗର ସେହି କାଳାନ୍ତର ପୁରୁଷ ପରି ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ଏ ସିଦ୍ଧ ଚତୁଷ୍ଟୟ ଅଦ୍ୱିତୀୟ ଏବଂ ଅନନ୍ୟ ।

 

ଅବଶ୍ୟ ଏହି ପରିପ୍ରେକ୍ଷୀରେ ଆଉ ଏକ କଥା ମନେରଖିବାକୁ ହେବ । ଠିକ୍ ଯେପରି ବିଜ୍ଞାନ ରାଜ୍ୟରେ ବୈପ୍ଳବିକ ରୂପାନ୍ତର ଆଣିବା ଦିଗରେ କୁନ୍ କଥିତ ସାଧାରଣ ବିଜ୍ଞାନ (normal science)ର ଭୂମିକାକୁ ଲଘୁକରି ଦେଖିବା ଭୁଲ୍ ହେବ ସେହିପରି ଓଡ଼ିଆ ସାହିତ୍ୟରେ ‘ଆଧୁନିକତାବାଦ’ ଆଣିବା ଦିଗରେ ସଚ୍ଚି ରାଉତରାୟଙ୍କ ସମକାଳୀନ ସତୀର୍ଥ ଅଥବା ପୂର୍ବସୂରୀମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଭୁଲିଯିବା ମଧ୍ୟ ଭୁଲ୍ ହେବ । ଏଲିୟଟ୍ ଯେଉଁମାନଙ୍କୁ ‘secondary writers’ ଆଖ୍ୟା ଦିଅନ୍ତି ସାହିତ୍ୟ ଇତିହାସରେ ସେମାନଙ୍କ ଗୁରୁତ୍ୱ କିଛି କମ୍ ନୁହେଁ । କାଳାନ୍ତର ସ୍ରଷ୍ଟା ବା ଏଲିୟଟ୍‌ଙ୍କର ‘Writer of genius’ ସାହିତ୍ୟ ଜଗତରେ ଆଣୁଥିବା ଗୁଣାତ୍ମକ ପରିବର୍ତ୍ତନ ପଛରେ ଥାଏ ଏହି ଦ୍ୱିତୀୟ ଧାଡ଼ିର ବିପ୍ଳବୀମାନଙ୍କ ଦ୍ଵାରା ସଙ୍ଗଠିତ ଛୋଟବଡ଼ ପରିମାଣାତ୍ମକ ପରିବର୍ତ୍ତନ । ଏହି ଗୁଣାତ୍ମକ ପରିବର୍ତ୍ତନ ସେ ସମସ୍ତ ପରିମାଣାତ୍ମକ ପରିବର୍ତ୍ତନର ଏକ ଅବଶ୍ୟମ୍ଭାବୀ କ୍ରମ ପରିଣତି କହିଲେ ଭୁଲ୍ ହେବନାହିଁ । ରାଧାନାଥ-ଫକୀରମୋହନ ଯୁଗରୁ ଆରମ୍ଭ ହୋଇଥିବା ଏକ ପରିମାଣାତ୍ମକ ପରିବର୍ତ୍ତନର ପ୍ରକ୍ରିୟା ପରବର୍ତ୍ତୀ ବିଭିନ୍ନ ଛୋଟବଡ଼ ଆନ୍ଦୋଳନ, ଯଥା: ସବୁଜ, ସତ୍ୟବାଦୀ, ନବଯୁଗ, ରୋମାଣ୍ଟିକ ପର୍ଯ୍ୟାୟ ଦେଇ ପ୍ରାକ୍-‘ପାଣ୍ଡୁଲିପି’ ସଚ୍ଚି ରାଉତରୀୟ ସାହିତ୍ୟ ପର୍ଯ୍ୟନ୍ତ ଚାଲି ଆସିଥିଲା । ସେ ସବୁର ଏକ ସାମଗ୍ରିକ ପରିଣାମରୁ ସଙ୍ଗଠିତ ଗୁଣାତ୍ମକ ପରିବର୍ତ୍ତନର ଫଳଶ୍ରୁତି ‘ପାଣ୍ଡୁଲିପି’ । ଏହି କାଳାନ୍ତର ଆଣୁଥିବା ସ୍ରଷ୍ଟାର ଲକ୍ଷଣ, ଏଲିୟଟ୍‌ଙ୍କ ମତରେ, When it does appear it is likely to break every rule, that no system of education can foster it and no system of education can stifle it.(୪) ଏହି କାଳାନ୍ତର ସ୍ରଷ୍ଟା ଇତିହାସ ହାତରେ ଗଢ଼ା । ପୁଣି ଇତିହାସକୁ ଭାଙ୍ଗି ଏକ ନୂତନ ଇତିହାସ ଗଢ଼ୁଥିବା ବିଶ୍ଵକର୍ମା । ସଚ୍ଚି ରାଉତରାୟ ଯଥା ସମ୍ଭବ ନିଜ ଭାଷା ସାହିତ୍ୟର ପରମ୍ପରାକୁ ମାନିଛନ୍ତି । ପୁଣି ଯଥାସମ୍ଭବ ତାର ବ୍ୟାକରଣକୁ ଭାଙ୍ଗିଛନ୍ତି । କେବଳ ସେତିକି ନୁହେଁ ନିଜ ସୃଷ୍ଟ ଶୈଳୀକୁ ମଧ୍ୟ ଯଥାସମ୍ଭବ ଅକ୍ଷୁର୍ଣ୍ଣ ରଖିଛନ୍ତି ଏବଂ ବିଭିନ୍ନ ସମୟରେ ଯଥାସମ୍ଭବ ଭାଙ୍ଗିଛନ୍ତି । ନବନବ ଉନ୍ମେଷ ଶାଳିନୀ ପ୍ରତିଭାର ଏହା ହିଁ ବୈଚିତ୍ର୍ୟ । ଏହି ଦୃଷ୍ଟିରୁ ଦେଖିଲେ ସଚ୍ଚିରାଉତରାୟ ପ୍ରତିଷ୍ଠିତ ‘ଆଧୁନିକତାବାଦ’ ବସ୍ତୁତଃ ଏକ ନୂତନ ସ୍ୱାଦର ଆଧୁନିକତାବାଦ ଯାହାକୁ ନିଃସଙ୍କୋଚ ‘ଓଡ଼ିଆ ଆଧୁନିକତାବାଦ’ କୁହାଯାଇପାରେ ।

 

ଆଧୁନିକ ସମାଜର ଆଧୁନିକତା ଏବଂ ଆଧୁନିକ ସାହିତ୍ୟର ଆଧୁନିକତାବାଦ ଅଙ୍ଗାଙ୍ଗୀ ଭାବେ ଜଡ଼ିତ – ଏହା କହିବା ବାହୁଲ୍ୟ ମାତ୍ର । ଆଧୁନିକତା ଏବଂ ଆଧୁନିକତାବାଦ ମଧ୍ୟରେ ତଥା ଆଧୁନିକତାବାଦର ବିଭିନ୍ନ ଆୟାମ ମଧ୍ୟରେ ରହିଥିବା ସାମ୍ୟ, ବିରୋଧ ଏବଂ ବୈଷମ୍ୟର ଶଙ୍କୁଗୁଡ଼ିକୁ ଚିହ୍ନଟ ନକରି କେବଳ ପାଶ୍ଚାତ୍ୟ ଆଧୁନିକତାବାଦର କେତୋଟି ପାଠ୍ୟପୁସ୍ତକୀୟ ଲକ୍ଷଣକୁ ମାପକାଠି ରୂପେ ଧରି ଓଡ଼ିଆ ଆଧୁନିକତାବାଦର ଅକଳନ କରିବସିବା ଖଟମାପରେ ମଣିଷମାନଙ୍କୁ କାଟି ସାଇଜ୍ କରିଦେଉଥିବା ଗ୍ରୀକ୍ ଲୋକକଥାରେ ବର୍ଣ୍ଣିତ ପ୍ରୋକ୍ରସ୍‌ଟସ୍‌ର କାର୍ଯ୍ୟପରି ହେବ ।

 

‘ଆଧୁନିକତା’ ଅଥବା ‘ଆଧୁନିକତାବାଦ’ର ସଂଜ୍ଞା ‘ପ୍ରେମ’ର ସଂଜ୍ଞାପରି ଅତ୍ୟନ୍ତ ବିଭ୍ରାନ୍ତିକର । ପ୍ରେମ ପରି ଏହାକୁ ଅନୁଭବ କରିବା ସହଜ, ବୁଝାଇବା କଷ୍ଟ ଏବଂ ଏହାର ସଠିକ୍ ସଂଜ୍ଞା ନିରୂପଣ କରିବା ଏକପ୍ରକାର ଅସମ୍ଭବ ବ୍ୟାପାର । ଏହି ଦୁଃସାଧ୍ୟ ପ୍ରଚେଷ୍ଟା କରୁଥିବା ସମୀକ୍ଷକର ଅସହାୟତା ରେମଣ୍ଡ ଉଇଲିୟାମ୍‌ସଙ୍କ ପ୍ରସିଦ୍ଧ ପ୍ରସ୍ତକ The politics of Modernism ର ସମ୍ପାଦକ ଟୋନି ପିଙ୍କନେ ତାଙ୍କର ନିମ୍ନ ମନ୍ତବ୍ୟରେ ଯଥାଯଥ ଭାବେ ପୁଟାଇଛନ୍ତି, “As critics of many persuasions have pointed out, ‘modernism’ is the most frustratingly unspecific, the most recalcitrantly unperiodizing, of all the major art-historical ‘isms or concepts.” (୫)

 

ଆଜି ଆଧୁନିକତା କହିଲେ ଯାହା ବୁଝାଯାଏ ଅଷ୍ଟାଦଶ ଶତାବ୍ଦୀ ଇଉରୋପରେ ତା’ର ଜନ୍ମ । ସାଧାରଣତଃ ଜ୍ଞାନୋଦ୍ଦୀପକ ଯୁଗ (Age of Enlightenment) ଅଥବା ହେତୁବାଦର ଯୁଗ (Age of reason) ରୂପେ ପରିଚିତ ଏହି ଶତାବ୍ଦୀରୁ ପାଶ୍ଚାତ୍ୟ ସମାଜର ଆଧୁନିକୀକରଣ ଆରମ୍ଭ ହୋଇ ଊନବିଂଶ ଶତାବ୍ଦୀ ଶେଷ ବେଳକୁ ଏକ ସ୍ପଷ୍ଟ ପରିଣତ ରୂପ ଗ୍ରହଣ କରିଥିଲା । ଏ ସମ୍ପର୍କରେ ଇତିହାସକାରମାନେ ପ୍ରାୟତଃ ଏକମତ ହେଉଥିଲେ ମଧ୍ୟ କେଉଁ ଆନ୍ଦୋଳନକୁ ଆଧୁନିକୀକରଣର ମୁଖ୍ୟ ଉଦ୍ଦୀପକ ରୂପେ ଧରାଯିବ ସେନେଇ ଯଥେଷ୍ଟ ମତାନୈକ୍ୟ ରହିଛି । ସପ୍ତଦଶ ଶତାବ୍ଦୀରୁ ଆରମ୍ଭ ହୋଇଥିବା ବିଜ୍ଞାନ ବିପ୍ଲବ, ଆମେରିକୀୟ ସ୍ଵାଧୀନତା ସଂଗ୍ରାମ, ଫରାସୀ ବିପ୍ଲବ, ଶିଳ୍ପ ବିପ୍ଳବ ଇତ୍ୟାଦିରେ ସମୁଦ୍ର ମନ୍ଥନ ସଙ୍ଗଠିତ ହୋଇଥିଲା ଏହି ସମୟ ଖଣ୍ଡରେ । ହେତୁବାଦ (Rationalism) ପରି ଏକ ଦାର୍ଶନିକ ସମ୍ପ୍ରତ୍ୟୟକୁ ଦାର୍ଶନିକଟିଏ ଆଧୁନିକତାର ମୁଖ୍ୟ ଲକ୍ଷଣ ବୋଲି ଧରୁଥିବା ବେଳେ ଅର୍ଥନୀତିଜ୍ଞ ଶିଳ୍ପୀକରଣକୁ ମୁଖ୍ୟ ଲକ୍ଷଣ ବୋଲି ଧରିଥାଏ । ରାଜନୀତି ବିଜ୍ଞାନୀ ମାର୍କିନ୍ ବିପ୍ଳବ ଓ ଫରାସୀ ବିପ୍ଳବରୁ ଉତ୍ପନ୍ନ ରାଜନୈତିକ ଚେତନା ଓ ମୂଲ୍ୟବୋଧ, ଯଥା: ଆତ୍ମନିୟନ୍ତ୍ରଣ ଅଧିକାର, ବ୍ୟକ୍ତି ସ୍ୱାଧୀନତା, ସାମ୍ୟ, ମୈତ୍ରୀ, ଭ୍ରାତୃତ୍ୱ ଇତ୍ୟାଦି ଆଧୁନିକଯୁଗର ସବୁଠାରୁ ବଡ଼ ଦାନ ବୋଲି ଘୋଷଣା କରେ । ଅପରପକ୍ଷରେ ସମାଜତତ୍ତ୍ୱବିତ୍ ଯନ୍ତ୍ରୀକରଣ ଓ ସହରୀକରଣ ପ୍ରକ୍ରିୟାକୁ ଆଧୁନିକତାର ପ୍ରଧାନ ଲକ୍ଷଣ ରୂପେ ଉପସ୍ଥାପିତ କରିଥାଏ ।

 

ନିଜ ନିଜ ବିଦ୍ୟାଶୃଙ୍ଖଳାର ମୁଖ୍ୟ ଆଧାରବାକ୍ୟକୁ ଭିତ୍ତିକରି ପ୍ରତ୍ୟେକ ବିଦ୍ୟାଶୃଙ୍ଖଳା ଆଧୁନିକତାର ଜନ୍ମଜାତକ ଭିନ୍ନ ଭିନ୍ନ ପଦ୍ଧତିରେ ପ୍ରସ୍ତୁତ କରନ୍ତି । ଉଦାହରଣ ସ୍ଵରୂପ, ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଅର୍ଥନୀତିଜ୍ଞ କ୍ରିଷନ୍‌ କୁମାରଙ୍କ ଦୃଢ଼ମତ ହେଲା “To modernize is to industrialize. It might be possible to give some other meaning to modernity, but to do so would be perverse and misleading.” ତେଣୁ ସେ ବିଲାତରେ ଆରମ୍ଭ ହୋଇଥିବା ଶିଳ୍ପ ବିପ୍ଲବକୁ ହିଁ ଆଧୁନିକତାର ପ୍ରସୂତିକା ବୋଲି ଦାବୀ କରନ୍ତି । (୬) ଅପର ପକ୍ଷରେ ପଲ୍‌ଜନ୍‌ସନ୍‌ଙ୍କ ମତରେ ଆମେରିକୀୟ ଗୃହଯୁଦ୍ଧରୁ ହିଁ ଆଧୁନିକତାର ଜନ୍ମ । ଏଣୁ ସେ କହନ୍ତି “I present the fifteen years 1815-30 as those during which the matrix of the modern was largely formed.” ଏବଂ ଏହାକୁ ସେ ଘେଣ୍ଟ୍‌ଚୁକ୍ତି ପରେ ଆରମ୍ଭ ହେଉଥିବା ଦାବୀ କରନ୍ତି । (୭)

 

ଆଧୁନିକତାର ଆରମ୍ଭ ପରି ଶେଷ ମଧ୍ୟ ଏକ ପ୍ରଚଣ୍ଡ ବିତର୍କର ବିଷୟ ହୋଇଛି । ଲିଓଟାର୍ଡ (J.F.Lyotard)ଙ୍କ ପରି ଅନେକ ଆଧୁନିକତାର ଯୁଗ ଶେଷହୋଇ ଉତ୍ତର ଆଧୁନିକତାର ପ୍ରବାହ ବହିଲାଣି ବୋଲି ଦାବୀ କରୁଥିବା ବେଳେ ହାବର୍‌ମାସ୍ (J. Habermas) ଅଥବା ଗିଡେନ୍ସ (A.Giddens)ଙ୍କ ପରି ସମାଜତତ୍ତ୍ୱବିତ୍ ଆଧୁନିକତାବାଦର ଏବେ ମଧ୍ୟ ଥିବା ପ୍ରାସଙ୍ଗିକତା ସପକ୍ଷରେ ଯୁକ୍ତି କରିଛନ୍ତି । (୮)

 

ତେବେ ଏ ବିଷୟରେ ସମସ୍ତେ ଏକମତ ଯେ ଜ୍ଞାନୋଦୟ ଯୁଗ ମଧ୍ୟାହ୍ନ ଛୁଉଁ ନଛୁଉଁଣୁ ଅନ୍ଧକାର ମାଡ଼ି ଆସିଲା । ଦୁଇଦୁଇଟା ବିଶ୍ଵଯୁଦ୍ଧ ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କଲା । ବିଭିନ୍ନ ବିପ୍ଳବର ସମୁଦ୍ର ମନ୍ଥନରୁ ଯେପରି ଅମୃତ ବାହାରିଲା ହଳାହଳ ବିଷ ମଧ୍ୟ ପ୍ରକାଶିତ ହେଲା । ବିଜ୍ଞାନର ଅପ ପ୍ରୟୋଗ ହେଲା । ଜୀବନଚର୍ଯ୍ୟାରେ ନିଷ୍ପ୍ରାଣ ଯାନ୍ତ୍ରୀକତା ଦେଖାଦେଲା । ଏକପକ୍ଷରେ ବ୍ୟକ୍ତି ସ୍ୱାଧୀନତା ନାଁରେ ସ୍ୱେଚ୍ଛାଚାର ଓ ଅନ୍ୟ ପକ୍ଷରେ ସାମ୍ୟର ପ୍ରତିଷ୍ଠା ନାଁରେ ଏକଛତ୍ରବାଦ ମୁଣ୍ଡ ଟେକିଲା । ଉଭୟ ଗଣତାନ୍ତ୍ରିକ ଓ ସାମ୍ୟବାଦୀ ମୂଲ୍ୟବୋଧକୁ ପ୍ରତିହତ କରୁଥିବା, ଫ୍ୟାସିବାଦ ଓ ନାତ୍‌ସୀବାଦ ଭଳି ଅମାନବିକ ଦର୍ଶନ ମୁଣ୍ଡ ଟେକିଲା । ମୂଲ୍ୟବୋଧ କ୍ଷେତ୍ରରେ ଦେଖାଦେଲା ଶୂନ୍ୟତାବୋଧ ଏବଂ ବିଚ୍ଛିନ୍ନତାବୋଧ । ଏ ଦୁଃସ୍ଥିତି ପାଇଁ କେହି ଅତ୍ୟଧିକ ବିଜ୍ଞାନମନସ୍କତା (Scientism)କୁ ତ’ କେହି ଅତ୍ୟଧିକ ଶିଳ୍ପୀକରଣକୁ ଦୋଷ ଦେଲା । କେହି ସାମ୍ୟ, ମୈତ୍ରୀ ଇତ୍ୟାଦି ମୂଲ୍ୟବୋଧର ଅତ୍ୟଧିକ ରୋମାଣ୍ଟିକ ଚିତ୍ରଣକୁ ଦୋଷ ଦେଲା ତ ଆଉ କେହି ସହରୀ ସଂସ୍କାରର ଅତ୍ୟାଧିକ ସ୍ତାବକତାକୁ ଦୋଷାରୋପ କଲା ।

 

ଆଧୁନିକତାକୁ ନେଇ ଯେଉଁ ପାରମ୍ପରିକ ବିତର୍କ ପାଶ୍ଚାତ୍ୟ ଦେଶରେ ଦେଖାଦେଲା ତାହାର ପ୍ରତିଧ୍ୱନୀ ଭାରତମାଟିରେ ମଧ୍ୟ ଦେଖା ଦେଲା । ଭାରତୀୟ ଆଧୁନିକକରଣର ପ୍ରଥମ ବାର୍ତ୍ତାବହ ରାମମୋହନ ରାୟଙ୍କୁନେଇ ଗାନ୍ଧୀ ଓ ରବୀନ୍ଦ୍ରନାଥଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ବିତର୍କ ଅଥବା ଭାରତୀୟ ସମାଜବାଦର ରୂପରେଖ ନେଇ ଗାନ୍ଧୀବାଦୀ, ସମାଜବାଦୀ ଓ ସାମ୍ୟବାଦୀ ଶିବିର ଭିତରେ ଗତ ଶତାବ୍ଦୀର’୩୦ ଦଶକରୁ ଆରମ୍ଭ ହୋଇଥିବା ବିତର୍କ ଅଥବା ବିକାଶର ଗାନ୍ଧୀ ମଡେଲ ଓ ନେହେରୁ ମଡେଲ୍ ନେଇ ସ୍ଵାଧୀନତା ପ୍ରାପ୍ତିର ଅବ୍ୟବହିତ ପରେ ଆରମ୍ଭ ହୋଇଥିବା ବିତର୍କର ଏଯାଏ ଅବସାନ ଘଟିନାହିଁ । ଆହରଣପ୍ରବଣ ଆଧୁନିକତା ଓ ସଂରକ୍ଷଣପ୍ରବଣ ଜାତୀୟତା ଭିତରେ ଚାଲିଥିବା ଦ୍ୱନ୍ଦ୍ୱ ମଧ୍ୟ ଏକ ସ୍ଥାୟୀ ଦ୍ୱନ୍ଦ୍ୱ ହୋଇ ରହିଛି । କିଛି ଭାରତୀୟ ଉଦାରବାଦୀ ଚିନ୍ତାନାୟକ ଏ ସମସ୍ତ ଆପାତତଃ ପରସ୍ପର ବିରୋଧୀ ଚିନ୍ତାମଧ୍ୟରେ ସମନ୍ୱୟ ପ୍ରତିଷ୍ଠା ପାଇଁ ଅତୀତରେ ପ୍ରଚେଷ୍ଟା କରିଛନ୍ତି ଏବଂ ସବୁଠାରୁ ଆନନ୍ଦର ବିଷୟ ଏ ଭଳି ସମନ୍ୱୟର ସର୍ବଶ୍ରେଷ୍ଠ ଭାରତୀୟ ପ୍ରତୀକ ଆମ ଓଡ଼ିଶାର ଶ୍ରୀନବକୃଷ୍ଣ ଚୌଧୁରୀ ଏବଂ ତାଙ୍କର ସହଯୋଦ୍ଧା ଧର୍ମପତ୍ନୀ ମାଳତୀ ଦେବୀ । ମାର୍କ୍ସବାଦ, ଗଣତାନ୍ତ୍ରିକ ସମାଜବାଦ ଏବଂ ଗାନ୍ଧୀବାଦ ମଧ୍ୟରେ ସମନ୍ୱୟ ପ୍ରତିଷ୍ଠା ପାଇଁ ‘୩୦ ଦଶକରେ ସୃଷ୍ଟିହୋଇଥିବା କଂଗ୍ରେସ ସମାଜବାଦୀ ଦଳର ଶ୍ରୀଚୌଧୁରୀ କେବଳ ଜଣେ ପ୍ରତିଷ୍ଠାତା ନେତା ନୁହନ୍ତି ତାହା ପ୍ରତିଷ୍ଠା ହେବାର ଏକବର୍ଷ ପୂର୍ବରୁ ସେ ଉତ୍କଳ କଂଗ୍ରେସ ସାମ୍ୟବାଦୀ କର୍ମୀ ସଂଘ ମାଧ୍ୟମରେ ସେ ଦିଗରେ କାର୍ଯ୍ୟ ଆରମ୍ଭ କରିଦେଇଥିଲେ । ମାଳତୀ ଦେବୀ ସେଥିପାଇଁ ସେତେବେଳେ ତାଙ୍କର ସମସ୍ତ ସୁନାଗହଣା ଦାନ କରିଦେଇଥିଲେ । ମାର୍କ୍ସ, ଗାନ୍ଧୀ, ରବୀନ୍ଦ୍ରନାଥ, ନେହେରୁ ଏବଂ ନେତାଜୀଙ୍କ ଦର୍ଶନ ମଧ୍ୟରେ ସମନ୍ୱୟ ପ୍ରତିଷ୍ଠା ପାଇଁ ସେ ଦମ୍ପତ୍ତି ୩୦ ଦଶକରେ ଯେଉଁ ପ୍ରଚେଷ୍ଟା ଆରମ୍ଭ କରିଥିଲେ ତାହା ସେ ସମୟରୁ ଏଯାବତ୍ ସାରା ଭାରତରେ ଏକକ ଅନନ୍ୟ ପ୍ରଚେଷ୍ଟା ହୋଇ ରହିଛି । ସଚ୍ଚି ରାଉତରାୟ ‘ପାଣ୍ଡୁଲିପି’କୁ ନିଜ ଆଧୁନିକ କବିତାର ତଥା ନିଜ ଆଧୁନିକ କବିତା ସମ୍ପର୍କୀୟ ଭାଷ୍ୟର ପ୍ରଥମ ଇସ୍ତାହାର ବୋଲିଦାବୀ କରୁଥିବା ବେଳେ ସେ କୃତିଟିକୁ ସମସାମୟିକ କୌଣସି କବି କଳାକାରଙ୍କୁ ଉତ୍ସର୍ଗ ନକରି “ସାଥୀ ଶ୍ରୀମତୀ ମାଳତୀ ଚୌଧୁରୀ, ସାଥୀ ଶ୍ରୀ ସୁରେନ୍ଦ୍ର ଦ୍ୱିବେଦୀ ଓ ସାଥୀ ଶ୍ରୀ ବୈଦ୍ୟନାଥ ରଥଙ୍କୁ” ଉତ୍ସର୍ଗ କରିବା ଏକ ଅଚିନ୍ତିତ ଏବଂ ଆକସ୍ମିକ ଘଟଣା ନଥିଲା । ତା ୧୮.୬.୧୯୪୭ ଅର୍ଥାତ୍ ଭାରତ ସ୍ୱାଧୀନତା ପ୍ରାପ୍ତିର ଦୁଇମାସ ପୂର୍ବରୁ ‘ପାଣ୍ଡୁଲିପି’ର ‘କୃତି-ସମର୍ପଣ’ରେ ପୁସ୍ତକଟି ସ୍ୱାଧୀନତା ସଂଗ୍ରାମର ସେହି ତିନିଜଣ ଯଥାକ୍ରମେ ଗାନ୍ଧୀବାଦୀ, ସମାଜବାଦୀ ଏବଂ ସାମ୍ୟବାଦୀ ଯୋଦ୍ଧାଙ୍କୁ ସମର୍ପଣ କରି କବି ରାଉତରାୟ ଲେଖିଛନ୍ତି, “ବିଦେଶୀ ରାଜୁତିର ମୂଳଦୁଆ ଏ ଦେଶରେ ଭୁଷୁଡ଼ି ପଡ଼ିବାକୁ ବସିଲାଣି । ଏତେବେଳେ ଜନସାଧାରଣଙ୍କୁ ଅନ୍ତରୀଣ ଫ୍ୟାସିବାଦ, ‘ଜାତୀୟ’ ଶୋଷଣ ଆଉ ଆନ୍ତର୍ଜାତିକ ପ୍ରତିକ୍ରିୟାର ଷଡ଼ଯନ୍ତ୍ରରୁ ରକ୍ଷା କରିବାକୁ ହେଲେ ଦେଶର ସମସ୍ତ ପ୍ରଗତିଶୀଳ ଚିନ୍ତା ଓ କର୍ମଧାରା ପରସ୍ପରର ପ୍ରତିଯୋଗୀ ନ ହୋଇ ଐକ୍ୟବଦ୍ଧ ହେବା ଅପରିହାର୍ଯ୍ୟ । ଏଇ ବିପ୍ଳବୀ ଐକ୍ୟର ମର୍ଯ୍ୟାଦା ଏ ସାଥୀମାନଙ୍କ ଜରିଆରେ ବୃଦ୍ଧିପାଉ, ଏଇ କାମନାରେ... ।”(୯) ଓଡ଼ିଆ କାବ୍ୟକବିତାରେ ଆଧୁନିକତାବାଦର ପ୍ରଥମ ବାର୍ତ୍ତାବହ ‘ପାଣ୍ଡୁଲିପି’ ତିନିଜଣ ନିରୁତା ରାଜନେତାଙ୍କୁ ଉତ୍ସର୍ଗ କରାଯିବା ଯେପରି ଏକ ଅଚିନ୍ତିତ ଘଟଣା ନଥିଲା ଠିକ୍ ସେହିପରି “...ମୋ କବିତାର ଚେହେରା ଯେଉଁ ପ୍ରଶ୍ନଜାଲ ସୃଷ୍ଟି କରିଛି ସେ-ଦୃଷ୍ଟିରୁ ସେଗୁଡ଼ିକର ଗଢ଼ଣ ଆଉ ‘ଆଙ୍ଗିକ’ ସମ୍ବନ୍ଧରେ କିଛି ସୂଚନା ଦବା” ‘ପାଣ୍ଡୁଲିପି’ ‘ନାନ୍ଦୀମୁଖ’ର ଉଦ୍ଦେଶ୍ୟ ବୋଲି ଆରମ୍ଭରୁ ଘୋଷଣା କରି ସେଥିରେ ‘ପ୍ରଗତି ସାହିତ୍ୟ ବା ଅଭ୍ୟୁଦୟ ସାହିତ୍ୟ’ ସମ୍ପର୍କରେ ଆଲୋଚନା କରିବା ଓ ପୁନଶ୍ଚ ସେଥିରେ ଏଲିୟଟ୍‌ଙ୍କୁ ତାଙ୍କର ‘ପଳାୟନବାଦ’ ପାଇଁ ଅଥବା ପାଉଣ୍ଡ୍‌ଙ୍କୁ ତାଙ୍କର ଫ୍ୟାସିବାଦ- ସମର୍ଥନ ପାଇଁ ସମାଲୋଚନା କରିବା ମଧ୍ୟ ସଚ୍ଚିବାବୁଙ୍କ ଭଳି ଜଣେ ଦକ୍ଷ ଆଲୋଚକଙ୍କ ପାଇଁ ଏକ ଅପ୍ରାସଙ୍ଗିକ ଆଲୋଚନା ନଥିଲା । ‘ପାଣ୍ଡୁଲିପି’ର କୃତି-ସମର୍ପଣ ପ୍ରଥମତଃ, ଭାରତୀୟ ପ୍ରଗତିଶୀଳ ଜନଆନ୍ଦୋଳନକାରୀଙ୍କୁ ଭାରତୀୟ ଆଧୁନିକତା ଆନ୍ଦୋଳନର ଛାମୁଆଁ vanguard ରୂପେ ପ୍ରତୀକୀତ କରିଛି ଏବଂ ଦ୍ୱିତୀୟତଃ, ସେହି ପ୍ରଗତିଶୀଳ ଆଧୁନିକତାର ବିଶ୍ଵଦୃଷ୍ଟି ଉପରେ ସଚ୍ଚି ରାଉତରୀୟ ଆଧୁନିକତାବାଦର ଜ୍ଞାନମିମାଂସା (epistemology) ପ୍ରତିଷ୍ଠିତ ବୋଲି ପରୋକ୍ଷଭାବେ ଘୋଷଣା କରିଛି । ତୃତୀୟତଃ, ‘ପାଣ୍ଡୁଲିପି’ର ନାନ୍ଦୀମୁଖ ‘‘ଆଙ୍ଗିକର କୌଣସି ସ୍ୱତନ୍ତ୍ର ସତ୍ତା ନାହିଁ, ଏହା ସବୁବେଳେ ଆତ୍ମିକର ଆଙ୍ଗିକ” - ହିଗେଲୀୟ ନନ୍ଦନତ୍ତ୍ୱର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଏହି ଆଧାରବାଜ୍ୟକୁ ଘୋଷଣା କରୁଛି । ଚତୁର୍ଥତଃ, ଆଙ୍ଗିକର ଆଲୋଚନା ସହିତ ଜୀବନ ଜିଜ୍ଞାସାର ଏବଂ ଉଭୟ ଆଙ୍ଗିକ ତଥା ଜୀବନ ଜିଜ୍ଞାସା ପଛରେ ରହିଥିବା ଭାବାଦର୍ଶ (ideology)ର ଆଲୋଚନାକୁ ସଚ୍ଚି ରାଉତରାୟ ଆଧୁନିକତାବାଦର ଆଲୋଚନା ଦୃଷ୍ଟିରୁ ଅପରିହାର୍ଯ୍ୟ ମନେ କରନ୍ତି- ‘ପାଣ୍ଡୁଲିପି’ର ନାନ୍ଦୀମୁଖ ଏହା ପରୋକ୍ଷଭାବେ ପାଠକକୁ ସଚେତନ କରିଦେଇଛି । ପରବର୍ତ୍ତୀ କାଳରେ ସେ ନିଜର ଆତ୍ମଜୀବନୀରେ ଏବଂ ନିଜର ଶେଷ କବିତା ସଙ୍କଳନରେ ଏହା ଅଧିକ ସ୍ପଷ୍ଟ କରି ଦେଇଛନ୍ତି ।

 

ଊନବିଂଶ ଶତାବ୍ଦୀର ଶେଷାର୍ଦ୍ଧରେ ଫରାସୀ ପ୍ରତୀକବାଦୀ ଗୋଷ୍ଠୀଙ୍କ ଠାରୁ, ବିଶେଷକରି ସେମାନଙ୍କ ଭିତରେ ବୟୋଜ୍ୟେଷ୍ଠ ଏବଂ ଅଗ୍ରଗଣ୍ୟ ବୋଦେଲେୟାର (Charles Baudelaire)ଙ୍କ ଠାରୁ ହିଁ ଆଧୁନିକ ପାଶ୍ଚାତ୍ୟ କାବ୍ୟ କବିତାର ଆଧୁନିକତା ଆରମ୍ଭ ହେଲା ବୋଲି ଧରିନିଆଯାଏ । ତେବେ ଭାରତୀୟ ଆଧୁନିକତାବାଦର ପ୍ରେରଣା ଉତ୍ସ ବୋଦେଲେୟାର୍ ନୁହନ୍ତି । ଇଉରୋପର ଦ୍ୱିତୀୟ ପିଢ଼ି ଆଧୁନିକତାବାଦର ବ୍ରିଟିଶ ସଂସ୍କରଣ, ବିଶେଷକରି ଏଲିୟଟୀୟ ସଂସ୍କରଣ ହିଁ ଭାରତୀୟ ଆଧୁନିକତାବାଦ ଏବଂ ଓଡ଼ିଆ ଆଧୁନିକତାବାଦର ମଡେଲ୍ ହୋଇଛି । ବୋଦେଲେୟାରେଙ୍କ ପରିବର୍ତ୍ତେ ଏଲିୟଟ୍ ହିଁ ଭାରତୀୟ ଏବଂ ଓଡ଼ିଆ ଆଧୁନିକତାବାଦର ମଡେଲ୍ ହେବା, ପୁନଶ୍ଚ ସଚ୍ଚି ରାଉରାୟଙ୍କ ଉପରେ ଓଡ଼ିଆ ଆଧୁନିକତାବାଦର ସ୍ୱରୂପ ନିରୂପଣ କରିବାର ଐତିହାସିକ ଦାୟିତ୍ୱ ପଡ଼ିବା ମଧ୍ୟ ଏକ ଆକସ୍ମିକ ଘଟଣା ନଥିଲା । ଆଧୁନିକତାବାଦର କେତୋଟି ବିଭାବ ଏବଂ ଅନୁସଙ୍ଗକୁ ନେଇ ବୋଦେଲେୟାର, ଏଲିୟଟ୍ ତଥା ସଚ୍ଚି ରାଉତରାୟଙ୍କର ଏକ ତୁଳନାତ୍ମକ ଅଧ୍ୟୟନ ଏହା ସ୍ପଷ୍ଟକରି ଦେଇପାରେ ।

 

ସଂଶୟବାଦ (scepticism) ଆଧୁନିକ ଦୃଷ୍ଟିକୋଣର ଏକ ବଡ଼ବିଲକ୍ଷଣ ବୋଲି କୁହାଯାଇଥାଏ । ସପ୍ତଦଶ ଶତାବ୍ଦୀରୁ ଆରମ୍ଭ ହୋଇଥିବା ବିଜ୍ଞାନ ବିପ୍ଳବ ଫଳରେ ଇଉରୋପରେ ଯେଉଁ ବିଜ୍ଞାନମନସ୍କତା ଦେଖାଦେଲା ଊନବିଂଶ ଶତାବ୍ଦୀ ବେଳକୁ ତାହା ଏକ ପ୍ରଚଣ୍ଡ ଅହଂକାରରେ ପରିଣତ ହେଲା । ଊନବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ଆବିର୍ଭାବ ହେଲେ ଆଧୁନିକ ସମାଜବିଜ୍ଞାନର ପିତା କୋନ୍ତ୍ (Auguste comte) । ଭୌତିକ ବିଜ୍ଞାନର ଆନୁଭବିକ ପଦ୍ଧତି (empirical method) ପ୍ରୟୋଗ କରି ସେ ମଣିଷ ସମାଜର ଅଧୟନକୁ ମଧ୍ୟ ପୂରାପୂରି ଏକ ବିଜ୍ଞାନରେ ପରିଣତ କରିଦେଇ ପାରିବେ ବୋଲି ବାହାସ୍ଫୋଟ ମାରିଲେ । ବହୁ ରକ୍ଷଣଶୀଳ କବି କଳାକାର ମଧ୍ୟ ବିଜ୍ଞାନ ମାଧ୍ୟମରେ ସଭ୍ୟତାର ସୂବର୍ଣ୍ଣଯୁଗ ଆଗତ ପ୍ରାୟ ଧରିନେଇ ସାହିତ୍ୟ ଓ କଳାରେ ବୈଜ୍ଞାନିକ ଜୀବନଚର୍ଯ୍ୟାର ସ୍ତୁତିଗାନ କଲେ । ଏହିଭଳି ଇଉରୋପୀୟ ସାହିତ୍ୟ ଓ କଳାକ୍ଷେତ୍ରରେ ବାସ୍ତବବାଦର ଏକ ନିକୃଷ୍ଟ ସଂସ୍କରଣ ପ୍ରାକୃତିକବାଦ (naturalism) ଜନ୍ମନେଲା । ହେତୁବାଦ ଏବଂ କୋନ୍ତଙ୍କ ପ୍ରତ୍ୟକ୍ଷବାଦ (positivism) ଋଢ଼ିବାଦରେ ପରିଣତ ହେବାର ପ୍ରତ୍ରକ୍ରିୟା ସ୍ୱରୂପ ଏକ ପ୍ରକାର ଅହେତୁବାଦ (irrationalism) ଓ ସଂଶୟବାଦ (scepticism) ଜନ୍ମନେଲା । ନିତ୍‍ଜେ ଏହାର ନେତୃତ୍ୱନେଲେ । ସମସ୍ତ ପ୍ରତିଷ୍ଠିତ ସାମାଜିକ ପରମ୍ପରା, ଧର୍ମୀୟ ଭାବନା ତଥା ମାନବୀୟ ମୂଲ୍ୟବୋଧର ସ୍ଥିରନିଶ୍ଚୟ ସିଦ୍ଧାନ୍ତ ଗୁଡ଼ିକୁ ଏହି ଗୋଷ୍ଠୀର ଦାର୍ଶନିକ, କବି, କଳାକାର ସଂଶୟ ଦୃଷ୍ଟିରେ ଦେଖିଲେ । ଅବକ୍ଷୟ (decadence) ମୂଲ୍ୟବୋଧହୀନତା (anomie), ବିଚ୍ଛିନ୍ନତାବୋଧ (alienation) ଶୂନ୍ୟତା ବୋଧ (ennu) ଏବଂ ସଂଶୟ (scepticism) ଏହା ହିଁ ହୋଇଗଲା ଉତ୍ତର ଉନବିଂଶ ଶତାବ୍ଦୀ ଇଉରୋପୀୟ ଆଧୁନିକତାବାଦର ମୁଖ୍ୟ ସ୍ଵର । କାବ୍ୟଜଗତରେ ବୋଦେଲେୟାର୍ ହିଁ ଏ ଅବକ୍ଷୟୀ ସ୍ଵରଲିପିର ମୁଖ୍ୟ ପ୍ରଣେତା ଥିଲେ । ବୋଦେଲେୟାର୍ ଥିଲେ ଯୁଗପତ୍ ଅସମ୍ଭବ କବି ପ୍ରତିଭାର ଅଧିକାରୀ ଏବଂ ଅବକ୍ଷୟମାଣ ଜୀବନଚର୍ଯ୍ୟାର ମୂର୍ତ୍ତିମନ୍ତ ପ୍ରତୀକ । ପାଞ୍ଚବର୍ଷ ବୟସରେ ସେ ପିତାଙ୍କୁ ହରାଇଲେ । ତାଙ୍କୁ ଯେତେବେଳେ ସାତବର୍ଷ ବୟସ ତାଙ୍କ ମାତା ଜଣେ ସାମରିକ ଅଫିସରଙ୍କୁ ବିବାହ କରନ୍ତି । ଏହି ଦ୍ୱିତୀୟ ପିତାଙ୍କ ଏକଛତ୍ରବାଦୀ ଶାସନର ହୁଏତ ପ୍ରତିକ୍ରିୟା ସ୍ଵରୂପ ବୋଦେଲେୟାର ହୋଇଛନ୍ତି ଅତ୍ୟନ୍ତ ସ୍ୱୈରାଚାରୀ । କୈଶୋର ଅତିକ୍ରମ କରିବା ପୂର୍ବରୁ ସେ ନିୟମିତ ବେଶ୍ୟାଗମନ ଏବଂ ମଦ, ଅଫିମ, ହାସିସ୍ ସେବନରେ ପାରଙ୍ଗମ ହୋଇସାରିଥିଲେ-। ଶେଷରେ ରୋଗଗ୍ରସ୍ତ ଏବଂ ଋଣଗ୍ରସ୍ତ ବୋଦେଲେୟାର ୪୬ବର୍ଷ ବୟସରେ ପ୍ରାଣତ୍ୟାଗ କଲେ-। ଠିକ୍ ଯେପରି ତାଙ୍କର ଅନ୍ୟତମ ପ୍ରତୀକବାଦୀ ସତୀର୍ଥ ରାମ୍ୱୋ (Rimbaud) ସମକାମୀ ସମ୍ଭୋଗ ଓ ପ୍ରଚୁର ନିଶାସେବନ ଫଳରେ ମାତ୍ର ୩୭ ବର୍ଷ ବୟସରେ ଇହଲୋକ ତ୍ୟାଗକଲେ ।

 

ବୋଦେଲେୟାର ନିଜର ଜୀବନ ଚର୍ଯ୍ୟା ପାଇଁ କେବେବି ଶୋଚନା କରିନାହାନ୍ତି । ବରଂ ତାକୁ ସେ ଏକ ଦର୍ଶନର ପୁଟଦେଇଛନ୍ତି ଏବଂ ଅବକ୍ଷୟ, ମୂଲ୍ୟବୋଧହୀନତା ଇତ୍ୟାଦିକୁ ସମକାଳୀନ ସମାଜର ଏକ ଭୂଷଣ ରୂପେ ଗ୍ରହଣ କରିଛନ୍ତି । ଇଉରୋପୀୟ ଆଧୁନିକତାବାଦର ଗୀତା ରୂପେ ବିବେଚିତ ବୋଦେଲୟାର୍ଙ୍କ ପ୍ରସିଦ୍ଧ କବିତା ସଙ୍କଳନ ଅସତ୍‍ପୁଷ୍ପ (Les Fleurs du Mal) ମୁଖ୍ୟତଃ ସମକାମୀ ସମ୍ଭୋଗଲିପ୍ତ ନାରୀ (lasbians), ବେଶ୍ୟା, ଶବ, ସଇତାନ ଇତ୍ୟାଦିଙ୍କୁ କେନ୍ଦ୍ର କରି ରଚିତ କବିତାର ଏକ ସଙ୍କଳନ । ଏସବୁ ସମସ୍ୟାକୁ ଦେଖିବାର ଏକ ଅଭିନବ ଏବଂ ସମ୍ୱେଦନଶୀଳ ବିଷାଦ ଗ୍ରସ୍ତ ଦୃଷ୍ଟି ଏବଂ ସେଇ ଦୃଷ୍ଟିଭଙ୍ଗୀ ଓ ସେଥିରୁ ନିସୃତ ଆବେଗକୁ ଯଥାଯଥା ରୂପ ଦେବାଭଳି ଶକ୍ତିଶାଳୀ ନୂତନ ଭାଷା ଓ ରୂପକଳ୍ପର ଆବିଷ୍କାର ହିଁ ଅସମୟ ମଧ୍ୟରେ ବୋଦେଲେୟାରଙ୍କ କାବ୍ୟକୃତି ପ୍ରତି ସମଗ୍ର ଇଉରୋପର ଦୃଷ୍ଟି ଆକର୍ଷଣ କଲା-

 

ବୋଦେଲେୟାର, ଏଲିୟଟ୍ ଏବଂ ସଚ୍ଚି ରାଉତରାୟଙ୍କ ସଂଶୟବାଦର ତୁଳନା ମାଧ୍ୟମରେ ଆମେ ତିନିହିଁଙ୍କ ଜୀବନ ଦୃଷ୍ଟି, ଜୀବନ ଚର୍ଯ୍ୟା ଏବଂ ଜୀବନ ଚର୍ଚ୍ଚାରେ ରହିଥିବା ପାର୍ଥକ୍ୟକୁ ଠିକ୍ ବୁଝିପାରିବା । ବୋଦେଲେୟାରୁ ନିଜକୁ ‘ସଇତାନର ଶିଷ୍ୟ’ ଏବଂ ପ୍ରେମକୁ ଏକ ‘ସଇତାନୀ ଧର୍ମ’ ବୋଲି ଘୋଷଣା କରିଛନ୍ତି । ନିଜର ଶ୍ରେଷ୍ଠ କାବ୍ୟକୃତିକୁ ଏକ ସଇତାନୀ ପୁସ୍ତକ ରୂପେ ପରିଚିତ କରାଇ ସେ ନିଜର ସମସାମୟିକ ସୁଧାର, ଋଚିହୀନ ଏବଂ ‘ମଫ’ (bucolic) ପାଠକଙ୍କୁ ତାଙ୍କର ଏହି ସଇତାନୀ କୃତି (saturnian book)ଟି ଫିଙ୍ଗି ଦେବାକୁ ଉପଦେଶ ଦେଇଛନ୍ତି । ତାଙ୍କ ବକ୍ତବ୍ୟର ଇଂରାଜି ଅନୁବାଦ ଏହିଭଳି କରିଛନ୍ତି JamesMcGowan:

 

Just throw it out ! unless you’ve learned

Your rhetoric in satan’s school

You will not understand a word,

You'll think I am hysterical.

(Epigraph for a condemned book, Flowers of Evil.

 

ଯେତେବେଳେ ବିଶିଷ୍ଟ କଥାକାର ଫ୍ଲବେୟାର୍ (Gustave_Flaubert) ବୋଦେଲେୟାରଙ୍କ କବିତାରେ Evil spirt ଉପରେ ମାତ୍ରାଧିକ୍ୟ ଗୁରୁତ୍ଵର ସମାଲୋଚନା କରିଛନ୍ତି ବୋଦେଲେୟାର୍ ପ୍ରତ୍ତ୍ୟୁତ୍ତର ଛଳରେ ଘୋଷଣା କରିଛନ୍ତି, ‘‘I have always been obsessed by the impossibility of accounting for some of man’s sudden actions or thoughts without the hypothesis of the intervention of an evil force outside him-Here’s a scandalous avowal for which the whole of ninteenth century won’t make me blush.’’(୧୦) ବୋଦେଲେୟାର ନିଜ ଜୀବନଦର୍ଶନ ସମ୍ପର୍କରେ କରିଥିବା ବହୁ ମନ୍ତବ୍ୟ ଭିତରୁ ଏହା ଏକ ଆଦର୍ଶସ୍ଥାନୀୟ ଦୃଷ୍ଟାନ୍ତ । ଏହା ଆପାତତଃ ଏକ ସଂଶୟାତ୍ମାର ସ୍ଵୀକାରୋକ୍ତି ପରି ବୋଧ ହେଉଥିଲେ ମଧ୍ୟ ଟିକେ ତଳେଇ ଦେଖିଲେ ଏଥିରେ ସଂଶୟ ନାହିଁ । ଏହାର ସ୍ୱର ଏକ ନିଃସଂଶୟ ସିଦ୍ଧାନ୍ତମୂଳକ ଦମ୍ଭୋକ୍ତିର ସ୍ୱର । ତାଙ୍କ କବିତାମାନଙ୍କରେ ବାରମ୍ବାର ଆବିର୍ଭାବ ହେଉଥିବା ତାଙ୍କର ଘୋଷିତ ଆରାଧ୍ୟ ଦେବତା ‘ସଇତାନ ହିଁ ଆକ୍ଷରିକଭାବେ ବୋଦେଲେୟାର୍ ସଂଶୟର ମୂର୍ତ୍ତୀମନ୍ତ ପ୍ରତୀକ । ନିଜର ଆରାଧ୍ୟ ଦେବତାକୁ ପାଇଯିବାପରେ ସଂଶୟର ପ୍ରଶ୍ନ କେଉଁଠାରୁ ଉଠୁଛି ? ନିଜର ଓ ନିଜ ସମୟର ଅବକ୍ଷୟକୁ ବୋଦେଲେୟାର ଏକ ଅବଧାରିତ ଅପରିବର୍ତ୍ତନୀୟ ସ୍ଥିତି ବୋଲି ଧରିନେଇଛନ୍ତି । ନିଜର ଦୁଃସ୍ଥିତିରୁ ସେ ମୁକ୍ତି ଚାହାନ୍ତି ନାହିଁ । କାରଣ ତାଙ୍କ ମତରେ ସେଥିରୁ ମୁକ୍ତି ସମ୍ଭବ ନୁହେଁ । ଏଣୁ ଆବଶ୍ୟକ ମଧ୍ୟ ନୁହେଁ । ସେଇଥିପାଇଁ ଉପରୋକ୍ତ କବିତାର ଶେଷଧାଡ଼ିରେ ସେ ନିଜର ସହୃଦୟ ପାଠକକୁ ଧମକେଇବା ସ୍ୱରରେ ଅନୁରୋଧ କରୁଛନ୍ତି: ‘‘Have pity on me... or be damned !’’ ତାଙ୍କର ସଂଶୟ ତାଙ୍କୁ କେବଳ ଜଣେ ଅବିଚଳିତ cynicରେ ପରିଣତ କରିଛି ।

 

କଲେଜରେ ପଢ଼ୁଥିବା ବେଳେ ବୋଦେଲେୟାରଙ୍କ ସାହିତ୍ୟ ଦ୍ୱାରା ଗଭୀରଭାବେ ପ୍ରଭାବିତ ହୋଇଥିବା ଏଲିୟଟ୍‍ଙ୍କ ଇଉରୋପ ବୋଦେଲେୟାରଙ୍କ ଇଉରୋପଠାରୁ ଭିନ୍ନ ଥିଲା କେବଳ ପରିମାଣରେ । ମଣିଷର ମନଃସ୍ଥିତି ମୂଳତଃ ଋଣ ବୋଲି ଯୁକ୍ତି କରୁଥିବା ଫ୍ରଏଡୀୟ ମନସ୍ତତ୍ତ୍ୱ ଏବଂ ସୃଷ୍ଟିର କେନ୍ଦ୍ରରେ ଅଧିଷ୍ଠିତ ଈଶ୍ଵରଙ୍କୁ ଗାଦିଚ୍ୟୁତ କରିଥିବା ଡାରଉଇନ୍‍ନୀୟ ଜୀବବିଜ୍ଞାନ, ଊନବିଂଶ ଶତାବ୍ଦୀ ଶେଷଭାଗରୁ ଗଡ଼ି ଆସୁଥିବା ସଂଶୟ, ବିଷାଦ ଓ ବିଚ୍ଛିନ୍ନତାବୋଧକୁ ଏଲିୟଟ ଅଙ୍ଗେଲିଭାଇଥିବା ଦୁଇଦୁଇଟା ବିଶ୍ଵଯୁଦ୍ଧ ଆଉ ଟିକେ ସାନ୍ଦ୍ର ଓ ତୀବ୍ର କରି ଦେଇଥିଲା ଯାହା । ସେଥିରେ କିଛି ଗୁଣାତ୍ମକ ପରିବର୍ତ୍ତନ ହୋଇନଥିଲା । ମାତ୍ର ଏଲିୟଟ୍‍ଙ୍କ ସଂଶୟବୋଧ ବୋଦେଲେୟାରଙ୍କ ‘ସଂଶୟ’ଠାରୁ ଗୁଣରେ ସମ୍ପୂର୍ଣ୍ଣ ଭିନ୍ନ । ଏହାର ହୁଏତ ମୁଖ୍ୟ କାରଣ ଏଲିୟଟ୍‍ଙ୍କ ବ୍ୟକ୍ତିଗତ ଜୀବନର ପୃଷ୍ଠଭୂମି । ଆମେରିକାର ଏକ ଛୋଟ ସହରର ଏକ ଧର୍ମଭୀରୁ ରକ୍ଷଣଶୀଳ ଉଚ୍ଚମଧ୍ୟବିତ୍ତ ପରିବାରରେ ତାଙ୍କର ଜନ୍ମ । ତାଙ୍କର ପ୍ରପିତାମହ (ଯେକି ୱାସିଂଟନ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା) ତାଙ୍କ ନୈତିକ ଜୀବନକୁ ପିଲାଟିବେଳୁ ଗଢ଼ିବାର ଦାୟିତ୍ୱ ନେଇଥିଲେ । ଯଦିଓ ଏଲିୟଟ୍ ଶୈଶବର ଋଢ଼ିବାଦୀ ଇଉନିଟାରିଆନ ଧାର୍ମିକ ସଂସ୍କାର ବିରୁଦ୍ଧରେ ପରବର୍ତ୍ତୀ ଜୀବନରେ ବିଦ୍ରୋହ କରିଛନ୍ତି ସେ ବିଦ୍ରୋହ ନିଜ ପରିବାର ବିରୁଦ୍ଧରେ ବୋଦେଲେରୀୟ ବିଦ୍ରୋହଠାରୁ ଭିନ୍ନ । ଏହା ଏକ ନରମ ନୀରବ ବିଦ୍ରୋହ । ଶୈଶବରେ ପାଇଥିବା ସ୍ନେହପ୍ରେମ, ନିଜର ପ୍ରିୟ ମଫସଲି ସହର ସେଣ୍ଟ୍ ଲୁଇ, ତା’ର ଉପାନ୍ତଜଙ୍ଗଲ ଏବଂ ପ୍ରାକ୍-ଐତିହାସିକ ଭଗ୍ନାବଶେଷ, ତାଙ୍କ ସହିତ କଥା କହୁଥିବା ‘strong brown god-sullen, untamed and intractable' ମିସିସିପି ନଈର ଏକାନ୍ତ କୋମଳ ପ୍ରକୃତି ତାଙ୍କୁ ଏକ ସୁସ୍ଥ ପରିପୂର୍ଣ୍ଣ ବ୍ୟକ୍ତିତ୍ୱ ପ୍ରଦାନ କରିଥିଲା । ବୋଦେଲେୟାରଙ୍କ ସଂଶୟହୀନ ସଂଶୟ ପରି ତାଙ୍କର ସଂଶୟ ଏକ ଦୁଷ୍ଟ ଆବର୍ତ୍ତରେ ବନ୍ଦୀ ହୋଇଯାଇଥିଲା । ତାଙ୍କର ସଂଶୟ ଥିଲା ଏକ ବାସ୍ତବ ଦାର୍ଶନିକ ସଂଶୟ । ନିଜ ପରିବାରର ଧର୍ମଭାବନା, ନିଜ ସମୟର ମୂଲ୍ୟବୋଧ, ନିଜ ରାଷ୍ଟ୍ରର ରାଜନୀତି- ଏସବୁକୁ ସେ ସଂଶୟାତ୍ମକ ଦୃଷ୍ଟିନେଇ ଦେଖିଛନ୍ତି । ଭାରତୀୟ ଧର୍ମଶାସ୍ତ୍ର ଓ ଦର୍ଶନ ପଢ଼ିଛନ୍ତି । ବୌଦ୍ଧଧର୍ମ ଗ୍ରହଣ କରିବାକୁ ଏକ ପ୍ରକାର ସ୍ଥିର ନିଶ୍ଚୟ କରି ସାରିଛନ୍ତି ମାତ୍ର ଅବଶେଷରେ କାଥଲିକ୍ ସମ୍ପ୍ରଦାୟରେ ଯୋଗଦେଇଛନ୍ତି । ନିଜର ସମସାମୟିକ ବ୍ରିଟିଶ୍ ଆଧୁନିକତାବାଦୀ କବି-ସାହିତ୍ୟିକ ପାଉଣ୍ଡ, ଲୁଇସ୍ ଇତ୍ୟାଦିଙ୍କ ପରି ଯଦିଓ ସେ ଯିଉ ଦଳନ ଅଥବା ହିଟ୍‌ଲର୍‌ଙ୍କ ସ୍ତବଗାନକୁ ନାପସନ୍ଦ କରିଛନ୍ତି ତଥାପି ସେମାନଙ୍କ ଭଳି ସେ ଉଭୟ ଗଣତନ୍ତ୍ର ଓ ସାମ୍ୟବାଦୀ ଦର୍ଶନକୁ ବିରୋଧ କରିଛନ୍ତି । ରାଜତନ୍ତ୍ରକୁ ସମର୍ଥନ କରିଛନ୍ତି । ନିଜକୁ ‘classicist in literature, royalist in politics and anglo-catholic in religion’ ବୋଲି ଘୋଷଣା କରିଥିଲେ ମଧ୍ୟ ନିଜର ଭାବାଦର୍ଶଗତ ସଂଶୟରୁ ସେ ନିଜକୁ ଶେଷପର୍ଯ୍ୟନ୍ତ ମୁକ୍ତ କରିପାରିନାହାନ୍ତି । ଋଢ଼ିବାଦୀ କମ୍ୟୁନିଷ୍ଟଙ୍କୁ ଲକ୍ଷ୍ୟକରି ଏଲିୟଟ୍ କହୁଛନ୍ତି, ‘‘they seem so certain of what they believe. My own beliefs are held with a scepticism which I never even hope to be quite rid of.” (୧୧)

 

ଏଲିୟଟୀୟ ସଂଶୟର ଶେଷକଥା ହତାଶା ନୁହେଁ । ଏ ହତାଶା ମହାଜୀବନପାଇଁ ଏକ ଚିରନ୍ତନ ଅନ୍ୱେଷାର ଉତ୍‍ପ୍ରେରକ । ଟାୟାରର ରାଜପୁତ୍ର ପେରିକ୍‌ଲ୍‍ସ ତାଙ୍କ କନ୍ୟାକୁ ପଚାରିବା ସ୍ଵରରେ ସନ୍ଦିଗ୍ଧହୃଦୟ କବି ପଚାରୁଛନ୍ତି:

 

What seas what shores what grey rocks and what islands

What water lapping the bow

And scent of pine and the woodthrush singing through the fog

What images return

O my daughter.

 

ଏବଂ ଶେଷରେ ଚିରନ୍ତନର ସନ୍ଧାନ ଏବଂ ତା ନିକଟରେ ସମର୍ପଣ ଭାବ ନେଇ କବି ଗାଉଛନ୍ତି :

 

“Living to live in a world of time beyond me; let me Resign my life for this life, my speech for that unspoken. The awakened, lips parted, the hope, the new ships.”(Marina)

 

ଏଲିୟଟ୍‍ଙ୍କ ପରି ସଚ୍ଚିବାବୁ ମଧ୍ୟ ସଂଶୟର ଶୀକାର ହୋଇଛନ୍ତି ସାରା ଜୀବନ । ତାଙ୍କର ସ୍ଵଗତୋକ୍ତି: “ଜୀବନଟା କ'ଣ, ଏହାର ଉତ୍ପତ୍ତି ଓ ବିଲୟ କେଉଁଠି, ଏହାର ସ୍ରଷ୍ଟା କିଏ, ସେ ସ୍ଵୟଂଭୂ ବା କାରଣାତୀତ ନା ଆପେକ୍ଷିକ ଓ ଚିର ପରିବର୍ତ୍ତମାନ !’’ ନିଜ ଆତ୍ମକଥାର ଉପୋଦ୍‌ଘାତରେ ନିଜକୁ ଏ ପ୍ରଶ୍ନ ପଚାରିଛନ୍ତି କବି । ( ୧୨) ଜୀବନର ଶେଷ ମୂହୁର୍ତ୍ତଯାଏ ସେ ଏ ପ୍ରଶ୍ନର ଯଥାଯଥ ଉତ୍ତର ପାଇପାରି ନାହାନ୍ତି । ଆପାତତଃ ମେଟାଫିଜିକାଲ୍ ଏହି ଜିଜ୍ଞାସା ସରିଛି ସ୍ୱୟଂଭୂ ଈଶ୍ଵର । ଅନ୍ୱେଷଣରେ । ସେହି ମହାଚେତନାରୁ ଜଡ଼ଜଗତର ଉତ୍ପତ୍ତି ଓ ସେଇଠି ତା’ର ବିଲୟ ବୋଲି ପ୍ରତ୍ୟୟ ଜନ୍ମିଛି । ପୁଣି ଅପର ପକ୍ଷରେ ଏହି ଜନ୍ମଗତ ଧର୍ମୀୟ ସଂସ୍କାର ସହିତ ଆହୃତ ହେତୁବାଦୀ ସଂସ୍କାରର ସଂଘର୍ଷ ଘଟିଛି । ବୋଧ ହୋଇଛି, ‘‘ବସ୍ତୁର ଗୁଣାତ୍ମକ ପରିବର୍ତ୍ତନ ହିଁ ଚେତନା ।’’ (୧୩) କେତେବେଳେ ଭକ୍ତ ପ୍ରହଲ୍ଲାଦ ପରି କିଶୋର ସଜିରାଉତରାୟ ଅତିନ୍ଦ୍ରିୟ ଜଗତକୁ ‘ପାଥେୟ’ କରି ଈଶ୍ଵର ଅନ୍ୱେଷଣ କରିଛନ୍ତି ତ’ ପୁଣି କେତେବେଳେ ଏହି ‘ନବୀନ’ ହିରଣ୍ୟକଶିପୁ ଆହ୍ୱାନ ଦେଇଛନ୍ତି ଭଗବାନ ଅଛ କାହିଁ ?’ ଏ ଦ୍ୱନ୍ଦ୍ୱର ବିରତି ଘଟିନାହିଁ ମୃତ୍ୟୁ ଯାବତ୍ । ଜୀବନ ଯାତ୍ରାର ‘ଅବଶିଷ୍ଟ ଦୂରତ୍ୱ’ ଅତିକ୍ରମ କରିବାର ଅବ୍ୟବହିତ ପୂର୍ବରୁ ତାଙ୍କର ଶେଷ କବିତା ସଙ୍କଳନ ‘‘କବିତା ୨୦୦୩’’ରେ ଭକ୍ତ ଭୀମଙ୍କ ସ୍ୱରରେ ସଚ୍ଚିବାବୁ ଗାଉଛନ୍ତି ତାଙ୍କର ମୋହମୁଦ୍ଗର :

 

ଅବନା କୋଠିରେ ସବନା ଅକ୍ଷର

ଲେଖୁଅଛି ଯା’ର ନାମ

ସେ ପୁଣି ଅଲେଖ ନାହିଁ ରୂପରେଖ

ସେ ଅନାମ, ନିରଞ୍ଜନ

ସେ ବସ୍ତୁ ନିର୍ବସ୍ତୁ ଯାହାକୁ ଅଜଣା

ଗୁରୁଜ୍ଞାନ ଅକାରଣ ।

(ମୋହ ମୁଦ୍ଗର, କବିତା ୨୦୦୩)

 

ଏଇ ଶୂନ୍ୟ ମନ୍ଦିରରୁ ଦି ଖୋଜ ଯାଉ ଯାଉ ତାଙ୍କ ଆଖିରେ ପଡ଼ୁଛି ପତାକା ଦଣ୍ଡରୁ ଖସି ଆସୁଥିବା ଲାଲ୍ ପତାକା । ‘ମୋହମୁଦ୍ଗର’ କବିତାର ଠିକ୍ ଦୁଇଟି କବିତାପରେ ସନ୍ନିବିଷ୍ଟ ‘ପତାକା ଓହ୍ଲାଅ ନାହିଁ’ରେ ସେ ନିଜପୁରୁଣା କମ୍ରେଡମାନଙ୍କୁ ସମ୍ୱୋଧନ କରି କହୁଛନ୍ତି:

 

ପତାକା ଓହ୍ଲାଅ ନାହିଁ ।

ଏ ପତାକା ନୁହେଁ ସାଲୁକନା,

କୋଟି କୋଟି ମଣିଷର ରକ୍ତେ ତାହା ଲାଲ,

ଭୋକୀ ଦୁଃଖୀ, ଶୋଷିତର ଆଶାର ମଶାଲ ।

(ପତାକା ଓହ୍ଲାଅନାହିଁ, କବିତା ୨୦୦୩)

 

ଏହିଭଳି ତାଙ୍କର ବିଶ୍ଵଦୃଷ୍ଟି ଭାବବାଦ (idealisim) ଏବଂ ଜଡ଼ବାଦ (materialism), ନିର୍ବସ୍ତୁ ଏବଂ ବସ୍ତୁ ମଧ୍ୟରେ ତ୍ରିଶଙ୍କୁ ପରି ଝୁଲୁଛି ସାରା ଜୀବନ । ଅବଶ୍ୟ ଏ ଦୁଇ ପରସ୍ପର ବିରୋଧୀ ପ୍ରତ୍ୟୟ ଭିତରେ ସମନ୍ୱୟ ଆଣିବାକୁ ଚେଷ୍ଟା କରିଛନ୍ତି କବି ୟଙ୍ଗ୍‍ଙ୍କ ଗୋଷ୍ଠୀ ଅବଚେତନ (collective unconscious) ତତ୍ତ୍ୱରେ । ଶେଷଯାଏ ଜାଗ୍ରତ ଅବସ୍ଥାରେ ବିପ୍ଳବର ବିଗୁଲ ଏବଂ ସ୍ୱପ୍ନରେ ମା କାଳୀଙ୍କର ‘ସ୍ପଷ୍ଟ ଶବ୍ଦରେ କେତେପଦ କଥା’ ଶୁଣିପାରୁଥିବା ସଚ୍ଚିବାବୁ ଏହି ପରସ୍ପର ବିରୋଧୀ ଚିନ୍ତନର ସମନ୍ୱୟ ଆଣିବାକୁ ଯାଇ କହନ୍ତି, ‘‘ସ୍ୱପ୍ନରେ (ହିନ୍ଦୁ ଦେବାଦେବୀ ଦର୍ଶନ) ହୁଏତ ବହୁ ଶତାବ୍ଦୀର ଜାତୀୟ ସ୍ମୃତିର ପରିପ୍ରକାଶ । ଯାହା ମଗ୍ନ ଚୈତନ୍ୟରେ ସଂଚିତ ହୋଇ ରହିଥାଏ ।’’ (୧୪) ଏହି ‘ଜାତୀୟ ସ୍ମୃତି’କୁ ସଚ୍ଚିବାବୁ “ମହାସ୍ମୃତି’’ ଆଖ୍ୟା ଦେଇଛନ୍ତି ।

 

ମୃତ୍ୟୁକୁ ସମ୍ୱୋଧନ କରି କବି ପ୍ରାର୍ଥନା କରୁଛନ୍ତି :

ହେ ମେଘବାହନ ମୃତ୍ୟୁ ! ନିଷିଦ୍ଧ ପତାକାହାତେ ଏ ଦେହକୁ

କବଳିତ କରିବା ଆଗରୁ

ଦେଖାଅ ମୋ ପୂର୍ବାପର

କର ମୋତେ ମହାସ୍ମୃତି

ବିଗତ ଓ ଆଗାମୀ ଦିନର

(ମହାସ୍ମୃତି, କବିତା ୧୯୮୫)

 

ତାଙ୍କ ଆତ୍ମଜୀବନୀର ଉପୋଦ୍‌ଘାତରେ ଆମେ ଯେଉଁ ସଂଶୟର ସ୍ୱର ଶୁଣୁ ତାହା ପୁନଶ୍ଚ ପ୍ରତିଧ୍ୱନୀତ ହୁଏ ଆତ୍ମଜୀବନୀର ଉପସଂହାରରେ । ‘‘ଉତ୍ତରକକ୍ଷ’’ର ଆରମ୍ଭ ଭାଗରେ ତାଙ୍କର ବିସ୍ମୟ ବିମୂଢ଼ ସ୍ଵଗତୋକ୍ତି : ‘‘ମୁଁ ଆକାଶରୁ ପଡ଼ିନାହିଁ କି ଭ୍ରୂଣରୁ ମୋର ଆରମ୍ଭ ନୁହେଁ, ମାତ୍ର ଯାହା ପ୍ରମାଣ କରିପାରିବି ନାହିଁ, ତାହା ବିଶ୍ୱାସ କରିବି କିମିତି ? ଭଗବାନଙ୍କ ସମ୍ୱନ୍ଧରେ ମଧ୍ୟ ସେଇ କଥା । ଭାବେଁ ‘ ଅଛି’, ‘ନାହିଁ’, ‘ନାହିଁ, ‘ଅଛି’ । ଜୀବନଟା ଯାକ ଏଇ ହଁ ନାହିଁର ଦ୍ୱନ୍ଦ । କେବଳ ଦ୍ୱନ୍ଦ ଏବଂ ପ୍ରଶ୍ନ- ଯେଉଁ ପ୍ରଶ୍ନର ପ୍ରତିଟି ଉତ୍ତର ପାଲଟି ଯାଏ ପୁଣି ପ୍ରଶ୍ନ । ‘‘(୧୫) ଉତ୍ତର କକ୍ଷର ଉପସଂହାର ସେହିଭଳି ଯନ୍ତ୍ରଣାଦାୟୀ ସଂଶୟରେ ସରିଛି । ଏଲିୟଟ୍ ଉପରୋକ୍ତ ଉଦ୍ଧୃତିରେ ସଂଶୟହୀନ ଋଢ଼ିବାଦୀଙ୍କୁ ଯେପରି ସମାଲୋଚନା କରିଛନ୍ତି ଏବଂ ନିଜର ସଂଶୟାକୁଳ ମନଃସ୍ଥିତି ଘୋଷଣା କରିଛନ୍ତି ସେହିପରି ସଚ୍ଚିବାବୁ ମଧ୍ୟ ଘୋଷଣା କରିଛନ୍ତି, ଯେଉଁମାନେ ବନ୍ଧାଗୁଳାରେ ଚାଲିବାରେ ଅଭ୍ୟସ୍ତ ସେମାନଙ୍କ ପକ୍ଷରେ କିଛି ଅସୁବିଧା ନାହିଁ । ମଣିଷ କ’ଣ ଥିଲା, କେଉଁଠୁ ଆସିଲା ଏବଂ କେଉଁଠାକୁ ଯିବ ତାହା ସେ ଜାଣେ ନାହିଁ । ଏହି ଜୀବନ ଜିଜ୍ଞାସା ମୋତେ ସବୁବେଳେ ଅସ୍ଥିର କରେ । (୧୬)

 

ଜୀବନ ସାୟାହ୍ନର ଶେଷପାଦରେ ଅନ୍ଧପୁଟୁଳି ପିନ୍ଧିଥିବା ବିଦ୍ୟାପତି ପରି ସେ ପ୍ରେୟସୀ ଲଳିତାକୁ ପଚାରୁଛନ୍ତି :

 

ଅଗନା ଅଗନି ଘୋର ବନସ୍ତ ଭିତରେ

କେଉଁ ଆଡ଼େ ନେଉଛି ସଙ୍ଗିନୀ

ସରୁ ସରୁ ବଣବାଟ ଦୁଇପଟେ ଘାସ

ପାଖେ ଶୁଭେ ପାହାଡ଼ୀ ନଈର କୁଳୁଗୀତ

ଅଜଣା ଫୁଲର ବାସ୍ନା କରୁଛି ଆକୁଳ

ଆଖିରେ ତ ବାନ୍ଧିଅଛି ମୋ ଅନ୍ଧ ପୁଟୁଳି

କେଉଁଠିକି ନେଇଚାଲ ହାତଧରି

କହିବ ସୁନ୍ଦରୀ !!

(ସୋରିଷ ଫୁଲର ପଥ', କବିତା ୨୦୦୩)

 

ଏଲିୟଟ୍‍ଙ୍କ Marina’ର ସେହି ସଂଶୟ ଏବଂ ରହସ୍ୟମୟ ଅନ୍ୱେଷଣର ସ୍ୱର ଏଠି ମଧ୍ୟ ଲକ୍ଷଣୀୟ ।

 

ବୋଦେଲେରୀୟ ସଂଶୟ ଶୂନ୍ୟଗର୍ଭ । ଏହାର ବାହାର ପରି ଭିତର ମଧ୍ୟ ନିରାଶା ଓ ହତାଶାରେ ଭରପୁର । ମାତ୍ର ଏଲିୟଟ୍ ଅଥବା ସଚ୍ଚିରାଉତରାୟଙ୍କ ସଂଶୟ ଗର୍ଭରେ ରହିଛି ପ୍ରତିଶ୍ରୁତି, ସମ୍ଭାବନା, ବିଶ୍ୱାସ ଓ ସୂର୍ଯ୍ୟୋଦୟର ଭ୍ରୂଣ । ଏହା ସମୟ ପାଇଁ ଚାଲିଥିବା ଅନ୍ତର୍ଯାତ୍ରାର ଏକ ଦିଗବାରେଣୀ, ନିଜ ଭିତରେ ଚାଲିଥିବା ଅବିରାମ ସଂଗ୍ରାମର ଏକ ଅପରିହାର୍ଯ୍ୟ ଅସ୍ତ୍ର । ବ୍ୟକ୍ତି ସମୟର ଦାସ, ପୁଣି ସମୟର ସ୍ରଷ୍ଟା । ପୂର୍ବରୁ କହିଛୁ ସମୟର ସ୍ରଷ୍ଟା ହେବାଭଳି ବ୍ୟକ୍ତିତ୍ୱ ବୋଦେଲେୟାରଙ୍କର ନଥିଲା । ସଚ୍ଚରାଉରାୟଙ୍କ ଶୈଶବ ଏଲିୟଟ୍‍ଙ୍କ ଶୈଶବ ପରି କଟିଥିଲା ପ୍ରାକୃତିକ ଭରା ଏକ ଗ୍ରାମ୍ୟ ସହରରେ । ଏଲିୟଟ୍‍ଙ୍କ ପରି ସେ ମଧ୍ୟ ଏକ ରକ୍ଷଣଶୀଳ ଧର୍ମଭୀରୂ, ସମ୍ଭ୍ରାନ୍ତ ଓ ସମୃଦ୍ଧ ପରିବାରରୁ ଆସିଥିଲେ । ମାତ୍ର ବ୍ୟକ୍ତିତ୍ୱ ଦୃଷ୍ଟିରୁ ସେ ଏଲିୟଟ୍‍ଙ୍କ ଠାରୁ ପାଦେ ଆଗରେ ଥିଲେ । ଆମେରିକା, ଫ୍ରାନ୍ସ ଓ ରୁଷିଆରେ ଗଣତାନ୍ତ୍ରିକ ତଥା ସମାଜବାଦୀ ମୂଲ୍ୟବୋଧର ପ୍ରତିଷ୍ଠା ପାଇଁ ତିନି ତିନିଟା ବିପ୍ଳବ ହୋଇଯିବା ପରେ ମଧ୍ୟ ବିଂଶ ଶତାବ୍ଦୀରେ ରାଜତନ୍ତ୍ରକୁ ଫେରିଚାହୁଁଥିବା ଏଲିୟଟ୍‍ଙ୍କ ତୁଳନାରେ ଗଣତନ୍ତ୍ର ଓ ସାମ୍ୟବାଦକୁ ସ୍ୱାଗତ କରିଥିବା ସଚ୍ଚିବାବୁ ନିଶ୍ଚୟ ସମୟ ସହିତ ଅଧିକ ତାଳ ଦେଇ ଚାଲିଥିବା ‘ଆଧୁନିକ’ । ତାଛଡ଼ା ଏଲିୟଟ୍‍ଙ୍କ ଭାବାଦର୍ଶଗତ ବିଶ୍ୱାସ ଥିଲା ପୂର୍ଣ୍ଣତଃ କିତାବୀ (academic) । ଏ ଦୃଷ୍ଟିରୁ ବରଂ ପାଉଣ୍ଡ ଏବଂ ୱେଣ୍ଡେଲ୍ ହୋମ୍‌ଙ୍କ ଦକ୍ଷିଣପନ୍ଥୀ ପ୍ରତିବଦ୍ଧତା ଥିଲା ଅଧିକ ସକ୍ରିୟ । ସେମାନେ ହିଟଲର୍ ଓ ମୁସୋଲିନୀଙ୍କ ପାଇଁ ଅନ୍ତତଃ ଖୋଲା ଖୋଲି ପ୍ରଚାର କରୁଥିଲେ । ସଚ୍ଚିବାବୁଙ୍କ ପ୍ରତିବଦ୍ଧତା ନଥିଲା କିତାବୀ । ପ୍ରଜାମଣ୍ଡଳ ଆନ୍ଦୋଳନ ଏବଂ ସାମ୍ୟବାଦୀ ଆନ୍ଦୋଳନରେ ସେ ସକ୍ରିୟ ଅଂଶଗ୍ରହଣ କରିଛନ୍ତି ।

 

ଅବଶ୍ୟ ବୋଦେଲେୟାର ମଧ୍ୟ ଅଳ୍ପସମୟ ପାଇଁ ହେଲେବି ବାମପନ୍ଥୀ ଆନ୍ଦୋଳନରେ ଭାଗ ନେଇଛନ୍ତି । ୧୮୪୮ ମସିହାରେ ସମ୍ରାଟ୍ ଲୁଇ ଫିଲିପ୍‍ଙ୍କ କୁଶାସନ ବିରୁଦ୍ଧରେ ‘ଫେବୃୟାରୀ ବିପ୍ଳବ’ ରୂପେ ପରିଚିତ ବିରାଟ ଜନ ବିକ୍ଷୋଭରେ ବୋଦେଲୟାର ଅଂଶ ଗ୍ରହଣ କରିଥିଲେ ଏବଂ ସେହି ସମୟରେ ମଧ୍ୟ କିଛି ସମୟ ପାଇଁ ଏକ ବାମପନ୍ଥୀ ରାଜନୈତିକ ପତ୍ରିକା la salut publicର ସମ୍ପାଦନା ଦାୟିତ୍ୱ ନେଇଥିଲେ । ଏହି ସମୟରେ ମଧ୍ୟ ସେ ପୂର୍ବରୁ ପୋଷଣ କରୁଥିବା ମତ : ‘କଳା ପାଇଁ କଳା’ ପରିବର୍ତ୍ତେ ‘କଳା ସମାଜ ପାଇଁ’ ବୋଲି ସ୍ଲୋଗାନ ଦେଇଛନ୍ତି । (୧୭) ତେବେ ସାମଗ୍ରିକ ଭାବେ ଦେଖିଲେ ତାଙ୍କର ସେହି ବାମପନ୍ଥା ଭାବାଦର୍ଶ ତାଙ୍କର ବିଶ୍ଵଦୃଷ୍ଟି, ଅଥବା ସାହିତ୍ୟ ସୃଷ୍ଟି କେଉଁଥିରେ ପ୍ରତିଫଳିତ ହୁଏ ନାହିଁ ।

 

ଜୀବନଚର୍ଯ୍ୟା ଓ ଜୀବନ ଦୃଷ୍ଟିର ଆଧୁନିକତାକୁ ଛାଡ଼ି ସାହିତ୍ୟ ଓ କଳାର ଆଧୁନିକତା ତିଷ୍ଠିନପାରେ । ଅରଓ୍ୱେଲ ଯଥାର୍ଥରେ କହିଥିଲେ, “A writer’s political and religious beliefs are not excrescences to be laughed away, but something that will leave their mark even on the smallest detail of his work.’’

 

ସଚ୍ଚିବାବୁ ଭାବାଦର୍ଶ ଦୃଷ୍ଟିରୁ ଏଲିୟଟ୍‍ଙ୍କ ଠାରୁ ପାଦେ ଆଗରେ ଥିଲେ କାରଣ ତାଙ୍କର ଶୈଶବ ଓ ଯୌବନ ଭାରତର ସ୍ଵାଧୀନତା ସଂଗ୍ରାମରେ, ଅଗ୍ନିସ୍ନାନ କରିଥିଲା । ତାଙ୍କର ‘କୈଶୋରର କଞ୍ଚାମାଟିଉପରେ ରକ୍ତତୀର୍ଥ ଖୁରଧା ଛାଡ଼ି ଯାଇଥିବା ଅମୁଞ୍ଛନୀୟ ପ୍ରଭାବ, ‘‘ଦାସ ଆପଣେ (ପଣ୍ଡିତ ଗୋପବନ୍ଧୁ ଦାସ)ଙ୍କୁ ଖୋରଧା ଜେଲ୍‌ରୁ ଡେପୁଟୀ ମାଜିଷ୍ଟ୍ରେଟ୍‍ଙ୍କ ଇଜଲାସକୁ ଚଲାଇ ଚଲାଇ ଆଣିବାର ଦୃଶ୍ୟ’ ଯାହା ସେ ତାଙ୍କ ବଡ଼ ଦଦେଇଙ୍କ କାନ୍ଧରେ ବସି ଦେଖିଥିଲେ ଓ ଯାହା ଶେଷଯାଏ ତାଙ୍କ ମନରେ ‘‘ଗୁନ୍ଥା ହୋଇ ରହିଥିଲା ।” ଅଥବା ଗାନ୍ଧୀଜୀଙ୍କ ପ୍ରଥମ ଦର୍ଶନ ଅଥବା ଭଗତ୍ ସିଂହଙ୍କ ଫାଶୀ ଖବର- ଶୈଶବରେ ଘଟିଥିବା ଏ ସବୁ ଘଟଣା ତାଙ୍କ ପରବର୍ତ୍ତୀ ଜୀବନକୁ ଗଭୀର ଭାବେ ପ୍ରଭାବିତ କରିଥିଲା । ଏହା ବର୍ଣ୍ଣନା କରିସାରି ସେ ଆତ୍ମଜୀବନୀରେ ଲେଖିଛନ୍ତି, ‘‘ଏହିପରି ଗୋଟିଏ ଦିଓଟି ଘଟଣାରେ ତ ସାରା ଜୀବନର ଗତିପଥ ବଦଳିଯାଏ-।’’(୧୮) ।

 

ବାସ୍ତବରେ ଭାରତୀୟ ମୁକ୍ତି ସଂଗ୍ରାମର ରୁଦ୍ର ମଧ୍ୟାହ୍ନ କିଶୋର ସଚ୍ଚି ରାଉତରାୟଙ୍କ କୋମଳ ଅବଚେତନ ଉପରେ ଯେଉଁ ଗଭୀର ଛାପ ଛାଡ଼ିଦେଲା ତା ଫଳରେ କୈଶୋର ଅବସ୍ଥାରୁ ସେ ଦେଶସେବାପ୍ରତି ଆକୃଷ୍ଟ ହୋଇଛନ୍ତି ଏବଂ ଦେଶାତ୍ମବୋଧ ସାହିତ୍ୟ ସୃଷ୍ଟିରେ ମନବଳାଇଛନ୍ତି-

 

ଯେତେବେଳେ ଭାବାଦର୍ଶ ଏବଂ ସାରସ୍ୱତ କର୍ମ ଉଭୟ କ୍ଷେତ୍ରରେ ସେ ନିଜ ଭବିତବ୍ୟକୁ ସ୍ପଷ୍ଟତଃ ଦେଖିପାରିଛନ୍ତି ସେତେବେଳେ ବୈପ୍ଳବିକ କାବ୍ୟ କବିତା ରଚନା କ୍ଷେତ୍ରରେ ଏକ ଅଧିକ ଆଧୁନିକ ଏବଂ ପରିପକ୍ୱ ଆଙ୍ଗିକଟିଏ ଖୋଜିଛନ୍ତି । ଅବକ୍ଷୟୀ ଆଧୁନିକତାବାଦର ଆଙ୍ଗିକ ପାଇଁ ଯେପରି ସେ ଇଂରେଜ ଆଧୁନିକତାବାଦୀ, ବିଶେଷ କରି ଏଲିୟଟଙ୍କ ଅନୁସରଣ କରିଛନ୍ତି, ସେହିଭଳି ଆଧୁନିକ ବୈପ୍ଳବିକ ଚେତନାକୁ ରୂପ ଦେବା ପାଇଁ ସେ ସୋଭିଏତ୍ ରୁଷିଆର ବିପ୍ଳବୀ କବି ମାୟାକୋଭସ୍କିଙ୍କ ଆଦର୍ଶକୁ ବାଛିନେଇଛନ୍ତି ।

 

ସେ ସମସାମୟିକ ସାମ୍ୟବାଦୀ କବିମାନଙ୍କ ଭିତରୁ ମାୟାକୋଭସ୍କିଙ୍କୁ ନିଜର ଆଦର୍ଶ ରୂପେ ଗ୍ରହଣ କରିବାର ଏକାଧିକ କାରଣ ରହିଛି । ଅନେକ ପରିମାଣରେ ମାୟାକୋଭସ୍କି ଓ ତାଙ୍କର ସାହିତ୍ୟିକ ବିବର୍ତ୍ତନ ଭିତରେ ସାମଞ୍ଜସ୍ୟ ରହିଛି । ମାୟାକୋଭସ୍କି ପ୍ରଥମେ ରୁଷୀୟ ଭବିଷ୍ୟତବାଦୀ (Russian futurists) ଗୋଷ୍ଠୀର ସଭ୍ୟଥିଲେ । ଏହି ଗୋଷ୍ଠୀର ବ୍ୟକ୍ତିବାଦୀ ରୋମାଣ୍ଟିକ, ଅତୀତ ବିରୋଧୀ ମାନସିକତାରୁ ନିଜକୁ ମୁକ୍ତ କରି ମାୟାକୋଭସ୍କି ଯେପରି ନିଜକୁ ସାମ୍ୟବାଦୀ ସ୍ରୋତରେ ସାମିଲ କରିଛନ୍ତି ସଚ୍ଚିବାବୁ ସେହିଭଳି ସବୁଜ ଗୋଷ୍ଠୀର ବ୍ୟକ୍ତିବାଦୀ ରୋମାଣ୍ଟିକ ପଳାୟନବାଦରୁ ନିଜକୁ ମୁକ୍ତକରି ସାମ୍ୟବାଦ ଆଡ଼କୁ ମୁହାଁଇଛନ୍ତି । ସଚ୍ଚିବାବୁ ମଧ୍ୟ ମାୟାଭୋସ୍କିଙ୍କ ପରି ବୈପ୍ଳବିକ ବିଷୟବସ୍ତୁ ସହିତ ଆଧୁନିକ ପାଶ୍ଚାତ୍ୟ ଆଙ୍ଗିକର ସମବାୟ ଚାହିଁଛନ୍ତି । ଠିକ୍ ଏଇକାରଣରୁ ମଧ୍ୟ ମାୟାକୋଭସ୍କି ଏବଂ ସଚ୍ଚିବାବୁ ଉଭୟ ପାଶ୍ଚାତ୍ୟ ଆଧୁନିକତାବାଦର ସମର୍ଥକ ଏବଂ ରକ୍ଷଣଶୀଳ ସୋଭିଏତ୍ ସାହିତ୍ୟର ସମର୍ଥକଙ୍କ ଦ୍ୱାରା ସମାଲୋଚିତ ହୋଇଛନ୍ତି । ମାୟାକୋଭସ୍କିଙ୍କୁ ସମକାଳୀନ ସୋଭିଏତ ରୁଷିୟାର ସର୍ବହରା ଲେଖକ ସଂଘ (RAPP) ‘ଟ୍ରଟ୍‌ସ୍କିର ଦଲାଲ’ କହି ଆକ୍ଷେପ କରୁଥିବା ବେଳେ ପୂର୍ବତନ ଭବିଷ୍ୟତବାଦୀ ସତୀର୍ଥଗଣ ତାଙ୍କୁ ଜଣେ ନିଚ୍ଛକ ପ୍ରଚାର କର୍ମୀ (Publicist) ବୋଲି ବ୍ୟଙ୍ଗ କରିଛନ୍ତି । ସଚ୍ଚିବାବୁଙ୍କର ମଧ୍ୟ ସମଦଶା । ଶ୍ରୀଯୁକ୍ତ ନଟବର ସାମନ୍ତରାୟ ଅଥବା ଶ୍ରୀ ରବି ସିଂ ତାଙ୍କୁ ସୌଖିନ୍ ବିପ୍ଳବୀ ବୋଲି ଆଖ୍ୟାୟିତ କରୁଥିବା ବେଳେ ଶ୍ରୀଯୁକ୍ତ ଯତୀନ୍ଦ୍ର ମୋହନ ମହାନ୍ତି ଅଥବା ରବିଶଙ୍କର ମିଶ୍ର ତାଙ୍କର ସମାଜସଚେତନ କବିତାଗୁଡ଼ିକ ‘ପ୍ରଚାରଧର୍ମୀ’ ଏବଂ ଏଣୁକରି ‘ଆଧୁନିକ’ ପଦବାଚ୍ୟ ନୁହନ୍ତି ବୋଲି ଅଭିଯୋଗ କରିଛନ୍ତି । ଏହିଭଳି ମଧ୍ୟମ ମାର୍ଗ ଆଚରଣ କରି ମାୟାକୋଭସ୍କି କାଞ୍ଜିଭଳି ଉଭୟ ପଟୁ ଖୁନ୍ଦା ଖାଇଛନ୍ତି ଏବଂ ଆତ୍ମହତ୍ୟା କରିଛନ୍ତି । ସଚ୍ଚିବାବୁ ଏସିଡ୍ ମାଡ଼ ଖାଇବାଠାରୁ ବହୁଭାବେ ଲାଞ୍ଛିତ ହୋଇଛନ୍ତି । ହୁଏତ ବେନିଜନେ ପଡ଼ିଥିବା ସମଦଶା ମଧ୍ୟ ସଚ୍ଚିବାବୁଙ୍କୁ ମାୟାକୋଭସ୍କିଙ୍କ ପ୍ରତି ଆକୃଷ୍ଟ କରିଥାଇପାରେ ।

 

ପାଶ୍ଚାତ୍ୟ ଆଧୁନିକବାଦୀଙ୍କ ଠାରୁ ମାୟାକୋଭସ୍କିଙ୍କର ଗୋଟିଏ ବଡ଼ ପାର୍ଥକ୍ୟ ହେଲା ପୂର୍ବୋକ୍ତ ଗୋଷ୍ଠୀ ଶିଳ୍ପ ସଭ୍ୟତାର ଅବକ୍ଷୟମାଣ ଦିଗ ଦେଖାଇବାରେ ଆଗ୍ରହୀ ମାତ୍ର ମାୟାକୋଭସ୍କି ଶିଳ୍ପ ସଭ୍ୟତାଭିତରେ ସର୍ବହରା ଶ୍ରେଣୀର ମୁକ୍ତି ପାଇଁ ରହିଥିବା ସୂତ୍ରକୁ ଦର୍ଶାଇବାରେ ଅଧିକ ଆଗ୍ରହୀ । ଇଂରେଜ ଆଧୁନିକତାବାଦୀମାନେ ଗଣତନ୍ତ୍ରକୁ ଇତର ଲୋକଙ୍କ ଶାସନତନ୍ତ୍ର (mobocracy)ରୂପେ ପ୍ରତ୍ୟାଖ୍ୟାନ କରିଥାଆନ୍ତି । ମାୟାଭୋସ୍କି ଯଦିଓ ନିଜର ବ୍ୟକ୍ତିବାଦୀ ପର୍ଯ୍ୟାୟରେ ଜନସାଧାରଣଙ୍କ ପ୍ରତି ସେହିପରି ହେୟଜ୍ଞାନ ପୋଷଣ କରୁଥିଲେ ତାଙ୍କର ସାମ୍ୟବାଦୀ ପର୍ଯ୍ୟାୟରେ ସେ ନିଜକୁ ସେମାନଙ୍କର ଚାରଣ ବୋଲି ଗର୍ବର ସହିତ ଘୋଷଣା କରିଛନ୍ତି । ବିପ୍ଳବରୁ ଆରମ୍ଭକରି କଳକାରଖାନା, ପଞ୍ଚବାର୍ଷିକ ଯୋଜନା ଇତ୍ୟାଦି ଅତ୍ୟନ୍ତ ଶୁଷ୍କ ଗଦ୍ୟଧର୍ମୀ ବିଷୟକୁ ନେଇ କିପରି ରସୋତ୍ତୀର୍ଣ୍ଣ କବିତା ରଚନା କରାଯାଇପାରେ ମାୟାକୋଭସ୍କି ସେଦିଗରେ ପୃଥିବୀର ଜଣେ ମାର୍ଗଦର୍ଶକ । କବି ଭାରତୀୟ ଶିଳ୍ପୀକରଣର ଉଷାକାଳରେ ଶିଳ୍ପ, ଶ୍ରମ, ଓ ନିର୍ଯ୍ୟାତିତ ଶ୍ରମିକର ସମସ୍ୟାକୁ ବାଦଦେଇ କେବଳ ପ୍ରତିମା ନାୟକ ଅଥବା ଅଳକା ସାନ୍ୟାଲମାନଙ୍କ ଉପରେ କବିତା ଲେଖିବା ସମକାଳୀନ ବାସ୍ତବତାର ଦ୍ରୋହାଚରଣ ହେବ ବୋଲି ସଚ୍ଚିବାବୁଙ୍କର ହୃଦ୍‌ବୋଧ ହୋଇଛି ।

 

ନାରୀକୁ ନେଇ କବିତାଟିଏ ଲେଖିବା ବିଶେଷ କଷ୍ଟକର ବ୍ୟାପାର ନୁହେଁ କାରଣ ବୈଦିକ ଯୁଗରୁ ଏପର୍ଯ୍ୟନ୍ତ ଗାଡ଼ିଗାଡ଼ି ଉଚ୍ଚାଙ୍ଗ ନାରୀ ସମ୍ପର୍କୀତ କବିତା ମଡେଲ୍ ରୂପେ ଆଜିର କବି ସାମ୍ନାରେ ରହିଛି । ମାତ୍ର ଟ୍ରାକ୍ଟରକୁ ନେଇ ରସୋତ୍ତୀର୍ଣ୍ଣ କବିତାଟିଏ ସୃଷ୍ଟି କରିପାରିବା ଜଣେ ଆଧୁନିକ କବିର ସର୍ଜନଶୀଳତା ପାଇଁ ଏକ ବିରାଟ ଆହ୍ୱାନ । ନଗରୀକରଣ, ଶିଳ୍ପସମସ୍ୟା, ଶ୍ରମିକର ସ୍ୱପ୍ନ-ଏଭଳି ଅକାବ୍ୟିକ ବିଷୟବସ୍ତୁମାନଙ୍କୁ ନାନ୍ଦନିକ ରୂପ ଦେବା ପାଇଁ ଆଙ୍ଗିକ ଖୋଜି ଖୋଜି ସେ ମାୟାକୋଭସ୍କିଙ୍କ ପାଖରେ ପହଞ୍ଚିଛନ୍ତି । ତାଙ୍କର ହୃଦବୋଧ ହୋଇଛି ଯେ ତାଙ୍କର (ମାୟାକୋଭସ୍କିଙ୍କର) ବିଷୟବସ୍ତୁ ଯେତେ ଗଦ୍ୟମୟ ବା ସାଧାରଣ ହେଉନା କାହିଁକି, କବିତାର ମୂଳ ସୌଷ୍ଠବ ତଥା ପ୍ରାଣଶକ୍ତି କଦାପି କ୍ଷୁର୍ଣ୍ଣ ହୋଇନାଇଁ । ବରଂ ଜନସାଧାରଣଙ୍କ ଜୀବନ ସଙ୍ଗେ ଜଡ଼ିତ ହୋଇଥିବାରୁ ତହିଁର ଶକ୍ତି ଓ ଆବେଦନ ବୃଦ୍ଧି ପାଇଚି ।’’ (୧୯) ଓଡ଼ିଆ ଭାଷାରେ ପ୍ରଗତିଶୀଳ କାବ୍ୟକବିତା ସୃଷ୍ଟି ଦିଗରେ ମାୟାକୋଭସ୍କିଙ୍କ ଶୈଳୀ ପଥପ୍ରଦର୍ଶକ ହେବ ଏହା ସଚ୍ଚିବାବୁଙ୍କର ବିଶ୍ୱାସ ଜନ୍ମିଛି ଏବଂ ସେ ମାୟାକୋଭସ୍କିଙ୍କୁ ଓଡ଼ିଆ ପାଠକ ନିକଟରେ ପରିଚିତ କରାଇବା ଜରୁରୀ ବୋଲି ଅନୁଭବ କରିଛନ୍ତି । ଫଳଶ୍ରୁତି: ‘‘ମାୟାକୋଭସ୍କି କବିତା ସଂଗ୍ରହ’’ | ୧୯୬୫ ରେ ପ୍ରକାଶିତ ଏହି ଅନୁଦିତ ସଙ୍କଳନର ମୁଖବନ୍ଧରେ ସଚ୍ଚିବାବୁ ଲେଖୁଛନ୍ତି, ନାନା କାରଣରୁ ଓଡ଼ିଆ ଭାଷାରେ ମାୟାକୋଭସ୍କିଙ୍କ କବିତାବଳୀର ଅନୁବାଦ ବହୁଦିନରୁ ପ୍ରକାଶ ପାଇବା ଆବଶ୍ୟକ ଥିଲା । ଆଧୁନିକ ଓଡ଼ିଆ କବିତାର ବହୁ ସମସ୍ୟା ସମାଧାନ କରିବା ଦିଗରେ ମାୟାକୋଭସ୍କି ନିଶ୍ଚୟ ପଥପ୍ରଦର୍ଶକ ରୂପେ ସାହାଯ୍ୟ କରିବେ ।’’ (୨୦) ଅବଶ୍ୟ ‘‘ମାୟାକୋଭସ୍କି କବିତା ସଂଗ୍ରହ’’ ସଙ୍କଳନ କରିବାର ପ୍ରାୟ କୋଡ଼ିଏ ବର୍ଷ ପୂର୍ବରୁ “ପାଣ୍ଡୁଲିପି”ରେ ‘ଲୋହିତ’ ବିଭାଗ ଆରମ୍ଭରେ ସେ ମାୟାକୋଭସ୍କିଙ୍କର ଏକ କବିତାଂଶ epigraph ରୂପେ ରଖି ମାୟାକୋଭିସ୍କିଙ୍କ କାବ୍ୟ ପୁରୁଷ ସହିତ ତାଙ୍କର ଭାବଗତ ସମ୍ପର୍କ ସୂଚାଇ ସାରିଥିଲେ ।

 

ଆଧୁନିକ କବିତାପର ମାୟାକୋଭସ୍କିଙ୍କର ଛନ୍ଦ ବାକ୍‌ଭଙ୍ଗୀର ପର୍ଯ୍ୟାୟାନୁସାରେ ବିଭକ୍ତ ଏବଂ ଅକ୍ଷର ପରିବର୍ତ୍ତେ ଧ୍ୱନି ଦ୍ଵାରା ନିର୍ଣ୍ଣିତ ଯତିପାଦ ଉପରେ ଗୁରୁତ୍ୱ ନଦେଇ ଧ୍ୱନିସାମ୍ୟ ଉପରେ ସେ ଅଧିକ ଗୁରୁତ୍ୱ ଦିଅନ୍ତି । ସାଧାରଣ ଶିଳ୍ପାଞ୍ଚଳ ଓ ସହରୀଜୀବନରୁ ରୂପକ ନେଇ ସେ ନିଜ ସମୟକୁ ଚାହିଁ ଖୁବ୍ ଅଭିନବ ରୂପକଳ୍ପ ଗଢ଼ିଛନ୍ତି । ଯେପରିକି : ଯନ୍ତ୍ରର ନାକ, କୋଠାଘରମାନଙ୍କର କାଚଆଖି, ଛାତର ମେରୁଦଣ୍ଡ ଇତ୍ୟାଦି ।

 

“ପାଣ୍ଡୁଲିପି”ରେ ସନ୍ନିବିଷ୍ଟ ପ୍ରଗତିଶୀଳ କବିତା, ଯଥା: ‘ବର୍ଲିନ୍’, ‘ହିଟ୍‌ଲରର ଦୁଃସ୍ୱପ୍ନ’ ଅଥବା ‘‘କବିତା ୧୯୬୨’’ରେ ‘ଏକ ମ୍ୟୁନିସିପାଲିଟି ନିର୍ବାଚନ’ ଇତ୍ୟାଦିରେ ସଚ୍ଚିବାବୁ ଏହି ଦୃଷ୍ଟିରୁ ମାୟାକୋଭସ୍କିଙ୍କ ଶୈଳୀ ଅବଲମ୍ବନ କରିଛନ୍ତି । ସେ ଭୁଲି ଯାଇନାହାନ୍ତି ଯେ ତାଙ୍କର ସମକାଳୀନ ଓଡ଼ିଶାରେ ଜୀବନର ସବୁ ଇଲାକାରେ ଆଧୁନିକତା ଆଣିବାପାଇଁ ଚାଲିଥିବା ସଂଗ୍ରାମରେ ମଧ୍ୟବିତ୍ତ ଶ୍ରେଣୀ ହିଁ ନେତୃତ୍ୱ ନେଉଥିଲା । ତାଙ୍କର ସମାଜସଚେତନ କବିତାଗୁଡ଼ିକ ସେହି ଶ୍ରେଣୀର ପ୍ରଗତିଶୀଳ ଗୋଷ୍ଠୀପାଇଁ ଉଦ୍ଦିଷ୍ଟ ଥିଲା । ମାତ୍ର ଯେହେତୁ ଏଭଳି କବିତାର ସ୍ଵର ଉଦ୍‌ବୋଧନ ମୂଳକ ଏବଂ ଆବେଗପ୍ରବଣ ଏଣୁ ଗୀତିମୟ ଛନ୍ଦ, ଏବଂ ଯତିପାତକୁ ସମ୍ପୂର୍ଣ୍ଣ ତ୍ୟାଗ କରିବା ଆମ ପରମ୍ପରା ଏବଂ ଏଭଳି କବିତାର ଆଧୁନିକ ପାଠକଙ୍କ ରୁଚି ପ୍ରତି ଅନ୍ୟାୟ ହେବ ବୋଲି ସେ ଭାବିଛନ୍ତି । ଏଣୁ ଏଥିପାଇଁ ସେ ଅନେକଅଂଶରେ ନଜରୁଲଙ୍କ ଶୈଳୀକୁ ଅବଲମ୍ବନ କରିଛନ୍ତି । ଏ ଦୃଷ୍ଟିରୁ ମଧ୍ୟ ଦେଖିଲେ ତାଙ୍କର ପ୍ରକାଶ ଭଙ୍ଗୀ ଅଥବା ଭାଷା ବ୍ୟବହାର ଏ ଶ୍ରେଣୀର କବିତା ଲେଖୁଥିବା ତାଙ୍କର ସମକାଳୀନ କବି (ଯଥା: ରାଧାମୋହନ ଗଡ଼ନାୟକ, କୃଷ୍ଣଚନ୍ଦ୍ର ତ୍ରିପାଠୀ ଇତ୍ୟାଦି)ଙ୍କ କବିତାଠାରୁ ଅଧିକ ଆଧୁନିକ ।

 

ଲୋହିଆ କୃତ Wheel of History ପୁସ୍ତକକୁ ଓଡ଼ିଆରେ ଅନୁବାଦ କରିଥିବା ଅଧ୍ୟାପକ ଯତୀନ୍ଦ୍ର ମୋହନ ମହାନ୍ତି ମାର୍କ୍ସବାଦ ବିରୋଧୀ ହେବା ସ୍ୱାଭାବିକ ହୋଇପାରେ, ମାତ୍ର ଇତିହାସ ବୋଧଥିବା ଏବଂ ସମସାମୟିକ ସାହିତ୍ୟ ସମୀକ୍ଷା ସମ୍ପର୍କରେ ଖବର ରଖୁଥିବା କୌଣସି ବ୍ୟକ୍ତି ଯତୀନ ବାବୁ ଯେପରି ସଚ୍ଚିବାବୁଙ୍କ କାବ୍ୟ କବିତାରେ ଆଧୁନିକତାକୁ ନେଇ ପ୍ରଶ୍ନ ଉଠେଇଛନ୍ତି ସେଭଳି ପ୍ରଶ୍ନ ଉଠାଇ ନପାରେ । ସଚ୍ଚିବାବୁଙ୍କ ସମାଜସଚେତନ କାବ୍ୟକବିତା କାହିଁକି ‘ଆଧୁନିକ’ ନୁହେଁ ଯୁକ୍ତିକରିବାକୁ ଯାଇ ଅଧ୍ୟାପକ ମହାନ୍ତି ମତ ଦିଅନ୍ତି, ‘‘ସାହିତ୍ୟରେ ମାର୍କ୍ସୀୟ ବିଚାରଧାରାର ପ୍ରଭାବ ଏକ ସମସାମୟିକ ଘଟଣା । କିନ୍ତୁ ଏହି ବିଚାର ଧାରାକୁ ଶେଷ ଲକ୍ଷ୍ୟ ଭାବରେ ଗ୍ରହଣ କରିନେବା ଅର୍ଥ ଯେଉଁ ବିଖଣ୍ଡିତ ଜଟିଳ ଜୀବନବୋଧରୁ ଏହି ବିଚାରଧାରା ଉତ୍ପନ୍ନ ତାକୁ ଭୁଲିଯିବା ।’’ (୨୧) ଏକ ବିଚିତ୍ର ଯୁକ୍ତି ! ଠିକ୍ ବୁଝିବସିଲେ ଏ ଦୁଇଟି ବାକ୍ୟରୁ କିଛିବି ବୁଝାପଡ଼େ ନାହିଁ । ମାର୍କ୍ସୀୟ ବିଚାରଧାରାକୁ ‘ଶେଷ ଲକ୍ଷ୍ୟ’ ଭାବରେ ଗ୍ରହଣ କରିନେବା ଅର୍ଥ କ’ଣ-? ସଚ୍ଚିବାବୁ ତାକୁ ତାଙ୍କ ଜୀବନଦୃଷ୍ଟି ଅଥବା ସାହିତ୍ୟକର୍ମରେ ‘ଶେଷଲକ୍ଷ୍ୟ’ ବୋଲି ଧରିନେଇଥିବାର ପ୍ରମାଣ କେଉଁଥିରୁ ମିଳେ ? ତଥାପି ଧରାଯାଉ ମାର୍କ୍ସୀୟ ବିଚାରଧାରା ସଚ୍ଚିବାବୁଙ୍କର ଶେଷଲକ୍ଷ୍ୟ । ମାତ୍ର ଜୀବନରେ ଏଭଳି ଲକ୍ଷ୍ୟ ରହିବା ଅର୍ଥ ଯେଉଁ ବିଖଣ୍ଡିତ ଜଟିଳ ଜୀବନବୋଧରୁ ଏହି ବିଚାରଧାରା ଉତ୍ପନ୍ନ ତାକୁ ଭୁଲିଯିବା’’ ସଙ୍ଗେ ସମାନ କାହିଁକି ହେବ ବୁଝିହେଉନାହିଁ । ବରଂ ଏହି ବିଖଣ୍ଡିତ ଜୀବନବୋଧ ଦ୍ଵାରା ହିଁ ପ୍ରତିନିୟତ କ୍ଷତବିକ୍ଷତ ହେଉଥିବା ମଣିଷ ସେଥିରୁ ମୁକ୍ତିର ବାଟ ଖୋଜିପାରେ ।

 

ମାର୍କ୍ସବାଦ ଏ ଅବସ୍ଥାରୁ ମୁକ୍ତି ପାଇବାର ପଥ ଦେଖାଇପାରିଛି କି ନାହିଁ ସେ ସମ୍ପର୍କରେ ସଚ୍ଚିବାବୁଙ୍କ ଠାରୁ ଜଣେ ଭିନ୍ନ ମତ ପୋଷଣ କରିପାରେ । ମାତ୍ର ଦୁଃଖରୁ ମୁକ୍ତି ଖୋଜିଲେ ଦୁଃଖର ମୂଳକାରଣ ଭୁଲିହୋଇଯାଏ- ଇଏ କିଭଳି ଯୁକ୍ତି ? ପୁନଶ୍ଚ ଅଧ୍ୟାପକ ମହାନ୍ତିଙ୍କର ଉପରୋକ୍ତ ବକ୍ତବ୍ୟର ପରବର୍ତ୍ତୀ ଦୁଇଟି ବାକ୍ୟ ହେଲା- “ତେଣୁ ଏହି ଜାତୀୟ ‘ପ୍ରଗତିଶୀଳ’ କବିତା ମୁଖ୍ୟତଃ ଏକ କୃତ୍ରିମ ଆନ୍ତରିକତା, ସଙ୍କୀର୍ଣ୍ଣ ଦୃଷ୍ଟିଭଙ୍ଗୀ, ଅସ୍ପଷ୍ଟ ଚିନ୍ତା ଓ ଦୁର୍ବଳ ରେଟରିକ୍‍ରେ ପର୍ଯ୍ୟବେସିତ ହୋଇଛି । ‘ବର୍ଲିନ୍', 'ହିଟ୍‌ଲରର ଦୁଃସ୍ୱପ୍ନ’, ‘ନବଜାତକ’, ‘କୋରିଆ’, ‘ଜୟହିନ୍ଦ୍', ‘ ଶୀତ’ ବା ‘ବାଜି ରାଉତ’ ମୁଖ୍ୟତଃ ଏହି ପ୍ରଭାବପ୍ରସୂତ ନିକୃଷ୍ଟ କବିତାର ଉଦାହରଣ ।’’(୨୨) ଏହା ପୂର୍ବରୁ ଉଦ୍ଧୃତ ମନ୍ତବ୍ୟ ସହିତ ଉପରୋକ୍ତ ଉଦ୍ଧୃତିକୁ ମିଶାଇ ପଢ଼ିଲେ ସମଗ୍ର ମନ୍ତବ୍ୟଟି ଏକ ଅସଂଲଗ୍ନ ପ୍ରଳାପ ପରି ମନେହୁଏ । ଏହି ଜାତୀୟ ‘ପ୍ରଗତିଶୀଳ କବିତା ଲେଖି ମାର୍କ୍ସବାଦୀ ପାବ୍ଲୋ ନେରୁଦା ସାହିତ୍ୟରେ ନୋବେଲ ପୁରସ୍କାର ପାଇଲେ । ‘ଗୁଏରନିକା’ ଭଳି ଏକ ନିଚ୍ଛକ ପ୍ରଚାର ଧର୍ମୀ ଚିତ୍ରର ଚିତ୍ରୀ ମାର୍କ୍ସବାଦୀ ପାବ୍ଲୋ ପିକାସୋ ଆଧୁନିକ ଚିତ୍ରକଳାର ଅନ୍ୟତମ ବିଶ୍ଵବିସୃତ ବିନ୍ଧାଣୀ ହୋଇପାରିଲେ, ଆଧୁନିକ ଚଳଚ୍ଚିତ୍ରର ସର୍ବସ୍ୱୀକୃତ ପ୍ରଥମ ପଥପ୍ରଦର୍ଶକ ଚଳଚ୍ଚିତ୍ର ନିର୍ଦ୍ଦେଶକ ଆଇଜେନ୍‍ଷ୍ଟାଇନ୍‍ ଅଥବା ଆଧୁନିକ ପାଶ୍ଚାତ୍ୟ ନାଟ୍ୟଜଗତରେ ଯେଉଁ ଦୁଇ ମହାନ୍ ନାଟ୍ୟତତ୍ତ୍ୱବିତ୍ ଝଡ଼ ବୁହାଇଥିଲେ- ବ୍ରେଖ୍‍ଟ ଏବଂ ସ୍ତାନିସ୍ଲାଭସ୍କି- ସମସ୍ତେ ସାମ୍ୟବାଦୀ ‘ପ୍ରଗତିଶୀଳ’ କଳାରେ ହିଁ ବିଶ୍ୱାସ କରୁଥିଲେ । ଅଧ୍ୟାପକ ମହାନ୍ତି ଯଦି ସେମାନଙ୍କ ପରୀକ୍ଷକ ହୋଇଥାନ୍ତେ ତେବେ ଏମାନେ ଆଜି ନିଜ ନିଜ କ୍ଷେତ୍ରରେ ‘ହିରୋ’ ନ ହୋଇ ‘ଜିରୋ’ ମାର୍କ ପାଇ “ଜିରୋ” ହୋଇ ରହିଯାଇଥାଆନ୍ତେ ! ନିକୃଷ୍ଟ ‘ରେଟୋରିକ୍’ର ଯଦି କିଛି ଦୃଷ୍ଟାନ୍ତ ଖୋଜାଯାଏ ତେବେ ବୋଧେ ଅଧ୍ୟାପକ ମହାନ୍ତିଙ୍କର ଉକ୍ତ ମନ୍ତବ୍ୟଟିକୁ ଉଦ୍ଧାର କରିବା ଯଥେଷ୍ଟ ହେବ । ବାଜି ରାଉତ’କୁ ଏହି ଭଳି ଏକ ନିକୃଷ୍ଟ ପାଠ୍ୟପୁସ୍ତକୀୟ ମାନଦଣ୍ଡରେ ମାପି ତାହା ‘ନିକୃଷ୍ଟ କବିତାର ଉଦାହରଣ’ ପୁନଶ୍ଚ ଅନ୍ୟତ୍ର ତାକୁ ‘କିଶୋର ସୁଲଭ ରେଟରିକ୍’ରେ ପରିପୂର୍ଣ୍ଣ ବୋଲି ଆକ୍ଷେପ କରିବା କେବଳ ଦାୟିତ୍ୱହୀନ ସମୀକ୍ଷା ନୁହେଁ ବରଂ କିଛି ଗୋଟାଏ ନୂଆ ‘ରାଡିକାଲ୍ କଥା କହି ହଟଚମଟ୍ ଦେଖାଇବାର ପିଲାଳିଆ ପ୍ରବୃତ୍ତି ବୋଲି ମନେହୁଏ ।

 

ଅପରପକ୍ଷରେ ଶ୍ରୀନଟବର ସାମନ୍ତରାୟ ଅଥବା ଶ୍ରୀ ରବି ସିଂ ଅଭିଯୋଗ କରନ୍ତି ଯେ ସଚ୍ଚିବାବୁ ନୁହନ୍ତି ଭଗବତୀ ଚରଣ ହିଁ ଓଡ଼ିଆ ପ୍ରଗତିଶୀଳ ସାହିତ୍ୟର ଆଦ୍ୟ ପ୍ରବର୍ତ୍ତକ । ଭଗବତୀ ଚରଣଙ୍କ ଠାରୁ ବହୁ ପୂର୍ବରୁ ସଚ୍ଚିବାବୁ ଯେ ପ୍ରଗତିଶୀଳ କଥା ସାହିତ୍ୟ ରଚନା କରିଛନ୍ତି ଏହା ଏକ ଐତିହାସିକ ସତ୍ୟ । ଶ୍ରୀ ସାମନ୍ତରାୟ ଅଥବା ରବିବାବୁଙ୍କ ଯୁକ୍ତିର ମୁଖ୍ୟ ମାନଦଣ୍ଡ ହୋଇଛି ‘ବୈପ୍ଳବିକ ଆଚରଣ’ ବା ଉଚ୍ଚାରଣ ଓ ଆଚରଣ ଭିତରେ ତାଳମେଳ । ସଚ୍ଚିବାବୁ ନିଜର ଆଦ୍ୟ ରାଜନୈତିକ ଜୀବନରେ ନିଜ ଭାବାଦର୍ଶପାଇଁ ଜେଲ୍ ଯାଇଛନ୍ତି, ବିଭିନ୍ନ ଆନ୍ଦୋଳନରେ ସକ୍ରିୟ ଭାଗ ନେଇଛନ୍ତି । ତାଙ୍କ ବହି ଓ ଲେଖା ବିଦେଶୀ ସରକାରଙ୍କ ଦ୍ୱାରା ବ୍ୟାଜ୍ୟାପ୍ତ ହୋଇଛି । ପରବର୍ତ୍ତୀ ଜୀବନରେ ତାଙ୍କର କିଛି ସ୍ଖଳନ ଦେଖା ଦେଇଛି । ସେ ଓଡ଼ିଆତ୍ୱ ପରି ଓଡ଼ିଆମି ମଧ୍ୟ ଦେଖାଇଛନ୍ତି । ମାତ୍ର କେବଳ ଏ ରାଜ୍ୟର ନୁହେଁ ସମଗ୍ର ବିଶ୍ଵରେ ତହୁଁ ତହୁଁ ବଳି ବିପ୍ଳବୀ ପରବର୍ତ୍ତୀ ଜୀବନରେ ପଥଭ୍ରଷ୍ଟ ହୋଇଥିବାର ଭୁରିଭୁରି ପ୍ରମାଣ ରହିଛି । ସେଥିପାଇଁ ତାଙ୍କର ସମସ୍ତ ତ୍ୟାଗକୁ ନୀଚକରି ଦେଖିବା ଏବଂ ସେହି ସ୍ଖଳନକୁ ମାନଦଣ୍ଡ କରି ତାଙ୍କ ସମସ୍ତ ସାରସ୍ଵତ କର୍ମକୁ ଆକଳନ କରିବାକୁ ଚେଷ୍ଟା କରିବା ସତ୍ ସମୀକ୍ଷକର ଲକ୍ଷଣ ନୁହେଁ । ଆମେ ସ୍ୱୟଂ କାଚଘରେ ବସି ଅନ୍ୟକୁ ଟେକା ନ ପକାଉଛୁ- ଏକଥା କେତେଜଣ ସମୀକ୍ଷକ ଛାତିରେ ହାତ ଦେଇ କହିପାରିବେ ?

 

‘ପାଣ୍ଡୁଲିପି” ସବୁଅର୍ଥରେ ଓଡ଼ିଆ ଆଧୁନିକତାର ପ୍ରଥମ ମାଇଲଖୁଣ୍ଟ । ଏଥିରେ ଆମେ ବୋଦେଲରୀୟ ଆଧୁନିକତା, ଏଲିୟଟୀୟ ଆଧୁନିକତା ଏବଂ ମାୟାକୋଭସ୍କୀୟ । ଆଧୁନିକତାର ମହା ସମନ୍ୱୟ ଦେଖୁ । ପାଣ୍ଡୁଲିପିର ‘ପଶୁ’ ଓ ‘ରାକ୍ଷସ’ କବିତା ଦୁଇଟିରେ ବୋଦେଲେରୀୟ ନେତିବାଦର ସ୍ୱର ଶୁଣିବାକୁ ମିଳେ । ବୋଦେଲୟାରଙ୍କର : Truly the Devil pulls on all our strings !/ In most repugnant objects we find charms; / Each day we’re one step further into Hell,/ content to move across the stinking pit (To the reader, The Flowers of Evil) ଏହା ସହିତ ସଚ୍ଚିବାବୁଙ୍କର ଏହି କେତୋଟି ପଦ ତୁଳନୀୟ :

 

ଶରୀରର କାରାଗାରେ

ଜାଗେ ସୟତାନ ଧ୍ୱଂସର ରାସେ କ୍ଷୁଧିତ ହାହାକାରେ

ମାଂସର ଦେବାଳୟ

ବହୁଦିନ ଧରି ବନ୍ଦୀ ସେ ପଶୁ ଜାଗେ ଆଜି ମହାଭୟେ |

(ପଶୁ-ପାଣ୍ଡୁଲିପି)

 

ପୁନଶ୍ଚ ବୋଦେଲେୟାରଙ୍କ କବିତାର ଅନ୍ୟତମ ମୁଖ୍ୟ ସ୍ୱର ପରପୀଡ଼ନବାଦ (sadism) । ଏହାର ମଧ୍ୟ ପ୍ରତିଧ୍ୱନୀ ଆମେ ପାଉ ଏହି ଦୁଇଟି କବିତାରେ । ‘ପଶୁ’ କହୁଛି-

 

ଶରତ ସକାଳେ ଫୁଟେ ଯେବେ କଇଁ ଦେଖିଚ ତା’ ରୂପ ଶିରୀ

କେଡ଼େ ଭଲ ଲାଗେ ଜାଣ କି ପାଖୁଡ଼ା ଦାନ୍ତେ ତା’ ଦେଲେ ଚିରି ?

ଭାଦ୍ର ଆକାଶେ ହସେ ଯେବେ ଶଶୀ ବଙ୍କିମ ଲାଜେ ଥରି

ଇଚ୍ଛା ହୁଏ ମୋ ମାରିବାକୁ ହାତେ ତଣ୍ଟି ତା ଚିପିଧରି ।

 

ତେବେ ବୋଦେଲେୟାରଙ୍କ ସମଗ୍ର କାବ୍ୟପୁରୁଷ ପାଇଁ ଏହି ଶୂନ୍ୟତାବୋଧ (ennui)ରୂପୀ ସଇତାନ ଓ ପଶୁର ସ୍ଵର ସ୍ଥାୟୀ ସ୍ଵର ହୋଇଥିବା ବେଳେ ସଚ୍ଚିରାଉତରାୟଙ୍କ ଭାବାଦର୍ଶ ଅତିଶୀଘ୍ର ଏହି ନେତିବାଦରୁ ସାମ୍ୟବାଦକୁ ଉତ୍ତରିତ ହୋଇଛି । ଧ୍ୱଂସ ପାଇଁ ଧ୍ୱଂସ ବଦଳରେ ନୂତନ ସୃଷ୍ଟିପାଇଁ ସେ ଧୂସର ଡାକରା ଦେଇଛନ୍ତି । ଭାଙ୍ଗିବାର ମନ୍ତ୍ରସାଥେ/ ଗଢ଼ିବାର ଭୂମିକା ଅକ୍ଷୟ’’ - ତାଙ୍କର ଅବଶିଷ୍ଟ ପ୍ରଗତିବାଦୀ କବିତାର ଆଦର୍ଶ ହୋଇଛି ।

 

‘ପଦ୍ମଭୂକ୍‘ କବିତାରେ ପଦ୍ମଭୂକ୍ ପଳାୟନପନ୍ଥୀ କବିମାନଙ୍କର ‘ହାତୀଦାନ୍ତେ ଗଢ଼ା ସପନର ସୌଖିନ୍ ମୀନାର’କୁ ସମାଲୋଚନା କରିଛନ୍ତି । କବିତାଟି ସଚ୍ଚିବାବୁଙ୍କ ବଙ୍ଗୀୟ ସତୀର୍ଥ ଏବଂ ତାଙ୍କ କାବ୍ୟ ପ୍ରେରଣାର ଅନ୍ୟତମ ଉତ୍ସ ଜୀବନାନନ୍ଦ ଦାସଙ୍କ ‘ଧାନସିଡ଼ି ନଦୀ’କୁ ଉଲ୍ଲେଖକରି ତାକୁ ରୋମାଣ୍ଟିକ ପରିବେଶ ପରିବର୍ତ୍ତେ ଏକ ବାସ୍ତବବାଦୀ ଅଣରୋମାଣ୍ଟିକ ପରିବେଶ ଦିଆଇଛି । ସତେକି କବି ଜୀବନାନନ୍ଦଙ୍କୁ ପଦ୍ମଭୂକ୍ କବିମାନଙ୍କର ପ୍ରତୀକ ରୂପେ ବ୍ୟବହାର କରିଛନ୍ତି :

 

ଲୁହାର ସଙ୍ଗୀତ ଶୁଣ, ଧାନ-ସିଡ଼ି ପଲ୍ଲୀ ନଦୀ ପାରେ

କୋଇଲାର ଗନ୍ଧ ଆସେ, ଏ ଇସ୍ପାତ ନଗରୀର ଦ୍ଵାରେ ।

(‘ପଦ୍ମଭୂକ୍'- ପାଣ୍ଡୁଲିପି)

 

ତେବେ ପାଣ୍ଡୁଲିପିର ସମାଜ ସଚେତନ ପ୍ରଗତିଶୀଳ କବିତାମାନଙ୍କ ମଧ୍ୟରେ କୋଣାର୍କ’ର ଦୃଷ୍ଟିଭଙ୍ଗୀ ସେ ସମୟକୁ ଚାହିଁ ଏକଦମ୍ ନିଆରା, ସମ୍ପୂର୍ଣ୍ଣ ଅଭିନବ ।

 

 

ଆଧୁନିକତାର ବିଚାରବେଳେ ବିଷୟବସ୍ତୁ ଅଥବା ଆଙ୍ଗିକର ଆଧୁନିକତାଠାରୁ ଦୃଷ୍ଟିକୋଣର ଆଧୁନିକତା ହିଁ ସର୍ବାଗ୍ରେ ବିଚାର୍ଯ୍ୟ । ଏହି ଦୃଷ୍ଟିରୁ ‘କୋଣାର୍କ’ର ଦୃଷ୍ଟିଭଙ୍ଗୀ ତତ୍‌କାଳୀନ ପାଠକଭିତରେ ଚମକ ଖେଳାଇ ଦେବାଭଳି ଏକ ଦୃଷ୍ଟିଭଙ୍ଗୀ ଥିଲା । କୋଣାର୍କକୁ ଯାଉଥିବା ରସିକ, ପର୍ଯ୍ୟଟକ ଅଥବା ଗବେଷକ ପ୍ରଥମ ଥର ପାଇଁ ‘ମୂଲିଆର ଆଖି ନେଇ’ କୋଣାର୍କକୁ ଦେଖି ଶିଖିଲା । ପ୍ରଥମଥର ପାଇଁ ସେଠି ପଡ଼ିଥିବା ଶହ ଶହ ଭଙ୍ଗା, ଦନ୍ଥରା, ବଟାଳି, ନିହାଣ, ମୁଗୁର, ବାରିଶି, କରତକୁ’ ଦେଖିପାରିଲା । ପ୍ରଥମଥର ପାଇଁ ସେ ଅଭିଜ୍ଞାନ ଲାଭ କଲା ଯେ:

 

 

ଅମର ହୋଇବ କାଳର କବଳେ

ଯେଣୁ ଜଣକର ନାମ

ଲକ୍ଷ ବେନାମୀ ଜୀବନରେ ତେଣୁ

ଗଢ଼ା ହେଲା ଶମଶାନ ।

(‘କୋଣାର୍କ’- ପାଣ୍ଡୁଲିପି)

 

ମାୟାକୋଭସ୍କି ଲିରିକ୍ କବିତାଉପରେ ପ୍ରଚଣ୍ଡ ଆକ୍ରମଣ କରିଥିଲେ ମଧ୍ୟ ତାଙ୍କର କବିତା ପ୍ରଚଣ୍ଡ ଗୀତିମୟ । ସେହିପରି ସଚ୍ଚିବାକୁ ଗଦ୍ୟଛନ୍ଦ, ବାକ୍‍ରୀତି ଇତ୍ୟାଦି ଉପରେ ଯଦିଓ ପାଣ୍ଡୁଲିପିର ନାନ୍ଦୀମୁଖରେ ଖୁବ ଗୁରୁତ୍ୱ ଦେଇଛନ୍ତି ତଥାପି ଏହି ଉଦ୍‌ବୋଧନ-ମୂଳକ କବିତା ଗୁଡ଼ିକ ଊନବିଂଶ ଶତାବ୍ଦୀରୁ ଗଡ଼ି ଆସିଥିବା ଓଡ଼ିଆ ଏବଂ ବଙ୍ଗଳା ପରମ୍ପରାକ୍ରମେ ଅଧିକ ଭାବାବେଗ ଏବଂ ସାଙ୍ଗୀତିକତା ଦାବୀ କରନ୍ତି । ତେଣୁ କବି ଏଠି ତାଙ୍କର ଏହି ଅତ୍ୟାଧୁନିକ ଦୃଷ୍ଟିକୁ ଅଧିକ ହୃଦୟସ୍ପର୍ଶୀ ଢଙ୍ଗରେ ଉପସ୍ଥାପନ କରିବା ପାଇଁ ବାକ୍‍ଛନ୍ଦ ପରିବର୍ତ୍ତେ କାବ୍ୟିକ ଛନ୍ଦ ବ୍ୟବହାର କରିଛନ୍ତି ଏବଂ କବିତାଟିକୁ ଯତିପାତର ଶୃଙ୍ଖଳ ପିନ୍ଧାଇଛନ୍ତି ।

 

ଅଥଚ ସେହି କବି ସେହି ଗୋଟିଏ ସଙ୍କଳନରେ ଯେତେବେଳେ ପାଶ୍ଚାତ୍ୟ ଆଧୁନିକତାର ଡିକାଡେଣ୍ଟ୍‍ ସ୍ୱର ଫୁଟାଇବାକୁ ଚେଷ୍ଟା କରିଛନ୍ତି ସେତେବେଳେ ‘ମୃତବନ୍ଦର’ ଅଥବା ‘ପ୍ରତିମାନାୟକ’ ପରି କବିତା ରଚନା କରିଛନ୍ତି । ‘ମୃତ ବନ୍ଦର’ର ବାକ୍‍ଛନ୍ଦ ଏବଂ ‘ପ୍ରତିମା ନାୟକ’ରେ କାବ୍ୟିକ ଛନ୍ଦ ସହିତ ବାକ୍‍ଛନ୍ଦର ମିଳନ ସେତିକି ଅପୂର୍ବ ଲାଗେ ଯେତିକି “କୋଣାର୍କ’ର ପାରମ୍ପରିକ ରୀତିରେ ଛନ୍ଦୋବଦ୍ଧ ଶରୀର । ଏଠି ଛନ୍ଦ ମନଇଚ୍ଛା ନିର୍ବାଚନ କରାଯାଇନାହିଁ । ବିଷୟବସ୍ତୁ ଏବଂ ଆତ୍ମିକର ଚାହିଦା ଅନୁଯାୟୀ ଭାଷା, ପ୍ରକାଶଭଙ୍ଗୀ ଏବଂ ଛନ୍ଦ ନିର୍ବାଚନ କରାଯାଇଛି । ‘କୋଣାର୍କ’, ‘ପ୍ରତିମାନାୟକ’ ଏବଂ ‘ମୃତବନ୍ଦର’- ତିନୋଟି ଯାକ କବିତାରେ ଆଧୁନିକ ଜୀବନର କ୍ଷୟିଷ୍ଣୁ ବାସ୍ତବତା ଉପରେ କଟାକ୍ଷ ରହିଛି । ବ୍ୟଙ୍ଗ ଓ ଶ୍ଳେଷ ରହିଛି । ମାତ୍ର ‘କୋଣାର୍କ’ ଏକ ଉଦ୍ୱୋଧନମୂଳକ କବିତା ହୋଇଥିବାରୁ ଏଥିରେ ସ୍ଵର ବକ୍ରଗମ୍ଭୀର । ‘ପ୍ରତିମାନାୟକ’ରେ ଶୁଣୁ ଏକାକୀତ୍ୱକୁ ବରିନେଇଥିବା ଏକ ଅଭିଯୋଗହୀନ କ୍ଷୟିଷ୍ଣୁ ନାରୀକଣ୍ଠର ଚାପାସ୍ୱର- ‘‘କଣ୍ଠେ ମୋର ବିଷର୍ଣ୍ଣ ଗୋଧୂଳି ।’’ ଏବଂ ‘ମୃତ ବନ୍ଦର’ର ସ୍ୱର ଏକ ମୃତସଭ୍ୟତାର ନୋଷ୍ଟାଲ୍‌ଜିକ୍ ଗୈରିକ ସ୍ୱର । ଆତ୍ମିକ ଓ ଆଙ୍ଗିକ ଭିତରେ ଅନବଦ୍ୟ ସମଝୋତା ଦେଖୁ ଏ ତିନୋଟି କବିତାରେ ।

 

ଶ୍ରୀ ଯତୀନ୍ଦ୍ର ମୋହନ ମହାନ୍ତି ସଚ୍ଚିବାବୁଙ୍କ କବିତାରେ ୩ଟି ପ୍ରଭାବ ଆବିଷ୍କାର କରିଛନ୍ତି । “ପ୍ରଥମ ହେଉଛି ବଙ୍ଗଳା ଓ ଓଡ଼ିଆ ରୋମାଣ୍ଟିକ୍ କବିତାର ପରମ୍ପରା । ଦ୍ଵିତୀୟ ହେଉଛି ତାଙ୍କର ପ୍ରଥମ ଜୀବନର ମାକ୍‍ସୀୟ ବିଚାରଧାରା । ପରେ ଏହି ବିଚାରଧାରା ମାର୍କ୍ସଙ୍କ ପ୍ରଭାବକୁ ଅତିକ୍ରମ କରି ଏକ ସାଧାରଣ ଜାତୀୟତାରେ ରୂପାନ୍ତରିତ ହୋଇଯାଇଛି । ତୃତୀୟ ପ୍ରଭାବ ଆଧୁନିକ କାଳର ଯନ୍ତ୍ର ସଭ୍ୟତା ଓ ଏହି ସଭ୍ୟତା-ପ୍ରସୂତ ଭଗ୍ନ, ବିଖଣ୍ଡିତ ଓ ପୀଡ଼ିତ ବ୍ୟକ୍ତି ଚେତନା । xxxx ଠିକ୍ କହିବାକୁ ଗଲେ ରାଉତରାୟଙ୍କ କବିତାରେ ଯାହା କିଛି ଶକ୍ତି, ବିଚିତ୍ରତା ଓ ଆଧୁନିକତାର ପରିଚୟ ମିଳେ ସେ କେବଳ ଏହି ତୃତୀୟ ପ୍ରଭାବ ଯୋଗୁ ହିଁ ।’’ (୨୩) ‘‘ଭଗ୍ନ, ବିଖଣ୍ଡିତ ଓ ପୀଡ଼ିତ ବ୍ୟକ୍ତି-ଚେତନା’ରୁ ହିଁ ଯେ କେବଳ “ଆଧୁନିକତାର ପରିଚୟ ମିଳେ’’ – ଏଭଳି ବିଚିତ୍ର ଘୋଷଣା ପୂର୍ବୋକ୍ତ ସେଇ ଫରାସୀ ଡିକାଡେଣ୍ଟ୍‍ମାନେ ହିଁ ପ୍ରଥମେ କରିଥିଲେ । ଆଧୁନିକତାବାଦକୁ ବୋଦେଲେୟାରଙ୍କର ମୌଳିକ ଅବଦାନ କ’ଣ ବୁଝାଇବାକୁ ଯାଇ ତାଙ୍କର ଅନ୍ୟତମ ପ୍ରତୀକବାଦୀ ସତୀର୍ଥ ଭେର୍ଲେଂ (Paul Verlaine) କହନ୍ତି, “the profound originality of Charles Baudelaire is to represent powerfully and essentially modern man." ତାପରେ ଆଧୁନିକ ମଣିଷର ଲକ୍ଷଣ ବର୍ଣ୍ଣନା କରୁଛନ୍ତି ଭେର୍ଲେଂ ‘‘Modern man, made what he is by the refinements of excessive civilization, modern man with his sharpened and vibrant senses, his painfully subtle mind, his brain saturated with tobacco, and his blood poisoned by alcohol."(୨୪) ଯତୀନ୍‌ବାବୁ କେବଳ ଭେର୍ଲେଂଙ୍କ ‘ଆଧୁନିକ ମଣିଷ’ର ଚେତନାକୁ ସଂକ୍ଷେପରେ ପ୍ରକାଶ କରିଛନ୍ତି । ଏଠି ଗୋଟିଏ ଓଡ଼ିଆ ଲୋକଗଳ୍ପ ମନେ ପଡ଼ିଯାଏ । ଗ୍ରାମର ଶ୍ରେଷ୍ଠ ବ୍ରାହ୍ମଣ ପୁରୋହିତ ପିତାଙ୍କ ଶ୍ରାଦ୍ଧକର୍ମ କରୁଥିବା ବେଳେ ଗୋଟିଏ କୁକୁର ବାରମ୍ବାର ସେଠି ପହଞ୍ଚି ବିଘ୍ନ ଉପୁଜାଇବାରୁ ବିରକ୍ତ ହୋଇ ପୁରୋହିତ ତାକୁ ନିକଟସ୍ଥ ଖୁଣ୍ଟରେ ବାନ୍ଧି ଦେଲେ । ସେବେଠାରୁ ଆଖପାଖ ଗାଁଗଣ୍ଡାରେ ଯେଉଁଠି ପିତୃ ଶ୍ରାଦ୍ଧକାର୍ଯ୍ୟ ଅନୁଷ୍ଠିତ ହେଲା ସେଠି ଗୋଟିଏ ଖୁଣ୍ଟ ପୋତି ସେଥିରେ ଗୋଟିଏ କୁକୁର ବାନ୍ଧିବା ଏକ ଅପରିହାର୍ଯ୍ୟ କର୍ମକାଣ୍ଡରେ ପରିଣତ ହେଲା । କାରଣ, ପ୍ରଚାରିତ ହୋଇଯାଇଥିଲା ଯେ ଅଞ୍ଚଳର ସବୁଠାରୁ ଅଧିକ ଶାସ୍ତ୍ରବିତ୍ ପୁରୋହିତ ସ୍ଵୟଂ ନିଜ ପିତାଙ୍କ ଶ୍ରାଦ୍ଧ ବେଳେ ସେହିପରି କରିଥିଲେ । ବୋଦେଲେୟାରଙ୍କ ‘ପୀଡ଼ିତ ବ୍ୟକ୍ତି ଚେତନା’ର ଉତ୍ସ ତାଙ୍କର ବ୍ୟକ୍ତିଗତ ଜୀବନର ଦୁର୍ଘଟଣା । ମାତ୍ର ତାହା ହିଁ ଆଧୁନିକତାର ଅପରିହାର୍ଯ୍ୟ ଉପସର୍ଗ ବୋଲି ଧରିନିଆଗଲା । ସମସାମୟିକ ଇଉରୋପ କଥା ଛାଡ଼ନ୍ତୁ, ସମସାମୟିକ ଫ୍ରାନ୍ସରେ ମଧ୍ୟ ଏଭଳି ଗୁଣ ଚିନ୍ତା ବିରୁଦ୍ଧରେ ବିଦ୍ରୋହ ହୋଇଛି । ସେତେବେଳେର ଫରାସୀ ସମୀକ୍ଷକଗଣ ବୋଦେଲେୟାରଙ୍କ କବିତାକୁ ‘ମଢ଼ା କବିତା’ (Caracass poetry) ଆଖ୍ୟା ଦେଇଛନ୍ତି । ସରକାର ତାଙ୍କର ସମଲିଙ୍ଗୀ ନାରୀ ସଂଭୋଗ ସମ୍ପର୍କୀୟ କବିତାକୁ ଶାଳୀନତା ବିରୋଧୀ ବୋଲି ବ୍ୟାଜ୍ୟାପ୍ତ କରିଛନ୍ତି । ସେତେବେଳେ ମଧ୍ୟ ତଥାକଥିତ ଯୁଗଯନ୍ତ୍ରଣା (fin de siecle) କେବଳ ଏହି ଭଳି କିଛି ଉତ୍‍ଶୃଙ୍ଖଳ ଯୁବ କବିଙ୍କୁ ସଂକ୍ରମିତ ହୋଇଥିଲା । ସେମାନଙ୍କର ସମସାମୟିକ ଭିକ୍ଟର ହ୍ୟୁଗୋ, ଫ୍ଲବେୟାର ଇତ୍ୟାଦି ମଧ୍ୟ ସ୍ଥିତାବସ୍ଥା ବିରୁଦ୍ଧରେ ବିଦ୍ରୋହ କରିଛନ୍ତି । ମାତ୍ର ସେହି ବିଦ୍ରୋହ ପାଇଁ ‘ପୀଡ଼ିତ ବ୍ୟକ୍ତି-ଚେତନା’ ଅପରିହାର୍ଯ୍ୟ ବୋଲି ଅନୁଭବ କରିନାହାନ୍ତି । ଏଭଳି ଭାବନା କେବଳ ସେ ସମୟର କିଛି ପୀଡ଼ିତ ମସ୍ତିଷ୍କରୁ ବାହାରିଛି । ପଣ୍ଡିତପୁଅ ଦେଖାଦେଖି ଗାଁ ଲୋକେ ଖୁଣ୍ଟରେ କୁକୁରବାନ୍ଧି ପିତୃଶ୍ରାଦ୍ଧ କରିବା ଭଳି କାବ୍ୟକବିତାରେ ‘ଆଧୁନିକତା’ ଫୁଟାଇବା ପାଇଁ ଫରାସୀ ପ୍ରତୀକବାଦୀଙ୍କୁ ଅକ୍ଷରେ ଅକ୍ଷରେ ଅନୁସରଣ କରି ‘ପୀଡ଼ିତ ବ୍ୟକ୍ତି ଚେତନା’କୁ ଅପରିହାର୍ଯ୍ୟ ଧରାଯାଉଛି । ଅଧ୍ୟାପକ ମହାନ୍ତିଙ୍କ ମତରେ ସଚ୍ଚିବାବୁଙ୍କ ‘ଶ୍ରେଷ୍ଠ କବିତାର ଭିତ୍ତିଭୂମି ବିଦ୍ରୋହ ନୁହେଁ ବିଦ୍ରୁପ ।’ ଆଦର୍ଶ ବିଦ୍ରୁପ ପୁଣି ତାଙ୍କ ମତରେ ‘ସହଜ-ଜ୍ଞାନପ୍ରସୂତ’ ହେବା ଉଚିତ ନୁହେଁ । ଏହା ‘ଗଭୀର ଚିନ୍ତା, ବିଚାର ଓ ବୁଦ୍ଧିର ଭିତ୍ତି’ ସୂଚିତ କରୁଥିବା ଦରକାର । (୨୫) ଅଧ୍ୟାପକ ମହାନ୍ତି ଏବଂ ତାଙ୍କର କିଛି ପଶ୍ଚିମା ଗୁରୁମାନଙ୍କର ଏତାଦୃଶ ପ୍ରଦର୍ଶିତ ‘ସହଜ ଯୋଗାସନ ଶିକ୍ଷା’ ଅବଲମ୍ବନକରି ବହୁ କବି, ଗାଳ୍ପିକ ନିଜ ଲେଖାରେ ଆଧୁନିକତା ଫୁଟାଇବା ପାଇଁ ଗଳଦ୍‍ଘର୍ମ ବ୍ୟାୟାମ ଚଳାଇଲେ । ଶୀତତାପ ନିୟନ୍ତ୍ରିତ ସରକାରୀ ଦପ୍ତର ଅଥବା ଡ୍ରଇଂରୁମ୍ ଅଥବା କଲେଜ କମନ୍‍ରୁମ୍‍ର ଫ୍ୟାନ୍ ତଳେ ବସି ଭଗ୍ନ ବିଖଣ୍ଡିତ ଓ ପୀଡ଼ିତ ବ୍ୟକ୍ତି ଚେତନା’ଟାଏ ହାସଲ କରିବାକୁ ଏବଂ ବିଦ୍ରୁପସର୍ବସ୍ୱ ହେବାକୁ ଯୋଗ ସାଧିଲେ । ସତରେ ଏହି ଭଳି ଉପାୟରେ ହିଁ କେବଳ ଆଧୁନିକ କବିତାକୁ “ପ୍ରଗତିଶୀଳ’ କବିତାର ‘‘କୃତ୍ରିମ ଆନ୍ତରିକତା, ସଂକୀର୍ଣ୍ଣ ଦୃଷ୍ଟିଭଙ୍ଗୀ, ଅସ୍ପଷ୍ଟ ଚିନ୍ତା ଓ ଦୁର୍ବଳ ରେଟରିକ୍” କବଳରୁ ରକ୍ଷା କରିହେବ ! ଅଳମତି ବିସ୍ତରଣ । ଅଧ୍ୟାପକ ମହାନ୍ତିଙ୍କ ଯୁକ୍ତି ମାନଙ୍କର ପ୍ରତିଧ୍ୱନୀ ଶୁଣିବାକୁ ମିଳେ ଆଉ କେତେଜଣ ଅଧ୍ୟାପକଙ୍କ ସଚିରାଉତରାୟ ବିରୋଧୀ ଆଲୋଚନାରେ । (୨୬) ଏମାନେ ମଧ୍ୟ ସମାନଭାବେ ଅଭିଯୋଗ କରନ୍ତି ଯେ ସଚ୍ଚିବାବୁଙ୍କ ସାହିତ୍ୟ ରୋମାଣ୍ଟିସିଜିମ୍‍ର ଭାଇରସ୍ ଦ୍ଵାରା ଦୂଷିତ । ଅଧ୍ୟାପକ ମହାନ୍ତିଙ୍କ ମତରେ ‘ପଲ୍ଲୀଶ୍ରୀ’ ଲେଖା ହେବାବେଳୁ ‘କବିତା ୧୯୬୨’ ଲେଖା ହେବା ପର୍ଯ୍ୟନ୍ତ ସଚ୍ଚିବାବୁ ରୋମାଣ୍ଟିସିଜିମ୍‍ରୁ ନିଜକୁ ମୁକ୍ତ କରିପାରିନାହାନ୍ତି । “ପାଣ୍ଡୁଲିପି” ଓ “କବିତା ୧୯୬୨ ଇତ୍ୟାଦିର ଗୋଟାଏ ଅଧେ କବିତା ଛଡ଼ା ସଚ୍ଚିବାବୁଙ୍କର ଆଉ ସବୁ କବିତା ରୋମାଣ୍ଟିକ୍ ବ୍ୟାଧିରେ ପୀଡ଼ିତ ଅନ୍ୟଥା ‘‘ଆଜି ତାଙ୍କୁ ଯୁଗସ୍ରଷ୍ଟା କବି ଭାବରେ ଗ୍ରହଣ କରିନେବା ପାଇଁ ଆପତ୍ତି ରହନ୍ତା ନାହିଁ ।’’ (୨୭) ‘ଆଧୁନିକ’ ବୋଲି ଦାବୀ କରୁଥିବା କବିମାନଙ୍କ କୃତି ଭିତରୁ ଏହିଭଳି ଖୁଣ୍ଟିନାଣ୍ଟି ରୋମାଣ୍ଟିସିଜିମ୍‍ ଭାଇରସ୍‌ଙ୍କୁ ଚିହ୍ନଟ କରୁଥିବା ଅଧ୍ୟାପକମାନଙ୍କୁ ବୋଧେ ଆଖି ଆଗରେ ରଖି ଅଧ୍ୟାପକ ଏଲିୟଟ୍ ନିମ୍ନଲିଖିତ ମନ୍ତବ୍ୟଟି ଦେଇଥିଲେ :

 

“these names (romanticists or ‘classicists’) which groups of writers and artists give themselves are the delight of professors and historians of literature, but should not be taken very seriously xxx No sensible author, in the midst of something that he is trying to write, can stop to consider whether it is going to be romantic or the opposite. At the moment when one writes, one is what one is, XXX !”?(୨୮) ଅଧିକ ମନ୍ତବ୍ୟ ନିଷ୍ପ୍ରୟୋଜନ ।

 

କୌଣସି ଫର୍ମାରେ ପଡ଼ି ତିଆରି ହେଉଥିବା ବ୍ୟକ୍ତିତ୍ୱ ଏକ ସର୍ଜନଶୀଳ ବ୍ୟକ୍ତିତ୍ୱ ନୁହେଁ । ଏକ ସର୍ଜନଶୀଳ ବ୍ୟକ୍ତିତ୍ଵ ପ୍ରଚଳିତ ବ୍ୟାକରଣର ନିୟମମାନଙ୍କୁ ଯଥାସମ୍ଭବ ମାନିଥାଏ ପୁଣି ଯଥାସମ୍ଭବ ଭାଙ୍ଗିଥାଏ । ଆଉ ଶେଷରେ ଏହି ଭଙ୍ଗାଗଢ଼ା ଦେଇ ସୃଷ୍ଟିକରିଥାଏ ଏକ ନିଜସ୍ୱ ବ୍ୟାକରଣ । ସେଥିପାଇଁ ଆମେ ୱାଡ଼୍‌ସ୍‌ଓ୍ୱାର୍ଥଙ୍କ ଭଳି ବିଶ୍ୱାସକରୁ ଯେ, ‘‘Every great and original writer, in proportion as he is great and original, must himself create the taste by which he is to be relished.’’(୨୯) ।

 

ସେହିଭଳି ‘Objective Correlative’, ‘Unification of sensibility’ ଇତ୍ୟାଦି ପ୍ରଶ୍ନ ଅଧ୍ୟାପକ ମହାନ୍ତି ଆଧୁନିକତାବାଦ ଆଲୋଚନା ପ୍ରସଙ୍ଗରେ ନୂତନ କବିତାର ‘ଭୂମିକା’ ଓ ତାଙ୍କର ପୂର୍ବୋକ୍ତ ଆଲୋଚନାମାନଙ୍କରେ ଏପରି ଉଠାଇଛନ୍ତି ହଠାତ୍ ଧାରଣା ହେବ ଯେ ସେଗୁଡ଼ିକ ହିଁ ‘ଆଧୁନିକତାବାଦ’ର ପ୍ରଧାନ ଶକୁନ । ମାତ୍ର ସେ ସୂଚନା ଦେଇଛନ୍ତି ଏବଂ ସାହିତ୍ୟର ଯେକୌଣସି ସ୍ନାତକ ଛାତ୍ର ମଧ୍ୟ ଜାଣେ ଯେ ଏଲିୟଟ୍ ଯଥାକ୍ରମେ ‘Hamlet’ ନାଟକ ଏବଂ ସପ୍ତଦଶ ଶତାବ୍ଦୀ ଇଂରେଜ metaphysical poetsଙ୍କ ସମ୍ପର୍କରେ ଆଲୋଚନା କରିବାକୁ ଯାଇ ଏ ସମ୍ପ୍ରତ୍ୟୟ ଗୁଡ଼ିକ ବ୍ୟବହାର କରିଥିଲେ । ଅର୍ଥାତ୍, କେବଳ ଆଧୁନିକ କବିତା ନୁହେଁ ତାଙ୍କ ମତରେ କାଳ ନିର୍ବିଶେଷରେ ଯେକୌଣସି ଭଲ ସର୍ଜନଶୀଳ ସାହିତ୍ୟର ଏହା ଅପରିହାର୍ଯ୍ୟ ଲକ୍ଷଣ ।

 

ଏଲିୟଟଙ୍କର ଏହି ମତ ତର୍କ ସାପେକ୍ଷ । ଏହା ଏପର୍ଯ୍ୟନ୍ତ ବିବଦମାନ ହୋଇ ରହିଛି । ସେ ନିଜେ ମଧ୍ୟ ନିଜ ମତ ପରବର୍ତ୍ତୀ କାଳରେ ବଦଳାଇଛନ୍ତି । objective correlatives ସମ୍ପ୍ରତ୍ୟକୁ ନେଇ ଉଠିଥିବା ଝଡ଼କୁ ଲକ୍ଷ୍ୟକରି ସ୍ଵୟଂ ଏଲିୟଟ୍ ୧୯୫୬ ମସିହାରେ ମନ୍ତବ୍ୟ ଦେଇଛନ୍ତି, It is one of those ‘‘notorious phrases which have has a truly embarrassing success in the world.’’ ଦ୍ୱିତୀୟତଃ, କଡ଼ାକଡ଼ି ଭାବେ ଦେଲେ ଏଗୁଡ଼ିକ ନିରୂତା ସାହିତ୍ୟତତ୍ତ୍ୱ ନୁହନ୍ତି । ବରଂ ମନସ୍ତତ୍ତ୍ୱ ବିଦ୍ୟାଶୃଙ୍ଖଳ ଅନ୍ତର୍ଭୁକ୍ତ । ଯେକୌଣସି ସର୍ଜନଶୀଳ ବ୍ୟକ୍ତିର ସୃଷ୍ଟି ପ୍ରକ୍ରିୟା ପ୍ରତି ଏହା ପ୍ରଯୋଜ୍ୟ ହୋଇପାରେ ।

 

ଆଲୋଚନା ଦୀର୍ଘ ହୋଇଯିବା ଭୟରେ ଆମେ ଏଦିଗରେ ଅଧିକ ଆଗଉ ନାହୁଁ । ‘ ଆଧୁନିକତାର ଆଙ୍ଗିକ' ଶୀର୍ଷକରେ ଏ ସମ୍ପର୍କରେ ବାରାନ୍ତରେ ଆଲୋଚନା କରାଯିବ । Romanticism, objective correlatives ଅଥବା unification of sensibility ସମ୍ପର୍କରେ ଅଧ୍ୟାପକ ମହାନ୍ତିଙ୍କ ‘ଅକାଟ୍ୟ ମତ’ ଓଡ଼ିଆ ସମୀକ୍ଷକମାନଙ୍କ ମନକୁ ଏପରି ପାଇଯାଇଥିଲା ଯେ ସଚ୍ଚିବାବୁଙ୍କ ସମେତ ଓଡ଼ିଆ ଆଧୁନିକତାବାଦର ଆଲୋଚନା କରିଥିବା ପ୍ରାୟ ସବୁ ସମୀକ୍ଷକ ଖାଣ୍ଟି ଆଧୁନିକତାବାଦ ପରୀକ୍ଷା କରିବା ନିମିତ୍ତ ଏ ସମ୍ପ୍ରତ୍ୟୟ ଗୁଡ଼ିକୁ ଅର୍ଦ୍ଧଶତାବ୍ଦୀ ହେଲା ଲାକ୍ଟୋମିଟର ଭଳି ବ୍ୟବହାର କରି ଆସୁଛନ୍ତି । ତେବେ କହିବା ବାହୁଲ୍ୟ ମାତ୍ର ଯେ ସାହିତ୍ୟ ବିଦ୍ୟା ଏ ଅର୍ଦ୍ଧଶତବର୍ଷ ଭିତରେ ଯଥେଷ୍ଟ ପ୍ରଗତି କଲାଣି । ପୁଣି Orientalism ତତ୍ତ୍ୱର ପ୍ରବକ୍ତା ସୟେଦ୍ (Edward Said)ଙ୍କଠାରୁ ଆରମ୍ଭ କରି ‘ଦେଶୀବାଦ’ର ପ୍ରସିଦ୍ଧ ପ୍ରବକ୍ତା ନେମାଡ଼େ (ବାଲିଚନ୍ଦ୍ର ନେମାଡେ)ଙ୍କ ପର୍ଯ୍ୟନ୍ତ ତଥାକଥିତ ତୃତୀୟ ବିଶ୍ୱର ସମୀକ୍ଷକମାନେ ଯେତେବେଳେ ପାଶ୍ଚାତ୍ୟ ସମୀକ୍ଷା ପଦ୍ଧତିରୁ ‘ସ୍ଵରାଜ ଘୋଷଣା କଲେଣି ଓ ଏକ ନୂତନ ଅଣଉପନିବେଶବାଦୀ ସାହିତ୍ୟବିଦ୍ୟାର ଅନ୍ୱେଷଣରେ ଲାଗିଲେଣି ସେତେବେଳେ ପାଶ୍ଚାତ୍ୟ ଦୃଷ୍ଟି ଅଥବା ପାଶ୍ଚାତ୍ୟ ପଦ୍ଧତିକୁ ଅନ୍ଧାନୁକରଣର କିଛି ମାନେ ହୁଏନା । ଏହି ପରିପ୍ରେକ୍ଷୀରେ ଆମେ ଶ୍ରୀ ନେମାଡେଙ୍କ ସହିତ ଏକମତ ଯେ, ‘‘The greatness of a literary movement or an author is not decided by international standards; it is determined by how many functions ranging from spiritual elevation to linguistic experimentation it serves.’’(୩୦)

 

ସଚ୍ଚିବାବୁ ଯେପରି ଏଲିୟଟଙ୍କ ଦ୍ୱାରା ପ୍ରଭାବିତ ହୋଇଛନ୍ତି ଏଲିୟଟ୍ ମଧ୍ୟ ବୋଦେଲେୟାରଙ୍କ ଠାରୁ ଆରମ୍ଭ କରି ନିଜର ସମସାମୟିକ ସତୀର୍ଥ ସାଁ ଯାଁ ପର୍ସଙ୍କ ପର୍ଯ୍ୟନ୍ତ ଫରାସୀ ଆଧୁନିକତାବାଦୀଙ୍କ ଦ୍ୱାରା ଗଭୀର ଭାବେ ପ୍ରଭାବିତ ହୋଇଛନ୍ତି ବୋଲି ବିନା ସଙ୍କୋଚରେ ସ୍ୱୀକାର କରିଛନ୍ତି । ବିଦେଶୀ ପ୍ରଭାବର ଅନ୍ଧାନୁକରଣ ଏବଂ ପରିଗ୍ରହଣ ଦୁଇଟି ଅଲଗା ଜିନିଷ । ଆଧୁନିକତାର ମଳୟ ଏବଂ ବୈଶାଖୀ- ଉଭୟ ତୃତୀୟ ବିଶ୍ୱକୁ ବୋହିଛି ପାଶ୍ଚାତ୍ୟଭୂମିରୁ । ପାଶ୍ଚାତ୍ୟ ଅଥବା ଅନ୍ୟ ଯେକୌଣସି ବିଦେଶୀ ଖାଦ୍ୟ ପ୍ରତି ଶ୍ରଦ୍ଧା କିଛି ପାପ ନୁହେଁ । ମାତ୍ର ଏହାକୁ ଆତ୍ମୀକରଣ କରି ରକ୍ତରେ ପରିଣତ କରିବା ଏବଂ ଅନ୍ୟପକ୍ଷରେ ବଦ୍‍ହଜମିରେ ଆକ୍ରାନ୍ତ ହୋଇ ସେ ଖାଦ୍ୟକୁ ଗୋଟା ଗୋଟା ବମନ କରିବା ଭିନ୍ନକଥା । ସଚ୍ଚିବାବୁଙ୍କ କ୍ଷେତ୍ରରେ ଆମେ ଏହିଭଳି ସର୍ଜନଶୀଳ ଆତ୍ମୀକରଣ ଏବଂ ଅଧ୍ୟାପକ ମହାନ୍ତିଙ୍କ ଭଳି କିଛି ସମାଲୋଚକଙ୍କ କ୍ଷେତ୍ରରେ ଅଜୀର୍ଣ୍ଣ ବମନର ଦୃଷ୍ଟାନ୍ତ ଦେଖୁ ।

 

ସଚ୍ଚି ରାଉତରାୟ ମହାସମନ୍ୱୟର କବି । ଉପନିଷଦ ଭାଷାରେ କହିଲେ ‘ଏକାୟନ’ର କବି । ନିଜର ଏହି ଐତିହାସିକ ଦାୟିତ୍ୱ ସମ୍ପର୍କରେ ମୂଳରୁ ସଚେତନ ଜଣେ କବି । କାଳାନ୍ତର ଦ୍ରଷ୍ଟା ଜଣେ ସାରସ୍ୱତ କର୍ମୀ ହିସାବରେ ସେ ନିଜର ଆଜେଣ୍ଡା ଘୋଷଣା କରିଯାଇଥିଲେ ସ୍ପଷ୍ଟ ଭାଷାରେ : “ଆମ ଓଡ଼ିଆ ସାହିତ୍ୟରେ ସବୁ ଦିଗରୁ ଐତିହାସିକ ବସ୍ତୁବାଦୀ ଚେତନାର ପ୍ରବର୍ତ୍ତନ ଏବଂ ଆଧୁନିକ କାବ୍ୟ ଆନ୍ଦୋଳନ ଓ ବିଶ୍ୱ-ସାହିତ୍ୟର ଅନ୍ୟାନ୍ୟ କ୍ଷେତ୍ରରେ ଘଟିଥିବା ବୈପ୍ଳବିକ ପରିବର୍ତ୍ତନ ସଙ୍ଗେ ଓଡ଼ିଆ ସାହିତ୍ୟକୁ ସମନ୍ୱିତକରିବା ପ୍ରଚେଷ୍ଟା ଏକ ଐତିହାସିକ ଦାୟିତ୍ୱରୂପେ ମୋ ଜୀବନରେ ଗୃହୀତ ହୋଇଛି ।’’ (୩୧)

 

‘ଚେତନାର ସମନ୍ୱୟ’ କହିଲେ ସେ ଧାରକରା କୌଣସି ସଙ୍କର୍ଣ୍ଣ ଆଙ୍ଗିକଗତ ସମନ୍ୱୟକୁ କେବଳ ବୁଝୁନଥିଲେ । ‘‘ଗଢ଼ିବାକୁ ଦୁଇ ସଭ୍ୟତାର ସଙ୍ଗମସାଗର / ଶଙ୍ଖ କ୍ଷେତ୍ର ମହାମାନବର / ମୁଁ ନିମିତ୍ତ ମାତ୍ର’’ - ଗାଇଥିବା କବିଙ୍କ ପାଇଁ ଚେତନାର ସମନ୍ୱୟ ଥିଲା ବହୁ ବ୍ୟାପକ, ବହୁ ଆୟୋମବିଶିଷ୍ଟ । ଜୀବନ ଚର୍ଯ୍ୟା ସହିତ ସାରସ୍ଵତ କର୍ମର, ପରମ୍ପରା ସହିତ ଆଧୁନିକତାର, ଆଧୁନିକତା ସହିତ ଆଧୁନିକତାବାଦର ସେ ମହା ସମନ୍ୱୟ ଆଣିଛନ୍ତି । ଆନ୍ତର୍ଜାତିକ ଆଧୁନିକତାବାଦର ତ୍ରିଧାରାକୁ ଓଡ଼ିଶା ମାଟିରେ ମହାସଙ୍ଗମ ଘଟିଛି ତାଙ୍କରି ପାଇଁ । ବହୁପ୍ରସ୍ଥ ବିଷୟବସ୍ତୁ ସହିତ ବହୁବର୍ଣ୍ଣ ଆଙ୍ଗିକର ମଣିକାଞ୍ଚନ ସଂଯୋଗ ମଧ୍ୟ ଘଟାଇଛନ୍ତି ପ୍ରଥମେ ସଚ୍ଚିବାବୁ । ତେଲପାଣିର ମିଶ୍ରଣ ପରି ତାଙ୍କର ସମନ୍ୱୟ ନଥିଲା କୌଣସି ଯାନ୍ତ୍ରିକ ମିଶ୍ରଣ, ଭେଜାଲ ସମନ୍ୱୟ । ତାଙ୍କର ଯାଦୁକରୀ ଆଲ୍‍କେମିଷ୍ଟ ପ୍ରତିଭା ରସଶାସ୍ତ୍ରକୁ ଏକ ବିଚିତ୍ର ରସାୟନ ଶାସ୍ତ୍ରରେ ରୂପାନ୍ତରିତ କରିପାରିଥିଲା । ସୃଷ୍ଟି ହୋଇଥିଲା ଏକ ନୂତନ ସ୍ୱାଦର ଓଡ଼ିଆ ଆଧୁନିକତାବାଦ ।

 

ସଚ୍ଚିବାବୁ ସବୁ ଅର୍ଥରେ ଏଇ ଓଡ଼ିଆ ଆଧୁନିକତାବାଦର ଅଗ୍ରଗାମୀ ପତାକାବାହୀ- ତାର avant garde । ରେମଣ୍ଡ୍ ଉଇଲିୟମ୍‍ସ୍‍ଙ୍କ ଭାଷାରେ କହିଲେ ସଚ୍ଚି ରାଉତରୀୟ ଆଭଁଗାର୍ଦେର ମୁଖ୍ୟ ଲକ୍ଷଣ ତାର aggressive dynamism –ତାର ଦୁର୍ଦ୍ଧର୍ଷ ଗତିଶୀଳତା-

 

ସେ ମୋର ଦଶାର୍ଣ

ଗ୍ରାମ ।

ନାମ

ମେଲବୋର୍ଣ ।

ମୋ ପ୍ରିୟନଗରୀ ।

(ସ୍ମୃତିଲେଖା, କବିତା ୧୯୬୨)

 

ଦେଶ କାଳର ହିଡ଼ବାଡ଼ ଡେଇଁ କାଳିଦାସର ଦର୍ଶାର୍ଣ ଆଉ ଅଷ୍ଟ୍ରେଲିଆର ମେଲବୋର୍ଣ ଭିତରେ ଏକାୟନ ଆଣିପାରେ, ଉଭୟକୁ ମିଶାଇ ନିଜପାଇଁ ନିବିଡ଼ ନୀଡ଼ଟିଏ ଗଢ଼ିଦେଇପାରେ କେବଳ ସଚ୍ଚିରାଉତରାୟ ଭଳି ଏକ ଦୁର୍ଦ୍ଧର୍ଷ ଗତିଶୀଳ କବି ବ୍ୟକ୍ତିତ୍ୱ । ‘ଚରୈବେତି’ର ସେହି ଅଶାନ୍ତସ୍ଵର କେବଳ ଘୋଷଣା କରିପାରେ- ‘‘ଆଧୁନିକର ଲକ୍ଷ୍ୟ ଆଧୁନିକତର ।”(୩୨)

 

ଯେ ପର୍ଯ୍ୟନ୍ତ ଓଡ଼ିଆ ସାରସ୍ୱତ ଜଗତରେ ରହିଥିବ ଉତ୍ତରଣ ପାଇଁ ଏକ ଚଳମାନ ତିତୀର୍ଷା, ଆଧୁନିକରୁ ଆଧୁନିକତର ହେବା ପାଇଁ ଏକ ଅନିବାର ଅଭିସ୍ପା, ଓଡ଼ିଆ ଭାଷା ସାହିତ୍ୟର ସର୍ବଶେଷ କାଳାନ୍ତର ପୁରୁଷ ସଚ୍ଚି ରାଉତରାୟ ହିଁ ତାର ଆର୍କିଟାଇପ୍ ହୋଇ ରହିଥିବେ- ସେହି ଏକାୟନଧର୍ମୀ ଦୁର୍ଦ୍ଧର୍ଷ ଗତିଶୀଳତାର ଆର୍କିଟାଇପ୍ ।

 

ଟିପ୍ପଣୀ

 

୧.

ଉତ୍ତରକକ୍ଷ (ପ୍ରଥମାର୍ଦ୍ଧ), କଟକ, ଗ୍ରନ୍ଥମନ୍ଦିର, ୧୯୯୮, ପୃ. ୧୩୫.୩୬

୨.

ମାୟାଧର ମାନସିଂହ, ଓଡ଼ିଆ ସାହିତ୍ୟର ଇତିହାସ, କଟକ, ଗ୍ରନ୍ଥମନ୍ଦିର, ୧୯୯୬ (୧୯୬୭) ପୃ୩୨୪.

୩.

E Thomas Kuhn, The structure of scientific Revolutions, Chicogo, The University of Chicago press, 1962 ଏବଂ କୁନ୍‍ଙ୍କ ପାରାଡାଇମ୍ ତତ୍ତ୍ୱ ଉପରେ ହୋଇଥିବା ଏକ ସମ୍ପାନର ଲେଖା ସମ୍ୱଳିତ ପୁସ୍ତକ, I.Lakatos ଏବଂ A. Musgrave ସମ୍ପାଦିତ Criticism and Growth of Knowledge, Cambridge, Cambridge Univ. Press, 1970 ପଠିତବ୍ୟ । ସ୍ଥୂଳତଃ ମୌଳିକ ଜ୍ଞାନକୁ । ପାରାଡାଇମ୍ କୁହାଯାଇପାରେ । ସାଧାରଣ ବିଜ୍ଞାନ (normal science) ବିଜ୍ଞାନ କ୍ଷେତ୍ରରେ ସାଧାରଣ ପରିବର୍ତ୍ତନ ପାଇଁ ଦାୟୀ-। ନିଉଟନ୍, ଆଇନ୍‌ଷ୍ଟାଇନ୍‍ଙ୍କ ପରି ବହୁ ଯୁଗରେ ଥରେ ଆସୁଥିବା କାଳାନ୍ତର ସ୍ରଷ୍ଟା ଏକ ଅଭିନବ ମୌଳିକରୂପ ବା ପାରାଡାଇମ୍ ସୃଷ୍ଟି କରିଥାଆନ୍ତି । ପାରାଡାଇମ୍‍କୁ ମଧ୍ୟ କୁନ୍ ‘a way of seeing’ ଏବଂ ନୂଆ ପାରାଡାଇମ୍ ସୃଷ୍ଟିକୁ “reseeing’ ଆଖ୍ୟାଦିଅନ୍ତି । ଏ ପୁନଃଦର୍ଶନ ବାସ୍ତବରେ ଏକ ସମନ୍ୱୟକ୍ଷମ ଅନୁଭୂତି ଯାହାକୁ କୁନ୍ gestalt figure ନାମକରଣ କରନ୍ତି । ଏବେ ସମାଜବିଜ୍ଞାନ ଏବଂ ଅନ୍ୟାନ୍ୟ ବିଦ୍ୟାଶୃଙ୍ଖଳାରେ ମଧ୍ୟ ନୂଆ ପ୍ରରୂପ ସୃଷ୍ଟି ପ୍ରସଙ୍ଗରେ ଭୌତିକ ବିଜ୍ଞାନୀ କୁନ୍‍ଙ୍କର ଏହି ତତ୍ତ୍ୱ ପ୍ରୟୋଗ କରାଯାଉଛି ।

୪.

J. Hayward (ed) Selected Prose of T.S.Eliot, London, Penguin Books, 1958, p.224.

୫.

R.Williams, The Politics of Modernism, London, Verso, 1989, 66 Tony Pinkney ଙ୍କ ଭୂମିକା (ପୃ.୩)

୬.

Krishan Kumar, The Rise of Modern Societys, Oxford, Basil Blackwell, 1988, P3.

୭.

Paul Johnson, The Birth of the Modern, USA, Harper Collins, 1991, p.xvii

୮.

J.F. Lyotard, The Postmodern Condition: A Report on Knowledge, Manchester, Manchester Univ. Press, Anthony giddens, The Consequences of Modernity, (Combridge, Polity Press, 1990 ଏବଂ Michael Puseyଙ୍କର Jurgeu Habermas, Chich ester, Ellis Horwood, 1987 ଦ୍ରଷ୍ଟବ୍ୟ ।

୯.

ସଚ୍ଚିଦାନନ୍ଦ ରାଉତରାୟ, ପାଣ୍ଡୁଲିପି, କଟକ, ଉତ୍କଳବୁକ୍ ଏଜେନ୍‌ସି, ୧୯୪୭, କୃତିସମର୍ପଣ ଓ ନାନ୍ଦୀମୁଖ ଦ୍ରଷ୍ଟବ୍ୟ ।

୧୦.

Charles Baudelaire, The Flowers of Evil, Oxford, Oxford Univ Press, 1993, Quoted by Jonathan Culler in the Introduction, P.xxxvi.

୧୧.

ଉଦ୍ଧୃତ, B.Bergonzi, TS.Eliot, London, Machmillan, 1978, p.113.

୧୨.

ଉରରକକ୍ଷ, (ପ୍ରଥମାର୍ଦ୍ଧ, ପୃ.୬)

୧୩.

ଉତ୍ତରକକ୍ଷ (ପ୍ରଥମାର୍ଦ୍ଧ) ପୃ.୬)

୧୪.

ଉତ୍ତରକକ୍ଷ (ଦ୍ଵିତୀୟାର୍ଦ୍ଧ) ପୃ.୬୯୩

୧୫.

ଉତ୍ତରକକ୍ଷ (ପ୍ରଥମାର୍ଦ୍ଧ) ପୃ, ୪୦

୧୬.

ଉତ୍ତରକକ୍ଷ (ଦ୍ଵିତୀୟାର୍ଦ୍ଧ) ପୃ ୬୯୨

୧୭.

G.V. Plekhanov, Art and Social Life, Bombay, People’s Publishing House, 1953, p. 190.

୧୮.

ଉତ୍ତରକକ୍ଷ (ପ୍ରଥମାର୍ଦ୍ଧ), ପୃ. ୫୬

୧୯.

ସଚ୍ଚିଦାନନ୍ଦ ରାଉତରାୟ (ଅନୁବାଦ), ମାୟାକୋଭସ୍କି କବିତା ସଂଗ୍ରହ, କଟକ, ୧୯୬୫ ପୃ.୮

୨୦.

ଏଜନ, ପୃ. ୨

୨୧.

ଯତୀନ୍ଦ୍ର ମୋହନ ମହାନ୍ତି, ପ୍ରଜ୍ଞାସାହିତ୍ୟ, କଟକ, ଗ୍ରନ୍ଥମନ୍ଦିର, ୧୯୬୭, ପୃ. ୯୫-୯୬

୨୨.

ଏଜନ, ପୃ ୯୬

୨୩.

ମହାନ୍ତି, ଏଜନ, ପୃ. ୯୫

୨୪.

ଉଦ୍ଧୃତ, Culler, Charles Baudelaire, P. xxv.l

୨୫.

ମହାନ୍ତି, ଏଜନ

୨୬.

ପ୍ରଫୁଲ୍ଲ କୁମାର ଜଗଦ୍ଦେବ (ସଂ), ସଚ୍ଚି ରାଉତରାୟଙ୍କ କବିତା ୧୯୩ ୧-୧୯୭୪, କଟକ, ଜଗଦ୍ଦେବ ପବ୍ଲିକେଶନ୍‌ସ୍, ୧୯୭୭ରେ ଶ୍ରୀ ରବିଶଙ୍କର ମିଶ୍ରଙ୍କ, ପ୍ରବନ୍ଧ “ପାଣ୍ଡୁଲିପି’ ଏବଂ ଶ୍ରୀ ଦୀପକ୍ ପାଲଙ୍କ ପ୍ରବନ୍ଧ ‘ସଚ୍ଚିରାଉତରାୟଙ୍କ କବିତାରେ ସାମାଜିକ ଅଙ୍ଗୀକାର’ ଦ୍ରଷ୍ଟବ୍ୟ ।

୨୭.

ମହାନ୍ତି, ଏଜନ

୨୮.

Selected Prose of T.S. Eliot, p. 31

୨୯.

In a letter to Lady Beaumont Quoted in R.Hendrickson, The Wordsworth Book of Literary Anecdeotes, N.Y., Wordsworth Reference, 1990, p.307.

୩୦.

‘‘Nativism in Literature in Nativism:Essays in Criticism, (Ed) M. Paranjape, Delhi, Sahitya Akademi, 1997, p.235.

୩୧.

ଉତ୍ତରକକ୍ଷ (ପ୍ରଥମାର୍ଦ୍ଧ), ପୃ.୭ ।

୩୨.

ସଚ୍ଚିଦାନନ୍ଦ ରାଉତରାୟ, କବିତା ୧୯୬୨, କଟକ, ଗ୍ରନ୍ଥମନ୍ଦିର, ୧୯୯୯, ପୃ. ୨୭୭ ।

 

ବନମାଳୀ ଭବନ, ଖାନନଗର, କଟକ

 

***

 

ସମୟର ସମାବର୍ତ୍ତୀ : ସଚ୍ଚି ରାଉତରା

ଗିରିଜାକୁମାର ବଳୀୟାରସିଂହ

 

ସଚ୍ଚି ରାଉତରା ଆଜି ମଶାଣିର ଫୁଲ । ସତୀଚଉରାର ଚଉଡ଼ା ଛାତିରେ ଛପିଗଲା ନୂଆ ଦଶକର ନିଆଁ । ‘କଥା କହେ କାଠଯୋଡ଼ୀ, କଥା କହ, ଆଜି ହେ ମୁର୍ଦାର !’ - ‘ବାଜି ରାଉତ’ର ଏ କରୁଣ କାବ୍ୟସ୍ୱରକୁ କଳନାତୀତ କ୍ରାନ୍ତିର ଏକ କାଳଜୟୀ କଣ୍ଠସ୍ୱରରେ ପରିଣତ କରିଥିବା ସେଇ ସର୍ବହରାର ସଭାକବି, ଏଇ ମାତ୍ର ମେଲାଣି ନେଇଗଲେ ମହାକାଳର ମୋଡ଼ରେ । ମୁର୍ଦାରମାନଙ୍କୁ କଥା କୁହାଇବାର ଅସମ୍ଭବ ଜିଦ୍ ଭିତରୁ ଜନ୍ମିଥିବା ତାଙ୍କର ଅଜସ୍ର ଗଣଗୀତିକା, ରକ୍ତଶିଖାସ୍ନାତ କବିତା - କ୍ରୋଧିତ କୃତିର ସ୍ପର୍ଧିତ ସ୍ମୃତି ହୋଇ ରହିଗଲା ଶେଷ ପର୍ଯନ୍ତ । ଭାବୀକାଳ ପାଇଁ ପ୍ରିୟ ପାଥେୟ ତାଙ୍କ ପାଣ୍ଡୁଲିପିର ପରିଚ୍ଛନ୍ନ ପଦାବଳୀ... ଆମ ଅନାଗତର ଅନବଦ୍ୟ ଅଭିଜ୍ଞାନ ଏସବୁ । ଅନ୍ତ ହେଲା ଅଭିଯାନ - ଏକ ଆଗ୍ନେୟ ଆତ୍ମାର ।

 

ତାଙ୍କ କବିତାର କେନ୍ଦ୍ରବିନ୍ଦୁ : ସମୟର ସଦ୍ୟତମ ମୁହୂର୍ତ୍ତ, ସମକାଳୀନତା । ନିଜ ସମୟକୁ କାନ୍ଧେଇ କାନ୍ଧେଇ ସେ ଅତିକ୍ରମ କରିଛନ୍ତି ଅଗ୍ନିପଥ, ଅନ୍ଧଗଳି, ଉଜୁଡ଼ା ଉପନିବେଶ, ଉତ୍ତପ୍ତ ଉପତ୍ୟକା । ସତୀର ମୃତଦେହକୁ ଧରି ବିଦ୍ରୋହୀ ଭୋଳାନାଥ ବିଶ୍ୱ ପ୍ରଦକ୍ଷିଣ କଲା ପରି ସେ ତାଙ୍କର ନିତ୍ୟ-ବର୍ତ୍ତମାନକୁ ନେଇ ଗୋଟାଏ ବୈଶାଖୀଘୂର୍ଣ୍ଣି ପରି ଛୁଟିଆସିଛନ୍ତି ନିଜ ସନ୍ଦିଗ୍ଧ ସ୍ଥିତିବିନ୍ଦୁରୁ ଅସ୍ଥିର ଗତିବିନ୍ଦୁକୁ । ସ୍ଥିତି ନୁହେଁ, ଏକ ଅଶାନ୍ତ ଅତୃପ୍ତ ଗତି ହିଁ ତାଙ୍କ ଉତ୍ତରୋତ୍ତର ଅଭିଯାତ୍ରାର ଅଙ୍ଗୀକାର । ତାଙ୍କ କାବ୍ୟଜଗତ କ୍ରମେ ଆଚ୍ଛାଦିତ ହୋଇପଡ଼ିଛି ମୃତଚିତ୍ରର ଚିତାଭସ୍ମରେ, ନିହତ ସ୍ଵପ୍ନର ନିର୍ଜନତାରେ !

 

ସଚ୍ଚି ରାଉତରା...

 

ପଲ୍ଲୀରୁ ଦିଲ୍ଲୀ, ଜାହାନ୍ନାରାରୁ ରୋଶନ୍ନାରା, ଭୂଦେବୀରୁ ଭାନୁମତୀ, ମହାନଗରୀରୁ ମହାଦେଶ, ଏସିଆରୁ ଏରକା, ଆଞ୍ଚଳିକତାରୁ ଆନ୍ତର୍ଜାତିକତା, ଆଧୁନିକତାରୁ ଆତ୍ମମଗ୍ନତା... ଯୁଆଡ଼େ ବି ଅନାଇଲେ ସେ ଏକ ଉତ୍ତାଳ ଉତ୍ତରଣର ଉଦ୍‌ଭାସ – ତଳେ ମାଟି, ଉପରେ ଆକାଶ !

 

ଏପରି କବି ହିଁ ମହାକବି । ମୃତ ମୃତ୍ତିକାର ଅମୃତୋପମ ଅତଳ ଜଳସ୍ତର ପରି ତାଙ୍କ କାବ୍ୟବ୍ୟକ୍ତିତ୍ୱ – ଯାହା ଅପେକ୍ଷା ରଖେ ଅନୁରକ୍ତ ଅନୁସନ୍ଧାନର, ତନ୍ନ ତନ୍ନ ତର୍ଜମାର, ସତୃଷ୍ଣ ସ୍ପର୍ଶର ! ଅଥଚ କ୍ଲାସ୍ ରୁମର କାନ୍ଥକବାଟ ସେପାଖେ ଆଜି ବି କରୁଣ କଏଦୀଟିଏ ସେ ! ତାଙ୍କୁ ଠିକେ ଠିକେ ଠଉରାଇବାର ପ୍ରାଞ୍ଜଳ ପ୍ରୟାସ, ଉଷ୍ଣ ଉଦ୍ୟମର ପ୍ରକୃତ ପର୍ଯ୍ୟାୟ ଆଜିଯାଏଁ ବି ଆରମ୍ଭ ହୋଇପାରିନି ଏଠି । ଯାହା ପ୍ରତ୍ୟେକ ମହାକବିର ନିର୍ଦୟ ନିୟତି, ସଚ୍ଚି ରାଉତରାଙ୍କ ପକ୍ଷରେ ତାହାର ତେଣୁ ବ୍ୟତିକ୍ରମ ଘଟିବ କିପରି ? ଆମ ଅବଧାନମାନେ ଏଯାବତ ତାଙ୍କୁ ଆମର ପ୍ରଥମ ପ୍ରଗତିବାଦୀ ନା ପ୍ରଥମ ଆଧୁନିକ କବି - କେଉଁଠି ଥୋଇବେ ବୋଲି କିଛି ଫଏସଲା କରିପାରି ନାହାନ୍ତି ଯେତେବେଳେ, ଆମେ ତେଣୁ ତାଙ୍କ ସମ୍ପର୍କରେ ଆଉ କି ନ୍ୟାୟ ବା ରାୟ ଆଶା କରିପାରିବା ପାଖ ପଡ଼ୋଶୀମାନଙ୍କଠୁ ?

 

ନିରପେକ୍ଷ ବିଚାରରେ ସେ କିନ୍ତୁ ଆମର ପ୍ରଥମ ଓ ଶେଷ ଆଧୁନିକ କବି ।

 

୧୯୨୭ ମସିହାରେ ତାଙ୍କ କବିତାର ଆଦ୍ୟମୁଦ୍ରଣ କଟକ ଟ୍ରେଡ଼ିଂ କମ୍ପାନୀ କର୍ତ୍ତୃକ ପ୍ରକାଶିତ ‘ପଞ୍ଚାମୃତ’ ମାସିକ ଶିଶୁପତ୍ରିକାରେ । ୟା’ ଦି’ ବର୍ଷ ଆଗରୁ ସରୁ ସରୁ ସେଇ ସାନ ଆଙ୍ଗୁଠିମାନଙ୍କରେ ସୁରୁ ହୋଇସାରିଚି କବିତାଲେଖାର ଖଡ଼ିପାଠ । ଏଇ ସମୟର ଆଶ୍ଚର୍ଯ୍ୟ କଥାଟି କିନ୍ତୁ ହେଉଛି : ବାଲିକାଗଜରେ ସେ ଲେଖିଥିବା ନିଜର ପ୍ରଥମ ଗଦ୍ୟକବିତା ! ଅଥଚ ବୟସ ବୋଧେ ହୋଇଥିବା ତାଙ୍କୁ ବାଆର - ନିପଟ ମଫସଲ ଗାଆଁର ସେ କୁନିକବିଟି ପାଇଁ ହୁଇଟମ୍ୟାନ୍ କି ରବୀନ୍ଦ୍ରନାଥ ସେବଯାଏ ସ୍ଵପ୍ନ !

 

୧୯୩୦ରୁ ୧୯୪୦... ତାଙ୍କ ସର୍ଜନାର ଊର୍ଜନା । ଏ ସମୟର ଶବ୍ଦରୂପ : ପାଥେୟ (୧୯୩୨), ପୂର୍ଣ୍ଣିମା (ଗୀତିନାଟ୍ୟ ୧୯୩୨), ଅଭିଯାନ (୧୯୩୮), ରକ୍ତଶିଖା (୧୯୩୯), ବାଜିରାଉତ (୧୯୪୧) ଓ ପଲ୍ଲିଶ୍ରୀ (୧୯୪୧) । ଏପଟେ ଚିରାଚରିତ ଚୈତ୍ରର ଚରାଭୂମି, ଆରପଟେ ଆସନ୍ନ ବୈଶାଖର ତପ୍ତ ବୈତରଣୀ... ନିଜ ଚାରିପଟେ ପରସ୍ତ ପରସ୍ତ ପାରମ୍ପାରିକତାର ପୁଷ୍ପିତ ପରିଧି, ବଳୟ ବାହାରେ ପରିବର୍ତ୍ତମାନ ପୃଥକ୍ ପୃଥିବୀ – ଏ ଦ୍ୱନ୍ଦ୍ୱର ଦୋଛକିରେ, ମୃତକୈଶୋରରୁ ଦ୍ରୁତତାରୁଣ୍ୟ ଦିଗରେ ମୁହାଉଁଥିବା ଜଣେ କବି ସାମ୍ନାରେ ଗୋଟାଏ ପ୍ରକାଣ୍ଡ ପ୍ରଶ୍ନବାଚୀ : କୁଆଡ଼େ ସେ ଆଗେଇବେ ଏଣିକି – ଡାହାଣ ନା ବାଆଁ ?

 

ଏ ସଂବୃତ ସଂଶୟର ସଙ୍କଳ୍ପବଦ୍ଧ ସଦୁତ୍ତର ପରବର୍ତ୍ତୀ କାଳର କ୍ରାନ୍ତିକାରୀ କୃତି : ‘ପାଣ୍ଡୁଲିପି (୧୯୪୭) । ଦେଶ ସ୍ୱାଧୀନତାର ଅବ୍ୟବହିତ ପୂର୍ବରୁ ଏ ଅଭିନିବିଷ୍ଟ ଅଭିବ୍ୟକ୍ତି । ‘ଧୂସର’ ଓ ‘ଲୋହିତ’ - ଏଇଭଳି ଦୁଇ ଫର୍ଦର ପର୍ଯ୍ୟାୟକ୍ରମରେ ଷାଠିଏଟି (୨୭+୩୩) କବିତାର କାଳାତୀତ କୃତି ଏ ‘ପାଣ୍ଡୁଲିପି’ । ବାମପନ୍ଥୀ ରାଜନୀତିକ ବିପ୍ଳବାଦର୍ଶ କିପରି କାଳୋତ୍ତୀର୍ଣ କାବ୍ୟସ୍ୱରକୁ ବିବର୍ତ୍ତିତ ହୋଇପାରେ - ଏ କୃତି ତାହାର ବିସ୍ମୟକର ବିବୃତି । ସେ ସମୟର ଭାରତୀୟ ସାହିତ୍ୟରେ ସୁଦ୍ଧା ‘ପାଣ୍ଡୁଲିପି’ର ସମସ୍ପର୍ଧୀ ଏକ କାବ୍ୟକୃତି ଖୋଜି ବାହାର କରିବା କାଠିକର ପାଠ । ସଚ୍ଚି ରାଉତରାଙ୍କ ଅଭୁତ ଅନ୍ତର୍ଦୃଷ୍ଟି, ଅପାରମ୍ପରିକ ଆଙ୍ଗିକ, ପ୍ରଗତିବାଦ ଓ ପ୍ରୟୋଗବାଦର ଚୂଡ଼ାନ୍ତ ଚିତ୍ରାୟନ ସହିତ ନୂତନ ପାଠକ ପିଢ଼ିକୁ ଚମକାଇ ଦେଲା ପରି ଚିତ୍ରକଳ୍ପ, ପ୍ରତୀକ, ରୂପକ, ପୁରାମୌଳର ପରିବେଷଣ ମାଧ୍ୟମରେ ଶାଣିତ ଶବ୍ଦ ସଂଯୋଜନା, ଭାଷାର ଦ୍ରୁତବିଳମ୍ୱିତ ବ୍ୟଞ୍ଜନା ‘ପାଣ୍ଡୁଲିପି’କୁ ପରିଣତ କରିପାରିଛି ଏକ ଚିରକାଳୀନ ଧ୍ରୂପଦୀ କାବ୍ୟକୃତିରେ-। ପରିବର୍ତ୍ତିତ ପଟ୍ଟକୁ ନେଇ କବିତାର ଏଭଳି ବିବର୍ତିତ ବର୍ଣାଢ଼୍ୟ-ବିନ୍ୟସ୍ତ-ବିଶ୍ୱ ସଚ୍ଚି ରାଉତରାଙ୍କୁ ସନାକ୍ତ କରିଛି ତାଙ୍କ ସମୟର ସବୁଠୁ ସୁତୀକ୍ଷ୍ମ ସ୍ଵର ରୂପରେ । ‘ପାଣ୍ଡୁଲିପି’ର ପ୍ରଖରତା ଓ ପ୍ରବଳତା, ଶକ୍ତିମତ୍ତା ଓ ସ୍ୱତଃସ୍ଫୂର୍ତତା ଅନ୍ୟ କୌଣସି କାବ୍ୟକର୍ତ୍ତା କାହିଁକି, ଖୋଦ୍ ସଚ୍ଚି ରାଉତରାଙ୍କ ପରବର୍ତ୍ତୀ କବିତାଗୁଡ଼ିକରେ ସୁଦ୍ଧା ନାପତ୍ତା ! ଝଡ଼, ବଂଶୀ, କବିତାର କବର, କୋଣାର୍କ, ଶାଜାହାନ, ଅସମାପିକା, ବାର୍ତ୍ତା, କେଶ, ଜ୍ୟାମିତି, ପ୍ରତିମା ନାୟକ, ଭଙ୍ଗା ମନ୍ଦିର, ଲାବଣ୍ୟବତୀକୁ ଚନ୍ଦ୍ରଭାନୁର ଚିଟାଉ, ଅଳକା ସାନ୍ୟାଲ, ରାଜଜେମା ପରି କବିତା ଯେକୌଣସି ସାହିତ୍ୟ ପାଇଁ ସତରେ ସ୍ଵର୍ଣ୍ଣାକ୍ଷରର ସ୍ମରଣିକା ।

 

ପ୍ରଥମ ମହାଯୁଦ୍ଧ ପରେ ତମାମ୍ ପୃଥିବୀ ଅଙ୍ଗେ ନିଭାଇସାରିଥାଏ ଗୋଟାଏ ଗୈରିକ ଦଶକ । ଠିକ୍ ୟା’ର ପନ୍ଦର ବର୍ଷ ପରେ ଦ୍ୱିତୀୟ ମହାଯୁଦ୍ଧର ଦଂଶନ... ଆଧୁନିକ ସଭ୍ୟତାର ବ୍ୟାଧି, ବାର୍ଧକ୍ୟ, ବୈରାଗ୍ୟ, ବିଷର୍ଣ୍ଣତା, ବିଡ଼ମ୍ୱନା, ବିଚ୍ୟୁତି ଓ ବିଭ୍ରାନ୍ତି ଭିତରେ ସମୟର ଶୋକପ୍ରାର୍ଥନା । ଜୀବନର ଯୁଦ୍ଧାଙ୍ଗନରେ ଇତିହାସର ଅଶ୍ରୁମୁଞ୍ଚନ । ଅତୀତର ଶାନ୍ତସ୍ନିଗ୍ଧ ସ୍ୱପ୍ନର ଭଗ୍ନସ୍ତୂପ ଭିତରେ ଆଞ୍ଜୁଳାଏ ଆଷାଢ଼ ଶ୍ରାବଣ ପାଇଁ ଅନାଗତର ଅଧୁରା ଅପେକ୍ଷା – ଅଥଚ ଆଖି ସାମ୍ନାର ଆୟତନ ଆସନ୍ନ ଅନିଶ୍ଚିତତାରେ ଆକ୍ରାନ୍ତ । ଭାରତବର୍ଷରେ ରାଜନୀତିର ରଙ୍ଗ ସେତେବେଳକୁ ଈଷତ୍ ଫିଗଳ... ଧୂସର-ଲୋହିତ । ମନୁ ଓ ମହମ୍ମଦ, ମାର୍କସ୍ ଓ ମହାତ୍ମା ଗାନ୍ଧି, ଶ୍ରେଣୀ ଓ ସଂଗ୍ରାମ, ସାମନ୍ତ ଓ ସେବାୟତ, ରାଜତନ୍ତ୍ର ଓ ବୁର୍ଜୋୟା ବିପ୍ଲବ, ବୁନିଆଦି ଓ ବରବାଦି, ସନ୍ତ୍ରାସ ଓ ସନ୍ନ୍ୟାସ, ଦଙ୍ଗା ଓ ଦମନ, ରକ୍ତପାତ ଓ ରେରେକାର, ପତାକା ଓ ପଟୁଆର, ବିଦ୍ରୋହ ଓ ବିଳାପ, ଧାରଣା ଓ ଧର୍ମଘଟ, ବାୟୋନେଟ୍ ଓ ବାଜ୍ୟାପ୍ତି, ଦାବୀ ଓ ଦରଖାସ୍ତ, ଆନ୍ଦୋଳନ ଓ ଆତସବାଜି, ରାସ୍ତାରୋକ ଓ ରାଜିନାମା, ସ୍ଵପ୍ନହରା ଓ ସର୍ବହରା... ଚୁକ୍ତିର ଛିଣ୍ଡା ତାଲିକା ଓ ମୁକ୍ତିର ମୁଣ୍ଡା ମୁଚାଲିକା... ମଶାଲ୍‍ର ଝୁଲ ଓ ମଶାଣିର ଫୁଲ – ଛିନ୍ନଭିନ୍ନ ଚିତ୍ର ଚାରିଆଡ଼େ ! ସ୍ଵବିରୋଧ ଓ ସ୍ୱାଧୀନତାର ସୀମାନ୍ତ ଶେଷରେ ଏକ ଅନିର୍ଦ୍ଦିଷ୍ଟ ଆୟତନ ଏ ଦେଶ । ସବୁ ଧ୍ୱସ୍ତ ଧୂସରତା ସତ୍ତ୍ୱେ ମଧ୍ୟରାତ୍ରିର ମହାଜାତି ତଥାପି ମୁହାଁଉଥାଏ ଗୋଟାଏ ଲୋହିତ ପ୍ରଭାତୀର ପ୍ରାନ୍ତର ଆଡ଼େ । କୁଢ଼କୁଢ଼ କୋହରେ ଲୁହ-ଲୁତୁପୁତୁ ଭାରତବର୍ଷ ଭୋଗୁଥାଏ ତାର ପ୍ରସ୍ତୁତିପର୍ବର ପ୍ରସୂତୀ-ଯନ୍ତ୍ରଣା ! ନବଜାଗରଣର ନାତିଦୀର୍ଘ ନାନ୍ଦୀମୁଖ ରଚିତ ହେଉଥାଏ ରାତିର ରାଜୁତି ଭିତରେ ।

 

ଏକ ମାନଚିତ୍ରହୀନ ଦେଶ, ଏକ ରାଷ୍ଟ୍ରହୀନ ଜାତି, ଏକ ସ୍ଵତ୍ୱହୀନ ସମାଜ ପାଇଁ ସମୟ ମୁହଁରେ ଶୁଣାଯାଉଥାଏ ସାହିତ୍ୟର ସତ୍ୟପାଠ । ହଁ, ଏହି ପାଂଶୁଳ ପୃଷ୍ଠଭୂମି ହିଁ ସଚ୍ଚି ରାଉତରାକୁ ଚିହ୍ନଟ କରିଛି : ସମୟର ଶ୍ରେଷ୍ଠ ରୂପକାର ରୂପେ । ‘ସମୟ’କୁ ସେ ଦେଖିଛନ୍ତି କେତେ ଚେହେରାର ଛଦ୍ମବେଶରେ । ତାଙ୍କର ଦୁଇଟି ପ୍ରଖ୍ୟାତ କବିତା ‘ଅଳକା ସାନ୍ୟାଲ’ ଓ ‘ପ୍ରତିମା ନାୟକ’ – ଯାହାକୁ ଅଧିକାଂଶ ଅଧ୍ୟାପକ ରୋମାଣ୍ଟିସିଜିମ୍‍ର ଆଧୁନିକୀକରଣ ଭାବରେ ଶ୍ରେଣୀକକ୍ଷରେ ଆଲୋଚନା କରନ୍ତି, କବିତା ଦୁଇଟି କ’ଣ ଅସଲରେ ତାହା ହିଁ ? ନା, ଚେହେରାର ଛଦ୍ମବେଶରେ ଏ ଦୁଇଟି ‘ସମୟ’ର ମୂର୍ତ୍ତ ମାଧ୍ୟାନ୍ତର... ‘ପାତ୍ର’ରେ ପରିଣତ ‘କାଳ’ର ‘ସ୍ଥାନ’ ପରିଗ୍ରହଣ ମାତ୍ର । ‘ଅଳକା ସାନ୍ୟାଲ୍’ ପୌରାଣିକତାର ବିଚିତ୍ର ବିସ୍ମୃତିରୁ ମହାଯୁଦ୍ଧୋତ୍ତର ପୃଥିବୀର ସଚିତ୍ର ଶ୍ମଶାନ ( ଶ୍ମଶାନିତ ଭଙ୍ଗା ନୂଆଖାଲି) ପର୍ଯନ୍ତ ସମ୍ପ୍ରସାରିତ । ଯେଉଁଠି ଏ କବିତା ଶେଷ, ସେଇଠୁ ଆରମ୍ଭ ଆଉ ଏକ ଧୂମାଳ ସ୍ମୃତିର ଧୂପଛାୟା - ‘ପ୍ରତିମା ନାୟକ’ – ସେ ଓ ସ୍ଵୟଂ କବି ପରସ୍ପରର ସାମ୍ନାସାମ୍ନି - ‘ସ୍ୱପ୍ନ ଆଉ ବାସ୍ତବର ମୁହାଣ ସେପାରେ’ - ୧୯୪୩ ପରର ସଙ୍କଟାପନ୍ନ ସନ୍ଧିକ୍ଷଣ, ଶିଳ୍ପସଭ୍ୟତାର ବସ୍ତୁବାଦୀ ଶୂନ୍ୟତା, ଯାନ୍ତ୍ରିକ ଜୀବନର ଯୂପକାଠରେ ଇଏ ସେଇ ସକରୁଣ ସମୟର ହିଁ ଫିକା ଫଟୋଗ୍ରାଫ୍ । ସ୍ୱପ୍ନ ସନ୍ତ୍ରସ୍ତ, ବାସ୍ତବତା ବିପର୍ଯ୍ୟସ୍ତ - ଏକ ଅସ୍ତଜହ୍ନର ଅସମାପ୍ତି... ହଁ, ଛଦ୍ମବେଶରେ ସମୟ !

 

‘ବାଜିରାଉତ’ରେ ଯଦି ସମୟର ବ୍ୟକ୍ତିରୂପ ବିମ୍ୱିତ, ‘ପାଣ୍ଡୁଲିପି’ରେ ତେବେ ବ୍ୟଞ୍ଜିତ ହୋଇଛି ସମୟର ଅବ୍ୟକ୍ତ ବ୍ୟକ୍ତିତ୍ୱ । କବି ରାଉତରାଙ୍କୁ ବାଦ୍ ଦେଇ କବିତାର ନଖଦର୍ପଣରେ ସମୟର ଛାଇ ଅଣ୍ଡାଳିବା ଅନ୍ଧାରରେ ବାଡ଼ିବୁଲା ମାତ୍ର । କୌଣସି କବି, ଆଜିର ତାରିଖ ପର୍ଯନ୍ତ ବି, ସଚ୍ଚି ରାଉତରାଙ୍କ ପରି ସମୟକୁ ଏକ ଅନ୍ତରଙ୍ଗ ଅଙ୍କନରେ ରୂପାନ୍ତରିତ କରିପାରିନାହାନ୍ତି ନିଜ କବିତାରେ । ସମୟ ସହିତ ସଚ୍ଚି ରାଉତରା ସମାହିତ । ସେଥିପାଇଁ ସ୍ୱାଧୀନତା ପରବର୍ତୀ ସମୟର ସ୍ଵପ୍ନଭଙ୍ଗ, ସ୍ୱବିରୋଧ, ଗଣତନ୍ତ୍ରର ଗର୍ଭପାତ, ମୁକ୍ତିର ମରୀଚିକା, ଚମ୍ପାଫୁଲର ଚାପା କାନ୍ଦଣା, ଧର୍ଷିତ ଇତିହାସର ଦୀର୍ଘଶ୍ୱାସ, ଭଙ୍ଗା ଭୂଗୋଳର ଭାଗ୍ୟବିପର୍ଯ୍ୟୟ, ବିଭାଜନର ବିଭୀଷିକା, ନବ୍ୟଗୋଲାମିର ନିରୁପାୟତା, ନୈରାଜ୍ୟର ନୈରାଶ୍ୟ – ଜଣେ ମହାକବିଙ୍କ କଣ୍ଠସ୍ୱରକୁ ଉତ୍ତରପର୍ବରେ କରିଛି କ୍ଲୁପ୍ତ ଓ କ୍ଲାନ୍ତ ! ‘ଭାନୁମତୀର ଦେଶ’ରେ ତରଙ୍ଗ’କୁ ‘ବିନତା’ର ବିଷର୍ଣ୍ଣ ବିଦାୟ ମଧ୍ୟରେ ଯେଉଁ କାକଜ୍ୟୋସ୍ନାର କାରୁଣ୍ୟ ସୂଚିତ ହୋଇଛି, ତାହା ପ୍ରକୃତରେ ଅତୀତକୁ ଅନାଗତର ହିଁ ଅନ୍ତିମ ବିଦାୟ ! ‘ପଲ୍ଲିଶ୍ରୀ’ର ଧାଡ଼ି ଧାଡ଼ି ଧାନଗଛର ମାନଚିତ୍ର ଆଉ ନାଇଁ, ଆଗକୁ କେବଳ ଚିମ୍ନିର ଚିତାଧୂଆଁ... ସରଳ ମଣିଷର ଜଟିଳ ଯନ୍ତ୍ରୀକରଣ... ମୁନାଫାର ମାୟାଜାଲରେ ମାର୍କସ୍‍ବାଦର ମୁମୂର୍ଷା... ଗୁଳିବିଦ୍ଧ ଗଣତନ୍ତ୍ର - ‘ବାଜିରାଉତ ଓ ‘ପାଣ୍ଡୁଲିପି’ର ଶାଣିତ ସ୍ଵର ‘ଅଭିଜ୍ଞାନ’ରେ କ୍ଷୁବ୍ଧ ଓ ସ୍ତବ୍ଧ – “ହସନ୍ତ’ରେ ବ୍ୟଙ୍ଗାଶ୍ରିତ – ସଚ୍ଚି ରାଉତରା ହରାଇ ବସିଛନ୍ତି ପୂର୍ବର ପୂରବୀ, ସୂର୍ଯ୍ୟୋଦୟର ଶ୍ରୁତଲିଖନ, ପ୍ରଭାତଫେରିର ସେ ପ୍ରାଣବନ୍ତ ଛନ୍ଦ ଓ ଧୂନି ! ସଂଳାପ ଶୁଭୁନି ଆଉ । ଶୁଭୁଚି କେବଳ ସନ୍ଦିଗ୍ଧ ସ୍ୱଗତ, ସକରୁଣ ସ୍ଵୀକାରୋକ୍ତି, ପାଂଶୁଳ ପୁନରୁକ୍ତି... ବିଭକ୍ତ-ବ୍ୟକ୍ତିତ୍ୱର ବିଭିନ୍ନ ବ୍ୟାସୋକ୍ତି – “ସ୍ଵଗତ’ ଓ ‘କବିତା ୧୯୬୨’ ଏବଂ ତା’ପରର ପୃଥିବୀରେ ଆମେ ତେଣୁ ଭେଟୁ ଜଣେ ନିର୍ଜନ ନିରୁଦ୍ଦିଷ୍ଟ ସଚ୍ଚି ରାଉତରାଙ୍କୁ !

 

କୃଷିକ୍ଷେତ୍ରରୁ ଶିଳ୍ପାୟନକୁ – ପ୍ରକୃତିରୁ ପ୍ରୟୋଗଶାଳାକୁ ଜୀବନଯାତ୍ରାର ଯେଉଁ ଦ୍ରୂତ ପଦକ୍ଷେପ ଦୃଷ୍ଟିଗୋଚର ହୁଏ, ତାହା ଆମ ସଂସ୍କୃତିର ସାବଲୀଳତାରେ ସୃଷ୍ଟି କରେ ଏକ କରୁଣ ଛନ୍ଦପତନ । ପଛରେ ପରମ୍ପରାର ପଟଚିତ୍ର, ସାମ୍ନାରେ ନୂତନ ସଭ୍ୟତାର ସିଲ୍‍ହଟ୍... ମଝିରେ ସଚ୍ଚି ରାଉତରା : ଏକ ‘ସ୍ପିଂକ୍‌ସ୍’... ସମୟର ଶୀତଳ ମରୁପ୍ରଦେଶରେ ଏକ ନିଦ୍ରିତ ‘ସୁନାସିଂହ’ର ନିର୍ବାକ୍ ବିଗ୍ରହ... ବିଭକ୍ତ ବ୍ୟକ୍ତିତ୍ୱ । ନିଆଁ ନିଭିସାରିଚି, ପାଉଁଶ ଉପରେ ପଳାତକ ସମୟର ପାଦଚିହ୍ନ । ସ୍ୱାଧୀନତା ପରେ ଏ ଉପଲବ୍ଧ କବିସଭାକୁ କବଳିତ କରିଛି ଏକ ଶୋକାର୍ତ ଶୀତଳତାରେ । ଉଦ୍ଦୀପନାର ଉଜ୍ଜ୍ୱଳ ଇସ୍ତାହାର ନୁହେଁ, ଏଥର ବିଗ୍ରସ୍ତ ବିଷାଦର ବିଚ୍ଛୁରିତ ବର୍ଣମାଳା : ‘ତେଣୁ ମୁଁ ତ ଭଗ୍ନଜାନୁ, ଖସିପଡ଼େ ମୋର ରାଇଫଲ୍ !’

 

ସଚ୍ଚି ରାଉତରାଙ୍କ ପରବର୍ତ୍ତୀ ପର୍ବ : ଅଭ୍ୟୁଦୟରୁ ଅଭ୍ୟନ୍ତର, ନୈରତରୁ ନୈପଥ, ବିକ୍ଷୁବ୍ଧ ବୈଶାଖରୁ ବିଷର୍ଣ୍ଣ ପୌଷ – ପ୍ରଗତିରୁ ପ୍ରତିକ୍ରିୟା । କ୍ରାନ୍ତିର କେତନ କଳଙ୍କିତ । ପ୍ରେମର ବିରହରେ ବରଫ । ନାନା ବିଭ୍ରାନ୍ତି ଓ ଦିକ୍‌ଭ୍ରାନ୍ତିର କୁଟିଳ କୁୟାସାରେ ଦୃଶ୍ୟପଟ ଅସ୍ପଷ୍ଟ । ଅଥଚ ଏଇ ସଙ୍କ୍ରାନ୍ତିର ସୀମାନ୍ତରେ ସୁଦ୍ଧା କବିକଣ୍ଠରେ କ୍ରାନ୍ତିର ଐତିହ୍ୟ ଉଦ୍ଦେଶ୍ୟରେ ଅନ୍ତରଙ୍ଗ ଆବେଦନ : ‘ପତାକା ଓହ୍ଲାଅ ନାହିଁ - ଏ ପତାକା ନୁହେଁ ସାଲୁକନା !’ ସଚ୍ଚି ରାଉତରାଙ୍କ ଅଧାବୁଜା ଆକ୍ଷି ଆରପଟେ ଗୋଟାଏ ରକ୍ତଗୋଧୂଳିର ଶୀତଳ ଶବ । ଗଣତନ୍ତ୍ରରେ ଗଣକୁ ଗର୍ଭସ୍ଥ କରିଛି ତନ୍ତ୍ର... ଯୌଥ ପରିବାରର ମୃତ ଜେତବନ ଜାଗାରେ ଦିଶିଯାଉଛି ଏକକ-ପରିବାରର ଏକାନ୍ତ ଏରକା... ବୈଷୟିକତାର ବଶୀକରଣ ବିଦ୍ୟା ବଳରେ ଆରମ୍ଭ ହୋଇଯାଇଛି ଛିନ୍ନମୂଳ ଚେତନାର ଜଡ଼ୀକରଣ ପ୍ରକ୍ରିୟା ।

 

ବିଂଶ ଶତାବ୍ଦୀର ଆଦ୍ୟ ପାଦଟୀକା ପରେ ସମୟର ଶ୍ରୁତଲିଖନକୁ ନିଜ ଭଙ୍ଗାଗଢ଼ା ଶବ୍ଦସଜ୍ଜା ଭିତରେ ଲିପିବଦ୍ଧ କରିଛନ୍ତି ସଚ୍ଚି ରାଉତରା । ବ୍ୟକ୍ତିଗତ ଜୀବନ ଓ ସମକାଳୀନ ସାମାଜିକ ଜୀବନର ସ୍ଵର ସଂଯୋଜନା - ତାଙ୍କ କବିକଣ୍ଠର କାକଳିକା । ସ୍କୁଲ୍ ଜୀବନରୁ ସୁରୁ ହୁଏ ଦେଶମୁକ୍ତିର ମୁଖ୍ୟସ୍ରୋତ ସହିତ ସାମିଲ ହେବାର ପ୍ରଖର ପ୍ରବଣତା – ସେଇ ସାନ ଦିନରେ ବି ମହାତ୍ମା ଗାନ୍ଧିକୁ ଲମ୍ୱା ଲମ୍ୱା ଚିଠି ଲେଖିବାର ସ୍ମୃତିକୁ ସେ ସାଇତିଛନ୍ତି ନିଜ ଆତ୍ମଚରିତରେ । ଭାରତୀୟ ବିପ୍ଳବର ସଶସ୍ତ୍ର ଆଭିମୁଖ୍ୟ ଓ ଅହିଂସ ଆନ୍ଦୋଳନ, ସାମ୍ୟବାଦୀ ଶିବିରର ଆଦର୍ଶବଦ୍ଧ ଅଙ୍ଗୀକାର, ଗଡ଼ଜାତ ପ୍ରଜା ଆନ୍ଦୋଳନ, କୃଷକ ବିପ୍ଳବଭିତ୍ତିକ ସମାଜବାଦୀ ସଂଗ୍ରାମ ଏବଂ ବିଭାଜନ ପରବର୍ତ୍ତୀ ଭାରତୀୟ ବିଡ଼ମ୍ୱନା - ସବୁ ସେ ଅଙ୍ଗେ ନିଭାଇଛନ୍ତି ଗୋଟିଗୋଟି । ‘ମାଟିଆ ବୁରୁଜରେ ଜହ୍ନ’ - ତାଙ୍କର ତୀକ୍ଷ୍ଣ କବିତାଟିଏ, ଯେଉଁଠି ସେ ଉତାରିଛନ୍ତି ତତ୍କାଳୀନ ଭାରତବର୍ଷର ସବୁଠୁ ଭୟଙ୍କର ଦଙ୍ଗାର ଧୂସର ନକ୍ସା – ‘ଦି ଗ୍ରେଟ୍ କାଲକାଟା କିଲିଂ' ଭାବରେ ଯାହା କୁଖ୍ୟାତ ! ଆଙ୍କି ଯାଇଛନ୍ତି ନିଜ କବିତାରେ କରୁଣ ମନ୍ୱନ୍ତର, କାଳାନ୍ତର ଓ କ୍ରାନ୍ତିର ଧୂସର-ଲୋହିତ ଦୃଶ୍ୟପଟ-!

 

କଲିକତାରେ ବିତିଚି କର୍ମଜୀବୀ ଜୀବନ । କେଶୋରାମ କଟନ୍ ମିଲସର ଶ୍ରମମଙ୍ଗଳ ଅଫିସର ଭାବରେ ସେଠି କଟିଚି କୋଡ଼ିଏଟି ବର୍ଷ । ଏହି ମହାନଗରୀ ତାଙ୍କ କବିତାର ଧାରାକୁ ମୁହାଁଇଚି ନୂଆ ନୂଆ ନିଆରା ମୋଡ଼ରେ । ବଙ୍ଗଳାରେ ମଧ୍ୟ ଲେଖିଛନ୍ତି ଅନେକ ପ୍ରସିଦ୍ଧ କବିତା ।

 

୧୯୪୫ରେ ସେ ବିବାହ କରନ୍ତି ଭୂଦେବୀଙ୍କୁ – ଆନ୍ଧ୍ରମାଟିର ଏକ ରାଜୁଡ଼ା ପରିବାରର କନ୍ୟା ସେ । କୃଷ୍ଣା ଜିଲ୍ଲାରେ ଭୂଦେବୀଙ୍କ ପୈତୃକ ବଂଶର ବିସ୍ତୃତ ଜମିଦାରି । କବି ରାଉତରାଙ୍କ କବିତାରେ ତେଣୁ ଘଟିପାରିଛି କୃଷ୍ଣା, ମହାନଦୀ, ଗଙ୍ଗାର ତ୍ରିବେଣୀସଙ୍ଗମ ! ଭୂଦେବୀ ମଧ୍ୟ ତାଙ୍କର ବହୁ କବିତାର ନେପଥ୍ୟ ନାୟିକା – ଏକାଧାରରେ ପତ୍ନୀ, ପ୍ରେମିକା, ପ୍ରିୟବାନ୍ଧବୀ । ‘ଜ୍ୟାମିତି’ରୁ ଆରମ୍ଭ କରି ଲକ୍ଷ୍ୟ କରନ୍ତୁ ‘କୃଷ୍ଣାନଦୀ ବୋହିଯାଏ ଧୀରେ’ ଏବଂ କ୍ଵଚିତ୍ କାକଜ୍ୟୋସ୍ନା ପରି ତାଙ୍କ ବିଶାଳ କାବ୍ୟଜଗତର ମଧ୍ୟେ ମଧ୍ୟେ ପରିଦୃଷ୍ଟ ବହୁ ଚମତ୍କାର ରୋମାଣ୍ଟିକ୍ କବିତାର କାୟାକଳ୍ପ ଓ ଛାୟାସ୍ୱପ୍ନ !

 

କବିମାନଙ୍କ ମଧ୍ୟରେ ସଚ୍ଚି ରାଉତରା ପ୍ରକୃତରେ ‘ଦ୍ୱିଜ’ !

 

ସମୟ ତାଙ୍କୁ ତାଙ୍କର ନୂତନ ପରିଚିତିରେ ଚିହ୍ନାଇଚି ଆମ ଆଗରେ । ପରମ୍ପରା ଓ ପୁରୋଦୃଷ୍ଟି – ଏ ଦୁଇ ପର୍ଯ୍ୟାୟର ସଚ୍ଚି ରାଉତରା ବେଳେବେଳେ ଲାଗନ୍ତି ଯେମିତି ଦୁଇ ଅଲଗା ଅଲଗା ଅସ୍ତିତ୍ୱ ।

 

ଥରେ କୁଳବୃଦ୍ଧ ମଧୁସୂଦନଙ୍କୁ ତରୁଣ କବି ରାଉତରା ଭେଟିଥିଲେ ବହିଖଣ୍ଡେ ଧରି । ସେ ପଚାରିଥିଲେ : ଉଦ୍ଦେଶ୍ୟ ? କବି କହିଲେ : ଉପହାର । ମଧୁବାବୁ ପୁଣି – କି ଉପହାର ? କବି ରାଉତରା - କବିତା । ତା’ପରେ କୁଳବୃଦ୍ଧଙ୍କ କଟାକ୍ଷ : ଜଣେ କବି ନଡ଼ିଆ ଦେଖିଲେ ବି କବିତା ଲେଖିବ । ନଡ଼ିଆ ଗଛକୁ ନେଇ ପଦ ବାନ୍ଧିବ – ‘ଡେଙ୍ଗୀ ନଡ଼ିଆ ଲୋ କେଡ଼େ ସୁନ୍ଦରୀ’ ! କିନ୍ତୁ ଜଣେ ଇଞ୍ଜିନିୟର ନଡ଼ିଆ ଦେଖିଲେ ଭାବିବ, ସେଥିରୁ କେମିତି କତା ବାହାରିବ ଆଉ କି କି ଚିଜ ତିଆରି ହେବ ସେ କତାରେ !

 

ଇଏ ୧୯୩୨ ମସିହାର କଥା ।

ଆଜି ୨୦୦୪ ମସିହା ।

 

ମାତ୍ର ଆଜି ବି ଆମର ଦୃଷ୍ଟିଭଙ୍ଗୀ ସେଇ ବାସ୍ତରୀ ବର୍ଷ ତଳର ଦୃଷ୍ଟିଭଙ୍ଗୀଠୁ ଗୋଟାଏ ପାଦ ବି ଆଗେଇନି ଆଉ । ଆମ ସମାଜରେ ‘କବିତା’ ନୁହେଁ, ‘କତା’ ହିଁ ଆଜି ବେଶୀ ଦାମୀ ! କତା ଆଗରେ ଆଜି ବି ଉଧେଇ ପାରିନି କବିତା ! )

 

ସ୍ଥିତି ଯେତେବେଳେ ଏଇଭଳି ସଂଶୟାଚ୍ଛନ୍ନ, ସେତେବେଳେ ସଚ୍ଚି ରାଉତରାଙ୍କ ପରି ମହାକବିଙ୍କୁ ପାଇ ଏ ମାନଚିତ୍ରର ରଙ୍ଗ ଆଉ ବଦଳିପାରିଥାନ୍ତା କିପରି ? ତେଣୁ ୧୯୬୨ ପରେ ମହାନଗରୀ କଲିକତାରୁ ଆସି କବି ରାଉତରା ଯେତେବେଳେ କଟକରେ ସ୍ଥାୟୀ ରହଣି ପାଇଁ ଓଡ଼ିଶା ଫେରନ୍ତି - ତାଙ୍କ ନିଜ ଭୂଇଁରେ ହିଁ ସେ ହୁଅନ୍ତି ସବୁଠୁ ଉପେକ୍ଷିତ ! ସମ୍ମୋହିତ ସମୟ ।

 

କବି ରାଉତରାଙ୍କ କବିତା ସେଇ ସମ୍ମୋହିତ ସମୟର ସ୍ଵରଲିପି ହୋଇଉଠିଛି କ୍ରମେ । ସେ ରାସ୍ତା ତଲାସିଛନ୍ତି ବିକଳ ହୋଇ କେତେବେଳେ ସାମୁଦ୍ରିକ ସୂର୍ଯ୍ୟାସ୍ତର ସରୁ ସୁଡ଼ଙ୍ଗରେ, ବସନ୍ତର ନିଚ୍ଛକ ଜିଲ୍ଲାରେ, ମତ୍ସ୍ୟଗନ୍ଧା ନଦୀ ମୁହାଣରେ, ଛାୟାନଟ ଓ ଭଗ୍ନନାୟକର ବିଷାଦ ବୃତ୍ତରେ, ମଧ୍ୟବିତ୍ତର ମଧୁ ମଧ୍ୟାହ୍ନରେ, ଏୟାରପୋର୍ଟର କୁହୁଡ଼ିରେ, ପୁଣି କେତେବେଳେ ପୂର୍ଣ୍ଣିମାର ମହାନଦୀ କୂଳେ । ଏପରିକି ପୂର୍ବଜନ୍ମ, ପୁନର୍ଜନ୍ମ, ବୌଦ୍ଧ ମହାଯାନୀ ତନ୍ତ୍ର, ମଗ୍ନମାନସ, ଅବଚେତନର ଅମୂର୍ତ ଜଗତ ଆଡ଼େ ମୁହାଁଇଛି ତାଙ୍କ କାବ୍ୟପୁରୁଷ... ତଥ୍ୟ, ତତ୍ତ୍ୱ, ‘ଦର୍ଶନ, ମନନର ମହାସମୁଦ୍ର ମଝିରେ ନିରୋଳା ନାଉରିଆର ହୁଲିଡଙ୍ଗାଟିଏ ନେଇ ! ହଁ, ଏସବୁ ଜଟିଳତା ତାଙ୍କର କିଛି କିଛି କବିତାକୁ କୁଟିଳ କରିଛି ଅବଶ୍ୟ - ସେ ନିଜେ ବୁଝିଥିବେ କି ନାଇଁ, ସେଇଭଳି ରଜତରହସ୍ୟରେ ଶବ୍ଦସବୁ ରେଖାଙ୍କିତ ହୋଇଛି ନିଶ୍ଚୟ; କେବେ କେବେ ବ୍ୟକ୍ତିଗତ ବିଫଳତା କବିତାର ଗତିକୁ ମଧ୍ୟ କରିଛି ସଙ୍ଗତିହୀନ – କିନ୍ତୁ ମହାକବିର ସେଇ ମିଦାସୀୟ ସ୍ପର୍ଶ ତାଙ୍କ ଉତ୍ତରପର୍ବର କାବ୍ୟଧାରାରେ କ୍ରାନ୍ତି ନ ହେଲେ ବି ସୃଷ୍ଟି କରିଛି ଏକ ସ୍ଵତନ୍ତ୍ର ସଂକ୍ରାନ୍ତି... ମହାବିଷୁବର ମହାର୍ଘ ବିଚିତ୍ରା !

 

ଏ ସଚ୍ଚି ରାଉତକୁ ଭଲପାଇହୁଏ ଆକ୍ଷିରେ ନଦେଖି ନଚିହ୍ନି ସୁଦ୍ଧା, ନିୟୁତ ନକ୍ଷତ୍ରନିନ୍ଦୀ ଅକ୍ଷରରେ ତାଙ୍କ ଅଭୁତ ଅଙ୍ଗୁଳିର ଟିପଚିହ୍ନକୁ ଆଉଁସି ଆଉଁସି ! ସେ ନାହାନ୍ତି, କିନ୍ତୁ ତାଙ୍କ ସର୍ଜନା ଆମ ସମସ୍ତଙ୍କୁ ଦେଇସାରିଛି ଏକ ଐତିହ୍ୟନିଷ୍ଠ ଭାଷାର ପ୍ରାଣପ୍ରବାହକୁ ମହାପ୍ରବାହରେ ପରିଣତ କରିପାରିଥିବାର ପ୍ରଖର ପ୍ରତ୍ୟୟ ଓ ପ୍ରତିଶ୍ରୁତି !

 

ଜଣେ ମହାକବି ତାଙ୍କ ମହାପ୍ରୟାଣର ବହୁ ବିସ୍ମୃତ ବର୍ଷ ଅନ୍ତେ ଆବିଷ୍କୃତ ହୋଇଥାନ୍ତି ପୁନରାୟ - ଯେପରି ଉଇହୁଙ୍କାରୁ ଦିନେ ଶୁଭିଥାଏ ଓଁକାର ! ସଚ୍ଚି ରାଉତରା ନିଜ ଜୀବଦ୍ଦଶାରେ ବହୁବାର ଆମର ଏ ଅନାଧୁନିକ ଇଲାକାରେ ହୋଇଆସିଛନ୍ତି ବଞ୍ଚିତ ଓ ପ୍ରବଞ୍ଚିତ - ଦାରୁଣ ଦୁର୍ଦଶାଗ୍ରସ୍ତ - ବଞ୍ଚିଥିବା ବେଳେ ଖୋଦ୍ ସିଏ ଖେଦୋକ୍ତି ମଧ୍ୟ କରିଛନ୍ତି ମୌଖିକ ଓ ଲିଖିତ ଭାବରେ । ଯେଉଁମାନେ ତାକୁ ଆହତ ଓ ଅବମାନିତ କରିଆସିଛନ୍ତି ଜୀବତ୍କାଳବ୍ୟାପୀ, ସେମାନେ ଏବେ ତାଙ୍କ ଦେହାନ୍ତ ପରେ ଶ୍ରଦ୍ଧାଞ୍ଜଳିର ଶବ୍ଦସବୁ ଲେଖିସାରିବେଣି ନିଶ୍ଚୟ; ମାତ୍ର ଆମର ସମସ୍ତ ଶ୍ରଦ୍ଧା ଓ ସ୍ପର୍ଧାର ଉର୍ଧ୍ୱରେ ସେ ଏକ ଚିରଉଜ୍ଜ୍ୱଳ ଚେତନାର ଚକ୍ରବାଳ । ତାଙ୍କ କାବ୍ୟପୁରୁଷକୁ ଆହୁରି ଅନୁରକ୍ତିରେ ଚିହ୍ନିହେବ, ଯଦି ତାଙ୍କର ଏକ ସୁନିର୍ବାଚିତ ସଂହିତା ସଙ୍କଳିତ କରାଯାଇପାରେ – ଉତ୍ତର ପୁରୁଷ ପାଇଁ ।

 

ଆଧୁନିକ ଓଡ଼ିଆ କବିତାର କୁଳବୃଦ୍ଧ : ସଚ୍ଚି ରାଉତରା । ପ୍ରଣାମ, ସହସ୍ର ପ୍ରଣାମ, ଅଜସ୍ର ପ୍ରଣାମ ତାଙ୍କ କୀର୍ତ୍ତିମାନ୍ କାବ୍ୟପୁରୁଷକୁ ।

କଲ୍ୟାଣୀନଗର, କଟକ – ୧୩

 

***

 

Unknown

ବ୍ୟକ୍ତିମାନସର କବି ସଚ୍ଚି ରାଉତରାୟ

କୁମୁଦଚନ୍ଦ୍ର ଦାଶ

 

ଅଶିଣ ତା ନିଜ ଋତୁ । ଅଶିଣ ତା ନିଜର ସକାଳ

ଏ ଅବା ସିଂହର ଠାଣି, ସଙ୍ଗେ ସଙ୍ଗେ ତୁହିନ ମରାଳ

ଚଟି ମୂଷା, ବିଚିତ୍ର ମୟୁର ଓ ଗାର୍ହସ୍ଥ୍ୟ ପେଚାର

ପରସ୍ପର ଅତିକ୍ରମ କରି ବହୁ ବର୍ଷ ବହୁ ସ୍ୱରମେଳ ।

(ଆଶ୍ଵିନ ୧୯୫୮)

 

ସଚ୍ଚି ରାଉତରାୟଙ୍କ କବିତା ଜଗତ୍ ସର୍ବତ୍ରଗାମୀ ଓ ବିଚିତ୍ରବର୍ଣ୍ଣା । ତାଙ୍କ କବିତାର ଆପାତତଃ ଏକ ବିବର୍ତ୍ତନକ୍ରମ ଥିଲେ ମଧ୍ୟ ତାଙ୍କ ଗତିଶୀଳ ଜୀବନର ନିରବଚ୍ଛିନ୍ନ କାବ୍ୟପ୍ରୟାସ ଭିତରେ ବହୁ ଆପାତବିରୋଧୀ ସ୍ୱର ଯୁଗପତ୍ ଆତ୍ମପ୍ରକାଶ କରି ତାଙ୍କ କବିଚେତନାର ଅନନ୍ୟ ଭୂମିକାକୁ ସୃଷ୍ଟ କରିଦେଇଛନ୍ତି ସତ୍ୟ, କିନ୍ତୁ ତାହାର ସମ୍ୟକ୍ ଅନୁଶୀଳନର ଅଭାବ ତାଙ୍କର ମହାସମନ୍ୱୟକାମୀ କବିବ୍ୟକ୍ତିତ୍ୱକୁ ରହସ୍ୟଚ୍ଛନ୍ନ କରିଦେଇଛି । ପ୍ରଗତି ଓ ଆଧୁନିକର ଦ୍ୱନ୍ଦ୍ୱ ଭିତରେ ତାଙ୍କ କବିତାର ଯଥାର୍ଥ ପରିଚୟ ବିଡ଼ମ୍ବିତ । ଅନ୍ୟ ଭାଷାରେ ଏ ଦ୍ୱନ୍ଦ୍ୱ ହେଉଛି ସମାଜଚେତନା ଓ ବ୍ୟକ୍ତି ଚେତନାର ଦ୍ୱନ୍ଦ୍ୱ । କବି ରାଉତରାୟ ଉଭୟ ମଧ୍ୟରେ ଏକ ସାର୍ଥକ ସଂଯୋଗ ସେତୁର ଅନ୍ୱେଷଣ କରିଥିଲେ ମଧ୍ୟ ପକ୍ଷଭୁକ୍ତ ସମାଲୋଚକମାନେ ସେ ଅନ୍ୱେଷଣ ସହିତ ନିଜକୁ ପରିଚିତ କରାଇ ପାରିନାହାନ୍ତି ।

 

ସଚ୍ଚି ରାଉତରାୟ ପ୍ରଗତିଚେତନାର ବାସ୍ତବବାଦ ଓ ପ୍ରୟୋଗବାଦୀ ଆଧୁନିକ କାବ୍ୟଚେତନାର କ୍ଲାସିକାଲ୍ ଅଭିରୁଚି ସହିତ ନିବିଡ଼ ଭାବେ ଜଡ଼ିତ ହେଲେ ମଧ୍ୟ ତାଙ୍କୁ କେତେକ ଆଧୁନିକପନ୍ଥୀ ସମାଲୋଚକ ରୋମାଣ୍ଟିକ କବି ବୋଲି କହିଥାନ୍ତି । ମୁଁ ସଚ୍ଚି ରାଉତରା; ନୁହେଁ ମୁଁ ଟାଗୋର ବା ଶେଲୀ । ବୋଲି କହିବା ବେଳେ କବି ରୋମାଣ୍ଟିକ ପରମ୍ପରାକୁ ଅସ୍ୱୀକାର କରୁଥିଲେ ମଧ୍ୟ ଏହା ରୋମାଣ୍ଟିକ କବିର ଅହଂସଚେତନତା ବା ବ୍ୟକ୍ତିତ୍ୱବୋଧର ଅଭ୍ରାନ୍ତ ପରିଚୟ ମଧ୍ୟ ପ୍ରଦାନ କରୁଛି । ରାଉତରାୟଙ୍କ ପାଇଁ ତାଙ୍କ କବିତା ଏକ ଆତ୍ମ ଅନେଷଣ (ନିଜରଇ ଆକୁଳ ସନ୍ଧାନ) ଏବଂ ତାହାରି ଭିତରେ ତାଙ୍କ ପରିଚୟ ଜିଜ୍ଞାସା କଲାବେଳେ ରୁଷୋଙ୍କ Confessionର ଏହି ଉକ୍ତିଗୁଡ଼ିକ ନିଶ୍ଚୟ ମନେ ପଡ଼ିଯିବ | ‘‘I am not made like any one I have seen; I do believe that I am not made like any one in existence. If I am not better at least I am different. ଏହା ରୋମାଣ୍ଟିକ କବିମାନଙ୍କର ଥିଲା ପ୍ରଧାନ ଶ୍ଳୋଗାନ୍ । କିନ୍ତୁ କବି ରାଉତରାୟଙ୍କର ଏହି ପ୍ରଖର ଆତ୍ମସଚେତନତା ବା ବ୍ୟକ୍ତିତ୍ୱବୋଧକୁ ତାଙ୍କ ବ୍ୟକ୍ତିଚେତନାର ପରିଚୟ ଭାବେ ଗ୍ରହଣ କରି ତାଙ୍କୁ ବ୍ୟକ୍ତିମାନଙ୍କର କବି ବୋଲି କହିବା ଏକ ଭିନ୍ନ ଦୃଷ୍ଟିଭଙ୍ଗୀ । କାରଣ ବ୍ୟକ୍ତିମାନସ ବ୍ୟକ୍ତିସମାଜ ସମ୍ପର୍କର ପ୍ରକୃତ ଭୂମିକା ଉପରେ ପ୍ରତିଷ୍ଠିତ । ବ୍ୟକ୍ତିଚେତନା ଶୀର୍ଷକରେ କବଙ୍କ ବିଶ୍ୱର ବିବେଚନା ଏବଂ ସେହି କ୍ରମରେ ରୂପକଳ୍ପ ବା ପ୍ରତୀକାଦିର ବିଚାର ଭିନ୍ନ ପରିପ୍ରେକ୍ଷୀ । ଏଠାରେ କେବଳ ସମାଜତାତ୍ତ୍ୱିକ ଦିଗ ହିଁ ବିବେଚ୍ୟ । ଅବଶ୍ୟ ଏ ଉଭୟ ମଧ୍ୟରେ ଅନ୍ତଃ ସମ୍ପର୍କ ମଧ୍ୟ ନିରୂପଣ କରାଯାଇପାରିବ । କବିଙ୍କ ଭୂମିକା ଦ୍ୱୈତ ଭୂମିକା । ସେ ତାଙ୍କ ଚରିତ୍ରର ଭିତରେ ଅଛନ୍ତି ପୁଣି ବାହାରେ ବି ଅଛନ୍ତି । ନାଟକର ସେ କିଛିଟା ନାୟକ, କିଛିଟା ଦର୍ଶକ ବି । କବିଙ୍କ ନିଜ ଭାଷାରେ

 

ମୁଁ ଅଛି ସେ ଚରିତ୍ର ଭିତରେ, ପୁଣି ତା’ ବାହାରେ

ନାୟକ କିଛିଟା ମୁହିଁ ଯେଉଁ ନାଟକର

ପୁଣି ଦର୍ଶକ ବି କିଛି ଯେଉଁଥିରେ ।

(-ସୀତା ଚୋରି, କବିତା ୧୯୬୯)

 

ରୋମାଣ୍ଟିକ କବିତାଠାରୁ ଦୂରେଇ ଯାଇ କବି ରାଉତରାୟ ହୋଇ ଉଠିଥିଲେ ପ୍ରଗତିଶୀଳ ବା ମାର୍କସବାଦୀ । କିନ୍ତୁ ତ୍ରିଂଶ ଦଶକର ଅଡେନ୍ ପ୍ରମୁଖ ଅକ୍ସଫୋର୍ଡ ମୁଭମେଣ୍ଟର ମାର୍କସବାଦୀ କବିଙ୍କ ପରି ସେ ମାର୍କସବାଦ ସହିତ ଆଧୁନିକବାଦର ସମନ୍ୱୟ ସାଧନ କରିଥିଲେ । ଆଧୁନିକ ଓଡ଼ିଆ କବିତା କ୍ଷେତ୍ରରେ ରାଉତରାୟଙ୍କ ଅନନ୍ୟ ପରିଚୟ ହେଉଛି ଯେ ସେ ପ୍ରଗତିଶୀଳମାନଙ୍କ ମଧ୍ୟରେ ଏକମାତ୍ର ଆଧୁନିକ ଏବଂ ଆଧୁନିକମାନଙ୍କ ମଧ୍ୟରେ ଏକମାତ୍ର ପ୍ରଗତିଶୀଳ । ପ୍ରଗତିଶୀଳ ଚେତନା ସହିତ ଆଧୁନିକ ଚେତନାକୁ ସମନ୍ୱିତ କରିଥିବାରୁ ତାଙ୍କ କବିତା ଭିତରକୁ ଆଧୁନିକତାର ବିଭିନ୍ନ ଧାରା ଉପଧାରା ସ୍ୱତଃ ପ୍ରବେଶ ପଥ ପାଇ ଯାଇଛନ୍ତି । କବିତା ଭିତରକୁ ଆସିଛି ଅତିବାସ୍ତବବାଦ (Surrealism) ସ୍ଥିତିବାଦୀଚେତନା (Existencialism) ଧର୍ମ ଓ ଆଧ୍ୟାତ୍ମିକ ଅନୁସଙ୍ଗ (metaphysical consciousnes) । ପ୍ରତୀକ, ଚିତ୍ରକଳ୍ପ, ମିଥ ଇତ୍ୟାଦି ମଧ୍ୟ ସେମାନଙ୍କର ଆତ୍ମିକ ଓ ଅଙ୍ଗିକ ଆଭିମୁଖ୍ୟ ନେଇ ତାଙ୍କ କବିତାରେ ଅଭିବ୍ୟକ୍ତି ଲାଭ କରିଛନ୍ତି । କେଉଁଠି ତାଙ୍କର ଯଦି ଅଛି ଆତ୍ମବିସ୍କୃତି, କେଉଁଠି ଆତ୍ମସଭାକୁ ଫେରି ଆସିବାର ଏକ ଦୁର୍ବାର ଆଗ୍ରହ । ଅର୍ଜୁନଙ୍କ ଭୂମିକା ଭିତରେ ସେ ନିଜକୁ ସମନ୍ୱିତ କରିଛନ୍ତି । ସେ କହିଛନ୍ତି

 

‘ନୁହେଁ ମୁହିଁ ବୃହନ୍ନଳା, ମୁହିଁ ସେହି ଦୁର୍ଜୟ ଫାଲ୍‌ଗୁନି ଆସିଅଛି ଫେରି ।” (କବିତା ୧୯୬୯)

 

ସମନ୍ୱୟଶୀଳତା ତାଙ୍କ କବିତ୍ୱର ଶ୍ରେଷ୍ଠ ପରିଚୟ । ସବୁ ବିପରୀତ ମଧ୍ୟରେ ସେ ସମନ୍ୱୟ ସାଧନା କରିଛନ୍ତି । ‘ପଦ୍ମିନୀ’ କବିତାରେ କବି କହିଛନ୍ତି

 

ବହୁ ବିପରୀତ ମଧ୍ୟେ

ମୁଁ ଖୋଜୁଚି ମୋର ସମନ୍ୱୟ

ମୁଁ ଖୋଜୁଚି ମୋର ଦ୍ୱିତୀୟ

(ପ୍ରତିବିମ୍ୱ ନୁହେଁ)

ଅଥବା ମୃତ୍ୟୁରେ

ସବୁ ବିପରୀତେ ଯିଏ ଥାପିବ ଅନ୍ୱୟ ।

 

ବସ୍ତୁତଃ ଏହି ସମୟଶୀଳତା ହିଁ ସତ୍ୟଶୀଳତାର ଶ୍ରେଷ୍ଠ ଅଭିବ୍ୟକ୍ତି ଏବଂ ଆଧୁନିକତାର ଶ୍ରେଷ୍ଠ ପରିଚୟ । ଐକ୍ୟ ମଧ୍ୟରେ ବୈପରୀତ୍ୟ ଓ ବିରୋଧ ମଧ୍ୟରେ ସଂହତିର ସମ୍ଭାବନା ଆଧୁନିକତାର ଲକ୍ଷଣ ବୋଲି ବୁଦ୍ଧଦେବ ବସୁ କହିଛନ୍ତି । ତାଙ୍କ ଭାଷାରେ, ଆଧୁନିକ କବିତାର ଦିକେ ଦୃଷ୍ଟିପାତ କୋରଲେ ଆମରା ଯେନ ସର୍ବସ୍ମୟେ ଏଇ କଥାଟା ଉପଲବ୍‌ଧି କରି ଯେ ଐକ୍ୟେର ମଧ୍ୟେ ଓ ବିପରୀତେରେ ସ୍ଥାନ ଆଛେ, ବିରୋଧେର ମଧ୍ୟେ ଓ ସଂହତିର ସମ୍ଭାବନା । ଅର୍ଥାତ୍ ଆଧୁନିକ କବିତା ଏମନ କୋଣେ ଏକଟା ପଦାର୍ଥ ନୟେ ଯାକେ କୋନୋ ଏକଟା ଚିହ୍ନ ଦ୍ଵାରା ସମସ୍ତେ କରାଯାୟ ।’’ ସ୍ଵାଧୀନତା ପରବର୍ତ୍ତୀ ବହୁ କବି ଏକାନ୍ତ ଆତ୍ମକୈନ୍ଦ୍ରିକ, ସେମାନେ ହୁଏତ ଏକାନ୍ତ ଭାବେ ବ୍ୟକ୍ତିବାଦକୁ କବିର ଏକମାତ୍ର ଭୂମିକା ବୋଲି ଭାବନ୍ତି । କବି ଦୀପକ ମିଶ୍ର ଆଧୁନିକ କବିତାରେ ସମାଜର ଭୂମିକା ଏହିପରି ଭାବେ ନିର୍ଣ୍ଣୟ କରିଛନ୍ତି । “କ୍ରମେ ସମାଜର ସଂଜ୍ଞା ଓ ପ୍ରୟୋଜନ ବୋଧ ଓଡ଼ିଆ କବିଙ୍କ ନିକଟରେ ଏକ ନୂତନ ରୂପରେ ଦେଖାଦେଲା ନିଜ କାବ୍ୟିକ ମନର ଅଭିବ୍ୟକ୍ତି ଦିଗରେ ସାମାଜିକ ପରିବେଶର ପ୍ରଭାବ ଧୀରେ ଧୀରେ ସଙ୍କୁଚିତ ହେବାକୁ ଲାଗିଲା ଓ କବି ଯେତିକି ପରିମାଣରେ ତାର ବ୍ୟକ୍ତିଗତ ଜୀବନରେ ସମାଜ ଦ୍ୱାରା ପ୍ରଭାବିତ ହେଲା, ତାହାର ଖୁବ୍ କ୍ଷୀଣ ଅଂଶ ତାହାର କବିତାରେ ସ୍ଥାନ ପାଇଲା, କାରଣ ମଣିଷ ସହିତ ସମାଜ ମଧ୍ୟ ଏକ ବିକ୍ଷିପ୍ତ ବିଚ୍ଛିନ୍ନ ବ୍ୟକ୍ତିତ୍ୱର ଅଂଶୀଦାର । ତେଣୁ କବିର ନିଜସ୍ଵ ଜୀବନର ସଂଘାତ, ସଂଶୟ, ସଂଶ୍ଳିଷ୍ଟତା, ଆବେଗ, ପ୍ରେମ, ସୁଖ, ଦୁଃଖ, ଆଲୋକ, ଅନ୍ଧାର, ଆଶା, ହତାଶା ସେମାନଙ୍କ ବିରୋଧାଭାସର ମାନଚିତ୍ର ପ୍ରସ୍ତୁତ କଲେ, କବି ଏହାକୁ ଉପଭୋଗ କରିବା ବ୍ୟତୀତ ଅନ୍ୟପନ୍ଥା ତା’ ପାଇଁ ନାଇଁ । ସେଇଥିପାଇଁ ତାର Poetic sensibiligy ର ପୃଷ୍ଠଭୂମି ବା canvas ସବୁବେଳେ ସମାନ ନୁହେଁ, ତାହା ମଧ୍ୟ ସମ୍ଭବପର ନୁହେଁ ଏବଂ ବସ୍ତୁତଃ ଏଇଥିପାଇଁ ତା କବିତାରେ ସମାଜର କେଉଁ ରୂପ କେତେବେଳେ କିଭଳି ଭାବରେ ଦେଖାଦିଏ, ତାହା ଜାଣିବା ମୁସ୍କିଲ । ମୋର ଯେତେଦୂର ମନେହୁଏ, ବର୍ତ୍ତମାନ କବି ନିକଟରେ ସମାଜ କୌଣସି ନିର୍ଦ୍ଦିଷ୍ଟ ସଂଜ୍ଞାସୂଚକ ରାଷ୍ଟ୍ରୀୟ ମତବାଦ ନୁହେଁ, ନୁହେଁ କିଛି ସଂଖ୍ୟକ ବ୍ୟକ୍ତିମାନଙ୍କ ଏକ ମିଳନ କ୍ଷେତ୍ର ବା କୌଣସି abstract idea ତାହା ବ୍ୟକ୍ତି ବିଶ୍ୱରେ ଅନ୍ୟାନ୍ୟ ସମସ୍ତ ଜାଗତିକ ଓ ଆଧିଭୌତିକ ଅନୁଭୂତି ପରି ସମାଜ ମଧ୍ୟ ଅନ୍ୟ ଏକ ଅନୁଭୂତି ମାତ୍ର, ଯଦିଚ ଏଥିରେ Reality ର ମାତ୍ରା ଟିକିଏ ଅଧିକ, ତେଣୁ ମୋ କବିତାରେ ଏତିକି ପରିମାଣରେ ସମାଜର ଚିତ୍ର ରହିବ ଓ ଏହିଭଳି ରୀତିରେ ଅବତାରଣା କଲେ ପାଠକର ସମାଜ ଚେତନା ଉଦ୍ରେକ କରାଇବାରେ ମୁଁ ସମାନ ହୋଇପାରିବି - ଏମିତି ଚିନ୍ତାରେ କଲମ କାମୁଡ଼ି କୌଣସି ନିଛକ କବି ବର୍ତ୍ତମାନ କବିତା ଲେଖେ ନାହିଁ ବୋଲି ମୋର ବିଶ୍ୱାସ ।’’ (ସାମ୍ପ୍ରତିକ ଓଡ଼ିଆ କବିତାରେ ସମାଜ ଚେତନା- କବି, କବିତା କାବ୍ୟଭୂମି- ଦୀପକ ମିଶ୍ର ପୂ ୩୦୦-୩୦୧) । ସମାଲୋଚକ ଦାଶରଥ ଦାସ ଲେଖିଛନ୍ତି, ‘‘କବିତା ଅସାମାଜିକ ହୋଇ ମଧ୍ୟ ଚିରକାଳ ସମସ୍ତଙ୍କର ସୁପ୍ରିୟ ହୁଏ । ସମାଜ ସଚେତନତା କବିତାର ବଡ଼ ଗୋଟାଏ ଗୁଣ ନୁହେଁ । ତେଣୁ ପ୍ରତ୍ୟକ୍ଷ ସାମାଜିକ ତାତ୍ପର୍ଯ୍ୟହୀନତା କବିତାର ମାରାତ୍ମକ ଅପରାଧ ହୋଇପାରେ ନାହିଁ ।’’ (ଆଧୁନିକ କାବ୍ୟଜିଜ୍ଞାସା: ଚିତ୍ରକଳ୍ପ– ପୃ. ୪୮୩)

 

ଆଧୁନିକବାଦୀ କବିତାର ଏହି ଦୃଷ୍ଟିଭଙ୍ଗୀ ସଚ୍ଚିରାଉତରାୟଙ୍କ କବିତାରେ ମଧ୍ୟ ପ୍ରକାଶ ପାଇଛି ସତ୍ୟ, କିନ୍ତୁ ସେ ଅନ୍ୟମାନଙ୍କ ପରି କେବଳ ବଂଶୀ ବଜାଇବା କବି ନୁହନ୍ତି, ଖୁବ୍ ପାଖାପାଖି ଭାବରେ ସେ ମଧ୍ୟ କୃଷ୍ଣ ନ ହୋଇ ହଳଧରଙ୍କ ପରି ହଳ ଧରିଛନ୍ତି । ସମାଜ ତାଙ୍କ କବିତାର ଏକ ସ୍ପଷ୍ଟ ତତ୍ତ୍ୱ, କେନ୍ଦ୍ରୀୟ ତତ୍ତ୍ୱ କହିଲେ ଅତ୍ୟୁକ୍ତି ହେବ ନାହିଁ । ତାଙ୍କ ବ୍ୟକ୍ତି ଯଥାସମ୍ଭବ ସମାଜ ସମ୍ପୃକ୍ତ ଏକ ବ୍ୟକ୍ତିତ୍ଵ । ସମାଜ ଚେତନାରୁ ତାଙ୍କ ବ୍ୟକ୍ତି ଚେତନାର ଅଭ୍ୟୁଦୟ ଘଟିଛି ଏବଂ ବାଜିରାଉତ ବା ପାଣ୍ଡୁଲିପିର ସମାଜଚେତନା ସହିତ ‘ସ୍ୱଗତ’ ବା ‘କବିତା-୧୯୬୨’ର ସମାଜଚେତନାକୁ ତୁଳନା କଲେ ଏହା ସ୍ପଷ୍ଟି ହୁଏ । ପ୍ରଥମ ପର୍ଯ୍ୟାୟରେ କବି ସ୍ପଷ୍ଟତଃ ସମାଜ ସମ୍ପୃକ୍ତ ବ୍ୟକ୍ତି, ଦ୍ୱିତୀୟ ପର୍ଯ୍ୟାୟରେ ନାଟକର ଦର୍ଶକ ଭୂମିକାରେ ରହୁଥିବା ଅସହାୟ ବ୍ୟକ୍ତିସତ୍ତା, କିନ୍ତୁ ରାଉତରାୟଙ୍କର ଏ ଅସହାୟତା ତାଙ୍କର ପ୍ରଖର ସମାଜଚେତନା ଯୋଗୁଁ ସୀମାବଦ୍ଧ । ଏହା କବି ଭାବରେ କେତେକାଂଶରେ ତାଙ୍କର ବିଭକ୍ତବ୍ୟକ୍ତିତ୍ୱ (split personality)ର ସଙ୍କେତ ଦେଉଥିଲେ ମଧ୍ୟ ବିଭକ୍ତବ୍ୟକ୍ତିତ୍ୱର ଅଭିବ୍ୟକ୍ତିରେ ନାଟକର ଚରିତ୍ର ଅପେକ୍ଷା ସେ ବେଶି ଜଣେ ଦର୍ଶକ । ବାସ୍ତବତାର ପୂର୍ଣ୍ଣ ରୂପର ପ୍ରକଟନ ହିଁ ତାଙ୍କର ଆପାତତଃ । ଅଣ-ସାମାଜିକ (Nonsocial) ବା ବ୍ୟକ୍ତିଭିତ୍ତିକ ବିଷୟ ସମାବେଶର କାରଣ । ‘ପାଣ୍ଡୁଲିପି’ର ‘ରାଜଜେମା’ କବିତାରେ କବି ସୌନ୍ଦର୍ଯ୍ୟ ପରିବର୍ତ୍ତେ ସତ୍ୟକୁ କବିତାର ବିଷୟବସ୍ତୁ ଭାବରେ ଗ୍ରହଣ କରିଛନ୍ତି । ମାର୍କସବାଦୀ ତତ୍ତ୍ୱରେ ଏହି ସତ୍ୟ ବାସ୍ତବତାର ସମଗ୍ରତା ବୋଲି ଲେନିନ କହିଛନ୍ତି । ତାଙ୍କ ଭାଷାରେ; Truth is formed out of the totality of all aspects of a phenomenon of reality and their mutual relationship. ପ୍ରଖ୍ୟାତ୍ ମାର୍କସବାଦୀ ସମାଲୋଚକ କଡୱେଲ କହନ୍ତି Truth is an organised product of man’s struggle with nature’ ବାସ୍ତବତାର ପୂର୍ଣ୍ଣ ରୂପକୁ ଖୋଜିବାକୁ ଯାଇ ସେ ସତ୍ୟ ସହିତ ସୌନ୍ଦର୍ଯ୍ୟକୁ ମଧ୍ୟ ଖୋଜିଛନ୍ତି, ସୌନ୍ଦର୍ଯ୍ୟ ସହିତ କୁସ୍ଥିତତା ପୁଣି ଅସହାୟ ବ୍ୟକ୍ତି ସତ୍ତାର ସଙ୍କଟ ଓ ଆଧ୍ୟାତ୍ମିକ ପରିଚିତିର ଅନ୍ୱେଷଣ ମଧ୍ୟ ତାଙ୍କ କବିତାରେ ସ୍ଥାନ ପାଇଛି । କବିଙ୍କର ବିଭକ୍ତ ବ୍ୟକ୍ତିତ୍ୱ ଅପେକ୍ଷା ଅଧିକ ଭାବେ ଏହା ଏକ ସମୟ ପ୍ରକ୍ରିୟା (Process of synthesis) ମଧ୍ୟଦେଇ ଆତ୍ମପ୍ରକାଶ କରିଛି । ଏହି ସମନ୍ୱୟ ପ୍ରକ୍ରିୟାରେ ତାଙ୍କ କବିତାର ଆପାତସ୍ୱବିରୋଧର ବିଲୟ ଘଟିଛି । ହ୍ୱିଟମ୍ୟାନ କହିଥିଲେ-

 

Do I contradict myself ?

Very well then I contradict myself

I am large, I contain multitude.

 

ସଚ୍ଚି ରାଉରାୟଙ୍କ କବିତାରେ ସମାଜ ଓ ବ୍ୟକ୍ତିଚେତନାର ଦ୍ୱନ୍ଦ୍ୱ ଅପେକ୍ଷା ତାର ସମନ୍ୱୟ ଅଧିକ ଗ୍ରହଣୀୟ । ସେ ଉଭୟ ସମାଜମାନସ ଓ ବ୍ୟକ୍ତିମାନସର କବି । ତାଙ୍କର ଏ ଭୂମିକା ଅନନ୍ୟ । ସେ ସମଗ୍ରତାର କବି । ଜୀବନଚେତନା ହିଁ ତାଙ୍କର ଚେତନା । ବିଭିନ୍ନ କବିତାର ଏହି କଥାକୁ ସେ ବାରମ୍ବାର କହିଛନ୍ତି । ପରିଣତ ବୟସରେ ଆତ୍ମସମୀକ୍ଷା କରି ଲେଖିଛନ୍ତି-

 

ଗୋଟାଏ ମଣିଷ ମୁହିଁ ହୁଏ କେତେ ଖଣ୍ଡ

କବିତା ମୋ ପ୍ରସାରଣ ଏକ ଓ ବହୁର

ଉଚ୍ଚାରଣ ସବୁ ମଣିଷର

ପଡ଼ିନାହିଁ ଗୋଟିଏ ଛାଞ୍ଚରେ

ଯାଇଅଛି ଆଗକୁ ଆଗକୁ

ନିଜ ଆବିଷ୍କାରେ

ଚାଲିଚି ଯେ ଏକଇ ଗୁଳାରେ

ଜୀବନର ବିସ୍ତୀର୍ଣ୍ଣ ପ୍ରାଙ୍ଗଣେ

ବାଜେ ତା ନୂପୁର ।

ପ୍ରତି ସୂର୍ଯ୍ୟୋଦୟେ ଗଢ଼ିଚାଲେ ନୂତନ ଅଧ୍ୟାୟ

କେବେ ଯଦି ତନ୍ତ୍ରର ନାୟିକା ବଜ୍ର ସାଧନାରେ

କେବେ ସ୍ଥିତିବାଦୀ କନ୍ୟା ମାର୍ଗ ଓ ସ୍ଥାନୀୟ

ନାନା ଚିତ୍ରକଳ୍ପ, ପ୍ରତୀକର ବିମ୍ୱେ

ଦେଖାଦିଏ ସ୍ରୋତସ୍ଵିନୀ, ଜୀବନର ଶତରୂପା

ବହୁଧା ବିସ୍ମୟ

ଜୀବନର ସମସ୍ତ ଆହ୍ୱାନ ଲିଭାଇଛି ଅଙ୍ଗେ ।’’

(କବିତାର ଜନ୍ମଦିନେ)- କବିତା ୧୯୮୭

 

‘ବିରୋଧୀ ଇଚ୍ଛାର ବାଲେଶ୍ଵର’ ପରି କବିତାରେ ସେ ତାଙ୍କର ବିଭକ୍ତ ମୁହୂର୍ତ୍ତର ଦ୍ୱନ୍ଦ୍ୱ ଓ ମିଳନ କଥା ମଧ୍ୟ କହି ରଖିଛନ୍ତି ।

 

ମାର୍କସବାଦୀମାନେ ତ ଅନେକ କଥା କହନ୍ତି । କିନ୍ତୁ ନିଜେ ମାର୍କସ କହିଥିଲେ- ‘I am no Marxist’ । ପ୍ରାୟ ଶେଷ ପର୍ଯ୍ୟନ୍ତ ମାର୍କସବାଦ ଉପରେ ଅଗାଧ ଆସ୍ଥା ରଖିଥିବା ରାଉତରାୟ ମଧ୍ୟ ଠାଏ କହିଛନ୍ତି ମୁଁ କିପରି ହେବି ମାପସହି ?’ କୌଣସି ନିର୍ଦ୍ଦିଷ୍ଟ ଚିନ୍ତାଧାରାକୁ ଶେଷ ପର୍ଯ୍ୟନ୍ତ ଗ୍ରହଣ କରିବା ଓ କରିଯିବା କୌଣସି ସତ୍କବି ପକ୍ଷରେ ସମ୍ଭବ ନୁହେଁ, ‘ସୀମାନ୍ତଟ୍ରେନ୍’ କବିତାରେ କବି ସେଇକଥା କହିଛନ୍ତି । କୌଣସିଠାରେ ସେ ସ୍ଥିର ହୋଇ ରହିନାହାନ୍ତି । ଗତି ହିଁ ତାଙ୍କର ଏକମାତ୍ର ମନ୍ତ୍ର । ପରିଚୟ ତାଙ୍କର ନିରବଚ୍ଛିନ୍ନ ବିବର୍ତ୍ତମାନତା । ସବୁଠି ଥାଇ ମଧ୍ୟ ସେ କେଉଁଠି ନାହାନ୍ତି । ଭଲ ଓ ମନ୍ଦ ଅନୁକୂଳ ଓ ପ୍ରତିକୂଳ ସମସ୍ତ ପରିବେଶ ଭିତରେ ଶେଷହୀନ ଆତ୍ମ ଅମ୍ବେଷଣ ହିଁ ତାଙ୍କର କବିତ୍ଵ । ମାର୍କସବାଦର ମୌଳିକ ସମନ୍ୱୟଶୀଳ ସ୍ୱରୂପ ତାଙ୍କୁ ଏହି ଅଭିନବମାର୍ଗର ଦିଗଦର୍ଶନ ଦେଇଛି । ସେଇଦୃଷ୍ଟିରୁ ସେ- ଅଶିଣ ତା ନିଜର ସକାଳ ।

 

ମାର୍କସବାଦର ଏକ ଧ୍ୱନି ହେଉଛି- Religion is opium of the people. ଧର୍ମ ସମାଜର ଅଫିମ । ଏହି ଅନୁକ୍ରମେ ଆମ ବିପ୍ଳବୀ କବିଏ ଜଗନ୍ନାଥଙ୍କ ଚୁଟି ଧରିବା ପର୍ଯ୍ୟନ୍ତ ଚାଲିଗଲେଣି । କିନ୍ତୁ ମାର୍କସବାଦ ସହିତ କ’ଣ ଧର୍ମର କୌଣସି ସମ୍ପର୍କ ନାହିଁ ? ଏଲିୟଟଙ୍କ ବନ୍ଧୁ Joseph Chiari ତାଙ୍କର Aesthetics of Modernism. ଗ୍ରନ୍ଥରେ ମାର୍କସିଜିମ୍, ଏଜ୍‍କିଷ୍ଟେସିଆଲିଜମ୍‍ ଓ ଖ୍ରୀଷ୍ଟଧର୍ମ ଭିତରେ ନିବିଡ଼ ସମ୍ପର୍କ ପ୍ରଦର୍ଶନ କରିଛନ୍ତି । ଧର୍ମ ଐତିହାସିକ ଦ୍ୱନ୍ଦ୍ୱର ଏକ ପ୍ରମୁଖ ଉପାଦାନ । ମାର୍କସ ଏକ ଖ୍ରୀଷ୍ଟୀୟ ସମାଜରେ ହିଁ ଜନ୍ମଗ୍ରହଣ କରିଥିଲେ ଓ ସେ ସମାଜର ସଙ୍କଟର ମୁକାବିଲା ପାଇଁ ନିଜର ଚିନ୍ତାଧାରାକୁ ପ୍ରଚାର କଲାବେଳେ ସେ ଖ୍ରୀଷ୍ଟୀୟ ଧାରଣା, ଧାରା ଓ ବିଧିର ରୂପ (form) ଦ୍ୱାରା ବହୁଭାବେ ପ୍ରଭାବିତ ହୋଇଛନ୍ତି । ପ୍ରାକ୍ତନ ଚିନ୍ତାଧାରାର ଏକ ସମୀକରଣ ଓ ସମନ୍ୱୟ ଏଥିରେ ପରିଦୃଷ୍ଟ ହୁଏ ଏବଂ ଏହାକୁ ସମ୍ପୂର୍ଣ୍ଣ ରୂପେ ବସ୍ତୁନିଷ୍ଠ ବୋଲି ଭାବିବା ଉଚିତ ନୁହେଁ ଏବଂ ସମାଲୋଚକମାନଙ୍କ ବିରୋଧ ସତ୍ତ୍ୱେ ଏଥିରେ ବହୁ ବ୍ୟକ୍ତିନିଷ୍ଠ ଓ ଆଦର୍ଶବାଦୀ ଉପାଦାନ ଉପଲଭ୍ୟ । ମାର୍କସ ଚିନ୍ତାରେ ଯାଞ୍ଚିକତାର ବିରୋଧୀ ଥିଲେ-। ମାର୍କସ୍ ବ୍ୟକ୍ତିକୁ କିଭଳି ଭାବରେ ଦେଖୁଥିଲେ ? ଚିଆରୀ ଲେଖିଛନ୍ତି; He neither looked upon the individual as an abstruction, which was just fit to be absorded into the state, nor as a mechanical product of society. He saw man in terrms of which Sartre and existentialist thought could, on the whole, approve of, that is to say, as a being existing for himself. Man for him is not a stone in a building which is called society; he is te element by which society is made and which is influenced by the society which he makes, he carries in him the consciousness of the progress of history and he is the basis of its dialectics. Man is not an object but a living subjectivty connected with other subjectivities and he is engaged with them in the task of creating for each one and for others existence, the interaction of which makes history.’’ (Aesthetics of Modernism-page 26 (1970) ସମାଜଚେତନା ଏକ ବ୍ୟକ୍ତି-ବିଚ୍ଛିନ୍ନ ଚେତନା ନୁହେଁ । ବ୍ୟକ୍ତି ହିଁ ସମାଜର ସର୍ବସ୍ୱ । Holy Familyରେ ମାର୍କସ୍‌ କହିଛନ୍ତି, ‘‘It is man, real, living man who makes, owns and fights, it is not history which uses man to realise itself, for history is nothing else but the activity of man pursuing his ends.’’ (Page-265) ତେଣୁ ମାର୍କସ୍ ବ୍ୟକ୍ତିର ପ୍ରାଧାନ୍ୟକୁ ସ୍ୱୀକାର କରନ୍ତି ଓ ସ୍ଥିତିବାଦର ବ୍ୟକ୍ତିସ୍ୱତନ୍ତ୍ର୍ୟଠାରୁ ତାହା ସେହି ଦୃଷ୍ଟିରୁ ଭିନ୍ନ ନୁହେଁ । ସମାଜରେ ବ୍ୟକ୍ତିର ଭୂମିକା ପୁଣି ଏଇ ଦୃଷ୍ଟିରୁ ଆରିଷ୍ଟୋଟଲୀୟ ବା ଖ୍ରୀଷ୍ଟୀୟ । ‘। and thou’ ସମ୍ପର୍କଠାରୁ ଭିନ୍ନ ନୁହେଁ । ଯାହା ଜଗତରେ ଈଶ୍ୱରଙ୍କ ରାଜ୍ୟ ପ୍ରତିଷ୍ଠା କରେ । ମାର୍କସଙ୍କ ‘prasix’ ବା କର୍ମପ୍ରେରଣାର ଦର୍ଶନ ସ୍ଥିତିବାଦରେ ମଧ୍ୟ ପରିଦୃଷ୍ଟ ହୁଏ । ସମାଜର ପରିଦୃଷ୍ଟି ପ୍ରାକୃତିକ ଶୃଙ୍ଖଳାର ବିରୋଧରେ ଏହାର ଭୂମିକା ସ୍ୱୀକୃତ ହୁଏ ଏବଂ ଏହା ଏକ ମାନବିକ ଶୃଙ୍ଖଳାର ପକ୍ଷପାତୀ । Communist Manifesto ରେ ମାର୍କସ ବ୍ୟକ୍ତି ଓ ସମାଜର ସମ୍ପର୍କ ନିରୁପଣ କରି କହିଛନ୍ତି, “Communism is an association in which the free development of each individual is the londition of the free development of all.?’’ ସାର୍ତ୍ତ ମଧ୍ୟ ‘Existence’ ସହିତ ‘co-existence’ କଥା କହିଥିବା କବି ରାଉତରାୟ ତାଙ୍କର କବିତା ୧୯୬୯ର ମୁଖବନ୍ଧରେ ଲେଖିଛନ୍ତି । ତେବେ ବ୍ୟକ୍ତିର ଭୂମିକା ନିରଙ୍କୁଶ ବୋଲି ଭାବିବା ଯୁକ୍ତିଯୁକ୍ତ ନୁହେଁ । କବିତାରେ ଶବ୍ଦର ସ୍ଥାନ ପରି ସମାଜର ବ୍ୟକ୍ତିର ଭୂମିକା । ସମଗ୍ର ସହ ତାର ସମ୍ପର୍କ ଓ ସ୍ଥିତି ଆପେକ୍ଷିକ । ମାର୍କସଙ୍କ ପାଇଁ ବ୍ୟକ୍ତି ବିମୂର୍ତ୍ତ (Abstract) ନୁହେଁ, ପ୍ରମୂର୍ତ୍ତ (concrete) । କିନ୍ତୁ ଅଂଶ ଓ ସମଗ୍ରର ଏକ ଜଟିଳ ସମ୍ପର୍କ ବୋଧରେ ହିଁ ସତ୍ୟର ଅନ୍ୱେଷଣ ସମ୍ଭବ । ଖ୍ରୀଷ୍ଟଧର୍ମର ଧର୍ମୀୟ ଭାଷାରେ ପ୍ରତ୍ୟେକ ଜୀବସତ୍ତା ସୃଷ୍ଟିର ଏକ ଅଂଶ ଏବଂ ସମଗ୍ରତା ସହ ସମ୍ପର୍କରେ ହିଁ କେବଳ ସତ୍ୟକୁ ଆବିଷ୍କାର କରିପାରେ । ଏ ଦୃଷ୍ଟିଭଙ୍ଗୀ ମାର୍କସଙ୍କ ଦୃଷ୍ଟିଭଙ୍ଗୀ ସହ ତୁଳନୀୟ । ସ୍ପିନୋଜାଙ୍କ ସର୍ବେଶ୍ୱରବାଦ (pantheism) ମଧ୍ୟ ଏହି କଥା କହେ । ଅଂଶ ଭାବେ ବ୍ୟକ୍ତିର ଭୂମିକା ସମଗ୍ରତାର ପ୍ରତିବିମ୍ବ ବହନ କରେ ଏବଂ ବ୍ୟକ୍ତି ସମଗ୍ରତା ଭିତରେ ନିଃଶେଷ ହୋଇଯାଏ ନାହିଁ । ଜଗତର ସ୍ଵର୍ଗୀକରଣରେ ପ୍ରକ୍ରିୟା ବ୍ୟକ୍ତି ଏକ ନିର୍ଦ୍ଦିଷ୍ଟ ଭୂମିକା ଗ୍ରହଣ କରେ ।

 

ମାର୍କସଙ୍କ ଜଗତଦୃଷ୍ଟି ବାସ୍ତବବାଦୀ ଓ ଧର୍ମୀୟ । ଏହି ଦୃଷ୍ଟି ଏକ ସ୍ଥିତିବାଦୀୟ ଦୃଷ୍ଟି । ମାର୍କ୍ସ ଦାର୍ଶନିକ ସ୍ଥିତିକୁ ଅସ୍ୱୀକାର କରିଛନ୍ତି । ଦର୍ଶନର ବିମୂର୍ତ୍ତତା ମଣିଷର ଧର୍ମୀୟ, ରାଜନୈତିକ, ନ୍ୟାୟଗତ ଓ ପ୍ରକୃତି ସ୍ଥିତିର ବିରୋଧୀ । ମାର୍କସଙ୍କ ମତରେ ଦର୍ଶନର ପ୍ରକୃତ ଭୂମିକା ସ୍ଥିତିବାଦୀୟ ହେବା ଆବଶ୍ୟକ । ସ୍ଥିତିବାଦୀ ପରିବେଶରେ ମଣିଷର ସ୍ଥିତିବାଦୀୟ କର୍ମ ହେବ ଦର୍ଶନର ଅନୁଧ୍ୟେୟ, ବିମୂର୍ତ୍ତୀକରଣ ବା ଜଗତଠାରୁ ପ୍ରତ୍ୟାହାର (Withdrawal) ନୁହେଁ । ତେଣୁ ବ୍ୟକ୍ତିର ବ୍ୟକ୍ତି ସତ୍ତାକୁ ସ୍ୱୀକାର କରିବାକୁ ହେବ । ଜୋସେଫ୍ ଚିଆରୀ ସର୍ବହରାମାନଙ୍କୁ ହତାଶ ଆତ୍ମା (frustrated spirit) ଓ ବିପ୍ଳବକୁ ଖ୍ରୀଷ୍ଟୀୟ resurrection ସହିତ ତୁଳନା କରିଛନ୍ତି । ଧର୍ମୀୟ ଧାରଣା ସହିତ ମାର୍କସୀୟ ଧାରଣାର ନିବିଡ଼ ସମ୍ପର୍କ ଦର୍ଶାଇଛନ୍ତି ।

 

ପୁଞ୍ଜିବାଦ ଓ ସର୍ବହରାର ଦ୍ୱନ୍ଦ୍ୱ ଏକ ଧର୍ମୀୟ ଦ୍ଵନ୍ଦ୍ୱ । ଖ୍ରୀଷ୍ଟ୍ରୀୟ ମଣିଷ ତାର ସ୍ୱାର୍ଥପରତା ଯୋଗୁଁ ଈଶ୍ଵରଙ୍କଠାରୁ ବିଚ୍ଛିନ୍ନ, ମାର୍କସୀୟ ମଣିଷର ବିଚ୍ଛିନ୍ନତା ଠିକ୍ ସେଇ କାରଣରୁ । ମାର୍କସବାଦୀ ବିପ୍ଳବ ଖ୍ରୀଷ୍ଟୀୟ ଦ୍ୱିତୀୟ ଆଗମନ ସହିତ ତୁଳିତ । ଯୀଶୁ ମହାଜନମାନଙ୍କ ନୈତିକତାକୁ ଅସ୍ୱୀକାର କରିବା ପରି ମାର୍କସବାଦୀ ସମସ୍ତ ନଷ୍ଟ ମୂଲ୍ୟବୋଧ (False values)କୁ ଅସ୍ୱୀକାର କରେ । ଆଧାତ୍ମିକ ଜଗତର ନବପ୍ରଭାତ ପରି ବିପ୍ଳବ ଆଣିବ ନବଯୁଗ । ଚିଆରୀ ପୁଣି ଲେଖିଛନ୍ତି, ‘‘The conflict between Good and Evil, God and Satan, Matter and Spirit, which pertains to most religious antiphilosophies from plato to kant and Hegle, become for Marxm, the conflict between the capitalist class and the proletariat and in the end the triumph of the proletariat is as certain as that of good or sprit over evil" (ତତ୍ରୈବ, ପୃ ୩୦-୩୧)

 

ବ୍ୟକ୍ତିଚେତନାର ଅଭିବ୍ୟକ୍ତି କ୍ଷେତ୍ରରେ ଅତିବାସ୍ତବବାଦ (Surrealism)ର ଭୂମିକା ଗୁରୁତ୍ଵପୂର୍ଣ୍ଣ । ଏହାର ଅନ୍ତରାଳରେ ରହିଛି ଦୁଇ ବିଶ୍ଵଯୁଦ୍ଧର ସଂଘାତ । ବିଂଶ ଶତାବ୍ଦୀର ତୃତୀୟ ଦଶନ୍ଧିରେ ପୁଞ୍ଜିବାଦର ବିପର୍ଯ୍ୟୟ ଘଟିଥିଲା ଏବଂ ଦେଖାଦେଇଥିଲା ଏକ ଦିଗ୍‌ଦର୍ଶନ ଶୂନ୍ୟତା (Loss of direction) ବ୍ୟର୍ଥତାବୋଧ (frustration) ଓ ଅଣବିଚାର (irrationality)ର ପ୍ରଲମ୍ବିତ ପ୍ରକାଶ । ଅତିବାସ୍ତବବାଦ ଓ ବିମୂର୍ତ୍ତି କଳାରେ ଏହାର ଅଭିବ୍ୟକ୍ତି ସ୍ପଷ୍ଟ । ବାସ୍ତବତା ପରିବର୍ତ୍ତେ ଦେଖାଦେଲା ବ୍ୟକ୍ତିନିଷ୍ଠ ବା ମନ୍ମୟ ବ୍ୟାଖ୍ୟା ପ୍ରବଣତା (Subjective Interpretation) । ଯୁଥଯନ୍ତ୍ର ନିପୀଡ଼ିତ କିଅରକୋଗାର୍ଡ ଆଦର୍ଶବାଦର ବିମୂର୍ତ୍ତ ଜଗତ, ବିଜ୍ଞାନର ଛଦ୍ମବସ୍ତୁନିଷ୍ଠତା (Pseudo objectivity) ଓ ବସ୍ତୁବାଦର ଅଣବ୍ୟକ୍ତିକୃତ (nonindividualism) ଐତିହ୍ୟ ବିରୁଦ୍ଧରେ ସ୍ୱରୋତ୍ତଳନ କରିଥିଲେ । ବର୍ଗଶଁଙ୍କ ମାନବିକ ବିକାଶର ଭିତ୍ତି ଭାବେ ଚେତନାର ସଶକ୍ତ ଗୁରୁତ୍ୱ ଓ ହର୍ସେଲଙ୍କର ବହିର୍ବିଶ୍ୱ (Phenomena) ଉପରେ ଗୁରୁତ୍ୱ ପ୍ରଦାନ ପ୍ରମୂର୍ତ୍ତ ବା ସାକାର (concrete) ଓ ବ୍ୟକ୍ତିନିଷ୍ଠତା (Subjective)ର ମହତ୍ତ୍ୱ ପ୍ରତିପାଦନ କଲା । ସ୍ଥିତିବାଦୀ ଚିନ୍ତାଧାରା ମୂଳରେ ରହିଛି ଏହି ବିକାଶମାନ ମନସ୍ତାତ୍ତ୍ୱିକ ବ୍ୟକ୍ତିଚେତନା ଓ ସାକାର ବ୍ୟକ୍ତିସ୍ଥିତି (Concrete individual existence) ମାର୍ସଲ ଓ ଜାସ୍ପର୍ସଙ୍କ ଖ୍ରୀଷ୍ଟୀୟ ସ୍ଥିତିବାଦ ଏବଂ ହାଇଡିଗାର ଓ ସାର୍ତଙ୍କ ନାସ୍ତିକ ସ୍ଥିତିବାଦ ମୂଳରେ ରହିଛି ହର୍ସେଲଙ୍କ ଫେନୋମେନଲୋଜିର ବ୍ୟକ୍ତିନିଷ୍ଠ ଅନ୍ୱେଷା । ବାସ୍ତବ ବିଶ୍ଵର ବ୍ୟକ୍ତି ଉପଲବ୍ଧ ଉପରେ ଗୁରୁତ୍ୱ ଦେଉଥିବାରୁ ଫେନୋମେନୋଲୋଜି ଉଭୟ ମାର୍କସବାଦ ଓ ସ୍ଥିତିବାଦ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ହୋଇଉଠିଲା । ସମାଜର ସଂରଚନା ତଥା ବିଶ୍ୱର ଅଂଶ ଭାବେ ବ୍ୟକ୍ତିର ଭୂମିକା ସ୍ପଷ୍ଟ ହୋଇଗଲା । ହାଇଡିଗାର ଓ ସାର୍ତ୍ତଙ୍କ ନାସ୍ତିକତା ମଧ୍ୟ ଏକପ୍ରକାର ଧାର୍ମିକ ନାସ୍ତିକତା । ଶୁଦ୍ଧ ନାୟିକ ଅନାସକ୍ତ (indifferent) ବ୍ୟକ୍ତି ଅପେକ୍ଷା ବିଶ୍ଵାସର ଅଧିକ ନିକଟବର୍ତ୍ତୀ ବୋଲି ଡଷ୍ଟୟଭସ୍କି କହିଛନ୍ତି । ହାଇଡିଗାରଙ୍କ ଶୂନ୍ୟତା (nothingness) ଏକ ଧର୍ମୀୟ ଧାରଣା । ଏହା ହେଗେଲଙ୍କ ସୃଷ୍ଟିଶୀଳ ନଙ୍‍ର୍ଥକତା (creative negativity) ଓ ବୌଦ୍ଧ ନିର୍ବାଣ ସହିତ ତୁଳନୀୟ । ବୌଦ୍ଧ ନିର୍ବାଣ ହିଁ ଶୁଦ୍ଧ ସତ୍ତା (pure being) । ସାର୍ତ ଓ ରିଲିକ୍ ପ୍ରମୁଖ ସ୍ଥିତିବାଦୀ ଚିନ୍ତାନାୟକମାନେ ଈଶ୍ୱରହୀନତା ସମ୍ପର୍କିତ ସଙ୍କଟ ଓ ଉଭଟତା ତଥା ମୂଲ୍ୟବୋଧହୀନତା କଥା କହିଛନ୍ତି । ଦ୍ୱିତୀୟ ବିଶ୍ୱଯୁଦ୍ଧୋତର ସମାଜର ପରବର୍ତ୍ତୀ କାଳରେ ଯେଉଁ ନେତିବାଦ (nililism) ଉଦ୍ଭଟତା (absurdism) ଦିଗ୍‍ଦର୍ଶନଶୂନ୍ୟତା (sense of loss of direction) କ୍ଲାବତା (sense of impotence) ଭାବପ୍ରବଣତା (sentimentality) ଆଦି ଆସିଛି ତାହା ଅବକ୍ଷୟମୁଖୀ ଏବଂ ସେବୁକୁ ସ୍ଥିତିବାଦୀ ଖ୍ରୀଷ୍ଟଧର୍ମ ଓ ସ୍ଥିତିବାଦୀ ମାର୍କସବାଦର ସମନ୍ୱୟ ଭିତରେ ସମନ୍ୱିତ (reabsorbed) କରାଯାଇପାରେ ବୋଲି ଚିଆରୀ ମତବ୍ୟକ୍ତ କରିଛନ୍ତି । ନିତ୍‍ସେ ଓ କିଅର କେଗାଡ଼ଙ୍କ ନେତିବାଦକୁ ମାର୍କସବାଦ ଶ୍ରମିକ ଶ୍ରେଣୀର ଅନ୍ତିମ ବିଜୟ ରୂପକ ଆଶାବାଦ ଓ ଖ୍ରୀଷ୍ଟଧର୍ମର ଯୀଶୁଙ୍କଠାରେ ବିଶ୍ୱାସ ଦ୍ଵାରା ବିରୋଧ କରିଥାଏ । ସେହିପରି ସେମାନଙ୍କୁ ସ୍ଥିତିବାଦୀ ବ୍ୟବହାର ଓ ବ୍ୟକ୍ତିସିଦ୍ଧାନ୍ତ ମଧ୍ୟ ଖ୍ରୀଷ୍ଟଧର୍ମ ଓ ମାର୍କସବାଦରେ ଗୃହୀତ । ସମୟକ୍ରମେ ମାର୍କସବାଦ ଓ ସ୍ଥିତିବାଦ ମଧ୍ୟରେ ଥିବା ଦ୍ୱନ୍ଦ୍ୱ ଦୂରୀଭୂତ ହୋଇଯାଇପାରେ । ଖ୍ରୀଷ୍ଟଧର୍ମ ଓ ମାର୍କସବାଦ ପୂର୍ଣ୍ଣତଃ ସ୍ଥିତିବାଦୀୟ ହୋଇଉଠିଲେ ମୂଲ୍ୟବୋଧର ସମନ୍ୱୟ ସମ୍ଭବ ହେବ ଓ ଜଗତର ଶାନ୍ତି ଓ ସମୃଦ୍ଧି ସମ୍ଭବ ହେବ । ନେତିବାଦ ଖ୍ରୀଷ୍ଟଧର୍ମର ଗୋଟିଏ ମୌଳିକ ଧାରଣା । ସେହିପରି ପାପ, ଭଲମନ୍ଦ ଜ୍ଞାନର ଏକ ପୂର୍ବସର୍ତ୍ତ । ଅବତାର ଦେହ ଓ ଆତ୍ମା ଉଭୟର ନିବିଡ଼ ସଂଯୋଗ କଥା କହେ ଓ ଚିରନ୍ତନୀ (Eternity) ଉଭୟକୁ ଚାହେଁ । ବ୍ୟକ୍ତି ତାର ସ୍ଥିତି ମାଧ୍ୟମରେ ହିଁ ଚିରନ୍ତନ ରୂପକୁ ଲାଭ କରେ । ସେହିପରି ଖ୍ରୀଷ୍ଟଧର୍ମରେ କର୍ମର ଗୁରୁତ୍ୱ ସ୍ୱୀକୃତ । ସ୍ଥିତିବାଦୀ କିଅରକେଗାଡ, ମାର୍ଚ୍ଚ ଓ ଆଧୁନିକମାନେ ଖ୍ରୀଷ୍ଟଧର୍ମରେ ଜଗତ ସମ୍ପୃକ୍ତି ଓ ଏହାର ରୂପାନ୍ତରରେ ପ୍ରତ୍ୟେକ ବ୍ୟକ୍ତିର ଅଂଶଗ୍ରହଣ ଉପରେ ଗୁରୁତ୍ୱ ଦେଉଛନ୍ତି । ଟେଲ୍‍ହାର୍ଡ କହନ୍ତି : It is by carrying the world with oneself that one can reach God’s bosom" ପୁଣି ଯୀଶୁ ଏକ ଶାରୀରୀ ସତ୍ତା ହୋଇଥିବା ଯୋଗୁଁ ଦେହ ପବିତ୍ର ଏବଂ ବସ୍ତୁ ସ୍ଵର୍ଗୀୟତାର ଅଂଶଗ୍ରାହୀ । ଟେଲ୍‍ହାର୍ଡ ଆହୁରି କହିଛନ୍ତି ଯେ ଏ ସୃଷ୍ଟିର ସୃଷ୍ଟିପ୍ରକ୍ରିୟା ସମାପ୍ତ ନୁହେଁ । ଏହା ଚଳମାନ ଏବଂ ଏଥିରେ ମନୁଷ୍ୟର ଭୂମିକା ସ୍ପଷ୍ଟ । ତେଣୁ ଭଲ ପାଇଁ କର୍ମ ଏକ ଧର୍ମୀୟ କାର୍ଯ୍ୟ । ଏହା ପ୍ରାର୍ଥନା । ସାଧାରଣ ଜନଜୀବନରେ ଅଂଶଗ୍ରହଣ ଏକ ଧର୍ମୀୟ ପ୍ରୟୋଜନ । ଏହି ପରିପ୍ରେକ୍ଷୀରେ ସମଗ୍ର ସହିତ ବ୍ୟକ୍ତିତ୍ୱର ସମ୍ପର୍କ ପ୍ରତ୍ୟକ୍ଷ । ଅଣପୁରାଣୀକରଣ (demythologization) ଓ ଧର୍ମହୀନ ଖ୍ରୀଷ୍ଟଧର୍ମ ଧାରଣାର ଏ ଯୁଗରେ କର୍ମ (action) ଓ ସମାଜ ଚେତନା ଖ୍ରୀଷ୍ଟଧର୍ମର ମୂଳ ଲକ୍ଷଣ ହୋଇଉଠିଛି । ଏହା ମଧ୍ୟ ମାର୍କସବାଦର ବକ୍ତବ୍ୟ । ଖ୍ରୀଷ୍ଟଧର୍ମ କହେ କର୍ମ ହିଁ ଈଶ୍ୱରଙ୍କ ବାଣୀ । ପୁଣି ଖ୍ରୀଷ୍ଟଙ୍କ ମାନବତା ହିଁ ତାଙ୍କ ଦିବ୍ୟତାକୁ ବୁଝିବାରମାର୍ଗ ବୋଲି ଏବେ ଗୃହୀତ ।

 

ଆଲୋକର ବିପରୀତ ଅନ୍ଧକାର ପରି ନାସ୍ତିକତା ମଧ୍ୟ ଧର୍ମର ଏକ ଅଂଶ ବୋଲି ଏବେ ଖ୍ରୀଷ୍ଟଧର୍ମ ଗ୍ରହଣ କରୁଛି । ଯୁଦ୍ଧ ବିଶ୍ୱାସ ଓ ଆନନ୍ଦ ଏକ ଏକ ମାନସିକ ସରଳତା ମାତ୍ର । ସନ୍ଦେହ ଓ ନଙାର୍ଥକତା (negative)ର ସ୍ୱରୂପର ମଧ୍ୟ ବିଶ୍ଵାସରେ ଗ୍ରହଣୀୟ ଏବଂ ତାହା ସୃଷ୍ଟିର ଦ୍ୱନ୍ଦ୍ୱାତ୍ମକ ପ୍ରକ୍ରିୟାରେ ଅଂଶବିଶେଷ । ବୌଦ୍ଧଧର୍ମ ଓ ବିତର୍ତ୍ତନବାଦ ଭିନ୍ନ ଭିନ୍ନ ଶବ୍ଦରେ ଏହାର ସତ୍ୟତା ପ୍ରତିପାଦନ କରନ୍ତି । ମାର୍କସବାଦର ଧର୍ମୀୟତା ପ୍ରତିପାଦନ କରି କୁହାଯାଇଛି, “Marxism does not concern itself with eternity, but with the problem of giving a conclusion to history by tringuing eternity to earth.” (Aesthetics of Modernism. Page 38) ମାର୍କସବାଦ ଧର୍ମକୁ ଆଉ ଅଫିମ ବୋଲି ଭାବୁ ନାହିଁ । ଚର୍ଚ୍ଚକୁ ଆଉ ଶତ୍ରୁ ବୋଲି ଭାବୁ ନାହିଁ । ଧର୍ମକୁ ଏକ ଆତ୍ମସଚେତନ ସମାଜୀକରଣକାରୀ କର୍ମ ତତ୍ପରତା (Praxis) ଭାବରେ ମାର୍କସବାଦ ଆଜି ଗ୍ରହଣ କରୁଛି । ସେହିପରି ଚର୍ଚ୍ଚ ମଧ୍ୟ ମାର୍କସବାଦକୁ ଆଉ ଶତ୍ରୁ ବୋଲି ଭାବୁ ନାହିଁ । ଖ୍ରୀଷ୍ଟଧର୍ମ ଦିବ୍ୟତାର ସନ୍ଧାନ କରି ଆଜି ମାନବିକ କର୍ମ ଆଚରଣ ଉପରେ ଗୁରୁତ୍ୱ ଦେଉଛି । ଆଇନଷ୍ଟାଇନ ଏଇ ସମନ୍ୱୟଶୀଳତା ଉପରେ ଗୁରୁତ୍ୱ ଦେଇଛନ୍ତି । ସ୍ଥିତିର ସମଗ୍ରତାର ଅନୁଭୂତି ହିଁ ବିଜ୍ଞାନର ଅନ୍ତିମ ଲକ୍ଷ୍ୟ ଓ ତାର ଅବୈଷଣ ଓ କଳାର ପ୍ରକୃତି କାର୍ଯ୍ୟ ବୋଲି ସେ କହିଛନ୍ତି । ଖ୍ରୀଷ୍ଟଧର୍ମ ଓ ମାର୍କସବାଦ ପରସ୍ପର ବିରୋଧୀ ନୁହନ୍ତି, ପରିପୂରକ ଏବଂ କୌଣସିଟିକୁ ଧ୍ୱଂସ କରିହେବ ନାହିଁ । ପରମ୍ପରାବୋଧର ଅଭାବ ମାର୍କସବାଦକୁ ବିପଥଗାମୀ କରାଇଥାଏ । ମଣିଷର ଭବିଷ୍ୟତ୍ ସନ୍ଧାନ ତାର ଅତୀତ ଦ୍ଵାରା ପ୍ରଭାବିତ ହୋଇଥାଏ ବୋଲି ମାର୍କସ ବିଶ୍ଵାସ କରନ୍ତି । ଏହି ଅତୀତ ମଣିଷର ପରିବାର, ଗୋଷ୍ଠୀ, ଜାତି ଓ ସଂସ୍କୃତି ସହିତ ଜଡ଼ିତ । ଆଜି ମାର୍କସବାଦ ସହିତ ଧର୍ମର ମିଳନ ଘଟିଛି । କମ୍ୟୁନିଷ୍ଟ ଓ କାଥୋଲିକ ଉଭୟଙ୍କ ଲକ୍ଷ୍ୟ ସମାଜ ମଣିଷର ପ୍ରଗତି ।

 

କବି ସଚ୍ଚି ରାଉତରାୟଙ୍କ କବିତାରେ ବ୍ୟକ୍ତିଚେତନାର ଏହି ଜଟିଳ ସମନ୍ୱୟ ଭିତ୍ତିକ ଚେତନା ଯେପରି ପ୍ରକଟିତ ହୋଇଛି ତାହା ଓଡ଼ିଆ କବିତା କ୍ଷେତ୍ରରେ ସମ୍ପୂର୍ଣ୍ଣ ଭାବରେ ଅନନ୍ୟ ବୋଲି କୁହାଯାଇପାରେ । ତାଙ୍କ କବିତାର ପ୍ରଗତିଶୀଳତା, ଅତିବାସ୍ତବବାଦୀ ଚେତନା, ସ୍ଥିତିବାଦୀ ସ୍ଵର ଓ ଆଧ୍ୟାତ୍ମିକ ଅନୁଭୂତି ଭିତରେ ଏହାକୁ ବେଶ୍ ପ୍ରତ୍ୟକ୍ଷ କରିହେବ । ଏହି ଦୃଷ୍ଟିରୁ ତାଙ୍କର ‘କବିତା୧୯୬୨’ ପର୍ଯ୍ୟନ୍ତ କବିତାବଳୀର ଭୂମିକା ଯେପରି ଗୁରୁତ୍ଵପୂର୍ଣ୍ଣ, ତତ୍ପରବର୍ତ୍ତୀ ତାଙ୍କର ସମସ୍ତ କବିତା ସେହିପରି ତାତ୍ପର୍ଯ୍ୟଯୁକ୍ତ ।

 

୧୯୩୪ ମସିହାରେ ‘ଶ୍ରମିକ କବି’ (ଅଭିଯାନ) କବିତା ଲେଖିବା ପୂର୍ବରୁ କବି ରାଉତରାୟ ସମ୍ପୂର୍ଣ୍ଣ ଭାବେ ଥିଲେ ରୋମାଣ୍ଟିକ୍ କବି । ତାଙ୍କ କବିତାରେ ସେହି ପାରମ୍ପରିକ ରୋମାଣ୍ଟିସିଜମ୍‍ର ବହୁ ବିରୋଧ ପରିଲକ୍ଷିତ ହୁଏ । ‘ଶ୍ରମିକ କବି’ କବିତାରେ ଉର୍ବଶୀର ଯେଉଁ ରୂପ ସେ ପ୍ରଦର୍ଶନ କରିଛନ୍ତି, ତାହା ରବୀନ୍ଦ୍ରନାଥଙ୍କ ରୋମାଣ୍ଟିକ୍ ‘ଉର୍ୱଶୀ’ କବିତାଠାରୁ ତାଙ୍କର ବାସ୍ତବବାଦୀ ଭିନ୍ନତା ପ୍ରତିପାଦନ କରେ । ବସ୍ତୁତଃ ବିଷ୍ଣୁ ଦେ ‘ରବୀନ୍ଦ୍ର ବ୍ୟବସା ନୟ’ । କହିବା ପରେ ‘ପାଣ୍ଡୁଲିପି’ରେ କବି ରାଉତରାୟ ‘ମୁଁ ସଚ୍ଚିରାଉତରା, ନୁହେଁ ଟାଗୋର ବା ଶେଲୀ’ ବୋଲି କହିଛନ୍ତି । ରୋମାଣ୍ଟିକ୍ ପଳାୟନବାଦ (Escapism)କୁ ବିରୋଧ କରି ‘ବାଜିରାଉତ’ରେ କହିଛନ୍ତି-

 

“ଆରେ ଆରେ ପଳାୟନପନ୍ଥୀ

ପଳାଇବୁ ଆଜି କାହିଁ ଚିନ୍ନ କରି ଧରଣୀର ଗ୍ରନ୍ଥି

କାହିଁ ଭୀରୁ ନେବୁରେ ଆଶ୍ରୟ

ତୋର ସେହି କବିବଳ ଦେଇ କି ସେ ପାରିବ ଅଭୟ ?”

 

କବିର ଭୂମିକା ସମ୍ପର୍କରେ ଆହୁରି ଅନେକ କଥା ‘ବାଜିରାଉତ’ରେ ଲିପିବଦ୍ଧ ହୋଇଛି । ‘ପାଣ୍ଡୁଲିପି” କିନ୍ତୁ କବି ରାଉତରାୟଙ୍କ ବହୁମୁଖୀ ମାନସର ସମୃଦ୍ଧ ସ୍ୱାକ୍ଷର ବହନ କରିଛି । ‘ପ୍ରେମ ଓ ଜୀବନ’ ବା ‘କବିତାର କବର’ କବିତାରେ ରୋମାଣ୍ଟିସିଜମ୍‍ଠାରୁ ତାଙ୍କର ବିଦାୟ ଗ୍ରହଣର ସ୍ଵର ସ୍ପଷ୍ଟୀଭୂତ । ‘ପ୍ରେମ ଓ ଜୀବନ’ରେ
 

ଜୀବନ ବାସ୍ତବ ରଣେ ସପନର କୋମଳ ସାଧନା

ଆଜିଠୁ ସମାଧି ନେଲା ତୁମ ସାଥେ ହେ ମୋର କଳ୍ପନା ।

 

ଏ କବିତାର ‘କଳ୍ପନା’ ସବୁଜଯୁଗୀୟ ରୋମାଣ୍ଟିକ କଳ୍ପନା ଓ ତତ୍‍ସମ୍ପୃକ୍ତ ବ୍ୟକ୍ତିବାଦ ଓ ସେହି ବ୍ୟକ୍ତିବାଦ ସମ୍ଭୁତ ବିପ୍ଳବ ଚେତନା ଆଦିର ପରିଚାୟକ । ସଚ୍ଚି ରାଉତରାୟଙ୍କ ବିପ୍ଳବ ଚେତନା କିନ୍ତୁ ନୈର୍ବ୍ୟକ୍ତିକ ଓ ଏକାନ୍ତ ଭାବେ ପ୍ରଗତିଶୀଳ । ‘କବିତାର କବର’ରେ ସେ ମଣିଷର ଅପମାନ କଥା କହିଛନ୍ତି । କିନ୍ତୁ ସେ ମଣିଷର ବ୍ୟକ୍ତିସ୍ୱତନ୍ତ୍ର୍ୟ ସ୍ପଷ୍ଟ ନୁହେଁ, ସେ ବହୁପରିମାଣରେ ସମାଜ ମଣିଷ । ଯଥା-

 

ଧରଣୀର ରାଜପଥେ ଚାଲୁ ଚାଲୁ ପଥଚାରୀ ମୁହିଁ

ଯେ ବ୍ୟୃଥା ବାଜିଛି ବୁକେ ମଣିଷର ଅପମାନ ଛୁଇଁ

ତାକୁଇ ଦେଇଛି ବାଣୀ, କହିଛି ସେ ସାଧାରଣ କଥା

ଭାଷାର କପଟ ଜାଲେ ରଚିନାଇ ମାୟାଜାଲ ତଥା ।

 

ଏଠି ସମାଜ ମଣିଷ ସହିତ କବି ନିଜେ ସମ୍ପୃକ୍ତ । ସେ ତଟସ୍ଥ ନୁହନ୍ତି ସ୍ରୋତସ୍ଥ । ରୋମାଣ୍ଟିକବିମୋହତା ଓ ସମାଜ-ମଣିଷର ପରିଚୟ ‘କୋଣାର୍କ’ ପରି ତାଙ୍କର ବହୁ କବିତାରେ ଉପଲବ୍ଧ କରାଯାଇପାରେ । ‘ଅଭିଯାନ’ର ‘ଶ୍ରମିକ କବି’ କୋଣାର୍କ କବିତାରେ ‘ମୂଲିଆର ଆଖି ନେଇ’ ଆତ୍ମପ୍ରକାଶ କରିଛନ୍ତି ଏବଂ କହିଛନ୍ତି-

 

ମୂଲିଆର ଆଖି ନେଇ

ମୁଁ ଦେଖିଛି ସେଇ ମନ୍ଦିର ରୂପ ବ୍ୟଥାର ଆରତି ଦେଇ

 

କିଛି ତ କହିବି ମଣିଷର କଥା

କହିବାର ଯାହା ଥିଲା ।

 

ଆଧୁନିକବାଦୀ କବି ସମାଲୋଚକମାନେ ‘କୋଣାର୍କ କବିତାରେ ସାର୍ଥକତାର ସ୍ୱର ଶୁଣିପାରି ନାହାନ୍ତି । ତାକୁ ରୋମାଣ୍ଟିକ୍ କବିତା ବୋଲି କହିଦେଇଛନ୍ତି । କିନ୍ତୁ ସେଇ କୋଣାର୍କ ସମ୍ପର୍କରେ ରଚିତ “ପାଣ୍ଡୁଲିପି’ର ଭଙ୍ଗାମନ୍ଦିର କବିତା କବିଙ୍କ ଦୃଷ୍ଟିଭଙ୍ଗୀର ନୂତନତା ପ୍ରତିପାଦନ କରେ । ଏଥିରେ ଅଛି ଶିଳ୍ପ ଓ ଶିଳ୍ପୀର ବନ୍ଦନା, କବିଙ୍କ କରୁଣକୋମଳ ସୌନ୍ଦର୍ଯ୍ୟବାଦ । ଏହା କବିଙ୍କ ବ୍ୟକ୍ତିସ୍ୱାତନ୍ତ୍ର୍ୟର ପରିଚାୟକ ।

 

“ପାଣ୍ଡୁଲିପି’ର ବହୁ କବିତା ସମାଜବାଦୀ ବାସ୍ତବବାଦୀ ସ୍ୱର ପ୍ରକାଶ କରେ । ‘ରାଜଜେମା’ କବିତାରେ କବି ନିଜର ପରିଚୟ ଦେଇଛନ୍ତି ।

 

ମୁଁ ସଚ୍ଚି ରାଉତରା

(ନୁହେଁ ଟେଗୋର ବା ଶୈଳୀ)

ମୁଁ ଏଇ ମାଟିର ଧରା

ଆଉ ଆକାଶର କବି

କାମ ନୁହେଁ ମୋ ଖାଲି ଆଙ୍କିବା କାଗଜର ଛବି

ପେଶାଦାର ଗାୟକ ମୁଁ ନୁହେଁ

ତୁମେ ମୋର ଛପା ବହି ଯେତେବେଳେ ଛୁଅଁ

ଛୁଅଁ ନୂଆ ମଣିଷର ଛାତି

+ + +

ଖାଲି ମୋ ସମାବ ବା ଦେଶର ନୁହେଁ

ଆଗାମୀ ସମାଜର ହାସ୍ୟଉଜଳ ମୁହଁ

ତାର ନୂତନ ଖସଡ଼ା

ମଣିଷର ପ୍ରେମ, ଅଶ୍ରୁ, ସୁଖଦୁଃଖ

ଖାପଛଡ଼ା

ରୂପ ପାଏ ଇସ୍ତାହାରେ ମୋର

ଜୀବନର ସୁବର୍ଣ୍ଣ ଦଲିଲ ।

 

ଏ କବିତାର ମଣିଷ, ସମାଜ ମଣିଷ, କବି ଏଠି ସ୍ପଷ୍ଟତଃ ସମାଜର କବି । କିନ୍ତୁ ମଣିଷ ସମ୍ପର୍କୀୟ ଏ ଚେତନାରେ ବ୍ୟକ୍ତିବୋଧ ଯେ ଆଦୌ ନାହିଁ, ତାହା କହିବା ବୋଧହୁଏ ଠିକ୍ ନୁହେଁ । ମଣିଷର ପ୍ରେମ, ଅଶ୍ରୁ, ସୁଖଦୁଃଖ- ଯାହା କବି ଖାପଛଡ଼ା ବୋଲି କହିଛନ୍ତି, ସେଥିରେ ବ୍ୟକ୍ତିର ମୁହଁ ଲକ୍ଷ୍ୟ କରାଯାଇପାରେ । ଏ କବିତାରେ କବି ସତ୍ୟ ଓ କବିତାର ଯେଉଁ ସମ୍ପର୍କ ନିରୂପଣ କରିଛନ୍ତି, ତାଙ୍କ କବିତାରେ ତାହା ସକ୍ଷ୍ମରୁ ସୂକ୍ଷ୍ମତର ହୋଇ ପ୍ରକାଶ ପାଇଥିବା ଦେଖିବାକୁ ମିଳେ ।

 

‘ପାଣ୍ଡୁଲିପି’ର ମୁଖ୍ୟ ଚେତନା ଯେ ସମାଜଚେତନା ଏଥିରେ ସନ୍ଦେହ ନାହିଁ । ପ୍ରଥମ କବିତା ‘ଝଡ଼’ରୁ ଏହାର ପରିଚୟ ଗ୍ରହଣ କରାଯାଇପାରେ । ‘ଝଡ଼’ରେ କବି ଲେଖିଛନ୍ତି-

 

ଏ ଝଡ଼ ଦେଇଛି ସଖି ତୁମକୁ ଯେ ମୋର ପରିଚୟ

ଭାଙ୍ଗିବାର ମନ୍ତ୍ର ସାଥେ ଗଢ଼ିବାର ଭୂମିକା ଅକ୍ଷୟ ।

 

ଏ ଝଡ଼ ବିପ୍ଳବର ପରିଚାୟକ ଓ କବି ନିଜେ ଏହି ଝଡ଼ । ତାଙ୍କର ପରିଚୟ ବିପ୍ଳବୀର ପରିଚୟ । ସମାଜର ପରିବର୍ତ୍ତନ ତାଙ୍କର କାମ୍ୟ । କିନ୍ତୁ ଲକ୍ଷ୍ୟ କରିବାର କଥା, ଏହି ସମାଜଚେତନା ଭିତରୁ କ୍ରମଶଃ ଏକ ବ୍ୟକ୍ତିଚେତନା ଆତ୍ମପ୍ରକାଶ କରି କବି ରାଉତରାୟଙ୍କ କବିତାକୁ ଆଚ୍ଛନ୍ନ କରିଥିଲେ ହେଁ କବି ଏ ଚେତନାରୁ କେବେ ବିଦାୟ ନେଇନାହାନ୍ତି । ଉଦାହରଣ ସ୍ଵରୂପ ତାଙ୍କର ‘କବିତା ୧୯୬୯’ର ‘ବିପ୍ଳବ’ କବିତାଟିକୁ ନିଆଯାଇପାରେ ।

 

ମୁଁ ବିପ୍ଳବ ମୁଁ ମହାକାଳ

ମୁଁ ଇ ସେଇ ଅନାଗତ ସ୍ଵପ୍ନର ସକାଳ

ମୁଁ ସମଷ୍ଟି, ବିସ୍ତୃତି ସତ୍ତାର

(ସତ୍ତାର ବିନାଶ ନୁହେଁ, ତାର ରୂପାନ୍ତର)

ମୁଁ ବିସ୍ତାର ରାଷ୍ଟ୍ରର ରାଜ୍ୟର

ରାଷ୍ଟ୍ରହୀନ, ନୈରାଜ୍ୟିକ

ମଣିଷ ଜାତିର

ମୁଁ ଇ ସେଇ ଅଦୃଷ୍ଟ ତାରିଖ

ଆଗାମୀ କାଲିର ।

 

କିନ୍ତୁ ଏହି ସମଷ୍ଟି ବା ସମାଜରେ ବ୍ୟଷ୍ଟି ବା ବ୍ୟକ୍ତି ଉପେକ୍ଷିତ ନୁହେଁ । ବ୍ୟକ୍ତିକୁ ସମଷ୍ଟି ଯେପରି ଗ୍ରାସ କରି ନ ଯିବ ସେ ଚେତନା କବି ପ୍ରକାଶ କରିଛନ୍ତି । କବି ବ୍ୟକ୍ତି ସ୍ୱାଧୀନତାର କଥା କହିଛନ୍ତି ।

 

ମାତ୍ର ଯାହା ଭୟର କଥା ତାହା ହେଉଚି ଏଇ

ଲୁହା ପରଦା ଯେପରି ଢାଙ୍କି ନ ଦିଏ ଏଇ ଭୂଇଁ

ରାଷ୍ଟ୍ର କଳେ ମଣିଷ ନୁହେଁ ଯେପରି ଏକ ପେଞ୍ଚ

ସଜୀବ ରହେ ମଣିଷ ମନ ସ୍ଵାଧୀନ ରହେ ତାଞ୍ଚ

ସକଳ ମୂଲ୍ୟ ମଣିଷର ରହେ ଯେପରି ଉଚ୍ଚ

ସାମ୍ୟ ଆଉ ମୁକ୍ତି ରହେ ଯେପରି ଚିର ସ୍ୱଚ୍ଛ

ତାହା ହିଁ କାମ୍ୟ ଚିର

ତାହା ହିଁ ଚିର ବିପ୍ଳବର ସୃଷ୍ଟିର ହିଁ ସ୍ଵର ।

 

ରାଉତରାୟଙ୍କ ସମାଜଚେତନା ଯେପରି ବ୍ୟକ୍ତସମ୍ପର୍କଶୂନ୍ୟ ନୁହେଁ, ବ୍ୟକ୍ତିଚେତନା ସେହିପରି ସମାଜଚେତନା-ଶୂନ୍ୟ ନୁହେଁ । ‘ପାଣ୍ଡୁଲିପି’ରେ ସମାଜଚେତନାର ଆପାତ-ପ୍ରଖର ତା ଭିତରେ ତାଙ୍କର ବ୍ୟକ୍ତଚେତନା ଅନେକ କବିତାରେ ସ୍ପଷ୍ଟ ଅନୁଭୂତ ହୁଏ । ଉଭୟ ଚେତନା ଯେ ତାଙ୍କ ଚେତନାରେ ଯୁଗପତ୍ କ୍ରିୟାଶୀଳ ଏଥିରେ ସନ୍ଦେହ ନାହିଁ । ପାଣ୍ଡୁଲିପିରେ ତାଙ୍କର ବ୍ୟକ୍ତିଚେତନା ବେଳେବେଳେ ଆଧ୍ୟାତ୍ମିକତାକୁ ମଧ୍ୟ ସ୍ପର୍ଶ କରିଛି ।

 

‘ପାଣ୍ଡୁଲିପି’ର ‘ଅଶ୍ରୁଗୌରବ’ କବିତାରେ କବି ‘ଆପଣା ସତ୍ତାର ସୁରା’ କଥା କହିଛନ୍ତି । ଏହା ସ୍ଥିତିବାଦୀ ଅହଂର ପରିଚୟ ଦେଉଛି । ଠିକ୍ ସେହିପରି ‘ଶରୀର ସଂଗୀତ’, ‘ପଶୁ’ ଓ ‘ରାକ୍ଷସ’ ଆଦି କବିତାରେ ଆମେ ଅତିବାସ୍ତବବାଦୀ ପୁଣି ସ୍ଥିତିବାଦୀ ତାତ୍ପର୍ଯ୍ୟ ଲକ୍ଷ୍ୟ କରୁ । ଏସବୁ କବିତାରେ ରହିଛି ବ୍ୟକ୍ତିବାଦର ଉଗ୍ର ଅଭିବ୍ୟକ୍ତି । ‘ଶରୀର ସଂଗୀତ’ର ପ୍ରାରମ୍ଭରେ ରହିଛି ଏକ ଘୋର ନୈରାଶ୍ୟର ଚିତ୍ର ।

 

ଉଷାର ସୂଚନାହୀନ ନିରନ୍ଧ୍ର ଏ ନିଷ୍ଠୁର ରଜନୀ

ସର୍ପସମ ବଂଶେ ଯେବେ ପଳେ ପଳେ ଏ ମୋର ଧମନୀ

ତିମିରର କଳାଫଣା ଫିଟି ରୋଷେ ନଭସୀମା କୂଳେ

ଝଡ଼ର ଗର୍ଜନ ଶୁଭେ ଯେବେ ଦୂରେ ଦିଗ୍‍ବଳୟ ମୂଳେ

ଭ୍ରୂଣସମ ଲକ୍ଷମୃତ ଆଶା

ଏଇ ମୋର ଦେହ ତଳେ ମାଗେ ଜନ୍ମ ମାଗେ ପୁଣି ଭାଷା ।

 

ଏ କବିତାରେ ମିଳେ ଫ୍ରିୟେଡ଼ୀୟ ଅଚେତନ ମାନସର ପରିଚୟ । କବି ଲେଖିଛନ୍ତି-

 

ଶରୀରର ଗୁପ୍ତ ପଥେ ସୁପ୍ତ ମୋର ଅଚେତନ ସତ୍ତା

ବାରେ ବାରେ ଦସ୍ୟୁସମ ମହାଭୟେ ତୋଳେ ନତ ମଥା

ଅବଲୁପ୍ତ ଅନୁଭୁତି ମାଗେ ମୋର ଆଜି ବଳ ଆୟୁ

ଯେସନ ଜରାୟୁ ।

 

‘ଶତାବ୍ଦୀର ଶୃଙ୍ଗାର କାମନା’ ସ୍ପଷ୍ଟତଃ ଫ୍ରିୟେଡ଼ୀୟ ମନସ୍ତତ୍ଵର ପରିଚୟ ପ୍ରଦାନ କରୁଛି । ଏଠି ସାମାଜିକ ନୀତିବୋଧ ନାହିଁ । ଅନ୍ଧକାର ଭିତରେ କବିଙ୍କୁ ଅପେକ୍ଷା କରୁଛି ‘ଗଣିକା’ । ବିପ୍ଳବ କବିତାର ଉଗ୍ର ପୌରୁଷ ଏଠାରେ ନାହିଁ । ଏଠାରେ ଅଛି ‘ଆହତ ପୌରୁଷ’ । କବି ସୌନ୍ଦର୍ଯ୍ୟ ନୁହେଁ ବିଭୀଷିକା ଓ ବୀଭତ୍ସତା ଚିତ୍ର ଅଙ୍କନ କରିଛନ୍ତି । ପାପ, ଅଶୁଭ, ଅମଙ୍ଗଳର କବି ହୋଇଉଠିଛନ୍ତି ।

 

ଆକାଶର ଉରୁ କ୍ଷତୁ ବିନ୍ଦୁ ବିନ୍ଦୁ ଝରେ ରକ୍ତପୂଜ

ଅପବିତ୍ର କାମନାର ସନ୍ଧି ଆଜି ତା ସାଥେ ନ ବୁଝ

ଅମାସ୍ୟାର ରୁଗ୍ମ ବିଭା ଦେହେ ବୋଳି ପାପର କାଳିମା

ଗୋଧୂଳିର ସ୍ୱର୍ଣ୍ଣ ହ୍ରଦୁ ହରିନିଏ ଚାରୁ ଅରୁଣିମା

ରାତ୍ରିର ତିମିର ସାଥେ ଭାସିଆସେ ନାରୀ ଦେହଗନ୍ଧ

ଭିତରର ବ୍ୟାଘ୍ର ମୋର ଜିଭ ଚାଟେ ଭୁଲି ବାଧାବନ୍ଧ

ରମଣୀର ଛାୟା ଭାସେ ରାତ୍ରି ତୀରେ ଲଭେ ସେ ଆସ୍ୱାଦ

ନାରୀ ମାଂସ, ନାରୀ ଦେହ ଆଘ୍ରାଣରେ ସେ ଲଭେ ଆହ୍ଲାଦ ।

 

J.M. Synge, “Before verse can be human again, it must learn to be brutal.’’ କିନ୍ତୁ ଏ ଅବକ୍ଷୟ, କବିଙ୍କ ଆଧ୍ୟାତ୍ମିକ ଜନ୍ମାନ୍ତରର ଏକ ପୂର୍ବସର୍ତ୍ତ ହୋଇ ଦେଖାଦେଇଛି । ଏ ପ୍ରସଙ୍ଗରେ ହ୍ୱିଟମ୍ୟାନ ଓ ଲରେନ୍ସଙ୍କଠାରୁ ଜୀବନାନନ୍ଦ ଦାଶ (ଅନ୍ଧକାର) ପର୍ଯ୍ୟନ୍ତ ଅନେକ କବିଙ୍କୁ ସ୍ମରଣ କରାଯାଇପାରେ । ନବ୍ୟ ଆଧୁନିକତା ସମ୍ପର୍କିତ ଗ୍ରନ୍ଥ ‘Innovations’ ରେ Bernard Bergonzi, ‘Thoughts on the Personality Explosion’ ପ୍ରବନ୍ଧରେ ସ୍ୱାଧୀନ ବ୍ୟକ୍ତିତ୍ୱର ଆବିର୍ଭାବର ପୃଷ୍ଠଭୂମି ନିର୍ଦ୍ଦେଶ କରି କହିଛନ୍ତି- “In an age of menifest public dehumanisation when the organic community has been overthrown by the modern bureaucratic state and when man production and now automation have benished human beings from many processes with which they were traditionally and intimately associated, one might indeed expect ‘free’ personality to come an absolute value to itself.’’ (Innovations (1968) page-198) କବି ରାଉତରାୟ ‘ପଶୁ’ କବିତାରେ ଯେଉଁ ‘ନୂତନ ମଣିଷ’ର ଜନ୍ମକଥା ଲିପିବଦ୍ଧ କରିଛନ୍ତି ସେ ଏହିପରି ଏକ ନିଷ୍ପେଷିତ ବ୍ୟକ୍ତିସତ୍ତା । ସମାଜ, ଧର୍ମ, ରାଷ୍ଟ୍ର ସବୁ କିଛିକୁ ଏ କବିତାରେ ଅସ୍ୱୀକାର କରାଯାଇଛି ।

 

ସତ୍ତା ମୋ ଯାଏ ଛାୟାପଥ ସମ ଅସ୍ତ ସାଗରେ ମିଶି

ନୂତନ ମଣିଷ ଜନ୍ମ ଲଭେ ମୋ ପଚାଶବୁ ହସି ହସି

ସମାଜ, ଧରମ, ରାଷ୍ଟ୍ର ପେଷଣେ ଯାହା ମୋ ଯାଇଛି ସରି

ପ୍ରେତାତ୍ମା ତାର ସୟତାନ ବୋଲେ ଆଜି ଆସେ ଅବତରି ।

ରୁଗ୍ମ, ଭୀଷଣ, ରୁକ୍ଷ ମୂରତି ନୀଳନଭେ ତୋଳେ ମଥା

ସକଳ ନିୟମ ନଇଁଯାଏ ପଦେ ଝଡ଼ରେ ପାଦପ ଯଥା ।

 

ଏ କବିତାର ‘ଜୀବନ୍ତ ମୋର ସବୁ ଅନୁଭୂତି’ ଏବଂ ‘ନିଷ୍ଫଳ ଏକ ସତ୍ତାର ସୁରା’ ସ୍ପଷ୍ଟତଃ ସ୍ଥିତିବାଦୀ କଳ୍ପନା ପ୍ରକାଶ କରୁଛନ୍ତି । ଏଥିରେ ପୁଣି ‘ଜୀଇବାକୁ ହେଲେ ଲୋଡ଼ା ଅହମିକା, ମିଥ୍ୟା ମୋହର ସାକୀ’ ସ୍ଥିତିବାଦୀ ଅହଂଚେତନାର ପ୍ରତିପାଦକ । ଅବଶ୍ୟ ସେତେବେଳେ ଏ କବିତା ପଛରେ ମୁଖ୍ୟତଃ ମାର୍କସବାଦର ପ୍ରେରଣା ଥିଲା । କିନ୍ତୁ ମାର୍କସବାଦ ସହିତ ସ୍ଥିତିବାଦର ଯେ ସମ୍ପର୍କ ନାହିଁ, ତାହା ନୁହେଁ । ‘ରାକ୍ଷସ’ କବିତାରେ ଠିକ୍ ଏହିପରି ବ୍ୟଞ୍ଜନା ମଧ୍ୟ ରହିଛି । ଯଥା- ‘ନୀତି’ ଓ ‘ସମାଜ’କୁ ଅସ୍ୱୀକାର କରି ଏଠି ସୟତାନ ଆତ୍ମପ୍ରକାଶ କରିଛି ।

 

ରୁଦ୍ଧ ମନର କାରାଗାରେ ଯେତେ ନିଷିଦ୍ଧ ଭାବରାଜି

ନୀତିର କୁଠାର ପଡ଼ିଥିଲା ଦିନେ ତରୁ ପରି ତଳେ ଭାଜି

ମାଂସର ତଳେ ଯେତେ ମୋ ବାସନା ଧର୍ମ ବିଧାନ ଭୟେ

ସମାଜ ହୁକୁମେ ପଡ଼ିଥିଲା ଶୋଇ ଶରୀରର ଦେବାଳୟ

ଯେତେ ଅଭିଳାଷ ଯେତେ ମୋର ଆଶା ଏତେଦିନ ଥିଲା ମରି

ତାହାରି କବରୁ ସୟତାନ ଆଜି ଆସିଅଛି ଅବତରି ।

 

ବ୍ୟକ୍ତିର ସମସ୍ତ କାମନାବାସନା ଅବଦମିତ ହୋଇପଡ଼ିଥିଲା । ନୀତିର କ୍ଷୁଦ୍ର ସୀମାନ୍ତ, ବନ୍ଧାରତର ଛଳପତନ, ନିୟମର ବେଦୀ ଇତ୍ୟାଦି ଭିତରେ ବ୍ୟକ୍ତିସତ୍ତାର ନିଷ୍ଫଳତା ଏ କବିତାକୁ ମାର୍କସବାଦ ସହିତ ଅତିବାସ୍ତବବାଦ ଓ ସ୍ଥିତିବାଦ ସହିତ ସଂଯୁକ୍ତ କରେ ।

 

‘ଶାଜାହାନ’ ଓ ‘ଅସମାପିକା’ କବିତା ଦୁଇଟିରେ ମଣିଷର ନୈର୍ବ୍ୟକ୍ତିକ ପରିଚୟ ଅପେକ୍ଷା ବ୍ୟକ୍ତିଗତ ପରିଚୟ ହିଁ ହୋଇଛି ଧ୍ୟାନର ସାମଗ୍ରୀ । ଶାହାଜାନ୍, ମମତାଜଙ୍କ ପାଇଁ ଯେଉଁ ବିରାଟ ତାଜମହଲର ସୃଷ୍ଟି କରିଛନ୍ତି, ତାହା ମମତାଜଙ୍କର ସ୍ୱୀକୃତି ପାଇପାରୁ ନାହିଁ । ମମତାଜ ନିଜକୁ ରାଣୀ ବୋଲି ଭାବିପାରୁନାହାନ୍ତି, ସେ ନିଜକୁ ଏକାନ୍ତ ଭାବେ ଏକ ନାରୀ ବୋଲି ଭାବୁଛନ୍ତି ।

 

ସେ ଚାରୁ ସମାଧି ତଳେ ଶୁଣେ ଯେହ୍ନେ ପ୍ରିୟାର ଚିତ୍କାର

ଅଭିମାନେ ନାସାତିଳ ଫୁଲାଇ ସେ କହେ ବାରବାର

ରାଣୀରେ ତ ଦେଲମାନ ବହୁମତେ ଭାରତ ଈଶ୍ଵର

ପ୍ରିୟାକୁ କି ଦେଲ କହ ? ମୁଁ ଯେ ତାଜ ପ୍ରେୟସୀ ତୁମର ।

 

ବ୍ୟକ୍ତିର ଏହି ମୌଳିକ ପରିଚୟବୋଧ ଗୋଟିଏ ଦିଗରେ ଯେପରି ଏକ ଚିରନ୍ତନ ମୂଲ୍ୟବୋଧ ଅନ୍ୟ ପକ୍ଷରେ ସେହିପରି ବ୍ୟକ୍ତିବାଦୀ ସ୍ଥିତିବାଦୀୟ ଆଦର୍ଶର ପରିଚାୟକ । ‘ଅସମାପିକା’ କବିତା ଠିକ୍ ଏହି ଦୃଷ୍ଟିଭଙ୍ଗୀ ଉପରେ ପ୍ରତିଷ୍ଠିତ ହୋଇଅଛି । କବିଙ୍କ ଭାଷାରେ-

 

ଉତ୍କଳର ରାଜଜେମା ହେ ନନ୍ଦିକା ହେ କ୍ଷୁଧିତା ନାରୀ

ରାଜାର ତନୟା ଆଜି ମରିଅଛି ତୁମେ ଅଛ ମାରି

କିନ୍ତୁ ଚିରନ୍ତନୀ ନାରୀ ଆଜି ମଧ୍ୟ ସେତ ବଞ୍ଚି

ବ୍ୟର୍ଥତା ରଖିଚି ତାର ଜୟମାଲ୍ୟ ବକ୍ଷପୁଟେ ସଞ୍ଚି

ନାରୀର ଉଲଗ୍ନ ପ୍ରାଣ ଭୟାବହ ତାର ଅଶ୍ରୁନୀର

ଆଜି ଯେ ଗଢ଼ିଚି ଏଥି ରକ୍ତମାଂସେ ଏ ଭଙ୍ଗାମନ୍ଦିର

ଅଭିଜାତ କରୁ ପ୍ରତିବାଦ

ନାରୀତ୍ୱର ପରମାୟୁ ଭୁଲିଅଛି କାଳର ପ୍ରମାଦ

ଏ ଜୀର୍ଣ୍ଣ ସମାଧି ତଳେ ପଟେ ରାଜସୁତାର ପଞ୍ଜର

ମାତର ଅମର ତହିଁ ନାରୀତ୍ୱର ନିଭୀକ ସ୍ଵାକ୍ଷର ।

 

ପ୍ରେମ ଓ ବିପ୍ଳବର ଦ୍ୱନ୍ଦ୍ୱ, ଅନ୍ୟ ଭାଷାରେ ବ୍ୟକ୍ତି ଓ ସମାଜର ଦ୍ୱନ୍ଦ୍ୱ ଏ କବିତାଟିରେ ସ୍ପଷ୍ଟ ପ୍ରକଟିତ ହୋଇପଡ଼ିଛି । କବି ଏ କବିତାରେ ସଚେତନ ଭାବେ ମାର୍କସବାଦର କର୍ମ ବା Praxis ତତ୍ତ୍ୱର ପରିଚୟ ଦେଇଛନ୍ତି ଏବଂ ସଙ୍ଗେ ସଙ୍ଗେ ତାଙ୍କ ଦ୍ୱିଧାଜୀର୍ଣ୍ଣ ମନରେ ଉଦିତ ହୋଇଛି ଜୀବନର ସ୍ଵପ୍ନ ଓ ସୌନ୍ଦର୍ଯ୍ୟର ଭୂମିକା । କବି ଏ କବିତାରେ ଯେଉଁ ଦୁର୍ବଳ ମୁହୂର୍ତ୍ତଟିର କଥା କହିଛନ୍ତି, ତାହା ବ୍ୟକ୍ତିନିଷ୍ଠ ସ୍ଥିତିବାଦୀ ବିଚାର ମାତ୍ର ।

 

ସେହିପରି ‘ପ୍ରତିମା ନାୟକ’ରେ କବି ଯେଉଁ ପ୍ରତିମା ନିର୍ମାଣ କରିଛନ୍ତି ତାହା ଏକ ବ୍ୟକ୍ତିପ୍ରତିମା । ସମୟର ପରିବେଶ ଭିତରେ ତାର ପରିଚୟ ସ୍ପଷ୍ଟ । ସେ ରକ୍ତମାଂସର ଶରୀର ନେଇ ଦେଦୀପ୍ୟମାନା । ସ୍ୱାଧୀନତା ପରବର୍ତ୍ତୀ କାଳରେ ରଚିତ ରମାକାନ୍ତ ରଥଙ୍କ ‘ଚନ୍ଦ୍ରମାର ଚୂଡ଼ି’ ବା ‘ମାଷ୍ଟ୍ରାଣୀ’ ପରି ସ୍ପଷ୍ଟତଃ ବ୍ୟକ୍ତିବାଦୀ ସ୍ଥିତିବାଦୀ ନାରୀଚରିତ୍ରଭିତ୍ତିକ କବିତାର ଏହା ଆଦିରୂପ କହିଲେ ଅତ୍ୟୁକ୍ତି ହେବ ନାହିଁ । ବ୍ୟକ୍ତି ଜୀବନର ବିଫଳତାବୋଧର ଏକ ପ୍ରମୂର୍ତ୍ତ ରୂପ କବି ଏ କବିତାରେ ଉପସ୍ଥାପିତ କରିଛନ୍ତି । ଏ କବିତାର ଚିତ୍ରିତ ପରିବେଶ ଆଧୁନିକ ମଣିଷର ବିବର୍ଣ୍ଣ ଆକାଶ ଓ ଆଣ୍ଟିରୋମାଣ୍ଟିକ୍ ଜୀବନବୋଧ ସ୍ପଷ୍ଟତଃ ବ୍ୟର୍ଥତା, ନିଃସଙ୍ଗତା, ବିଚ୍ଛିନ୍ନତା ଓ ଶୂନ୍ୟତାର କଥା କହେ । ପ୍ରତିମା ନାୟକ କହିଲେ ସତେ ଯେପରି ଏକ ଆକାର ହସ ଓ ଖାକୀର ପୋଷାକ । ଏଠାରେ ଇସ୍ତାହାର ନାହିଁ ଅଛି ପ୍ରତୀକ ଓ ପ୍ରତିମା ବା ଚିତ୍ରକଳ୍ପ । ଏଲିୟଟ୍ ଓ ଅଡେନଙ୍କ ପ୍ରଭାବ ସାଙ୍ଗକୁ ଏହା ସ୍ଥିତିବାଦର ପ୍ରଭାବ କଥା ମଧ୍ୟ କହିଥାଏ ।

 

‘ମାଟିଆ ବୁରୁଜର ଜହ୍ନ’, ସ୍ୱାକ୍ଷର ଆଦି କବିତାରେ ମଧ୍ୟ ସ୍ଥିତିବାଦର ରୂପ ଆବିଷ୍କାର କରାଯାଇପାରେ । ‘ମାଟିଆ ବୁରୁଜର ଜହ୍ନ’ କବିତାରେ କବି କହିଛନ୍ତି-

 

ଭାବେ, ଆମେ କଣ ସଭ୍ୟରେ ଶ୍ୱାପଦଙ୍କଠାରୁ

ଆମଠାରୁ ସେ ଅଧିକ ବର୍ବର

ହୋଇପାରେ ବି ଅତ୍ୟନ୍ତ ନଖର

ଆହୁରି କର୍କଶ, କୃଷ୍ଣ, ଅତି ହିଁ ଲୋମଶ

କିନ୍ତୁ ଢେର ଢେର ପରିଚ୍ଛନ୍ନ ସେମାନେ ଆମଠୁ

ଯେହେତୁ ସେମାନଙ୍କ କଣ୍ଠୁ

ଝରେ ନାହିଁ ଅମୁକ ସମୁକ ବାଦ

ଜୀବନର ସ୍ଵାଧୀନ ଆନନ୍ଦର ସ୍ୱାଦ

ସେମାନଙ୍କର ରକ୍ତଗତ

ସେମାନେ ନୁହନ୍ତି ହିନ୍ଦୁ କିମ୍ବା ମୁସଲମାନ

ଧର୍ମ ସେମାନଙ୍କର ଏକାଠି ରହିବା

କିମ୍ବା ଲଢ଼େଇ କରିବା

ପ୍ରେମ ପାଇଁ ଖାଦ୍ୟ ପାଇଁ

କିମ୍ବା ଏଇ କଳ୍ପିତ ଧର୍ମଛଡ଼ା ବାକୀ ସବୁକିଛି ପାଇଁ

ଜୀବନର ଉନ୍ମୁକ୍ତ ଇସ୍ତାହାରରେ

ସେମାନଙ୍କର ଦସ୍ତଖତ

କେବେ ଜୀବନ ପାଇଁ ।

 

ଏଥିରେ ବିଭିନ୍ନ ବାଦକୁ ଯେପରି ଅସ୍ୱୀକାର କରାଯାଇଛି, ଯେଉଁ ସ୍ୱାଧୀନତା ଓ ମୁକ୍ତ ଜୀବନର କଥା କୁହାଯାଇଛି, ତାହା ସ୍ଥିତିବାଦୀ ପ୍ରବୃତ୍ତି ବୋଲି ନିଃସନ୍ଦେହରେ କହିହେବ । ସେହପିର ‘ପାଣ୍ଡୁଲିପି’ର କେତେକ କବିତାରେ କବିଙ୍କ ସ୍ଵର ଗଭୀର ଓ ଗମ୍ଭୀର । ତାଙ୍କ ଅନ୍ୱେଷାଶୀଳ କବିତ୍ୱର ସେହି ଉଚ୍ଚାରଣ ପଛରେ କବିଙ୍କ ବ୍ୟକ୍ତିଚେତନାର ଅଭ୍ୟୁଦୟ ଓ ଅଭିବ୍ୟକ୍ତି ହିଁ ଦୃଷ୍ଟିଗୋଚର । ଶେଷ କବିତା ‘ଭାରସାମ୍ୟ’ରେ ତାଙ୍କର ଆତ୍ମସଚେତନତା ଓ ଆତ୍ମବିଶେଷଣ ତଥା ସ୍ଥିର ବିନ୍ଦୁର ଅନ୍ୱେଷଣ ତାଙ୍କୁ ସ୍ପଷ୍ଟତଃ ଆଧାତ୍ମିକତା ସହିତ ଜଡ଼ିତ କରିବା ସଙ୍ଗେ ସଙ୍ଗେ ଚେତନାର ପୂର୍ଣ୍ଣତା ଆଡ଼କୁ ନେଇଯାଇଛି । ତାଙ୍କର ପରବର୍ତ୍ତୀ କବିତାରେ ଅଛି ଏସବୁର ନିବିଡ଼ତର ଉପଲବ୍ଧି ।

 

‘ଭାନୁମତୀର ଦେଶ’ରେ କବି ଖୁବ୍ ସଚେତନ ଭାବେ ମାର୍କସବାଦ ସହିତ ରୋମାଣ୍ଟିସିଜମ୍ ଓ ସରରିୟାଲିମର ସମନ୍ୱୟ ସାଧନ କରିଛନ୍ତି । ତରଙ୍ଗ ଓ ବିନତା ଦୁଇଟି ଚରିତ୍ର ଏହି ସମସ୍ତ ଚେତନାର ପ୍ରତୀକ ମାତ୍ର । ମାର୍କସବାଦର ପ୍ରତୀକ ବିନୀତା ଅଳ୍ପ ସମୟ ପାଇଁ ହେଲେ ମଧ୍ୟ ତରଙ୍ଗର ସାନ୍ନିଧ୍ୟକୁ ସ୍ୱୀକାର କରିବା ମାଧ୍ୟମରେ କବିଙ୍କ ଦୃଷ୍ଟିଭଙ୍ଗୀ ପ୍ରକାଶ ପାଇଛି । କବି ଏ କବିତାରେ ସ୍ପଷ୍ଟତଃ ‘ସରରିୟାଜିମ୍' ଶବ୍ଦ ବ୍ୟବହାର କରିଛନ୍ତି ଓ ଫ୍ରୟେଡ଼ୀୟ ପ୍ରତୀକ ମାଧ୍ୟମରେ ସମ୍ଭୋଗ ବର୍ଣ୍ଣନା କରିଛନ୍ତି । ମାର୍କସବାଦକୁ ଗ୍ରହଣ କରୁଥିବା କବିଙ୍କୁ ସଚେତନ ମନ ତାଙ୍କ ଅବଚେତନା ମନର ତାଗିଦ୍‌କୁ ଏଇ ଭାବେ ସ୍ୱୀକାର କରିଛି ମାତ୍ର । କବିଙ୍କ ଅଭିଜ୍ଞାନ’ ପୁସ୍ତକରେ ବିଚ୍ଛିନ୍ନ ଭାବେ ବହୁ ରୋମାଣ୍ଟିକ୍ ଓ ସରରିୟାଲିଷ୍ଟ ପ୍ରେମ ଓ ପ୍ରକୃତି ଚେତନା ସମ୍ବଳିତ କବିତା ସ୍ଥାନ ପାଇଥିବା ଦେଖିବାକୁ ମିଳେ । ‘ପରିଚୟ’ ସରରିୟାଲିଜିମ୍ ଭିତ୍ତିକ ଏକ କବିତା । ‘ତାଜମହଲ', ‘ପାଣ୍ଡୁଲିପି’ର ‘ ଶାହାଜାହାନ’ ପରେ ତାଜମହଲକୁ କେନ୍ଦ୍ର କରି ଏକ ନୂତନ ପ୍ରେମକବିତା । କବିଙ୍କ ବ୍ୟକ୍ତିଗତ ସ୍ଵର ଓ ଭଙ୍ଗୀ ଅତ୍ୟନ୍ତ ଚିତ୍ତାକର୍ଷକ । କବିତାର ଭାଷାରେ-

 

ତେଣୁ କହେ ମଣିମୟ ନିର୍ଜନ କବର

ତୁମେ ଇ ତ ପୁଷ୍ପଶଯ୍ୟା ବିରହରେ ଆଉ ମିଳନରେ

ଆଉ ହେ ମଧୁର ଗନ୍ଧବହ ସୁରଭିତ ମୃତ୍ୟୁ

ଜାଣ ତୁମେ କେତେ ଇନ୍ଦ୍ରଜାଲ

ଯମୁନାର ଦୁଇ କୂଳେ ଧାରେ

ହେମନ୍ତର ସ୍ତବ୍ଧ ନିକଷ ରାତ୍ରି

ମନେହେଲା ମୁଁ ଏକ ମୁସାଫିର

ଏକ ସଙ୍ଗୀ ବିହୀନ ଯାତ୍ରୀ

ମୁଁ ଯେମିତି ଖୋଜିବୁଲୁଚି, ପାଇନାଇଁ

ମୋର ସେଇ ଖୋଜି ବୁଲିବାରଇ ସୃଷ୍ଟି ଏଇ

ମାର୍ବେଲ ସଙ୍ଗୀତ

ମନେହେଲା ମୁଁ ଯେପରି ଶାଜାହାନ

ଆଉ ପ୍ରିୟା ମୋର ଏଇ ଶ୍ୱେତ

ସ୍ୱର୍ଣ୍ଣ ମର୍ମରର ମାଣିକ ମହଲ ।

 

‘ଚିରଜୟନ୍ତୀ’ କବିତାରେ ଗାନ୍ଧିଜୀଙ୍କୁ ଦେବତା ରୂପେ ନ ଦେଖି ମଣିଷ ରୂପେ ଦେଖିବାର ଆଗ୍ରହ ପ୍ରକଟିତ । କିନ୍ତୁ ବ୍ୟକ୍ତିବାଦ ପରିପ୍ରେକ୍ଷୀରେ ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ କବିତା ହେଉଛି ‘ପଦଧ୍ୱନି’ । ସମାଜରେ ପ୍ରତ୍ୟେକ ବ୍ୟକ୍ତିର ଯେ ଏକ ସ୍ୱତନ୍ତ୍ର ପରିଚୟ ରହିଛି ବା ରହିବା ଉଚିତ, ତାହା ଏହି କବିତାରେ ସ୍ପଷ୍ଟ ପ୍ରମାଣିତ ହୋଇଛି । ଦାସ ଦାସୀ, କିରାଣୀ, ଶିକ୍ଷକ, କୃଷକ ଓ ମଧ୍ୟବିତ୍ତ, କାରଖାନାର ଲୋକ, ଶ୍ରମିକ ଓ ସୈନିକ– ବିଭିନ୍ନ ପ୍ରକାର ବ୍ୟକ୍ତି । ସେମାନେ ନାମହୀନ, ସଂଖ୍ୟାହୀନ ମୁକ୍ତପଦାତିକ । ସେମାନେ ବେନାମୀ ଅସ୍ତିତ୍ୱ । ମଣିଷର ବହୁଧା ବିଚିତ୍ର ମାନଚିତ୍ର । ମଣିଷର ମହାସାଗର ସୀମାହୀନ, କୂଳହୀନ, ଉଦ୍‍ବେଳ ଉଚ୍ଛଳ ଦିଗନ୍ତବିସ୍ତୃତ । ମଣିଷର ସେହି ମହାଅରଣ୍ୟ ପ୍ରତ୍ୟେକର ପରିଚୟ ଧରି ଫୁଟିଉଠିଛି । କବିଙ୍କ ଉଦ୍‌ବୋଧନ-

 

ଡାକ, ଡାକ

ଜଣ ଜଣ କରି ଡାକ ନାଁ ଧରି ଡାକ

ଜବାବ ଦବ, ଉତ୍ତର ଦବ

ସେଇ ସମଗ୍ରତା ।

ମଣିଷର ସେଇ ମହାଅରଣ୍ୟ

କାନେ କାନେ

ଯୁଗେ ଯୁଗେ ଏହା ହିଁ ବୋଧହୁଏ ତା’ର

ଜୟଯାତ୍ରାର

ଫେରିଆସିବାର

ଆଉ ଜୟୀ ହେବାର ମାନେ ।

 

ପ୍ରତ୍ୟେକ ବ୍ୟକ୍ତିକୁ ନାଁ ଧରି ଡାକିବାକୁ ହେବ । ଏହି ନାମ ହିଁ ବ୍ୟକ୍ତିର ସ୍ୱାତନ୍ତ୍ର୍ୟର ପରିଚାୟକ । କବି ରାଉତରାୟ ପରବର୍ତ୍ତୀ ବହୁ କବିତାରେ ବ୍ୟକ୍ତିର ଏହି ସ୍ୱାତନ୍ତ୍ର୍ୟ ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି, ତାର ଚିତ୍ର ପ୍ରଦାନ କରିଛନ୍ତି । କିନ୍ତୁ ଏ ବ୍ୟକ୍ତି ସମାଜଠାରୁ ବିଚ୍ଛିନ୍ନ ନୁହେଁ । ‘ସୀତାଚୋରି’ (କବିତା ୧୯୬୯) କବିତାରେ କମି କହୁଛନ୍ତି-

 

ମୁଁ ଛଡ଼ାଇ ତୁମର ଲେଖନୀ ହତବାକ୍

ଆଙ୍କିବାକୁ ଚାହେଁ ବ୍ୟକ୍ତିମାନସର ଛବି

ଯେଉଁ ବ୍ୟକ୍ତି ସମାଜର ଏକ ପ୍ରତିନିଧି

ନୁହେଁ ଖାଲି ପ୍ରତିଚ୍ଛବି

ତଥାପି ଜୀବିତ ଯାହା ଆପଣା ଭିତରେ

ଯିଏ ଏକ ବିନ୍ଦୁ ସମଷ୍ଟି ସତ୍ତାର

ମାତ୍ର ସେ ଉଚ୍ଛକ ପ୍ରାଣ ସାଗର

ନିଶ୍ଚିହ୍ନ କରେନା ଯାକୁ ବରଂ ତାର

କ୍ଷୁଦ୍ର ଏବଂ ଏକକ ସତ୍ତାରେ

କରି ଆବିଷ୍କାର ନିଜ ପରିଚୟ

ସେ ଏକକ ଚେତନାର ବିମ୍ୱେ

ସମଷ୍ଟି ନିଜକୁ ଦେଖେ

ଚାପି ତାକୁ ଆପଣାର ଏକୀଭୂତ ସ୍ତମ୍ଭେ

କରିନାଇ ତାକୁ ସେତ କେବଳ ଦୃଷ୍ଟାନ୍ତ

(ସତ୍ୟ ଅସତ୍ୟର, ଧର୍ମ ଓ ନ୍ୟାୟର)

ଏବଂ ପ୍ରଚଳିତ ମୂଲ୍ୟର କିଙ୍କର ।

ମଣିଷ ଯେ ଏକ ପ୍ରାଣବିନ୍ଦୁ

ଆପଣାର ସ୍ଵାକ୍ଷରେ ଉଜ୍ଜ୍ୱଳ

ନୁହେଁ କାର ପ୍ରତିଛାୟା

ସେ ନିଜର ପ୍ରତିମା ଭାସ୍ୱର ।

 

‘କବିତା ୧୯୬୯’ର ‘ପତିତପାବନ’ କବିତାରେ କବିଙ୍କର ବ୍ୟକ୍ତିଚେତନାର ସ୍ୱର ସ୍ପଷ୍ଟତର ହୋଇଉଠିଛି । ଯେଉଁ ସୂତ୍ରରେ ବ୍ୟକ୍ତି ଓ ବ୍ୟଷ୍ଟଇ ଚାପାପଡ଼େ କବି ତାର ଘୋର ବିରୋଧୀ । କବିତାର ଭାଷାରେ-

 

ତେଣୁ ସେ କରୁଣାକୁ ମୁଁ ଭୟ କରେ । ଭୟ କରେ

ଦୁନିଆରେ ଯେତେ ମୋଟାମୋଟି । ଏଗ୍ରିଗେଟ୍, ଟୋଟାଲ୍ ବା

ଶତକଡ଼ା ଇତ୍ୟାଦି ଇତ୍ୟାଦି, ଗଣିତର ନିଷ୍ପାପ ସୂତ୍ରରେ

ଯାର ମୂଳାଧାର ପ୍ରଭୁ ତୁମେନିଜେ ହିଁ କରୁଣା କର

ବ୍ୟକ୍ତି ଆଉ ବ୍ୟଷ୍ଟି ଯହିଁ ଚାପା ପଡ଼େ ସମସ୍ତଙ୍କ ଭିଡ଼େ ।

 

ଈଶ୍ଵରଙ୍କ କରୁଣା ପ୍ରତ୍ୟେକ ବ୍ୟକ୍ତିର ପ୍ରତ୍ୟେକଟି ଦୁଃଖକୁ ସ୍ପର୍ଶ କରିବା ଆବଶ୍ୟକ । ସେଥିରେ ମୋଟାମୋଟିର ସ୍ଥାନ ନାହିଁ । ଏପରି ଅଭିବ୍ୟକ୍ତିରେ ସ୍ଥିତିବାଦୀ ବ୍ୟକ୍ତିଚେତନା ସୁସ୍ପଷ୍ଟ ଦୃଷ୍ଟିଗୋଚର । ସେଇ କବତାରେ କବି ଲେଖିଛନ୍ତି-

 

କରୁଣା ତୁମର ବୃକ୍ଷ ହେଉ । ହେଉ ତାହା ସାନ୍ଦ୍ର ସୁନିବିଡ଼

ଏକ ଅତି ଅନ୍ତରଙ୍ଗ ଛାୟା ଏବଂ ଛାୟାନୀଡ଼

ଯେ କରୁଣା ସ୍ପର୍ଶ କରେ ପ୍ରତିଟି ଦୁଃଖ ପ୍ରତ୍ୟେକର

(ଏପରି କି ଜଣକର ମୋଟାମୋଟି ଭଲକୁ ନ ଚାହିଁ)

ପ୍ରତିଟି ଏକକ ଦୁଃଖ ନିଃସଙ୍ଗ ସୈନିକ ପରି ମୁହାଁମୁହିଁ

ହେଉ ତୁମ କରୁଣାର ଏକ କ୍ଷୁଦ୍ର ସ୍ୱତନ୍ତ୍ର ଅଂଶୁର

କରୁଣା ବି ଉନ୍ମୁକ୍ତ ବିଭକ୍ତ ହେଉ ସହସ୍ର ଅଂଶୁରେ

(ନରହୁ ତା ଜମାଟ ବରଫ ଖଣ୍ଡ ପରି ଏକ ମୋଟ ସାମଗ୍ରିକ ସତ୍ତା)

 

ପୋଷ୍ଟମ୍ୟାନ୍ ଚିତ୍ରକଳ୍ପରେ କବି ଏହି ବ୍ୟକ୍ତିସ୍ୱତନ୍ତ୍ର୍ୟର ସ୍ୱରକୁ ଆହୁରି ସ୍ପଷ୍ଟ କରିଛନ୍ତି ।

 

ନିରୋଳା ପୋଶଳର ପରେ ଦିନ ଶେଶେ ଚିଠିବିଲି କରି

ଧୀର ପଦେ ଫେରୁଥିବା ପରିଚିତ ପୋଷ୍ଟମ୍ୟାନ୍ ପରି

ଯେ କରୁଣା ଚିହ୍ନିପାରେ ତା’ ପଡ଼ାର ପ୍ରତ୍ୟେକ ଲୋକକୁ

ପ୍ରତ୍ୟେକର ପାଇଁ ଯିଏ ଆଣିଥାଏ (କିଛି କିଛି) ସ୍ୱତନ୍ତ୍ର ଖବର

ସୁଖର ଦୁଃଖର ।

 

ତଥାପି ଯେ ଜାଣିଥାଏ ପ୍ରତିଟି ଠିକଣା, କିଏ ଅଛି କାହିଁ ? ଏହି ପରିପ୍ରେକ୍ଷୀରେ କବି ରାଉତରାୟ ଯେ ଖୁବ୍ ସଚେତନ ଭାବେ ବ୍ୟକ୍ତି ଓ ବ୍ୟକ୍ତିର କବି ଏଥିରେ ସନ୍ଦେହ ପ୍ରକାଶ କରିବା ଆଦୌ ଉଚିତ ମନେହୁଏ ନାହିଁ । ଏହି ପରିପ୍ରେକ୍ଷୀରେ କବିଙ୍କର ସମାଜ ପ୍ରତି ଦୁଇଟି ଦୃଷ୍ଟିକୋଣ ସୃଷ୍ଟି ହୁଏ । ବ୍ୟକ୍ତିର ପୂର୍ଣ୍ଣ ବିକାଶ ପାଇଁ ସେ ଯେପରି ସମାଜ ଓ ରାଷ୍ଟ୍ରର ପ୍ରୟୋଜନ ଦେଖନ୍ତି, ବ୍ୟକ୍ତିର ବିକାଶ ପଥରେ ସମାଜ ଓ ରାଷ୍ଟ୍ରର ପ୍ରତିକୂଳ ଭୂମିକାକୁ ସେହିପରି ଲକ୍ଷ୍ୟ କରନ୍ତି । ‘ପଦ୍ମନାଭ’ କବିତାରେ ବ୍ୟକ୍ତି ଓ ସମାଜର ଆପେକ୍ଷିକ ରୂପ ନିଶ୍ଚିୟ କରି କବି ଲେଖିଛନ୍ତି-

 

ମୁକ୍ତିର ତପସ୍ୟା ଲୋଡ଼େ ଗୋଟିଏ ପରୀକ୍ଷା

ତାହା ଆତ୍ମବଳି

ନିଜକୁ ବିଲୀନ କରି ଜନତା ସତ୍ତାରେ

ଆବିଷ୍କାର କରିବା ଆମରି

ସ୍ଥିତିର ରହସ୍ୟ

ନିର୍ଜନ ଏକକ ସତ୍ତା ପୂର୍ଣ୍ଣର ପରଶେ

ପୂର୍ଣ୍ଣତର ହୁଏ ଅଧିକାରୀ

ଅସତ୍ତାର ଏହା ହିଁ ତ ଶେଷ ।

 

ବ୍ୟକ୍ତି ଏକ ସମୟରେ ନିଜର ଓ ସମାଜର ସ୍ରୋତମୟ ଗୋଟିଏ ଝରଣା ବୋଲି କବି ‘ସୀତାଚୋରି କବିତାରେ ଲେଖିଛନ୍ତି । ଜୀବନବିରୋଧୀ ‘ସମାଜ’ର କଥା କବି କହିଛନ୍ତି ‘ପଦ୍ମନାଭ’ କବିତାରେ-

 

ଯେ ସମାଜ ଯେ ଶାସନ ଖେଳେ ସାରାଦିନ

ସାନ ମାମୁଁ ପରି

ଆମ ସାଙ୍ଗେ ଡାହୁପୁଆ, କିତିକି ଅବା ବୋହୂଚୋରି

ଉଡ଼ାଏ ଯେ ଘୁଡ଼ି, ଗୋଡ଼ାଏ ଯେ ଆମ ସାଙ୍ଗେ ଗାଁ ଝିଅ ପିଛା

ସଞ୍ଜ ହେଲେ ପକାଇ ସେ କାନ୍ଧେ ଏକ ପାଚିଲା ଗାମୁଛା

ଆକେଟ ଆମକୁ, କାଢ଼େ ମାମୁଁଗିରି, ତାର ମାଡ଼ବରି ପୁଣି

କଥା ତାର ନ ମାନିଲେ ହୁଏ ମହାପାପ, ଶାସନ ତୂଣୀ

କରେ ତୀକ୍ଷ୍ଣ ତୀରବିଦ୍ଧ, କାଡ଼େ ଗୁଳିଗୁଳା

ବେକୁବିର ଖଜଣା କେଜାଣି

କେତେଦୂର ଯାଏ ବଢ଼ି, ପିଲାମାନେ ବଜାନ୍ତି ଖଞ୍ଜଣି

 

କବି ଆଦର୍ଶ ସମାଜର ସ୍ଵପ୍ନ ଦେଖନ୍ତି, ଏପରି ନିର୍ଲଜ ଓ ବେକୁବ ସମାଜର ନୁହେଁ । ବ୍ୟକ୍ତିର ମଙ୍ଗଳ ପାଇଁ ଏପରି ସମାଜର ପରିବର୍ତ୍ତନ କଥା କବି ଚିନ୍ତା କରନ୍ତି । ବ୍ୟକ୍ତିସ୍ୱତନ୍ତ୍ର୍ୟ ଦୃଷ୍ଟିରୁ କବି କମ୍ୟୁନିଜମ୍‍କୁ ମଧ୍ୟ ବ୍ୟଙ୍ଗ କରିଛନ୍ତି । (‘ଖାପ୍‍ଛଡ଼ା’ କବିତା ପୃ ୬୯) ଗୋଟିଏ ପକ୍ଷରେ ସେ ଯେପରି ସ୍ଥିତିବାଦୀ ଅବକ୍ଷୟୀ ସମାଜର ଶତ୍ରୁ, ଅନ୍ୟ ପକ୍ଷରେ ସେପରି ନକ୍ସଲପନ୍ଥୀ ହିଂସାର ବିରୋଧୀ । ସାମ୍ପ୍ରତିକ ସମାଜରେ ବ୍ୟକ୍ତିର ଦୟନୀୟ ସ୍ଵରୂପ କବିଙ୍କ ‘ଅଭିଜ୍ଞାନ’ର ‘ଏକ କୁମାରୀର ଆତ୍ମହତ୍ୟା’ରେ କବିତାରେ ସୁନ୍ଦର ରୂପ ଲାଭ କରିଛି । ଆତ୍ମହତ୍ୟା କରିଥିବା ଏକ କୁମାରୀ ମଧ୍ୟ ଆଜିର ସମାଜରୁ ସମବେଦନା ପାଇବା ସମ୍ଭବ ନୁହେଁ । ସାମ୍ପ୍ରତିକ ସମାଜ ପ୍ରାଚୀନ ସମାଜର ପ୍ରାଣବତ୍ତାଠାରୁ ବିଚ୍ଛିନ୍ନ ହୋଇପଡ଼ିଥିବା ଏକ ସମାଜ । କବି ଲେଖିଛନ୍ତି –

 

ପୁରାଣ ଓ ବହୁଦୂରେ, ଥାନ୍ତା କି ଲୋକକଥା ବଞ୍ଚି

ତେବେ ଅବା ମୁହୁଁ ମୁହେଁ ଅବା ଗ୍ରାମାନ୍ତରେ

ନବଜନ୍ମ ଲାଭ କରି କରୁଣ ସଙ୍ଗୀତେ ପ୍ରାଣେ ପ୍ରାଣେ

ଗାଆନ୍ତା ସେ (ଅସଫଳ) ଜୀବନର ଧନାଶ୍ରୀ ରଚି ।

କିନ୍ତୁ ହାୟ ବ୍ୟାଲାଡ ମରିଛି ଆଜି କିମ୍ୱଦନ୍ତୀ ମୃତ

ଡ୍ରାମାର ଶୁଚିତା ନାଶେ ନିର୍ଲଜ ଥେଟର

ଆଜିର କେଦାରଗୌରୀ ଅବା ଆତ୍ମଘାତୀ

ବିଫଳ ପ୍ରେମିକମାନେ ଦୈନିକ ପତ୍ରର

ଆହାର ଯୋଗାନ୍ତି କେବେ ମିନିଟକ ପାଇଁ

ତା’ପରେ ଚା’ର ଷ୍ଟଲେ ସନ୍ଧ୍ୟାର ଖୋରାକ

ଇଆଠାରୁ ବଡ଼ କିଛି ଭାଗ୍ୟ ତାଙ୍କ ନାଇଁ

ବିଡ଼ମ୍ବନା ବୃହତ୍ତର ଲଭିବା ସୁରାକ ।

 

କବି ରାଉତରାୟଙ୍କ କବିତାରେ କିନ୍ତୁ ଆତ୍ମହତ୍ୟାର ପକ୍ଷପାତୀ ସ୍ଥିତିବାଦୀ ଦର୍ଶନ ନାହିଁ । ସେ ବାରମ୍ବାର ତାର ବିରୋଧାଚରଣ କରିଛନ୍ତି । ‘ପଦ୍ମନାଭ’ କବିତାରେ ସେ କହିଛନ୍ତି-

 

ନୁହେଁ ମୃତ୍ୟୁ ନୁହେଁ ଆତ୍ମହତ୍ୟା

ନୁହେଁ ପଳାୟନ ଅବା ନେତିତ୍ୱର ଦୀକ୍ଷା ।

‘ନୁହେଁ ପିତା ନୁହେଁ ବି ପ୍ରେମିକ’

କବିତାରେ ତାଙ୍କ ଭକ୍ତି-

ପଥ କାହିଁ ? ପଥ କାହିଁ ? ଏକମାତ୍ର ପଥ ଆତ୍ମହତ୍ୟା ?

ବାସ୍ତବ କି କ୍ଷମା ଦେବ ? ନେବ ନାହିଁ ପ୍ରତିଶୋଧ ତା’ର ?

ବା

ବେଳେ ବେଳେ ନିଜକୁ ପଚାରେ

ଶୂନ୍ୟତାର ପ୍ରତିଶୋଧ ଶୂନ୍ୟତା କି କେବେ ହୋଇପାରେ ?

ଏଥିରେ ରହିଛି ତାଙ୍କର ମାନବପ୍ରେମୀ ଶୁଭବିଶ୍ୱାସୀ ଶିଳ୍ପୀସତ୍ତାର ପରିଚୟ ।

 

‘ସ୍ଵଗତ’ (୧୯୫୮) ସ୍ପଷ୍ଟତଃ ଏକ ବ୍ୟକ୍ତିକୈନ୍ଦ୍ରିକତାର ସୂଚନା ପ୍ରଦାନ କରେ । ସ୍ୱଗତ ଓ ତତ୍ପରବର୍ତ୍ତୀ ‘କବିତା ୧୯୬୨’ରେ ରାଜନୈତିକ ଚେତନା ଏକାବେଳକେ ଅନୁପସ୍ଥିତ ନ ହେଲେ ମଧ୍ୟ ବାସ୍ତବବାଦର ପୂର୍ଣ୍ଣତର ଉପଲବ୍ଧ କ୍ରମରେ କବି ମନସ୍ତାତ୍ତ୍ୱିକ ଅତିବାସ୍ତବବାଦ ଓ ପରାଭୌତିକ ଚେତନାର ବିଶେଷ ସମ୍ମୁଖୀନ ହୋଇଛନ୍ତି । କବିଙ୍କ ଅନ୍ତର୍ଯାତ୍ରା (voyagewithing) ଅନେକ ଦୂର ଅଗ୍ରସର ହୋଇଛି । ଫ୍ରୟେଡ଼ୀୟ ମନସ୍ତତ୍ତ୍ଵର ପ୍ରଭାବ କ୍ରମରେ କବି କେବେ ନାରୀ, ପ୍ରେମ ଓ ଯୌନତାର ଅଧ୍ୟୟନ କରିଛନ୍ତି, କେବେ ତାକୁ ସଭ୍ୟତା ଓ ସଂସ୍କୃତିର ଧାରା ଭିତରେ ଉପଲବ୍ଧ କରିବାକୁ ଚେଷ୍ଟା କରିଛନ୍ତି ଏବଂ କେବେ ଏହି ବ୍ୟକ୍ତିନିଷ୍ଠତାର ଅଭିବ୍ୟକ୍ତିରେ ନବ୍ୟ ରୋମାଣ୍ଟିକ୍ କବି ଚେତନାର ପରିଚୟ ଦେଇ ପ୍ରକୃତି ଚର୍ଯ୍ୟାରେ ମନୋନିବେଶ କରିଛନ୍ତି । ‘ଭାନୁମତୀର ଦେଶ’ର ସର୍ରିୟାଲିଜିମ୍ ଏହି ପର୍ଯ୍ୟାୟରେ ସୂକ୍ଷ୍ମତର ଅଭିବ୍ୟକ୍ତି ଲାଭ କରି ‘କବିତା ୧୯୬୯’ ଓ ତତ୍ ପରବର୍ତ୍ତୀ କବିତା ପର୍ଯ୍ୟନ୍ତ ପ୍ରସାରିତ ହୋଇଯାଇଛି । ଏହି ପର୍ଯ୍ୟାୟର କବିତାବଳୀରେ ସ୍ଥିତିବାଦର ଆଭାସ ମଧ୍ୟ ମିଳିଛି, ଯାହା କବିତା ୧୯୬୯ ଓ ପରବର୍ତ୍ତୀ କବିତାରେ ବିଶେଷ ଭାବେ ସମୀକୃତ ବା ସମନ୍ୱିତ ହୋଇଛି । ଏହି ଦୃଷ୍ଟିରୁ ଏହି ପର୍ଯ୍ୟାୟର ବ୍ୟକ୍ତିନିଷ୍ଠତାକୁ ଅସ୍ୱୀକାର କରିହୁଏ ନାହିଁ । ‘କବିତାର ଏକ ସଂଜ୍ଞା’ କବିତାର ଭାଷାରେ କବି ଏଠାରେ କରିଛନ୍ତି ‘ନିଜର ଇ ଆକୁଳ ସନ୍ଧାନ’ । ଏ ସନ୍ଧାନର ଗୋଟିଏ ଦିଗ ସତ୍ୟ ହେଲେ ଅନ୍ୟଦିଗ ସୌନ୍ଦର୍ଯ୍ୟ । ‘ସୁନ୍ଦରମ୍’ କବିତାରେ କବି ଯେଉଁ ସୌନ୍ଦର୍ଯ୍ୟବାଦ ବାଢ଼ିଛନ୍ତି, ତାହା ‘ରାଜଜେମା’ କବିତାର ସତ୍ୟଠାରୁ ଭିନ୍ନ ନୁହେଁ । କବି ମାୟାର ସତ୍ୟତାକୁ ଗ୍ରହଣ କରି ତାର ସୌନ୍ଦର୍ଯ୍ୟ ଦେଖିଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ କାର୍ଲମାର୍କସ୍ ମଧ୍ୟ ସୌନ୍ଦର୍ଯ୍ୟବୋଧର ବିରୋଧୀ ନ ଥିଲେ । ସେ କହୁଥିଲେ- ‘‘a musical ear, an eye which is sensitive to the beauty of form” ରୁଚିସ୍ଥୂଳତା ତାଙ୍କ ଦୃଷ୍ଟିରେ ‘‘alienation of te senses’’ - ଇନ୍ଦ୍ରିୟ ବିଚ୍ଛିନ୍ନତା । କବି ରାଉତରାୟ ବିଚ୍ଛିନ୍ନତାର କବି ନୁହନ୍ତି, ସଂଯୋଗର କବି ।

 

‘ଶୀତ’ କବିତାରେ କବି ଦେହର ପୂର୍ଣ୍ଣାଙ୍ଗ ବର୍ଣ୍ଣନା କରିଛନ୍ତି । ଏପରି ଶାରୀରିକ ପରିଚୟରେ ରହିଛି ଏକ ପ୍ରକାର ମନସ୍ତାତ୍ତ୍ୱିକ ଆଦିମତା ଓ ଅସହାୟତାବୋଧ ।

 

ମୁଁ ଆଇନାରେ ଦେଖୁଥିଲି ନିଜକୁ

ରଙ୍ଗଟା ସିଗାରେଟ୍ ପରି ସାଦା ନ ହେଲେ ବି

ନୁହେଁ କିନ୍ତୁ ଯେମିତି ବର୍ମା ଚୁଚୁଟ

ଲମ୍ୱା ୫ ୧/୨ ଫୁଟ

୪୦ ଇଞ୍ଚ ଛାତିର ଓସାର

କର ଓ ତଳପେଟର

ବହଳ ୩୪ ଇଞ୍ଚରୁ ୩୬ ଇଞ୍ଚ ଭିତରେ

(ଖାଲି ପେଟ ଓ ଭରାପେଟ ପାର୍ଥକ୍ୟ ନେଇ)

ଓଜନଟା ଦେଢ଼ ମହଣରୁ କମ୍ । ।

 

ଏ ଦେହଚେତନା ସହିତ ମୃତ୍ୟୁଚେତନା ମଧ୍ୟ ଜଡ଼ିତ ହୋଇରହିଛି । କିନ୍ତୁ ଏହା ମନସ୍ତାତ୍ତ୍ୱିକ ନାର୍ସିସିଜମ୍‍ର ପ୍ରକାଶକ । ଦେହର ଏପରି ବର୍ଣ୍ଣନା କେବଳ ଆତ୍ମମୁଗ୍ଧତାର ପରିଚାୟକ-

 

ସେକ୍‍ସ ଓ ମୃତ୍ୟୁର ସମ୍ପର୍କ ଫ୍ରୟେଡ଼ୀୟ ସ୍ପଷ୍ଟତଃ ସ୍ୱୀକୃତ । ମୃତ୍ୟୁ ପ୍ରବୃତ୍ତି (Death Instinct) ଓ ଯୌନପ୍ରବୃତ୍ତି (Sex Instinct) ପରସ୍ପର ସହ ସମ୍ପୃକ୍ତ । କବିତା ୧୯୬୯’ର ପ୍ରଥମ କବିତା ‘ଦ୍ରୋପଦୀର ଶାଢ଼ୀ’ କବିତାରେ କବି ଲେଖିଛନ୍ତି-

 

କିନ୍ତୁ ମୃତ୍ୟୁ ଛଡ଼ା ଯୌନତାରେ ପୂର୍ଣ୍ଣତା ଯେ ନାଇ

ମୃତ୍ୟୁ ଓ ଯୌନତା ଯେପରି ହାତ ଧରାଧରି ହୋଇ

ଚାଲିଛନ୍ତି ଅନାଦି ଯୁଗରୁ ।

 

କବିଙ୍କର ନାରୀ ଅଧ୍ୟୟନ କ୍ଷେତ୍ରରେ ସେ କବିତାଟିର ଭୂମିକା ଗୁରୁତ୍ୱପୂର୍ଣ୍ଣ । ସେହିପରି ‘ସ୍ଵଗତ’ର ବିଚିତ୍ରବର୍ଣ୍ଣ । କବିତାରେ ରହିଛି ଏହାର ଏକ ବିଶେଷ ରୂପ । ବାସ୍ତବବାଦ ପରିପ୍ରେକ୍ଷୀରେ ‘ଅଳକା ସାନ୍ୟାଲ’ରେ ନାରୀ ଅଧ୍ୟୟନର ଆଭିମୁଖ୍ୟଠାରୁ ଏ କବିତାର ଆଭିମୁଖ୍ୟ ଭିନ୍ନ । ଏଥିରେ ଅବଶ୍ୟ ରହିଛି ଆନିମା ରହସ୍ୟ । ତେଣୁ ନାରୀ ସହିତ ସର୍ପର ତୁଳନା ଏଠାରେ ଉଲ୍ଲେଖଯୋଗ୍ୟ । (ଆଧୁନିକ କାବ୍ୟଜିଜ୍ଞାସା ଚିତ୍ରକଳ୍ପ, ପୃ ୧୯୨) କବିଙ୍କ ଭାଷାରେ–

 

ନାରୀ ଆଉ ସାପ ଆଉ ଭଗବାନ ସ୍ମରେ

ନାରୀ ଆଉ ସାପ ଆଉ ରାତ୍ରିର ହତ୍ୟାରେ ।

 

ସେହିପରି ‘କବିତା ୧୯୬୯’ର ‘ଏକସନେଟ୍’ରେ ସେକ୍ସ ଓ ମୃତ୍ୟୁର ରୂପ ପରିଲକ୍ଷିତ ହୁଏ ।

 

ମୁଁ ଏକ ନିଷ୍ପଦୀପ ରାତିର ସିନେମା

ପରିତ୍ୟକ୍ତ ପ୍ରହରର ? ମୃତ୍ୟୁର ଯମଜସୀମା

ଆଙ୍ଗୁଳେ ବା ସାପ

ହୋଇପାରେ ଯେ ଶେଷ ସମ୍ରାଟ

ଖୋଜେ ଯିଏ ଅଣଶ୍ୱାସେ ମୁହୂର୍ତ୍ତେ ଜୀବନ

ମେଘଠ ନରମ ନୀଳ କ୍ଲିଓପେଟ୍ରା ସ୍ତନ ।

 

କବି ଏହି ପର୍ଯ୍ୟାୟରେ ଯୌନତା ଦ୍ୱାରା ବିଶେଷ ପ୍ରଭାବିତ । ‘ଦ୍ରୋପଦୀର ଶାଢ଼ୀ’ରେ କବି କହୁଛନ୍ତି-

 

ଏକ ମହାଯୌନତାର ସ୍ୱର

ନିବିଡ଼ ସମୁଦ୍ର କଣ୍ଠେ

ଡାକେ ମୋତେ । ଡାକେ ପ୍ରତିଥର ।

 

‘ଯୋଜନାଗନ୍ଧା’ କବିତାରେ ଦେହର ପ୍ରାଧାନ୍ୟ ଓ ଅବଚେତନ ମନର ଇନ୍ଦ୍ରିୟ ଧର୍ମିତା ସ୍ପଷ୍ଟ ପ୍ରକଟିତ । ସେହିପରି ‘ନାଗକଣା’ କବିତା କଥା କୁହାଯାଇପାରେ । ‘କବିତା ୧୯୬୨’ର ‘ବନ୍ଧନୀ’ ଓ ‘କୀଚକ’ ଆଦି କବିତା ସ୍ପଷ୍ଟତଃ ଫ୍ରୟେଡ଼ୀୟ ମନସ୍ତତ୍ତ୍ୱ ଭିତ୍ତିକ । କବିତାରେ ତାଙ୍କର ‘ଅଗଣିତ କାମନାର ଅନିଦ୍ରିତ ଶଳାଭ ଚୌରଙ୍ଗୀ’, ‘ପଦ୍ୱିନୀ’, ‘ନଦୀ’, ‘ଏକ ଆଶ୍ୱିନର ବିଦଗ୍ଧ କବିତା’ ଆଦି ବହୁ କବିତା ଏ ପ୍ରସଙ୍ଗରେ ଉଦାହୃତ ହୋଇପାରିବ । ‘ଏକ ଆଶ୍ୱିନରେ ବିଦଗ୍ଧ କବିତା’ରେ ପ୍ରେମିକ ବୁଢ଼ାର ଚିତ୍ର

 

ବାଟ ଚାଲୁ ଚାଲୁ ଅଜାଣତେ କାମିଜର ବୋତାମ ସଜାଡ଼ୁଁ

ଉପରକୁ ଟେକି ଦେଉଁ ଢିଲା ଫେଟଲୁମ୍

ପୁଣି,

ବଜାର ଭୀଷଣ ଚଢ଼ା ହୁ ହୁ ବଢ଼ିଯାଏ ଭାଉ

ନିଆଁ ହୁଳା ସବୁ ଚିଜ ଦର

ତଥାପି ପ୍ରଣୟ ଜାଗେ ଦେବତାର ପରି

ସେ ଗଳିର ଛବିଶ ନମ୍ବର

ଘରର ଝିଅର ସାଂଗେ ।

‘ନଦୀ’ କବିତାରେ ନାରୀର ପରିଚୟ ଏହିପରି-

ସେ ଏକ ବିବସ୍ତ୍ରା ନଦୀ

କ୍ଷଣେ କ୍ଷଣେ ଖୋଜିବୁଲେ ନୂତନ ପରିଧି ।

 

‘ପଦ୍ମିନୀ’ କବିତାରେ ନାରୀର ଚିତ୍ରକଳ୍ପ ଏକ ବିକଳ୍ପ ପ୍ରତିମା । ଏ ନାରୀ ପୁଣି ନର୍ସ କିମ୍ବା ଏଲ୍.ଡି. କିରାଣୀ । ସେ ଅବଚେତନର ନାରୀସତ୍ତା ଅନିମା ନୁହେଁ । ବିଫଳତାର ବିଭଙ୍ଗ ପ୍ରତିମା ।

 

କଚଟତମ ଆଇନାରେ ମୁଁ ତାକୁ ଭେଟିଲି

ସେ ନୁହେଁ ମୋ ନାରୀସତ୍ତା, ବିକଳ୍ପ ପ୍ରତିମା

ସେ ଏକ ପରୋକ୍ଷ ଧ୍ୱନି ନୀଳନୀଳ ସୀମା

ବିଫଳ ଚିତ୍ତର ଏକ ନୀଳ ନିର୍ଜନ ଦ୍ରାଘିମା

+      +      +

ଜଣେ କିଏ ନର୍ସ ଅବା ଜଣେ କିଏ

ଏଲ୍.ଡି. କିରାଣୀ ।

 

‘ଅନ୍ତରାଳ’ କବିତାରେ କବି ନିଜକୁ ବାଇସେକ୍‍ସୁଆଲ ‘ଇକା’ ରୂପେ ଚିତ୍ରଣ କରିଛନ୍ତି ।

 

ସ୍ଵଗତ ୩ ଓ ୪ ସ୍ପଷ୍ଟତଃ ଅତିବାସ୍ତବବାଦୀ କବିତା । ଜାଗ୍ରତାବସ୍ଥାର ବାସ୍ତବତା ପ୍ରକୃତ ବାସ୍ତବତା ନୁହେଁ, ବରଂ ଏହା ମଣିଷକୁ ବାସ୍ତବତାଠାରୁ ବିଚ୍ଛିନ୍ନ କରିଦିଏ । ତେଣୁ ମନୁଷ୍ୟର ସ୍ୱରୂପ ମନୁଷ୍ୟ ନିକଟରେ ସ୍ପଷ୍ଟ ହୋଇପାରେ ନାହିଁ । ସାମାଜିକ ଲଜ୍ଜା ଓ ଭୟ ମଣିଷର ଅନେକ ସଙ୍ଗୋପନର କାରଣ ହୁଏ । ନିନ୍ଦା, ଭୟ ଓ ଯଶ ପ୍ରଲୋଭନ ମନୁଷ୍ୟକୁ ପ୍ରଭାବିତ କରେ । ଅତିବାସ୍ତବବାଦ ଫ୍ରୟେଡ଼ୀୟ ଅବଚେତନ ମନକୁ ହିଁ ଶୁଦ୍ଧ ମନ (Pure reud) ବୋଲି କହିଥାଏ-। ଜାଗ୍ରତ ଚେତନାର ଉପଲବ୍ଧି କୃତ୍ରିମ ଓ ମିଥ୍ୟା । ନିଦ୍ରା ବାସ୍ତବ ସହିତ ମଣିଷର ସମ୍ପର୍କକୁ ସ୍ପଷ୍ଟ କରିଦିଏ । ନିଦ୍ରା ବାସ୍ତବ ସହିତ ମଣିଷର ସମ୍ପର୍କକୁ ସ୍ପଷ୍ଟ କରିଦିଏ । ସ୍ଵପ୍ନ ସଙ୍କେତ ମାଧ୍ୟମରେ ସତ୍ୟର ପରିଚୟ ଦିଏ । ଯୁକ୍ତି ଓ ଜ୍ଞାନ ନୁହେଁ ସ୍ୱପ୍ନ ହିଁ ବାସ୍ତବକୁ ପ୍ରକାଶ କରେ । ସ୍ଵଗତ ‘୩’ ଓ ୪’ର କାବ୍ୟନାୟକର ଫ୍ରୟେଡ଼ୀୟ ତତ୍ତ୍ୱ ନିର୍ଦ୍ଦେଶିତ ମାର୍ଗରେ ନିଦ୍ରାରେ ଚାଲି ନିଜ ସ୍ୱରୂପକୁ ଉଦ୍‌ଘାଟନ କରୁଛନ୍ତି ।

 

ନିଦ୍ରାରେ ଚାଲିବା ଚାଲ (କିପରି ଚାଲିବା ?)

କାନ୍ଥବାଡ଼ ଛାଇ ପଛେ ପଛେ

ଅନେକ ସ୍ମୃତି ଆଉ ବିସ୍ମୃତିର ପାହାଚେ ପାହାଚେ

ଏହି ଏ ଅନ୍ଧାର ସିଡ଼ି ଦେଇ ବହୁ ମୃତ ପାଦଚିହ୍ନ ମେଳେ ।

ବହୁ ଖୁଣୀ, ସରାପୀ, ପକେଟମାରୁରେ କିମ୍ବା

କେଉଁ ଆତ୍ମଘାତୀର ଘୁମନ୍ତ କଙ୍କାଳେ

ପଚାରିବା ପରିଚୟ । ମନେ ପକାଇବା

କେବେ ଦେଖା ହୋଇଛି କି ନାଇ-

କିମ୍ବା ସେମାନଙ୍କ ଭିତରେ

ଖୋଜି ପାଇବା ନିଜ ପ୍ରତିକୃତି

ନା ନା ମୁହୂର୍ତ୍ତର ଆରିଶିରେ ।

 

ବ୍ୟକ୍ତିର ବ୍ୟକ୍ତିତ୍ୱ ଆଜି ଏହିପରି ବିଭକ୍ତ, ଦ୍ୱିଧାପୂର୍ଣ୍ଣ । ଏଥିରେ ଭଲମନ୍ଦର ପ୍ରଶ୍ନ ଗୌଣ । ଏହି ଆତ୍ମଦ୍ୱନ୍ଦ୍ୱ ଓ ବିଭକ୍ତ ବ୍ୟକ୍ତିତ୍ୱର ଉପଲବ୍ଧି ଯାହା କେବଳ ଅତିବାସ୍ତବବାଦୀୟ ନୁହେଁ ସ୍ଥିତିବାଦୀୟ ମଧ୍ୟ, ତାହା ରାଉତରାୟଙ୍କ କବିତାରେ ହିଁ ସବୁଠାରୁ ବେଶି ସ୍ପଷ୍ଟ । ଏ ଦୃଷ୍ଟିରୁ କବିଙ୍କ ‘ସୀମାନ୍ତଟ୍ରେନ’ କବିତାଟିର ବିଶ୍ଳେଷଣ ମଧ୍ୟ କରାଯାଇପାରେ । ତେବେ ତାହା ଭିନ୍ନ ପ୍ରସଙ୍ଗ । ଏଲିୟଟଙ୍କ କବିତାରେ ମଧ୍ୟ ଏପରି ସ୍ଵରମିଳେ । ଏପରି ଦ୍ୱୈନତା କେବଳ ମଣିଷର ନୁହେଁ, କେତେକାଂଶରେ କବିଙ୍କର ମଧ୍ୟ ।

 

ଏ ପ୍ରସଙ୍ଗରେ ଭଲମନ୍ଦର ପ୍ରଶ୍ନ ଉଠିପାରେ । କବି ଏ ବିଷୟରେ ସଚେତନ । ‘ସୀତାଚୋରି’ରେ କବି କହନ୍ତି-

 

ଚାହେଁ ମୁଁ ଯେ ଆଙ୍କିବାକୁ ମଣିଷର ଛବି

ଭଲମନ୍ଦ ସମଗ୍ର ସତ୍ତାର

ପୂରା ମଣିଷର । ଏବଂ

ତାର ବାସ୍ତବତା ଚେତନା ମୁଖର

ପୁଣି,

ପୃଥିବୀ ବି ଖାଲି ଭଲ ମନ୍ଦ

ଏଇ ଦୁଇ ଶିବିରେ ବିଭକ୍ତ ?

ମଣିଷର ଖଣ୍ଡିତ ବ୍ୟକ୍ତିତ୍ୱ

ତାର ଦ୍ୱିଧା ସ୍ୱବିରୋଧ ଆତ୍ମ ବଳିଦାନ

ତୁମେକି ଦେଖିନ ଖୋଜି ?

 

ସମାଜର କବି ବ୍ୟକ୍ତିର ପୂର୍ଣ୍ଣ ପରିଚୟ ଖୋଜିବାକୁ ଯାଇ ଭଲ ଓ ମନ୍ଦ ଉଭୟ ନିକଟରେ ପହଞ୍ଚିଛନ୍ତି । ମଣିଷ କେବଳ ଭଲ କିମ୍ବା କେବଳ ମନ୍ଦ ନୁହେଁ । ସେଥିପାଇଁ ସ୍ଥିତିବାଦୀ ଔପନ୍ୟାସିକ ଡଷ୍ଟୟଭସ୍କି ମଣିଷକୁ ‘ଡବଲ’ (double) ବୋଲି କହିଛନ୍ତି । ମାର୍କଟ୍ୱେନ କହନ୍ତି ପ୍ରତ୍ୟେକ ମଣିଷ ଏକ ଚନ୍ଦ୍ର ଓ ତାହାର ଏକ ଅନ୍ଧକାର ଦିଗ ଅଛି, ଯାହାକୁ ସେ ଦେଖାଇବାକୁ ଚାହେଁ ନାହିଁ । ଏହି ପରିପ୍ରେକ୍ଷୀରେ କବି ରାଉତରାୟଙ୍କ ଚରିତ୍ରଦୃଷ୍ଟି ବିଶେଷ ଲକ୍ଷଣୀୟ । ‘ଗଙ୍ଗାଧର ମେହେର’ କବିତାରେ କବି ଲେଖିଛନ୍ତି-

 

ଆହା କି ସରଳ ତୁମ ପାତ୍ରପାତ୍ରୀଗଣ

ଯିଏ ଭଲ ସିଏ ଭଲ ଷୋଳଅଣା ଭଲ

ଆଉ ଯେ ଖରାପ ସିଏ ପାପୀ ସଇତାନ

ଭଲ ମନ୍ଦେ ପୃଥିବୀଟା ଯେପରି ବା ବିଭକ୍ତ ଦିଭାଗେ ।

ଇଆ ମଧେ ନାହିଁ ଚଳାଚଳ; ରଫା ଅବା କିଛି ବିଶ୍ଳେଷଣ

ସରଳରେଖାଟି ପରି ମଣିଷର ଅକମ୍ପନ ନିରୀହ ଜୀବନ

ଦୁଃଖ ସେଠି ତର୍କହୀନ, କାରୁଣ୍ୟର ମୂକ ନିବେଦନ

ନାଟକୀୟ ଆତ୍ମଦାନ, ବୀରତ୍ୱର ଅକଳଙ୍କ ମାନ

ଛୁଇଁଛି ଯେଉଁଠି ସବୁ କଳ୍ପନାର ଚୂଡ଼ାନ୍ତ ସୋପାନ

ଆଉ ପାପ ? ସେ ବି ଏକ ଅତିକାୟ ଶୃଙ୍କ ଆରୋହଣ

ଭଲାର ଠିକ୍ ମପାଟୁପା ଓଲଟା ଦିଗଟା

ଶୈଶବର ଶଷ୍ପ ଛାୟା, ବିଶ୍ୱାସରେ ନୀଳ

ତୁମର ମଣିଷମାନେ ସଂଘର୍ଷବିହୀନ

ସମସ୍ତ ମଙ୍ଗଳମୟ, ଶାନ୍ତ ଭଗବାନ ।

ଜୀବନଟା ଯେପରି ବା ନୀଳ ସମତଳ

ଶ୍ୟାମ ଶାନ୍ତ ଆବର୍ତ ରହିତ ତୃଣଭୂମି

ତୁମର ପ୍ରଣାମୀ

ଆଦାୟ ହୋଇଚି ବେଶି ଶିଶୁଧର୍ମୀ ମନୁ ।” (କବିତା ୧୯୬୨)

 

ପ୍ରକୃତିରେ ସତ୍ତ୍ୱ, ରଜ, ତମର ମିଶ୍ରଣ ପରି ମଣିଷ ପ୍ରକୃତି । କୌଣସି ମଣିଷ ଚରିତ୍ର ବିମୂର୍ତ୍ତ ଭାବେ ଭଲ କିମ୍ବା ମନ୍ଦ ହେବା ଉଚିତ ନୁହେଁ । ଆରିଷ୍ଟଟଲ ମଧ୍ୟ କହିଛନ୍ତି ଯେକୌଣସି ଟ୍ରାଜେଡ଼ିର ଚରିତ୍ର ସମ୍ପୂର୍ଣ୍ଣ ଭାବେ ଭଲ କିମ୍ବା ମନ୍ଦ ହେବା ଉଚିତ ନୁହେଁ । ସେହିପରି ଆଧୁନିକ ଉପନ୍ୟାସରେ ଚରିତ୍ରମାନେ ଟାଇପ୍ ନୁହନ୍ତି ରାଉଣ୍ଡ । ରାଉତରାୟଙ୍କ ଦୃଷ୍ଟଇଭଙ୍ଗୀ ଏ ଦୃଷ୍ଟିରୁ ଖୁବ୍ ସାର୍ଥକ ମନେହୁଏ ।

 

କବି ରାଉତରାୟଙ୍କ କାବ୍ୟଚେତନାରେ ବ୍ୟକ୍ତିବୋଧର ଅଭିବ୍ୟକ୍ତି ଦୃଷ୍ଟିରୁ ପରାଭୌତିକ ଚେତନା ବା ଆଧ୍ୟାତ୍ମିକତାର ଭୂମିକା ଖୁବ୍ ଗୁରୁତ୍ୱପୂର୍ଣ୍ଣ । ଜଟିଳ ଉପଲବ୍ଧି ଭିତ୍ତିରେ ‘ପାଣ୍ଡୁଲିପି’ର ‘ଭାରସାମ୍ୟ’ କବିତାରୁ ଏହା ଆରମ୍ଭ ହୋଇ ‘ସ୍ଵଗତ’ ଓ ‘କବିତା-୧୯୬୨’ରେ ପୂର୍ଣ୍ଣତା ଲାଭ କରିଛି ଓ ପରବର୍ତ୍ତୀ କବିତାରେ ମଧ୍ୟ ନିଜର ଅଭ୍ରାନ୍ତ ସ୍ୱାକ୍ଷରଂ ରଖିଯାଇଛି ।

 

‘ସ୍ଵଗତ’ର ପ୍ରଥମ କବିତା ଉପର କକ୍ଷ’ ଏ ଦୃଷ୍ଟିରୁ ଖୁବ୍ ତାତ୍ପର୍ଯ୍ୟପୂର୍ଣ୍ଣ ମନେହୁଏ । କବିତାର ନାମ ‘ଉପରକକ୍ଷ’ ସତେ ଯେପରିକି ମାର୍କସୀୟ ‘Super structure’ର ସୂଚନା ପ୍ରଦାନ କରୁଛି । କବି ତ ତାଙ୍କ ଆତ୍ମୀଜବନୀର ନାମକରଣ କରିଛନ୍ତି ‘ଉତ୍ତରକକ୍ଷ’, ଏ କବିତାରେ କବି କହୁଛନ୍ତି-

 

ବୁଢ଼ିଆଣୀ ଜାଲ ନାଇଁ, ଚାହିଁ ଦେଖେ ବୁଲି ଏଣେତେଣେ

ଶୂନ୍ୟ ଘର କେହିନାଇଁ ସେ ଘରର ବିରାଟ ଦର୍ପଣେ

ଦେଖିଲି ମୁଁ ଦୁଇ ପ୍ରତିବିମ୍ବ

ଶେଷ ଓ ଆରମ୍ଭ

ଆରମ୍ଭ ଓ ଶେଷ

ଚିରନ୍ତନ ପାଖେ ପାଖେ ଢଳଢଳ ଗୋଟିଏ ନିମେଷ

ସେ ଘରର ପୁରାତନ ଘଡ଼ିର ବା ଟିକ୍‍ଟିକ୍ ଗୋଟିଏ ନିଃଶ୍ୱାସ

କ୍ଷୀଣ ଏକ ଡାକ

ସମୟ କି ଚିରନ୍ତନର ଭାସମାନ ଭଙ୍ଗୁର ପ୍ରତୀକ ।

 

ସମାଜ ଓ ବ୍ୟକ୍ତିର ସମ୍ପର୍କ ପରି ଏହା ଚିରନ୍ତନ ଓ ସମୟର ସମ୍ପର୍କ କଥା କହୁଛି, ଜୀବନର ଜଟିଳତା ଓ ବ୍ୟାପକ ସତ୍ୟର ଉପଲବ୍ଧିକୁ ପ୍ରକାଶ କରୁଛି । ଏଥବରେ ହୁଏତ ଏକପ୍ରକାର ଅସହାୟତା ବୋଧ ଥାଇପାରେ କିନ୍ତୁ ଏହା କବିଙ୍କୁ ଏକ ନୂତନ ପରିଚୟର ଆସ୍ୱାଦ ଆଣିଦେଉଛି ଯେଉଁଠି ବାସ୍ତବତା ପରମ ସତ୍ୟର ନାମାନ୍ତର ହୋଇ ଦେଖାଦେଇଛି, ‘ଏବଂ ସତ୍ ବିପ୍ରାଃ ବହୁଧା ବଦନ୍ତି’ର ସ୍ୱର ଏ କବିତାରେ ଅନୁଭୂତ ହୁଏ । କବିଙ୍କ ଭାଷାରେ–

 

ରାଜପଥେ ସେଇ ସୁଅ ବହୁ ମୁହଁ

ମଣିଷର ସେଇ ଯାଆ ଆସ

ମନେହେଲା ଏକରଇ ଇଏ ସବୁ

ବହୁଧା ପ୍ରକାଶ

ସେଇ ଜଣେ ଜଣକର ପରା

ବାକୀ ଇଏ ଯେତେ ଯିଏ ନାନା ଦିଗ, ବିଭିନ୍ନ ଚେହେରା ।

 

‘ରଙ୍ଗମ୍’ କବିତାରେ ଏ ଚେତାନ ଆହୁରି ସୁନ୍ଦର । ନିଜ ସତ୍ତାର ନଗଣ୍ୟତାର ଉପଲବଧି ସହ ପୂର୍ଣ୍ଣତାର ଅନୁଭବର ସ୍ଵର ଓ ସ୍ଵାକ୍ଷର ତହିଁରେ ଉତ୍କୀର୍ଣ୍ଣ । ଏଠାରେ ତାଙ୍କର ଆଧ୍ୟାତ୍ମିକ ସତ୍ତାର ଅନୁଭୂତି ଏହିପରି-

 

ସମୟର ଆଇନାରେ ନିଜକୁ ମୁଁ ଯେତେ ଯେତେ ଚାହେଁ

ସେତିକି ମୁଁ ନିଜଠାରୁ ଦୂରେ ଦୂରେ ଦୂରେ ଚାଲିଯାଏ

ସେ କି ଛାୟା ? ସେ କି ରୂପ ? ଅବା ଖାଲି ଗୋଟିଏ ମୁହୂର୍ତ୍ତ

ତୁଷାର ହ୍ରଦର ପକ୍ଷୀ ଉଡ଼ୁଉଡ଼ୁ ହୋଇଚି ବା ମୂର୍ତ୍ତ

ବରଫର କାଚେ

ସେଇପରି ଢଳ ଢଳ ଏକବିନ୍ଦୁ ମୁହୂର୍ତ୍ତର ଛାଞ୍ଚେ

ମୁଁ କି ଅନ୍ତରୀଣ

ସର୍ବାଙ୍ଗ ସତ୍ତାର ଛକେ କ୍ଷଣିକ ଏ

କିମ୍ୱା ଚିରନ୍ତନ ।

 

ଏଠାରେ ଅଛି ଜୀବନର ବ୍ୟାପକରେ ପରିଚୟ । କବି ନିଜ ସତ୍ତାର ଉତ୍ସ ଓ କେନ୍ଦ୍ର ଅନ୍ୱେଷଣରେ ଯାଇ ବୌଦ୍ଧ ଓ ବୈଦିକ ଚେତନାର ସମନ୍ୱୟ ଭିତରେ କହିଛନ୍ତି :

 

କେଉଁଠି ବା ଆଦିବିନ୍ଦୁ, କେନ୍ଦ୍ର କାଇଁ

କେଉଁଠି ଆରମ୍ଭ ?

ଅନନ୍ତ ଜୀବନ ବୃତ୍ତେ ଜ୍ୱଳମାନ

ସୂର୍ଯ୍ୟାନ୍ତର ସ୍ତମ୍ଭ

ବିରାଟ ନାହିଁର ମଧ୍ୟେ ଟିକେ ହଁ

ଏତେ ଟିକେ ମୁଁ

ଟିକେ ରାଜଧାନୀ

ତଥାପି ସେ ମହାଶୂନ୍ୟେ ଯହିଁ କୁସିନାରା

ସେଇଠାରେ ଶାଶ୍ଵତୀ ଲୁମ୍ୱିନୀ ।

 

‘ପ୍ରାନ୍ତିକ’ କବିତାରେ ମହାଶୂନ୍ୟତାର ଅନୁଭୂତି ଭିତରେ ଆତ୍ମୋପଲବ୍ଧିର ଆବେଗ ଓ ଆଗ୍ରହ ପ୍ରମୂର୍ତ୍ତ । ଏହା ନିଜକୁ ନୂତନ ଭାବେ ଜାଣିବାର ଏକ ଉଲ୍ଲାସମୟ ଆଧ୍ୟାତ୍ମିକ ଉଚ୍ଚାରଣରେ ପଲ୍ଲବିତ ହୋଇଛି । ନିଜର ଏକକତା ଓ ଅନନ୍ୟତାର ଅନୁଭବ ପ୍ରତୀକ ଓ ପ୍ରତିମା ମଧ୍ୟରେ ଏକାନ୍ତ ଚିତ୍ତାକର୍ଷକ ।

 

ମୋତେ କର ମହାଶୂନ୍ୟ

କାରଣରୁ କାଳରୁ ସ୍ୱାଧୀନ ।

ମୁଁ ଆଉ ମୋର କାରଣ

ମୋ ତ୍ରିକାଳ ସଂଜ୍ଞା, ମୋର ଗୁଣ

ମୋର ଧର୍ମ ଓ ଅନ୍ୟ ପରିଧାନ

ସବୁକିଛି ଜଳିଯାଉ ଶୂନ୍ୟେ ଶୂନ୍ୟାନ୍ତରେ ।

ନ ହୁଏ ମୁଁ ଜ୍ୟୋତି, ନ ହୁଏ ତମସ, ସତ୍ତ୍ୱ ରଜ ତମ

ମୋଠାରେ ମୁଁ ଦଗ୍ଧ ହୁଏ, ଲୀନ ହୋଇଯାଏ

ଅଗ୍ନି ବାୟୁ ଯମ

ସାକ୍ଷୀ ହୋନ୍ତୁ ମୋର ଏଇଠାରେ ।

ମୁଁ ବିଚ୍ଛିନ୍ନ ନାମ ସ୍ଥାନେ, ନାନା ପାତ୍ରେ

ନାନା ବିମ୍ୱେ ଯଥା ବୃଷ୍ଟିଜଳ

ସହସ୍ର ‘ମୁଁ’ର ମଧ୍ୟେ ମୋତେ ମୁଁ ଇ ଚିହ୍ନି ନିଏଁ, ନିଏଁ ବରି

ସହସ୍ର ନଳର ମଧ୍ୟେ ନଳକୁ ଯେପରି

ଆତ୍ମ ସ୍ଵୟମ୍ବରେ

ସହସ୍ର ବିଶେଷ ମଧ୍ୟେ ମୁଁ ଯେପରି ଖୋଜିପାଏଁ

ଯାହାର ସାମାନ୍ୟ

ମୋତେ ମୋଠି ଦଗ୍ଧ କରେ ମୋତେ ମୁଁ ଇ

ଏକକ ଅନନ୍ୟ ।

 

କବି ଏଠାରେ ସମୟରୁ ସମୟାତୀତକୁ ଯାତ୍ରାର ଜାତକ ରଚନା କରିଛନ୍ତି । କବିଙ୍କ ବ୍ୟକ୍ତିଜିଜ୍ଞାସା ଆତ୍ମଜିଜ୍ଞାସା ବା ଆତ୍ମଜ୍ଞାନର ଅଭିଜ୍ଞାନରେ ପରିଣତ ହୋଇଛି । ବାସ୍ତବତା ଏଠାରେ ବାହ୍ୟତାମୁକ୍ତ ଏକ ଅନ୍ତର୍ମୁଖୀ ଉତ୍ତରଣ । ‘ପ୍ରାଣର ଉତ୍ତାପ’ ପାଇଁ ‘ପ୍ରାତ୍ୟହିକ ସୀମିତ ଗୋଲକ’କୁ ଅତିକ୍ରମ କରି କବି ସ୍ୱପ୍ନରୁ ସ୍ଵପ୍ତାନ୍ତର ଅଭିମୁଖେ ଯାତ୍ରା କରନ୍ତି । ଆଜି ସେ ଏକ ଶୁଭୁ ବଳାକା । ଗୃହରୁ ପ୍ରାନ୍ତର, ପୃଥିବୀରୁ ଦିଗ୍‍ବଳୟକୁ ତାଙ୍କର ଅଭିଯାନ । ଏକ ନୂତନ ନକ୍ଷତ୍ରର କାମନାରେ ସେ ଅଭିସାରୀ । (ଉତ୍ତର ତିରିଶ) ।

 

ଏକ ସନ୍ଧ୍ୟା ଶେଷେ’ କବିତାରେ କବି ଏକ ‘ଭୌମ ଚେତନାର ହୃଦ’ରେ ‘ସତ୍-ଚିତ୍– ଆନନ୍ଦ’ ଭିତରେ ବିଲୀନ ହୋଇଯିବାର ଅନୁଭୂତି ପ୍ରକାଶ କରିଛନ୍ତି । ପ୍ରକୃତି ଭିତରେ ପରମେଶ୍ଵରଙ୍କ ଅନୁଭବ ଓ ଉପଲବ୍ଧି ଏକ ସାର୍ଥକ ସ୍ୱରର ଶୁଭ୍ର ଧ୍ୱନି ପ୍ରକଟିତ କରିଛି ।

 

ଏ ଜୋଛନାର ହିରଣ୍ୟ ଆଲୁଏ ସ୍ନାନ କରି

ମନେହୁଏ ମୁଁ ଯେପରିଏକ ଶୁଭ୍ର ଗଙ୍ଗୋତ୍ତରୀ

(ତା’ପରେ କିଛିକ୍ଷଣ ପରେ)

ଏକ ଦେହହୀନ ଝିଲିମିଲି ବିଚ୍ଛିନ୍ନ ଚୈତନ୍ୟ

ଆଉ ମୋର ଏକକ ଅନନ୍ୟ

ସତ୍ତା ମିଶିଯାଇଚି ଯେପରି

ଜମି ଆଉ ଦିଥର ସରହଦେ

ଏକ ଭୌମ ଚେତନାର ହ୍ରଦେ

(ସତ୍ ଚିତ୍ର ଆନଦେ ! !)

 

‘ସମାଜ’ ଓ ‘ଭାଗ୍ୟପୁରୁଷ’ର ଦ୍ୱିନ୍ଦ୍ୱ ଅନୁଭୂତି ଭିତରେ ଦୁଃଖ ଓ ଯନ୍ତ୍ରଣାର ଉପଲବ୍ଧି ଭିତରେ କବି ନିଜ ଆତ୍ମାର ଉଚ୍ଚାରଣକୁ ନିଜର ଏକାନ୍ତ ନକ୍ଷତ୍ର ଭାବେ ଆବିଷ୍କାର କରିଛନ୍ତି । ବ୍ୟକ୍ତି ଉପଲବ୍ଧି ଆତ୍ମାର ଆକାଶ ଭିତରେ ଏକ ପ୍ରଶାନ୍ତ ଦିଗ୍‍ବଳୟକୁ ଭେଟିଛି ।

 

ସେ ଯାହାହେଉ, ମୋର ଏଇ ଖିନ୍‌ଭିନ୍ ବ୍ୟକ୍ତିତ୍ୱର ଛକେ

ନାନା କାରଣର ବୀଜ, ନାନା ଦୁଃଖ, ଦୁଃଖଦ କାମନା

କାମନାଦ ଦୁଃଖ ପୁଣି ବ୍ୟଥାର ପଙ୍କଜ

ଆଉ ମୋର ଜୀବନ ବ୍ୟାପୀ ମହାପ୍ରସ୍ତ ଅଣସଫଳତା

ହେ ମୋର ତଟସ୍ଥ ଆତ୍ମାର ଉଚ୍ଚାରଣ ଗଣ

ତୁମେ ମୋର ଏକାନ୍ତ ନିଜର । ଏକାନ୍ତ ନକ୍ଷତ୍ର ମୋର । (ସ୍ଵଗତ-୧)

 

କବି ନିଜ ବିଦେହୀ ସତ୍ତାର ଶୁଭ ସମନ୍ୱୟ ଖୋଜି ଶୂନ୍ୟତାର ଲୟ ପାଖରେ ପହଞ୍ଚିଛନ୍ତି । ନେତି ଭିତରେ ସେ ଚାହିଁଛନ୍ତି ଆତ୍ମବିସ୍ମୃତି । ‘ସ୍ଵଗତ’ର ‘ସ୍ଵଗତ (୨)' କବିତାରେ କବିଙ୍କ ଅଭିବ୍ୟକ୍ତି ଅବିସ୍ମରଣୀୟ-

 

ମନେହୁଏ ଏ ଦେହକୁ ସୂକ୍ଷ୍ମ କରି ଅତି

ଶୂନ୍ୟ କରିବୋଧ

ଲିଭିଯାନ୍ତି ନିଃଶେଷେ ଅବାଧ

ଅବା ସମୟରେ ।

(ଶୂନ୍ୟରେ ନୁହେଁ, ନୁହେଁ ଆକାଶରେ

କାରଣ ଆକାଶ ବି ତ ଚେକେ

ତାର ବି ଅଛି ଗୁଣ)

ଆଉ ଭୁଲି ଯାନ୍ତି ସବୁ କିଛି ।

ଯାହା ଅଛି,

ଯାହା ନାଇଁ – ସମ୍ପର୍କ ସମସ୍ତ ।

ମୋତେ ଇ ଆବୃତ କରି ଏକ ଅସମାପ୍ତ

ନେତିର ପର୍ଯ୍ୟାୟେ ।

 

‘କବିତା-୧୯୬୨’ରେ ଏହି ଆଧ୍ୟାତ୍ମିକ ଚେତନା ଗଭୀରତର ତାତ୍ପର୍ଯ୍ୟ ବହନ କରି ଆତ୍ମପ୍ରକାଶ କରିଛି । ‘ଉତ୍ସର୍ଗପତ୍ର’ରେ କବି ଈଶ୍ୱରଙ୍କୁ କବି ଭାବରେ ଆବିଷ୍କାର କରିଛନ୍ତି ବୈଦିକ ସୂକ୍ତ ମାଧ୍ୟମରେ । ଶ୍ରୀ ଅରବିନ୍ଦଙ୍କ ‘ସାବିତ୍ରୀ’ର “An ocean impulse lifted every breath’’ ପୁଣି ଏଲିୟଟଙ୍କ ‘The river is within us, the sea is all about us’ ର ଅନ୍ତର୍ନିହିତ ତାତ୍ପର୍ଯ୍ୟ ଏ ଗ୍ରନ୍ଥରେ ସାର୍ଥକ ଅଭିବ୍ୟକ୍ତିର ଅଧିକାରୀ ହୋଇପାରିଛି । ପ୍ରଥମ କବିତା ‘ସାମୁଦ୍ରିକ’ରେ କବିଙ୍କ ଅନୁକରଣୀୟ ଭାଷାରେ ମନ୍ଦ୍ରିତ ହୋଇଛି-

 

ମୁଁ ବି ଏଇ ସମୁଦ୍ରର

ମୁଁ ବି ଏଇ ସମୁଦ୍ରର ମହାଯୌନତାର ଅପଭ୍ରଂଶ ।

 

କବି ଏଇ ଅନୁଭୂତିରେ ସତେଜତା ଅନୁଭବ କରିଛନ୍ତି । ନଦୀର କବି ମାର୍ଗକୁ କବି ଅସ୍ୱୀକାର କରିଛନ୍ତି । ସମୁଦ୍ର ଭିତରେ ଖୋଜିଛନ୍ତି ନିଜର ଲୌକିକ ଓ ଖଣ୍ଡିତ ପ୍ରତିମା । ବ୍ରହ୍ମ ଭିତରେ ଆତ୍ମାର ଅନୁଭୂତି ।

 

ମୋର ଶବ୍ଦଭେଦୀ ଯନ୍ତ୍ରେ ତୋଳି ମୁଁ କି ପାରେ

ସେଇ ସ୍ତବ୍ଧ ଝଞ୍ଜାମୟ ଗାନ ?

ମୋର କ୍ଷୁଦ୍ର କାମେରା କି ସିନ୍ଧୁ ନିସର୍ଗର

କରିପାରେ କେବେ ରୂପାୟନ ?

ତଥାପି ତ ଛବି ତୋଳୁ, କରୁ ଶବ୍ଦାୟନ

ସେଲୁଲେଡ୍ ଫିତାର ରେକର୍ଡ଼େ

ଆମ କ୍ଷୁଦ୍ର କାହାଣୀର ନାୟକ ନାୟିକା

ମାନଙ୍କର ଛୋଟ ଛୋଟ ଘଟନାର ମୋଡ଼େ–

ସେସବୁକୁ ଖାପଖୋଉଁ, କରୁ ମାପଚୁପ

ନିସର୍ଗକୁ କରୁ ପ୍ରାତ୍ୟହିକ ।

 

ନିସର୍ଗକୁ ପ୍ରାତ୍ୟହିକ କରିବା ଭିତରେ କବିଙ୍କ ବ୍ୟକ୍ତିବୋଧ ସ୍ପଷ୍ଟ ହୁଏ । ପୁଣି ସେ କହନ୍ତି –

 

ନିଜର ଲୌକିକ ଆଉ ଖଣ୍ଡିତ ପ୍ରତିମା

ଖୋଜୁ ମହାସାଗରରେ, ଆମେ ସାମୁଦ୍ରିକ !

ସମୁଦ୍ରର ଭଉଁରୀର ନାହିରେ ଚଳାଇ ।

ଶଙ୍ଖ ମୋର, କ୍ରୂର ପେଞ୍ଚକସ

ଶୁଣିବାକୁ ଚାହେଁ ମୁଁ ତା ନିର୍ଜନ କଣ୍ଠରୁ

କୋଟି କୋଟି ନିମଜ୍ଜିତ କଣ୍ଠର କୋରସ୍ ।

 

ଏହା ଆଧ୍ୟାତ୍ମିକତା ଭିତରେ ବ୍ୟକ୍ତି ଓ ସମାଜର ଉପଲବ୍ଧି ବୋଲି ବି କୁହାଯାଇପାରେ । ପାଣ୍ଡୁଲିପିଠାରୁ ଏହା ଆପାତତଃ ବିଚ୍ଛିନ୍ନ, ତଥାପି ନୂତନ ଦୃଷ୍ଟିକୋଣରୁ ଉଭୟଙ୍କ ମଧ୍ୟରେ ସମ୍ପର୍କ ସ୍ଥାପନ କରାଯାଇପାରେ ।

 

‘କବିତା ୧୯୬୨'ରେ କବିଙ୍କ ‘ଗୈରିକ ବୋଧନ', ଏକ ଚମତ୍‌କାର ଅଭିବ୍ୟକ୍ତି ଲାଭ କରିଛି ଆଶ୍ଵିନ ୧୯୫୮' କବିତାରେ । ଇତିହାସାତୀତ ଏହି ସମୟକୁ ଉଦ୍‌ବୋଧନ କରି କବି କହିଛନ୍ତି-

 

ଆଶ୍ୱିନ ଆସିବା ହେଉ ଆଶ୍ୱିନ ବସିବା ହେଉ

ବ୍ୟାରାଣ୍ଡାରେ ସୁଖେ କେଦାରାରେ

ନାରଙ୍ଗୀ କ୍ରୋଟନ ପତ୍ରେ ଅବା ଲତାଗୃହେ

ଅବା ନଦୀ ତୀରେ

ମୋର ପ୍ରୀତି ମୋର ନଦୀ ମୋର ଶସ୍ୟ ମୋର ଶକ୍ତି

ମୋର ପକ୍ଷୀମନେ

ହେ ନୂତନ ରତୁ ଆସ ନୂତନ ଆୟତନ

ମୋର ଆତ୍ମାର ଗୈରିକ ବୋଧନେ

 

ଏହି ଗୈରିକତା ଆଧ୍ୟାତ୍ମିକତାର ଉଦ୍‌ବୋଧନ, ବ୍ୟଷ୍ଟି ଓ ସମଷ୍ଟିର ସମନ୍ୱୟ ଏହାର ବୈଶିଷ୍ଟ୍ୟ । ଏହି ପରିଚୟର ନୂତନତା ଏହିପରି –

 

ଏ କି ଖାଲି ମାର୍ଗ ? ନା ଦେଶୀୟ ? ନା ୟାଙ୍କ ସମନ୍ୱୟ

ମୋ ଶାସ୍ତ୍ରୀୟ ସଂଜ୍ଞା ସଙ୍ଗ ମୋ ଲୌକିକ ସତ୍ତାର ବିସ୍ମୟ

ଏଠାରେ ଏ ଫୁଲ ସିଡ଼ି, ଏଠାରେ ଏ ଶୂନ୍ୟ ଉତ୍ତରଣ

ଛାୟାପ୍ରସ୍ଥ ଆପଣାର ଅରାଏ ବା ଅହଂର କ୍ରମ

ଏ ହେଉ ବାଦିତ ତେବେ ଲାସ୍ୟ ହେଉ ମୋର ବହିର୍ଭୂତ

ସତ୍ତାର ସିରସ୍ତା ଡେଇଁ ଯେ କେତୋଟି ଉଜ୍ଜ୍ୱଳ ମୁହୂର୍ତ୍ତ ।

 

କବିଙ୍କ ପରିଚୟବୋଧ ଏଠାରେ ସ୍ୱତନ୍ତ୍ର । ଏହା ଆଉ ଶାରୀରିକ ନୁହେଁ, ଏକାନ୍ତ ଭାବେ ଆଧ୍ୟାତ୍ମିକ । ‘ଦୃଷ୍ଟ' କବିତାରେ କବି କହନ୍ତି-

 

ତେଣୁ ଭାବେ ଜୀବନଟା ଖାଲି ପ୍ରାତଃ କୃତ୍ୟ

ଏବଂ ଆକଣ୍ଠ ଭୋଜନ ଇତ୍ୟାଦି ଇତ୍ୟାଦି

ଛଡ଼ା ଯଦି ବେଶି କିଛି ହୁଏ

ତାହା ମୋର । ସେ ଉଦ୍‌ବୃତ୍ତେ ଭାଗ ନାହିଁ ରାଜାର, ରାଜାର

ସେଥିପାଇଁ ଲୋଡ଼ା ନାହିଁ ଜାଲ୍ ଦେବତାର ବିବର୍ଣ୍ଣ ସ୍ୱାକ୍ଷର ।

 

ଆଲୋକ ଆଶାୟୀ କବି ଦେହର ସୀମାକୁ ଅତିକ୍ରମ କରିବାକୁ ଆଗ୍ରହ ପୋଷଣ କରିଛନ୍ତି-

 

ଆଉ ହେ ମହାଶୟ ମହାନ୍ ଈଶ୍ଵର

+      +      +

ତେଣୁ ତୁମେ ହୁଅ ଏକମାତ୍ର ଅଗ୍ନି ମୋର

ଏକାନ୍ତ ସ୍ୱାକ୍ଷର ।

ଏଇ ସୂର୍ଯ୍ୟଘଡ଼ି ଚାରିପାଖେ ନୃତ୍ୟରତା

ଛାୟା କନ୍ୟାଗଣେ ।

(ଯାହା ରହିବେ ଅଲକ୍ଷ୍ୟେ ମୋର ଚିରଦିନ ଏଇ ମୁହୂର୍ତ୍ତରୁ)

ତୁମେ ତଡ଼ିଦିଅ

ଆଲୋକରେ ପୂର୍ଣ୍ଣ କର ନୟନ ତୂଣୀର

ଅନ୍ଧୀକୃତ ଦେହର ରାତ୍ରିରେ । (ଦୃଷ୍ଟି)

 

କବି ତାଙ୍କର ପ୍ରାତ୍ୟହିକ ପରିଚୟକୁ ଫିଙ୍ଗି ଦେବାକୁ ଆଗ୍ରହୀ । ‘ଅନ୍ତରାଳ’ କବିତାରେ କବି ‘ସିଂହିକା’ର ଇନ୍ଦ୍ରିୟଜ ଆକର୍ଷଣକୁ ଅତିକ୍ରମ କରି ନିଜର ଅନ୍ତରାଳେ ବା ସତ୍ୟ ସ୍ୱରୂପକୁ ଖୋଜିଛନ୍ତି:

 

ନିଦ୍ରାରେ ଯେବେ ମୁଁ ଶୁଣେ ଗଭୀର ନିଦ୍ରାରେ

(ସବୁଠୁ ଗଭୀରତମ ଗହନ ନିଦ୍ରାରେ)

ନିଜର ଗୋପନ ବାଣୀ ମର୍ମିତ ଓଁକାରେ

(ନିଜକୁ ହରାଇ ଦେଇ ଆପଣାର ଠାରେ)

ତେବେ ତାହା ନିଭିଯାଉ ମହାଶୂନ୍ୟ ମାଳେ

ଆକାଶୁ ଆକାଶେ କାହିଁ ଅଣାକାର ତଳେ

ଶାତଶ ତାରାର ସ୍ତମ୍ଭ ପାରହେବା ପରେ

ଶୂନ୍ୟ ପଟଳରେ

ମୋ ଭିତରେ ମୁଁ ଇ ହଜେ, ମୁଁ ଇ ଖୋଜେ

ମୋର ଅନ୍ତରାଳେ

 

‘ନୃତ୍ୟ ଅନ୍ତେ’, ‘ସୀମାନ୍ତ ଟ୍ରେନ’, ‘ଏକ ଫାଲ୍‌ଗୁନ’ ଓ ‘ବସନ୍ତର ନିଚ୍ଛକ ଜିଲ୍ଲାରେ’ ଆଦି କବିତା ୧୯୬୨ର ଅନ୍ୟ ବହୁ କବିତାର ଦୃଷ୍ଟାନ୍ତ ଦିଆଯାଇପାରେ । ଏକ ଫାଲଗୁନ’ରେ କବି ନିଜ ସତ୍ତାକୁ ଏକ ମନ୍ତ୍ରଲେଖା ବୋଲି ଅଭିହିତ କରିଛନ୍ତି-

 

ଗନ୍ଧ ଆଉ ରଙ୍ଗ ଆଉ ସଙ୍ଗୀତର ଲୋକେ

ମୁଁ ଏକ ପ୍ରଦୀପ୍ତ ଶାନ୍ତି

କେଉଁ ପୁଷ୍ପିତ ଅରଣ୍ୟ ଘେରା ଗଭୀର ଗୁମ୍ଫାରେ

ଫଗୁଳ ହରଫେ ଲେଖା ଏକ ମନ୍ତ୍ରଲେଖା

ସେ କି ମୁଁ ?

ରଙ୍ଗୀନ ରହସ୍ୟ ଭରା ଏକ ପ୍ରାର୍ଥିତ ଭୂମିକା

ପଳାତକ ସମୟର ମୁଁ ବି ଏକ ଚିହ୍ନ

ନିଜେ ମୁଁ ଫାଲଗୁନ ।

 

କବି ବସନ୍ତ ଭିତରେ ଚୂଡ଼ାନ୍ତ ସୌନ୍ଦର୍ଯ୍ୟ ଓ ତାଙ୍କ ଚୂଡ଼ାନ୍ତ ପ୍ରତୀକର ଅମୋଘ ଦୀପକକୁ ଲକ୍ଷ୍ୟ କରିଛନ୍ତି । ତାରି ଭିତରେ ତାଙ୍କର ନୂଆ ଦକ୍ଷିଣ ରୂପକର ପରିଚୟ ଲିପିବଦ୍ଧ ।

 

ଏଇ ମଧୁମାସ

ଶେଷ ଋତୁ ହେଉ । ହେଉ ତାହା ଶେଷ

ଜିଲା ସବୁ ସୌନ୍ଦର୍ଯ୍ୟର

କାରଣ ସବୁ ଭଲ ଜିନିଷରେ ବସନ୍ତ ଥରେ ମାତ୍ର ଆସେ

ତାର ପ୍ରତିଭା ସେ ନୂତନ ନଗରୀର ସ୍ୱର୍ଣ୍ଣ ମେଖଳା ଖସେ

ତେଣୁ ହେଉ ତାହା ଶେଷ ଅସ୍ତ୍ର ପୁଷ୍ପିତ ତୁଣୀର ।

ହେଉ ଏହା ନୂତନ ଓ ଚୂଡ଼ାନ୍ତ ଜନ୍ମର ପୁଂସବନ

ଆଉ ମୋର ଚରମ ପ୍ରତୀକର ଅମୋଘ ଦୀପକ

ଅତିକ୍ରମି ମୋ କାର୍ବନ

ପ୍ରତି ଆଉ ମୋର ସୁଚିତ୍ରିତ ପଙ୍କ

ଝଙ୍କୃତ ସେଥିରେ ହେଉ

ମୋର ନୂଆ ଦକ୍ଷିଣ ରୂପକ ।

(ବସନ୍ତର ନିଚ୍ଛକ ଜିଲ୍ଲାରେ)

‘ଏକ ପ୍ରାର୍ଥନା’ କବିଙ୍କର ଏକ ଚମତ୍କାର ଆତ୍ମାଭିବ୍ୟକ୍ତିମୂଳକ କବିତା ।

ସବୁ ଫୁଲ ସବୁ ତାର ସବୁ ପ୍ରେମମେଳେ

ଦିଅ ମୋତେ ଏକ ଧ୍ରୁବତାରା

ସେ ହେଉ ପ୍ରତିମା ଅବା ରୂପକ ମୂର୍ଚ୍ଛନା

ହେଉ କିନ୍ତୁ ଗୋଟିଏ ଡାକରା

ପ୍ରେମର ନିଭୃତ କୁଞ୍ଜବନ

ଋତୁରାଜ

ଦିଅ ମୋତେ ତୁମ ପୁଷ୍ପଧନୁ ।

 

କିନ୍ତୁ କବିଙ୍କର ଏପରି ଆଧ୍ୟାତ୍ମିକ ଚେତନା ତାଙ୍କର ମାନବବାଦୀ ତଥା ସମାଜବାଦୀ ଚେତନା ସହିତ ତଥାପି ସମ୍ପର୍କ ରଖେ । ‘ଶ୍ରୀଗୁଣ୍ଡିଚା’ କବିତାରେ କବି ସଂସ୍କୃତି ଅଧ୍ୟୟନ ଭିତରେ ସମାଜ ଓ ମଣିଷର କଥା କହିଛନ୍ତି ।

 

ଆଜି ଏଠି ମଣିଷର ଜୀବନ ପଥରେ

ବର୍ଣ୍ଣ ନୁହେଁ ଶବ୍ଦ ନୁହେଁ ନୁହେଁ ବି ଶରୀର

ହେ ପ୍ରାର୍ଥନା ! ହେ ବିଶ୍ୱାସ !

ଦିଗ୍‌ବିଜୟ କର

ସାଧାରଣ ଜୀବନର ଉଳୁଧ୍ୱନି ସ୍ୱରେ

ଆବିଶ୍ୱ କଳ୍ପନା ନେଇ ତୁରନ୍ତ ଡେଣାରେ

ଜ୍ୟୋସ୍ନାର ମନ୍ତ୍ରଟି ପରି ନିଗୁଢ଼ ପ୍ରତ୍ୟୟେ ।

 

‘ଶ୍ରୀଗୁଣ୍ଡିଚା’ର ଦୃଷ୍ଟିଭଙ୍ଗୀ ପରେ ତାଙ୍କର ବହୁ କବିତାରେ ଆଧୁନିକ ତାତ୍ପର୍ଯ୍ୟ ବହନ କରି ଆତ୍ମପ୍ରକାଶ କରିଛି । ‘ନୀଳକେନ୍ଦ୍ର’ ଆଦି କବିତା ଏ ପ୍ରସଙ୍ଗରେ ସ୍ମରଣୀୟ ।

 

‘ରଥଯାତ୍ରା, ୧୯୭୩’ କବି ଜଗନ୍ନାଥଙ୍କ ଆଖି ଭିତରେ ସମସ୍ତ ବିଶ୍ଵକୁ ଦେଖିପାରିଛନ୍ତି :

 

ସେ ଆଖି ହିଁ ଦେହ ତାହା ମନ ତାହା ଆତ୍ମା

ତାହା ପରମ୍ପରା

ତାହା ଏକ ସମୁଦ୍ର ସଙ୍ଖୋଳା

ଲୌକିକ ଗବାକ୍ଷୁ

ଦୁଇଟି ବ୍ରହ୍ମାଣ୍ଡ ପରି ସେଇ ଦୁଇ ଡୋଳା

ଯାର ଚତୁର୍ଦ୍ଦିଗ ଘୂରେ ସୂର୍ଯ୍ୟ, ଘୂରେ ଚନ୍ଦ୍ର, ତାରା

ଗ୍ରହ, ଉପଗ୍ରହ, ବ୍ୟୋମ ବାୟୁ

ଶୂନ୍ୟ, ମହାଶୂନ୍ୟ

ତାହା ଏକ ଶୂନ୍ୟର ଡାକରା

ମହାଶୂନ୍ୟ ଆଡ଼େ ।

 

ସେଇ କବିତାରେ କବିଙ୍କ ‘ବିଶ୍ଵରୂପ ଦର୍ଶନ’ ଅନୁଭୂତି ଏହିପରି ଭାବରେ ଉପସ୍ଥାପିତ ।

 

ସବୁ ଲୋକ ଅଜସ୍ର ଅୟୁତ ମୁହଁ

ଆଖି କାନ ହାତ

ଅସଂଖ୍ୟ ନିଶାଣ ଚାମର ଆଲଟ

ନିମିଷକେ ହୋଇଗଲା ଲୀନ

ସେଇ ନେତ୍ର କି ଏବେ

ସବୁ ଶୂନ୍‍ଶାନ୍

କାଳ ପାତ୍ର ସ୍ଥାନ ।

ତିନିଯୁଗ, ଲକ୍ଷ ଯୋନି, ତିନିଲୋକ ଏବଂ ଚାରିବେଦ

ନିଶ୍ଚିହ୍ନ ନିଶ୍ଚିହ୍ନ

ଛିନ୍ନ ମୋର ସମସ୍ତ ବନ୍ଧନ ।

 

ଏଇଠି ମିଳେ ଏଲିୟଟଙ୍କ ‘ସ୍ଥିରବିନ୍ଦୁ’ ତଥା ଦାନ୍ତେଙ୍କ ‘ପରମଶାନ୍ତି’ର ନୀରବ ଲଗ୍ନ । ‘ନୀଳକେନ୍ଦ୍ର’ରେ ଦେହରୁ ଦେହାତୀତ ସ୍ତରକୁ ଯିବାର ସଙ୍କଳ୍ପ ବୌଦ୍ଧ ମହାଯାନ ଦର୍ଶନର ଆଙ୍ଗିକରେ ପ୍ରକାଶିତ ।

 

କିନ୍ତୁ ମୁହିଁ ରହେ ଉଦାସୀନ

ଅନାସକ୍ତ ନିଳାକାଶ ପରି

ମୁଁ ଏକ ବଜ୍ରଯାନୀ ଭୈରବ ସାଧକ

+      +      +

ଯେଉଁଠି ମୁଁ ବୋଧିଚିତ୍ତ

ସେ ନାରାତ୍ମା

ମୋ ବିକଳ୍ପ ସତ୍ତା ।

 

ଏହି ସତ୍ତା ଅସତ୍ତାର ବିଶ୍ଳେଷଣ । ‘ଚିଠି-୨’ କବିତାରେ ପରିଲକ୍ଷିତ । ‘ଲାଲ ସ୍କୁଟର’ କବିତାରେ ମୃତ୍ୟୁ ଅନୁଭୁତି ଭିତରେ ସତ୍ତାର ସ୍ୱରୂପ ବିଶ୍ଳେଷିତ । ତାନ୍ତ୍ରିକତାର ସମନ୍ୱୟ ଏ ପର୍ଯ୍ୟାୟରେ କବିଙ୍କ ଚେତନାର ଏକ ଭିନ୍ନ ମାନଚିତ୍ର ପ୍ରଦର୍ଶନ କରାଏ, ଯାହା ଆଧୁନିକତାର ସ୍ଵର ଓ ସ୍ଵାକ୍ଷରରେ ସମୃଦ୍ଧ ।

 

କବି ରାଉତରାୟଙ୍କ କାବ୍ୟଚେତନାର ସମନ୍ୱୟବାଦରେ ଏକ ବିଶିଷ୍ଟ ପ୍ରସଙ୍ଗ ସ୍ଥିତିବାଦ । ବ୍ୟକ୍ତିବାଦ ଭାବେ ସ୍ଥିତିବାଦ ପରିଚୟ ସର୍ବବିଦିତ । ‘କବିତା ୧୯୬୯' ପ୍ରକାଶ ବେଳେ କବି ଏହି ସ୍ଥିତିବାଦର ପ୍ରତ୍ୟକ୍ଷ ସମ୍ପୃକ୍ତି ଘୋଷଣା କରିଛନ୍ତି । ଭଜନି ଅଟେଇ ନାମକ ରିକ୍ସାବାଲାକୁ ବିହଟି ଉତ୍ସବ କଲାବେଳେ କବି ଯେଉଁ ଉତ୍ସର୍ଗ ପତ୍ରଟି ଲେଖିଛନ୍ତି ସେଥିରେ ତାଙ୍କଠି ମାର୍କସବାଦ ଓ ସ୍ଥିତିବାଦର ଆପେକ୍ଷିକ ସମ୍ପର୍କ ସ୍ପଷ୍ଟ ହୋଇଉଠିଛି । ସଦ୍ୟ ନୋବେଲ୍ ପ୍ରାଇଜ୍ ପାଇଥିବା ସ୍ଥିତିବାଦୀ ଉଭଟ ନାଟ୍ୟକାର ବେକେଟ୍ ଓ ତାଙ୍କର waiting for God ot ନାଟକ କଥା କବି ଲେଖିରଖିଛନ୍ତି । ତାଙ୍କ ଭାଷାରେ- “ସେ କିଛି ନା କିଛି କରେ । ବେକେଟଙ୍କ ମଣିଷଙ୍କ ପରି ସେ ଏକ ଥଣ୍ଡା ସୂର୍ଯ୍ୟର ନିଃଶ୍ୱାସରେ ଝାଉଁଳି ପଡ଼େ ନାହିଁ । ସେଠି ତ ଖାଲି ଶୀତଳ ଶୂନ୍ୟତା- ଖାଲି ଅପେକ୍ଷା । ସମୟ ସେଠି ସ୍ଥିର । ଶବ୍ଦମାନେ ସେଠି ବ୍ୟର୍ଥ, ଦ୍ୱିତ୍ୱବ୍ୟଞ୍ଜକ । ଯିବା ଯିବା କହି ମଣିଷ ସେଠି ଅଟକି ଛିଡ଼ା ହୋଇରହେ । ଆସିବ ଆସିବ କହି ଅନାଗତ କେବଳ ଅନୁପସ୍ଥିତି ଭିତରେ ହିଁ ନିଜକୁ ଯାହା କିଛିଟା ଜାହିର କରେ ତାହା ଯେପରି ଏକ ଧୂସର ନିରବତ୍ତାର ରାଜ୍ୟ । ସେ ଶୂନ୍ୟପଟଳରେ ମଣିଷ ସବୁ ଯେପରି ଏକ ଏକ ଭାସବାସ ଅସଂଲଗ୍ନ ବିନ୍ଦୁ ମାତ୍ର ସେଠାରେ ।

 

କିଛି ଘଟେ ନାଇ ।

କେହି ଆସେ ନାଇ ।

କେହି ଯାଏ ନାଇ ।

ସବୁ ଅଛି । କିଛି ନାଇ ।

 

ଭଜନିର ମୁଣ୍ଡ ଟାଣ ଅଛି । ତା’ ଦିହର ପେଶୀଗୁଡ଼ାକ ବେଶ୍ ସଚଳ ସବଳ । ସେ ମୁଣ୍ଡରେ ଗାମୁଛା ବାନ୍ଧି ଜୋରରେ ପ୍ୟାଡ଼େଲ୍ ଦବାଏ । ଘଣ୍ଟି ବଜାଏ । + + ଅନ୍ଧାର ନିବୁଜ ଘରେ ଶୋଇ କିଛି କିଛି ସ୍ୱପ୍ନ ବି ଦେଖେ ।

 

କିଛି ନା କିଛି ଘଟୁଚି

କେହି ଆସୁଚି

କେହି ଯାଉଚି ।

 

ଶବ୍ଦସବୁ ଅର୍ଥର ଇଲାକା ଭିତରେ ନିରୀହ ଗାଈଟିମାନ ଭଳି ଚରୁଛନ୍ତି । ଅର୍ଥମାନେ ଚଢ଼େଇଙ୍କ ପରି ଏଣେତେଣେ ଉଡ଼ି କିଚିରି ମିଚିରି କରୁନାହାନ୍ତି । ସେମାନେ ବରଂ ପୋକ ପରି ଏକ ନିର୍ଦ୍ଦିଷ୍ଟ ଆଲୁଅ ଚାରିପଟେ ଘୂରୁଛନ୍ତି ।

 

ତଥାପି କି ଶୂନ୍ୟତା

କି ଭୀଷଣ

ମସ୍ତ ଗୋଟାଏ ନାଇଁ...

ନାଇଁର ଘଟାଟୋପ

ହିଁ ଯେପରି ଏକ କ୍ଷୀଣ ରାଜହଂସ

ନାଇଁ ହିଁ ଆକାଶ

କି ଭୀଷଣ ! କି ଭୀଷଣ ।”

 

କବିତାରେ ଏଇଭାବେ ଏହି ବ୍ୟକ୍ତିବାଦୀ ଚିନ୍ତାଧାରାର ସଂକ୍ରମଣ ଅନୁଭୂତ ହୁଏ । କବିତା ୧୯୬୯ର ମୁଖବନ୍ଧ ଓ ସାହିତ୍ୟ ବିଚାର ଓ ମୂଲ୍ୟବୋଧ ଗ୍ରନ୍ଥରେ ସେ ସ୍ଥିତିବାଦ ସମ୍ପର୍କରେ ଅନେକ କଥା କହିଛନ୍ତି । Absurd, Nausea, Anguish ଓ boredom ଇତ୍ୟାଦି କଥା କହିବା ସଙ୍ଗେ ସଙ୍ଗେ ସ୍ଥିତିବାଦର ଆତ୍ମହତ୍ୟା ସିଦ୍ଧାନ୍ତ, ବ୍ୟକ୍ତିସର୍ବସ୍ୱତା, ନୀତିହୀନତା, ଯନ୍ତ୍ରଣାରୁ ମୁକ୍ତିର ଉପାୟ ଭାରବେ ଅବକ୍ଷୟ ମାର୍ଗରେ ସୁରାସାକୀର ପରିଚର୍ଯ୍ୟା (ଯାହା ସ୍ଥିତିବାଦୀ ଚରିତ୍ରମାନଙ୍କଠାରେ ଦେଖାଯାଏ) ଇତ୍ୟାଦିର କଥା ମଧ୍ୟ କହିଛନ୍ତି । ସ୍ଥିତିବାଦୀ ନିଃସଙ୍ଗତା ଓ ବିଚ୍ଛିନ୍ନତାବୋଧ, ଶୂନ୍ୟତାର ଉପଲବ୍ଧି, ପାପବୋଧ, କ୍ଲାନ୍ତି, ଉଦ୍ଭଟତା ଆଦିର ଚିତ୍ରର ସଚ୍ଚି ରାଉତରାୟଙ୍କ କବିତାରେ ବିଭିନ୍ନ ସମୟରେ ସ୍ଥାନ ପାଇଥିବା ଦେଖିବାକୁ ମିଳେ ।

 

‘ପାଣ୍ଡୁଲିପି’ର ‘ଚନ୍ଦ୍ରାବତୀ’ କବିତାର ଏଇ ଛତ୍ରଟି ବିଚ୍ଛିନ୍ନତା ତଥା ନିଃସଙ୍ଗତାର ଏକ ଦୃଷ୍ଟାନ୍ତ ଭାବେ ଗୃହୀତ ହୋଇଛି ।

 

ଅଦୂରେ ଭୋଜନାଳୟେ

ଦେଖାଯାଏ

ଏଇ ରାସ୍ତାଛକୁ

ନିର୍ଜନ ସୈନିକ ଏକ ପିଏ ବସି ଚା

ନିରୋଳା ରେସ୍ତୋରାଁ

ବିବର୍ଣ୍ଣତାରେ ଭାସେ ସୈନିକର ମୁହଁ

ନିଭିଆସେ ବସ୍ତିର ଆଲୁଅ ।

 

ସ୍ଥିତିବାଦର ଅଭିବ୍ୟକ୍ତିକୁ ବିଶେଷ ଭାବେ ପ୍ରଭାବିତ କରିଥିବା ଦ୍ୱିତୀୟ ବିଶ୍ୱଯୁଦ୍ଧର ପରିବେଶ ସ୍ୱାଭାବିକ ଭାବେ କବି ରାଉତରାୟଙ୍କ କବିତାରେ ଏପରି ଏକ ଚିତ୍ର ରୂପେ ଆତ୍ମପ୍ରକାଶ କରିଛି ।

 

‘ଏକ ସନେଟ’ କବିତା (କବିତା ୧୯୬୯)ରେ ସାମ୍ପ୍ରତିକ ଅସ୍ତିତ୍ୱର ନିରୀଶ୍ଵରତା ତୀର୍ଯ୍ୟକୋକ୍ତି ମାଧ୍ୟମରେ ପ୍ରକଟିତ ।

 

ସ୍ଵର୍ଗ ଆଡ଼େ ଫିଙ୍ଗିଥିଲି ମୋ ଆତ୍ମାକୁ

ଯଥା ଏକ ସପୁରୀ ପଣସ

ଜାଣେନା ବାଜିଛି କି ନା ଭଗବାନ ଦେହେ

ଖସିପଡ଼ି ପୃଥିବୀରେ ଛାଡ଼େ ପଚାଶ୍ୱାସ ।

 

ଏହା ମୁହୂର୍ତ୍ତଧର୍ମୀ ଜୀବନର ସୂଚନା ଦେବା ସଙ୍ଗେ ସଙ୍ଗେ ନସିଆର ଅନୁଭୂତି ପ୍ରକାଶ କରୁଛି । ଅସ୍ତିତ୍ୱ ଯେ ସ୍ଵର୍ଗୀୟ ବା ପବିତ୍ର ପାବନ ନୁହେଁ, ତାହା ହିଁ ଏଠାରେ ପ୍ରତୀକିତ । ନସାର ଅନୁଭୂତି ରହିଛି ‘ଏ ସହରଟା’ କବିତାରେ ।

 

ସନ୍ଧ୍ୟାଗମେ

ଏ ସହର ପୁଣି ହସେ

ମୃତ ମମି ପରି

ବିକୃତ ବେହୋସେ

+      +      +

କାଠଯୋଡ଼ି ପୋଲ କୋଣୁ

ଗ୍ରୀଷ୍ମ ଅପରାହ୍ମ ନିଭିନିଭି ଯାଏ

ପଚା ନାସପାତି ପରି ସହରର ସ୍ଥାନ

ହଠାତ୍ ସ୍ପନ୍ଦିତ ହୁଏ । (କବିତା ୧୯୬୯)

 

‘ସିଆର ସ୍ଵପ୍ନ’ର ‘ପୃଥିବୀ ଉଦୟ’ କବିତାରେ ଲେଖିଛନ୍ତି-

 

କି କୁତ୍ସିତ ଏ ପୃଥିବୀ

କି ଦୁର୍ଗନ୍ଧମୟ

ମଣିଷର ପଚାଗନ୍ଧେ

ଶବ ଗନ୍ଧେ ହାୟ

ଧର୍ମ ନାମେ ନ୍ୟାୟ ନାମେ

ମୁକ୍ତି ନାମେ ପୁଣି

ଯେତେ ହତ୍ୟା ହୋଇଅଛି

କେ ପାରିବ ଗଣି ?

 

‘ସ୍ୱର୍ଗତ’ର ‘ସମୀକ୍ଷା’ କବିତାରେ କ୍ଲାନ୍ତ ଓ ଶୂନ୍ୟତା ହିଁ ହୋଇଛି କାବ୍ୟନାୟକର ଅନୁଭୂତି-। ଶକ୍ତିହୀନତା ତଥା ଅକ୍ଷମତାର ସ୍ଵର ଏ କବିତାରେ ପ୍ରକାଶ ପାଇଛି-

 

ଚାଲିବାର ଶକ୍ତି ମୋର କାହିଁ ?

କରିଯିବା ଓ ପାରିବାର ପୂର୍ଣ୍ଣତା ଭିତରେ

ଏ କି ବିରାଟ ବ୍ୟବଧାନ

ମନେହୁଏ ସବୁ ଯେମିତି ଖାଲି ପଡ଼ିଆ

ଶୂନ୍‍ଶାନ୍‍

ଖାଲି କ୍ଲାନ୍ତି

 

‘ଦର୍ପଣ (୧)' ଓ ‘ଦର୍ପଣ (୨)' କବିତା ସ୍ପଷ୍ଟତଃ ନିଃସଙ୍ଗତାବୋଧର ସ୍ୱର ପ୍ରକାଶ କରେ । ‘ଦର୍ପଣ-୧’ରେ

 

ସେଥିରୁ ଏକ ମଧାହ୍ନର

ଖରଦୀପ୍ତ ରୌଦ୍ର ଝଲମଲ

କାନ୍ଦ କାନ୍ଦ ଥରଥର

ନିଛାଟିଆ ନୀଳଦୀଘି ଜଳ

ପରି ଥମ୍ ଥମ୍

ସେଇପରି ଏକାକୀ ନିର୍ଜନ

ସେ ଯେପରି ଜୀବନ

ର ସବୁଠାରୁ ନିର୍ଜନ ତମ

ମୁହୂର୍ତ୍ତର ପ୍ରତିଚ୍ଛବି

ମଧ୍ୟାହ୍ନ ମଧ୍ୟାହ୍ନ

ସେଇ ତାର ପ୍ରତିପାଦ୍ୟ

ସେଇ ତା’ ସ୍ଵର ବି ।

 

‘ଦର୍ପଣ-୨’ରେ ଯେଉଁ ମାନସିକ ଚିତ୍ର ପ୍ରଦତ୍ତ ସେଥିରେ ସାର୍ଥକ ଚିତ୍ରକଳ୍ପ ମାଧ୍ୟମରେ ଏହି ସ୍ଥିତିବାଦୀୟ ନିଃସଙ୍ଗତାବୋଧ ପ୍ରକଟିତ ।

 

କେଉଁ ନିର୍ଜନ ଘରର ହତାରେ

ରାତି ଜଗୁଆଳିର

ମିଞ୍ଜି ମିଞ୍ଜି ଲଣ୍ଟଣଟି ପରି

ମନଟା ବେଳେ ବେଳେ ଖାଁ ଖାଁ କରେ

ଏଇ ମନ

ସେ ଏକ ଜନମାନବ ହୀନ

ଘରର ଚଟାଣ

କିମ୍ବା ଯତ୍ନ ନିଆଯାଉ ନଥିବା

ଏକ କ୍ରୋଟକ ଗଛ

ଅପନ୍ତରା ପିଣ୍ଡାରେ ।

 

ଶୂନ୍ୟବୋଧର ଅଭିବ୍ୟକ୍ତି ରହିଛି ‘କବିତା ୧୯୬୯'ର ‘ଲଳିତା’ କବିତାରେ । ଆଧୁନିକ ମଣିଷର ଶୂନ୍ୟତାବୋଧର ତୀବ୍ର ଯନ୍ତ୍ରଣା ଭିତରେ ଘାରି ହେଉଛି ।

 

ଆଉ ଏଇ ଟିଣର ସହର

ଶେତା ଜହ୍ନ, ଫିକା ପନ, ଜାଲ ପଠା

ଆନିକଟ୍ ନକଲି ଜୁଆର

ନିଅନର ଆଲୁଅର ଝଡ଼

ଆଉ ଖାଁ ଖାଁ ଶୂନ୍‍ଶାନ୍‍ ଏକର ଏକର

ବାଲୁଚର ମନ ।

 

‘କବିତା-୧୯୬୨’ର ‘ସ୍ୱଗତ’ କବତାରେ କବିଙ୍କର ବ୍ୟର୍ଥତାବୋଧ ମିଥ୍ ମାଧ୍ୟମରେ ପ୍ରକଟିତ ହୋଇଛି । କବି ପରାଜୟର ମୁହୂର୍ତ୍ତକୁ ବରଣ କରିନେଇଛନ୍ତି । କବିଙ୍କ ଭାଷାରେ–

 

ତେଣୁ ମୁଁ ତ ଭଗ୍ନଜାନୁ ଖସିପଡ଼େ ମୋର ରାଇଫଲ

ଉଠାଇ ପାରେନା ଆଉ ଗାଣ୍ଡୀବ ଯେ ହାତ ଥରଥର

ହେ ମୋର ଶେଷ ଚିହ୍ନ ! ସଂଗ୍ରାମର କ୍ଷତ ଚିହ୍ନ ସବୁ

ତୁମେ ମୋତେ ଶାନ୍ତି ଦିଅ ଟାଣିଦିଅ ତୁମ ମାୟାତମ୍ୱୁ ।

ଏହି କବିତାରେ ମଧ୍ୟ ରହିଛି ଭୟର ଚିତ୍ର ଓ ଚେତନା :

ମୁଁ କାହିଁକି ମୋତେ ଭୟ କରେ ?

ମୁଁ କାହିଁକି ଡରେ ମୋ ପ୍ରେତରେ ?

 

‘କବିତା ୧୯୬୯’ର ‘ସ୍ମୃତି’ କବିତା ପାପବୋଧର ଚିତ୍ର ପ୍ରଦାନ କରେ ।

 

ସ୍ମୃତି ମୋର ଲୋପ ହୋଇଆସେ,

ଅଭିଶାପେ ? କାର ଅଭିଶାପେ

ମୁଁ ଏଠି ଏକାକୀ ଛିଡ଼ା ହୋଇ ଭାବେ

ଏବଂ ମୋ ଆଦିମ ପାପ

ମୋ ସାଙ୍ଗରେ ଏକାକାର ହୁଏ ।

 

ଦେହାନ୍ତର’ କବିତାରେ ଜୀବକୁ ଖାପଛଡ଼ା ବା ଉଭଟ ବୋଲି କୁହାଯାଇଛି ।

 

ସବୁ ଖାପଛଡ଼ା, ଅର୍ଥହୀନ ସବୁ

ଜୀବନଟା ମନେହୁଏ ଏକ କଳା ଓକିଲ ଗାଉନ୍

ଏକ ଘଟାଟୋପ

ଅଥଚ ତା ବହିବାକୁ ବଳ ନାଇ ଦେହେ

ସଭା ଏକ କାଠଖାପ । ପ୍ରାଣ ଏକ ଶୂନ

ନେଇଯାଏ ଯାହାକୁ ବି କାଉ

ଆଉ ଯାହା ରହେ ତାହା ନୁହେଁ ତ ଜୀବନ

ତାହାଛଡ଼ା ବାକୀ ଯାହା ହେଉ ।

 

ଅବକ୍ଷୟଗ୍ରସ୍ତ ସ୍ଥିତିବାଦୀ ଜୀବନର ଚିତ୍ର ‘ମୁକାବିଲା’ କବିତାରେ ବିଧୃତ ହୋଇଛି । ବାସ୍ତବବାଦୀ ସଙ୍କଟ ଏକ ସ୍ଥିତିବାଦୀ ସମ୍ପକଟରେ ପରିଣତ ହୋଇଛି । କବି ଅବକ୍ଷୟର ଚିତ୍ର ଦେଇ ଲେଖିଛନ୍ତି-

 

ଭୁଷୁଡ଼ି ପଡ଼ିଛି ତରୁଣର ଚୂଡ଼ା ବିଡ଼ମ୍ବନାର ଚାପେ

ହତାଶା ବେକାରୀ ଅଭାବ ଯେ ତାକୁ ଶୂନ୍ୟବାଦର ଖାପେ

ଠେଲିଦିଏ ଅଜାଣତେ

ତରୁଣ କରୁଛି ଶୂନ୍ୟସାଧନା ଖୋଲାଖୋଲି ରାଜପଥେ

ଯୌନ କ୍ରିୟାରେ ଖୋଜି ନିରାତ୍ମା କାବ୍ୟ ଲୋକରେ ସତେ

ମାଦକ ବିଶ୍ୱେ ହଜାଇ ସତ୍ତା ଆତ୍ମବିରୋଧ ଯେତେ ।

 

କବିଙ୍କ ମୃତ୍ୟୁଚେତନା ସମ୍ପର୍କିତ କବିତାରେ ମଧ୍ୟ ସ୍ଥିତିବାଦୀ ଦର୍ଶନର ସଙ୍କେତ ଅନୁଭୂତ ହୁଏ । ସତ୍ତା ଓ ଅସତ୍ତାର ଦ୍ୱନ୍ଦ୍ୱ କବିଙ୍କ ବେଶ୍ ବିଚଳିତ କରିଥିବା ଦେଖିବାକୁ ମିଳେ ।

 

ସ୍ଥିତିବାଦର କେବଳ ଏଇ ନିସ୍ୱାର୍ଥକ ରୂପ ନୁହେଁ ତାହାର ଜୀବନବାଦ ମଧ୍ୟ କବି ରାଉତରାୟଙ୍କୁ ଖୁବ୍ ପ୍ରଭାବିତ କରିଛି । ‘ଅନାବୃଷ୍ଟିର କବିତା’ରେ ପ୍ରକାଶ ପାଇଛି ଶାସ୍ତ୍ରବିରୋଧ ଓ ଅନୁଭୂତିବାଦ ଭିତ୍ତିକ ଜୀବନ୍ତ ମଣିଷର ପରିକଳ୍ପନା ।

 

ମୁଁ ଯେ ଋଷ୍ୟଶୃଙ୍ଗ

ପାର ହୋଇ ଗୁଣାତୀତ ନିସ୍ତରଙ୍ଗ

ତପସ୍ୟାର ଜଳଧି ତରଙ୍ଗ

ଆସିଅଛି ମଣିଷର ପାଖେ

ଏତେଦିନ ତତ୍ତ୍ୱ ଆଉ ତଥ୍ୟ ରାଶିମେଳେ

ପୋଥିର ପୃଷ୍ଠାରେ

ପଢ଼ିଥିଲି ମଣିଷକୁ କେବଳ ନଥିରେ

ଆଜି କିନ୍ତୁ ଦେଖୁଚି ପ୍ରତ୍ୟକ୍ଷେ

ରକ୍ତ ମାଂସଧାରୀ ଏକ ମହାସମଷ୍ଟିରେ

ପୁଣି ଏକାନ୍ତ ଏକକ

କିନ୍ତୁ ଜାଣେ ମଣିଷ ଇ କରିପାରେ ଏକମାତ୍ର ତାର

ଭାଗ୍ୟର ସନ୍ଧାନ

ପଶୁ ତା ପାରେନା ।

 

କବି ରାଉତରାୟ ଆତ୍ମହତ୍ୟା ପରିସ୍ଥିତିବାଦୀୟ ଜୀବନଦୃଷ୍ଟିକୁ ବାରମ୍ବାର ବିରୋଧ କରିଛନ୍ତି । ସେହିପରି ସେ ଅବକ୍ଷୟର କ୍ଷୟ ହିଁ ଚାହାନ୍ତି । ସଚ୍ଚି ରାଉତରାୟ ସୁସ୍ଥ ସମାଜ ଓ ସୁସ୍ଥ ବ୍ୟକ୍ତି ଜୀବନରେ ବିଶ୍ଵାସୀ । ତାଙ୍କର ବିଭିନ୍ନ ସମନ୍ୱୟଶୀଳ ପ୍ରବଣତା ଭିତରେ ବ୍ୟକ୍ତି ମାନସର ଚିତ୍ର ଓ ଚେତନା ଖୁବ୍ ସ୍ପଷ୍ଟ ଓ ସାର୍ଥକ ମନେହୁଏ ।

 

ଓଡ଼ିଆ ବିଭାଗ, ସରକାରୀ ମହାବିଦ୍ୟାଳୟ, ଅନଗୁଳ

 

***

 

କବି ସଚ୍ଚିଦାନନ୍ଦ : ଏକ ଶ୍ରଦ୍ଧାଞ୍ଜଳି

ଡକ୍‌ଟର ଗିରିବାଳା ମହାନ୍ତି

 

ଆଜିଠାରୁ ବହୁବର୍ଷ ପରେ

ତୁମେ କି ଜାଣିଚ ବନ୍ଧୁ

କେବେ କେଉଁ କଳ୍ପାନ୍ତ ଶେଷରେ

ଆବିର୍ଭାବ ହେବ ପୁଣି ତବ

ଶତ ଦେହେ, ଶତ ମନେ

ଢାଳି ନବ ଜୀବନ ଆସବ ?

ଲଭି ପୁଣି ନବନବ ରୂପ

ତୁମେ ଯେ ଆସିବ ଫେରି

ମରଣର ଲଙ୍ଘି ଅନ୍ଧକୂପ

ଏ ଦେଶର ବିରାଟ ଜୀବନେ

x      x      x

ମାତାର ଲୁଳିତ ବକ୍ଷୁ ଭୋକେ ଯେବେ ଶୁଖିଯିବ ନୀର

ଶୀର୍ଣ ଶଙ୍ଖ ସମ ତା’ର ବେନିସ୍ତନୁ ଝରିବ ରୁଧିର,

କ୍ଷୁଧାରେ କାନ୍ଦିବ ଶିଶୁ କ୍ରନ୍ଦନେ ଭରିବ ନଭସ୍ଥଳ

ମୁମୂର୍ଷୁ ଶିଶୁର ଓଠେ କ୍ଷୁଧାତୁରା ମାତା ଅଶ୍ରୁଜଳ

ଖାଲିଦବ ଢାଳି,

ନୟନ ପଖାଳି,

ତେବେ ହେ ଜଟାୟୁଗତି ! ରହି ତୁମେ ପାରିବକି ଦୂରେ

ମରଣ ପାରିବ ରଖି ବନ୍ଦୀ କରି ତାର ଅନ୍ତପୁରେ ?

x      x      x

ଏ ଧରାର ଭଗ୍ନମନ, ଚୂର୍ଣ୍ଣ ଆଶା

ବିଦୀର୍ଣ୍ଣ ପଞ୍ଜରେ

ତୁମେ ଯେ ଭୂମିଷ୍ଟ ହେବ ଚିରଜୀବୀ

ନବ ଜନ୍ମାନ୍ତରେ

x      x      x

ଆଜିଠାରୁ ବହୁବର୍ଷ ପରେ ।

 

ସୂର୍ଯ୍ୟ ଦ୍ଵାରା ପ୍ରସ୍ଫୁଟିତ ପଦ୍ମ ନେଇ ସୂର୍ଯ୍ୟପୂଜା କଲା ନ୍ୟାୟରେ ସଚ୍ଚିଦାନନ୍ଦ ସୃଷ୍ଟ କାବ୍ୟପଂକ୍ତି ଦେଇ ଓଡ଼ିଆ ସାହିତ୍ୟାକାଶରୁ ସଦ୍ୟ ଅସ୍ତମିତ ସଚ୍ଚିଦାନନ୍ଦଙ୍କର ତର୍ପଣ କରୁଛି ! ବିଂଶ ଶତକର ଓଡ଼ିଆ ସାହିତ୍ୟ ଜଗତରେ ପ୍ରାୟ ସତୁରୀ ବର୍ଷ ଧରି ଅସପତ୍ମ ରାଜତ୍ୱ କରିଯାଇଛନ୍ତି କବି ସଚ୍ଚିଦାନନ୍ଦ ରାଉତରାୟ । ରାଧାନାଥ-ଫକୀରମୋହନ-ସବୁଜଗଣ ଓଡ଼ିଆ ସାହିତ୍ୟ ଦୁର୍ଗର ବାତାୟନଗୁଡ଼ିକୁ ଯଦି ବିଶ୍ୱଦିଗକୁ ମୁକ୍ତ କରି ନୂତନ ଚିନ୍ତା ଚଳାଚଳର ସୁଯୋଗ ତିଆରି କରି ଦେଇଥିଲେ, ତେବେ ସେ ଚିନ୍ତାକୁ ‘ଚତୁଷ୍କୋଟି ବିନିର୍ମୁକ୍ତି’ ଦେଇ ତାକୁ ବିଶ୍ୱାୟନ କରିଥିବା ପ୍ରତିଭାଧରଙ୍କ ମଧ୍ୟରେ ସଚ୍ଚିତାନନ୍ଦ ଅଗ୍ରପୂଜାର ଅଧିକାରୀ । ସେଥିପାଇଁ ଏହି ଦ୍ୱିତୀୟ ପ୍ରଜାପତିଙ୍କର ସୃଷ୍ଟିକୁ ମହାକାଳ ସମ୍ଭ୍ରମରେ କାଳଜୟୀ ରଚନାର ତାଲିକାଭୁକ୍ତ କରି ରଖିବ ନିଃସନ୍ଦେହରେ ।

 

ସଚ୍ଚିଦାନନ୍ଦଙ୍କର ଶୁଭ ଆବିର୍ଭାବ ଘଟେ ବିଂଶ ଶତକର ଆଦ୍ୟ ପାଦରେ ୧୯୧୩ ସାଲ, ମେ ମାସ ୧୩ ତାରିଖରେ, ଖୋରଦା ଜିଲ୍ଲାର (ତତ୍‌କାଳୀନ ପୁରୀ ଜିଲ୍ଲା) ଗୁରୁଜଙ୍ଗ ଗ୍ରାମରେ । (୧) ସଚ୍ଚିଦାନନ୍ଦ କ୍ଷତ୍ରିୟ ବଂଶଜ । ତାଙ୍କର ପିତାମହ ବଉଦ ରାଜ୍ୟର ଦେବାନ ଥିଲେ । ତାଙ୍କର ଜନ୍ମଦାତା ପିତାମାତା ସ୍ୱର୍ଗୀୟ ପ୍ରସନ୍ନ କୁମାର ରାଉତରାୟ ଓ ମୁକ୍ତାମାଳୀ ଦେବୀ; ତାଙ୍କର ପୋଷ୍ୟପିତା ସଦାନନ୍ଦ ରାଉତରାୟ ଓ ହେମବତୀ ଦେବୀ ।

 

ଖୋର୍ଦ୍ଧା ହାଇସ୍କୁଲ, ଯାଜପୁର ହାଇସ୍କୁଲ, ପୁରୀ ହାଇସ୍କୁଲ ଓ ପରେ କଲିକତାର ବ୍ରାହ୍ମ ବୟେଜ ସ୍କୁଲ ଦେଇ ୧୯୩୪ ମସିହାରେ ସେ ସ୍କୁଲ ଶିକ୍ଷା ଶେଷ କରନ୍ତି; ତତ୍‌ପରେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ଓ ପରେ କଲିକତା ସିଟି କଲେଜରେ ଯୋଗଦେଇ ଆଇ.ଏ. ପାଶ୍‌ କରି କଟକର ରେଭେନ୍‌ସା କଲେଜରୁ ୧୯୩୯ ମସିହାରେ ସେ ସ୍ନାତକ ହୁଅନ୍ତି ।

 

ଆନ୍ଧ୍ରର ‘ନୁବଭିଡ଼’ ରାଜବଂଶୀୟ ଗୋଲାପଲ୍ଲୀ ରାଜାଙ୍କର କନିଷ୍ଠା କନ୍ୟା ଶ୍ରୀମତୀ ଭୂଦେବୀଙ୍କ ସହ ୧୯୪୫ ମସିହାରେ ତାଙ୍କର ବିବାହ ସମ୍ପନ୍ନ ହୁଏ ଏବଂ ସେମାନେ ମଞ୍ଜୁଶ୍ରୀ, ଚିତ୍ରୋତ୍ପଳା, ଶ୍ରୀହର୍ଷ ଓ ଉଦୟନ – ଚାରି ପୁତ୍ରକନ୍ୟାଙ୍କୁ ଜନ୍ମ ଦିଅନ୍ତି । ସଚ୍ଚିଦାନନ୍ଦଙ୍କ ଜୀବନରେ ରାଜନୀତି-ସଚେତନତାର ସୂତ୍ରପାତ ଘଟେ । ଖୋରଧା ହାଇସ୍କୁଲର ଛାତ୍ରଜୀବନରୁ – ଜାତୀୟ ମୁକ୍ତି ଆନ୍ଦୋଳନରେ ଯୋଗଦାନରୁ । ଏହାପରେ ବିଭିନ୍ନ ଛାତ୍ର ଆନ୍ଦୋଳନ, ଗଡ଼ଜାତ ପ୍ରଜା ଆନ୍ଦୋଳନ (୧୯୩୮), କୃଷକ ଶ୍ରମିକ ଆନ୍ଦୋଳନ ଆଦିରେ ସେ ସକ୍ରିୟ ଅଂଶଗ୍ରହଣ କରନ୍ତି । ୧୯୩୭ – ୪୨ ମସିହା ସେ ଓଡ଼ିଶା କଂଗ୍ରେସ କିମିଟି ତଥା ସୋସାଲିଷ୍ଟ ପାର୍ଟିର ସଦସ୍ୟପଦରେ ଯୋଗ ଦିଅନ୍ତି । ୧୯୪୨ ମସିହାରୁ ସେ କଲିକତାର କେଶୋରାମ କଟକ ମିଲରେ ପ୍ରଥମେ ମୁଖ୍ୟ ଶ୍ରମଙ୍ଗଳ ଅଫିସର ରୂପେ ଓ ପରେ ଏକ୍‌ଜିକ୍ୟୁଟିଭ ଅପିସର ରୂପେ ୧୯୬୨ ମସିହା ପର୍ଯ୍ୟନ୍ତ ଅବସ୍ଥାନ କରନ୍ତି । ୧୯୪୬ ମସିହାରେ ବଙ୍ଗଳାର ମାଟିଆବୁରୁଜ ଦଙ୍ଗା ପରେ ଶାନ୍ତି କମିଟି ସହ ଯୁକ୍ତ ହୋଇ ସେ ଓଡ଼ିଆ ଶ୍ରମିକଙ୍କର ଉନ୍ନତି ଓ ଥଇଥାନ କଳ୍ପେ ଚେଷ୍ଟା କରନ୍ତି । କଲିକତାରେ ଦଙ୍ଗା ଲାଗିଥିବା ଅବସରରେ ସ୍ୱଳ୍ପକାଳ ପାଇଁ ମହାତ୍ମା ଗାନ୍ଧୀକର ସାହଚର୍ଯ୍ୟ ଲାଭର ଦୁର୍ଲଭ ସୌଭାଗ୍ୟ ତାଙ୍କର ଘଟେ । ୧୯୬୨ ରେ କଲିକତାରୁ ପ୍ରତ୍ୟାବର୍ତ୍ତନ କଲାପରେ ସେ ସ୍ଥାୟୀ ଭାବରେ କଟକରେ ବସବାସ କରନ୍ତି ଓ ପୂର୍ବରୁ ଶ୍ରୀ ମନୋଜ ଦାସଙ୍କ ପ୍ରତିଷ୍ଠିତ ସମ୍ପାଦିତ, ‘ଦିଗନ୍ତ ପତ୍ରିକାର ସମ୍ପାଦନା ଦାୟିତ୍ୱ ମଧ୍ୟ ସ୍ଥାପନ କରନ୍ତି । ଓଡ଼ିଆ ପତ୍ରିକା ପ୍ରକାଶନର ଇତିହାସରେ ‘ଦିଗନ୍ତ’ ପତ୍ରିକାର ଉଜ୍ଜ୍ୱଳ ସ୍ୱାକ୍ଷର ଅମ୍ଲାନ ହୋଇ ରହିବ ।

 

ଓଡ଼ିଆ ଓ ଓଡ଼ିଆଙ୍କର ପରମ ସୌଭାଗ୍ୟ ଯେ ମହାକାଳ ତାଙ୍କୁ ସମୟୋଚିତ ଭାବେ ସଚ୍ଚିଦାନନ୍ଦଙ୍କ ତୁଲ୍ୟ ପ୍ରତିଭାଧରଙ୍କୁ ଉତ୍ସର୍ଗ କରିଥିଲା; ପୁଣି ସଚ୍ଚିଦାନନ୍ଦଙ୍କର ପରମ ସୌଭାଗ୍ୟ ଯେ, ବିଂଶଶତକ ତୁଲ୍ୟ ଏକ ବୈଚିତ୍ର୍ୟବହୁଳ ସମୟରେ ସେ ଓଡ଼ିଶା ମାଟିରେ ଜନ୍ମଗ୍ରହଣ କରିଥିଲେ – ଯେଉଁ ସମୟ ତାଙ୍କର ଜୀବନଧାରାକୁ ବୈଚିତ୍ର୍ୟ ଓ ସଙ୍କଟରେ ଭରିଦେଇଥିଲା ଏବଂ ଯେଉଁ ମାଟି ତାଙ୍କୁ ତାଙ୍କର ପୂର୍ବଜଙ୍କର କୀର୍ତ୍ତି-କଳା-ସାହିତ୍ୟ-ବୀରତ୍ୱର କଳା ଦାନ କରିଥିଲା । ଆଇନଜୀବୀ, ରାଜନୀତି ସଚେତନ ପରିବାରରେ ଜନ୍ମ ଓ ପେଟପାଟଣା - ସଂଗ୍ରାମରହିତ ଜୀବନ ସତ୍ତ୍ୱେ ଛାତ୍ରଜୀବନରେ ନାନା ଆନ୍ଦୋଳନ-ସମ୍ପୃକ୍ତି, ବିପ୍ଳବର ଅଭିଜ୍ଞତା, କଲିକତାର ବୃତ୍ତିଗତ ଜୀବନଧାରାର ପାରିପାର୍ଶ୍ୱିକତାରେ ଉଭୟ ପ୍ରାଚୁର୍ଯ୍ୟ ଓ ଅନଟନର ବିଡ଼ମ୍ବନା, ମାଲିକ ଓ ଶ୍ରମିକ ମଧ୍ୟସ୍ଥ ନିରନ୍ତର ସଂଘର୍ଷ, ମାଟିଆ-ବୁରୁଜର ଦଙ୍ଗା, ଗାନ୍ଧିଜୀଙ୍କ ସହ ଘଟଣାକ୍ରମେ ନୈକଟ୍ୟ, ଗାନ୍ଧିବାଦୀ ଓ ସାମ୍ୟବାଦୀ ଧାରା ସହ ଓତପ୍ରୋତତା ଓ ଉଭୟର ବିପର୍ଯ୍ୟୟ ସହ ପ୍ରତ୍ୟକ୍ଷତା, କଲିକତାର ପ୍ରଗତିପନ୍ଥୀ ଲେଖକଗୋଷ୍ଠୀଙ୍କ ସହ ଘନିଷ୍ଠତା, ପୃଥିବୀର ବିଭିନ୍ନ ପ୍ରାଚୀନ ତଥା ନୂତନ ସାହିତ୍ୟ-ଦର୍ଶନ-ମନସ୍ତତ୍ତ୍ୱ ସମ୍ପର୍କରେ ଗଭୀର ଜ୍ଞାନାହରଣ, ବିଜ୍ଞାନର ଆଶୀର୍ବାଦ ଓ ଅଭିଶାପର ଅଙ୍ଗେନିଭା ଅନୁଭୂତି, ପୃଥିବୀର ବିବିଧ ରାଜନୀତିକ ‘ବାଦ’ ଓ ସାହିତ୍ୟିକ ‘ବାଦ’ଗୁଡ଼ିକ ସମ୍ପର୍କରେ ସଚେତନତା, ଦୁଇଟି ମହାଯୁଦ୍ଧର ଭୟଙ୍କରତାକୁ ଅଙ୍ଗେ ନିଭାଇ ଥିବାର ଅଭିଜ୍ଞତା ଇତ୍ୟାଦି ଜନ୍ମଗତ ପ୍ରତିଭାର ଅଧିକାରୀ ସଚ୍ଚିଦାନନ୍ଦଙ୍କର ତୃତୀୟ ନେତ୍ରକୁ ଉନ୍ମୀଳିତ କରିଥିଲା । ଏକ ଶୁଭ୍ର ଶୁଷ୍ମ ତୃଷାର୍ତ୍ତ ବ୍ଳଟିଙ୍ଗ୍ ପେପର ତୁଲ୍ୟ ତାଙ୍କର ମନୋଭୂମି ବିଶ୍ଵ ସଂସାରର ସମସ୍ତ ଅଭିଜ୍ଞତାକୁ ଶୋଷି ନେଇ, ଅଙ୍ଗୀଭୂତ କରି, ସୃଜନମତ୍ତ ହୋଇ ଉଠିଥିଲା । ଉତ୍କଳର ଐଶ୍ୱର୍ଯ୍ୟଶାଳୀ ଅତୀତ, ତାର ସମୃଦ୍ଧ ସାହିତ୍ୟ-ପରମ୍ପରା, ଦାକ୍ଷିଣାତ୍ୟର ସାମ୍ଭ୍ରାନ୍ତ୍ୟ ଓ ସଂସ୍କୃତି, ଗାଙ୍ଗେୟ ଉପତ୍ୟକାର ଉର୍ବର ଚେତନା ଘଟଣାକ୍ରମେ ତାଙ୍କ ଜୀବନଧାରା ଅଂଶୀଭୂତ ହୋଇଉଠି ସଚ୍ଚିଦାନନ୍ଦ ପ୍ରତିଭାକୁ ଏକ ବ୍ୟାପ୍ତିଦାନ କରିଥିଲା; ଯାହା ଫଳରେ ପୃଥିବୀର ସାହିତ୍ୟ-ସଭ୍ୟତା-ଭୂଗୋଳ, ଇତିହାସକୁ, ସମଗ୍ର ମାନବ ଜାତିକୁ ଓ ମାନବ ଜାତିର ସମସ୍ତ ଦୈବତ କଳାକୁ ନିଜର ଉତ୍ତରାଧିକାର ରୂପେ ସ୍ୱୀକାରକରି ନେବାର ସାମର୍ଥ୍ୟ ତିଆରି ହୋଇଥିଲା ତାଙ୍କଠାରେ । ପୃଥିବୀର ଓ ଭାରତବର୍ଷର ସମକାଳୀନ ରାଜନୀତିକ ବିଷମତା, ଯୁଦ୍ଧର ନୃଶଂସତା, ସ୍ଵାଧୀନତା ଓ ଶାନ୍ତି ପାଇଁ ସ୍ଵପ୍ନ, ଭବିଷ୍ୟତର ତଥା ବର୍ତ୍ତମାନର ଅନିଶ୍ଚିତତା ବିରୁଦ୍ଧରେ ଠିଆ ହେବାର କୃତନିଶ୍ଚୟତା ଆଦି ନାନା କାରଣ ସଚ୍ଚିଦାନନ୍ଦଙ୍କ ସାଫଲ୍ୟର ପୃଷ୍ଠଭୂମି ଓ ଏହାରି ଉପରେ ଦଣ୍ଡାୟମାନ ରହି କାବ୍ୟ-ସାମ୍ରାଜ୍ୟ ଗଢ଼ିଛନ୍ତି ଅପ୍ରତିଦ୍ୱନ୍ଦୀ ସଚ୍ଚିଦାନନ୍ଦ । ଚେତନାର ଏହି ସବୁ ବୈବିଧ୍ୟ ହିଁ ପ୍ରାରମ୍ଭିକ କାବ୍ୟଜୀବନର ‘କଳାକୈବଲ୍ୟବାଦୀ' କବିକୁ ବାସ୍ତବବାଦୀ କବି ହେବାର ଯୋଗ୍ୟତା ଦାନ କରିଛି ଓ ସାମର୍ଥ୍ୟ ଦାନ କରିଛି କାବ୍ୟକୁ ରସ-ସୌନ୍ଦର୍ଯ୍ୟ ମଣ୍ଡିତ କରିପାରିବାର ଆଶ୍ଚର୍ଯ୍ୟ କ୍ଷମତା ।

 

ଓଡ଼ିଆ ସାହିତ୍ୟରେ ଉପେନ୍ଦ୍ର ଓ ରାଧାନାଥଙ୍କ ପରେ ସର୍ବାଧିକ ବିବଦମାନ କବି ସଚ୍ଚିଦାନନ୍ଦ; ପୁଣି ସଚ୍ଚିଦାନନ୍ଦ ହିଁ ଉପେନ୍ଦ୍ର-ରାଧାନାଥ ତୁଲ୍ୟ ଉତ୍କଳ ଖଣ୍ଡରେ ସର୍ବାଧିକ ବନ୍ଦିତ ପ୍ରତିଭା । ବିଂଶ ଶତକର ପ୍ରାୟ ଚତୁର୍ଥ ଦଶକରୁ ସଚ୍ଚିଦାନନ୍ଦ ଯେଉଁ ଅଗ୍ରଗାମୀ ଚିନ୍ତାଧାରାର ସୂତ୍ରପାତ କରନ୍ତି, ତାହା ତାଙ୍କର ସମକାଳର ନୁହଁ, ଏକ ସୁଦୂର ଆଗାମୀ ଭବିଷ୍ୟତର ଚେତନାରେ ଉର୍ବର ଥିଲା । ସଚ୍ଚିଦାନନ୍ଦ ଥିଲେ ଦୂରଦ୍ରଷ୍ଟା, ଭବିଷ୍ୟଦ୍ରଷ୍ଟା । ତାଙ୍କର ଏହି ‘ଦୃଷ୍ଟି’ ସମାକାଳର ପରମ୍ପରା-ଘନିଷ୍ଠ ଓଡ଼ିଆ ପାଠକଙ୍କୁ ଅପାରମ୍ପରିକ, ଅପରିଚିତ, ସ୍ଥଳବିଶେଷରେ ଅବୋଧ୍ୟ ମନେହେଲା; ଫଳତଃ ନାନା ବିଭ୍ରାନ୍ତି ସୃଷ୍ଟି କଲା । ସଚ୍ଚିଦାନନ୍ଦ ଯେତେବେଳେ ଘୋଷଣା କଲେ ଯେ :

 

ଶତାବ୍ଦୀର ସିଂହଦ୍ଵାରୁ ଆସିଅଛି ଦୂତ

ଆଣିଅଛି ବାର୍ତ୍ତା ଭବିଷ୍ୟର –

x      x      x

ଜାଗ ହେ ମାନବ ଶିଶୁ !

ଜାଗ ନରବ୍ରହ୍ମା !

ଜାଗ ଧରି ଲୌକିକର ଜ୍ଞାନ ।

x      x      x

ଶତାବ୍ଦୀର ସିଂହଦ୍ଵାରୁ

ଆସିଅଛି ଦୂତ

ଆଣିଅଛି ବର ଦେବତାର ।

ଦଗ୍ଧହୁଅ - ଭସ୍ମହୁଅ

ହେ ମନୁଷ୍ୟପୁତ୍ର

କୀଟସମ ହୁଅ ନିଷ୍ପେସିତ ।

ଲଭ ତହୁଁ ଜ୍ଞାନରଶ୍ମି

x      x      x

ଶ୍ୱେନ ପରି ନିଅ ପ୍ରତିଶୋଧ ।

ସେହି ତୋର ମହାଧର୍ମ

ତୋର ଶ୍ରେଣୀ ଚେତନା;

ଭସ୍ମ ମଧ୍ୟୁ ଘେନ ଏହି ଦୀକ୍ଷା । (୨)

 

– ସେତେବେଳେ ଏ ମନ୍ଦ୍ର-ମଦିର ଧୂନି ସହ କ୍ଵଚିତ୍ ପରିଚିତ ସାଧାରଣ ଓଡ଼ିଆ ପାଠକ ପ୍ରଥମେ ସନ୍ଦିହାନ, ହତଚକିତ ହୋଇଉଠିଲା ସଚ୍ଚିଦାନନ୍ଦୀୟ ପ୍ରତିଭାର ପରିଚୟ ନେଇ । କାରଣ ସଚ୍ଚିଦାନନ୍ଦ ଯେଉଁ ପ୍ରଗତି, ଯେଉଁ ବିପ୍ଲବ, ଯେଉଁ ଜାତୀୟତାର କଥା ତାଙ୍କ କବିତାରେ ଉଦ୍‌ଘୋଷଣା କଲେ, ତାହାର ସ୍ଵର ପୂର୍ବସୁରୀଙ୍କ ସ୍ୱରର ସମଗୋତ୍ରୀ ନଥିଲା :

 

୨.

ବାର୍ତ୍ତା, ସଚ୍ଚିରାଉତରାୟ ଗ୍ରନ୍ଥାବଳୀ, ୧ମ ଖଣ୍ଡ, ଗ୍ରନ୍ଥ ମନ୍ଦିର, କଟକ, ୧୯୬୫, ପୃ ୭୦

 

ମୁଁ ଆସିଚି ବିଂଶ ଶତକର କିନାରା ହୋଇପାରି ।

ମୋ କଣ୍ଠରେ ଜ୍ୱଳନ୍ତ ବିପ୍ଳବ

କାନ୍ଧରେ ମୋର ପୁରାତନର ଶବ

x      x      x ମୁଁ ଅଟେ ଏକ

କବି ପ୍ରଚାରକ,

ପୁଞ୍ଜିବାଦୀ ସମାଜର

ଧ୍ୱଂସର ଗାୟକ ।

x      x      x

ଧୈର୍ଯ୍ୟ ମୋର ନାଇଁ

ଅପେକ୍ଷା କରିବା ପାଇଁ       x       x

ମୁଁ କହିବାକୁ ଚାହେଁ ଏଇ ମୁହୂର୍ତ୍ତରେ, ଏବେ

x      x      x I(୩)

 

ଏ ସ୍ୱରରେ ଅତୀତକୁ ସମ୍ବଳ କରି ଅଶ୍ରୁମୋଚନ କରିବାର ଲେଶମାତ୍ର ସ୍ୱାକ୍ଷର ନଥିଲା । ସଚ୍ଚିଦାନନ୍ଦ ମନେ କରିଥିଲେ ‘ଦିନେ ଯେହୁ ଥିଲା ପାଶେ । ଆଜି ନାଇଁ ଯେହୁ ଏଇଠାରେ । କିହେବ ତାହାର ସ୍ମୃତି । ସୁରାପରି ପାନ କରି ଆରେ ?' ତେଣୁ ଅଶ୍ରୁର, ଅଶୁଭର, ମୃତ୍ୟୁର ସଂକ୍ରାନ୍ତି ଟାଣି ଗତିର ସତ୍ୟକୁ ସ୍ୱୀକାର କଲେ ସଚ୍ଚିଦାନନ୍ଦ :

 

ସମ୍ମୁଖ ମୋତେ ଡାକେ ଅବିରତ ମୁହିଁ ଯେ ମୁକ୍ତିକାମୀ,

ପରମ୍ପରାର ସରଣୀ ହୁଡ଼ିଛି ସଦା ମୁଁ ଅଗ୍ରଗାମୀ,

ମୃତ ଅତୀତର ପ୍ରତିକ୍ରିୟାର ଅନ୍ଧ ନିୟମ ନାଶୀ,

ସର୍ବନାଶା ମୁଁ ଚାଲିଚି ଗୋପନେ ଗତିର ଚକ୍ରେ ଭାସି ।

x      x      x

ଆସିଚି ନୂତନ କ୍ରାନ୍ତି

ସୂର୍ଯ୍ୟ ସମାନ ସୃଷ୍ଟି କରିଚି ନବଯୁଗ ସଂକ୍ରାନ୍ତି । ୪ ।

 

ସଚ୍ଚିଦାନନ୍ଦ ଥିଲେ କାଳ ସଚେତନ; ଏକ ପୁଷ୍କଳ ଐତିହାସିକ ପରୋଦୃଷ୍ଟିର ଅଧିକାରୀ । ଓଡ଼ିଆ ସାହିତ୍ୟଧାରାକୁ ବିଶ୍ୱ ସାହିତ୍ୟର ଚିନ୍ତନ-ଧାରାର ସମକକ୍ଷ କରାଇବାର ଏକ ସଚେତନ ପ୍ରୟାସ ସେ କରିଥିଲେ । ଏଥିପାଇଁ ଓଡ଼ିଆ ପାଠକକୁ ନୂତନ କାବ୍ୟଚିନ୍ତାନ ଓ ବିଶ୍ୱ କାବ୍ୟଧାରା ସହ ପରିଚିତ କରାଇବାର ସାମାଜିକ ଦାୟିତ୍ୱକୁ ସେ ଅଙ୍ଗୀକାର କରିଥିଲେ । “ପାଣ୍ଡୁଲିପି’ର ‘ନାନ୍ଦୀମୁଖ’ରେ ସେ ଉଲ୍ଲେଖ କରିଛନ୍ତି ଯେ, “ମୋ କବିତାର ଚେହେରା ଯେଉଁ ପ୍ରଶ୍ନଜାଲ ସୃଷ୍ଟି କରିଛି, x x ସେଗୁଡ଼ିକର ଗଢ଼ଣ ଆଉ ଆଙ୍ଗିକ ସମ୍ବନ୍ଧରେ କିଛି ସୂଚନା ଦବା x x ନିହାତି ପ୍ରୟୋଜନୀୟ ।’’ ‘ଆଧୁନିକ କବିତାର ମୁକ୍ତି ଯେ ଜନସାଧାରଣଙ୍କ ଜୀବନର ସଂସ୍ପର୍ଶରେ ଆସିବା ଦ୍ଵାରା ସମ୍ଭବ ଏକଥା ଆଜି ଆଉ ତର୍କ ବିତର୍କର ଅପେକ୍ଷା ରଖୁ ନାଇଁ lx x x । ଅତୀତ ପ୍ରତି

 

୩.

ରାଜଜେମା, ଗ୍ରନ୍ଥାବଳୀ, ୧ ମ, ପୃ ୧୫୦ ।

୪.

ସଂକ୍ରାନ୍ତି, ଉପରୋକ୍ତ, ପୃ ୨୦-୨୧ ।

 

ଅସନ୍ତୋଷ ଓ ଅତୀତ ବିରୁଦ୍ଧରେ ବିଦ୍ରୋହ ଭବିଷ୍ୟତର ଶୁଭସଙ୍ଗଠନର ମୂଳକଥା । କିନ୍ତୁ କେବଳ ଅତୀତ ବିରୁଦ୍ଧରେ ବିଦ୍ରୋହ ସାହିତ୍ୟକୁ ତଥା ସମାଜକୁ ପୂର୍ଣ୍ଣତା ଦେଇ ନ ପାରେ । ସଚ୍ଚିଦାନନ୍ଦ ହୃଦୟଙ୍ଗମ କରିଥିଲେ ଯେ, ଭବିଷ୍ୟତ ସମ୍ୱନ୍ଧରେ ନିଶ୍ଚୟାତ୍ମକ ସଙ୍କେତ ଦେବା ପରେ ହିଁ ସାହିତ୍ୟର ସାର୍ଥକତା । ନେତିବାଦ ଦୁର୍ବଳ ମାନସିକତାର ବିକାର । ସଚ୍ଚିଦାନନ୍ଦ ନେତିବାଦୀ ପଳାତକ ନୁହନ୍ତି, ଅସ୍ତିବାଦୀ ସଂଗ୍ରାମୀ; ଜୀବନର ‘ଭାରସାମ୍ୟ(୫) ରକ୍ଷାକରି ଜୀଇଁ ରହିବାର ‘ସ୍ଥିର-ବିନ୍ଦୁ’ (still centre)ର ସନ୍ଧାନୀ । ତାଙ୍କର କବିତା ତେଣୁ ‘ସଂଗ୍ରାମ ଓ ବିଦ୍ରୂପ’ର ଉଜ୍ଜ୍ୱଳ; ବଞ୍ଚି ରହିବାର ନୂତନ ପଥ ସନ୍ଧାନ ତାଙ୍କର କବିତା :

 

x x x ଆଘାତ ଓ ସଂଘର୍ଷ ଭିତରୁ ହେଉ ଜାତ

ବଞ୍ଚିବାର ନୂଆ ପଥ, ଜୀବନର ନୂଆ ନୂଆ ଛାଞ୍ଚ ।

ଚାହେଁନା ଅଳସ ଶାନ୍ତି, କାବ୍ୟମୟ ସହଜ ରୋମାଞ୍ଚ ।

ପୂର୍ଣ୍ଣକର ଶୂନ୍ୟ ମୋର ତୁଣୀ

ଦୁଇଟି ବିଷମ ବାଣେ –

‘ବିଦ୍ରୋହ” ଓ “ବିଦ୍ରୂପ’ରେ ପୁଣି !

ସଂଗ୍ରାମ ମୋ ବୃତ୍ତି ହେଉ ।

ବିଦ୍ରୂପ ଉଜ୍ଜ୍ୱଳ କରୁ ମୋର ଅବସର

ଗୋଟିଏ ଏଥିରୁ ଦିଅ

କିମ୍ବା ଦିଅ ଏଇ ଦୁଇଶର ।

 

ଅବଶ୍ୟ ପ୍ରସଙ୍ଗତଃ ଏକଥା ମଧ୍ୟ ସ୍ୱୀକାର୍ଯ୍ୟ ଯେ ସଚ୍ଚିଦାନନ୍ଦଙ୍କ କବି ଜୀବନର ଆଦ୍ୟକାଳର ଏ ଚିନ୍ତାଧାରା ତାଙ୍କର ଉତ୍ତର ଜୀବନର ‘ପ୍ରେମର ନିଭୃତ କୁଞ୍ଜବନୁ / ଋତୁରାଜ ! / ଦିଅ ମୋତେ ତୁମ ପୁଷ୍ପଧନୁ (୬) ଚିନ୍ତାଧାରାଠାରୁ ସମ୍ପୂର୍ଣ୍ଣ ଭିନ୍ନ । ପରିବର୍ତ୍ତନର ପକ୍ଷପାତୀ ଥିବାରୁ ସଚ୍ଚିଦାଦଙ୍କ କାବ୍ୟାଦର୍ଶରେ ପରିବର୍ତ୍ତନ ଘଟିଛି ସ୍ୱାଭାବିକ ଭାବରେ, ସମୟ-କାଳର ପରିବର୍ତ୍ତନ ସହ । ହସ ହୃଦୟଙ୍ଗମ କରିଥିଲେ ଯେ ଗତିଶୀଳ ଜୀବନରେ ‘କବିତାକୁ ତଥା ମଣିଷର ସବୁ ସୃଜନଧର୍ମୀ କାର୍ଯ୍ୟ ଓ ପ୍ରତିଭାକୁ’ ମହାନ ପ୍ରଗତିର ପରିପୂରକ ଶକ୍ତି ରୂପେ କାର୍ଯ୍ୟକାରୀ କରିବାକୁ ପଡ଼ିବ । (୭) ଏହିହେତୁ ସେ ସବୁ ଦଳିତ, ସବୁ ପତିତ, ସବୁ ସର୍ବହରା, ସବୁ ପେଷିତଙ୍କୁ ଏକାଠି ହେବାର ଆହ୍ୱାନ ଦେଇଛନ୍ତି କବିତାରେ । ସୁଖରେ, ଦୁଃଖରେ, ସଙ୍କଟରେ, ସମରରେ, ସୂର୍ଯ୍ୟୋଦୟ ବା ରାତ୍ରିର ଆବର୍ତ୍ତରେ - ବେଣୁ, ବୀଣା, ବିଗୁଲ ବା ଶିଗାର ଆହ୍ୱାନରେ ମଣିଷ ପାଖରେ ଠିଆ ହେବା ପାଇଁ ମଣିଷ ପ୍ରତି ଆହ୍ୱାନ –

 

ହେ ବନ୍ଧୁ ମିଳାଅ ହାତ

ଆଲୋକେ ଅନ୍ଧାରେ ।

 

୫.

ଭାରସାମ୍ୟ, ସଚ୍ଚିରାଉତରା ଗ୍ରନ୍ଥାବଳୀ, ପ୍ରଥମ ଖଣ୍ଡ, ପୃ ୧୫୮ ।

୬.

ଏକ ପ୍ରାର୍ଥନା, ସଚ୍ଚିରାଉତରା ଗ୍ରନ୍ଥାବଳୀ, ୧ମ, ପୃ ୨୫୬ ।

୭.

ପାଣ୍ଡୁଲିପି, ନାନ୍ଦୀମୁଖ, ପୃ- ।

 

କଲମେ କୋଦାଳେ

ଲଙ୍ଗଳେ ମୁଗୁରେ ଅବା ରେଖା ବା ଲେଖାରେ

ମଞ୍ଚେ ପଟେ ତୂଳି ବା ତାଳରେ

ମିଶିଯାଉ ସବୁ ଆମ ଆଶା ଓ ନିରାଶା

ଚିନ୍ତାର ସ୍ପନ୍ଦନ ଆଉ ଚିତ୍ତର ଭାଷା ।

x      x      x

ଆମ ଯୁକ୍ତ ହସ୍ତାକ୍ଷର ।

ଲିପିବଦ୍ଧ ହେଉ । (୮)

 

କବିତାକୁ ବ୍ୟକ୍ତିତ୍ଵର ବନ୍ଧନୀରୁ ମୁକ୍ତି ଦେଇଛନ୍ତି ସଚ୍ଚିଦାନନ୍ଦ । ତାଙ୍କ ଅବବୋଧରେ କବିତା ‘ଗଳାବନ୍ଦ କୋଟ’ ପରି ବ୍ୟକ୍ତିର ‘ଢାଙ୍କୁଣୀ’ ନୁହଁ, ବରଂ ହାୱାର ଲହରରେ ଉଡ଼ୁଥିବା ଏକ ‘ସ୍ଵାଧୀନ ନିଶାଣ’ - ଯାହା ବ୍ୟକ୍ତିକୁ ଆଶ୍ରୟ କରି, କବିକୁ ‘ନିମିତ୍ତ କରି’ ‘ଏ ସୃଷ୍ଟିର ଶୁଭ ସମ୍ୱୋଧନ (୯) । ସଚ୍ଚିଦାନନ୍ଦୀୟ ଅନୁଭୂତିରେ କବିତା ଶୂନ୍ୟଚାରୀ, ମାଟିରୁ ଭିନ୍ନ, ଜୀବନରୁ ଅଲଗା କୌଣସି ଉଚ୍ଚାରଣ ନୁହଁ, ଏହା ଜୀବନାଶ୍ରୟୀ, ଜୀବନମୁଖୀ ଉଚ୍ଚାରଣ, ଯାହାର ରସ ମାଟିରୁ ଉତ୍ସାରିତ । କବି ଜୀବନର ଆଦ୍ୟକାଳରେ ‘ଛୋଟ ମୋର ଗାଁଟି, (୧୯୪୧) ରଚନା କଲାବେଳରୁ ସଚ୍ଚିଦାନନ୍ଦ ଏ ସତ୍ୟ ହୃଦୟଙ୍ଗମ କରିଥିଲେ । ପାଦତଳର ମାଟି, ଅନାମଧେୟ ଗାଁ ଯେ ତାଙ୍କୁ ଭବିଷ୍ୟତର ଭାଷ୍ୟକାର ହେବାର ପ୍ରେରଣା ଯୋଗାଇଥିଲା, ତାହା ଏ କବିତାରେ ସ୍ପଷ୍ଟ :

 

ତାହାରି ଫୁଲ ଶାଗୁଆ ଲତା

କଣ୍ଠେ ମୋର ଦେଲା ଯେ କଥା

ଆଖିରେ ଦେଲା ଚାହାଣୀ ନୂଆ

ତାର ଫଗୁଣ ଉଷା ପାହାନ୍ତି । ଛୋଟ ମୋର ଗାଁଟି ।

 

ସଚ୍ଚିଦାନନ୍ଦଙ୍କଠାରେ ରୋମାଣ୍ଟିକ୍ ଓ ବାସ୍ତବତା ଉଭୟର ଅନୁରଣନ ସ୍ପଷ୍ଟ । ‘ପଲ୍ଲୀଶ୍ରୀ’ର ରୋମାଣ୍ଟିକ୍ କବି ‘ପାଣ୍ଡୁଲିପି’ରେ ଯୁଦ୍ଧ ବିକ୍ଷୁବ୍ଧ ପୃଥୀର ମଣିଷକୁ ନେଇ ଯେଉଁ କବିତା ଲେଖିଛନ୍ତି ତହିଁରେ ବାସ୍ତବତାର ସମ୍ୱୋଧନ ହିଁ ସୋଚ୍ଚାର । “ପାଣ୍ଡୁଲିପି’ର ‘ଲୋହିତ’ ଅଂଶର କବିତା ସମୂହରେ ମଣିଷ ଓ ତାର ବାସ୍ତବତା-ଦଗ୍ଧ ଜୀବନ ହିଁ ପ୍ରଧାନ ଧେୟ । ପୃଥିବୀର ଅଗଣିତ ନିରନ୍ନ, ବିଭୁକ୍ଷୁ, ସର୍ବହରା, ଦଳିତ, ଲାଞ୍ଛିତର ପ୍ରତିନିଧିତ୍ୱ କରି କବି ନୂତନ ମଣିଷର ‘ହାସ୍ୟ-ଉଜ୍ଜ୍ୱଳ ମୁହଁ’ ଚିତ୍ରଣ କରିଛନ୍ତି; କବିତାରେ ଉଦ୍‌ବୋଧନ କରିଛନ୍ତି ନୂତନ ସମାଜର :

 

ମୁଁ ‘ସଚ୍ଚିରାଉତରା’

(ନୁହେଁ ଟାଗୋର ବା ସେଲୀ)

ମୁଁ ଏଇ ମାଟିର ଧରା

ଆଉ ଆକାଶର କବି

x      x      x

୮. ହେ ବନ୍ଧୁ ମିଳାଅ ହାତ, ଗ୍ରନ୍ଥାବଳୀ, ୧ମ, ପୃ ୪୯୭ ।

୯. କବିତାର ସଂଜ୍ଞା, ପୃ ୫୧୨ ।

 

ପୋଶାଦାର ଗାୟକ ମୁଁ ନୁହେଁ,

ତୁମେ ମୋର ଛପା ବହି ଯେତେବେଳେ ଛୁଅଁ

ଛୁଆଁ ନୂଆ ମଣିଷର ଛାତି,

ଏଇ ପୃଥିବୀର ସବୁ ମଣିଷର ଜାତି

ତାର ପ୍ରତିଟି ଖବର

ରୂପ ପାଏ କବିତାରେ ମୋର ।

x      x      x

ମଣିଷର ଲହୁ ଲୁହେ କବିତା ମୋ ନୀଳ

ଜୀବନର ସୁବର୍ଣ୍ଣ ଦଲିଲ ।

x      x      x

ଯାହା ସତ୍ୟ ତାହା କବିତା

ମଣିଷର ଜୀବନବୋଧର ଛବି ତା । (୧୦)

 

‘ସ୍ଵଗତ’ ପ୍ରକାଶ କାଳକୁ କିନ୍ତୁ ସଚ୍ଚିଦାନନ୍ଦୀୟ ଚିନ୍ତାର ଏହି କଠୋର ବାସ୍ତବବାଦୀ ମନୋବୃତ୍ତିରେ ପରିବର୍ତ୍ତନର ଆନ୍ଦୋଳନ ଲାଗିଛି – କବିତା ଆଉ ପୂର୍ବବତ୍ କେବଳ ‘ସତ୍ୟ’ର ‘ନିତ୍ୟତା’କୁ ଆଶ୍ରୟ କରି ରହି ନାହିଁ, ‘ମିଥ୍ୟା’ର ‘ଲୀଳା’କୁ ବରଣ କରିଛି (୧୧)-

 

ସତ୍ୟ ଶିବ ହୋଇପାରେ, କିନ୍ତୁ ମିଥ୍ୟା ଇ ସୁନ୍ଦର ।

x      x      x

ସତ୍ୟ ସେତ ଧ୍ରୁବ, ଚିର, ଏକଇ, ଅକ୍ଷୟ

ସେଥିରେ କାହିଁ ଭଙ୍ଗାଗଢ଼ା ଖେଳ ମଧ୍ୟେ ସୃଷ୍ଟିର ବିସ୍ମୟ ?

x      x      x

ସତ୍ୟ ନିତ୍ୟ । ମିଥ୍ୟାଲୀଳା ।

ତେଣୁ ମିଥ୍ୟା ଏଡ଼େଇ ସୁନ୍ଦର ।

ତାର ଇନ୍ଦ୍ରଧନୁ ପକ୍ଷେ ଖରା ଅବା ଛାଇର କୁହୁକ

ସୃଷ୍ଟି କରେ ମହାକାବ୍ୟ ଏତେ ବିସ୍ମୟର ।

 

ବାସ୍ତବତାର ସତ୍ୟ ଅନପେକ୍ଷ, ‘ସନାତନ’ ନୁହଁ; ତାହା ନିୟତ ବଦଳୁଥାଏ । ଯାହା ଧ୍ରୁବ, ଯାହା ପରିବର୍ତ୍ତନ ରହିତ ତାହା ପ୍ରାଣରହିତ ‘ଜଡ଼’ । ଜୀବନର ଅଭିଜ୍ଞତାରୁ କବି ଶିଖିଛନ୍ତି :

 

ଯାହା ଧ୍ରୁବ ଯାହା ନ ବଦଳେ

ତାହା ହିଁ ବନ୍ଧନ, ତାହା ଜଡ଼, ତାହା ସ୍ଥାଣୁ,

ତାହା ପାପ । ଗତି ହିଁ ତ ଜୀବନର ଧର୍ମ

ଲକ୍ଷ୍ୟ ଉତ୍ତରଣ ।(୧୨)

 

୧୦.

ରାଜଜେମା, ଗ୍ରନ୍ଥାବଳୀ ପ୍ରଥମ ଖଣ୍ଡ, ପୃ ୧୫୧

୧୧.

ସୁନ୍ଦରମ୍‌, ପୂର୍ବୋକ୍ତ, ପୃ ୫୧୪ ।

୧୨.

କବିତାର ଜନ୍ମଦିନେ, କବିତା ୧୯୮୭, ଦିଗନ୍ତ ପ୍ରକାଶନୀ, କଟକ, ୧୯୯୮, ପୃ-୫ ।

 

ସତ୍ୟ-ମିଥ୍ୟାର, ବାସ୍ତବ-କଳ୍ପନାର, ଗତି-ସ୍ଥାଣୁତାର ଛନ୍ଦଣୀ-ବନ୍ଦଣୀ ମଧ୍ୟରେ ଗୋଟିଏ ସତ୍ୟ କିନ୍ତୁ ସ୍ଥିର, ଅକ୍ଷୟ ତାହା ହେଲା କବିତା କବିର ଆତ୍ମ ଆବିଷ୍କାର ବ୍ୟତୀତ ଅନ୍ୟ କିଛି ନୁହେଁ । ମାଟି ଓ ମଣିଷର ଜୟଗାନ ଗାଇ, ମାଟି ଓ ମଣିଷର ମୁକ୍ତି ପାଇଁ ସଂଗ୍ରାମ କରି ମାଟି ଓ ମଣିଷର ବନ୍ଧନରେ ବନ୍ଦୀ ହୋଇ ରହିବା କବିର ଭବିତବ୍ୟ ନୁହଁ । ନିଜ ମଧ୍ୟରେ ବିଶ୍ଵର ମୁକ୍ତି ଖଜୁଥିବା କବି ବିଶ୍ୱମଧ୍ୟ ଦେଇ ନିଜର ମୁକ୍ତିକୁ ମଧ୍ୟ ସନ୍ଧାନ କରିଥାଏ । ତାର କବିତା ତେଣୁ କସ୍ତୁରୀ ମୃଗ ତୁଲ୍ୟ ତାର ନିଜର ହିଁ ସନ୍ଧାନର ଆକୁଳତା । ସେଥିପାଇଁ ସବୁ ସମ୍ପୃକ୍ତି, ସବୁ ଅଙ୍ଗୀକାର ଭିତରେ ମଧ୍ୟ ସେ ଯୁଧିଷ୍ଠିରଙ୍କ ରଥ ତୁଲ୍ୟ ମାଟିର ଉରେ ଭାସିଚାଲେ । ତାର ଏଇ ନିରାସକ୍ତ ଭାବ ହିଁ ତାର ଆତ୍ମମୁକ୍ତିର ଦ୍ଵାର :

 

ମୁଁ କବି ଧରିତ୍ରୀର, ମାଟିର ଓ ମଣିଷର ତଥା

ଗାଇବା ମୋ ଧର୍ମ ମଣେ ଏ ପୃଥିବୀ, ଏ ଆକାଶ କଥା ।

ତଥାପି ମୁଁ ମୁକ୍ତ ପକ୍ଷୀ, ଅବା ମୁଁ କି ଯୁଧେଷ୍ଠିଙ୍କ ରଥ

ଭୂଇଁରୁ ଆଙ୍ଗୁଳେ ଛାଡ଼ି ଭାସିଚାଲେ ସମୟର ପଥ ।

x      x      x

ଏ ଧରାର ନାନାରଙ୍ଗ, ନାନା ଧୂଳି, ସୁରଭିତ ବିଚିତ୍ର ମୁହୂର୍ତ୍ତ,

ମୋତେ ଯେ ଆକୁଳ କରେ, କରେ ମୋତେ ବାକ୍ମୟ ମୂର୍ତ୍ତ,

x      x      x

କବିତା ମୋ ତେଣୁ ଖାଲି କାବ୍ୟ ନୁହେଁ, ଏ ଯେ ଏକ

ଆବିଷ୍କାର ସଖେ !

ନିଜରଇ ଆକୁଳ ସନ୍ଧାନ

 

(ଅଥବା) ସେ ନିଜକୁ ନିମିତ୍ତ କରି ଏ ସୃଷ୍ଟିର ଶୁଭ ସମ୍ୱୋଧନ । (୧୩) ରାଜା ସଚ୍ଚିଦାନନ୍ଦଙ୍କ କବିତା ତେଣୁ ‘ଏକ ପ୍ରସାରଣ, ଏକ ‘ଅଗ୍ରଗତି', ଏକ ‘ମୁକ୍ତିର ସଙ୍ଗୋତ୍ରୀ’ :

 

କବିତା ମୋ ପ୍ରସାରଣ ଏକ ଓ ବହୁର,

x      x      x

ଯାଇଅଛି ଆଗକୁ ଆଗକୁ

ନିଜ ଆବିଷ୍‌କାରରେ ।

x      x      x

ଜୀବନର ସମସ୍ତ ଆହ୍ୱାନ, ନିଭାଇଛି ଅଙ୍ଗେ ।

x      x      x

ସେ ଯେପରି ମୁକ୍ତିର ଗଙ୍ଗୋତ୍ରୀ ! (୧୪)

 

ସକଳ ଅନୈକ୍ୟ ମଧ୍ୟରେ ବ୍ୟକ୍ତିଏକ, ଅବିଚ୍ଛିନ୍ନ; କେବଳ କାର୍ଯ୍ୟ-କାରଣ ଅନ୍ତରରେ ସେ ବିବିଧ, ବହୁଧା – “ମୁଁ ବିଚ୍ଛିନ୍ନ ନାନାସ୍ଥାନେ, ନାନା ପାତ୍ରେ । ନାନାବିମ୍ୱେ ଯଥା ବୃଷ୍ଟି ଜଳ ।’’

 

୧୩.

କବିତାର ସଂଜ୍ଞା, ଗ୍ରନ୍ଥାବଳୀ, ପ୍ରଥମ ଖଣ୍ଡ, ପୃ ୫୧୫ ।

୧୪.

କବିତାର ଜନ୍ମଦିନ, କବିତା ୧୯୮୭, ପୃ ୫ ।

 

ସଚ୍ଚିଦାନନ୍ଦଙ୍କ କାବ୍ୟର ଉପାଧାନ ବିଚିତ୍ରବର୍ଣା । ପଲ୍ଲୀ, ପ୍ରକୃତି, ପ୍ରଣୟ, ଜାତୀୟତା, ଦେଶାତ୍ମବୋଧ, ସଂସ୍କାର, ବିଦ୍ରୋହ, ସ୍ଵପ୍ନ, ସ୍ଵପ୍ନଭଙ୍ଗ, ଶ୍ଳେଷ – ସବୁକିଛି ତାଙ୍କର କାବ୍ୟର ଉପାଦାନ । ପୃଥିବୀ ସାହିତ୍ୟରେ ମୁଣ୍ଡଟେକି ଥିବା ରୋମାଣ୍ଟିକବାଦ, ବାସ୍ତବବାଦ, ସ୍ଵଭାବବାଦ, ଡାଡାବାଦ, ଅତିବାସ୍ତବ ବାଦ, କ୍ୟୁବିକ୍‍ବାଦ, ଭବିଷ୍ୟବାଦ, ପ୍ରତୀକବାଦ, ଚିତ୍ରକଳ୍ପବାଦ ଇତ୍ୟାଦି ସକଳ ଧାରାକୁ ସେ ସମୟକ୍ରମେ ସାର୍ଥକ ରୂପ ବ୍ୟବହାର କରିଛନ୍ତି । ଆପଣା କାବ୍ୟରେ କବିତାର ଭାଷାକୁ ଗଡ଼୍‌ଡ଼ାଳିକା ପ୍ରବାହରୁ ଉଦ୍ଧାର କରି, ନୂତନ ଶବ୍ଦ ଗଠନ, ଶବ୍ଦପ୍ରୟୋଗଗତ ନୂତନତା ସହ ଭାଷାର ଯୁଗୋପଯୋଗୀ ସଂସ୍କାର ଦିଗରେ ସେ ପ୍ରୟାସୀ ହୋଇଛନ୍ତି । ବିଶ୍ୱର ସକଳ ଆଦର୍ଶକୁ ଅଙ୍ଗୀକାର କରି କବିତାକୁ ଏକ କ୍ଲାସିକ୍ ପରିଧି ଦାନ କରିବା ସହ ତାହାର ଉତ୍ତରଣ ପ୍ରୟାସୀ ହୋଇଛନ୍ତି ସଚ୍ଚିଦାନନ୍ଦ । ‘ପୂର୍ଣ୍ଣାଙ୍ଗ ଜୀବନ ନ ହେଉ ପଛକେ, ଅନ୍ତତଃ ସେଇ ଜୀବନର ଏକ କ୍ଷୁଦ୍ର ଭଗ୍ନାଂଶ ଭିତରେ “ପୂର୍ଣ’’ର ଯଥାସମ୍ଭବ ସଙ୍କେତ ଦେବା’ କ୍ଷେତ୍ରରେ ଆଧୁନିକ ଓଡ଼ିଆ କାବ୍ୟଧାରାରେ ସଚ୍ଚିଦାନନ୍ଦ ଅଗ୍ରଣୀ ଓ ଅପ୍ରତିଦ୍ୱନ୍ଦୀ । କବିତାରେ ‘ମୌଖିକରୀତି’ ସହ ‘କାବ୍ୟରୀତି’ର ସମନ୍ୱୟ ଘଟାଇ, ବାକ୍‍ଛନ୍ଦ ସହ କାବ୍ୟିକଛନ୍ଦର ମିଳନ ଦ୍ଵାରା, ‘ଗଦ୍ୟର ପରିଚ୍ଛନ୍ନତା’ ସହ କାବ୍ୟର ‘ଆବେଗ ସଞ୍ଚାରୀ ସ୍ଵଭାବ’ର ସମ୍ମିଶ୍ରଣରେ ସଚ୍ଚିଦାନନ୍ଦ ଯେଉଁ ନୂତନ କାବ୍ୟଧାରା ସୃଷ୍ଟି କରିଯାଇଛନ୍ତି, ତାହା ତାଙ୍କୁ ଯୁଗସ୍ରଷ୍ଟାର ଗୌରବ ଆଣିଦେଇଛି । ଉପଧାର ଅନୁପଯୋଗୀତାକୁ ସୃଷ୍ଟି କରି ପୟାରଛନ୍ଦ, ପ୍ରାଚୀନ କାବ୍ୟଛନ୍ଦ, ଲୋକଛନ୍ଦ, ରୁଦ୍ର ସୁଧାନିଧି ଆଦିରେ ପ୍ରଚଳିତ ଛନ୍ଦର ମହତ୍ତ୍ୱ ପ୍ରତିପାଦନ କରିଛନ୍ତି ସଚ୍ଚିଦାନନ୍ଦ । ହପ୍‍କିନ୍‍ସଙ୍କର ‘Sprung rhythm’ ଉପରେ ସେ ବିଶେଷ ଗୁରୁତ୍ୱ ଆରୋପ କରିଛନ୍ତି; କାରଣ ଏହାଦ୍ୱାରା କାବ୍ୟର ଶକ୍ତି-ସୌନ୍ଦର୍ଯ୍ୟ ଯେ ଶାଣିତ ହୋଇଉଠିବ ତାହା ସେ ହୃଦୟଙ୍ଗମ କରିଛନ୍ତି । ଏକପକ୍ଷରେ ଭାଷାସଂସ୍କାର ନିମନ୍ତେ ସେ ପାଣିନୀଙ୍କ ଆଦର୍ଶକୁ ସମ୍ମାନ ଦେଇଛନ୍ତି ଏବଂ ରବୀନ୍ଦ୍ରନାଥ- ଶରତଚନ୍ଦ୍ର ସାଧିତ ଲିପି ସଂସ୍କାରର ପ୍ରଶଂସା କରିଛନ୍ତି : ଅପର ପକ୍ଷରେ କବିତାରେ ବାସ୍ତବତାର ପୂର୍ଣ ଉଦ୍‌ବୋଧନ ନିମନ୍ତେ ପାଶ୍ଚାତ୍ୟ କାବ୍ୟଧାରାରେ ଦେଖା ଦେଇଥିବା ନୂତନତା - ‘ସହଜାତ ପ୍ରବୃତ୍ତି” (intuition) ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି ସେ । ଚିତ୍ରକଳ୍ପ ଓ ପ୍ରତୀକର ପ୍ରୟୋଗ ଉପରେ ଗୁରୁତ୍ୱ ପ୍ରଦାନ କରି ସେ ସେଗୁଡ଼ିକର ମହତ୍ତ୍ୱକୁ ସ୍ୱୀକାର କରିଛନ୍ତି । ନାନା ଅନୁଷଙ୍ଗ ସାହାଯ୍ୟରେ ସେ ଉଜ୍ଜ୍ୱଳ ପ୍ରତୀକ ଓ ଚିତ୍ରକଳ୍ପ ନିର୍ମାଣ କରି କାବ୍ୟକୁ ନୂତନ ବିସ୍ତୃତି ଦାନ କରିବାରେ ସକ୍ଷମ ହୋଇଛନ୍ତି । ତାଙ୍କର ଚିତ୍ରକଳ୍ପଗୁଡ଼ିକ କୌଣସି ଚିତ୍ରଶିଳ୍ପୀର ଚିତ୍ରପଟଠାରୁ କୌଣସି ଗୁଣରେ ନୂନ ନୁହଁ । ଉଦାହରଣ ସ୍ଵରୂପ :

 

ନୀଳାକାଶେ ସପ୍ତର୍ଷିର ମେଢ଼

ମନେହୁଏ କେଉଁ ନେଳିଆ ପାହାଡ଼ର

ଉଠାଣିଆ ପଥେ ଯାଉଯାଉ

ହଠାତ୍ ରତ୍ନ ସବାରି କି ଆଉ

କେଉଁ ରାଜକୁମାରୀର ଥକି

ପଡ଼ିଯାଇଚି ଅଟକି ।

ଆଉ ରାଜକୁମାରୀ ପଦାକୁ ବାହାରି ଆସି

ଧରି ସେଇ ମଣିଦଡ଼ତ୍ତର

ସୁଆରୀର ବାଡ଼

ଯେମିତି ସ୍ଥିର ହୋଇ ଦେଖୁଛି ଚିତ୍ରିତ ପ୍ରକୃତି ।

ସେମିତି ଏ ମୌନ ଅରୁନ୍ଧତୀ । (୧୫)

 

ନୀଳାକାଶରେ ସପ୍ତର୍ଷିମଣ୍ଡଳ, ଅରୁନ୍ଧତୀ ତାରା – ଏମାନଙ୍କର ସ୍ଥିତିଚିତ୍ର ପ୍ରଦାନ କରିବାକୁ ଯାଇ ଲୋକକଥା ତୁଲ୍ୟ ରାଜକନ୍ୟାର ଅନୁଷଙ୍ଗ ଆଣି ବର୍ଣ୍ଣନାକୁ ଏକ ସ୍ଥିର ଚିତ୍ରପଟରେ ହିଁ ରୂପାନ୍ତରିତ କରିପାରିଥିବାର ଦକ୍ଷତା ଏଠାରେ ପ୍ରତ୍ୟକ୍ଷ । ଜ୍ୟୋସ୍ନାର ସୁବର୍ଣ୍ଣ-ତାରଲ୍ୟ ଦେଇ ଚିତ୍ରିତ ଅନ୍ୟ ଏକ ଚିତ୍ରକଳ୍ପକୁ ଲକ୍ଷ୍ୟ କରାଯାଇପାରେ –

 

ଇଡ଼ିଯାଏ ଜହ୍ନରାତି ସୁନା-ସ୍ୟାହି ପରି

କୌଣସି ବାହାଘରର ସଚିତ୍ର ସୁନେଲି ନିମନ୍ତ୍ରଣ ପତ୍ର ପରି ଅବା

ଗଛଲତା ବଣବୁଦା ନଈପାଣି ଅକ୍ଷରେ ଚିତ୍ରେ ବା । (୧୬) ।

 

ସଚ୍ଚିଦାନନ୍ଦଙ୍କ ଚିତ୍ରକଳ୍ପର ମହତ୍ ଗୁଣ ଏସବୁର ‘ରତ୍ନବତ୍ କାଠିନ୍ୟ’, ଏବଂ ବାସ୍ତବମୁଖୀ ନୈବ୍ୟକ୍ତିକତା –

 

ସ୍ଥିରମନ, ପଦ୍ମବନ, ଡୁବୁଡୁବୁ ଜହ୍ନ

ଫାଁକେ ଫାଁକେ ପାଣିଚିଆ ଅନ୍ଧାରର ଥାକ

ଆକାଶରେ ଶୋକଛାୟା, ସେ ଯେପରି

ଏକ ଅସମାପ୍ତ ଶୋକର ପୋଷାକ । (୧୭)

 

ଚିତ୍ରକଳ୍ପତୁଲ୍ୟ ପ୍ରତୀକର ପ୍ରାଚୁର୍ଯ୍ୟ ସଚ୍ଚିଦାନନ୍ଦୀୟ କବିତାରେ ପରିଦୃଷ୍ଟ ନ ହେଲେ ହେଁ ଏଗୁଡ଼ିକର ସୃଷ୍ଟିରେ ସଚ୍ଚିଦାନନ୍ଦୀୟ ଦକ୍ଷତାର ସ୍ୱାକ୍ଷର ସ୍ପଷ୍ଟ । ସଚ୍ଚିଦାନନ୍ଦଙ୍କର ଅନେକ କବିତା ପ୍ରତୀକଧର୍ମୀ । ସ୍ଥାନେ ସ୍ଥାନେ ନାମବାଚକ ବିଶେଷ୍ୟକୁ ଅର୍ଥାନୁସାରୀ ପ୍ରତୀକର ସ୍ତରକୁ ଘେନିଯାଇଛନ୍ତି ସଚ୍ଚିଦାନନ୍ଦ - ଯେପରି ଅଳକା, ପ୍ରତିମା, ମତ୍ସ୍ୟଗନ୍ଧା, ଫାଲଗୁନୀ ଇତ୍ୟାଦି । କିନ୍ତୁ ପ୍ରତୀକର ବ୍ୟଞ୍ଜନାରେ କବିତାକୁ ଏକ ନୂତନ ଗଭୀରତା, ନୂତନ ପରିଧିଦାନ ସଚ୍ଚିଦାନନ୍ଦଙ୍କର ଲକ୍ଷ୍ୟ, ବ୍ୟାସକୂଟ ତିଆରି କରିବା ନୁହଁ ଏକପାତ ଭୂମି ଦେଲି ।

 

ମୋ ପୃଥିବୀ, ମୋ ସର୍ବସ୍ୱ, ଦେଶ ଆଉ ପାତ୍ର

ତୁମର ଦ୍ୱିତୀୟ ପାଦ

ହେ ବିରାଟ ! ତାଙ୍କୁ ମୋର ସ୍ଵର୍ଗ,

ଅଷ୍ଟଦିଗ, ଯେଉଁପରି ଛତ୍ର । (୧୮)

 

ସନ୍ଥ ବିନେବାଙ୍କର ଭୂଦାନ ଯଜ୍ଞ ଆନ୍ଦୋଳନ ସହ ପୁରାଣର ବାଳି ଓ ବାମନ ଉପାଖ୍ୟାନର ଅନୁଷଙ୍ଗ ମିଶ୍ରଣରେ ଏ କାବ୍ୟଚେତନା ସଫଳତାର କୋଟିକୁ ସ୍ପର୍ଶ କରୁଛି । ପ୍ରତୀକର ବ୍ୟଞ୍ଜନାରେ ଏ କବିତା ଏପରି କାଳଜୟୀ ହୋଇଉଠିଛି ଯାହା କୌଣସି ବର୍ଣ୍ଣନାର ସ୍ପର୍ଶରେ ଏତେ ବେଶୀ ଭାବ-ସାନ୍ଦ୍ର ହୋଇ ପାରିନଥାନ୍ତା । ଅଥବା ନିମ୍ନ ପଂକ୍ତିଟି :

 

୧୫.

ଏକ ସନ୍ଧ୍ୟାର ଶେଷେ, ଗ୍ରନ୍ଥାବଳୀ – ପ୍ରଥମ ଖଣ୍ଡିଏ ପୃ ୫୧୭

୧୬.

ଏକ ଆଶ୍ୱିନର ବିଦଗ୍ଧ କବିତା, ପ୍ରଥମ ଖଣ୍ଡ ଗ୍ରନ୍ଥାବଳୀ, ପୃ ୪୮୭ ।

୧୭.

ଏକ ଫାଲଗୁନ, ପୂର୍ବୋକ୍ତ, ପୃ ୨୨୭ ।

୧୮.

ପ୍ରୀତିକ, ଗ୍ରନ୍ଥାବଳୀ, ପ୍ରଥମ, ପୃ ୪୭୭ ।

 

ମୁଁ କଣ ସୁନାର ସିଂହ

ତୁମରି ସେ ପ୍ରାଣଘନ

ସାନ୍ଦ୍ର ତମସାରେ

ବର୍ଷଣ ସୁରଭି କେଶେ

ପଥଭୁଲି ପଥଖୋଜି

ପୁଣି ଭୁଲ ପଥ ବାରେ ବାରେ

ଜାଗିଉଠେ, ଜଳିଉଠେ

ସ୍ୱପ୍ନାନ୍ତରେ

ପ୍ରାଙ୍ଗଣୁ ପ୍ରାନ୍ତରେ । (୧୯)

 

ଚିତ୍ରକଳ୍ପ ସୃଷ୍ଟି କାଳରେ ଯେପରି ସଚ୍ଚିଦାନନ୍ଦ ନାନାବର୍ଣ, ନାନା ରଙ୍ଗର ଅକୁଣ୍ଠ ଅନାୟାସ ବ୍ୟବହାର ଦ୍ୱାରା ସେଗୁଡ଼ିକୁ ‘ନୟନାଭିରାମ’, ଶ୍ରୁତି-ସୁଖଦାୟୀ କରିତୋଳିଛନ୍ତି, ସେହିପରି ଆବେଗର ପାରସ୍ପର୍ଶ ରକ୍ଷା, ଅନୁଷଙ୍ଗ ଦାନ, ବାକ୍ ସଂକ୍ଷେପଣ ଆଦି ଦ୍ଵାରା କବିତାର ବ୍ୟଞ୍ଜନାକୁ ଶାଣିତ, ଅର୍ଥଗୁଢ଼ କରି ତାହାକୁ ନୂତନ ଦ୍ୟୁତିଦାନ କରିଛନ୍ତି । ସଚ୍ଚିଦାନନ୍ଦଙ୍କ ସୃଷ୍ଟି ପ୍ରତୀକଗୁଡ଼ିକ ଏଇ ଦିଗରୁ ବିଚାର୍ଯ୍ୟ ।

 

ସଚ୍ଚିଦାନନ୍ଦ ହିଁ ବିଂଶ ଶତକର ଏକମାତ୍ର କବି ଯିଏ ଅଗଣନ ଜାତୀୟ-ଆନ୍ତର୍ଜାତିକ ସ୍ତରର, ଇତିହାସ-ପୁରାଣର ମହାନ ପୁରୁଷଙ୍କୁ କବିତାରେ ଅମର କରି ତୋଳିଛନ୍ତି; ପୁଣି ଏମାନଙ୍କ ପାଖେପାଖେ ବହୁ ଅନାମଧେୟ ଏବଂ କାଳ୍ପନିକ ଚରିତ୍ରଙ୍କୁ ମହାନ ଓ ବାସ୍ତବର ରଙ୍ଗ ଦାନ କରି ସେମାନଙ୍କୁ ଚିରନ୍ତନତାର ଆସନ ଦାନ କରିଛନ୍ତି । ଶ୍ରୀ ଶ୍ରୀ ରାମକୃଷ୍ଣ-ସାରଦାମଣି, ଭଗବତୀଚରଣ, ଗୋପବନ୍ଧୁ ଦାସ, ଗୋପବନ୍ଧୁ ଚୌଧୁରୀ, ଚିନ୍ତାମଣି ମହାନ୍ତି, ଗୋଦାବରୀଶ ମିଶ୍ର, କୁନ୍ତଳାକୁମାରୀ ସାବତ, ଶୈଲେନ୍ ମହାପାତ୍ର, ସାରଙ୍ଗଧର, ମହାତ୍ମାଗାନ୍ଧୀ, ବିନୋବା ଭାବେ, ହରେକୃଷ୍ଣ ମହତାବ, ବୀରେନ୍ ମିତ୍ର, ନାଗଭୂଷଣ ପଟ୍ଟନାୟକ, ମମତାଜ, ସାଜାହାନ, ନନ୍ଦିକା କେଶରୀ, ୟାହିଆ ଖାଁ, ମୁଜିବୁର ରହମାନ, ଡିଲାନ ଥମାସ, ବୋରିସ ପାସ୍ତରନାକ୍, ହିଟଲର, ଷ୍ଟାଲିନ୍ ଆଦି ଅମର ବ୍ୟକ୍ତିମାନଙ୍କ ପାଖେ ପାଖେ କାଳ୍ପନିକ ସାଧାରଣ ମଣିଷ, ବାଜିରାଉତ, ଜଟିଭୋଇ, କେତକୀ, ସରୋଜିନୀ ଷଡ଼ଙ୍ଗୀ, ପ୍ରଣବ, ମିସ୍ ଚୌଧୁରୀ, ପ୍ରତିମା, ଅଳକା, ସୁନନ୍ଦା ମହାନ୍ତି, ଚୈତ୍ରା ମହାନ୍ତି, ଗାୟତ୍ରୀ ମହାନ୍ତି, ଏପରିକି ଗଙ୍ଗା, ମେଘନା, ତିସ୍ତା, କୃଷ୍ଣା, ପଦ୍ମା, ମହାନଦୀ, ସଂଯୋଇ ଆଦି ନଦୀଗଣ ମଧ୍ୟ ଅମର ହୋଇ ଉଠିଛନ୍ତି କାବ୍ୟ ସିଂହାସନରେ ଆରୂଢ଼ ହେବାର ମର୍ଯ୍ୟାଦା ଲାଭ କରି !

 

ସଚ୍ଚିଦାନନ୍ଦ ବ୍ୟବହୃତ ଭାଷା ଏକ ସ୍ଵାଭିପ୍ରେତ ଭାଷା - ପରମ୍ପରା ମୁକ୍ତ, ଜନମୁଖ ନିକଟରେ, ନବଯୁଗର ନୂଆ ସାହିତ୍ୟର ଭାଷା । ସ୍ଥଳ ବିଶେଷରେ ଏ ଭାଷାଭଣ୍ଡାର ବେଦ, ପୁରାଣ, ଇତିହାସ, ଦେଶ-ବିଦେଶ, ଜାତି-ବର୍ଣ ସବୁକିଛିର ପରିଧି ଅତିକ୍ରମ କରି ସମୟର କାବ୍ୟଭାଷାର ମଡେଲରେ ରୂପାନ୍ତରିତ ହୋଇଛି । ସମୟ ବିଶେଷରେ ନାମବାଚକ ବିଶେଷ୍ୟ ପଦ ସାହାଯ୍ୟରେ ଶରୀରୀ ରୂପ ବର୍ଣ୍ଣନା, ବିଶେଷଣକୁ ବିଶେଷ୍ୟରେ ଓ ବିଶେଷ୍ୟକୁ ବିଶେଷଣରେ ରୂପାନ୍ତର (ଫାଲଗୁନୀ ପବନ, ଅଷ୍ଟାବକ୍ରମନ, ସଭ୍ୟତାର ପାନ୍ନା ଇତ୍ୟାଦି), ପଦର ଅର୍ଥାନୁସାରୀ ପ୍ରୟୋଗ ଇତ୍ୟାଦି ଦ୍ୱାରା ସଚ୍ଚିଦାନନ୍ଦ କାବ୍ୟର ଚମତ୍କାରିତା ବୃଦ୍ଧି କରିଛନ୍ତି । ଚେତନାର ସମନ୍ୱୟ ଓ ବିଚ୍ଛେଦ, ଚେତନା ପ୍ରବାହ ଧାରା ଓ ବହିରଙ୍ଗର ସଂଶ୍ଳେଷଣ (Stream of consciousness ଓ abjective correlative), ନଗର କୈନ୍ଦ୍ରକ ଜୀବନଧାରା ଓ ଯାତ୍ରିକତାର ଧ୍ୱନିଗତ ପ୍ରୟୋଗ ଇତ୍ୟାଦି ନୂତନ ଭାବଗୁଡ଼ିକ ସଚ୍ଚିଦାନନ୍ଦଙ୍କ କାବ୍ୟ ବ୍ୟଞ୍ଜନାକୁ ଅଧିକ ଶାଣିତ କରିଛି ।

 

ସଚ୍ଚିଦାନନ୍ଦଙ୍କ ପ୍ରତିଭା ସୂର୍ଯ୍ୟତୁଲ୍ୟ ଦ୍ୟୁତିମାନ । ଏକ ସୀମିତ ଅବବୋଧ ନେଇ ସେ ପ୍ରତିଭାର ଆକଳନ କୌଣସି ସମାଲୋଚକ ପକ୍ଷରେ ସହଜ ନୁହେଁ । ପ୍ରସ୍ତୁତି ଆଲୋଚନା ସେହି ପ୍ରତିଭାର ଏକ ଆଂଶିକ ଆକଳନ ମାତ୍ର । ଆଲୋଚନାର ପରିସମାପ୍ତି କାଳରେ ଏକ କଥାରେ କହିଲେ ପରମ୍ପରା ବିରୁଦ୍ଧରେ ସଚେତନ ବିଦ୍ରୋହ, ଭଗବାନ ଓ ଧର୍ମରେ ଅନାସ୍ଥା, ପ୍ରତିଷ୍ଠିତ ମୂଲ୍ୟବୋଧରେ ସଂଶୟ, ନଗରକୈନ୍ଦ୍ରିକ ସଭ୍ୟତା ଓ ଯାନ୍ତ୍ରିକତାର ପ୍ରଭାବ, ଆନ୍ତର୍ଜାତିକ କାବ୍ୟଧାରା ସହ ସଂଯୋଗ ସ୍ଥାପନ, ମାର୍କସ-ଗାନ୍ଧି-ଫ୍ରୟେଡ଼ ଓ ସାମ୍ୟବାଦ-ମନସ୍ତତ୍ତ୍ୱାଦି ସମ୍ପର୍କରେ ସଚେତନତା, କାମ୍ୟୁ-କାଫ୍‍କା-ସାର୍ତ୍ତ୍ର-ହୁଇଟ୍‍ମ୍ୟାନ୍-ମାୟାକୋଭସ୍କି ଆଦିଙ୍କ ଧାରା ସହ ଘନିଷ୍ଠତା, ପ୍ରେମରେ ଶାରୀରୀ ଦେହଜ ବାସନାକୁ ସ୍ୱୀକୃତି, ବିଜ୍ଞାନର ସୁ ଓ କୁ ସମ୍ପର୍କରେ ସଚେତନତା, ଶବ୍ଦ ପ୍ରୟୋଗରେ ମିତବ୍ୟୟିତା, ବାକ୍‍ସଂକ୍ଷେପଣ, ତୀବ୍ର ସ୍ଫୋଟଯୁକ୍ତ ଶବ୍ଦ ପ୍ରୟୋଗ, ଛନ୍ଦରେ ସ୍ୱାଚ୍ଛନ୍ଦ୍ୟ ଓ ଆଧୁନିକତା ଆନୟନ, ସାହିତ୍ୟରେ ସାଙ୍ଗୀତିକତାକୁ ନିୟନ୍ତ୍ରିତ ରୂପେ ସ୍ୱୀକୃତିଦାନ, ନୂତନ ଶବ୍ଦଗଠନ, ଶବ୍ଦର ସାମାଜୀକରଣ, ଧ୍ୱନିରେ ଯାନ୍ତ୍ରିକତାର ସ୍ୱାକାର, ବିଶ୍ୱଶିଳ୍ପବିଧିର ସାରାଂଶକୁ ଗ୍ରହଣ, ପୁରାଣ-ଇତିହାସର ନୂତନ ବ୍ୟାଖ୍ୟା, ବିଶ୍ୱ ସାହିତ୍ୟ-ସଂସ୍କୃତି-ପୁରାଣ-ଇତିହାସ ସହ ସଂଯୋଗ ସ୍ଥାପନ ଓ ପ୍ରସଙ୍ଗ ନିର୍ଦ୍ଦେଶ, ବାକ୍‍ରୀତି ସହ କାବ୍ୟିକ ରୀତିର ମିଳନ, ଉପଧାବର୍ଜନ, ନାମକରଣ ଦ୍ଵାରା ଶାରୀରୀ ରୂପଗଠନର ପ୍ରଚେଷ୍ଟା, ଦେଶୀ ବିଦେଶୀ ଶବ୍ଦର ସମୀକରଣ, ଛନ୍ଦରେ ଅନ୍ତର୍ମେଳ, ଧ୍ୱନି ସମ୍ମିତ ତଥା ଦୃଷ୍ଟି ସମ୍ମିତ ଉଭୟବିଧ ଛନ୍ଦନିୟମକୁ ପ୍ରାଧାନ୍ୟ ଦାନ, ବହିରଙ୍ଗ ସଂଶ୍ଳେଷଣ, ପ୍ରତୀକ, ଚିତ୍ରକଳ୍ପର ପ୍ରୟୋଗ ଆଦି ଅଜସ୍ର ଉପାଦାନ ସଚ୍ଚିଦାନନ୍ଦଙ୍କ କବିତାରେ ଲକ୍ଷିତ ହୁଏ; ଏ ପ୍ରତ୍ୟେକ ଉପାଦାନ ସ୍ୱତନ୍ତ୍ର । ଆଲୋଚନାର ଅପେକ୍ଷା ରଖନ୍ତି ଏବଂ ଯାହା ଏ ଆଲୋଚନାରେ କରାଯାଇପାରି ନାହିଁ ।

 

ସଚ୍ଚିଦାନନ୍ଦ ପ୍ରଥମେ ବ୍ୟକ୍ତି ମଣିଷ, ପରେ କବି ମଣିଷ ନାଁ ଏକାଧାରରେ ଉଭୟ, ଏହାର ପ୍ରମାଣ ତାଙ୍କରି କବିତା । ସଚ୍ଚିଦାନନ୍ଦ କହିଛନ୍ତି ‘ଶିଳ୍ପ ଭିତରେ ମଣିଷ ମଣିଷକୁ ନିବିଡ଼ ଭାବରେ ସ୍ପର୍ଶ କରିପାରେ, କାରଣ ଶିଳ୍ପୀ ସେତେବେଳେ (ଶିଳ୍ପ ରଚନା କାଳରେ) ବ୍ୟକ୍ତିମାତ୍ର ନୁହନ୍ତି, ସେ ମଣିଷ ।’ ସଚ୍ଚିଦାନନ୍ଦଙ୍କ କବିତାରୁ ତାହାର ଏକ ଉଦାହରଣ ଦେଇ ଆଲୋଚନା ସମାପ୍ତ କରାଯାଉ-

 

ପୃଥିବୀ ଶ୍ୟାମଳତର

କରି ତୁମେ ଆଉଥରେ କହ –

ସମସ୍ତ ଭୂଗୋଳଟା ଯେ ଏକଇ ସେ ମଣିଷର ମୁହଁ । (୨୦)

 

୨୦.

ମଣିଷର ମୁହଁ, କବିତା ୧୯୭୧, ଜେ ମହାପାତ୍ର, ୧୯୭୨, ପୃ ୩୦

 

***

 

Unknown

।। ପରିଶିଷ୍ଟ ।।

 

ଜୀବନପଞ୍ଜୀ

ପଦ୍ମଶ୍ରୀ ସଚ୍ଚିଦାନନ୍ଦ ରାଉତରାୟ, ବି.ଏ.

ଆବିର୍ଭାବ : ୧୩.୫.୧୯୧୩

ମହାପ୍ରୟାଣ : ୨୮.୮.୨୦୦୪

ଜନ୍ମ : ଗୁରୁଜଙ୍ଗ, ଖୋରଧା, ଓଡ଼ିଶା ।

ପ୍ରଥମ ପ୍ରକାଶିତ କବିତା : ପଞ୍ଚାମୃତ (ପତ୍ରିକା), ୧୯୨୮

ପ୍ରଥମ ପ୍ରକାଶିତ ସାମ୍ୟବାଦୀ ଗଳ୍ପ : ‘ବିସର୍ଜନ’, ଯୁଗବୀଣ, ୧୯୩୩ ।

ପ୍ରଥମ ପ୍ରକାଶିତ ପୁସ୍ତକ : ପାଥେୟ, ୧୯୩୧ ।

 

ଉପାଧି ଓ ସମ୍ମାନ :

ପଦ୍ମଶ୍ରୀ – ୧୯୬୨

ସାହିତ୍ୟ ଏକାଡେମୀ, ନୂଆଦିଲ୍ଲୀ - ୧୯୬୪

ସୋଭିଏତ୍ ଲ୍ୟାଣ୍ଡ ନେହେରୁ ପୁରସ୍କାର – ୧୯୬୫

ଆନ୍ଧ୍ର ବିଶ୍ୱବିଦ୍ୟାଳୟରୁ ସାହିତ୍ୟ ନିମନ୍ତେ ସମ୍ମାନସୂଚକ ଡି.ଲିଟ୍- ୧୯୭୭

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ସାହିତ୍ୟ ନିମନ୍ତେ ସମ୍ମାନସୂଚକ ଡି.ଲିଟ୍- ୧୯୭୮

ସଭାପତି, ଓଡ଼ିଶା ସାହିତ୍ୟ ଏକାଡେମୀ - ୧୯୭୮-୮୧

ମହାକବି (ରାଉରକେଲଶରୁ) - ୧୯୮୫

ଜ୍ଞାନପୀଠ ପୁରସ୍କାର – ୧୯୮୬

ଗଣକବି (Seroll of Honour) – (Doctors India International)- ୧୯୮୮

‘ପୋଏତି’ ସମ୍ମାନ – ରୋମ

 

ପ୍ରନ୍ଥପଞ୍ଜୀ

କବିତା ସଂଗ୍ରହ :

ପାଥେୟ- ୧୯୩୧, ଅଭିଯାନ- ୧୯୩୮, ପଲ୍ଲୀଶ୍ରୀ - ୧୯୪୧, ବାଜିରାଉତ (ସଂକ୍ଷିପ୍ତ ସଂସ୍କରଣ) - ୧୯୪୨, ବାଜିରାଉତ (ପରିବର୍ଦ୍ଧିତ ଦ୍ୱିତୀୟ ସଂସ୍କରଣ) - ୧୯୪୩, ପାଣ୍ଡୁଲିପି-୧୯୪୭, ଅଭିଜ୍ଞାନ - ୧୯୪୮, ହସନ୍ତ - ୧୯୪୯, ଭାନୁମତୀର ଦେଶ - ୧୯୪୯, ସ୍ୱଗତ - ୧୯୫୮, କବିତା ୧୯୬୨ -୧୯୬୨, କବିତା ୧୯୬୯ - ୧୯୭୦, ଏସିଆର ସ୍ଵପ୍ନ - ୧୯୭୦, କବିତା ୧୯୭୧ - ୧୯୭୨, କବିତା ୧୯୭୪ - ୧୯୭୫, କବିତା ୧୯୮୩ - ୧୯୮୪, କବିତା ୧୯୮୫ - ୧୯୮୫, କବିତା ୧୯୮୭ - ୧୯୮୮, କବିତା ୧୯୯୦ - ୧୯୯୧, କବିତା ୨୦୦୩ - ୨୦୦୩

 

ଗଳ୍ପ ସଂଗ୍ରହ ଓ ଉପନ୍ୟାସ :

ମଶାଣିର ଫୁଲ - ୧୯୪୫, ମାଟିର ତାଜ - ୧୯୪୫, ଛାଇ - ୧୯୪୯, ମାଙ୍କଡ଼ ଓ ଅନ୍ୟାନ୍ୟ ଗଳ୍ପ - ୧୯୮୩, ନୂତନ ଗଳ୍ପ - ୧୯୯୦, ଚିତ୍ରଗ୍ରୀବ (ଉପନ୍ୟାସ) – ୧୯୩୫

 

ପ୍ରବନ୍ଧ ଓ ସମାଲୋଚନା :

ପ୍ରେମ ଓ ପଣ୍ୟ (ଦୀପକ ସଂଘ, କଲିକତା) ୧୯୩୫, ସାହିତ୍ୟ ବିଚାର ଓ ମୂଲ୍ୟବୋଧ - ୧୯୭୨, ସାହିତ୍ୟରେ ମୂଲ୍ୟବୋଧ - ୧୯୭୪, ସାହିତ୍ୟର କେତେ ଦିଗ – ୧୯୮୩

 

ଆତ୍ମଜୀବନୀ :

ଉତ୍ତର କକ୍ଷ (୧ମ) - ୧୯୯୮, ଉତ୍ତର କକ୍ଷ (୨ୟ) – ୨୦୦୦

 

ଅନ୍ୟାନ୍ୟ ରଚନା :

ପୂର୍ଣ୍ଣିମା (ଗୀତିନାଟକ) - ୧୯୩୩, ବାଜିରାଉତ (ବଙ୍ଗଳା) - ୧୯୪୭

The Boatman Boy & Other Poems, ଅନୁବାଦକ- ଶ୍ରୀ ହାରୀନ୍ଦ୍ରନାଥ ଚଟ୍ଟୋପାଧ୍ୟାୟ, ୧୯୪୨ (ସମବାୟ ପ୍ରେସ, କଲିକତା) (ପରିବର୍ଦ୍ଧିତ ସଂସ୍କରଣ- ପ୍ରବାସୀ ପ୍ରେସ, କଲିକତା-୯), * The Boatman Boy & Forty Poems - ଅନୁବାଦ - ଶ୍ରୀ ହାରୀନ୍ଦ୍ରନାଥ ଚଟ୍ଟେପାଧ୍ୟାୟ, ଶ୍ରୀ ବି. ସିହ୍ନା, ମଡର୍ଣ୍ଣ ରିଭିଉପ୍ରେସ, କଲିକତା- ୧୯୫. Pratima Nayak & Otehr poems, Where Flows the Bhanumati, The short stories of Satchi Routray, ମାୟାକୋଭସ୍କି କବିତା ସଂଗ୍ରହ (ଇଂରାଜୀରୁ ଅନୂଦିତ), ୧୯୬୫, ଦାସ ବ୍ରଦର୍ସ – କଟକ

 

ସାମଗ୍ରିକ ସଙ୍କଳନ :

ସଚ୍ଚି ରାଉତରାୟ ଗ୍ରନ୍ଥାବଳୀ - ପ୍ରଥମ ଖଣ୍ଡ - ୧୯୬୫, ସଚ୍ଚି ରାଉତରାୟ ଗ୍ରନ୍ଥାବଳୀ – ଦ୍ୱିତୀୟ ଭାଗ – ୧୯୭୬

 

ଅପ୍ରକାଶିତ ପୁସ୍ତକ :

ସବୁଜ ପତାକା (ନାଟକ), ତଳେ ମାଟି ଉପରେ ଆକାଶ (ଉପନ୍ୟାସ), ଦାଆ (ଉପନ୍ୟାସ)

 

ସମ୍ପାଦନା ଓ ସଂଗ୍ରହଶାଳା :

ଦିଗନ୍ତ (ପତ୍ରିକା), ଦିଗନ୍ତ (ସଂଗ୍ରହଶାଳା)

 

ବୃତ୍ତିଗତ ଜୀବନ :

Labour Welfare Officer, କେଶୋଦାସ କଟନ ମିଲ୍ସ, କଲିକତା- ୧୯୪୨-୧୯୫୨

Executive Officer, କେଶୋରାମ କଟନ ମିଲସ୍‌, କଲିକତା- ୧୯୫୨-୬୨

ଭାରତୀୟ ଚଳଚ୍ଚିତ୍ର ସେନସର ବୋର୍ଡ (କଲିକତା)ର ପରାମର୍ଶଦାତା - ୧୯୫୬-୧୯୬୨

 

*ସମ୍ଭବତଃ ପ୍ରଥମ ବହିଟିର ପରିବର୍ଦ୍ଧିତ ସଂସ୍କରଣ ଯାହା ଇଂରାଜୀ ଗ୍ଦଚ୍ଚଜ୍ଞକ୍ଟ୍ରକ୍ଟଗ୍ଦସଙ୍କଳ୍ପ ପାଇଁ ପ୍ରସ୍ତୁତ କରାଯାଇଥିଲା ।

ପ୍ରବାସୀ ଉତ୍କଳ ସାହିତ୍ୟ ସମ୍ମିଳନୀର ଅନ୍ୟତମ ଉଦ୍ୟୋକ୍ତା- ୧୯୪୯

ପ୍ରବାସୀ ଉତ୍କଳ ସମ୍ମିଳନୀର ଅଭ୍ୟର୍ଥନା ସମିତି ସଦସ୍ୟ – ୧୯୫୦

ସଭାପତି, ନିଖିଳ ଭାରତ ଉତ୍କଳ ମହାସଂଘ - ୧୯୫୯

Manging Director, Orissa Board Mills

 

ଦେଶ ଭ୍ରମଣ :

ଅଷ୍ଟ୍ରେଲିଆ, ନିଉଜଲ୍ୟାଣ୍ଡ, ଶ୍ୟାମ, ସିଂହଳ, ଇଣ୍ଡୋନେସିଆ, ଜାପାନ, ଆମେରିକା, ଇଂଲଣ୍ଡ, ଫ୍ରାନ୍ସ, ଇଟାଲୀ, ଜର୍ମାନୀ, ସୁଇଜରଲ୍ୟାଣ୍ଡ, ବଂଗଳା ଦେଶ, ଇଜିପ୍ଟ, ରୋମ ଇତ୍ୟାଦି ।

 

ତାଙ୍କ ସମ୍ପର୍କିତ କେତୋଟି ପୁସ୍ତକ :

Sachi Rout Roy : A Poet of The people- Modern Review Press, Cal-9- 1995, Sachi Rout Roy The Poet, K.C. Mishra- R.K. Enterprises, Cuttack-1988, ‘କବି ସଚ୍ଚିରାଉତରାୟଙ୍କ ପାଣ୍ଡୁଲିପି : ଏକ ନୂତନ ଯୁଗର ପ୍ରସ୍ତୁତି’ - ୧୯୯୩- ଶ୍ରୀ ମଥୁରାନନ୍ଦ ହୋତା, ସଚ୍ଚି ରାଉତରାଙ୍କ କବିତାରେ ନାରୀ- ୧୯୯୫- ଶ୍ରୀମତୀ ଅରୁଣା ମହାନ୍ତି ।

 

ଟିଚର୍ସ ହଷ୍ଟେଲ, ପୂର୍ବପଲ୍ଲୀ,

ଶାନ୍ତିନିକେତନ- ୭୩୧ ୨୩୫, ପଶ୍ଚିମବଂଗ

 

***

 

ସଚ୍ଚି ରାଉତରାୟଙ୍କ ଦୃଷ୍ଟିରେ ନାରୀମୁକ୍ତି

ଡଃ ଅପର୍ଣ୍ଣା ମହାନ୍ତି

 

- “ତମ ଭିତରର ସାଧାରଣ ନାରୀ ଚାହିଁଥିଲା ଗୋଟିଏ ଛୋଟ ସୁନ୍ଦର ସଂସାର, ସେ ଚାହିଁଥିଲା ଘରକରଣା, ସ୍ୱାମୀ, ପୁତ୍ର, ଧନଦୌଲତ, ଗହଣା, ପରିବାର ସବୁ ସେ ପାଇଚି । କିନ୍ତୁ ତା’ ସଙ୍ଗେ ସଙ୍ଗେ ତୁମ ଭିତରେ ରହିଚି ପୁଣି ଅସାଧାରଣ । ସେ ଚାହେଁ ଏ ସବୁର ଅତିରିକ୍ତ, ଏ ସବୁଠୁଁ ବୃହତ୍ତର କିଛି । କାରଣ ତାର ସ୍ଵପ୍ନ ଅଛି, ପିପାସା ଅଛି, ଆଉ ତାର ଦୁର୍ଭାଗ୍ୟକୁ ଅଛି ତାର ପ୍ରତିଭା-।”

 

- “ନିଜ ପ୍ରତିଭାକୁ ବଡ଼ କରିବା ପାଇଁ ତୁମକୁ ଲକ୍ଷ ଲକ୍ଷ ମହତ୍ତର ପ୍ରତିଭା ପାଇଁ ଅଭିସାର କରିବାକୁ ପଡ଼ିବ । ସମସ୍ତଙ୍କଠୁଁ ଲୁଣ୍ଠନ କରି ତମକୁ ସଞ୍ଚୟ କରିବାକୁ ହେବ । ତମେ କେତେ ଲୋକଙ୍କୁ ନିଜର କରିବ ପୁଣି କେତେ ଲୋକଙ୍କର ନିଜର ହବ । ତମେ ହେବ ସ୍ୱୟଂବରା - ତମେ ହେବ ସହସ୍ରଶଯ୍ୟାର ନାୟିକା । ତମର ସମାଜ ତମ ଶୃଙ୍ଖଳ, ତମର ସତୀତ୍ଵ ସମସ୍ତେ ପଛରେ ପଡ଼ିରହିବେ । ତମେ ହେବ ଚିରକଳଙ୍କବତୀ । ତମକୁ ଦେହ ଦେଇ ଦେହାତୀତର, ଚିନ୍ତା ଦେଇ ଅଚିନ୍ତନୀୟର, ଆଉ ସ୍ୱପ୍ନ ଦେଇ ସ୍ଵପ୍ନାତିରିକ୍ତର ସ୍ପର୍ଶ ଲାଭ କରିବାକୁ ପଡ଼ିବ । ତମର ଦେହ, ମନ, ଯୌବନ, ସତୀତ୍ୱ – ତମର ବ୍ୟକ୍ତିତ୍ୱର ପୂର୍ଣ୍ଣ ହେବାର ଯଜ୍ଞବହ୍ନିରେ ଆହୁତି ପଡ଼ିବେ ।

 

- “ଯାହାର ପ୍ରତିଭା ଯେତେ ବହୁମୁଖୀ ଆଉ ଜୀବନ୍ତ ତାର ଭଲପାଇବାର ପାତ୍ରପାତ୍ରୀ ବା ଅଭାବ ପୂରଣର ସାଙ୍ଗସାଥୀ ସେତିକି ସଂଖ୍ୟାରେ ବହୁ ଆଉ ବିଚିତ୍ର ।” + + + ଆଉ ଭଲପାଇବାର ପାତ୍ରପାତ୍ରୀ ? ସଂଖ୍ୟା ସେମାନଙ୍କର ଅଗଣିତ । ଜଣକୁ ଭଲପାଇ ମଣିଷ କଦାପି ଯାହା ହବାର କଥା ତାହା ହୋଇପାରିବ ନାହିଁ କିମ୍ବା ଯାହା ପାଇବାର କଥା ତାହା ପାଇପାରିବ ନାହିଁ । କାରଣ ଜଣେ ଲୋକ କଦାପି ମଣିଷର ସମସ୍ତ ଶୂନ୍ୟତା ପୂର୍ଣ୍ଣ କରିବାର କ୍ଷମତାର ଅଧିକାରୀ ହୋଇ ନ ପାରେ । + + + ସେଥିପାଇଁ ତମେ ତମର ପ୍ରତିଭାର ବିକାଶ ପାଇଁ ଏକକାଳୀନ ଯଦି ଏତେଗୁଡ଼ିଏ ଭଦ୍ରଲୋକଙ୍କ ପ୍ରେମରେ ପଡ଼ ତେବେ ମୁଇଁ ପ୍ରଥମେ ତମକୁ ଅଭିନନ୍ଦନ କରିବି । + + + କାରଣ ମୁଁ ତମର ପ୍ରତିଭାର ପୂର୍ଣ୍ଣତା ଚାହେଁ... ମୃତ୍ୟୁ ଚାହେଁ ନାହିଁ । ମୁଁ ତମର ବ୍ୟକ୍ତିତ୍ୱର ଜୟକାମନା କରେ । ତମେ ବଡ଼ ଦୁଃଖ ଏହା ହିଁ ମୋର ଐକାନ୍ତିକ ଇଚ୍ଛା । ସେଥିପାଇଁ ତମେ ତମର ଏଇ ଦୁଜୟ ଦୁଃସାହସୀ ଅଭିଯାନରେ ମୋ ପାଖରୁ ପାଇବ ସବୁଦିନେ ଅଭିନନ୍ଦନ... ମାନପତ୍ର । + + +

 

+ + + ଚିରସ୍ଥାୟୀ ବନ୍ଦୋବସ୍ତ ପ୍ରଥାଟା ଖାଟି ଅର୍ଥନୀତିକ ବା ରାଜନୀତିକ କାରଣରୁ ନୁହେଁ; ମଣିଷ ମନର ସହଜ ସ୍ୱାଭାବିକ ବିକାଶ ଦିଗରୁ ମଧ୍ୟ ମୋ ନିକଟରେ ଗୋଟାଏ ସାମନ୍ତଯୁଗୀୟ ପଚାସଢ଼ା ଅନୁଷ୍ଠାନ, ମୌରସୀ ପଟ୍ଟା କରି କାହାକୁ ମୁଁ ଆସକ୍ତିରେ ନିଜ ପାଖରେ ବାନ୍ଧି ରଖିବା ପାଇଁ ଆଗରୁ ସର୍ତପତ୍ର ଲେଖେଇ ନେବାକୁ ଖାଲି ଅଭଦ୍ରତା ନୁହଁ, ଅଧର୍ମ ବୋଲି ମନେକରେ ।’’

 

(ସଚ୍ଚି ରାଉତରାୟ ଗ୍ରନ୍ଥାବଳୀ, ଗଦ୍ୟଖଣ୍ଡ- ପୃ ୪୯୫, ୪୯୬, ୪୯୯, ୫୦୦ ଓ ୫ ୦୧)

 

ଏହି ଯୁଗାନ୍ତକାରୀ ଉଦ୍ଧୃତିଗୁଡ଼ିକ କବି ସଚ୍ଚି ରାଉତରାୟଙ୍କର ପ୍ରାୟ ଅନାଲୋଚିତ ପତ୍ରପ୍ରବନ୍ଧ “ସହସ୍ର ଶଯ୍ୟାର ନାୟିକା’’ରୁ ସଂଗୃହୀତ ହୋଇଅଛି । ଆଜିକୁ ତେଷଠି ବର୍ଷ ତଳେ ତା ୧୨.୭.୧୯୪୧ ମସିହାରେ ରଚିତ ହୋଇଥିବା ଏହି ଆତ୍ମକଥନଧର୍ମୀ ପତ୍ରପ୍ରବନ୍ଧଟି କେବଳ ସାମ୍ପ୍ରତିକ ସମୟରେ ନୁହେଁ ଆଗାମୀ ଶତାବ୍ଦୀମାନଙ୍କରେ ମଧ୍ୟ ନାରୀଜାତି ନିମନ୍ତେ ବ୍ୟକ୍ତିତ୍ଵ ବିକାଶରେ ଏକ ଅଭୁତ ଦିଗ୍‌ଦର୍ଶନ ପ୍ରଦାନ କରିବାର ଯୋଗ୍ୟତା ରଖେ । ସଭ୍ୟତାର ଅଭ୍ୟୁଦୟ କାଳରୁ ସମାଜରେ ନରନାରୀର ସମ୍ପର୍କ ତଥା ସାମାଜିକ ଓ ବ୍ୟକ୍ତିଗତ ସ୍ଥିତିକୁ କେନ୍ଦ୍ର କରି ସହସ୍ର କ୍ରାନ୍ତି, ସଂସ୍କାର, ଦ୍ୱନ୍ଦ୍ୱ ଓ ସଂଶୟରୁ ସର୍ବଶେଷ ମୁକ୍ତିର ଉଦ୍‌ଘୋଷଣା କରୁଥିବା ଏହି ପ୍ରବନ୍ଧ ପ୍ରତ୍ୟେକ ଆତ୍ମସଚେତନ ନାରୀର ପୁନଃ ପୁନଃ ପଠନ ଓ ମନନର ଅପେକ୍ଷା ରଖେ ବୋଲି ମୁଁ ଅନୁଭବ କରେ ।

 

ଏହି ପ୍ରବନ୍ଧରେ ପ୍ରାବନ୍ଧିକ କେବଳ ଜଣେ ଆଲୋଚକ ନୁହଁନ୍ତି- ସେ ଏକାଧାରରେ ଜଣେ କବି, ପ୍ରେମିକ, ଦାର୍ଶନିକ, ଶିକ୍ଷକ ତଥା ଜଣେ ଅତ୍ୟନ୍ତ ସଂବେଦନଶୀଳ ବିକଶିତ ପୁରୁଷ ମଧ୍ୟ । ସଂସାରରେ ମଣିଷ ନିଜ ସୁବିଧା ପାଇଁ ରାଜନୀତିକ, ଅର୍ଥନୀତିକ, ବ୍ୟବସାୟିକ, ପାରିବାରିକ, ସାମାଜିକ ଇତ୍ୟାଦି ନାନାଦି ସମ୍ପର୍କ ଗଢ଼ିଛି । କିନ୍ତୁ ଏ ସମସ୍ତ ସମ୍ପର୍କ ସୃଷ୍ଟି ହେବାର ପୂର୍ବରୁ ଯାହା ଥିଲା ଓ ଏ ସମସ୍ତ ସମ୍ପର୍କ ଯଦି ଦିନେ ବିଲୁପ୍ତ ହୋଇଯାଏ ତେବେ ସେତେବେଳେ ମଧ୍ୟ ଯାହା ରହିବ ତାହା ହେଉଛି ନାରୀ ସହ ପୁରୁଷର ସମ୍ପର୍କ । ଏହି ସମ୍ପର୍କ ଯେ ସୃଷ୍ଟି ଓ ସଭ୍ୟତାର ମୂଳଉତ୍ସ ଏହା କହିବା ବାହୁଲ୍ୟମାତ୍ର । ପୁନଶ୍ଚ ଶାରୀରିକ ସ୍ଥିତିକୁ ବାଦ୍ ଦେଇ ଉଭୟଙ୍କ ସମ୍ପର୍କର ଗଭୀରତା କଳନା କରିବା ଏକ ଚରମ ଆତ୍ମପ୍ରତାରଣା ମାତ୍ର । ମଣିଷର ଶାରୀରିକ ସ୍ଥିତି ଯେପରି ତାର ମାନସିକ ବିକାଶର ଆଧାର ଠିକ୍ ସେହିପରି ନରନାରୀଙ୍କ ଶାରୀରିକ ସନ୍ତୁଷ୍ଟି ମଧ୍ୟ ଉଭୟଙ୍କର ଦୃଷ୍ଟିକୋଣ ଓ ଚେତନାର ସୁସ୍ଥ ଉତ୍ତରଣର ଅମୂଲ୍ୟ ମାଧ୍ୟମ ହୋଇଥାଏ । ଅଧିକନ୍ତୁ ଦେଖିବାକୁ ଗଲେ ଚେତନାକୁ ବାଦ୍ ଦେଇ ଶରୀର ପରିପୁଷ୍ଟ ହୋଇପାରେ ମାତ୍ର ଶରୀରକୁ ଛାଡ଼ି ଚେତନା ଅଣୁମାତ୍ର ବିକଶିତ ହୋଇପାରିବ ନାହିଁ । ମାନବ ଜୀବନରେ ଶୁଦ୍ଧଚେତନା ଏବଂ ତଥାକଥିତ ଶୁଦ୍ଧ ଶରୀରର ଭୂମିକା ମଧ୍ୟ ଭିନ୍ନ ଭିନ୍ନ ଅଟେ । ବିଭିନ୍ନ ନୀତିନିୟମର ନିଗଡ଼ରେ ଆବଦ୍ଧ ତଥାକଥିତ ଶୁଦ୍ଧ ଶରୀରଟିଏ ହୁଏତ ମଣିଷର ଗୋଟିଏ ଆୟୁଷ୍ମାନର ସୀମାବଦ୍ଧ ସ୍ଥିତିକୁ ମହିମାମୟ ଓ ସୁରକ୍ଷିତ କରି ରଖିପାରେ । କିନ୍ତୁ ମାନବର କଲ୍ୟାଣ ଓ ବିକାଶ ପାଇଁ ଗତିଶୀଳ ନୀତିନିୟମର ସ୍ରଷ୍ଟା ସାଜିପାରୁଥିବା ଶୁଦ୍ଧଚେତନା କାଳ କାଳ ପାଇଁ ମାନବଜାତିର ବହୁ ଦ୍ଵନ୍ଦ୍ୱ-ସଂଶୟର ସମାଧାନ-ପୀଠ ଏବଂ ବହୁ ନିଷ୍ପେସିତ ଆବେଗର ଆଶ୍ରୟସ୍ଥଳୀ ପାଲଟିଯାଏ । ଜୀବନ ମରଣର ସଙ୍କଟ ଉପସ୍ଥିତ ହେଲାବେଳେ ଯିଏ ମଣିଷକୁ ଅସୀମ ମନୋବଳ ପ୍ରଦାନ କରିଥାଏ ତାହା କେବେ ଏକ ଅସୂର୍ଯ୍ୟଂପଶ୍ୟା ଶରୀର ନୁହେଁ, ତାହା କେବଳ ବିଶୁଦ୍ଧ ଚେତନା । ସମସ୍ତ ସୀମା, ସମୟ ଓ ସମ୍ପର୍କର ଊର୍ଦ୍ଧ୍ୱରେ ଏହି ଶୁଦ୍ଧଚେତନାର ଉନ୍ମୀଳନ ହୋଇଥାଏ । ଏହା କସ୍ମିନକାଳେ କୌଣସି ଅନ୍ଧତ୍ୱକୁ ଶ୍ରଦ୍ଧା କରେ ନାହିଁ । ମୋହାଚ୍ଛନ୍ନ ଅନ୍ଧଆବେଗ ଏବଂ ଅଧିକାରବୋଧ ମଣିଷର ବହୁ ଅସହାୟ ଏବଂ କୋମଳ ଭାବପ୍ରବଣତାକୁ ସାମୟିକ ଲାଳନ କରିଥାଏ ସତ୍ୟ, କିନ୍ତୁ ଭଲପାଇବାର ଏହି ପ୍ରବୃତ୍ତିଗତ ଅନ୍ଧତ୍ୱ ବ୍ୟକ୍ତିଗତ ଲାଭ-କ୍ଷତିର ସୀମା ଅତିକ୍ରମ କରି କଦାପି ଏକ ନୈର୍ବ୍ୟକ୍ତିକ ଉଚ୍ଚତାକୁ ସ୍ପର୍ଶ କରିପାରେ ନାହିଁ । ଚିନ୍ତା ଓ ଚେତନା ସ୍ତରରେ ନିର୍ବୋକ୍ତିକ ଭବତାକୁ ସ୍ପର୍ଶ କରିପାରୁଥିବା ମନୁଷ୍ୟ ପାଇଁ ତଥାକଥିତ ଚରିତ୍ରବତ୍ତା କିମ୍ବା ଦୈହିକ / ସାମାଜିକ ସମ୍ପର୍କର କୌଣସି ବିଶେଷ ଅର୍ଥ ହିଁ ନଥାଏ । ନିଜର ଭାବନ୍ନାତ୍ମକ ବ୍ୟାପ୍ତି ଦ୍ଵାରା ସେ ବ୍ୟଷ୍ଟି ଓ ସମଷ୍ଟିକୁ ସମଭାବେ ସ୍ପର୍ଶ କରିପାରେ । ମାନବିକ ଉତ୍ତରଣର ଏକ ବିଶେଷ ଅର୍ଥରୂପେ ସେ ଉଦ୍ଭାସିତ ହୋଇଯାଏ । ବ୍ୟାସଙ୍କଠାରୁ ଆରମ୍ଭ କରି ଋଷୋଙ୍କ ପର୍ଯ୍ୟନ୍ତ ମାନବ ଇତିହାସର ସ୍ଵତନ୍ତ୍ର ଚିନ୍ତାନାୟକମାନଙ୍କ ନିକଟରେ ତେଣୁ ଦୈହିକ ଚରିତ୍ରକୁ ନିଷ୍କଳଙ୍କ ରଖିବାର ଆବଶ୍ୟକତା ଗୁରୁତ୍ୱହୀନ ହୋଇପଡ଼ିଥିବାର ଦେଖାଯାଏ ।

 

ଏହି ବିଶ୍ଳେଷଣର ଉଦ୍ଦେଶ୍ୟ ହେଉଛି ବ୍ୟକ୍ତିଗତ ସମ୍ପର୍କକୁ ଏକ ନୈର୍ବ୍ୟକ୍ତିକ ଭବତାକୁ ଉତ୍ତୋଳିତ କରିବାର ସାଧନା ନାରୀ ନିମନ୍ତେ ସମାଜରେ ସର୍ବଦା ଦୋଷାବହ ରୂପେ ପରିଗଣିତ ହୋଇଛି । ଦୈହିକ ସତୀତ୍ୱକୁ ନାରୀ-ବ୍ୟକ୍ତିତ୍ୱର ଏକମାତ୍ର ଅବଲମ୍ବନ ଓ ମାନଦଣ୍ଡ ରୂପେ ଗ୍ରହଣ କରାଯାଇଛି । ସବୁଠୁଁ କୌତୁକର କଥା ଦୈହିକ ଶୁଦ୍ଧତାର ରକ୍ଷଣାବେକ୍ଷଣର ସୁବିଧା ଲାଗି ଅଜ୍ଞାନକୁ ନାରୀର ମହାର୍ଘ ଭୂଷଣ ଭାବେ ଜ୍ଞାନୀମାନେ ସ୍ୱୀକୃତି ପ୍ରଦାନ କରିଛନ୍ତି । ଏଥିରେ ଯଦି କେହି ନାରୀ ନିଜ ଭିତରେ ଲୁକ୍‌କାୟିତ ଥିବା ପ୍ରତିଭାର ସନ୍ଧାନ ପାଇପାରିଲା ତେବେ ପ୍ରାବନ୍ଧିକଙ୍କର ବ୍ୟଙ୍ଗ ଅନୁଯାୟୀ ତାହା ତାର ଚରମ ଦୁର୍ଭାଗ୍ୟ ବ୍ୟତୀତ ଆଉ କ’ଣ ହୋଇପାରେ ?
 

ନାରୀର ଦେହକୁ ନେଇ ସମାଜରେ ଯେତେ ବାକ୍‌ବିତଣ୍ଡା ସେପରି ଅନ୍ୟ କୌଣସି ଉପାଦାନ ନିମନ୍ତେ ଦେଖାଯାଏ ନାହିଁ । ଦେହ ସିନା ନାରୀର ହେଲେ ତାର ମାଲିକାନା ପୁରୁଷର । ପୁରୁଷର ମଞ୍ଜି ଅନୁଯାୟୀ ତାର ବ୍ୟବହାର ହେବା ହିଁ ସାମାଜିକ ବିଧି । ନାରୀର ଦେହ ମାନବଶିଶୁର ଭ୍ରୂଣକୁ ଧାରଣ କରେ, ତାର ଶରୀର ଗଠନ କରେ । ଏକ ପୂର୍ଣ୍ଣାବୟବ ମଣିଷକୁ ଜନ୍ମଦିଏ । ଯେହେତୁ ଏହି ଛୋଟ ମଣିଷଟିର ଅଭିଭାବକ ଜଣେ ପୁରୁଷ । ତେଣୁ ସୃଷ୍ଟିର ଏହି ଶାଶ୍ୱତ ଚିରନ୍ତନ ପ୍ରକ୍ରିୟାଟି ମଧ୍ୟ ପୁରୁଷର ଇଚ୍ଛାନୁଯାୟୀ ନିୟନ୍ତ୍ରିତ ହୋଇଥାଏ । ପୁରୁଷର ସ୍ୱୀକୃତି ନଥାଇ ନାରୀ ଜନନୀ ହୋଇପାରେ ନାହିଁ । ହେଲେ ସେ ହୁଏ ଭ୍ରଷ୍ଟା, ପତିତା... ସମାଜଚ୍ୟୁତା । ତାର ସନ୍ତାନ ହୁଏ ଜାରଜ, ଅବୈଧ, ଅପାଂକ୍ତେୟ । ଯେଉଁ ସମାଜରେ ନିଜର ସନ୍ତାନକୁ ନିଜ ଇଚ୍ଛାନୁଯାୟୀ ସ୍ୱାଧୀନଭାବେ ଜନ୍ମ ଦେବାର ଅଧିକାର ନାରୀର ନାହିଁ, ସେଠାରେ କବି-ପ୍ରାବନ୍ଧିକ ଡଃ ରାଉତରାୟ ତାକୁ ସହସ୍ର ଶଯ୍ୟାର ନାୟିକା ହେବାକୁ ପ୍ରବର୍ତ୍ତାଇଛନ୍ତି । ପୁରୁଷର ସ୍ୱାର୍ଥ ପାଇଁ ଏହା କହିଥିଲେ ମଧ୍ୟ କିଛି ଅସୁବିଧା ନଥିଲା । ଏକ ପୁରୁଷକୈନ୍ଦ୍ରିକ ସମାଜରେ ବେଶ୍ୟାମାନଙ୍କର ଆଦର କିଛି କମ୍ ନୁହେଁ । କାରଣ ଏମାନେ ପୁରୁଷର ପ୍ରବୃତ୍ତି ଓ ଲାଳସାକୁ ତୃପ୍ତ କରିବାର ବ୍ୟବସାୟ କରିଥାନ୍ତି । ସେଇଥିପାଇଁ ଯୋଗଜନ୍ମା ଔପନ୍ୟାସିକ ଶରତଚନ୍ଦ୍ର ତାଙ୍କ ‘ନାରୀର ମୂଲ୍ୟ’ ଗ୍ରନ୍ଥରେ କହିଛନ୍ତି- “ଯେତେବେଳେ ସେ ବେଶ୍ୟା ସେତେବେଳେ ପୁଣି ତାର ଅଭାବରେ ହିନ୍ଦୁଙ୍କ ସ୍ଵର୍ଗ ମଧ୍ୟ ସର୍ବାଙ୍ଗସୁନ୍ଦର ହୁଏ ନାହିଁ । ଏଥିରେ ବି ତାର ପ୍ରୟୋଜନ ! ଦେଶ ଲୋକମାନେ ଯେମିତି ଶ୍ରୀକୃଷ୍ଣଙ୍କୁ ‘କଳାରତନ’, ‘କଳାମାଣିକ’ ପ୍ରଭୃତି ଅଷ୍ଟୋତ୍ତରଶତ ନାମ ଦେଇଥିଲେ, ସଂସ୍କୃତି ସାହିତ୍ୟରେ ବୋଧହୁଏ ବେଶ୍ୟାଙ୍କ ଆଦରର ନାମ ତାଠାରୁ କମ୍ ନୁହେଁ ।” ( ଶରତଚନ୍ଦ୍ର - ନାରୀର , ମୂଲ୍ୟ, ଅନୁବାଦ ବିଜୟ କୁମାର ସାହୁ ୧୯୮୨-ପୃ-୨୯)

 

କିନ୍ତୁ ସଚ୍ଚିବାବୁ ନାରୀକୁ ଆତ୍ମୋନ୍ନତିର ପଥରେ ସହସ୍ରଶଯ୍ୟାର ନାୟିକା ହେବାକୁ ଉତ୍ସାହିତ କରିଛନ୍ତି । ନିଜ ପ୍ରତିଭାର ଉନ୍ମେଷ ପଥରେ ନାରୀ ଗୋଟିଏ ପରେ ଗୋଟିଏ ସାହଚର୍ଯ୍ୟ ପରିବର୍ତ୍ତନ କରିପାରେ, ସାଥୀ କିମ୍ବା ପ୍ରେମିକ ପରିବର୍ତ୍ତନ କରିପାରେ । ନାରୀ ହୃଦୟର ପ୍ରେମଭାବନା ପୁରୁଷ ଓ ସମାଜର ଜୈବିକ ତଥା ବସ୍ତୁବାଦୀ ସ୍ଵାର୍ଥସାଧନାର ଇନ୍ଧନ ନ ହୋଇ ଆତ୍ମଉତ୍ତରଣର ଏକ ମାଧ୍ୟମ ହେବାକୁ କେଉଁ ପୁରୁଷ ସହ୍ୟ କରିପାରିବ ? ଜ୍ଞାନ ଆହରଣର ପଥରେ କୌଣସି ପୁରୁଷ ସାଥୀର ସାହଚର୍ଯ୍ୟକୁ ଅତିକ୍ରମ କରିଗଲା ବେଳେ ତାକୁ ସେହି ସାଥୀର ଅହଂବୋଧକୁ ମଧ୍ୟ ଆଘାତ କରିଯିବାକୁ ହେବ । ସର୍ବଂସହା କହି କହି ନାରୀ ଛାତିରେ ପାଦରଖି ଅନୁଭୁତିର ଉତ୍ତରଣ ପାଇଁ ପ୍ରୟାସୀ ଥିବା ପୁରୁଷ ନାରୀ ପାଇଁ ଅନୁରୂପ ଭାବେ ସହନଶୀଳ ହେବା ପସନ୍ଦ କରେ ନାହିଁ । ତେଣୁ କ୍ଵଚିତ୍ ପୁରୁଷଙ୍କ ନିକଟରେ ନାରୀ ସର୍ବବିଧ ବୌଦ୍ଧିକ ଓ ଆତ୍ମିକ ସମୃଦ୍ଧିରେ ସହାୟକ ହେବାର ଯୋଗ୍ୟତା ଥାଏ । ଏପରିକି ନିଜର ସାମାଜିକ ଅହଙ୍କାରକୁ ବଳିଦେଇ ନାରୀକୁ ତାର ଅନୁଭୂତି ସଂଗ୍ରହ ଓ ଜ୍ଞାନାର୍ଜନ ପଥରେ ସହଯୋଗ କରୁଥିବା ପୁରୁଷକୁ ସମାଜ ପାଗଳ ବା ପୁରୁଷତ୍ୱହୀନ କରି ବିଦ୍ରୂପ କରିବାକୁ ପଛାଏ ନାହିଁ । କିନ୍ତୁ ଭଲପାଉଥିବା ନାରୀଟିର ସର୍ବାଙ୍ଗୀନ ଉନ୍ନତି ପ୍ରତି ଦୃଷ୍ଟିରଖି ତାକୁ ଜଣେ ସ୍ୱାଧୀନ ଓ ମୁକ୍ତ ମଣିଷ ଭାବେ ସଖ୍ୟପ୍ରଦାନ କରିବାକୁ ଯେ କି ପ୍ରଚଣ୍ଡ ପୌରୁଷ ଲୋଡ଼ା ହୁଏ ତା କେବଳ ଅନୁଭବୀ ହିଁ ଜାଣିପାରେ । ସମାଜସମ୍ମତ ଅହଙ୍କାର ଓ ଅଧିକାରକୁ ଅସ୍ୱୀକାର କରୁଥିବା ପ୍ରିୟ-ନାରୀଟିକୁ ସମାଜର ଜୈବିକ ଓ ବୈଷୟିକ ଶୃଙ୍ଖଳ ଭିତରୁ ମାନବିକ ଚେତନାର ମୁଗ୍ଧ ଶୃଙ୍ଖଳା ଭିତରକୁ ବାଟ କଢ଼େଇ ଆଣୁଥିବା ପୁରୁଷର ଦିବ୍ୟ-ବ୍ୟକ୍ତିତ୍ଵକୁ କେବଳ ସେଇ ନିନ୍ଦିତା ଦିବ୍ୟ-ନାରୀଟି ହିଁ ବ୍ୟାଖ୍ୟା କରିପାରିବ ସିନା !

 

ଆଲୋଚ୍ୟ ପ୍ରବନ୍ଧରେ ସଚ୍ଚିବାକୁ ନାରୀକୁ କେବଳ ସାମାଜିକ ଶୃଙ୍ଖଳ ନୁହେଁ, ସମସ୍ତ ମାନସିକ, ଦୈହିକ ଏପରିକି ଆବେଗଗତ ବନ୍ଧନରୁ ମଧ୍ୟ ମୁକ୍ତି ଦେବାର ସାହସ କରିଛନ୍ତି । ସମାଜ, ସଂସାର ଓ ଅନ୍ଧ ଆବେଗର ଘୂର୍ଣ୍ଣି ଭିତରେ ନାରୀ-ପ୍ରତିଭାର ଉତ୍ତରଣ ଯେ ଆଦୌ ସମ୍ଭବ ନୁହେଁ ଏହା ସେ ଭଲଭାବେ ହୃଦୟଙ୍ଗମ କରିଛନ୍ତି । ସୂକ୍ତି ଭିତରୁ ମୁକ୍ତା ଉତ୍ତୋଳନ କଲାପରି ସେ ପରମ୍ପରାପିଷ୍ଟ ନାରୀ ଭିତରୁ ସ୍ୱୟଂସିଦ୍ଧା ନାରୀ-ବ୍ୟକ୍ତିତ୍ୱର ଉନ୍ମେଷ ନିମନ୍ତେ ଯତ୍ନଶୀଳ ହୋଇଛନ୍ତି । ନିଜର ବ୍ୟକ୍ତିଗତ ଆଗାତ-ଅପମାନକୁ ବେଖାତିର କରି ସେ ପ୍ରିୟ ନାରୀକୁ ପୂର୍ଣ୍ଣତମା କରି ଗଢ଼ିବାର ସ୍ଵପ୍ନ ଦେଖିଛନ୍ତି । କାରଣ ତାଙ୍କର କବି-ପ୍ରାଣ ଜାଣେ ସମଗ୍ର ନାରୀଜାତି ବସୁଧା ହୋଇପାରନ୍ତି, କିନ୍ତୁ ଜଣେ ଚେତନାମୟୀ ନାରୀ ନିଜ ଭିତରେ ବସୁଧାକୁ ଧାରଣ କରିବାର କ୍ଷମତା ରଖେ । ଏବଂ ଏପରି ନାରୀର ଉନ୍ମେଷ ଓ ବିକାଶ ବ୍ୟତିରେକ ମାନବ ଜାତିର ଉତ୍ତରଣ ସୁଦୂର-ପରାହତ ହୋଇପଡ଼ିବ ।

 

ନାରୀର ଅନ୍ତରାତ୍ମାର ସଂଘର୍ଷର ଇତିହାସ ପରିପ୍ରେକ୍ଷୀରେ ବିଚାର କଲେ ଏହି ପ୍ରବନ୍ଧକୁ କ୍ରାନ୍ତିର କ୍ରାନ୍ତି କୁହାଯାଇପାରେ । ସେହି ଦୃଷ୍ଟିରୁ ଏହାର ପ୍ରାବନ୍ଧିକ ସଚ୍ଚି ରାଉତରାୟକୁ ଏକ ଦୁଃସାହସିକ ମାନସିକ-ଯୁଦ୍ଧଯାତ୍ରାର ସମର୍ଥ ନାୟକର ବିଶେଷଣରେ ମଣ୍ଡିତ କରିବା ଅସମୀଚୀନ ହେବ ନାହିଁ ।

 

କପାଳେଶ୍ୱର, କେନ୍ଦ୍ରାପଡ଼ା-୭୫୪୨୧୧

***

 

ସଚ୍ଚି ରାଉତରାୟଙ୍କ କବିତାରେ ନାରୀର ବିବର୍ତ୍ତନ

ଡକ୍ଟର ଅରୁଣା ମହାନ୍ତି

 

ଆଧୁନିକ ଓଡ଼ିଆ କବିତାରେ କବି ସଚ୍ଚି ରାଉତରାୟ ଯେଉଁ ନୂତନ ମୋଡ଼ ସୃଷ୍ଟି କଲେ; ତାହା ଆଧୁନିକ ଓଡ଼ିଆ କବିତାର ଗତିଧାରାକୁ ଯେ ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ କରିଛି, ଏହା କହିବା ବାହୁଲ୍ୟ ମାତ୍ର । ଆଧୁନିକ ଜୀବନର ସଂଶୟ, ଦ୍ୱନ୍ଦ୍ୱ, ସଂଘାତ, ନୈରାଶ୍ୟ, ହତାଶା ସହ ମୂଲ୍ୟବୋଧହୀନ ସମାଜର ବିକ୍ଷୁବ୍ଧ ସ୍ୱରୂପଟି ହେଉଛି କବି ସଚ୍ଚି ରାଉତରାୟଙ୍କ କବିତାର ଭାବଭୂମି-। ପଲ୍ଲୀଶ୍ରୀର ପଲ୍ଲୀ-ଚେତନା ଉତ୍କଳୀୟ ନାରୀ ସମାଜର ସରଳ ତଥା ମୂଲ୍ୟବୋଧଭିତ୍ତିକ ଚିତ୍ର ପ୍ରଦାନ କଲାବେଳେ ଏହାର ପରବର୍ତ୍ତୀ କାବ୍ୟ ସଙ୍କଳନମାନ ଆଧୁନିକ ସମାଜ ସଙ୍କଟ ଭିତରେ ତଲ୍ଲୀନ ହୋଇପଡ଼ିଛନ୍ତି । ପରାଧୀନ ଭାରତବର୍ଷ ଏବଂ ଦୁଇଦୁଇଟି ବିଶ୍ୱଯୁଦ୍ଧ ସମାଜରେ ଯେଉଁ ଅର୍ଥନୈତିକ, ସାମାଜିକ ତଥା ରାଜନୈତିକ ପଟ୍ଟ ପରିବର୍ତ୍ତନ କଲା, ତାହା କେବଳ କବି ରାଉତରାୟଙ୍କ କବିତାରେ ପ୍ରତିଫଳିତ ହେଲା ନାହିଁ, ବରଂ ସମକାଳୀନ ପାଶ୍ଚାତ୍ୟ ସାହିତ୍ୟରେ ଏହାର ସ୍ଵର ଅନୁରଣିତ ହେଲା । ତେଣୁ ପରିବର୍ତ୍ତିତ ସମାଜର ପୃଷ୍ଠଭୂମିରେ କବି ରାଉତରାୟଙ୍କ କବିତା କେବଳ ମୂଲ୍ୟବୋଧହୀନ ସମାଜର ଉତ୍କଟ ସ୍ୱରୂପକୁ ପ୍ରକାଶ କରିନାହିଁ, ବରଂ ତା’ରି ଭିତରେ ଅନ୍ୱେଷଣ କରିଛି ଏକ ପ୍ରଗତିଶୀଳ ସମାଜ । ଧ୍ୱଂସର ଆବର୍ତ୍ତରୁ ସୃଷ୍ଟି ହୋଇଥିବା ଏକ ନୂତନ ସଂସ୍କାରଧର୍ମୀ ସମାଜ । ଏତାଦୃଶ ଅନ୍ତର୍ଦୃଷ୍ଟି ଭିତରେ କବି ରାଉତରାୟଙ୍କ ସାମ୍ୟବାଦୀ ଦୃଷ୍ଟିଭଙ୍ଗୀ ଅନେକତଃ କବିତାଗୁଡ଼ିକରେ କବିଙ୍କ ବୈପ୍ଳବିକ ଚେତନା ସହ ସାମ୍ୟବାଦୀ ତଥା ପ୍ରଗତିଶୀଳ ଚେତନାର ପରିଚୟ ପ୍ରଦାନ କରିଛନ୍ତି । “ଏଇ ଯେ ଆସୁଛି ଝଡ଼, କର ସଖି ତା’ରେ ନମସ୍କାର, ତା’ ପଦେ ପ୍ରଣତି ବାଢ଼େ ଗିରି, ବନ, ନଦୀ ପାରାବାର । “ଝଡ଼’ କବିତାର ଏହି ପଂକ୍ତି ଭିତରେ କବିଙ୍କର ପ୍ରଗତିଶୀଳ ମନୋବୃତ୍ତ, ବୈପ୍ଳବିକ ଚେତନା ଓ ସାମ୍ୟବାଦୀ ଦୃଷ୍ଟିଭଙ୍ଗୀ ପ୍ରତିଫଳିତ ହୋଇଛି । ତତ୍ସହିତ ‘କର ସଖି ତା’ରେ ନମସ୍କାର’ ଏକ ନୂତନ ସ୍ୱରର ଓ ନୂତନ ଭାବଧାରାର ଆବାହନୀ ତୋଳିଛି । ସଖିକୁ ସମ୍ବୋଧନ କରି ଝଡ଼କୁ ସ୍ୱାଗତ କରିବାର ଅଭୀପ୍‌ସା ଯେଉଁ କବିଚେତନାରେ ମର୍ମରିତ ହୋଇଛି ସେ କବିର ଦୃଷ୍ଟିଭଙ୍ଗୀ ଯେ, ଅସାଧାରଣ ତାହା ନିଃସନ୍ଦେହ । କବି ରାଉତରାୟଙ୍କ ଦୃଷ୍ଟିରେ ନାରୀ ସଖି ବା ବାନ୍ଧବୀ ଭାବେ ପୁରୁଷ ସହ ଏକାଧାରାରେ ସଂଗ୍ରାମଶୀଳ ଓ ସଂସ୍କାରବାଦିନୀ ହୋଇପାରେ । ତେଣୁ ତାଙ୍କ କବିତାରେ ନାରୀ ଯଦିଓ ପ୍ରଥମାବସ୍ଥାରେ ସାଧାରଣ ପଲ୍ଲୀ ଲଳନା ଭାବରେ ଅବତୀର୍ଣ୍ଣା ହୋଇଛି, ପରବର୍ତ୍ତୀ କାଳରେ କିନ୍ତୁ ତା’ର ଉତ୍ତରଣ ହୋଇଛି ବିପ୍ଳବିଣୀ, ପ୍ରଗତିଶୀଳା ଓ ରାଜନୈତିକ ଚେତନାସମ୍ପନ୍ନା ଏକ ପୂର୍ଣ୍ଣାଙ୍ଗ ନାରୀ ଭାବରେ । ପାରମ୍ପରିକ ସମାଜରେ ତଥା ରକ୍ଷଣଶୀଳ ସମାଜରେ ନାରୀର ସ୍ଵରୂପଟି ରାଜନୈତିକ ଘନଘଟା ଓ ସାମାଜିକ ତାଡ଼ନାରେ ସମ୍ପୂର୍ଣ୍ଣ ଓଲଟପାଲଟ ହୋଇଯାଇଛି । ତେଣୁ ପରିବର୍ତ୍ତିତ ସମାଜର ଏହି ବିବର୍ତ୍ତିତ ନାରୀର ଚାରିତ୍ରିକ ବୈଶିଷ୍ଟ କବି ରାଉତରାୟଙ୍କ କବିତାର ଅନ୍ୟତମ ବୈଶିଷ୍ଟ୍ୟ ହୋଇପଡ଼ିଛି । ବିଶେଷକରି ଯୁଦ୍ଧୋତ୍ତର ସମାଜରେ ନାରୀର ପ୍ରଭାବ ଓ ପ୍ରତିଷ୍ଠା ଯେଭଳି ଏକ ସାମାଜିକ ବିପ୍ଳବର ସୂତ୍ରପାତ କରିଛି ତାହା କବି ରାଉତରାୟଙ୍କ କବିତାରେ ଅତି ମାର୍ମିକ ଭାବେ ପ୍ରକାଶ ଲଭିଛି । ଯାହାକି ଆଧୁନିକ ଓଡ଼ିଆ କବିତାର ଏକ ନୂତନ ଚିନ୍ତା ଓ ଚେତନାର ବାହକ ହେବାରେ ହୋଇଛି ସହାୟକ । ଏହି ପରିପ୍ରେକ୍ଷୀରେ ଦ୍ୱିତୀୟ ବିଶ୍ୱଯୁଦ୍ଧୋତ୍ତର ପୃଥିବୀ ଓ ତହିଁରୁ ଉଦ୍‌ବର୍ତ୍ତ ନାରୀ ଚେତନାରେ କବି ରାଉତରାୟଙ୍କ ଅନୁରଣିତ କାବ୍ୟସ୍ୱରକୁ ଅନୁଶୀନଳନ କରାଯାଇପାରେ । କବି ରାଉତରାୟଙ୍କ ଯୁଦ୍ଧୋତ୍ତର ସମାଜ ଏକ ବିକ୍ଷୁବ୍ଧ ସମାଜ । ମଣିଷର ଭାଗ୍ୟ ଓ ଭବିତବ୍ୟ ପାଇଁ ସେ ସମାଜ ଯେତିକି ଦୁର୍ଯୋଗ ସୃଷ୍ଟି କରିଛି ସେତିକି ସୁଯୋଗ ସୃଷ୍ଟି କରିଛି ନୂତନ ସୃଷ୍ଟି ନିମିତ୍ତ । ଯେଉଁଥିରେ ନାରୀ ହିଁ ହୋଇଛି ଆଧାର ଏବଂ କବି ରାଉତରାୟଙ୍କ ଦୃଷ୍ଟିରେ ଏହି ଆଧାରଟି ଏକ ନିର୍ଦ୍ଦିଷ୍ଟ ଚେତନାରେ ପରିଣତ ହୋଇଛି ।

 

ଦ୍ୱିତୀୟ ବିଶ୍ୱଯୁଦ୍ଧୋତ୍ତର ନାରୀର ସ୍ଵରୂପ :

ଦ୍ୱିତୀୟ ବିଶ୍ୱଯୁଦ୍ଧୋତ୍ତର ଆଣବିକ ବିସ୍ଫୋରଣ ସହିତ ଯୁଦ୍ଧୋତ୍ତର ସମାଜରେ ସଭ୍ୟତାର ସଂଶୟ ମଣିଷର ଅନ୍ତଶ୍ଚେତନାରେ ଯେଉଁ ନିଷ୍ଠୁର ପରିବର୍ତ୍ତନ ସଂଘଟିତ କଲା ତାହା ପରବର୍ତ୍ତୀ ସମାଜରେ ସୃଷ୍ଟି କଲା ଏକ ବିକ୍ଷୁବ୍ଧ ବାତାବରଣ । ପ୍ରଥମ ବିଶ୍ଵଯୁଦ୍ଧରେ ଯେଉଁ ସଂଶୟ ଅଙ୍କୁରିତ ହୋଇଥିଲା, ତାହା ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳକୁ ହେଲା ଆହୁରି ଘନୀଭୂତ । ଦୁଇ ଦୁଇଟି ବିଶ୍ଵଯୁଦ୍ଧର ଏଇ ବିସ୍ତୀର୍ଣ୍ଣ ସଂଶୟାତ୍ମକ ଦ୍ୱନ୍ଦ୍ୱ ଦେହଳୀ ମଧ୍ୟରେ ଗତି କରୁଥିବା ମଣିଷ ତାର ଚତୁଃପାର୍ଶ୍ଵରେ କେମିତି ପୃଥିବୀକୁ ଏକ ଭିନ୍ନ ଭାବରେ ଦେଖିବାକୁ ଆରମ୍ଭ କଲା । ଏକ ପକ୍ଷରେ ହିରୋସୀମା-ନାଗାସାକିର ବିଧ୍ୱସ୍ତ ଓ ବିକଳାଙ୍ଗ ମଣିଷ ନିକଟରେ ଜୀବନ ଏକ ଶୂନ୍ୟପାତ୍ର ଧରି ଠିଆ ହୋଇଥିବା ବେଳେ ଅନ୍ୟ ଦିଗରେ ଆରମ୍ଭ ହୋଇଯାଇଥିଲା ବିଜ୍ଞାନର ଜୟଯାତ୍ରା ଏବଂ ଏହି ଯାତ୍ରା ଫଳରେ ଏକ ସାମାଜିକ ସମୃଦ୍ଧି ମଧ୍ୟ କ୍ରମଶଃ ସଂଘଟିତ ହେବାରେ ଲାଗିଥିଲା । ବୈଷୟିକ କ୍ଷେତ୍ରରେ ଯେତିକି ଅପ୍ରତ୍ୟାଶିତ ସମୃଦ୍ଧି ଦେଖାଦେଲା ଦ୍ୱିତୀୟ ବିଶ୍ୱଯୁଦ୍ଧୋତ୍ତର କାଳରେ ସେତିକି ଜୀବନ ହୋଇପଡ଼ିଲା ବସ୍ତୁତାନ୍ତ୍ରିକ, ନୈରାଶ୍ୟଧର୍ମୀ ଓ ସୁବିଧାବାଦୀ । ଦ୍ଵିତୀୟ ବିଶ୍ୱଯୁଦ୍ଧୋତ୍ତର ସମାଜ କେବଳ ଅର୍ଥକୈନ୍ଦ୍ରିକ ହୋଇପଡ଼ିଲା । ମଣିଷ ମଣିଷ ମଧ୍ୟରେ ସଦ୍‌ଭାବ ଓ ସମ୍ପର୍କ ସ୍ଥାପନର ହେତୁ ହେଲା ଅର୍ଥ । ସାଧାରଣ ମଣିଷ ଧରିନେଇଥିଲା- ହୁଏତ ଦିନେ ନା ଦିନେ ବିଜ୍ଞାନ ତା’ର ସାମାଜିକ ଓ ଅର୍ଥନୈତିକ ସମସ୍ୟାର ସମାଧାନ କରିବ । ମାତ୍ର ଯୁଦ୍ଧୋତ୍ତର ପୃଥିବୀରେ ମଣିଷର ଏଇ ଭାବନା କ୍ରମଶଃ ପାଂଶୁଳ ହୋଇଉଠିଛି । ପାଂଶୁଳ ପୃଥିବୀରେ ମଣିଷ ନୈରାଶ୍ୟର ଏକ ନିଷ୍ଠୁର ଇଲାକାରେ ଇତସ୍ତତଃ ହେଉଥିଲା ବେଳେ ବିଜ୍ଞାନ ଭୁଲିନାହିଁ ତା’ର ପ୍ରଭାବ ଦେଖାଇବା ପାଇଁ । ଯୁଦ୍ଧୋତ୍ତର ସମାଜର ମଣିଷ ଉଦ୍ୟମ କରିଛି ବିଶ୍ୱ ସୃଷ୍ଟିର ରହସ୍ୟ ଉନ୍ମୋଚନ କରିବା ପାଇଁ, ଦ୍ୱିତୀୟ ବିଶ୍ୱଯୁଦ୍ଧରୁ ସମ୍ଭୂତ ନାନାଦି ସମସ୍ୟା ଯଦିଓ ମଣିଷର ମନକୁ ଉଦ୍‍ବେଳିତ କରିଛି, ତଥାପି ସେହି ସମସ୍ୟାକୁ ସାମ୍ନା କରିବାର ପ୍ରଯତ୍ନ କରିଛି ମଣିଷ (୧) ଚିନ୍ତାଧାରାର ପରିବର୍ତ୍ତନ ସହ ବିଜ୍ଞାନର ପରିବର୍ତ୍ତନ ସଂଘଟିତ ହେଲା ପରେ ମଣିଷ ଉପଲବ୍ଧ କରିଛି ଯେ ସଭ୍ୟତା ଓ ସଂସ୍କୃତିର ବିକାଶ ନାମରେ ବିଜ୍ଞାନର ବ୍ୟୟବହୁଳ ଗବେଷଣା ତା’ର ସାମାଜିକ ପ୍ରଭାବ ଓ ପ୍ରତିଷ୍ଠା ଦିଗରୁ ଅତି ନଗଣ୍ୟ । କାଳକ୍ରମେ ଶିଳ୍ପ ସଭ୍ୟତାର ପ୍ରଗତି ମଣିଷର ଚେତନା ରାଜ୍ୟରେ ସୃଷ୍ଟି କଲା କଠୋର ଆଘାତ । ଏଡ଼େବଡ଼ ବିଶ୍ୱରେ ନିଜର ସ୍ଥିତିରେ ପୁଣି ଶିଳ୍ପ ସଭ୍ୟତା ଭିତରେ ବଞ୍ଚିବା ପାଇଁ ମଣିଷ ଯେପରି ହୋଇଉଠିଛି ଏକାନ୍ତ ନିସଙ୍ଗ ଓ ଅସହାୟ । ପାଶ୍ଚାତ୍ୟ ଶିକ୍ଷା ସଭ୍ୟତାର ପ୍ରକାଶ ଏ ଦେଶର ଜନଜୀବନରେ ଯୁଦ୍ଧୋତ୍ତର କାଳରେ ହିଁ ବିଶେଷଭାବେ ଅନୁଭୂତ ହୁଏ । ଏହି ପାଶ୍ଚାତ୍ୟ ଶିକ୍ଷା ଓ ସଭ୍ୟତା ଆଧୁନିକ ଜନଜୀବନରେ ଯେଉଁ ମୋହାଚ୍ଛନ୍ନ ଭାବଟି ସୃଷ୍ଟି କରିଛି ତାହା ସମାଜରେ ଶ୍ରେଣୀ ସଂଘର୍ଷ, ଗୋଷ୍ଠୀ ବିବାଦର ଅନ୍ୟତମ ହେତୁରେ ପରିଣତ ହୋଇଛି । ଗ୍ରୀସ୍ ସଭ୍ୟତା, ମିଶରୀୟ ସଭ୍ୟତା, ମେସୋପଟାମିଆ ସଭ୍ୟତା ଓ ଭାରତୀୟ ସଭ୍ୟତାର ବିକାଶ ଦ୍ଵାରା ସୃଷ୍ଟି ହୋଇଥିବା ଯୁଗ ଯୁଗର ମୂଲ୍ୟବୋଧ ଯୁଦ୍ଧୋତ୍ତର କାଳରେ କେବଳ ଯେ ବିପର୍ଯ୍ୟସ୍ତ ହୋଇପଡ଼ିଛି ତାହା ନୁହେଁ, ବରଂ ସମାଜର ନିୟମିତ ଆଚରଣ ଏହାଦ୍ୱାରା ପ୍ରତିହତ ହୋଇଛି । ଯୁଦ୍ଧ ପରବର୍ତ୍ତୀ ସମାଜ କେବଳ ଯେ ମୂଲ୍ୟବୋଧକୁ ଅସ୍ୱୀକାର କରିଛି ତାହା ନୁହେଁ, ପାରମ୍ପରିକ ନୀତି ନିୟମ, ଧର୍ମଧାରଣା ଓ ଆଚାର ବିଚାରକୁ ମଧ୍ୟ ଅସ୍ୱୀକାର କରିଛି । ଅନେକତଃ ସେ ଅପରିଣାମଦର୍ଶୀ ଓ ସମାଜ ପ୍ରତି ଅକୃତଜ୍ଞ ମଧ୍ୟ । (୨)

 

ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପ୍ରତିଭାର ବିକାଶ ଯେଭଳି ଭାବେ ଘଟିଛି ତାହାକୁ ସ୍ୱାଭାବିକ କହିହେବ ନାହିଁ । ପ୍ରତିସ୍ଫର୍ଦ୍ଧୀ ଶକ୍ତିମାନଙ୍କର ‘ଯୁଦ୍ଧଂଦେହି’ ଡାକରା ଭିତରେ ପୃଥିବୀର ପ୍ରଜ୍ଞାଶୀଳ ମଣିଷର ସୃଷ୍ଟିଧାରାରେ ଆସିଛି ଏକ ବିରାଟ ଧକ୍କା । ପୁଣି ପୃଥିବୀର ଅର୍ଥନୈତିକ ବ୍ୟବସ୍ଥା ପୁଞ୍ଜିବାଦୀ ରାଷ୍ଟ୍ରମାନଙ୍କ ହାତରେ ନିୟନ୍ତ୍ରିତ ହେଉଥିବାରୁ ବିଶ୍ୱର ଅନେକ ସ୍ଥାନରେ ହା-ଅନ୍ନର ବିକଟ ପ୍ରତିଧ୍ୱନି ଶୁଣାଯାଇଛି । ଦାରିଦ୍ର୍ୟ ନିପୀଡ଼ିତ ଏଇ ମଣିଷ ତେଣୁ ବସ୍ତୁବାଦୀ ସଭ୍ୟତାର ବନ୍ଦନା କରିବା ଏକ ଅସ୍ୱାଭାବିକ ଘଟଣାରେ ହିଁ ପରିଣତ ହୋଇଛି । ବିଶ୍ଵଯୁଦ୍ଧ ପରେ ୧୯୪୭ ମସିହାରେ ଭାରତରେ ସ୍ଵାଧୀନତା ଆସିବା ପରେ ପରାଧୀନ ଭାରତୀୟ ଜନତା ଯେଉଁ ସ୍ୱପ୍ନରେ ମସ୍‌ଗୁଲ ହୋଇ ଉଠିଥିଲା ତାହା ରାଜନୈତିକ ସ୍ୱାର୍ଥପରତା, ବ୍ୟକ୍ତିଗତ ସ୍ଵାର୍ଥସିଦ୍ଧି, ସମାଜବାଦ ନାମରେ ପୁଞ୍ଜିବାଦର ପ୍ରସାର ଭିତରେ ହିଁ ବିଡ଼ମ୍ବିତ ହୋଇଗଲା । ତେଣୁ ଯୁଦ୍ଧୋତ୍ତର ପୃଥିବୀର ସଂଶୟ ସ୍ଵାଧୀନୋତ୍ତର ଭାରତରେ ଆହୁରି ପ୍ରଚଣ୍ଡ ତଥା ଉଗ୍ରରୂପ ଧାରଣ କଲା କହିଲେ ଅତ୍ୟୁକ୍ତି ହେବ ନାହିଁ । ଏକ ପକ୍ଷରେ ସବୁକଥାକୁ ଅର୍ଥକୈନ୍ଦ୍ରିକ ଦୃଷ୍ଟିଭଙ୍ଗୀରେ ଆକଳନ କରାଗଲାବେଳେ ଅପରପକ୍ଷରେ ପରସ୍ପର ପ୍ରତି ଅବିଶ୍ଵାସ ଓ ସନ୍ଦେହ କେବଳ ଯେ ସାମାଜିକ ମୂଲ୍ୟବୋଧକୁ ବିଧ୍ୱଂସ କରିଦେଲା ତାହା ନୁହେଁ, ବରଂ ସାମାଜିକ ସହାବସ୍ଥାନରେ ସୃଷ୍ଟି କଲା ଏକ ବିରାଟ ଫାଙ୍କ, ଏକ ବିରାଟ ବ୍ୟବଧାନ । ପରିଣତି ହେଲା ବୁଦ୍ଧିଜୀବୀଙ୍କ ମାନସିକ ପ୍ରତିକ୍ରିୟାରୁ ସଂଜାତ ଏକ ନୂତନ ସୃଷ୍ଟିଶୀଳତା ।

 

ସଭ୍ୟତାର ଶୈଶବ ଓ ମଧ୍ୟଯୁଗରୁ ଆରମ୍ଭ କରି ବହୁକାଳ ପର୍ଯ୍ୟନ୍ତ ସାହିତ୍ୟ ଓ ଶିଳ୍ପକଳା ଥିଲା ଅନେକତଃ ଈଶ୍ଵର ବିଶ୍ଵାସୀ ଉପରେ ପ୍ରତିଷ୍ଠିତ ଓ ଧର୍ମଧାରଣା କୈନ୍ଦ୍ରିକ । ଅସଂଖ୍ୟ ମନ୍ଦିର, ମସ୍‌ଜିଦ୍, ଗୀର୍ଜା, ତୋରଣ, ମିନାର ଆଦି ସମଗ୍ର ଏସିଆ ଓ ୟୁରୋପର ସାଂସ୍କୃତିକ ପ୍ରଭାବ ଓ ପ୍ରତିଷ୍ଠାର ପରିଚୟ ଦେବାରେ ସମର୍ଥ ହେଉଥିଲା । ମାତ୍ର ଯୁଦ୍ଧୋତ୍ତର ଧରିତ୍ରୀ ଧର୍ମବିଶ୍ଵାସ ଓ ସାଂସ୍କୃତିକ

 

୨.

“The earth has yeilded to us great quantities of energy and wealth. Yet we have not played the role of wise husband man. Our earth is wounded, and we are weilding the death weapon Out collective selffishness may kill us unless we find a new way to live."

(Gentry, Jerry – "A new lock at the Energy Crises"

- An essay Published in "The plain truth.” – July- August, 1973.)

 

ପରମ୍ପରାରେ ବାସ୍ତବତାର ଅନ୍ୱେଷଣ କରି ସେସବୁକୁ ପରିତ୍ୟଜ୍ୟ କଲା । ଇତିହାସର ନିଷ୍ଠୁର ପରିହାସରେ ଧର୍ମ ପ୍ରତି ଲୋକମାନେ ଆସ୍ଥା ହରାଇ ବସିଲେ । ଯାହାର ପରିଣତି ହେଲା ହେତୁବାଦୀ ଚିନ୍ତାଧାରାର ପରିପ୍ରକାଶ । ଡାରଉଇନ, ହରୁମ, ହ୍ୱାଇଟ୍‍ହେଡ୍‍କାଣ୍ଟ, ବାର୍ଗ ସଁ ପ୍ରଭୃତି ଚିନ୍ତାନାୟକଗଣ ବିଶ୍ୱରେ ଚିନ୍ତା ଚେତନାର ପରିପ୍ରକାଶ ଘଟାଇଲେ । ଔଦ୍‌ଯୌଗିକ ବିପ୍ଳବର ପ୍ରାକ୍ କାଳରେ ସାହିତ୍ୟରୁ ରୋମାଣ୍ଟିକ୍ ସ୍ଵର ଅନ୍ତର୍ହିତ ହୋଇଗଲା ଏବଂ ସାହିତ୍ୟିକ ଚିନ୍ତା ବିଶେଷତଃ ବସ୍ତୁକୈନ୍ଦ୍ରିକ ଓ ବାସ୍ତବାଭିମୁଖୀ ହୋଇଉଠିଲା । ଦ୍ଵିତୀୟ ବିଶ୍ୱଯୁଦ୍ଧ ପରେ ପରିସ୍ଥିତିର ଜଟିଳତାକୁ ସାହିତ୍ୟିକମାନେ ହୃଦୟଙ୍ଗମ କରି ସାହିତ୍ୟ କ୍ଷେତ୍ରରେ ଆଧୁନିକ ଚେତନାର ବ୍ୟାପକ ପ୍ରସାର ଘଟାଇଲେ । ପାଶ୍ଚାତ୍ୟ ଜଗତରେ ଇଲିଅଟ୍, କିସ୍‍ଟ ଏଜରାପାଉଣ୍ଡ, ୟେଟସ୍ ଆସି କବିଗଣ ଯୁଦ୍ଧୋତ୍ତର ସମାଜର ନଗ୍ନ ରୂପକୁ ତାଙ୍କର କାବ୍ୟ କବିତାରେ ଯେପରି ଅତି ମାର୍ମିକ ଭାବେ ରୂପ ଦେଲେ ତାର ପ୍ରଭାବ ଯେ ସାରା ବିଶ୍ୱରେ ସାହିତ୍ୟିକମାନଙ୍କ ଉପରେ ପଡ଼ିଲା, ଏହା କହିବା ବାହୁଲ୍ୟ ମାତ୍ର । ଆଧୁନିକ ଓଡ଼ିଆ କାବ୍ୟ ଜଗତରେ ଏହି ସମାଜର ପ୍ରତିଚ୍ଛବି ପ୍ରଥମ କରି କବି ରାଉତରାୟଙ୍କ କାବ୍ୟ ମାନସକୁ ଅତ୍ୟନ୍ତ ଆବେଗ ଅଧୀର ତଥା ଉଚ୍ଚାଟିତ କରିପାରିଛି । “ପାଣ୍ଡୁଲିପି’ର ଉତ୍ତରାର୍ଦ୍ଧ ସୃଷ୍ଟି ବେଳେ କବି ରାଉତରାୟଙ୍କର ଇଲିଅଟ୍‍ଙ୍କ ପ୍ରତି ଆସିଛି ଏକ ଦୁର୍ବାର ଆକର୍ଷଣ । ତେଣୁ ତାଙ୍କ କବିତାରେ ଯୁଦ୍ଧୋତ୍ତର କାଳୀନ ସମାଜର ଯେତେଗୁଡ଼ିଏ ପ୍ରତିରୂପ ଦୃଷ୍ଟିପଥାରୂଢ଼ ହୁଅନ୍ତି ସେ ସବୁ ଅଧିକାଂଶ ଯୁଦ୍ଧୋତ୍ତର ବିଶ୍ୱର ପରିବର୍ତ୍ତିତ ଚିନ୍ତାଚେତନା ତଥା ଦ୍ୟୋତନାର ପ୍ରତିରୂପ ମାତ୍ର । ତାଙ୍କ କବିତାରେ ନାରୀ ଏହି ସବୁ ପ୍ରତିରୂପ ମଧ୍ୟରେ ଏକ ସାର୍ଥକ ସୃଷ୍ଟି ।

 

୧୯୪୩ ମସିହାରେ ଦ୍ୱିତୀୟ ବିଶ୍ୱଯୁଦ୍ଧର ଘନଘଟା ସମଗ୍ର ପୃଥିବୀକୁ ଅପସରି ଯାଉ ନା ଯାଉଣୁ ଏକ ଅପସୃୟମାନ ସାମାଜିକ ସଂସ୍ଥିତି ପାଇଁ ଲୋକଚିତ୍ତରେ ଯେଉଁ ବ୍ୟାକୁଳ ଭାବ ପ୍ରକାଶ ପାଇଲା, ତାହା କେବଳ ପୁରୁଷ ପ୍ରଧାନ ସମାଜରେ ସୀମାବଦ୍ଧ ହୋଇ ରହିପାରିଲା ନାହିଁ । ବରଂ ଏହା ନାରୀ ସାମାଜିକ ସ୍ଥିତି ପାଇଁ ସୃଷ୍ଟି କଲା ଏକ ପ୍ରଚଣ୍ଡ ଆହ୍ୱାନ । “ପାଣ୍ଡୁଲିପି’ର ‘ପ୍ରତିମା ନାୟକ ଏହି ଆହ୍ୱାନର ମୋହମୁଗ୍ଧ ନାରୀ ଚରିତ୍ରଟିଏ । ୧୯୪୩ ମସିହାର ଯନ୍ତ୍ରଣାକାତର ପୃଥିବୀର ସେ ହେଉଛି ଏକ ସର୍ବଂସହା ନାରୀ ଚରିତ୍ରଟିଏ । ସେପରି କୌଣସି ଦୈହିକ ଆକର୍ଷଣ ନଥିବା, ମୁହଁରେ ଦୁଷ୍ଟବ୍ରଣର ଆସରରେ ଅସୁନ୍ଦର ପ୍ରତିମା ନାୟକର ଜୀବନରେ ଯେପରି ସକଳ ବ୍ୟର୍ଥତା ହେଇଛି ପୁଞ୍ଜୀଭୁତ । ଜୀବନରେ କେବେ ଥରେ ଅଧେ ପ୍ରେମରେ ପଡ଼ିଥିବା ପ୍ରତିମା ନାୟକର ପିତୃହାନୀ, ଋଣଭାର, ଗୃହଭେଦ ପୁଣି ତାହା ସହ ବାହାଘର ଭାଙ୍ଗିଯିବା ଏବଂ ଅର୍ଥନୈତିକ ଦୁରବସ୍ଥା ପାଇଁ ପାଠପଢ଼ା ବନ୍ଦ ହେବା ତା’ ଜୀବନର ସକଳ ବ୍ୟର୍ଥତାର ସୂଚନା ଦିଏ । ଏସବୁ କାରଣ ପାଇଁ କବି ପାରିପାର୍ଶ୍ୱିକ ଅବସ୍ଥା, ବିଶେଷ କରି ଯୁଦ୍ଧୋତ୍ତର କାଳର ବିଭୀଷିକାକୁ ହିଁ କବି ଅଧିକ ଦାୟୀ କରିଛନ୍ତି । (୩) କିନ୍ତୁ ଯୁଦ୍ଧୋତ୍ତର ସମାଜର ଧରିତ୍ରୀ ‘ପ୍ରତିମା ନାୟକ’ର ବଞ୍ଚିବା

 

୩.

“ଉଣିଶ୍’ ତେୟାଳିଶ ପୁଣି...

ଚାଟି ନେଲା ଯାହାକିଛି ବାକୀ, ସବୁ ଦେଖିଶୁଣି-

ସପ୍ଲାଇରେ ନେଇଚି ଆଶ୍ରୟ

ଦରମାଟା ମନ୍ଦ ନୁହେଁ, ଏଇ ତା’ର ଦୀର୍ଘ ପରିଚୟ ।”

 

(ସଚ୍ଚି ରାଉତରାୟ- ପ୍ରତିମା ନାୟକ, ପାଣ୍ଡୁଲିପି, ସଚ୍ଚି ରାଉତରାୟ ଗ୍ରନ୍ଥାବଳୀ, ପ୍ରଥମ ଭଗ, ଗ୍ରନ୍ଥମନ୍ଦିର, ପ୍ରଥମ ସଂସ୍କରଣ- ୧୯୬୫, ପୃ-୯୪ ।)

 

ପାଇଁ ସଂଘର୍ଷରେ ଯେତେ ବାଧା ସୃଷ୍ଟି କଲେ ମଧ୍ୟ ସଂଘର୍ଷ ତା’ ପାଇଁ ଅନିବାର୍ଯ୍ୟ ଓ ସଂଘର୍ଷ ପାଇଁ ବଞ୍ଚିବା ତା’ ପାଇଁ ଜରୁରୀ ହୋଇଉଠିଛି । ହୁଏତ ସେ ବଞ୍ଚିବାରେ ସ୍ଵପ୍ନ ନାହିଁ, ସେ ବଞ୍ଚିବାରେ ରଙ୍ଗ ନାହିଁ, ସେ ବଞ୍ଚିବାରେ ନିଶା ନାହିଁ, କିନ୍ତୁ ନାରୀ ଚରିତ୍ରର ପାରମ୍ପରିକତା ବିରୁଦ୍ଧରେ ପ୍ରତିମା ନାୟକର ବଞ୍ଚିବା ହେଉଛି ଏକ ପ୍ରତିକ୍ରିୟା ଓ ସ୍ଥାଣୁହୀନ ଝୁଙ୍କ । (୪) ‘ପ୍ରତିମା ନାୟକ’ କବିତାଟି କବି ରାଉତରାୟଙ୍କର ଯୁଦ୍ଧୋଉରକାଳୀନ ଏକ ସାର୍ଥକ ସୃଷ୍ଟି । ‘ଶଙ୍ଖ' ପତ୍ରିକାର ପ୍ରଥମ ବର୍ଷ ତୃତୀୟ ସଂଖ୍ୟାରେ ପ୍ରକାଶିତ ଏହି କବିତାରେ- ଉଲ୍ଲିଖିତ ‘ସ୍ୱପ୍ନ ଆଉ ବାସ୍ତବର ମୁହାଣ ସେପାରେ’ ‘ଆମପଛେ ଶୋଇଥିଲା – ଦୀର୍ଘ ଦୁଇବର୍ଷର ଦୁନିଆଁ’ ଧୂସର ଧୂମାଳ, ଧ୍ୱାନ୍ତ, ଭୟଙ୍କର ପୁଣି ଯୁଦ୍ଧରତ” ଏବଂ “ଲାସକଟା ଘର”, “ଦୁକୁଦୁକୁ ଜଳୁଥିବା ହାରିକେନ୍ ବତି” ଆଦି ପରିବେଶ ଦ୍ୱିତୀୟ ବିଶ୍ୱଯୁଦ୍ଧୋତ୍ତର ଆତଙ୍କିତ ସ୍ଥିର ସ୍ତବ୍ଧ ପୃଥିବୀର ଚିତ୍ର ପ୍ରଦାନରେ ଯେତିକି ସହାୟକ ହୋଇଛି ପ୍ରତିମା ନାୟକ ପରି ଯୁଦ୍ଧବିକ୍ଷୁବ୍ଧ ସମାଜରୁ ଉଦ୍‌ଭୂତ ହୋଇଥିବା ନାରୀ ଚରିତ୍ରର ସ୍ୱରୂପ ପ୍ରକଟରେ ସେତିକି ସହାୟକ ହୋଇଛି ।

 

ଯୁଦ୍ଧୋତ୍ତର ସମାଜ ଏକ ଯନ୍ତ୍ରଣାକାତର ଜଟିଳ ସମାଜ । କ୍ଷୟକାଶ ରୋଗୀ ପରି ଏ ସମାଜ ସବୁବେଳେ ଜୀବନ ପ୍ରତି, ସ୍ଥିତି ପ୍ରତି ବେଶ୍ ଶଙ୍କାଗ୍ରସ୍ତ । ଶାନ୍ତି ନାହିଁ, ପ୍ରେମ ନାହିଁ, ମୈତ୍ରୀ ନାହିଁ, ଖାଲି ଆଶଙ୍କା, ହତାଶା, ନୈରାଶ୍ୟ ମଧ୍ୟରେ ଜୀବନ ଏଠି ଶଙ୍କାକୁଳ, ସ୍ଥିତି ଏଠି ଦୋଦୁଲ୍ୟମାନ । ସଂଘର୍ଷରେ ବଞ୍ଚିବା ହେଉଛି ଯୁଦ୍ଧୋତ୍ତର ସମାଜରେ ଏକମାତ୍ର ସତ୍ୟ । ଏହାର ପୂର୍ବବର୍ତ୍ତୀ ସମାଜ ଥିଲା ପାରମ୍ପରିକ ଓ ଐକ୍ୟ ତଥା ସଂହତିବଦ୍ଧ । ସେତେବେଳେ ନାରୀ ଓ ପୁରୁଷ ମଧ୍ୟରେ ଏକ ନିର୍ଦ୍ଦିଷ୍ଟ ତାରତମ୍ୟ ପରିଲକ୍ଷିତ କରି ହେଉଥିଲା । ମାତ୍ର ଯୁଦ୍ଧୋତ୍ତର ସମାଜରେ ନାରୀ ଓ ପୁରୁଷ ଏକ ସରଳରେଖାର ଆଗପଛ ବିନ୍ଦୁ ଭାବେ କଳ୍ପିତ ନ ହୋଇ ଦୁଇ ସମାନ୍ତରାଳ ରେଖା ଭାବେ ବିବେଚିତ ହୋଇଛନ୍ତି । କାରଣ ଏଠି ନାରୀ ମଧ୍ୟ ପରିସ୍ଥିତି ଦୃଷ୍ଟିରୁ ତା’ର ସ୍ଥିତି ପାଇଁ ସଂଗ୍ରାମ ବା ସଂଘର୍ଷରେ ଅବତୀର୍ଣ୍ଣ ହୋଇଛି । ଏଇ ନାରୀ ଜୀବନର ଉତ୍କଟ ସତ୍ୟଟି ପ୍ରତିଫଳିତ ହୋଇଛି । ‘ପ୍ରତିମା ନାୟକ’ ପରି ନାରୀ ଜୀବନରେ ।

 

ସାରଳା, ପଞ୍ଚସଖାଙ୍କ କାବ୍ୟରେ ନାରୀ ଶକ୍ତି ଭାବରେ ଚିତ୍ରିତା ହେଲାବେଳେ ଉପେନ୍ଦ୍ର, ଅଭିମନ୍ୟୁ, ଦୀନକୃଷ୍ଣଙ୍କ କାବ୍ୟକୃତିରେ ସେ କଳ୍ପନାର ନାୟିକା । ପୁଣି ସେ ବିଦଗ୍ଧା, ସୁବେଶିନୀ ଓ ରସିକିନୀ ଭାବେ ଚିତ୍ରିତା । ରାଧାନାଥ, ସତ୍ୟବାଦୀ ଓ ସବୁଜ ସାହିତ୍ୟରେ ଚିତ୍ରିତ ନାରୀଚରିତ୍ର ଅନେକତଃ ଯୁଗଧର୍ମ-ସ୍ୱୀକୃତ ତଥା ରକ୍ତମାଂସଧାରିଣୀ ସାଧାରଣ ନାରୀ ଭାବେ ରୂପାୟିତ । ପୁନଶ୍ଚ ଆଧୁନିକ ଯୁଗରେ ନାରୀ ସ୍ୱାଧୀନତା ଓ ସମାଜର ବିଭିନ୍ନ ସମସ୍ୟା ପରିପ୍ରେକ୍ଷୀରେ ନାରୀ ଜୀବନରେ

 

୪.

“ପ୍ରତିମା ନାୟକ ହସେ, ଓଠେ ତାର ସ୍ଵପ୍ନର ଆଭାସ ।

ମୁହଁରେ ଖାକୀର ହସ, ଆଖିରେ ତା’ ରାତିର ଇସାରା ।

ଦୁଇପାଖେ ଦ୍ରୁତବନ, ଗତିବାନ ନକ୍ଷତ୍ରର ଧାରା ।

ଆହା ! ହସୁ ହସୁ ପ୍ରତିମା ନାୟକ

ଅଞ୍ଚଳ ତା’ ନାଇ ଦେହେ, ଦେଖିଅଛି ଖାକୀର ପୋଷାକ ।’’

 

(ସଚ୍ଚି ରାଉତରାୟ– ପ୍ରତିମା ନାୟକ, ପାଣ୍ଡୁଲିପି, ଗ୍ରନ୍ଥମନ୍ଦିର, ପ୍ରଥମ ଭାଗ, ପ୍ରଥମ ସଂସ୍କରଣ, ୧୯୬୫, ପୃ୯୪ ।)

 

ଯେଉଁ ସାଂଘାତିକ ପରିବର୍ତ୍ତନର ସୂତ୍ରପାତ ଘଟିଛି, ତାହା ମଧ୍ୟ ତତ୍‌କାଳୀନ କବି ଲେଖନୀରୁ ବାଦ୍ ପଡ଼ି ନାହିଁ । ଏହାର ପରବର୍ତ୍ତୀ ଅତ୍ୟାଧୁନିକ ବା ପ୍ରଗତିଯୁଗରେ ନାରୀ ଚିତ୍ରାୟନର ଯେଉଁ ଭିନ୍ନ ଦିଗଟି ଲକ୍ଷଣୀୟ, ତାହା ସର୍ବାଧିକ ବୈଶିଷ୍ଟ୍ୟସମ୍ପନ୍ନ ହୋଇଉଠିଛି କବି ସଚ୍ଚି ରାଉତରାୟଙ୍କ କବିତାରେ । ତାହା ବାସ୍ତବିକ୍ ତାଙ୍କ ପୂର୍ବରୁ ସମସ୍ତ କବିଙ୍କ ନାରୀ ଚିତ୍ରାୟନଠାରୁ ଅନନ୍ୟ, ସ୍ଵାତନ୍ତ୍ର୍ୟପୂର୍ଣ୍ଣ ତଥା ତାତ୍ପର୍ଯ୍ୟମଣ୍ଡିତ ବୋଲି କୁହାଯାଇପାରେ ।

 

ନାରୀ ଚରିତ୍ର ମଧ୍ୟ ଦେଇ କେତେବେଳେ ସେ ପଲ୍ଲୀ ଜୀବନର ସ୍ଵରୂପକୁ ଆବିଷ୍କାର କରିଛନ୍ତି ତ କେତେବେଳେ ନାରୀର ପ୍ରେମ ଓ ପ୍ରଣୟ, ବିପ୍ଳବ ଓ ବିଦ୍ରୋହ, ସ୍ଵପ୍ନ ଓ ସମ୍ଭାବନାକୁ ରୂପ ଦେଇଛନ୍ତି ତାଙ୍କ କବିତା ମାଧ୍ୟମରେ । ସମାଜବୃତ୍ତର କେନ୍ଦ୍ରବିନ୍ଦୁରେ ନାରୀକୁ ରଖି ସେ ବିଚାର କରିଛନ୍ତି । ପଲ୍ଲୀ ଜୀବନଠାରୁ ଆରମ୍ଭ କରି ନଗର ଜୀବନ ପର୍ଯ୍ୟନ୍ତ, ରାଜନୀତିକ ପରିବେଶଠାରୁ ଆରମ୍ଭ କରି ବ୍ୟକ୍ତିକୈନ୍ଦ୍ରିକ ଜୀବନଚର୍ଯ୍ୟା ପର୍ଯ୍ୟନ୍ତ ନାରୀର ଭୂମି ଓ ଭୂମିକାକୁ କବି ଶ୍ରୀ ରାଉତରାୟ ଗଭୀର ଭାବେ ଉପଲବ୍ଧ କରିବା ସଙ୍ଗେ ସଙ୍ଗେ ରୂପ ଦେଇଛନ୍ତି ତାଙ୍କର ବିଭିନ୍ନ କବିତା ମାଧ୍ୟମରେ-

 

କବି ଶ୍ରୀ ରାଉତରାୟ ଜଣେ ସାର୍ଥକ ପ୍ରୟୋଗବାଦୀ ତଥା ପ୍ରଗତିବାଦୀ କବି ହୋଇଥିଲେ ମଧ୍ୟ ପଲ୍ଲୀ ଜୀବନ ପ୍ରତି ତାଙ୍କର ମୋହ ତାଙ୍କୁ ପ୍ରଥମେ ଜଣେ ପଲ୍ଲୀକବି ଭାବେ ପ୍ରତିଷ୍ଠିତ କରିଥିଲା । ବିଶେଷ କରି ଓଡ଼ିଶାର ପଲ୍ଲୀ ସମାଜର ନାରୀ ତାଙ୍କ କବିତାଗୁଡ଼ିକରେ ଅତି ଜୀବନ୍ତ ଭାବରେ ରୂପାୟିତ ହୋଇପାରିଛି । ତାଙ୍କର ‘ଛୋଟ ମୋର ଗାଁଟି’ କବିତାରେ ଓଡ଼ିଶାର ଗ୍ରାମ୍ୟଜୀବନର ପ୍ରତିଚ୍ଛବି ପ୍ରତିଫଳିତ ହୋଇଥିଲେ ହେଁ ଏଥିରେ ଗାଁର ଜଟିଆବୁଢ଼ୀ ଏବଂ ଜନୈକା ବିଧବାର ଚିତ୍ରକୁ କବି ଯେପରି ରୂପ ଦେଇଛନ୍ତି ତାହା ବାସ୍ତବିକ୍ ଅନନ୍ୟ । ଛୋଟ ମୋର ଗାଁଟି’ କବିତାରେ ଏହି ଜଟିଆ ବୁଢ଼ୀର ମୁହଁ ପୁଣି କାତି ଠାରୁ ଦାଢ଼, କିନ୍ତୁ ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ତାଙ୍କୁ ପୁଣି ସମସ୍ତେ ‘ଖୁଡ଼ୀ’ ବୋଲି ସମ୍ବୋଧନ କରନ୍ତି ।

 

“ଆବର ଥିଲା ଜଟିଆବୁଢ଼ୀ             ପିଲାଠୁ ବଡ଼ ସବୁରି ଖୁଡ଼ୀ,

କା ଘରେ କେତେ ମୂଷାର ଗାଡ଼       ସବୁ ତା’ ଜିଭେ ଥୁଆଟି,

ଛୋଟ ମୋର ଗାଁଟି ।

ମୁହଁଟା ତା’ର କାତିରୁ ଦାଢ଼              ପଣତକାନି ଛୁଆଇଁ ବାଡ଼

ଲଗାଇ କଳି ଝୁଣିବ ହାଡ଼             ଡାକିବ କେତେ କୁହାଟି,

ଛୋଟ ମୋର ଗାଁଟି ।"

(‘ଛୋଟ ମୋର ଗାଁଟି’, ପଲ୍ଲୀଶ୍ରୀ)

 

ପଲ୍ଲୀନାରୀ ରାତି ନ ପାହୁଣୁ ଶଯ୍ୟା ତ୍ୟାଗ କରି ଯେତେବେଳେ ସ୍ନାନ କରିବାକୁ ଡକାଡକି ହୋଇ ନଦୀକୁ ବାହାରନ୍ତି ସେତେବେଳେ ବାଟରେ ତାଙ୍କର ଅନେକ କଥା ପଡ଼େ । ଯେପରିକି କେଉଁ ବୋହୁ ବିଳମ୍ବରେ ଉଠିଲେ ଶାଶୁଠାରୁ ଭର୍ତ୍ସନା ମିଳେ, କେଉଁଠି ସାବତମା’ ଲୋକନିନ୍ଦା ଭୟରେ ଝିଅ ଉପରେ ବିରକ୍ତ ନ ହୋଇପାରିବା, କେଉଁଠି ଶାଶୁବୁଢ଼ୀକୁ ଆଧୁନିକା ବୋହୂର ଚାଲିଚଳନ ଭଲ ନ ଲାଗିବାରୁ ପୁଅ ଆଗରେ ସବୁ କହିଦେବ ବୋଲି ବୋହୂକୁ ଧମକ ଦେବା କଥା । ପୁଣି କିଏ ବୋହୂକୁ ଆକଟ କଲେ ଭାଇଭଗାରୀମାନେ ହସିବେ ବୋଲି ଭାବି ବୋହୂର ପ୍ରଶଂସା କରିବା ସହ ଭାଇଭଗାରୀମାନଙ୍କୁ ଗାଳିଦେବା କଥା ଏହିଭଳି ଅନେକ କଥା ପଡ଼େ । ଶାଶୁବୁଢ଼ୀର ସ୍ୱରୂପକୁ କବି ଶ୍ରୀ ରାଉତରାୟ ଯେପରି ତାଙ୍କର ‘ପଲ୍ଲୀଶ୍ରୀ’ କାବ୍ୟରେ ଚିତ୍ରିତ କରିଛନ୍ତି ତାହା ପଲ୍ଲୀ ଜୀବନର ଯେକୌଣସି ଶାଶୁର ସ୍ୱରୂପକୁ ପ୍ରକାଶ କରେ ।

 

ଏତଦ୍‌ବ୍ୟତୀତ ଗାଁର ଗରିବ ବାଉରାଣୀମାନେ ଝୁମୁରୀ କୋଳି ଓ ଗୁଞ୍ଜରପୋକ ସଂଗ୍ରହ କରି ଗାଁକୁ ଫେରିବା କଥା ଅତି ଜୀବନ୍ତ ଭାବେ ବର୍ଣ୍ଣନା କରିଛନ୍ତି ତାଙ୍କର ‘ପଲ୍ଲୀସଞ୍ଜ' କବିତାରେ ।

 

“କାମ ସାରି କ୍ଷେତୁ ବାହୁଡ଼ିଲେଣିତ ଝୋଲାମରା ଯେତେ ମୂଲିଆ

କାଠଗୋଛା ଧରି ଫେରେ କାଠୁରିଆ ଦିନସାରା ଖଟି ହାଲିଆ ।

ବାଉରାଣୀ ଯାକ ନଟାରୁ

ଫେରିଲେଣି ତୋଳି ଝୁମ୍ପୁରି, କୋଳି ନେଡ଼ି ନଖ କଲା ଅଠାରୁ ।

ଆଣିବି ଅବାକେ ଜାଳେଣି,

ଗୁଞ୍ଜର ପୋକ ଆଣିଚି କା କେହୁ ବିକିବାକୁ ପଡ଼େ ଭାଳେଣି ।

(ପଲ୍ଲୀସଞ୍ଜ.. ପଲ୍ଲୀଶ୍ରୀ)

 

ପଲ୍ଲୀଶ୍ରୀର ଜୀବନସଂଘର୍ଷରେ ପରାହତ ସୈନିକ ପରି ପଲ୍ଲୀବଧୂର ମନର ମଣିଷଟି ରେଙ୍ଗୁନ୍, କାଳିମାଟି ଯିବାକୁ ଏକପ୍ରକାର ବାଧ୍ୟ ହୋଇଛି । ଯିବା ସମୟରେ ତା’ର ସ୍ତ୍ରୀକୁ ପ୍ରବୋଧନା ଦେବା କଥା ଅତି ମର୍ମସ୍ପର୍ଶୀ ହୋଇଛି ତାଙ୍କ କବିତାରେ-

 

“ସୁନାଟି ମୋହର ତୁନିହୁଅ ତୁହି । ଗଲେଟି ରେଙ୍ଗୁନ ଭୂଇଁ

ଶୁଣ କହୁଛି ତୋ ଦେହଛୁଇଁ ।

ଗଢ଼ାଇ ଆଣିବି ରୂପାର ପାହୁଡ଼ । ଭାବନା ନକର ତୁହି ।

କରୁଛିଟି ପଣ ମୁହିଁ ।”

(ରେଙ୍ଗୁନ୍ ଯାତ୍ରୀ- ପଲ୍ଲୀଶ୍ରୀ)

 

ପୁନଶ୍ଚ ‘ପହିଲିରଜ’ କବିତାରେ ଗ୍ରାମ୍ୟ ପରିବେଶରେ ନାରୀମାନଙ୍କର ରଜ ଉତ୍ସବ ପାଳନର ଅତି ଜୀବନ୍ତ ଚିତ୍ର ଦେଇଛନ୍ତି କବି ଶ୍ରୀ ରାଉତରାୟ । ‘ଶିବପୂଜା’ କବିତାରେ ଅଛି, ନାରୀ ମନଗହନର ଅବ୍ୟକ୍ତ ଭାବ, ଭାବନାର ମନୋଜ୍ଞ ଚିତ୍ର । ଜାଗର ଦିନ ଶିବ ମନ୍ଦିରକୁ ଯାଇ ନାରୀମାନେ ଜାଗର ଜାଳିବା ସଙ୍ଗେ ସଙ୍ଗେ ପତିକୁ କୁଶଳରେ ବିଦେଶରୁ ଫେରାଇ ଆଣିବାକୁ କାମନା କରିବା, କିଏ ଉପଯୁକ୍ତ ପତିଟିଏ ପାଇବାକୁ ମନାସିବା ଓ କେଉଁ ମା’ ପୁଅର ରୋଗମୁକ୍ତ ପାଇଁ ଜାଗର ଜାଳି ସରଳ ବିଶ୍ୱାସରେ ଶିବଙ୍କ ପାଖରେ ମୁଣ୍ଡ ନୁଆଁଇବା ଇତ୍ୟାଦି ପଲ୍ଲୀଜୀବନ ଚରିତ୍ର ଅତି ପ୍ରାଞ୍ଜଳ ଭାବରେ ବର୍ଣ୍ଣିତ ହୋଇଛି ଶିବପୂଜା କବିତାରେ । ‘ମୁଁ ତ ଭ୍ରଥ ନାହାକ ଝୁଅ’ କବିତାରେ କବି ଭ୍ରଥନାହାକଙ୍କ ଭଳି ମକଦମଙ୍କ ଝିଅ ବାହାଡ଼ାଦାନ୍ତୀ ହେଲେହେଁ ସେ ନିଜକୁ କିପରି ଖୁବ୍ ବଡ଼ ମନେକରେ, କେହି ତାକୁ ଅଣ୍ଡିରୀଚଣ୍ଡୀ, ଆଟିକାପେଟି କହିଲେ ସେ ରାଗିଯାଏ, ଏବଂ ନିଜ ବାପାର ମକଦ୍ଦମପଣକୁ ନେଇ ସେ କିପରି ଗର୍ବ କରେ- ଏପରି ନାରୀଙ୍କର ଅଭାବ ମଧ୍ୟ ଗ୍ରାମ୍ୟ ଜୀବନରେ ନାହିଁ । ପୁଣି ଶ୍ରୀ ରାଉତରାୟ ତାଙ୍କର ‘ବାପା ବାପା ପକାଇଲା ହୁରି’ କବିତା ମାଧ୍ୟମରେ ପଲ୍ଲୀର ଏକ ଲଜ୍ଜାଶୀଳା ଜନନୀର ଚିତ୍ର ଯେପରି ଭାବରେ ପ୍ରଦାନ କରିଛନ୍ତି ତାହା କେବଳ ତାଙ୍କରି ଲେଖନୀ ମୁନରେ ହିଁ ସମ୍ଭବ ।

 

‘ପଲ୍ଲୀଶ୍ରୀ’ କବିତାକୁ ଛାଡ଼ିଦେଲେ ମଧ୍ୟ ଶ୍ରୀ ରାଉତରାୟଙ୍କ ‘ଭାନୁମତୀର ଦେଶ କବିତାରେ ପଲ୍ଲୀ ନାରୀର ଚିତ୍ର ସୁସ୍ପଷ୍ଟ । ଏଥିରେ ଗାଁର ଝିଅ କେତକୀ ଚିଠି ଲେଖିଛି ସହରର ଝିଅ ବିନତା ନିକଟକୁ । ବିନତା ତା’ ଭାଇ ତରଙ୍ଗକୁ ଭଲପାଏ । ତେଣୁ କେତକୀ ଲେଖିଛି ଯେ ତା’ ଭାଇ ଗାଁରେ ମାଛଚାଷ କରିବ, ମହୁଚାଷ କରିବା ମାତ୍ର ସହରକୁ ଆଉ ଯିବ ନାହିଁ । ବିନତା କିନ୍ତୁ ସହରର ଲୁହା ପିଞ୍ଜରାରେ ବନ୍ଦିନୀ । ସେ କହେ ଗାଁରେ ରହିଲେ ସେ ପାଗଳୀ ହୋଇଯିବ । କାରଣ ବାହ୍ୟ ଜଗତ ସହ ଗ୍ରାମ୍ୟ ଜୀବନର କୌଣସି ସମ୍ପର୍କ ନାହିଁ । ବିନତାର ଅଛି ଅଭିମାନ ଓ ଅହଙ୍କାର । କିନ୍ତୁ ପଲ୍ଲୀ ଜଗତରେ ବଢ଼ିଉଠିଥିବା ପଲ୍ଲୀଲଳନା କେତକୀର ନାହିଁ ଗର୍ବ, ନାହିଁ ଅହଙ୍କାର । ସେ ଦୀଘିରୁ ପାଣି ଆଣି ଗଛରେ ଦିଏ । ଶାଶୁଘରେ ଶାଶୁ ଓ ଯାଆମାନଙ୍କର ଗଞ୍ଜଣା ସହେ । ତଥାପି ସବୁ ଯନ୍ତ୍ରଣା ଓ ଦୁଃଖସତ୍ତ୍ୱେ ସେ ଗାଁ ମାଟିକୁ ଭୁଲିପାରି ନାହିଁ । ଗାଁର ଖୁଦୁରୁକୁଣି, ମାଣବସା, ରଜ ଆଦି ସବୁ ପର୍ବ ତାକୁ ଭଲ ଲାଗିଛି । କବି ଶ୍ରୀ ରାଉତରାୟ ‘ ଭାନୁମତୀର ଦେଶ’ କବିତା ପୁସ୍ତକରେ ସହର ଓ ପଲ୍ଲୀର ଦୁଇଟି ନାରୀ ଚରିତ୍ର ମାଧ୍ୟମରେ ଯେପରି ପଲ୍ଲୀନାରୀ ଚରିତ୍ର ଓ ନାରୀ ଜୀବନକୁ ନେଇ ପଲ୍ଲୀ ପରିବେଶରେ ନାରୀର ଅନ୍ତର୍ନିହିତ ବ୍ୟକ୍ତିତ୍ଵର କରିଛନ୍ତି ରସପୂର୍ଣ୍ଣ ରୂପାୟନ । ପଲ୍ଲୀର ନାରୀ ଶାନ୍ତ, ସୁନ୍ଦର, ଶୋଭାମୟୀ । ସେ ସରଳା, ଜଟିଳତା ତା’କୁ ସ୍ପର୍ଶ କରି ନାହିଁ । ଦୁଃଖ ଓ ଦୈନ୍ୟ, କଳହ ଓ ସଂଘର୍ଷ ମଧ୍ୟରେ ତଥାପି ତା' ଜୀବନରେ ଥାଏ ସାରଲ୍ୟ ଓ ପବିତ୍ରତା । ସରଳ ଧର୍ମ ଓ ବିଶ୍ୱାସ ଏମାନଙ୍କୁ ଆଚ୍ଛନ୍ନ କରିରଖିଥାଏ । ଅନ୍ଧବିଶ୍ୱାସୀ ହେଲେ ମଧ୍ୟ ସେମାନେ ତାହାକୁ ବିଶ୍ଵାସ ଭାବରେ ଗ୍ରହଣ କରିଥାନ୍ତି । ବୁଦ୍ଧି ଓ ବିଚାର ଅପେକ୍ଷା ବିଶ୍ୱାସ ଯେ ସେମାନଙ୍କ ଜୀବନରେ ଅମୂଲ୍ୟ ସମ୍ପଦ – ଏହି କଥାକୁ ଶ୍ରୀ ସଚ୍ଚି ରାଉତରାୟ ତାଙ୍କ କବିତାମାନଙ୍କରେ ରୂପ ଦେଇଛନ୍ତି ।

 

କବି ଶ୍ରୀ ରାଉତରାୟ ପଲ୍ଲୀ ଜୀବନର ସହଜ ସରଳ ନାରୀମାନଙ୍କ ବ୍ୟତୀତ ଶ୍ରମଜୀବୀ ସମାଜର ନାରୀମାନଙ୍କର ଚିତ୍ର ମଧ୍ୟ ଅତି ଜୀବନ୍ତ ଭାବେ ଚିତ୍ରିତ କରିଛନ୍ତି ତାଙ୍କ କବିତା ମାଧ୍ୟମରେ-। ତତ୍‌କାଳୀନ ସମାଜରେ ଶ୍ରମଜୀବୀ ନାରୀ ହେଉଛି କେବଳ ଏକ କ୍ରୀଡ଼ନକ । ଶୋଷିତ ସମାଜରେ ସେ ପ୍ରତିବାଦବିହୀନ ସରଳ ଆତ୍ମାଟିଏ । ସେ ସମାଜରେ ନାରୀ ଜୀବନ ଅସହାୟ, ନିଃସଂଗ । ସେ ରକ୍ତମାଂସ ଦେହଧାରିଣୀ ନାରୀ । ତେଣୁ ତା’ ଜୀବନରେ ମଧ୍ୟ ଅଛି ଆଶା ଓ ଆକାଂକ୍ଷା, କିନ୍ତୁ ଶ୍ରମଜୀବୀ ମଣିଷର ପତ୍ନୀ ଭାବେ ତା’ର ଆଶା, ଆକାଂକ୍ଷା ହୋଇଛି ବିଡ଼ମ୍ବିତ । ଅଭାବ, ଅନଟନ, ପୁଞ୍ଜିପତିର ଶୋଷଣ ଓ ଅତ୍ୟାଚାରରେ ତା’ର ପରିବାର ଅତ୍ୟାଚାରିତ ଓ ଶୋଷିତ । ଯେଉଁ ଶ୍ରମଜୀବୀ ମଣିଷଟି ଏଠି ଦିନରାତି ପରିଶ୍ରମ କରି ଦୁନିଆଁଯାକର ଇମରତ୍ ଗଢ଼େ, ସେଇ ହିଁ ରହେ ଅତି ଦୟନୀୟ ଭାବରେ । ସେ ବିଚରା ତା’ର ତେଲଲୁଣ ସଂସାରକୁ ପୁଞ୍ଜିପତିର ଶୋଷଣ ଦାଉରୁ ରକ୍ଷା କରିପାରେନା । ତା’ର ପତ୍ନୀ କେବଳ ତା’ର ଅସୁମାରୀ ଦୁଃଖକୁ ବୁଝିପାରି ନିଜେ ଭୋକ ଉପାସରେ ରହି ପତି ଓ ପିଲାଙ୍କ ପେଟ ପୁରାଏ-। ତା’ର ଏହି ଦୟନୀୟତାକୁ ପ୍ରକାଶ କରିବାକୁ ଯାଇ କବି ଶ୍ରୀ ରାଉତରାୟ ତାଙ୍କର ‘ରୁଟି’ କବିତାରେ ଲେଖିଛନ୍ତି-

 

‘‘ଉପାସ ଦାଉରେ ଶୁଖି ତ ଗଲାଣି ଭାରିଜା ସ୍ତନୁ କ୍ଷୀର

ଶିଶୁ ରେକୁଟିଛି ଶୁଖିଲା ଚମଡ଼ା - ଶୋଷରେ ନଫୁଟେ ଗୀର ।

କାନ୍ଦିବା ପାଇଁ ବଳ ନାହିଁ ତା’ର ଶୁଏ ସେ ମଲାଙ୍କ ପରି

ଜନନୀର ଆଖି ସମ୍ମୁଖେ ତା’ର ସନ୍ତାନ ଝୁରେ ମରି ।’’

(‘ରୁଟି’ - ଅଭିଯାନ)

 

ଶ୍ରମଜୀବୀ ସମାଜରେ ନାରୀ ଜୀବନ ଅତ୍ୟନ୍ତ କାରୁଣ୍ୟଜର୍ଜରିତ । ଏକପକ୍ଷରେ ଗାଉଁଲି ପରିବେଶ ସହ ଅପରପକ୍ଷେ ଅଭାବ, ଅନଟନର ମୁକାବିଲାରେ ଜୀବନରେ ବଞ୍ଚିବାର ସାର୍ଥକ ଅନ୍ୱେଷଣ ତା’ର ଜୀବନକୁ କରେ ହାହୁତାଶମୟ । ‘ଦେଖିଦେବୁ ତାକୁ’ କବିତାରେ କବି ଶ୍ରମଜୀବୀ ନାରୀ ପ୍ରତି ପୁଞ୍ଜିପତି ମଣିଷର ଦୃଷ୍ଟିହୀନ ଭଙ୍ଗୀକୁ ଶ୍ରମଜୀବୀ ମଣିଷର ଚେତନା ମଧ୍ୟରେ ରୂପାୟିତ କରିଛନ୍ତି-

 

‘‘ଆମରି ଭାରିଜା, ଭଉଣୀ ମହତ,

ନବ ବୋଲି ସିଏ କଲୁ ମେହନତ ।

ପାହାଡ଼ ଶିଖରେ ତୋଳିଲୁ ନିଅର,

ଲଫଟିର ସେଠି ବସିଛି ହାଟ ।”

(‘ଦେଖିନେବୁ ତାକୁ’ - ଅଭିଯାନ)

 

ପଲ୍ଲୀ ସମାଜରେ ନାରୀ ଜୀବନର ହର୍ଷ-ବିଷାଦକୁ ରୂପୂାୟିତ କରିଥିଲା ବେଳେ ଶ୍ରମଜୀବୀ ସମାଜରେ ନାରୀ ଜୀବନର ଶୋଷଣ-ପେଷଣର ଚିତ୍ରକୁ କବି ଏତେ ସ୍ପଷ୍ଟ ଓ ପ୍ରାଞ୍ଜଳ ଭାବେ ଚିତ୍ରିତ କରିଛନ୍ତି ଯାହାକି, ସାମୟିକ ସାହିତ୍ୟରେ ମିଳିବା କଷ୍ଟକର ।

 

କବି ସଚ୍ଚି ରାଉତରାୟଙ୍କ ଜୀବନର ପ୍ରାକ୍‍କାଳରେ ଯେପରି ପଲ୍ଲୀଭୂଇଁର ସବୁଜଶ୍ରୀ, ଚଞ୍ଚଳ ଚପଳ ଭାବର ମନ୍ମୟ ଚିତ୍ର ପ୍ରଦାନ କରିଛନ୍ତି ସେହିପରି ରୋମାଣ୍ଟିକ୍ ଆବେଗ ମଧ୍ୟରେ ଜୀବନର ଅନୁପମତାକୁ ମଧ୍ୟ ଦର୍ଶାଇଛନ୍ତି । ଜୀବନ କେବଳ ଦୁଃଖ ନୈରାଶ୍ୟର ଫଟାଭୂଇଁ ନୁହେଁ, ସେଥିରେ ମଧ୍ୟ ପଲ୍ଲୀର ସବୁଜଶ୍ରୀ ନିହିତ । ସେଠି ମନର ଉପକୂଳରେ ସ୍ୱପ୍ନପ୍ରବଣତାର ଝଡ଼ ମଧ୍ୟ ପ୍ରବାହିତ ହୋଇପାରେ । ତାଙ୍କର ‘ଲାବଣ୍ୟବତୀର ଚନ୍ଦ୍ରଭାନୁକୁ ଚିଟାଉ’ କବିତାରେ ରହିଛି ନାରୀ ହୃଦୟର ରୋମାଣ୍ଟିକ୍ ଭାବଧାରା । ‘ଅସମାପିକା’ କବିତାରେ କବି ‘ନନ୍ଦିକା’ ଚରିତ୍ର ମାଧ୍ୟମରେ ଚିରନ୍ତନୀ ନାରୀ ହୃଦୟର ଭାବକୁ ହିଁ ବ୍ୟକ୍ତ କରିଛନ୍ତି । ଏହି ନାରୀ ନିକଟରେ ପିତା, ମାତା, ବଂଶ ମର୍ଯ୍ୟାଦା ଓ ଦେଶ ହୋଇଯାଇଛି ପ୍ରିୟତମର ପ୍ରେମ ନିକଟରେ ଅତ୍ୟନ୍ତ ନଗଣ୍ୟ । ସବୁକିଛି ଛାଡ଼ି ସେ ପିତାର ଶତ୍ରୁ ନିକଟକୁ ଚାଲିଯାଇ ହୋଇଛି ପରିତ୍ୟକ୍ତା ଏବଂ ଶେଷରେ ଆତ୍ମହତ୍ୟା କରିଛି । ‘ନାରୀ ସଦା ନାରୀ’ – ନାରୀ ହୃଦୟର ଏହି ରୋମାଣ୍ଟିକ୍ ଚିତ୍ତବୃତ୍ତିକୁ କବିତା ମାଧ୍ୟମରେ ପ୍ରକାଶ କରିବାକୁ ଯାଇ କବି ଲେଖିଛନ୍ତି- “ନାରୀ ସଦା ନାରୀ’

 

ଏଇ ମନ୍ତ୍ର ଇତିହାସେ ହେ ରାଜକୁମାରୀ

ଦେଇଅଛି ତୁମେ ଉପହାର ।”

(“ଅସମାପିକା’- ପାଣ୍ଡୁଲିପି)

 

ସେହିପରି ‘ରାଜଜେମା’ କବିତାରେ ଏବଂ ମତ୍ସ୍ୟଗନ୍ଧା’ କବିତାରେ ଏକ ରୋମାଣ୍ଟିକ୍ ନାରୀ ହୃଦୟର ଭାବ ପ୍ରକଟିତ । “କବିତା ୧୯୬୨’ର ‘ମତ୍ସ୍ୟଗନ୍ଧା’ କବିତାରେ ସେ ନାରୀ- ‘ମାଛର ଆଖିରେ ତା’ର ଖାଲି ପଚାରିବା ହରରଙ୍ଗା ପ୍ରଶ୍ନର ପାହାଚ ।' କାବ୍ୟପୁରୁଷ ନାରୀକୁ ବର୍ଣ୍ଣନା କରିଛି ବିଭିନ୍ନ ଭାବରେ । ସେ ଭଲପାଇଛି ନାରୀର ଦ୍ରାବିଡ଼ ଆଖିକୁ, କଣ୍ଠସ୍ୱରକୁ । ନାରୀର ରେଶମୀ ଶ୍ଵାସର ଚଳପ୍ରଚଳ ତା’କୁ ଭଲ ଲାଗିଛି । ଭଲ ଲାଗିଛି ନାରୀର ଗ୍ରୀକ୍ ନାସିକା । ତାକୁ ପୁଣି ଭଲଲାଗିଛି ନାରୀର ନରମ ରୁକ୍ଷତା । ପୁଣି ସେ ଲେଖିଛନ୍ତି ନାରୀ ମୁହଁର ପ୍ରୋସ୍‌ଲିନ୍ରେ ଖେଳି ଉଠିଛି ଖୁସିର ଇନ୍ଦ୍ରଧନୁ । ତା’ର କପୋତୀ ଆଖିର ଡେଣାରେ ମେଘମେଦୁର ସୁପ୍ତି । “ଅଭିମାନ”, ‘କୀଚକ’, ‘ମିଳନାନ୍ତ କବିତାଗୁଡ଼ିକରେ କବି ନାରୀ ହୃଦୟର ଅକଳନ୍ତା ରହସ୍ୟକୁ ରୂପ ଦେବାରେ ସମର୍ଥ ହୋଇପାରିଛନ୍ତି । ତାଙ୍କର ‘ଦ୍ରୋପଦୀର ଶାଢ଼ୀ’, ‘ପଦ୍ମିନୀ', ଯାଦେବୀ’ ଆଦି କବିତାଗୁଡ଼ିକରୁ ନାରୀର ଏହି ରୋମାଣ୍ଟିକ୍ ସ୍ୱରୂପର ପରିଚୟ ମିଳିଥାଏ । ଏହାଛଡ଼ା ତାଙ୍କର ‘ଅଭିଜ୍ଞାନ’ କବିତା ପ୍ରାୟତଃ ରୋମାଣ୍ଟିକ୍ ଓ ପ୍ରଣୟ ଧର୍ମୀ କବିତା । କବି ଏଥିରେ ସଂଗ୍ରାମୀ ଜୀବନକୁ ଭୁଲି ନାରୀର ପଣତକାନି ତଳେ ସଂଭୋଗର ଆଶ୍ରୟ ନେଇଛନ୍ତି ।

 

“ଭଲଲାଗେ ନାହିଁ ବନ୍ଧା ଜୀବନ ଆଉ

x      x      x

ଚାଲ ଯେଉଁଠାରେ ନୂଆ ଏକ ଜଳବାୟୁ

ମନର ଜମିରେ ଫୁଟାଇ ପାରିବ ଚାରା ।

x      x      x

ନିର୍ଜନ ସେଇ ପ୍ରାନ୍ତରେ ଦେବା ମେଲି

ଦେହର ବସନ, ଅନ୍ଧାରେ ଯିବା ମିଳି ।

x      x      x

ଭୁଲିଯିବା ସବୁ ଅନ୍ଧକାରର ଶିଶୁ

ଖୋଲିଦେବା ଦେହ ଖୋଲିଦେବ ତୁମେ ଶାଢ଼ୀ ।”

(ପ୍ରାନ୍ତର)

 

ଏହିଭଳି ଅନ୍ୟ ଏକ କବିତାରେ ସେ ହାଲୁକା ଦେହାଲୋକକୁ ଓହ୍ଲାଇ ଆସିବାକୁ ମଧ୍ୟ ପଶ୍ଚାତ୍‌ପଦ ହୋଇନାହାନ୍ତି ।

 

“ତୁଙ୍ଗ ତୁମର ବକ୍ଷର ଦୁଇଗିରି

ଗୁହାରେ ଲଗାଇ ମୁହଁ ମୁଁ ରଖିବି ଦୂରେ

ନିଜକୁ ସକଳ ଆଲୁଅଠୁ ଘୃଣାଭରେ

x      x      x

ଛିଣ୍ଡାଇ ଦାନ୍ତେ ଅଧରର କିଶଳୟ

ଖାଇବା ଉଭୟେ, ପିଇବା ଓଠାରୁ ମହୁ

x      x      x

କପାଳରେ ମୋର ତୁମ ଦେହ ଶ୍ରମଝାଳ ।"

(ଦେବାନି ହବାକୁ ଦିନ)

 

କବି ଶ୍ରୀ ରାଉତରାୟ ନାରୀଚରିତ୍ର ରୂପାୟନ ପାଇଁ କେତେକ ପୌରାଣିକ ଚରିତ୍ରର ମଧ୍ୟ ଆଶ୍ରୟ ନେଇଛନ୍ତି । ଏହିସବୁ ନାରୀ ଚରିତ୍ର ମଧ୍ୟରେ ମିଥ୍ ଚେତନା ଆରୋପିତ । ତାଙ୍କର ‘ଦୌପଦୀର ଶାଢ଼ୀ’ କବିତାରେ ଆଧୁନିକ ନାରୀ ନିର୍ଯାତନାକୁ ଦୌପଦୀର ଲାଞ୍ଛନା ମଧ୍ୟରେ ସେ ଉନ୍ମୋଚନ କରିବାରେ ସମର୍ଥ ହୋଇଛନ୍ତି । ଏଠାରେ ନାରୀ ଯୌନତାର ପ୍ରତୀକ ହୋଇଥିବା ବେଳେ ଶାଢ଼ୀ ହୋଇଛି ତା’ର ଆବରଣ । ସେହିପରି ‘ନଦୀ’ କବିତାରେ ନାରୀ ହେଉଛି ନଦୀ, ସେ ଏକ ବିବସ୍ତ୍ରା ନଦୀ, ଖୋଜିବୁଲେ କ୍ଷଣେ କ୍ଷଣେ ନୂତନ ପରିଧି ।’ - କହିବା ଭିତରେ କବି ନାରୀକୁ ଏକ ସାଧାରଣ ବର୍ଣ୍ଣନାର ବୃତ୍ତ ମଧ୍ୟରୁ ନେଇଯାଇ ଏକ ମହାଚେତନାର ଅଂଶବିଶେଷ ଭାବେ ଚିତ୍ରଣ କରିଛନ୍ତି । ‘ନିୟନ୍ତ୍ରଣ’ କବିତାରେ କବି ଏକ ରୋମାଣ୍ଟିକ୍ ନାରୀ ଆତ୍ମାକୁ ରୂପାୟିତ କରିଛନ୍ତି-। ତା’ର ସରବତ ଆଖି, ଶୀତତାପ ନିୟନ୍ତ୍ରିତ ସଂଯମୀ ବକ୍ଷ କାବ୍ୟନାୟକକୁ ଉଚ୍ଚାଟିତ କରିଛି-

 

“ଜରୁରୀ ଓଠରେ ତା’ର

ଓଠେ ନିମନ୍ତ୍ରଣ

ସରବତ୍ - ଆଖି ଦୁଇଟି ସତେ କେଡ଼େ ପ୍ରିୟ ।”

(“ନିମନ୍ତ୍ରଣ’ - କବିତା ୧୯୬୨)

 

କବି ସଚ୍ଚି ରାଉତରାୟଙ୍କର ଏପରି ରୋମାଣ୍ଟିକ୍ ଅବବୋଧ ଭିତରେ ନାରୀର ନବ-ମୂଲ୍ୟାୟନ ଘଟିଛି । ତାକୁ ସାଧାରଣ ପ୍ରେମିକାଠାରୁ କବି ସ୍ଵତନ୍ତ୍ର କରି ଚିତ୍ରିତ କରିଛନ୍ତି । ତା’ର ଜରୁରୀ ଓଠର ନିମନ୍ତ୍ରଣ ଏକ ସାଧାରଣ ନିମନ୍ତ୍ରଣ ନୁହେଁ, ତା’ ଭିତରେ ରହିଛି ଭଲପାଇବାର ଏକ ନିରୀହ ବାସ୍ନା ଓ ନିବିଡ଼ତା । ତାଙ୍କର ସତ୍ୟଆମ୍ବ କବିତାରେ କବି ପୌରାଣିକ ଚେତନାଶ୍ରୟୀ କାବ୍ୟ-ଚେତନାରେ ନାରୀର ବହୁ ପୁରୁଷ ପ୍ରତି ଆସକ୍ତ ମନକୁ ପ୍ରକାଶ କରି ସମାଜ ପାଇଁ କିପରି ତା’ର ଏକ ସ୍ୱୟଂ ସମର୍ପଣୀ ଭାବ ପ୍ରକାଶ ପାଇଛି ତାହାକୁ ପ୍ରକାଶ କରିଛନ୍ତି ।

 

‘‘ପାଞ୍ଚସ୍ଵାମୀ ଥାଉ ଥାଉ । ତୁମେ କିଆଁ ଭଲ ପାଉଥିଲ

ଆଉଜଣେ ତାହାକୁ କିମ୍ପାଇଁ

ସେ ଜଣକ ମୁଁ ହୋଇପାରେ । କିମ୍ୱା ଆଉ କିଏ

ସେଥିରେ କିଛି ଯାଏଆସେ ନାହିଁ ।”

(“ସତ୍ୟଆମ୍ୱ’, କବିତା ୧୯୮୩)

 

ଏଇଭଳି ତାଙ୍କର ସବୁ ନାରୀ, ସେ ରାଜକନ୍ୟା ହେଉ ବା ତାପସୀ ହେଉ ବା ପଲ୍ଲୀର ସରଳା ନାରୀ ହେଉ, ଏମିଲି ଜୋଲାଙ୍କର ମାନସୀ ନାନା ହେଉ ବା ନାନାବତୀ ହେଉ ଅଥବା ରୂପସୀ ଉର୍ବଶୀ ହେଉ, ସବୁ ନାରୀ ସବୁ ଯୁଗରେ ସମାନ ଭାବରେ ତାଙ୍କ କବିତାରେ ଚିତ୍ରିତ ।

 

ସଚ୍ଚି ରାଉତରାୟଙ୍କ କାଳ ଏକ ଭୂଇଁଫୋଡ଼ ସଂସ୍କୃତିର କାଳ । ଇଂରେଜ ଶାସନ, ସଭ୍ୟତାପରାଂମୁଖ ଉତ୍କଳୀୟ ଜନଜୀବନରେ ଅନୁଭୂତ ଅନେକତଃ ସଂସ୍କାରବିରୋଧୀ ହୋଇଉଠିଥିବାର କାଳ । ପଡ଼ୋଶୀ ବଙ୍ଗ ପ୍ରଦେଶରେ ଇଂରେଜ ସଭ୍ୟତାର ଭୂୟସୀ ବିକାଶ ଘଟୁଥିବା ବେଳେ ଉତ୍କଳୀୟ ଜନ-ଜୀବନ ଏହାର ତୀବ୍ର ବିରୋଧ କରୁଥିଲା । କଲିକତାରେ ନାରୀ ଜାଗରଣର ବିପୁଳ ଭୂମି ପ୍ରସ୍ତୁତ ହେବା ବେଳକୁ ଓଡ଼ିଶାରେ ତା’ର କିଛି ଆଭାସ ନଥିଲା । ଇଂରେଜ ଶାସନର ଦୀର୍ଘକାଳ ପରେ ନାରୀ ଶିକ୍ଷାର ପ୍ରଯତ୍ନ ହୋଇଥିଲେ ହେଁ ଦୁଇ ଦୁଇଟି ବିଶ୍ଵଯୁଦ୍ଧ, ଅଭାବ ଅନଟନ, ଇଂରାଜୀ ଶିକ୍ଷାଲାଭ ସତ୍ତ୍ୱେ ଚାକିରିର ଅଭାବ, ପଡ଼ୋଶୀ ରାଜ୍ୟର ଅଧିବାସୀଙ୍କର ଉତ୍କଳବାସୀଙ୍କୁ ଶୋଷଣ କରିବାର ଅଭୀପ୍‌ସା ଆଦି ଓଡ଼ିଶାର ଶିକ୍ଷା ତଥା ଜାଗରଣ କ୍ଷେତ୍ରରେ ଯେଉଁ ବିପୁଳ ପ୍ରତିକ୍ରିୟା ସୃଷ୍ଟି କରିଥିଲା ତହିଁରେ ନାରୀ ହିଁ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ । ଜୀବନର ସକଳ ସ୍ନେହ, ସମ୍ଭାଷଣ ଓ ସମ୍ଭାବନା ଏହି ଯୁଦ୍ଧର ଘନଘଟା ମଧ୍ୟରେ ଦୁର୍ଲ୍ଲଭ ହୋଇଉଠିଛି । ପ୍ରତିଶ୍ରୁତି ପ୍ରବଞ୍ଚନାରେ ପରିଣତ ହୋଇଛି । ଏତେବେଳେ ପୁରୁଷ ନାରୀର କୋମଳ ଶରୀରର ଆବାହନୀ ତୋଳିଲା ବେଳେ ନାରୀ ସେ ପ୍ରେମ ପଦ୍ମତୋଳା ଆଗରେ ସମର୍ପିତ ଜୀବନଟିଏ ଢାଳିଦେଇ ପାରି ନାହିଁ । ତେଣୁ ଶ୍ରୀ ରାଉତରାୟଙ୍କ ନାରୀ ଚରିତ୍ର ମଧ୍ୟ ଏଥିରୁ ବାଦ୍ ପଡ଼ି ନାହିଁ । ତାଙ୍କର ଯୁଦ୍ଧୋତ୍ତର ନାରୀଚରିତ୍ର ଗୁଡ଼ିକ ମଧ୍ୟ ପ୍ରତିଶ୍ରୁତି ଓ ଦୈହିକ ପ୍ରେମରେ ନିମଜ୍ଜିତ ହେବା ଅପେକ୍ଷା କର୍ମମୁଖର ଜୀବନ ଭିତରେ ମଜ୍ଜି ରହିବାକୁ ଶ୍ରେଷ୍ଠ ମଣିଛି । କାରଣ ବଞ୍ଚିବା ପାଇଁ ବାସ୍ତବତା ଓ ସଂଘର୍ଷକୁ ଆପଣେଇ ନେବା ବ୍ୟତୀତ ତା’ ଆଗରେ ଅନ୍ୟ ପନ୍ଥା ନଥିଲା । ଶ୍ରୀ ରାଉତରାୟଙ୍କ ‘ପାଣ୍ଡୁଲିପି’ର ଲୋହିତ ପର୍ଯ୍ୟାୟରେ ବର୍ଣ୍ଣିତ ‘ଚନ୍ଦ୍ରାବତୀ’ ‘ସ୍ମରଣୀୟାସୁ’ କବିତାରେ ନାରୀର ଏଇ ବାସ୍ତବ ଜୀବନଧାରାଟି ବହୁଳ ଭାବେ ପ୍ରକଟିତ ହୋଇଛି । ‘ଚନ୍ଦ୍ରାବତୀ’ରେ କାବ୍ୟନାୟକର ‘ଚନ୍ଦ୍ରାବତୀ’ ଉଦ୍ଦେଶ୍ୟରେ କେତୋଟି ଆବେଗଜଡ଼ିତ ପ୍ରଶ୍ନ ବା ‘ସ୍ମରଣୀୟାସୁ’ କବିତାରେ ‘‘ସହସ୍ର ଫାଲଗୁନ ଥିଲା ତୁମରି ଆଖିରେ” ଓ “ସବୁ ବିରାଟ ଫାଙ୍କି’’ ଭିତରେ କାବ୍ୟନାୟକର ଯେଉଁ ମାନସିକ ଯନ୍ତ୍ରଣା ସୃଷ୍ଟି ହୋଇଛି, ସେ ଯନ୍ତ୍ରଣାର ଏକମାତ୍ର କାରଣ ହେଉଛନ୍ତି ଦୁଇଟି ପ୍ରେମସ୍ପଦା ନାରୀ ଚରିତ୍ର, ଯେଉଁମାନେ ପରବର୍ତ୍ତୀ ପର୍ଯ୍ୟାୟରେ ଜୀବନର ବାସ୍ତବତା ବୁଝି ପ୍ରେମ, ପରି ଏକ ତରଳ ଆବେଗକୁ ବିସ୍ମରିଗଲା ପରେ କାବ୍ୟନାୟକ ପାଇଁ ତାହା ଏକ ଅବିସ୍ମରଣୀୟ ସ୍ମୃତି ଓ ସେଇ ସ୍ମୃତିରେ ସେ କାବ୍ୟ-ନାୟିକାର ଆଚରଣକୁ ଏକ ବିରାଟ ଫାଙ୍କି ବୋଲି କହିବାକୁ କୁଣ୍ଠିତ ହୋଇ ନାହିଁ । ଯୁଦ୍ଧୋତ୍ତର ସମାଜରେ ନାରୀର ଏତାଦୃଶ ସଚେତନତା ଯେତିକି ସାମାଜିକ ଅଙ୍ଗୀକାର ପ୍ରଦାନ କରିଛି, ସେତିକି ପ୍ରେମ, ପ୍ରଣୟ ମଧ୍ୟରେ ବାସ୍ତବତାର ଦ୍ୟୁତି ପ୍ରକଟିତ କରିଛି ।

 

କବି ଶ୍ରୀ ରାଉତରାୟଙ୍କ ପଲ୍ଲୀଶ୍ରୀ ଓ “ପାଣ୍ଡୁଲିପି’ ମଧ୍ୟବର୍ତ୍ତୀ କାଳର ସମାଜ ଏକ ଦ୍ଵିଧାଗ୍ରସ୍ତ ସମାଜ । କବି ଆହ୍ୱାନ ଦେଇଛନ୍ତି ସମାଜର ପରିବର୍ତ୍ତନକୁ ସହଜ ସରଳ ଭାବରେ ବା ସ୍ଵାଭାବିକ୍ ରୀତିରେ ଗ୍ରହଣ କରିବାକୁ । ଏଇ ଆହ୍ୱାନ ପୁଣି ଆରମ୍ଭ ହୋଇଛି ନାରୀଠାରୁ । “ ଏଇ ଯେ ଆସୁଛି ଝଡ଼ କର ସଖି ତା’ରେ ନମସ୍କାର” - ଝଡ଼ କବିତାରେ ଏଇ ପଂକ୍ତିରୁ ଏହା ସ୍ପଷ୍ଟ ଯେ ଝଡ଼ କବିତାର ରଚନାକାଳ ପର୍ଯ୍ୟନ୍ତ ନାରୀ ଭିତରେ ସେ ଆତ୍ମନିର୍ଭରଶୀଳତା ଆସି ନଥିଲା ବା ଯଦି ଆସିଥିଲା, ତାହା ସଂଶୟାତ୍ମକ ଥିଲା । ନୂତନ ମୂଲ୍ୟବୋଧର ଏ ସମାଜ ପ୍ରତି, ତା’ର ହୁଏତ ପ୍ରଗାଢ଼ ଆସ୍ଥା ନ ଥିବାରୁ କବି - ‘ଏ ଝଡ଼ ତୁମକୁ ଦେବ ଉପହାର ମୋର ପରିଚୟ’ ବୋଲି କହିବାରେ ଦ୍ୱିଧା ପ୍ରକାଶ କରିନାହାନ୍ତି ।

 

ପୁଣି ପରିବର୍ତ୍ତିତ ସମାଜର ପ୍ରାକ୍ କାଳରେ ନାରୀ ଆଉ ପଲ୍ଲୀ ଲଲନା ହୋଇନାହିଁ । ପର୍ଦ୍ଦା ପ୍ରଥାର ପ୍ରଚଳନ ସାଙ୍ଗକୁ ଭାରତର ସ୍ଵାଧୀନତାଲାଭ ତାକୁ ସମୟ ସହ ତାଳ ଦେଇ ଚାଲି ଶିଖିବାକୁ ବାଧ୍ୟ କରିଛି । ଏହି ବାଧ୍ୟବାଧକତା ମଧ୍ୟରେ କେତେବେଳେ ଯେ ସେ ସମାଜର ଯୌନଲାଳସାର ଶିକାର ହୋଇଛି ତ କେତେବେଳେ ସ୍ଥିତି ପାଇଁ ସଂଗ୍ରାମ କରିବାକୁ ବାଧ୍ୟ ହୋଇଛି ଶ୍ରୀ ରାଉତରାୟଙ୍କ କବିତାରେ-

 

“ରାତ୍ରିର ତିମିର ସାଥେ ଭାସିଆସେ ନାରୀଦେହ ଗନ୍ଧ

ଭିତରର ବ୍ୟାଘ୍ର ମୋର ଜିଭ ଚାଟେ, ଭୁଲି ବାଧାବନ୍ଧ ।

ରମଣୀର ଛାୟା ଭାସେ ରାତ୍ରି ତୀରେ, ଲଭେ ସେ ଆସ୍ୱାଦ

ନାରୀ ମାଂସ ନାରୀ ଦେହ ଆଘ୍ରାଣରେ ଲଭେ ସେ ଆହ୍ଲାଦ ।

(‘ଶରୀର ସଙ୍ଗୀତ' – ପାଣ୍ଡୁଲିପି)

 

‘ମାଟିଆ ବୁରୁଞ୍ଜର ଜହ୍ନ’ କବିତାରେ ନାରୀ ପ୍ରତି ଏଇ ସାମାଜିକ ବ୍ୟଭିଚାରିତାର ଚିତ୍ର ସୁସ୍ପଷ୍ଟ ହୋଇଉଠିଛି ଏହିପରି –

 

‘‘ସେଇ ଝାଳ, ଲହୁ, ଲୁହେ

କିଏ କାଟିଲା ନାରୀର ସ୍ତନ

କିଏ ତା’ର ଯୌନଦ୍ୱାରେ ବିଦ୍ଧ କଲା ଛୁରି,

ରାସ୍ତାର ସିମେଣ୍ଟ ଗଲା ଲୁହ ଆଉ ଲହୁରେ ବତୁରି ।”

(‘ମାଟିଆ ବୁରୁଜର ଜହ୍ନ’ - ପାଣ୍ଡୁଲିପି)

 

୧୯୪୬ ମସିହା ଅଗଷ୍ଟ ମାସର କଲିକତାରେ ଯେଉଁ ଭୀଷଣ ହିନ୍ଦୁ-ମୁସଲମାନ ଦଙ୍ଗା ହୋଇଥିଲା ତା’ର କରୁଣ ଓ ବୀଭତ୍ସ ପଟ୍ଟଭୂମିରେ ଲିଖିତ ‘ମାଟିଆ ବୁରୁଜର ଜହ୍ନ’ କବିତାରେ ମୁଖ୍ୟ ବିଷୟବସ୍ତୁ ହୋଇଥିଲେ ହେଁ ନାରୀ ପ୍ରତି ଯୁଦ୍ଧୋତ୍ତର ସମାଜର ବିକୃତ ବିକାର ହିଁ କବିତାରେ ସମୁଜ୍ଜଳ ହୋଇଉଠିଛି । ପୁନଶ୍ଚ ଏହି ସମୟର ସମାଜରେ ନାରୀ ଏକ ପ୍ରେମ ପରିପୂର୍ଣ୍ଣ ନାରୀ ନୁହେଁ । ତା' ଜୀବନରେ ଆସିଥିବା ଅନେକ ବ୍ୟର୍ଥତା ମଧ୍ୟରୁ ପ୍ରେମରେ ଆସିଥିବା ବ୍ୟର୍ଥତାଟି ଅତ୍ୟନ୍ତ ସ୍ଵାଭାବିକ୍ । କୌଣସି ଦୁର୍ବଳ ମୁହୂର୍ତ୍ତରେ ନିଜକୁ ହଜାଇଦେଇଥିବା ପ୍ରେମିକା ପ୍ରବଣାଟି ଅପର ମୁହୂର୍ତ୍ତରେ ପ୍ରେମିକର ପ୍ରତାରଣାରେ ହତଚକିତା, ବିସ୍ମିତା, ବିଷୁବ୍ଧ ତଥା ଭୟଶୀଳା ହୋଇଉଠିଛି । ଜୀବନ ପରିଧରୁ ମୁକ୍ତି’ ଖୋଜିବାକୁ ଯାଇ ସେ ‘ଜଘନ୍ୟ ଫିସାଦ’ର କଳ୍ପନାଜଳ୍ପନାରେ ଶିହରିତ ହୋଇଉଠିଛି । ହୁଏତ ତା’ର ଭଲପାଇବାର ସକଳ ସ୍ଵପ୍ନ ଓ ସମ୍ଭାବନା ସତ୍ତ୍ଵେ ଏ ପ୍ରକାର ଜଘନ୍ୟ ଫିସାଦ ଥିଲା ତା’ର କଳ୍ପନାତୀତ–

 

“ତୁମେ କଣ ଜାଣିଥିଲ ସୁନନ୍ଦା ମହାନ୍ତି

ଜୀବନର ଏତେବଡ଼ ଜଘନ୍ୟ ଫିସାଦ ?

ଯୌବନର ସୁଦୀର୍ଘ ମିଆଦ । ପାର ହୋଇ ଦୁଇବନ୍ଦୀ କଲେ ଯେବେ ଭେଟ,

ପରସ୍ପରେ । ଅତୀତରେ ଅର୍ଥହୀନ ନିର୍ଜୀବ ଅକ୍ଷରେ

ଭରପୁର ପ୍ରଣୟର ସ୍ଲେଟ୍‍ । ପୋଛିବାକୁ ବେଳ ହେଲା ନାଇଁ

ବେଳ ହେଲା ନାଇଁ ଲେଖିବାକୁ । ନୂଆକରି ମୁକ୍ତିର କ୍ରୋଡ଼ାଙ୍କ ।

(‘ମୁକ୍ତି (୧)’ – ପାଣ୍ଡୁଲିପି)

 

ଏକ ନିର୍ଦ୍ଦିଷ୍ଟ ସମ୍ଭାବନାରେ ସୁନନ୍ଦା ମହାନ୍ତିର ନାରୀ ଆତ୍ମା ତଲ୍ଲୀନ ହୋଇପଡ଼ିଥିବା ବେଳେ କାବ୍ୟ-ନାୟକର ‘ଜଘନ୍ୟ ଫିସାଦ’ ତାକୁ ପାର୍ଥିବ ଜଗତର କେବଳ ମୁକ୍ତିର ଅନ୍ୱେଷଣରେ ବ୍ୟଥିତ କରିଛି । କବି ରାଉତରାୟଙ୍କ ସୁନନ୍ଦା ମହାନ୍ତି କେବଳ ନୁହେଁ, ଯୁଦ୍ଧୋତ୍ତର ସମାଜର ଅଧିକାଂଶ ନାରୀଙ୍କ ଜୀବନରେ ଏ ପ୍ରକାର ପ୍ରେମ ବୈଫଲ୍ୟ ପ୍ରକାଶ ପାଇଥିବାର ଉଦାହରଣ ରହିଛି । ସୁନନ୍ଦା ମହାନ୍ତି, ପ୍ରତିମା ନାୟକ ବା ଅଳକା ସାନ୍ୟାଲ ପ୍ରେମ ବୈଫଲ୍ୟରେ କେବଳ ଶୀକାର ନୁହଁନ୍ତି, ବରଂ ସେମାନେ ଏକପ୍ରକାର ବିଫଳତାର ଶିକାର ହୋଇଥିବା ଯୁଦ୍ଧୋତ୍ତର ନାରୀ ସମାଜର ଏକ ଏକ ସାର୍ଥକ ପ୍ରତିନିଧି ଭାବେ ପ୍ରକାଶ ଲଭିଛନ୍ତି ।

 

କବି ଶ୍ରୀ ରାଉତରାୟଙ୍କ ପୂର୍ବାଲୋଚିତ ‘ପ୍ରତିମା ନାୟକ’ ପାରମ୍ପରିକ ସମାଜର ନିଗଡ଼ରୁ ମୁକ୍ତି ପାଇବା ପାଇଁ ସଂଗ୍ରାମ କରୁଥିବା ଏକ ସାର୍ଥକ ନାରୀଚରିତ୍ର । ତା’ ଜୀବନ ଆକାଶର ଜହ୍ନ କେତେବେଳେ ମଳିନ ତ କେତେବେଳେ ‘ସାବୁନର ଫେଣ ପରି ସଫା’ । ଆଲୁଅ ଅନ୍ଧାର ମଧ୍ୟରେ ସେ ଜହ୍ନ ଯେପରି ଗୋଟାଏ ସାଲିସର ମାଧ୍ୟମ ହୋଇଛି ଅନୁରୂପ ଭାବେ ପାରମ୍ପରିକ ଓ ନୂତନ ମୂଲ୍ୟବୋଧର ସମାଜର ଯୋଗସୂତ୍ରକାରିଣୀ ହେଉଛି ଏଇ ପ୍ରତିମା ନାୟକ । ସେ ବିଲୟ ଓ ସୃଷ୍ଟିର ସନ୍ଧିକ୍ଷଣରେ ପ୍ରକାଶ ଲଭିଥିବା ଏକ ସଂଗ୍ରାମମୁଖିନୀ ନାରୀ ଚରିତ୍ରଟିଏ । ସକଳ ବ୍ୟର୍ଥତା ଭିତରେ ସେ ସମ୍ଭାବନାକୁ ଖୋଜିବାରେ ଲାଗିଛି । ଦଶର୍କରେ ଏମ୍.ଏ. ପଢ଼ୁଥିବା ବେଳେ ପିତୃହାନୀ, ଋଣଭାର, ଗୃହଭେଦ ପରି ପାରିବାରିକ ବିପର୍ଯ୍ୟୟ ତା’ର ମେରୁଦଣ୍ଡ ଭାଙ୍ଗିଦେଇଛି । ତା’ ଜୀବନରେ ଯାହାକିଛି ସ୍ୱପ୍ନ ସମ୍ଭାବନା ଥିଲା ତା’କୁ ଉଣେଇଶହ ତେୟାଳିଶର ଯୁଦ୍ଧୋତ୍ତର ଜଗତ ତା’ଠାରୁ ଛଡ଼େଇ ନେଇଛି । ଯାହା ଫଳରେ କି ସିଏ ପାରମ୍ପରିକ ସମାଜର ସକଳ ଆକଟ, ବାଧାବନ୍ଧନକୁ ସେ ପରିହାର କରି ବଞ୍ଚିବା ପାଇଁ ସପ୍ଲାଇ ବିଭାଗରେ ଅଳ୍ପ ବେତନରେ ଚାକିରି କରିଛି । କବି ଏହି ପ୍ରତିମା ନାୟକ ମଧ୍ୟ ଦେଇ ନାରୀ ଜୀବନର ଚିରନ୍ତନ ଆକାଂକ୍ଷାକୁ ମଧ୍ୟ ବ୍ୟଞ୍ଜିତ କରିଛନ୍ତି । TS. Eliotଙ୍କର ‘West Land’ କବିତା ପୁସ୍ତକରେ ବର୍ଣ୍ଣିତ “Typist Girl’’ ପ୍ରସଙ୍ଗକୁ ଏହା ସୂଚାଇ ଦିଏ । ପାରମ୍ପରିକ ସମାଜର ନିଗଡ଼କୁ ଭାଙ୍ଗିବା ପାଇଁ ଏଇ ‘ପ୍ରତିମା ନାୟକ’ ଆଗରେ ଏକ ଲୋଭନୀୟ ଜଗତର ଆକର୍ଷଣ ନାହିଁ । ବରଂ ‘ଧୂସର; ଧୂମାଳ, ଧ୍ୱାନ୍ତ, ଭୟଙ୍କର ପୁଣି ଯୁଦ୍ଧରତ’ ପରି ଏକ ରୁଗ୍ଣ ସଭ୍ୟତା ଭିତରେ ରୁଗ୍ଣ ହୋଇ ବଞ୍ଚିବାକୁ ଶ୍ରେୟସ୍କର ମଣିଛି ଶ୍ରୀ ରାଉତରାୟଙ୍କ ପ୍ରତିମା ନାୟକ । ଏଇ ପାରମ୍ପରିକ ସମାଜ ତା’ ପାଇଁ ସ୍ଵପ୍ନ ଓ ସମ୍ଭାବନାକୁ ହରଣ କରିନେଇଥିବା ଏକ ଲୁଣ୍ଠନକାରୀ ସମାଜ ଭାବେ ବିବେଚିତ ହୋଇଛି । କାରଣ ତା’ର ପିତାର ବିୟୋଗରେ ମଧ୍ୟ ଯେଉଁ ସମାଜ ଏକାକିନୀ ପ୍ରତିମା ପ୍ରତି ସମ୍ବେଦନଶୀଳ ହୋଇପାରି ନାହିଁ, ସେଇ ସମାଜ ପ୍ରତି ତା’ଣ ମମତା ଆସିବ କେଉଁଠୁ ? ତେଣୁ ‘ପ୍ରତିମା ନାୟକ’ ପରି ନାରୀ ପାଇଁ ଏପରି ସମାଜ ଏକ ସନ୍ଧିକ୍ଷଣର ସମାଜ ବ୍ୟତୀତ ଆଉ କିଛି ନୁହେଁ;-

 

“ଆକାଶର ନୀଳରେଖା ଗେରୁଆ ମାଟିର ନାଲ୍ ସୀମା । ଛୁଏଁ ଯେଉଁଠାରେ

ସେଇଠାରେ ସ୍ଵପ୍ନ ଆଉ ବାସ୍ତବତାର ମୁହାଣ ସେପାରେ

ଦୁହେଁ ଆମେ ହୋଇଥିଲୁ ଠିଆ ।

ଆମପଛେ ଶୋଇଥିଲା ଦୀର୍ଘ ଦୁଇବର୍ଷର ଦୁନିଆଁ-

ଦୀର୍ଘ ଦୁଇବର୍ଷର ଜଗତ

ଧୂସର, ଧୂମାଳ, ଧ୍ୱାନ୍ତ, ଭୟଙ୍କର ପୁଣି ଯୁଦ୍ଧରତ ।

(‘ପତିମା ନାୟକ’ - ପାଣ୍ଡଲିପି)

 

ଏଠି ‘ପ୍ରତିମା ନାୟକ’ ଭଳି ନାରୀ ମଧ୍ୟ ପରିସ୍ଥିତି ଦୃଷ୍ଟିରୁ ତା’ର ସ୍ଥିତି ପାଇଁ ସଂଗ୍ରାମ ବା ସଂଘର୍ଷରେ ଅବତୀର୍ଣ୍ଣ ହୋଇଛି । ବଞ୍ଚିବା ପାଇଁ ତା’ର ସଂଘର୍ଷରେ ତେ ବାଧା ସୃଷ୍ଟି କଲେ ମଧ୍ୟ ସଂଘର୍ଷ ତା’ ପାଇଁ ଅନିବାର୍ଯ୍ୟ ଓ ସଂଘର୍ଷ ପାଇଁ ବଞ୍ଚିବା ତା’ ପାଇଁ ଜରୁରୀ ହୋଇଉଠିଛି । ହୁଏତ ସେ ବଞ୍ଚିବାରେ ସ୍ଵପ୍ନ ନାହିଁ, ସେ ବଞ୍ଚିବାରେ ରଙ୍ଗ ନାହିଁ, ସେ ବଞ୍ଚିବାରେ ନିଶା ନାହିଁ । ମାତ୍ର ନାରୀ ଚରିତ୍ରର ପାରମ୍ପରିକତା ବିରୁଦ୍ଧରେ ପ୍ରତିମା ନାୟକର ବଞ୍ଚିବା ହେଉଛି ଏକ ପ୍ରତିକ୍ରିୟା ଓ ସ୍ଥାଣୁହୀନ ଝୁଙ୍କ୍ ।

 

‘ପ୍ରତିମା ନାୟକ ହସେ, ଓଠେ ତା’ର ସ୍ୱପ୍ନର ଆଭାସ

ମୁହଁରେ ଖାକିର ହସ, ଆଖିରେ ତା’ ରାତିର ଇସାରା ।

ଦୁଇପାଖେ ଦ୍ରୁତବନ, ଗତିବାନ ନକ୍ଷତ୍ରର ଧାରା

ଆହା ! ହସୁ ହସୁ ପ୍ରତିମା ନାୟକ

ଅଞ୍ଚଳ ତା’ ନାହିଁ ଦେହେ, ଦେଖିଅଛି ଖାକିର ପୋଷାକ ।”

(‘ପ୍ରତିମା ନାୟକ’ -ପାଣ୍ଡୁଲିପି)

 

ନାନା ସଂଘର୍ଷ ମଧ୍ୟ ଦେଇ ଗତି କରୁଥିବା ଏଇ ‘ପ୍ରତିମା ନାୟକ’ର ତନୁ ଜୀର୍ଣ୍ଣ-ଶୀର୍ଣ୍ଣ, ମୁଖରେ ବ୍ରଣ ଓ ହାତରେ ଚମଡ଼ାର ବ୍ୟାଗ୍ ଦେଇ ଶ୍ରୀ ରାଉତରାୟ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଜୀବନଯୁଦ୍ଧରେ ଜଡ଼ିତ ଏକ ନାରୀ ଚରିତ୍ରର ଜୀବନ୍ତ ରୂପ ଦେବାରେ ସମର୍ଥ ହୋଇଛନ୍ତି –

 

“ମୁଖ ତା’ର ବ୍ରଣଦୁଷ୍ଟ ହାତରେ ତା’ ଚମଡ଼ାର ବ୍ୟାଗ୍

ଶୀର୍ଣ୍ଣ ସାଧା ଗାଲେ ଫୁଟେ ବ୍ୟର୍ଥତାର ଅକପଟ ଦାଗ

ତନୁ ତା’ର ରୋଗଜୀର୍ଣ୍ଣ, ବ୍ରଣେ ତା’ର ମ୍ଲାନ ମୁହଁଯାକ,

ଶ୍ଲଥ, ଋଜୁ ଦେହ-ଶିଖା ଢାଙ୍କିଅଛି ଖାକିର ପୋଷାକ,

ଜାପାନୀ କାଗଜଫୁଲ ପରି ଦେହେ ବୟସର ଧୂଳି ।”

(‘ପ୍ରତିମା ନାୟକ’ – ପାଣ୍ଡୁଲିପି)

 

‘ପ୍ରତିମା ନାୟକ’ ତା’ ଜୀବନରେ ସବୁ ପ୍ରକାର ଅଘଟଣ ଆସିଥିବା ସତ୍ତ୍ୱେ ବଞ୍ଚିବା ପାଇଁ ଯେଉଁ ଚାଲେଞ୍ଜ ଦେଇଛି ଏଇ ସନ୍ଧିକ୍ଷଣରେ ମୁଣ୍ଡ ଟେକିଥିବା ସମାଜକୁ, ତା’ର ଏକ ଭିନ୍ନ ପ୍ରତିଫଳନ ଲକ୍ଷ୍ୟ କରାଯାଏ ଶ୍ରୀ ରାଉତରାୟଙ୍କ ‘ଅଳକା ସାନ୍ୟାଲ’ କବିତାରେ । ‘ପ୍ରତିମା ନାୟକ’ ବଞ୍ଚିବା ପାଇଁ ଏକ ନିର୍ଦ୍ଦିଷ୍ଟ ବୃତ୍ତି ଭିତରେ ବାନ୍ଧି ହୋଇଯାଇଥିବା ବେଳେ ‘ଅଳକା ସାନ୍ୟାଲ’ ଆଗରେ ବୃତ୍ତି ବୋଲି କିଛି ନଥିଲା । ‘ପ୍ରତିମା ନାୟକ’ ବସ୍ତୁବାଦୀ ସମାଜର ପ୍ରତିନିଧିତ୍ୱ କଲାବେଳେ ‘ଅଳକା ସାନ୍ୟାଲ’ ପ୍ରତିନିଧିତ୍ୱ କରେ ଭୋଗବାଦୀ ସମାଜର-

 

‘‘ହୁଏତ ବା ଦେଖା ଆମ ହୋଇଥିଲା ବାରୁଣାବନ୍ତରେ

ନିର୍ଜନ ପ୍ରାସାଦେ ଏକ, ଝଲମଲ ଜଡ଼ଉ ସ୍ତମ୍ଭରେ

ତୁମରି ଧର୍ଷିତ ଛାଇ ଫାଙ୍କି ଦେଇ ଦୃଷ୍ଟି-ପ୍ରଦୀପରେ

କ୍ଷଣକେ ଉଭେଇ ଗଲା, କାହିଁଗଲ କାହିଁଗଲ ପୁଣି

ତୁମବିନେ ଶୂନ୍ୟ ଦିଶେ ଧରଣୀର ବିଚିତ୍ର ଛାଉଣି ।

x      x      x

ଆଜି କିନ୍ତୁ ଦେଖାହେଲା ସମୟର ଡେଇଁ ଚୋରାବାଲି

ତୁମକୁ ଲୁଚାଇଥିଲା ଶ୍ମଶାନିତ, ଭଙ୍ଗା ନୂଆ ଖାଲି ।”

(‘ଅଳକା ସାନ୍ୟାଲ’ - ପାଣ୍ଡୁଲିପି)

 

କାବ୍ୟ-ନାୟକ ଯେଉଁ ପରିଚୟ କବିତାର ମୂଳରୁ ‘ଅକଳା ସାନ୍ୟାଲ’ ସମ୍ପର୍କରେ ଉଲ୍ଲେଖ କରେ, ତାହା କବିତାର ଶେଷବେଳକୁ ସ୍ଥିର ହୋଇ ରହିପାରି ନାହିଁ । ବିଦେହର ରାଜପୁର, ବାରୁଣାବନ୍ତର ନିର୍ଜ୍ଜନ ପ୍ରାସାଦ, ନାଳନ୍ଦାର ନିର୍ଜନ ବିହାର, ସର୍ବୋପରି ନୂଆଖାଲି ପଠାଣବସ୍ତିରେ – ସବୁଠି ଅଳକା ସାନ୍ୟାଲର ଆତ୍ମପ୍ରକାଶ ହୁଏତ ୧୯୪୭ ମସିହାର, ସାମ୍ପ୍ରତିକ ସମାଜରେ ସହଜରେ ଗୃହୀତ ହୋଇପାରେ ନାହିଁ । ମାତ୍ର ‘ପ୍ରତିମା ନାୟକ’ର ସ୍ପର୍ଦ୍ଧିତ ଜୀବନଧାରାର ପରବର୍ତ୍ତୀ ପ୍ରକାଶ ଭାବେ ‘ଅଳକା ସାନ୍ୟାଲ୍’ର ଏତାଦୃଶ ଆବିର୍ଭାବକୁ ଅସ୍ୱାଭାବିକ ମଧ୍ୟ କୁହାଯାଇ ନ ପାରେ-

 

ଗୋଟିଏ ପଟେ କେତେକ ରୋମାଣ୍ଟିକ୍ କବିତା ଶ୍ରୀ ରାଉତରାୟଙ୍କ କବିତା ଗ୍ରନ୍ଥରେ ସ୍ଥାନ ପାଇଥିବା ବେଳେ ଅନ୍ୟ କେତେକ କବିତାରେ କବି ପୁଣି ଥରେ ଯୁଦ୍ଧୋତ୍ତର ସମାଜର ପରିବର୍ତ୍ତିତ ନାରୀ ଚରିତ୍ରକୁ ରୂପାୟିତ କରିଛନ୍ତି । ‘ଭିନ୍ନଦେଶୀ’ କବିତାରେ ‘ଗାୟତ୍ରୀ ମହାନ୍ତି’ କେବଳ ଏକ ଭିନ୍ନଦେଶୀ ନୁହେଁ, ସେ ଏକ ଭିନ୍ନ ମାଟିର ସ୍ୱାଦ ଚାଖୁଥବା ନାରୀ ଚରିତ୍ରଟିଏ । ତା’ ଆଗରେ ପ୍ରତିମା ନାୟକ ବା ଅଳକା ସାନ୍ୟାଲ ଭଳି ସଂଗ୍ରାମ, ସଂଘର୍ଷର ଏକ ଶୂନ୍ୟ, ହାହାକାରମୟ ଇଲାକା ଅବଲୋକିତ ହେଲେ ମଧ୍ୟ ସେଇ ପରିବେଶ ମରୁ ସେ ବାହାରିଯାଇପାରି ନାହିଁ । ବୃଦ୍ଧ ଅଧ୍ୟାପକ ସହ ଘୁରିବୁଲୁଥିବା ଗାୟତ୍ରୀ ମହାନ୍ତି ଯୁଦ୍ଧୋତ୍ତର ସ୍ମଳିତ ସମାଜର ନଗ୍ନରୂପ ପ୍ରକାଶରେ ବେଶ୍ ସହାୟିକା ହୋଇଛି । ‘ପ୍ରତିମା ନାୟକ’ ପରି ‘ସୁନ୍ଦର ଚମଡ଼ା ତା’ର ମନେହେଲା, ହୋଇଚି ଖୋଳପା’ କିମ୍ବା ଦୁଧ ଡାଳିମ୍ବର ରଙ୍ଗ ମନେହେଲା ଝାଉଁଳିଚି ସଫା’ ହେଉଛି ତା’ର ପରିବର୍ତ୍ତିତ ରୂପ-। ଏଥିପାଇଁ ଦାୟୀ ତା’ର ଅର୍ଥନୈତିକ ଦୁରବସ୍ଥା ଓ ସାମାଜିକ ତାଡ଼ନା । ସେଥିରୁ ସେ ମୁକ୍ତି ପାଇପାରିନି । ଯୁଦ୍ଧୋତ୍ତର ଓ ପରିବର୍ତ୍ତିତ ସମାଜର ନାରୀ-ଚରିତ୍ର ରୂପେ ସେ ଏକ ସାର୍ଥକ ରୂପାୟନ-

 

‘‘+ + ସାଙ୍ଗରେ ପ୍ରହରୀ କନ୍ୟା ପରିଚିତା ଗାୟତ୍ରୀ ମହାନ୍ତି

ପରିଚୟ ଥିଲା ମୋର, ନୁହେଁ କିନ୍ତୁ ଖାଲି ଘନିଷ୍ଠତା

ବନ୍ଧୁତାଠୁଁ ଗାଢ଼ତର, ନୁହେଁ କିନ୍ତୁ ପ୍ରଣୟ ଠିକ୍ ତା'

+ + + ସୁନ୍ଦର ଚମଡ଼ା ତା’ର ମନେହେଲା ହୋଇଚି ଖୋଳପା ।

ଦୁଧ ଡାଳିମର ରଙ୍ଗ ମନେହେଲା, ଝାଉଁଳିଚି ସଫା,

+ + + ଦିନେ ସେ ଯୁବତୀ ଥିଲା, ଦିନେ ଥିଲା ସତରେ ସୁନ୍ଦରୀ,

ସତରେ ଚେହେରା ଧରି ଦେଖାଦେଲା ପୁଣି ଆଗପରି ।"

(‘ଭିନ୍ନଦେଶୀ’ – ଅଭିଜ୍ଞାନ)

 

ଏତଦ୍‌ବ୍ୟତୀତ ୧୯୪୯ ମସିହାରେ କବି ରାଉତରାୟଙ୍କ ‘ଶଙ୍ଖ’ରେ ପ୍ରକାଶିତ ‘ମୁକ୍ତି-୨’ କବିତାରେ ଆଧୁନିକ ନାରୀର ଏଇ ବିଳାସିନୀ ରୂପଟି ଅତ୍ୟନ୍ତ ଭାବୋଦ୍ଦୀପକ ହୋଇଛି । ସମୟର ପଦାଘାତରେ ପକ୍ୱକେଶ, ସ୍ଖଳିତଦନ୍ତକୁ ନକଲି ସଭ୍ୟତାର ପ୍ରଲେପରେ ଜୀବନ୍ତ କରିବା ପାଇଁ ଯୁଦ୍ଧୋତ୍ତର ସମାଜରେ ନାରୀର ବ୍ୟାକୁଳତା ତତ୍କାଳୀନ ସମାଜର ଅନ୍ୟତମ ବୈଶିଷ୍ଟ୍ୟ ।

 

“କାଲି ମିସ୍ ଚୌଧୁରୀଙ୍କ ସଙ୍ଗେ ଦେଖାହେଲା

ସେ ଦର୍ପଣ ଆଗରେ ବାଳ ମୁକୁଳା କରିଦେଇ

ନକଲି ଦାନ୍ତ ଲଗଉଥିଲେ

ଶିରରେ ତାଙ୍କର ଗୋଟିଏ ଦିଓଟି ଶୁକ୍ଳ କେଶର

ନିଷିଦ୍ଧ ଆବିର୍ଭାବ ।

ଯୁଦ୍ଧ ବିରତିର ଶ୍ଵେତ ପତାକା ପରି

ସେ ବିରକ୍ତିରେ ସେଗୁଡ଼ିକୁ ଦେଖୁଥିଲେ

ମୁହଁରେ ପ୍ରୋଢ଼ତ୍ୱ ସଙ୍ଗରେ ବ୍ୟର୍ଥ ସାଲିସର ଭାବ ।”

(ସଚ୍ଚି ରାଉତରାୟ- ‘ମୁକ୍ତି'-(୨)- ପାଣ୍ଡୁଲିପି)

 

ସଚ୍ଚି ରାଉତରାୟଙ୍କ ନାରୀ ସମାଜର ପ୍ରତ୍ୟେକଟି ଶ୍ୱାସ-ପ୍ରଶ୍ୱାସ, ଆଚାର-ବିଚାର, ହସ-କାନ୍ଦ, ପ୍ରେମ-ପ୍ରଣୟ, ଆଶା-ନିରାଶାର ସହ ଏପରି ଜଡ଼ିତ ଯେ, ଯାହାକୁ କି ଯେକୌଣସି ପରିପ୍ରେକ୍ଷୀରେ କେବେ ଅସଙ୍ଗତ ବୋଲି କହିହେବ ନାହିଁ । ପଲ୍ଲୀଠାରୁ ସହରୀ ସଭ୍ୟତା ପର୍ଯ୍ୟନ୍ତ, ପ୍ରାଚୁର୍ଯ୍ୟଠାରୁ ପରାଭବ ପର୍ଯ୍ୟନ୍ତ ତାଙ୍କ ନାରୀର ଗତି ଓ ବ୍ୟାପ୍ତି । ଯେତେବେଳେ କବି ଚେତନାରେ ପଲ୍ଲୀପ୍ରାଣତା ପ୍ରକାଶ ପାଇଛି ସେତେବେଳେ ପଲ୍ଲୀର ଲଳନା ତାଙ୍କ ଚେତନାର ଏକ ବିଶିଷ୍ଟ ବିଭାବ ଭାବେ ରୂପାନ୍ତରିତ ହୋଇଛି । ସେହିପରି ସେ ସହରୀ ନାରୀର ସୁଖ-ଦୁଃଖ, କଷଣ-ପୋଷଣ, ଅନ୍ତର୍ଦ୍ୱନ୍ଦ୍ୱ ତଥା ମାନସିକ ସ୍ତରରେ ଅତି-ଭାବନାକୁ ରୂପ ଦେବାରେ ଶ୍ରୀ ରାଉତରାୟ ପଛେଇ ନାହାଁନ୍ତି । କବି ପ୍ରାଣରେ ନାରୀ-ସମାଜ ପ୍ରତି ଥିବା ସୂକ୍ଷ୍ମ ଦରଦଟି କବିଙ୍କ କବିତାରେ ଚିତ୍ରିତ ଅଧିକାଂଶ ନାରୀ ଚରିତ୍ର ମଧ୍ୟରେ ପ୍ରକଟିତ ହୋଇଛି । ଜୀବନଯନ୍ତ୍ରଣା ଭିତରେ ବଞ୍ଚିବାର ରାହା ଖୋଜିବାରେ କବି ଶ୍ରୀ ରାଉତରାୟଙ୍କ ନାରୀର ସଂଗ୍ରାମପୂର୍ଣ୍ଣ ବ୍ୟକ୍ତିତ୍ୱ ତାଙ୍କର କାବ୍ୟ-କୃତିରେ ନାରୀ-ଚିତ୍ରାୟନର ଅନ୍ୟତମ ବୈଶିଷ୍ଟ୍ୟ । ଏତେ ସଂଗ୍ରାମ, ଏତେ ଜ୍ୱାଳା, ଏତେ ଯନ୍ତ୍ରଣା ମଧ୍ୟରେ ସେ ନାରୀର ମନରୁ ଅନ୍ତର୍ହିତ ହୋଇନାହିଁ – ପ୍ରେମ, ବିଲୟ ହୋଇନାହିଁ ଶ୍ରଦ୍ଧା, ଲିଭିଯାଇନାହିଁ – ସମ୍ମାନବୋଧ, ତିରୋହିତ ହୋଇଯାଇ ନାହିଁ ତା’ର ପ୍ରଣୟିନୀ ମନୋବୃତ୍ତି । ତେଣୁ କବି ଦୃଷ୍ଟିରେ ସେ ନାରୀ ପୁଷ୍ପିତା, ସେ ନାରୀ ଦୃଶଦ୍ବତୀ, ସେ ନାରୀର ହସରେ ତଥାପି ଫୁଟେ ‘ସହସ୍ର ଜହ୍ନର ହସ’ –

 

“ହଠାତ୍ ମନେହେଲା

ସହସ୍ର ଫାଲ୍‌ଗୁନ ଥିଲା ତୁମରି ଆଖିରେ-

ସହସ୍ର ଜହ୍ନର ହସ ତୁମ ଓଠରେ ।”

(ସଚ୍ଚି ରାଉତରାୟ- ‘ସ୍ମରଣୀୟାସୁ’ - ପାଣ୍ଡୁଲିପି)

 

କବି ଶ୍ରୀ ରାଉତରାୟଙ୍କ ନାରୀର ପ୍ରେମ-ପ୍ରଣୟ ଏକ ସଂଗୁପ୍ତ ଭାବବୋଧ ତଥା ସୂକ୍ଷ୍ମ ମାନସିକତା ମଧ୍ୟରେ ଆବଦ୍ଧ । ସେଠାରେ କେବଳ ଦେହ ବା ଦାହ ମୁଖ୍ୟ ନୁହେଁ, ଭଲପାଇବାର ବିଦଗ୍ଧତାରେ ଝରିପଡ଼ୁଥିବା ପ୍ରତ୍ୟେକ ହସ ଓ ଅଶ୍ରୁର ମୂଲ୍ୟ କବି କଳନା କରିଛନ୍ତି ତାଙ୍କ ରୋମାଣ୍ଟିକ୍ ନାରୀଚରିତ୍ର ମଧ୍ୟରେ । ତେଣୁ କବି ରାଉତରାୟଙ୍କ ନାରୀ ମନରେ ଭଲପାଇ ପ୍ରତାରଣା କରିବାର, ଭୁଲିଯିବାର ବା ଛଳନା କରିବାର ମାନସିକତା ଯେତେ ତୀବ୍ର ନୁହେଁ, ତତୋଽଧିକ ତୀବ୍ର ସମାଜ ପରିପ୍ରେକ୍ଷୀରେ ସେ ସବୁର ପରିଣତିକୁ ସୂଚାଇବା । ପଲ୍ଲୀରୁ ନଗର, ଦେଶରୁ ମହାଦେଶ - ପୃଥିବୀର ପ୍ରତ୍ୟେକ ପ୍ରାନ୍ତରୁ ଆରମ୍ଭ କରି ଅତୀତ ଓ ବର୍ତ୍ତମାନର ସମ୍ପ୍ରସାରିତ ସାମ୍ପ୍ରତିକତା ପର୍ଯ୍ୟନ୍ତ ସମୟର ପ୍ରତ୍ୟେକ ପର୍ଯ୍ୟାୟରେ କବି ରାଉତରାୟ ଖୋଜିଛନ୍ତି ଚିରକାଳୀନ ନାରୀତ୍ୱର ନିଭୃତ ନିର୍ଜନ ସତ୍ୟ । ସେଥିପାଇଁ ତାଙ୍କ କବିତାର ବିଶାଳ କାନଭାସରେ ଆମେ ଲକ୍ଷ୍ୟ କରିଥାଉ ନାରୀ ଓ ନାରୀତ୍ୱର ଏକ ବର୍ଣ୍ଣାଢ଼୍ୟ ବିବର୍ତ୍ତନର ଧାରା !

ଦୋଳମୁଣ୍ଡାଇ, କଟକ

***

 

ସଚ୍ଚି ରାଉତରାଙ୍କ ସର୍ଜ୍ଜନାରେ ଆତ୍ମଖେଦ

ତପନ ପଟ୍ଟନାୟକ

 

ନିରବଧି କାଳର ନିର୍ଦ୍ଦୟ ଛାତି ତଳେ ବହୁ ପ୍ରତିଭାଧର ପ୍ରତିଭା ଆତ୍ମଗୋପନ କରିଛନ୍ତି, କରୁଥିବେ – ଏହା ହିଁ ସୃଷ୍ଟିର ବୈଚିତ୍ର୍ୟ । ଏହିଭଳି ବାଙ୍‌ମୟ ବ୍ୟକ୍ତିତ୍ୱଙ୍କ ଆବିର୍ଭାବ ସବୁସମୟରେ ଘଟେ ନାହିଁ । ସବୁଠୁ ବେଶୀ ଉଲ୍ଲେଖନୀୟ ଯେ ଏଇ ସଂସାରର ହାଟରେ କବି ପରି ସ୍ୱାଭିମାନୀ ସ୍ୱପ୍ନର ସୌଦାଗରଟିଏ କମ୍‌ ସମୟ ପାଇଁ ଆବିର୍ଭୂତ ହୋଇ ବିନା କୁହାବୋଲାରେ ଅପସରି ଯାଇଥାଏ, ସେ କାହାକୁ ବୁଝେନି… ତାକୁ ବି କେହି ବୁଝନ୍ତିନି, ତାର ଜୀବନ ଜାତକର ବିଷୟବସ୍ତୁରେ ଏତିକି ଶ୍ରେଷ୍ଠତ୍ୱ ଲେଖା ହୋଇଥାଏ, ଯାହାର ନାମ କ୍ଷତି ଖାଲି କ୍ଷତି ।

 

ଏହିଭଳି ଜଣେ ପ୍ରଥିତଯଶା କାବ୍ୟକାର ଭାବରେ ସଚ୍ଚିଦାନନ୍ଦ ରାଉତରାୟଙ୍କ ନାମ ଓଡ଼ିଶା କାବ୍ୟ ଜଗତରେ ଉଲ୍ଲେଖଯୋଗ୍ୟ । ବିଂଶ ଶତାବ୍ଦୀର ଦ୍ୱିତୀୟ ଦଶନ୍ଧିରେ ଜନ୍ମଲାଭ କରିଥିବା ଏଇ କବି ଓଡ଼ିଆ ସାହିତ୍ୟ ଜଗତରେ ଆପଣାର ସାରସ୍ୱତ ସିଦ୍ଧିକୁ ଅନାଗତ ଶତଶତ ଶତାବ୍ଦୀ ହାତରେ ବାଣ୍ଟି ଦେଇ ଯାଇଛନ୍ତି, ଏଥିରେ ଦ୍ୱିରୁକ୍ତି ନାହିଁ । ତାଙ୍କର ସର୍ଜ୍ଜନାତ୍ମକ ସାହିତ୍ୟର କଳା ଏକାନ୍ତ ଅନନ୍ୟ ଓ ଅନବଦ୍ୟ । ଗ୍ରାମ୍ୟ ଜୀବନର ନିଖୁଣ ଚିତ୍ରଠାରୁ ଆଧୁନିକତାର ବାସ୍ତବବାଦୀ ଅଙ୍କନ ଯାଏଁ ତାଙ୍କର କାବ୍ୟସ୍ୱାକ୍ଷର ସ୍ୱର୍ଣ୍ଣାକ୍ଷରରେ ଉତ୍କୀର୍ଣ୍ଣ ଓ ଉଦ୍‌ଭାସିତ ।

 

ବହୁଦର୍ଶୀ ମଣିଷର ଆଶା, ଆକାଙ୍‌କ୍ଷା ସୀମାତୀତ । କୋଟି ଜୀବନର ଅପୂର୍ଣ୍ଣ ଅଭିଳାଷ ହିଁ ନୀରବ କ୍ରନ୍ଦନ ବୋଲି କବିଙ୍କର ନୀରବ ଅଭିବ୍ୟକ୍ତି ।

 

‘‘ଜୀବନର କୋଟି ଆଶା, ପରାଣର ନୀରବ କ୍ରନ୍ଦନ

ଯାହା ମୋ’ ହୋଇନି କୁହା ପଦେ ବହି ବାଧାର ବନ୍ଧନ ।

ତାହାରି ପ୍ରକାଶ ଆଜି ଝଡ଼ କଣ୍ଠେ ମଉଳେ ନିରାଶା

କଥା କହେ ପ୍ରାଣ ମୂଳେ ଶତାବ୍ଦୀର କୋଟି ମୃତଭାଷା ।

ମୁକ୍ତ କର ବାତାୟନ, ଭୀରୁ ଆଜି କିଳ ନାଇଁ ଦ୍ୱାର

ଏଇ ଯେ ଆସୁଚି ଝଡ଼ କର ପ୍ରିୟ ତାରେ ନମସ୍କାର !

ଏ ଝଡ଼ ଦେଇଚି ସଖି ତୁମକୁ ଯେ ମୋର ପରିଚୟ

ଭାଙ୍ଗିବାର ମନ୍ତ୍ର ସାଥେ ଗଢ଼ିବାର ଭୂମିକା ଅକ୍ଷୟ ।’’

 

କ୍ରାନ୍ତଦର୍ଶୀ କବି ପୁରୁଷ କବିତା ସମ୍ଭାରରେ ବ୍ୟଥା, ବେଦନାର ନୀରବ ଗୁଞ୍ଜନ । କାବ୍ୟିକ କୃତି, ସ୍ଥିତି ଭିତରେ ଅନେକ ଅବ୍ୟକ୍ତ କାରୁଣ୍ୟର ସହଜ ଆତଯାତ । କେବଳ ଜୀବନର କଥା କହିବା ପାଇଁ… ହସ, ଲୁହ ତ୍ୟାଗ, ତିତିକ୍ଷାର କଥା କହିବା ପାଇଁ । ଗୋଟିଏ ବ୍ୟଥାସିକ୍ତ ସମ୍ୱେଦନଶୀଳ ସମଧର୍ମୀ ସହଯାତ୍ରୀଟିଏ ସଂସାରର ଏଇ କବି । ତାକୁ ଯାହା ଭଲ ଲାଗେ, ଅନ୍ୟକୁ ଭଲ ଲାଗେନା । ଅନ୍ୟକୁ ଯାହା ଭଲ ଲାଗେ ତାକୁ ଭଲ ଲାଗେନା ।

 

‘କବିତାର କବର’ରେ କବିଙ୍କର ଏକ ବିକଳ ଅନ୍ତରର ଆର୍ତ୍ତନାଦ, କ୍ଷୋଭୋକ୍ତି ପରିପ୍ରକାଶିତ । କ୍ଷତାକ୍ତ ପ୍ରାଣର ଅନ୍ତର୍ଦହନ ବେଶ୍ ସ୍ପଷ୍ଟ ଓ ମାର୍ମିକ ।

 

‘‘ଭଲ ଯଦି ନାଇଁ ଲାଗେ ସଖା ଆଜି ମୋର ଏ କବିତା

ତହିଁ ପରେ ଜାଳିଦିଅ ନିଜ ହାତେ ଶମଶାନ ଚିତା

ରଚିଦିଅ ଫୁଲର କବର

ତଳେ ତାର ଲୁଚିଯାଉ କ୍ଷୁବ୍ଧ ଏକ ବିକଳ ଅନ୍ତର ।''

 

ଜନ୍ମାନ୍ତରର ଏଇ ଲୁଚାଲୁଚି, ଖୋଜାଖୋଜି ଭିତରେ କବି ଅଣନିଃଶ୍ୱାସୀ ହୋଇ ପ୍ରିୟତମ କାବ୍ୟ ଜଗତକୁ ଆବୋରି ବସିଛନ୍ତି ସମସ୍ତ ସଂଘାତ ଓ ସଂଘର୍ଷକୁ ସାମ୍ନା କରି । ନୀରବ ନିରାଜନାର ନିୟତ ପୂଜାରୀ ସେ । ‘ବଂଶୀ’ କବିତାରେ ମନୋଜ୍ଞ ଭାଷାର ରୂପାୟନ କବିଙ୍କର

 

‘‘ବଇଁଶୀଟି ମୋର ଦେଇଗଲି ସଖି

ତୁମରି କରେ

ବଜାଇବ ଯେବେ ଭିଜାଇବ ନାଇଁ

ନୟନ ଜଳେ ।''

‘‘ଶୁଣି ସେ ବାଜଣା ଥର ହୋଇଯିବ

ମେଘର ରଥ

ଋତୁର ନହଡି ଉଜାଣିବ ନାଇଁ

କାଳର ପଥ ।''

 

ପ୍ରେମ ଓ ଜୀବନ ପରସ୍ପରର ପରିପୂରକ । ଗୋଟିଏ ରାସ୍ତାରେ, ଗୋଟିଏ ଆତ୍ମାରେ ସାକାର, ଏକାକାର ହେବା ଏହାର ସହଜାତ ଧର୍ମ । ବ୍ୟଥା ବେଦନାର ଗୀତ ଗାଇ ଗାଇ କବି ଆତ୍ମସ୍ଥ ହୋଇଥାଏ ପ୍ରେମ ଓ ଜୀବନ ସହ । କୌଣସି ପ୍ରତିଘାତ ତାକୁ ବାଧା ଦେଇ ପାରେ ନାହିଁ ।

 

ଏହାହିଁ ତାର ଅଭିବ୍ୟକ୍ତି-

‘‘ସମ୍ମୁଖ ତ ହାତ ଠାରି

ବାରେ ବାରେ କରଇ ଇସାରା

ଯିବାକୁଇ ହେବ ମତେ

ବହୁ ଦୂରେ ମୋ’ ପଥର ଧାରା ।”

ବେଳେ ବେଳେ ସ୍ମୃତି ତୁମ ଆସେ

ଆଶ୍ୱିନର ଛିନ୍ନ ମେଘ ଆସେ ଯଥା ମାଟିର ନିଃଶ୍ୱାସେ ।''

 

ଜୀବନମନସ୍କ ଏଇ କବିଙ୍କୁ ଅନେକ ସମୟର ଅନେକ ଭୂମିକାରେ ଓହ୍ଲାଇ ଆସିବାକୁ ପଡ଼ିଥାଏ । ଏକକ ଅଭିନୟରେ କବିର ଶିଳ୍ପ ଚାତୁରୀ ସାଧାରଣଙ୍କ ଠାରୁ ଅନନ୍ୟ, ଏହା କେହି ଅସ୍ୱୀକାର କରି ପାରିବେ ନାହିଁ । ‘ବାଜି ରାଉତ’ର ଭାଷାରେ ଯେପରି ସାଗ୍ନିକ ଶବ୍ଦର ସଞ୍ଚାରଣ ତାହା ‘ବାଜିରାଉତ’ର ନୁହେଁ ଖୋଦ୍ କବିଙ୍କର । ମନ୍ତ୍ର ମୁଗ୍ଧତାର ଆବାହନରେ କବି ଭାବମୟ, ରସମୟର ପୂଜାରୀ ହୋଇ ଯାଇଛନ୍ତି ।

 

‘‘ଏ ମାଟିର ସ୍ତନ୍ୟ ପିଇ ଗାଇଲା ସେ ଏ ମାଟିର ଜୟ

ବିଶ୍ଵର ଦୁରନ୍ତ ଶିଶୁ ମୃତ୍ତିକାର ଚିର ସ୍ତନକ୍ଷୟ

ଚମ୍ପକ ସମ ସେ ଯେ ସଉରଭ ରଖିଗଲା ମରି

ମରିଣ ପାରିଲା ନାଇଁ କଦାପି ତ ଛୋଟ ତାକୁ କରି ।

ଏଇଠି ଶୋଇଚି ସେ ଯେ ଅଭିମାନେ

ଧୂଳି ଶେଯେ ତଳେ

ଟିକି ଦେହେ ଦେଖ ତାର

ଦାବାନଳ ହୁତୁହୁତୁ ଜଳେ ।

କେହି ତାରେ ଡାକିଲାନି

ଲୋଡ଼ିଲାନି କେହି ଥରେ ଆସି

ଅଭିମାନ କେହି ତାର ଶୁଣିଲାନି

ଅଭିମାନ ନାଶି ।

 

ଜୀବନ ସହିତ ମୁହାଁମୁହିଁ ଜୀବନ କବିତାରେ କବି ଉନ୍ମୁଖ, ଉଚ୍ଚକିତ । କବିଙ୍କ ଭାବୋଦ୍ଦୀପକ ଉତ୍ତେଜିତ ସ୍ଵର ଓ ସ୍ଵାକ୍ଷର ।

 

‘‘ଜୀବନଟା ଘନୀଭୂତ ପ୍ରହେଳିକା ପରି

ମୋ ନିକଟେ ଦିଏ ଦେଖା ନ ପାରେ ମୁଁ ଧରି ।’’

‘କେବେ ଆସେ ରାଜବେଶେ କେବେ ଭିକ୍ଷୁ ପରି

ସେ ରୁଦ୍ଧ ରହସ୍ୟ ଦ୍ୱାର କେ ପାରିବ ଖୋଲି ?’’

‘‘ଯବନିକା ଅନ୍ତରାଳେ ଜୀବନର ବାଣୀ

ନିଭିଯାଏ ବାଜି କ୍ଷଣେ ନହୁଅଇ ଜାଣି ।”

 

ଯାହା ଅଦୃଶ୍ୟ, ଯାହା ଅସ୍ପର୍ଶ, ଯାହା ଅଲଭ୍ୟ ତାହା ହିଁ ଜୀବନ । ପାଖରେ ଥାଏ ପାଖରେ ନଥାଏ । ପାଇବା ପାଇଁ ଶେଷ ଚେଷ୍ଟା ପରେ ଏହା ହସ୍ତଗତ ହୋଇପାରେ ନାହିଁ । ଅସ୍ପଷ୍ଟ ହୋଇଯାଏ । ସେଥିପାଇଁ ଜୀବନକୁ କବିତାର ସାଦୃଶ୍ୟ ବୋଲି କବି ରେଖାଙ୍କିତ କରିଛନ୍ତି ଜୀବନ କବିତାରେ ।

 

ବନଋର୍ଭେ ନିଭେ ଯଥା ବିହଙ୍ଗମ ସ୍ୱନ

ଜୀବନ କବିତା ନିଭେ ନିଭୃତ ତେସନ ।

-ଜୀବନ କବିତା

 

କବିର ପ୍ରାଣ ସଦା ସର୍ବଦା କ୍ଲେଦାକ୍ତ ଓ କ୍ଷତାକ୍ତ । ମୁହୂର୍ତ୍ତ ମୁହୂର୍ତ୍ତ ଧରି ଯନ୍ତ୍ରଣାରେ ନିଜକୁ ଜଳାଇ ଜଳାଇ କ୍ଷୟ କରୁଥିବା କାବ୍ୟସତ୍ତାଟି ଲୁହର ଅଞ୍ଜଳି ବାଢ଼ୁଥାଏ ମଣିଷ ପାଇଁ, ଜୀବନ ପାଇଁ, ପୃଥିବୀ ପାଇଁ ।

 

ସ୍ମୃତିର କରୁଣ ସ୍ଫୁଲିଙ୍ଗ ଉଚ୍ଚାରିତ ହେଉଥାଏ ପ୍ରଚଣ୍ଡ କାବ୍ୟ ଧ୍ୱନିରେ ।

 

‘‘ମାତାର ଲୁଳିତ ବନ୍ଧୁ ଭୋକେ ଯେବେ ଶୁଖିଯିବ କ୍ଷୀର

ଶୀର୍ଣ୍ଣ ଶଙ୍ଖ ସମ ତା’ର ବେନି ସ୍ତନୁ ଝରିବ ରୁଧିର

କ୍ଷୁଧାରେ କାନ୍ଦିବ ଶିଶୁ, କ୍ରନ୍ଦନେ ଭରିବ ନଭ ସ୍ଥଳ

ମୁମୂର୍ଷୁ ଶିଶୁର ଓ କ୍ଷୁଧାତୁରା ମାତା ଅଶ୍ରୁଜଳ ।

ଖାଲି ଦବ ଢାଳି

ନୟନ ପଖାଳି

ତେବେ ହେ ଜଟାୟୁ ଗତି ! ରହି ତୁମେ ପାରିବ କି ଦୂରେ

ମରଣ ପାରିବ ରଖି ବନ୍ଦୀ କରି ତାରେ ଅନ୍ତଃପୁରେ ?

ଭାଙ୍ଗିବନି ଲୁହାର କବାଟ

ମୃତ୍ୟୁର ଶୃଙ୍ଖଳ ପଦେ ଚୁରିବନି ମୁକତିର ଭାଟ ।''

ଅଥବା

‘‘ଯୁଗେ ଯୁଗେ କାଳର ସୀମାନ୍ତେ

ତୁମେ ଯେ ଆସିବ ଫେରି ଏ ଧରାରେ

ଶତାବ୍ଦୀର ପ୍ରାନ୍ତେ

ପାର ହୋଇ ଜନ୍ମ ମୃତ୍ୟୁ ସୀମା

ସ୍ଵପ୍ନର ଦ୍ରାଘିମା ।’’

 

ସ୍ୱପ୍ନର ଦ୍ରାଘିମାରେ କବି ତନ୍ଦ୍ରାତୁର । ଆତ୍ମ ବିଭୋର । ଗଭୀର ଆଶାବାଦର ମହା ସ୍ତୋତ୍ରଟିଏ ସୁଦୂର ସୀମାରେଖା ତଳୁ ସ୍ପଷ୍ଟ ଶୁଭୁଚି କବିଙ୍କ କଣ୍ଠରୁ । କ୍ଷୟ ଅବକ୍ଷୟର ଅନେକ ବ୍ୟଥାତୁର ନିଚ୍ଛକି ଚିତ୍ର ବିରାଗର ମଧୁର ଧ୍ୱନିରେ ମନ୍ଦ୍ରିତ ଏକ ଅସମ୍ଭବ କ୍ଷେଦୋକ୍ତି ଓ କ୍ଷୋଭୋକ୍ତିରେ କାବ୍ୟ ପରିସର ମୋହାଚ୍ଛନ୍ନ । ଅସଂଲଗ୍ନ ମଣିଷର ଜୀବନଯାତ୍ରାର ପରିସମାପ୍ତି କେଉଁ ଅବଶୋଷର ଅବଶେଷରେ । ମଣିଷର ଇଚ୍ଛା ତ ସୁଦୂର ପ୍ରସାରୀ । କାମନାର ନୀଳ ନିର୍ବାଣ ପାଇଁ ମଣିଷର ସତତ ଚେଷ୍ଟା । ଅଥଚ ନିର୍ବାଣ ନାହିଁ ।

 

ନିରୀହ ମାୟାର ସ୍ପଷ୍ଟ ଅବତାରଣାରେ କବି ତନ୍ଦ୍ରାଚ୍ଛନ୍ନ । ଆତ୍ମବିଭୋରତାର ପ୍ରଲିପ୍ତ ସ୍ୱର ଆଚ୍ଛନ୍ନ ଅନ୍ଧକାର ପରି ଘେରି ରହିଛି ମଣିଷ ଜୀବନର ଚଉସୀମାରେ । କବି ଚାଲିଛି ହିଁ ଚାଲିଛି । ଦିଗରୁ ଆଦିଗନ୍ତ । ଜନ୍ମରୁ ଆଜନ୍ମ । ମଗ୍ନତାରେ ଅନ୍ଧ ହୋଇ ଗୋଟାଏ ଦୀର୍ଘ ଅବଶୋଷର ଅବତାରରେ । କାବ୍ୟ ଭୁମି ଖେଦୋକ୍ତିରେ କ୍ଷୋଭୋକ୍ତିର ଚଉତରାରେ ଅଭୁତ ଦୋଳିରେ ଦୋଳାୟମାନ ଖୋଜୁଚି ଜୀବନକୁ, ତାର ଭିତ୍ତିଭୂମିକୁ । ତାର ଭବିତବ୍ୟ ଭୌତିକତାକୁ । ପଚାରୁଛି,

 

“ଶାନ୍ତି କାଇଁ, ଶାନ୍ତି କାଇଁ, ଚିତ୍ରକାରର ବୀଭତ୍ସ ସଂକ୍ରାନ୍ତି

ସେ ଯେ ସ୍ଵପ୍ନ ଛାୟା

ଅଯୋନିଜ ପ୍ରେତକଣ୍ଠେ ମରୁତୃଷ୍ଠା ମରୀଚିକାମାୟା

ଭ୍ରାନ୍ତି ମହା ଅନିର୍ବାଣ ଭ୍ରାନ୍ତି

ସତ୍ତାର ଚରମ ତାହା, ବଞ୍ଚିବାର ସେ ମହାସମାପ୍ତି ।’’

 

କ୍ରାନ୍ତିକାରୀ ବିଦ୍ରୋହୀ ଆତ୍ମାର କେତେ ସମ୍ଭାନ୍ତ ଚିତ୍କାର । ଲୁହ ଲହୁ ଝାଳରେ ଭିଜା ଭିଜା କାରୁଣ୍ୟର ସ୍ୱର । ମଣିଷ ପାଇଁ କେମିତି ମାଡ଼ି ଆସୁଚି ଅନେକ ଅହେତୁକ ଝଡ଼ । ଜିଜ୍ଞାସା ଓ ପିପାସାର ଶ୍ଵାସ ରୁଦ୍ଧ ହୋଇ ଆସୁଚି ଜ୍ୱଳନର ତୀବ୍ରତାରେ । ଅନୁଭୁତିର ତିକ୍ତତାରେ ।

 

“ସେଇ ଝାଳ ଲହୁଲୁହେ

କିଏ କାଟିଲା ନାରୀର ସ୍ତନ

କିଏ ତାର ଯୌନଦ୍ଵାରେ ବିଦ୍ଧ କଲା ଛୁରୀ

ରାସ୍ତାର ସିମେଣ୍ଟ ଖଲା ଲୁହ ଆଉ ଲହୁରେ ବତୁରି ।

 

କବର ଜୀବନ ସାରା ଶୋକୋଚ୍ଛ୍ୱାସ ପ୍ରବଳରୁ ପ୍ରବଳ ଘନୀଭୂତ ହୁଏ । ଉପଶମ ଓ ଦର୍ଶନର ରାସ୍ତା ନଥାଏ । କବିଙ୍କର ସେଥିପାଇଁ ସହଜ ସ୍ୱୀକାରୋକ୍ତି ।

 

“ସେ ଏକ ସମ୍ୱୋଧନ

ନୁହ ତା’ ତ ତନ୍ତ୍ର ମନ୍ତ୍ର

ଦ୍ଵାର କିଳି ଯୋଗର ସାଧନ ।

ମଣିଷର ଲହୁ ଲୁହେ କବିତା ମୋ’ ନୀଳ ।

ଜୀବନର ସୁବର୍ଣ୍ଣ ଦଲିଲ୍ ।”

କିମ୍ୱା

‘‘ସଚ୍ଚି ରାଉତରା- ଯାହା ସତ୍ୟ ତାହା କବିତା

ମଣିଷର ଜୀବନବୋଧର ଛବି ତା ।’’

 

ବାସ୍ତବିକ ଜୀବନବୋଧର କବି ସଚ୍ଚି ରାଉତରାୟଙ୍କ କାବ୍ୟଭୂମିର ଫସଲ ଅନନ୍ୟ, ଅପ୍ରକଟ ଓ ଅପ୍ରକାଶ୍ୟ । କବି ଓ କବିତାର ସହାବସ୍ଥାନ ସାର୍ବଜନୀନ ଓ ସୁଦୂରପ୍ରସାରୀ ।

ବାଲୁଗାଁ, ଖୋର୍ଦ୍ଧା

 

ଗୁରୁପ୍ରସାଦ ମହାନ୍ତି

(୨୮ ନଭେମ୍ୱର ୧୯୨୪-୨୭ଅଗଷ୍ଟ ୨୦୦୪)

 

***

 

Unknown

ଗୁରୁପ୍ରସାଦ ଆମ ଦୁଃଖ, ଆମ ବିଷର୍ଣ୍ଣତାର ପ୍ରମୁଖ ପ୍ରବକ୍ତା

ସୀତାକାନ୍ତ ମହାପାତ୍ର

 

ତାଙ୍କର ଏତେ କମ୍ ସଂଖ୍ୟକ କବିତାରେ (୬୮ଟି) ବେଶ୍ ଲକ୍ଷଣୀୟ ଆଧୁନିକ କବିତାର ସମସ୍ତ ଗୁଣ- ଏକାନ୍ତ ନିର୍ଜନତା, ଅବିନ୍ୟସ୍ତ ବିଷର୍ଣ୍ଣତା, ଅନେକ କ୍ଲେଶ, ପାପତାପ ଓ ଯନ୍ତ୍ରଣାର ଗହୀରି ଅବବୋଧ; ସୁଗଭୀର ଆତ୍ମ ଅନ୍ୱେଷଣ; ରୋମାଣ୍ଟିକ ପ୍ରେମ ପ୍ରତି କଟାକ୍ଷ; ଲୁଚେଇ ରଖିଥିବା ପ୍ରଚୁର ବୌଦ୍ଧିକତା ଓ ସର୍ବୋପରି ତୀକ୍ଷଣ ଅଭିବ୍ୟକ୍ତି ଭରା, ଆବେଗରେ ଜୁଡ଼ୁବୁଡ଼ୁ ଭାଷା ପରମ୍ପରା ସହ ପ୍ରତ୍ୟକ୍ଷ ସମ୍ପର୍କ ।

 

ବ୍ୟକ୍ତିଗତ ଭାବେ ମୋ ପାଇଁ ସବୁଠୁଁ ଆଦରଣୀୟ ଥିଲା ତାଙ୍କ କବିତାରେ ନିଜ ଜୀବନଚର୍ଯ୍ୟା ଓ କବିତାକୁ କେବଳ ସମାନ୍ତର ନୁହେଁ ବରଂ ଏକାତ୍ମ କରିବାର ଅତୃପ୍ତ ପିପାସା, ଗଭୀର ଅଭୀପ୍‌ସା । ସିଏ ଯାହା, ଯେମିତି ବଞ୍ଚିଥିଲେ, ଯେମିତି ଯାହା ଭଲ ପାଉଥିଲେ ସେ ସବୁର ପ୍ରତିବିମ୍ବ ତାଙ୍କ କବିତା । ବେଳେ ବେଳେ ଭାବିଛି, ତାଙ୍କ ଜୀବନ ତାଙ୍କ କବିତାକୁ ପ୍ରଭାବିତ କରିଛି ନା କବିତା ଜୀବନକୁ ଅକ୍ତିଆର କରିଛି । କାଳିସୀ ଲଗେଇଛି । ଜୀବନ ଓ କବିତା ଏକା ହୋଇଯାଉ, ଯାହା ମୋ କବିତା ଠିକ୍ ସେଇଆ ହେଉ । ଏଥିରେ ବି ମୋର ଗଭୀର ବିଶ୍ଵାସ । କଣ ମୋର ଏଇ ବିଶ୍ଵସ୍ତତା ଯୋଗୁଁ ସିଏ ନିଜେ ଓ ତାଙ୍କ କବିତା ମୋର ଏତେ ପ୍ରିୟ ଥିଲା ?

 

ସେ ଆମ ବିଷର୍ଣ୍ଣତା, ଆମ ସମୟର ନିର୍ଜନ ଓ କରୁଣ ବିଷର୍ଣ୍ଣତାର ସବୁ ବଡ଼ ପ୍ରବକ୍ତା । ଏଇ ବିଷର୍ଣ୍ଣତାବୋଧ ତାଙ୍କ କବିତାର ଛତ୍ରେ ଛତ୍ରେ ଧ୍ୱନିତ । ପତ୍ର ସବୁ ଝଡ଼ି ଝଡ଼ି ପଡ଼ନ୍ତି । ବ୍ୟାଟେରୀ ନଥିବା ଟର୍ଚ୍ଚ ଲାଇଟ୍ ପରି ସୂର୍ଯ୍ୟ ବୁଡ଼ିଯାଆନ୍ତି । ଶୀର୍ଣ୍ଣ ସିଢୁଆ ନଈରେ ଅନ୍ଧାରରେ ତାରା ଭାସେ ବିବର୍ଣ୍ଣ ଶ୍ରୀହୀନ ‘ଅନ୍ଧାର ଆସେ ଘାରି ହୋଇ କୁହୁଡ଼ିରେ', ‘ଜହ୍ନ ଆସେ ନିଛାଟିଆ ଅତଡ଼ା ଉପରେ । ବାଲି, ଅପନ୍ତରା, ଭୋର୍ ପବନରେ ଝଡ଼ୁଥିବା ଜୀର୍ଣ୍ଣ ପତ୍ର, ‘ଏହି ଭଲ ପାଇବାର ନିଃସଙ୍ଗ ବେଦନା- ସବୁ ତାଙ୍କ କବିତାରେ ଜୀବନ୍ତ । ଆମ ସାମ୍ନାରେ ଆଣି ଥୁଏ ଦେଖିଥିବା ଗୋଟେ ଚିତ୍ରପଟ ।

 

ଅନେକ ସେ ଝୁରନ୍ତି, ତାଙ୍କ କାବ୍ୟନାୟକ ବେଦନା ଓ ବିଷର୍ଣ୍ଣତା ବୋଧରେ ଉବୁଟୁବୁ ହୁଏ-। ଏତେ ସ୍ନେହ ସେ ପାଇଥିଲେ, ପିଲାଦିନେ ଏତେ ଗେହ୍ଲା ହୋଇଥିଲେ, ଏତେ ସୌଖୀନ ପୋଷାକ ପରିଚ୍ଛଦ, ନିଜ ଜୀବନ ଯାପନର ଢଙ୍ଗ ଥିଲା, - ତା’ ଭିତରେ ଏତେ ଅବିଶ୍ଵାସ୍ୟ କାରୁଣ୍ୟ କାହୁଁ ଆସିଲା । ଭାବିଭାବି ମୁଁ ଆଶ୍ଚର୍ଯ୍ୟ ହୁଏ । ପୁରୀ ସମୁଦ୍ରକୂଳ ପୁରୁଣା କୋଠା ବାରଣ୍ଡାରୁ ସମୁଦ୍ରର ଉବେଳ ନିର୍ଜନତା ସେ ବୋଧହୁଏ ବୁଝନ୍ତି । ବାଲିଚର, ମୁହାଣ ପିକ୍‌ନିକ୍‌ର ସଞ୍ଜ ନିଜ ଭିତରକୁ ଟାଣନ୍ତି । ସେ ‘କୋଠା’ରେ ତାଙ୍କୁ ଭେଟିଥିଲି । ଭେଟିଥିଲି କଟକ ଲିଙ୍କରୋଡ ପଛରେ (କାଠଯୋଡ଼ୀ ଆଡ଼କୁ) ଘରେ । ଦିନେ ଘଣ୍ଟି ବଜେଇବାରୁ ନିଜେ ଆସି ଖୋଲିଲେ କବାଟ । ‘ବିଷର୍ଣ୍ଣ’ ବଲବଟିଏ ଡ୍ରଇଂ ରୁମରେ, ବିଶେଷ କିଛି ସଜଡ଼ା-ସଜଡ଼ି ହୋଇ ନାଇଁ, ପ୍ରାୟ ସବୁ ବିପର୍ଯ୍ୟସ୍ତ ଅବସ୍ଥାରେ । ଭେଟିଥିଲି ସେଇ ଘରେ ଯୋଉଠୁ ସେ ଏ ବିଷର୍ଣ୍ଣ ପୃଥିବୀରୁ ବିଦାୟ ନେଲେ । ଚାଲିବା ଥାଏ କଷ୍ଟ, ଫେରି ନ ଥାନ୍ତି ସ୍ତ୍ରୀ ଅରୁଣା କଟକ କଲେଜରୁ, ଚାହା କରିବାକୁ ଆଗୁସାର ହେଉଥିଲେ । ବାରଣ କରି କହିଲି ‘ଗୁନା ଭାଇ ମୁଁ କ’ଣ ଚା' ପିଇବାକୁ ଆସିଛି ? ମୁଁ ଆସିଛି ଗପିବାକୁ, ହୁଏତ ହରେକୃଷ୍ଣ ଦାସଙ୍କୁ ଭେଟିବାକୁ । ବିଷର୍ଣ୍ଣ ପରିବେଶରେ ବିଷର୍ଣ୍ଣତାର ପ୍ରବକ୍ତା ବସିଲେ ସୋଫାରେ । ଭାବିଥିଲି କିଛି ପରିମାଣରେ ସେ ହରେକୃଷ୍ଣ ଦାସ ନୁହନ୍ତି କି ? ସେ ଟିକିଏ ମୁରୁକି ହସୁଥିଲେ । ଆଗର ସେ ସୁନ୍ଦର ଚେହେରା, ସେ ତୀକ୍ଷଣ ଆଖି ତଥାପି ଜଳୁଥିଲା ସୁନା ପରି । ହଳଦିଆ ପ୍ରଜାପତି ପରି ମୁହୂର୍ତ୍ତେ ବସିଯାଇଥିଲା ମେଘ ଉପରେ । ଜଳଜଳ ଦୁଶୁଥାଏ ‘‘ଏହି ଭଲ ପାଇବାର କ୍ରମିକ ଏ କ୍ଷୟ ଆଉ ମୃତ୍ୟୁର ଏ ନିଶବ୍ଦ ସଞ୍ଚାର ?

 

ରୋମାଣ୍ଟିକ ପ୍ରେମ ପ୍ରତି ସାମାନ୍ୟ ବିଦ୍ରୂପ ତାଙ୍କ କବିତାରେ ବେଶ୍ ଲକ୍ଷଣୀୟ । କିନ୍ତୁ ସେ ନିଜ ଜୀବନରେ ବେଶ୍ ରୋମାଣ୍ଟିକ ଥିଲେ । ସତେ ଯେମିତି କବିତା ସେଇ ରୋମାଣ୍ଟିସିଜମରୁ ମୁକ୍ତି ଖୋଜା ! ସେଇ ଅଣନାୟକ (ହରେକୃଷ୍ଣ ଦାସ, ଗୋବର ଗଣେଶ) ମାନଙ୍କୁ ଆପଣେଇବାର ସରଳ, ଅମାପ ପ୍ରୟାସ ।

 

‘କେଉଁ ଘାସ ? କେଉଁ ବାଲିଚର ? କେଉଁ ନଈ ? କେଉଁ ଫୁଲ ? କେଉଁ ନଈ ମୁହାଣରେ ଉଜାଣି ଲୁହର ଢେଉ ? କେଉଁ ନଷ୍ଟ ଦିଗନ୍ତର ବସନ୍ତ ଓ ବ୍ୟଥିତ ଆକାଶ ?”

 

“ଏହି ଭଲ ପାଇବାରେ ମୃତ୍ୟୁ ଯଦି ପୁଣି ଆସେ, ତେବେ ଏହି ପୃଥିବୀର ବିଷର୍ଣ୍ଣ ଏ ସୀମାନ୍ତରେ ମୋ ଆଖିର ତାରା... ”

 

“ଧୂସର ଆକାଶ ମନ୍ଥି ସନ୍ଧ୍ୟା ଆସେ ଅବା ଆସେ ସାତ୍ତ୍ୱିକ ଶ୍ରାବଣ/ ଆମର ଅପେକ୍ଷା ରହେ ପାର୍ଟି ଆଉ ନିର୍ବାଚନ/ ଦୂଷିତ ଆତ୍ମାର ଖେଦ ଜୀବନର ଦୂଷିତ ଦୁଃସ୍ୱପ୍ନ” (କାଳପୁରୁଷ),

 

ଆଉ ଅଧିକ କ'ଣ କହିବା ପ୍ରୟୋଜନ ? ତାଙ୍କ ଜୀବନର ନିର୍ଜନ ବିଷର୍ଣ୍ଣତା- ସବୁ ସ୍ନେହ, ସବୁ ପ୍ରେମ, ସବୁ ଗେହ୍ଲାପଣିଆ ପାଇଥିବା ସତ୍ତ୍ୱେ- ଯେମିତି ଏକ ଅନ୍ତଃସଲିଳା ଫଲ୍‍ଗୁ ପୁଣି କେବେ ବି ଉଷ୍ମ ପ୍ରସ୍ରବଣ !

 

ଭାଷାର କି ଦକ୍ଷତା ? ଗୋଟିଏ ଗୋଟିଏ ପଂକ୍ତିରେ, ଗୋଟିଏ ଗୋଟିଏ କବିତାରେ ପାଠକକୁ ତାଙ୍କ କବିତାର, ତାଙ୍କ କବିତାର ନିର୍ଜନ ଭୋରବେଳାର ସେଇ କୁହୁଡ଼ିର, ସେଇ ପ୍ରେମ ଓ ମୃତ୍ୟୁର ଯୁଗଳବନ୍ଦୀର ଛାଇରେ ଢାଙ୍କି ଦେବାର କି ଯାଦୁକରୀ ଶକ୍ତି ! !

 

ବେଳେ ବେଳେ ମୁଁ ନିଜକୁ ପଚାରିଛି: ସିଏ ଯଦି ଚୁପ ହୋଇ ନ ଯାଇ କବିତା ଲେଖିଥାନ୍ତେ, ସେ କବିତାର ସ୍ରୋତ କୁଆଡ଼େ ମୋଁହିଥାଆନ୍ତା, କ’ଣ ସବୁ ସେଥିରେ ପ୍ରତିଫଳିତ ହୋଇଥାଆନ୍ତା, । ଆମ ଜୀବନରେ କେଉଁ କ୍ଲେଶ, କେଉଁ ଯନ୍ତ୍ରଣା, କେଉଁ ଅକୁହା କୋହ କେଉଁ ଅବୁଝା କୋହ ସିଢ଼ୁଆର ଶ୍ରୀହୀନ ବିବର୍ଣ୍ଣ ସ୍ରୋତରେ ପ୍ରତିଫଳିଥାନ୍ତା ? ବହୁ ଚେଷ୍ଟା ସତ୍ତ୍ୱେ ଆମେ କେହି ତାଙ୍କୁ ପୁନରପି କବିତାକୁ ଫେରେଇ ଆଣି ପାରିଲୁନି । ଆଧୁନିକ ଓଡ଼ିଆ କବିତାର ଦୁର୍ଭାଗ୍ୟ, ମୂଲ୍ୟବାନ କିଛି ନ ପାଇବାର ଅତୃପ୍ତି । ଆଉ ଆମ ଅପାରଗ ପଣିଆର ଆଉ ଏକ ନମୁନା ।

 

ସମୁଦ୍ରରେ ସ୍ନାନ ସେ କରୁଥିଲେ ଅହରହ । ମନରେ, ହୃଦୟରେ ଆତ୍ମାରେ । ଜୀବନ ପାଇଁ ଆଶ୍ଚର୍ଯ୍ୟ ଅଭିସାରରେ ବାହାରି ପଡ଼ିଥିଲେ ସାଇକେଲ ବାହାର କରି, ପରିଚିତ ଦୃପ୍ତ ଠାଣିରେ । ସମୁଦ୍ରକୁ ଆପଣେଇ ଥିଲେ ନିଜ ବାଗରେ, ଚିହ୍ନିଥିଲେ ନାନାରୂପରେ । ସବୁ ଯେ ଅଧା ହୋଇ ରହିଗଲା ।

 

ଗୋବର ଗଣେଶରେ ଗଣି ଗଣି ମୁଁ ପାଇଛି ‘ପତ୍ରସବୁ ଝଡ଼ିଯାଏ’ ବା ‘ଝଡ଼ିଝଡ଼ି ପଡ଼େ’ର ବ୍ୟବହାର ନଅଥର । ‘ପଉଷ କୁହୁଡ଼ି ଆସିଛି ସ୍ୱପ୍ନପରି ଘାରି ହୋଇ ଧାନକ୍ଷେତ’ ‘ଝରକା ସେପଟେ ଶୁଭିଛି ଚଇତର ଗୋପନ ନୂପୁର' ।

 

“ମୁଁ ତୁମକୁ ଭଲପାଏ ଚନ୍ଦ୍ରଭାନୁ ଭଲ ପାଇଥିଲା । ସିଂହଳ ଦୀପର ସ୍ୱପ୍ନ ମୁଁ ଯାଇଛି କିଣିବାକୁ ଯେବେ । ଲବଙ୍ଗ ବଣର କଥା, କିମ୍ବା ବ୍ୟଥା କଦମ୍ବ କଢ଼ର ମୋ ଆଖିରେ ଅବାସ୍ତବ ପାଲଟିଚି ଏ ସହର ତେବେ- / ଲାବଣ୍ୟବତୀରୁ ତୁମେ ଆସ ଅବା ରସକଲ୍ଲୋଳରୁ କୋଣାର୍କ କାନ୍ଥରୁ ଅବା ସିନେମାର ପରଦା ଭିତରୁ / ମୁଁ ତୁମକୁ ଭଲପାଏ ଚନ୍ଦ୍ରଭାନୁ ଭଲ ପାଇଥିଲା, ମୋ ପାଖେ ସିଂହଳ ଦ୍ୱୀପ ଯାତ୍ରା କିନ୍ତୁ ଅସମ୍ଭବ ହୁଏ ।

 

ପୁଣି ସେଇ ସାମାନ୍ୟ କଟାକ୍ଷ ରୋମାଣ୍ଟିକ ନାୟକ ପ୍ରତି (ମୁଁ ନୁହେଁ ‘ଧୂପ’ର ହିରୋ) ପୁଣି ସେଇ ଅପାରଗତାର ଅନୁଭବ । ‘ସିଂହଳ ଯାତ୍ରା ଅସମ୍ଭବ ମୋ ପାଖେ । ତାର ସ୍ଵପ୍ନ କିଣିବାକୁ କାବ୍ୟନାୟକ ଯାଏ ସହରକୁ !

 

ତାଙ୍କ କବିତାରେ ବିଷାଦ, ବିଷର୍ଣ୍ଣତା, ପ୍ରେମ, ମୃତ୍ୟୁ ଏକାକୀତ୍ୱ, ନିର୍ଜନତା ଖାଲି ଆବ୍‌ଷ୍ଟ୍ରାକ୍ଟ ଧାରଣା ନୁହେଁ । ସେ ସବୁ ବହି ଚାଲିଛି ରକ୍ତରେ, ଶିରା ଧମନୀରେ; ଅନୁରଣିତ ସ୍ନାୟୁରେ ଛାଇ ପଡ଼ିଛି ଆତ୍ମାରେ ।

 

ଗୋବର ଗଣେଶର ଅନୁଭବ : ‘ମୁଁ ଯଦି ହଠାତ୍ ଦିନେ ଜଳିଯାଏ ଏ ଆକାଶ ଯଦି ଯାଏ ଆଖିରେ ମୋ ସଙ୍କୁଚିତ ହୋଇ କାଶ ଯାଏ ଭଲ ହୋଇ ଆଖିରେ ମୁଁ ଲଗାଏ ଚଷମା । ସମୟକୁ ଜାକିଜୁକି ସମସ୍ୟାରେ ଚାପି ଦେବାପାଇଁ ।”

 

ମନେ ପଡ଼େ ମନୋରଞ୍ଜନ ଦାସଙ୍କ ବର୍ଦ୍ଧମାନ କୋଠିଘରେ ଶନିବାର କ୍ଲବର ଆମେ କେଇଜଣ ‘‘ପ୍ରଜ୍ଞା’ରେ କାଳପୁରୁଷ ପ୍ରକାଶନର ପରେ ପରେ ସେ କବିତାର ଆଲୋଚନା କରିଥିଲେ ଦୀର୍ଘକାଳ ଧରି ।

 

ପୁଣି ଶୁଭେ ତାଙ୍କ କବିତାରେ ଗଙ୍ଗାଧର ମେହେରଙ୍କୁ ସିଏ କହିବା:

 

‘‘ମହାଶୟ, ମୁଁ ଯଦି ପାରନ୍ତି ରଖି ଆପଣଙ୍କ ଅମୃତ ଓ ଶିଶିରର ଆଶା’ ଗଙ୍ଗାଧର ଯେ ରଖିଥିଲେ ସେ ଆଶା ସେ ଭରସା, ସେ ବିଶ୍ୱାସ । ଆଉ ତାଙ୍କ କାବ୍ୟନାୟକ ଚାହିଁଲେ ବି ତାକୁ ଧରି ରଖି ନ ପାରିବାର ଅକୁହା ବିଷାଦ ।

 

ହୁଏତ କାରଣ ଏଇଆ ଯେ ‘‘ସେ ମୃତ୍ୟୁର ଶୋଭାଠାରୁ ବହୁଦୂର ପୃଥିବୀ ଧୂସର ପାଣ୍ଡୁର-।”

 

ସେ ସେଇ ଧୂସର ପାଣ୍ଡୁର ପୃଥିବୀର ଦୁରନ୍ତ ପ୍ରବକ୍ତା, ପ୍ରଚାର-ବିମୁଖ ଅଭୂତ କବିଟିଏ । “ସେ ଆତ୍ମାର ମୃତ୍ୟୁ ନାହିଁ ।”

 

ସେ ଦେହର ମୃତ୍ୟୁ କିନ୍ତୁ ଏତେ ସତ୍ୟ ନିଷ୍ଠୁର ବାସ୍ତବ ଚନ୍ଦନ କାଠର ନିଆଁ ଜଳି ଜଳିଯାଏ ତୁମ ଆଖି ସାମନାରେ ଜଳିଯାଏ ହଲ୍‍କ ପରି ଅଧାକଳା, ଅଧାଧଳା ବାଳ ସେ ଯେଉଁ ଓଠର ହସ...”

 

“ଦେହର ନିର୍ଲଜ ଭୋକକୁ’’ ବୁଝି ସାରିବା ପରେ ଆଖିରେ ପଡ଼େ ମୋର ଜନ୍ମ ଜନ୍ମାନ୍ତର ବହୁ ଲୟ ବିଲୟର ନଷ୍ଟ ଇତିହାସ ।”

 

ତାଙ୍କ କାବ୍ୟନାୟକ, “ମୋ ଯାତ୍ରାର କ୍ରାନ୍ତି କଣ ପଚାରେ, ଶେଷ ଆଜି ଏହିଠାରେ’’ ।

 

ମହାପ୍ରଭୁ ମୁକ୍ତିଦିଅ, ଏହି ଯାତ୍ରା ଶୁଭ ହେଉ ତୁମରି ଦୟାରୁ / ଏହି ଯାତ୍ରା ହେଉ ମୋର ଶେଷ ଯାତ୍ରା ଏ ଦେହରୁ ।”

 

କିନ୍ତୁ ଯାତ୍ରା ଶେଷ ଯାତ୍ରା ହେଲା ପରେ ବି କିଛି ରହିଯାଏ ।

 

‘‘ନେତା, ମନ୍ତ୍ରୀ ବିଧାୟକ ଦାର୍ଶନିକ କବି ଶିଳ୍ପୀ ଇତ୍ୟାଦି ପ୍ରତିଭା ଲୋପ ପାଇଗଲା ପରେ, ଅଫିସରେ କଚେରୀରେ ଡଟ୍‍ପେଡ଼ ଫାଇଲରେ ତାର କ୍ଷୁଦ୍ର ସତ୍ତାରହୁ ମୃତ୍ୟୁହୀନ ମଣିଷର ସ୍ଥିର ବିନ୍ଦୁ ହୋଇ ହରେକୃଷ୍ଣ ଦାସ ବାରମ୍ବାର ଫେରୁ ଆଉ ମୃତ୍ୟୁର ଅମୃତ ଖୋଜି କୋର୍ଟକୁ । କଚେରୀକୁ ।

 

ଅମୃତ ଖୋଜା ସରିନାହିଁ, ସରିବନି । ହରେକୃଷ୍ଣ ଦାସ ପରି ନଗଣ୍ୟ ମଣିଷ ମୃତ୍ୟୁହୀନ ମଣିଷର ସ୍ଥିର ବିନ୍ଦୁ ହୋଇ ରହିଛି ରହିଥିବ ।

 

ସତ୍ୟନଗର, ଭୁବନେଶ୍ୱର

 

***

 

ଭିନ୍ନ ଜୀବନର ଭାଷ୍ୟକାର କବି ଗୁରୁପ୍ରସାଦ

ହରିହର ମିଶ୍ର

 

ଜୀବନ ମୃତ୍ୟୁ ବିରହିତ ନୁହେଁ ବରଂ ମୃତ୍ୟୁ ବିଜଡ଼ିତ । ମୃତ୍ୟୁ ଯେଉଁଠି ପୂର୍ଣ୍ଣଚ୍ଛେଦ ଟାଣେ, ଜୀବନ ସେଠି ସୀମିତ ହୁଏ । ତଥାପି ଜୀବନ ଖୋଜେ ଇହକାଳ-ପରକାଳର ପୁନରୁକ୍ତି ଅତିକ୍ରମ କରି ସ୍ଥିତିଚକ୍ରର ଅତିରିକ୍ତ ଭିନ୍ନ ଏକ ସ୍ଥିତି, ଭିନ୍ନ ଏକ ଜୀବନ । ଯାହା ପ୍ରାଚୀନ ବିଶ୍ୱାସରେ ଥାଏ, ତାହା ଚେତନାରେ ଭିନ୍ନ ରୂପ ନିଏ । ପ୍ରଚଳିତ ସଭ୍ୟତାର ସ୍ଥିତି ସ୍ଥାପକତାକୁ ନାକଚ କରି ସେ ଲୋଡ଼େ ତା’ ମନମାଫି ସଭ୍ୟତାଟିଏ । ଚିରନ୍ତନ ସତ୍ୟ ପ୍ରତି ସେ ଯେତିକି ବିଶ୍ୱସ୍ତ ହୁଏ, ତା’ର ଆଧ୍ୟାତ୍ମିକ ସାମ୍ରାଜ୍ୟ ଜଡ଼ବାଦୀ ସଭ୍ୟତାର ରୂପ, ବିରୂପକୁ ଏଡ଼ିଦେଇ ନିତ୍ୟ ଜୀବନ ଲୀଳାର ସନ୍ଦର୍ଶନ କରେ । ଶାଶ୍ୱତ ପ୍ରତି ତା’ର ଅନୁରକ୍ତି ଅନେକ ଜନ୍ମ, ମୃତ୍ୟୁ, ସୃଜନ, ପ୍ରଳୟ ପଛରେ ପକେଇ ଅପେକ୍ଷା କରେ ଅବିନାଶୀ ସତ୍ୟର ସାନ୍ନିଧ୍ୟ । ଏହା ଆଜି ଆମ ଶାସ୍ତ୍ରୀୟ କାବ୍ୟ-ପରମ୍ପରାରେ ଅବିଦିତ ନୁହେଁ । ଅସତ୍ରୁ ସତ୍, ତମସ୍ୟାରୁ ଜ୍ୟୋତି, ମୃତ୍ୟୁରୁ ଅମୃତମୟ ପଥରେ ଯାତ୍ରା କରୁଥିବା ସ୍ୱପ୍ନ ସଂଗ୍ରାମୀର ଏହା ହିଁ ଭିନ୍ନ ଜୀବନବୋଧ । ନିତି ଆଖିବୁଜି ଆଖି ଖୋଲିଲେ ଜୀବନର ନବ ନବ ଉପଲବ୍‌ଧି ତାକୁ ବହୁ ତିକ୍ତ ଅନୁଶୋଚିତ ମୁହୂର୍ତ୍ତରୁ ଅବଲୀଳା କ୍ରମେ ଏହିପରି ମୁକ୍ତି ଦେଇଥାଏ । ମାନସିକ ସ୍ତରରେ ଏଥିପାଇଁ ଚାଲିଥାଏ ଅହରହ ସଂଗ୍ରାମ ।

 

ଅଗ୍ରଗାମୀ କବି ଗୁରୁପ୍ରସାଦଙ୍କର ଏହି ମାନସିକ ସଂଗ୍ରାମ ଜୀବନର ବହୁଗୋଚରୀଭୂତ ବାସ୍ତବତାକୁ ଅତିକ୍ରମ କରି ଅଗୋଚର ସତ୍ୟର ଲକ୍ଷ୍ୟପଥରେ ପହଁଚିବା ପାଇଁ ସଂଗ୍ରାମରତ । ବିଶ୍ୱର ବହୁବିଧ ଜଟିଳତାକୁ ନେଇ ବ୍ୟକ୍ତିର ବାସ୍ତବତା ଆଜି ବହୁଧା ବିଦୀର୍ଣ୍ଣ । ସେହି ପଟ୍ଟଭୂମିରେ ମୃତ୍ୟୁର ଆତଙ୍କରୁ ନିସ୍ତାର ଲାଭ କରିବା ମୃତ୍ୟୁରେ ସମ୍ଭବ ସିନା, ଜୀବନର କୁଟିଳ ଦ୍ୱନ୍ଦ୍ୱରୁ ମୁକ୍ତି ଲାଭ କରି ସତ୍ୟ, ଶିବ, ସୁନ୍ଦରର ଆନନ୍ଦବୋଧରେ ଆହ୍ଲାଦିତ ଏବଂ ଆଲୋକିତ ହେବାର ସଚ୍ଚୋଟ ଅଭିଳାଷ ସ୍ୱପ୍ନ ଭଳି ଅଳୀକ । ମାତ୍ର ତା’ଠାରୁ ଅଧିକ ଯନ୍ତ୍ରଣାଦାୟକ ନିଷ୍ଫଳ, ନିରର୍ଥକ ଜୀବନଟିକୁ ଧରି ବଞ୍ଚିରହିବା । ଏହା ହିଁ ଗୁରୁବାବୁଙ୍କ ମାନସିକ ଦ୍ୱନ୍ଦ୍ୱ-ସଙ୍କୁଳ ବିମଥିତ ସମୁଦ୍ର । ତଥାପି ଜମାଟବନ୍ଧା ତୁଷାର ସମୁଦ୍ରରେ ପ୍ରେମ ଓ ସମ୍ୱେଦନାର ତରଙ୍ଗଲୀଳା ତାଙ୍କ ଗତିଶୀଳ ଜୀବନ ଚେତନାର ନିଦର୍ଶନ । ଜୀବନଯାତ୍ରାର ଏ ଗତିଧାରା ସୃଜନ ପ୍ରବାହରେ ଆଣେ ଏକ ଅବିଚ୍ଛିନ୍ନ ଅଲୌକିକ ସ୍ଥିତିବୋଧର ବାସ୍ତବତା ।

 

ଗୁରୁପ୍ରସାଦଙ୍କ ଦୃଷ୍ଟି ଓ ଦିଗଂତରେ ଏହାର ଚପଳତା ଅଛି । କିନ୍ତୁ ଏହି ଚପଳତାକୁ କବିର ଚପଳତା ମନେ କରି, ସେ ଭାବାବେଗରୁ ନିଜ ବ୍ୟକ୍ତିତ୍ଵକୁ ଭିନ୍ନ କରି ରଖିଯାଇଛନ୍ତି । ସେଥିପାଇଁ କବିତାର ପରିମାଣାତ୍ମକ ପ୍ରକାଶକୁ ସେ ନିୟନ୍ତ୍ରଣ କରିଛନ୍ତି । ମାତ୍ର ଏହିପରି ସୃଜନ କ୍ଷମତାର ଅଲୌକିକ ପରିଣାମକୁ ଅତି ସମ୍ଭ୍ରମ, ସଂଯତ, ସ୍ଵଳ୍ପ ପରିଧିରେ ଉହ୍ୟ ରଖି ଅଭିବ୍ୟଞ୍ଜିତ କରିଛନ୍ତି ।

 

ତାଙ୍କର ‘କବିତା-ସମଗ୍ର’ର କବିତାଗୁଡ଼ିକରେ ଏବଂ ସେଥିରେ ନଥିବା କେତୋଟି ଶେଷଲେଖାରେ କବିର କାବ୍ୟାନୁଭୂତି ମହାପଥର ଯାତ୍ରୀ ହୋଇ ବି ନିଜର ସୃଜନ ପରିସରର ବାସ୍ତବ ଦେହଳି ଅତିକ୍ରମ କରିନାହିଁ । ସମସ୍ତ ବାହୁଲ୍ୟରୁ କବିତାର ସୂକ୍ଷ୍ମ ଆବେଦନକୁ ରକ୍ଷା କରିବା ପାଇଁ ସେ ସତତ ସଲଜ୍ଜ । ତଦନୁଯାୟୀ ତାଙ୍କର ଆଙ୍ଗିକ ନିର୍ମାଣ, ପ୍ରୟୋଗବିଧି ଯେତିକି ଆଧୁନିକ କବିତାର ପରିଚିତ ଶୈଳୀ ଉପରେ ଆଧାରିତ ହେବାର କଥା, ତହିଁର ସୀମା ଲଙ୍ଘିନାହିଁ । ଗଦ୍ୟରେ ପଦ୍ୟ ଏବଂ ପଦ୍ୟରେ ଗଦ୍ୟ ଉଭୟର ଚାତୁର୍ଯ୍ୟ-ପୂର୍ଣ୍ଣ ସୌଷମ୍ୟ ତାଙ୍କର ନିଜସ୍ୱ କବିତ୍ୱ । କାବ୍ୟ ଚେତନାଟି ପାଇଁ ବିଷୟବସ୍ତୁ ନିର୍ମାଣ ଓ ପ୍ରତିଟି ବସ୍ତୁକୁ ଚେତନାଗର୍ଭିତ କରିବାର ପ୍ରକ୍ରିୟା ତାଙ୍କ ଭଳି କ୍ଵଚିତ୍ କବି କରିପାରନ୍ତି । ସେଥିପାଇଁ ପ୍ରତୀକ, ରୂପକଳ୍ପ, ମିଥ୍, ଆର୍କିଟାଇପ୍, ତଥା ଉପମା, ରୂପକ, ଶ୍ଳେଷ ଓ ଧୂନି ଆଦି ଅଳଙ୍କରଣ ତାଙ୍କର କାବ୍ୟଭାଷାକୁ ରୀତିମଣ୍ଡିତ ନକରି ଭାଗବତ ଭଳି ସ୍ୱଚ୍ଛ ସରଳ ତଥା ମୁକ୍ତ କରି ଗଢ଼ିତୋଳିଛି ।

 

କବି କଦାଚିତ୍ ସମ୍ପୂର୍ଣ୍ଣ ମୌଳିକ ବୋଲି ଯେତେ ଘୋଷଣା କଲେ ବି ତାହା ନିରର୍ଥକ । କବିର କାବ୍ୟାନୁଭୂତିରେ ବହୁ ଶାସ୍ତ୍ରଦର୍ଶିତା ତା’ର ବୌଦ୍ଧିକ ସୃଷ୍ଟିର ପରିଚୟ । ଏହା ଫଳରେ ତା’ର ସମ୍ପର୍କ ବିଶ୍ଵସାହିତ୍ୟର ଅଗ୍ରଗତିରେ ମଧ୍ୟ ସମାନ୍ତରାଳ । ମାତ୍ର ଯେତେ ବୁଦ୍ଧିଦୀପ୍ତ ଐଶ୍ଵର୍ଯ୍ୟରେ ସେ ବିମଣ୍ଡିତ ହେଉ ନା କାହିଁକି, ଯେଉଁ ବାସ୍ତବତା ଉପରେ ସେ ଛିଡ଼ା ହୋଇଛି, ତା’ ପ୍ରତି ସେ କେଉଁଭଳି ସମ୍ୱେଦନଶୀଳ ତାହା ହିଁ ସହୃଦୟକୁ କବିତା ଆସ୍ୱାଦନ କରିବାର ଉପାଦାନ ଯୋଗାଏ । ଗୁରୁ ପ୍ରସାଦ ମହାନ୍ତିଙ୍କ କବିତା ଏ ଦୃଷ୍ଟିରୁ ପାଠକମାନଙ୍କ ହୃଦୟକୁ ରସାପ୍ଲୁତ କରିଛି । ଅନ୍ୟ ପ୍ରକାରେ ଉଲ୍ଲେଖ କଲେ, ତାଙ୍କ କବିତାରେ ବୌଦ୍ଧିକତା ଏବଂ ହୃଦୟବତ୍ତାର ଅପୂର୍ବ ସମନ୍ୱୟ ଘଟିଛି ।

 

ବ୍ୟକ୍ତିର ଚେତନା ବହୁ ସ୍ମୃତି, ବହୁ ଅନୁଭୂତି, ବହୁ କଳ୍ପନା ଓ ସ୍ଵପ୍ନକୁ ନେଇ ତା’ର ସତ୍ୟାନୁଷଣ ପ୍ରବୃତ୍ତି ଓ ପ୍ରକ୍ରିୟାରେ ସାକାର ହୁଏ । ସୁସଂହତ ଭାବେ ତା’ର ଆହରଣ ସହିତ ତା’ର ଅନୁଭୂତି ପରିପାକ ନହେଲେ କବିତା କାଳଜୟୀ ହୋଇପାରେନା । ଆନ୍ତର୍ଚେତନା ଓ ବହିର୍ଚେତନାର ସମନ୍ୱୟ ଆଦୌ ସମସ୍ୟା ନୁହେଁ । କିନ୍ତୁ ଏହି ଦୁଇ ଚେତନାର ସ୍ୱରୂପକୁ ଘେରି ବ୍ୟକ୍ତି ଓ ବିଶ୍ଵର ବହୁବିଧ ଚେତନାର ସଂହତି ଏକାନ୍ତ ପ୍ରୟୋଜନ । ଚେତନାରୁ ବିଚ୍ଛିନ୍ନ ହୋଇ ବ୍ୟକ୍ତିସତ୍ତା ତା’ର ନିମ୍ନତମ ବାସ୍ତବତା ପ୍ରତି ମଧ୍ୟ ନିଜର ଅଙ୍ଗୀକାର ଅଭିବ୍ୟକ୍ତ କରିବା ଅସମୀଚିନ ନୁହେଁ । ଏହି ନିମ୍ନତମ ବାସ୍ତବତା ମଣିଷର ଦେହ ସର୍ବସ୍ୱ ଆବଶ୍ୟକତା ଉପରେ ପର୍ଯ୍ୟବସିତ । ଏହା ଯେତିକି ପାର୍ଥିବ, ସେତିକି ଜୈବିକ । ଜନ୍ମ ପ୍ରଜନନ, ମୃତ୍ୟୁର ପୌନଃ ପୌନିକତାକୁ ନେଇ ଜୀବନ ଯେତେ ରିକ୍ତ, ଉଦ୍‍ଭଟ ହେଉ ପଛେ ତାକୁଇ ନେଇ ଜୀବନର ବ୍ୟାପ୍ତି ।

 

ଭୂମି ସଂଲଗ୍ନ ମଣିଷ, ସମାଜ ଓ ମାନବିକ ସମ୍ପର୍କ ଭିତରେ ଏହାର ବ୍ୟାପକତା ଅନୁଭବ କରେ । ଏହି ବ୍ୟାପକ ବୋଧ ଏକ ଉଚ୍ଚତର ବାସ୍ତବତା ସହିତ ତାକୁ ଯୋଡ଼ିବା ଭିତରେ ଆସେ ଉତ୍ତରଣ । ଜୀବନର ପ୍ରସ୍ଥ ଯେତେ ଯେତେ ବ୍ୟାପୁଥାଏ, ତା’ର ଦୈର୍ଘ୍ୟ ମଧ୍ୟ ଚେର ଲମ୍ୱେଇଦିଏ ମାଟିର ଅତଳ ଅନ୍ଧାରକୁ । ସେହି ଦୈର୍ଘ୍ୟପ୍ରସ୍ତକୁ ନେଇ ତାର ଉଚ୍ଚତମ ମୂଲ୍ୟବୋଧ ବା ଉଚ୍ଚତା ନିର୍ଣ୍ଣିତ ହୁଏ । ବ୍ୟକ୍ତିତ୍ୱର ପ୍ରସାର ବଳିଷ୍ଠ ପାରମ୍ପରିକ ମୂଲ୍ୟବୋଧ ଉପରେ ଗମାହୋଇ ଭବିଷ୍ୟତର ନୂତନ ସାମ୍ରାଜ୍ୟ ଗଢ଼େ । ସେହି ମୂଲ୍ୟବୋଧ ବ୍ୟକ୍ତି ତା’ର ପ୍ରଜ୍ଞାର କଷଟିରେ ମାପି ଉର୍ଦ୍ଧ୍ୱଗାମୀ ଚେତନାରେ ସ୍ଥିତଧୀ ହୁଏ । ତଥାପି ରକ୍ତମାଂସର ସାଧାରଣ ମଣିଷ ତା’ର ଦୈନନ୍ଦିନତା ଭିତରେ ଏପରି ଉଚ୍ଚ ଆବେଗର ବଶବର୍ତ୍ତୀ ହୋଇ ବାରମ୍ବାର ବିଫଳ ହେଉଥାଏ । ମଣିଷର ସବୁ ଆଶା ସବୁ ସ୍ଵପ୍ନ, ନଶ୍ୱରତା କ୍ରମେ ନ୍ୟୂନରୁ ନ୍ୟୂନତର ହୋଇ ମାଟିରେ ମିଶିଯାଏ । ନା ଆକାଶ, ନା ମାଟି କେହି ତା’ର ନିର୍ଭରଯୋଗ୍ୟ ଆଶ୍ରୟ ହେବା ଅସମ୍ଭବ । ତା’ର ଶାନ୍ତି ଏବଂ ମୂଲ୍ୟବୋଧର ଅନୁସଂଧ୍ଵତ୍ସା ବାରମ୍ବାର ପରାହତ ହୋଇ ତା ପାଖକୁ ଫେରିଆସେ । ଅଥଚ ତା’ ଆତ୍ମାର କପୋତ ଯେତିକି ମାଟିର ବୀତଂସକୁ ଆଦରିନିଏ, ସେତିକି ଆଗ୍ରହ କରେ ଆକାଶକୁ, ମୁକ୍ତ ହେବାକୁ । ସେ ମାଟି ଯଦି ଉଷର, ବଂଧ୍ୟା, ସେ ଆକାଶ ଯଦି ଇସ୍ପାତ ଛାତଟିଏ ଭଳି କଠୋର, ତେବେ ସେ ପେରିଆସେ ନିଜର ଦୁର୍ଭାଗ୍ୟର ପରିସ୍ଥିତିକୁ । ସକଳ ଫଳଶ୍ରୁତି ନିରର୍ଥକ ମନେହୁଏ । ସମୟ, ଶୂନ୍ୟତାର ପ୍ରସାରିତ ନିର୍ବେଦଗ୍ରସ୍ତତା ହିଁ ତାର ମାନସିକ ଭୀତିର କାରଣ ହୋଇ ଦେଖାଦିଏ ।

 

କିନ୍ତୁ ଭଲପାଇବାରେ ତା’ର ଅନାଦର ନଥାଏ । ସେ ପ୍ରେମରେ ପତିତ ହୁଏ । ତଦ୍ଦ୍ୱାରା ସେ ଏକତ୍ର ହୁଏ ଅସୁମାରୀ ଜୀବନ ସହିତ । ପ୍ରେମରେ ସେ ନିଜକୁ ସମର୍ପଣ କରି ଦେଇପାରେ । ଅନ୍ୟତ୍ର ସେ ପ୍ରେମ ଓ ସ୍ଵପ୍ନରେ ଉଡ଼ିବୁଲେ । ଉର୍ଦ୍ଧ୍ୱକୁ ଉର୍ଦ୍ଧ୍ୱକୁ ଉଠେ ଏକା ଏକା । ଏକ ଅଶ୍ରୁତପୂର୍ବ ମୂର୍ଚ୍ଛନା ତାକୁ ଅପାର୍ଥିବ ସତ୍ୟର ସ୍ପର୍ଶ ପାଇଁ ବାଟ ଦିଏ । ପ୍ରେମ ସାଧାରଣରୁ ଅସାଧାରଣ ପ୍ରତି କବିଙ୍କ କବିତା ସୂର୍ଯ୍ୟମୁଖୀକୁ ଉନ୍‌ମୁଖ କରାଏ । ପାର୍ଥିବରୁ ଅପାର୍ଥିବ, ଦେହରୁ ଦେହାତୀତ ସହିତ ସମ୍ପର୍କ ଯୋଡ଼ୁଥାଏ ପ୍ରେମ । କବି ଗୁରୁପ୍ରସାଦଙ୍କ କବିତାରେ ପ୍ରେମର ଜୈବିକତା ଯେତେ ପ୍ରକଟିତ, ତାର ଉର୍ଦ୍ଧ୍ୱତର ସୌନ୍ଦର୍ଯ୍ୟ ସେତେ ପ୍ରକଟିତ ନୁହେଁ । କିନ୍ତୁ ପୂର୍ବରାଗର ଆଭାରେ ଦିଗନ୍ତର କପାଳ ଉଜ୍ଜ୍ୱଳ ଦିଶିଲା ଭଳି ଏହା ଦୀପ୍ତିର ଇଂଗିତ ଦିଏ । ଅସ୍ତ ଅନିବାର୍ଯ ହେବା ସତ୍ତ୍ୱେ ସେ ଉଦୟରାଗର ଆଶା ପୋଷଣ କରନ୍ତି । କିନ୍ତୁ ଭକ୍ତକବି ମଧୁସୂଦନ ରାଓଙ୍କ ଭଳି ସେ ଉଦୟୋତ୍ସବର ମହିମା ଗାନ କରିବାର ଭାବାବେଗ କୁତ୍ରାପି ବର୍ଣ୍ଣନା କରିନାହାଁନ୍ତି । ସମୟର ବାସ୍ତବ ଦିଗ ପ୍ରତି ତାଙ୍କର ସଚେତନତା ଅସାମାନ୍ୟ ।

 

ଗୁରୁ ପ୍ରସାଦଙ୍କ କାବ୍ୟଶୈଳୀ ଆଧୁନିକ କାବ୍ୟଶୈଳୀ । ଏହା ପ୍ରତୀକ ଓ ରୂପକଳ୍ପର ପ୍ରୟୋଗରେ ଅଭିବ୍ୟଞ୍ଜିତ ।

 

‘‘ବିଜୁଳି ଚମକ ସେ ଯେ ବଣନିଆଁ

ସବୁଯାଏ ଛିନ୍ନଭିନ୍ନ ହୋଇ,

ପୃଥବୀ ଛାତିରେ ଲୋଟି ପୋଡ଼ିଯାଏ

ଜଳିଯାଏ ସବୁ

ମାଂସ ପୁଟେ ଫୁଲ ହୋଇ ମନ ପଡ଼େ

ରୋମାଞ୍ଚରେ ଶୋଇ ।’’

 

କେଉଁ ଲୋକକଥାର କିମ୍ବଦନ୍ତୀ ମାଧ୍ୟମରେ କବି ତାଙ୍କ ପ୍ରେମର ଅନୁଚିନ୍ତା ପ୍ରକାଶ କରିଛନ୍ତି । ଚମ୍ପାଫୁଲର କିମିୟାରେ ମଶାଣିର ଭୂତ ପ୍ରେତ ଛାଡ଼ି, ରଜବତୀ କନ୍ୟା ଲାଗି ଯୋଗୀ ମଦନର ଫୁଲଶର ଆଘାତରେ ମହମ ଭଳି ତରଳି ଯାଉଛି । ପ୍ରେମର ଏ ଅଲୌକିକ କ୍ଷମତା ଥିବା ସତ୍ତ୍ୱେ ସେହି ଚେତନା ସମ୍ମୁଖୀନ ହୋଇଛି ସମୟଚେତନା ସହିତ । ସାମ୍ପ୍ରତିକ ସ୍ଥିତିବୋଧ ତଥା ସମୟଚେତନାର ଏକ ଆଦିରୂପ ହେଉଛି କାଳପୁରୁଷ । ଯେଉଁଠି ପ୍ରକୃତି ସହିତ ନିବିଡ଼ ଆଶ୍ଳେଷରେ ସେ ଅତନ୍ଦ୍ର । ଅନନ୍ତ ସୃଜନଧାରାର ଆନନ୍ଦ କନ୍ଦରେ ଉଭୟେ ତଲ୍ଲୀନ । ତାକୁ ନିରୀକ୍ଷଣ କରୁଥିବା ପରମାତ୍ମା ପ୍ରଧାନ ପୁରୁଷଟି ହେଉଛନ୍ତି ନିର୍ବ୍ୟକ୍ତିକ ପ୍ରଜ୍ଞା । ସେ ସାକ୍ଷୀପୁରୁଷ ସବୁ ଦେଖେ । ବିରହ ଓ ମିଳନର ସୁଖ ଦୁଃଖରେ ସେ ନଥାଏ । ‘କାଳ ପୁରୁଷ’ ସେହି ଦିବ୍ୟପୁରୁଷର ଏକ ବିକାରଗ୍ରସ୍ତ ‘ଅପଦେବତା’ ।

 

When you close yourself off the enlightenment

The opposite of a spiritual dawn

Is a universal nightmare

Then the mind multiplies

the illusion of things till they become not God

But god like mousters.

(Mental FigGt: BEN Okrie)

 

ଏ ଅପଦେବତା ଆମ ସମୟର ଧୂମକେତୁ । କାଳ ପୁରୁଷ ସେ ଦିବ୍ୟ ପୁରୁଷ ନୁହେଁ କି ଗୁରୁବାବୁଙ୍କ କାବ୍ୟ ପୁରୁଷ ନୁହେଁ । ଏହା ଅବକ୍ଷୟୀ ସଭ୍ୟତାର ଅପଚ୍ଛାୟା । ସେ ସ୍ମରଣ କରିଛନ୍ତି ତାଙ୍କ ପୂର୍ବରୁ ରଚିତ ଅପସୃୟମାନ ଆଲୋକର ନଷ୍ଟଯାତ୍ରାକୁ । ତଥାପି ଆଲୋକର ଆଶା ବଳବତ୍ତର ଅଛି ତାଙ୍କ ସୃଷ୍ଟିଲଗ୍ନରେ । ସେହି ବୈରାଗ୍ୟ ବିଷର୍ଣ୍ଣ ଗୋଧୂଳିରେ ତାଙ୍କର ମଡେଲ୍ ହୋଇଛନ୍ତି ଟି.ଏସ୍. ଏଲିୟଟ ଓ ତାଙ୍କ ଅନବଦ୍ୟ ଦୀର୍ଘକବିତା ‘ୱେଷ୍ଟଲ୍ୟାଣ୍ଡ୍' । ତାକୁ ସେ ମିଳାଇଛନ୍ତି ମହାଭାରତର ‘ମୁଷଳୀ ପର୍ବ’ରେ ଦେଖାଦେଇଥିବା କାଳପୁରୁଷ ସହିତ ଯେ ସବୁଠି ଆତଙ୍କର ପ୍ରେତାୟିତ ଲୀଳା ଆରମ୍ଭ କରିଛି । ଅଥଚ ସେ ନିଜେ ଅଦୃଶ୍ୟ ରହୁଛି । ତା’ର ଅନ୍ଧାରୁଆ ଚେହେରା ସାରଳାଦାସଙ୍କ ‘କୋକୁଆ’ ଭଳି କାଳ୍ପନିକ ହୋଇପାରେ, କିନ୍ତୁ ସମୟର ନଷ୍ଟଗତିର ସେ ହିଁ, ନଷ୍ଟପ୍ରତିଭୁ ।

 

ଏ କି ରେ ଅନ୍ଧାର ଉଠେ ଗିଳି ରେଖା ଆକାର ପ୍ରକାର

ସୀମିତ ମୋ’ ପୃଥିବୀର ଦିଗ ହଜେ ହଜିଯାଏ ଉପର ଓ ତଳ

କ୍ଲାନ୍ତ ମୋର ଦେହ ଚାପି ମାଡ଼ିଆସେ ବାଲିଚର

ମାଡ଼ିଆସେ ବାଲି ଓ ଅନ୍ଧାର ।

(କାଳପୁରୁଷ)

 

କବିର ମାନସିକ ପୃଷ୍ଠଭୂମିଟିକୁ ପ୍ରକଟ କରିବାକୁ ହେଲେ ଆଉ ଏକ ପ୍ରଚଳିତ କାବ୍ୟ ବା ଏକାଧିକ ପ୍ରାସଙ୍ଗିକ ଗ୍ରନ୍ଥର ଭାବାଦର୍ଶକୁ ଉଦ୍ଧାର କରି ନିଜସ୍ୱ ଦୃଷ୍ଟିରଙ୍ଗୀକୁ ନିଜ ପରିବେଶରେ ଥୋଇ ବକ୍ତବ୍ୟକୁ ପ୍ରଭାବଶାଳୀ କରିବା ଅଥବା ନିଜ କାବ୍ୟସୌଧ ନିର୍ମାଣ କରିବା ଆଧୁନିକ କବିତାର ଅୟମାରମ୍ଭରୁ ଅର୍ଥାତ୍ ରାଧାନାଥଙ୍କଠାରୁ ସଚ୍ଚି ରାଉତରାଙ୍କ ପର୍ଯ୍ୟନ୍ତ ବେଶ୍ ଅନୁସୃତ । ଟି.ଏସ୍. ଏଲିୟଟ୍‍ଙ୍କ କାବ୍ୟ ପ୍ରକ୍ରିୟା ଏହିଭଳି ନିର୍ଭରଶୀଳ । ଗୁରୁପ୍ରସାଦ ଏହାକୁ ପ୍ରଭାବ ବୋଲି ନ ବିଚାରି ଯୁଗଚେତନାକୁ ତାଙ୍କ ଆଙ୍ଗିକ ପ୍ରୟୋଗରେ ଶାଣିତ କରିଛନ୍ତି । ଟି.ଏସ୍. ଏଲିୟଟଙ୍କ କାବ୍ୟ ସିଦ୍ଧାନ୍ତ ଦ୍ୱିଧାଗ୍ରସ୍ତ ଏବଂ ପରସ୍ପର ବିରୋଧୀ ଦେବତା ଓ ଅସୁରଙ୍କ ପାଇଁ ପ୍ରଯୁଜ୍ୟ ଉପଚାର । -ଦତ୍ତ, ଜୟଧ୍ୱମ୍, ଦମ୍ୟତାମ, ବା ଓଁ ଶାନ୍ତିର ମନ୍ତ୍ରଠାରୁ ଗୁରୁବାବୁ ଇଶୋପନିଷଦର ନିର୍ଦ୍ଦିଷ୍ଟ ମାର୍ଗରେ ନିଜ କବିତା ‘କାଳପୁରୁଷ’ରେ ଚୂଡ଼ାନ୍ତ କରିଛନ୍ତି । “ଅସତୋ ମାଂ, ତମସୋମାଂ, ମୃତ୍ୟୁ ମାଂ ଅମୃତଂ ଗମୟଃ’ର ସ୍ତରରେ ନିଜ କାବ୍ୟୋପଲବ୍‌ଧିକୁ ଆନ୍ତରିକତାର ସହିତ ଉତ୍ତୀର୍ଣ୍ଣ କରାଇବାକୁ ହେଲେ ତାଙ୍କର କାବ୍ୟ ପ୍ରସ୍ତୁତିକୁ ପାଶ୍ଚାତ୍ୟ ମଡ଼େଲରେ ଗଢ଼ିବା ଆବଶ୍ୟକ ହୋଇନାହିଁ । ପ୍ରେମାନୁଭୂତିର ନୈତିକ ତଥା ଆଧ୍ୟାତ୍ମିକ ଦିଗଟି ମଧ୍ୟ ସର୍ବଦା କାବ୍ୟାନୁକୁଳ ନୁହେଁ । ସେ ଅନୁଭୂତିଟି ନିଜର ହେବା ଉଚିତ । ତାହା ରଣସୂତ୍ରରେ ଆଣିବାର ପ୍ରଶ୍ନ କୌଣସି କବି ମୁଣ୍ଡରେ ଢୁକେ ନାହିଁ । ତେଣୁ ସାମ୍ପ୍ରତିକ ଜୀବନର ଜଟିଳ ବାସ୍ତବତା ଭିତରେ ଓ ସକଳ ମୋହଭଙ୍ଗର ବାସ୍ତବତା ସତ୍ତ୍ୱେ ଗୁରୁବାବୁଙ୍କ ଆଧ୍ୟାତ୍ମିକ ଯାତ୍ରା ଯୌବନର ନିତ୍ୟଲୀଳା ଲକ୍ଷ୍ୟରେ ଗତି କରିଛି ବିସ୍ମୟକର ଭାବେ ।

 

ସମୟର ଚିତ୍ର ଦେବାକୁ ଯାଇ ଆଧୁନିକ ବିଜ୍ଞାନର ସିଦ୍ଧାନ୍ତକୁ ସେ ଗ୍ରହଣ କରିବାରେ କୁଣ୍ଠାପ୍ରକାଶ କରିନାହାଁନ୍ତି । କାଳର ଅଖଣ୍ଡତାକୁ ସ୍ୱୀକାର କରି ସେ ଅତୀତ, ବର୍ତ୍ତମାନ ଭବିଷ୍ୟତକୁ ଏକ ସମତଳରେ ରଖିଛନ୍ତି । ପ୍ରେମଚେତନା ସେହି ସମୟ ଶୂନ୍ୟତାରେ ପରିବ୍ୟାପ୍ତ ହୋଇ ଚିରନ୍ତନ ସତ୍ୟର ଅଙ୍ଗୀଭୂତ ହେବାକୁ ଆସ୍ପର୍ଦ୍ଧା କରିଛି । ଛୋଟ ଛୋଟ ଅନୁଭୂତି ଓ ପ୍ରତୀକ ମାଧ୍ୟମରେ ଏହା ସର୍ବତ୍ର ରୂପାୟିତ । ମାତ୍ର ସେହି ପ୍ରେମାନୁଭୂତିର ମହାମନ୍ତ୍ର ଯେଉଁ ପ୍ରତିକୂଳ ପରିବେଶରେ ଆହତ ଓ କ୍ଷତବିକ୍ଷତ, ସେହି ବିବର୍ଣ୍ଣ ସମୟରେ ପ୍ରେକ୍ଷାପଟରେ ତାହା ଅନୁରୂପ ଭାବେ ପ୍ରକାଶିତ ହୋଇଛି । ତେଣୁ ‘ଚମ୍ପାଫୁଲ’ କବିତାରେ ‘ମାଂସ ଫୁଲ ଭଳି ଫୁଟି’ ପ୍ରେମର ସୌରଭ ବିତରଣ କରିବା ପାଇଁ କବିଙ୍କୁ ଦୀର୍ଘ ଯାତ୍ରାପଥ ଅତିକ୍ରମ କରିବାକୁ ପଡ଼ିଛି । ଗୋଟିଏ ସଭ୍ୟତାକୁ ବଦଳାଇ ନିଜ ସ୍ଵପ୍ନର ସାମ୍ରାଜ୍ୟକୁ ଆଲୋକକୁ ଆଣିବାକୁ ପ୍ରାଣାନ୍ତ ପ୍ରୟାସ କରିଛନ୍ତି । ଏ ପ୍ରେମର ଫଲ୍‍ଗୁ ବ୍ୟକ୍ତିଗତ ସ୍ତରରୁ ସାମୂହିକ ଚେତନାକୁ ପ୍ଲାବିତ କରି ମହାଚେତନାର ଅବତରଣ ପାଇଁ ଆକୁଳ ପ୍ରାର୍ଥନା କରିଅଛି । କବିଙ୍କ କ୍ୟାମ୍ପସ୍ ବ୍ଲୁଜ୍ କବିତାରେ ଏହା ଫୁଟିଉଠିଛି ନୂତନ ଭାଷାବିନ୍ୟାସ ଏବଂ ନାନାଦି ପ୍ରୟୋଗ ବିଧିରେ ।

 

ବିଭିନ୍ନ ବହୁତ ଶବ୍ଦ

ଅନ୍ୟ ଏକ ପୃଥିବୀର ପ୍ରତିଧ୍ୱନି ପରି

ଏ କରୁଣ ମୁହୂର୍ତ ତ

ସମୟରୁ ଛିଣ୍ଡିଥିବା

ଏ କ୍ଷୁଦ୍ର ଭଗ୍ନାଂଶ ପରି

ଲାଇବ୍ରେରି, କରିଡ଼ର୍, ବ୍ଲାକ୍ ବୋର୍ଡ଼

ହଷ୍ଟେଲ୍ ବିଛଣା

ପୁରୁଣା ପୋଷାକ ପରି ।

ସାମ୍ନାରେ ଅଦେଖା ରାସ୍ତା

ହାତଠରା ଅନ୍ୟ ଏକ ଅଦେଖା ହାତର

ସେମାନଙ୍କ ଦଳବଦ୍ଧ ପ୍ରଶେସନ୍ ଭିତରେ ତ

ଏପ୍ରିଲରେ

ପ୍ରତିବର୍ଷ ଏକା ଏକା ସେମାନେ ସମସ୍ତେ ।

 

ଆମର ଉଜ୍ଜଳ ଭବିଷ୍ୟତ ଯୁବଛାତ୍ର ଛାତ୍ରୀଙ୍କ ମାନସିକତା ସହିତ କବି ନିଜ ଯୁବସୁଲଭ ମାନସିକତାକୁ ମିଳାଇ ଦେଖୁଛନ୍ତି ଏହିପରି ଯେ-

 

ଉତ୍ସୁକ ବହୁତ ମନ

ଉତ୍ସୁକ ବହୁତ ଆଖି ସାମ୍ନାରେ

ଅକଥିତ କେତେ ଆଶା

ଏ ଜହ୍ନର ଛାଇପରି ରୂପହୀନ, ଦେହହୀନ

ସମ୍ଭାବନା ବହୁତ ସ୍ଵପ୍ନର ।’’

(କ୍ୟାମ୍ପସ୍‌ବ୍ଲୁଜ୍)

 

ରୂପରୁ ଅରୂପ, ଅବକ୍ଷୟରୁ ସମ୍ଭାବନା ଏବଂ ସ୍ଵପ୍ନର ସମ୍ଭାର ଧରି ରଖିବା କବି ଗୁରୁପ୍ରସାଦଙ୍କ ପରିବର୍ତ୍ତିତ କାବ୍ୟରୁଚି ଏ ଦିଗରେ ଅନୁରୂପ ଆଙ୍ଗିକର ନିର୍ମାଣ କରିଛି, ଯାହା ବିଶେଷ ପ୍ରଣିଧାନର ବିଷୟ । ଅତ୍ୟାଧୁନିକ କବିତାର ନବନିର୍ମାଣ ପର୍ବରେ ପାଶ୍ଚାତ୍ୟ ସଭ୍ୟତାର ଜଟିଳ ଜୀବନବୋଧକୁ ସେ କିପରି ଅଙ୍ଗୀକରଣ କଲେ ତାହାର ପୁଙ୍ଖାନୁପୁଙ୍ଖ ଆଲୋଚନା ଗବେଷଣାର ବିଷୟ । ଏ ବିଷୟରେ ତୁଳନାତ୍ମକ ସମୀକ୍ଷା ଓ ସମାଲୋଚନା ମଧ୍ୟ ବହୁତ ଲେଖା ହୋଇଛି । କ୍ଲାସ୍ ରୁମରେ ତର୍ଜମା ହେଉଛି । ମାତ୍ର ଗୁରୁବାବୁଙ୍କ ‘ଭୂୟୋଦର୍ଶନ’ର ପୂର୍ଣ୍ଣାଙ୍ଗ ମୂଲ୍ୟବୋଧ ତାଙ୍କ ପ୍ରତ୍ୟେକ କବିତାରେ ପ୍ରତିଭାତ । ତାଙ୍କର ସ୍ଵପ୍ନ ଲୋକର ପ୍ରତିଫଳନ, ପ୍ରତିଛାୟା ଯେଉଁ ବାସ୍ତବ ରୂପରେ ଚିତ୍ରିତ, ଏଥିରେ ଆତଙ୍କିତ ହେବାର କିଛି ନାହିଁ ।

 

ଭାରତୀୟ ଐତିହ୍ୟ, ଜନଜୀବନର ସମସ୍ୟା ସହିତ ତାଙ୍କର କାବ୍ୟଚିନ୍ତା ଓତଃପ୍ରୋତ ଭାବେ ଜଡ଼ିତ । ଏହା କୌଣସି ଧାର୍ମିକ, ରାଜନୈତିକ, ବୌଦ୍ଧିକ ମୁଖା ପରିଗ୍ରହଣ କରିନାହିଁ । ‘କମ୍ରେଡ୍ ମାମୁଁ’ କବିତାଟିରେ ବିପ୍ଳବୀ କବି ଅନନ୍ତ ପଟ୍ଟନାୟକଙ୍କ ବିଦ୍ରୋହାତ୍ମକ ଦୃଷ୍ଟିଭଙ୍ଗୀ ତାଙ୍କ ପର୍ଯ୍ୟାଲୋଚନାର ବିଷୟ ଏ ଦୃଷ୍ଟିରୁ ହୋଇଅଛି । ସାମ୍ୟବାଦ, ଗାନ୍ଧୀବାଦ, ସମାଜବାଦ ପ୍ରତିଟି ଶବ୍ଦର ଅବତାରଣା ତାଙ୍କ କବିତାରେ ହୋଇଛି । ପୁରାଣ, ଇତିହାସ, ବିଜ୍ଞାନର ବି । ଏହା ଏକ ବିରୁଦ୍ଧାତ୍ମକ ପରିବେଶ ଗଢ଼ିଥାଏ । ଗୁରୁବାବୁଙ୍କ କଳାପକ୍ଷ ଏହି କଣ୍ଟ୍ରାଷ୍ଟ ଦ୍ୱାରା ମେଘ ଅନ୍ଧାରର ଘଟଘଟା ଭିତରେ ଉତ୍କଳ ଜ୍ୟୋତିଷ୍କ ଭଳି ଜ୍ୱଳନ୍ତ ଦିଶେ । ଗୋଟିଏ ଗୋଟିଏ ଶବ୍ଦର, ଛନ୍ଦର, ଧାଡ଼ିର ପୁନରାବୃତ୍ତି, ବହୁ ଇଂରାଜୀ ଶବ୍ଦର ବ୍ୟବହାର ତାଙ୍କ କବିତାର କଥ୍ୟରୀତିକୁ ବେଶ୍ ସ୍ଵାଭାବିକ ଓ ଯୁଗାନୁସାରୀ କରିଥାଏ । କେତେ କେତେ ବାଙ୍‍ମୟ ଶବ୍ଦର ପାହାଡ଼ ଉପରେ ରହିଛି ତାଙ୍କ କବିତାର ଫୁଟିବାର ମୁହୂର୍ତ୍ତଟି । କେଉଁ ନୀରବ କ୍ଷଣରେ ସେ ସୃଜନ ତାରକାଟି ସ୍ପନ୍ଦିତ ହେବ, ସେ ତାହାରି ଅନିଷାରେ ସାରା ଜୀବନ କାଟିଛନ୍ତି । ହୁଏତ ସେ ତାହା ଖୋଜି ପାଇଛନ୍ତି । ସେ ବାରମ୍ବାର ଏହିଭଳି ସିଦ୍ଧାନ୍ତରେ ପହଞ୍ଚିଛନ୍ତି ଯେ କୌଣସି ବୈପ୍ଳବିକ ସ୍ଲୋଗାନ୍‌ରେ ପୁରୁଣା ପୃଥିବୀ ବଦଳି ନାହିଁ କି ବଦଳିବ ନାହିଁ । ଏଥିପାଇଁ ରୁଚି ଓ ଜୀବନ ଚର୍ଯ୍ୟାରେ ପରିବର୍ତ୍ତନ କାବ୍ୟରେ ଆସିବା ଦରକାର । ପ୍ରକୃତି କବି କୃଷ୍ଣମୋହନ ପଟ୍ଟନାୟକଙ୍କ ରୋମାଣ୍ଟିକ କବିତାରେ ‘ଫିରିକି ଫୁଲ’ର ବାସ୍ନା ଭଳି ବରଂ ଅଗୋଚର ଥିବା ବହୁ ଅବହେଳିତ ଜୀବନର ଅସ୍ତିତ୍ୱ ଲୋକ ଦୃଷ୍ଟିକୁ ଆସିବ । କବି ଗୁରୁପ୍ରସାଦ ତାଙ୍କ ପୂର୍ବଜ କବି ଗୋଦାବରୀଶ ମହାପାତ୍ର ଓ ଅନନ୍ତ ପଟ୍ଟନାୟକଙ୍କ କବିତାର ବିଦ୍ରୋହ, ବିଦ୍ରୂପର ସ୍ୱରକୁ ସମୟ ଚେତନାରେ ଏହିଭଳି ଦେଖିଛନ୍ତି-

 

ସମୟର ତିକ୍ତ ପରିଧିରେ

ଆପଣଙ୍କ ଚାହାଣିର ତୀକ୍ଷ୍‍ଣ ମୁଦ

ଆକଣ୍ଠ ଗରଳ ପାନ ଆପଣଙ୍କ

ଆପଣଙ୍କ ଶାଣିତ ସେ ହସ

ରହିଥିବ ଚିରଦିନ ଆପଣଙ୍କ ଅଶାନ୍ତ ପ୍ରେତାତ୍ମା

ଆପଣଙ୍କ ଗୀତ ଥିବ

ନିଃସଙ୍ଗ ବେଦନାତୁର ମଣିଷର ରକ୍ତ କଣିକାରେ

ମୁକ୍ତିର ଏ ପିପାସାରେ ଚାଲିବାର

ନିର୍ମମ ତୋଫାନ ।

(କମ୍ରେଡ ମାମୁଁ)

 

ଦଳିତ, ପୀଡ଼ିତ, ଅବହେଳିତ ପ୍ରତି ସମ୍ବେଦନା ମୁକ୍ତି ପିପାସୁ ମଣିଷ ପାଇଁ ବଳିଷ୍ଠ ଦ୍ୟୋତନା ସୃଷ୍ଟି କରିଛି । ତା’ର ସାଂନ୍ଦ୍ର, ନିବିଡ଼ କଳାତ୍ମକ ଆଲେଖ୍ୟ ଏ ‘କମ୍ରେଡ୍ ମାମୁଁ କବିତା ଓ ତତ୍ ସନ୍ନିହିତ ବିଦ୍ରୋହୀ କବିମାନଙ୍କ ପ୍ରତି ପ୍ରତିକ୍ରିୟା ଜଣାପଡ଼େ ।

 

ଗୁରୁବାବୁଙ୍କ ଅଧିକାଂଶ କବିତା ଯେତେ ଅଧିକ ପାପବୋଧରେ ପୀଡ଼ିତ ସେତିକି ଆଧ୍ୟାତ୍ମିକ ଯାତ୍ରାପଥରେ କ୍ଲାନ୍ତ ଓ ଘର୍ମାକ୍ତ । ସେହି ପାପପୀଡ଼ିତ ଜୀବନ ଯନ୍ତ୍ରଣା ସହିତ ବହୁ ଶୋଷଣ, ନିଷ୍ପେଷଣର ଶିକାର ସାଧାରଣ ମଣିଷର ବ୍ୟଥାକୁ ମିଶାଇ ତାଙ୍କ ବ୍ୟକ୍ତିଚେତନା, ଗଣଚେତନାରେ ପ୍ରସାରିତ । ବହୁ ଅନାବନା, ଅପନ୍ତରାର ଗୁଳ୍ମ ଲଟାର ପ୍ରତୀକକୁ ନେଇ ସେ ସାଧାରଣ ଜୀବନ ସତ୍ତାକୁ ଉନ୍ମୋଚନ କରିଛନ୍ତି ଏହିପରି-

 

ମୁଁ ଭଲପାଇଛି ତେଣୁ କେନାଲର କୂଳେ କୂଳେ

ଘାସ ଆଉ ଧାନକ୍ଷେତ ମାଛରଙ୍କା ଶଙ୍ଖଚିଲ

ପାଣିପଙ୍କ କଣ୍ଟାଫୁଲ ଖଜରୀ ଡାଳର ଡାହି ଛାଇଁ ଛୁଇଁ

ଫେରୁଥିବା ପବନର ଅନାସକ୍ତ ସ୍ନେହ ଓ ବିଶ୍ୱାସ ।

(ମାର୍ଶାଘାଇ)

 

ପବନ ଅଦୃଶ୍ୟ ଓ ଅନାସକ୍ତ ରହି ଫୁଲରୁ ଫୁଲକୁ ବିହାର କରି ପରାଗ ସଙ୍ଗମରେ ସୃଷ୍ଟି କରେ ଫୁଲର ରାଇଜ, କିନ୍ତୁ ନିଜେ ସେ ସଙ୍ଗମ କ୍ରିୟାରେ ନଥାଏ । ଦେହର ନିର୍ଲଜ ଭୋକ କ୍ରମେ ଅପସରି ଯାଇ ଦେହର ବିକାଶ ପରମ୍ପରାରେ ଦେହରୁ ଦେହକୁ ସଞ୍ଚରେ କଳେବରର ଏ ବର୍ଦ୍ଧିଷ୍ଠୁ ଲୀଳାରେ ଅସ୍ତିତ୍ୱର ସମସ୍ତ ସମ୍ଭାବନା ହୁଏ କଳାର ସୃଷ୍ଟିଶିଳ୍ପ ।

 

ନିର୍ଲଜ ମୋ ଏ ଦେହର ଭୋକଶୋଷ ନରହୁବି ତା’ଠାରୁ ଦୂରରେ

ମୋର ନଷ୍ଟ ଆତ୍ମା ମନ ପୁଣି ଯଦି ଫେରିଯାଏ ସ୍ଵାସ୍ଥ୍ୟ କେବେ

ସେଦିନ ମୋ ଭଲ ପାଇବାର

ସାର୍ଥକ ମୁହୂର୍ତ୍ତ ସବୁ ଆକାଶର ତାରାରେ ତାରାରେ

ପୃଥିବୀର ସବୁ ଘାସ, ସବୁ ନଈ, ସବୁ ଋତୁ

ସବୁ ସଙ୍ଗୀତରେ

ତା’ ମନ ଓ ଆତ୍ମାର ପୃଥିବୀକୁ ଫେରିଯିବ

ତା' ଦେହରେ ବସନ୍ତର ସବୁ ଫୁଲ ସବୁ ହସ

ସବୁ ବସନ୍ତକୁ

 

‘‘xx ତଥାପି ଏ ମୁହୂର୍ତ୍ତରେ ତା ଦେହର ଅନାସକ୍ତ ବର୍ଷା ଓ ବସନ୍ତ । ରହିଥିବ ମୋ ସ୍ମୃତିରେ ଚିରଦିନ ପୃଥିବୀର କୁମାରୀତ୍ୱ ଦେଇ ।’’ କୌମାର୍ଥର, ତାରୁଣ୍ୟ ଓ ସୃଜନର ଚିରନ୍ତନତା ତାଙ୍କ ସ୍ମୃତିରେ ବହୁକାଳର । ଜନ୍ମ, ମୃତ୍ୟୁର ପରିଧି ଡେଇଁ ‘ଚିରବସନ୍ତ’ର ଆନନ୍ଦଲୋକ ମଧ୍ୟ କବିଙ୍କ ଚେତନାରେ ପ୍ରତିଭାତ ହୋଇଛି । ଦିବ୍ୟ ଅନୁଜ୍ଞାରେ ସୃଜନରହସ୍ୟ ପ୍ରକଟିତ ଓ ଜୀବନଲୀଳା ପ୍ରସାରିତ ଅନ୍ୟ ଓ ଅନେକ ଦେହରୁ ଦେହ ଦେଇ ।

 

ଏହାପରେ ଆଧ୍ୟାତ୍ମିକ ଯାତ୍ରାର ମାର୍ଗଦର୍ଶନ ସେ ଦେଇଛନ୍ତି । ନାନାଭାବେ ଅନ୍ତହୀନ ସଙ୍ଗୀତର ମୂର୍ଚ୍ଛନା ଓ ଲୟରେ । ଯାତ୍ରାର ପଥକ୍ଲାନ୍ତି ଅପାର୍ଥିବ ଆନନ୍ଦ ଲାଭ କରିବା ମାତ୍ରେ ତିରୋହିତ ହୋଇଯାଏ । ଓଡ଼ିଆ କାବ୍ୟପରମ୍ପରା ଚିରବସନ୍ତର ଗାନ କରିବାରେ ଓ ନବନବ ରୂପରେ ମଧୁସୂଦନ, ଅନ୍ନଦାଶଂକର, ସଚ୍ଚି ରାଉତରା, ଅନନ୍ତ ପଟ୍ଟନାୟକ ତଥା ପରବର୍ତ୍ତୀ ବହୁ କବିତାରେ ଭିନ୍ନ ଭିନ୍ନ ଚେତନାରେ ରୂପାୟିତ ହୋଇଛି । ଗୁରୁବାବୁ ‘ଭୋର ପବନ’ରେ ସେହି ପ୍ରଶାନ୍ତିର ଉପଲବ୍‌ଧି କରି ବହୁ ଦୁଃସମୟ ଓ ଦୁଶ୍ଚିନ୍ତାକୁ ପାର ହୋଇଛନ୍ତି ।

 

ପ୍ରତିଦିନ ଏ ମୃତ୍ୟୁରୁ ଜନନ୍ମିଏ ନିଃସଙ୍ଗତା

ଅନ୍ୟ ଏକ ଅବୁଝା ଅପେକ୍ଷା

ଏ ମୋର ନିଃସଙ୍ଗ ମନ ଖରାର ଚାଲିବା ବାଟ

ଖୋଜି ଖୋଜି ତାରାରେ ତାରାରେ

ଆଜି ଏତେ ଇତଃସ୍ତତ ସେ ଅବୁଝା ଅପେକ୍ଷାରେ

ସେ ଅବୁଝା ଭଲପାଇବାର ଯୁକ୍ତି ଆଉ ସମାଧାନ ପାଇଁ

ସେ ମୁହୂର୍ତ୍ତ କେବେ ପୁଣି ମୋ’ ମୃତ୍ୟୁର ବିସ୍ମୃତି ବା

ତା’ ସତ୍ତାର କେଉଁ ପ୍ରଶ୍ନ କେଉଁ ଅନ୍ଧାରରେ ?

 

କବି ଅପାର୍ଥିବ ଧ୍ୱନିର ଇଙ୍ଗିତ ପାଇଛନ୍ତି ସଙ୍ଗୀତରୁ । ଏ ସଙ୍ଗୀତ ତାଙ୍କ ଯାତ୍ରାପଥର ସଙ୍ଗୀତ । ଭଲ ପାଇବାର ସୁମଧୁର ମୂର୍ଚ୍ଛନା । ଏ ମୁହୂର୍ତ୍ତ ଜୀବନକୁ ଆନନ୍ଦରେ ତା’ର ନୈର୍ବ୍ୟକ୍ତିକ ସ୍ଥିତିରେ ପହୁଁଚାଇବାର ପ୍ରେରଣା । ସେହି ପ୍ରେରଣାର ପ୍ରତୀକାନୁଭବ ଚିତ୍ରାର୍ପିତ ଏବଂ ଧ୍ୱନ୍ୟାର୍ପିତ ।

 

“ପୃଥିବୀ ପାଲଟେ ପୁଣି ଝାଳ ନାଳ ଚିତ୍କାରର

ନିର୍ଲଜ ଉଲଗ୍ନ ଗ୍ରହ

ଏସ୍‍ରାଜ ଭାଓଲିନ୍ ସିତାରର ତା’ର ଚୁପ୍ ହେଲେ

x      x      x

ଅନ୍ତହୀନ ଗତି ଧରି ଏ ପୃଥିବୀ ଯେବେ ଦିଶେ

ଦିଗହୀନ ଧୂସର ପାଣ୍ଡୁର

ସେତେବେଳେ ତା’ ସ୍ମୃତିରୁ ଦିଗନ୍ତରେ ବିଷର୍ଣ୍ଣ ଗୋଧୂଳି

ମୋ ପାଇଁ ଫେରାଇ ଆଣେ ତା’ ସତ୍ତାର କୁହୁକରୁ

ମୋ କ୍ଲାନ୍ତ ସତ୍ତାରେ ପୁଣି ଫାଲଗୁନର ଫୁଲର ମୂର୍ଚ୍ଛନା ।

 

ଦେହ ଓ ମାଟି ଏକାକାର । ମୃତ୍ୟୁ ବି । ପ୍ରେମ ଅସୀମ ଆଡ଼କୁ ପାଦଟିଏ ବଢ଼େଇବାର ପ୍ରେରଣା । ସେ ହିଁ ଫାଲଗୁନର ମୂର୍ଚ୍ଛନା । ଅନନ୍ତ ବସନ୍ତର ମଧୁସଙ୍ଗୀତ । ସେହି ଗୀତ ଶୁଣି ଶୁଣି କବିଙ୍କର ଅନ୍ତହୀନ ଯାତ୍ରା । ଆଧିଭୌତିକ କବିତାର ମର୍ମ ହେଉଛି ଏକ ବିରୁଦ୍ଧାତ୍ମକ ଭାବକୁ ସମନ୍ୱୟ କରି ଦ୍ଵନ୍ଦାତୀତରେ ପହଞ୍ଚିବା । ଏହା ଭକ୍ତକବି, ସବୁଜ କବି, ରହସ୍ୟବାଦୀ କବିମାନଙ୍କ କବିତାର ଅତ୍ୟାଧୁନିକ ବିବର୍ତ୍ତିତ ବାସ୍ତବତା । ଏହି ସ୍ଥିତିବୋଧ ଗୁରୁବାବୁଙ୍କ ଠାରୁ ଆରମ୍ଭ ହୋଇ ପରବର୍ତ୍ତୀ ପ୍ରମୁଖ କବିଙ୍କୁ ଯଥେଷ୍ଟ ପ୍ରଚୋଦିତ କରିଛି । ଏହି ଅନ୍ତର୍ଯାତ୍ରା କେବଳ ଅନ୍ତର୍ଲୋକରେ ଆତ୍ମ ସାକ୍ଷାତର ଯାତ୍ରା ନୁହେଁ । ଅନ୍ୟ ଦୁଃଖରେ କରୁଣାସିକ୍ତ କବି ହୃଦୟର ନୈବେଦ୍ୟରେ ଅବ୍ୟକ୍ତର, ଅରୂପର ପ୍ରତିଫଳନ । ସେ ରୂପ, ପ୍ରଜ୍ଞା ଓ ବିବେକର ବୋଧିକଳ୍ପ ।

 

ଯାହା ଫଳରେ ଶେଷ କେତୋଟି କବିତାରେ ସେ ଶ୍ରୀଜଗନ୍ନାଥ ରୂପରେ ଖୋଜିଛନ୍ତି । ସମୟଚେତନା, ଯୁଗଚେତନା, ସମସ୍ତ ଯନ୍ତ୍ରଣା ଦେଇ ତାଙ୍କ ପ୍ରାଣର ଆକୂତି ସେ ସଂସ୍କୃତିର ପ୍ରତିଭୂ ସେ ମହାପ୍ରଭୁଙ୍କ ପାଖେ ନିବେଦନ କରି ଭାବମୋକ୍ଷ କରିଛନ୍ତି ।

 

ଆଗାମୀ ଶତାବ୍ଦୀର ଯୁଗପୁରୁଷ ସେହି ‘ଜଗନ୍ନାଥ ସ୍ୱାମୀ, ଆରଶତାବ୍ଦୀ’ ‘ସେ ଆଖିର ଅମାବାସ୍ୟା ରାତି’କୁ ଭାଗ ଭାଗ କଲେ ଏହା ଛୋଟ ଛୋଟ ପାଞ୍ଚୋଟି କବିତା, ଶାନ୍ତି, ପ୍ରେମ, ଅହିଂସା ପ୍ରତି ବ୍ୟାକୁଳ ଯୁଗ ଚେତନାର ପ୍ରତିଭୂ ଶ୍ରୀଜଗନ୍ନାଥ କାଳେ କାଳେ ଓଡ଼ିଆ କାବ୍ୟରେ ଆବିର୍ଭୂତ ହୋଇ ଆସିଛନ୍ତି । ପ୍ରଜ୍ଞା ଓ କରୁଣା ସ୍ଥିର ମିଳିତ ବିନ୍ଦୁ ସେ । ଗୁରୁବାବୁଙ୍କ କବିତା କିନ୍ତୁ ସ୍ଥିର ହୋଇ ରହିନାହିଁ । ବ୍ୟକ୍ତି ଚେତନାର ବିଶ୍ୱ ପ୍ରସାରିତ ଚେତନା ତାଙ୍କର ସଦା ଗତିଶୀଳ ।

 

ସେଦିନ ତା’ ପାଦଚିହ୍ନ ଥିବ ଯଦି ଫୁଲରେ ଫୁଲରେ

କଷି, କଢ଼, ବଉଳରେ, ତା’ଦେହର ମୃଦୁଗନ୍ଧ

ଫେରୁଥିବ ପ୍ରତିବର୍ଷ ବସନ୍ତରେ

ଆଷାଢ଼ର ଆକାଶରେ ଆସୁଥିବ ତା’କେଶର ନିଘଞ୍ଚ ପ୍ଲାବନ

ସେଦିନ ସେଥିବ ଯଦି ପୃଥିବୀର ଆବର୍ତ୍ତରେ

ଯକ୍ଷକନ୍ୟା ବିରହର ଗୀତ ।

 

ବିରହୀ ଆତ୍ମା ପରମାତ୍ମାର ମିଳନ ସୁଯୋଗ ନ ପାଇ ବଞ୍ଚିରହିଛି ତା’ର ଅହେତୁକ ଲୋଡ଼ିବା ପଣରେ । ତେଣୁ ସେ ଆହୁରି ସ୍ପଷ୍ଟ କରିଦିଅନ୍ତି ଯେ ‘‘ଆଜିର ଏ ଦ୍ୱିଧାଭୟ ଆଶଂକାର ଖବରକୁ ଡେଇଁ ତା’ ସତ୍ତାକୁ ଆଜିଯାଉ ଗର୍ଭଗୃହ, ସମାଧିର ଅନ୍ଧାରକୁ/ କରୁଣା ଓ ବିଶ୍ୱାସର ଦୁଇଟି ଜ୍ୱଳନ୍ତ ଆକ୍ଷି/ ଆମର ଏ ସମୟର ଏକମାତ୍ର ସାନ୍ତ୍ୱନା ଓ ଏକମାତ୍ର ନିର୍ଭୟ ଆଶ୍ରୟ ଆରଶତାବ୍ଦୀକୁ-।’’

(ଆର ଶତାବ୍ଦୀକୁ)

 

ବୀଭତ୍ସ ‘କାଳପୁରୁଷ’ର ରୂପ ବଦଳିଛି ଜଗନ୍ନାଥଙ୍କ ସ୍ୱରୂପରେ ‘ସମୟ ଓ ଶୂନ୍ୟତାର ଦୁଇଟି ସୀମାନ୍ତରେଖା / ଅନନ୍ତ ବ୍ୟାପ୍ତିରୁ ଆସିପାଏ ତା’ର ଯୁକ୍ତବିନ୍ଦୁ । ଚିରନ୍ତନ କଲ୍ୟାଣ ଓ ବେଦନାର ସେ ଦୁଇଟି ଜ୍ୱଳନ୍ତ ଆକ୍ଷିରେ ।’’ କିବା ‘‘ସେ ଆଖିର ଜ୍ୟୋସ୍ନା ଆସେ ସ୍ଵପ୍ନର ସମ୍ବାଦ ନେଇ/ ନିର୍ଜନ ନିଦର ଝାପ୍‍ସା ସ୍ତବଧ ମୁହୂର୍ତ୍ତରେ/ ସେତେବେଳେ ସବୁ ଦୁଃଖ, ସଂଘର୍ଷ ଓ ଯନ୍ତ୍ରଣାର ସ୍ମୃତି ରହେ ନାହିଁ / ଏ ପୃଥିବୀ ରୂପ ପାଏ କେତେ ରଙ୍ଗ ମହକ ଓ କେତେ ଫୁଲ କେତେ ଆକାଶରେ/ ମୋ’ ଯାତ୍ରାର ଆରମ୍ଭ ବା କେଉଁ ଦୂର ବିସ୍ତୃତ ଅତୀତ ସେ ଜ୍ୟୋତ୍ସାର ଲହରୀରେ ମୋ ଗତିର ବିଲୟ ବା କେତେ ନିଦ୍ରା, କେତେ ସ୍ଵପ୍ନ ପରେ ?’

 

ସେ ନିଦ୍ରା ମହାନିଦ୍ରାର । ସେ ଜୀବନ ମହାଜୀବନର । ଗୁରୁବାବୁଙ୍କ ଯାତ୍ରା କଳାବୋଳା କଳାଠାକୁରର କୁହୁରାତିରେ । ଆକାଶ ଓ ପୃଥିବୀର ଚେତନା ନେଇ ବଞ୍ଚିଥିବା ସତ୍ତା ଆଜି ଲୋପ ପାଇଯାଇପାରେ । ସେ ଆଖି ଦିଗ୍‍ବଳୟ ଉପରେ ଜଳିଉଠି କବିଙ୍କୁ ଦେଖୁଛି । କବି ମଧ୍ୟ ଆଖି ମିଳେଇ ଦେଖୁଛନ୍ତି ସେ ଗୋଲ ଆଖିକୁ ଅପଲକ । ସେ ଆଖିରୁ ତ୍ରାହି ନାହିଁ । ଭୟ ଓ ବିପଦରେ ସେ ଆଖିରୁ ସେ କଲ୍ୟାଣ ଓ କ୍ଷମାର ଚନ୍ଦନ ବୃଷ୍ଟିହେବା ସେ ଅନୁଭବ କରୁଛନ୍ତି । “ଅକ୍ରୂର ଉବାଚ’ ଆଦି କବିତାରେ ଯେଉଁ ସତ୍ୟାନ୍ୱେଷଣ ଆରମ୍ଭ ହୋଇଥିଲା ତାହା ଶେଷ ହୋଇଛି ଜଗନ୍ନାଥ ଦର୍ଶନରେ । ଭବିଷ୍ୟତର କବିମାନେ ଗୁରୁବାବୁଙ୍କ ସେ ଭୂୟୋଦର୍ଶନର ଯଥାର୍ଥତା ନିଶ୍ଚୟ ଅନୁଭବ କରିବେ ।

 

ସେ ଚକାଆଖିକୁ ଟାର୍ଗେଟ୍ କରି ବହୁ ଗୁଳିବିଦ୍ଧ ଘଟଣା ଘଟିଯାଉଛି । ସେ ଆଖି ତଥାପି ଜ୍ୱଳନ୍ତ ରହି ଇତିହାସରେ, ସଭ୍ୟଘରେ, ସଂସ୍କୃତିରେ କାବ୍ୟଚେତନାରେ ଜଳି ଉଠୁଛି । ଚିର ଜାଗ୍ରତ ସେ ଆଖି । ବହୁ କ୍ଷମତାଧର କରିତ୍କର୍ମା ନେତୃବୃନ୍ଦଙ୍କ ହିଂସାର ଶରବ୍ୟ ସେହି ମହାକାରୁଣିକ ଦୁଇଟି ଆଖୁ ଟାର୍ଗେଟ୍ । ସମସ୍ତଙ୍କ ନିଶାଣର ଗୁଳି ବାଜେ ଅହର୍ନିଶ/ ଛୁଟି ନାହିଁ ରକ୍ଷା ତା’ର ନାହିଁ ।’’ କାବ୍ୟ ପୁରୁଷର ଯନ୍ତ୍ରଣା ଦିବ୍ୟ ପୁରୁଷର ଯନ୍ତ୍ରଣା ଏଠି ଏକାତ୍ମ ଓ ଏକାକାର ।

 

“ଆମେ ସବୁ ଅନ୍ୟ ଯେତେ ଚାହିଁରହୁ

ସମ୍ମୋହିତ ସେ ଆଖିର ଡୋଳାକୁ ଯେହେତୁ

ଗୁଳିବିଦ୍ଧ ସେ ଆଖିରେ ଆମର ଜମାଟ ଲୁହ

କ୍ରୁଶବିଦ୍ଧ ରକ୍ତଧାର

ଆମର ଯନ୍ତ୍ରଣା କ୍ଷତ ମୁକ୍ତି ଏଠି

ଜୟ ହେଉ ତା’ର ଜୟ ହେଉ ।

ମାର୍କଣ୍ଡେଶ୍ଵର ସାହି, ପୁରୀ

***

 

ସମ୍ଭାବନାର ଅଭିସାର

(ଗୁରୁପ୍ରସାଦ ମହାନ୍ତିଙ୍କ କବିତା)

 

ସୌରୀନ୍ଦ୍ର ବାରିକ୍

 

ଗୋଟିଏ ସମୟଖଣ୍ଡର ସାମ୍ପ୍ରତିକତା ଭିତରୁ କବିଟିଏ ଜନ୍ମଲାଭ କରିଥାଏ । ସାମ୍ପ୍ରତିକ କାଳର ଜଟିଳ ବିଭିନ୍ନତା ଦ୍ଵାରା କବି-ଚେତନା ଋଦ୍ଧିମନ୍ତ ହୋଇ ସେହି ସାମ୍ପ୍ରତିକତାର ସତ୍ୟଶୀଳ ଅଂଶଟିଏ ହୋଇଯାଏ । ଏହି ସମ୍ପର୍କ ହିଁ କବିର ବାସ୍ତବତା । ଏଥିରେ ଦୂରତା ଓ ନିବିଡ଼ତା, ଅହଂ ଓ ନାହଂ ଆଦି ହାତ ଧରାଧରି । କବି ଏହି ବାସ୍ତବତାକୁ ତା' ନିଜ ଭାବରେ କଳ୍ପନାୟିତ କରେ ମାତ୍ର ତା' ଭିତରେ ବନ୍ଦୀ ହୋଇ ରହିଯାଏ ନାହିଁ । ସେ ନାହଁର ଏକ ଅହଂ ବିକଳ୍ପ ସୃଷ୍ଟି କରେ । ଏହି ବିକଳ୍ପ ହେଉଛି କବି-ସତ୍ୟ । ଏହା ସାମ୍ପ୍ରତିକତା ରହିତ ନୁହେଁ; ଏହା ସାମ୍ପ୍ରତିକତାର ଅନନ୍ୟାକରଣ, ଚିରନ୍ତନିକରଣ । ବାସ୍ତବତା ବିନା କଳ୍ପନା ଯେପରି ସମ୍ଭବ ନୁହେଁ, ସାମ୍ପ୍ରତିକତା ବୋଧ ବିନା କବିର ଜୀବନବୋଧ ମଧ୍ୟ ସମ୍ଭବ ନୁହେଁ । ଏହି ସାମ୍ପ୍ରତିକତାବୋଧ କେବଳ ଗୋଟିଏ ସମୟଖଣ୍ଡର ବାଦ୍ୟ ଘାତ ପ୍ରତିଘାତର ସମାହାର ନୁହେଁ, ଏଥିରେ ସମାହିତ ପରିବର୍ତ୍ତିତ ଦୃଷ୍ଟିଭଙ୍ଗୀ ଓ ମୂଲ୍ୟବୋଧ - ଏକ ନିଜସ୍ ମାନସିକତା । କବି-ଅହଂ ଦ୍ଵାରା ଏହା ଶୋଧୂତ ହୋଇ ରୂପାୟିତ ହୁଏ । କବିତା ତେଣୁ ସାଧାରଣତାର ଅହଂରୂପ । ଏହା ନିର୍ଦ୍ଦିଷ୍ଟ ସମୟଖଣ୍ଡର ଅହଂଦଗ୍ଧ ରୂପାନ୍ତିକରଣ । ଏହା ହିଁ କବିତାର ଆଧୁନିକତା – କବି ସୃଷ୍ଟି ସାମ୍ପ୍ରତିକତାର ନିଜସ୍ୱ ଭିନ୍ନତାବୋଧ । ଏହି ଭିନ୍ନତା ହିଁ ନୂତନତା ।

 

ଏହି ଦୃଷ୍ଟିରୁ ଗୁରୁପ୍ରସାଦ ମହାନ୍ତିଙ୍କୁ ବିଚାର କଲାବେଳେ ତାଙ୍କ କବିତାର ‘ନୂତନତା’କୁ ବିଚାର କରିବାକୁ ପଡ଼େ । ନୂତନତା ପ୍ରସଙ୍ଗ ଉଠିଲେ ସମୟ ତଥା ସାମ୍ପ୍ରତିକ କାଳ ସହ ନୂତନତା ଓ ଆଧୁନିକତାର ସମ୍ପର୍କ କଥା ମନକୁ ଆସେ । କାଳ ପରିପ୍ରେକ୍ଷୀରେ ପୁରାତନ, ନୂତନ, ସାମ୍ପ୍ରତିକ ପୁଣି ଆଧୁନିକ ବିଚାର୍ଯ୍ୟ । ଏହି ସମସ୍ତ ଶବ୍ଦ କାଳ ସହ ସମ୍ପର୍କିତ । ପୁରାତନ ଯାହା ଅତୀତ, ବିଗତ-। ଏହା ବର୍ତ୍ତମାନଠାରୁ ବିଚ୍ଛିନ୍ନ ଓ କାଳର ସୁଅରେ ଗୋଟିଏ ମୁହୂର୍ତ୍ତ ପରେ ସ୍ଥିର । ନୂତନ ଯାହା ପୁରାତନ ସହ ସମ୍ପର୍କହୀନ । ନିକଟ ଅତୀତରେ ଏହାର ଉଦାହରଣ ମିଳେନା । ଏହା ଅଣପାରମ୍ପରିକ । ମାତ୍ର ବେଳେବେଳେ ଦୂର ଅତୀତ ନୂତନ ଭାବରେ ଦେଖାଦିଏ । ଏଥିରେ ଥାଏ ଭିନ୍ନତାର ସ୍ପର୍ଶ ଯାହା ସାମ୍ପ୍ରତିକତା ଠାରୁ ଭିନ୍ନ । ସାମ୍ପ୍ରତିକ କାଳରେ ଯେତେବେଳେ ପୁରାତନ ଓ ନୂତନ ସମନ୍ୱିତ ହୋଇ ବର୍ତ୍ତମାନର ନିଜସ୍ୱ ଭିନ୍ନତାକୁ ପ୍ରକାଶ କରିବାକୁ ଚେଷ୍ଟା କରନ୍ତି ସେତେବେଳେ ଆଧୁନିକତା ଜନ୍ମଲାଭ କରେ । ଆଧୁନିକତା ତେଣୁ ସମନ୍ୱିତ କାଳବୋଧ ।

 

ତେଣୁ ଆଧୁନିକ କବି କାଳ ସଚେତନ । କାଳ ସହ ତାର ସମ୍ପର୍କ ଅତ୍ୟନ୍ତ ଜଟିଳ ଓ ମାର୍ମିକ । ଆଧୁନିକ କବି କାଳ ସ୍ପନ୍ଦନର ନୈର୍ବ୍ୟକ୍ତିକ ରିପୋଟର ନୁହେଁ । ସେ ନିଜର ସମୟ ଖଣ୍ଡ ସହ ଆତ୍ମସ୍ଥିତିକୁ ସମ୍ପର୍କିତ କରେ । ଏହି ସମ୍ପର୍କର ଦହନରୁ ସେ ଯେଉଁ ଜୀବନ-ସତ୍ୟରେ ଉପନୀତ ହୁଏ ଏବଂ ବଞ୍ଚିବାର ବୈଚିତ୍ର୍ୟ ଯେଉଁ ଭଙ୍ଗୀଟି ହାସଲ କରେ ତାହାରି ଜରିଆରେ ସେ ନିଜକୁ ପ୍ରକାଶ କରେ । ନିଜର ଅହଂ ଏବଂ ବାସ୍ତବତାର ନାହଂ ସହ ଗଢ଼ି ଉଠୁଥିବା ନୂଆ ସମ୍ପର୍କର ସ୍ୱରୂପକୁ ଖୋଜିବୁଲେ । ଏହି ଅନ୍ୱେଷା ହିଁ ଆଧୁନିକତାର ବୀଜମନ୍ତ୍ର । କବି ଗୁରୁପ୍ରସାଦଙ୍କର ବି । ତେଣୁ ତାଙ୍କ କବିତାରେ ଉଭୟ ‘କାଳର ମୁଁ ସହ ‘ମୁଁର କାଳ’ ସମ୍ପର୍କିତ । ଏହା ହିଁ ତାଙ୍କ କବିତାର ମୁଖ୍ୟ ବିଷୟବସ୍ତୁ । ସାମ୍ପ୍ରତିକ ବର୍ତ୍ତମାନତା ଭିତରେ ଅହଂ-ସ୍ଥିତି, ସମ୍ପର୍କର ନୂତନତା ଓ ଜୀବନର ଧାରା ଭିନ୍ନତା ଆଣିଛି, ଅନ୍ୟତା ଆଣିଛି । ମାତ୍ର ଏପରି ଅନ୍ୟତା ଓ ଭିନ୍ନତା ଛିନ୍ନମୂଳ ଅବାସ୍ତବତା ନୁହେଁ । ଏହା ଏକ ବୈପ୍ଳବିକ ଜୀବନବୋଧ ଯାହା ସାମ୍ପ୍ରତିକ ବଞ୍ଚିବା ଭିତରେ ଏକ ଚିରନ୍ତନ ସତ୍ୟର ସନ୍ଧାନୀ । ତେଣୁ ଆଧୁନିକତା ସାମ୍ପ୍ରତିକତାର ଦୈପାୟିତ କାଳବୋଧ ନୁହେଁ । ଏକ ନିର୍ଦ୍ଦିଷ୍ଟତା ମାଧ୍ୟମରେ ଚିରନ୍ତନତାକୁ ଉପଲବ୍ଧ କରିବା । ତେଣୁ ଏହା ସବୁକାଳ ପାଇଁ ନିଜସ୍ୱ ଜଙ୍ଗରେ ପ୍ରାସଙ୍ଗିକ ହୋଇଉଠେ । ଆଧୁନିକତା ସାମ୍ପ୍ରତିକତାର ଅବିକଳ ନକଲ ଅବା ଏହା ପ୍ରତି ଉଦାସୀନ ରହି କେଉଁ ଏକ କାଳ୍ପନିକତାର ସୂଚନା ନୁହେଁ । ଏହା ସାମ୍ପ୍ରତିକତାର ନିଜସ୍ୱ ଭାବେ ଚିରନ୍ତନିକରଣ । ଏହା ଏକ ମାନସିକ ଗ୍ରହଣ ଯାହା ଭିନ୍ନ ପରିବେଶ ଓ ଘଟଣା ଭିତରେ ନୂତନାୟିତ ଅହଂର ନିଜର ସ୍ୱରୂପକୁ ଖୋଜିବା ।

 

ଏହି ଅନ୍ୱେଷା ହିଁ ଗୁରୁପ୍ରସାଦଙ୍କର ଆଧୁନିକତା । ତାଙ୍କ କବିତାରେ ବାସ୍ତବତାର ବାହ୍ୟତା ଦେଇଛି ଦୁଃସ୍ଥିତି ସମ୍ପର୍କରେ ସଚେତନତା ଏବଂ ଅହଂ ବୈଷା ତୋଳିଛି ଏପରି ଦୁଃସ୍ଥିତିରେ ଅହଂର ଅର୍ଥ ସମ୍ପର୍କରେ ଅନେକ ପ୍ରଶ୍ନ, ଅନେକ ଦ୍ୱନ୍ଦ୍ୱ । ଏହି ଦ୍ଵନ୍ଦ୍ୱ ଅନେକ ପ୍ରଶ୍ନ ତୋଳେ । ଏ ପ୍ରଶ୍ନ ସାମାଜିକ, ଦୈହିକ ଏବଂ ଆଧ୍ୟାତ୍ମିକ । ଯେମିତି- (୧) “ରାମକୃଷ୍ଣ ମିଶନରୁ କେତେବାଟ ଏମାର ମଠକୁ” (କାଳପୁରୁଷ)

 

(୨)

“ଭଙ୍ଗାତୁଟା ସ୍ମୃତି ଯୋଖି ଆଜି ଖୋଜେ ଅର୍ଥ କାର । କେଉଁ ସୁପ୍ତ ପୃଥିବୀ ବା କେଉଁ ଗୁପ୍ତ ଆକାଶ ସନ୍ଧାନ ” (ଶରତ ଋତୁରେ ଜହ୍ନ)

(୩).

ପ୍ରତିଦିନ ଏ ପୃଥିବୀ ଆକାଶର ଅପନ୍ତରା ଡେଇଁ / ଅଜ୍ଞାତ ବା ଅବଜ୍ଞାତ କେଉଁ ଦୂର ଆକାଶକୁ ଧାଏଁ ?” (ହରେକୃଷ୍ଣ ଦାସ)

(୪)

ଆଶ୍ଚର୍ଯ୍ୟ ସେ ହଜିଥିବା ମୁହୂର୍ତ୍ତର ସମୟର ଅଭିସାର ରାତି । ପକ୍ଷୀ ଆଉ ଫୁଲ ସବୁ / ହସଗୀତ ବ୍ୟାଣ୍ଡ ବାଜା / କେବେ ଥିଲା ? କେଉଁଠି ? କେଉଁଠି ? (ହରେକୃଷ୍ଣ ଦାସ)

(୫)

କେଉଁଠି ଜୁଆର ଆସେ ପୋତି ଦେଇ ମୁହାଁଣର ଘାସ ଖରିବଣ କେଉଁଠି ଫେଣରେ ନାଚେ ଜୀବନର ଇନ୍ଦ୍ରଧନୁ ମରଣର ଆଦିମ ଆହ୍ୱାନ ? କେଉଁଠି ପବନ ଯାଏ ଗୁଡ଼କଙ୍କ ଘାସ ତଳେ ଖୋଜି ଖୋଜି ପ୍ରାଚୀନ ଏ ପୃଥିବୀର ପ୍ରାଣ ?

କେଉଁଠି ଧୂସର ବାଲି ଧରି ରଖେ ସ୍ମୃତି ସବୁ ଅସ୍ତଗାମୀ ଜହ୍ନର ସନ୍ଧାନ ? (ପିକ୍‌ନିକ)

(୬)

ମୁଁ ଯଦି ତୁମକୁ ପାଏ ପାରି ହୋଇ ମନ ଆଉ ଦେହ

ପାରି ହୋଇ ଯାନ୍ତି ଯେତେ ସମୟର ସୀମା ଓ ସନ୍ଦେହ ? (ସନେଟ୍ ୧)

(୭)

ମୁଁ ତେଣୁ ତୁମକୁ ଖୋଜେ ରକ୍ତ ମୋର ଦେହର ସୀମାରେ

ତୁମର ଆତ୍ମା ବା କାହିଁ ଦେହ କାହିଁ ତୁମର ମନର ? (ସନେଟ୍-୪)

(୮)

ଆକାଶର ଶୂନ୍ୟତାରେ ପୃଥିବୀର ଦୂରନ୍ତ ଏ ଗତି

ତୁମର ବା ଶେଷ କେବେ ଶେଷ ମୋର ସମୟ ଓ ସ୍ଥିତି ? (ସନେଟ୍-୭)

(୯)

କିଏ ସେ ଡାକୁଚି ତଳେ ? କିଏ ସେ ବାହାରେ ? (କାଳପୁରୁଷ)

(୧୦)

କେଉଁ ନଈ ? କେଉଁ ଫୁଲ ? କେଉଁ ନଈ ମୁହାଣରେ ଉଜାଣି ଲୁହର ଢେଉ ? କେଉଁ ନଷ୍ଟ ଦିଗନ୍ତର ବସନ୍ତ ଓ ବ୍ୟଥିତ ଆକାଶ ?” (କେଉଁ ଘାସ ? କେଉଁ ବାଲିଚର) ସେହିପରି ‘‘ବିଶନ ମହାନ୍ତି’’ କବିତାର ପ୍ରଶ୍ନ ଯେମିତି “ମହାପ୍ରଭୁ / ପୁଣି ଏ ପୁନରାବୃତ୍ତି ପୁରାଣର କେଉଁ ଅଧ୍ୟାୟର ?” ଅବା “ସଞ୍ଜୟ ଓ ଧୃତରାଷ୍ଟ୍ର ସମ୍ୱାଦ’ର “କୁରୁକ୍ଷେତ୍ର ପରି ବହୁ ବିଭିନ୍ନ କ୍ଷେତ୍ରରେ / କେତେଥର ?.. କାହିଁକି ବା ? / କରୁଥିବେ ଆତ୍ମହତ୍ୟା ଏହିପରି / ଆପଣାକୁ ହତ୍ୟା ଏହିପରି ?” କିମ୍ବା ‘‘..... ମୋ’ ମୃତ୍ୟୁର ବିସ୍ମୃତି ବା / ତା’ ସତ୍ତାର କେଉଁ ପ୍ରଶ୍ନ କେଉଁ ଅନ୍ଧାରରେ ?” (ଏଠି ଭୋର ପବନରେ)

 

ଏହିପରି ଅନେକ ପ୍ରଶ୍ନ । ପ୍ରଶ୍ନ ସବୁ କାଳ, ସ୍ଥିତି ପୁଣି ଜୀବନ ମୃତ୍ୟୁ ଆଦି ସମ୍ପର୍କରେ । ପୁଣି କବିଙ୍କ ଦୁଃସ୍ଥିତି ସମ୍ପର୍କରେ । ଏହି ଦୁଃସ୍ଥିତିର ସୂଚନା ମିଳେ । “ଏଠି ମୋର ଚାରିପାଖେ ବାଲିଚର ଖାଲି ବାଲିଚର” ପରି ବର୍ଣ୍ଣନା ଭିତରେ । ଏହି ‘ବାଲିଚର’ ସୂଚିତ କରେ ପ୍ରାଣହୀନତା, ଶୁଷ୍କତା ଓ ନିଷ୍ପଳା ସ୍ଥିତି । ଏପରି ଜଗତରେ କବିଙ୍କର ସ୍ଥିତି ହେଉଛି ‘ଆତଙ୍କିତ ସ୍ଥିତି’ । କବି ହେଉଛନ୍ତି ଏକ ‘ଅଭିଶପ୍ତ ମଣିଷ’ । ଏହି ବାଲିଚରର ପୃଥିବୀ ‘ବିବର୍ଣ୍ଣ, ବିଷର୍ଣ୍ଣ, ବିଜନ, ବିକୃତ, ଅସ୍ପଷ୍ଟ, ଭ୍ରାନ୍ତ, କ୍ଲାନ୍ତ, ଅଂସଯତ ଓ ସନ୍ଦିହାନ’ । ଏପରି ସ୍ଥିତିରେ ଅହଂର ସ୍ୱରୂପ କ୍ଲାନ୍ତ, ଭ୍ରାନ୍ତ, ନଷ୍ଟ, ଅପୂର୍ଣ୍ଣ ଓ ଦ୍ୱିଧାଗ୍ରସ୍ତ । ଏହା ସଦା ‘ଅଭାବ’ର ପ୍ରତିମୂର୍ତ୍ତି । ଫଳରେ ଏଠାରେ ଜୀବନ ‘ଦେହର ବିକୃତି ମୋର ମନର ବିକାର’ । ଏହିପରି ଏକ ରୁଗଣ, ଗୋବର ଗଣେଶ ଅହଂ ଧରି କବି ମାନସ ଚାହିଁଛି ‘ଜରା, ବ୍ୟାଧି, ମୃତ୍ୟୁ ପୁଣି ଜୀବନର ଅର୍ଥ ବୁଝିବାକୁ’ । ଏହି ଅର୍ଥ ବୁଝିବାର ପ୍ରଚେଷ୍ଟା ଏପରି ସମୟରେ ଯାହା ‘ଭୟ ଆଉ ପାପ ମିଶି ଅନ୍ତସତ୍ତ୍ୱା’; ଯେଉଁଠି ଗୋଟିଏ ଗୋଟିଏ ଚପଳ ‘ଆଜି’ କେବଳ ଅଂସଯତ, ଅସମ୍ଭୂତ, ଭ୍ରାନ୍ତ ସନ୍ଦିହାନ’ । ଏହି ଭୟ କାହାର କାହା ପ୍ରତି ? ଏହି ଭୟ ଅପୂର୍ଣ୍ଣ କ୍ରାନ୍ତ ଅହଂର ନିଜ ପ୍ରତି, ନିଜ ପୃଥିବୀ ପ୍ରତି ପୁଣି ସାମ୍ପ୍ରତିକ କାଳ ପ୍ରତି ଯାହା ‘ଅନିଶ୍ଚିତ ବର୍ତ୍ତମାନ / ଭବିଷ୍ୟତ ବିହୀନ ଅତୀତ ।’ ଏପରି ଅନିଶ୍ଚିତତା ଓ ଅସଫଳତା ଆସିଛି ଅସମ୍ପୂର୍ଣ୍ଣତାରୁ ପୁଣି ସମ୍ପର୍କର ଅର୍ଥହୀନତାରୁ । ଫଳରେ ତା’ ପାଖରେ ସବୁ ଦେଖା ‘ସନ୍ଦେହର ଦେଖା’, କ୍ଲାନ୍ତ ପୁଣି ଆବଶ୍ୟକହୀନ, ପୁଣି ମୂର୍ଚ୍ଛାହତ । କାଳ ତା' ପାଖରେ କେବଳ ‘ପତ୍ରଝଡ଼ା’ ପୁଣି ଭବିଷ୍ୟତହୀନ, ଆଶା ରହିତ । ଜୀବନରୁ ସବୁ ଅର୍ଥ ହଜିଯାଏ ଯେତେବେଳେ ତହିଁରୁ ଗୋଟିଏ ରହସ୍ୟର ସମ୍ଭାବନା ହଜିଯାଏ, କାଳରୁ ହଜିଯାଏ ଗୋଟିଏ ‘here after’ ଏହି ଶୂନ୍ୟତାରୁ ଜନ୍ମ ନେଇଛି ପାପବୋଧ ଯାହା ଅଧିକ ତୀବ୍ର ହୋଇଛି ମୂଲ୍ୟବୋଧହୀନତା ଓ ବଞ୍ଚିବାର ଯାନ୍ତ୍ରିକତାରୁ । ଏଥିପାଇଁ ମନରେ ଆସିଛି ବିକାର ଓ ଦେହରେ ଦେଖା ଦେଇଛି ବିକୃତି । ଏପରି ଦୁଃସ୍ଥିତିରେ କବି ଅହଂ ‘ଭୟ’ ଆଉ ‘କ୍ଷୟ’ ଭିତରେ ଦୋଦୁଲ୍ୟମାନ । ବାଲିରେ ଚାଲିବା ବେଳେ ତା' ଗୋଡ଼କୁ ଛନ୍ଦି ଦେଉଛି ‘ଗୁଡ଼କଙ୍କ ଲଟା’ । ଏପରି ଚେତନାର ଅହଂ ଭିତରେ ଯେଉଁ ଅନ୍ୱେଷା ଗୁମୁରି ଉଠେ ତା’ ହେଉଛି ଝରଣାର କୂଳେ କୂଳେ ଆୟୁହତ ମୁଁ ଏକ ପଥିକ / ପାଣି ଖୋଜେ, ସ୍ଵପ୍ନ ଖୋଜେ, ଖୋଜେ ମୋର ଦ୍ୱୀପର ଆଲୋକ’ । ଏ ଅନ୍ୱେଷଣ ମାୟା ମରୀଚିକା ନୁହେଁ ତ ?

 

ଗୁରୁପ୍ରସାଦଙ୍କ କବିତାରେ ତେଣୁ କେବଳ ବାଲିଚର ଭିତରେ ଗୁଡ଼କଙ୍କ ଲଟା ଭର୍ତ୍ତି ଏକ ରୁଗ୍‍ଣ ଓ କ୍ଳାନ୍ତ ଅହଂର ଦ୍ୱିଧା ଓ ଅସହାୟତା ଯାହା ପଉଶର ‘ଝଡ଼ା-ପତ୍ର’ ପରି ‘ପଳିତ ମୁର୍ଚ୍ଛନା’ ଧରିଯାଏର ସୂଚନା ଏକମାତ୍ର ପରିଣତି ନୁହେଁ । ଏହି ପଳିତ ମୂର୍ଚ୍ଛନା ସହ ଆଉ ଏକ ‘ଆଶା’ର ମୂର୍ଚ୍ଛନା ଗୁମରି ଉଠେ । ଏହି ଆଶା ଖୋଜିବୁଲେ ‘ଜହ୍ନ', ‘ସ୍ୱପ୍ନ’ ପୁଣି କେଉଁ ଅଜାଣା ‘ତାରାର ଆଲୁଅ' । ଏହା ଏକ ଅପହଞ୍ଚ ସ୍ୱପ୍ନର ଅନ୍ୱେଷା । ଏହି ଆଶାର ଅନ୍ୱେଷା ହିଁ ଗୁରୁପ୍ରସାଦଙ୍କ କବିତାର ଏକ ଦିଗ । ଏହା ଏକ ଉତ୍ତରଣର ଅବବୋଧ ଯାହା ତାଙ୍କୁ ଦେହ ଓ ମନକୁ ଟପି ଏକ ଅପହଞ୍ଚ ପୂର୍ଣ୍ଣତା ବ୍ୟାକୁଳ କରିଛି । ଏହି ବ୍ୟାକୁଳତା ନରକର ଅର୍ଥହୀନ ଯନ୍ତ୍ରଣା ଭିତରେ ଯନ୍ତ୍ରଣାର ଅର୍ଥ ବୁଝିବାର ଚେତନା ଖୋଜିଛି । ସେ ଖୋଜିଛି ‘ମାଟିର ମୋ’ ଜନ୍ମାନ୍ତର ବାଜି’ । ଏହି ଚେତନା ‘ମୁଁ’ର ମୂଳ ଖୋଜିଛି । ଅସ୍ତିତ୍ୱର ‘ଚେର’ ପହଞ୍ଚିଛି ‘ଆତ୍ମା’ ପାଖରେ । କବିଙ୍କ ପାଖରେ ‘ଦେହ’ ଓ ‘ମନ’ ପରି ଆତ୍ମା ମଧ୍ୟ ଅତି ଗୁରୁତ୍ୱପୂର୍ଣ୍ଣ । ଏହି ଆତ୍ମା ସହିତ ପାରମ୍ପରିକ ତାତ୍ତ୍ୱିକତା, ଦାର୍ଶନିକତାର ସମ୍ପର୍କ ନାହିଁ । ଏହା ଏକ ସୂକ୍ଷ୍ମତାବୋଧ, ଉତ୍ତରିତ ଚେତନାର ସୂଚକ । ଯେଉଁ ଚେତନା ବୁଝିପାରେ ଅରଣ୍ୟରେ ଅଜଗର ସ୍ଥିତିର ସ୍ଥବିରତା ସହ ‘ଜୀବନର ବୋଝ’ର ଗାମ୍ଭୀର୍ଯ୍ୟକୁ । ଏହି ‘ଆତ୍ମା’ ଏକ ସୂକ୍ଷ୍ମ ସଚେତନତାର ପ୍ରତୀକ ଏବଂ ଦୁଃସ୍ଥିତିରେ ସମ୍ପର୍କର ସ୍ଥୂଳ ଅର୍ଥହୀନତା ପରିପ୍ରେକ୍ଷୀର ଏହା ବକ୍ରୋକ୍ତି ବା Irony ସାହାଯ୍ୟରେ ସୂଚିତ ଯଥା “ତୁମର ଆତ୍ମା ବା କାହିଁ ?” ଅବା ‘ତୁମର ଭିତରେ ମୋର ଆତ୍ମା ଯିବ ନିଶ୍ଚିହ୍ନ ମିଳାଇ’ । ପୁଣି ଏପରି ସମ୍ପର୍କରେ ଆତ୍ମା ନୁହେଁ ‘ପ୍ରେତାତ୍ମା’ ହିଁ ଜଳିଉଠେ । ଯଥା- “ମୁଁ ତୁମକୁ ଦେଖିପାରେ ମୋର ଶତ ପ୍ରେତାତ୍ମା ଭିତରେ ।’’ ପରେ ଏହି ଆତ୍ମା ବ୍ୟକ୍ତିରୁ ସଞ୍ଚରି କାଳ ସହ ସଂଯୋଗ ହୋଇଛି ଯେମିତି ‘ଏ ବର୍ଷର ନଷ୍ଟ ଆତ୍ମା’ ଯାହା ସମ୍ପର୍କର ଅର୍ଥକୁ ଖୋଜି ପାଏନା କାରଣ ଆଜି ଜୀବନର ସବୁ ଅର୍ଥ କାଳ ସହ ‘ନଷ୍ଟ’ । ଏ ବର୍ଷର ନଷ୍ଟ ଆତ୍ମା ଖୋଜି ଅବା ପାଏ ନାହିଁ ନିଃସହାୟ ମଣିଷର ମର୍ମାନ୍ତିକ ଭାଷା ।’’ ତେଣୁ ଅହଂର ଆତ୍ମା ଆଜି ପ୍ରେତାତ୍ମା ଯାହା ପକ୍ଷାଘାତ ରୋଗୀ ପରି ନିଶ୍ଚଳ । ଏହିପରି ଏକ କ୍ଲାନ୍ତ ସତ୍ତାର ଅନ୍ୱେଷା ହିଁ ପ୍ରାଣର ଏକମାତ୍ର ସମ୍ଭାବନା । ଏହି ଅନ୍ୱେଷା ଯାତ୍ରା, ଅକ୍ରୁରର ଆତ୍ମାର ମୁକ୍ତି ପାଇଁ ଏ ଯାତ୍ରା ପୁଣି ‘ଆଲୁଅର କେନ୍ଦ୍ର’ ଖୋଜି । ‘‘ଯାଯାବର ତା’ ଆତ୍ମାର ଗତି ହେଉ ତୋର ଗୀତ ପରି / ଅର୍ଥହୀନ ଉଲ୍ଲାସର ସାନ ସାନ ଅସରନ୍ତି ଢେଉ ।” ଏ ଉଲ୍ଲାସ, ଏ ଅର୍ଥହୀନତା ଶିଶୁ ସୁଲଭ ନିରୀହତା । ‘କ୍ଲାନ୍ତ’, ଦ୍ୱିଧା, ବିକାରର ବିପରୀତ ‘ଉଚ୍ଛ୍ୱାସ’ ଅଣନରକୀ ପୂର୍ଣ୍ଣତାର ସମ୍ଭାବନା ।

 

ସାମ୍ପ୍ରତିକ କାଳର ଯନ୍ତ୍ରଣା ହେଉଛି ଅଭାବବୋଧ । ଏ ଅଭାବ ଯାନ୍ତ୍ରିକ ବଞ୍ଚିବାର ଅପୂର୍ଣ୍ଣତାରୁ ସୃଷ୍ଟ । ଏ ଜୀବନ ତେଣୁ ଆଶା ଓ ସମ୍ଭାବନାହୀନ । “ମୁଁ ଯଦି ପାରନ୍ତି ରଖି ଆପଣଙ୍କ ‘ଅମୃତ ଓ ଶିଶିରର ଆଶା ।’ ତେଣୁ ଏହି ଅଭାବବୋଧ ଘୁଣ ପରି ଜୀବନକୁ କୋରି କୋରି ଯାଏ । ‘ଗୋବର ଗଶେଣ’ର ନାୟକର ଏହି ଦୁଃଖ ‘ରହିଯାଏ ଅଭାବ ତଥାପି’ । ଏହି ‘ତଥାପି’ର ଶବ୍ଦ ବଡ଼ ଗୁରୁତ୍ଵପୂର୍ଣ୍ଣ । ଏହା ଉଭୟ ପ୍ରଚେଷ୍ଟା ଓ ଅସଫଳତାର ସୂଚନା ଦିଏ । ଏହି ଅପୂର୍ଣ୍ଣତା ଯାହା ଅସଫଳ ପ୍ରଚେଷ୍ଟାର ପରିଣତି- “ମୋ ପାଇଁ ଯାଇଛି ରହି ଯୁକ୍ତ ଆଉ ବିଯୁକ୍ତ ମୀମାଂସା / ଏକମାତ୍ର ସମାଧାନ ମୋର ।” ଏପରି କବିତାରେ ବଞ୍ଚିବାର ଅର୍ଥହୀନତାର ଜୀବନ୍ତ ବର୍ଣ୍ଣନା ଅଛି ମାତ୍ର ତା’ ସହ ପ୍ରଚ୍ଛନ୍ନ ଭାବରେ ସୂଚିତ ହୋଇଛି ଜୀବର ଅର୍ଥ ବୁଝିବାର ଚେଷ୍ଟା । ତେଣୁ ‘‘ମୁଁ ଭାବିଛି ଖୋଜି ଯିବି ସେଠି ମୋର ପ୍ରାଣର ସଂଧାନ ।” ଏ ପ୍ରାଣ ଖାଲି ‘ବ୍ୟର୍ଥତା ଅବା ‘ଜୀର୍ଣ୍ଣ’ ଅବଶେଷର ସମାହାର ନୁହେଁ । ଏଥିରେ ଛପି ରହିଛି ‘ଏ ଦୂରନ୍ତ ଗତି ବେଗ ବ୍ୟାଧିଗ୍ରସ୍ତ ମୋ’ ଦେହର ଜରାଗ୍ରସ୍ତ ମୋର ଲୋମମୂଳେ ।” ଏଠି ପୁଣି ଅଛି “ପିତୃ ପୁରୁଷର ଜରା ମୃତ୍ୟୁ ବ୍ୟାଧିର ଖବର ।’ ମାତ୍ର ଏସବୁ ସହ କିଛି ଭିନ୍ନତାର ସ୍ୱର । ତେଣୁ “ନିଃସହାୟ ମଣିଷର ମର୍ମାନ୍ତିକ ଭାଷା” ଓ “ମାଟିର ମର୍ମଦାହ” ସହ ସେବୁକୁ ଟପି କିଛି ଆଶାର ସନ୍ଧାନ ଓ ଫଲ୍‍ଗୁ ପରି ଝରିଯାଏ ।

 

ଏହି ଆଶାର ସମ୍ଭାବନା ଗୁରୁପ୍ରସାଦଙ୍କ କବିତାକୁ ଆଚ୍ଛନ୍ନ କରି ରଖିଛି । ପ୍ରଥମ ପର୍ଯ୍ୟାୟରେ ମ୍ଲାନ, ଜୀର୍ଣ୍ଣ ଓ ବିକୃତିର ଜଗତର ସୂଚନା ମିଳିଥାଏ । ଏ ଜଗତ ତିଷ୍ଠି ରହେ ଯେତେବେଳେ ‘ଭୟ ଆଉ ପାପ ମିଶି ଏ ସମୟ ଅନ୍ତସତ୍ତ୍ୱା ।’ କବି ଏପରି ଜଗତରେ ‘ଅଭିଶପ୍ତ ମଣିଷର ପାପ ଆଉ ଭୟର ପ୍ରେତାତ୍ମାକୁ ଦେଖିଛନ୍ତି । ମାତ୍ର ଏପରି ଜୀବନ ‘ ଭଗ୍ନାଂଶ କେବଳ’ । ଏହା ବାହାରେ କିଛି ଅଛି । ଏହାର ସନ୍ଧାନ କବିଙ୍କର ଚେତନାକୁ ଆଚ୍ଛାଦିତ କରିଅଛି । କବିତା ‘ହରେକୃଷ୍ଣ ଦାସ’ ଏହି ଚେତନାର ବିବର୍ତ୍ତିତ ରୂପ । ଚାରୋଟି ବିଭାଗରେ ଏ କବିତା ସମୟର ପରିବର୍ତ୍ତନ ସହ ମଣିଷ ଚେତନାର ରୂପାନ୍ତରର ବର୍ଣ୍ଣନା । ପ୍ରଥମ ଦୁଇଟି ବିଭାଗରେ ହରେକୃଷ୍ଣ ଦାସର ଚେତନା କିପରି ଶେଷ ଦୁଇଟି ବିଭାଗରେ ବଦଳି ଯାଇଛି । ସମୟ ସହ ବାହ୍ୟ ଜଗତ ବଦଳିଯାଇଛି । ବଦଳି ବି ଯାଇଛି ଜୀବନଧାରା ଓ ମୂଲ୍ୟବୋଧ । ପ୍ରଥମର ଯାନ୍ତ୍ରିକତା ପରେ ହରେକୃଷ୍ଣର ଜୀବନରେ ଆସିଛି ପ୍ରଶ୍ନବାଚୀ, ନିଜକୁ ଜାଣିବାର ଇଚ୍ଛା- “ହରେକୃଷ୍ଣ ଦାସ୍ ଆଜି ସି.ଆର.ପି. ଛକରେ ଦେଖେ / ଆକାଶରେ ଅଗଣିତ ତାରା / ଅଗଣିତ ପ୍ରଶ୍ନବାଚୀ ଅସଂଖ୍ୟ ସପ୍ତର୍ଷି ପରି / ଆଜିର ଏ ଶତାବ୍ଦୀର ନଷ୍ଟ ଦେହ ଶେଷ ଦଶକରେ ।” ଏ ପ୍ରଶ୍ନବାଚୀ ଭିତରେ ଶୁଭେ ‘‘ସମୟର ଇସ୍ତାହାର” ପୁଣି ସମୟର ‘ସ୍ତବ୍ଧ ପ୍ରହେଳିକା’ ମାତ୍ର ଏସବୁ ବାହାରେ ଆଉ ଏକ ପ୍ରଶ୍ନ ନିଜ ଭିତରେ ଗୁମୁରି ଉଠେ ‘ଆତ୍ମ ପ୍ରତିଷ୍ଠା’ ସମ୍ପର୍କରେ । ‘ମୃତ୍ୟୁର ଅମୃତ ସମ୍ପର୍କରେ’ ।

 

ତେଣୁ ‘କ୍ଷୟ' ଓ ‘ଭୟ’ର କବିତା ଭିତରେ ଏକ ନୂଆ ଆତ୍ମବୋଧର ସୂଚନା । ଏ ଆତ୍ମବୋଧ ଗୋବର ଗଣେଶର ଦ୍ୱିଧା ଅବା ଅପୂର୍ଣ୍ଣତାର ଚେତନା ନୁହେଁ । ଏହା ଆତ୍ମସ୍ଥିତି, ‘ଆତ୍ମ ପ୍ରତିଷ୍ଠା’ର ଉତ୍ସ ଖୋଜିବା । ସାମ୍ପ୍ରତିକ ନରକରୁ ମୁକ୍ତିର ପ୍ରଚେଷ୍ଟା କରିବା । ଏହି ନିହିତ ମଣିଷର ସବୁ ସମ୍ଭାବନାର ରହସ୍ୟ । ସେ ରହସ୍ୟର ମୂଳରେ ଆଶା, ବିଶ୍ୱାସ । ଆଜିର ଏ ଦ୍ୱିଧା ଭୟ ଆଶଙ୍କାର ଖବରକୁ ଡେଇଁ / ତା’ ସତ୍ତାକୁ ଆଜି ଯାଉ ଗର୍ଭଗୃହ ସମାଧିର ଅନ୍ଧାରରୁ / କରୁଣା ଓ ବିଶ୍ୱାସର ଦୁଇଟି ଜୁଳନ୍ତ ଆକ୍ଷି... / ଆମର ଏ ସମୟର ଏକମାତ୍ର ସାନ୍ତ୍ୱନା / ଓ ଏକମାତ୍ର ନିର୍ଭୟ ଆଶ୍ରୟ / ଆର ଶତାବ୍ଦୀକୁ ।’’ ଏପରି ଧାଡ଼ିରେ ସାନ୍ତ୍ୱନା ଅଛି, ଆଶ୍ରୟ ଅଛି । ବିଶ୍ଵାସର ଅବଲମ୍ବନ ଅଛି । ବର୍ତ୍ତମାନର ବର୍ତ୍ତମାନତାର କୁଣ୍ଡଳିନୀ ଭିତରୁ ସମୟ ଅର୍ଥମୟ ହୋଇ ଉଠୁଛି । ‘ଭବିଷ୍ୟତ ବିହୀନ ଅତୀତ’ର ସମୟ ଭିତରେ ସମ୍ଭାବନାର ସିନ୍ଦୁରା ଫାଟୁଚି । ଭବିଷ୍ୟତ ପାଇଁ ବର୍ତ୍ତମାନକୁ ସହିଯିବାକୁ ସାମର୍ଥ୍ୟ ଆସିଛି । ବସ୍ତୁ ଆଉ ଦେହ ସର୍ବସ୍ୱ ମଣିଷ ଭିତରେ ଏବେ ବି ମନ ଆଉ ହୃଦୟ ହଜିଯାଇ ନାହିଁ । ଉଦାସୀନତା ଓ ଯାନ୍ତ୍ରିକତା ପରିବର୍ତ୍ତେ ଅନୁଶୋଚନାରେ ଦଗ୍ଧ ଲୁହ ବୁନ୍ଦାଏ ଆଖିରେ ରହିଛି । ‘‘ଜେଲଖାନା ପାଚେରୀରେ ଆଉଜାଇ ପିଠି ମୋର ଚାପିରଖି ରୁମାଲ୍ ଆଖିରେ / ମୁଁ କାନ୍ଦିଲି ଯେତେବେଳେ ପିତୃମାତୃ ବନ୍ଧୁହାନୀ ଆୟୁ କ୍ଷୟ ବଂଶ କ୍ଷୟ / ଦେଶବାସୀ କ୍ଷୟ ପୁଣି ଧନଜନ ଲକ୍ଷ୍ମୀ କ୍ଷୟ ଧର୍ମ ପୁଣି ଗୋବ୍ରାହ୍ମଣ କ୍ଷୟ । ମୁଁ କାନ୍ଦିଲି ଯେତେବେଳେ ସମୟର ଶବ୍ଦ ବାରି / ଜରା ମୃତ୍ୟୁ ବ୍ୟାଧି ପୁଣି ବ୍ୟାଧ ଆଉ ଘାତକର ଭୟ ।’’ ଏହି ଚେତନା ଗୁରୁପ୍ରସାଦଙ୍କର ନିଜସ୍ୱ । ତାଙ୍କ କବିତା କେବଳ ସମୟର ବିବରଣୀ ଅବା ଇସ୍ତାହାର ନୁହେଁ, ଏଥିରେ ଅହଂର ଆଶା ଓ ଭରସା ନିଜ ଉପରେ ବିଶ୍ୱାସ । ଏହି ବିଶ୍ୱାସ ଆଧ୍ୟାତ୍ମିକ । କାରଣ ଜୀବନକୁ ସାମ୍ନା କରିବାର ଭରସା ଏଥିରେ ନିହିତ । ତଥାପି ଏ ଯାତ୍ରା ମୋର ଶୁଭ ହେଉ ପୂର୍ଣ୍ଣ ହେଉ ତୁମର କ୍ଷମାରେ / ଦେହର ସୀମାନ୍ତ ଡେଇଁ, ପାରି ହୋଇ କାରୁଣ୍ୟ ଓ ତୁମର ସଂହାର ।” ଏ ସୃଷ୍ଟିର ସବୁ ବିରୋଧାଭାଷ ସତ୍ତ୍ୱେ, ଈଶ୍ଵରଙ୍କର ସବୁ ରହସ୍ୟ ଭିତରେ ମଧ୍ୟ ଛପି ରହିଛି ଏକ ସମ୍ଭାବନା । ଏହି ସମ୍ଭାବନା ପାଇଁ ହିଁ ଏ ‘ଯାତ୍ରା’, ବଞ୍ଚିବାର ସୂକ୍ଷ୍ମତା । ଦେହର ‘ସୀମାନ୍ତ’କୁ ଡେଇଁ ଯିବା ଓ ପାରି' ହୋଇଯିବା । ‘ଗୋବର ଗଣେଶ’ର ‘ତଥାପି’ ଏବଂ ଅକ୍ରୂରର ‘ତଥାପି’ ଭିତରେ କେତେ ପାର୍ଥକ୍ୟ । ସେଠାରେ ଅପୂର୍ଣ୍ଣତା, ସମ୍ଭାବନାହୀନତା, ଉଦାସୀନତା ମାତ୍ର ଏଠାରେ ‘ସମ୍ଭାବନାର’ ସୂଚନା । ଏହି ସମ୍ଭାବନା ହିଁ ମୁକ୍ତି । ଏ ମୁକ୍ତି ଦେହରୁ । ସବୁ ପାର୍ଥିବତାରୁ । “ମହାପ୍ରଭୁ ମୁକ୍ତି ଦିଅ - ଏ ଯାତ୍ରା ଶୁଭ ହେଉ ତୁମର ଦୟାରୁ / ଏହି ଯାତ୍ରା ହେଉ ମୋର ଶେଷ ଯାତ୍ରା ଏ ଦେହରୁ / ତୁମର ସଂହାର ଡେଇଁ / ବହୁତ ବହୁତ କ୍ଲାନ୍ତି, ପୁନରକ୍ତି ଏ ଆତ୍ମାର / ଆଉ ତୁମ ଦୟା କ୍ଷମା କରୁଣାର ସମୁଦ୍ର କୂଳରୁ ।’’

 

ତେଣୁ ଗୁରୁପ୍ରସାଦଙ୍କ କବିତାର ଯାତ୍ରା ଦେହରୁ ଅଦେହ ଆଡ଼କୁ । ସମୟରୁ ସମୟହୀନତା ଆଡ଼କୁ “ମୁଁ ଯଦି ତୁମକୁ ପାଏ ପାରିହୋଇ ମନ ଆଉ ଦେହ / ପାରିହୋଇ ଯା’ନ୍ତି ଯେତେ ସମୟର ସୀମା ଓ ସନ୍ଦେହ ।” ଇଏ ଅନ୍ୟ ଏକପ୍ରକାର ଭଲପାଇବା, ଜୀବନକୁ ଭିନ୍ନ ଭାବରେ ଦେଖିବା । ଏ ଦେଖିବାରେ ବାଲିଚର, ପଚାସଢ଼ା ପରିବା ଚୋପା ନାହିଁ, ଅଛି ଏପରି ଏକ ଅବବୋଧ ଯେଉଁଠି - “ଏହି ଭଲପାଇବାର ଦେହ ଧରି ଏ ପୃଥବୀ ହୁଏତ ବା ଏତେ ରୂପବତୀ” । ଏହି ପୃଥିବୀର ନାଲି ମାଟିର ରାସ୍ତା ସେହି ମୁକ୍ତି ଓ ସମ୍ଭାବନାର ରାସ୍ତା । “ଏ ନାଲିମାଟିର ରାସ୍ତା କେତେଦୂର ଯାଏ କେତେଦୂର ?" କବି ଜାଣନ୍ତି ‘ଫାଟକ ସେପଟର ରାସ୍ତା’ ସବୁଦିନ ଫାଟକ ସେପଟେ । ତଥାପି ସେ ରାସ୍ତାର ଆକର୍ଷଣ ଓ ସମ୍ଭାବନାଟାହିଁ ସତ୍ୟ । ‘‘ତା’ଦେହର ରଙ୍ଗ ଧରି ପୁଣି କେବେ ଫେରିବ ଫାଲ୍‌ଗୁନ / ତା' ମନର କୃଷ୍ଣଚୂଡ଼ା ତା ନିଃଶ୍ଵାସ ରାଧା ତମାଳର / ମହକ ଓ ରଙ୍ଗ ଧରି ମୋ’ ପାଇଁ ପୃଥିବୀ ହେବ / ବିଶ୍ରାମର ନୀରବ ମୁହୂର୍ତ୍ତ । ତା’ ବେଣୀର ଅନ୍ଧାରରେ ସମୟର ଦୁର୍ନିବାର ଗତି / ମୁହୂର୍ତ୍ତକ ସ୍ଥିର ହେବ / ମୋର କ୍ଲାନ୍ତ ଚେତନାରୁ ନିଭିଯିବ ନିଭିଯିବ କାଳ ଓ ଅତୀତ ।” ‘କ୍ଲାନ୍ତ ଚେତନା’ ହୋଇଯିବ ଅତୀତ । ଅତୀତ ହୋଇଯିବ କାଳହୀନ । ଛାଇଯିବ “ବିଶ୍ରାମର ନୀରବ ମୁହୂର୍ତ୍ତ ।” ଏହା ହିଁ ମୁକ୍ତି, ଶାନ୍ତି, ଦେହର ଅଦେହ ।

 

ଗୁରୁପ୍ରସାଦଙ୍କ କାଳବୋଧ ଓ ଏହି କାଳବୋଧ ସହ ଜଡ଼ିତ ଜୀବନବୋଧର ଭିନ୍ନତା ଏକ ଉଦାର ବ୍ୟାପକତାର ସୂଚନା ଦିଏ । ତାଙ୍କର ଜୀବନବୋଧ ବର୍ତ୍ତମାନତାର ଅମୁହାଁ ଦେଉଳ ଭିତରେ ରୁନ୍ଧା ବଞ୍ଚିବାର ଶୂନ୍ୟତା ବୋଧ ନୁହେଁ; ବଞ୍ଚିବାର ଡହଳ ବିକଳ ଭିତରେ ଜୀବନର ସତ୍ୟକୁ ବୁଝିବା । ଜୀବନକୁ ଅର୍ଥମୟ କରିବା । ଆଜିର ମଣିଷର ଫମ୍ପାପଣ ସହ ତା’ ଭିତରେ ଲୁଚି ରହିଥିବା ସମ୍ଭାବନାର ସ୍ୱପ୍ନକୁ ତାଙ୍କ କବିତା ବାରମ୍ବାର ଖୋଜିଛି । ତେଣୁ ସାମ୍ପ୍ରତିକ କାଳର ମଣିଷ ‘କାଳପୁରୁଷ’ ଆରମ୍ଭ କରିଛି ତାର ‘ଆଶ୍ଚର୍ଯ୍ୟ ଅଭିସାର’ । ତାଙ୍କ ଭାଷାରେ – “ମୁଁ ଫେରିଚି ଯେତେଥର ନାଚଗୀତ ଆସରରୁ । ମୂର୍ଚ୍ଛନାର ମୃତ୍ୟୁ ପରେ ଏ ରାସ୍ତାର ଅସ୍ଥି କଙ୍କାଳକୁ / ଚାଲିବାର କ୍ଲାନ୍ତି ମୋର ସାମ୍ନାର ସମୟ ଡେଇଁ / ଜମିଯାଏ ଦୂରକୁ ଦୂରକୁ / ଅନ୍ତହୀନ ଗତି ଧରି ଏ ପୃଥିବୀ ଯେବେ ଦିଶେ / ଦିଗହୀନ ଧୂସର ପାଣ୍ଡୁର / ସେତେବେଳେ ତା ସ୍ମୃତିରୁ ଦିଗନ୍ତରେ ବିଷ ଗୋଧୂଳି / ମୋ’ ପାଇଁ ଫେରାଇ ଆଣେ ତା’ ସତ୍ତାର କୁହୁକରୁ / ମୋ’ କ୍ଲାନ୍ତ ସତ୍ତାରେ ପୁଣି ଫାଲଗୁନର ଫୁଲର ମୂର୍ଚ୍ଛନା ।” ଏହି ‘ଫାଲ୍‌ଗୁନର ଫୁଲ ମୂର୍ଚ୍ଛନା’ କେବଳ ‘ସ୍ମୃତି’ ନୁହେଁ, ସମ୍ଭାବନା ମଧ୍ୟ । ଏହି ସମ୍ଭାବନା ପାଇଁ ଏଥିରେ ଅଛି କୁହୁକ । ଚାଲିବାର କ୍ଲାନ୍ତି ଖାଲି ସାମ୍ନାର ସମୟକୁ ଡେଇଁ ଆଗକୁ ଚରିଯାଏ ନାହିଁ, ସେ ସମୟକୁ ଡେଇଁବାର ଓ କ୍ଲାନ୍ତିକୁ ଭୁଲିବାର ଆଶାଟିଏ ମଧ୍ୟ ଗୁଞ୍ଜରି ଉଠେ । ଏଇ ଆଶା ବଞ୍ଚିବାର ହତାଶା ଭିତରେ ତଥାପି ବଞ୍ଚି ରହିଛି । “ତୋ’ ଡେଣାରେ ଫେରିବାର କ୍ଲାନ୍ତି ଛଡ଼ା ଅନ୍ୟ କିଛି ନାହିଁ ।” ଏପରି ଚିନ୍ତା ଭିତରେ ଏହି ସମ୍ଭାବନା କବିଙ୍କୁ ଆଶାବାଦୀ କରେ । ଉଦାସୀନତା ପରିବର୍ତ୍ତେ ସେ ଜୀବନକୁ ପୁଣି ଭଲପାଆନ୍ତି, ତାର ସାମଗ୍ରିକତାକୁ ଗ୍ରହଣ କରିବାର ସ୍ୱପ୍ନ ଦେଖନ୍ତି । ପୂର୍ବର ‘ସନ୍ଦିହାନ’ ‘କ୍ଲାନ୍ତ ମନ ପରିବର୍ତ୍ତେ ଦେଖାଦିଏ “ ହସୁକ ମନ” । ଏ ବାଟରେ ଯିବା ପାଇଁ ଏ ମୋର ଉତ୍ସୁକ ମନ କାହା ଅପେକ୍ଷାରେ ?” ଏହି ପରିବର୍ତ୍ତନ ହେଉଛି ଆଶ୍ଚର୍ଯ୍ୟ ଅଭିସାରର ଆଶ୍ଚର୍ଯ୍ୟପଣ, ନୂଆ କଥା । ସେଥିପାଇଁ ‘‘ଏଠି ତ ମାଟିର ଭାଷା ଚୁପ୍ କେବେ ହୁଏ ନାହିଁ । ପୂର୍ବର ‘ଚେର’ର ଅନ୍ୱେଷା ଯେପରି ‘ମାଟି’ର ସନ୍ଧାନ ପାଇଛି । ତେଣୁ ବାଲିଚରର ପୃଥିବୀ ରୂପାନ୍ତରିତ ହୋଇଛି – ‘‘ପୃଥିବୀ ସୁନ୍ଦର ଏଠି । ଦେହ ତ ନିର୍ଯ୍ୟାସ ତାର / ମନ ଏଠି ନୀଳ ନୀଳ ନିର୍ଜନ ଆକାଶ / ମୁଁ ଭଲପାଇଛି ତେଣୁ କେନାଲର କୂଳେ କୂଳେ / ଘାସ ଆଉ ଧାନକ୍ଷେତ, ମାଛରଙ୍ଗା ଶଙ୍ଖଚିଲ / ପାଣି ପଙ୍କ କଣ୍ଟାଫୁଲ । ଖଜୁରୀ ଡାଳର ଡାହି ଛୁଇଁ ଛୁଇଁ ଫେରୁଥବା / ପବନର ଅନାସକ୍ତ ସ୍ନେହ ଓ ବିଶ୍ୱାସ ।

 

ଗୁରୁପ୍ରସାଦଙ୍କ କବିତାରେ ଏହି ଆଶା ଓ ଭଲପାଇବା ଦୃଷ୍ଟିରଙ୍ଗୀର ଏକ ନୂଆ ଦିଗନ୍ତ ଉନ୍ମୋଚନ କରେ । ଦେହ ‘ରୁଗ୍‍ଣ’ ‘ପଳିତ”, କ୍ଷୟର ସୂଚକ ନ ହୋଇ ‘ସୁନ୍ଦର’ ଓ ପୂର୍ଣ୍ଣତାର ପ୍ରତୀକ ହୋଇଉଠେ । ବାଲୁଚରର ପୃଥିବୀ ହୋଇଉଠେ ‘‘ପୃଥିବୀ ସୁନ୍ଦର ଏଠି” ।

 

ପୁନାମା ଗେଟ୍, ଏରୋଡ୍ରମ ଏରିଆ, ଭୁବନେଶ୍ୱର

 

***

 

ଗୁରୁପ୍ରସାଦଙ୍କ କବିତାର ପ୍ରାରମ୍ଭ ପ୍ରସ୍ଥ (୧୯୩୯-୧୯୪୦)

ପ୍ରଫେସର ନିତ୍ୟାନନ୍ଦ ଶତପଥୀ

 

ପ୍ରଥମ ପୃଥବୀ ମହାଯୁଦ୍ଧ (୧୯୧୪-୧୯୧୮) ତଥା ଭାରତୀୟ ସ୍ଵାଧୀନତା ସଂଗ୍ରାମର ପ୍ରଥମ ଅହିଂସ ଓ ଅସହଯୋଗ ଆନ୍ଦୋଳନ ପରେ ପରେ ସବୁଜ ଗୋଷ୍ଠୀର କବିମାନେ ଯେଉଁପରି ପ୍ରବହମାନ ସମୟ ପ୍ରତି ସମ୍ପୂର୍ଣ୍ଣ ଅସଚେତନ ରହି ରୋମାଣ୍ଟିକ୍ କବିତା ରଚନାରେ ମଗ୍ନ ଥିଲେ ଦ୍ୱିତୀୟ ପୃଥିବୀ ମହାଯୁଦ୍ଧ (୧୯୩୯-୪୫) କାଳରେ ଅନୁରୂପ ଭାବେ କବି ଗୁରୁପ୍ରସାଦ ମହାନ୍ତି ତାଙ୍କ ଛାତ୍ର ଜୀବନରେ ୧୯୪୨ ମସିହାର ଭାରତଛାଡ଼ ବିପ୍ଳବ କିମ୍ବା ମହାଯୁଦ୍ଧ-ଏସବୁ ଗୁରୁତ୍ୱପୂର୍ଣ୍ଣ ବିଷୟ ପ୍ରତି ଉଦାସୀନ ରହି କିଛି କିଛି କବିତା ରଚନା କରିଥିଲେ । ଏସବୁ କବିତାରେ ସବୁଜର ପ୍ରଭାବ ଅତି ସ୍ପଷ୍ଟଭାବେ ବାରି ହୋଇ ପଡ଼ୁଥିଲା । ଏହି ସମୟରେ ‘ସହକାର’ ଓ ‘ଉତ୍କଳ ସାହିତ୍ୟ’ରେ ପ୍ରକାଶିତ ତାଙ୍କ କବିତାର ସ୍ଵରରେ ତେଣୁ କୌଣସି ନୂତନ ପ୍ରତିଶ୍ରୁତି ମିଳେ ନାହିଁ । ତାଙ୍କର ପ୍ରଥମ ପ୍ରକାଶିତ କବିତା ‘ଲତା’ (ସହକାର’ ୨୦ ବର୍ଷ /୧ ମ ସଂଖ୍ୟା, ମେ ୧୯୩୯)ର ଭାବପକ୍ଷରୁ ଲକ୍ଷ୍ୟ କରନ୍ତୁ ।

 

ସକାଳୁ ସକାଳୁ ନଈରେ ଗାଧୋଇ ଓଦାଲୁଗା ପିନ୍ଧି ଫେରୁଥିବା କୌଣସି ଚହଟ ଗୋରୀ ସେ କାହାର କୁଳବଧୂ ବା ଅବିବାହିତା ଝିଅଟିଏ- ଜାଣିହୁଏନି । କିଆବଣ ଧାରେ ଧାରେ ଫିଟିଥିବା ବାଟରେ ସେ ଫେରୁଥାଏ । ଏଇପରି ପରିବେଶରେ ତା’ ସହିତ କବିଙ୍କର ସାକ୍ଷାତ ଅତ୍ୟନ୍ତ ଆକସ୍ମିକ ନିଶ୍ଚୟ । ଏହି ପରିବେଶକୁ ପୁନଶ୍ଚ ପରିପୃକ୍ତ କରିବାକୁ ପ୍ରଚ୍ଛଦରେ ରହିଛି ନଈ ଆରପାରି ଆକାଶରେ ଇଷତ୍ କଳା ଓ ଲାଲମେଘ । ତା’ ଚାରିପାଖେ ଅସ୍ତମାନ ମଳିନ ଚନ୍ଦ୍ରର ଶେଷସ୍ମୃତି ବେଶ୍ ବାରିହେଉଥାଏ । ଚୈତ୍ରମାସ; ତେଣୁ ଧୀର ପବନ ଦେହକୁ ଉଲ୍ଲସିତ କରିବା ସ୍ଵାଭାବିକ । କିଆବଣ ରାସ୍ତା କଡ଼େ କଡ଼େ ପୁଟିଲା ଗେଙ୍ଗୁଟି ଫୁଲର ମହକ । ଅତି ନିର୍ଜନ ଏଇ ପରିବେଶରେ ଓଢ଼ଣାର ଉଢ଼ାଳରୁ ଦୁଇଟି ଆଖି ସହିତ କବିଙ୍କର ପ୍ରଥମ ଭେଟାଭେଟି ବେଶ୍ ରୋମାଣ୍ଟିକ୍ ନୁହେଁ କି-? ସେହିପରି ଆଉ ଏକ କବିତାର କେତୋଟି ପଙ୍‌କ୍ତି-

 

“ସେଦିନ ଏମିତି କଳା ବଉଦର ଫାଙ୍କେ

ଝରି ପଡ଼ୁଥିଲା ଜୋଛନାରାଣୀର ହସ

କିଆବଣ କୋଳୁ ଭାସି ଆସୁଥିଲା

କିଆକୁସୁମର ବାସ ।’’

(ସେଦିନ-ସହକାର’ ୨୦ ବର୍ଷ ୨ୟ ସଂଖ୍ୟା ।)

 

ଏଇ ସମୟରେ ରଚିତ ଆଉ ଗୋଟିଏ କବିତା ‘ଅପରାଜିତା’ର ଭାବପ୍ରସୁ ଏଇ ରୋମାଣ୍ଟିକ୍ ଦୃଷ୍ଟିବଳୟ ମଧ୍ୟରେ ହିଁ ସୀମାବଦ୍ଧ । କବିତାର କେତୋଟି ପଙ୍‍କ୍ତି ପାଠମାତ୍ରେ ହିଁ ଏହି ଦୃଷ୍ଟିଭଙ୍ଗୀ ସ୍ପଷ୍ଟ ହୋଇଯିବ-

 

‘‘ତୁମରି ଆଖିକୋଣେ ଲୁହ ଯେ ଆସେ ଭରି

ଅପରାଜିତା ସେ ଗୋ ଶିଶିର ଟୋପା ସରି

ରକତ ଓଠକୋଣେ ସେ ଦରିହାସ ଉଠେ

ହେମନ୍ତ ପାହାନ୍ତିରେ ଗୋଲାପି ସେ କି ଫୁଟେ ।’’

(‘ଅପରାଜିତା’-ସହକାର ୨୦ ଭାଗ /୭ମ ସଂ/ନଭେମ୍ବର ୧୯୩୯)

 

ପୁଣି ଏଇବର୍ଷ ସହକାରର ୩ୟ ସଂଖ୍ୟାରେ ଅର୍ଥାତ୍ ଜୁନ୍ ୧୯୩୯ରେ ରଚିତ ‘ସପନତରୀ’ କବିତାଟି ଏତେ ପଳାୟନପନ୍ଥୀ ଓ ବୟବିୟ । ଯେ ସବୁଜ କବି ଅନ୍ନଦା ଶଙ୍କରଙ୍କ ବିଖ୍ୟାତ କବିତା ‘ସୃଜନସ୍ୱପ୍ନ’ ( ୧୯୨୪ରେ ରଚିତ)ର କାବ୍ୟସ୍ୱର ଏଥିରେ ପ୍ରତିଧ୍ୱନିତ ହେଉଥିବା ମନେହେବ ।

 

“ସପନତରୀରେ ଦୂରେଦୂରେ ସଖୀ ଆମେ ଦିହେଁ ଯିବା ବାହି

ପ୍ରଣୟ ପୁଲକେ ଜ୍ୟୋସ୍ନା ଆଲୋକ/ ସଙ୍ଗୀତ ଗାଇ ଗାଇ

ନଥିବ ସମାଜ, ଲୋକ ଅପବାଦ, ନଥିବ ସରମ ଭୟ

ରାଷ୍ଟ୍ର ଧରମ ନିୟମର ସାଥେ ନାହିଁଥିବ ପରିଚୟ ।’’

(ସପନରୀ ଗୁରୁପ୍ରସାଦ)

“ଯିବ ପଳାଇ ଦୂରେ ସୁଦୂରେ ସପନଲୋକ ଗୋପନ ପୁରେ

ଗ୍ରହତାରକା ଏଡ଼ାଇ

ଯୌବନର ଝରଣାକୂଳେ ମଳୟ ଯହିଁ ନିୟତ ବୁଲେ

କୁସୁମ କେତୁ ଉଡ଼ାଇ ।”

(ସୃଜନସ୍ୱପ୍ନ- ଅନ୍ନଦାଶଙ୍କର)

 

ଏପରି ଏକ ରାଜ୍ୟ ପୃଥିବୀରେ ସୁଲଭ ହେବକି ? ଅଥଚ ଏ କବିତା ଦୁଇଟି ପ୍ରାୟ ୧୫ ବର୍ଷର ବ୍ୟବଧାନରେ ରଚିତ । ଏତେବେଳକୁ ସବୁଜର ପଳୟନବାଦୀ କାବ୍ୟସ୍ୱର ବିରୁଦ୍ଧରେ ପ୍ରଗତିଶୀଳ କବି ସଚ୍ଚି ରାଉତରାୟ ସ୍ୱର ଉତ୍ତୋଳନ କଲେଣି ଓ ସବୁଜମାନେ ନବଯୁଗ ସାହିତ୍ୟ ସଂସଦ ପ୍ରଭାବରେ ସେମାନଙ୍କର ଅତୀତ ବିଧୁର ପଳାୟନବାଦୀ କାବ୍ୟସ୍ୱର ପରିବର୍ତ୍ତନ କରି ପ୍ରଗତିବାଦୀ ଚେତନା ଦ୍ୱାରା ଉଦ୍‌ବୁଦ୍ଧ ହେଲେଣି । ଅଥଚ ଏ ସମୟରେ ଗୁରୁବାବୁ ସେସବୁ କାବ୍ୟ ଜିଜ୍ଞାସା ଓ ଆନ୍ଦୋଳନ ପ୍ରତି ସମ୍ପୂର୍ଣ୍ଣ ଅସଚେତନ ଥିବା ମନେହୁଅନ୍ତି । ଏପରିକି ତାଙ୍କ ସ୍ଵରରେ କେଉଁଠି ସ୍ୱାଧୀନତା ସଂଗ୍ରାମର ଆଭାସ ମଧ୍ୟ ଶୁଣାଯାଉନଥିବା ଏକାନ୍ତ ବିସ୍ମୟର କଥା । କେବଳ ଭଲ ପାଇବା ଓ ପ୍ରେମ ମଧ୍ୟରେ ଜୀବନ ବିତିଯିବ, ସେଠାରେ ପୃଥିବୀର ଅନ୍ୟ କୌଣସି ସମସ୍ୟାର ଜଞ୍ଜାଳ ନଥିବ ଏପରି ସ୍ଥାନ କେଉଁଠି ମିଳିବ ? ପ୍ରତ୍ୟେକ ରୋମାଣ୍ଟିକ୍ କବି ଏହିପରି ଏକ ବାସନା ଦ୍ୱାରା ଉଲ୍ଲୋଳିତ ହୋଇଥିବା ସବୁଜ ଓ ତାର ସମସାମୟିକ କବିତାରୁ ଦେଖିବାକୁ ମିଳେ । ଏଠି ଗଭୀର ମାର୍ମିକ ଆଲୋଡ଼ନ ବା ଜୀବନ ଦର୍ଶନର କୌଣସି ଚିହ୍ନନାହିଁ । ଅଛି ତାରୁଣ୍ୟ ସୁଲଭ ଉଚ୍ଛ୍ୱାସ ଓ ଆତ୍ମଲୀନତା । ଏ ଆତ୍ମମଗ୍ନତା ତେଣୁ ପରିସ୍ଥିତିର ବ୍ୟଞ୍ଜନାରେ ଶାଣିତ ନୁହେଁ, କିମ୍ବା କୌଣସି ନୂତନ କାବ୍ୟସ୍ୱରର ପ୍ରବର୍ତ୍ତକ ମଧ୍ୟ ନୁହେଁ । କେବଳ ଆବେଗ ପ୍ରବଣତା ଓ ଅନୁଗାମିତା ଏହାର ପ୍ରାରମ୍ଭିକ ପରିଚୟ । ଗଙ୍ଗାଧର ଓ ରାଧାନାଥଙ୍କ କବିତାର ରୂପପ୍ରାଣତା ପ୍ରତି ଅବଶ୍ୟ ଗୁରୁ ପ୍ରସାଦଙ୍କ ଆଜା କାବ୍ୟସ୍ୱରରେ ରହିଛି କିଛିଟା ମୋହ । ସେଥିପାଇଁ ପଙ୍କଜକୁ ବା ଶରତକୁ ବା ଜ୍ୟୋସ୍ନାକୁ ‘ରାଣୀ’ ରୂପେ ସମ୍ବୋଧନ କରିବାରେ ତାଙ୍କର କୁଣ୍ଠା ନାହିଁ ।

 

ସୂର୍ଯ୍ୟଙ୍କ ଅସ୍ତରେଖାରେ ମୁଦ୍ରିତ ପଦ୍ମିନୀର ପାରମ୍ପରିକ ବ୍ୟଥା ବର୍ଣ୍ଣନାରେ କୌଣସି ସଙ୍କୋଚ ମଧ୍ୟ ନାହିଁ ।

“ପଙ୍କଜରାଣି, ଓଢ଼ଣାଟି ତବ ଟାଣନା

ରାତିରେ ଯେ ଆସିନି ସେକଥା କି ତୁମେ ଜାଣନା । ?’’

(‘ଅସ୍ତରାଗ’ ସହକାର ୨୦ ବର୍ଷ / ୫ମ ସଂ, ସେପ୍ଟେମ୍ବର ୧୯୩୯)

 

ଗୁରୁପ୍ରସାଦଙ୍କ ରଚିତ ଏଇ ପ୍ରାରମ୍ଭିକ କବିତା କେତୋଟିରେ ପ୍ରକୃତିର ଇନ୍ଦ୍ରିୟାଚ୍ଛନ୍ନ ରୂପ (sensuous picture) ସହିତ କବିପ୍ରାଣର ବିଭୋର ଭାବାବେଗର ସମନ୍ୱୟ ଘଟିଛି । ଏଇ କାବ୍ୟଭାବନାରେ ସେ ଏତେ ଆସକ୍ତ ଯେ ତାଙ୍କ କବିତାରେ ସବୁଜର ଶବ୍ଦପୁଞ୍ଜ ଓ ଭାବବିଳାସର ଅବିକଳ ରୂପ ଠିଆହୁଏ । ଏସବୁ କବିତାରେ ଓଢ଼ଣା, ରଙ୍ଗମେଘ, ଜହ୍ନ, ଚଇତିପବନ, କିଆବଣ, ରୂପେଲିଛାତି, ଲାଜକୁଳୀ ଲତା, ଜୋଚ୍ଛନା ରାଣୀ, ପଙ୍କଜରାଣୀ, ଗୋଲାପବଧୂ, ତୃତୀୟ ଜହ୍ନ, ସଖୀ, ଶରତ ରାଣୀ, ସୁନେଲି ଆଲୋକ ଆଦିର ଅନୁଷଙ୍ଗ ପର୍ଯ୍ୟାପ୍ତ ପ୍ରକାଶ ପାଇଛି । ପୁଣି ସମୟ, ସମାଜ ଓ ଦେଶର ସମସ୍ୟାକୁ ଉପେକ୍ଷା କରି ସୁଦୂରର ଆକର୍ଷଣ ଅତି ପ୍ରାଞ୍ଜଳଭାବେ ପ୍ରକଟିତ ହେଉଛି ।

 

ଏଇ ୧୯୩୯ ମସିହା ଡିସେମ୍ବର ମାସରେ ପ୍ରକାଶିତ ‘ଅଲାଜୁକୀ’ ନାମକ ଗୋଟିଏ କବିତାରେ କୌଣସି ଗ୍ରାମ୍ୟ ବାଳିକାର ଏକ ରୋମାଣ୍ଟିକ ଅନୁଭବ ବାରିହୁଏ । ପାଣି ଆଣିବାକୁ ପାହାଡ଼ତଳ ନଈକୁ ଯାଇଥିବା ଝିଅଟି ମାଟି କଳସୀରେ ପାଣି ଭର୍ତ୍ତିକରି ନୀଳଜଳରାଶିରେ ସୁନେଲୀ ଖରାର ନାଚ ଦେଖି ଦେଖି ଆନମନା ହୋଇ ଉଠେ । ସ୍ୱାଭାବିକଭାବେ ଘରକୁ ଫେରିବାରେ ବିଳମ୍ବ ହୁଏ । ତେଣୁ ମାଆ ଓ ଭାଉଜଙ୍କଠାରୁ ଗାଳି ଶୁଣେ; ସବୁ ସହିଯାଏ ।

 

“ବଡ଼ ଭାଉଜଙ୍କ ପାଟି ଶୁଭେ ବାରି ଆର ପାଖରୁ

ଆହା ଅଲାଜୁକୀ, ଏତେ ବେଳ ପରେ ନଈରୁ ଫେରୁ

ଯେତେ ଗାଳିମନ୍ଦ ସବୁ ମଥାପୋତି ସହି ମୁଁ ଯାଏ

କଅଁଳ ଖରାରେ ପାଣିଖେଳ କଥା ବୁଝିବ କିଏ ।’’

(ଅଲାଜୁକୀ- ସହକାର ୨୦ ବ/ ୯ମ ସଂଖ୍ୟା ଡିସେମ୍ବର ୧୯୩୯)

 

ଏ କବିତାର ଗତି ନବରାଗବାଦୀ (romantic) ଚେତନାରୁ ଯେ ବାସ୍ତବବାଦ ଆଡ଼କୁ ଅଭିସାରିତ ଏକଥା ପାଠକମାତ୍ରେ ଅନୁଭବ କରିବେ । ମନେହୁଏ ଶ୍ରୀ ମହାନ୍ତି ଏଇ ବର୍ଷ ଶେଷ ଆଡ଼କୁ ନିଜ କାବ୍ୟଭାବନା ସମ୍ପର୍କରେ ସଚେତନ ହେବାକୁ ଆରମ୍ଭ କରନ୍ତି ଓ ତାହା ପରବର୍ତ୍ତୀ ବର୍ଷ ଅର୍ଥାତ୍ ୧୯୪୦ ଜାନୁୟାରୀରେ ରଚିତ ଏକ କବିତା (‘ସଜଳ ଆଖି ନୀରେ’)ରେ କିଞ୍ଚିତ୍ ପ୍ରତିଫଳିତ ହୁଏ ।

 

“କବିତା କାହିଁ ସତେ ? ଜୀବନ ମରୁପଥେ/ ସକଳ କଳପନା କୁହୁକମାୟା ଖାଲି XXX କବିତା କାହିଁ ସତେ ଆହତ ପ୍ରାଣେ ତାର ସପନନୀଡ଼ ରଚି କି ଲାଭ ହେବ ତାର ?’’

(ଉତ୍କଳ ସାହିତ୍ୟ- ପୌଷ ୧୯୩୭, ଜାନୁୟାରୀ ୧୯୪୦)

 

ମନେହୁଏ ତରୁଣ କବି କୌଣସି ମାନସିକ ଦ୍ୱନ୍ଦ୍ୱର ଶରବ୍ୟ ହୋଇ କାବ୍ୟସରଣୀ ପରିବର୍ତ୍ତନ ପାଇଁ ଅଭିଳାଷ ପ୍ରକାଶ କରିଛନ୍ତି । ଏହି ମାନସିକ ଦ୍ୱନ୍ଦ୍ୱ ପରେ ତାଙ୍କ କାବ୍ୟ ସାଧନା ଅତ୍ୟନ୍ତ ଖଣ୍ଡିତ- ପ୍ରାୟ କିଛିଦିନ ପାଇଁ ସମ୍ପୂର୍ଣ୍ଣ ନୀରବ ମଧ୍ୟ । ଏହି ନୀରବତାହିଁ । ତାଙ୍କ କବିତାରେ ପରବର୍ତ୍ତୀ ପଦକ୍ଷେପ ପାଇଁ ଏକ ମାନସିକ ପ୍ରସ୍ତୁତି ହୋଇପାରେ, କାରଣ ୧୯୪୦ ଠାରୁ ସ୍ୱାଧୀନତା ପର୍ଯ୍ୟନ୍ତ ତାଙ୍କ ସୃଷ୍ଟିର କୌଣସି ପରିଚୟ ସମସାମୟିକ ପତ୍ର ପତ୍ରିକାରେ ମିଳେ ନାହିଁ । ଏପରିକି କବିଙ୍କୁ ଏ ସମ୍ପର୍କରେ ସୂଚନା ଦେବାକୁ ଅନୁରୋଧ କଲେ ସେ ଏସବୁ କବିତାର ଜନ୍ମଜାତକକୁ ସମ୍ପୂର୍ଣ୍ଣ ଅସ୍ୱୀକାର କରନ୍ତେ । କାରଣ ସଚ୍ଚିବାବୁଙ୍କ ପରି ସେ ଆଦୌ ସଂଗ୍ରହଶୀଳ ନୁହନ୍ତି । ଏହି ପ୍ରାରମ୍ଭିକ କବିତା ଗୁଡ଼ିକର ମାନସିକତାକୁ ସେ ସମ୍ପୂର୍ଣ୍ଣ ପରିହାର କରି ସାରିଛନ୍ତି । ତେଣୁ କୌଣସି ଗୋଟିଏ କବିତା ମଧ୍ୟ ତାଙ୍କର ବୋଲି ସେ ଦାବୀ କରନ୍ତି ନାହିଁ । ବୋଧହୁଏ ଏଇ ସୁପ୍ତାବସ୍ଥା ଥିଲା ଏକ ଜୀର୍ଣ୍ଣ ଓ ଅଚଳ କାବ୍ୟ ନିର୍ଣ୍ଣାୟକକୁ ଫିଙ୍ଗି ଆଧୁନିକତାର ଏକ କାବ୍ୟଚେତନାକୁ ଆରୋହଣ କରିବାର ପ୍ରସ୍ତୁତି ପର୍ବ । ଏଇ ପର୍ଯ୍ୟାୟରେ ତେଣୁ ତାଙ୍କ କବିତାର ପୂର୍ବତନ ରୋମାଣ୍ଟିକ ସ୍ୱର ବିଭବ ଏକ ବାସ୍ତବବାଦୀ ଚେତନାକୁ କେନ୍ଦ୍ରକରି କ୍ରମେ ସଙ୍ଗଠିତ ହେବାକୁ ଆକାଙ୍‍କ୍ଷିତ ହୋଇ ଉଠିଛି । ସେଇ ପ୍ରେମ, ପ୍ରଣୟ ଓ ପ୍ରକୃତିର ଅନୁଭବକୁ ନେଇ କବିତା ରଚିତ ହେଉଛି; କିନ୍ତୁ ତାହା ପୂର୍ବପରି ଆବେଗପ୍ରବଣ ଉଚ୍ଛଳ ନୁହେଁ, ବରଂ ଧୂସର, ମଳିନ ଓ ଯୁକ୍ତିନିଷ୍ଠ । ଜୀବନ ପ୍ରତି ଏଣିକି କବିର ଦୃଷ୍ଟିଭଙ୍ଗୀ ହାଲୁକା କିମ୍ବା ସ୍ୱପ୍ନଭରା ନୁହେଁ, ବରଂ ମାର୍ମିକ ଓ ଆନ୍ତରିକ । ତେଣୁ ଜୀବନର ପ୍ରକୃତ ରୂପକୁ ଅନୁଭବ କରି ତାର କାବ୍ୟ ରୂପ ଦେବାର ନିଷ୍କପଟ ପ୍ରୟାସ ସ୍ଵାଧୀନତା ପରବର୍ତ୍ତୀ ପର୍ଯ୍ୟାୟର କବିତାକୁ ସ୍ୱାଭାବିକ ଭାବେ ଏକ ଭିନ୍ନ ମାନଚିତ୍ର ପ୍ରଦାନ କରିଛି- ଯେଉଁଠି ଆଉ ଢଳିଯିବା ବା ଢାଳିଦେବାର ମୋହ ନାହିଁ; ଅଛି ପରିପକ୍ୱ ଉପଲବ୍‌ଧି ଓ ଶାଣିତ କାବ୍ୟ ଦୃଷ୍ଟି । ଏହାର କାରଣ ସ୍ଵରୂପ କାବ୍ୟରଚନା କ୍ଷେତ୍ରରେ କବି ଜୀବନର ପ୍ରଥମ ଦୁର୍ବଳତା ବା ସମ୍ମୋହରୁ ମୁକ୍ତିକୁହିଁ ଚିହ୍ନିତ କରାଯାଇପାରେ । ଏ କାବ୍ୟମାନସ ଏଣିକି ଯୁଦ୍ଧ ପରବର୍ତ୍ତୀ ଜୀବନର ବିଷମ ସ୍ଥିତି ଉପରେ ଅଧିକ ନିର୍ଭରଶୀଳ । ତେଣୁ ଏଠାରେ ସ୍ଵପ୍ନ ଅପେକ୍ଷା ବାସ୍ତବତାର ଭିତ୍ତି ଯେ ଅଧିକ ଶକ୍ତିଶାଳୀ ଏଥିରେ ସନ୍ଦେହର ଅବକାଶ ନାହିଁ । ତାଙ୍କ କବିତାର ପ୍ରଥମ ସମାଲୋଚକ ଶ୍ରୀଯୁକ୍ତ ଯତୀନ୍ଦ୍ରମୋହନ ମହାନ୍ତି ୧୯୩୯-୪୦ରେ କବିଙ୍କ ରଚିତ ଏ କବିତାଗୁଡ଼ିକୁ ସ୍ୱାଭାବିକ ଉପେକ୍ଷା କରି ‘ନୂତନ କବିତା’ର ଭୂମିକାରେ ଯେଉଁ କାବ୍ୟ ସ୍ୱରକୁ ଚିହ୍ନିତ କରିବାରେ ପ୍ରୟାସୀ ହୋଇଛନ୍ତି ‘‘ସେ ସ୍ଵର ଆଉ ରୋମାଣ୍ଟିକ୍ କାବ୍ୟଧର୍ମୀ ନୁହେଁ । ଏଣିକି ତାଙ୍କ କବିତା ଗୁଡ଼ିକର ଅନ୍ତରାଳରୁ ମୋଟା ଫିଜିକାଲ କବିମାନଙ୍କ ସହିତ ବୋଦ୍‍ଲେୟାର ଓ ଏଲିଅଟଙ୍କୁ ମଧ୍ୟ ଦେଖିହୁଏ । ଜୀବନ ପ୍ରତି ଦୃଷ୍ଟିଭଙ୍ଗୀ ଏଠାରେ ରୋମାଣ୍ଟିକ୍ ନୁହେଁ, ବ୍ୟଙ୍ଗାତ୍ମକ । ଚେତନା ଖୁବ୍ ବିଚିତ୍ର ଓ ବ୍ୟାପକ । ପୁନଶ୍ଚ ଉପମା ଉପମେୟର ସଂକ୍ଷିପ୍ତ ପ୍ରୟୋଗ ଦ୍ୱାରା ପ୍ରକାଶଭଙ୍ଗୀ କଠିନ ଭାବେ ସୁନିୟନ୍ତ୍ରିତ ।’’ ଏମ୍.ଏ.ଶ୍ରେଣୀରେ ଇଂରେଜୀ ସାହିତ୍ୟର ଅଧ୍ୟୟନ ଯେ ଏ ପରିବର୍ତ୍ତନ ପାଇଁ ତ୍ୱରକ ଭାବେ କାର୍ଯ୍ୟ କରିଛି- ଏକଥା ନିଃସନ୍ଦେହରେ କୁହାଯାଇପାରେ । XXX

 

ଶୈଳଶ୍ରୀ ଡ୍ୟୁପ୍ଲେକ୍ସ, ଭୁବନେଶ୍ୱର

***

 

ଚେତନାର ଚୌଛକିରେ ଚିହ୍ନିତ ଚରିତ୍ର : ହରେକୃଷ୍ଣ ଦାସ

ସୁଧୀର ଚନ୍ଦ୍ର ବେହୁରା

 

ଓଡ଼ିଆ କବି ଗୁରୁପ୍ରସାଦ ମହାନ୍ତି (୧୯୨୪-୨୦୦୪) ଇଂରାଜୀ କବି ଥୋମାସ୍ ଷ୍ଟର୍ଣ୍‍ସ୍‍ ଇଲିଅଟ୍‍ଙ୍କ (୧୮୮୮-୧୯୬୫) ଅନୁକାରୀ ଭାବରେ ଖ୍ୟାତ । ତାଙ୍କ ରଚିତ ‘କାଳପୁରୁଷ' ଓ ‘ଗୋବର ଗଣେଶ’ ଆଦି କବିତାରେ ଯଥାକ୍ରମେ ‘The Waste Land’, ‘The Love Song of J. Alfred Prufork’ ଆଦିର ଭାବଧାରାର ପରିପ୍ରକାଶ ଘଟିଛି ସ୍ୱୀକାର କରିବା ସହିତ ଏହା କେବଳ ଅନୁକରଣ ନୁହେଁ ମୂଳରଚନାର ଅନୁସରଣରେ ସୃଷ୍ଟ ଏକ ଏକ ମୌଳିକ ରଚନା ବୋଲି ଗୃହୀତ । ଗୁରୁପ୍ରସାଦଙ୍କ କବିପ୍ରତିଭା ଏହି ଭାବ ଓ ଅଭିବ୍ୟକ୍ତିର ଅନୁସୃଜନ ମଧ୍ୟରେ ସୀମିତ ନୁହେଁ । ଉଲ୍ଲିଖିତ ରଚନାବଳୀ କବିଙ୍କୁ ଆଧୁନିକ କବିକୁଳର ଜଣେ ପ୍ରମୁଖ ପୁରୁଷ (Major poet) ୧ ଭାବରେ ପ୍ରତିଷ୍ଠିତ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛି ବୋଲି ଗୋଟିଏ ମତ ପ୍ରଚଳିତ ଅଛି । ଏହି ମତ ନିର୍ବିବାଦରେ ଗ୍ରହଣୀୟ ନୁହେଁ ।

 

ପ୍ରଥମତଃ ଇଲିଅଟ୍‍ଙ୍କ କଥା ବିଚାର କରାଯାଉ । ଆମେରିକାରେ ଜନ୍ମିତ ଏହି କବିଙ୍କୁ ଇଂଲଣ୍ଡରେ ଆପଣାର କାବ୍ୟପ୍ରତିଭାର ବିକାଶ ଓ ପ୍ରତିଷ୍ଠା ପର୍ବରେ କମ୍ ସଂଘର୍ଷର ସମ୍ମୁଖୀନ ହେବାକୁ ପଡ଼ି ନାହିଁ । ସେଥିପାଇଁ ତାଙ୍କର ବହୁମୁଖୀ ପ୍ରତିଭା ତାଙ୍କୁ ସାହାଯ୍ୟ କରିପାରି ନାହିଁ । ସେ ଥିଲେ ଏକାଧାରରେ କବି, ସମୀକ୍ଷକ, ନାଟ୍ୟକାର, ସାମ୍ବାଦିକ, ଶିକ୍ଷକ । କାବ୍ୟ-ନାଟିକା ଓ ସମାଲୋଚନା ସାହିତ୍ୟ ସାଧନା କ୍ଷେତ୍ର କାବ୍ୟକ୍ଷେତ୍ର ପରି ଫଳପ୍ରସୂ । ପାଶ୍ଚାତ୍ୟ ଜଗତର ବିଶ୍ଵଯୁଦ୍ଧ ପରବର୍ତ୍ତୀ ସାମାଜିକ ଜୀବନର ଅବକ୍ଷୟ, ଅଧୋଗତି, ଅନ୍ତଃସାରଶୂନ୍ୟତାର ସମର୍ଥ ରୂପକାର ହୋଇଥିବାରୁ ୧୯୪୮ ମସିହାର ‘ନୋବେଲ ପୁରସ୍କାର’ ପାଇ ମଧ୍ୟ ଇଂରାଜୀ ସାହିତ୍ୟର ଇତିହାସରେ ସେ ଜଣେ ‘ଗୌଣକବି’ (Minor Poet) ଭାବରେ ସ୍ଵୀକୃତ ହୋଇଛନ୍ତି । ୨ ଏଥିପାଇଁ ତାଙ୍କ କବିତାରେ ବିରଳ ବିଚକ୍ଷଣତା ଥିବାସ୍ଥଳେ, ତାଙ୍କ ଆବଶ୍ୟକ କବି ବ୍ୟକ୍ତିତ୍ୱର ଅଭାବ ଥିବାର ଅଭିଯୋଗ କରାଯାଏ । ଏପରି ସ୍ଥଳେ ଏହିଭଳି ଜଣେ କାବ୍ୟ-ସାଧକଙ୍କ ଅନୁକାରୀ ମାତ୍ର ହୋଇ ଗୁରୁପ୍ରସାଦ ଆମ ସାହିତ୍ୟରେ ‘ପ୍ରମୁଖ ପର୍ଯ୍ୟାୟରେ କିଭଳି ଅଧିଷ୍ଠିତ ହେଲେ ?

 

୧.

ଓଡ଼ିଆ ଆଧୁନିକ କବିତା କ୍ଷେତ୍ରରେ ରାଧାନାଥ ରାୟଙ୍କ ପରେ ଗୁରୁପ୍ରସାଦ ଦ୍ୱିତୀୟ ମୁଖ୍ୟକବି (Major Poet) - ଯତୀନ୍ଦ୍ର ମୋହନ ମହାନ୍ତି, ସୂର୍ଯ୍ୟସ୍ନାତ (୧୯୯୯), ପୃ ୧୨୯, ପ୍ରକାଶକ- ସୁବର୍ଣ୍ଣରେଖା, ଭୁବନେଶ୍ୱର)

୨.

Eliot remains a great minor poet and a major historical influence. - David Daiches, A Critical History of English Literature : Vol-IV, Ed.- 2 (1994) - Page : 1136 Allied Publishers Limited.

 

ଦ୍ୱିତୀୟ ବିଚାର୍ଯ୍ୟ ବିଷୟ ତାଙ୍କର ନୂତନତା । ଆଧୁନିକ କାବ୍ୟଜଗତର ପ୍ରମୁଖ-ସାଧକ ସଚ୍ଚି ରାଉତରାଙ୍କ ଭଳି ବଟବୃକ୍ଷର ବିସ୍ତୃତି ସତ୍ତ୍ୱେ ଓଡ଼ିଆ ସାହିତ୍ୟର ଏକ ସନ୍ଧିକ୍ଷଣରେ ଗୁରୁପ୍ରସାଦ ଜଣେ ‘ଉଁଟା ତାଳଗଛ’ ଭାବରେ ଉଧେଇଲେ କିପରି ? ସଚ୍ଚିବାବୁଙ୍କର ଗଳ୍ପ, ସମାଲୋଚନା, ବିପୁଳ କାବ୍ୟକବିତା ତାଙ୍କୁ ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ଜଣେ ନିରଳସ ସାଧକ ଭାବରେ ଚିହ୍ନିତ କରେ । ବଙ୍ଗବାସ ତାଙ୍କୁ ବାମପନ୍ଥୀ ମତାଦର୍ଶର ପ୍ରଶିକ୍ଷଣ ସହିତ ଜୀବନାନନ୍ଦ ଦାଶ, ବୁଦ୍ଧଦେବ ବସୁ ପ୍ରମୁଖଙ୍କ ପରି ପ୍ରତିଭାଧର ସମକାଳୀନ କବିଙ୍କ ସାହଚର୍ଯ୍ୟ ଦିଏ । ସେପରି ସୁଯୋଗରୁ ବଞ୍ଚିତ କେବଳମାତ୍ର ସ୍ୱଳ୍ପ ସଂଖ୍ୟକ କବିତା ରଚନା କରି ଓଡ଼ିଆ କାବ୍ୟଜଗତରେ ଗୁରୁପ୍ରସାଦଙ୍କ ଅସାମାନ୍ୟ ପ୍ରତିଷ୍ଠା ବିସ୍ମୟକର ମନେହୁଏ । ଦୀର୍ଘ ପ୍ରାୟ ୫୦ ବର୍ଷର ଫଳଶ୍ରୁତି ପ୍ରାୟ ୧୦୦ଟି କବିତା । ତହିଁରୁ ଏକତୃତୀୟାଂଶ ପ୍ରାୟ ରୋମାଣ୍ଟିକ୍ କାବ୍ୟଧାରାର; ଅଦ୍ୟାବଧି ଗ୍ରନ୍ଥ ଭାବରେ ଅସଙ୍କଳିତ । ପ୍ରତିଷ୍ଠା ଓ ରଚନାର ବିପୁଳତା ମଧ୍ୟରେ ଅନୁପାତ ଅସଂରକ୍ଷିତ ବୋଲି ମତ ପ୍ରକାଶ ପାଏ ।

 

ତୃତୀୟତଃ, ତାଙ୍କ ପ୍ରତିଷ୍ଠା ମୂଳରେ ସମୀକ୍ଷକମାନଙ୍କ ଶୁଭଦୃଷ୍ଟି ବିଦ୍ୟମାନ ଥିବାର ପ୍ରମାଣ ମିଳେ । ପ୍ରଫେସର ଯତୀନ୍ଦ୍ରମୋହନ ମହାନ୍ତିଙ୍କ ‘ନୂତନ କବିତା’ର ଭୂମିକାକୁ ଏହି ଉକ୍ତିର ପରିପୋଷକ ଦୃଷ୍ଟାନ୍ତ ଭାବରେ ଗ୍ରହଣ କରାଯାଏ । ସେତିକି ଅଳପ ଲେଖି ‘ସମୁଦ୍ର ସ୍ନାନ’ (୧୯୭୧) ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ୧୯୭୩ରେ ପାଇବାକୁ ଜନପ୍ରିୟତାର ହେତୁ ଭାବରେ ବେଳେବେଳେ ବ୍ୟକ୍ତ କରାଯାଏ ।

 

ଚତୁର୍ଥରେ, କେତେକ ମତ ଦିଅନ୍ତି ଏ ବ୍ୟଥା, ବିଷର୍ଣ୍ଣତା, ନିସଙ୍ଗତା ଆଧୁନିକ ସମାଜର ଅନ୍ତଃସାରଶୂନ୍ୟତା ଆଦି ଉଧାରକରା ପାଶ୍ଚାତ୍ୟ ଅବବୋଧ, ଆମ ଦେଶ/ ରାଜ୍ୟର ଅବସ୍ଥା ଏପରି ନୁହେଁ । ପ୍ରକାଶଭଙ୍ଗୀ ମଧ୍ୟ ଆମ ପରମ୍ପରା ଅନୁକୂଳ ନୁହେଁ । ତେଣୁ ସାମୟିକ ସିଦ୍ଧି ସତ୍ତ୍ୱେ, ସାହିତ୍ୟର କ୍ୟାନ୍ନାଇଜେସନ୍ (ଶାସ୍ତ୍ରାୟଣ) ପ୍ରକ୍ରିୟାରେ କାଳକ୍ରମେ ତାହାର ମାନ ଅବନମିତ ହୋଇପାରେ । ଗୁରୁପ୍ରସାଦ ଗୌଣକବି ସ୍ତରକୁ ଖସିଆସିପାରନ୍ତି ।

 

ଏହିଭଳି ପ୍ରତିକୂଳ ବିଚାରର ଶରବ୍ୟ ଗୁରୁପ୍ରସାଦ ଆପଣାର ଜୈତ୍ରକେତନ ଉଡ଼ାଇ ସଂସାରରୁ ବିଦାୟ ନେଲେ । ଓଡ଼ିଆ ସାହିତ୍ୟ ସଂସାରରେ ସେ ଧ୍ୱଜା ଅବନମିତ ହେବାର ନୁହେଁ । ଏହା ଖାଲି ଭାବପ୍ରବଣ ଶୋକାଚ୍ଛ୍ୱାସ ନୁହେଁ, ଓଡ଼ିଆ ସାହିତ୍ୟ-ସଂସ୍କୃତି-ସରଣୀରେ ଜଣେ ପଥଚାରୀର ସଚେତନ ଅନୁଭବ, ଶାଣିତ ସତ୍ୟପାଠ ।

 

ସାହିତ୍ୟକୃତିଟିକୁ ଆମେ ଯେତେବେଳେ ଆମ ମାଟିର ମହକରେ ମହମହ, ଯଥାର୍ଥତଃ ଅଭ୍ରାନ୍ତ ଭାବରେ ଭାରତୀୟ ବୋଲି ବ୍ୟକ୍ତ କରୁ ସେତେବେଳେ ଆମର ଲକ୍ଷ୍ୟ ଥାଏ ତାର ମହତ୍ତ୍ୱ ବ୍ୟାଖ୍ୟାନ । ଆମ ଦେଶର ସଂସ୍କୃତି ଓ ପରମ୍ପରାରେ ବତୁରା ତା’ର ବକ୍ତବ୍ୟ, ସେହି ସୁମହାନ ସାଂସ୍କୃତିକ ଐତିହ୍ୟର ଉତ୍ତରାକାରୀଙ୍କ ଅନ୍ତରର ଅନ୍ତଃସ୍ଥଳରୁ ତାହା ଉତ୍ସାରିତ । ଆମ ସାହିତ୍ୟରେ ଏଭଳି କିଛି ଲକ୍ଷ୍ୟଣୀୟ ବିଲକ୍ଷଣ ବିଦ୍ୟମାନ - ଯାହା ବୁଝିହୁଏ କିନ୍ତୁ ବୁଝାଇ ହୁଏ ନାହିଁ ସହଜରେ । ତାହାକୁ ଆମେ ‘ଭାରତୀୟତା’ ନାମରେ ବୁଝିବା । ଆମେ ଯେତେ ଯେତେ ଜାତୀୟ ଚରିତ୍ର ଗୁଣ ଉପରେ ଗୁରୁତ୍ୱ ଦେବା ସେତେସେତେ ବିଶ୍ୱଜନୀନତାଠାରୁ ଦୂରେଇ ଯିବା । ଯେଉଁ ପରିସ୍ଥିତି ଓ ପରିବେଶରେ ସାହିତ୍ୟ କୃତିଟିର ଉଦ୍ଭବ ଘଟିଛି ତାହା ପ୍ରତି ବିଶ୍ୱସ୍ତ ରହିବା, ଗୋଟିପଣେ ତାର ନିଜର ହୋଇଯିବାର ଗୌରବ ପାଇଲେ କୃତିଟି ପ୍ରତି ଆମର ଶ୍ରଦ୍ଧା ଓ ସନ୍ତୋଷ ଜାତ ହୁଏ । ଆମ୍ଭମାନଙ୍କ ପାଇଁ ଯଦି ସେ ସାହିତ୍ୟ ସୃଷ୍ଟିର ପରିସ୍ଥିତି ଓ ପରିବେଶ ଭାରତୀୟ ହୋଇଥାଏ ତେବେ କଥା ସରିଲା । ଏଇଠି ମନେରଖିବାକୁ ହେବ ଭାରତୀୟତା ପ୍ରଥମ କଥା ନୁହେଁ । ପ୍ରଥମ କଥା ହେଲା 'ପ୍ରକୃତି, ବ୍ୟକ୍ତିତ୍ଵ, ଉବ୍ଦୀପକ ଘଟଣା ଭଳି ପ୍ରେରକଉପାଦାନ ଆମ ଅନ୍ତରର କୌଣସି ଗୋଟିଏ ତନ୍ତ୍ରୀକୁ ଆଘାତ ଦେବା । ସେଇ ପ୍ରେରକ ଉପାଦନ ଓ ପ୍ରେରିତ ତନ୍ତ୍ରୀ ବେଳେ ବେଳେ ଆମ ଜାତୀୟତା ସହ ସମାନ ହୋଇପାରେ; କିନ୍ତୁ ତହିଁରୁ ସୃଷ୍ଟ ସଙ୍ଗୀତ କୌଣସି ଜାତି ବିଶେଷର ନୁହେଁ, ତାହା ସମଗ୍ର ବିଶ୍ୱ ମାନବର । ଆମ ବିଶ୍ୱ-ଦୃଷ୍ଟିର ପରିପ୍ରକାଶ ପାଇଁ ଆମେ ଯେଉଁ ସାଂସ୍କୃତିକ-ପରିଭାଷାର ପ୍ରୟୋଗ କରୁ ତାହା ହେଉଛି ଭାରତୀୟତା । ଦୃଷ୍ଟିକୋଣ ବିଶ୍ଵର ଯେକୌଣସି ସ୍ଥଳର ବ୍ୟକ୍ତିବିଶେଷର ହୋଇପାରେ ।

 

କୌଣସି ବିଶ୍ଵଦୃଷ୍ଟିକୁ ଆପଣା କୃଷ୍ଟିରେ କୁକ୍ଷୀଗତ କରିବା କଠିନ ବ୍ୟାପାର । ସେଥିରେ ଯିଏ ଯେତେ ସିଦ୍ଧହସ୍ତ, ସାହିତ୍ୟ-ସଂସାରରେ ତାର ସିଦ୍ଧି ସେତିକି ପରିମାଣରେ ସ୍ଵୀକୃତ । ଶିଳ୍ପୀର ବ୍ୟକ୍ତିତ୍ୱ ପ୍ରକାଶ ଓ ବିକାଶରେ ତାହା ସହାୟକ ହୋଇଥାଏ । ପୁନଶ୍ଚ କେତୋଟି ଦୃଷ୍ଟିକୋଣ ବିଶ୍ଵର ସର୍ବତ୍ର ଉଣା ଅଧିକେ ଏକାପରି । ଯେଉଁ କାରଣରୁ ହେଉ ମୃତ୍ୟୁ ପ୍ରତି ସଚେତନତା, ମୂଲ୍ୟବୋଧ ବିପର୍ଯ୍ୟୟରେ ବିଚଳନ, ସଂସାରର ସୁଅ ମୁହଁରେ ପଥର ହେବାର ପୀଡ଼ାଦାୟୀ ଅନୁଭବ, ଜୀବନାନୁରାଗ ଓ ବିଭଙ୍ଗ ବ୍ୟକ୍ତିସତ୍ତାର ବେଦନାବୋଧ କି ପ୍ରାଚୀ କି ପାଶ୍ଚାତ୍ୟ ସର୍ବତ୍ର ବିଦ୍ୟମାନ । ପାଶ୍ଚାତ୍ୟ ଜଗତ ଗତ ଶତାବ୍ଦୀର ଦୁଇ ଦୁଇଟା ବିଶ୍ୱଯୁଦ୍ଧର ବିଭୀଷିକାରେ ଉତ୍ପୀଡ଼ିତ, ଆମ ମାନସିକତାରେ ‘ମହାଭାରତ’ ଯୁଦ୍ଧ ବିଭୀଷିକା ବିଷ ବୀଜର ବହଳ ବିସ୍ତାର । The Waste Landର ପ୍ରେକ୍ଷାପଟ ସାଂସ୍କୃତିକ ଅନୁସୃଜନ ମାଧମରେ ‘କାଳପୁରୁଷ'ରେ ରୂପାନ୍ତରିତ କରିବାରେ ଗୁରୁପ୍ରସାଦ ଅସାମାନ୍ୟ ପାରଦର୍ଶିତା ପ୍ରଦର୍ଶନ କରିଛନ୍ତି । ସେଥିପାଇଁ ତାର ଏତେ ସମାଦର । କେବଳ ପୁରାଣ- ପରିଶୀଳିତ କଥାବସ୍ତୁ ନୁହେଁ ଅତୀତ... ବର୍ତ୍ତମାନ... ଭବିଷ୍ୟତ ଏକ ବିନ୍ଦୁରେ ମିଳିତ କରାଇ ‘ଅକ୍ରୁର ଉବାଚ’ ଆଦି କବିତା ରଚନା କରିଛନ୍ତି । ସତ୍ୟ, ଦ୍ୱାପର, ତ୍ରେତୟା, କଳି କବି ଚେତନା ପଶାକାଠିର ଚାରୋଟି ପ୍ରସ୍ତରେ ପରିଣତ ହୋଇଛି । ମିଥ୍‍କୁ କବିତାର ଥିମ୍ ଭାବରେ ବ୍ୟବହାର କରି ସଫଳତା ଲଭିବା କ୍ଵଚିତ୍ କବିଙ୍କ ଭାଗ୍ୟରେ ଘଟେ । ସେହିପରି କବି ଗୁରୁପ୍ରସାଦ ।

 

କବିଙ୍କର କାବ୍ୟନାୟକ ପୁରାଣ ପ୍ରକୀର୍ତ୍ତିତ ଚରିତ୍ର ନୁହନ୍ତି, ଏଇ ଧୂଳିମଳିନ ଧରଣୀର ନାମହୀନ ବ୍ୟକ୍ତିବିଶେଷ । ସେ ହୋଇପାରନ୍ତି ଟାଇପିଷ୍ଟ ଝିଅ, ଇଞ୍ଜିନିୟର ସ୍ମାର୍ତ୍ତ ଦାସ, ବ୍ୟବସାୟୀ ବୋଷବାବୁ, ଦିପୋଟୀ ରମୁ ଅବା ହୋଇପାରନ୍ତି ଅଳକା ସାନ୍ୟାଲ୍ ବା ହରେକୃଷ୍ଣ ଦାସ । ସେଇ ଅନାମମାନଙ୍କୁ ନାମ ଦେଇ ସର୍ବନାମରେ ପରିଣତ କରିବା ସମ୍ଭବ ଶକ୍ତିଶାଳୀ କବି ପକ୍ଷରେ । ସେ ଶକ୍ତି କାବ୍ୟିକ ପରିଭାଷା ପ୍ରଣୟନ, ଆତ୍ମାନୁଭୂତିର ସାର୍ବଜନୀନୀକରଣ ପରାକାଷ୍ଠା, ସର୍ବୋପରି କବିର ବିବର୍ତ୍ତିତ ବ୍ୟକ୍ତିତ୍ୱ ଉପରେ ନିର୍ଭର କରେ ।

 

କବି ଗୁରୁପ୍ରସାଦଙ୍କୁ ଚିହ୍ନିବାକୁ ଚାହିଁଲେ ତାଙ୍କ ରଚିତ ଚାରୋଟିଯାକ କବିତା ‘ହରେକୃଷ୍ଣ ଦାସ’କୁ ବିଚାର କରାଯାଇପାରେ । କବି ଓ କାବ୍ୟନାୟକ ଉଭୟେ ଦୁଇଟି ସମୟ ଖଣ୍ଡରେ ଆତଯାତ । ଗୋଟିଏ ସମୟଖଣ୍ଡ ସ୍ଵାଧୀନତା ପୂର୍ବକାଳ : ଗାଆଁରୁ ସହର ସନ୍ଧିକ୍ଷଣ, କୃଷିଭିତ୍ତିକ ସଂସ୍କୃତି-ପୋଷିତ ଅନ୍ତରୀଣ ଅଭିବ୍ୟକ୍ତିର ପର୍ବ ଏବଂ ଅପରଟି ସ୍ୱାଧୀନତା ପରବର୍ତ୍ତୀ : ସହରର ନିଃସଙ୍ଗ ନିସ୍ତରଙ୍ଗତା ପୃଷ୍ଠଭୂମିରେ ଶିଳ୍ପଭିଭିକ ଯାନ୍ତ୍ରିକ ସଭ୍ୟତାର ଜଟିଳତା ଦ୍ଵାରା କ୍ଷତାକ୍ତ ଆତ୍ମାର ଆତ୍ମବିଳାପ ପର୍ଯ୍ୟାୟ । ପ୍ରଥମ ପର୍ଯ୍ୟାୟର ଦୁଇଟି କବିତା “ସମୁଦ୍ରସ୍ନାନ’ ଓ ଦ୍ୱିତୀୟ ପର୍ଯ୍ୟାୟର ଦୁଇଟି କବିତା ‘ଆଶ୍ଚର୍ଯ୍ୟ ଅଭିସାର’ ସଙ୍କଳନ ଭୁକ୍ତ ।

 

ନାମହୀନ ନୈର୍ବ୍ୟକ୍ତିକ ନାଗରିକତାର ବିଡ଼ମ୍ୱିତ ଓ ସଙ୍ଗୁପ୍ତ ବ୍ୟକ୍ତିସତ୍ତାକୁ ‘ହରେକୃଷ୍ଣ ଦାସ’ ନାଁ ଦେବା ମୂଳରେ କବିଙ୍କ ବିଦଗ୍ଧ ଦୃଷ୍ଟିକୋଣର ସନ୍ଧାନ ମିଳେ । କବି ଅନ୍ୟ ଯେକୌଣସି ନାମରେ ନାୟକକୁ ନାମିତ କରିପାରିଥାନ୍ତେ । ପରମ୍ପରାକୁ ପ୍ରଣତି ଜଣାଇ ଆମ ସଂସ୍କୃତିର ସାରାଂଶ ‘ହରେକୃଷ୍ଣ’ ନାମଟି ବାଛିଛନ୍ତି । ‘ଦାସ ଉପନାମଟି ମଧ୍ୟ ସୂକ୍ଷ୍ମ ଅବବୋଧରେ ‘ଗୋଲାମୀ’ ସଂସ୍କୃତିକୁ ପ୍ରତୀକିତ କରେ । ଆପଣ ଅନ୍ଧବିଶ୍ୱାସ, କାମନା, ବାସନା, ଗତାନୁଗତିକତାର ନୌକର ଭାବରେ ହରେକୃଷ୍ଣ ଅଭିବ୍ୟଞ୍ଜିତ । ସେ ବ୍ୟକ୍ତିବାଚକ ବିଶେଷ୍ୟଟିଏ ନୁହେଁ, ଭାବବାଚକ ମଧ୍ୟ । ଅଡ଼େନଙ୍କ 'The Unknown Citizen' ଭଳି ଆମ ହରେକୃଷ୍ଣବାବୁ କଟକ ସହରର ଜଣେ ସଚ୍ଚା ନାଗରିକ । ସମାଜର ଅପରିବର୍ତ୍ତନୀୟ ସ୍ଥିତି ପ୍ରତି ସେ ଆସ୍ଥାଶୀଳ । ମଶା ମାଛି, ପୋକ, ଯୋକ, କାଉ ଓ ବାଦୁଡ଼ି ପରି ଗୁରୁତ୍ୱହୀନ ଜୀବନ ଯାପେ ସେ । ଦିନର କଠୋର ଜୀବନ ସଂଗ୍ରାମ ଓ ସଂଘାତର ସକରୁଣ ସ୍ମୃତି, ରାତିର ଦୁଶ୍ଚିନ୍ତାଗ୍ରସ୍ତ ନିଦ୍ରାହୀନତା, ଆହାର-ବିହାର, ଆଚାର-ବିଚାର ସବୁ ତା ପାଇଁ ରୁଟିନବନ୍ଧା ଦୈନନ୍ଦିନୀ । ସାଧାରଣ ଶିଷ୍ଟତା, ରୁଚି-ନୀତି-ନିୟମର ପାଳକ ହରେକୃଷ୍ଣ ରହେ ଚୌଧୁରୀ ବଜାରରେ ଗୋଟିଏ ଭଡ଼ାଘରେ ଦୋମହଲା ଉପରେ । ଗତାନୁଗତିକ ଜୀବନ ଯାପୁଥିବା ହରେକୃଷ୍ଣ ସଂସାରର ଭିଡ଼ ଭିତରେ ଆପଣାର ଏକାକିତ୍ୱ ଅନୁଭବ କରେ, କାଲି ଥିଏଟରର ନାୟିକା ସମୟକ୍ରମେ ମା’ ଭୂମିକାରେ ଅଭିନୟ ଦେଖି ସମୟର ପ୍ରବହମାନତା ପ୍ରତି ସଚେତନ ହୁଏ, ପଡ଼ୋଶୀ ଘରର ଝିଅକୁ ଝରକା ବାଟେ ଦେଖି ତା ପ୍ରତି ଆସକ୍ତ ହୁଏ । ଝରକା ଫାଙ୍କରେ ନିରାପଦ ଦୁରତ୍ୱରୁ ସଡ଼କରେ ବିକ୍ଷୋଭ ଓ ପଟୁଆର ଦେଖି ଗାନ୍ଧୀବାଦ ଓ ମାର୍କବାଦର ସ୍ୱାଦ ଚାଖେ । ତା ବ୍ୟକ୍ତିତ୍ୱରୁ କାଠଯୋଡ଼ୀର ପ୍ରବହମାନତା ଓ ନରାଜ ପାହାଡ଼ର ଦୃଢ଼ତା କେବେ ଉଭେଇ ଯାଏ । ଅନନ୍ତ ସମ୍ଭାବନାର ପ୍ରତୀକ ହରେକୃଷ୍ଣ, ନୂଆ ସହରୀ ଜୀବନରେ ମଣ ହେଉଥିବା ହରେକୃଷ୍ଣ ମଣିଷର ସବା ତଳ ପାହାଚରେ ସାଧାରଣ ଜନତା ସ୍ତରରେ ରହିଯାଏ ।

 

ଦ୍ୱିତୀୟ କବିତାରେ କବି ହରେକୃଷ୍ଣଙ୍କୁ ସାଧାରଣ ବ୍ୟକ୍ତିରୁ ଶ୍ରେଣୀ ଚରିତ୍ରରେ ରୂପାନ୍ତରିତ କରିଛନ୍ତି । ଚୌଧୁରୀ ବଜାରର ଠେଲାପେଲା ଗହଳି ଭିତରେ ‘ବନ୍ଧୁହୀନ ଓ ଶ୍ରୀହୀନ’ ଅନ୍ୟ ଦେଶ ପରି ପ୍ରତୀୟମାନ ହୋଇଛି କଟକ । କବି କହନ୍ତି-

 

“ସବୁଜ କବିତା ପରି ହୁଏତ ବା ଏ ପୃଥିବୀ

ରୋମାଣ୍ଟିକ୍ ସ୍ୱପ୍ନାଭ ସୁନ୍ଦର

ରେଡ଼ିଓର ଗୀତ ପରି ହୁଏତ ବା ଏ ଜୀବନ

ଦେହହୀନ କେତୋଟି ମୂର୍ଚ୍ଛନା

‘ଧୂପର ବିରହ ପରି ହୁଏତ ବା ଏହି ମନ

ଆଷାଢ଼ର ଭାରାତୁର ମେଘ

ହୁଏତ ବା ଏହି ଦେହ ପମ୍ପାସର ନୀଳାଲୋକେ

ନାଗଲୋକ କନ୍ୟାର କାମନା ।”

 

‘ହୁଏତ ବା’ ପଦାଂଶରୁ କବିଙ୍କ ସନ୍ଦିଗ୍ଧ ମାନସିକତା ଓ କଟକର ବିକଳ ବିଧୃତ ଛବିର ସୂଚନା ମିଳେ ।

 

ସାଧାରଣ ଜନତା ହରେକୃଷ୍ଣ ଦାସ ବୁର୍ଜୁଆ ଶ୍ରେଣୀର ‘ହରେକୃଷ୍ଣବାବୁ’ରେ ପରିଣତ ହୋଇଛନ୍ତି । ସରକାରୀ ଜିପ୍‍ଗାଡ଼ି ଚଢ଼ି ମଧ୍ୟ ‘ନମସ୍କାର', 'ଜୟହିନ୍ଦ', “ସଲାମ’ ଗ୍ରହଣ କରି ବି ହରେକୃଷ୍ଣ ଦାସ ନିଃସଙ୍ଗତା ହରାଇ ନାହିଁ । ତାଙ୍କ ଚିନ୍ତାରେ- “ଭୟ ଆଉ ପାପ ମିଶି ଏ ସମୟ ଅନ୍ତସତ୍ତ୍ୱା ।” ସରକାରୀ ସ୍ତରରେ କେତେ ଯୋଜନା ହୁଏ- କମିଟି କମିସନ୍ ବସେ ସାମାଜିକ ଉନ୍ନୟନ ପାଇଁ । ମଣିଷ ଆଶା-ନିରାଶାର ଆଶାବରୀ ଗାଇଚାଲେ କାଳକାଳ । ସବୁ ହତାଶାରେ ପର୍ଯ୍ୟବେସିତ ହୁଏ । ସେ ଜାଣିପାରେନା ‘ସୂର୍ଯ୍ୟ କେବେ ନିଭିଯାଏ ଆସ୍ତେ ଛୋଟ ହୋଇ, ବ୍ୟାଟେରି ନଥିବା ସାନ ଟର୍ଚ୍ଚଲାଇଟ୍ ପରି ।'

 

ତୃତୀୟ ପର୍ଯ୍ୟାୟରେ, ହରେକୃଷ୍ଣ ଦାସ ସ୍ୱାଧୀନ ଭାରତର ନାଗରିକ । ଡାକତାର ବିଭାଗର କର୍ମଚାରୀ । କଟକରୁ ଭୁବନେଶ୍ଵର ପି.ଏମ୍.ଜି. ଛକରେ ତାଙ୍କ ଆତଯାତ । ପାଖରେ ବିଧାନସଭା । ରାଜଧାନୀ ରାସ୍ତାରେ ଅସନ୍ତୋଷ ଓ ବିଦ୍ରୋହର ଧ୍ୱନି । ପୋଡ଼ାଜଳା, ସ୍ଲୋଗାନ୍, ଦମନ ଏସବୁ ଦେଖି ହରେକୃଷ୍ଣଙ୍କ ସ୍ୱାଧୀନତାର ସୁଫଳ ପାଇବା ଆଶା ସୁଦୂର ପରାହତ । ଏ ପଟୁଆର, ଏ ବିଦ୍ରୋହ ତାଙ୍କୁ ମନେପକାଇ ଦିଏ ସ୍ଵାଧୀନତା ସଂଗ୍ରାମୀମାନଙ୍କ ସ୍ମୃତି । ରକ୍ତତୀର୍ଥ ‘ଇରମ୍ ଓ ‘ଇଞ୍ଚୁଡ଼ି' ଏଇ ଦୁଇଟି ସ୍ଥାନ ନାମ ଓ ଗାନ୍ଧିଟୋପି, ଝୁଲା, ଖଦି, କୁର୍ତ୍ତାଧାରୀ ପଟୁଆର ବର୍ଣ୍ଣନା ମଧ୍ୟରେ ସେଦିନର ବିପ୍ଳବର ଉର୍ଜ୍ୱସ୍ୱଳତା ଏ ଆଜିର ବିଦ୍ରୋହର ନିଷ୍ପ୍ରଭତା ପ୍ରତୀକିତ । ସେହି ମଧ୍ୟରାତ୍ରିର ସ୍ଵାଧୀନତା ଓ ଜବାହାରଲାଲ୍‌ଙ୍କ ‘ଭାଗ୍ୟ ସହ ଅଭିସାର’ ଉକ୍ତିର ଅସାରତାକୁ ଶ୍ଳେଷାତ୍ମକ ଭାବରେ ଉଲ୍ଲେଖ ମଧ୍ୟରେ ବୁର୍ଜୁଆ ହରେକୃଷ୍ଣ ପ୍ରବଞ୍ଚିତ ହରେକୃଷ୍ଣଙ୍କୁ ବିବର୍ତ୍ତିତ ହୋଇଯାଇଛି ।

 

ଚତୁର୍ଥ ପର୍ଯ୍ୟାୟର ହରେକୃଷ୍ଣ ଦାସ ବିଂଶ ଶତାବ୍ଦୀର ଶେଷ ଦଶକର । ତାର ବହିରାବରଣରେ କିଛି ପରିବର୍ତ୍ତନ ହୋଇନି । ଆତ୍ମିକ ସ୍ତରରେ ସେ ସମ୍ପୂର୍ଣ୍ଣ ବିବର୍ତ୍ତିତ । ଯୁଦ୍ଧ, ପରମାଣୁ, ସନ୍ତ୍ରାସ ତ୍ରସ୍ତ ଆତ୍ମା ତାର ନଷ୍ଟ ଶତାବ୍ଦୀର ନରକ ଯନ୍ତ୍ରଣାରେ ଛଟପଟ । ସେ ଫମ୍ପା ମଣିଷ । (Hollow Man) । ବୈଷୟିକ ଦିଗରେ ଉନ୍ନତି ପାଇଁ ଆକାଂକ୍ଷା ଓ ତାର ବିଡ଼ମ୍ବନା ତାକୁ ବିଚଳିତ କରିଛି ଆହତ ଆତ୍ମା ତାର କ୍ଷତାକ୍ତ, ରକ୍ତାକ୍ତ । ନଷ୍ଟ ଶତାବ୍ଦୀର ଶେଷ ପାଦରେ ସେ ବହୁ ଶତାବ୍ଦୀର ତା ସଙ୍ଗୀମାନଙ୍କୁ ଆବିଷ୍କାର କରୁଛି ସି.ଆର.ପି. ଛକରେ । ମୋଗଲ୍ ଦରବାରର କିରାଣୀ ହେବାକୁ ସେ ଆରବି, ପାର୍ଶୀ ପଢ଼ୁଥିବା; ପରାଧୀନ ଭାରତରେ ଜମିଦାର ପାଖରେ ଗୁମାସ୍ତା ହେବାକୁ କରଣୀ ଅକ୍ଷର ଶିଖୁଥବା; ସ୍ଵାଧୀନତା ପରେ ଆଜି ପଟୁଆର କରୁଥିବା ବିଡ଼ମ୍ବିତ ଯୁବକ କି ସେଦିନରେ ନିର୍ବାଣକାମୀ ସାମ୍ରାଜ୍ୟତ୍ୟାଗୀ ଗୌତମଙ୍କ ଭିତରେ ସେ ଆପଣାର ଅସନ୍ତୋଷ ଓ ଆହତ ଆତ୍ମସତ୍ତାର ସନ୍ଧାନ ପାଏ । ନିଜେ ନୈକରୀ ନଅରର ପାହାଚ ପରେ ପାହାଚ ଚଢ଼ି ସେ ସେକ୍ସନ୍ ଅଫିସର, କ୍ଲାସ୍ ଟୁ ଗେଜେଟେଡ୍‍, ଜୁନିଅର କ୍ଲାସ୍ ୱାନ ହୁଏ; ମାତ୍ର ହତାଶ ଓ ବେଦନାବୋଧର ଚିରନ୍ତନ ବୋଝ ତା କାନ୍ଧରୁ ଓହ୍ଲାଏ ନାହିଁ ।

 

ହରେକୃଷ୍ଣର ଏହି ବିକଳ ସ୍ଥିତି ପ୍ରତି କବିଙ୍କ ଶ୍ଳେଷୋକ୍ତି :

 

“ଦ୍ୱିଧାଗ୍ରସ୍ତ ଯାତ୍ରା ତାର ଚିରନ୍ତନ ଶୁଭ ହେଉ

ଚିରନ୍ତନ ଜାରି ରହୁ ତା’ ଆଖିର ନିର୍ବୋଧ ଚେତନା

ନେତା ମନ୍ତ୍ରୀ ବିଧାୟକ ଦାର୍ଶନିକ କବି ଶିଳ୍ପୀ ଇତ୍ୟାଦି ପ୍ରତିଭା

ଲୋପ ପାଇ ଗଲାପରେ, ଅଫିସରେ, କଚେରିରେ

ଡଟ୍‌ପେନ୍ ଫାଇଲରେ ତାର କ୍ଷୁଦ୍ରସତ୍ତା ରହୁ

ମୃତ୍ୟୁହୀନ ମଣିଷର ସ୍ଥିରବିନ୍ଦୁ ହୋଇ

ହରେକୃଷ୍ଣ ଦାସ ବାରମ୍ବାର ଫେରୁ ଥାଉ

ମୃତ୍ୟୁରୁ ଅମୃତ ଖୋଜି

କୋର୍ଟରୁ କଚେରିକୁ

ବହମାନ ସମୟର ‘ପତନ ଓ ଅଭ୍ୟୁଦୟ’ ଅର୍ଥନ୍ୟାସ ପାଇଁ ।”

 

ମଣିଷର ସାମାଜିକ ଜୀବନରେ ସହର ସୁହାଗ ଓ ଯନ୍ତ୍ରର ମନ୍ତ୍ରଣା ଗଭୀର ପ୍ରଭାବ ବିସ୍ତାର କଲା । କୃଷି ସଭ୍ୟତାର ଭିତ୍ତି ଦୋହଲାଇ ଶିଳ୍ପସଭ୍ୟତା ମୁଣ୍ଡ ଟେକିଲା । ବ୍ୟକ୍ତି ସ୍ୱାଧୀନତା, ଗଣତନ୍ତ୍ର, ବଦ୍ଧବିଶ୍ୱାସ ବଦଳରେ ହେତୁବାଦୀ ବିଚାର ମଣିଷର ଜୀବନର ଖତକୁଢ଼ରେ ସରସତାର ରଙ୍ଗଣିଫୁଲ ନୂଆ କରି ଫୁଟାଉଥିବା ବେଳେ ଗତ ଶତାବ୍ଦୀ ଦୁଇଦୁଇଟା ଭୟଙ୍କର ଯୁଦ୍ଧର ଜ୍ୱଳାରେ ଜର୍ଜରିତ ହେଲା । ମାର୍କସ୍-ମନ୍ତ୍ରଣା ମଣିଷକୁ ଈଶ୍ୱରବିରାଗୀ କରାଇଲା, ବୋଦଲେୟାରଙ୍କ ସାହସ ତାକୁ ସଇତାନର ସ୍ତୁତିରେ ମତାଇଲା । ମଧ୍ୟଯୁଗୀୟ ସାମାଜିକ ସ୍ଥିତିରେ ଆଧୁନିକତାର ଦିକିଦିକି ଦିପହର ଚାହୁଁ ଚାହୁଁ ନିହତ ଗୋଧୂଳିରେ ପରିଣତ ହେଲା । ତାପରେ ସଭ୍ୟତାରେ ସଙ୍କଟ... ସଂସ୍କୃତିରେ ସ୍ୱୈରାଚାର... ଚିନ୍ତା-ଚେତନାରେ ବହଳ ଅନ୍ଧାର । ମାନବ ଜାତିର ଏହିଭଳି ଦୟନୀୟ ସ୍ଥିତି ପାଶ୍ଚାତ୍ୟ ପ୍ରାଟ୍ୟ ନିର୍ବିଶେଷରେ ଉଭୟତ୍ର ଚିନ୍ତାବିତ୍, କବି-ଲେଖକ-ଶିଳ୍ପୀ ସଙ୍ଗୀତଜ୍ଞ ସମସ୍ତଙ୍କୁ ସ୍ତମ୍ଭୀଭୂତ କଲା । ଆଶ୍ଚର୍ଯ୍ୟ ଚକିତ ଦୃଷ୍ଟିରେ ସେମାନେ ଆଧୁନିକତାର ଅବିଗୁଣ ବଖାଣିବାରେ ଲାଗିଲେ । ପାଶ୍ଚାତ୍ୟ ଜଗତର ସାଧାରଣ ଜନତା ଆଧୁନିକତାର ସ୍ଵାଦ କିଛିଦିନ ଚାଖିଲେ ବିସ୍ୱାଦ ଚାଖିଲେ, ତେଣୁ ବିସ୍ୱାଦର ବିଳାପ ବୁଝିବା ତାଙ୍କ ପକ୍ଷରେ ସହଜ ହେଲା । ଆମ ପ୍ରାଚ୍ୟ ଜଗତ, ବିଶେଷ କରି ଓଡ଼ିଶା ସମେତ ସମଗ୍ର ଭାରତବର୍ଷର ଜନତା, ମଧ୍ୟଯୁଗର ବନ୍ଧନ ଏଡ଼ି ଆଧୁନିକତାକୁ ଆହରିବା ପୂର୍ବରୁ ତାର ଅବିଗୁଣର କୀର୍ତ୍ତନ ଶୁଣି ଶୁଣି ସେଥିପ୍ରତି ପରାଙ୍‍ମୁଖ ହେଲେ । ଆଧୁନିକତାକୁ ବୈଠକଖାନାରେ ବାହାର ଘରେ ବସାଇ ବସାଇ ବିଦା କରିଦେଲେ; ଅନ୍ତରର ଅନ୍ତଃପୁରକୁ ଆମନ୍ତ୍ରିତ କରିବା ପୂର୍ବରୁ ହୁଏତ ବନ୍ଧୁ ବିଦାୟ ନେଲେ । ଆମ ସାମାଜିକ ଜୀବନରେ ଆଧୁନିକତା ଅତିଥି ହେଲେ ସିନା ଘରୁଆ ଲୋକ ହୋଇପାରିଲେ ନାହିଁ । ଏଥିପାଇଁ ସାମାଜିକ, ସାଂସ୍କୃତିକ, ଆର୍ଥନୀତିକ ବିଷମତା ମୂଳକାରଣ । ଆମର ଏହି ପୃଷ୍ଠଭୂମି ପ୍ରତି ସଚେତନ ନ ହୋଇ ବିଚାରି ବସିଲେ ଆମେ ଆମ ଜୀବନରେ, ସମାଜ ଜୀବନରେ, ସଂସ୍କୃତିରେ ସାହିତ୍ୟରେ ପ୍ରକୃତ ଆଧୁନିକତାକୁ ଆବିଷ୍କାର କରିପାରିବା ନାହିଁ ।

 

ଚିହ୍ନିତ ଚରିତ୍ର ‘ହରେକୃଷ୍ଣ ଦାସ’ ସେହି ଦୃଷ୍ଟିରୁ ଆଧୁନିକ ଭାରତୀୟ ଜନତାର ପ୍ରତିଭୂ । ସେ ଜୀବନର ଯାତ୍ରାପଥର ସବୁ ଛକରେ ପଥହୁଡ଼େ... ତା’ ହୋଇପାରେ ସହରକୁ ପହିଲେ ପହିଲେ ଆସିବା ବେଳର ଗାଁ ଆଉ ସହରର ଛକ, ଚୌଧୁରୀ ବଜାରର ଛକ, ପି.ଏମ୍.ଜି. ଅଫିସ୍ ଛକ ବା ସି.ଆର.ପି. ଛକ । ପ୍ରତି ପର୍ଯ୍ୟାୟରେ ଜୀବନର ମୂଲ୍ୟବୋଧ ହରାଇ, ମୂଲ୍ୟଯୁକ୍ତ କରି ସଂଶୟ ସଙ୍କୁଳ ଆଗାମୀକୁ ଆଦରିବାର ପର୍ଯ୍ୟାୟ । ଏହି ପଥ ହରାଇବା, ଲକ୍ଷ୍ୟଭ୍ରଷ୍ଟ ହେବା, ତ୍ରିଶଙ୍କୁ ସ୍ଥିତି ଲଭିବା ହରେକୃଷ୍ଣ ଦାସ ଭଳି ସାଧାରଣ ବ୍ୟକ୍ତିର ଯୁଗ ଯୁଗାନ୍ତରର ନିଷ୍ଠୁର ନିୟତି ।

 

ଏ ନିୟତିର ନିଷ୍ଠୁରତା ସହ ସହାବସ୍ଥାନ କରିପାରେ ନାହିଁ କାବ୍ୟପୁରୁଷ । ତାକୁ ବୋଧହୁଏ ‘ଚୁପଚାପ୍ ବାଲିଚର, ଗାଁ ସ୍କୁଲ, ଡାକପିଅନ ସାଇକଲ ଘଣ୍ଟି / କେଉଟ ସାଇର ଚୁପ୍‍ଚାପ୍, ଲୁଗା ନାହିଁ ଧୋବାତୁଠ ଆଡ଼େ / ଗୁରୁବାର ଚିତା ନାହିଁ ମାଣବସା ହୁଳହୁଳି ସଉତୁଣୀ ଶାଶୁବୋହୂ କଳି / ଚୁପ୍‍ଚାପ୍ ତୁମ ଗାଆଁ, ଆମ ଗାଆଁ । ବିଷର୍ଣ୍ଣ ଏ ଶ୍ରୀହୀନ ଖରାରେ ।’ (ଛୁଟିର ଖରା) ପୁଣି ତାର ଅବବୋଧ ଉପୁଜେ ‘ଆଜି ଯେବେ ଏ ଖରାର ସ୍ଵପ୍ନ ଆସେ ମୋ ମନରେ / ଏହି ଚୋରା ଦକ୍ଷିଣାରେ ଧାନକଟା ମହକ ଓ ନିଛାଟିଆ ବିଲ / ନିଛାଟିଆ ଚାଳତଳେ ଧାର ଧାର ପିମ୍ପୁଡ଼ି ଓ କଙ୍କିଡେଣା ଅସରପା ଗୋଡ଼ / କେତେ ଅପା ନୂଆବୋଉ, କେତେ ଖୁଡ଼ି ବଡ଼ମାଆ / ହନୁମାନ ମୁଖା ଗାଆଁ ଆଖଡ଼ା ଘରର... ମୋ’ ମନରେ ସ୍ୱପ୍ନ ଆସେ ଚୋରା ଦକ୍ଷିଣାରେ... ।’’ (ଦୃଷ୍ଟିର ଦିଗନ୍ତ) ଶୀତର ଜଡ଼ତା ଉଜୁଡ଼ିଯାଏ, ବସନ୍ତର ସ୍ଵପ୍ନ ସଜାଡ଼ି । ନଷ୍ଟ ଶତାବ୍ଦୀ ବିଂଶ ଶତାବ୍ଦୀର ସକଳ ମୋହଭଙ୍ଗ, ବିଶ୍ୱାସହୀନତାର ପୀଡ଼ା ଉପଶମ କରାଏ ‘କରୁଣା ଓ ବିଶ୍ୱାସର ଦୁଇଟି ଜ୍ୱଳନ୍ତ ଆଖି... ଏକମାତ୍ର ଆଶ୍ରୟ ଆର ଶତାବ୍ଦୀକୁ ।’ (ଆର ଶତାବ୍ଦୀକୁ)

 

ଜୀବନ ସାରା ନିସ୍କରୁଣ, ମ୍ଳାନ, ପ୍ରିୟମାଣ, ଧୂମିଳ, ଧୂସର, ଧ୍ୱାନ୍ତ ଧରଣୀର ଛବି ଆଙ୍କି ସଞ୍ଜବୁଡ଼ ବେଳେ ‘କରୁଣା’ ଓ ‘ବିଶ୍ୱାସ’ ବ୍ୟଞ୍ଜିତ ଆଖିରେ ଗାନ୍ଧୀବାଦ ଆଡ଼କୁ ଚାହିଁଥିବା କବିଙ୍କୁ କ’ଣ ଆମେ କହିପାରିବା କେବଳ ମାତ୍ର ଇଲିଅଟ୍‍ଙ୍କ ଅନୁକାରୀ ବୋଲି ? ଗାନ୍ଧୀଙ୍କ ପ୍ରତି ଏ ଆସ୍ଥାସ୍ଥାପନ କ’ଣ କେବଳ ଭାବୋଚ୍ଛ୍ୱାସ ? ଆଖିର କପୋତ କ’ଣ ଇଉରୋପୀୟ-ଚେତନାର ଇସ୍ପାତୀ ଆକାଶ ଦେହରେ ଧକ୍କା ଖାଇ ବାରବାର ଫେରିଆସେ, ମାଆ-ଗାଆଁ-ମହାତ୍ମାଙ୍କ ଦିଗ୍‍ବଳୟ ପାଖକୁ ? ଏହି ଆଞ୍ଚଳିକ-ଆଧୁନିକତାର ଅନ୍ୟତମ ଅଗ୍ରପୁରୁଷ ଭାବରେ ଗୁରୁପ୍ରସାଦ, ଅବିସ୍ମରଣୀୟ । ଇଉରୋପୀୟ ବା ଇଂଲଣ୍ଡୀୟ ଆଧୁନିକତାର କଲମୀ-କବି ଭାବରେ ତାଙ୍କର ଶ୍ରେୟ, ଅକିଞ୍ଚିତକର ନୁହେଁ । ରାଧାନାଥଙ୍କ ପାଶ୍ଚାତ୍ୟ କଥାନକ ଆହରଣ ଓ ନିଜସ୍ୱୀକରଣ ବିଶିଷ୍ଟତାର ସମକକ୍ଷ, ପାଶ୍ଚାତ୍ୟ ଚେତନା ଆହରଣ ଓ ନିଜସ୍ୱୀରଣରେ ପାରଦର୍ଶିତା ଲଭିଥିବା ଜଣେ ଅଗ୍ରଗଣ୍ୟ କବି-ଚେତନାର ଚୌହଦୀର ‘ହରେକୃଷ୍ଣ ଦାସ’ ଆମ ଚେତନାର ଚୌଛକିର ଚିହ୍ନିତ ଚରିତ୍ରରେ ରୂପାନ୍ତରିତ ହେବା ଗୁରୁପ୍ରସାଦୀୟ ଆଞ୍ଚଳିକ-ଆଧୁନିକତାର ଅଙ୍କୁରାରୋପଣ ।

 

ସବାଶେଷରେ :

ଗୁରୁପ୍ରସାଦଙ୍କ ଏଇ ବୈଶିଷ୍ଟ୍ୟ ବନ୍ଦନା ଗାଇ କବିବନ୍ଧୁ ଗିରିଜା କୁମାର ବଳୀୟାରସିଂହଙ୍କ ସନେଟ୍‌ଟିଏ ସବା ଶେଷରେ ଶ୍ରଦ୍ଧାଞ୍ଜଳି ସ୍ୱରୂପ ଉଲ୍ଲେଖ କରୁଛି :

 

“ବିଦେଶୀ ଫୁଲର ବାସ୍ନା ଭୁରୁଭୁରୁ ବଉଳ ବେଣୀରେ

ତଥାପି ତ ତମେ ଆମ ଗୋଲାର୍ଦ୍ଧରେ ଗୋଧୂଳିର ଗ୍ରାମ...

ଗାନ୍ଧିବାଦ, ମାର୍କସ୍‍ବାଦ, କୃଷକ କି ଶ୍ରମିକ ଶ୍ରେଣୀରେ

ଖାଦାନ୍ କି ବାଗାନ୍‍ରେ - ନଉଠାନ୍ତୁ କେହି ତମ ନାମ ।

 

ଧାଡ଼ିଧାଡ଼ି ଧାନବିଲ ଛାଡ଼ିଛାଡ଼ି କୋଳଥ କିଆରି

ମୁଗବାରି ମସିଣାରେ ମଫସଲି ମୁଲକର ମୁହଁ...

ତମେ ତାର ତରତର ତୁଳାଭିଣା ତନ୍ତରେ ତିଆରି

ସମୟର ସାମିଆନା ତଳେ ଜଳେ ମର୍କରି ଆଲୁଅ !

 

ଆକାଶୀ ଆଖିରେ ଆଙ୍କି ମାଟିମାୟା ତୋଳିନେଲ ତମେ

ହେ ସୁନେଲି ଶଙ୍ଖଚିଲ, ଦୂବଘାସ ଧବଳ ଟଗର...

କଟକର କୁହୁଡ଼ିରେ କାଠଚମ୍ପା କାକର ତ ଜମେ

କାହା ଚିରା କାଲେଂଡ଼ର ଖୋଜିବୁଲ ନଗର ନଗର !

ଆଶା ଆଉ ଅପେକ୍ଷାର ଏପାରିରେ ଅଧାଲେଖା ଇତି...

ଅଥଚ ଅତୁଳନୀୟ ତମ ଅସ୍ତ ଜହ୍ନର ଜ୍ୟାମିତି ।”

 

 

ଏଫା/୭, ଜୋବ୍ରା ମୁନିସିପାଲିଟି କଲୋନୀ,

କଟକ-୭୫୩୦୦୩

 

***

 

Unknown

ନିହତ ଗୋଧୂଳିରୁ ନଷ୍ଟନକ୍ଷତ୍ର

ଡଃ ସଂଗ୍ରାମ ଜେନା

 

ଏକ ଧୂସର ନଷ୍ଟଗ୍ରହର ଅପନ୍ତରାରୁ ଏକ ବିଷର୍ଣ୍ଣ ଅସ୍ତଗାମୀ ଜହ୍ନକୁ ସାରାରାତି କ୍ଲାନ୍ତ ଆଖିରେ ଅନେଇ ରହିପାରିବାର ସାମର୍ଥ୍ୟ ଥାଏ ଖୁବ୍ କମ୍ କବିଙ୍କର - ଯେମିତି ଗୁରୁପ୍ରସାଦ ।

 

ଗୁରୁପ୍ରସାଦଙ୍କ ପାଦତଳର ପୃଥିବୀ ଆଉ ଆଖି ଉପରର ଆକାଶରେ ମେଞ୍ଚା ମେଞ୍ଚା ଅନ୍ଧାର, ଅପନ୍ତରା ଆଉ ଅସ୍ପଷ୍ଟ କୁହୁଡ଼ି । କୁଢ଼କୁଢ଼ ବାଲି ଉପରେ ଠିଆହୋଇ ରହିଥିବା ଆଜିର କ୍ଲାନ୍ତ ଜରାଗ୍ରସ୍ତ ମଣିଷଟି ପାଇଁ ଏ ପୃଥିବୀ ବିବର୍ଣ୍ଣ ଆଉ ଆକାଶ ମ୍ଲାନ । ପୁଣି ତା ପାଇଁ ସମୟର ପରିସୀମା ଗୋଧୂଳିଠାରୁ ଜହ୍ନ ନିଭିବା ଯାଏ । ଏଣୁ ସକାଳ ଓ ସୂର୍ଯ୍ୟାଲୋକ ସବୁ ଅଭିସାରିକାର ଅପେକ୍ଷା ପରି ।

 

ଏ ପୃଥିବୀ ତାଙ୍କ ପାଇଁ ଗୋଟିଏ କକ୍ଷଚ୍ୟୁତ ନଷ୍ଟଗ୍ରହ । ଏଇଥିପାଇଁ ତାଙ୍କ ପୃଥିବୀରେ ଗୋଧୂଳି ନିହତ, ସନ୍ଧ୍ୟା ମ୍ଳାନ, ଦ୍ୱିପ୍ରହର କ୍ଲାନ୍ତ, ନଦୀ ଶୁଷ୍କ, ଗଛ ଥୁଣ୍ଟା, ପତ୍ର ଜୀର୍ଣ୍ଣ, ବିଗ୍ରହ ଭଗ୍ନ । ସବୁ ଧାନକ୍ଷେତରେ ପଉଷର କୁହୁଡ଼ି, ସବୁ ନଈତୁଠ ନିର୍ଜନ, ସବୁ ଝାଉଁବଣ ନିଃଶବ୍ଦ, ସବୁ କାଉ ଓ ବାଦୁଡ଼ି ଚୁପ୍‍ଚାପ୍, ସବୁ ବାଟ ନିଛାଟିଆ... ଅସରନ୍ତି । ସେମିତି ଆକାଶ ବି ଫିକା, ନିଛାଟିଆ, ତାରା ନାହିଁ, କାକଳି ନାହିଁ, ଜହ୍ନ ବିବର୍ଣ୍ଣ, ତାରାସବୁ ମ୍ଳାନ ଓ ମଳିନ । ପୃଥିବୀ ଓ ଆକାଶ ଉଭୟ ଜୀବନହୀନ, ପ୍ରାଣହୀନ ।

 

 

‘ଆଷାଢ଼ର ଆକାଶରେ ମେଘ ନାହିଁ,

ଘାସ ନାହିଁ ମାଟିର ଦେହରେ ।”

 

ଗୁରୁପ୍ରସାଦଙ୍କ ପୃଥିବୀର ବଞ୍ଚୁଥିବା ମଣିଷଙ୍କ ଭାଗ୍ୟ ତ ଏମିତି । ସବୁ ମଣିଷଙ୍କ ଦେହ ଜରାଗ୍ରସ୍ତ, ବ୍ୟାଧିରେ ପୀଡ଼ିତ, ରୁଗ୍‍ଣ ଓ ବିବର୍ଣ୍ଣ । ସେମାନଙ୍କର ସବୁ ସମ୍ପର୍କ ଶିଥିଳ, ସବୁ ଅପେକ୍ଷା ଭ୍ରାନ୍ତ, ସବୁ ସ୍ମୃତି ଭଙ୍ଗା, ସବୁ ପ୍ରେମ ବ୍ୟର୍ଥ, ସବୁ ମନ ନିରାଶ, ସବୁ ପ୍ରଣୟ ବିଫଳ, ସବୁ ଭାଷା ମୌନ, ସବୁ ଆସକ୍ତି ଅବଶ, ସବୁ ସ୍ୱପ୍ନ ଦୁଃସ୍ୱପ୍ନ... ଦୁଃସ୍ୱପ୍ନ ।

 

ଗୁରୁପ୍ରସାଦ ଏକ ସନ୍ଧିକ୍ଷଣ, ଏକ ଅବସ୍ଥାନ୍ତରର କବି । ପ୍ରାକ୍ ସ୍ୱାଧୀନ ଭାରତୀୟ ସମାଜ, ସଂସ୍କୃତି, ଧର୍ମଧାରଣା, ଅର୍ଥନୀତି ଓ ପରିବେଶ ଭିତରେ ଗୁରୁପ୍ରସାଦଙ୍କ ଜନ୍ମ । ପିଲାଦିନ ବିତିଛି ଏକ ସାମନ୍ତବାଦୀ ସମାଜ ବ୍ୟବସ୍ଥା ଓ ନୈତିକତା ଭିତରେ, ଶିଳ୍ପ ଓ ସହରୀ ସଭ୍ୟତାଠାରୁ ଦୂରରେ; ଏକ ସରଳ ଗ୍ରାମ୍ୟ ପରିବେଶ ଭିତରେ । ସେ ଗାଁରେ ଦେଖିଛନ୍ତି ମାଇଲ ମାଇଲ ଲମ୍ବିଥିବା ଧାନକ୍ଷେତ, ଆମ୍ବତୋଟା, ନଈପଠା, ମନ୍ଦିର, ପୋଖରୀତୁଠ, ଗଛ ଓ ପାହାଡ଼ ସେପାରିରୁ ଆସୁଥିବା ସଞ୍ଜ ଓ ସକାଳ । ପୁଣି ଏସବୁକୁ ଦେଖିଛନ୍ତି ଖୁବ୍ ପାଖରୁ । କୈଶୋର ଓ ଆଦ୍ୟ ଯୌବନର ଏଇ ଅନୁଭୂତିରେ ଆର୍ଦ୍ର ତାଙ୍କର ସ୍ମୃତି । ପୁଣି ଦେଖିଛନ୍ତି ସ୍ୱାଧୀନତା ସମୟର ସବୁ ଆଲୋଡ଼ନ, ଆନ୍ଦୋଳନ । ଗାନ୍ଧୀବାଦ ଓ ସାମ୍ୟବାଦ ଆନ୍ଦୋଳନର ପଟ୍ଟଭୂମିରେ ବଦଳୁଥିବା ଗ୍ରାମ୍ୟ ସମାଜ, ଅର୍ଥନୀତି ଓ ଧୀରେ ଧୀରେ ଆସୁଥିବା ଶିଳ୍ପଭିତ୍ତିକ ସହରୀ ସଭ୍ୟତା । ଏକ ସାମନ୍ତବାଦୀ ସଂସ୍କୃତି ଗୋଟିଏ ପୁଞ୍ଜିବାଦୀ ସମାଜରେ ରୂପାନ୍ତରିତ ହେଉଥିବାର ଦୃଶ୍ୟ ।

 

ଇଉରୋପୀୟ ଭାଷା, ଶିକ୍ଷା, ସାହିତ୍ୟ, ଶିଳ୍ପ, ବାଣିଜ୍ୟର ପ୍ରଭାବରେ ଚାଳିଶ, ପଚାଶ ଦଶକରେ ଭାରତୀୟ ସମାଜ ଓ ଅର୍ଥନୈତିକ ବ୍ୟବସ୍ଥାର ଯେଉଁ ଦ୍ରୁତ ପରିବର୍ତ୍ତନ ଘଟିଥିଲା- ତା’ର ପ୍ରଭାବ ଥିଲା ଖୁବ୍ ଗଭୀର, ସୁଦୂରପ୍ରସାରୀ । ସବୁକିଛି ବଦଳିଯାଉଥିଲା – ସମାଜ, ସଂସ୍କୃତି, ଅର୍ଥନୀତି । ବଦଳିଯାଉଥିଲା ମଣିଷ, ତା’ର ଜୀବନଶୈଳୀ, ଜୀବିକା, ତା’ର ଚେତନା, ଦୃଷ୍ଟିଭଙ୍ଗୀ ଅନ୍ୟମାନଙ୍କ ସହ ତା’ର ସମ୍ପର୍କ ଏପରିକି ତା’ର ନିଜ ଭାଗ୍ୟ ଓ ଭବିଷ୍ୟତ । ଏଭଳି ଏକ ଅବସ୍ଥାନ୍ତର ସମୟର କବି ଥିଲେ ଗୁରୁପ୍ରସାଦ । ପଛରେ ତାଙ୍କର ଥିଲା ବର୍ଷା, ଜହ୍ନରାତି, କାଶତଣ୍ଡୀ, ଚମ୍ପାଫୁଲର ବାସ୍ନା, ଶିଢୁଆ ନଈର କୁଳୁକୁଳୁ ଧୂନି । ଏସବୁ ଏବେ ତାଙ୍କ ପାଇଁ ଅତୀତ । ବର୍ତ୍ତମାନ ପାଇଁ ସବୁ ଅବାନ୍ତର । ଏବେ ତ ସବୁଆଡ଼େ କୁଢକୁଢ଼ ବାଲି, ସାରା ପୃଥିବୀ ଥୁଣ୍ଟାଗଛରେ ଭର୍ତ୍ତି, ମରୁଭୂମିଟିଏ । ସବୁଆଡ଼େ ଅନସ୍ତ ଅନ୍ଧାର – ପୃଥିବୀରେ, ଆକାଶରେ ।

 

ବର୍ତ୍ତମାନ ତାଙ୍କ ପାଇଁ ବ୍ୟାଧିତ, ବିବର୍ଣ୍ଣ, ବିନଷ୍ଟ । ଏଇଥିପାଇଁ ଗୁରୁପ୍ରସାଦ ସାମ୍ପ୍ରତିକ ସମୟର ମଣିଷ, ସମାଜ, ପରିବେଶ ସବୁକୁ ଦେଖିଛନ୍ତି ଏକ ପାଣ୍ଡୁର ପୃଷ୍ଠଭୂମିରେ । ପୁଣି ଦେଖିଛନ୍ତି ଅନ୍ଧାର, ବାଲିଚର ଓ ଅସ୍ତଜହ୍ନର ପରିଧି ଭିତରେ ଆତଯାତ ଆଜିର ଅଣନିଃଶ୍ୱାସୀ ସବୁ ମଣିଷଙ୍କୁ । ତାଙ୍କ ପାଇଁ ବର୍ତ୍ତମାନର ସମୟ ସଂକ୍ରମିତ ଓ ସନ୍ଦିଗ୍ଧ । ଗୁରୁପ୍ରସାଦଙ୍କ ଦୃଷ୍ଟିରେ ମଣିଷର ଏଇ ଆବେଗରହିତ, ଅଭିଶପ୍ତ, ଯାନ୍ତ୍ରିକ ଜୀବନ ଓ ଖଣ୍ଡିତ ସ୍ଥିତିର ମୂଳକାରଣ ଆମର ବର୍ତ୍ତମାନ ସମୟ :

 

“ଭୟ ଆଉ ପାପ ମିଶି ଏ ସମୟ ଅନ୍ତଃସତ୍ତ୍ୱା...

ଜୀବନର ଭଗ୍ନାଂଶ କେବଳ

ତେଣୁ ଏହି ସହରର ଗଳିରେ

ଛିନ୍ନ ପ୍ରାଣହୀନ ଦେହ ଓ କାମନା ।”

 

ଏମିତି ଏକ ସମୟରେ ସେ ହରେକୃଷ୍ଣ ଦାସ ଓ ଅଳକା ସାନ୍ୟାଲଙ୍କ ବ୍ୟତୀତ ଆଉ କେଉଁମାନଙ୍କୁ ବା ଦେଖିଥାଆନ୍ତେ ! ସବୁଆଡ଼େ ତ ଏଇ ଗୋବର ଗଣେଶଙ୍କ ଭିଡ଼ । ଏମାନେ ତ ସବୁ ଆଜିର ମଣିଷ । ପ୍ରେମ ନାହିଁ, ସ୍ମୃତି ନାହିଁ, ସ୍ଵପ୍ନ ନାହିଁ, ଆବେଗ ନାହିଁ, ମୋହ ନାହିଁ, କାମନା ନାହିଁ, ଆସକ୍ତି ନାହିଁ ଏପରିକି ଯନ୍ତ୍ରଣା ବି ନାହିଁ । ନିତ୍ୟନୈମିତ୍ତିକତା ଭିତରେ ଏମାନେ ବଞ୍ଚନ୍ତି । ଚାକିରି ଅପେକ୍ଷା ଚାରୁକଳାର ଅଭାବ ଅଧିକ । ପ୍ରେମ, ସ୍ପନ୍ଦନ ସବୁ ନିଖୋଜ ।

 

‘ମୁଁ ଜାଣେନା ବିକା ହୁଏ କଟକର କେଉଁ ଦୋକାନରେ

ପ୍ରେମର ପ୍ରଥମ ଫୁଲ ନୀଳୋତ୍ପଳ, ବକୁଳ, ଅଶୋକ

ଅଥବା

‘ମୋ ପାଇଁ ଚଇତ କେବେ ଯାଇନାହିଁ ପତର ଥରାଇ

ମୋ ପାଇଁ ଗଳିର ମୋଡ଼ କେବେହେଲେ ଚେଇଁ ଉଠିନାହିଁ ।’

 

ଏଣୁ ବଞ୍ଚିବା ଏଠି ଯାନ୍ତ୍ରିକ । ବଞ୍ଚିବାରେ ଆକର୍ଷଣ ନାହିଁ, ଉନ୍ମାଦନା ନାହିଁ । ପ୍ରେମରେ ପ୍ରଜଜନରେ ବି । ସବୁ ଯେମିତି ପ୍ରାତ୍ୟହିକ ନିତ୍ୟକର୍ମଟିଏ ।

 

‘ତା ଭିତରେ ତୁମେ ପୁଣି ପ୍ରେମ କର ଗର୍ଭବତୀ ହୁଅ’

ଅଥବା

‘ହରେକୃଷ୍ଣ ଦାସ ପଢ଼େ ପ୍ରତିଦିନ ଖବରକାଗଜ’

 

ଜୀବିକା ଭିତରେ ବଞ୍ଚୁଥିବା ଲୋକଟି ପାଇଁ ସବୁ ଉତ୍ତେଜନା, ଭିତରେ ନୁହେଁ ବାହାରେ ଚାହିଁବା ସ୍ୱାଭାବିକ ।

 

‘ମାର୍କସବାଦ, ଗାନ୍ଧୀବାଦ, ପାମ୍ପଲେଟ୍ ଟିକଟ ବିକ୍ରିରେ

ଉତ୍ତେଜନା ବେଶ୍ ଜମେ ନାରୀ ଆଉ ଶ୍ରମିକ ବିଦ୍ରୋହ”

 

ଏମିତି ସମୟ ଭିତରେ ବଞ୍ଚୁଥିବା ଆଜିର ମଣିଷମାନଙ୍କ ପାଇଁ ସ୍ନେହ, ପ୍ରେମ, ସମ୍ପର୍କ ସବୁର ଅର୍ଥ ଅଲଗା । ଏଠି ତ ସକାଳ ନାହିଁ । ସୂର୍ଯ୍ୟ ଏଠି ବ୍ୟାଟେରୀ ନଥିବା ସାନ ଟର୍ଚ୍ଚଲାଇଟ୍ ପରି ଆସ୍ତେ ଆସ୍ତେ ଛୋଟ ହୋଇ ନିଭିଯାଏ । ସବୁ ମଣିଷ ଏଠି ଏକ ଦ୍ୱନ୍ଦ୍ୱ, ସଂଶୟ ଭିତରେ ବଞ୍ଚନ୍ତି । ସମସ୍ତେ ଏଠି ପୁରାଣର ସେଇ ଲୀଳା – ଗୋଟିଏ ଦେହରେ ନାରୀ ଓ ପୁରୁଷ ।

 

‘ଏକ ଦେହେ ଜନ୍ମ ନେଲି ପୁରୁଷ ମୁଁ

ସେଇ ଦେହେ ନାରୀର ଶୃଙ୍ଗାର

ମୋ ପାଖେ ଏକାଠି ହେଲା ସିଲ୍କ୍ ଶାଢ଼ି

ପେଣ୍ଟ କୋଟ୍, ଧ୍ୱଜଭଙ୍ଗ ପ୍ରସୂତି ଯନ୍ତ୍ରଣା ।

 

ଏଣୁ ଏଠି ପ୍ରେମ, ପ୍ରଣୟ, ପ୍ରତୀକ୍ଷା ସବୁ ବିଫଳ । ଏଇଥିପାଇଁ ଗୁରୁପ୍ରସାଦଙ୍କ ପ୍ରିୟବାନ୍ଧବୀ ଝରଣା, ମେଘ ଆଉ ମହମହ ବାସ୍ନା ଭିତରୁ ଆସେନା । ସେ ଆସେ :

 

‘ତୁମେ ଆସ ତା ଭିତରୁ ଯେତେ ଯାହା ଅଭଦ୍ର ଅଶ୍ଳୀଳ’

ଅବା ଅଳକା ସାନ୍ୟାଲର ଦେହ ଜହ୍ନରାତିରେ ପରୀଟିଏ ପାଲଟି ଯାଏନା :

‘ମୁଁ ଦେଖେ ତୁମର ଦେହ ହଠାତ୍ ଯାଏ କାଗଜ ପାଲଟି’

ଅଥବା

‘ସିନେମାର ହାଣ୍ଡବିଲ୍‍ ମୁଁ ଦେଖିଛି ତୁମରି ଦେହରେ ।'

 

ବର୍ତ୍ତମାନର ବିବର୍ଣ୍ଣତା ଓ ଅନ୍ଧାର ଭିତରେ ବଞ୍ଚୁଥିବା କବିଟିଏ ସବୁବେଳେ ସେଇ ପୁରୁଣା ସମୟ, ସେଇ ଭଙ୍ଗା ସ୍ମୃତିକୁ ଖୋଜି ଚାଲିଥାଏ । ସେହି ହିଁ ତା ପାଇଁ ଶକ୍ତି, ସାନ୍ତ୍ୱନା ଓ ସନ୍ଧାନ ।

 

‘ଭଙ୍ଗା ତୁଟା ସ୍ମୃତି ଯୋଖି ଆଜି ଖୋଜେ ଅର୍ଥ କାର

କେଉଁ ସୁପ୍ତ ପୃଥିବୀ ବା କେଉଁ ଗୁପ୍ତ ଆକାଶ ସନ୍ଧାନ’

ଅଥବା

‘ହୁଏତ ନିସ୍ତାର ଖୋଜେ ଦୁର ଗାଁ ଜୀବନର

ଦାରିଦ୍ର୍ୟ ଅଭାବ ଆଉ’...

ଅଥବା

‘ଆଜି ଯେତେ ପଉଷର ନିସ୍ତବ୍ଦ ଦେହରେ ଯାଏ

କ୍ଷୟ ହୋଇ ଏ ଗାଁର ଦେହ

ମୁଁ ଫେରି ପଛକୁ ଚାହେଁ

କେତେ ଖରା କାକର ଭିତରେ

କ୍ଷୟ ହୋଇଯାଇଥିବା କେତେ ଭଲପାଇବାର

ହିସାବ ନିକାଶ କେତେ, ସତ୍ତା କେତେ ନିଶବ୍ଦ ସମୟ ।’

 

ଏସବୁ ପରେ ବି ଗୁରୁପ୍ରସାଦଙ୍କ କବିତାରେ ପ୍ରତୀକ୍ଷାଟିଏ ରହିଛି, ଅନ୍ଧାର ଆକାଶରେ ମିଞ୍ଜିମିଞ୍ଜି ହେଉଥିବା ତାରାଟିଏ ପରି । ସେ ଅପେକ୍ଷାଟି ପୁଣି ଦ୍ୱିଧାଗ୍ରସ୍ତ, ସନ୍ଦେହର କୁହୁଡ଼ି ଭିତରେ-। ସବୁଠାରେ ଯଦି ଓ କିନ୍ତୁ, ପ୍ରସ୍ତପ୍ରସ୍ତ ପ୍ରଶ୍ନବାଚୀ ।

 

‘ତୁମେ ପୁଣି ଫେରିବ ବା ଏଇ ରେଲ୍ ଲାଇନ୍ ବାଟରେ',

ଅଥବା

‘ତୁମେ ବା ଆସିବ ଫେରି ଏଇ ବାଲି ଅପନ୍ତରା ଡେଇଁ’

ଅଥବା

‘ତୁମେ ବା ଆସିବ ଫେରି ଅସ୍ତଜହ୍ନ ନିଭିବା ଅଗରୁ’

ଅଥବା

‘ବାଟୋଇ ପକ୍ଷୀର ଗୀତ ମରି ଅବା ଗଲାଣି ଅଥଚ

ମୁଁ ତୁମର ଅପେକ୍ଷାରେ, ମୁଁ ତୁମର ଭ୍ରାନ୍ତ ଅପେକ୍ଷାରେ’

 

ଜୀବନରେ ସରୁନଥିବା ରାସ୍ତା, ଅପନ୍ତରା ଅସ୍ତଜହ୍ନ ଭିତରେ, କାକଳି ନଶୁଭିଲା ପରେ ବି ମଣିଷ ଅପେକ୍ଷା କରିଥାଏ, ଯଦିଓ ଜାଣିଥାଏ ଯେ ଏ ଅପେକ୍ଷା ଅର୍ଥହୀନ । ଅପେକ୍ଷାର, ଆଶାର ଏ ଆଲୋକ ଆଗରେ ପୃଥିବୀର ସବୁ ବିବର୍ଣ୍ଣତା ଓ ବ୍ୟାଧିର ଅନ୍ଧାର କେତେ ମଳିନ !

 

 

ଏଣୁ ଅନ୍ଧାର ଭିତରେ ମଣିଷ ଖୋଜୁଥାଏ, ଚାଲୁଥାଏ ଆଗକୁ ଆଗକୁ – ଚିରକାଳ ।

 

‘ସେଦିନ ଏ ପୃଥିବୀର ଏ ସଂକୀର୍ଣ୍ଣ ପରିସର ବ୍ୟାପି,

ମୁଁ ତୁମକୁ ଖୋଜିଯିବି ଆଜି ପରି ତଥାପି ତଥାପି ।’

 

ସମୟର ହାହାକାର, ମୃତ୍ୟୁ, ଶୂନ୍ୟତା ଓ ଯନ୍ତ୍ରଣା ଭିତରେ ବି ମଣିଷ ଏ ପୃଥିବୀକୁ ଭଲପାଏ, ଯେତେ ବିବର୍ଣ୍ଣ ଯେତେ ବିଚ୍ଛିନ୍ନ ହେଲେ ବି ।

 

‘ହୁଏତ ଏ ପୃଥିବୀକୁ ଭଲପାଏ ଦେହ ମୋର

ସ୍ମୃତିର ଏ ବେଦନା ଭିତରେ’

ଅଥବା

‘ସେଦିନ ମୋ ନଷ୍ଟଲଗ୍ନ ଭିତରେ ହୁଏତ ଥିବ

ଏ ପୃଥିବୀ ତଥାପି ସୁନ୍ଦର’

 

ସବୁ ଭୟ, ସଂଶୟ, ରୋଗ, ରକ୍ତପାତ, ଦୁଃଖ, ଦୁଃସ୍ୱପ୍ନ ଈର୍ଷା, ଘୃଣା, କ୍ଳାନ୍ତି, ଅବସାଦ ସତ୍ତ୍ୱେ ବି ମଣିଷର ଯାତ୍ରା ଅସରନ୍ତି । ସେମିତି ତା’ର ସ୍ଵପ୍ନ ଆଉ ସମ୍ଭାବନା । ଏଇଥିପାଇଁ ସାରାକାଳ ମଣିଷ ଅନ୍ଧାର ଆକାଶକୁ ଅନେଇ ରହିଥାଏ କେତେବେଳେ ସୂର୍ଯ୍ୟ ଉଇଁବ, କେତେବେଳେ ବର୍ଷା ଝରିବ ।

 

‘ଆଜି ମୁଁ ଅପେକ୍ଷା କରେ ସୂର୍ଯ୍ୟର ଉଦୟ ପୁଣି

ବର୍ଷା ଆଉ ମେଘର ଉଦୟ ।’

 

ଏମିତି ଅନସ୍ତ ଅନ୍ଧାର ଭିତରେ ଏକ ଅନାହତ ସ୍ଵପ୍ନ ଓ ସକାଳର ସନ୍ଧାନ ଦେଇଥିବାରୁ ଗୁରୁପ୍ରସାଦଙ୍କ ଆମର ଏତେ ପରିଚିତ, ଏତେ ପ୍ରିୟ ।

ଶ୍ରୀରାମ ନଗର, କଟକ

***

 

ପରଶ ଓ ପରାସର କବି ଗୁରୁପ୍ରସାଦ

ଡକ୍ଟର ତୀର୍ଥାନନ୍ଦ ମିଶ୍ର

 

।। ଏକ ।।

 

ସାଧାରଣତଃ କବିତାର ଧାରା ଆପଣାର ପୂର୍ବଯୁଗର ଦିଶା ଓ ପ୍ରବୃତ୍ତିଠାରୁ ଅବିଚ୍ଛିନ୍ନ ଥାଏ-। ଏହା ଆପଣାର ପୂର୍ବଧାରାର ହିଁ ଉତ୍ତର ବିଭାଗ ହୋଇଥାଏ । ଓଡ଼ିଆ କବିତାରେ ଆଧୁନିକତା ନିରୂପଣ କରିବାବେଳେ କବିବର ରାଧାନାଥଙ୍କୁ ହିଁ ପ୍ରଥମ ପ୍ରଧାନ ଓଡ଼ିଆ କବିଭାବରେ ଗ୍ରହଣ କରାଯାଏ । ଊନବିଂଶ ଶତକର ଶେଷାର୍ଦ୍ଧରେ ସେ ବହୁକାଳ ଧରି ପ୍ରଚଳିତ ରୀତି ପରମ୍ପରା ଭଙ୍ଗକରି ପଡ଼ୋଶୀ ବଙ୍ଗ ସାହିତ୍ୟ ଓ ପାଶ୍ଚାତ୍ୟ ସାହିତ୍ୟ ପ୍ରଭାବରେ ଏକ ନୂତନ କାବ୍ୟରୀତିର ପ୍ରଚଳନ କଲେ । ଅଦ୍ୟାବଧି ରାଧାନାଥ ପ୍ରଭାବିତ କାବ୍ୟଧାରା ଓଡ଼ିଆ ସାହିତ୍ୟରେ ମଧ୍ୟ କୌଣସି କୌଣସି ଲେଖକଙ୍କ ଦ୍ଵାରା ଅନୁସୃତ ହେଉଥିବାର ଲକ୍ଷ୍ୟ କରାଯାଏ । ଆଧୁନିକତାର ମୁଖ୍ୟ ଉପାଦାନ ମୁଖ୍ୟତଃ ତିନିଗୋଟି । ପ୍ରଥମଟି ପ୍ରତିଭା । ଉପଯୁକ୍ତ ପ୍ରତିଭାଧର କବିଟିଏ ନ ଜନ୍ମିଲେ କବିତାର ଯୁଗାନ୍ତର ହୁଏ ନାହିଁ । ଏହି ପ୍ରତିଭା ବିନା କବିତା ପରମ୍ପରାର ଶଗଡ଼ଗୁଳାରେ ହିଁ ଗତି କରି ଚାଲିଥାଏ । ଦ୍ଵିତୀୟ ଉପାଦାନ ହେଲା ବହିରାଗତ ପ୍ରଭାବ । ତୃତୀୟଟି ହେଉଛି ଦେଶ କାଳ ଗତ ପ୍ରଭାବ । ଆଧୁନିକ ଓଡ଼ିଆ କବିତାର ଉତ୍ତରଣ ପର୍ବକୁ ଲକ୍ଷ୍ୟ କଲେ ଦେଖାଯାଏ ରାଧାନାଥଙ୍କ ପରେ ଓଡ଼ିଆ କବିତା କ୍ରମେ ପରିବର୍ତ୍ତିତ ହେଲା । ଓଡ଼ିଆ ପ୍ରଗତିବାଦୀ କବିମାନେ କବିତାକୁ ‘ଉଚ୍ଚକଣ୍ଠ’ ମାଧ୍ୟମରେ ପ୍ରତିଷ୍ଠିତ କରିବାର ପ୍ରୟାସ କଲେ । ସେମାନେ ସିଧାସଳଖ ପାଠକମାନଙ୍କ ପାଖରେ ନିଜର ବକ୍ତବ୍ୟ ରଖିଲେ । ସମାଜ ତଥା ମଣିଷର ଯାହା ଅମଙ୍ଗଳକର ଉପାଦାନ ତାହାକୁ ଦୂରେଇ ଦେବାକୁ ବଜ୍ରକଣ୍ଠରେ ଘୋଷଣା କଲେ । କବିର ମୁଖ୍ୟତଃ ତିନିଗୋଟି ସ୍ଵର । ପ୍ରଥମତଃ ସେ ପାଠକ ସହିତ କଥା ହେବ । ଦ୍ଵିତୀୟତଃ ନିଜ ସହିତ କଥା ହେବ । ତୃତୀୟତଃ କୌଣସି ଏକ ଚରିତ୍ରକୁ ଅବଲମ୍ବନ କରି ସେ ପାଠକ ସହ ପରୋକ୍ଷରେ କଥା ହେବ । ପ୍ରଗତିବାଦୀ କବିମାନେ ‘ଉଚ୍ଚକଣ୍ଠ’ରେ ପାଠକ ସହ ଓଡ଼ିଆ କବିତାରେ କ୍ରମେ କଥା ହେବାକୁ ଆରମ୍ଭ କଲେ । ସଚ୍ଚି ରାଉତରାୟ, ମନମୋହନ ମିଶ୍ର, ଅନନ୍ତ ପଟ୍ଟନାୟକ ପ୍ରମୁଖଙ୍କ କେତେକ କବିତାକୁ ଏହି ଧରଣର କବିତା ଭାବରେ ଗ୍ରହଣ କରାଯାଏ ।

 

ମାତ୍ର ପରେ ଏ ଭାବନାର ପରିବର୍ତ୍ତନ ଘଟିଲା । କବି ଆଉ ପାଠକ ସହ ସିଧାସଳଖ କଥା ନ ହୋଇ ନିଜ ସହିତ ଓଡ଼ିଆ କବିତା କ୍ଷେତ୍ରରେ କଥା କହିବାକୁ ଆରମ୍ଭ କଲା । ଏ ସ୍ୱର ହେଲା ସଲିଲକି ବା ସ୍ଵଗତୋକ୍ତି ପର୍ଯ୍ୟାୟର । ପ୍ରାୟ ନୀରବ ଓ ଆତ୍ମମଗ୍ନ । ଅନ୍ୟମାନଙ୍କୁ ଏ ସ୍ଵର ଶୁଣାଇବାକୁ ସେ ଅନାଗ୍ରହୀ ହେଲା । ଏହି ଆଧୁନିକତା ପ୍ରଗତିବାଦୀ କବିର ଆଧୁନିକତା ସହିତ ସମପର୍ଯ୍ୟାୟବାଦୀ ନୁହେଁ । ଏ ସ୍ଵର ମୁଖ୍ୟତଃ ପାଶ୍ଚାତ୍ୟ ଜଗତର ତିନୋଟି ଉତ୍ସରୁ ଉତ୍ସାରିତ ହେଲା-। ପ୍ରଥମଟି ଲଣ୍ଡନ (ଯାହାର ପ୍ରମୁଖ ପ୍ରବକ୍ତା ଏଜରାପାଉଣ୍ଡ ଓ ଟି.ଏସ୍.ଇଲିଅଟ), ଦ୍ୱିତୀୟଟି ଭିଏନା (ଯାହାର ପ୍ରମୁଖ ପ୍ରବକ୍ତା କବି ରିଲ୍‍କେ) ଏବଂ ତୃତୀୟଟି ପ୍ୟାରିସ (ଯାହାର ପ୍ରମୁଖ ପ୍ରବକ୍ତା ସାର୍ତ୍ତ୍ରେ ଓ କାମ୍ୟୁ ଆଦି) । ଆମ ଆଧୁନିକ ଓଡ଼ିଆ କବିମାନେ ଏହାଦ୍ଵାରା ଗୋଟିଏ ନୂତନ ମାର୍ଗର ସନ୍ଧାନ ପାଇଲେ । ସଚ୍ଚିଦାନନ୍ଦ ଏ ମାର୍ଗର ପ୍ରଥମ ସୂରୀ କହିଲେ ଅତ୍ୟୁକ୍ତି ହେବନାହିଁ । ମାତ୍ର ତାଙ୍କର ଏହି ପାଶ୍ଚାତ୍ୟ ଅନୁସରଣର ମାର୍ଗ ବହୁପରିମାଣରେ ପ୍ରତ୍ୟକ୍ଷ ନ ହୋଇ ପରୋକ୍ଷ । ସମସାମୟିକ ବଙ୍ଗୀୟକବି ଜୀବନାନନ୍ଦ ଦାଶ ଏବଂ ପାଶ୍ଚାତ୍ୟ ପ୍ରଭାବିତ ବଙ୍ଗ କବିତା ଦ୍ଵାରା ସେ କେତେକାଂଶରେ ପ୍ରଭାବିତ ହୋଇଥିବାର ଜଣାଯାଏ । ଏ ମାର୍ଗରେ ସିଧାସଳଖଭାବେ ଓହ୍ଲାଇ ଓଡ଼ିଆ କବିତାରେ ଏକ ନୂତନ ସ୍ୱର ପ୍ରଥମ କରି ଶୁଣାଇଥିବା କବି ହେଉଛନ୍ତି ଗୁରୁ ପ୍ରସାଦ ମହାନ୍ତି (୧୮୨୪- ୨୦୦୪) । ଆଲୋଚକଙ୍କ ବିଚାରରେ ଗୁରୁପ୍ରସାଦଙ୍କ ପୂର୍ବରୁ ଅନ୍ୟ ଯେତେଜଣ ଆଧୁନିକ କବିତା କାନନର ପଥଚାରୀ ଥିଲେ, ସେମାନେ କେହି ହେଲେ ରାଧାନାଥଙ୍କ ଭାବବଳୟରୁ ଆପଣାକୁ ମୁକ୍ତ ରଖି ପାରିନଥିଲେ । କାରଣ ରାଧାନାଥଙ୍କ ଭଳି ଗଡ଼ନାୟକ, ମାନସିଂହ, ସଚ୍ଚି ରାଉତରାୟ ସମସ୍ତେ ହୃଦୟରୁ ହିଁ କାବ୍ୟର ସୃଷ୍ଟି ବୋଲି ବିଚାର କରୁଥିଲେ ଏବଂ ଏଥିରେ ମସ୍ତିଷ୍କ ଅଥବା ବୁଦ୍ଧିଚାତୁର୍ଯ୍ୟକୁ ଗୁରୁତ୍ୱ ଦେଉନଥିଲେ । ମାତ୍ର ଗୁରୁପ୍ରସାଦ ତଥା ଭାନୁଜୀ ରାଓ ପ୍ରମୁଖଙ୍କ କବିତା ଯାହା ୧୯୫୫ ପରେ ପ୍ରକାଶିତ ହେଲା ‘ନୂତନ କବିତା’ ସଙ୍କଳନରେ ତାହା ରୋମାଣ୍ଟିକ୍ ଭାବଧର୍ମୀ ନଥିଲା । ଏହି କବିତା ମଧ୍ୟରେ ମେଟାଫିଜିକାଲ କବିମାନଙ୍କ ସହ ଏଲିଅଟ୍ ଓ ବୋଦଲେୟାର ମଧ୍ୟ ପ୍ରତିଭାତ ହେଉଥିଲେ । ଜୀବନ ପ୍ରତି ଏହି କବିତାରେ ରୋମାଣ୍ଟିକ୍ ଦୃଷ୍ଟିଭଙ୍ଗୀ ବଦଳରେ ଏକ ବ୍ୟଙ୍ଗାତ୍ମକ ଦୃଷ୍ଟିଭଙ୍ଗୀ ହିଁ ଥିଲା । (ମହାନ୍ତି ଯତୀନ୍ଦ୍ର ମୋହନ: ସୂର୍ଯ୍ୟସ୍ନାତ, ୧୯୯୯, ପୃ-୧୪) । ବିଶିଷ୍ଟ ପାଶ୍ଚାତ୍ୟ ଗବେଷକ ରିଚାର୍ଡସ୍ କବିତାକୁ ଦୁଇଟି ଶ୍ରେଣୀରେ ମୁଖ୍ୟତଃ ବିଭକ୍ତ କରିଥିଲେ । ପ୍ରଥମ ଶ୍ରେଣୀର କବିତାରେ ପରସ୍ପର ବିରୋଧୀ ଏବଂ ପରସ୍ପର ସମ୍ବନ୍ଧହୀନ ଅନୁଭୂତି ସକଳକୁ ବାଦ୍ ଦିଆଯାଇ ଏକ ନିର୍ଦ୍ଦିଷ୍ଟ ଭାବନାକୁ ହିଁ କବିତାରେ ପ୍ରକାଶ କରାଯାଏ । ଦ୍ୱିତୀୟ ଶ୍ରେଣୀର କବିତାରେ ପରସ୍ପର ବିରୋଧୀ ତଥା ପରସ୍ତର ସମ୍ବନ୍ଧବିହୀନ ଅନୁଭୂତି ସକଳକୁ ଏକତ୍ରକରି ଏକ ସମନ୍ୱୟାତ୍ମକ ଭଙ୍ଗୀରେ କବିର ଭାବକୁ ପ୍ରକାଶ କରାଯାଏ । ଏହି ନୂତନ କବିମାନେ କବିତାର ଦ୍ୱିତୀୟ ମାର୍ଗକୁ ଗ୍ରହଣ କଲେ । TS. Eliot ଏବଂ ‘Unification of sensibility’ ଏହି ଭାବନାର ଦ୍ୟୋତକ । ସ୍ରଷ୍ଟାର କଳ୍ପନାରେ ସାଧାରଣ ମଣିଷପରି ବହୁ ପରସ୍ପର ବିରୋଧୀ ଅନୁଭୂତିର ସମନ୍ୱୟ ସାଧିତ ହୋଇଥାଏ । ଏହି ସମସ୍ତ ବିଚ୍ଛିନ୍ନ ଅନୁଭୂତି ମିଳିତ ହୋଇ ଏକ ଶୃଙ୍ଖଳା ଓ ସମନ୍ୱୟ ସୃଷ୍ଟି କରେ । ଏଲିଅଟ୍ ଏହାକୁ କାବ୍ୟସୃଷ୍ଟିର ମୂଳଉତ୍ସ ବୋଲି ଗ୍ରହଣ କରିଛନ୍ତି । (ମହାନ୍ତି: ସୂର୍ଯ୍ୟସ୍ନାତ, ପୃ. ୧୫)

 

 

।। ଦୁଇ ।।

 

ଗୁରୁପ୍ରସାଦଙ୍କ ପ୍ରାଥମିକ କାବ୍ୟସ୍ୱରକୁ ଲକ୍ଷ୍ୟ କଲେ ଜାଣିହୁଏ ଯେ ସେ ପ୍ରଥମେ ରୋମାଣ୍ଟିକ୍ ଭାବବଳୟ ମଧ୍ୟରେ ବନ୍ଦୀ ହୋଇଥିଲେ । ତାଙ୍କର ପ୍ରଥମ ପ୍ରକାଶିତ କବିତା ‘ଲତା’ (ସହକାର: ଏପ୍ରିଲ ୧୯୩୯)କୁ ଏହାର ଉଦାହରଣ ଭାବେ ନିଆଯାଇପାରେ । ପ୍ରଭାତୀ ବେଳାରେ ସିକ୍ତ ବସନରେ ନଦୀତୁଠରୁ ଫେରୁଥିବା ଗ୍ରାମ୍ୟବଧୂକୁ ଦେଖି ତରୁଣ ଗୁରୁପ୍ରସାଦ ରଚନା କରନ୍ତି ଏକ କବିତା । ସେହି ବର୍ଷ ମାତ୍ର ଗୋଟିଏ ମାସ ପରେ ତାଙ୍କର ଅନ୍ୟ ଏକ କବିତା ‘ସେଦିନ’ ( ସହକାର: ମେ, ୧୯୩୯) ଏହି ରୋମାଣ୍ଟିକ୍ ଭାବବଳୟକୁ ନେଇ ସଙ୍ଗଠିତ । ‘କଳାବଉଦ’, ଜ୍ୟୋସ୍ନାରାଣୀ ଓ ‘କିଆ କୁସୁମ’ ଆଦି ବିଭିନ୍ନ ରୋମାଣ୍ଟିକ୍ ଶବ୍ଦ ପୁଞ୍ଜ ମଧ୍ୟରେ ଗୁରୁପ୍ରସାଦଙ୍କ ପ୍ରାଥମିକ କାବ୍ୟ ବଳୟକୁ ସହଜରେ ଚିହ୍ନି ହୁଏ । ଏଠାରେ କବି ‘ଧୂପର ହୀରୋ’ ନୁହନ୍ତି ବୋଲି କହି ହେବନାହିଁ । ‘ଚାରୁକଳା’ର ଅଭାବ ମଧ୍ୟ ଏଠାରେ ଆଦୌ ତାଙ୍କର ନାହିଁ । ଏହାର ପ୍ରମାଣ ମିଳେ ସେହିବର୍ଷ ପ୍ରକାଶିତ ହୋଇଥିବା କବିତା ‘ଅପରାଜିତା’ (ସହକାର: ନଭେମ୍ବର, ୧୯୩୯)ରୁ-

 

‘‘ତୁମରି ଆଖି କୋଣେ ଲୁହ ଯେ ଆସେ ଭରି/ ଅପରାଜିତା ସେ ଗୋ ଶିଶିର ଟୋପା ସରି / ରକତ ଓଠ କୋଣେ ସେ ଦରହାସ ଉଠେ / ହେମନ୍ତ ପାହାନ୍ତିରେ ଗୋଲାପ ସେ କି ଫୁଟେ-।’’

 

କବିଙ୍କ ‘ସପନ ତରୀ’ (ସହକାର: ଜୁନ୍ ୧୯୩୯), ‘ଅସ୍ତରାଗ’ (ସହକାର: ସେପ୍ଟେମ୍ବର ୧୯୩୯), ‘ଅଲାଜୁକୀ’ (ସହକାର: ଡିସେମ୍ବର, ୧୯୩୯) ଓ ‘ସଜଳ ଆଖିନୀରେ’ (ଉତ୍କଳ ସାହିତ୍ୟ: ଜାନୁୟାରୀ, ୧୯୪୦) ଆଦି କବିତାରେ ଏହି ଧରଣର ଭାବବିଳାସ ଲକ୍ଷଣୀୟ । ‘ସପନ ତରୀ’ରେ ନିଜ କାଳ୍ପନିକ ପ୍ରେୟସୀ ସହ କେଉଁ ଏକ ଦୂର ଦେଶକୁ ଯାତ୍ରା କରିବାର ବିହ୍ୱଳତା ସ୍ପଷ୍ଟ ଲକ୍ଷ୍ୟ କରିହୁଏ । ଏ ପରିବେଶରେ ସବୁଜ ଗୋଷ୍ଠୀଙ୍କ ପଳାୟନ ପ୍ରବଣତାର ଗନ୍ଧକୁ ମଧ୍ୟ କବିତାରୁ ସ୍ପଷ୍ଟ ବାରି ହୁଏ । ତଥାକଥିତ ସମାଜ, ଲୋକାପବାଦ ଓ ରାଷ୍ଟ୍ରଧର୍ମ ଏ ସବୁକୁ ଗୌଣ କରିଦେଇଛି-। ଏ ପରିବେଶରେ କାବ୍ୟନାୟକ । ଏଠି ସହଜରେ ଅନ୍ନଦା ତଥା ରାଧାମୋହନଙ୍କୁ ଆଗ୍ରହୀ ପାଠକ ଲକ୍ଷ୍ୟ କରିପାରିବେ । ସମ୍ଭବତଃ ଏହି ସବୁ କବିତା ଥିଲା ତରୁଣ ଗୁରୁପ୍ରସାଦଙ୍କ ନୂତନ କବିତା ରଚନା କରିବାର ଅବ୍ୟବହିତ ପୂର୍ବର ହାତଚଳା । ସେହିପରି ‘ଅସ୍ତରାଗ’ କବିତାରେ ‘ପଙ୍କଜରାଣୀ’ର ଅବଗୁଣ୍ଠିତ ସୌନ୍ଦର୍ଯ୍ୟକୁ ଆକଳନ କରିବାର ପ୍ରବଣତା କାବ୍ୟନାୟକକୁ ଅସ୍ଥିର କରିଦେଇଛି । ‘ଅଲାଜୁକୀ’ରେ କିନ୍ତୁ ଏହି ରୋମାଣ୍ଟିକ୍ ଅବବୋଧ ପଲ୍ଲୀ ଚେତନାର କମନୀୟ କଳେବରରେ ଆତ୍ମପ୍ରକାଶ କରିଛି । କେତୋଟି ପଂକ୍ତି ସଚ୍ଚିବାବୁଙ୍କ ‘ପଲ୍ଲିଶ୍ରୀ’ର କବିତା ପଂକ୍ତିକୁ ସ୍ମରଣକୁ ଆଣିଦିଏ । ଏ କ୍ଷେତ୍ରରେ ଗୁରୁପ୍ରସାଦ ସଚ୍ଚିବାବୁଙ୍କ ଭାବଶିଷ୍ୟତ୍ଵ ଗ୍ରହଣ କରିଛନ୍ତି କହିଲେ ଅତ୍ୟୁକ୍ତି ହେବନାହିଁ । ‘ଅଲାଜୁକୀ’ରେ ‘ପାଣିଖେଳ’ର ଲୀଳୟିତ ବର୍ଣ୍ଣନା ଏବଂ ତଜ୍ଜନିତ ଗଞ୍ଜଣାକୁ ଏଠାରେ ଉପସ୍ଥାପନ କରାଯାଇପାରେ-

 

‘ବଡ଼ ଭାଉଜଙ୍କ ପାଟି ଶୁଭେ ବାରି ଆର ପାଖରୁ / ଆହା ଅଲାଜୁକୀ ଏତେବେଳ ପରେ ନଈରୁ ଫେରୁ / ଯେତେ ଗାଳି ମନ୍ଦ ସବୁ ମଥାପୋତି ସହି ମୁଁ ଯାଏ / କଅଁଳ ଖରାରେ ପାଣି ଖେଳ କଥା ବୁଝିବ କିଏ ?’

 

‘ସଜଳ ଆଖିନୀରେ’ କବିତାରେ ଗୁରୁ ପ୍ରସାଦ କ୍ରମେ ଯେପରି ଆପଣାର କବିପଣ ପ୍ରତି ଆସ୍ଥା ହରାଇ ଦେଇଛନ୍ତି । ଜୀବନର ପଥକୁ ମରୁପଥ କହିବା ଏବଂ ତାହା ମଧ୍ୟରେ କବିତା ଫୁଲ ଯେ ଫୁଟିବା ଅସମ୍ଭବ ବୋଲି ଅନୁଭବ କରିବା ମଧ୍ୟରେ କବି ମୁହ୍ୟମାନ ହୋଇପଡ଼ିଛନ୍ତି । ଏହାପରେ ଦୀର୍ଘ ସାତବର୍ଷର ଅଜ୍ଞାତବାସ ପରେ ଗୁରୁପ୍ରସାଦ ପୁନର୍ବାର ଆବିର୍ଭୂତ ହୋଇଛନ୍ତି କବିତା ରାଜ୍ୟରେ । ତାଙ୍କର ଏହି ଦୀର୍ଘ ନୀରବତାକୁ ଆଲୋଚକମାନେ କବିତାରେ ପରବର୍ତ୍ତୀ ପଦକ୍ଷେପ ପାଇଁ ଏକ ମାନସିକ ପ୍ରସ୍ତୁତି ବୋଲି ଅଭିହିତ କରିଛନ୍ତି (ଶତପଥୀ ଡଃ ନିତ୍ୟାନନ୍ଦ: ସବୁଜରୁ ସାମ୍ପ୍ରତିକ, ୧୯୭୯, ପୃ. ୪୨୩)

 

।। ତିନି ।।

 

ଏ ଯାବତ୍ ଗୁରୁପ୍ରସାଦଙ୍କ କବିତାର ମୋଟ ଚାରିଗୋଟି ସଙ୍କଳନ ପ୍ରସ୍ତୁତ ହୋଇଛି, ପ୍ରଥମ ସଙ୍କଳନଟି ଗୁରୁପ୍ରସାଦ ଓ ଭାନୁଜୀ ରାଓଙ୍କର କେତେକ କବିତାକୁ ଏକତ୍ର କରି ‘ନୂତନ କବିତା’ ନାମରେ ୧୯୫୫ ମସିହାରେ ଯତୀନ୍ଦ୍ର ମୋହନ ମହାନ୍ତିଙ୍କ ସମ୍ପାଦନାରେ ପ୍ରକାଶିତ ହୋଇଥିଲା । ଏହି ସଙ୍କଳନରେ କବିଙ୍କ ୧୯୪୮ରୁ ୧୯୫୫ ମସିହା ମଧ୍ୟରେ ଲିଖିତ କବିତାମାନଙ୍କୁ ମୁଖ୍ୟତଃ ଗ୍ରହଣ କରାଯାଇଛି । ପରେ ୧୯୭୦ ମସିହା ଜାନୁଆରୀ ମାସରେ ୧୯୪୮ରୁ ୧୯୭୦ ଏହି ବାଇଶ ବର୍ଷ ମଧ୍ୟରେ ରଚିତ ତଥା ପ୍ରକାଶିତ କବିତାମାନଙ୍କ ମଧ୍ୟରୁ ନିର୍ବାଚିତ ମୋଟ ଅଣତିରିଶଟି କବିତା ‘ସମୁଦ୍ର ସ୍ନାନ’ରେ ସଙ୍କଳିତ ହୋଇଛି । କବିଙ୍କ ତୃତୀୟ ସଙ୍କଳନ ଏହାର ଦୀର୍ଘ ଅଠର ବର୍ଷ ପରେ କବିଙ୍କର ତୃତୀୟ କବିତା ସଙ୍କଳନ ‘ଆଶ୍ଚର୍ଯ୍ୟ ଅଭିସାର’ ପ୍ରକାଶିତ ହୋଇଥିଲା । ତାଙ୍କର ଅନ୍ତିମ କବିତା ସଙ୍କଳନ ‘କବିତା ସମଗ୍ର’ ନାମରେ ଚତୁରଙ୍ଗ ପ୍ରକାଶନୀ ଦ୍ୱାରା ୧୯୯୫ରେ ପ୍ରକାଶିତ ହୋଇଛି । ଏଥିରେ ମୋଟ ଗୁରୁ ପ୍ରସାଦଙ୍କର ଅଠଷଠି ଗୋଟି କବିତା ପ୍ରକାଶିତ । ୧୯୪୦ରୁ ୧୯୪୮ ଏହି ଦୀର୍ଘ ଆଠବର୍ଷ ନୀରବ ରହିବାପରେ କବି ତାଙ୍କ କବିତାର ଦ୍ୱିତୀୟ ପ୍ରସ୍ଥ ଆରମ୍ଭ କରନ୍ତି । ସମ୍ଭବତଃ ଅଗ୍ରଜମାନଙ୍କ ପୁଚ୍ଛଗ୍ରହଣ କରି ସେହି ପ୍ରଚଳିତ ସ୍ଵପ୍ନିଳ ଆବେଗ ପ୍ରବଣ କବିତା ରଚନା କରିବାର ବିଚାରକୁ ଘୃଣା କରିଛନ୍ତି ସେ । ଇଂରାଜୀ ଭାଷା ଓ ସାହିତ୍ୟର ଛାତ୍ର ତଥା ଅଧ୍ୟାପକ ହୋଇଥିବାରୁ ସେ ସମସାମୟିକ ପାଶ୍ଚାତ୍ୟ କବିତାର ବିଭିନ୍ନ ନୂତନ ଧାରାମାନଙ୍କୁ ସଚେତନତାର ସହ ଆପଣାର କବିତାମାନଙ୍କରେ ପ୍ରୟୋଗ କରିଛନ୍ତି । ରାଧାନାଥ ମଧୁସୂଦନଙ୍କ କାବ୍ୟ ପରମ୍ପରାରୁ ଆପଣାକୁ ପୂର୍ଣ୍ଣ ରୂପେ ମୁକ୍ତ କରି ଗୁରୁପ୍ରସାଦ ନିଜ କାବ୍ୟ ଜୀବନର ଦ୍ୱିତୀୟ ପର୍ଯ୍ୟାୟରେ ଅନେକ ସଫଳ ତଥା ସାର୍ଥକ କବିତା ପାଠକଙ୍କୁ ଭେଟି ଦେଇଛନ୍ତି ।

 

ପ୍ରଥମତଃ ଗୁରୁପ୍ରସାଦଙ୍କ କାବ୍ୟନାୟକ । ‘କବି ମୁଁ’ ଭାବେ ପରିଚିତ ଏହି ଲେଖନୀୟସତ୍ତା ଲେଖକ ସହ ଓତଃପ୍ରୋତ ଜଡ଼ିତ ଥିବା କଥା କେହି କେହି ସ୍ୱୀକାର କଲାବେଳେ ଆଉକେହି କବିର କବିସତ୍ତା ଓ ବ୍ୟକ୍ତିସତ୍ତା ମଧ୍ୟରେ ପାର୍ଥକ୍ୟ ଦେଖିଥାନ୍ତି । ପୂର୍ବେ ନାୟକ ଆପଣାର ସ୍ୱତନ୍ତ୍ର ପରିଚୟ ଜାହିର କରୁଥିଲା ଆପଣାର କ୍ରିୟା ଓ ବକ୍ତବ୍ୟ ମାଧ୍ୟମରେ । ମାନସିଂହଙ୍କ କବିତା ‘ଏହି ସହକାର ତଳେ’ ଅଥବା କାଳିନ୍ଦୀ ଚରଣଙ୍କ ‘ଆମେ ଶଳା ସଇତାନ୍’ରେ ନାୟକର ଏକ ସ୍ୱତନ୍ତ୍ର ପରିଚିତି ଥିଲା । ତାର ଧାରଣା ଥିଲା ସମାଜକୁ ବଦଳାଇବାକୁ ପଡ଼ିବ ତାକୁ-। ସେ ପୂରା ଠିକ୍ । ମାତ୍ର ପ୍ରଚଳିତ ସାମାଜିକ ବ୍ୟବସ୍ଥା ଦୋଷଯୁକ୍ତ । ମାତ୍ର ଏହି ଅନୁଭବ ପରବର୍ତ୍ତୀ କାଳରେ ନିଜପାଖରେ ଆଉ ନାୟକର ରହିପାରିଲା ନାହିଁ । ସେ ଆପଣାର ସମଗ୍ର ସତ୍ତା ଭିତରେ ଆବିଳତା, କୁତ୍ସିତତା, ବିଶ୍ୱାସ ଘାତକତା, ସ୍ୱାର୍ଥପରତା ତଥା କୃତଘ୍ନତା ଆଦି ଗୁଣକୁ ଲକ୍ଷ୍ୟ କରିବାକୁ ଲାଗିଲା । ବୋଦଲେୟାର ନିଜ ନାୟକତ୍ୱ ସମ୍ପର୍କରେ ଏହିପରି ମନ୍ତବ୍ୟ ଦେଲେ, ସେ ହେଉଛନ୍ତି ସେଇ ଲୋକ ଯେ ଦର୍ପଣ ସମ୍ମୁଖରେ ନିଜକୁ ସବୁବେଳେ ଦେଖୁଥାଏ । ତାର ସବୁ ପରାଶ । ତେଣୁ ଏଠି କବି ମୁଁ ଆଉ ଅତୀତର ନାୟକ ହେବାର କ୍ଷମତା ନିଜ ମଧ୍ୟରେ ରଖିପାରିଲା ନାହିଁ । (ଦାସ ଦାଶରଥି : କ୍ଲାସ୍‍ନୋଟ୍, ୨୬.୯.୦୪) ।

 

ଏହି ଦୃଷ୍ଟିକୋଣରୁ ଗୁରୁପ୍ରସାଦଙ୍କ କାବ୍ୟନାୟକକୁ ବିଚାର କରାଯାଇପାରେ । ତାଙ୍କ କାବ୍ୟନାୟକ କେଉଁଠି ହେଲେ ଆପଣାର ନାୟକତ୍ୱକୁ ପ୍ରକାଶ କରି ନାହିଁ ବରଂ ତାକୁ ନିଷେଧ କରି ଆସିଛି । ‘ଗୋବର ଗଣେଶ’ରେ ଏହି ଭାବ ଅତ୍ୟନ୍ତ ସ୍ପଷ୍ଟଭାବେ ଚିତ୍ରିତ-

 

‘ମୁଁ ନୁହେଁ ଧୂପର ହୀରୋ, ଗାର୍ଲସ୍କୁଲ ଚୁମ୍ବନ ବା ଚମ୍ପୂର ନାୟକ

ଚାରୁ କଳା ଅଭାବ ମୋଠାରେ

ତାର ସିଲ୍‍କ ଲୁଗା ତଳୁ ଗୋଲ୍ ଛାତି ଯେବେ ଉଙ୍କି ମାରେ ।’

(ମହାନ୍ତି ଗୁରୁପ୍ରସାଦ, କବିତାସମଗ୍ର, ୧୯୯୫ ପୃ. ୫)

 

ଏଠାରେ କବି ମୁଁଟି ମାନସିଂହ ଗଡ଼ନାୟକ ଅଥବା କାଳନ୍ଦୀଚରଣଙ୍କ ସର୍ବଗୁଣ ସଜନ୍ନ ସ୍ରଷ୍ଟା ମୁଁଟିଏ ନୁହେଁ । ବରଂ ଏକ ଅସହାୟ, ଅସଫଳ ତଥା ଅସମର୍ଥ ବ୍ୟକ୍ତି ସତ୍ତା । ‘ଗୋବର ଗଣେଶ’ର କାବ୍ୟନାୟକ ଏହି ଭଳି ଏକ ବେଦନା ତଥା ଯନ୍ତ୍ରଣାରେ ଚିରଜର୍ଜରିତ । ନାୟିକା ପ୍ରତି ତା ମନ ଭିତରେ ଅନେକ ରୋମାଞ୍ଚ, ମାତ୍ର ଏ ରୋମାଞ୍ଚକୁ ସାକାର କରିବାକୁ ସେ ଅସମର୍ଥ । ରୀତି କାବ୍ୟ ପରି ଏ ନାୟକ ତରୁଣ ତଥା ସର୍ବସମର୍ଥ ନୁହେଁ । ଅକାଳ ବାର୍ଦ୍ଧକ୍ୟ ଗ୍ରସ୍ତ ସେ । ଏ ବାର୍ଦ୍ଧକ୍ୟକୁ ଦୁଇଟି ଦୃଷ୍ଟିକୋଣରୁ ବିଚାର କରାଯାଇପାରେ । ପ୍ରଥମତଃ ଇନ୍ଦ୍ରିୟ ଲାଳସାକୁ ଚରିତାର୍ଥ କରିବାର କ୍ଷମତାହୀନତା ଏବଂ ଦ୍ୱିତୀୟତଃ ଆଧ୍ୟାତ୍ମିକ ପଙ୍ଗୁତା ଜନ୍ୟ ସାମର୍ଥ୍ୟହୀନତା । ଏହି ଅସମର୍ଥ ପଣିଆ ହିଁ କାବ୍ୟନାୟକର ବିଧିଲିପି । ନିୟତି । ସେ ଏଥିରୁ ଚାହିଁଲେ ମଧ୍ୟ ମୁକ୍ତି ପାଇ ପାରିବ ନାହିଁ । ପ୍ରେମ ପାଇଁ ପ୍ରଣୟ ପାଇଁ ତାର ଯେ ପ୍ରବଣତାହ ନାହିଁ ନୁହେଁ । ଯେମିତି ‘ଗୋବର ଗଣେଶ’ କବିତାର ଆଦ୍ୟରେ କବି କହନ୍ତି, “ମୁଁ ବସେ ଝରକାପାଖେ ଜାକି ଜୁକି ଗୋଲ କରି ରଖି ମୋର ଛାତି ପକେଟରେ । ମଲ୍ଲୀହାର ଚମ୍ପାକଢ଼ ଶାଢ଼ୀ ତାର ବ୍ଲାଉଜ୍ ତାର ଗୋଲଛାତି କଳା ଆଖି ତାର । ରୁମାଲରେ ଯାକି ଯୁକି ମନ ମୋର ଦେହ ମୋର ଆତ୍ମା ମୋର ମୋ ପୁରୁଷକାର’ (କବିତାସମଗ୍ର, ପୃ. ୪୨) । ଏଠାରେ ପ୍ରେମ ଚେତନା ଯେତେ ବାସ୍ତବ ନୁହଁ, ସେତେ କାଳ୍ପନିକ । ପକେଟରେ ପ୍ରେମିକାର ଶାଢ଼ୀ, ବ୍ଲାଉଜ, ଗୋଲଛାତି ଓ କଳା ଆଖିକୁ ରଖିବା ସମ୍ପୂର୍ଣ୍ଣ ଅସମ୍ଭବ । ଏଠାରେ କାବ୍ୟନାୟକର ମାନସିକ ଚିନ୍ତନ ହିଁ ମୁଖ୍ୟ । ଏଠାରେ କାବ୍ୟ ନାୟକ ତେଣୁ ପ୍ରେମର କାମ ଦେବ ନୁହେଁ, ଯାହାକୁ ‘କାଗଜ ବା କ୍ରୋଟନ ଶାୟବ’ ମଧ୍ୟରେ ବ୍ୟଙ୍ଗ କରାଯାଇଛି । ବରଂ ନାୟକରୁ ସେ ଓହ୍ଲାଇ ଆସି ‘ନାଟର ଦୂତ’ ହୋଇଯାଇଛି କେବଳ ରାଜ୍ୟର ଖବର ଦେବା ଯାହାର କାମ (କବିତା ସମଗ୍ର, ପୃ. ୫୨) ।

 

ଏ ଅବସନ୍ନ ତଥା ଅପାରଗ କାବ୍ୟ ନାୟକର ପ୍ରେମ ଓ ପୃଥିବୀ ସମ୍ପର୍କରେ ଜ୍ଞାନ କେତେବେଳେ ବି କମ୍ ନୁହେଁ, ଇଂରାଜୀ ନାଟକ ତଥା ଉପନ୍ୟାସର କଳାତ୍ମକତା ସମ୍ପର୍କରେ ସେ ବେଶ୍ ଅବହିତ । ତା ରକ୍ତର ସେହି ଆରଣ୍ୟକ ଆଦିମ ପ୍ରବୃତ୍ତି ଯାହା ‘ରକ୍ତମୁହାଁ ଛୁରୀ’ ମଧ୍ୟ ଅତ୍ୟନ୍ତ ସାର୍ଥକ ଭାବେ ବ୍ୟଞ୍ଜିତ ସେ ସମ୍ପର୍କରେ ସେ ମଧ୍ୟ ସମ୍ପୂର୍ଣ୍ଣ ସଚେତନ । ତଥାପି ମଧ୍ୟ ଏ ସମସ୍ତ ଜ୍ଞାନ ଓ ଧାରଣା ତା’ ପାଇଁ ନିରର୍ଥକ । ଏସବୁ ଅନୁଭବ ତାର ଅସମର୍ଥପଣ ପାଇଁ ତା’ ନିଜ ବିଲୀନ ହୋଇଯିବା ଛଡ଼ା ଅନ୍ୟ ଉପାୟ ନାହିଁ । ସମୟର ପ୍ରବହମାନତା ଓ ତଜ୍ଜନିତ ସଂହାର ବ୍ୟଞ୍ଜନା ମଧ୍ୟରେ କାବ୍ୟନାୟକର ଏହି ଚିନ୍ତାଧାରା ଅତ୍ୟନ୍ତ କଳାତ୍ମକ, ‘ମୁଁ ଦେଖିଛି ସନ୍ଧ୍ୟାକେତେ ମ୍ଳାନ ହୋଇଯାଇଛି ମିଳାଇ / ପତ୍ର କେତେ ଝଡ଼ି ଝଡ଼ି ସମୟକୁ ଯାଇଛି ଗୋଡ଼ାଇ ।’ (ଗୋବର ଗଣେଶ, କବିତା ସମଗ୍ର, ପୃ. ୭) । ବୋଦ୍‍ ଲେୟାରଙ୍କ ସ୍ରଷ୍ଟା ମୁଁ ଦର୍ପଣ ସମ୍ମୁଖରେ ବାରମ୍ବାର ଆପଣାର ଅସାମର୍ଥ୍ୟକୁ ପରଖୁ ଥିବାପରି ‘ଗୋବର ଗଣେଶ’ର କାବ୍ୟନାୟକ ଦର୍ପଣ ଆଗରେ ଆପଣାର ଅସମର୍ଥପଣକୁ ଭେଟିଛି (ଆରିଷିରେ ମୁହଁଦେଖି ମୁଁ ମାପିଛି କେତେ ଗାଢ଼ ହୋଇ / ଆଖି ମୋର ଛୁଇଁଛି କୋରଡ଼ି, କବିତା ସମଗ୍ର, ପୃ. ୭) । ସ୍ଥିତି ଥାଇ ମଧ୍ୟ ଏହି ନିରୂପାୟ ବିଫଳତାର ଭବିତବ୍ୟ କାବ୍ୟନାୟକକୁ କମ୍ ଦୁଃଖ ଦେଉନାହିଁ । ‘ଯୁକ୍ତ ଓ ବିଯୁକ୍ତ ମୀମାଂସା’ର ଏକମାତ୍ର ନିରର୍ଥକ ସମାଧାନ ମଧ୍ୟରେ ଯେ ତାର ସମଗ୍ର ଆୟୁଷ୍କାଳ ଅତିବାହିତ ହୋଇଯିବ, ଏଥିରେ ସେ ନିଃସନ୍ଦେହ ।

 

‘ଗୋବର ଗଣେଶ’ ପରି ‘ପ୍ରିୟ ବାନ୍ଧବୀ’ରେ ମଧ୍ୟ କାବ୍ୟନାୟକ ଏକ ବିଫଳ ଜୀବନଯାତ୍ରାକୁ ଆପଣାର କରିଛି । ଚନ୍ଦ୍ରଭାନୁର ପ୍ରଣୟ କଥା କହିଲେ ମଧ୍ୟ ମୁଁ ତୁମକୁ ଭଲପାଏ ଚନ୍ଦ୍ରଭାନୁ ଭଲ ପାଇଥିଲା) କାବ୍ୟନାୟକ ଏଠି ଚନ୍ଦ୍ରଭାନୁପରି ସମର୍ଥ ପୁରୁଷ ନୁହେଁ । ଇପ୍‌ସିତ ନାୟିକା ଯେ ନିଶ୍ଚିତ ଆସିବ ଏ ପ୍ରକାର ନିଶ୍ଚିତତା ମଧ୍ୟ ତାପାଖରେ ନାହିଁ । ଅପରନ୍ତୁ ଏକ ସନ୍ଦେହ ପଣ ତାକୁ ଆଚ୍ଛନ୍ନ କରି ବସିଛି (ମୁଁ ତୁମର ଅପେକ୍ଷାରେ ପ୍ରଶ୍ନମୟ ପୁଣି ସନ୍ଦିହାନ) । କାବ୍ୟ ନାୟକ ନିଜେ ଏଠାରେ ଅବସନ୍ନ । ଶୀତ ଋତୁ ବୁଢ଼ା ହୋଇ ଆସିବା ଭିତରେ ଏହା ମୁଖ୍ୟତଃ ବ୍ୟଞ୍ଜିତ । ଶୀତର ସକଳ କଳରୋଳ ପରିସମାପ୍ତ ହେବାପାଇଁ ବସିବା ବେଳେ ବି ବସନ୍ତର ଦେଖା ନାହିଁ । ନାୟିକା ସହ ଆଗାମୀ ମିଳନର କଳ୍ପନା କରିବାକୁ ମଧ୍ୟ କାବ୍ୟନାୟକ ଭୁଲିନାହିଁ । ମାତ୍ର ତାର କୌଣସି ସକାରାତ୍ମକ ସ୍ଥିତି ସ୍ଥାପକତା ନାହିଁ । ପ୍ରେମାସ୍ପଦାର କ୍ଷୟଶୀଳ ସତ୍ତା ଦେହରେ ପୂର୍ଣ୍ଣ ବିଲୀନ ହୋଇଯିବାର ଅନୁଭବ କରୁଛି ସେ– ତା’ଭିତରେ ଲୟପାଏ ପ୍ରାଣ ମୋର ଆତ୍ମା ମୋର ଆଉମୋର ମାଟିର ଆକାର । ଏକ କ୍ରିୟାହୀନ ବିଲୀନତା ବ୍ୟତୀତ ଏଠାରେ ଯେପରି ତାର ଗତ୍ୟନ୍ତର ନାହିଁ । ‘ଗୋବର ଗଣେଶ’ ଓ ‘ପ୍ରିୟ ବାନ୍ଧବୀ’ର କବି ମୁଁ ‘ଶରତ ଋତୁରେ ଜହ୍ନ’ର କବି ମୁଁର ଏକ ନୀରବ ପ୍ରଲମ୍ବନମାତ୍ର । ଏଠି ‘କବି ମୁଁ’ ର କୌଣସି ସ୍ୱତନ୍ତ୍ର ସ୍ଥିତି ନାହିଁ । ଜହ୍ନର ଫିକାସ୍ୟାହିରେ ପ୍ରେମାସ୍ପଦାର ରେଖାଚିତ୍ର ଆଙ୍କିବାର ପ୍ରୟାସ ମଧ୍ୟରେ ତାର ସକଳ କାର୍ଯ୍ୟର ପରିସମାପ୍ତି ଘଟିଛି । କେବଳ ବିଫଳ ଜୀଇଁବା ଓ ଭଲପାଇବାର ବ୍ୟଥା ନେଇ ଯାହା ଆତଜାତ ହୋଇଛି ସେ (ମୋର ମାଂସହାଡ଼ ତଳେ ସମୟ ବା ପ୍ରେମର ଦରଜ । (ଶରତ ଋତୁରେ ଜହ୍ନ, ମହାନ୍ତି, କବିତା ସମଗ୍ର, ପୃ. ୧୩)

 

‘ସୁନାର ଝରଣା’ରେ ‘କବି ମୁଁ’ କ୍ଷଣକପାଇଁ ଚଳଚଞ୍ଚଳ ତଳି ପ୍ରତୀତ ହେଲେ ମଧ୍ୟ ତାର ଅବସାଦଗ୍ରସ୍ତ ପଙ୍ଗୁତ୍ୱ ପରବର୍ତ୍ତୀ ପର୍ଯ୍ୟାୟରେ ସ୍ପଷ୍ଟ ହୋଇଯାଇଛି । ମୁହୂର୍ତ୍ତକପାଇଁ ଦେହରେ ‘ଗୋପନ ଦକ୍ଷିଣା’କୁ ଉପଲବ୍ଧି କରିଥିବା କାବ୍ୟନାୟକ ପରବର୍ତ୍ତୀ ମୁହୂର୍ତ୍ତରେ ଆପଣାକୁ ଜୀର୍ଣ୍ଣତା ଓ ବ୍ୟର୍ଥତା ହାତରେ ଟେକିଦେଇଛି ଏବଂ ତାର ଭଲପାଇବାର ମଧ୍ୟ ପୂର୍ଣ୍ଣତା ଆସିନାହିଁ ମୁଁ ତାକୁ ପାଇଛି ଭଲ ବ୍ୟର୍ଥତା ମୋ ପୁଞ୍ଜୀଭୂତ କରି । ଜୀର୍ଣ୍ଣ ମୋର ଅବଶୋଷ ଜାଳି ପୋଡ଼ି ପଉଷର ଜୀର୍ଣ୍ଣ ଗୋଧୂଳିରେସୁନାର ଝରଣା: କବିତା ସମଗ୍ର, ପୃ.୧୭) । ‘ଚିଠି’ରେ ଏହି ଚେତନା ଅଧିକ ଶାଣିତ । କବି ମୁଁ ଯେଉଁ କାଳର କଥା କହୁଛି ତାହା ସୁରଭିତ ଚୈତ୍ର ହେଲେ ମଧ୍ୟ ଜୀର୍ଣ୍ଣ, ଜରାଗ୍ରସ୍ତ ଓ ବିବର୍ଣ୍ଣ (ପୁଣିଜୀର୍ଣ୍ଣ ଚଇତର ଜରାଗ୍ରସ୍ତ ବିବର୍ଣ୍ଣ ଦେହରେ) । ଏ ପରିବେଶରେ କବି ମୁଁ ଆପଣା ଦେହର ଦୁର୍ଗନ୍ଧ ମଧ୍ୟରେ ନିଜ ଭିତରେ ଶହଶହ ପ୍ରେତାତ୍ମାଙ୍କୁ ଅନୁଭବିଛି (ମୁଁ ତୁମକୁ ଦେଖିପାରେ ମୋର ଶତ ପ୍ରେତାତ୍ମା ଭିତରେ) । ତଥାପି ମଧ୍ୟ କବି ମୁଁର ନାୟିକାକୁ ନେଇ ସ୍ଵପ୍ନାଦେଶର ଅଭାବ ନାହିଁ । ଏ ସ୍ଵପ୍ନର ପ୍ରଥମାଂଶ ବହୁପ୍ରସ୍ତ ବିଶିଷ୍ଟ । ନାୟିକା ପାଇଁ ସେ ଏକାଧାରରେ ସବୁ । ଆନନ୍ଦ ଦେବା ପାଇଁ ଜହ୍ନ ଆଉ ରାତିର କବିତା । ଏ କବିତାକୁ ଆହୁରି ସ୍ପଷ୍ଟ କରିଛନ୍ତି କାଳିଦାସୀୟ ଅନୁବାଦ କରିବାରେ । ନାୟିକା ସହିତ ସମ୍ପର୍କ ଯୋଡ଼ିବାରେ । ଏକାଧାରରେ ଆପଣାକୁ ବାପା, ଭାଇ, ପ୍ରେମିକ, ସ୍ଵାମୀ ଓ ପ୍ରହରୀ ବୋଲି ସାବ୍ୟସ୍ତ କରିଛି । ମାତ୍ର ଏ ବାବଦୁକ ପଲ୍ଲୀବନ ବେଶୀକାଳ ତିଷ୍ଠିରହିନାହିଁ । ଦ୍ଵିତୀୟାଂଶରେ ଆପଣାର ବିଭଙ୍ଗ ଜୀର୍ଣ୍ଣ ଓ ବ୍ୟାଧିଗ୍ରସ୍ତ ସ୍ଥିତି ପୁଣି ସ୍ପଷ୍ଟ ହୋଇ ଯାଇଛି (ବ୍ୟାଧିଗ୍ରସ୍ତ ମୋ ଦେହର ଜରାଗ୍ରସ୍ତ ମୋର ଲୋମ ମୂଳେ) । କବିତାର ଅନ୍ତିମ ଧାଡ଼ିପର୍ଯ୍ୟନ୍ତ କବି ମୁଁର ଏହି ଅସମର୍ଥ ଅସହାୟତା ଅତ୍ୟନ୍ତ କଳାତ୍ମକ ଭାବରେ ପରିବ୍ୟାପ୍ତ । “ଆଖିର କପୋତ ମୋର’ କବିତାରେ କବି ମୁଁର ଅନୁରୂପ ସ୍ଥିତି । ଏକ ମୃତ୍ୟୁ ଶୀତଳ ସ୍ଥିତି କ୍ରିୟାହୀନ ଓ ସମ୍ବେଦନହୀନ (ମୋଦେହ ବା ଜୀବନ୍ତ କୋଉଠି) । ‘ନିହତ ଗୋଧୂଳି’ର ପ୍ରାଥମିକ ପର୍ଯ୍ୟାୟରେ ସମସ୍ତ ବିହଙ୍ଗତା ତଥା କ୍ରିୟାହୀନତା ସତ୍ତ୍ୱେ କବି ମୁଁ ପ୍ରେମାସ୍ପାଦାର ଠିକଣା ଖୋଜିବାର ଆଦୌ ଅବହେଳା କରି ନାହିଁ (ମୁଁ ଆଜି ତଥାପି ଚାଲେ ତୁମର ଠିକଣା ଖୋଜି ନିଛାଟିଆ ବାଟଘାଟ ବାଡ଼ି ଆଉ ଝାଉଁର ଜଙ୍ଗଲ) । ମାତ୍ର ଏ ପ୍ରୟାସ ଯେ ବିଫଳ ଠିକ୍ ପରେ ପରେ ଅନୁଭୂତ ହୋଇଛି କବି ମୁଁ ଦ୍ଵାରା ଏବଂ ଏକ ସିଦ୍ଧପୁରୁଷ ପରି ସେ ସଂସାରର ସବୁ ବିଫଳ ପ୍ରୟାସ, ଦୁରନ୍ତ ଆଶା ଓ କାମନାର ବିନାଶ ଆଶା କରିଛି । ଗୁରୁପ୍ରସାଦଙ୍କ ସନେଟ୍‍ମାନଙ୍କରେ କବି ମୁଁର ଏହି ସ୍ଥିତି ଅନୁରୂପ, ମାତ୍ର ପୂର୍ବସ୍ଥିତିଠାରୁ ଅଧିକ ପ୍ରେମ ନିର୍ଭର କିନ୍ତୁ ବିଫଳ । ଏଥିରେ ପ୍ରେମାସ୍ପଦାକୁ ଖୋଜିବୁଲିବାର ପ୍ରବଣତା ଅଛି (ମୁଁ ତୁମକୁ ଖୋଜି ଯିବି ଆଜିପରି ତଥାପି ତଥାପି: ସନେଟ୍‍ ନଂ୩: କବିତା ସମଗ୍ର, ପୃ. ୪୬), ଭଲପାଇବାର ଅନୁଭବ ଅଛି (ମୁଁ ତୁମକୁ ଭଲ ପାଏ ଜନ୍ମ ମୃତ୍ୟୁ ସମୟର କ୍ଷୟକ୍ଷତି ଯଦି, ସନେଟ ଦୁଇ, କବିତା ସମଗ୍ର, ପୃ. ୪୫), ମାତ୍ର ଉଭୟଙ୍କ ମିଳନରେ କବି ମୁଁର ଦେହାବସାନର ବାର୍ତ୍ତା ହିଁ ମୁଖ୍ୟ କଥା ହୋଇଛି, ଯେଉଁଥିରେ ପ୍ରତିଥର ଭଲପାଇବା ନପାଇବା ଉପରେ ଆଦୌ ଗୁରୁତ୍ୱ ଦିଆଯାଇନାହିଁ (ମୋର ଆଜି ମୃତ୍ୟୁ ହେଉ ଜରାଜୀର୍ଣ୍ଣ ପୃଥିବୀର ଦେହ / ତୁମକୁ ମିଶାଇ ଦେବ ତୁମେ ଭଲ ପାଅ ବା ନପାଅ : ସନେଟ୍ ଛଅ : କବିତା ସମଗ୍ର ପୃ. ୪୯) ଏବଂ ତାର ସ୍ୱରୂପ ସ୍ଥିତି ଉପରେ ମଧ୍ୟ ଆଦୌ ନିର୍ଭର କରାଯାଇନାହିଁ (ତୁମେ ପୁଣି ଦେଖାଦେବ ମୋ ମୃତ୍ୟୁର ଭୟତଳେ ହ୍ୟାଣ୍ଡଲୁମ୍ ଶାଢ଼ୀରେ ବା ଅନ୍ୟ କେଉଁ ଆଖିର ତାରାରେ : ସନେଟ୍ ଦଶ: କବିତା ସମଗ୍ର ପୃ. ୫୩)

 

ଗୁରୁପ୍ରସାଦଙ୍କ ଅନ୍ୟ କେତୋଟି କବିତାର କବି ମୁଁର ଏହି ଅସଫଳ ଅସହାୟତା ଅଧିକସ୍ପଷ୍ଟ ‘ଛୁଟିର ଖରା’ରେ କବି ମୁଁ କ୍ଲାନ୍ତ ଓ ନିଃସଙ୍ଗ । ଏ ନିଃସଙ୍ଗତା ଆସିଛି ଗାଆଁର ଶୁନ୍‍ଶାନ ପରିବେଶ ହେତୁ । ଏ କ୍ଲାନ୍ତିକୁ କବି ମୁଁ ଖରାର ନରମ ସ୍ପର୍ଶରେ ଯଦିଓ ପ୍ରଥମେ ଧୋଇଦେବାକୁ ଅଭିଳାଷ କରିଛି (କ୍ଲାନ୍ତି ମୋର ଧୋଇଯାଉ ନିଛାଟିଆ ନରମ ଖରାରେ) ମାତ୍ର ଶେଷ ପର୍ଯ୍ୟାୟରେ ଗ୍ରାମ୍ୟ ଜୀବନର ଅତୀତ ଚିତ୍ର ଯଥା କେଉଟ ସାହିର ଢିଙ୍କି ପାହାର, ଧୋବାତୁଠର ଲୁଗା, ଗୁରୁବାରଚିତା ଓ ହୁଳହୁଳି ତଥା ଶାଶୁବୋହୁ କଳି ଆଦିର ଅବର୍ତ୍ତମାନତାରେ ସେ ଅଭିଳାଷ ତାର କାହିଁ କୁଆଡ଼େ ହଜିଯାଇଛି । ଏହି ବିକଳ ମାନସିକତା ହେତୁ ତାକୁ ପୂର୍ବରୁ ଖୁସି ଦେଉଥିବା ଖରା ଯାହାକୁ ସେ ନରମ ଖରା, ଅଶ୍ୱତ୍‌ଥ ଗଛର ଖରା, ଡାହୁକ ଡାକର ଖରା ଓ ଧଳା ବାଲିଚର ଖରା କହିଛି ସେହି ଖରା ତାକୁ ବିଷର୍ଣ୍ଣ ଏବଂ ଶ୍ରୀହୀନ ଲାଗିଛି (ଶୁନ୍‍ଶାନ ତୁମ ଗାଆଁ ଆମ ଗାଆଁ ବିଷର୍ଣ୍ଣ ଏ ଶ୍ରୀହୀନ ଖରାରେ) । ‘ଦୃଷ୍ଟିର ଦିଗନ୍ତ’ରେ ଅବସ୍ଥାର କୌଣସି ପରିବର୍ତ୍ତନ ନାହିଁ । ଏଠି ମଧ୍ୟ ଖରାକୁ ନେଇ କବି ମୁଁର ଭାବାନ୍ତର । ‘କଙ୍କି ଡେଣା’ ଓ ‘ଅସରପା ଗୋଡ଼’ର ଚିତ୍ରଭିତରେ ତାର ଅସମର୍ଥତାପଣ ସ୍ପଷ୍ଟ । ଏକାଧାରରେ ତା ଭିତରେ ଗୋଡ଼ିବାଣ ଫୁଲ ଫୁଟିବା ଏବଂ ଅଶ୍ଵତ୍ଥ ଗଛରୁ ପତ୍ର ଝଡ଼ିବାର ବ୍ୟଞ୍ଜନାରେ ସଫଳତା ଓ ଅସଫଳତାର ଏକ ତିଳ ତଣ୍ଡୁଳିତ ସ୍ଥିତି ସ୍ପଷ୍ଟ ହୋଇଯାଇଛି । ମାତ୍ର ଠିକ୍ ପରେ ପରେ କବିତାର ଶେଷ ପଂକ୍ତିରେ ଥିବା ଥୁଣ୍ଟାଗଛ କୋରଡ଼, ନିଶବ୍ଦ ମଶାଣିର ଜୁଇ ଗାଡ଼, ଛିଣ୍ଡା ମସିଣା ଓ ଖପରାର ଚିତ୍ର ଭିତରେ ପୁନର୍ବାର କବି ମୁଁର ଅସଫଳତା ଓ ବ୍ୟର୍ଥତାର ଚିତ୍ର ସ୍ପଷ୍ଟ ହୋଇଯାଇଛି ।

 

ଗୁରୁ ପ୍ରସାଦଙ୍କ ପାଞ୍ଚଭାଗରେ ବିଭକ୍ତ ତଥା ୩୭୯ ଧାଡ଼ି ବିଶିଷ୍ଟ ଦୀର୍ଘ କବିତା ‘କାଳପୁରୁଷ’ରେ କବି ମୁଁ କୁ ଅନୁସନ୍ଧାନ କରାଯାଇପାରେ । କବିତାଟିରେ କବି ମୁଁ ଅହରହ ଜୀବନଯନ୍ତ୍ରଣାରେ ପୀଡ଼ିତ । ମାତ୍ର ଏ କବି ମୁଁ ଭିତରେ ଗୁରୁପ୍ରସାଦ ଏକାଧିକ ଚରିତ୍ରର ଭାବବୋଧକୁ ବ୍ୟକ୍ତ କରିଛନ୍ତି । ରମୁ, ଇଞ୍ଜିନିଅର ସ୍ମାର୍ତ୍ତବାସ ସମସ୍ତେ ଏହି କବି ମୁଁର ଭିନ୍ନ ଭିନ୍ନ ମାନସିକ ସ୍ଥିତି । କାଳପୁରୁଷର ଏହି କବି ମୁଁକୁ କାଳର ଗତି ସମ୍ପର୍କରେ ଅବହିତ ଥିବା ଏକ ବ୍ୟକ୍ତି ନିରପେକ୍ଷ ତୃତୀୟ ପୁରୁଷ ଭାବେ ଗ୍ରହଣ କରାଯାଇଛି (ମହାନ୍ତି: ସୂର୍ଯ୍ୟସ୍ନାତ, ପୃ. ୧୪୮) । ବ୍ୟର୍ଥତା ଓ ଅସଫଳତା ଏଠି କବି ମୁଁ କୁ ବହୁଭାବେ ବ୍ୟଥିତ କରିଛି । ଐତିହ୍ୟ ତଥା ମୂଲ୍ୟବୋଧ ବିରହିତ ଏକ ସମାଜ ସମ୍ପର୍କ ବିହୀନ ପରିବେଶରେ ଅବସ୍ଥାପିତ କବି ମୁଁଟି ପ୍ରାଥମିକ ପର୍ଯ୍ୟାୟରେ ନିଜ ଅତୀତ ପ୍ରେମର ସ୍ମୃତିଚାରଣ କରିଛି (ମନେ ପଡ଼େ ଦେଢ଼ବର୍ଷ ତଳେ / ଦେଢ଼ ବର୍ଷ ତଳେ ଥରେ ପଡ଼ିଥିଲି ପ୍ରେମରେ ତୁମର) । ମାତ୍ର ଏ ପ୍ରେମର ବନ୍ଦନା ଆଜି କବି ମୁଁ ଟି ପାଇଁ ପୂର୍ଣ୍ଣ ନିରର୍ଥକ । ମଣିଷର ସର୍ବନିମ୍ନ ଆବଶ୍ୟକତା ହେଉଛି ଖାଦ୍ୟ । ପ୍ରାଣୀବର୍ଗ ସୃଷ୍ଟି ହେବାଠୁ ଜାରି ରହିଛି ଭୋକ ଶୋଷ (ଭେକେ ଶୋଷ କମିନାହିଁ, ସରିନାହିଁ ଲୋପପାଇନାହିଁ) ଏହାର ଅନ୍ତ ନାହିଁ । ଏକ ପରିପୂର୍ଣ୍ଣ ପୃଥିବୀର ଅପେକ୍ଷାରେ ଥିବା କବି ମୁଁ ତେଣୁ ସ୍ତୂପୀକୃତ ଅସଫଳତା (କୁଢ଼ କୁଢ଼ ବାଲି)କୁ ଅତିକ୍ରମ କରି ତାରା, ଜହ୍ନରାତି ଓ ଚୁପ୍‍ଚାପ୍ ପବନର ଗୋପନ କଥାକୁ ଖୋଜିଚାଲିଛି, ତାର ଏ ଅସଫଳ ଅନ୍ୱେଷାର ସହଯାତ୍ରୀ ଭାବେ ସେ ଯାହାର ସାହଚର୍ଯ୍ୟ କାମନା କରୁଛି ସେ ପୁରାଣର ଦୁଇଟି ପ୍ରମୁଖ ଚରିତ୍ର ଅକ୍ରୂର ଓ ଉଦ୍ଧବ । ଏହି ଚରିତ୍ର ଦୁଇଟିକୁ କବି ମୁଁ ଆପଣା ସହିତ ଯୋଡ଼ିବା ବେଳେ ଯୋଗ ସୂତ୍ରକାରକ ସାଧାରଣ ଧର୍ମଭାବେ ଅନ୍ୱେଷଣ ପ୍ରବୃତ୍ତି ଓ ଭାରବହନତାକୁ କବି ମୁଁ ଉପସ୍ଥାପନ କରିଛି । ମାତ୍ର ଏ ବୋଝ ସମାନ୍ ନୁହେଁ । ଉଦ୍ଧବ ଚରିତ୍ରର ବୋଝ ହେଲା ଜ୍ଞାନ, ଅକ୍ରୂର ଚରିତ୍ରର ବୋଝ କୌଶଳ (କୃଷ୍ଣଙ୍କୁ କପଟରେ ଆଣିବାର କୌଶଳ) । ଉଭୟ ଅକ୍ରୂର ଓ ଉଦ୍ଧବ ପୁଣ୍ୟବନ୍ତ ଏବଂ ଅପୂର୍ଣ୍ଣ (କୃଷ୍ଣ ଅବର୍ଦ୍ଧନ ହେତୁ ଅକ୍ରୂର, ପ୍ରେମଭକ୍ତିର ଅଭାବ ହେତୁ ଉଦ୍ଧବ) । ଉଭୟଙ୍କ ଯାତ୍ରା ତେଣୁ ଅଖଣ୍ଡ ଭକ୍ତିସତ୍ତା ଆଡ଼କୁ । ମାତ୍ର କବି ମୁଁର ଏ ଭାବ ବିଭବ ନାହିଁ-। ଏକ ବ୍ୟକ୍ତିଗତ ତଥା ବିଘଟିତ ମନୋସ୍ଥିତିରେ ଅସଫଳ ଭାଗ୍ୟକୁ ନେଇ ତାର ଏ ଯାତ୍ରା । ମାତ୍ର ଏ ଯାତ୍ରାରେ ତାର ଅନ୍ୱେଷା ପ୍ରବୃତ୍ତି ଦାୟ ରହିଛି ତାରା, ଜହ୍ନ, ଝରଣାର ସୁଅ, ପିତାମାତା ଓ ନିର୍ମୂଳି ନଟା ମଧ୍ୟରେ ଅଦ୍ନତୀର ଆଲୋକ ନିକଟରେ । ଆତ୍ମ ଅନ୍ୱେଷାରେ ଧାବିତ ହୋଇ ଆତ୍ମସାକ୍ଷାତ୍‌କାର ଲଭିବା ପ୍ରତିଟି ଜୀବନର ସାର୍ଥକତା । ମାତ୍ର ଏକ ବିଡ଼ମ୍ବିତ ଭାଗ୍ୟ ଓ ଭବିତବ୍ୟ ଧରି ଏହି କବି ମୁଁ ଆପଣାର ଅନ୍ୱେଷର ଅବ୍ୟାହତ ରଖିଥିଲେ ମଧ୍ୟ କୌଣସି ଫଳ ଲାଭ କରିପାରିନାହିଁ ।

 

ପ୍ରଥମତଃ ପ୍ରେମାସ୍ପଦାର ପ୍ରେମ ତାର ବାମ ଅଙ୍ଗକୁ ପଙ୍ଗୁ ଏବଂ ବର୍ଣ୍ଣକୁ ଈଷତ୍ ପିଙ୍ଗଳ କରି ଦେଇଛି । ପୁରାବୃତ୍ତ ମଧ୍ୟରେ ଘଟାନ୍ତରୀକରଣର ଏ ବିଷମୟ ପ୍ରକ୍ରିୟା କବି ମୁଁର ବିଡ଼ମ୍ବିତ ଭବିତବ୍ୟକୁ ହିଁ ଇଙ୍ଗିତ ଦେଉଛି । ସହରର ଧୀ ଧଉଡରତ ଜନତାଙ୍କ ମଧ୍ୟରେ କବି ମୁଁ ସେଇ ଝରଣା ଖୋଜାକୁ ଲକ୍ଷ୍ୟ କରିଛି (ଏମାନେ ଆସିଲେ କାହୁଁ ଝରଣାର ପାଣି ଖୋଜି) ଯାହା ତାର ମଧ୍ୟ କାମ୍ୟ (ଖୋଜି ଖୋଜି ଝରଣାର ସୁଅ) । ଏ ଝରଣା ଖୋଜା କବି ମୁଁର ଅବଚେତନ ପ୍ରକ୍ରିୟାରେ ଏକ ଶୂନ୍ୟ ଅନ୍ୱେଷା ବୋଧ ଯାହା ପ୍ରତିଟି ଜୀବନସତ୍ତାର ଅତଳ ତଳେ ବିଦ୍ୟମାନ ଥାଏ । ଏଣୁ ପ୍ରେମାସ୍ପଦାର ସାନ୍ନିଧ୍ୟ ତାକୁ ଆଉ ସୁଖକର ମନେହୁଏନି । ମିଳନ ମୁହୂର୍ତ୍ତରେ ହିଁ ମୃତ୍ୟୁର ବଣନିଆଁ କବି ମୁଁ ହୃଦୟରେ ଜଳିଉଠେ (ମୁଁ ଯଦିବା ଏତେ ଦିନେ ତୁମକୁ ପାଇଚି ଖୋଜି ମୋ ଦେହରେ ଜଳିଯାଏ ଆଜି କିନ୍ତୁ ଜୀବନର ଚିତା) । ପ୍ରେମ ଆଜି ଆଉ ତା ପାଇଁ କୌଣସି ନୂଆ ଅର୍ଥର ଦ୍ୟୋତନା ଦିଏ ନାହିଁ । ବରଂ ପ୍ରେମିକାର ହସ ତାକୁ ଏକ ବିଜ୍ଞାପନର ହସ ଭଳି ପ୍ରତୀତ ହୁଏ (ପ୍ରେମ ଫ୍ରେମ ବାଜେ କଥା ତୁମର ଏ ସିଲ୍‍କ କାମିଜ ତୁମର ଏ ଲକ୍‍ସ ସାବୁନ୍ ହସ) । ପ୍ରେମର ପ୍ରତିଟି ଗଳିରେ ‘ସମୟର ନଖଚିହ୍ନ” ଓ ‘ଗୋଲ ଗୋଲ ଆଖିର କୋରଡ଼’ ଦେଖୁଚି କବି ମୁଁଟି । ନଷ୍ଟ ପ୍ରାୟ ପ୍ରେମର ପଚମାନ ସ୍ଥିତି ଅପେକ୍ଷ’। କବି ମୁଁ ପରବର୍ତ୍ତୀ ମୁହୂର୍ତ୍ତରେ ଆପଣାର ସତ୍ତାକୁ ସମ୍ୱେଦନାରେ ଓଦେଇ ଦେଇଛି ‘ଦେଶର ନିରନ୍ନ ଜନତା’ଙ୍କ ଆକୁଳ ଅସହାୟତାରେ ! ‘ରାଣୀହାଟ ପଥର ପୋଲ’ (ଇଲିଅଟଙ୍କ ଲଣ୍ଡନ ବ୍ରିଜ୍) ଉପରୁ କବି ମୁଁର ଏହି ସମ୍ବେଦନଶୀଳ ଆକଳନ ତା ଜୀବନର ଭିନ୍ନ ଏକ ମୋଡ଼ । ଏଠାରେ ପ୍ରେମ ତଥା ପ୍ରେମାସ୍ପଦା ପାଇଁ ଢଳିଯିବା ଓ ଢାଳିଦେବାର ପ୍ରବଣତା ନାହିଁ, କାଠଯୋଡ଼ି ଆଡ଼କୁ ପ୍ରବାହିତ ହେଉଥିବା ପବନରେ ମଳୟର ଭୁରୁଭୁରୁ ବାସ୍ନା ନାହିଁ ବରଂ ଇଟାଭାଟି ଧୂଆଁର ନାସାକଟୁ ଗନ୍ଧ ଅଛି । ଏତିକି ବେଳେ କବି ମୁଁ ନିକଟରେ ଆଉ ଅନ୍ୟକାହାର ପରିଚୟ ନାହିଁ । ଆତ୍ମପର ବିବେଚନା ନାହିଁ । ଆକାର ପ୍ରକାର ଅଥବା ସମ୍ପର୍କ ତା’ ପାଖରେ ଆଉ ମୁଖ୍ୟ ନୁହେଁ । ବାଲିର ନିଷ୍ପଳତା ମଧ୍ୟରେ ଏ ସମ୍ପର୍କ ଅନୁର୍ବର ଓ ଅଫଳପ୍ରସୂ । ଏପରିକି ଏକମାତ୍ର ନିର୍ଭରଯୋଗ୍ୟ ପୃଥିବୀ ହିଁ ବନ୍ଧ୍ୟା (ନାହିଁ ଗୋତ୍ର ପରିଚୟ ନାହିଁ ଲେଖା ଆକାର ପ୍ରକାର / ନାରୀ ବା ପୁରୁଷ ଅବା ନପୁଂସକ ଅବା ବନ୍ଧ୍ୟା ପୃଥିବୀର ଶୋଷ) । କବିତାର ଅନ୍ତିମ ପର୍ଯ୍ୟାୟରେ କବି ମୁଁର ଅନ୍ୱେଷା ବୋଧ ଅଧିକ ଦୀପ୍ତ । ତାରା, ଜହ୍ନ, ଝରଣା, ପିତା ମାତା ଏବଂ ଅରୁନ୍ଧତୀ ତାରାର ଆଲୁଅ ଏ ସକଳ ଚିତ୍ରଧର୍ମିତା ମଧ୍ୟରେ କବି ମୁଁର ଆତ୍ମଅନ୍ୱେଷଣ ପ୍ରବୃତ୍ତ ‘ଆଦିଜନ୍ମସ୍ଥାନ’ ଓ ‘ଆଦି ପିତାମାତା’ ଏହି ରୂପକଳ୍ପ ଭିତରେ କବି ମୁଁର କାଳାତୀତ ଆତ୍ମାନ୍ୱେଷା ଅଧିକ ପ୍ରୋଜ୍ୱଳ ହୋଇଉଠେ । ସମସ୍ତ ବିରୋଧାଭାସ ମଧ୍ୟରେ ଆପଣାର କଳେବର ଓ ଭୂଷଣ ଗଢ଼ା ହୋଇଥିବା କହିବା ବେଳେ (ଏକ ଦେହେ ଜନ୍ମ ନେଲି ପୁରୁଷ ମୁଁ ସେହି ଦେହେ ନାରୀର ଶୃଙ୍ଗାର) କବି ମୁଁର ଦେହ ସତ୍ତା ଏଠି ମୁଖ୍ୟ ନୁହେଁ, ବରଂ ଆତ୍ମ ସତ୍ତା ହିଁ ମୁଖ୍ୟ । ଏ ସତ୍ତା ଉପରେ ସ୍ତରସ୍ତର ହୋଇ ବସିଥିବା ଅପକର୍ମର ଅଭିଶାପରୁ ପରୀକ୍ଷିତ ଭଳି ସେ ଏତେ ଶୀଘ୍ର ଯେ ମୁକ୍ତି ପାଇଯିବ ଏ ବିଶ୍ୱାସ ମଧ୍ୟ ତାର ନାହିଁ । ‘ରାମକୃଷ୍ଣ ମିଶନ’ ଅଥବା ‘ଏମାର ମଠ' କେହି କବି ମୁଁର ଆତ୍ମଦହନକୁ ପ୍ରଶମିତ କରିପାରିବାର ଆଶା ଦିଶୁନାହିଁ । କେବଳ ଅନ୍ୱେଷା ଲାଗି ରହିଛି । ତେଣୁ ସକଳ ‘ନଷ୍ଟଯାତ୍ରା’ରୁ ଉଦ୍ଧାର ପାଇଁ କବି ମୁଁ ନିକଟରେ ଏକମାତ୍ର ମାର୍ଗ ହେଉଛି ଅଦୃଶ୍ୟ ଆଶିଷ ଯାହା ବୈଦିକ ବାକ୍ୟର ବ୍ୟଞ୍ଜନା ମଧ୍ୟରେ କବିତାର ଅନ୍ତିମ ପର୍ଯ୍ୟାୟରେ ଚିତ୍ରିତ ହୋଇଛି ( ମୃତ୍ୟୁର୍ମାଂ / ଅସତୋ ମା / ତମ ସୋ ମା । ମୃତ୍ୟୁର୍ମାଂ... ମୃତ୍ୟୁର୍ମାଂ... ମୃତ୍ୟୁର୍ମାଂ / ଅମୃତଂ / ଗମୟ) । ‘ସମୁଦ୍ର ସ୍ନାନ’ର ଅନ୍ୟ ଏକ କବିତା ‘ସିଢ଼ୁଆ’ରେ କବି ମୁଁର ଏହି ହତାଶାବୋଧ ସ୍ପଷ୍ଟ । ଦୂରଯାତ୍ରାରୁ ଫେରିବାର ପ୍ରଦଣତା ଏଠାରେ ‘ଯଦି’ ମଧ୍ୟରେ ଅନିଶ୍ଚିତ ଏବଂ ଏହି ଅନିଶ୍ଚିତତା ପରବର୍ତ୍ତୀ ମୁହୂର୍ତ୍ତରେ ବିଷର୍ଣ୍ଣତା, ବ୍ୟର୍ଥତା ଓ ନିରର୍ଥକ ନିଶବ୍ଦ ବେଦନା ମଧ୍ୟରେ ପର୍ଯ୍ୟବସିତ ହୋଇଛି । ସାମଗ୍ରିକ ଭାବରେ ‘ସମୁଦ୍ରସ୍ନାନ’ର କବି ମୁଁ ବିଷର୍ଣ୍ଣତା, ଅସହାୟତା ତଥା ଅପାରଗତାତାର ଏକ ଶୀକାର ହୋଇଯାଇଛି, ଯାହା ନିକଟରେ ବଞ୍ଚିବା ଓ ଭଲପାଇବାର ସକଳ ସକାରାତ୍ମକ ଉପାଦାନ ଅନୁପସ୍ଥିତ ଏବଂ ସେ ନିଜେ ନିଜର ବ୍ୟଙ୍ଗତଥା ବିଦ୍ରୂପର ପ୍ରତିକୃତିଟିଏ ହୋଇ ପାଠକ ଆଗରେ ଆପଣାକୁ ଉପସ୍ଥାପିତ କରିଛି ।

 

ଗୁରୁପ୍ରସାଦଙ୍କ ପରବର୍ତ୍ତୀ କବିତାମାନଙ୍କରେ (କବିତା ସମଗ୍ରର ‘ବାବା ପାଇଁ ଦୁଇଟି କବିତା’ ଠାରୁ ମାଣିକେଶ୍ଵରୀ’ ପର୍ଯ୍ୟନ୍ତ) କବି ମୁଁର ଏକ ଭିନ୍ନ ରୂପ ଉପଲବ୍ଧ ହୁଏ । ‘ବାବା ପାଇଁ ଦୁଇଟି କବିତା’ର ଦୁଇଟି ଯାକ ସ୍ତବକରେ ଏହି କବି ମୁଁ ଆପଣାକୁ ଆଉ ନିଃସଙ୍ଗ ଓ ଅସହାୟ ମଣିନାହିଁ । ତାର ସାମାଜିକ ପ୍ରତିବଦ୍ଧତା ନିକଟରେ ସେ ମଧ୍ୟ ସଂଶୟାତୁର ନୁହେଁ । ‘ସମୁଦ୍ର ସ୍ନାନ’ର କବି ମୁଁ ଏଠି ଯେପରି ଭିନ୍ନ ଏକ ମାନସିକତାର ଉପସ୍ଥିତ । କବିତାରେ ସେ ଦୁଇପୀଢ଼ି (ବୋଉ ଏବଂ ପୁଅ) ମଧ୍ୟରେ ଏକ ସଂଯୋଜକ ରେଖା ହୋଇ ଠିଆ ହୋଇଛି । ନିଜ ବୁଢ଼ୀମାଆ ଓ ପୁଅ ଏ ଦୁହିଁଙ୍କ ମଧ୍ୟରେ ଏକ କାବ୍ୟିକ ସମନ୍ୱୟ କବିତାର ଆରମ୍ଭରେ ସ୍ଥାପନ କରାଯାଇଛି (ମୋ ବୋଉର ଆଖିପରି ତୋ ଆଖି ଏ ଆକାଶ / ତୋ ଆଖିର କଳାଢେଉ କଳାମେଘ ନେଳି ପ୍ରଜାପତି) । ଏଠାରେ କବି ମୁଁ ଏକ ଅବଲମ୍ବନହୀନ ବିଷୟ ବାୟବୀୟ ସତ୍ତା ନୁହେଁ, ଦ୍ୱିତୀୟ ପର୍ଯ୍ୟାୟରେ କବି ମୁଁ ଅତୀତ (ବୋଉ)ର ଅବର୍ତ୍ତମାନତାରେ ବିହ୍ୱଳିତ ମାତ୍ର ଭବିଷ୍ୟତ (ସନ୍ତାନ)କୁ ଆଶିଷ ଦେବାରେ ପହାଙ୍‍ମୁଖ ନୁହେଁ (ତା’ର ଆଖି କୁହୁଡ଼ିର ତୃପ୍ତି ଆସୁ ତୋର ମନ ଘେରି / ତା’ ହସର ସ୍ନେହ ଆସୁ ତୋ ଦେହରେ ତାର ସବୁ ଆଶୀର୍ବାଦ ନେଇ) । ତଥାପି ମଧ୍ୟ କବି ମୁଁ ବେଳେ ବେଳେ ଯେ ନିଃସଙ୍ଗତା ତଥା ନିର୍ଜନତା ଦ୍ଵାରା ଆକ୍ରାନ୍ତ ହୋଇନାହିଁ ତାହା ନୁହେଁ । ଜନ୍ମରୁ ବାର୍ଦ୍ଧକ୍ୟ ପର୍ଯ୍ୟନ୍ତ କମଉତ୍ତରିତ ପଥରେ ଆଗେଇ ଯାଉଥିବା ଏହି ସତ୍ତା ବେଳେ ବେଳେ ନିଃସଙ୍ଗତାର ତିଣ୍ଡତୈଳ ଦ୍ରୋଣିରେ ପଡ଼ି ବିଚଳିତ ହୋଇଯାଉଛି (ଏ ନିଃସଙ୍ଗ ନିର୍ଜନତା କ୍ରମେ କ୍ରମେ ଜମି ଜମି/ ଆଜି ଯେବେ ପୁଞ୍ଜିଭୂତ ଜମାଟ ନିଶ୍ଚଳ : ଲ୍ୟାଣ୍ଡ ସ୍କେପ ତିନି) । ମାତ୍ର ପରବର୍ତ୍ତୀ ମୁହୂର୍ତ୍ତରେ ଏକ ଉଜ୍ୱଳ ଆଶାବାଦର ସ୍ୱର ପୁଣି କବି ମୁଁର ମାନସିକ ଭାବାନ୍ତର ଆଣିଛି । ସେ ବସରେ ବସି ନିଶ୍ଚିନ୍ତ କୋଇଲି ଛକରେ ପହଞ୍ଚିବା ବେଳେ ଏହି ନିଶ୍ଚିନ୍ତ କୋଇଲିର ନାମକରଣକୁ ଆପଣା ଇଚ୍ଛାସୁଖରେ ବିଶ୍ଳେଷଣ କରି ବିମୋହିତ ହୋଇଯାଇଛି (ନିଶ୍ଚିନ୍ତ କୋଇଲି) । ଆଉ କେତେବେଳେ ପ୍ରକୃତିର କମନୀୟ ଚିତ୍ରପଟରେ ମୁଗ୍ଧ ହୋଇ ଉଠିଛି ସେ । ପୃଥିବୀ ତାକୁ ଲାଗିଛି ଅତି ସୁନ୍ଦର । ମନ ଭିତରେ ସେ ଉତାରିଛି ନିର୍ଜନ ଆକାଶର ନୀଳିମା ଏବଂ କେନାଲ କୂଳର ଧାନକ୍ଷେତ, ମାଛରଙ୍କା, ଶଙ୍ଖଚିଲ ଓ ଖଜୁରି ଗଛକୁ ଛୁଇଁ ଫେରୁଥିବା ପବନରେ ଅନାସକ୍ତ ସ୍ନେହକୁ ଭଲପାଇବସିଛି (ମାର୍ଶାଘାଇ) । ଏଠାରେ ‘କାଳପୁରୁଷ' ଓ ‘ଗୋବର ଗଣେଶ’ର କବି ମୁଁଟି ଅବଲୁପ୍ତ । ଅନ୍ୟ ଏକ ରୂପପାୟୀ କବି ସତ୍ତା ଏଠି ପୃଥିବୀର ମଧୁରସପାନରେ ଉନ୍ମୁଖ ଓ ଉଦ୍‍ବେଳ । ଅନ୍ୟ ଏକ ଉଦାହରଣରେ ଏହା ଆଉ ଅଧିକ ସ୍ପଷ୍ଟ ହୋଇଯାଏ । ବସନ୍ତର ଚିତ୍ର ଦେବା ବେଳେ କବି ମୁଁ ଏହାର ଆନୁଷଙ୍ଗିକ ଅନ୍ୟ ଯେଉଁ ଅନୁଷଙ୍ଗମାନଙ୍କୁ ଉପସ୍ଥାପନ କରିଛି ତାହା ହେଲା ବାହାଘର ତିଥିର ବ୍ୟାଣ୍ଡବାଜା, ନିମନ୍ତ୍ରଣପତ୍ର, ଆମ୍ବକଷି ଚାରିପାଖେ ଗୁଣୁ ଗୁଣଉଥିବା ମହୁମାଛି ଡେଣା ଓ ଫାଲ୍‍ଗୁନ ଖରା, ଏଠି ଆଉ ଆଗପରି ଚେତନାର ବିସଙ୍ଗତି ନାହିଁ (ବସନ୍ତ ସହିତ ଆସେ) । ବରଂ ଏହା ସାଙ୍ଗକୁ ‘କୃଷ୍ଣଚୂଡ଼ା ଫୁଲ’ ଓ ‘କୁରୁବକ କଦମ୍ବର ସ୍ଵପ୍ନ’କୁ ଅନୁଭବ କବି ମୁଁ ସେଇ ସବୁ ସୈରାଚିତ ସ୍ଵପ୍ନମୟ ‘ପୃଥିବୀର ପ୍ରାଚୀନ ସମୟ’କୁ ସ୍ମରଣକୁ ଆଣିଛି ।

 

କବି ମୁଁ ମଧ୍ୟରେ ଏଠାରେ ଆଉ ପୋଡ଼ିଗଲା, ଜଳିଗଲା, ସରିଗଲାର ହଙ୍ଗାମା ଓ ବ୍ୟର୍ଥତା ନାହିଁ । ତା ବଦଳରେ ଅଛି ଆନନ୍ଦ ଓ ସୁଖର ଏକ ସ୍ଵପ୍ନାଉସୁନ୍ଦର ଅନୁଭବ ଠିକ୍ ଏଇମିତି, “ଚମ୍ପାକଢ଼ ଆଭ୍‍ଗୁଠିରୁ ଝରିଆସେ ଜହ୍ନରାତି / ଫୁଲର ଝରଣା / ମୂର୍ଚ୍ଛାନାର ଏ କୁହୁକ ଘରିଦିଏ ଦେହ ମନ / ସବୁଫୁଲ ସବୁ କଢ଼, ସବୁ ମୁହଁ ଦେଖାଯାଏ / ସ୍ଵପ୍ନା ଉ ସୁନ୍ଦର (ଏସ୍‍ରାଜ ଭାଓଲିନ୍) । କବି ମୁଁର ‘କ୍ଲାନ୍ତ ସତ୍ତା’ରେ ସେତେବେଳେ ଅଭିଷକ୍ତ ହୋଇଯାଏ ‘ଫାଲ୍‌ଗୁନ ଫୁଲର ମୂର୍ଚ୍ଛନା । ଏ ସମସ୍ତ ସ୍ଵମ୍ମିଳ ଅନୁଭବ ସତ୍ତ୍ୱେ ପରିଣତ ବୟସର ବିପୁଳ ଉପଲବ୍ଧରେ କବି ମୁଁ ଏକ ନିଃସଙ୍ଗ ବେଦନା ବୋଧ ମଧ୍ୟରେ ବିହ୍ୱଳିତ । ପୃଥିବୀର ରୂପପସରା ଯଦିଓ କୃଷ୍ଣଚୂଡ଼ା, ପଳାଶ ଫୁଲ, ଫଗୁଣର ଝଡ଼ାପତ୍ର ଓ ଆମ୍ବ ବଉଳ ମଧ୍ୟରେ କବି ମୁଁ ପାଖରେ ସମର୍ପିତ ହେଉଛି ତଥାପି ସେ ତାକୁ ତାର ‘କ୍ଷୟମାନ ସତ୍ତା’ ହେତୁ ଧରି ରଖିବାରେ ସମର୍ଥ ହୋଇ ପାରୁନାହିଁ (ସନେଟ୍‌ରେ ସେ ସ୍ତ୍ରୀଲୋକର) ଆହପାତବିରୋଧୀ କୃଷ୍ଣଚୂଡ଼ା ଓ ରାଧା ତମାଳର ମହକ ଓ ରଙ୍ଗ ତଥା କାପ୍ତାର କାନ୍ଦଣା ତାକୁ ଏକ ସମୟହୀନ ସମୟରେ ସ୍ଥିର କରି ଦେଉଛି (ମୁହୂର୍ତ୍ତକ ସ୍ଥିର ହେବ/ ମୋର କ୍ଲାନ୍ତ ଚେତନାରୁ ନିଭିଯିବ ନିରଙ୍କୁଶ କାଳ ଓ ଅତୀତ : ଫାଲ୍‌ଗୁନର ଫୁଲ ସୁଖେ...) । ତେଣୁ ଏଠାରେ ତାର ସ୍ଥିତି ଏକୁଟିଆ ଝାପସା ତାଳଗଛପରି ଯାହା ଝାପ୍‍ସା କୁହୁଡ଼ିମଖା ନଈ ପଠାରେ ଏକାକୀ ଠିଆ ହୋଇ ରହିଛି (ଏଠି ଭୋରପବନରେ...) । ଏହି ନିଃସଙ୍ଗତା ମିଶିଯାଇଛି ବୟସ୍କତା ତଥା ବାର୍ଦ୍ଧକ୍ୟର ଅନୁଭବ ଭିତରେ । ଦୀର୍ଘ ବର୍ଷର ଉପସ୍ଥିତିରେ କବି ମୁଁ ଆତ୍ମସମୀକ୍ଷା ପର୍ଯ୍ୟାୟରେ ବ୍ୟକ୍ତି ସତ୍ତା ଓ କବି ସତ୍ତାର ଏକ ମଧୁର ସମନ୍ୱୟ ଆଣିଛି । ସେଠି ଏହି ପ୍ରଥମ ପୁରୁଷ ଜଣକ କେବଳ କବି ଗୁରୁପ୍ରସାଦ ନୁହନ୍ତି ବ୍ୟକ୍ତି ଗୁରୁପ୍ରସାଦ ମଧ୍ୟ । ‘କ୍ୟାମ୍ପସ୍ ବ୍ଲୁଜ’ର ନିମ୍ନ ପଂକ୍ତିରୁ ଏହା ସ୍ପଷ୍ଟ ହୋଇଯାଏ, ‘ବହୁତ ପୁରୁଣା ବହୁବର୍ଷ ତଳୁ ଏପ୍ରିଲ ମାସରୁ/ ଟେନିସ୍ ପଡ଼ିଆ ପରି ଝୁରୁଥିବା ଜହ୍ନର ଛାଇରୁ/ ଚାଲି ଚାଲି ଆସୁଚି ମୁଁ/ ସରିଥିବା ସେସନ୍‌କୁ, ସରିସରି ଆସୁଥିବା ବି.ଜେ.ବି.ର ଏପ୍ରିଲ ତାତିକୁ, ଜୀବନର ବିଭିନ୍ନ ପ୍ରସ୍ଥକୁ ବହୁ ଭାବେ ପରୀକ୍ଷା କରି ସାରିବା ପରେ ଅବଶ୍ୟମ୍ଭାବୀ ଅନ୍ତିମ ଦୃଶ୍ୟର କାଳ୍ପନିକ ଅନୁଭବ ମୃତ୍ୟୁର ହିମଶୀତଳତାରେ ହିଁ ସମାହିତ ହୋଇଯାଉଛି । ‘ନିଶ୍ଚିତ ଏକାନ୍ତ ମୋର’ କବିତାର ପ୍ରଥମ ପର୍ଯ୍ୟାୟରେ ଏହି ଅବବୋଧ ସ୍ପଷ୍ଟ ଭାବେ ଉତ୍କୀର୍ଣ୍ଣ ହୋଇଛି ।

 

ଗୁରୁପ୍ରସାଦଙ୍କ କବି ମୁଁ ଭିନ୍ନ ଭିନ୍ନ ଚେତନାରେ ଭିନ୍ନ ଭିନ୍ନ ନାମରେ ମଧ୍ୟ ପ୍ରକାଶିତ ହୋଇଛି । କେତେବେଳେ ସେ ହୋଇଛି ହରେକୃଷ୍ଣ ଦାସ ତ ଆଉ କେତେବେଳେ ଇଞ୍ଜିନିଅର ସ୍ମାର୍ତ୍ତ ଦାସ, ବା ବ୍ୟବସାୟୀ ବୋଷ୍ବାବୁ ଏବଂ ଡେପୁଟି ଚାକିରୀ କରିଥିବା ରମୁ । ଆଉ କେତେବେଳେ ବା ଏହି କବି ମୁଁ ଅକ୍ରୂରର ମିଥକୀୟ ସ୍ଥିତି ମଧ୍ୟରେ ଆପଣାକୁ ଏକାକାର କରିଦେଇଛି । ହରେକୃଷ୍ଣ ଦାସକୁ ନେଇ ଗୁରୁପ୍ରସାଦ ରଚନା କରିଛନ୍ତି ଚାରୋଟି କବିତା । ପ୍ରଥମ ଦୁଇଟି କବିତା ସମୁଦ୍ର ସ୍ନାନର ଏବଂ ଅନ୍ୟ ଦୁଇଟି ପରବର୍ତ୍ତୀକାଳର ରଚନା । ଅନ୍ତିମ କବିତା (ହରେକୃଷ୍ଣ ଦାସ ଚାରି)ରେ ସି.ଆର.ପି. ଛକ ଓ ‘କ୍ଷୟମାନ ଶତାବ୍ଦୀର ଶେଷ ଦଶକ’ରୁ ଏହାର କାଳସୂଚିତ । ପ୍ରଥମ ଦୁଇଟି କବିତାର ହରେକୃଷ୍ଣ ଦାସ ଶେଷ ଦୁଇଟି କବିତାର ହରେକୃଷ୍ଣ ଦାସଠାରୁ ଭିନ୍ନ । ପ୍ରଥମ ପର୍ଯ୍ୟାୟର କବିତା ଦୁଇଟିରେ ହରେକୃଷ୍ଣ ଦାସ ସମୟ ସହ ଭାରସାମ୍ୟ ରକ୍ଷା କରି ଚାଲୁଥିବା ଏକ ସାଧାରଣ ଚରିତ୍ର । ମଶାମାଛି ପୋକଯୋକ ପରି ଅପାଂକ୍ତେୟ ଓ ନଗଣ୍ୟ (ମଶାମାଛି ପୋକଯୋକ ଲୋକବାକ କାଉ ଓ ବାଦୁଡ଼ି) । ଖବର କାଗଜ, ନାଟକ କବିତା ଆଦି ପଢ଼ିବା ଓ ଦେଖିବା ଭିତରେ ସାଧାରଣ ଜୀବନଟିଏ ବିତାଏ ସେ । କିଛି ଦ୍ୱନ୍ଦ୍ୱ, ସଂଘର୍ଷ କି ପ୍ରତିଶ୍ରୁତିନାହିଁ, କିନ୍ତୁ ସ୍ୱପ୍ନ ଦେଖିବାକୁ ଭୁଲେ ନାହିଁ ସେ (ହରେକୃଷ୍ଣ ଦାସ ବସେ ସ୍ୱପ୍ନଦେଖି ଝରକା ପାଖରେ) । ଆଦର ଓ ସମ୍ବେଦନା ରହିତ ସହରୀ ଜୀବନରେ ଅତିଷ୍ଠ ଏ ଚରିତ୍ରଟି । ସହରୀଜୀବନର ଏ ଚିତ୍ର ଥୋଇଲାବେଳେ ଗୁରୁପ୍ରସାଦ ଚଉଧୁରୀ ବଜାରକୁ ଏକ ଦୃଶ୍ୟକଳ୍ପ ଭାବେ ଗ୍ରହଣ କରିଛନ୍ତି । ଏ ନଗର ତଥା ବୈପଣିକ ସଭ୍ୟତାର ବୁନିଆଦୀ କେତେବେଳେ ନାୟକକୁ ପ୍ରଶ୍ନମନସ୍କ କରିଦିଏ ତ (ଚଉଧୁରୀ ବଜାରର ବିକାକିଣା ଠେଲା ଠେଲି ଦେଖବ/ କାହାର ଏକତା ଏଠି ବ୍ୟବସାୟ କାରବାର କରେ: ଏକ) ଅନ୍ୟ କେତେବେଳେ ବନ୍ଧୁହୀନ ଜ୍ଞାତହୀନ କେଉଁ ଏକ ନିଃସଙ୍ଗ ଦେଶାନ୍ତରୀ କରି ଦିଏ (ଚଉଧୁରୀ ବଜାରର ଆଲୁଅ ଓ ଠେଲାଠେଲି ଗହଳି ଭିତରେ ? ଏ ପୃଥିବୀ ଜଣାଯାଏ ବନ୍ଧୁହୀନ ଜ୍ଞାତିହୀନ ଏ ଏକ ଅନ୍ୟଦେଶ ପରି : ଦୁଇ) । ଏଠାରେ କାବ୍ୟ ନାୟକ ହରେକୃଷ୍ଣ ଦାସ ଓ କବି ମୁଁ ଭିତରେ ବିଶେଷ କିଛି ପାର୍ଥକ୍ୟ ନାହିଁ । ସମୟର ଦୁଃସ୍ଥିତିରେ ସେ ଏକ ଅନାକାଙ୍‍କ୍ଷିତ ଗତାନୁଗତିକ ବ୍ୟବସତ୍ତା ଯାହା ନିରାଶା ଓ ପ୍ରତାରଣା ମଧ୍ୟରେ କ୍ରମେ ବ୍ୟାଟେରୀ ନଥିବା ସାନ ଟର୍ଚ୍ଚ ଲାଇଟ୍ ପରି ଲିଭିଲିଭିଯାଏ । ଦ୍ୱିତୀୟ ପର୍ଯ୍ୟାୟର କବିତା ଦୁଇଟି ମଧ୍ୟରୁ ପ୍ରଥମଟିରେ ହରେକୃଷ୍ଣ ଦାସ ନୀରବଦ୍ରଷ୍ଟା ହୋଇଥିବା ବେଳେ ଦ୍ୱିତୀୟଟିରେ ପରିବେଶ ଓ କାଳ ସହ ଖାପଖୁଆଇ ଚଳୁଥିବା ନିରୀହ ଚତୁର ମଣିଷଟିଏ ହୋଇଯାଇଛି । ସ୍ଵାଧୀନତା ପରବର୍ତ୍ତୀ ସ୍ୱପ୍ନ ଭଙ୍ଗର ଚିତ୍ର ଏବଂ ଜନ୍ତୁନିତ ଅଶାନ୍ତବାତାବରଣ ଚିତ୍ର ଦେଖିବା ବେଳେ କାବ୍ୟନାୟକ ଅତୀତବିଧୂର ହୋଇ ଉଠିଛି । ବିପ୍ଳବ ନାଆଁରେ ଅଯତା ପୋଡାଜଳା ଓ ହିଂସ୍ର ଆରଣ୍ୟକତାକୁ ଦେଖି ସେ ହଜିଥିବା ସୁଗଳ ମୁହୂର୍ତ୍ତମାନଙ୍କ ସ୍ୱପ୍ନ ଦେଖୁଛି ଏହିପରି ‘ଆଶ୍ଚର୍ଯ୍ୟ ସେ ହଜିଥିବା ମୁହୂର୍ତ୍ତର ସମୟର ଅଭିସାର ରାତି/ ପକ୍ଷୀ ଆଉ ଫୁଲସବୁ / ହସ ଗୀତ ବ୍ୟାଣ୍ଡବାଜା / କେବେଥିଲା ? କେଉଁଠି ? କେଉଁଠି ? ହରେକୃଷ୍ଣ ଦାସ: ତିନି) । ‘ହରେକୃଷ୍ଣ ଦାସ: ଚାରି’ର କାବ୍ୟ ନାୟକ କେବଳ ନିରୋଳ ଦର୍ଶକଟିଏ ନୁହଁ, ସମୟ ଓ ପରିବେଶ ସହ ଆପଣାକୁ ମିଶାଇ ଦେଇଥିବା ବ୍ୟକ୍ତିସତ୍ତାଟିଏ । ସେ ସାଧାରଣ ମଣିଷ ଭଳି ମୁଣ୍ଡରେ ବାବୁରି ବାଳ ଓ ନାକ ତଳେ ନିଶ ରଖେ । ହିନ୍ଦୀ ଆଉ ଇଂରାଜୀ ମିଶା ଭାଷା କହେ, ଆତଙ୍କବାଦ ତଥା ସନ୍ତ୍ରାସବାଦ ଭଳି ଭୟଙ୍କର କ୍ଷୟକାରୀ ଆସ୍ପାଳନରୁ ଦୂରରେ ରହି ମଧ୍ୟ ସେ ଉର୍ଦ୍ଧୁ ଆଉ ପାର୍ଶୀ ଭାଷା ଶିକ୍ଷା କରେ । ସହରରେ ଛୋଟକାଟର ବୃତ୍ତିଜୀବୀଟିଏ ପାଲଟିଯାଏ । ତାର ‘କ୍ଷୁଦ୍ର ସତ୍ତା’ ପ୍ରାୟତଃ ‘ଡଟ୍‍ପେନ୍ ଫାଇଲା’ର ଘର ମଧ୍ୟରେ ରହିଯାଏ ଯାହା ସିଆରପି ଛକରେ କାହାର ନା କାହାର ଅପେକ୍ଷାରେ ପ୍ରାୟଶଃ ବିଚଳିତ ଥାଏ । ଏଠାରେ ହରେକୃଷ୍ଣ ଦାସ ଆଉ ବିରକ୍ତ ଏକକଟିଏ ହୋଇ ରହେ ନାହିଁ, ବରଂ ମୃତ୍ୟୁରୁ ଅମୃତ ଖୋଜୁଥିବା ଆଉ ପତନ ତଥା ଅଭ୍ୟୁଦୟ ଏହି ଦୁଇଟି ଶବ୍ଦ ମଧ୍ୟରେ ନୂତନ ଅର୍ଥନ୍ୟାସ କରୁଥିବା ସ୍ଵୟମ୍ଭ ସତ୍ତାଟିଏ ହୋଇଯାଏ ଯେ ଜୀବନର ସର୍ବବିକଳତାକୁ ଅହରହ ଦୁର୍ବିଷହ ଜୀଜିବିଷା ମଧ୍ୟରେ ଲକ୍ଷ୍ୟ କରୁଥାଏ ।

 

‘କାଳ ପୁରୁଷ’ର ଇଞ୍ଜିନିଅର, ସ୍ମାର୍ତ୍ତ ଦାସ, ବ୍ୟବସାୟୀ ବୋଷ୍ ବାବୁ ଏବଂ ଡେପୁଟୀ ରମୁ ‘କବି ମୁଁ’ର ତିନୋଟି ଭିନ୍ନ ଭିନ୍ନ ସତ୍ତା, ଏମାନେ ନାମତଃ ଭିନ୍ନ ହେଲେ ମଧ୍ୟ ଧର୍ମତଃ ଏକ । ତିନିହେଁ ଏକ କ୍ଷୟଶୀଳ ତଥା ପତମାନ ମୂଲ୍ୟବୋଧର ବ୍ୟକ୍ତିଚିତ୍ରମାତ୍ର । ପ୍ରଥମତଃ ଇଞ୍ଜିନିୟର ସ୍ମାର୍ତ୍ତ ଦାସ-। ଏକ ସ୍ୱଚ୍ଛଳ ଅର୍ଥନୈତିକ ସ୍ଥିତିବସ୍ଥାର ପ୍ରତୀକ । ପ୍ରତିମା, ମିନତୀ ଏବଂ ମୀରା ଆଦିଙ୍କ ନିକଟରେ ତାର ପରିଚୟ ବଡ଼ ଅଭୁତ, ‘ସାକାର ଓ ପୁଣି ନିରାକାର’, ନାରୀର ପ୍ରେମଯାଚଜ୍ଞା ବନାମ୍ ଦେହଦାନରେ ସେ ନିର୍ବିକାର । ଏହା ଯେପରି ସାଧାରଣ କଥା । ପ୍ରାଚୀନ ସଂସ୍କାର, ମୂଲ୍ୟବୋଧ ଓ ସବଲିତ୍ରତା ଏ ସବୁ ତା ପାଇଁ ଏକାନ୍ତ ମୂଲ୍ୟହୀନ । କୌଣସି ନିର୍ଦ୍ଦିଷ୍ଟ ନୀତି ତଥା ପରମ୍ପରାକୁ ସ୍ୱୀକାର ନକରୁଥିବା ଏକ ଉଶୃଙ୍ଖଳ ବାହେମିଆଡ୍ ଚରିତ୍ରଭାବରେ ଏହାକୁ ଗ୍ରହଣ କରାଯାଇପାରେ-। ଦ୍ଵିତୀୟ ଚରିତ୍ରଟି ବୋଷ୍ ବାବୁ । ସ୍ମାର୍ତ୍ତ ଦାସ ଭଳି ମାତ୍ର ଗୋଟିଏ ଝଲକ ଏହାଙ୍କର କବିତାରେ । ସହରର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ସେ । କୌଣସି ନା କୌଣସି ଅସହାୟା ଏକାକିନୀଙ୍କୁ ସାମାନ୍ୟ ସାହାଯ୍ୟ ଅଥବା ସାହାଯ୍ୟର ପ୍ରତିଶ୍ରୁତି ଦେଇ ସେମାନଙ୍କ ତନୁତୀର୍ଥରେ ନିଷିଦ୍ଧ ଅବଗହନ ଏହି ଚରିତ୍ରଟିରେ ନିତ୍ୟନିୟମିତ ଅଭ୍ୟାସ । ମୂଲ୍ୟବୋଧ ହୀନ ପାପଲାଳସାରେ ଚରିତ୍ରଟି ସତତ ଉଦ୍‍ବେଳିତ । ମାତ୍ର ଏଥିପାଇଁ କୌଣସି ପଶ୍ଚାତ୍ତାପ ନାହିଁ । ମୂଲ୍ୟବୋଧ ଓ ଚରିତ୍ରବିଭାର ଅସମ୍ଭବ ବିପର୍ଯ୍ୟୟ ଏ ଚରିତ୍ରରେ ଅତ୍ୟନ୍ତ ସ୍ପଷ୍ଟ (ସେତେବେଳେ ବୋଷବାବୁ ସହରର ବ୍ୟବସାୟୀ / କାର ଚଢ଼ିଚାଲିଗଲେ ପଛଆଡ଼େ ରଖିଦେଇ ଆମର ଏ ଏକତାଲାଗର: କାଳପୁରୁଷ) । ତୃତୀୟ ଚରିତ୍ରଟି ରମୁ । କବି ମୁଁ ସହିତ ଏ ଚରିତ୍ରଟି ବହୁ ଭାବେ ସମ୍ପୃକ୍ତ । ବୃତ୍ତରେ ଡି.ପୋଟି । ସବୁବେଳେ ଟୁରରେ ବାହାରେ ବୁଲିବା ଫଳରେ ଗୃହ ସଂସାର ପ୍ରତି ଏତେଟା ଦାୟବଦ୍ଧ ନୁହେଁ, ପ୍ରାଥମିକ ପର୍ଯ୍ୟାୟରେ ଏ ଚରିତ୍ରଟି ମୌହପ୍ରିୟ ମଦ୍ୟ ଓ ନାରୀ ତାର ନିତ୍ୟ ସହଚର । ଏଥିପାଇଁ ତାର ଚେହେରା ବହୁ ପରିମାଣରେ ଦାୟୀ (ତୁମେ ସବୁ ଜାଣିଥିବ ରମୁଥିଲା ତୁମପରି ଛୋଟକାଟ୍ ସିଧା ଓ ସଳଖ ରମୁଥିଲା ତୁମପରି ମୁଲାୟମ ଚିକ୍କଣ ଓ ଗୋଲ ଲମ୍ବ ଓ ଚଉଡ଼ା ଅଥଚ ‘ରମୁଦିନେ ଠିକ୍ ଥିଲା ତୁମପରି ଛାଟ୍ କାଟ୍ ସିଧା ଓ ସଳଖ: କାଳପୁରୁଷ) ପତ୍ନୀସହ ସମ୍ପର୍କ ତାର ମଧୁର ନହେଲେ ମଧ୍ୟ ଏତେଟା ମନ୍ଦ ନଥିଲା । ସ୍ତ୍ରୀର ଅସୁନ୍ଦର ପଣ (ଦାନ୍ତଯାକ ସବୁତାର ଆସିଲାଣି ତଳକୁ ଓହଳି/ କିଏ ତାକୁ କମ୍ ଦେବ ରମୁର ବା ଦୋଷ କ’ଣ ?) ଏବଂ କଥା କଥାକେ ସ୍ଵାମୀପ୍ରତି ସନ୍ଦେହ ରମୁକୁ ପରନାରୀ ଆସକ୍ତ କରିଦେଇଛି । ସ୍ତ୍ରୀର ଚରିତ୍ରପ୍ରତି କେତେବେଳେ ପ୍ରଶ୍ନ ମନସ୍କ ହୋଇନାହିଁ ସେ । ବରଂ ତା ‘ଧଳା ସତୀତ୍ୱ’ରେ ନିର୍ବିବାଦରେ ସେ ଆସ୍ଥାସ୍ଥାପନ କରିଆସିଛି । ଏକ ଅସନ୍ତୁଳିତ ଦାମ୍ପତ୍ୟ ଜୀବନରେ କାଳ ବିତାଉଥିବା ଏହି ଚରିତ୍ରଟି ଆପଣାର କାଲିକୋ ଧୋତି ଓ ଫ୍ରେଞ୍ଚ୍‍କଟ ଡିଶର ସନ୍ତାନ୍ତ ଆବରଣ ମଧ୍ୟରେ ବି ଅସହାୟ । ତାର ଚାକିରିରୁ ଇସ୍ତଫା ଦେବା, ମିଲଧୋତି ପୋଷାକ ଛାଡ଼ି, ଖଦଡ଼ ପିନ୍ଧିବା ଏବଂ ପରବର୍ତ୍ତୀ କୌଣସି ଏକ ମୁହୂର୍ତ୍ତରେ ଦେହ ଓ ମନର ବିସ୍ତୃତି ଭିତରେ ମୁକ୍ତିର ଅନ୍ୱେଷା କରିବା ଚରିତ୍ରଟିର ଏକ ପରିବର୍ତ୍ତିତ ମନୋସ୍ଥିତିର ପରିଚୟ ପ୍ରଦାନ କରିଥାଏ । ଶେଷରେ ତାର ମୃତ୍ୟୁର ଚିତ୍ରଦେଇ ଗୁରୁପ୍ରସାଦ ତାର କ୍ରମ କ୍ଷୟିଷ୍ଣୁ ସତ୍ତାର ବିଲୟପର୍ବ ଅଙ୍କନ କରିଛନ୍ତି ମାତ୍ର ତା’ ମଧ୍ୟରେ ବି ରମୁର ପ୍ରେତକ୍ରିୟା କରୁଥିବା ପରପୁଅର ସକଳ କର୍ମ ଭିତରେ ପାରମ୍ପରିକ ସମାଜ ବ୍ୟବସ୍ଥା ତଥା ଅନ୍ଧଧର୍ମବିଶ୍ୱାସ ପ୍ରତି ମଧ୍ୟ ଲଘୁବ୍ୟଙ୍ଗ କରିବାକୁ ଭୁଲି ନାହାନ୍ତି ।

 

।। ଚାରି ।।

 

ନାରୀ ଚରିତ୍ର ଚିତ୍ରଣରେ ଗୁରୁପ୍ରସାଦଙ୍କ ଲେଖନୀ ବେଶ୍ ପ୍ରଭାବଶାଳୀ । ନୂତନ କାବ୍ୟସ୍ୱରରେ ଅନୁରଣିତ ହେଉଥିବା ନାରୀର ବିଘଟିତ ତଥା ବିଖଣ୍ଡିତ ସତ୍ତା ତାଙ୍କ ଲେଖନୀରେ କଳାତ୍ମକ ଭାବେ ଉତ୍କୀର୍ଣ୍ଣ । ଏହି ନାରୀ ମୁଖ୍ୟତଃ । କାବ୍ୟନାୟକର । ପ୍ରେମାସ୍ପଦା । ପ୍ରାଚୀନ ତଥା ମଧ୍ୟଯୁଗୀୟ ଏପରିକି ରାଧାନାଥୀୟ ନାୟିକାପରି ନୂତନ କବିତାର ନାୟିକା ସୁନ୍ଦରୀ ଲାବଣ୍ୟମୟୀ ନୁହେଁ । ଜଳିଯିବା ଓ ଢାଳିଦେବାର ପ୍ରବଣତାରେ ସେ ମଧ୍ୟ ବିଶ୍ୱସ୍ତା ନୁହେଁ । ସେ ରୂପକଥାର ରଜୋବତୀକନ୍ୟା ଅଥବା ବେଣୀର ଫୁଲକୁ ଗାଧୁଆଘାଟରେ ଭସାଇ ଦେଉଥିବା ରଜାଝିଅ ନୁହେଁ (ଚମ୍ପାଫୁଲ) । କାବ୍ୟ ଜୀବନର ଆରମ୍ଭରେ ଗୁରୁପ୍ରସାଦଙ୍କ କବିତା କେତୋଟିରେ ରାଧାନାଥ ଓ ମାନସିଂହଙ୍କ ସୁନ୍ଦରୀ ସ୍ଵପ୍ନାବତୀ ନାୟିକାମାନଙ୍କୁ ପାଠକମାନେ ' ଅବଶ୍ୟ ଭେଟିଛି । ନାୟିକାର ଆଖି କୋଣର ଲୁହ ଓ ଓଠର ହସ ଆଙ୍କିବାକୁ କବି କମ୍ ସ୍ୱପ୍ନ ସଞ୍ଚାରୀ ହୋଇ ଯାଉନାହାନ୍ତି ଉଦାହରଣ ଭାବେ ଅପରାଜିତା’ର ଏ ପଂକ୍ତିକୁ ଗ୍ରହଣ କରାଯାଇପାରେ ତୁମରି ଆଖି କୋଣେ ଲୁହ ଯେ ଆସେ ଭରି/ ଅପରାଜିତା ସେ ଗୋ ଶିଶିର ଟୋପା ସରି । ଭକତ ଓଠକୋଣେ ସେ ଦରହାସ ଉO / ହେମନ୍ତ ପାହାନ୍ତିରେ ଗୋଲାପ ସେକି ଫୁଟେ : ଅପରାଜିତା: ସହକାର, ନଭେମ୍ବର, ୧୯୩୯) ମାତ୍ର ୧୯୪୭ର ପରବର୍ତ୍ତୀ ପର୍ଯ୍ୟାୟରେ ଗୁରୁପ୍ରସାଦଙ୍କ କାବ୍ୟନାୟକ ଆଉ ଏ ଧରଣର ନାୟିକାମାନଙ୍କୁ ନିଜ ଜୀବନ ପରି ମଧ୍ୟରେ ଭେଟୁନାହିଁ । ‘କପୋତ କପୋତୀ’ (ନବଭାରତ: ଅଗଷ୍ଟ ୧୯୪୯)ରେ ଅବଶ୍ୟ ମିସ୍‌ରାୟ ନାମରେ ସୁନ୍ଦରୀ ନାୟିକାଟିକୁ ପାଠକ ଭେଟେ । ମାତ୍ର ଏହା କିନ୍ତୁ ଏକ ନିରୁତା ପ୍ରେମ ଜୁଡ଼ୁବୁଡୁ ପ୍ରେମ-ପ୍ରତିମା ନୁହେଁ । ନାୟିକାର ଭ୍ରୂଲତା ତଳେ ଦିଗ୍‍ବଳୟ ମିଶିଯିବାର ବକ୍ତବ୍ୟରେ କବିଙ୍କର କୌଣସି ସ୍ୱୈରବାଦୀ ଅନୁଷଙ୍ଗର ଅଭିବନ୍ଦନା ନାହିଁ, ଅପରନ୍ତୁ ଏକ ବିଶାଳ ତଥା ବ୍ୟାପ୍ତ ଦୃଷ୍ଟିକୋଣରୁ ନାୟିକାକୁ ଦେଖିବାର ପ୍ରୟାସ ଏଥିରେ ସ୍ପଷ୍ଟ । ଚୈତ୍ର ପ୍ରେମ ଓ ମଳୟର ମାସ । ମାତ୍ର ନାୟିକାଠାରୁ ଚୈତ୍ର ବିଦାୟନେଇ ଗାନ୍ଧିଟୋପି ପିନ୍ଧି ଅହିଂସାର ଦିଗ୍‍ଗାଡ଼ି ଚଢ଼ିବାର ବ୍ୟଞ୍ଜନା ଭିତରେ ପାରମ୍ପରିକ ପ୍ରେମକୁ ଏଠାରେ ବିଦାୟ ଦିଆଯାଇଛି (‘ଗାନ୍ଧିଟୋପି ପିନ୍ଧି ଚାଲେ’ ଓ ତୁମରି ଆଖିରୁ ଆସି ଚୈତ୍ରଋତୁ ଭିଡ଼ଠେଲି ଅହିଂସାର ଦିଗ୍‍ଗାଡ଼ି ଚଢ଼େ; କପୋତ କପୋତୀ) ।

 

ଗୋବର ଗଣେଶର ନାୟିକା ଅନାମିକା । କାବ୍ୟନାୟକ ଦ୍ଵାରା ‘ତୁମେ ଭାବେ ସମ୍ବୋଧିତା । ଏ ଚରିତ୍ରଟି ନିଜ ପ୍ରେମିକା ସ୍ୱାମୀ ପ୍ରତି ବିଶ୍ୱସ୍ତା ନୁହେଁ । ତାର ଏହି ଅସତୀ ପଣକୁ ପ୍ରତିହତ କରିବା ପାଇଁ ନିରୂପାୟ ନାୟକ ନିକଟରେ ସାମର୍ଥ୍ୟ ନାହିଁ । ବେଳେ ବେଳେ ଏକ ମୂଲ୍ୟବୋଧଭିତ୍ତିକ ଶାସ୍ତ୍ରୀୟ ଚେତାବନୀ ଦେବାକୁ ତାର ଇଚ୍ଛାହୋଇଛି, ଯେମିତି ‘ଜାଣିଚଟି କୁମ୍ଭୀପାକ ନରକରେ ଅସତୀର ଦଶା/ଜାଣିଚଟି ପରିଣାମ ରତ ହେଲେ ପରପୁରୁଷରେ', ପରବର୍ତ୍ତୀ ପଂକ୍ତିରେ ନିଜର କଣ୍ଟାଳିଆ ଦାଢ଼ୀକୁ ସହି ପାରୁନଥିବା ନାୟିକା ତାର ଏ କୃତକର୍ମପାଇଁ ଯେ ଦିନେ ନର୍କରେ ଥିବା ଶିମିଳି କଣ୍ଟାରେ ଫୋଡ଼ି ହୋଇ ଯନ୍ତ୍ରଣା ପାଇବ ଏ ଚେତାବନୀ ଦେବାକୁ ଯେତେ ପ୍ରୟାସ କଲେ ମଧ୍ୟ ତାର ପରବର୍ତ୍ତୀ ଦୁଃସହ ସ୍ଥିତି (କାଠଯୋଡ଼ୀ ବନ୍ଧ ଭାଙ୍ଗି ତଡ଼ି ଦେବ କଟକ ସହର) କଳ୍ପନାକରି ସେ ଏଥିରୁ ନିବୃତ୍ତ ରହିଛି । “ପ୍ରିୟବାନ୍ଧବୀ’ରେ ନାୟିକାର ସ୍ଥିତି ଅଧିକ ବାସ୍ତବ ଓ ରୋମାଣ୍ଟିକ ଭାବବିହୀନ । ପ୍ରେମ ସହ ସମ୍ପର୍କିତ ଜହ୍ନ ଏଠି କବିଚେତନାରେ ‘କ୍ଲାନ୍ତ ପୁଣି ଆବଶ୍ୟକହାନ’, ବହିଦୋକାନର ପ୍ରେମଗପ, ରେଡ଼ିଓର ଖବର, ସିନେମାଗୀତ, ତୃତୀୟଶ୍ରେଣୀ ରେଳ ଟିକେଟଘର ଓ ବଜାରର ଲୁଗା ଚିନିଚୋରାକାରବାର ସହ କାବ୍ୟନାୟକ ପ୍ରେମିକାର ସମାନ ଦୃଷ୍ଟିରେ ଦେଖିଛି, ତାର ସତୀତ୍ୱ ଅଥବା ବ୍ୟଭିଚାର, ସବୁ ଆଜି ତା’ ପାଖରେ ଅର୍ଥହୀନ ଏଣୁ ଉପେକ୍ଷଣୀୟ (ତୁମେ ଆସ ସତୀତ୍ୱ ବା ପୁଞ୍ଜୀଭୂତ ଯେତେ ବ୍ୟଭିଚାର) । ସେ ପୁଣି କୌଣସି ଏକ ନିର୍ଦ୍ଦିଷ୍ଟ ସମୟର ନୁହେଁ । ନିର୍ଦ୍ଦିଷ୍ଟ ସ୍ଥାନର ନୁହେଁ, ସିଂହଳ ଦୀପ, ଲବଙ୍ଗ ପିଣ, ଲାବଣ୍ୟବତୀ ରସକଲ୍ଲୋଳର ପଂକ୍ତି, କୋଣାର୍କର ଭିତ୍ତି ଅଥବା ସିନେମାର ପର୍ଦ୍ଦା ଭିତରେ ତାର ବିଳାସ । ଭବିଷ୍ୟତରେ ତାର ମିଳନସ୍ଥାନର ସୂଚନା ଦେବା ବେଳେ ଗୁରୁପ୍ରସାଦ ନିଛାଟିଆ ବାଲିଚର ଓ ବିବର୍ଣ୍ଣ ସନ୍ଧ୍ୟାର ଚିତ୍ରଦିଅନ୍ତି ଯାହା ପ୍ରେମର କ୍ଷୟମାଣ ସ୍ଥିତିକୁହିଁ ବୁଝାଇଥାଏ । ‘ଶରତଋତୁର ଜହ୍ନ’ରେ ନାୟିକା ପରକୀୟା (ନିଶ୍ଚିହ୍ନ ମିଳାଇଯିବା ସ୍ୱାମୀ ଆଉ ଜନରବ ଛାଡ଼ି) ମାତ୍ର ତାର ସ୍ଥିତି କବିତାରେ ଅତି ଅସ୍ପଷ୍ଟ ଓ ଧୂମିଳ ।

 

ଗୁରୁପ୍ରସାଦଙ୍କ ‘ଚିଠି’ରେ ଏ କାବ୍ୟନାୟିକା ଏକ ସୁଦୂରର ଅନୁଭବ । ନାୟକତା ପାଇଁ ଅପେକ୍ଷାମାଣ । ମାତ୍ର ତା ଆସିବାର ନିର୍ଦ୍ଦିଷ୍ଟଖବର ନାୟକ ପାଖରେ ନାହିଁ । ଏପରିକି ତା ଭଲପାଇବାର ପରିଭାଷାକୁ ନେଇ ମଧ୍ୟ ନାୟକ ସନ୍ଦିହାନ । କବିତାର ଆରମ୍ଭ ହୋଇଛି ‘ତୁମେ ମୋତେ ଭଲପାଅ ।” ଏ ଅନୁଭବକୁ ପରିପୁଷ୍ଟି ଯୋଗା ଯାଇଛି ‘ଜାଣେ ଜାଣେ ଭାରି ଭଲ ପାଅ’ । ମାତ୍ର ଠିକ୍ ପରେ ପରେ ଭଲପାଇବାକୁ ଯେଉଁ ଭୂମିରେ ଆରୋପ କରାଯାଇଛି ତାହା ନିଛାଟିଆ ଜହ୍ନ ତଳେ ଥିବା ପତ୍ରର ବ୍ୟଥିତ ସ୍ଵର ଓ ଜୀର୍ଣ୍ଣ ଚୈତ୍ରର ଜରାଗ୍ରସ୍ତ ବିବର୍ଣ୍ଣଦେହ ତାହା ଆଦୌ ଊଷର ଭୂମି ନୁହେଁ । କବିତାର ପରବର୍ତ୍ତୀ ପର୍ଯ୍ୟାୟରେ କାବ୍ୟ ନାୟକ ତାର ପ୍ରେମାସ୍ପାଦାକୁ ‘ଶତ ଶତ ପ୍ରେତାତ୍ମା’ଙ୍କ ଭିତରେ ଦେଖିବାର କହିବା ଫଳରେ ପ୍ରେମର ବିପର୍ଯ୍ୟୟ ସ୍ଥିତି ସ୍ପଷ୍ଟ । ଆଖିର କପୋତ ମୋର’ରେ ଏହି ନାୟିକା ଆତ୍ମା ବିରହିତା ଏକ ଶୂନ୍ୟସ୍ଥିତି (ତୁମର ଆତ୍ମା ବା କାହିଁ ?) । ଏଠାରେ ନାୟିକା ଦେହ ସର୍ବସ୍ୱା । ଏ ଦେହ ମଧ୍ୟ କୌଣସି ଇନ୍ଦ୍ରିୟ ପ୍ରଚୋଦିତ ଅନୁସଙ୍ଗଦ୍ଵାରା ଆକର୍ଷଣୀୟ ନୁହେଁ । କେବଳ କ୍ଲାନ୍ତି, ଖେଦ ଆଉ କୋହର ସମାହାର (ତୁମର ଦେହରେ ଏହି କ୍ଲାନ୍ତି ଆଉ ଭୋକ ଶୋଷ ଉତ୍ତେଜନା / ଖେଦ ଆଉ କୋହର ଭିତରେ) ‘ନିହତ ଗୋଧୂଳି’ରେ ମଧ୍ୟ ସେଇ ଏକା କଥା । ଜୀର୍ଣ୍ଣପତ୍ରଶାଖାରେ ନାୟିକାର ଦେହର ରଙ୍ଗକୁ ଅନୁଭବିଛି କାବ୍ୟନାୟକ (ତୁମର ଦେହର ରଙ୍ଗ ଧରିରଖେ ଜୀର୍ଣ୍ଣ ପତ୍ରଶାଖାପରେ) ଯାହା ପରବର୍ତ୍ତୀ ପର୍ଯ୍ୟାୟରେ ବିଲୟକାମନା (ତୁମେ ଯଦି ତା ଭିତରେ ଅଛ/ ରାତିର ବିନାଶ ହେଉ) ଓ ଅନ୍ତିମରେ ନିଷ୍ଫଳ ଅନ୍ୱେଷଣ (ମୁଁ ତୁମକୁ ଖୋଜେ ଆଜି ଏ ମାଟିର ମର୍ମଦାହ ନେଇ) ରେ ପରିସମାପ୍ତ ହୋଇଛି । ‘‘ଛୁଟିର ଖରା’’ରେ କାବ୍ୟନାୟକର ନାୟିକା ଖୋଜା ଜାରି ରହିଛି କାହା ନିଛାଟିଆ ଖରା ଓ ଆକାଶାର ଚିତ୍ରକଳ୍ପ ଭିତରେ ନିଷ୍ଫଳ ବୋଲି ସ୍ପଷ୍ଟ ହୋଇଯାଇଛି । ସନେଟ୍‍ମାନଙ୍କରେ ଅନ୍ୱେଷଣ ପ୍ରବୃତ୍ତି ମଧ୍ୟ ବର୍ତ୍ତମାନ । ଏ ଖୋଜିବାର ମୂଳ ଭାବ ଭଲ ପାଇବାକୁ ପ୍ରତିଷ୍ଠା କରାଯାଇଛି କେତୋଟି ସନେଟ୍‌ରେ ସନେଟ୍ ନଂ ଦୁଇରେ ଏ ଭଲପାଇବାର ଦୃଢ଼ବାଦୀ ଉପସ୍ଥାପନ କରାଯାଇଛି, ଯେଉଁ ଜନ୍ମମୃତ୍ୟୁର ସୀମା ଅଳୀକ ହୋଇଯାଇଛି, ଚାରି ନମ୍ବର ସନେରେ ଏ ଭଲପାଇବା ଦେହ ସର୍ବସ୍ୱ ହୋଇଛି କାରଣ ‘ମନର ପିପାସା’ ଦେହ ବିନା ପ୍ରଶମିତ ହେବା ଅସମ୍ଭବ । ଅନ୍ୱେଷଣରେ ଏ ଦେହର ଦାବୀ ମଧ୍ୟ କମ୍ ନୁହେଁ । ଅବଶ୍ୟ ଦେହର ବିନାଶ ଶୀଳତାର ପ୍ରମାଣ ପ୍ରଥମ ସନେଟ୍‍ରେ ସ୍ପଷ୍ଟ (ଜେତେ ମାଂସ ଚମଗଲା ଜୂର ହୋଇ ମାଟିରେ ମାଟିରେ / ଏ ବାଲିରେ ମରିଗଲା କେତେରୂପ ଦେହର ଜଙ୍ଗଲ) । ମାତ୍ର ଭଲ ପାଇବାର ଯାଦୁକରୀ ସ୍ପର୍ଶ ଯେ ସକଳ କ୍ଷୟଶୀଳ ଓ ପଚମାନ ଦେହ ପୁନନ୍ୟାସ କରିବ ଏ ବିଶ୍ଵାସ କାବ୍ୟ ନାୟକର ପାଞ୍ଚ ନମ୍ବର ସନେଟ୍‌ରେ ଦୃଢ଼ ହୋଇଛି (ପ୍ରାଚୀନ ଏ ପୃଥିବୀରେ ଜୀବନ୍ୟାସ ପାଏ ଯଦି ମଣିଷର ଦେହ ତୁମେ ଯଦି ଭଲପାଅ ତୁମେ ଯଦି ଆଜି ଭଲପାଅ) । ମିଳନର ନିର୍ଦ୍ଦିଷ୍ଟ ଲଗ୍ନକୁ ମନେପକାଇବା ବେଳେ କାବ୍ୟନାୟକ ଦେହର ସ୍ଥିତିକୁ ମଧ୍ୟ ଗୁରୁତ୍ୱ ନଦେଇ ରହିପାରିନାହିଁ । ଦଶମ ସନେଟ୍‌ର ହ୍ୟାଣ୍ଡଲୁମ୍ ଶାଢ଼ୀର ଚିତ୍ରକଳ୍ପରେ ଏହା ଅଧିକ ପୀନଦ୍ଧ ହୋଇ ଉଠିଛି । ଗୁରୁପ୍ରସାଦଙ୍କ ଲେଖନୀରେ ଏହି ନାରୀ ସତ୍ତା ରୂପଥାଇ ମଧ୍ୟ ଅରୂପା ଯାହାର ଅନ୍ୱେଷଣରେ ଅହରହ ଆତୁରିତ କାବ୍ୟନାୟକ । ମାତ୍ର ଏ ଅନ୍ୱେଷଣର ଫଳଶ୍ରୁତି କେବଳ ଅପେକ୍ଷାମାଣତା ଏବଂ ତଜୁନିତ ହତାଶା ଓ ବ୍ୟର୍ଥତା ।

 

ତୁମେ ଓ ତାର ଶବ୍ଦ ଭିତରୁ ମକ୍ତି ଲଭି ସତନ୍ତ୍ର ପରିଚୟ ନେଇ କିଛି କିଛି ନାୟିକା ଗୁରୁପ୍ରସାଦଙ୍କ କବିତାରେ ବିଚରଣ କରନ୍ତି । ଏମାନଙ୍କର ନାମ ଅନେକ । ମାତ୍ର ସମସ୍ତଙ୍କ ମନୋସ୍ଥିତି ଓ ସଂସାର ସମ୍ପର୍କ ପ୍ରାୟ ଏକାପରି । ଏମାନେ ଲାବଣ୍ୟବତୀ କି କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ ନୁହନ୍ତି । ନାୟକକୁ ଆକର୍ଷଣ କରିବାର ଚାରୁକଳା ଏମାନଙ୍କ ପାଖରେ ନାହିଁ । ମୂଲ୍ୟବୋଧ ଓ ଆଦର୍ଶର ଧଳା ସତୀତ୍ୱ’ର ଏମାନେ କେବେବି ଅଧିକାରିଣୀ ନୁହନ୍ତି । ଏମାନଙ୍କର ସେଥିପାଇଁ ମଧ୍ୟ ଅନୁଶୋଚନା ନାହିଁ । ଅଳକା ସାନ୍ୟାଲ, ପ୍ରତିମା ନାୟକ, ମିନତି ନାୟକ, ରମୁର ସ୍ତ୍ରୀ, ବୋଷ ବାବୁଙ୍କ ରକ୍ଷିତା ଏ ସମସ୍ତଙ୍କୁ ଏହି ପର୍ଯ୍ୟାୟର ପରିସର ଭୁକ୍ତ କରାଯାଇପାରେ । ପ୍ରଥମତଃ ଅଳକା ସାନ୍ୟାଲ । ସଚ୍ଚିବାବୁ ଓ ଗୁରୁପ୍ରସାଦଙ୍କ ଅଳକା ସାନ୍ୟାଲର ଏକ ତୁଳନାତ୍ମକ ଅଧ୍ୟୟନ କରି ଆଲୋଚକ ଯତୀନ୍ଦ୍ର ମୋହନ ମହାନ୍ତି ସଚ୍ଚିବାବୁଙ୍କ ଅଳକା ସାନ୍ୟାଲ୍କୁ ରୋମାଣ୍ଟିକ ଅବବୋଧର କବିତା କହିବା ବେଳେ ଗୁରୁପ୍ରସାଦଙ୍କ ଅଳକା ସାନ୍ୟାଲକୁ ବାସ୍ତବ ଅବବୋଧର କବିତା ବୋଲି କହିଛନ୍ତି (ମହାନ୍ତି, ସୂର୍ଯ୍ୟାସ୍ନାତ, ପୃ ୧୩୦-୧୩୧) । କବିତାଟିର ପୃଷ୍ଠଭୂମି ସମ୍ପର୍କରେ ସ୍ୱୟଂ କବି ଏକ ସାକ୍ଷାତ୍ କାରରେ କହନ୍ତି, ସେତେବେଳେ ସଚ୍ଚିବାବୁଙ୍କ ଅଳକା ସାନ୍ୟାଲ କବିତାଟି ଭାରି ନାଁ କରିଥାଏ । ଆଜିର ଯେଉଁ ବର୍ଦ୍ଧମନକୋଠି, ସେତେବେଳେ ସେଠି ‘ନୟାଗଡ଼ ମେସ୍’ ବୋଲି ଗୋଟିଏ ମେସ୍ ଥାଏ । ଜଣେ ଭଦ୍ର ମହିଳା ସେହି ବାଟେ ଗଲାବେଳେ ଆମଭିତରୁ ଜଣେ କିଏ ତାଙ୍କ ଉପରେ ହଠାତ୍ କମେଣ୍ଟ କରିଦେଲେ- “ଏଇ ଯାଉଚି ଅଳକା ସାନ୍ୟାଲ’, ସେହି ‘କମେଣ୍ଟ’ଟି କେଜାଣି କାହିଁକି ମୋ ମନରେ ରହିଯାଇଥିଲା । ଏ ଘଟଣାର କିଛି ବର୍ଷପରେ ମୁଁ ମୋର ଅଳକା ସାନ୍ୟାଲ୍ କବିତାଟି ଲେଖିଲି ।’’ (ମୂଲ୍ୟାୟନ-୭, ଦ୍ୱିତୀୟବର୍ଷ ଦ୍ଵିତୀୟ ସଂଖ୍ୟା ପୃ.୧୫୭) । ଅଳକା ସାନ୍ୟାଲ ଆଧୁନିକ ନାରୀସତ୍ତାର ପ୍ରତୀକ । ଜୀବନ ଓ ଜୀବିକାରେ ଆପଣାର ପାରମ୍ପରିକ ମୂଲ୍ୟବୋଧ ତଥା ପ୍ରାଚୀନ ଚରିତ୍ର ସମ୍ପର୍କିତ ବିଶ୍ୱାସକୁ ଅସ୍ୱୀକାର କରୁଥିବା ଉପାୟହୀନା ନାରୀର ଚିତ୍ର ଅଳକାର ଚରିତ୍ର ମଧ୍ୟରେ ସ୍ପଷ୍ଟ । ବ୍ଲାଉଜର ବୋତାମ ଦେବା, ଚା ଦାଗ ଧୋଇବା, ପାଖଚଉକିରେ ଆସ୍ତେ ଆସି ବସିବା । ଆଦି ବର୍ଣ୍ଣନାରେ ସ୍ଵାଧୀନତା ପରବର୍ତ୍ତୀ କର୍ମଜୀବିନୀ ମହିଳାର ଚିତ୍ର ସ୍ପଷ୍ଟ ହୋଇଉଠେ । ଜୀବନ ତା ପାଇଁ ନିଷ୍ଠୁର ସତ୍ୟ, ପ୍ରେମ, ଚରିତ୍ରବତ୍ତା ଅଥବା ବିବାହ କେହି ଆଉ ତା’ ପାଖରେ ବଡ଼ ନୁହେଁ । ବଞ୍ଚିବା ହିଁ ତା ଜୀବନର ମୁଖ୍ୟ ସମସ୍ୟା । ତେଣୁ ତାର ପ୍ରେମ ଦେହଜ ପ୍ରେମ ଯାହାର ପରିଣତି ଅନ୍ତସତ୍ତ୍ୱା ସ୍ଥିତିରେ ହିଁ ସମ୍ପନ୍ନ ହୁଏ (ତା’ ଭିତରେ ତୁମେ ପୁଣି ପ୍ରେମ କର ଗର୍ଭବତୀ ହୁଅ) କୌଣସି ନୀତିବାଦିତା ଅଥବା ସ୍ୱୈରବାଦୀ ଭାବଶବଳତା ଏ ଚରିତ୍ରରେ ବିରଳ । କେବଳ ନିରୁତା ଜୀବନଟିଏ ଜୀଇଁଚାଲିଥିବା ନିରୂପାୟା ନାରୀର ଚିତ୍ର କବିତାର ବିଶେଷତ୍ୱ ।

 

ଅଳକା ସାନ୍ୟାଲ ଭଳି ପ୍ରତିମା ନାୟକ ଓ ମିନତି ନାୟକ ଗୁରୁପ୍ରସାଦଙ୍କ ଅନ୍ୟଦୁଇଟି ନାରୀଚରିତ୍ର । ‘କାଳପୁରୁଷ’ରେ ଏମାନଙ୍କ ସ୍ଥିତି ସ୍ପଷ୍ଟମାତ୍ର ବିସ୍ଥୃତି ସଂକ୍ଷିପ୍ତ । ଇଞ୍ଜିନିୟର ସ୍ମାର୍ତ୍ତଦାସର ଚିତ୍ର ଦେଲା ବେଳେ ଏଦୁହିଁଙ୍କୁ ଉପସ୍ଥାପିତ କରନ୍ତି ଗୁରୁପ୍ରସାଦ । ପ୍ରତିମା ନାୟକ ସମସାମୟିକ ନାରୀ ସତ୍ତାର ଏକ ପ୍ରତିରୂପ । କଳାଗାତୀରୁଲ ଆଉ ବ୍ରଣର ଚିତ୍ରଦେଲା ବେ‌ଳେ ଜୀବନ ଆଗରେ ସକଳ ମୂଲ୍ୟବୋଧକୁ ତୁଚ୍ଛ କରି ବଞ୍ଚୁଥିବା ଅସହାୟା ନାରୀସତ୍ତାର ସ୍ଥିତି ପ୍ରତିମା ନାୟକ ଭିତରେ ଅନୁଭବ କରିଛି କାବ୍ୟମାନସ । ମିନତୀ ନାୟକ ମଲ୍ଲୀ ଫୁଲ ଫୋପାଡ଼ି ଫୋପାଡ଼ି ଆସିବାର ଚିତ୍ର (ମିନତୀ ନାୟକ ଆସେ ମଲ୍ଲୀଫୁଲ ଫୋପାଡ଼ି ଫୋପାଡ଼ି) ଭିତରେ ନାରୀର ସ୍ୱାର୍ଥସିଦ୍ଧି ପାଇଁ ପୁରୁଷ ବଶୀକରଣ ଭାବନା ସ୍ପଷ୍ଟ ହୋଇଯାଇଛି । ଅନ୍ୟ ନାରୀ ଚରିତ୍ର ଦୁଇଟି ରମୁର ସ୍ତ୍ରୀ ଏବଂ ତାର ବାନ୍ଧବୀ । ଜଣେ ରମୁକୁ ଆଇନତଃ ଆପଣାର କରିଥିବା ବେଳେ ଅନ୍ୟ ଜଣକ ଆପଣାର ଦେହ ତଥା ପ୍ରେମ ଦାନରେ ଆପଣାର କରିଛି । ବିବାହିତା ପତ୍ନୀ ରମୁପ୍ରତି ବିଶ୍ୱସ୍ତା ନୁହେଁ । ଏପରିକି ତାର ସନ୍ତାନର ପିତା ମଧ୍ୟ ରମୁ ନୁହେଁ । ଏସବୁ ସତ୍ତ୍ୱେ ସେ ରମୁକୁ ଅବିଶ୍ୱାସ ଓ ସନ୍ଦେହ କରେ । ତାର ଏ ମାନସିକତାକୁ ଦୂର କରିବାକୁ ପରାମର୍ଶ ଦେଉଥିବା ସଙ୍ଗିନୀଟି ପ୍ରତି ମଧ୍ୟ ତାର କମ୍ କ୍ରୋଧ ଓ ବ୍ୟଙ୍ଗ ନାହିଁ । ତା’ ସ୍ୱାମୀର ଅର୍ଥରେ ଯେ ସେ ନିର୍ଭରଶୀଳା ଏକଥା ମୁହେଁ ମୁହେଁ କହିବାକୁ ସେ ପଛାଇ ଯାଇନାହିଁ । (ସେ କହିଲା ହସି ହସି ଜାଣେ ଜାଣେ ସବୁଜାଣେ/ କାଳ କୂଳ ନଈ କୂଳ ବି.ଏ.ଫେଲ ହେଲାପରେ ତୋର ନୂଆ ଶାଢ଼ୀ ଜୋତା ସବୁର ମୁଁ ଇତିହାସ ଜାଣେ ।) ଶେଷୋକ୍ତ ନାରୀ ଚରିତ୍ରଟି ବ୍ୟବସାୟୀ ବୋଷ୍‌ବାବୁଙ୍କ ରକ୍ଷିତା । ଗୁରୁପ୍ରସାଦଙ୍କ ଲେଖନୀର ଯାଦୁକରୀ ସ୍ପର୍ଶରେ ଏ ଚରିତ୍ରଟି ଅତ୍ୟନ୍ତ କଳାତ୍ମକ ଭାବେ ଉତ୍କୀର୍ଣ୍ଣ ହୋଇଛି । ଏହି ନୁରୁପାୟା ନାରୀଟି ଅବିବାହିତା, ଏକ ପରିପୂର୍ଣ୍ଣ ପରିବାରର ସଦସ୍ୟା । ପରିବାରର ଅସ୍ୱଚ୍ଛଳ ସ୍ଥିତି ହେତୁ ତାର କେୌଣସି ସ୍ୱପ୍ନ ସାକାର ହୋଇ ପାରିନାହିଁ । ଦେହ ତଥା ମନର କ୍ଷୁଧା ମେଣ୍ଟାଇବା ପାଇଁ ସେ ବୋଷବାବୁ ବ୍ୟବସାୟୀ ଭଳି ଜଣେ ଲମ୍ପଟ ପୁରୁଷର ଖେଳ ସାମଗ୍ରୀ ହୋଇଛି । ପରିବାରର ସକଳ ଅନୁପସ୍ଥିତିରେ ସେ ଜୀବନର ଶ୍ରେଷ୍ଠ ସମ୍ପଦ ତାର ନାରୀତ୍ୱ ବୋଷ ବାବୁଙ୍କୁ ସମର୍ପଣ କରିଛି । ଏହା ହିଁ ପରବର୍ତ୍ତୀ ଅବସ୍ଥାରେ ତାର ଦୁଃଖ ଓ ଅନୁଶୋଚନାର କାରଣ ହୋଇଛି । ତାର ଏ ମାନସିକ ସ୍ଥିତିକୁ ଗୁରୁପ୍ରସାଦ ଏକ ପୁରାବୃତ୍ତଧର୍ମୀ ଚିତ୍ରକଳ୍ପ ‘ଅରଣ୍ୟର ଅଜଗର’ ମଧ୍ୟରେ ବ୍ୟଞ୍ଜିତ କରିଛନ୍ତି । ସେହି ଭାଗବତୀୟ ପଂକ୍ତି ମଧ୍ୟରେ (କର୍ମ କଷଣ ଦେହ ସହେ / ଅରଣ୍ୟେ ଅଜଗର ପ୍ରାୟେ) ନାରୀ ଜୀବନର ଦୁଃଖ ଓ ଗ୍ଲାନିବୋଧ ହିଁ ମୁଖ୍ୟତଃ ବ୍ୟଞ୍ଜିତ ହୋଇଛି । ଏହି ଅସ୍ୱୀକୃତ ଗଣିକାତ୍ୱ ମଧ୍ୟରେ ଜୀବନର ଦାବୀ ଆଦୌ ଉପେକ୍ଷଣୀୟ ନୁହେଁ । ଲାବଣ୍ୟବତୀର ଇଷିକାର ମଧ୍ୟରେ ପାରମିରିଳ ପ୍ରେମାନୁଉଦର ବ୍ୟଙ୍ଗରୂମର ଉପସ୍ଥାପନା କରନ୍ତି କବି । ଗୋମାଂସ ଓ ମଦ୍ୟମାଂସର ଗନ୍ଧର ଚିତ୍ର ଭିତରେ ନାୟିକାର ମାନସିକ ଅସନ୍ତୁଳନ ଓ ଅସନ୍ତୋଷ ଅତି ସାର୍ଥକ ଭାବରେ ବ୍ୟଞ୍ଜିତ ହୋଇଛି । ଗୁରୁପ୍ରସାଦଙ୍କ ନାରୀ ଚରିତ୍ର ସମ୍ପର୍କରେ କୁହାଯାଇପାରେ ଯେ ତାତ୍କାଳିକ ସମୟର ଦୁଃଖଦ ଆର୍ଥନୀତିକ ସ୍ଥିତି, ମୂଲ୍ୟବୋଧର ବିପର୍ଯ୍ୟୟ ଅବସ୍ଥା ଏବଂ ବଞ୍ଚିବାର ସଂଗ୍ରାମରେ କ୍ଲାନ୍ତଶ୍ରାନ୍ତ ସ୍ଥିତି ଗୁରୁପ୍ରସାଦଙ୍କ କାବ୍ୟ ନାୟିକାକୁ ମଳିନ ଓ ଧୂସର କରିଦେଇଛି । ପ୍ରେମର ପରିବର୍ତ୍ତିତ ମୂଲ୍ୟବୋଧର ଏମାନେ ସାକାର ବିଗ୍ରହ । ରୂପତଥା ମୂଲ୍ୟବୋଧର ଊର୍ଦ୍ଧ୍ୱରେ ବଞ୍ଚିରହିବାର ଉଗ୍ର ଅଭୀପ୍‍ସା ଗୁରୁପ୍ରସାଦଙ୍କ ପ୍ରତିଟି ନାରୀଚରିତ୍ରର ମାନସିକତାକୁ ପୂରାପୁରି ଭାବେ କବଳିତ କରିଛି ।

 

।। ପାଞ୍ଚ ।।

 

ଜୀବନର ସୂକ୍ଷ୍ମ ଇନ୍ଦ୍ରିୟାନୁଭୂତି ଗୁଡ଼ିକର ଚିତ୍ର ଦେବାବେଳେ ଗୁରୁପ୍ରସାଦଙ୍କ ଲେଖନୀ କମ୍ କଳାତ୍ମକ ହୋଇନାହିଁ । ପ୍ରଥମତଃ ପ୍ରେମ । ଗୁରୁପ୍ରସାଦଙ୍କ କବିତାରେ ପ୍ରେମର ଏକ ବିଘଟିତ ରୂପ ସ୍ପଷ୍ଟ । ମଧ୍ୟଯୁଗୀୟ ଉତ୍କଳୀୟ କାବ୍ୟ ପରମ୍ପରାରେ ପ୍ରେମର ଯେଉଁ ରସଘନ ସ୍ୱରୂପ ଥିଲା ଆଲମ୍ବନ ତଥା ଉଦ୍ଦୀପନ ବିଭାବ ମଧ୍ୟରେ ତାର ଯେଉଁ ଧରାଭିଷେକ ହୋଇଥିଲା ଏବଂ ଏହାକୁ ନେଇ ଆଧୁନିକ ଯୁଗରେ ରାଧାନାଥଙ୍କଠାରୁ ମାନସିଂହଙ୍କ ପର୍ଯ୍ୟନ୍ତ ଯେଉଁ ନୈତିକ ତଥା କଳାତ୍ମକ ଚିତ୍ର ପ୍ରକଟିତ ହୋଇଥିଲା ଗୁରୁପ୍ରସାଦଙ୍କ ବେଳକୁ ତାହା ପୂର୍ଣ୍ଣ ପରିବର୍ତ୍ତିତ ହୋଇଗଲା । ପ୍ରେମରୁ କଳ୍ପନା ତଥା ନୈତିକତା ଦୂରେଇଗଲା । ଜୀବନର ଭଙ୍ଗୁର ବାସ୍ତବତାଟିଏ ସେ ହୋଇଗଲା, ଯାହାର ପରିଣତି ହିଁ ଆବଞ୍ଛିତ ଗର୍ଭଧାରଣ (ତା ଭିତରେ ତୁମେ ପୁଣି ପ୍ରେମ କର ଗର୍ଭବତୀ ହୁଅ : ଅଳକା ସାନ୍ୟାଲ) । ପ୍ରେମରୁ କ୍ରମେ ଦୂରେଇଗଲା ସମର୍ପଣ, ତ୍ୟାଗ ଓ ତିତିକ୍ଷା । ପରିସ୍ଥିତିର ଦାୟରେ କ୍ଷଣିକ ସୁଖନିର୍ଭର ଦେହଜ ସମ୍ଭୋଗଟିଏ ହୋଇଗଲା ସେ । ଏ ପ୍ରେମରେ ଯୁଗ ଯନ୍ତ୍ରଣାର ଏକ କ୍ଷୟିଷ୍ଠୁ ଭାବ ସଞ୍ଚରିତ ହୋଇଗଲା । ଏକ ଅମୃତ ଅନୁଭବ ନ ହୋଇ ତାହା ଏକ କ୍ଷୟମାଣ ବ୍ୟର୍ଥ ଅନୁଭବଟିଏ ହୋଇଗଲା । ପୁଞ୍ଜୀଭୂତ ମର୍ମଦାହ ଭିତରେ ଗୁରୁପ୍ରସାଦଙ୍କ କାବ୍ୟନାୟକ ଆତ୍ମା ନ ଖୋଜି ନିରୋଳା ଦେହଟିକୁ ହିଁ ଖୋଜିଚାଲିଲା (ମୁଁ ତୁମକୁ ଭଲପାଏ ପୁଞ୍ଜିଭୂତ ଏ ଦେହରେ ଆତ୍ମା ମୋର ମନର ପିପାସା । ମୁଁ ତେଣୁ ତୁମ୍ଭର ଦେହ ଖୋଜେ ମୋର ଏ ଦେହରେ ସବୁ ମୋର ଆଶ । ସନେଟ୍ : ଚାରି) । ଭଲପାଇବାର ମହାମନ୍ତ୍ର ଯାହା ଅତୀତରେ ମୃତ୍ୟୁ ଲୋକରୁ ଜୀବନ ଫେରାଇ ଆଣୁଥିଲା, ଯେଉଁଥିରେ ଦୁଇଟଇ ଅମର ଆତ୍ମାର ମିଳନର ମଧୁର ପର୍ବ ସମାହିତ ହେଉଥିଲା ତାହା ଗୁରୁପ୍ରସାଦଙ୍କ କବିତାରେ କେବଳ ଦେହ ନିର୍ଭର ହୋଇଗଲା । କାବ୍ୟନାୟକ ପ୍ରେମାସ୍ପଦାର ଭଲପାଇବାର ଗୁଣ ଗାନ କଲାବେଳେ ଏହି ଦେହବାଦିତା ହିଁ ମୁଖ୍ୟ ହୋଇଉଠିଛି । ତାଙ୍କ ପାଞ୍ଚ ନମ୍ବର ସନେଟ୍‍ରେ କାବ୍ୟନାୟକ ସ୍ପଷ୍ଟ ଭାବେ କହିଛି ଯେ ପ୍ରେମାସ୍ପଦାର ଭଲପାଇବାର ବିଭୂତିରେ ପ୍ରାଚୀନ ପୃଥିବୀରେ କେଉଁ କାଳୁ ନିଶ୍ଚିହ୍ନ ହୋଇଯାଇଥିଲା ମଣିଷ ଦେହ ପୁନର୍ବାର ଜୀବନ୍ୟାସ ପାଇଯିବ (ପ୍ରାଚୀନ ଏ ପୃଥିବୀରେ ଜୀବନ୍ୟାସ ପାଏ ଯଦି ମଣିଷର ଦେହ / ତୁମେ ଯଦି ଭଲପାଅ ତୁମେ ଯଦି ଆଜି ଭଲପାଅ) ।

 

ଭଲପାଇବାର ଏହି କାଳାନୁକ୍ରମୀ ଘଟାନ୍ତର କ୍ରିୟା କବି ଚେତନାରେ ବ୍ୟର୍ଥତା ଓ ଦୈନ୍ୟ ଭାବରେ ପରିସ୍ଫୁଟ ହେଲେ ମଧ୍ୟ ହୃଦୟ ମଧ୍ୟରେ ଏହାର ଚିରନ୍ତନ ଆବେଦନ ତଥାପି ଅବ୍ୟାହତ ରହିଛି । ସକଳ ପୁଞ୍ଜୀଭୂତ ବ୍ୟର୍ଥତା ଓ ହତାଶା ମଧ୍ୟରେ କାବ୍ୟନାୟକ ଆପଣାର ପ୍ରେମାସ୍ପଦାକୁ ଭୁଲିପାରି ନାହିଁ (ମୁଁ ତାକୁ ପାଇଚି ଭଲ ବ୍ୟର୍ଥତା ମୋ ପୁଞ୍ଜୀଭୂତ କରି : ସୁନାର ଝରଣା) । ବରଂ ସକଳ ବେଦନା ଓ ବ୍ୟର୍ଥତାକୁ ମୂର୍ତ୍ତିଟିଏ କରି ଗଢ଼ିଦେଇ ତା’ ଭିତରେ ଜୀବନ୍ୟାସ ଦେଇଛି ତାର ପ୍ରେମାସ୍ପଦାକୁ । ତେଣୁ ଏ ପ୍ରେମ ପାଇଁ ତାର ଆଉ କେଉଁ ସ୍ଵପ୍ନିଳ ଅନୁସଙ୍ଗ ଅଥବା ମଳୟମଖା ଉଦ୍ଦୀପନା ବିଭାବର ଆବଶ୍ୟକତା ନାହିଁ । ଆକାଶ ଆଉ ବାଲିର ବିସ୍ତୀର୍ଣ୍ଣ ନୀଳ ନୀରବତା ମଧ୍ୟରେ କାବ୍ୟନାୟକର ପ୍ରେମ ରଙ୍ଗମଞ୍ଚ ପ୍ରେମାସ୍ପଦାର ଭୀରୁ ଆଗମନ ପାଇଁ ସୁସଜ୍ଜିତ ରହିଛି (ଆଜି ତେଣୁ ଆକାଶର ବାଦ ଆଉ ଏ ବାଲିର ଭିତରେ / ମୁଁ ତୁମକୁ ପ୍ରେମ କରେ : କପୋତ କପୋତୀ)-। ବେଳେବେଳେ କାବ୍ୟନାୟକ ଦେହର ଭୋକଠାରୁ ପ୍ରେମକୁ ଆଉ ଆଗେଇ ନେଇପାରି ନାହିଁ । ଏଠାରେ ପ୍ରେମର ଲେଶମାତ୍ର ସତ୍ତା ନାହିଁ । କେବଳ ଇନ୍ଦ୍ରିୟ ସୁଖ, ଦେହ ଲାଳସା ଓ ସମ୍ଭୋଗ ଉନ୍ମୁଖତା ଭିତରେ ଏହା ସୀମିତ ରହିଛି । ‘ଦେହର ନିର୍ଲନ ଭୋକ’ କବିତାରେ ଏ ଭାବନା ଅତ୍ୟନ୍ତ ସ୍ପଷ୍ଟ । ଏହି ଜାନ୍ତବ କ୍ଷୁଧା ଦୁର୍ନିବାର । ଏହାର ଯେପରି ପରିସମାପ୍ତି ନାହିଁ । ଜୀବନର ନାନାବିଧ ଯନ୍ତ୍ରଣା ନାନା ଆତ୍ମଦହନ ମଧ୍ୟରେ ଏ କ୍ଷୁଧା କିନ୍ତୁ ବଳବତ୍ତର ଥାଏ । ଗୁରୁପ୍ରସାଦଙ୍କ ଶବ୍ଦରେ ଏ କ୍ଷୁଧାର ରୂପ ଏହିପରି । ‘ମୋ ଦେହରେ ସେ ଭୋକର ଅନୁଭୂତି ନିଷ୍ଣୁର ଲାଳସା / ଯେତେ ତୃପ୍ତି ପାଇଲେ ବି ପୁଣି ଫେରେ ଉତ୍ୟକ୍ତ ନିର୍ଲଜ / ଅନ୍ୟ ଏକ ଦେହ ପାଇଁ ଜୀବନର ଯନ୍ତ୍ରଣା ସହିତ / ନିର୍ଲଜ ଏ ଭୋକର କି ଶେଷ କାହିଁ ପରିତୃପ୍ତି କାହିଁ ? (ଦେହର ନିର୍ଜନ ଭୋକ) ।

 

ଦ୍ୱିତୀୟତଃ ଗୁରୁପ୍ରସାଦ ବିଷାଦ ଓ ବେଦନାର କବି । ଦୁଃଖ ପ୍ରତି ଏକ ଅନ୍ତରଙ୍ଗ ସମ୍ବେଦନା ତାଙ୍କର ଅଧିକାଂଶ କବିତାରେ ସ୍ପଷ୍ଟ । ତାଙ୍କ କାବ୍ୟନାୟକ ଅଥବା ନାୟିକା ଅହରହ ଏକ ମାନସିକ ଅସନ୍ତୃଜନ ଓ ତଜ୍ଜନିତ ବେଦନା ବୋଧର ପୀଡ଼ିତ । ଏହି ମାନସିକ ବିଷାଦର ବହିରଙ୍ଗୀ ପ୍ରକାଶ ଅତ୍ୟନ୍ତ କଳାତ୍ମକ । ଏଥିପାଇଁ ସେ ଯେଉଁ ଚିତ୍ରକଳ୍ପଟି ବହୁଳ ଭାବରେ ବ୍ୟବହାର କରିଛନ୍ତି ତାହା ହେଉଛି ବାଲି । ବାଲିରେ କୌଣସି ଆଶା ବା ସମ୍ଭାବନା ସାକାର ହୋଇପାରେ ନାହିଁ । ନିଃସଙ୍ଗ ବିଷାଦ ବତୁର ବ୍ୟକ୍ତିଚେତନା ଏହି ଚିତ୍ରକଳ୍ପରେ ହିଁ ଅଗଣାକୁ ଆତ୍ମପ୍ରକାଶ କରେ । ‘ସବୁ ଛାତି ଦୁହିଁ ହେବା’ କହିବା ଭିତରେ ଅଗଣିତ ମଣିଷଙ୍କ ଦୁଃଖ ତଥା ବେଦନାର ଚିତ୍ର ହିଁ ପ୍ରକଟିତ ହୋଇଛି (ଏ ବାଲିରେ ସବୁଛାତି ଦୁହିଁ ହୋଇ ହୁଏ ଏକାକାର : ପ୍ରିୟ ବାନ୍ଧବୀ । ଏହି ବାଲି କେତେବେଳେ ବା ସମ୍ଭାବନାହୀନ ନିଥର ତଥା ଅସଫଳ ଜୀବନର ଚିତ୍ର ବହନ କରିଛି (ଆଜି ମୁଁ ପଠାଏ ମୋର ଏ ବିରହ ଭୟ ପୁଣି ସ୍ତୂପ ସ୍ତୂପ ନିରର୍ଥକ ବାଲି : ଚିଠି ) । ଏଥିରେ ଜୀବନର କୌଣସି ନୂତନ ଦ୍ୟୋତନା ନାହିଁ କି କର୍ମପ୍ରବଣତାର ସାମାନ୍ୟତମ ପରିଚୟ ବି ନାହିଁ । ଏପରିକି ଆପଣାର ପ୍ରେମାସ୍ପଦ ପାଗରେ ମଧ୍ୟ କାବ୍ୟନାୟକର କୌଣସି ଦୁର୍ବଳତା ଓ ଗୋପନତମ ଅଭିଳାଷ ନାହିଁ । ସେ ଜାଣେ ତାର ସମ୍ପର୍କ ବ୍ୟର୍ଥତା ଦିଗକୁ ଧାବିତ ଏବଂ ତାର ପ୍ରେମିକ ତାକୁ ତାର ମନୋବାଞ୍ଛିତ ଫଳ ପ୍ରଦାନ କରିପାରିବ ନାହିଁ । ତେଣୁ ପ୍ରେମିକାର ଦେହ ତା ପାଇଁ ନିଛାଟିଆ ନଈବାଲି ପାଲଟି ଯାଇଛି (ତମର ଦେହର ଏଇ ନିଛାଟିଆ ନଈବାଲି ପରେ : ସନେଟ୍ ପାଞ୍ଚ) । ଏକ ନିରୁଦ୍‍ବେଗ ସମ୍ଭାବନାହୀନ ନିରର୍ଥକ ଜୀବନର ଚିତ୍ର ଦେବାବେଳେ ଗୁରୁପ୍ରସାଦ ଏହି ବାଲିର ଚିତ୍ର ହିଁ ରଖିଛନ୍ତି ଯାହା ଶେଷହୀନ ଶେଷକୁ ହିଁ ଅଧିକ ଭାବେ ବ୍ୟଞ୍ଜିତ କରିଛି (ନିଶବ୍ଦ ଏ ବାଲିରେ ବାଲି ଆଉ ବାଲି / ବିବର୍ଣ୍ଣ ଘାସ ଓ ବାଲି ପଥହୀନ ବିବର୍ଣ୍ଣ ପୃଥିବୀ / ଉପରେ ନିସ୍ତେଜ ଖରା ପଥହୀନ ବିବର୍ଣ୍ଣ ଆକାଶ / ବିବର୍ଣ୍ଣ ବାଲି ଓ ଘାସ ଶେଷହୀନ ଶୋଷ ଆଉ ଶୋଷ : କାଳପୁରୁଷ)-। ଅନ୍ୟତ୍ର ଏହି ବିଷାଦବୋଧ ଥୁଣ୍ଟା ଗଛର କୋରଡ଼ ଓ ନିଃଶବ୍ଦ ମଶାଣିର ଦୁଇଗାଡ଼ ମଶିଣା ଓ ଛିଣ୍ଡାକନା ମଧ୍ୟରେ ବ୍ୟଞ୍ଜିତ ହୋଇଛି (ଦୃଷ୍ଟିର ଦିଗନ୍ତ) । କେତେବେଳେ ମାନସିକ ବିଷର୍ଣ୍ଣତାର ଚିତ୍ର ଦେବା ପାଇଁ ଗୁରୁପ୍ରସାଦ ଝଡ଼ାଫୁଲ, ମୃତ୍ୟୁର କ୍ଷୟକ୍ଷତି, ଭୟ, ମୁମୂର୍ଷୁ ଦିନାନ୍ତ ଓ ତିକ୍ତ ଦିଗନ୍ତର ଚିତ୍ର ଉପସ୍ଥାପନ କରିଛନ୍ତି (ସନେଟ୍ ନଅ) ।

 

ଏହି ବିଷାଦ ଓ ବେଦନାର କାରଣ ଏକ ନୁହେଁ, ଅନେକ । ବେଳେବେଳେ ସମପର୍କ ବା ସମ୍ବନ୍ଧ ଜନିତ କାରଣରୁ ଏହି ବିଷାଦବୋଧର ସୃଷ୍ଟି । ନଗର ଜୀବନର ସମ୍ବନ୍ଧ ତଥା ଆନ୍ତରିକତା ବିହୀନ ଔପଚାରିକତା, ନମସ୍କାର ଜୟହିନ୍ଦ୍ ଅଥବା ସଲାମ୍‍ର ଉଷ୍ମ ଆବେଗ ବିରହିତ ଉର୍ଚ୍ଚାରଣ କାବ୍ୟ ନାୟକର ଚେତନାରେ ଦୁରନ୍ତ ଦୁଃଖ ଓ ଅବସାଦ ସୃଷ୍ଟି କରିଛି (ହରେକୃଷ୍ଣ ଦାସ ଚାଲେ ସହରର ବନ୍ଧୁହୀନ ଜ୍ଞାତିହୀନ ନମସ୍କାର ଜୟହିନ୍ଦ୍ ସଲାମ୍ ଭିତରେ : ହରେକୃଷ୍ଣ ଦାସ : ଦୁଇ) । ନଗର ଜୀବନର ଅଗଣିତ ମଣିଷ ପରସ୍ପର ସହ ଏକ ସମ୍ପର୍କବିହୀନ ସ୍ଥିତିରେ ବାସ କରନ୍ତି । ଗାଆଁର ହାର୍ଦ୍ଦିକତା ଏବଂ ସ୍ନେହ ଏଠାରେ ନଥାଏ । କବି ଚେତନାରେ ଏମାନେ ‘ଗୋତ୍ରହୀନ ଗାତ୍ରହୀନ ପଙ୍ଗପାଳ ଗୋଷ୍ଠୀ’ । ଏହି ବିଶାଳ ଜନସମାଜର ଆନ୍ତରିକତା ଓ ସମ୍ବନ୍ଧବିହୀନତାରେ ବିଶାଦଗ୍ରସ୍ତ ହୋଇଛି କାବ୍ୟନାୟକ (କାଳପୁରୁଷ) । ଦ୍ୱିତୀୟତଃ ବେଳେ ବେଳେ ମୂଲ୍ୟବୋଧର ଅବମୂଲ୍ୟାଳୟନରେ ମଧ୍ୟ କାବ୍ୟନାୟକ ମନରେ ଏ ବିଷାଦ ବୋଧ ଘନୀଭୂତ ହୋଇଯାଏ । ସ୍ଵାଧୀନତା ପାଇଁ ମହାତ୍ମା ଗାନ୍ଧୀଙ୍କ ଦ୍ୱାରା ପ୍ରବର୍ତ୍ତିତ - ଅସହଯୋଗ ଆନ୍ଦୋଳନ କ୍ରମବିକଶିତ ରୂପ ସ୍ୱାଧୀନତାର ପରବର୍ତ୍ତୀ କାଳରେ ଯେ କେତେ ଧ୍ୱଂସକାରୀ ଓ ସମାଜର କ୍ଷତିକାରକ ହୋଇପାରେ ତାହାର ‘ହରେକୃଷ୍ଣ ଦାସ ତିନି’ କବିତାରେ ସ୍ପଷ୍ଟ । ବିପ୍ଳବ ଓ ହରତାଳ ନାମରେ ଜାତୀୟ ସମ୍ପତ୍ତିର ଧ୍ୱଂସ କବି ପ୍ରାଣରେ ଗଭୀର ବେଦନାବୋଧ ସୃଷ୍ଟି କରିଛି । ଅଗଣିତ ଜନଗଣଙ୍କ କଷ୍ଟଲବ୍ଧ ସ୍ଵାଧୀନତାର ଅପବ୍ୟବହାର ଜଳୁଥିବା ଜିପ୍‍ଗାଡ଼ି, ଓଏସ୍‍ଟିସି ବସ୍ ଓ ରକ୍ତଭିଜା ସାର୍ଟ ତଥା ରୁମାଲର ଚିତ୍ରକଳ୍ପ ମଧ୍ୟରେ ବ୍ୟଞ୍ଜିତ । ସ୍ୱାଧୀନତା ଉଦ୍ଦେଶ୍ୟରେ ଅନୁଷ୍ଠିତ ହେଉଥିବା ଶୋଭାଯାତ୍ରା ଓ ସ୍ଲୋଗାନରେ ରଚନାତ୍ମକ ଦିଗ ରହିଥିବା ବେଳେ ଆଜିର ଏହି ତଥାକଥିତ ଶୋଭାଯାତ୍ରା ଓ ସ୍ଲୋଗାନରେ କେବଳ ‘ଭୟଙ୍କର କ୍ରୋଧ ଓ ଘୃଣା’ ଲୁଚିରହିଛି । ଗୁରୁପ୍ରସାଦ ଅତୀତରେ ସେହି ଗଠନାତ୍ମକ ବୈପ୍ଳବିକ ପଦକ୍ଷେପକୁ ଏହି ଚିତ୍ରକଳ୍ପ ମାଧ୍ୟମରେ ଏଇମିତି ଖୋଜନ୍ତି, ‘ଆଶ୍ଚର୍ଯ୍ୟ ସେ ହଜିଥିବା ମୁହୂର୍ତ୍ତର ସମୟ ଅଭିସାର ରାତି / ପକ୍ଷୀ ଆଉ ଫୁଲ ସବୁ / ହସ ଗୀତ ବ୍ୟାଣ୍ଡବାଜା / କେବେ ଥିଲା ? କେଉଁଠି ? କେଉଁଠି ? (ହରେ, ତିନି) । ଏ ଅନ୍ୱେଷା ଜଣକର ନୁହେଁ ଯୁଗ ମାନବର, ସମଗ୍ରର । ଏହି ମୂଲ୍ୟବୋଧର ଅବକ୍ଷୟ ଜନିତ ବିଷାଦବୋଧର ଚିତ୍ର ‘କମ୍ରେଡ ମାମୁଁ’ କବିତାରେ ଅଧିକ ମାର୍ମିକ । କୌଣସି ଜନନେତା ଅଥବା ସାରସ୍ୱତ ସାଧକଙ୍କ ଆବର୍ତ୍ତମାନରେ ହେଉଥିବା ଶୋକସଭା, ଖବରକାଗଜୀୟ ବିବୃତି ଆଦିରେ ଆନ୍ତରିକହୀନତା କବି ଚେତନାକୁ କମ୍ ବ୍ୟଥିତ କରି ନାହିଁ । ଏହି କବିତାରୁ ମଧ୍ୟ ମୂଲ୍ୟବୋଧର ଅବକ୍ଷୟ ଜନିତ ବିଷାଦ ବୋଧ ଲକ୍ଷ୍ୟ କରାଯାଇପାରେ । ତୃତୀୟତଃ ଗ୍ରାମ୍ୟ ଜୀବନର ବିପର୍ଯ୍ୟୟ ଜନିତ ହତାଶା । ପଲ୍ଲୀ ଗ୍ରାମର କୋଳାହଳ ମୁଖରିତ ପରିବେଶ ଯାହା କବି ପିଲାଦିନରେ ଉପଲବ୍ଧି କରିଥିଲେ ବିଶେଷ କରି ଗାଁର ପରିପୂର୍ଣ୍ଣ ବିଦ୍ୟାଳୟ, ଡାକପିଅନର ଚିଠିବଣ୍ଟା, କେଉଟ ସାହିତର ଚୁଡ଼ାକୁଟିବା ବେଳର ଢିଙ୍କି ଶବ୍ଦ, ଧୋବା ତୁଠର ଲୁଗା, ମାଣବସା ଗୁରୁବାରର ହୁଳହୁଳି ଓ ମୁରୁଜ ଏପରିକି ଶାଶୁବୋହୂଙ୍କ କଳି । ସେସବୁ ଆଜି ନୀରବି ଯାଇଛି । ଗାଆଁର ସହରାକରଣ ଅଥବା ସହର ପ୍ରତି ଆକର୍ଷଣ ହେତୁ ଗାଆଁକୁ ଛାଡ଼ି ଚାଲିଯିବା ଏଇ ଦୁଇଟି କାରଣ ଗାଆଁର ଅତୀତ ମଧୁର ଦୃଶ୍ୟକୁ ଆଜି ଆଉ ଧରି ରଖିପାରି ନାହିଁ । ଏଇ ବିଷର୍ଣ୍ଣତା ହିଁ କବିଙ୍କୁ ବିଶେଷ ଭାବରେ ବ୍ୟଥା ଦେଇଛି (ଶୂନ୍‍ଶାନ୍ ତୁମ ଗାଆଁ ଆମ ଗାଆଁ ବିଷର୍ଣ୍ଣ ଏ ଶ୍ରୀହୀନ ଖରାରେ : ଛୁଟିର ଖରା) । ଚତୁର୍ଥତଃ ମାନସିକ ଅନୁଭବଜନିତ ହତାଶାବୋଧ । ଏ କ୍ଷେତ୍ରରେ କାବ୍ୟନାୟକ ମନରେ ଏକ ଅହେତୁକ ଭୟ ସବାର ହୋଇଯାଇଛି । କୌଣସି ଏକ ଖରାପ ମୁହୂର୍ତ୍ତ ଚାଲିଆସିଛି ବୋଲି ତାକୁ ଅନୁଭୂତ ହୋଇଛି । କେଉଁ ଏକ ମହାପାତକ ତାର ଅଜ୍ଞାତସାରରେ ତାକୁ କବିଳତ କରିବସିବାର ଅନୁଭବ ତାର ମାନସିକ ସ୍ତରରେ ଉଦୟ ହୋଇ ତାକୁ ହତାଶ ଓ ଦୁଃଖୀ କରିଦେଇଛି (ଅକସ୍ମାତ୍ ଏ କି ଭୟ – କେଉଁ ଘୋର ଦୁର୍ଦ୍ଦିରନ ବା କେଉଁ ଘୋର ମହାପାତକର : ହରେକୃଷ୍ଣ ଦାସ : ଦୁଇ)

 

ପଞ୍ଚମତଃ ପ୍ରେମର ବିଘଟନ ଜନିତ ବିଷାଦବୋଧ । ଆପଣାର ପ୍ରେମାସ୍ପଦ ପ୍ରତି କାବ୍ୟନାୟକର ଅନ୍ତରରେ ଯେଉଁ ପ୍ରେମ ସୃଷ୍ଟି ହୋଇଛି ତାହା କୌଣସି ସ୍ୱପ୍ନିଳ ଅନୁଷଙ୍ଗସଞ୍ଚାରୀ ନୁହେଁ । ମୁହୁମୁଃର୍ହୁ ଦିନାନ୍ତ, ବିବର୍ଣ୍ଣ ତାରା, ଜୀର୍ଣ୍ଣ ଝଡ଼ାଫୁଲ ତଥା ବିବର୍ଣ୍ଣ ବସନ୍ତ ଆଦି ଶବ୍ଦପୁଞ୍ଜ ଦ୍ଵାରା ପ୍ରେମ କ୍ଷେତ୍ରରେ ଅସଫଳତା ଓ ତଜ୍ଜନିତ ମାନସିକ ବିଷର୍ଣ୍ଣତା ସ୍ପଷ୍ଟ ହୋଇଯାଇଛି (ସନେଟ୍ ନିଅ) । କାବ୍ୟନାୟକ ପ୍ରେମାସ୍ପଦାର ଅଙ୍ଗମୁଦ୍ରା ଏବଂ ତାର କୌଣସି ଇନ୍ଦ୍ରିୟ ବିଜୟାରେ ଆଉ ତୃପ୍ତ ନୁହେଁ । ଦୀର୍ଘକାଳରୁ ପୁରୁଷର ମନକୁ ହରଣ କରୁଥିବା ନାରୀର ଭୁବନ ବିମୋହିନୀ ହସ ତାକୁ କୃତ୍ରିମ ଓ ଅବାନ୍ତର ଲାଗିଛି । ‘ଲକ୍ସ ସାବୁନ ହସ’ର ଚିତ୍ରକଳ୍ପରେ ଏହା ସ୍ପଷ୍ଟ ହୋଇଯାଇଛି । ତାର ସାମଗ୍ରିକ ନାରୀତ୍ୱ ଆଉ କାବ୍ୟନାୟକକୁ ଆମୋଦିତ କରୁ ନାହିଁ ବରଂ କେଉଁ ଏକ ଅନାକାଙ୍‍କ୍ଷିତ ବିଷର୍ଣ୍ଣତା କବଳିତ କରିଦେଇଛି (ପ୍ରେମ ଫ୍ରେମ ବାଜେ ସବୁ ତୁମର ଏ ସିଲ୍‍କ କମିଜ ତମର ଏ ଲକ୍ସ ସାବୁନ ହସ : କାଳପୁରୁଷ) । ଷଷ୍ଠତଃ ନାରୀତ୍ୱର ବିଘଟନ ଜନିତ ହତାଶାବୋଧ । କାଳପୁରୁଷଣ ରମୁର ସ୍ତ୍ରୀ, ପ୍ରତିମା ନାୟକ, ମିନତୀ ନାୟକ ଏବଂ ଅଳକା ସାନ୍ୟାଲ କବିତାର ଅଳକା ଚରିତ୍ର ମଧ୍ୟରେ ନାରୀତ୍ୱର ବିଘଟନ କ୍ରିୟା ସ୍ପଷ୍ଟ । ଏଠାରେ ନାରୀ ଆଉ ବରଣୀୟା ତଥା ମହିୟସୀ ମହିଳା ନୁହେଁ । ‘ସମୟର କ୍ଷୟକାଶ’ ଭିତରେ ଏମାନ କେବଳ ଯାହା ‘ରୁଜ୍’ ବ୍ରଶ୍, ଚକୋଲେଟ୍ ଓ ଲାଲ ଛେପର ଦାଗ’ ରଖିଯାନ୍ତି (କାଳପୁରୁଷ : ଏକ) । ‘ଲ୍ୟାଣ୍ଡସ୍ଲେପ ଦୁଇ’ କବିତାରେ ଏହା ଅଧିକ ପ୍ରୋଜ୍ୱଳ । ଆଷାଢ଼ ମେଘର ଧୂସରତା ମଧ୍ୟରେ ସେ ନାରୀର କୌମାର୍ଯ୍ୟ ବିପର୍ଯ୍ୟୟର ବିଷାଦିତ ଚିତ୍ରକୁ ଲକ୍ଷ୍ୟ କରିଛନ୍ତି । ‘କୁମାରୀର ମାତୃତ୍ୱର ଲାଞ୍ଛନା’ ଶବ୍ଦପୁଞ୍ଜ ମଧ୍ୟରେ ଏହା ସ୍ପଷ୍ଟ ପ୍ରକଟିତ ହୋଇଛି । ଏଥିପାଇଁ ସମଗ୍ର ପରିବେଶ ତାଙ୍କୁ ବିବର୍ଣ୍ଣ, କ୍ଲାନ୍ତ ଓ ‘ମହାପାତ” ଯୁକ୍ତ ଭଳି ପ୍ରତୀତ ହୋଇଛି । ସପ୍ତମତଃ ଜୀବନଯାତ୍ରା ଜନିତ । ଏହି ଜୀବନଯାତ୍ରା ଜନିତ କ୍ଲାନ୍ତି ଓ ବିଷାଦ ଦ୍ୱିବିଧ । ପ୍ରଥମଟି ବୃତ୍ତିରୁ ସାମୟିକ ଅବସର ଜନିତ ବିଷାଦ । ଅଧ୍ୟାପକୀୟ ଜୀବନରେ ଏପ୍ରିଲରେ ସେସନ୍ ସରିବାର କୋଳାହଳହୀନତା କବିଙ୍କୁ ବିଷାଦବିଧୁର କରିଦେଇଛି । ତାଙ୍କର କ୍ୟାମ୍ପସ୍ ବ୍ଲୁଜ୍’ କବିତାରେ ଏହି କରୁଣ ବିଦାୟ ଓ ତଜ୍ଜନିତ ନୀରବତାକୁ ଅନୁଭବ କରିହୁଏ । ଅନ୍ୟଟି ଜୀବନର ଦୀର୍ଘପଥ ଯାତ୍ରା ଜନିତ ବିଷାଦ ଓ କ୍ଳାନ୍ତି । ଜୀବନ ଏକ ଅସରନ୍ତି ଯାତ୍ରାପଥ । ଦୁଃଖ ଏବଂ ସୁଖର ବଳୟରେ ଏହା ବଳୟିତ । କର୍ମ ଜଞ୍ଜାଳର ନବୀସ୍ରୋତରେ ଏହା ସତେ ଧାବମାନ । ଦୀର୍ଘଯାତ୍ରା ଜନିତ କ୍ଲାନ୍ତି ଏବଂ ବିଷାଦର ଚିତ୍ର ବସନ୍ତର ମରିଯିବା, ବର୍ଷା ମେଘ ଝଡ଼ ତଥା ଅନ୍ଧାର ଘୋଟିବା ଏବଂ କକ୍ଷଚ୍ୟୁତ ତାରାର ତୀର୍ଯ୍ୟକ୍ ଗତି ନିଶ୍ଚିହ୍ନ ହେବା ଆଦିରେ ସ୍ପଷ୍ଟ (ନିଭୃତ ଏକାନ୍ତ ମୋର) । କେତେବେଳେ ଜୀବନର ଏଇ ଯାତ୍ରାପଥର ଅନ୍ତିମ ପରିସମାପ୍ତି ‘ମୃତ୍ୟୁ’ରେ ସମାହିତ ହୋଇଛି (ଡିର୍ଜନ ଏ ପୃଥିବୀରେ ମୃତ୍ୟୁର କେବଳ ଛାଇ : ନିଭୃତ ଏକାନ୍ତ ମୋର) ତ ଆଉ କେତେବେଳେ ସମୁଦ୍ର ପ୍ରତି ପ୍ରଧାବିତ ହେବାର ନଦୀ ସୁଲଭ ଦୁର୍ବାର ଅକାଙ୍‍କ୍ଷା ମଧ୍ୟରେ ବ୍ୟଞ୍ଜିତ ହୋଇଛି (ମନରେ ତ ସମୁଦ୍ରର ଅଦମ୍ୟ ପିପାସା : ଏ ନାଲି ମାଟିର ରାସ୍ତା) । ଏ ଯାତ୍ରାର ପରିସମାପ୍ତି ଜନିତ ବ୍ୟାକୁଳତା କେଉଁଠି କେଉଁଠି ଅତ୍ୟନ୍ତ ସ୍ପଷ୍ଟ ରୂପେ ପ୍ରକାଶିତ ହୋଇଛି ଗୁରୁପ୍ରସାଦଙ୍କ କବିତାରେ । ତାଙ୍କର ‘ଲ୍ୟାଣ୍ଡ ସ୍ଲେପ- ତିନି କବିତାରେ ନିମ୍ନ ପଂକ୍ତିକୁ ନିଆଯାଇପାରେ, ଯେଉଁଠାରେ ସେ କହିଛନ୍ତି, “ଏ ନିର୍ବାକ୍ ଗତି ମୋର କହ କେବେ ସ୍ଥିର ହେବ...? ଏ ଅନ୍ୱେଷାର ଅନ୍ତ ନାହିଁ । କେଉଁ ଆଡ଼କୁ ବା ଯାଉଛି ସେ ? ମୁକ୍ତି ଆଡ଼କୁ ନା ପାପପୂର୍ଣ୍ଣ ନର୍କ ଆଡ଼କୁ ? ଏ ପ୍ରଶ୍ନରେ , ସତେ ସନ୍ତୁଳିତ କାବ୍ୟନାୟକ (ଏ ଜନ୍ମର ଯାତ୍ରା ପ୍ରଭୁ ଭୟାବହ କେଉଁ ମୁକ୍ତି / ଭୟାବହ କେଉଁ ପାପ ମହା ନିର୍ବାଣକୁ ?' (ବିଶନ ମହାନ୍ତି) । ‘କାଳପୁରୁଷ’ର ଅନ୍ତିମ ପର୍ଯ୍ୟାୟରେ ଏହି ଜୀବନଯାତ୍ରାର ଅନ୍ତିମ ପରିସମାପ୍ତି ମୃତ୍ୟୁର ଅମୃତ, ଅସତ୍‍ରୁ ସତ୍ ଏବଂ ତମସାରୁ ଜ୍ୟୋତି ଆଡ଼କୁ ବୋଲି କେବଳ ଅନୁମାନ କରାଯାଇଛି (ଏ ଗ୍ରହର ନଷ୍ଟଯାତ୍ରା ଆଜି ଯଦି ମରଣରୁ / ଏ ଗ୍ରହର ନଷ୍ଟ ଯାତ୍ରା ଆଜି ଯଦି ଅସତରୁ) ମାତ୍ର ‘ଯଦି’ ଶବ୍ଦ ପ୍ରୟୋଗରେ ଏହି ଯାତ୍ରାର ସକାରାତ୍ମକ ପରିଣତି ପ୍ରତି ପୂର୍ଣ୍ଣ ବିଶ୍ୱସ୍ତ ହୋଇପାରି ନାହିଁ କାବ୍ୟନାୟକ । ଅବଶ୍ୟ ‘ଅମୃତଗମୟ’ ଉଚ୍ଚାରଣରେ ଏ ସ୍ଵର କେବଳ ଯାହା ଆଶାର ଅରୁପାୟିତ ଆଲେଖ୍ୟରେ ଅନୁରଣିତ ହୋଇଉଠିଛି । ମାତ୍ର ‘ଅକ୍ରୂର ଉବାଚ’ର ଅନ୍ତିମ ପର୍ଯ୍ୟାୟରେ ଅକ୍ରୂରର ଯାତ୍ରାରେ ମଣିଷର ଜୀବନ ଯନ୍ତ୍ରଣାକୁ ଏକୀଭୂତ କରି କାବ୍ୟନାୟକ ସେହି ପରମ ସତ୍ତା ପାଖରେ ଏକ ମଧୁମୟ ଜୀବନର ଯାଚଜ୍ଞା କରିଛି ଏବଂ କ୍ଲାନ୍ତ, ଯନ୍ତ୍ରଣାକୁ ଜୀବନଯାତ୍ରାର ସୁଖଦ ପରିଣତି ପ୍ରାର୍ଥନା କରିଛି । “ମହାପ୍ରଭୁ ମୁକ୍ତି ଦିଅ – ଏହି ଯାତ୍ରା ଶୁଭ ହେଉ ତୁମରି ଦୟାରୁ / ଏହି ଯାତ୍ରା ହେଉ ମୋର ଶେଷଯାତ୍ରା ଏ ଦେହରୁ / ତୁମର ସଂହାର ଡେଇଁ / ବହୁତ ବହୁତ କ୍ଲାନ୍ତି, ପୁନରୁକ୍ତି ଏ ଆତ୍ମାର / ଆଉ ତୁମ ଦୟା କ୍ଷମା କରୁଣାର ମୁଦ୍ର କୂଳରୁ ।” ଥରେ ଏହି ସମୁଦ୍ର କୂଳରେ ପହଞ୍ଚିଯିବା ପରେ ସବୁ ଅବସାଦ ଯେ କ୍ରମେ ବିଲୀନ ହୋଇଯିବ ଏ ବିଶ୍ୱାସ କବିଙ୍କର ରହିଛି । ତେଣୁ ମୃତ୍ୟୁ ଆଉ ତାଙ୍କୁ ଭୟଭୀତ କରିପାରି ନାହିଁ । ତାହା ଆଜି ‘ସମୟର ମହା ପରିସମାପ୍ତି’ ପର୍ବ ହୋଇଯାଇଛି (ବାବା ପାଇଁ ଦୁଇଟି କବିତା) ଯାହାକୁ ବେଳେ ବେଳେ କବି ସହରର ସବୁ ଫ୍ୟୁଜ୍ ଅକସ୍ମାତ୍ ପୋଡ଼ିଯିବା ଓ ଚାକିରିରୁ ଅକସ୍ମାତ୍ ଛୁଟିନେବା ମଧ୍ୟରେ ବ୍ୟଞ୍ଜିତ କରିଛି (ମୃତ୍ୟୁ) ।

 

ତୃତୀୟତଃ ଜୀବନ ପ୍ରତି ଏକ ସକାରାତ୍ମକ ଦୃଷ୍ଟିକୋଣ ଓ ସକଳ ନୈରାଶ୍ୟ ମଧ୍ୟରେ ଆଶା ଓ ଆଶ୍ୱାସନାର ସ୍ଵର ଗୁରୁପ୍ରସାଦଙ୍କ କବିତାରେ ସ୍ପଷ୍ଟ ଓ ପ୍ରାଞ୍ଜଳ । ଏ ଆଶାବାଦର ସ୍ୱର ସଞ୍ଚାରିତ ହୋଇଛି ଏକ ପରିପୂର୍ଣ୍ଣ ଜୀବନବୋଧର ପ୍ରତ୍ୟୟକୁ କେନ୍ଦ୍ର କରି । ଦୁଃଖ ତଥା ଅବସାଦ ସୃଷ୍ଟିକାରୀ ‘ବିନାଶ କାମନାର ପରିସମାପ୍ତି ସର୍ବାନ୍ତକରଣରେ କାମନା କରିଛି କାବ୍ୟନାୟକ । ବିଫଳ ପ୍ରୟାସ ଜନିତ ଦୁଃଖବୋଧ ଦୂର ପାଇଁ ସେ ଏହାକୁ ଶାନ୍ତ କରିବାକୁ ମନସ୍ଥ କରିଛି । ମଣିଷର ଭାଷା ହିଁ ତାକୁ ବହୁ ସମୟରେ ଦୁଃଖ ଦିଏ । ତେଣୁ ମୌନତାର ମହାସମାଧିରେ ଅନ୍ତର୍ଲିନ ଆନନ୍ଦ ପାଇବାର ଅଭିଳାଷ ସେ ପୋଷଣ କରିଛି (ବିନାଶ କାମନା ହେଉ ଭୋଗ ହେଉ ପୃଥିବୀର ବର୍ଷା ଆଉ ମେଘର ପିପାସା / ଶାନ୍ତ ହେଉ ସବୁ ଚେଷ୍ଟା ବିଫଳ ପ୍ରୟାସ ଯେତେ । ମୌନ ହେଉ ମଣିଷର ଭାଷା : ନିହତ ଗୋଧୂଳି) । କାବ୍ୟନାୟକର ‘ଜଳିଗଲା ପୋଡ଼ିଗଲା’ର ନିରାଶାବୋଧ ଏଠି ଆଉ ନାହିଁ । ବରଂ ଏକ ବିମଳ ଆଶାଲୋକରେ ଆଲୋକିତ ହୋଇଯାଇଛି ତା’ ପରିସର । ଦୈନ୍ୟ ଓ ନିଃସଙ୍ଗତାର ଅମା ରାତ୍ରି ‘ପରା ଆଲୁଅ’ର ବାର୍ତ୍ତା ଆଣିବାର କଥା କହିବା ବେଳେ ଏବଂ ମଶାରିରେ ତାରା ବିଞ୍ଚି ନିଦ ଆସିବା ପରିକଳ୍ପନା କଲାବେଳେ କାବ୍ୟନାୟକ ଯେ କେତେ ଆଶାବାଦୀ ଏହା ସ୍ପଷ୍ଟ ହୋଇଯାଏ (ମୋ ଦେହରେ ରାତିପାହ ରୂପାନ୍ତର ତୃପ୍ତି ଆସୁ ତାରା ଆଲୁଅର / ପବନର ହାତ ଯାଉ ଆଉଁସି ନଈର ଧାର ଶିଉଳିର ଅବିନ୍ୟସ୍ତ ବାଳ / ଅନ୍ଧାର ଓ ବାଲିଚର କଣ୍ଟାଘାସ ଘାରି / ବିଛଣାକୁ ନିଦ ଆସୁ ବୁଣି ବୁଣି ମଶୁରିରେ ତାରା ଆଉ ତାରା : ନିଦ) । ନଦୀର ଧାର ତଥା ଶିଉଳିର ଅବନ୍ୟସ୍ତ ଆତ୍ମପ୍ରକାଶ ମଧ୍ୟରେ ଏହି ସକାରାତ୍ମକ ସ୍ଵପ୍ନିଳ ଚେତନା ଅତ୍ୟନ୍ତ ସ୍ପଷ୍ଟ ଓ ପ୍ରୋଜ୍ୱଳ । ଅନ୍ଧାର, ବାଲିଚର ଓ କଣ୍ଟା ଦୈନ୍ୟ ଭାବର ସୂଚକ ଯାହା ସେହି ଆଶାର ପ୍ଲାବନରେ କାହିଁ କୁଆଡ଼େ ଅଗଣାର ସତ୍ତା ହରାଇ ବସିଛି । ଭଲପାଇବାର ମଧ୍ୟ ଏହି ରୂପାନ୍ତର ଆସିଛି । ମନର ଏହି ବିଶେଷ ପରିବର୍ତ୍ତନରେ ପୋଡ଼ାଭୂଇଁର ପୃଥିବୀର ପୁଣି ‘ରୂପବତୀ’ ହୋଇଯାଇଛି ପୌଷର କୁହୁଡ଼ିଘେରା ସନ୍ଧ୍ୟାର ଆମ୍ବତୋଟା ପୁଣି ଆକର୍ଷଣୀୟ ହୋଇଉଠିଛି (ସିତୁଆ) । ପୂର୍ବରୁ ଗାଆଁର ଯେଉଁ ବିଷର୍ଣ୍ଣ ରୂପ କାବ୍ୟନାୟକ ତୋଳି ଧରିଥିଲା ଏଠି ତାହା ଆଉ ନାହିଁ । ପୃଥିବୀର ସୌନ୍ଦର୍ଯ୍ୟରେ ବିଭୋର ହୋଇଯାଇଚି କାବ୍ୟନାୟକ । ବାରମ୍ବାର ସେ ପୃଥିବୀର ସୌନ୍ଦର୍ଯ୍ୟର ଜୟଗାନ କରିଚାଲିଛି (ପୃଥିବୀ ସୁନ୍ଦର ଏଠି’ - ‘ମାର୍ଶାଘାଇ ଓ ‘ତଥାପି ତ ଏ ପୃଥିବୀ କୃଷ୍ଣଚୂଡ଼ା ପଳାସ ଫୁଲ / ଫାଲ୍‍ଗୁନର ପବନରେ ଝଡ଼ପତ୍ର ଆମ୍ବ ବଉଳରେ / ଏତେ ସ୍ନିଗ୍ଧ ସୁନ୍ଦର ଓ ଏତେ ରୂପବତୀ’ –ସନେଟରେ ସେ ସ୍ତ୍ରୀଲୋକର) । ଅବଶ୍ୟ ଲକ୍ଷ୍ୟ କରିବାର କଥା ଗୁରୁପ୍ରସାଦ ଏ ସକାରାତ୍ମକ ମାନସିକତା ତାଙ୍କ କାବ୍ୟ ଚେତନାର ଏକ ଭିନ୍ନ ସ୍ଥିତିର କବିତାର କଥା, ଯାହା ୧୯୫୫ ବେଳର କବିତାରେ ଶୁଣିବାକୁ ମିଳି ନଥିଲା ।

 

ଚତୁର୍ଥତଃ ଜୀବନର ବିଭିନ୍ନ ଅନୁଭବକୁ ନେଇ ଗୁରୁପ୍ରସାଦ କିଛି ଦାର୍ଶନିକ ଅଭିବ୍ୟକ୍ତି ବ୍ୟକ୍ତ କରିଛନ୍ତି, ତାଙ୍କ କବିତାମାନଙ୍କରେ । ଗୀତାର ନିର୍ଯ୍ୟାସ ଆକଳନ କରିବାକୁ ଯାଇ ଏକ ଦ୍ଵନ୍ଦ୍ୱାତ୍ମକ ସ୍ଥିତିରେ ସେ ଲେଖନ୍ତି ‘ସଞ୍ଜୟ ଓ ଧୃତରାଷ୍ଟ୍ର ସମ୍ବାଦ’ କବିତା । ଜେତା ଓ ବିଜିତା ଉଭୟଙ୍କ ମଧ୍ୟରେ ଭଗବାନଙ୍କ ଅବସ୍ଥିତି ମୋ ତୀରର ତୀକ୍ଷ୍ମ ମୁନ ଭିତରେ ଆପଣ / + + ଆପଣ ହିଁ ବିକଳାଙ୍ଗ ଆହତ ସୈନିକ / ମୋ ନିର୍ଦ୍ଦୟ ଅସୀଘାତ ଗୁଣ ଓ ରକ୍ତରେ । ଆପଣ କରିବେ ହତ୍ୟା ଆପଣଙ୍କୁ) ନିରୂପିତ ହୋଇସାରିବା ପରେ ଭୟାବହ ସଂଗ୍ରାମର ଅର୍ଥ ଯେ କ’ଣ ତାହା ସେ ବୁଝିପାରି ନାହାନ୍ତି । ତେଣୁ କବିତାର ଅନ୍ତିମ ପର୍ଯ୍ୟାୟରେ ସେ କେତେଥର ଆଉ ଏ ଆତ୍ମହତ୍ୟାର କ୍ରୂର ଲୀଳା ସଂଘଟିତ ହେଉଥିବ ବୋଲି ଭଗବାନଙ୍କୁ ପ୍ରଶ୍ନ କରିଛନ୍ତି । କାଳ ତଥା ସମୟର ଅପ୍ରତିହତ ଗତିର ଚିତ୍ର ତାଙ୍କର କେତେକ କବିତାରେ ସ୍ପଷ୍ଟ । ‘ଗୋବର ଗଣେଶ’ କବିତାରେ ଏହି ଚିତ୍ରବେତ୍ତା ଶାଣିତ । ପତ୍ର ଝଡ଼ିଯାଇଥାଏ ମାତ୍ର ଏ ପତ୍ରଝଡ଼ାର ବି ଇତି ନଥାଏ କହିବାରେ କାଳର ପ୍ରବହମାନତା ସ୍ପଷ୍ଟ ପ୍ରକାଶିତ ହୋଇଛି । ହାତ ଉପରେ ମିନିଟ୍ କଣ୍ଟା ଥମି ନ ଯିବା ମଧ୍ୟ କାଳର ପ୍ରବହମାନତାର ସୂଚନା ପ୍ରଦାନ କରେ । ଚୈତ୍ରର ଆଗମନ ଓ ଏହି ଆଗମନ ଜନିତ ବିଭିନ୍ନ ପରିବର୍ତ୍ତନକୁ ସାଥିରେ ଧରି ତାର ପୁନଃ ପ୍ରତ୍ୟାବର୍ତ୍ତନ ଭିତରେ ସମୟର ପ୍ରବହମାନତାକୁ ବ୍ୟଞ୍ଜିତ କରିଛନ୍ତି କବି । ‘ଚଇତର ଗୋପନ ନୂପୁର’ ଏହି ଭାବକୁ ଅଧିକ କାବ୍ୟିକ ଓ ଆକର୍ଷଣୀୟ କରିଦେଇଛି । ‘ହରେକୃଷ୍ଣ ଦାସ’ ଏକ କବିତାରେ ଏହି ଭାବ ଅଧିକ ଶବଳିତ । ଆଜିର ନାୟିକା କାଲିର ସିନେମାରେ ମାଆ ପାର୍ଟ ପାଇବାର କଥା କହିବା ବେଳେ ଗୁରୁପ୍ରସାଦ ସମୟର ଏହି ପ୍ରବହମାନତାକୁ ହିଁ ବ୍ୟଞ୍ଜିତ କରିଛନ୍ତି (ଏ ପୃଥିବୀ ଠିକ୍ ଚାଲେ ଠିକ୍ ଚାଲେ ସମୟର ଗତି / ଆଜିର ନାୟିକା ପାଏ ମାଆ ପାଟ୍ କାଲି ସିନେମାରେ) । କାନର ଏହି ପରିକ୍ରମଣରେ ପୃଥିବୀରେ କେବଳମାତ୍ର ଯାହା ପରିବର୍ତ୍ତନ ସଂଘଟିତ ହେଉଥାଏ । କୌଣସି କଥାକୁ କାଳ ପୋଛିନେଇପାରେନାହିଁ, କେବଳଯାହା ରୂପାନ୍ତରଣ ପ୍ରକ୍ରିୟାକୁ ଜାରି ରଖିଥାଏ (ଆମର ଏ ପୃଥିବୀରେ କେବେ କିଛି ଲୋଡ଼ା ହୁଏ ନାହିଁ / ମଶା ମାଛି ପୋକଯୋକ ଲୋକବାକ କାହ ଓ ବାଦୁଡ଼ି / ରାତିର ଅନିଦ୍ରା ଆଉ ଦିପହର ଝାଳ ଆଉ ତାତି / କେବେ କିଛି ଯାଏ ନାହିଁ ପୂରାପୂରି ଦେଶରୁ ଉଜୁଡ଼ି : ହରେକୃଷ୍ଣ ଦାସ ଏକ) । ଏ ରୂପାନ୍ତରଣ ପ୍ରକ୍ରିୟା କେବଳ ବାହାର ଭେକରେ ହିଁ ସଂଘଟିତ ହେଉଥାଏ । ମାତ୍ର ଆତ୍ମିକ ସ୍ତରରେ ଏହାର ବିଶେଷ କିଛି ପ୍ରଭାବ ନଥାଏ । ମଣିଷର ଠକାମି ପ୍ରବୃତ୍ତି କେଉଁକାଳରୁ ତାକୁ କବଳିତ କରିଛି । ସମୟକ୍ରମେ ତାର ବାହ୍ୟ ପୋଷାକରେ ପରିବର୍ତ୍ତନ ସମ୍ପାଦିତ ହେଉଥିଲେ ମଧ୍ୟ ଭିତରେ ଠକାମି ଅବ୍ୟାହତ ରହିଛି (କିଛି ତ ତଫାତ୍ ନାହିଁ / ଲୋକମାନେ ଠିକ୍ ଆଗପରି / ଆମର ଏ ସମୟର ସବୁ ଚାଲ୍ ସବୁ ଠକାମିରେ / ଜୀବନ ଚାଲିଛି ଠିକ୍ ବାଟ ଧରି : କମ୍ରେଡମାମୁଁ) । ସବୁଠାରେ ଅବ୍ୟାହତ ରହିଛି ଆତ୍ମପ୍ରତିଷ୍ଠା ନିଶା ଯାହାବା ପରିବର୍ତ୍ତନ ହୋଇଚି କେବଳ ଫେସନ୍ ଆଉ ପୋଷାକରେ (ସେହି ଚେଷ୍ଟା ଆତ୍ମପ୍ରତିଷ୍ଠାର / ତଫାତ୍ ଏତିକି ଯାହା ଫେସନରେ ପୋଷାକରେ, ହରେକୃଷ୍ଣ ଦାସ, ଚାରି) । ତଥାପି ମଧ୍ୟ ତାର ଆଦିମ ଚେତନାକୁ ଖୋଜିବା ଅବ୍ୟାହତ ଥାଏଁ କାବ୍ୟନାୟକର । ଏହି ଖୋଜିବା ନୈର୍ବ୍ୟକ୍ତିକ ହେଲେ ମଧ୍ୟ ବେଳେବେଳେ ବ୍ୟକ୍ତିକ ସତ୍ତାରେ ମଧ୍ୟ ଆଚ୍ଛନ୍ନ ଥାଏ । ଏହା ଆଲୁଅର କେନ୍ଦ୍ର ଖୋଜିବା (ତୁମେ - ରୁହ ଛିଡ଼ାହୁଅ ଆଲୁଅର କେନ୍ଦ୍ର ଖୋଜି : କାଳପୁରୁଷ, ଦୁଇ), ସତ୍ତା ସ୍ଥିତି ବା ଭାର କେନ୍ଦ୍ର ଖୋଜିବା (ଖୋଜିଯିବ ସତ୍ତା ମୋର, ସ୍ଥିତି ମୋର, ଭାରକେନ୍ଦ୍ର ଏ ଦେହର : କାଳପୁରୁଷ, ଦୁଇ), ଆଦି ଜନ୍ମସ୍ଥାନ ଆଜି ପିତାମାତା ଏବଂ ଅରୁନ୍ଧତୀ ତାରାର ଆଲୁଅ ଖୋଜିବା (ମୁଁ ଆଜି ତଥାପି ଖୋଜେ ଆଦି ଜନ୍ମସ୍ଥାନ ମୋର/ ମୋର ଆଦି ପିତାମାତା ଅରୁନ୍ଧତୀ ତାରାର ଆଲୁଅ : କାଳପୁରୁଷ, ପାଞ୍ଚ) ଆଜି ସାର୍ଥକ ଚିତ୍ରକଳ୍ପ ମଧ୍ୟରେ ଅତ୍ୟନ୍ତ କଳାତ୍ମକ ଭାବେ ଉତ୍ତୀର୍ଣ୍ଣ ହୋଇଛି । ଗୁରୁପ୍ରସାଦଙ୍କ କାବ୍ୟନାୟକ ଏଠି ଜୀବନର ଉତ୍ସମୂଳ ଖୋଜିଚାଲିଛି । ଅରୁନ୍ଧତୀ ତାରାର ଆଲୁଅ ଖୋଜିବାର ଚିତ୍ର ଗୁରୁପ୍ରସାଦ ଅକ୍ରୂର ଓ ଉଦ୍ଧବଙ୍କ ଖୋଜିବା ପଣରେ ମଧ୍ୟ ଏ କବିତାରେ ଅନ୍ୟତ୍ର ସଂଯୋଜିତ କରିଛନ୍ତି (ମୁଁ ଯିବି ତୁମ ପରି ତୁମରି ପରି ଖୋଜି ବୋର ପିତାମାତା ନିମୂଳି ନଟାରେ ଖୋଜି ଅରୁନ୍ଧତୀ ତାରାର ଆଲୁଅ : କାଳପୁରୁଷ ଦୁଇ) ।

 

।। ଛଅ ।।

 

କବିତାର ବିଭାବ ମୁଖ୍ୟତଃ ଦୁଇଟି- ବିଷୟ ଓ ଶିଳ୍ପ । ଏ ଦୁଇଟର ସମ୍ପର୍କ କବିତାରେ ଅନ୍ୟାନ୍ୟାଶ୍ରିତ । ଶିଳ୍ପରେ ଭାଷାର ଗୁରୁତ୍ୱ ସର୍ବାଧିକ । ଶବ୍ଦ ସମ୍ପର୍କିତ ଜ୍ଞାନ, ଶବ୍ଦର ପ୍ରକୃତ ଅର୍ଥର ଅନୁସନ୍ଧାନରୁ କବିତାର ଶକ୍ତି- କଳନା କରାଯାଏ । ଧ୍ୱନି, ଲୟ ଓ ଛନ୍ଦ ଆଦି ସକଳ ଉପାଦାନ କବିତାରୁ ଜନ୍ମ ହୋଇ ତା’ ଦେହରେ ପୁଣି ବିଲୀନ ହୋଇଯାନ୍ତି । କବିତାର ଭାଷାରୁ ହିଁ ଯୁଗ ସମୃଦ୍ଧି ତଥା କବିର ସାମାଜିକ ଉତ୍ତରଦାୟିତ୍ୱ ଉପଲବ୍ଧ ହୁଏ (ସିଂହ ଡଃ ନାସବର : କବିତାକେ ନୟେ ପ୍ରତିମାନ, ୧୯୬୮, ପୃ.୯୩) । ଏହାହିଁ କବିତାର ବାକ୍‍ଶିଳ୍ପ । ଏହି ବାକ୍‍ଶିଳ୍ପରେ ମୁଖ୍ୟତଃ ଶବ୍ଦର ଅନ୍ୱେଷଣ ଏବଂ ତାର ନବବିନ୍ୟାସ ଉପରେ କବି ଅଧିକ ଗୁରୁତ୍ୱ ଦେଇଥାଏ । ନୂତନ କବିତାର ଭାଷା କୌଣସି ଏକ ପ୍ରଥାବଦ୍ଧ ପଦ୍ଧତିକୁ ସ୍ୱୀକାର କରେ ନାହିଁ । ଗୁରୁପ୍ରସାଦଙ୍କ ପୂର୍ବରୁ ସଚ୍ଚିବାବୁ କବିତାର ଭାଷାକୁ ନବନ୍ୟାସ କରିବାରେ ଯତ୍ନଶୀଳ ହୋଇଥିଲେ । ଗୁରୁପ୍ରସାଦ ତାକୁ ଅଧିକ ଶାଣିତ ଓ ବ୍ୟଞ୍ଜିତ କଲେ । ପ୍ରଥମତଃ କବିତା କ୍ଷେତ୍ରକୁ ଓହ୍ଲାଇ ଆସିଲା ସାଧାରଣ ମଣିଷର କଥିତ ଭାଷା । ଗୁରୁପ୍ରସାଦଙ୍କ ଅଧିକାଂଶ କବିତା ମୁଖ୍ୟତଃ ସାଧାରଣ ମଣିଷର କଥା ଗଭୀର ଭାଷାକୁ ଗ୍ରହଣ କଲା । ଉଦାହରଣ ସ୍ଵରୂପ- ‘କାଳପୁରୁଷ’ର ଧୂମିଳ ରାତ୍ରିର ଚିତ୍ରକୁ ଗ୍ରହଣ କରାଯାଇପାରେ, ଯେଉଁଠି ଗୁରୁପ୍ରସାଦ ଭଞ୍ଜ କିମ୍ବା ରାଧାନାଥଙ୍କ ସନ୍ଧ୍ୟା ବର୍ଣ୍ଣନାରେ ବ୍ୟବହୃତ ଭାଷାକୁ ପୂର୍ଣ୍ଣ ପରିହାର କରି ସାଧାରଣ ବୋଲ୍ଚାଲ୍ ଭାଷା ବ୍ୟବହାର କରିଛନ୍ତି ଏହିପରି- “ଏ ସହର ମୁହଁପରେ ଗୋଳି ଗୋଳି ପାଉଁଶ ଅଙ୍ଗାର / ରାତିର କୁହୁଡ଼ି ଚାଲେ ବାଟବାରି ଗଳି ଗଳି ସଡ଼କେ ସଡ଼କେ’ । ଏଠାରେ ବ୍ୟବହୃତ ସମସ୍ତ ଶବ୍ଦ ସାଧାରଣ ମଣିଷର କଥିତ ଭାଷା । ଗୁରୁପ୍ରସାଦ ଆପଣା କବିତାରେ ସବୁ ଭାଷାର ସଂହତ ସମନ୍ୱୟ କରିଛନ୍ତି । ସମୁଦ୍ର, କୁହୁକ, ଇନ୍ଦ୍ରଜାଲ, ଦିଗ୍‍ବଳୟ, ସ୍ମୃତି, ସନ୍ଧ୍ୟା, ଭ୍ରୂଲତା, ପ୍ରେମିକ, ବିଷର୍ଣ୍ଣ ଏବଂ ନୀଳୋତ୍ପଳ ଭଳି ସଂସ୍କୃତ ଶବ୍ଦର ପ୍ରୟୋଗ ସାଙ୍ଗରେ ସିନିସିଜିମ୍, ଥିଏଟର, ସିନେମା, ଫିଲ୍ମ, ଫ୍ଲାରାଷ୍ଟାଫ୍, ହାର୍ମୋନି, ପାମ୍ପ୍ଲେଟ, ବ୍ୟାଟେରି, ଟର୍ଚ୍ଚ ଲିଟ୍, ସିଲ୍‍କ, ରିକ୍ସା, ଇଲେକ୍ଟ୍ରିକ୍, ଗାର୍ଲ ସ୍କୁଲ, ହୋଟେଲ, ରିକ୍‍ସା, ମିନିଟ୍, ରେଡ଼ିଓ, ଷ୍ଟ୍ରାପ୍, ଫିଲ୍‌ଡ଼ ଗ୍ରେ, ସିମେଣ୍ଟ, ଟେଲିଫୋନ୍, ମିଲ, ସ୍ନୋ, ବ୍ରେକ୍ ଆଦି ଇଂରାଜୀ ଓ ହୁଏଦର ବିଡ଼ି, ରୁମାଲ, ଅତର, ମଶାଲ, ଦୁଲ୍, ସେମିଜ୍, ପାଇଜାମା ଓ କାମିଜ୍ ଆଦି ଯାବନିକ ଶବ୍ଦର ଚମକ୍ରାର ସମନ୍ୱୟ କରିଛନ୍ତି ଗୁରୁପ୍ରସାଦ । ମୋଟାମୋଟି ଭାବରେ କାବ୍ୟଭାଷାର ଧରାତଳୁ କବିତାର ଭାଷାକୁ ପୂର୍ଣ୍ଣ ଭିନ୍ନ କରିଦେଇଛନ୍ତି ସେ । କାବ୍ୟ କାନନରୁ ଦୂରରେ ଥିବା କୋରଡ଼, ଗାଡ଼, ଗୁମୁରି, ଦୁହିଁ ହେବା ଓ ଗୋପ୍ୟ ଆଦି ଶବ୍ଦମାନେ ପୁଣି କବିତା କାନନକୁ ସ୍ଵଚ୍ଛନ୍ଦରେ ଅନୁପ୍ରବେଶ କରିଛନ୍ତି । ପଦ ସଂରାଜନାରେ ମଧ୍ୟ ଗୁରୁପ୍ରସାଦଙ୍କ କବିତାରେ ଏହି ନୂତନତା ଲକ୍ଷଣୀୟ । ମିଲ୍ ଲୁଗା, ହାଫ୍ ଛୁଟି, ମାଆ ପାଟ ଆଦି ଶବ୍ଦର ସଂରଚନାରେ ଏହି ନୂତନତାକୁ ଲକ୍ଷ୍ୟ କରାଯାଇପାରେ । କେଉଁଠି ‘ଅସଂସ୍କୃତ ଅସମ୍ଭୂତଭ୍ରାନ୍ତ ସନ୍ଦୀହାନ’ ଭଳି ସଂସ୍କୃତାନୁଗ ଶବ୍ଦପୁଞ୍ଜର ଏକତ୍ର ସହାବସ୍ଥାନ (ପ୍ରିୟ ବାନ୍ଧବୀ) ହୋଇଥିବା ବେଳେ ଗୁରୁପ୍ରସାଦଙ୍କ କବିତାରେ ଆଉ କେଉଁଠି ‘ପେଟ୍ରୋଲ ବାସ୍ନାରେ ସରକାରୀ ଜିମ୍‍ଗାଡ଼ି ଷ୍ଟିଅରିଂ ହୁଇଲ୍ରେ / ଏହି ଛୁଆଁ ପ୍ରଥମ ଶୀତର’ (ହରେକୃଷ୍ଣ ଦାସ : ଦୁଇ) ଭଳି ଇଂରାଜୀ ଶବ୍ଦ ବହୁଳ ବାକ୍ୟାଂଶର ବ୍ୟବହାର ହୋଇଛି । ନୂତନ କବିତା ରାଜ୍ୟକୁ ପ୍ରବେଶ କରିବା ପାଇଁ ଶବ୍ଦମାନଙ୍କର ଏ ସ୍ୱଚ୍ଛନ୍ଦ ଅଧିକାର ଗୁରୁପ୍ରସାଦଙ୍କ ଲେଖନୀରେ ଅତି କଳାକୁଶଳତାର ସହ ସମାହିତ ହୋଇଛି ।

 

ଗୁରୁପ୍ରସାଦଙ୍କ କବିତାରେ ବ୍ୟବହୃତ ପ୍ରତୀକ ତଥା ଚିତ୍ରକଳ୍ପଙ୍କ ସଂଖ୍ୟା ମଧ୍ୟ ଅଳ୍ପ ନୁହେଁ । ଭାବୋତ୍ତେଜନା ନିମିତ୍ତ କବିତାରେ ପ୍ରତୀକ ତଥା ଚିତ୍ରକଳ୍ପର ବ୍ୟବହାର ହୋଇଥାଏ । ଯେତେବେଳେ କବି ଅପ୍ରତ୍ୟକ୍ଷ ଭାବବୋଧକୁ ପ୍ରଭାବଶାଳୀ ତଥା ସୌନ୍ଦର୍ଯ୍ୟପୂର୍ଣ୍ଣ ଭଙ୍ଗୀରେ ଚିତ୍ରଣ କରିବାକୁ ଚାହେଁ, ସେତେବେଳେ ସେ ପ୍ରତୀକର ଆଶ୍ରୟ ନିଏ । ପ୍ରତୀକ ସେହି ଦୃଶ୍ୟ ଏବଂ ପ୍ରସ୍ତୁତ ତଥ୍ୟ ଯାହା ଅପ୍ରସ୍ତୁତର ପ୍ରତିନିଧତ୍ୱ କରି ତାକୁ ଅଭିବ୍ୟକ୍ତ କରେ । ପ୍ରତୀକ ରୂପରେ ଯେଉଁ ବସ୍ତୁକୁ ଗ୍ରହଣ କରାଯାଏ ତା ପଛରେ ଭାବ ବିକାଶର ବ୍ୟାପକ ପରମ୍ପରା ଥାଏ ଏବଂ ଏହି ପ୍ରତୀକ ହିଁ ବ୍ୟାପକ ଭାବବୋଧର ପ୍ରଭାବଶାଳୀ ଅଭିବ୍ୟକ୍ତି ହୋଇଥାଏ (ହିନ୍ଦୀ ସାହିତ୍ୟକୋଷ : ପୃ. ୪୭) । ଗୁରୁପ୍ରସାଦଙ୍କ ପ୍ରତୀକ ଯୋଜନା ମୁଖ୍ୟତଃ ପ୍ରକୃତି ଓ ମାନବ ଜୀବନକୁ ଆଧାର କରି ଗତିଶୀଳ ହୋଇଛି । ପ୍ରକୃତି ମଧ୍ୟରେ ଜଳ, ଭୂମି, ଆକାଶ, ଉଭିଦ ଏବଂ ପଶୁପକ୍ଷୀ ସମସ୍ତେ କାୟା ବିସ୍ତାର କରିଛନ୍ତି । ଜଳସମ୍ବନ୍ଧୀ ପ୍ରତୀକ ମଧ୍ୟରେ କବି ମୁଖ୍ୟତଃ ସମୁଦ୍ର, ନଦୀ ଓ ଝରଣାକୁ ଗ୍ରହଣ କରିଛନ୍ତି-। ସମୁଦ୍ର ମୁଖ୍ୟତଃ କାମନା ଉଦ୍‍ବେଳିତ ଜୀବସତ୍ତାର ପ୍ରତୀକ ଭାବେ ଗୃହୀତ ହୋଇଛି, ଯାହା ରୂପଜ ମୋହ (ଚମ୍ପାଫୁଲ) ପ୍ରଭାବରେ ଆପଣାର ପରିସୀମା ମଧ୍ୟରେ ଆପଣାକୁ ସୀମିତ କରିପାରି ନାହିଁ (ଚମ୍ପାଫୁଲ ମହକରେ ବାଟଭୁଲି ସମୁଦ୍ରର ଢେଉ / ଆସିଥିଲା କୂଳ ଡେଇଁ -ଚମ୍ପାଫୁଲ) । ନଦୀ ପ୍ରତୀକ ମଧ୍ୟରେ ଗୁରୁପ୍ରସାଦ ସମୟର ଅଖଣ୍ଡ ପ୍ରବହମାନତାକୁ ହିଁ ବ୍ୟଞ୍ଜିତ କରିଛନ୍ତି ଯାହା ସବୁ ସ୍ୱପ୍ନ ଓ ସମ୍ଭାବନାକୁ ଭ୍ରୂକ୍ଷେପ ନ କରି ପ୍ରବାହିତ ହୋଇ ଚାଲିଥାଏ (ମୋଦେହର ସ୍ଵପ୍ନ ଧରି ବୋହିଯାଏ ସମୟର ନଈ : ଆଖିର କପୋତ ମୋର) । କାଠଯୋଡ଼ୀ ଛାତିକୁ ବାଲି ଉଡ଼ିଯିବା ମଧ୍ୟରେ (ଗୋବର ଗଣେଶ) ଏହି ଭାବନାଟି ମଧ୍ୟ ବ୍ୟଞ୍ଜିତ । ଝରଣା ମଧ୍ୟରେ ଗୁରୁପ୍ରସାଦ ଭିନ୍ନ ଏକ ଚେତନାକୁ ପ୍ରତୀକିତ କରିଛନ୍ତି । ପ୍ରେମାସ୍ପଦାର କଳ କଳ ଛଳଚଳେ ଲୋଟିପଡ଼ିବାର ଭାବନାକୁ ଝରଣା ମଧ୍ୟରେ ବ୍ୟଞ୍ଜିତ କରିଛନ୍ତି କବି (ସେ ଯଦି ଝରଣା ଯାଏ ହସି ହସି ଲୋଟି ତାର ବିଛଣା ଉପରେ : ଗୋବର ଗଣେଶ) ।

 

ଭୂମି ସମ୍ବନ୍ଧୀ ପ୍ରତୀକ ମଧ୍ୟରେ ପଥରକୁ ପ୍ରଥମତଃ ଗ୍ରହଣ କରାଯାଇପାରେ । ଏହା ଏକ ଜଡ଼ିଭୂତ ଜୀବସତ୍ତାର ପ୍ରତୀକ ରୂପେ ବ୍ୟବହୃତ । ପଥର ତରଳିବା କଥା କହିବା ବେଳେ କବି ଗୁରୁପ୍ରସାଦ ମୁଖ୍ୟତଃ ଜଡ଼ିଭୂତ ଚେତନାର ଇନ୍ଦ୍ରିୟ ସଞ୍ଚାର ହେତୁ ଗତିଶୀଳତାର ଚିତ୍ର ଉପସ୍ଥାପନ କରିଛନ୍ତି (ଚମ୍ପାଫୁଲ) । ବାଲି ପ୍ରତୀକ ମଧ୍ୟରେ ଗୁରୁପ୍ରସାଦ ମୁଖ୍ୟତଃ ନିରର୍ଥକ ଏବଂ କିୟାହୀନ ଜୀବନର ଚିତ୍ର ଦେଇଛନ୍ତି । ବାଲି ଅନୁର୍ବର ଏବଂ କୃଷି ପାଇଁ ଅନୁପଯୋଗୀ । ‘ସ୍ତୂପ ସ୍ତୂପ ନିରର୍ଥକ ବାଲି’ (ଚିଠି) ଏବଂ ‘ତୁମର ଦେହର ଏଇ ନିଛାଟିଆ ନଈବାଲି ପରେ / ପବନ ତ ଆସେ ନାହିଁ ଆଷାଢ଼ର ମେଘ ଅବା କାହିଁ ?’ (ସନେଟ : ପାଞ୍ଚ) ଆଦି ପଂକ୍ତିରେ ଏହି ନିରର୍ଥକତା ଏବଂ ଅସଫଳତାର ଭାବନା ସ୍ପଷ୍ଟ । ଏଠି ପ୍ରୟାସ ଅଛି ମାତ୍ର ତାର ସକାରାତ୍ମକ ପରିଣତି ନାହିଁ । ମୋଟ ଉପରେ ବାଲି ଗୁରୁପ୍ରସାଦଙ୍କ କବିତାରେ ଅସଫଳତାର ପ୍ରତୀକ ରୂପେ ବ୍ୟବହୃତ । ଆକାଶ ସମ୍ବନ୍ଧୀ ପ୍ରତୀକ ଭାବରେ ଜହ୍ନ, ତାରା, କୁହୁଡ଼ି ଓ ଅନ୍ଧାର ଆଦିକୁ ଗ୍ରହଣ କରାଯାଇପାରେ । ଜହ୍ନ ଏଠାରେ କ୍ଷୟିଷ୍ଣୁ ଜୀବନବୋଧର ପ୍ରତୀକ ଭାବେ ବ୍ୟବହୃତ । ଏ ଜହ୍ନ ଭିତରେ କୌଣସି ସମ୍ଭାବନା ନାହିଁ । ତେଣୁ ତାହା ଅସ୍ତଜହ୍ନ (ଚିଠି) ଅଥବା ବିବର୍ଣ୍ଣ ଜହ୍ନ (ଆଖିର କପୋତ ମୋର) । ତାରା ମଧ୍ୟ ଜହ୍ନ ଭଳି ଅସଫଳ ଜୀବନ ଯାତ୍ରାର ପ୍ରତୀକ ଭାବେ ଗୃହୀତ । ଏ ତାରାର ଆଲୁଆ କେତେବେଳେ କାବ୍ୟନାୟକ ପାଇଁ ସ୍ଵପ୍ନ ହୋଇଯାଉଥିବ ତ (ଚିଠି) ଆଉ କେତେବେଳେ ଅସ୍ତ ଅଥବା ସ୍ତିମିତ ହୋଇଯାଉଥିବ (ନିହତ ଗୋଧୂଳି) । ଏଠାରେ ତେଣୁ ତାରା ଭିତରେ କୌଣସି ସ୍ୱପ୍ନ ଅଥବା ସମ୍ଭାବନା ନାହିଁ । ତାରା ପରି କୁହୁଡ଼ି ମଧ୍ୟ କାବ୍ୟନାୟକ ପାଇଁ ଥଣ୍ଡା କୁହୁଡ଼ି (ଚିଠି) ଅଥବା ଶୀତର କୁହୁଡ଼ି (ନିହତ ଗୋଧୂଳି) । ଏହା ଦେହରେ ମଧ୍ୟ ଜୀବନ ପ୍ରତି କୌଣସି ଅନୁକୂଳ ଦୃଷ୍ଟିଭଙ୍ଗୀ ନାହିଁ-। ଶେଷଟି ଅନ୍ଧାର । ଏହା ମଧ୍ୟ ଏକ ନିଶ୍ଚେଷ୍ଟ ଅଥର୍ବପଣର ପ୍ରତୀକ ଭାବେ ବ୍ୟବହୃତ । ଘୋଡ଼ାଘୋଡ଼ି ହୋଇ ନିଃଶବ୍ଦତା ମଧ୍ୟରେ ଅନ୍ଧାର ରହିବାର ପ୍ରତୀକ ଭିତରେ ସେହି ଉଦାସୀନତା, ଆଳସ୍ୟ ତଥା ଜୀବନ ବିମୁଖତାକୁ ହିଁ ଦ୍ୟୋତିତ ହୋଇଛି (କପୋତ କପୋତୀ) ।

 

ଉଭିଦ ଏବଂ ପ୍ରାଣୀବର୍ଗଙ୍କୁ ମଧ୍ୟ ଗୁରୁପ୍ରସାଦ ତାଙ୍କ କବିତାରେ ପ୍ରତୀକ ଭାବରେ ବ୍ୟବହାର କରିଛନ୍ତି । ଉଭିଦ ମଧ୍ୟରୁ ତାଳ ଓ ଝାଉଁ ତାଙ୍କର ଅତ୍ୟନ୍ତ ପ୍ରିୟ । ଦୂର ନଈପଠାର ଏକୁଟିଆ ଝାପ୍ସା ତାଳଗଛକୁ ସେ କାବ୍ୟନାୟକର ନିଃସଙ୍ଗ ବ୍ୟକ୍ତିସତ୍ତାର ପ୍ରତୀକ ଭାବେ ଗ୍ରହଣ କରିଛନ୍ତି (ଏଠି ଭୋର୍ ପବନରେ..) । ଦୂର ଝାଉଁବଣର ପ୍ରତୀକ ଭିତରେ ସେ ଜୀବନର ନିଃସଙ୍ଗ ନୀରବତାର ଚିତ୍ର ଦ୍ୟୋତିତ କରିଛନ୍ତି (ଚିଠି) । ପୁଲ ପ୍ରତି ଗୁରୁପ୍ରସାଦଙ୍କ ମୋହ ଅଧିକ । ତାଙ୍କ କବିତାର କାନ୍‍ଭାସରେ ତେଣୁ ହରରଙ୍ଗୀ ଫୁଲଙ୍କ ପଟୁଆର । ଚମ୍ପାଫୁଲ, କାଶଫୁଲ, ଅରଖ ଫୁଲ, ଅପରାଜିତା, କୃଷ୍ଣଚୁଡ଼ା, କୁରୁବକ, ରାଦାତମାଳ, କ୍ଷୀରକୋଳି ଫୁଲ, କିଆରି ଭର୍ତ୍ତି ସୋରିଷଫୁଲ । କଦମ୍ବ କଢ଼ ଓ ଲବଙ୍ଗ ଆଦି ଗୁରୁପ୍ରସାଦଙ୍କ ଲେଖନୀରେ ଅତ୍ୟନ୍ତ କଳାତ୍ମକ ରୂପ ଗ୍ରହଣ କରିଛନ୍ତି । ଚମ୍ପାଫୁଲ ଦେହରେ ଆରଣ୍ୟକ ଉତ୍ତେଜନା ସୃଷ୍ଟି କରୁଥିଲା ପ୍ରମାଣୀ ଇନ୍ଦ୍ରିୟସତ୍ତାର ପ୍ରତୀକ । ଏହାରି ମହକରେ ମନତଳେ ଉଦ୍‍ବେଳିତ ହୋଇଉଠେ ଆଦିମ ସମୁଦ୍ର । ରଜୋବତୀ କନ୍ୟା ସହ ଯୋଗୀ ମଦନମହୋତ୍ସବରେ ଉନ୍ମତ୍ତ ହେବା ମଧ୍ୟ ଏହାକୁ ଅଧିକ ବ୍ୟଞ୍ଜିତ କରେ (ଚମ୍ପାଫୁଲ) । କାଶଫୁଲ ଗୁରୁପ୍ରସାଦଙ୍କ ଲେଖନୀରେ ଏକ ସ୍ୱୈର ଅନୁଭବର ପ୍ରତୀକ ଭାବେ ଗୃହୀତ ଯାହା ସମୁଦ୍ରର ଢେଉରେ ସଦାସର୍ବଦା ଭାସିଯାଉଛି (ଧାଡ଼ି ଧାଡ଼ି କାଶଫୁଲ ଠେଲି ଆଣି ଫିଙ୍ଗିଦିଏ ଇତସ୍ତତ ସମୁଦ୍ର ବାଲିରେ’, ଏବଂ ‘ ଆଜି ଯେବେ କାଶିଫୁଲ ଠେଲିଆଣି ଫିଙ୍ଗିଦିଏ ଢେଉ' : ଶରତ ଋତୁରେ ଜହ୍ନ । ଏଠାରେ କାଶଫୁଲର ସ୍ଥିତିମାତ୍ର ଅଛି । ମାତ୍ର ଉତ୍ସ ସନ୍ଧାନିତ ହୋଇ ନାହିଁ । କେବଳ ବୃକ୍ଷରୁ ଝଡ଼ିପଡ଼ି ଢେଉରେ ଭାସିଆସି ବେଳାଭୂମିରେ ଇତସ୍ତତ ବିଞ୍ଚି ହୋଇପଡ଼ିଛି । ଜୀବନର ସ୍ଵପ୍ନବାଦୀ ଅନୁଷଙ୍ଗର ବିପର୍ଯ୍ୟସ୍ତତା ହିଁ ଏଥିରେ ପ୍ରତୀକିତ ହୋଇଛି । ଅରଖଫୁଲ ଆକାଶରେ ଅସ୍ତସୂର୍ଯ୍ୟ କିରଣରେ ଉଦ୍‍ଭାସିତ ବାଇଗଣୀ ରଙ୍ଗର ବଉଦର ପ୍ରତୀକ ଭାବେ ଗୁରୁପ୍ରସାଦଙ୍କ ଲେଖନୀରେ ବ୍ୟବହୃତ । ବଉଦର ବର୍ଣ୍ଣବିଭା ଅରଖଫୁଲ ପ୍ରତୀକ ମଧ୍ୟରେ ଅଧିକ ଭାବରେ ବ୍ୟଞ୍ଜିତ ହୋଇଉଠିଛି ‘ହରେକୃଷ୍ଣ ଦାସ : ଦୁଇ’ କବିତାରେ । ସେଇ ରଙ୍ଗ ସନ୍ଧ୍ୟାର କ୍ରମ ଉତ୍ତରିତ ସ୍ଥିତିରେ ଯେତେବେଳେ ଅଧିକ ଗାଢ଼ ଓ କୃଷ୍ଣାଭ ହୋଇଉଠିଛି ତାର ପ୍ରତୀକ ଭାବେ କବି ଅପରାଜିତାକୁ ଗ୍ରହଣ କରିଛନ୍ତି ସେହି କବିତାରେ (ଅପରାଜିତାର ଗାଢ଼ ବାଇଗଣି ବଉଦ) । କୃଷ୍ଣଚୂଡ଼ା ଗୁରୁପ୍ରସାଦଙ୍କ ଦ୍ଵାରା ଏକ ସ୍ଵପ୍ନିଳ ରୋମାଞ୍ଚିତ ଅନୁଭବର ପ୍ରତୀକ ଭାବେ ବ୍ୟବହୃତ । କେତେବେଳେ କୃଷ୍ଣଚୂଡ଼ାର ପାଖୁଡ଼ାରେ ବସନ୍ତର ଅବସ୍ଥିତିର କଳ୍ପନା କରିବା ଭିତରେ (ସନେଟ୍ ଦଶ) ଗୁରୁପ୍ରସାଦ କୃଷ୍ଣଚୂଡ଼ାକୁ ଏହି ଅର୍ଥରେ ହିଁ ଗ୍ରହଣ କରିଛନ୍ତି । ଅନ୍ୟତ୍ର ଫାଲ୍‍ଗୁନର ଅପେକ୍ଷାରେ ଥିବା କାବ୍ୟନାୟକ ଉଜୁଡ଼ା କ୍ଷେତରେ ପୁନର୍ବାର ଫସଲର ସ୍ୱର୍ଣ୍ଣିମ ରୂପକଳ୍ପନା କରି ଆପଣାର ମନୋଦଶାକୁ ଏହି କୃଷ୍ଣଚୂଡ଼ା ମାଧ୍ୟମରେ ପ୍ରତୀକିତ କରିଛି (ଫାଲ୍‍ଗୁନର ଫୁଲସୁଖେ...)-। କୁରୁବକ ଓ କଦମ୍ବ ଏହି ସ୍ୱପ୍ନିଳ ତଥା ରୋମାଞ୍ଚିତ ଅନୁଭବର ପ୍ରତୀକ ଭାବେ ମଧ୍ୟ ଗୁରୁପ୍ରସାଦଙ୍କ କବିତାରେ ବ୍ୟବହୃତ ହୋଇଛି (ଚେତନା ଯଦି ବା ଫେରେ କୁରୁବକ କଦମ୍ବରେ : କାଳପୁରୁଷ ଏବଂ ‘କୁରୁବଳ କଦମ୍ବର ସ୍ଵପ୍ନ ଫେରେ ତା ଓଠର ବିଷର୍ଣ୍ଣ ହସରେ’ : ବସନ୍ତ ସହିତ ଆସେ) । ଅନ୍ୟତ୍ର କଦମ୍ବ କଢ଼ ଏହି ରୋମାଞ୍ଚିତ ଅନୁଭବର ବ୍ୟଥା ଦଗ୍ଧସ୍ଥିତିର ପ୍ରତୀକ ଭାବେ ବ୍ୟବହୃତ ହୋଇଛି (କିମ୍ବା ବ୍ୟଥା କଦମ୍ବ କଢ଼ର : ପ୍ରିୟ ବାନ୍ଧବୀ) । ମହକିତ ନିଃଶ୍ୱାସର ଏକ ସ୍ୱପ୍ନାଭ ଚିତ୍ରାଙ୍କନ ବେଳେ ଗୁରୁପ୍ରସାଦ ରାଧାତମାଳକୁ ଏକ ଶକ୍ତିଶାଳୀ ପ୍ରତୀକର ମାନ୍ୟତା ‘ଫାଲ୍‍ଗୁନର ଫୁଲ ସୁଖେ...? କବିତାରେ ପ୍ରଦାନ କରିଛନ୍ତି । କ୍ଷୀରକୋଳି ଫୁଲ ଜୀବନରେ କ୍ରମେ ବିଲୀନ ହୋଇଯାଇଥିବା ମହନୀୟ ସ୍ମୃତିର ପ୍ରତୀକ ଭାବେ ବ୍ୟବହୃତ (ସିଜୁଆ : ଏକ) । ହଳଦି ରଙ୍ଗର ଖରାଭର୍ତ୍ତି ଦ୍ୱିପ୍ରହର ଆକାଶର ଚିତ୍ର ଦେବାବେଳେ ଗୁରୁପ୍ରସାଦ ସୋରିଷ କିଆରୀକୁ ପ୍ରତୀକ ଭାବେ ବ୍ୟବହାର କରିଛନ୍ତି ‘ଛୁଟିର ଖରା’ କବିତାରେ । ଏଠାରେ କାବ୍ୟନାୟକର ମୁଗ୍ଧ ଦୃଷ୍ଟି ଖରାଭର୍ତ୍ତି ଆକାଶର ରୂପାଙ୍କନରେ ମଗ୍ନ ରହିଛି । ଅନ୍ୟଟି ଲବଙ୍ଗ । ଲବଙ୍ଗ ବଣର କଥା କହିବା ବେଳେ ଗୁରୁପ୍ରସାଦ ମୁଖ୍ୟତଃ କାବ୍ୟନାୟକର ସ୍ଵପ୍ନପ୍ରବଣ ମାନସିକତାର ପ୍ରତୀକାତ୍ମକ ଚିତ୍ର ଉପସ୍ଥାପନ କରିଛନ୍ତି (ପ୍ରିୟ ବାନ୍ଧବୀ) । ଗୁରୁପ୍ରସାଦଙ୍କ କବିତାରେ ଏଣୁ ଅସଂଖ୍ୟ ଫୁଲଙ୍କ ମନୋନ୍ମାଦକର ସମାରୋହ ସଂଘଟିତ ହୋଇଛି ।

 

ଗୁରୁପ୍ରସାଦ ପ୍ରାଣୀବର୍ଗଙ୍କୁ ପ୍ରତୀକ ରୂପେ ବ୍ୟବହାର କରିବାରେ ଆପଣାର କୁଶଳତା ପ୍ରଦର୍ଶନ କରିଛନ୍ତି । କୁରରୀ, ଚକ୍ରବାକ, କପୋତ ବା କାପ୍ତା, ହଳଦୀ ବସନ୍ତ କଉମାଛ ଓ ଅଜଗର ଏ ସମସ୍ତ ପ୍ରତୀକ ମୁଖ୍ୟତଃ ପରମ୍ପରାର । ମାତ୍ର ତାର ଭିନ୍ନ ତଥା ବିଶେଷ ଅର୍ଥାନ୍ୱିତ ଚିତ୍ରଣ ଗୁରୁପ୍ରସାଦଙ୍କ ବଳିଷ୍ଠ ଲେଖନୀରେ କେବଳ ହିଁ ସମ୍ବଳ ହୋଇପାରିଛି । କୁରରୀ ମଧ୍ୟରେ ନାୟିକାର ଲୀଳାୟିତ ଗ୍ରୀବା ଭଙ୍ଗୀଭିରାମ ଛଡ଼କୁ ଉକୁଟାଇଛନ୍ତି ଗୁରୁପ୍ରସାଦ (ଗୋବର ଗଣେଶ) । ଚକ୍ରବାକ ସେଇ ପାରମ୍ପରିକ ପ୍ରତୀକ ଯେ ରାତିରେ ବିଚ୍ଛେଦ ଯନ୍ତ୍ରଣାରେ ସନ୍ତୁଳିତ ହେଉଥାଏ । ମାତ୍ର ଏଠାରେ ଏହା ଅଧିକ ଶକ୍ତିଶାଳୀ ହୋଇଉଠିଛି ଯେତେବେଳେ କାବ୍ୟନାୟକ କେଉଁଭଳି ବିମୁଗ୍ଧ ଭାବପ୍ରବଣତାରେ ଜହ୍ନର ଫିକା ଶ୍ୟାହିରେ ତା ରୂପ ଅଙ୍କନ କରିବାକୁ ପ୍ରୟାସ କରିଛି (ଶରତ ଋତୁରେ ଜହ୍ନ) । କପୋତ ଦୁଇଟି ଭିନ୍ନ ଚେତନାକୁ ଗୁରୁପ୍ରସାଦଙ୍କ କବିତାରେ ପ୍ରତୀକିତ କରେ । ପ୍ରଥମତଃ ଏକ ନିରୀହ ଦୃଷ୍ଟିଭଙ୍ଗୀର ପ୍ରତୀକ ଭାବେ ଏହା ‘ଆଖିର କପୋତ ମୋର’ କବିତାରେ ବ୍ୟବହୃତ ହୋଇଥିବା ବେଳେ ଦ୍ୱିତୀୟତଃ ଏହା ସେହି ପାରମ୍ପରିକ ବିଧୁନିତ କାରୁଣ୍ୟର ପ୍ରତୀକ ଭାବେ ବ୍ୟବହୃତ ହୋଇଛି (‘ବାସ୍ତୁହରା କାପ୍ତାର କାନ୍ଦଣା’ – ଫାଲ୍‍ଗୁନର ଫୁଲସୁଖେ...) । ହଳଦୀବସନ୍ତ ଲୋକଗୀତ ଓ ଲୋକଗାଥା କାଳରୁ ଆଶା ଓ ସମ୍ଭାବନାର ପ୍ରତୀକ ଭାବେ ବ୍ୟବହୃତ-। ‘ମାର୍ଶାଘାଇ କବିତାରେ ସକାଳର ଚିତ୍ର ଦେବାକୁ ଯାଇ ହଳଦୀ ବସନ୍ତର ପ୍ରତୀକ ନିର୍ମାଣ କରିଛନ୍ତି ଗୁରୁପ୍ରସାଦ । ଏଠାରେ କବି ଏକ ଆଶାବାଦୀ ଦୃଷ୍ଟିକୋଣର ପରିଚୟ ଦେଇଛନ୍ତି ଯାହା କାକର, ଘାସପତ୍ର, କୁହୁଡ଼ି ଓ ଆମ୍ବତୋଟା ଆଦି ଶବ୍ଦପୁଞ୍ଜ ମଧ୍ୟରେ ଅଧିକ ଭାବଶବଳିତ ହୋଇଯାଇଛି । ଖରାର ଚଞ୍ଚଳତା ତଥା ଅସ୍ଥିରତାର ଚିତ୍ର ଦେବାବେଳେ ଗୁରୁପ୍ରସାଦ ‘କଉମାଛର ନିଦ’ ପଦଖଣ୍ଡର ପ୍ରୟୋଗ ‘ଦୃଷ୍ଟିର ଦିଗନ୍ତ’ କବିତାରେ କରିଛନ୍ତି । ଅରଣ୍ୟର ଅଜଗର ପ୍ରତୀକଟି କବି ମୁଖ୍ୟତଃ ପୁରାଣରୁ ହିଁ ଗ୍ରହଣ କରିଛନ୍ତି (କର୍ମ କର୍ଷଣ ଦେହ ସହେ / ଅରଣ୍ୟ ଅଜଗର ପ୍ରାୟେ : ଭାଗବତ) । ‘କାଳପୁରୁଷ କବିତାରେ ସେହି ନିରୂପାୟା ଦେହଜୀବିନୀ ନାୟିକା ଯେ ନିଜ ଦୁଃଖଦ ପାରିବାରିକ ଅଭାବ ଅନଟନରେ ଆପଣାକୁ ପଣ୍ୟ କରିଚାଲିଛି ନିଜ ଇଚ୍ଛା ବିରୁଦ୍ଧରେ ପରିବାର ତଥା ପରିଚନଙ୍କ ଅଜ୍ଞାତରେ । ତାର ଏଇ ବିବେକ ଦଂଶିତ ନିରୂପାୟ ସ୍ଥିତାବସ୍ଥାର ଚିତ୍ର ଦେବାବେଳେ ଗୁରୁପ୍ରସାଦ ଅରଣ୍ୟର ଅଜଗତ ପ୍ରତୀକକୁ ଅତ୍ୟନ୍ତ କଳାତ୍ମକ ଭାବେ ପ୍ରୟୋଗ କରିଛନ୍ତି (ଅରଣ୍ୟର ଅଜଗର ମୁଁ ରହେ ଅଥର୍ବ ସ୍ଥିର / ମୁଁ ସହେ କଷଣ ଲକ୍ଷ ଦେହ ଆଉ ମନ ଓ ଆତ୍ମାର : କାଳପୁରୁଷ) । ଏହି ପ୍ରତୀକ ମଧ୍ୟରେ ଏହି ନିର୍ଦ୍ଦିଷ୍ଟ ଅନୁଭବଟି ଆଉ ଏକକ ବ୍ୟକ୍ତିକୈନ୍ଦ୍ରିକ ନୁହେଁ, ବରଂ ନୈବ୍ୟକ୍ତିକ ଓ ସାର୍ବଜନୀନ ।

 

ମାନବ ଜୀବନକୁ ଆଧାର କରି ଗୁରୁପ୍ରସାଦ ମଧ୍ୟ କେତେକ ପ୍ରତୀକ ଯୋଜନା କରିଛନ୍ତି ଆପଣା କବିତା ମାନଙ୍କରେ । ତାର ନିତ୍ୟ ବ୍ୟବହାର୍ଯ୍ୟ ପଦାର୍ଥ ଏବଂ ପ୍ରାତ୍ୟହିକ ଚଳନକୁ ଭିତ୍ତି କରି ସେ କେତେଗୋଟି ଚମତ୍କାର ପ୍ରତୀକ ସୃଷ୍ଟି କରିଛନ୍ତି । ସିଲ୍‍କ ଶାଢ଼ୀ, ସାବୁନ, ବାସ୍ନାତେଲ, ହସଦର ବିଡ଼ି, ଗୁଡ଼ାଖୁ, ଟର୍ଚ୍ଚଲାଇଟ୍, ବଲ୍‍ବଠାରୁ ଆରମ୍ଭ କରି ଗାନ୍ଧୀ ଟୋପି ଓ ଜିପ୍‍ଗାଡ଼ି ପର୍ଯ୍ୟନ୍ତ ମାନବର ସବୁ ଉପାଦାନକୁ ପ୍ରତୀକର ମର୍ଯ୍ୟାଦା ଦେଇଛନ୍ତି ସେ । ସିଲ୍‍କ ଶାଢ଼ୀକୁ ଏକ ଇନ୍ଦ୍ରିୟ ଉତ୍ତେଜକ ଉପାଦାନର ପ୍ରତୀକ ଭାବେ ମୁଖ୍ୟତଃ ଗ୍ରହଣ କରିଛନ୍ତି ସେ । ‘କପୋତ କପୋତୀ’ରେ ଆକାଶୀ ରଙ୍ଗର ଶାଢ଼ୀର କଥା କହି ତାରା ଆଉ ସଚ୍ଚିରାଉତରା ଖସିପଡ଼ିବାର କଥା କହିବା ବେଳେ ଏହି ଅନୁଭବ ସ୍ପଷ୍ଟ ହୋଇଯାଇଛି । କବିତାର ପରବର୍ତ୍ତୀ ପର୍ଯ୍ୟାୟରେ ସିଲ୍‍କ ଶାଢ଼ୀ ମଧ୍ୟରେ ପ୍ରତୀକିତ ହେଉଥିବା ଏହି ଅନୁଷଙ୍ଗ ‘ବିଜନ ନୀଳିମା’ ପଦଖଣ୍ଡ ମଧ୍ୟରେ ଅଧିକ ସ୍ପଷ୍ଟ ହୋଇଉଠିଛି । ‘କାଳପୁରୁଷ’ର ଦ୍ୱିତୀୟାର୍ଦ୍ଧରେ ଏହି ସିଲ୍‍କ ଶାଢ଼ୀ ସିଲ୍‍କ କାମିଜ୍‌ରେ ରୂପାନ୍ତରିତ ହୋଇଛି ଏବଂ ସେହି ନିର୍ଦ୍ଦିଷ୍ଟ ଅର୍ଥରେ ପ୍ରତୀକିତ ହୋଇଛି । ଅନ୍ୟ ନିତ୍ୟବ୍ୟବହାର୍ଯ୍ୟ ପଦାର୍ଥଟି ହେଉଛି ଲକ୍‍ସ ସାବୁନ୍ । ଏକ ବିଜ୍ଞାପନୀ, ଅନ୍ତରଙ୍ଗତା ବିରହିତ ପ୍ରଦର୍ଶନ ପରକ ହସର ପ୍ରତୀକ ଭାବରେ ‘ଲକ୍‍ସ ସାବୁନ ହସ’କୁ ବ୍ୟଞ୍ଜିତ କରିଛନ୍ତି ଗୁରୁପ୍ରସାଦ । ବାସ୍ନାତେଲ, ଗୁଡ଼ାଖୁ ଓ ହଇଦର ବିଡ଼ି ଏଗୁଡ଼ିକ ପ୍ରତ୍ୟେକ ଚିରନ୍ତନ ପ୍ରବହମାନ ଜୀବନଧାରଣର ପ୍ରତୀକ ଭାବେ କପୋତ କପୋତୀ’ କବିତାରେ ଗୃହୀତ ହୋଇଛନ୍ତି । ଅସ୍ତାୟମାନ ସୂର୍ଯ୍ୟର ପ୍ରତୀକ ଭାବେ ବ୍ୟାଟେରୀ ନଥିବା ସାନ ଟର୍ଚ୍ଚଲାଇଟ୍‌କୁ ବ୍ୟବହାର କରିଛନ୍ତି ଗୁରୁପ୍ରସାଦ ହରେକୃଷ୍ଣ ଦାସ : ଦୁଇ’ କବିତାରେ । ଏଠାରେ ସୂର୍ଯ୍ୟର ସତ୍ତା ଅତ୍ୟନ୍ତ ଗୌଣ ଓ ନିଷ୍ପ୍ରଭ । ‘ଏମର ଜେନ୍‍ସି’ କବିତାରେ ଜହ୍ନର ନିଷ୍ପ୍ରଭ କିରଣର ପ୍ରତୀକ ଭାବେ ଗୁରୁପ୍ରସାଦ ଟେବୁଲ୍ ଲ୍ୟାମ୍ପର ଫିକା ବଲ୍‍ବକୁ ଗ୍ରହଣ କରିଛନ୍ତି । ଏଠାରେ ଜହ୍ନର ଉଜ୍ଜ୍ୱଳ ଆଲୋକ ନାହିଁ । ଅଛି ଏକ ବିଷର୍ଣ୍ଣ ଫିକା ତଥା ଉଦାସ ଆଲୋକିତ ସତ୍ତା ଯାହା ପରବର୍ତ୍ତୀ ଧାଡ଼ିମାନଙ୍କରେ ‘କମ୍ ଭୋଲ୍‍ଟେଜ୍’ ପଦଖଣ୍ଡରେ ସ୍ପଷ୍ଟ ହୋଇଯାଇଛି । ଗାନ୍ଧୀଟୋପି ପ୍ରତୀକ ମଧ୍ୟରେ ପ୍ରତାରଣା ଓ ଛଳନା ସ୍ପଷ୍ଟ ହୋଇଯାଇଛି ଯାହା ପରବର୍ତ୍ତୀ ପର୍ଯ୍ୟାୟରେ ‘ଅହିଂସାର ଜିପ୍‍ଗାଡ଼ି’ ପଦଖଣ୍ଡରେ ବ୍ୟଞ୍ଜିତ ହୋଇଛି (କପୋତ କପୋତୀ) । ବିରୋଧାଭାସର କଠୋର ବ୍ୟଙ୍ଗବାଣରେ ଏ ପ୍ରତୀକ ଦୁଇଟି କାବ୍ୟନାୟକର ବିଷର୍ଣ୍ଣ ମାନସିକତାକୁ ହିଁ ପ୍ରକାଶ କରିଛନ୍ତି ।

 

ବିଭିନ୍ନ ସାରସ୍ଵତ ବ୍ୟକ୍ତିତ୍ୱ, କୃତି ତଥା ଚରିତ୍ରମାନଙ୍କୁ ଗୁରୁପ୍ରସାଦ ତାଙ୍କ କବିତାରେ ପ୍ରତୀକମ୍ ମର୍ଯ୍ୟାଦା ଦେଇଛନ୍ତି । ଜଗନ୍ନାଥ ଦାସ (କାଳପୁରୁଷ), ଉପେନ୍ଦ୍ର ଭଞ୍ଜ (ଶରତ ଋତୁରେ ଜହ୍ନ), ରାଧାନାଥ (କପୋତ କପୋତୀ ଓ ଶରତ ଋତୁରେ), ଗଙ୍ଗାଧର (ମୃତ୍ୟୁ), ମାନସିଂହ (ଶରତ ଋତୁରେ ଜହ୍ନ) ଓ ସଚ୍ଚି ରାଉତରାୟ (କପୋତ କପୋତୀ) ଆଦି ଉଜ୍ଜ୍ୱଳ କାବ୍ୟପୁରୁଷ ତାଙ୍କ କବିତାରେ ଏକ ନିର୍ଦ୍ଦିଷ୍ଟ ଚେତନାର ପ୍ରତୀକାତ୍ମକ ଅଭିବ୍ୟକ୍ତି ଭାବେ ବ୍ୟଞ୍ଚିତ ହୋଇଛନ୍ତି । କେତେକ ପ୍ରସିଦ୍ଧ କାବ୍ୟକୃତି ଯଥା ଲାବଣ୍ୟବତୀ (ପ୍ରିୟ ବାନ୍ଧବୀ, ଶରତ ଋତୁରେ ଜହ୍ନ ଓ ସାମ୍ନାରେ ଶୀତରାତି), ବନଲତା ସେନ୍ (ସନେଟରେ ସେ ସ୍ତ୍ରୀଲୋକର..), ସବୁଜ କବିତା (ହରେକୃଷ୍ଣ ଦାସ : ଦୁଇ) ଓ ଧୂପ (ହରେକୃଷ୍ଣ ଦାସ : ଦୁଇ) ଆଦି ମଧ୍ୟ ଗୁରୁପ୍ରସାଦଙ୍କ ଲେଖନୀରେ ଅତ୍ୟନ୍ତ କଳାତ୍ମକ ଭାବେ ଉତ୍କୀର୍ଣ୍ଣ ହୋଇଛନ୍ତି । କାବ୍ୟ ଚରିତ୍ର ଭାବେ ସାଧବ ଯୁବତୀ (କାଳପୁରୁଷ : ଚାରି), ଚନ୍ଦ୍ରଭାନୁ ଓ ଲାବଣ୍ୟବତୀ (କାଳପୁରୁଷ : ଚାରି) ଗୁରୁପ୍ରସାଦଙ୍କ ଲେଖନୀରେ ପ୍ରତୀକାତ୍ମକ ଭାବେ ରୂପ ଗ୍ରହଣ କରିଛନ୍ତି । ଏତଦ୍‍ବ୍ୟତୀତ ପ୍ରାଚୀନ ତଥା ଆଧୁନିକ ବିଶ୍ୱର ବିଭିନ୍ନ ସ୍ଥାନକୁ ମଧ୍ୟ ପ୍ରତୀକର ମର୍ଯ୍ୟାଦା ଦେଉଛନ୍ତି ଗୁରୁପ୍ରସାଦ । ବିଶ୍ଵ ମାନଚିତ୍ରର ତିବ୍ଦତ (କାଳପୁରୁଷ- ପାଞ୍ଚ), ରୋମ୍ (ତତ୍ରୈବ), ବେବିଲୋନ୍ (ତତ୍ରୈବ), ସିଂହଳ (ତତ୍ରୈବ), ମଳୟ ଦ୍ଵୀପ (କାଳପୁରୁଷ : ପାଞ୍ଚ), ରୋମ୍ (ତତ୍ରିବ), ବେବିଲୋନ୍ (ତତ୍ରୈବ), ସିଂହଳ (ତତ୍ରୈବ), ମଳୟ ଦ୍ଵୀପ (କାଳପୁରୁଷ : ଚାରି), ଭାରତର ପ୍ରାଚୀନ ସହର ତଥା ବନ୍ଦର ଭାବରେ ବାରୁଣାବନ୍ତ (କାଳପୁରୁଷ : ପାଞ୍ଚ), ଉଜ୍ଜୟିନୀ (କାଳପୁରୁଷ : ପାଞ୍ଚ ଓ ଅଖିର କପୋତ ମୋର), ଶ୍ରାବସ୍ତୀ (ନିହତ ଗୋଧୂଳି), ତାମ୍ରଲିପ୍ତ (ନିହତ ଗୋଧୂଳି, କାଳପୁରୁଷ : ପାଞ୍ଚ) ଓ କୋଲକାତା (କାଳପୁରୁଷ : ପାଞ୍ଚ) ଓଡ଼ିଶାର ଭୌଗୋଳିକ ସ୍ଥାନ ଭାବେ ପୁରାତନ ସହର କଟକ (ଆଖିର କପୋତ ମୋର ଓ କାଳପୁରୁଷ : ପାଞ୍ଚ), ଚୌଦ୍ୱାର (କାଳପୁରୁଷ : ଚାରି), ବାଡ଼ି (କାଳପୁରୁଷ : ଚାରି), ଇରମ୍ (ହରେକୃଷ୍ଣ ଦାସ : ତିନି) ଓ ଇଞ୍ଚୁଡ଼ି (ହରେକୃଷ୍ଣ ଦାସ : ତିନି) ଆଦି ଗୁରୁପ୍ରସାଦଙ୍କ ଲେଖନୀରେ ସାର୍ଥକ ପ୍ରତୀକରେ ପରିଣତ ହୋଇଛନ୍ତି । ଏତଦ୍‌ବ୍ୟତୀତ ଭାରତର ଦୁଇଟି ଧାର୍ମିକ ତଥା ସାଂସ୍କୃତିକ ଅନୁଷ୍ଠାନ ରାମକୃଷ୍ଣ ମିଶନ (କାଳପୁରୁଷ : ପାଞ୍ଚ) ଓ ଏମାର ମଠ (କା-ପୁ. ପାଞ୍ଚ)କୁ ମଧ୍ୟ ପ୍ରତୀକର ମର୍ଯ୍ୟାଦା ପ୍ରଦାନ କରିଛନ୍ତି ଗୁରୁପ୍ରସାଦ ।

 

ସମୟର ଚିତ୍ର ପ୍ରଦାନ କରିବାକୁ ଯାଇ ଗୁରୁପ୍ରସାଦ କେତେ ବିମ୍ବଧର୍ମୀ ପ୍ରତୀକର ବ୍ୟବହାର କରିଛନ୍ତି ନିଜ କବିତାରେ । ସମୟକୁ ଯେଉଁସବୁ ପ୍ରତୀକରେ ପ୍ରତୀକିତ କରାଯାଇଛି ତାହା ହେଲା ରାତି, ଜହ୍ନ, ଚୈତ୍ର ଓ ବର୍ଷା । ‘କପୋତ କପୋତୀ’ର ଆରମ୍ଭରେ ରାତି ଅନାଦି ଯୁଗର ସ୍ମୃତି ବହନ କରୁଥିବା ଏକ ବିଶେଷ ସମୟର ପ୍ରତୀକ ଭାବରେ ବ୍ୟବହୃତ । ରାତି ଅନନ୍ତ ଯୁଗ ଓ ଅସଂଖ୍ୟ କଳ୍ପକୁ ନିଜ ଭିତରେ ଆତ୍ମସ୍ଥ କରିଥାଏ (ଏ ରାତି ବିଛାଇ ଦିଏ ସ୍ୱପ୍ନ ଆଉ ଯୁଗ ଯୁଗ କଳ୍ପ କଳ୍ପ ତାରା ଆଉ ତାରା) । ଏକ ଅସଫଳ ସମୟର ଚିତ୍ରାତ୍ମକ ପ୍ରତୀକ ଭାବେ କବି ଜହ୍ନର ବ୍ୟବହାର କରିଛନ୍ତି ‘ଶରତ ଋତୁରେ ଜହ୍ନ’ କବିତାରେ । ମେଘ ଭିତରେ ଜହ୍ନର ଅସ୍ତପର୍ବ ଆରମ୍ଭ ହେବାର ଭାବୀ ସୂଚନାରେ ଅସଫଳ ସମୟର ଚିତ୍ର ଅତି ନିଖୁଣ (ଜହ୍ନ ଯାଏ ତା’ ଭିତରେ ମରିହଜି ନିର୍ବିବାଦ / ସମୁଦ୍ର ବାଲିରେ ସ୍ୱପ୍ନ କାହାର ବା ଚେତନା କାହାର) । ଏଠାରେ ସ୍ଵପ୍ନ ଏବଂ ଚେତନା ବିହୀନ ସମୟର ସ୍ୱାକ୍ଷର ସ୍ପଷ୍ଟ । ଚୈତ୍ରର ନିଃଶବ୍ଦତା ଏବଂ ଜୀର୍ଣ୍ଣତା ମଧ୍ୟରେ ସମୟର ଦୁଃଖଦ କ୍ରମପ୍ରବାହମାନତା ସ୍ପଷ୍ଟ । ସମୟ ଜୀବନର ସବୁ ସ୍ଵପ୍ନ ଓ ଇନ୍ଦ୍ରଜାଲକୁ କବଳିତ କରିଦିଏ (କପୋତ କପୋତୀ) । ଅନ୍ୟତ୍ର ଚୈତ୍ରର ଜୀର୍ଣ୍ଣ ଦେହର ପ୍ରୟୋଗ ମଧ୍ୟରେ ସମୟର ନିଃଶେଷ କରିଦେବାର ଚେତନା ସ୍ପଷ୍ଟ (ଆଖିର କପୋତ ମୋର) । ବର୍ଷା ଗୁରୁପ୍ରସାଦଙ୍କ ଲେଖନୀରେ କେତେବେଳେ ଅଶ୍ରୁ ତ କେତେବେଳେ ପ୍ରଣୟର ପ୍ରତୀକ ଭାବେ ବ୍ୟବହୃତ । ‘କାଳପୁରୁଷ'ର ଆରମ୍ଭରେ ବର୍ଷା ଏକ ନିଦାରୁଣ ନିଷ୍ଠୁର ସମୟ ସ୍ଥିତିର ପ୍ରତୀକ ଭାବେ ଗୃହୀତ ଯାହାର ଉଦୟ ପର୍ବ ଅଶ୍ରୁଜର୍ଜର (ଅବାକ୍ ମୁଁ ଲକ୍ଷ୍ୟକଲି ଆଷାଢ଼ର ଅଶ୍ରୁଳ ଉଦୟ) । ମାତ୍ର ପରବର୍ତ୍ତୀ ମୁହୂର୍ତ୍ତରେ ଏହି ଅଶ୍ରୁ ରୂପାନ୍ତରିତ ହୋଇଛି ପ୍ରଣୟ ପୂରିତ ଅଭିଳାଷରେ ଯେତେବେଳେ କାବ୍ୟନାୟକ ପ୍ରେମାସ୍ପଦର କାକକୃଷ୍ଣ ବେଣୀରୁ ଆଷାଢ଼ ଶ୍ରାବଣ ଝରିପଡ଼ିବାର ଅଭିଳାଷ ପୋଷଣ କରିଛି (ତୁମର ବେଣୀରୁ ଫଇଟି ଝରିପଡ଼ୁ ଆଷାଢ଼ ଶ୍ରାବଣ) ।

 

ପ୍ରତୀକ ପରି ଚିତ୍ରକଳ୍ପ ମଧ୍ୟ ଗୁରୁପ୍ରସାଦଙ୍କ ଲେଖନୀରେ ଏକ ସାର୍ଥକ କଳାତ୍ମକତାରେ ଉତ୍କୀର୍ଣ୍ଣ । ଚିତ୍ରକଳ୍ପ କବିର ଶବ୍ଦଚିତ୍ର ଯାହା କବିର ମାନସିକ ସମ୍ବେଗର ପୂର୍ଣ୍ଣ ଅଭିବ୍ୟକ୍ତି ପ୍ରଦାନ କରେ । ଚିତ୍ରକଳ୍ପ ନିର୍ମାଣରେ କବିର କଳ୍ପନା ଚମତ୍କାର ହିଁ ନିହିତ ଥାଏ । ନ୍ୟୁନ କବିତାରେ ପ୍ରତୀକ ଭଳି ଚିତ୍ରକଳ୍ପର ମଧ୍ୟ ବହୁଳ ପ୍ରୟୋଗ ପରିଲକ୍ଷିତ ହୁଏ । ଗୁରୁପ୍ରସାଦଙ୍କ କବିତାରେ କେତୋଟି ଉଲ୍ଲେଖଯୋଗ୍ୟ ଚିତ୍ରକଳ୍ପର ଉଦାହରଣ ଦିଆଯାଇପାରେ । ‘ଅଳକା ସାନ୍ୟାଲ’ କବିତାରେ କାବ୍ୟନାୟକ ତାର ନାୟିକାର ବକ୍ତୃତାର ଚିତ୍ର ଦେବାକୁ ଗଲାବେଳେ ‘ଝଡ଼’କୁ ଚିତ୍ରକଳ୍ପ ଭାବେ ଗ୍ରହଣ କରିଛନ୍ତି (ମୁଁ ତୁମର ଶୁଣେ ଆଜି ଝଡ଼ ପରି ଭୀଷଣ ବକ୍ତୃତା) । ଏଠାରେ ବକ୍ତୃତା ମୁହୂର୍ତ୍ତ ସର୍ବସ୍ଵ ଜୀବନ ନେଇ ବଞ୍ଚେ । ବକ୍ତୃତା ସରିବା ପରେ ତାର ଶେଷାଂଶ ମଧ୍ୟ ଇଥରରେ ମିଳେଇଯାଏ । ମାତ୍ର ତାର ଶବଳିତ ତଥା ସମସ୍ତ ସ୍ଥିତିକୁ ‘ଝଡ଼’ ଚିତ୍ରକଳ୍ପ ମଧ୍ୟରେ ବାନ୍ଧି ରଖିଛନ୍ତି କବି । “ବାବା ପାଇଁ ଦୁଇଟଇ କବିତା’ର ପ୍ରଥମ ଭାଗ ଏକ ଚମତ୍କାର ଚିତ୍ରକଳ୍ପ କହିଲେ ଅତ୍ୟୁକ୍ତି ହେବ ନାହିଁ । ସମଗ୍ର କବିତାର ପ୍ରସ୍ତୁତ ପକ୍ଷରେ ରହିଛି ପାହାଡ଼ରେ କୁହୁଡ଼ି ଆଉ ଶୀତର ଆବରଣ-। ମାତ୍ର ଅଗ୍ରସ୍ତୁତି ପକ୍ଷରେ ରହିଛି କାବ୍ୟନାୟକର ତିନୋଟି ପୀଢ଼ି- ବୁଢ଼ିମାଆ, ପୁଅ (ନିଜେ କାବ୍ୟନାୟକ) ଏବଂ ନାତି । କୁହୁଡ଼ି ଏବଂ ଶୀତଢଙ୍କା ପାହାଡ଼ରେ ବୁଢ଼ୀମାଆର ଚିତ୍ର ବ୍ୟଞ୍ଜିତ ହୋଇଛି ଅତି କଳାତ୍ମକ ଭାବେ । ଆରମ୍ଭର କିଛି ପଂକ୍ତିରୁ ଏହାକୁ ଆକଳନ କରାଯାଇପାରେ- “ଏ ଶୀତର ଏ କୁହୁଡ଼ି ତୋର ବୁଢ଼ୀ ମାଆ ପରି / ତା’ ଆଖିର ଫିକା ସେଜ ତା’ ମୁଣ୍ଡର ଧଳା ଝୋଟପରି / ଆଉ ତାର ଚାହାଣିର ଝାପ୍‍ସା ଆକାଶ ସବୁ / ମରିଥିବା ପୃଥିବୀର ସ୍ମୃତିର ଯନ୍ତ୍ରଣା ନେଇ / ପାହାଡ଼ରେ ଏ ଶୀତର ଛଉଛଉ ଧଳାଦାଗ ପରି ।’ ଏଠାରେ ପାହାଡ଼ ଓ ବୁଢ଼ୀମାଆ ସତେ ଯେପରି ଏକାତ୍ମ ହୋଇଯାଇଛନ୍ତି । ଶୀତୁଆ ପାଗରେ ବୁଢ଼ୀମାଆର ବ୍ୟଞ୍ଜନା ବାସ୍ତବିକ୍ ହୃଦୟସ୍ପର୍ଶୀ ହୋଇଛି । ଅନ୍ୟତ୍ର ‘କ୍ରୀଶ୍‌ମାସ୍’ କବିତାରେ ‘ଟ୍ରାଫିଜ୍ ସାଇନ୍’ ଏହି ଚିତ୍ରକଳ୍ପ ମଧ୍ୟରେ ଶୀତର ବିଷର୍ଣ୍ଣ ଖରାର ଉଦାସ ତଥା ଅନ୍ୟମନସ୍କପଣ ଏବଂ ତାର ଚିନ୍ତାତୁର ମାନସିକତା ବ୍ୟଞ୍ଜିତ-। ତା’ ମାନସିକତାରେ ଯେଉଁ ରାତି ରହିଛି ସେ ଉତ୍ତାପ ରହିଛି, ନିଷ୍କ୍ରିୟ ଜଡ଼ । ଥଣ୍ଡା ତାରା’ ମଧ୍ୟରେ ଏହି ଭାବନା ଅଧିକ ଜୀବନ୍ତ ହୋଇଛି । ରହିଛି ଅସରନ୍ତି ବେଦନା, ତଜ୍ଜନିତ ବ୍ୟର୍ଥତା ତଥା ଅନୁଶୋଚନାତ୍ମକ ସ୍ଥିତି । ‘ମାର୍ଶାଘାଇ’ କବିତାରେ ସନ୍ଧ୍ୟାର ଚିତ୍ର ଦେଲାବେଳେ ଏକ ଚମତ୍କାର ଚିତ୍ରକଳ୍ପର ପ୍ରୟୋଗ କରନ୍ତି ଗୁରୁପ୍ରସାଦ । ଉଦାହରଣ ଭାବେ ଏଇ ପଂକ୍ତି ଦୁଇଟିକୁ ଗ୍ରହଣ କରାଯାଇପାରେ- “ସନ୍ଧ୍ୟା ଆସେ ଛାଟିଛାଟି ନାଲି କାଳି / ଟାଣି ଟାଣି ଗାଢ଼ କଳା ପେନ୍‌ସିଲ ଦାଗ’-। ଏଠାରେ ନାଲି କାଳି ଓ ଗାଢ଼ କଳାପେନ୍‍ସିଲ ଦାଗର ବ୍ୟଞ୍ଜନାରେ ଆକାଶରେ ସନ୍ଧ୍ୟାରାଗର ବିଶୁଦ୍ଧ ସମାରୋହର ଚିତ୍ର ଅତି କଳାତ୍ମକ ଭାବେ ରୂପ ଗ୍ରହଣ କରିଛି । ଅନ୍ୟ ଏକ ସାର୍ଥକ ଚିତ୍ରକଳ୍ପକୁ ପାଠକ ଭେଟେ ଏସ୍‍ରାଜ ଭାଓଲିନ୍’ କବିତାର ଆରମ୍ଭ ପଂକ୍ତି ମାନଙ୍କରେ । ରାତିରେ ଏସ୍‌ରାଜ ଭାଓଲିନର ସ୍ଵରର ଚିତ୍ର ଦେବାବେଳେ ଗୁରୁପ୍ରସାଦ ଜହ୍ନରାତି, ଫୁଲର ଝରଣାର ବ୍ୟଞ୍ଜନା ମଧ୍ୟରେ ଏକ ସଙ୍ଗୀତମୁଖର ଉଜ୍ଜ୍ୱଳ ନୀରବତାର ଅଙ୍କନ କରିଛନ୍ତି । ଏଠି ଫୁଲ ଆଉ କଢ଼ ଭିତରେ ଖୁନ୍ଦି ହୋଇଯାଇଛି ସ୍ୱପ୍ନ ଓ ସୌନ୍ଦର୍ଯ୍ୟ । ଗୁରୁପ୍ରସାଦଙ୍କ ଅଧିକାଂଶ କବିତାରେ ଚିତ୍ରକଳ୍ପର ଏହି ଉଜ୍ଜ୍ୱଳ ସ୍ଥିତିକୁ ପାଠକ ଆଖିରୁ ଦୂରରେ ରହିପାରେ ନାହିଁ ।

 

ଗୁରୁପ୍ରସାଦଙ୍କ କବିତାରେ ମିଥ୍ ବା ପୁରାବୃତ୍ତର ପ୍ରୟୋଗ ମଧ୍ୟ ଅନୁପଲବ୍ଧ ନୁହେଁ । କବିତାର ବକ୍ତବ୍ୟକୁ ଉପଲବ୍ଧ କରାଇବାରେ ଏହି ମିଥ୍‍ର ଭୂମିକା ଗୁରୁତ୍ଵପୂର୍ଣ୍ଣ । ପାଶ୍ଚାତ୍ୟ ଦାର୍ଶନିକ ୟୁଙ୍ଗ୍‍ଙ୍କ ବିଚାରରେ ମିଥ୍ ମଣିଷର ସାମୂହିକ ଅବଚେତନ (collective unconscious)ର ଅବିଚ୍ଛେଦ୍ୟ ଉପାଦାନ । ଏହି ସାମୂହିକ ଅବଚେତନ ବ୍ୟକ୍ତିଗତ ଅବଚେତନ କରି ଜନ୍ମ ମୃତ୍ୟୁର ଅଧୀନ ନୁହେଁ । ଏହା ଅଜ, ନିତ୍ୟ, ଶାଶ୍ୱତ ଓ ପୁରାଣ । ଏହି ସାମୂହିକ ଅବଚେତନ ଫ୍ରୟେଡ୍‍ଙ୍କ ଅବଚେତନ ପରି ଅଳିଆ ଖାତଟିଏ ନୁହେଁ, ଅବଦମିତ କାମନା ବାସନାର ଭଣ୍ଡାର ନୁହେଁ । ଏହା ଏକ ବିଶାଳ କୂପ । ମଣିଷର ନିତିମତ୍ତା, କଲ୍ୟାଣ ବୁଦ୍ଧି ଓ ସୌନ୍ଦର୍ଯ୍ୟପ୍ରିୟତାର ଏହା ମୂଳ ଉତ୍ସ । ଏହା ହିଁ ମିଥଙ୍କୁ ଜନ୍ମ ଦେଇଥାଏ । ଏଣୁ ମିତ୍ ହିଁ ଅବଚେତନ ମନର ଆବେଗାନୁଭୂତିର ଉଦ୍‍ଭାସନ (ରାୟ ଡଃ ମାଳବିକା : ମିଥ୍ ଓ ଆଧୁନିକ ଓଡ଼ିଆ କବିତା; ଅଗ୍ରଦୂତ, ୧୯୯୩, ପୃ ୧୫୧୮) । ଗୁରୁପ୍ରସାଦଙ୍କ କବିତାରେ ବ୍ୟବହୃତ ମିଥ୍‍ଙ୍କୁ ଏହି ଦୃଷ୍ଟିରୁ ବିଚାର କରାଯାଇପାରେ । ତାଙ୍କ କବିତାରେ ମହାଭାରତୀୟ ଚରିତ୍ର ତଥା ଉପାଖ୍ୟାନର ସଂଖ୍ୟା ସର୍ବାଧିକ । ଅକ୍ରୂର, ଉଦ୍ଧବ, ପରୀକ୍ଷିତ, ସଞ୍ଜୟ ଓ ଧୃତରାଷ୍ଟ୍ର ଆଦି ସମସ୍ତେ ମହାଭାରତୀୟ ଚରିତ୍ର । ଅକ୍ରୂର ଓ ଉଦ୍ଧବ ଚରିତ୍ରରେ ଗୁରୁପ୍ରସାଦଙ୍କ କାବ୍ୟନାୟକ ମୁକ୍ତିର ସ୍ଵପ୍ନ ଦେଖିଛି । ମାତ୍ର ତାହା ସମ୍ଭବ ହୋଇପାରି ନାହିଁ । କାରଣ ଅକ୍ରୂର ଅଥବା ଉଦ୍ଧବଙ୍କ ମଝିରେ ଏତେ ସତ୍ ଚରିତ୍ର ସମ୍ପନ୍ନ ଆଦର୍ଶ ପୁରୁଷ ନୁହେଁ । ପରବର୍ତ୍ତୀ କାଳରେ ପରୀକ୍ଷିତ ଭିତରେ ସେ ଆପଣାର ଆତ୍ମସତ୍ତାକୁ ଆବିଷ୍କାର କରିବାକୁ ଚାହିଁଛି । ପରୀକ୍ଷିତ ଋଷି ଶମୀକଙ୍କ ଗଳାରେ ନାଗସାପ ଗୁଡ଼ାଇ ଦେବା ଭଳି ଏକମାତ୍ର ଅପକର୍ମ କରିଥିଲେ-। ମାତ୍ର ଏହା ତୁଳନାରେ ତାଙ୍କର ପୁଣ୍ୟକର୍ମ ଥିଲା ପ୍ରଚୁର । ଏତେ ପୁଣ୍ୟକର୍ମ କରି ଗଙ୍ଗା ତୀରରେ ସାତଦିନ ଭାଗବତ ଶୁଣି ମଧ୍ୟ ପରୀକ୍ଷିତ ସର୍ପଦଂଶନ ଜନିତ ଭବିତବ୍ୟରୁ ଆପଣାକୁ ମୁକ୍ତ ରଖିପାରି ନାହାନ୍ତି । ତେଣୁ ବହୁ ପାପରେ ସନ୍ତୁଳିତ କାବ୍ୟନାୟକ ପରୀକ୍ଷିତଠାରୁ ଆପଣାକୁ ଅଧିକ ଦୋଷୀ ଓ ପାପୀ ବୋଲି ମନେକରିଛି । ପରିଶେଷରେ ତାର ବାମ ଅଙ୍ଗ ପଙ୍ଗୁ ଏବଂ ବର୍ଷ ଈଷତ୍ ପିଙ୍ଗଳ ହୋଇଯାଇଛି (ମୁଁ ଦେଖିଲି ବାମଅଙ୍ଗ ପଙ୍ଗୁ ମୋର ବର୍ଣ୍ଣ ମୋର ଈଷତ୍ ପିଙ୍ଗଳ : କାଳପୁରୁଷ । ଏ ନିଷ୍କରୁଣ ଭବିତବ୍ୟତା ମଧ୍ୟରୁ ତାର ଯେପରି ମୁକ୍ତି ନାହିଁ । ପ୍ରଥମତଃ ପ୍ରକୃତି (ବର୍ଷାଋତୁ) ଭିତରେ ମୁକ୍ତିର ଆନନ୍ଦ ଖୋଜି ବିଫଳ ହୋଇଥିବା କାବ୍ୟନାୟକ ଦ୍ୱିତୀୟ ପର୍ଯ୍ୟାୟରେ ପ୍ରେମ ମାଧ୍ୟମରେ ଆତ୍ମମୁକ୍ତିର ସ୍ଵାଦ ଅନୁଭବ କରିବାରେ ଆଗ୍ରହୀ । ମାତ୍ର ପ୍ରେମ ଏଠାରେ କାନନ, ତାପସ କନ୍ୟା ଅଥବା ତ୍ରସ୍ତ ନୀଳ ଆଖିପତା ମଧ୍ୟରେ ସୀମିତ ଦୁଷ୍ୟନ୍ତ ଶକୁନ୍ତଳାଙ୍କ ପ୍ରଣୟ ଉପାଖ୍ୟାନ ନୁହେଁ । ଏଠାରେ ନାୟକକୁ ଉପେକ୍ଷା କରି କାବ୍ୟନାୟିକା ସାଧବ ଯୁବତୀମାନଙ୍କ ପରି ପ୍ରମାଦ ବଶତଃ କାର୍ ଚଢ଼ି ଚାଲିଯାଏ (ମୁଁ ଶୁଣିଲି ପଛରେ ମୋ ଛିପିହେଲା କାର୍ ଆସି / ସାଧବ ଯୁବତୀମାନେ ଅତି ପ୍ରମୋଦରେ / କାର୍ ଚଢ଼ି ଚାଲିଗଲେ : କାଳପୁରୁଷ, ଚାରି) । ତୃତୀୟତଃ ଈଶ୍ଵରାନୁଭବରେ ମୁକ୍ତି ଖୋଜି ବସିଚି କାବ୍ୟନାୟକ । ମାତ୍ର ତା ଦେହରେ ମଧ୍ୟ ତାକୁ ବିଡ଼ମ୍ବିତ ହେବାକୁ ପଡ଼ିଛି । ଆପଣାର ସ୍ଥିତି ମଧ୍ୟ ତା ପାଇଁ ସନ୍ଦେହର ପ୍ରଶ୍ନବାଚୀ ହୋଇଯାଇଛି । ସେ ପୁରୁଷ ହୋଇ ମଧ୍ୟ ନିଜ ଭିତରେ ଏକ ବିକଳ ନାରୀତ୍ୱକୁ ଭେଟୁଛି ବାରମ୍ବାର । ଏଥିପାଇଁ ଗୁରୁପ୍ରସାଦ ‘ଇଳା’ ମିଥ୍‍ଙ୍କୁ ଗ୍ରହଣ କରିଛନ୍ତି ଯେ ଏକାଧାରରେ ନାରୀ ଓ ପୁରୁଷ (ଏକ ଦେହେ ଜନ୍ମ ନେଲି ପୁରୁଷ ମୁଁ ସେହି ଦେହେ ନାରୀର ଶୃଙ୍ଗାର / ମୋ ପାଶେ ଏକାଠି ହେଲା ସିଲ୍‍କ ଶାଢ଼ୀ ପେଣ୍ଟ କୋଟ ଧ୍ଵଜଭଙ୍ଗ ପ୍ରସୂତି ଯନ୍ତ୍ରଣା : କାଳପୁରୁଷ) । ଏଣୁ ମୁକ୍ତି ଖୋଜୁଥିବା କାବ୍ୟନାୟକ ଏକ ବିକଳ ଅସହାୟତାରେ ‘ରାମକୃଷ୍ଣ ମିଶନ୍‌ରୁ କେତେବାଟ ଏମାର ମଠକୁ’ (କାଳପୁରୁଷ) ଏହି ଅନ୍ୱେଷଣ ଅବ୍ୟାହତ ରଖିଛି-। ତାର ଯାତ୍ରାର କୌଣସି ସମାପ୍ତି ନାହିଁ, ଯେଉଁଠୁ ଯାତ୍ରା ଆରମ୍ଭ କରିଥିଲା ଶେଷରେ ସେଇଠି ହିଁ ଆସି ସେ ପହଞ୍ଚିଛି । ଗୁରୁପ୍ରସାଦଙ୍କ ବିଶନ ମହାନ୍ତି (ବିଶନ ମହାନ୍ତି), ବୁଦ୍ଧ (ବିଶନ ମହାନ୍ତି), ବିଶ୍ଵାବସୁ (ବିଶନ ମହାନ୍ତି), ନବଗୁଞ୍ଜର (ବିଶନ ମହାନ୍ତି), ମହାପରିନିର୍ବାଣର ବୋଧିଦ୍ରୁମ (ହରେକୃଷ୍ଣ ଦାସ : ଚାରି), ପକ୍ଷନୀଳସର (ହରେକୃଷ୍ଣ ଦାସ ଦୁଇ) ଓ ତାପସ କନ୍ୟା (କାଳପୁରୁଷ : ପାଞ୍ଚ) ସମସ୍ତେ ଏକ ଏକ ମିଥକୀୟ ଚରିତ୍ର । କାବ୍ୟନାୟକର ଅସହାୟ ଜୀବସତ୍ତାକୁ ଏମାନେ ବହୁଭାବେ ପ୍ରତୀକିତ କରିଛନ୍ତି । ଜୀବନର ଅସଫଳତା, ଅନ୍ତଦ୍ୱନ୍ଦ୍ୱ ଓ ନିରୁପାୟତାର ଚିତ୍ର ଏହି ମିଥିମାନଙ୍କ ମଧ୍ୟରେ ବେଶ୍ ସଫଳତାର ସହ ଅଙ୍କନ କରିଛନ୍ତି ଗୁରୁପ୍ରସାଦ ।

 

ଖୁବ୍ କମ୍ ସଂଖ୍ୟକ କବିତା ରଚନା କରି ମଧ୍ୟ ଗୁରୁପ୍ରସାଦ ଓଡ଼ିଆ ସାହିତ୍ୟରେ ଆପଣାର ସ୍ଥାନ ସୁଦୃଢ଼ କରିଯାଇଛନ୍ତି । ଆଜୀବନ ମଞ୍ଚ ତଥା ପ୍ରଚାର ନିକଟରୁ ଆପଣାକୁ ଦୂରେଇ ରଖିଥିବା ଏହି ସାରସ୍ୱତ ସାଧକ ସବୁବେଳେ ନୀରବ ସାଧନାରେ ହିଁ ବିଶ୍ୱାସ କରିଆସିଛନ୍ତି । କବି ତଥା ସମାଲୋଚକ ମାୟାଧର ମାନସିଂହ ଅତୀତର ତାଙ୍କ ଇଂରେଜୀ ଓଡ଼ିଆ ସାହିତ୍ୟର ଇତିହାସରେ ଗୁରୁପ୍ରସାଦଙ୍କ କବିତାର କଟୁ ସମାଲୋଚନା କରିଥିଲେ ମଧ୍ୟ ସେ କେବେହେଲେ ଏହା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିନାହାନ୍ତି ବରଂ ‘ମାନସିଂ ଓଡ଼ିଆ ସାହିତ୍ୟ ନୁହନ୍ତି’ ବୋଲି ଏକ ଉଦାର ତଥା ଅନମନୀୟ ଦୃଢ଼ ଉଚ୍ଚାରଣ କରି ନୀରବ ହୋଇଛନ୍ତି (ସାକ୍ଷାତ୍‌କାର : କଥା କଥା କବିତା କବିତା : ଏପ୍ରିଲ୍ ଜୁନ୍ ୧୯୯୯, ପୃ. ୨୧) । ଏ କଥା ସତ ଆଧୁନିକ କବିତାକୁ ଭଲ ପାଉଥିବା ଅନେକ ପାଠକ ଏବେ ବି ଗୁରୁପ୍ରସାଦଙ୍କ ପ୍ରେମରୁ ଆପଣାକୁ ମୁକୁଳିପାରି ନାହାନ୍ତି । ତାଙ୍କ ‘କାଳପୁରୁଷ’କୁ ଗୀତା ଭଳି ଏବେ ବି ଅନେକ ସଶ୍ରଦ୍ଧ ଅଧ୍ୟୟନ କରନ୍ତି । ତାଙ୍କୁ ଏବେ ବି ପ୍ରେମ କରନ୍ତି । ତାଙ୍କ କବିତା ପଢ଼ି ଏବେ ବି ସବୁକିଛି ଭୁଲିଯାଆନ୍ତି । ତାଙ୍କ ‘କପୋତ କପୋତୀ’ର ଅନ୍ତିମ ପଂକ୍ତି ଉଦ୍ଧାର କରି ଆଲୋଚନାର ଉପସଂହାର କରୁଛି ‘ସେ କହିଲା- ଦୁଷ୍ଟ ତୁମେ ଭାରି ଚାଲାଖ୍ ଭାରି / ଫାଜିଲ / ଭାରି ଭଲ କଥା କହିଜାଣ । ତୁମରି ପ୍ରେମରେ ଆଜି ଭୁଲିଯାଏ ସତୀତ୍ଵ ମୁଁ ଅର୍ଥନୀତି ରାଜନୀତି / ଆଉ ମୋର ନାରୀ ଜାଗରଣ ।’

 

ଅନ୍ୱେଷା, ଦଣ୍ଡୁଆସିପଡ଼ା, କିଶୋରନଗର,

କଟକ -୭୫୪ ୧୩୧

କିଶୋରୀଚରଣ ଦାସ

(୧ ମାର୍ଚ୍ଚ ୧୯୨୪ – ୧୭ ଅଗଷ୍ଟ ୨୦୦୪)

 

***

 

Unknown

କିଶୋରୀଚରଣ : ପ୍ରବକ୍ତା ନା ପ୍ରତିବାଦୀ ?

ରମାକାନ୍ତ ରଥ

 

“ସମୟ ନାହିଁ’ର ଉନ୍ମୋଚନ ଗୋଟିଏ ପୁସ୍ତକର ଉନ୍ମୋଚନ ଉତ୍ସବ ନୁହେଁ, ନୁହେଁ ମୂଳତଃ ଏହି କାରଣରୁ ଯେ ତାର ରଚୟିତା ଅଳ୍ପଦିନ ତଳେ ଆମ ଗହଣରେ ଥିଲେ, ଆଜି ନାହାନ୍ତି । ତାଙ୍କର ବିୟୋଗଜନିତ ଅବସାଦ ଟିକିଏ ଜଣା ପଡ଼ିଲେ ସିନା ବାକ୍‌ସ୍ଫୂର୍ତ୍ତି ହୁଅନ୍ତା, କିନ୍ତୁ ଆମକୁ ସେ ନିଷ୍କୃତି ଦେବାକୁ ସ୍ୱୟଂ କିଶୋରୀ ଚରଣ ଆଗେଇ ଆସିଲେ ମଧ୍ୟ ଆମେ ତାଙ୍କୁ ବିନୀତ ଭାବେ କହିବୁ – ଧନ୍ୟବାଦ, ଆମର ଏ ମୁକ୍ତି ଲୋଡ଼ା ନାହିଁ, ଆମଠାରୁ ଆମର ଅଭିଭୂତ ଅବସ୍ଥା, ଆମର ବାକ୍‍ରୁଦ୍ଧ ଅବସ୍ଥା ନେଇଯାଆନ୍ତୁ ନାହିଁ । ତାଙ୍କର ସୃଷ୍ଟି ସହିତ ପରିଚିତ କିଏ ଚାହିଁବ ଯେ ତାର ଅଭିଭୂତ ହୋଇ ରହିବା ନ ରହନ୍ତାକି, କିଶୋରୀଚରଣ ଯାହା ଲେଖିଛନ୍ତି ସେ ଭୁଲିଯାଆନ୍ତା କି । ଭୁଲିବ କିପରି ? ସେ ଏପରି ଜଣେ ଲେଖକ ଯେ (ତାଙ୍କରି ଭାଷାରେ) ମୁହଁ ତଳକୁ କରି ବଡ଼ କଥା ଧୀରେ ଧୀରେ କହନ୍ତି, ସଙ୍କେତରେ କଲବଲ କରନ୍ତି, କିନ୍ତୁ ଅବଶେଷରେ ରସଗ୍ରାହୀ ପାଠକକୁ ବୁଝାଇ ଦିଅନ୍ତି ଯେ ସେ ଯାହା କହୁଛନ୍ତି ତା’ରି ମନକୁ ଲକ୍ଷ୍ୟ କରି କହୁଛନ୍ତି, ତା ସହିତ ଅନ୍ତରଙ୍ଗ ଆଳାପ କରୁଛନ୍ତି । ଏପରି ଅନ୍ତରଙ୍ଗତାରୁ, ନିଜକୁ ଟିକିନିଖି ବୁଝୁଥିବା ଜଣକଠାରୁ କ’ଣ ପଳାଇଯାଇ ହୁଏ ? ଗଲେ ଦେଖିବ ଯେ ପ୍ରତ୍ୟକ ଦୁଆର ପାଖରେ ସେ ତମ ମନରେ କୌଣସି ନା କୌଣସି ଘଟଣାଟିଏ ଧରି ଠିଆ ହୋଇଛନ୍ତି, ପଚାରୁଛନ୍ତି- ତମେ ଏ ଘଟଣାର ନାୟକ, ନା ହେଲେ ଅନ୍ତତଃ ଭୁକ୍ତଭୋଗୀ ନୁହଁ କି ?

 

ଚରିତ୍ରମାନଙ୍କର ମନୋରାଜ୍ୟରେ ଘଟଣାପ୍ରବାହ କିଶୋରୀଚରଣଙ୍କର ଅନେକ ଗଳ୍ପର କାହାଣୀ । କାହାଣୀ ସହିତ ଆମେ ସାଧାରଣତଃ ଯାହା ବୁଝୁ ଅର୍ଥାତ୍ ଆରମ୍ଭରୁ ପରିଣତି ଆଡ଼କୁ ଅଗ୍ରସର ହେଉଥିବା ଘଟଣାଟିଏର ବିବରଣୀ, ତାହା ଅନେକ ଗଳ୍ପରେ ନାହିଁ । ଗୋଟିଏ ଉଦାହରଣ ଦେଉଛି, “ମଲାପାହାଡ଼ ଏବଂ ପରବର୍ତ୍ତୀ ଦୃଶ୍ୟ’ର ନାୟକ ଗଳ୍ପ ଆରମ୍ଭରୁ ହ୍ୱିଲ୍ ଚେୟାର୍ରେ ବସିଥିଲେ, ଗଳ୍ପ ଶେଷକୁ ସେଇ ହ୍ୱିଲ୍ ଚେୟାର୍ରେ ବସିଛନ୍ତି, ତାଙ୍କର ଅକ୍ଷମତା ଦୂର କରିଦେଲା ଭଳି ବା ତାଙ୍କୁ ମୃତ୍ୟୁର ସମୀପବର୍ତ୍ତୀ କଲାଭଳି କିଛି ଘଟି ନାହିଁ । ତାଙ୍କର ଅନେକ ଗଳ୍ପରେ କିଛି ଉଲ୍ଲେଖଯୋଗ୍ୟ ଘଟେ ନାହିଁ, ବା ଯାହା ଘଟେ ତାହା ଖୁବ୍ ଗୌଣ, କିନ୍ତୁ ଏଇ ଆପାତତଃ ଘଟଣାହୀନତା ଭିତରେ କାଳ କାଟୁଥିବା ଚରିତ୍ରମାନଙ୍କ ମନ ଭିତରେ ଅସଂଖ୍ୟ ଘଟଣା ଘଟିଯାଏ, ସେମାନଙ୍କର ଚେତନାପ୍ରବାହ କେତେବେଳେ ଖରାରେ ଝିଲମିଲ୍ ଦିଶେ ତ କେତେବେଳେ ଆକାଶ ମେଘୁଆ ଥିବାରୁ ଛାଇଛାଇଆ ଦିଶେ । ଉପନ୍ୟାସ ଗୁଡ଼ିକର କଥା ନିଆରା । ସେଥିରେ ଘଟଣା ଅଛି, କିନ୍ତୁ ସେଥିରେ ବି ଘଟଣାର ପୃଷ୍ଠଭୂମିରେ ଥିବା ମନଃସ୍ଥିତି ତାତ୍ପର୍ଯ୍ୟପୂର୍ଣ୍ଣ । କେତେକ ଗଳ୍ପରେ ଗଳ୍ପଟି ଉପସ୍ଥାପିତ ହେବା ସମୟ ଭିତରେ କିଛି ଘଟେ ନାହିଁ, ସେଇ ସମୟ ବାହାରେ ଘଟିଥିବା ଘଟଣା, ଚରିତ୍ରମାନଙ୍କର ଚେତନ ଓ ଅବଚେତନ ମନକୁ ନିୟନ୍ତ୍ରିତ କରେ, ଯେପରି ନିୟନ୍ତ୍ରିତ ହୋଇଛି “ଭଙ୍ଗା ଖେଳଣା”ର ଗୀତା, ଯେପରି ନିୟନ୍ତ୍ରିତ ହୋଇଛନ୍ତି ଅନେକ ଚରିତ୍ର ସେମାନଙ୍କର ଅତୀତରେ କୌଣସି ଘଟଣା ଦ୍ଵାରା, କିଶୋରୀଚରଣଙ୍କ ଦୃଷ୍ଟିରେ ଅତୀତ ସବୁବେଳେ ବର୍ତ୍ତମାନ, ବର୍ତ୍ତମାନଠାରୁ ବେଶି ବର୍ତ୍ତମାନ । ନିଜର ଅତୀତରେ ନିଜକୁ ପୂରାପୂରି ଦେଖିହୁଏ, ସେ ବ୍ୟକ୍ତିସତ୍ତାଟି ଥରକୁ ଥର ନିଜକୁ ସାବ୍ୟସ୍ତ କରୁଥାଏ ।

 

କିଶୋରୀଚରଣଙ୍କ ଗଳ୍ପ ବିଷୟରେ ବେଳେ ବେଳେ ଅଭିଯୋଗ କରାଯାଇଛି ଯେ, ତାଙ୍କର ଚରିତ୍ରଗୁଡ଼ିକ ମଧ୍ୟବିତ୍ତ ବା ଉଚ୍ଚ ମଧ୍ୟବିତ୍ତ ଶ୍ରେଣୀର, ଦରିଦ୍ର ବା ସ୍ଵଚ୍ଛ ଉପାର୍ଜନକାରୀ ବ୍ୟକ୍ତିମାନଙ୍କର ସମାଜ ସହିତ ତାଙ୍କର ସମ୍ପର୍କ ନାହିଁ । ଏ ଅଭିଯୋଗ ଉପରଠାଉରିଆ, ଉପାର୍ଜ୍ଜନ ନିର୍ବିଶେଷରେ ସବୁ ମଣିଷଙ୍କର ସମାନତା ପ୍ରତି ଦୃଷ୍ଟିପାତ କରେ ନାହିଁ । ‘‘ଛକଡ଼ିର ଶ୍ରୀକୃଷ୍ଣ’’ରେ ସୁରୁଚି ଜଣେ ପଦସ୍ଥ ଓ ସ୍ୱର୍ଗବାସୀ କର୍ମଚାରୀଙ୍କ ପତ୍ନୀ, ସେ କୃଷ୍ଣପ୍ରେମରେ ବିହ୍ୱଳା, କିନ୍ତୁ ଗରିବଗୁରୁବା ଘରର ସ୍ତ୍ରୀଲୋକେ କ’ଣ କୃଷ୍ଣ ପ୍ରେମରେ ଆପ୍ଲୁତ ହୋଇଯାଆନ୍ତି ନାହିଁ ? ଦାମ୍ପତ୍ୟ ଜୀବନରେ ପରସ୍ପର ଦ୍ୱାରା ପୂର୍ଣ୍ଣ ହୋଇପାରୁ ନଥିବା ସ୍ତ୍ରୀ ଓ ସ୍ଵାମୀ କ’ଣ କେବଳ ଉଚ୍ଚବର୍ଗର ? ଯୌଥ ପରିବାର ପ୍ରତି ବୀତସ୍ପୃହତା କ’ଣ କେବଳ ଉଚ୍ଚବର୍ଗୀୟ ନା ସର୍ବବ୍ୟାପୀ ? ଅନେକ ଗଳ୍ପରେ ପ୍ରତିପାଦିତ ହୋଇଛି ଯେ କେତୋଟି ଆବେଗରୁ ମଣିଷ କସ୍ମିନ୍‍କାଳେ ମୁକୁଳି ପାରେ ନାହିଁ, ତାର ଆୟ ଯାହା ହୋଇଥାଉନା କାହିଁକି ।

 

ମୋର ମନେହୁଏ, ଅନେକ ଚରିତ୍ରଙ୍କୁ କିଶୋରୀଚରଣ ଉଦ୍ଦେଶ୍ୟମୂଳକ ଭାବେ ସମ୍ଭ୍ରାନ୍ତ ଶ୍ରେଣୀୟ କରିଛନ୍ତି । ଏ ଶ୍ରେଣୀର ବ୍ୟକ୍ତିମାନଙ୍କ ଜୀବନଚର୍ଯ୍ୟାରେ ଥିବା କୃତ୍ରିମତା, ସ୍ୱାର୍ଥପରତା, ପରଶ୍ରୀକାତରତା, ନିଷ୍କରୁଣତା ପ୍ରତି ତାଙ୍କର ବିରାଗ, ତାଙ୍କର ବିଦ୍ରୂପ କ’ଣ ଏତେଥର ଓ ଏତେ ତୀବ୍ର ଭାବରେ ବ୍ୟକ୍ତ ହୋଇପାରିଥାନ୍ତା ଯଦି ତାଙ୍କର ଚରିତ୍ରଗୁଡ଼ିକ ସେ ଶ୍ରେଣୀର ହୋଇନଥାନ୍ତେ-? ୧୯୪୨ ରେ ପ୍ରକାଶିତ ତାଙ୍କର ପ୍ରଥମ ଗଳ୍ପ “ପରଦା ତଳେ’’ରେ ଅନ୍ୟମାନଙ୍କର ଦୁର୍ଭାଗ୍ୟକୁ ଆକ୍ଷିବୁଜି ଦେଇ ନିଜର ସୁଖସନ୍ତୋଷକୁ ପ୍ରାଧାନ୍ୟ ଦେଉଥିବା ମନୋବୃତ୍ତି ପ୍ରତି ଯେଉଁ ପ୍ରତିବାଦ ପ୍ରକଟିତ ହୋଇଥିଲା ତାହା ତାଙ୍କର ପରବର୍ତ୍ତୀ ଅନେକ ଗଳ୍ପରେ ଶୁଭୁଛି, ଯେପରି ଶୁଭିଛି “ପଶ୍ଚିମ ନିବାସ”ରେ । ଦିଲ୍ଲୀର ଗଢ଼ିଉଠୁଥିବା ସହରତଳି ଅଞ୍ଚଳରେ ଅନେକ ସ୍ୱଚ୍ଛଳ ଓ ଆହୁରି ସ୍ୱଚ୍ଛଳ ହେବାକୁ ଚେଷ୍ଟିତ ବ୍ୟକ୍ତି ଘର ତୋଳି ରହିଲେ । ସେଠାରେ ନଳ ବସାଇବା ପାଇଁ ନାଳ ଖୋଳା ହେଲା, କିନ୍ତୁ ନା ନଳ ବସିଲା ନା ନାଳଟି ପୋତା ହେଲା । ଦିନେ ଦୁଇଟି ଶ୍ରମଜୀବୀ ପରିବାରର ଦୁଇଟି ପିଲା ଖେଳୁ ଖେଳୁ ନାଳ ଭିତରକୁ ଖସିପଡ଼ିଲେ ଓ ମାଟି ଧସିଯିବାରୁ ପ୍ରାଣତ୍ୟାଗ କଲେ । ତାଙ୍କର ମାଆମାନଙ୍କର ଚେତା ବୁଡ଼ିଗଲା, କିନ୍ତୁ ଆଉ କେହି ବିଚଳିତ ହେଲେ ନାହିଁ, ନା ମାନ୍‌ଚାନ୍ଦା ସାହେବ ଯାହାଙ୍କର ବୋହୂକୁ ଯୌତୁକ ପାଇଁ ମାରିଦିଆଗଲା ନା ଦୁଇନମ୍ବର ଟଙ୍କାରେ ପୋତି ହୋଇଯାଇଥିବା ମହାଜନ ସାହେବ । କିଶୋରୀଚରଣଙ୍କ ଆହୁରି ଅନେକ ଗଳ୍ପ ଏପରି ପ୍ରତିବାଦ ଉପରେ ଆଧାରିତ, ତେବେ ତାଙ୍କୁ ସମ୍ଭ୍ରାନ୍ତ ସମାଜର ପ୍ରବକ୍ତା କହିବା ନା ସେ ସମାଜର ପ୍ରତିବାଦୀ କହିବା ?

 

ଆଉ ଗୋଟିଏ କାରଣରୁ ତାଙ୍କର ସାରସ୍ୱତ ମାନସ ଉଚ୍ଚବର୍ଗୀୟ ଜୀବନଚର୍ଯ୍ୟା ଦ୍ୱାରା ଆବଦ୍ଧ ବୋଲି କହିହେବ ନାହିଁ । ସେ କାରଣଟି ହେଉଛି ତାଙ୍କର ଭାଷା । ସେ ଭାଷା ଅନେକ ଜାଗାରେ ଗ୍ରାମୀଣ ସମାଜରେ, ଅସ୍ୱଚ୍ଛଳ ବ୍ୟକ୍ତିଙ୍କ ଦ୍ୱାରା ବ୍ୟବହୃତ ଭାଷା । କେତୋଟି ଉଦାହରଣ ଦେଖନ୍ତୁ –

 

୧.

‘‘କୋଉ ନିଆଁଲଗା ଲୁହ ଜକେଇ ଆସୁଥିଲା ଆଖିରେ ।’’ (ଛକଡ଼ିର ଶ୍ରୀକୃଷ୍ଣ)

୨.

“ଗେଧ ମାଙ୍କଡ଼ଟା ଖିଙ୍କାରି ଆସିଲା ବେଳେ ଭଜନାର ନାତୁଣୀକୁ (ସିଂହାଣିନାକୀ ସିନା, ସୁନ୍ଦରିଆଟିଏ) କାଖେଇଛି ।” (ଗଳିସିନେମା)

୩.

ମୀନାଟା ହିଂସିକୁଟୀ । ହିଂସାରେ ଜଳିଯାଉଛି ଅମଙ୍ଗୁଳୀ ।” (ଭଙ୍ଗା ଖେଳଣା)

୪.

‘‘କ’ଣ ହୋଇଛି ତୋର, ଭାଙ୍ଗି ଯାଇଥିଲେ ଗଢ଼େଇ ଦେବି, ହଜି ଯାଇଥିଲେ ଖୋଜେଇ ଦେବି ।” (ପ୍ରଥମ ପୁରୁଷ)

 

କିଶୋରୀଚରଣଙ୍କ ମୂଲ୍ୟାୟନ କରିବା ମୋ ସାମର୍ଥ୍ୟ ବାହାରେ । ତାଙ୍କର ଗୋଟିଏ ଗଳ୍ପର “ଥାର୍ଡକ୍ଲାସ୍ କବି” ପରି ଜଣେ ମୁଁ । ଯାହା କହିବା ଉଚିତ ଥିଲା ଅଥଚ କହିପାରିଲି ନାହିଁ ସେଥିପାଇଁ ମୁଁ କ୍ଷମାପ୍ରାର୍ଥୀ । ‘‘ସମୟ ନାହିଁ” ବିଷୟରେ ଏତିକି କହିବି ଯେ, ଏହା ଏକ ଅସାଧାରଣ ଆତ୍ମଚରିତ, ଗଭୀର ଅନ୍ତର୍ଦୃଷ୍ଟି ସହିତ ନିଜକୁ ଓ ନିଜର ସୃଷ୍ଟିକୁ ଦେଖିବାର ଦସ୍ତାବିଜ୍ ।

 

ଏ-୫୦, ଖାରବେଳ ନଗର

ୟୁନିଟ୍-୩, ଭୁବନେଶ୍ୱର-୭୫୧୦୦୧

 

***

 

(ସେପ୍ଟେମ୍ବର ତା ୯ ରିଖ, ୨୦୦୪ରେ କଟକରେ ଶତାବ୍ଦୀ ଭବନରେ କିଶୋରୀଚରଣ ଦାସଙ୍କ ଆତ୍ମଜୀବନୀ “ସମୟ ନାହିଁ’’ର ଉନ୍ମୋଚନ ଉତ୍ସବରେ ପ୍ରଦତ୍ତ ଭାଷଣର ସମ୍ପାଦିତ ରୂପ)

 

 

କଥାଶିଳ୍ପୀ କିଶୋରୀ ଚରଣ

ଡକ୍ଟର ବିଭୂତି ପଟ୍ଟନାୟକ

 

କିଶୋରୀ ଚରଣଙ୍କ ପ୍ରଥମ କ୍ଷୁଦ୍ରଗଳ୍ପ ‘‘ପରଦା ତଳେ’’ ପ୍ରକାଶିତ ହୋଇଥିଲା ୧୯୪୨ ମସିହା ଡିସେମ୍ବର ୧୫ ତାରିଖରେ, ‘ନବୀନ’ ପତ୍ରିକାରେ । ସମ୍ଭବତଃ ଶେଷ ଗଳ୍ପଟି ପତ୍ରସ୍ଥ ହୋଇଛି ୨୦୦୪ ମସିହା ‘ନବଲିପି’ ଶାରଦୀୟ ବିଶେଷାଙ୍କରେ । ତାଙ୍କର ପରଲୋକ ପରେ । ଗଳ୍ପଟିର ନାମ ହେଉଛି “ଗଦ୍ୟ ଓ ଗେଣ୍ଡୁଫୁଲ’’ । ଏ ସମ୍ପର୍କରେ ‘ନବଲିପି’ ସମ୍ପାଦକ ମନ୍ତବ୍ୟ କରିଛନ୍ତି- “ଦିଲ୍ଲୀ ଯିବା ପୂର୍ବଦିନ ସେ ମୋ ହାତରେ ଏହି ଗଳ୍ପଟି ଧରାଇ ଦେଇ କହିଥିଲେ (ଏଇଟି ହେଉଛି ମୋର ଶେଷ ଗଳ୍ପ । ତୁମକୁ ଦେଉଛି । ଆହୁରି ଅନେକ କାମ ବାକି ରହିଗଲା । ଦିଲ୍ଲୀରୁ ଫେରିଲେ ସେ ସବୁ ଶେଷ କରିବି । ମନେ ହେଉଛି ମୋର ଆଉ ସମୟ ନାହିଁ । ମାତ୍ର ସେ ତା ୧୭/୮/୦୪ ରିଖରେ ଆମ ସମସ୍ତଙ୍କୁ ଛାଡ଼ି ଚାଲିଗଲେ ।’’

 

ପ୍ରଥମ ଗଳ୍ପ ‘‘ପରଦାତଳେ’’ ଏବଂ ଶେଷ ଗଳ୍ପ ‘‘ଗଦ୍ୟ ଓ ଗେଣ୍ଡୁ ଫୁଲ’’ ପ୍ରକାଶ କାଳ ମଧ୍ୟରେ ବାଷଠି ବର୍ଷର ବ୍ୟବଧାନ । ଏହି ସୁଦୀର୍ଘ କାଳ ମଧ୍ୟରେ ସେ ଦୁଇ ଶହରୁ ଅଧିକ ଗଳ୍ପ ଲେଖିଛନ୍ତି । ଏ ସବୁ ଗଳ୍ପରୁ ଅଧିକାଂଶ ତାଙ୍କ ‘ଭଙ୍ଗା ଖେଳନା’ (୧୯୬୧), ଲକ୍ଷ ବିହଙ୍ଗ (୧୯୬୮) ‘ଘରବାହୁଡ଼ା’ (୧୯୬୮), ‘ମଣିହରା’ (୧୯୭୦), ଠାକୁର ଘର (୧୯୭୫), ନାଲି ଗୁଲୁ ଗୁଲୁ ସାଧବ ବୋହୂ (୧୯୭୮), ଗମନ (୧୯୮୦), ‘ଖେଳର ନାମ ରଙ୍ଗ (୧୯୮୨), ‘ଭିନ୍ନ ପାଉଁଶ’ (୧୯୮୪), ଶୀତ ଲହରୀ (୧୯୮୬), ତ୍ରୟୋବିଂଶ ମୃତ୍ୟୁ (୧୯୮୭), ଲେଉଟାଣି (୧୯୮୯), ନିଜ ସଞ୍ଜ (୧୯୯୨), ଧବଳ ଆକାଶ (୧୯୯୪), ‘ଥରୁଟିଏ (୧୯୯୭), ‘ତରଙ୍ଗ’ (୧୯୯୭), ଶ୍ରେଷ୍ଠଗଳ୍ପ (୧୯୯୨) ଏବଂ ଶେଷ ଗଳ୍ପ (୨୦୦୧) ପ୍ରଭୃତି ଗଳ୍ପ ଗ୍ରନ୍ଥରେ ସନ୍ନିବିଷ୍ଟ ହୋଇଛି ।

 

ମୋ ସହିତ ଏକ ସାକ୍ଷାତକାରରେ (ଗଳ୍ପ, ଶାରଦୀୟ ସଙ୍କଳନ, ୧୯୭୨) ତାଙ୍କ ପ୍ରଥମ ଗଳ୍ପ ସମ୍ପର୍କରେ ସେ କହିଥିଲେ- “କଲେଜ ଜୀବନରେ କବିତା ସହ ଗଳ୍ପ ଲେଖା ଆରମ୍ଭ କଲି । ବ୍ରହ୍ମପୁରରୁ ପ୍ରକାଶିତ ‘ନବୀନ’ ପତ୍ରିକାରେ ମୋର ପ୍ରଥମ ଗଳ୍ପର ଆବିର୍ଭାବ । ବୋଧହୁଏ ‘ପରଦାତଳେ’ ମୋର ପ୍ରଥମ ପ୍ରକାଶିତ ଗଳ୍ପ । ସେଥିରେ ମୁଁ ଜଣାଇବାକୁ ଚାହୁଁଥିଲି ଯେ ଆମେ ସିନେମା ପରଦାରେ ଫୁଟି ଉଠୁଥିବା ଦରିଦ୍ର ତାରକାର ଦୁଃଖରେ ବ୍ୟଥିତ ହେଉ- ଲୁହ ଗଡାଉ । କିନ୍ତୁ ସିନେମା ହଲରୁ ଫେରି ଆସି ଅ-ରୋମାଣ୍ଟିକ ଦରିଦ୍ର ପ୍ରାଣୀମାନଙ୍କୁ ବାଟ ଘାଟର ଦୃଶ୍ୟବୋଲି ମନେ କରୁ ।’’

 

‘ପରଦା ତଳେ’ ଗଳ୍ପର ନାୟକ ନିର୍ମଳ ବାବୁ ସିନେମାର ପରଦାରେ ଗୀତ ଗାଇ ଭିକ ମାଗୁଥିବା ଏକ ଭିକାରିର ସଙ୍ଗୀତ ଶୁଣି ମୁଗ୍ଧ ହୋଇଥିଲେ କିନ୍ତୁ ସିନେମା ଦେଖି ସାରି ନିଜ କାରରେ ବସି ଫେରୁଥିବା ବେଳେ ଗଛତଳେ ଠିଆ ହୋଇଥିବା ଏକ କଦାକାର ଭିକାରିକୁ ଦେଖି ତାଙ୍କ ମନରେ ବିକାର ସୃଷ୍ଟି ହେଲା । ସିନେମା ପରଦାର ଗୀତ ଗାଉଥିବା ଭିକାରି ଏବଂ ଛିଣ୍ଡା କୁରୁତା ପିନ୍ଧି ଗଛ ମୂଳେ ଠିଆ ହୋଇଥିବା ଭିକାରି ମଧ୍ୟରେ ପାର୍ଥକ୍ୟ ଲକ୍ଷ୍ୟକରି ସେ ଶିହରି ଉଠିଥିଲେ । ଘଟଣାକ୍ରମେ ସେଇ ଭିକାରି ଘରେ ଥିବା ଖାଦ୍ୟ ତା ପୁଅକୁ ନଖୁଆଇ, ତା ପାଇଁ ନରଖି ନିଜେ ଖାଇଦେଇଥିବାରୁ ସେ ତାକୁ କ୍ରୋଧ ବଶବର୍ତ୍ତୀ ହୋଇ ମାଡ଼ ଦେଇ ମାରିଦେଇଥିବା କଥା ଜାଣିଲା ପରେ ତା ପ୍ରତି ଦୟା ବଦଳରେ ଭୟ ମିଶ୍ରିତ ପୂଣା ନିର୍ମଳ ବାବୁଙ୍କ ମନକୁ ଆଚ୍ଛନ୍ନ କରି ଆଣିଥିଲା ।

 

ପ୍ରଥମ ଗଳ୍ପରେ କିଶୋରୀ ଚରଣ ଚଳଚ୍ଚିତ୍ରର ରଙ୍ଗିନ ପରଦାରେ ଭିକାରି ବେଶରେ ଅଭିନୟ କରୁଥିବା କୁଶଳୀ ଅଭିନେତା ଓ ଗଛମୂଳେ ଆଶ୍ରା ନେଇଥିବା ବାସ୍ତବ ଜୀବନରେ କ୍ଷୁଧିତ ଭିକାରିର ତୁଳନାତ୍ମକ ଚିତ୍ର ଅଙ୍କନ କରି ପାଠକ ମନରେ ଦରିଦ୍ର, ନିଃସହାୟ ମଣିଷ ପ୍ରତି ନିଜର ସହାନଭୂତି ପ୍ରକାଶ କରିଛନ୍ତି ।

 

ପ୍ରଥମ ଗଳ୍ପ ‘ପରଦା ତଳେ’ ଲେଖିଲା ବେଳେ କିଶୋରୀ ଚରଣ ଅଠର ବର୍ଷର କଲେଜ ଛାତ୍ର ମାତ୍ର । ଅଭିଜ୍ଞତା ଓ ଅନୁଭୂତି ଅପେକ୍ଷା ରୋମାଣ୍ଟିକ ଆବେଗ ହିଁ ଥିଲା ଅଧିକ ବିଜ୍ଞ ସେ ଜଣେ କୃତି ଛାତ୍ର ଥିଲେ । ମାଟ୍ରିକ ପରୀକ୍ଷାରେ ପ୍ରଥମ ଶ୍ରେଣୀ, ରେଭେନ୍‍ସା କଲେଜରେ ସର୍ବଶ୍ରେଷ୍ଠ ଗ୍ରାଜୁଏଟ । ଇତିହାସ ଅନର୍ସରେ ପ୍ରଥମ ଶ୍ରେଣୀ ସହ ଇଂରେଜି ଓ ସଂସ୍କୃତରେ ଡିଷ୍ଟିଙ୍ଗ୍‍ସ୍‍ନ । ରେଭେନ୍‍ସା କଲେଜରୁ ଡିଗ୍ରୀ ପ୍ରାପ୍ତି ପରେ ଉପାଧ୍ୟୁତ୍ତର ପାଠ ପାଇଁ ପାଟନା ବିଶ୍ୱବିଦ୍ୟାଳୟରେ ନାମ ଲେଖାଇ ଥିଲେ । ସେହି ପାଟନା କଲେଜରୁ ଇତିହାସ ଶାସ୍ତ୍ରରେ ପ୍ରଥମ ଶ୍ରେଣୀରେ ଏମ.ଏ. ପାସ୍ କରିଥିଲେ । ପରେ ବି.ଏଲ୍.ରେ ମଧ୍ୟ ଲାଭ କରିଥିଲେ ପ୍ରଥମ ଶ୍ରେଣୀ ।

 

ଗୌରବମୟ ଛାତ୍ର ଜୀବନରେ ପରିସମାପ୍ତିପରେ କିଶୋରୀ ଚରଣ ଇଣ୍ଡିୟାନ ଅଡିଟ୍ ଏଣ୍ଡ ଆକାଉଣ୍ଟସ୍ ସର୍ଭିସରେ ପ୍ରବେଶ କରିଥିଲେ । କର୍ମସୂତ୍ରରେ କଲିକତା, ଦିଲ୍ଲୀଠାରୁ ଆରମ୍ଭ କରି ଘୂରିବୁଲିଥିଲେ ଆମେରିକା, ୟୁରୋପ ଏବଂ ଆଫ୍ରିକାର ବିଭିନ୍ନ ନଗର ଜନପଦ ।

 

ପିତା ବିପ୍ରଚରଣ ଥିଲେ ଜିଲ୍ଲା ଜଜ୍ । ପିତାଙ୍କ ପଦାଙ୍କ ଅନୁସରଣ କରି ଆଇନ ବ୍ୟବସାୟ ପାଇଁ ସେ ବି.ଏଲ.ପଢ଼ିଥିଲେ । କିନ୍ତୁ ନିୟତି ତାଙ୍କୁ ସରକାରୀ ଚାକିରି ଲାଗି ବାଟ କଢ଼ାଇନେଲା । ୧୯୫୦ ମସିହାରେ ସର୍ବ ଭାରତୀୟ ପରୀକ୍ଷାରେ କୃତିତ୍ୱର ସହ ଉତ୍ତୀର୍ଣ୍ଣ ହେଲାପରେ ଇଣ୍ଡିୟାନ ଅଡିଟ୍‍ସ ଏଣ୍ଡ ଆକାଉଣ୍ଟସ୍ ସର୍ଭିସ୍‍ରେ ଯୋଗ ଦେଇ ରାଜସ୍ଥାନ, ପଶ୍ଚିମବଙ୍ଗର ଆକାଉଣ୍ଟସ୍ ଜେନେରାଲ, ଏବଂ ଶେଷରେ ଡେପୁଟି କଣ୍ଟ୍ରୋଲର ଏଣ୍ଡ ଅଡିଟର ଜେନେରାଲ ଅଫ୍ ଇଣ୍ଡିୟା ପଦ ମଣ୍ଡନ କରିଥିଲେ । ବରିଷ୍ଠ କଂଗ୍ରେସ ନେତା ପାର୍ଲିଆମେଣ୍ଟ ସଦସ୍ୟ ସ୍ୱାମୀ ଭୂବନାନନ୍ଦ ଦାସଙ୍କ କନ୍ୟାକୁମାରୀ ଦେବୀଙ୍କ ସହ ତାଙ୍କର ବିବାହ ହୋଇଥିଲା । ଅନ୍ୟ ଅନେକଙ୍କ ଭଳି କବିତା ଲେଖାରୁ ଲେଖକ ଜୀବନ ଆରମ୍ଭ କରିଥିଲେ ମଧ୍ୟ ଜୀବନରେ ବର୍ଣ୍ଣିଳ ଅଭିଜ୍ଞତା, ନିଜ ଚାରିପଟେ ଥିବା ବିପୁଳ ପୃଥିବୀର ଅନ୍ତରଙ୍ଗ ଦୃଶ୍ୟାବଳୀ ଏବଂ ଉଚ୍ଚବିତ୍ତ ସମାଜର ନରନାରୀଙ୍କ ଜୀବନାନୁଭୂତି ତାଙ୍କୁ ପ୍ରଥମେ ଗଳ୍ପ ଓ ପରେ ଉପନ୍ୟାସ ରଚନା ପାଇଁ ଉଦ୍‌ବୁଦ୍ଧ କରିଥିଲା । କର୍ମମୟ ଜୀବନ ଜଞ୍ଜାଳ ଭିତରେ କ୍ଷୁଦ୍ର ଗଳ୍ପ ରଚନାରେ ଦୃଷ୍ଟି ନିବଦ୍ଧ କରିଥିଲେ ହେଁ ଚାକିରିରୁ ଅବସର ନେଲା ପରେ ସେ ‘ସାତୋଟି ଦିନରେ ସତୀ’ (୧୯୯୩), ନେତା ଓ ନେତ୍ରମଣି (୧୯୯୬), ସକଳ ସନ୍ତାନ (୧୯୯୫), ସ୍ଵର୍ଗସୀମା (୧୯୯୮), ବିଦେଶିନୀ (୨୦୦୦), ତୁମ ଆମ ଶତାବ୍ଦୀ (୨୦୦୨) ଏବଂ ଶେଷ ଅଙ୍କ, ପ୍ରଥମ ଦୃଶ୍ୟ (୨୦୦୩) ଶୀର୍ଷକ ସାତଖଣ୍ଡ ଉପନ୍ୟାସ ମଧ୍ୟ ଲେଖିଥିଲେ ।

 

ଓଡ଼ିଆ କଥା ସାହିତ୍ୟର ଏକ ସନ୍ଧିକ୍ଷଣରେ କିଶୋରୀ ଚରଣ ସାହିତ୍ୟ ମଞ୍ଚକୁ ଧୀର ଅଥଚ ନିଶ୍ଚିତ ପଦକ୍ଷେପରେ ପ୍ରବେଶ କରିଥିଲେ । ରାଜ କିଶୋର ରାୟ, ନିତ୍ୟାନନ୍ଦ ମହାପାତ୍ର, ଗୋପୀନାଥ ମହାନ୍ତି, ବ୍ରହ୍ମାନନ୍ଦ ପଣ୍ଡା ପ୍ରମୁଖ ଓଡ଼ିଆ କଥା ସାହିତ୍ୟର ରଥୀ, ମହାରଥୀମାନେ ଯେତେବେଳେ ଯୁଦ୍ଧ-କ୍ଲାନ୍ତ ସୈନିକମାନଙ୍କ ଭଳି ଯେତେବେଳେ କାନ୍ଧରୁ ତୂଣୀର ଓ ହାତରୁ ଧନୁ ଓହ୍ଲାଇ ଦେଇ ବିଶ୍ରାମ କକ୍ଷକୁ ପ୍ରସ୍ଥାନ କରି ଯାଉଥିଲେ ଠିକ୍ ସେତିକିବେଳେ କିଶୋରୀ ଚରଣ ହାତରେ ସୁନାର କଲମ ଧରି ସ୍ୱାଧୀନତା-ଉତ୍ତର ଓଡ଼ିଆ କ୍ଷୁଦ୍ରଗଳ୍ପକୁ ନୂତନ ଅଭିଜାତ୍ୟ ଦେବା ପାଇଁ ରଙ୍ଗମଞ୍ଚରେ ଆବିର୍ଭୁତ ହୋଇଥିଲେ । ତାଙ୍କ କ୍ଷୁଦ୍ର ଗଳ୍ପରେ ପ୍ରବୀଣର ଅଭିଜ୍ଞତା ଓ ନବୀନର ଉଦ୍ଦାମତାର ଅପୂର୍ବ ସମନ୍ୱୟ ଘଟିଥିଲା ।

 

ଓଡ଼ିଆ କଥା ସାହିତ୍ୟରେ ତାଙ୍କର ଅନୁପ୍ରବେଶ ଆଦୌ ଆକସ୍ମିକ କିମ୍ବା ଅନାହୁତ ନଥିଲା-। ମଝିରେ ଲେଖାଲେଖି ଛାଡ଼ି ଦେଇ ସରକାରୀ ଚାକିରିର ଜଞ୍ଜାଳରେ ବ୍ୟସ୍ତ ରହିଥିଲେ ସୁଦ୍ଧା ପଢ଼ା ପଢ଼ି ସେ ଛାଡ଼ି ନଥିଲେ । ଓଡ଼ିଆ ସାହିତ୍ୟର ଦୁଇଜଣ କଥାଶିଳ୍ପୀଙ୍କ ଗଳ୍ପ ତାଙ୍କର ଅତିପ୍ରିୟ ଥିଲା । ପ୍ରଥମଜଣକ ହେଲେ ରାଜକିଶୋର ପଟ୍ଟନାୟକ ଏବଂ ଦ୍ୱିତୀୟ ହେଉଛନ୍ତି ଅଦ୍ୱିତୀୟ ଗୋପୀନାଥ ମହାନ୍ତି । ତାଙ୍କ ନିଜ ଭାଷାରେ – “ରାଜକିଶୋର ପଟ୍ଟନାୟକ ଖୁବ ଲୋପ୍ରିୟ ନଥିଲେ, କିନ୍ତୁ ତାଙ୍କ ଲେଖାର ଗଦ୍ୟମୟତା, ରଙ୍ଗହୀନତା ଏବଂ ତାଙ୍କ ଚରିତ୍ର ଚିତ୍ରଣର ନିଷ୍ଠୁର ପାର୍ଥିବତା ମତେ ଭଲ ଲାଗିଥିଲା; ମିଠାରେ ପାଟି ବାନ୍ଧି ହୋଇଗଲା ପରି କଟୁ କଷାୟର ଉପଭୋଗ ଆଣି ଦେଇଥିଲା । ତାପରେ ମତେ ତମତ୍କୃତ କରିଥିଲେ ଗୋପୀନାଥ ମହାନ୍ତି । ତାଙ୍କ ଲେଖାର ସରଳ ସାବଲୀଳ ଭଙ୍ଗୀ, (ସତେକି ସେ କଥା କହୁନାହାନ୍ତି, ରୂପ ରସ ଗନ୍ଧ ସ୍ପର୍ଶରେ ଜୁଡ଼ୁବୁଡ଼ୁ ପୃଥିବୀକୁ ନିଜ ମତରେ ନିଜ କଥା କହିବାକୁ ଛାଡ଼ି ଦେଇଛନ୍ତି !) ଏବଂ ତାଙ୍କର ସହଜମାନବିକତା ।’’

(ଗଳ୍ପ’: ଶାରଦୀୟ ସଙ୍କଳନ : ୧୯୭୨)

 

ଭାରତୀୟ ଗାଳ୍ପିକମାନଙ୍କ ମଧ୍ୟରେ ପ୍ରେମଚନ୍ଦ ଏବଂ ଅନେକ ବଙ୍ଗୀୟ ଲେଖକଙ୍କର ଗଳ୍ପ ତାଙ୍କୁ ଆକୃଷ୍ଟ କରିଛି ବୋଲି ମଧ୍ୟ ସେ ସ୍ୱୀକାର କରିଛନ୍ତି । ପ୍ରେମେନ୍ଦ୍ର ମିତ୍ର, ଅଚିନ୍ତ୍ୟ ସେନଗୁପ୍ତ, ମାନିକ ବନ୍ଦୋପଧ୍ୟାୟ ଏବଂ ବନଫୁଲ ଥିଲେ ତାଙ୍କର ବଙ୍ଗଳା ଭାଷାର ପ୍ରିୟ ଗାଳ୍ପିକ । ଆନ୍ତର୍ଜାତିକ କ୍ଷେତ୍ରରେ ପ୍ରଥମେ ସମରସେଟ୍ ମମ୍ ଏବଂ ଚେକଭ; ପରେ କାକା କାମଧ୍ୟୁ, ଉଇଲିୟମ ସାରୋୟା ଏବଂ କାଥାରାଇନ ଆନ୍ ଗୋଟରଙ୍କ ଛୋଟବଡ଼ ଗଳ୍ପ ତାଙ୍କୁ ମୁଗ୍ଧ କରି ରଖିଥିଲା । ମାର୍କିନ୍ ଲେଖକ ନରମାନ୍ ମ୍ୟେଲିରଙ୍କ ସହିତ ସେ ଏକମତ ଥିଲେ ଯେ କ୍ଷୁଦ୍ରଗଳ୍ପ ଗଭୀର ଏବଂ ଚାଞ୍ଚଲ୍ୟକାରୀ ନହେଲେ ବ୍ୟାବସାୟିକ ବୁଦ୍ଧିଜୀବୀମାନଙ୍କ ମନକୁ ସ୍ପର୍ଶ କରିବ ନାହିଁ । ତାଙ୍କର ଧାରଣା କାଫ୍‍କା ଏବଂ ତାଙ୍କର ସମସାମୟିକ ଗାଳ୍ପିକମାନେ ସେଇ ପରୀକ୍ଷାରେ ସମ୍ୟକ ଭାବରେ ଉତ୍ତୀର୍ଣ୍ଣ ହୋଇଥିଲେ ।

 

ଦେଶ ବିଦେଶର ଏହି ବଳିଷ୍ଠ କଥାଶିଳ୍ପୀମାନଙ୍କ ଗଳ୍ପ ଏବଂ ଗଳ୍ପ-ସମ୍ପର୍କୀୟ ଗଦ୍ୟ ରଚନା ପଢ଼ି କିଶୋରୀ ଚରଣଙ୍କ ଗଳ୍ପ ଲେଖାର ପ୍ରସ୍ତୁତି ପର୍ବ ଶେଷ ହୋଇଥିଲା । ଗୋପୀନାଥ ମହାନ୍ତିଙ୍କ ଭାଷା ଶୈଳୀ ଏବଂ ନରମାନ୍ ମେଥଲର୍ଙ୍କ ପରି (deep and disturbing) ଗଭୀର ଅଥଚ ଚାଞ୍ଚଲ୍ୟକାରୀ କଥାବସ୍ତୁ ନେଇ ସେ ଗତ ଶତାବ୍ଦୀର ଷଷ୍ଠ ଦଶକରେ ଗଳ୍ପ ଲେଖାର ନୂତନ ପର୍ଯ୍ୟାୟ ଆରମ୍ଭ କରିଥିଲେ ।

 

କିଶୋରୀଚରଣଙ୍କ ଗଳ୍ପ ଚରିତ୍ରମାନଙ୍କର ଚାରଣଭୂମି ଥିଲା ମଧ୍ୟବିତ୍ତ ଜୀବନ, ମଧ୍ୟବିତ୍ତ ସମାଜ ଏବଂ ମଧ୍ୟବିତ୍ତର ଜୀବନାଦର୍ଶ । ଗଳ୍ପମାନଙ୍କ ଭିତରୁ ଅଧିକାଂଶ ହେଉଛନ୍ତି ଶିକ୍ଷିତ ମଧ୍ୟବିତ୍ତ-। କାର୍ଯ୍ୟ ଉପଲକ୍ଷ୍ୟେ ଓଡ଼ିଶାଠାରୁ ଦୂରରେ ରହୁଥିବା ହେତୁ ଗୋପୀବାବୁଙ୍କ ଭଳି ସେ ଓଡ଼ିଶାର ଆଦିବାସୀ ହରିଜନ କିମ୍ବା ଫକୀର ମୋହନଙ୍କ ପରି ଶାରିଆ, ଭଗିଆ, ଚମ୍ପା, ଗେହ୍ଲେଇମାନଙ୍କ ସଂସ୍ପର୍ଶରେ ଆସିନାହାନ୍ତି ସେମାନଙ୍କ ଜୀବନ-ସଂଘର୍ଷ ଅଥବା ଶୋଷଣ-କଷଣର ସଂଘାତ ତାଙ୍କ ଗଳ୍ପଗୁଡ଼ିକୁ ଉଚ୍ଚ ବିତ୍ତର ଉଞ୍ଚା ପିଣ୍ଡାରୁ ତଳକୁ ଓହ୍ଲାଇବାକୁ ହୋଇନାହିଁ । ପାଣି କାଦୁଅରେ ଘାଣ୍ଟି ହେବାକୁ ପଡ଼ିନାହିଁ । ତାଙ୍କ ଗଳ୍ପ ଗୁଡ଼ିକର ମୂଳଦୁଆ ଦେଶରୁ ମହାଦେଶ ପର୍ଯ୍ୟନ୍ତ ବିସ୍ତୃତ କିନ୍ତୁ ଚରିତ୍ରମାନଙ୍କ ମନୋଭୂମି ମଧ୍ୟବିତ୍ତ-ଉଚ୍ଚବିତ୍ତ ନରନାରୀଙ୍କ ଚାରିକାନ୍ଥ ମଧ୍ୟରେ ଆବଦ୍ଧ-। ଏ ସମ୍ପର୍କରେ ତାଙ୍କର କୈଫିୟତ ଥିଲା- “ମୋର ଦୁଃଖ ଯେ ଓଡ଼ିଶାଠାରୁ ପ୍ରାୟ ଦୂରରେ ରହୁଥିବାରୁ ମୁଁ ଓଡ଼ିଆ ସାହିତ୍ୟ ସମ୍ପର୍କରେ ଆଳାପ ଆଲୋଚନା କରି ପାରୁନାହିଁ । ବାଦବିବାଦର ଖଣ୍ଡାଯୁଦ୍ଧ ଖେଳି ପାରୁନାହିଁ । କିନ୍ତୁ ଏହି ଦୂରତ୍ୱ ମୋର ସାହିତ୍ୟ ସୃଷ୍ଟିରେ ଅନ୍ତରାୟ ହୋଇ ନାହିଁ ବୋଲି ମୋର ଧାରଣା । କାରଣ ମୁଁ ଯାହାକୁ ଜାଣେ, ସେହି ମଧ୍ୟବିତ୍ତ ବ୍ୟକ୍ତି ସର୍ବଭାରତୀୟ ସମାନ ଧାତୁରେ ଗଢ଼ା । ଏପରିକି ତାର ସ୍ୱରୂପକୁ ଆମେରିକାର ସମ୍ପୂର୍ଣ୍ଣ ଭିନ୍ନ ବେଶଭୂଷା ତଳେ ଜୁକୁ ଜୁକୁ ହେବାର ଦେଖିଛି, ଏବଂ ଇଉରେକାର ହର୍ଷଧ୍ୱନି କରିଛି । ଉଦାହରଣ ସ୍ୱରୂପ ମୋର ‘ଭଗବାନଙ୍କ ଛବି’ରେ ଥିବା ମିଷ୍ଟର ସିମ୍ପସନ । ଆତ୍ମଗୁଣଗ୍ରାହୀ ଅହିଂସାବାଦୀ ଯୀଶୁଖ୍ରୀଷ୍ଟଙ୍କର ନିଜ ଲୋକ, ଯାହାଙ୍କର ସ୍ଵାର୍ଥସୁନ୍ଦର ଛବି ଭାରତଭୂଇଁରେ ଯେତେ ଇଚ୍ଛା ସେତେ ।

 

ଯେଉଁ ଦୂରତ୍ୱ ମୋତେ ବାଧିଛି, ମୋର ସୃଜନକୁ ବ୍ୟାକୁଳ କରିଛି, ତାହା ଭୌଗୋଳିକ ନୁହେଁ, ତାହା ମୋର ଜନ୍ମଗତ । ବଂଶଗତ । ଜୀବିକାଗତ ସଂସ୍କାର । ସ୍ୱଚ୍ଛଳ ଆଭିଜାତ କୂଳରେ ଜନ୍ମ ହୋଇ, ଉତ୍ତମ ଛାତ୍ର ହୋଇଥିବାରୁ ଅନାୟସରେ ଉତ୍ତମ ରାଜସେବାରେ ନିଯୁକ୍ତ ହୋଇ ମୁଁ ଜୀବନରେ ଅନେକ ତରଙ୍ଗରୁ ଦୂରେଇ ଯାଇଛି । ଅନେକ ଜୀବିକାର ଗଳିକନ୍ଦି ଦେଖି ପାରିନାହିଁ । ବିଶେଷତଃ ନିମ୍ନ ଶ୍ରେଣୀର ଲୋକଙ୍କ ରଙ୍ଗରସ ସୁଅ ଦୁଃଖ ନିକଟରେ ପହଞ୍ଚି ପାରିନାହିଁ, ସେମାନଙ୍କ ବିଷୟରେ କିଛି ଲେଖିବାର ସାହସ କରିନାହିଁ- କାଳେ ମୁଁ ସେମାନଙ୍କୁ ରୋମାଣ୍ଟିକ୍ ଅଥବା ଉଦାର ଦୃଷ୍ଟିରେ ଦେଖିବି, ମୋର ମଧ୍ୟବିତ୍ତ ଦୋଷରେ ଦୂଷିତ କରି କିମ୍ଭୂତ କିମାକାର କରି ଥୋଇବି !’’

(ଗଳ୍ପ : ଶାରଦୀୟ ସଙ୍କଳନ, ୧୯୭୨)

 

ଏହି ଅକପଟ ସ୍ୱୀକାରୋକ୍ତି ମଧ୍ୟରେ କିଶୋରୀ ଚରଣଙ୍କ ସୃଷ୍ଟି ରହସ୍ୟର ଗୋଟିଏ ନୂତନ ଦିଗନ୍ତ ଉନ୍ମୋଚିତ ହୋଇ ଯାଇଛି । କଳ୍ପନାର କୃତ୍ରିମତା ନୁହେଁ, ଅନୁଭବର ବାସ୍ତବତା ହିଁ ତାଙ୍କ ଗଳ୍ପର ପ୍ରାଣ-ସ୍ପନ୍ଦନ । ତାଙ୍କର ଯେଉଁ ଗହୀରରେ ଚାଷ ନାହିଁ ସେ ଗହୀର ବିଲର କୃତ୍ରିମ ସୁବର୍ଣ୍ଣ ଶସ୍ୟ ଦେଖାଇ ସେ ପାଠକଙ୍କୁ ପ୍ରତାରିତ କରିବାକୁ ଚାହାଁନ୍ତି ନାହିଁ । ସମାଜର ଯେଉଁ ଶ୍ରେଣୀର ମଣିଷଙ୍କ ସହିତ ତାଙ୍କର ଆତ୍ମାର ସମ୍ପର୍କ, ସେହି ମଧ୍ୟବିତ୍ତ ମଣିଷର ଚିତ୍ର ଓ ଚରିତ୍ରକୁ ସେ ଗାଢ଼ ରଙ୍ଗରେ ନିଜ ଗଳ୍ପରେ ଅଙ୍କନ କରିଛନ୍ତି । ଗଭୀର ଅନ୍ତର୍ଦୃଷ୍ଟି ଏବଂ ଫ୍ରୟେଡ଼ିୟ ମନୋବିଶ୍ଳେଷଣ ପଦ୍ଧତି-ଉଭୟଙ୍କୁ ଆୟୂଧ କରି ଜୀବନ-ସଂଘର୍ଷ କରନ୍ତି ମଧ୍ୟବିତ୍ତ ମଣିଷକୁ ସେ ନିଜ ଗଳ୍ପରେ ଆବିଷ୍କାର କରିଛନ୍ତି ।

 

କିଶୋରୀ ଚରଣଙ୍କ ଗଳ୍ପର ତାତ୍ପର୍ଯ୍ୟ ଉପଲବ୍ଧି କରିବା ଲାଗି ‘ଭଙ୍ଗା ଖେଳନା’ ଏବଂ ‘ବିଧର୍ମୀ’ ଗଳ୍ପ ଦୁଇଟିକୁ ବିଚାର କରାଯାଇପାରେ ।

 

‘ଭଙ୍ଗାଖେଳନା’ର ମୁଖ୍ୟ ଚରିତ୍ର ଦଶବର୍ଷର ଏକ କିଶୋରୀ, ଛାତ୍ରୀ, ଗୀତା । ତାର ଚିନ୍ତାଭାବନା ମଧ୍ୟରେ ବାପା, ବୋଉ ଏବଂ ବନୁଦାଦାଙ୍କୁ ନେଇ ଗଢ଼ି ଉଠିଥିବା ଏକ ଜଟିଳ ସମ୍ପର୍କର ମାୟାଜାଲ ଭିତରେ ତାର କିଶୋରୀମନ ଛନ୍ଦି ହୋଇ ପଡ଼ିଛି । ସେ ଲକ୍ଷ୍ୟ କରିଛି, ତାର ବାପା ବୋଉଙ୍କ ମଧ୍ୟରେ ପୂର୍ବର ପ୍ରେମ ଓ ପ୍ରୀତିଭାବ ନାହିଁ । ବାପା ଆଗଭଳି ଚଞ୍ଚଳ କଚେରିରୁ ଘରକୁ ଫେରନ୍ତି ନାହିଁ । ବିଳମ୍ବିତ ପ୍ରହରରେ ଘରକୁ ଫେରିଲା ପରେ ବୋଉକୁ ଆଗଭଳି ଗେହ୍ଲା କରନ୍ତି ନାହିଁ । ବୋଉର ରାନ୍ଧଣା ଆଗଭଳି ତାଙ୍କୁ ଭଲ ଲାଗେ ନାହିଁ । ବାପା ବୋଉଙ୍କ ଗଭୀର ସମ୍ପର୍କର ସୂତାଖିଅ କେଉଁଠି କେମିତି ଅତୁଆ ହୋଇଯାଏ ।

 

ସେହି ସୁଯୋଗରେ ବନୁଦାଦା ବୋଉର ସନ୍ନିକଟବର୍ତ୍ତୀ ହୋଇ ଆସନ୍ତି । ବୋଉ ସହିତ ବଗିଚାରେ ଗପ କରନ୍ତି । ବନୁଦାଦାଙ୍କୁ ଦେଖିଲେ ବୋଉ ମୁହଁରେ ଫୁଲ ଫୁଟେ ।

 

ଗୀତା ମନରେ ଅଶାନ୍ତି ସୃଷ୍ଟି ହୁଏ ।

 

ବାପାଙ୍କ ଅପେକ୍ଷା ବିନୁଦାଦା ବୋଉକୁ ବେଶି ଭକ୍ତି ବା ଆଦର କରନ୍ତୁ- ଏ କଥା ତାର ସହ୍ୟ ହୁଏ ନାହିଁ । ବୋଉର ଜନ୍ମଦିନ ପାଇଁ ବନୁ ଦାଦା ଗୋଟାଏ ମାର୍ବଲ ତିଆରି ତାଜମହଲ ଆଣିଥିଲେ । ସେ ନିଜେ କିଣି ଆଣିଥିଲା ବୋଉ ପାଇଁ ଜନ୍ମଦିନର ଛୋଟ ଏକ ଉପହାର- ଶାମୁକା ତିଆରି ପଦ୍ମଫୁଲ । କିନ୍ତୁ ତାଠାରୁ ଦାମିକା, ଅଧିକ ସୁନ୍ଦର ଏକ ତାଜମହଲ ଉପହାର ଆଣି ବନୁଦାଦା ତା ପାଇଁ ଥିବା ବୋଉର ଭଲ ପାଇବାରେ ଭାଗ ବସାଇବାକୁ ଚାହାନ୍ତି- ଏକଥା ତାର ସହ୍ୟ ହେଲା ନାହିଁ । ତାଜମହଲକୁ ସ୍ଥାନାନ୍ତରିତ କରିବାକୁ ଗଲାବେଳେ ତା ହାତରୁ ତଳେ ପଡ଼ି ବିନୁଦାଦାଙ୍କ ତାଜମହଲ ଭାଙ୍ଗିଗଲା ।

 

ମାର୍ବଲର ତାଜମହଲକୁ ଭାଙ୍ଗିଦେଇ ଗୀତା ମନେ ମନେ ବୋଉ-ବିନୁଦାଦାଙ୍କ ଖେଳଘର ଭାଙ୍ଗିଦେଇ ପାରିଥିବା ଗୋପନୀୟ ଆନନ୍ଦରେ ଉଲ୍ଲସିତ ହୋଇ ଉଠିଥିଲା । ବାପା ଅଫିସରୁ ଫେରିବା ମାତ୍ର ସେ ଦଉଡ଼ି ଦଉଡ଼ି ଆସି ପଚାରିଥିଲା- ବାପା ! ବୋଉ ପାଇଁ ପ୍ରେଜେଣ୍ଟ ଆଣିଛ ?

 

ସୂକ୍ଷ୍ମ ମନସ୍ତାତ୍ତ୍ୱିକ ବିଶ୍ଳେଷଣ ମାଧମରେ ଏକ ଭଙ୍ଗାଘର ଏବଂ ଭଙ୍ଗାମନକୁ ମୋଡ଼ି ପାରିବାର ଆଶ୍ଚର୍ଯ୍ୟ ସୁନ୍ଦର ଗଳ୍ପ ‘ଭଙ୍ଗା ଖେଳନା’, କିଶୋରୀ ଚରଣଙ୍କ ଅନ୍ୟତମ ଶ୍ରେଷ୍ଠ ଗଳ୍ପ ।

 

ତାଙ୍କର ଆଉ ଗୋଟିଏ ପୂରା ଅଲଗା ଜୀବନଦର୍ଶନରେ ଗଳ୍ପ ବିଧର୍ମୀ ।

 

ଈଶ୍ଵରଙ୍କ ଅସ୍ତିତ୍ୱ ସମ୍ପର୍କରେ ସନ୍ଦିହାନ ‘ମୁଁ’ ଏବଂ ମୋର ପ୍ରତିବେଶୀ ଅଭିରାମ ବାବୁଙ୍କ ଈଶ୍ଵର ବିଶ୍ୱାସ ନେଇ ଗଢ଼ି ଉଠିଛି ‘ବିଧର୍ମୀ’ ଗଳ୍ପର କଥାବସ୍ତୁ ।

 

ଗଳ୍ପର ମୁଖ୍ୟ ଚରିତ୍ର ‘ମୁଁ’ ବିଧର୍ମୀ ନୁହେଁ । କିନ୍ତୁ ଅଭିରାମ ବାବୁଙ୍କ ପରି ଗଭୀର ଈଶ୍ଵର ବିଶ୍ୱାସୀ ମଧ୍ୟ ନୁହେଁ । ଅଭିରାମ ଈଶ୍ୱରଙ୍କ ପ୍ରତି ସମର୍ପିତ ପ୍ରାଣ । ଜୀବନର ସବୁ ବିପର୍ଯ୍ୟୟ ତାଙ୍କୁ ମୋ ଭଳି ବ୍ୟଥିତ କରେ ନାହିଁ କାରଣ ସୁଖ ଦୁଃଖ ସବୁ ଈଶ୍ଵରଙ୍କ ଇଚ୍ଛାର ପ୍ରତିଫଳନ ବୋଲି ସେ ଗ୍ରହଣ କରି ନେଇଛନ୍ତି ।

 

ଈଶ୍ୱର ଥାଆନ୍ତୁ କି ନଥାନ୍ତୁ ତାଙ୍କ ଉପରେ ଅମାପ ବିଶ୍ୱାସ ରଖିଥିବା ହେତୁ ସେ’ ଯେ ସବୁ ବିଫଳତା ଏବଂ ଆଘାତକୁ ସହ୍ୟ କରିବାର ଅଭୁତ ଶକ୍ତିର ଅଧିକାରୀ ହୋଇଛନ୍ତି- ଏହା ‘ବିଧର୍ମୀ’ ଗଳ୍ପର ନାୟକ ‘ମୁଁ’ ପାଇଁ ଈର୍ଷାର ବିଷୟ ହୋଇ ଯାଇଥିଲା ।

 

ମୁଖ୍ୟ ନାୟକ ‘ମୁଁ ଏବଂ ପାର୍ଶ୍ଵଚରିତ୍ର ପ୍ରତିବେଶୀ ଅଭିରାମ ବାବୁଙ୍କ ଭଳି ମୋର ପୁଅ ଓ ତାଙ୍କ ଝିଅ ମଧ୍ୟରେ ନିବିଡ଼ ବନ୍ଧୁତ୍ୱ ଗଢ଼ି ଉଠିଥିଲା । ଦୁହେଁ ଥିଲେ ପରସ୍ପରର ଖେଳ ସାଥି । ମୋ ପୁଅ ଖୋକା ଆଉ ଅଭିରାମବାବୁଙ୍କ ଚଗଲି ଝିଅ ଇନ୍ଦୁ ଭିତରେ ବନ୍ଧୁତ୍ୱ ଗଭୀର ହୋଇଥିଲା ପରେ ହଠାତ୍ ଆଗପଛ ହୋଇ ମୋ ପୁଅ ଓ ତା ଝିଅ ଅସୁସ୍ଥ ହୋଇ ପଡ଼ିଲେ । ସାଂଘାତିକ ଜ୍ୱରରେ ପ୍ରଥମେ ଇନ୍ଦୁ ଓ ପରେ ଖୋକା ଶଯ୍ୟାଶାୟୀ ହେଲେ ।

 

ଜ୍ଵର ଭଲ ହେଲା ନାହିଁ ।

 

ମୋ ମନ ଭିତରେ ପୁଅକୁ ହରାଇବାର ଭୟ କ୍ରମଶଃ ଜମାଟ ବାନ୍ଧିବାକୁ ଲାଗିଲା । ମୁଁ ଭାବିଲି- ଅଭିରାମ ବାବୁ ଈଶ୍ଵର ବିଶ୍ଵାସୀ । ଇନ୍ଦୁ ଯଦି ଚାଲିଯାଏ ଈଶ୍ଵରଙ୍କ ଉପରେ ଆସ୍ତା ରଖିଥିବା ହେତୁ ସେ ଦୁଃଖ ସେ ସମ୍ଭାଳି ନେବେ । କିନ୍ତୁ ମୁଁ ହେତୁବାଦୀ ମଣିଷ । ପୁଅକୁ ହରାଇବାର ଦୁଃଖ ମୁଁ ସହ୍ୟ କରିପାରିବି ନାହିଁ । ତେଣୁ ଇନ୍ଦୁ ମରୁ ଏବଂ ମୋ ପୁଅ ଖୋକା ବଞ୍ଚୁ ।

 

କିଶୋରୀ ଚରଣ ‘ବିଧର୍ମୀ’ । ଗଳ୍ପରେ କେବଳ ମଧ୍ୟବିତ୍ତର ଈର୍ଷା, ସ୍ୱାର୍ଥପରତାର ଚିତ୍ର ଆକଳନ କରି ନାହାନ୍ତି - ସାମାଜିକତା ଓ ବ୍ୟକ୍ତି କୈନ୍ଦ୍ରିକତାର ସଂକୀର୍ଣ୍ଣ ପରିଧିକୁ ଅତିକ୍ରମ କରି ଆଧ୍ୟାତ୍ମିକତାର ନୂତନ ଜଗତରେ ପ୍ରବେଶ କରିଛନ୍ତି । ବିଧର୍ମୀ’ରୁ ତାଙ୍କର ଏହି ଆଧାତ୍ମିକ ଚେତନା ଆରମ୍ଭ ହୋଇ ‘‘ତୁ କଅଣ ରାମକୃଷ୍ଣ’ ଗଳ୍ପରେ ପରିଣତ ପର୍ଯ୍ୟାୟରେ ପହଞ୍ଚିଛି । ତାଙ୍କର ଦୁଇ ଶତାଧିକ ଗଳ୍ପ ଓ ସାତଖଣ୍ଡ ଉପନ୍ୟାସରେ ମଧ୍ୟବିତ୍ତର ଆତ୍ମିକ ସମସ୍ୟା ଓ ସଙ୍କଟର ଚିତ୍ର ନିଖୁଣ ଭାବରେ ଫୁଟି ଉଠିଛି । ଗୋଟିଏ ଅର୍ଥରେ ଦେଖିବାକୁ ଗଲେ ତାଙ୍କ ଉପନ୍ୟାସ ଗୁଡ଼ିକ କ୍ଷୁଦ୍ରଗଳ୍ପର ଭାବବସ୍ତୁର ସମ୍ପ୍ରସାରିତ ରୂପ । ଭାଷାର ସରଳ ସାବଲୀଳତା ଏବଂ କଥାବସ୍ତୁ ନିର୍ମାଣରେ ଅପୂର୍ବ କାରୁକାର୍ଯ୍ୟ ଯୋଗୁଁ ତାଙ୍କ ଗଳ୍ପ ଗୁଡ଼ିକ ପାଠକ ଓ ସମାଲୋଚକ- ସମସ୍ତଙ୍କ ମନକୁ ଆଲୋଡ଼ିତ କରିଛି । ତାଙ୍କ କଥାର କାରିଗରି ଯୋଗୁଁ ‘ମଣିହରା’ ଗଳ୍ପ ଗ୍ରନ୍ଥ ପାଇଁ ୧୯୭୬ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ, ସେହିବର୍ଷ ‘ଠାକୁର ଘର ଲାଗି କେନ୍ଦ୍ର ସାହିତ୍ୟ ଏକାଡେମୀ ଏବଂ ୧୯୮୫ ମସିହାରେ ‘ଭିନ୍ନ ପାଉଁଶ’ ଗଳ୍ପ ସଂଗ୍ରହ ଯୋଗୁଁ ସମ୍ମାନଜନକ ଶାରଳା ପୁରସ୍କାର ଦ୍ଵାରା ସମ୍ମାନିତ କରାଯାଇଥିଲା । ୧୯୯୭ ମସିହାରେ ଉତ୍କଳ ବିଶ୍ଵବିଦ୍ୟାଳୟ କିଶୋରୀ ଚରଣଙ୍କୁ ସମ୍ମାନସୂଚକ ଡି,ଲିଟ୍, ଉପାଧିରେ ବିଭୂଷିତ କରିଥିଲେ ।

 

ଓଡ଼ିଆ କଥା ସାହିତ୍ୟର ଏହି କୁଶଳୀ କାରିଗର ପରଲୋକ ଗମନ କରିଥିଲେ ସୁଦ୍ଧା ତାଙ୍କର ସାହିତ୍ୟ କୀର୍ତ୍ତି ଓ କୃତିତ୍ୱ ତାଙ୍କୁ ଅମରତ୍ୱ ପ୍ରଦାନ କରିଛି ।

 

୩, ଏଚ୍. ଲୁଇସ୍‌ରୋଡ୍‌, ଭୁବନେଶ୍ୱର-୧୪

***

 

Unknown

କିଶୋରୀବାବୁଙ୍କ ସହିତ ଏକ ସ୍ୱାଗତ ସଂଳାପ

ଚନ୍ଦ୍ରଶେଖର ରଥ

 

ଆମ ମଝିରେ କୁହୁଡ଼ିର ଏ ବାଡ଼ଟାକୁ ମୁଁ ଅସ୍ୱୀକାର କରୁନାହିଁ । ଟିକିଏ ଧୂଆଁଳିଆ ନିଶ୍ଚୟ, କିନ୍ତୁ ଆପଣଙ୍କୁ ମୁଁ ସ୍ପଷ୍ଟ ବାରିପାରୁଛି । ଆପଣଙ୍କ ଚାହାଣି ଓ ଚେହେରାରୁ ଜଣାପଡୁଛି ଯେ ଆପଣ ବି ମୋତେ ବେଶ୍ ଅନୁଭବି ପାରୁଛନ୍ତି ନା କଣ ! ଆପଣଙ୍କ ଓ ମୋ ଭିତରେ ପୂର୍ବବତ୍ ଶ୍ରଦ୍ଧା ସମ୍ମାନ ତ ବଜାୟ ରହିଛି ନିଶ୍ଚୟ, ବରଂ ମୋଆଡ଼ୁ ଆପଣଙ୍କ ପ୍ରତି ସମ୍ଭ୍ରମବୋଧ ଏବେ ଅନେକ ବେଶି ବଢ଼ିଯାଇଛି । ଆପଣ କାଚ ବଣେଇ ପଛରୁ ନିଶ୍ଚଳ ଚାହିଁ ରହିଛନ୍ତି । ଆଖିରେ ପତା ପଡ଼ୁ ନାହିଁ । ହସରେ ମୁହଁ କୁଞ୍ଚକୁଞ୍ଚ ହେଉ ନାହିଁ । ଆପଣ ଜମା କଥା କହୁନାହାନ୍ତି । ଭାରି ଅଡ଼ୁଆ ଲାଗୁଛି ନିଶ୍ଚୟ । କିନ୍ତୁ ଆପଣ ଯେତେ ଆପଣାପଣ ଦେଇଛନ୍ତି ତା’ରି ବଳରେ ଆପଣଙ୍କ ଆଗରେ ପୁରୁଣା ଅଭ୍ୟାସରେ ଗପିବାକୁ ଇଚ୍ଛା ହେଉଛି । ଆପଣ ଶୁଣୁଛନ୍ତି ଏବଂ ଜବାବ ବି ଦେଉଛନ୍ତି ଆପଣଙ୍କ ନୀରବ ଠାରରେ । - ଏଇଟା ମୋର ବିଶ୍ୱାସ ।

 

ଆପଣ ଅବଶ୍ୟ ମୋ ଅପେକ୍ଷା ଅନେକ ବେଶି ଭଦ୍ର, ସ୍ୱଳ୍ପଭାଷୀ - ଗପ ଲେଖିବା ବେଳ କଥା କହୁ ନାହିଁ – ଭାରି ମଧୁରିଆ ଦରହସା ମଣିଷ । ମୁଁଟା ଟିକିଏ ଅଧିକ ବାଜୁରିଆ ଅଲାଜୁକିଆ, ସାହସିଆ । ସେ ତୁଳନାରେ ଆପଣ ଲାଜରା, କିଛି ମାତ୍ରାରେ ଡରକୁଳା ନୁହନ୍ତି କି ? ଓ, ଆଇ ଏମ୍ ସରି : ଖରାପ ଭାବିଲେ କି ? ମୋର ଦେଖିବାରେ ନ ହେଲେ ବୁଝିବାରେ ଭୁଲ୍ ଥାଇପାରେ ? ହଁ, ଥାଇପାରେ । କିନ୍ତୁ ବିଶ୍ଵାସ କରନ୍ତୁ ଆପଣ ମୋତେ ସେଇଭଳି ମନେହୁଅନ୍ତି- ବେଶ୍ ସୂକ୍ଷ୍ମ କାରିଗରିର ମାଈଅଂଶିଆ କଳାକାର ପରି, ମନକୁ ମନ ବେହାଗ ରାଗରେ ଗୁଣୁଗୁଣଉଥିବା, ନିରୋଳାରେ ପେନ୍ଥା ପେନ୍ଥା ଫୁଲ, କଢ଼ ଉକୁଟଉଥିବା ଶବ୍ଦଶିଳ୍ପୀ ପରି, ମୋ ଅପେକ୍ଷା ଢେର୍ ବେଶି ନିପୁଣ, ନିଖୁଣ ନିଆରା କଥାକାର ଆପଣ । ମୁଁ ସେ ତୁଳନାରେ ଅନେକ ନିଦା, ମାଖୁନା, ଓଜନିଆ-। ହୁଏତ କିଛି ଅଧିକ ବୁଡ଼ିପାରେ, କିନ୍ତୁ ଆପଣଙ୍କ ଭଳି ଉଡ଼ିପାରେ ନାହିଁ । ଆପଣ ଆଖି ତଳକୁ କରି ଲାଜଉଛନ୍ତି କି ଏସବୁ କଥାକୁ ନାପସନ୍ଦ କରୁଛନ୍ତି ମୁଁ ଜାଣିପାରୁ ନାହିଁ । ତେବେ ମୁଁ ସେ ଖିଅ ଛାଡ଼ି ଦେଉଛି, ଆପଣଙ୍କ ଖାତିରରେ ।

 

ଆପଣ ଭାବୁଥିବେ ଏଇଟା ଗୋଟାଏ ଅଭିଲା ମଣିଷ । ଉପରେ ପଡ଼ି ଏତେଗୁଡ଼ାଏ ବକ୍‍ବକ୍ ହଉଚି କାହିଁକି ? ମୁଁ ଏଇଆ ବୁଝିପାରୁଛି ଆପଣଙ୍କ ଚାହାଣିରୁ । କଥା କ’ଣ କି କିଶୋରୀ ବାବୁ, ଆପଣ ସତରେ ଭାରି ଲୋଭନୀୟ ମଣିଷ । ଆପଣଙ୍କୁ ପାଇଲେ- ସେ ଯେମିତି ହେଉ ଏବେ ନ ହେଲେ ସେବେ– ଛାଡ଼ିବାକୁ ମନ ହୁଏ ନାହିଁ । ଆପଣଙ୍କ ସାଙ୍ଗରେ ବହୁବାର ଆଳାପ ହେଇଚି । କିନ୍ତୁ ମଞ୍ଜକଥା ବା ମଞ୍ଜିକଥା ଯାକ ବାକି ରହିଗଲା ପରି ଲାଗୁଛି । ଏଣୁ ଏ ପ୍ରକାର ସ୍ଵଗତ ଆଳାପ, ଆପଣଙ୍କ ଢଙ୍ଗରେ ଆପଣଙ୍କ ପାଖରେ ।

 

ଆପଣ ଜାଣନ୍ତି କିଶୋରୀ ବାବୁ ? -ନା କେମିତି ଜାଣିବେ ? - ମୁଁ ତ’ ଆପଣଙ୍କୁ କେବେ କହି ନାହିଁ । ଆପଣଙ୍କ ନାଁ ଟାକୁ ନେଇ ପ୍ରଥମେ ପ୍ରଥମେ ମୋତେ ଭାରି କଉତୁକିଆ ଲାଗିଥିଲା । ‘କିଶୋର’ ହେଲେ ସିନା ବାବୁ, ‘କିଶୋରୀ’ କେମିତି ବାବୁ ହବ ମ’ – ସେ ତ କିଶୋରୀ ଟିଏ । ସେତେବେଳେ ଯାଏଁ ମୁଁ ଆପଣଙ୍କୁ ଦେଖି ନଥାଏ । ତାପରେ ହଠାତ୍ ଆଉ କଥା ଏ ମନେ ପଡ଼ିଯିବାରୁ ଜିଭ କାମୁଡ଼ି ପକେଇଲି । ‘ଗୋପୀବାବୁ ! ତାଙ୍କୁ ଥରେ ଯେ ଦେଖିଛି ତା’ର ମୋହଭଙ୍ଗ ହୋଇଯିବ । ତା’ପରେ ତା’ ଜିଭରେ ହାଡ଼ ନାହିଁ ସେ ପାର୍ବତ୍ୟ ଚେହେରାକୁ ‘ଗୋପୀ’ଟିଏ ବୋଲି କହିବାକୁ । ଡାକିବାରେ ସିନା ଟିକିଏ ଅଡ଼ୁଆ, ଗୋପୀବାବୁ, କିଶୋରୀବାବୁ, ସଚ୍ଚି ବାବୁ, କିନ୍ତୁ ନାଁଟା ପୂରା ଲମ୍ବିଗଲେ ସମାସ ପଦ ମାନଙ୍କରେ ଆଉ ଅସୁବିଧା କିଛି ନାହିଁ ।

 

ଆପଣଙ୍କ ସାଙ୍ଗେ ଦେଖାହେଲା ଅନେକ ବିଳମ୍ବରେ । ସେତେବେଳେ ଆପଣ ଦୀର୍ଘପ୍ରବାସ ସାରି ‘ଘରବାହୁଡ଼ା’ରେ ଓଡ଼ିଶା ଆସିଥାନ୍ତି । ଆମର ଭେଟ ହେଲା ଦିଲ୍ଲୀରୁ ଫେରିବା ବାଟରେ, ଟ୍ରେନରେ । ମନେ ପଡ଼ୁଛି ନା ? - ଆଳାପ ପରିଚୟ ପରେ ‘କଥା ସାହିତ୍ୟର କଳା ଓ କାରିଗରି ବହିଟି ମୋତେ ଦେଲେ ଏବଂ ଗପ ଜମେଇ ଦେଲେ ବହୁଦିନର ପୁରୁଣା ବନ୍ଧୁ ପରି ।

 

ସେଦିନ ପ୍ରଥମେ ଜାଣିଲି ଆପଣ ଜଣେ ଖୁବ୍ ପଣ୍ଡିତ ଲୋକ । ଢେର ପଢ଼ାପଢ଼ି କରିଛନ୍ତି, ଢେର ମିଞ୍ଜେଇଛନ୍ତି । ଗଳ୍ପରେ କେତେବେଳେ କେମିତି ସେ ଝଲକ୍ ଦିଶିଯାଏ ଯେ ହେଲେ ଆପଣଙ୍କ ଗପର ଭେଳିକି ଭିତରେ ଆଖି ମଟମଟ କରି ନ ଚାହିଁଲେ ଦିଶେ ନାହିଁ । ସେ ପସରା ଆପଣ ସ୍ୱତନ୍ତ୍ର ଭାବରେ ମେଲିଛନ୍ତି ଯେତେବେଳେ ଗଳ୍ପ ସଙ୍କଳନ ମାନଙ୍କର ମୁଖବନ୍ଧରେ ‘ନିଜକଥା’ ଲେଖିଛନ୍ତି । ସେ ଗୁଡ଼ିକୁ କ’ଣ କହିବା ? ପାଦଟୀକା ? ଭାଷ୍ୟ ? ଆପଣଙ୍କ ଗଳ୍ପ ମଞ୍ଚରେ ପହଞ୍ଚିବା ପାଇଁ ପୁଷ୍ପପଥ ? - ନା ଏକ ପ୍ରକାର ସତ୍ୟପାଠ, ବୟାନ ଅଥବା କୈଫିୟତ, କଥା ପାଇଁ, କଥାକାର ପାଇଁ, - ସାମ୍ପ୍ରତିକ ସବୁ ସାହିତ୍ୟ ସାଧକ ପାଇଁ ? କ୍ୟାମୁ, ସାର୍ତ୍ତ, ସେକ୍ସପିଅର, ହାଇଜେନ୍‍ବର୍ଗ, ଫେଡ୍‍ହଏଲ, ଆଇନଷ୍ଟିନ୍, ଆଲାନ୍ ୱାଟ୍ସଂ ସାଙ୍ଗକୁ ହିରାକ୍ଲିଟସ୍, ପ୍ଲାଟୋ ବା ହିରୋଡୋଟସ୍ କେତେ କେତେ ପ୍ରାଚ୍ୟ ପାଶ୍ଚାତ୍ୟର ମହା ମନୀଷୀଙ୍କ ସହିତ ଆପଣଙ୍କ ଭାବଦୋସ୍ତି !

 

ଖୁବ୍ ପଢ଼ା ପଢ଼ି କରିଥିବା ମଣିଷ ଅନେକ ସମୟରେ ବୋଝ ମୁଣ୍ଡେଇ ଟଳମଳ ହେଉଥାନ୍ତି । ମୁଣ୍ଡ ତ’ ନୁହେଁ, ସତେବା ଗୋଦାମଘର । - କିନ୍ତୁ ଆପଣ ନିଆରା ଜଣାଗଲେ । ବାଟୋଇ କୋଳିଗଛ ମୂଳେ ଖରାବେଳେ ବିଶ୍ରାମ ନିଏ । ଦି ଚାରିଟା କୋଳି ଖାଏ, ଦି ଚାରିଟା ବାଟ ପାଇଁ ହୁଏତ ଗୋଟାଏ । କିନ୍ତୁ ଗଛଟିକୁ ଯୋଉଠି ଥିଲା ସେଇଠି ଛାଡ଼ିଦେଇଯାଏ । ଏଇ ବିଚାରରେ ଆମ ଉଭୟଙ୍କ ଢଙ୍ଗରେ ଆଉ ବିଚାରରେ କିଛିକିଛି ମେଳ ଥିଲା ପରି ମୋତେ ଲାଗୁଛି-। ନା’ କ’ଣ କହୁଛନ୍ତି ? -ହଁ, ଆପଣ ଆଉ ପାଦେ ଦି ପାଦ କଥାଟାକୁ ଆଗେଇ ନେବାକୁ ଚାହୁଁଛନ୍ତି ତ ? ଏମିତି ବାଟରୁ ଦି’ ଚାରିଟା କୋଳି ଗୋଟେଇ ପାଟିରେ ପକେଇ ଚାକୁଳେଇବା ଲୋକ ତୋର । ସେ ଗୁଡ଼ା ସବୁ ଚାକୁଣିଆ, ପଲ୍ଲବଗ୍ରାହୀ । କିନ୍ତୁ ଯେ ପେଟଭରି, ମନଭରି ଖାଏ ତାକୁ ଗୋଟାଏ ପ୍ରକାର ନିଶା ଘାରେ- ଭାଲୁ ମହୁଆ ଫୁଲ ଖାଇଲା ପରି ।

 

ହସୁଛନ୍ତି କ’ଣ ମ ? ମହୁଆ ଖୁବ୍ ଖାଇଲାପରେ ତା’ ମୁଣ୍ଡ ଚକ୍କର ଖାଏ । ସେ ଚାହେଁ ଆଉବାଗେ, ଚାଲେ ଆଉ ବାଗେ, ଠିକ୍ ନା ? ସେ କ’ଣ କିଶୋରୀଚରଣ ହେଇଚି ଯେସବୁ ଜିରେଇ ନିର୍ବିକାର ରହିପାରିବ ?

 

ଯେମିତି ଧରାଯାଉ ପ୍ରଏଡ୍ ସାହେବକୁ ମନଧ୍ୟାନ ଦେଇ କେହିଜଣେ ପିଇଗଲା । ତାକୁ ଗୋଟାଏ କଥା ଚାରିଆଡ଼େ ଦିଶିବ ଯାହା ସେ ଲୁଚି ଲୁଚେଇ ହୁଏତ ଦେଖିଛି, ଆଉରି ଦେଖିବାକୁ ଲୋଭେଇଚି, ହେଲେ ଲାଜେଇଚି । କିନ୍ତୁ ସେ ସାଇବ ଯେମିତି ଲଗାମ୍ ଛଡ଼ା ତାକୁ ନିଃସଂକୋଚ ସବୁଠି ଖାପି ଦେଇଚି, ଚିନ୍ତାରେ ଚେତନାରେ, ଆଚରଣରେ ଅଭ୍ୟାସରେ ସ୍ଵପ୍ନରେ ଜାଗରଣରେ ! ସେମିତି କସ୍ମିନ୍ କାଳେ କେହିହେଲେ ଭାବି ନଥିଲେ । ପାଟିରେ ଆଙ୍ଗୁଠି ଦେଲେ ଯାହା, ଯୋତାରେ ପାଦ ଗଳେଇଲେ ତାହା, କାନ କୁଣ୍ଡେଇଲେ ତାହା, ପିଲାଟାଏ ମା’ କ୍ଷୀର ଖାଇଲେ ସେଇଆ, ଏମିତି କି ନାକବାଟେ ପବନ ଆତଯାତ ହେଲେ ବି ସେଇଆ !

 

ହୋଃ, ସେ ସାଇବଟାକୁ ବୋଧେ ମହୁଆ ନିଶା ଭାଲୁଠୁ ବି ଅଧିକ ଘାରିଯାଇଚି ନା’କ’ଣ-? ନହେଲେ ସବୁଠି କେମିତି ତାକୁ ଯୌନ ଦର୍ଶନ ହୁଅନ୍ତା, ସିଦ୍ଧଯୋଗୀର ବ୍ରହ୍ମଦର୍ଶନ ପରି-? ହଁ କିଶୋରୀ ବାବୁ, ମୁଁ ମାନୁଚି ଯେ ସେ ମଣିଷର ଜାଗ୍ରତ ସ୍ୱପ୍ନ ସୁଷୁପ୍ତି ଅବସ୍ଥାରେ ତା’ ମନ ଗହନ ଭିତରେ ବୁଡ଼ିଥିବା ଜଣେ ବିରଳ ବୈଜ୍ଞାନିକ । କିନ୍ତୁ ଯେଉଁ କଥାଟା ତା’ର ବେଶି କାଟ୍‍ତି ହେଇଗଲା ସେଥିରେ ଆମର ବହୁ ପାଠୁଆଙ୍କୁ ଟେରା କରିଦେଲା । ସେମାନେ ଗୋଟାଏ କ’ଣ ଅପୂର୍ବ ପାଇଗଲା ପରି ସେଥିରେ ମସ୍‌ଗୁଲ ରହିଲେ । ହଁ ବାବୁ ସେଇଟା ସତ, ନିରାଟ ସତ ! ! କିଏ ନାହିଁ କଲା ? କିନ୍ତୁ ଏତେବଡ଼ ପରିବ୍ୟାପ୍ତ ଜୀବନରେ କ’ଣ ଯୌନସତ୍ୟ ସିବା ଆଉ ସତ୍ୟର ବିସ୍ତାର କିଛି ନାହିଁ ?

 

ଆପଣ ତ’ ଜାଣନ୍ତି କିଶୋରୀ ବାବୁ, ମୋର ଟିକିଏ ‘ବାହ୍ମୁଣିଆ’ ଖୋଇ ରହିଛି । ମୁଁ ସେମାନଙ୍କୁ ବେଳ ପଡ଼ିଲେ କହେ, ଏ ଯେଉଁ ତତ୍ତ୍ୱ ତୁମେ ବଖାଣୁଛ, ଆମେ ଏଇଠି ଆଉବାଗେ ତାକୁ ବହୁକାଳୁ ସ୍ୱୀକାର କରିସାରିଛୁ । ମାଟି, ପାଣି, ପବନ, ଆକାଶ ଆଉ ନିଆଁକୁ ସ୍ୱୀକାର କରିଛୁ-। ଏଇଟା ଜଡ଼ ଉପାଦାନ ପୁଣି ଏଇଟା ହିଁ ଜୀବ ଉପାଦାନ । ସେଥିରୁ ନିଆଁଟା ହେଉଛି ଭୋକ । ତାଳୁରୁ ତଳିପା ଯାଏଁ ମନ ପ୍ରାଣ ଶରୀରରେ ସବୁଠି ଭୋକ, ସବୁଠି ଦିକ୍ ଦିକ୍ ଜଳୁଥିବା ନିଆଁ; କିନ୍ତୁ ଜିଭ ଆଗରେ ଆଉ ଉପସ୍ଥରେ ଅଗି ବିନ୍ଦ ସବୁଠୁ ପ୍ରଖର । ଜିଭରେ ଭୋଜନ ଓ ଉପସ୍ଥରେ ପ୍ରଜନନର କ୍ଷୁଧା । ଏଣୁ ଜୀବମାତ୍ରେ ମୋଟାମୋଟି ଏଇ ଦୁଇଟି କ୍ଷୁଧା ପାଇଁ ବଞ୍ଚିଥାଏ, କ୍ଷୁଧାରେ ଜଳୁଥାଏ । ମଣିଷଟା ଜୀବ ନିଶ୍ଚୟ, କିନ୍ତୁ ଏକ ନିଆରା ଜୀବ । ତାର ଦୁଇପାଦ ହୁଏତ କାଦୁଅରେ-। ମଝିରେ ଜୈବ କେନ୍ଦ୍ର । କିନ୍ତୁ ଶୀର୍ଷଟା ଆକାଶମୁଖୀ । ମନରେ ସେ ସପ୍ତଲୋକ ଭେଦିଯାଏ । ମନରେ ତାର ଉଡ଼ାଣ, ତା’ର ଅତିକ୍ରମଣ, ତାର ଦିଗ୍‌ବିଜୟ । ମନକୁ ନେଇ ତ’ ମଣିଷ, ଯୌନକୁ ନେଇ ଜୀବ । ସେ ଜୀବ ହୋଇ ବଞ୍ଚିବ କିନ୍ତୁ ମଣିଷ ହୋଇ ଆକାଶ ଲଙ୍ଘିବ, ବେଦନା ଭୋଗିବ, ଅମୃତ ଭୁଞ୍ଜିବ, ଅପହଁଚରେ ପହଞ୍ଚିବ । ଏଇଟା ତାର ମାନବଧର୍ମ, ଦେବଧର୍ମ । ୟାକୁ ଛାଡ଼ି ଦେଲେ ମଣିଷକୁ ଛାଡ଼ି -ଭାଲୁଟାକୁ ଧରି ବସିଥିବ ।

 

ମୁଁ ବି ସତେ କେଡ଼େ ଅଭିଲା । କାହାକୁ କ’ଣ କହିଯାଉଛି । କିନ୍ତୁ କ’ଣ କରାଯାଏ କିଶୋରୀ ବାବୁ । ଆପଣ ସିନା ଅଡ଼ିଟ୍ ଆଣ୍ଡ ଏକାଉଣ୍ଟସ୍‍ରେ ରହିଗଲେ, ନ ହେଲେ ଯଦି ଇତିହାସରେ ଅଧ୍ୟାପକ ହେଇଥାନ୍ତେ ଆପଣ ବି ଆମ ମାର୍ଗେ ଭାଷଣ ବାଜିଆ ହୋଇ ଯାଇଥାନ୍ତେ-। ମୋ କଥା ଶୁଣି ଏମିତି ମୁଚ୍‍ମୁଚ୍‍ ହସୁ ନଥାନ୍ତେ ବିଜ୍ଞତା ସାଙ୍ଗକୁ ଭଦ୍ରତା ମିଶିଲେ ହସଟା ଯେମିତି ହୁଏ ।

 

ହଉ ହେଲା । -ଏ ଯେଉଁ ପଞ୍ଝାକ ଲେଖାଲେଖି କରନ୍ତି ଜୀବନ କଥା, ମଣିଷ କଥା, ଦେଖିଥିବା ନ ଦେଖିଥିବା କଥା, ହେବା କଥା ହୋଇ ପାରିଥାନ୍ତା କଥା, କହନ୍ତି ଜୀବନର ସଂହିତା ଲେଖୁଛନ୍ତି ବୋଲି, ମାରନ୍ତି ଗାଲୁଗପ – ହେଲା ଆପଣଙ୍କ କଥା ରହୁ । ଗଳ୍ପ ଉପନ୍ୟାସ ଲେଖନ୍ତି - ସେମାନେ ସତରେ କ’ଣ ଦେଖନ୍ତି କହିଲେ ? ମଣିଷ ନା ଭାଲୁ ? ମୋତେ ଲାଗେ ସେମାନେ ଗୋଟାକୁ ଦେଖିଲେ ଆରଟାକୁ ପ୍ରାୟ ଆଖି ବୁଜି ଦିଅନ୍ତି । ମଣିଷକୁ ଦେଖି ତାକୁ ଏମିତି ଚିକଣେଇ ଦିଅନ୍ତି, ଏମିତି ବଢ଼େଇ ଚଢ଼େଇ ଆତସବାଜିଆ କରି ଦିଅନ୍ତି, ଏକାଥରେ ମର୍ଯ୍ୟାଦା ପୁରୁଷୋତ୍ତମ । ଏକେବାରେ ନିର୍ମଳ, ମଳିଝଳି କିଛି ନାହିଁ । ନାଇଁ ଯଦି ଫୁଙ୍ଗୁଳା ନଙ୍ଗଳା ମଣିଷଟାକୁ ଦେଖନ୍ତି ତାକୁ କରି ଦିଅନ୍ତି ଏକାଥରେ ନାଲା ଏକ ଭାଲୁଆ ପୁରୁଷାଧମ । କିଛି ଅଛନ୍ତି ମିଶାମିଶି କରନ୍ତି ଡକ୍ଟର ଜେକିଲ୍ ମିଷ୍ଟର ହାଇଡ୍ ଭଳି କେହି କାହାସାଙ୍ଗେ ମିଶୁନଥିବା ଅଥଚ ଏକାଠି ଛନ୍ଦି ହେଇଥିବା ଗୋଟାଏ ଅଜବ ଅକୀର୍ତ୍ତିପସରା । ଏମିତି ସେମାନେ ଆକାଶ ଦେଖନ୍ତି ନ ହେଲେ ପାତାଳ, ନତୁବା ଏବେ ଆକାଶତ, ଆଉଟିକକୁ ପାତାଳ । ତା’ମାନେ ତାଙ୍କୁ ଥରକେ ବର୍ତୁଳ ପୃଥିବୀ ଉପରେ ଆମେରିକା ଦିଶେ ନ ହେଲେ ଏସିଆ । ଉଭୟ ସତ୍ୟ । ଭାଲୁ ଯେତିକି ସତ, ମଣିଷ ବି ସେତିକି ସତ । କିନ୍ତୁ ଖୁବ୍ କମ୍ ଲୋକଙ୍କୁ ଉଭୟ ଦେଖାଯାଏ । ସେମାନଙ୍କର ଦୃଷ୍ଟି ଅଜବ, ଏକାଥରେ ବିସ୍ତୃତ ଆଉ ଗଭୀର । ସେମାନେ ଆକାଶରେ ପାତାଳ, ପାତାଳରେ ଆକାଶ ଦେଖିପାରନ୍ତି । ସେମାନେ ପୂର୍ବ ପଶ୍ଚିମକୁ ଏକାଠି ଦେଖି ପାରୁଥିବା, ଧରିପାରୁଥିବା ଧୁରନ୍ଧର ।

 

ମୁଁ କାହିଁକି ଏକଥା କହୁଛି କି କିଶୋରୀ ବାବୁ - ଆପଣ ହେଲେ ସେପରି ଜଣେ ଧୁରନ୍ଧର-। ମଣିଷ ମନର ଭିତର ବାହାର ନିଖାରିବାରେ, ତା’ର ଆବରଣ ତଳେ ଛପି ରହିଥିବା ବିଷମ ରୂପକୁ ଦେଖୁ ଦେଖେଇବାରେ ଆପଣଙ୍କ ପାରିଲାପଣ ଆମକୁ (ଅନ୍ତତଃ ମୋଭଳି ଅନେକଙ୍କୁ) ତାଜୁବ କରିଛି । ନାରୀ ପୁରୁଷ ମୌଳିକ ସମ୍ପର୍କଟି ଏକ ଆଦିମ ସତ୍ୟ । ସେଇଠି ଭଲମନ୍ଦ, ଧର୍ମ ଅଧର୍ମ ନୀତି ଅନୀତିର ବାଛ ବିଚାର ସତରେ ନାହିଁ । ଏଣୁ ଆପଣ ଜାଣିଶୁଣି ସେଆଡ଼ୁ, ମାନେ ସେଭଳି କୌଣସି ମାପକାଠି ଆଡ଼ୁ – ମୁହଁ ଫେରେଇ ନେଇଛନ୍ତି ।

 

ସତ କହିବାକୁ ଗଲେ, କିଶୋରୀ ବାବୁ, ଆପଣଙ୍କ କଳା ଆଉ କାରିଗରୀରେ ଆପଣ ଆମକୁ ଏମିତି ମଜ୍ଜେଇ ଦିଅନ୍ତି ଯେ ଆମେ ପ୍ରାୟ ଆବିଷ୍ଟ ହେଲାପରି ଅନେକ ନିଷିଦ୍ଧ ‘ଅଗମ୍ୟ’ ଅଞ୍ଚଳକୁ ଗମିଯାଉ । ଆମକୁ ଭଲବି ଲାଗେ ସେ କଥା ଶୁଣିବାକୁ, ସେ ଚିତ୍ର ଦେଖିବାକୁ – ଗୀତା ଆଉ ତା’ ବୋଉ ‘ଭଙ୍ଗା ଖେଳନା’ ଗଳ୍ପରେ ଆମ ଆଗରେ ଉଭା ହୋଇଯାନ୍ତି । ଗୀତା କିଶୋରୀ । ବୁଝି ସମଝି ଆସିଲାଣି, ହେଲେ ବୁଝିନାହିଁ ଢେର କଥା, ଜୀବନର ଜଟିଳ ଗଣିତ । କୁଶଳୀ କଳାକାର ଆପଣ । କେତେବେଳେ କାୟାପ୍ରବେଶ କେତେବେଳେ ଛାୟା ପ୍ରବେଶ କରି ଆପଣ ସଂୟ କିଶୋରୀଟିଏ ହୋଇ ଯାଇଛନ୍ତି । ତା’ର ଭୂମି, ତାରି ଭୂମିକାରେ କଥାଟିକୁ କେତେ ସରଳ, ଅବୋଧ, କଅଁଳିଆ ଭାବନା ଚିନ୍ତାକୁ ଯେମିତି ନେଇ ଠିଆ କରିଛନ୍ତି, ତାହା ଅତୁଳନୀୟ । କିନ୍ତୁ ଗୀତା ବୋଉକୁ ମଞ୍ଚ ମଝିକୁ ଆଣିନାହାନ୍ତି ତା’ ବାପା ବିଚାରାଟିକୁ ତ’ ଆଦୌ ନୁହେଁ । ମଞ୍ଚ କଥାଟା କିନ୍ତୁ ଗୀତାବୋଉକୁ ନେଇ । ତାକୁ ଦେଖେଇଛନ୍ତି ନିରାପଦ ଦୂରତାରୁ । ଦେଖେଇଛନ୍ତି ଯେତେ, ସୂଚେଇଛନ୍ତି ତା’ଠୁ ଢେର ବେଶି । ବୁନୁ ଦାଦା ଓ ସେ ହସିବାରେ ଅସୁବିଧା କ’ଣ ? ଗୀତା ବରଂ ଭାବୁଛି ବାପା ଆଉ ବୋଉ କାହିଁକି ସେମିତି ହସୁନାହାନ୍ତି । ଆମେ ବି ଭାବୁଛୁ ସେଇଆ, କିନ୍ତୁ କୈଶୋର ପାରି ହୋଇ ଆସିଥିବା ଆମର ସୁଜାଣ ଢଙ୍ଗରେ । ବୁନୁଦାଦା ଆସୁ ଆସୁ ନୂଆବୋଉଙ୍କୁ ଶୁଣଉଛନ୍ତି, ତାଙ୍କୁ ଭାରି ଭୋକ । କି ଭୋକ ସିଏ ? - କି ଶୋଷ ? ତା'ପରେ ସନ୍ଧ୍ୟାର ଜାଙ୍ଗୁଲୁ ଜାଙ୍ଗୁଲୁ । ବାଡ଼ି କବାଟ ମେଲା । ତାଜମହଲ । ଆଉ ଆଉ ଅନେକ କଥା ନ କହି କହିଦିଅନ୍ତି ଆପଣ ‘ଖେଳନା’ଟିକୁ ତା’ପରେ ଖୁବ୍ ନିପୁଣ, ସୁପରିକଳ୍ପିତ ସଚେତନ ଭାବରେ ଭାଙ୍ଗି ଦିଅନ୍ତି । ଜନ୍ମଦିନ ଉପହାର ଜଣେ ମଧ୍ୟବୟସ୍କା ମହିଳା ପାଇଁ ମୋଟ ଉପରେ ‘ଖେଳନା’ କାହିଁକି ହେବ ? ତା’ ପରେ ତାଜମହଲ’ଟିଏ କୋଉ ପ୍ରକାରର ‘ଖେଳନା’ ହୋଇପାରେ ? ଆମେ ଆପଣଙ୍କ ଠାରୁ ବୁଝୁଛୁ, ମତଲବ୍ ବି ବୁଝୁଛୁ । ‘ତାଜମହଲ’ ଭାଙ୍ଗିବା କେବଳ ଆଳ । ଭାଙ୍ଗିଛି ଦାମ୍ପତ୍ୟ ପ୍ରେମ । ଭାଙ୍ଗିଛି ନିଷ୍କଳଙ୍କ ମାତୃପ୍ରତିମା । ଭାଙ୍ଗିଛି ପରିବାରର ପଥର ଚଟାଣ । ତା’ ଉପରେ ଆମେ ଗଢ଼ି ଥୋଇଥିବା କାରୁକାର୍ଯ୍ୟ ଖଚିତ ଆମର ପ୍ରିୟ ‘ଆଦର୍ଶ’ର ଖେଳନା । ଗଳ୍ପ ପଢ଼ିବାର ଆବେଶ ଓ ଆପଣଙ୍କ ଯାଦୁବିଦ୍ୟାରୁ ମୁକୁଳିଲା ପରେ ଆମେ ଚକିତ ହୋଇ ଚାହିଁରହୁ ଚୁରମାର ହୋଇଥିବା ସେ ମାର୍ବଲ ଇମାରତ୍‍ଟିକୁ । ବ୍ୟଥିତ ହେଉ, ଉତ୍ପୀଡ଼ିତ ହେଉ । ଆପଣଙ୍କୁ ଚାହୁଁ, କ୍ରୋଧମିଶା ଅଭିଯୋଗ ନେଇ । ଆପଣ ନିର୍ବିକାର ଭଦ୍ର ମୃଦୁ ହସ ଭିତରେ କହନ୍ତି ‘‘ଏପରି ବି ହୁଏ’’ ଆମର ସନ୍ଦେହ ହୁଏ ଆପଣ ଭାରି ଖୁସି ହେଉଛନ୍ତି ଏମିତି ଏକ ଚିତ୍ର ଦେଖେଇବାରେ । ସନ୍ଦେହ ହୁଏ ଆପଣ କିଛି କିଛି ପରପୀଡ଼ନର ସୁଖ ପାଉଛନ୍ତି ବୋଲି, ଖୁବ୍ ମାର୍ଜିତ ଶାଳୀନ ଢଙ୍ଗର ସାଡିଷ୍ଟ ପରି-। -ଗୀତା ଆଖିରେ ଦେଖେଇଛନ୍ତି ମା’ଟିଏ । କିନ୍ତୁ ଆଢ଼ୁଆଳରେ ସେଇମା’ଟିକୁ ଦୋଚାରିଣୀ କରିଦେବାରେ ଆମକୁ ଆମର ଆକାଙ୍‍କ୍ଷିତ ମାଆ ରୂପର ଖେଳନାଟିକୁ ଭାଙ୍ଗ ଧରେଇ ଦେଇଛନ୍ତି ଆମ ମୋହ ଭଙ୍ଗ କରିବାକୁ ଆଉ ଏକ ମୋହରେ, ଖୁବ୍ ବାହାଦୁରିଆ ଆଇକନୋକ୍ରାଷ୍ଟ ପରି । ଆପଣଙ୍କ ଅନୁପମ ଲେଖକ ସ୍ରଷ୍ଟା ପଛରେ ସତରେ କ’ଣ ଆପଣଙ୍କ ଜାଣତରେ ବା ଅଜାଣତରେ ଆପଣ ଜଣେ ସ୍ୟୁଡୋ ସାଡିଷ୍ଟ ଓ ସେଇ ମାନସିକତାରେ ଜଣେ ଆଇକନୋକ୍ରାଷ୍ଟ ?

 

ଆପଣ ପଣ୍ଡିତ ଲୋକ । ଭାରି ସମଝଦାର୍ । ଆପଣ ସେଥିପାଇଁ ବୁଝି ପାରୁଥିବେ ମୁଁ ଏମିତି କାହିଁକି ଅଭିଯୋଗ କରୁଛି । ମୁଁ ଆପଣଙ୍କୁ ପଢ଼ି ଯେତିକି ମୁଗ୍ଧ, ସେତିକି ଚକିତ ଓ ସେତିକି ବ୍ୟଥିତ । ଖାଲି କ’ଣ ଭଙ୍ଗା ଖେଳନା’ ?

 

ଆପଣ ହାତଟେକି ବାରଣ କରୁଛନ୍ତି । ମୋତେ ଶୁଭୁଛି ‘‘ହାଁ ହାଁ, ଆଉ ଆଗେଇବା ପୂର୍ବରୁ ମୋତେ ଶୁଣନ୍ତୁ । ଗୀତାକୁ ଆଳ କରି ମୁଁ ମୋ ଖେଳନାଟି ହିଁ ଭାଙ୍ଗିଛି- ଆଉ ଯାହା ଯାହା ଭାଙ୍ଗିବା କଥା ଆପଣ କହିଛନ୍ତି ସେ ସବୁ ବି ହୁଏତ’ ତା’ ସାଙ୍ଗରେ ଭାଙ୍ଗି ଯାଇଛି । ଭାଙ୍ଗିଲାବେଳେ ମୁଁ ଖୁସି ହୁଏ ବୋଲି ଆପଣ କେମିତି ଭାବିଲେ ? ବରଂ ମୋ ଆଖି ସେତେବେଳେ ଛଳଛଳ ହୋଇ ଯାଇଛି । ଦୀର୍ଘଶ୍ୱାସଟିଏ ବାହାରି ଯାଇଛି ସମସ୍ତଙ୍କ ଅଲକ୍ଷ୍ୟରେ । ଆପଣ କାନେଇ ଜାଣିଲେ ଏବେବି ସେ ଦୀର୍ଘଶ୍ୱାସ ଶୁଣି ପାରିବେ ଆପଣ । କଷ୍ଟ ହେଉଥିବ କାରଣ ମୁଁ ନିଜେ କଷ୍ଟ ପାଇଛି । ମୁଁ ଯେତେବେଳେ କହେ ‘ଏମିତି ବି ହୁଏ କେବେ ବି ଖୁସିରେ କହେ ନାହିଁ । ବରଂ ମନେ ମନେ ଭାବୁଥାଏ । ଏମିତି ସତେ କାହିଁକି ହୁଏ ? - ନହେଲେ କ’ଣ ହୁଅନ୍ତା ନାହିଁ ? -ମାଆଟିକୁ ମାଆ ରୂପରେ ମୁଁ ଦେଖିବାକୁ ଚାହେଁ, କିନ୍ତୁ ନାରୀଟି ଦୋଚାରିଣୀ ହେଇଯିବା ଏବଂ ସେଥିରେ ଦାମ୍ପତ୍ୟର ଐତିହାସିକ ସୌଧ ତାଜମହଲ ଭାଙ୍ଗିଯିବା ମୋତେ ବି ବାଧେ - ଏଇଟା କ’ଣ କୌଣସି ସାଡ଼ିଷ୍ଟ କିମ୍ବା ଆଇକନୋକ୍ଲାଷ୍ଟର ଲକ୍ଷଣ ବୋଲି ଆପଣ ଭାବୁଛନ୍ତି ?’’

 

ଆପଣ ଦୟାକରି ସେମିତି ଚାହାନ୍ତୁ ନାହିଁ । କିଶୋରୀବାବୁ ଭାରି କାନ୍ଦ କାନ୍ଦ ଦେଖାଯାଉଛନ୍ତି । ମୁଁ ଆପଣଙ୍କୁ ଏ ବାଗେ ବୁଝି ନଥିଲି । - ଆଇ ଏମ୍ ସରି । - ମୁଁ ସେଇ ଭଙ୍ଗାଖେଳନା’ ଠୁ ଆପଣଙ୍କ ଅନୁପମ ଗଳ୍ପ ‘ମଣିହରା’ କଥା କହିଥାନ୍ତି । ସେଇଠି ବି ପୁଣି ସେଇ ପ୍ରକାର ବିଡ଼ମ୍ବନାଟିଏ ସହିତ ଆମର ଭେଟ ହେଉଛି । ବିଚାରୀ ପୁତ୍ରହରା ନିର୍ମଳା ଦେବୀ । ତାଙ୍କର ପୁତ୍ରଶୋକ ନିର୍ବାକ୍ ଟଳମଳ ଦୁଃଖର ଭରା କଳସି; ଅନ୍ଧାର ନୀରବତା, ଅସହାୟତା ଭିତରେ ଇଡ଼ିଯାଉଛି ଏବଂ ଗଡ଼ିଯାଉଛି ସେଇ ଗୋଟାଏ ମାତ୍ର ଗର୍ତ୍ତକୁ । ଏଠି ବୁନୁଦାଦା ବା ପରପୁରୁଷଟିଏ ନ ଥାଇପାରେ । ହେଲେ ଏତିକିବେଳେ, ଜୀବନ ଲହୁଲୁହାଣ ହୋଇ ଛିନ୍ନଛତ୍ର ପଡ଼ିଥିଲା ବେଳେ, ପର୍ବତ ପରି ଦୁଃଖର ମୁହୂର୍ତ୍ତ ସବୁ ପାରିହେଲା ବେଳେ ପତିସଙ୍ଗ ଲୋଡ଼ୁଛି ନାରୀ ! ? ଅସ୍ୱାଭାବିକ, ଅସଙ୍ଗତ ବିଦ୍ରୂପ କଲା ପରି ଲାଗୁ ନାହିଁ ? - କିନ୍ତୁ ଯେତେ ନିଷ୍ଠୁର ହେଲେ ସୁଦ୍ଧା ମାନିବାକୁ ପଡ଼ୁଚି ଯେ “ଏମିତି ବି ହୁଏ ।’’ ଆପଣଙ୍କ ଉତ୍ତର ଶୁଣିଲା ପରେ ଭାବୁଛି ଯେ, ଆପଣଙ୍କୁ ଏ ବିଡ଼ମ୍ବନା ନିଶ୍ଚୟ ବାଧିଥିବ । ‘ଏମିତି ସତେ କାହିଁକି ହୁଏ ?’ ବୋଲି ଆପଣ ନିଜକୁ ନିଜେ ପଚାରିଥିବେ । କିନ୍ତୁ ‘ ମଣିହରା’ ଲେଖିଦେଇ ସର୍ବହରା ପରି ଚୌକିକୁ ଆଉଜି ପଡ଼ି ଆଖି ବୁଜିଦେଇଥିବେ । - ମୁଁ ବୁଝିପାରୁଛି ଆପଣଙ୍କ ମନ କଥା ।

 

କିନ୍ତୁ ମୋତେ କହନ୍ତୁ ନା ଦେଖି, ଏ ସେକ୍ସ ବୋଲାଉଥିବା ମାରାତ୍ମକ ସତ୍ୟଟି ଏମିତି ଅଠିକଣା ବେଳେ କାହିଁକି ଫଣା ଟେକି ତା ବିଳାରୁ ବାହାରେ ? - ଯୌନସୁଖ କ’ଣ ଏକ ସମାଧାନ - ଯାବତୀୟ ତାଡ଼ନା, ପୀଡ଼ା ଅସହାୟତାର ଆଢ଼ୁଆଳ, ଲୁଚିଯିବାର ଏକ ଆଶ୍ରୟୀ - ଜୀବନର ଜାବ ଭିତରୁ ଖସିଯିବାର ଏକ ଉପାୟ - ଗୋଟାଏ ସୁଲଭ ଏସ୍କେପ୍‍ର ମାର୍ଗ ? – ପୁତ୍ର ଶୋକରେ ମା’ର ହୃଦୟ ବିଦାରି ହେଉଥିଲା ବେଳେ, ଆଦିମ ନାରୀଟି ତାକୁ ହାତଧରି ନେଇଯାଇଛି ପୁରୁଷସଙ୍ଗ ପାଇଁ । ସ୍ଵାମୀ ନ ହୋଇ, ‘ସ୍ୱାମୀ ଧରଣର’ ଆଉ କେହି ପୁରୁଷ ହୋଇଥିଲେ ମଧ୍ୟ କିଛି ଫରକ୍ ପଡ଼ି ନଥାନ୍ତା ! - ଏମିତି ସତେ କାହିଁକି ହୁଏ ?? କିଶୋରୀ ବାବୁ ? -ମଣିଷର ଅବଚେତନ ଭିତରେ ଏତେ କଥା ସତେ କାହିଁକି ଲୁଚି ରହିଥାଏ ?

 

ମୋଟାମୋଟି ଭାବରେ ସବୁ ନାରୀ ଚରିତ୍ରରେ ସେଇ ଗୋଟିଏ ମାତ୍ର ଗଡ଼ାଣି ଆପଣଙ୍କ ଗଳ୍ପ ସମ୍ଭାରରେ । କିଏ ନାହିଁ କଲା ଜୀବ ସମ୍ପର୍କରେ ସେକ୍ସ ଅନିବାର୍ଯ୍ୟ । କିନ୍ତୁ ତାକୁ ମଣିଷ ଜୀବନର କେନ୍ଦ୍ରବିନ୍ଦୁ ରୂପେ ଦେଖିବା ଏବଂ ବୁଝିବା କ’ଣ ସେପରି ଅନିବାର୍ଯ୍ୟ ? ଏପୋଲୋ କିମ୍ବା ପର୍ସିଅସ୍‌ଙ୍କ ଅନିନ୍ଦ୍ୟସୁନ୍ଦର ମାର୍ବଲ ପ୍ରତିମାର ଯୌନାଙ୍ଗ ଉପରୁ ଡିମ୍ବିରି ପତ୍ରଟିକୁ ଅପସାରିତ କରିବା କ’ଣ ଅନିବାର୍ଯ୍ୟ ? ରୋଦାଙ୍କ ‘ଚୁମ୍ବନ’ ମୂର୍ତ୍ତିକଳାରେ ନଗ୍ନିକା ନାରୀ ରୂପ ଆଉ ସେ ଉତ୍ତେଜକ ଉବ୍ଦୀପକ ଭଙ୍ଗୀ କ’ଣ ଯଥେଷ୍ଟ ନୁହେଁ ଯେ ଆଉ କ’ଣ କୋଉଠି ଅପ୍ରକଟ ଅଛି ତାକୁ ଖୋଜିବୁଲିବା ? କୋଣାର୍କ ମନ୍ଦିରରେ ରତିବନ୍ଧ ମୂର୍ତ୍ତି ଦେଖି ଏକଦା ଗୋପୀବାବୁ କହିଥିବାର ଶୁଣାଯାଏ ‘‘ଫାଜିଲ ବାବାଜିଟା !” ସେଥିରେ ସତରେ ସ୍ଥୂଳ ସଙ୍ଗମର ଚିତ୍ର ସିବା ଆଉ ସେପରି କିଛି ମୂର୍ତ୍ତିକଳାର ଉତ୍କର୍ଷ ନାହିଁ ଯେମିତି ଅଛି ସୂର୍ଯ୍ୟ ମୂର୍ତ୍ତିରେ ବା ମୃଦଙ୍ଗିନୀ ଅଥବା ଶାଳଭଞ୍ଜିକାରେ ! ଡିମ୍ବିରି ପତ୍ର ଟେକିବା ଯାହା ଜୀବନର ବିପୁଳ ବିଭବ ସତ୍ତ୍ୱେ ସେକ୍ସକୁ ଅନାବୃତ କରିବା ତାହା ନୁହେଁ କି ? ସେଥିରେ କ’ଣ ଏମିତି ବିସ୍ମୟଟା ଅଛି କି ? ଯଦି ଅଛି, ମଣିଷର ମାନସିକତାରେ ଦୋମିଶା, ବହୁମିଶା ଜଟିଳ ବୈଚିତ୍ର୍ୟରେ ! ଆପଣ ସେଇଆ ହିଁ ଦେଖାଇବାକୁ ପ୍ରୟାସ କରିଛନ୍ତି ନା ?

 

ମୋର ଆପଣଙ୍କ ସାଙ୍ଗରେ କଜିଆ କରିବାର ନାହିଁ, କିଶୋରୀବାବୁ ! ମୁଁ କେବଳ ଏଇ ଗଣ୍ଠି କଥାଟାକୁ ଟିକିଏ ଫିଟେଇବାକୁ ଚାହେଁ । ଆପଣ ବେଶ୍ ଜାଣନ୍ତି ଯେ ନାରୀଟିଏ କେବଳ “ନାଲି, ନେଳୀ ସିଲ୍‍କରେ ବନ୍ଧା ମାଂସପିଣ୍ଡୁଳା ନୁହେଁ । ତାକୁ କେବଳ ସମ୍ଭୋଗ ବସ୍ତୁ ବା ‘ସେକ୍ସ ଅବଜେକ୍ଟ’ ବୋଲି ଭାବିବା ଏକପ୍ରକାର ଅସ୍ୱାଭାବିକ ଏକବାଗିଆ ମାନସିକତା- ଏକ ‘ଅବସେସନ୍’-। ଆଦ୍ୟ ଯୌବନର ଅପ୍ରାପ୍ତବୟସ୍କ ମାନସିକତା ! କାବ୍ୟଶାସ୍ତ୍ରରେ ଆପଣ ପ୍ରବୀଣ । ଆପଣଙ୍କୁ ମୁଁ ବା କ’ଣ କହିବି ? ଶୃଙ୍ଗାର ରସର ବହୁ ସ୍ତର ଓ ବିସ୍ତାର ରହିଛି ତ ! ତା’ର ପ୍ରେମଭାଗ ଅଛି, କାମ ଭାଗ ବି ଅଛି । ତାର ସୁକୁମାର ଲଳିତ ବିଭବ ଅଛି । ତାର ଉଜ୍ଜ୍ୱଳ ଐଶ୍ୱର୍ଯ୍ୟମୟ ଉତ୍ତୀର୍ଣ୍ଣ ସ୍ଥିରରୂପ ମଧ୍ୟ ଅଛି । ଉଭୟରେ ରସୋତ୍ପତ୍ତି ଘଟେ ପ୍ରାଣକେନ୍ଦ୍ରରେ । ଏପରିକି କାମଭାଗ ମଧ୍ୟ ବେଶ୍ ମର୍ଯ୍ୟାଦାବନ୍ତ ହୋଇପାରେ । ସେଥିରେ ଲୁଚାଚୋରା ସଙ୍କୋଚ ଦ୍ୱିଧା ବି ନ ରହିପାରେ । ପରକୀୟା ମଧ୍ୟ ଜୈବିକ ଯୌନାଚାର ନ ହୋଇ ଏକ ମାନନୀୟ ସମ୍ପର୍କ ହୋଇପାରେ । କିନ୍ତୁ ଆପଣ ‘ରାତି କୁକୁର’ ଗଳ୍ପରେ ଯେଉଁ କୁତୀଟିକୁ ଦେଖେଇଛନ୍ତି ଖାଲି ରୂପବଜଳ କରି ଆମ ନରନାରୀ ସମ୍ପର୍କକୁ କଟାକ୍ଷ କରିନାହାନ୍ତି କି ? ଆମର ଗୋଟାଏ ଭାଗ କାଦୁଅ ନିଶ୍ଚୟ କିନ୍ତୁ ଅବଶିଷ୍ଟ ବୃହତ୍ ଭାଗରେ ଯେଉଁ ଦୀପ୍ତି, ଯେଉଁ ସୁଗନ୍ଧ, ଯେଉଁ ନିର୍ମଳତା ଅଛି ତା’ ଉପରେ କାଦୁଅ ବୋଳି ତାକୁ ନ୍ୟୁନ କରିଦେବାରେ କ’ଣ ସାର୍ଥକତା ବା ଅନିବାର୍ଯତା ଅଛି ? ବରଂ ସେ ମହତ୍ତର ଭୂମିକୁ କାଦୁଅ ଭାଗରେ ରଞ୍ଜେଇ ପାରିଥିଲେ କେମିତି ହୋଇଥାନ୍ତା ?

 

ଆପଣ ସାମାନ୍ୟ ବିସ୍ମିତ ଓ ବିରକ୍ତ ହେବାର ମୁଁ ଅନୁଭବ କରୁଛି । “ଭଲା ଲୋକ ହାବୁଡ଼ରେ ପଡ଼ିଲି ! ଇଏ ତ ମୋର ନୀରବତାର ଫାଇଦା ଉଠେଇ ଚାଲିଛି । ମୋତେ ପାଠ ପଢ଼େଇବା ଆରମ୍ଭ କରିଦେଲାଣି ! ଆରେ ବାବୁ ମୁଁ ଏମିତି ନ କରି ସେମିତି କରିଥିଲେ କ’ଣ ହୋଇଥାନ୍ତା କହି ଲାଭ କ’ଣ ? ସେଇଟା କ’ଣ ତୁମ ଲେଖା ପାଇଁ କୁହାଯାଇପାରିବ ନାହିଁ ନା ସେକ୍ସପିଅର, ଦାନ୍ତେଙ୍କୁ କୁହାଯାଇପାରିବ ନାହିଁ ? - ବିକଳ୍ପ ତ ବାର ହଜାର ହୋଇପାରେ । କିନ୍ତୁ ବାସ୍ତବତା ହେଲା ଆଚ୍ଛା, କହନ୍ତୁ ନା ଆପଣଙ୍କୁ ଭଲ ନ ଲାଗିପାରେ, କିନ୍ତୁ ମଣିଷକୁ ମୁଁ ଯେମିତି ଦେଖେଇଛି, ସେଇଟା ସତ ନା ନୁହେଁ ?”..

 

ନିଶ୍ଚୟ ସତ । ମୁଁ ଆପଣଙ୍କୁ ନ ପଢ଼ି, ନ ବୁଝି ଏମିତି ଖାଲି ବକ୍‍ବାସ୍ କରୁଛି ନା କ’ଣ ? ଯାହାକୁ ଯେ ଭଲପାଏ, ତାକୁ ଆଉ ଟିକିଏ ଭଲ ରୂପରେ ଦେଖିବାକୁ ମନ କରିବା ପାଇଁ ମନା ଅଛି-? ମଣିଷ ମନର ଯେଉଁ ଜଟିଳତା କଥା ଆପଣ ସୂଚେଇଛନ୍ତି ମୁଁ ଅଳ୍ପେ ବହୁତେ ତାକୁ ବୁଝିଛି । ଅନେକେ ଜାଣନ୍ତି କିନ୍ତୁ ମାନନ୍ତି କି ନାହିଁ କେଜାଣି ଯେ ମେଦିନୀ ତ୍ରିପାଦ । ପାଦକେ ପୃଥିବୀ । ଦ୍ୱିପାଦରେ ଆକାଶ । ତ୍ରିପାଦରେ ଅନ୍ତରୀକ୍ଷ । ଏ ବିସ୍ତାର ଭିତରେ ମଣିଷ ମନର ବୈଚିତ୍ୟ ବିଭବ ଅସୁମାରି । କେବଳ ଗୋଟିଏ ଅଖଞ୍ଜ ଦେଖେଇଦେଲେ ଯଥେଷ୍ଟ ହେଉ ନାହିଁ । ଏ ବୈଚିତ୍ର୍ୟ ଏକ ଅତି ଜଟିଳ ବହୁ ସ୍ଥୂଳ ସୂକ୍ଷ୍ମ ଉପାଦାନର ଅଭୁତ ବିନ୍ୟାସ ତ ହୋଇପାରେ । -ନା, ନା ମୁଁ କୌଣସି କଟ୍ଟର ନୀତିବାଦୀ ବା ଆଦର୍ଶବାଦୀ ନୁହେଁ । ଭଲ ଅସାର କ’ଣ, ଆପଣ କହିଲା ପରି, କ’ଣ ସହଜ ହେଇଚି ଜାଣିବା ପାଇଁ ? ସତରେ ଏଇଠି ନିରୁତା ଭଲ କେହି ନାହାନ୍ତି, ନିଚ୍ଛକ ମନ୍ଦ ବି କେହି ନାହାନ୍ତି । ସବୁ ଦୋମିଶା, ବହୁମିଶା, ବିଚିତ୍ର ଜୀବ । କେବଳ ଭାଗମାପ ନେଇ ଆପଣଙ୍କ ସାଙ୍ଗରେ ମୋର ଏ ଭିଡ଼ାଭିଡ଼ି ଚାଲିଛି ।

 

ହେଲା, ହେଲା ! ଆପଣ ଚିଡ଼ନ୍ତୁ ନାହିଁ । ମୁଁ ଆପଣଙ୍କ ଭଳି କହିପାରୁଥିଲେ ପନ୍ଦର ପୃଷ୍ଠା ଯାଏଁ ଗପିଗଲେ ବି ଶୁଣିବା ଲୋକ ବିରକ୍ତ ହେବାର ପ୍ରଶ୍ନ ଉଠୁ ନଥିଲା । ଆମେ ତ ଫେର ଆପଣଙ୍କୁ ଶୁଣୁଛୁ । ଆପଣ କଥା କହିଲାବେଳେ ଶୁଣିବା ଲୋକର ନାଡ଼ି ଉପରେ ଟିକ ମଡ଼େଇଥାନ୍ତି । ସେଇଠି ସାମାନ୍ୟ ଅନାଗ୍ରହ ଦେଖାଦେବା ପୂର୍ବରୁ ଆପଣଙ୍କୁ ମାଲୁମ ହୋଇଯାଏ । ଆପଣ ସାଙ୍ଗେ ସାଙ୍ଗେ ସ୍ଵର, ଭଙ୍ଗୀ ବଖାଣ ବଦଳେଇ ଦିଅନ୍ତି । କଥା କହି କାନମୂଳେ ଥାପୁଡ଼ି ମାରି ସେ ବିଚାରାକୁ ଶୁଆଇ ଦିଅନ୍ତି ନାହିଁ । ବହୁ କଥାକାର ସେଇଆ କରିଥାନ୍ତି । ଆପଣ ବରଂ ତା’ ଆଖିରୁ ନିଦ ଉଡ଼େଇ ଦିଅନ୍ତି; ଚମକେଇ ଦିଅନ୍ତି ତା’ ନାଭିକେନ୍ଦ୍ର !

 

ଭାବୁଛି ଆପଣଙ୍କ ଅବସରପ୍ରାପ୍ତ ଉଚ୍ଚାଧିକାରୀ ‘ଗଗନବାବୁ’ଙ୍କୁ ଆଜିର ଆଳାପ ପାଇଁ ଶେଷ ପ୍ରସଙ୍ଗ ରଖିବି । ଆପଣଙ୍କର କିଛି ଆପତ୍ତି ଅଛି କି ?

 

‘ଆପତ୍ତି ଥିଲେ ବି ଆପଣ କ’ଣ ମାନିବା ଜନ୍ତୁ । କହନ୍ତୁ କ’ଣ କହିବାକୁ ଚାହୁଁଛନ୍ତି ।”

 

‘ଭୟ, ପ୍ରେମ, ଗେଣ୍ଡୁଫୁଲ’ ଗଳ୍ପଟିକୁ ବାଛିବାର କାରଣ ହେଲା ଯେ, ଆପଣ ସେଥିରେ ସମଗ୍ର ପାଣ୍ଡୋରା ପେଡ଼ିଟିକୁ ଫିଟେଇ ଦେଇଛନ୍ତି । ବଢ଼ିଆ ଗଳ୍ପ ବିନ୍ୟାସରେ, କଥନଶୈଳୀରେ ଆଉ ମୃଦୁ ବ୍ୟଙ୍ଗ ବିଦ୍ରୂପରେ । ଆଉ ଗୋଟିଏ କାରଣ ହେଲା ଯେ ଆପଣଙ୍କ ସର୍ବଶେଷ ଗଳ୍ପ ‘ଗଦ୍ୟ ଓ ଗେଣ୍ଡୁଫୁଲ’ ଏ ଗଳ୍ପର ଏକପ୍ରକାର ପରିପୂରକ । ଭୟ, ପ୍ରେମ, ଗେଣ୍ଡୁଫୁଲ ପୁରୁଷପକ୍ଷର ବୟାନ ଏବଂ ଅନ୍ୟଟି ନାରୀର । ବିଷୟ ଗୋଟିଏ । - ଆଚ୍ଛା ‘ଗେଣ୍ଡୁଫୁଲ’କୁ ଏମିତି କାହିଁକି ବେଜ୍ଜିତ୍ କରିଛନ୍ତି । ସତେବା ବିଦ୍ରୂପର ସାକାର ନିଲଠା ରୂପ ହେଲା ଗେଣ୍ଡୁଫୁଲ । ଆଉ ବି ଅନେକ ରଜନୀଗନ୍ଧା ଓ ଗୋଲାପର ଗରାକ ଅଛନ୍ତି ଯେଉଁମାନେ ଏ ନିଦା, ମାଜୁରା ଓଜନିଆ ଗେଣ୍ଡୁଫୁଲଟାକୁ ଫୁଲ ବୋଲି ମାନନ୍ତି ନାହିଁ । ଖାଲି ପ୍ରଥମ ପ୍ରେମିକାର ଗଳାରେ ଏଥିରୁ ଗୋଟିଏ ମାଳ ଲମ୍ବେଇ ଦେବାର କଳ୍ପନା କଲେ ହିଁ ଏହାର ଅଯୋଗ୍ୟତା ବୁଝାପଡ଼ିଯାଏ ।

 

ସେଇ ଗଳ୍ପକୁ ଫେରିଆସିବା । ପ୍ରଥମେ ‘ଭୟ’ । ଭୟ କାହାକୁ ଓ କାହିଁକି ? ଏଭଳି ବ୍ୟାପାରରେ ପ୍ରଥମେ ଭୟ ବିବାହିତା ପତ୍ନୀକୁ, ପରିବାରକୁ, ସମାଜକୁ, ଲୋକଲଜ୍ଜାକୁ, ବଦନାମକୁ ଅପରାଧବୋଧକୁ, ପାପବୋଧକୁ, ଦଣ୍ଡକୁ, ପ୍ରାୟଶ୍ଚିତ୍ତକୁ ଓ ଆଉ ଅନେକ ପ୍ରକାର ପରିଣାମକୁ ! ଠିକ୍ ନା ?

 

କାହିଁକି ? - ଗଗନବାବୁ ‘ଅବସରପ୍ରାପ୍ତ ଉଚ୍ଚାଧିକାରୀ’ ବୁଝିଛନ୍ତି, ନୀତି କ’ଣ, ନୀତି ଲଙ୍ଘନ କ’ଣ ଓ ସେଇ କାରଣରୁ ଅପରାଧ କ’ଣ । ଏଣୁ ଅପରାଧ କରି ତାକୁ ସ୍ୱୀକାର କରି ନ ପାରିବା, ସ୍ୱୀକାର କରିବାକୁ ଦେଦୋପାଞ୍ଚ ହେବା, ଧକପଚ ହେବା ହିଁ ତ ଭୟ ! ଭଲମନ୍ଦର ମାପକାଠିରେ ଭୁଲ ଥାଇପାରେ କିନ୍ତୁ ଏଇ ଭଲମନ୍ଦକୁ ମୋଟାମୋଟି ମାନିନେବା ତ ସାମାଜିକତା ଶିଷ୍ଟାଚାର କିମ୍ବା ହୋଇପାରେ କିଛି ମାତ୍ରାରେ ଶଠତା, ବା କପଟତା । ଗଗନବାବୁଟି ବିଚରା ମୂଳରୁ ଡରକୁଳା । କିନ୍ତୁ ଶେଷବେଳେ ବୁଡ଼ି ବୁଡ଼ି ପାଣି ପିଇବାରେ ପକ୍କା ଜଣେ । ଆଚରଣର ମୁଖାଟିଏ ଜାଣିଶୁଣି ପିନ୍ଧିଥାନ୍ତି କାରଣ ତାଙ୍କୁ କାଢ଼ି ଥୋଇଦେବାକୁ ଜୀବନର ଏତେକାଳ ଭିତରେ ତାଙ୍କର ସାହସ ହୋଇ ନାହିଁ ସେଥିପାଇଁ ତାଙ୍କର ଦୋମିଶାପଣ । ଦୋଦୋପାଞ୍ଚ ସଙ୍କୋଚ ।

 

ତା’ପରେ “ପ୍ରେମ” । ନାରୀ ପୁରୁଷ କଥା ତ । ତାକୁ ଏ ପରିଣତ ବୟସରେ ସେ ସହଜରେ କହିଦେଇ ପାରୁ ନାହାନ୍ତି କାହିଁକି ? - ଏବଂ ପରିଶେଷରେ କହୁଛନ୍ତି ବା କାହିଁକି ? - କହିପାରୁ ନାହାନ୍ତି କାରଣ କହିବାକୁ ଡରୁଛନ୍ତି, ଡରୁଛନ୍ତି କାରଣ ଭିତରେ ଭିତରେ ଭୁଲ୍ କରିଛନ୍ତି ବୋଲି ଜାଣୁଛନ୍ତି । ଶେଷରେ କହିଦେଉଛନ୍ତି କାରଣ ସେ ବୋଝଟାକୁ ଆଉ ସେ ବୋହିପାରୁ ନାହାନ୍ତି । ଲୁଚେଇ ରଖିପାରୁ ନାହାନ୍ତି ବଡ଼ଭାଇଙ୍କ କଲମଚୋରି କରିଥିବା ପ୍ରସଙ୍ଗ ପରି । - କହୁଛନ୍ତି କାରଣ କହିଦେଲେ ହାଲୁକା ଲାଗିବ ନିଜକୁ, କାରଣ ଡିଙ୍ଗୁରା ପିଟି କହିଦେଇ ପାରିବା ଗୋଟାଏ ପ୍ରକାର ବାହାଦୁରି ବି ତ ହୋଇପାରେ । - ଯେମିତି ଧରାଯାଉ ସେ କହୁଛନ୍ତି – ‘‘ଏଇଟାକୁ ଅନୀତି, ଅପରାଧ ବୋଲି କହୁଛି ତ ? – ହଁ ମୁଁ ଏସବୁ କରିଛି ! କ’ଣ ହେଇଗଲା ସେଇଠୁ ? କିଏ ସେମିତି କରି ନାହିଁ ? ସତସତିକା କରିଛି ନ ହେଲେ ମନେ ମନେ କରିଛି । – ମୁଁ ତ ଆଉ ଲୁଚଉ ନାହିଁ । ତମେ କ’ଣ କରୁଚ କରୁନା’ ! ମୁଁ ମୋର ଅନ୍ୟତମ ମଉସାଙ୍କ ଝିଅ ‘ବିନି’କୁ ଅର୍ଥାତ୍ କାଦମ୍ବିନୀକୁ ପ୍ରେମ କରିଛି, କରିଛି, କରିଛି !” ବୁଢ଼ାଟା ମୁହଁରେ ଏମିତି ପ୍ରେମ ଜିନିଷଟା ‘ଜୋକ୍ସ’ ପରି ଲାଗିବା କଥା, ଏବଂ ତଥାପି କହିଦେଲା ପରେ ହାଲିଆ ଲାଗିବା କଥା । ୟା’ ପରେ ତମ ପ୍ରେମର ଗେଣ୍ଡୁଫୁଲକୁ ବୁଲାଗୋରୁ ଖାଇଯିବା କଥା - ହସିବା କଥା, କାନ୍ଦିବା କଥା ! !

 

ପ୍ରେମ କଥାଟାକୁ ଆପଣ ଆଦ୍ୟ ଯୌବନର ଚୁଲଚୁଲିଆ ବୟସରେ ବେଶ୍ୟାଳୟକୁ ଯିବାଠୁ ଆରମ୍ଭ କରିଛନ୍ତି । ତା ମାନେ ମୋଟ୍ ଉପରେ ଆପଣ ପ୍ରେମ ନାଁରେ ସେକ୍ସ କଥା ହିଁ କହୁଛନ୍ତି । ନାରୀକୁ ପ୍ରେମ କରିବାର ମୋଟାମୋଟି ଅର୍ଥ ହେଲା ତା’ ସହିତ ସେକ୍ସ ଘଟଣା ଘଟାଇବା । ନାରୀ ଆଉ ଯାହା ହେଉ ନ ହେଉ, ଏ ଦୃଷ୍ଟିରୁ ସେ ଗୋଟିଏ ଭୋଗ୍ୟବସ୍ତୁ । - ଅର୍ଥାତ୍ ସେକ୍ସ ଅବଜେକ୍ଟ !

 

ନା ନା ପ୍ରେମ ମାନେ ପ୍ରେମ । ଭଲପାଇବା ଯେତେହେଲେ ଗୋଟାଏ ଭଲ କଥା । ତେଣୁ ତାକୁ ସ୍ୱୀକାର କରିବାରେ କୌଣସି ବାଧା ନାହିଁ ।” – କେତେ ଥଟ୍ଟାଳିଆ ଶୁଭୁଚି କଥାଟା ! !

 

ହିଁ ‘ଜୟନ୍ତୀ’ ବନ୍ଧୁପତ୍ନୀଟିକୁ ଚୁମ୍ବନ କରିବାରେ ଅସୁବିଧା ନାହିଁ ? – ସତେ ? -କୌଣସି ଅସୁବିଧା ନାହିଁ ? -ତା’ହେଲେ ଗଗନବାବୁ, ଆଉସବୁ ଚାହିଁବା, ହସିବା ଆଦି ସାଧାରଣ ଘଟଣା ଭଳି ତାକୁ ଭୁଲିପାରୁ ନାହାନ୍ତି କାହିଁକି ?

 

ପୂର୍ଣ୍ଣିମା ଦାସ, ବିଚାରୀ ମାଷ୍ଟ୍ରାଣୀ ତା ସହିତ କବିତା ଦିଆନିଆ ଭାବ ଦିଆନିଆ । ତା’ପରେ ‘‘ଦୁଃଖର ବିଷୟ ଯେ ଥରେ ସେକ୍ସ ଘଟଣା ବି ଘଟିଗଲା ତା ସାଙ୍ଗକୁ !” ଦୁଃଖର ବିଷୟ ! ସତେ ! ସତେ !

 

ତା’ ପରେ ସତ୍ୟବତୀ ମେହେତା - ଜୁନିଅର ସହକର୍ମିଣୀ, ଅବିବାହିତା । ତା’ ହାତଟିକୁ ଧରିବା, ପିଠିକୁ ଆଉଁସି ଦେବା – ଏଭଳି ବଡ଼ଭାଇମାନଙ୍କ ଗ:ସା:ଗୁ: ଆଚରଣ ଆଢ଼ୁଆଳରେ କ’ଣ ସତେ ଚାହୁଁଥିଲେ ଗଗନବାବୁ ? ସେକ୍ସ ? - ନା’ ବାବା ନା’ ! ସେଥିପାଇଁ ସାହସ କାହିଁ ? ସାହସ ନଥିବା ଅର୍ଥ ଅପରାଧବୋଧ ଆଉ ଭୟ, ନା’ ନୁହେଁ ?

 

“ଗଗନବାବୁ କଠୋର ନୀତିବାଦୀ (!) ପରଫେକ୍ସନିଷ୍ଟ ! ଏଣୁ ତାଙ୍କ ଅଚରଣ ସବୁ ସ୍ଵାଭାବିକ, ନିର୍ଦ୍ଦୋଷ ! ଏତେ ଟିକେ ମଳି ଝଳି ଯାହା ଦିଶୁଚି, ଏବଂ ଯେଉଁଥିପାଇଁ ସେ ଏତେକାଳ ଦହଗଞ୍ଜ ହୋଇଛନ୍ତି, ତାହାଚନ୍ଦ୍ରମାରେ କଳଙ୍କ ଭଳି ! ବାଃ, ବାଃ ! !

 

ତା’ହେଲେ ଗଗନବାବୁଙ୍କୁ ସର୍ବସାଧାରଣ ପୁରୁଷଙ୍କ ନମୁନା ବୋଲି ଧରିନେବା କି ? ଏବଂ ସେଇପ୍ରକାରେ ‘ଗୀତା ବୋଉ’କୁ ବା ଆପଣଙ୍କ ଶେଷଗଳ୍ପ ବା ‘ଗଗନବାବୁଙ୍କ ମୁଦ୍ରାର ଆରପାଖ ଧେଡ଼ୀ ଶୁକୁଟୀ ସୁମିତ୍ରାକୁ ନାରୀଙ୍କ ନମୁନା ବୋଲି ମାନିନେବା- ଅନ୍ତତଃ ମାନସିକତାରେ ?

 

ଆପଣ ହୁଏତ କହିବେ, “ ଆରେ, ଆପଣ ଭାରି ତୁରୁତୁରିଆ ଲୋକ ଦେଖୁଚି । ଗଳ୍ପର ଚରିତ୍ର ଗୋଟାଏ ବ୍ୟବଚ୍ଛେଦ, ଗୋଟାଏ କୋଣରୁ ଉଠାଇଥିବା ପରିଚିତ ବା ଅପରିଚିତ ଆଲୋକ ଚିତ୍ର । ତାକୁ ଏମିତି ଗୋଟାଏ ନମୁନା, ମାନଦଣ୍ଡ କରି କାହିଁକି ମାପିବାକୁ ତରବର ହଉଚନ୍ତି ? - ମୋତେ; ମୋର ଜୀବନଦର୍ଶନକୁ, ମୋ ସାହିତ୍ୟ, ଗଳ୍ପ, କଳା ଓ କାରିଗରିକୁ ? – ମିଶାଗୋଳିଆ କରନ୍ତୁ ନାହିଁ । ମୁଁ ଗୋଟାଏ ଢଙ୍ଗରେ ଦେଖିଛି, ବୁଝିଛି । ଏଣୁ ସେଇଭଳି ଦେଖେଇବାକୁ ବୁଝେଇବାକୁ ଚାହିଁଛି । ସେମିତି ଆପଣଙ୍କ ଗଳ୍ପର ଚରିତ୍ରକୁ କ’ଣ ନମୁନା କରି ନେଇହେବ ନା ନେବା ଉଚିତ୍ ?

 

ବାଃ ବଢ଼ିଆ, କିଶୋରୀବାବୁ ! ମାନିଗଲି । ଆପଣ ଭାରି ସିଆଣା, ଚମତ୍କାର ରସିକ ଲୋକ । ଆପଣଙ୍କ ସାଙ୍ଗ ଆଳାପ ଜମିଗଲେ ସ୍ଵର୍ଗ ମର୍ତ୍ତ୍ୟ ଭୁଲି ହୋଇଯାଏ ।

 

ଏବେ ଜାଣିଛନ୍ତି ନା କିଶୋରୀବାବୁ ଆପଣ ଏ କୁହୁଡ଼ି ଆଢୁଆଳକୁ ଚାଲିଯିବା ପରେ ଥାକ ଥାକ ପୋଥି, ପ୍ରବନ୍ଧ ଲେଖାଚାଲିଛି । ଭାରି ପଣ୍ଡିତିଆ, କଷ୍ଟିଆ, କଷ୍ଟିଆ ନିବଦ୍ଧ । ଆପଣ ପଢ଼ିଥିଲେ କ’ଣ ହୋଇଥାନ୍ତେ କେଜାଣି ! ଆପଣ ଯେମତି ଲାଜକୁରା ଭଦ୍ରଲୋକ ନା, କିଛି କହି ନଥାନ୍ତେ ହୁଏତ । କିନ୍ତୁ ଭିତରେ ଭିତରେ ଭାରି କୁତୁକୁତୁ ଅନୁଭବ କରିଥାନ୍ତେ- ଆରେ, ଏତେ କଥା ମୋ ଗଳ୍ପ ଭିତରେ ସତରେ ଥିଲା ନା’ କ’ଣ ? ଏମାନେ ସବୁ ସେତେବେଳେ ଏମିତି କହୁ ନଥିଲେ କାହିଁକି ?

 

ମୋତେ ଚାହିଁଲେ ମୁଁ କ’ଣ ଜବାବ ଦେବି । ଖାଲି ଆପଣ ପରିହାସ କଲାପରି ହୁଏତ କହିବି, ‘ଏମିତି ବି ହୁଏ ।”

 

ବିଦାୟ ନେବାକୁ ମନ ହଉ ନାହିଁ । ଆଉ ଢେର ଢେର୍ କଥା ରହିଗଲା । ପୁଣି ଆଉ ଗୋଟାଏ ଆସରରେ ଆପଣଙ୍କ ସହିତ ଆଳାପ କରିବାକୁ ଇଚ୍ଛା । ଆସିବି ନା ? ଆପଣଙ୍କଠାରୁ ମୁଁ ବୁଝିପାରୁଛି । ମୁଁ ନିଜେ କୁହୁଡ଼ି ସେପାରି ଚାଲିଗଲେ ଆହୁରି ସୁବିଧାରେ ଗପ ଜମନ୍ତା ! ଆପଣ କ’ଣ ସତରେ ସେଇଆ ଚାହାନ୍ତି ?

 

ଆପଣଙ୍କ ସେ ‘ବେବିଫେସ୍‌’ରୁ ମନକଥା କ’ଣ ସତରେ ଜାଣିହୁଏ ? ଭାରି କଅଁଳିଆ, ଗୁମ୍‌ସୁମିଆ, ଭଦ୍ରଲୋକିଆ ଚେହେରାଟା ତ ! -ହଉ, ଆସୁଚି ! ନମସ୍କାର !

 

ଏନ୍. -୧/ଏ୩୨, ନୂଆପଲ୍ଲୀ, ଭୁବନେଶ୍ଵର

***

 

କିଶୋରୀ ଚରଣଙ୍କ ଗଳ୍ପ : ବର୍ଣ୍ଣନା ଓ ବ୍ୟଞ୍ଜନା

ପ୍ରଫେସର ବୈଷ୍ଣବ ଚରଣ ସାମଲ

 

ଯଦିଓ କିଶୋରୀଚରଣ ଦାସ ୧୯୪୨ରୁ ଗଳ୍ପ ରଚନା ଆରମ୍ଭ କରିଥିଲେ ମୁଖ୍ୟତଃ ୧୯୫୦ ମସିହା ପରବର୍ତ୍ତୀ ସମୟରୁ ୨୦୦୪ ମସିହାରେ ଦେହାନ୍ତ ପର୍ଯ୍ୟନ୍ତ ନିରବଚ୍ଛିନ୍ନ ଭାବରେ ଗଳ୍ପ ଲେଖିଛନ୍ତି । “ଭଙ୍ଗାଖେଳଣା’ (୧୯୬୧) ତାଙ୍କର ପ୍ରଥମ ଗଳ୍ପ ସଙ୍କଳନ । ଏହାପରେ ଘରବାହୁଡ଼ା (୧୯୬୮), ଲକ୍ଷ ବିହଙ୍ଗ (୧୯୬୮), ମଣିହରା (୧୯୭୦), ଠାକୁରଘର (୧୯୭୫), ନାଲିଗୁଲୁ ଗୁଲୁ ସାଧବ ବୋହୂ (୧୯୭୮), ଗମନ (୧୯୮୦), ଖେଳର ନାଆଁ ରଙ୍ଗ (୧୯୮୨), ଭିନ୍ନ ପାଉଁଶ (୧୯୮୪), ଶୀତଲହରୀ (୧୯୮୬), ତ୍ରୟୋବିଂଶ ମୃତ୍ୟୁ (୧୯୮୭), ଲେଉଟାଣି (୧୯୮୯), ନିଜ ସଞ୍ଜ (୧୯୯୨), ଧବଳ ଆକାଶ (୧୯୯୪), ଥରୁଟିଏ (୧୯୯୭), ତରଙ୍ଗ (୧୯୯୭), ଶେଷଗଳ୍ପ (୨୦୦୦), ପରଦା ତଳେ ଓ ଅନ୍ୟାନ୍ୟ ଗଳ୍ପ (୨୦୦୨), । ଶାନ୍ତ ଅପରାହ୍ନ (୨୦୦୨), ନିଆଁ (୨୦୦୪) ଆଦି ସର୍ବମୋଟ କୋଡ଼ିଏଟି ଗଳ୍ପ ସଙ୍କଳନ ପ୍ରକାଶ କରିଅଛନ୍ତି । ମୋଟ ୨୧୯ ଟି ଗଳ୍ପର ସେ ସ୍ରଷ୍ଟା । ଏତଦ୍‌ଭିନ୍ନ ସେ ପରିଣତ ବୟସରେ ଉପନ୍ୟାସ ରଚନା କରିଛନ୍ତି, କବିତା ଲେଖିଛନ୍ତି, ପ୍ରବନ୍ଧ ଲେଖିଛନ୍ତି; ଲେଖିଛନ୍ତି ମଧ୍ୟ ଆତ୍ମଚରିତ ‘ସମୟ ନାହିଁ’ (୨୦୦୪) । ତାଙ୍କର ବହୁ ଗଳ୍ପ ଭାରତବର୍ଷର ତଥା ପୃଥିବୀର ବିଭିନ୍ନ ଦେଶର ଭାଷାରେ ଅନୂଦିତ ହୋଇ ପାଠକୀୟ ଶ୍ରଦ୍ଧା ଅର୍ଜନ କରିଅଛି । ତାଙ୍କର ମଧ୍ୟ କେତେକ ଗଳ୍ପ ଇଂରାଜୀ ଭାଷାରେ ଅନୂଦିତ ହୋଇ ଛଅଟି ସଙ୍କଳନରେ ଅନ୍ତର୍ଭୁକ୍ତ ହୋଇଅଛି । ଜଣେ ସ୍ୱଭାବରେ ଲଜ୍ଜାଶୀଳ ମଣିଷ, ଅଥଚ ଚାକିରି କ୍ଷେତ୍ରରେ କର୍ତ୍ତବ୍ୟ ସମ୍ପାଦନ କଲାବେଳେ ଅତ୍ୟନ୍ତ ବିଚାରବନ୍ତ ଓ ସମୟ ସଚେତନ, ବ୍ୟକ୍ତିଗତ ଜୀବନରେ ନୀରବ ଓ ସ୍ଵଳ୍ପଭାଷୀ ଅଥଚ ଲେଖିଲା ବେଳେ ପ୍ରଗଳ୍‍ଭ, କେବଳ ତୈଜସ ଦୃଷ୍ଟିରେ ନୁହେଁ; ବୈଶ୍ଵାନର ଦୃଷ୍ଟିରେ ଅନ୍ତର୍ନିହିତ ସତ୍ୟର ନିରୀକ୍ଷକ କିଶୋରୀ ଚରଣ ବାସ୍ତବିକ ଓଡ଼ିଆ କ୍ଷୁଦ୍ରଗଳ୍ପ କ୍ଷେତ୍ରରେ ଅନନ୍ୟ ପ୍ରତିଭାର ଅଧିକାରୀ । ସେ ଏକ୍‌ଷ୍ଟ୍ରୋଭର୍ଟ ନୁହଁନ୍ତି; ଇଣ୍ଟ୍ରୋଭର୍ଟ । ତେଣୁ ଓଡ଼ିଶାରୁ ଭାରତର ନାନା ପ୍ରଦେଶ ଓ ବିଦେଶର ନାନା ଦେଶକୁ ଯାଇ ଆପଣାର ସରକାରୀ ବୃତ୍ତି ନିର୍ବାହ କରି ଭାରତ ବର୍ଷର ଆକାଉଣ୍ଟାଣ୍ଟ ଜେନେରାଲ ପଦରେ ଅଧିଷ୍ଠିତ ହୋଇଥିଲେ ମଧ୍ୟ ସର୍ବତ୍ର ସେ ହୋଇଛନ୍ତି ଇଣ୍ଟ୍ରୋଭର୍ଟ । ଆତ୍ମମଗ୍ନ ଚେତନାରେ ନିମଜ୍ଜିତ ଥାଇ ମଧ୍ୟ ତାଙ୍କ ଅନ୍ତର୍ଦୃଷ୍ଟି ସମ୍ପ୍ରସାରିତ ହୋଇ ଯାଇଛି ବିଶେଷତଃ ଆଧୁନିକ ଅଭିଜାତ ମଣିଷମାନଙ୍କ ପ୍ରତି ଓ ସେମାନଙ୍କ ଅନ୍ତଃପୁରୁଷଟିକୁ ସେ ଆବିଷ୍କାର କରି ଆଣି ଦେଖାଇ ଦେଇଛନ୍ତି ଗଳ୍ପମାନଙ୍କରେ, ଯେଉଁଠି ସେହି ମଣିଷମାନେ ସତରେ କେତେ ଅସହାୟ, କେତେ ଦୁଃଖୀ, କେତେ ବିଚିତ୍ର ବର୍ଣ୍ଣା ! ସେହି ମଣିଷମାନଙ୍କ ସହିତ ଯୋଡ଼ି ହୋଇଯାଇଛି ତାଙ୍କର ବ୍ୟକ୍ତିସତ୍ତାଟି । ତେଣୁ ଗଳ୍ପଗୁଡ଼ିକ ହୋଇଯାଇଛି ସ୍ରଷ୍ଟା-ହୃଦୟ ରସରେ ସ୍ମାତ ଓ ମଧୁର, ଦେଶ କାଳ ପାତ୍ରର ସୀମା ଅତିକ୍ରାନ୍ତ ସାର୍ବଦେଶିକ ଅଭିଜାତ ମାନସର କଳାତ୍ମକ ଆଲେଖ୍ୟ । କିଶୋରୀ ଚରଣଙ୍କ ଗଳ୍ପର ନାନା ବୈଶିଷ୍ଟ୍ୟ ଥିଲେ ମଧ୍ୟ ତାହାର ମାଧୁର୍ଯ୍ୟ ହେଉଛି ବର୍ଣ୍ଣନା ଚାତୁରୀ ଓ ବ୍ୟଞ୍ଜନା ପ୍ରୟୋଗ । ଏହି ବର୍ଣ୍ଣନା ବସ୍ତୁ ବା ବିଷୟ ନିରପେକ୍ଷ ନୁହେଁ; ବିଷୟ ସହିତ କ୍ଷୀରନୀର ପରି ଜଡ଼ିତ । ତାଙ୍କ ଗଳ୍ପର ଥିମ୍ ଆହୃତ ନୁହେଁ, ଆରୋପିତ ନୁହେଁ, ନିର୍ଲିପ୍ତ ନୁହେଁ, ବାହାରୁ ଆସି ଭିତରେ ସମାବିଷ୍ଟ ନୁହେଁ । ତାହା ସ୍ରଷ୍ଟା ପୁରୁଷଙ୍କ ମାନସ-ମନ୍ଥନ କରି ହୃଦୟ ରସରେ ଜାରିତ ହୋଇ ଆପେ ଗଞ୍ଚ ଭିତରେ ପ୍ରକାଶ ପାଇଯାଇଛି । ଚେତନ ମନରୁ ତାହା ଅବଚେତନକୁ ଗତି କରିଛି ଓ ସେହି ଅବଚେତନରୁ ତାହା ଅଖଣ୍ଡ ଉତ୍ସ ଭାବରେ ଝରି ଆସିଛି । ତେଣୁ କେତେବେଳେ ସ୍ମୃତିକୁ ପାଥେୟ କରି ନେଇଛିତ, କେତେବେଳେ ସ୍ମୃତି ବର୍ତ୍ତମାନ ସହିତ ମିଳିତ ହୋଇ ନୂତନ ଭାବଚେତନା ସୃଷ୍ଟି କରିଦେଇଛି । ଗଳ୍ପରେ ବର୍ଣ୍ଣନା ତେଣୁ ସଂଯତ ଓ ସୀମିତ ଓ ଗଳ୍ପ ସହିତ ଏକାତ୍ମ ହୋଇ ତାହା ଗଳ୍ପ ହିଁ ହୋଇଯାଇଛି । ତାଙ୍କ ଗଳ୍ପରୁ ବର୍ଣ୍ଣନାକୁ ବାଦ କରିଦେଲେ ଆଉ ଗଳ୍ପତ୍ୱ ରହେ ନାହିଁ । ତେଣୁ ବର୍ଣ୍ଣନାହିଁ ସତ୍ୟ, ସୁନ୍ଦର ଓ ମଙ୍ଗଳ । ଗୋଟାଏ ଅଦୃଶ୍ୟ ଅସୀମ ଅନ୍ତରର ରାଜ୍ୟ ବାହାରକୁ ଆସି ବାହାରକୁ ଅନ୍ତରର ଓ ଅନ୍ତରକୁ ବାହାରର କରିଦେଇଛି । ଗଳ୍ପ ଭିତରେ କୌଣସି ଧରାବନ୍ଧା କାହାଣୀ ନାହିଁ, ସଂଜ୍ଞାୟିତ ଗଛର ଗଣ୍ଡି ଭିତରେ ତାହା ବାନ୍ଧି ହୋଇଯାଇ ନାହିଁ; ଗୋଟିଏ ଗୋଟିଏ ବିଶେଷ ମନଃସ୍ଥିତି (Mood) ନେଇଛି ଗଳ୍ପରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଓ ସେହି ମନଃସ୍ଥିତିକୁ କେନ୍ଦ୍ର କରିହିଁ ବର୍ଣ୍ଣନାର ହୋଇଛି ଗତି ଏବଂ ତାହା ହିଁ ହୋଇଯାଇଛି ଗଳ୍ପ ।

 

ବର୍ଣ୍ଣନା ସହିତ ବ୍ୟଞ୍ଜନା ରହିଲେ ଗଳ୍ପର ମାଧୁର୍ଯ୍ୟ ପ୍ରକଟିତ ହୋଇଥାଏ । ଅତ୍ୟଧିକ ବର୍ଣ୍ଣନା ବା ବର୍ଣ୍ଣନାର ବିଳାସ ଗଳ୍ପର ଗଳ୍ପତ୍ଵରେ ବାଧା ସୃଷ୍ଟି କରେ । ଏଥିପାଇଁ ବ୍ୟଞ୍ଜନା (Suggestiveness) ଦରକାର । କୌଣସି ମନଃସ୍ଥିତି ବା ପରିବେଶ ବା ଚରିତ୍ରର ଟିକିନିଖି ବର୍ଣ୍ଣନା ଗଳ୍ପର ମହତ୍ତ୍ୱ ପ୍ରକାଶ କରେ ନାହିଁ । ଯଦି ଏସବୁକୁ ସୂଚନାତ୍ମକ ଭାବରେ ବ୍ୟକ୍ତ କରାଯାଏ, ପ୍ରତୀକ ବା ଇମେଜ ମାଧ୍ୟମରେ ଉପସ୍ଥାପନ କରାଯାଇ ତାହାର ଅନ୍ତର୍ନିହିତ ଭାବବୋଧ ବିଷୟରେ ପ୍ରତୀତି (Impression) ସୃଷ୍ଟି କରାଯାଏ ତେବେ ଗଳ୍ପର ମହିମା ପ୍ରକଟିତ ହୁଏ । ଏହା ସହିତ ଗଳ୍ପରେ ଗଳ୍ପ ନାୟକର ଇଗୋ ପ୍ରତି ଯଦି ବ୍ୟଙ୍ଗ ବା ବିଦ୍ରୂପ ପ୍ରକାଶ ପାଇ ଅସହାୟ ବ୍ୟକ୍ତି ସତ୍ତା ପ୍ରତି ସହାନୁଭୂତି ପ୍ରକାଶ ପାଏ ତେବେ ଗଳ୍ପର ମହତ୍ତ୍ୱ ଆହୁରି ବିକଶିତ ହୋଇଯାଏ । ଏହି ଦୃଷ୍ଟିରୁ କିଶୋରୀ ଚରଣ ତାଙ୍କର ଗଳ୍ପମାନଙ୍କରେ ବର୍ଣ୍ଣନା-ବୈଚିତ୍ର୍ୟ ସହିତ ବ୍ୟଞ୍ଜନାର ଚମତ୍କାରିତା ସୃଷ୍ଟି କରିଛନ୍ତି । ଦେଖାଯାଏ ଯେ ଗଳ୍ପର ବର୍ଣ୍ଣନା ପ୍ରସଙ୍ଗରେ ଆବଚେତନିକ ସଂଳାପ ଗଳ୍ପକୁ ଆହୁରି ପ୍ରାଣବନ୍ତ କରିଦେଇଛି । ଚେତନା ପ୍ରବାହ (Stream of consciousness)ର ଶୈଳୀଟି ଏପରି ଭାବରେ ଗଳ୍ପରେ ପ୍ରକାଶ ପାଇଯାଏ ଯେ ଲେଖକୀୟ ସତ୍ତାଟି ତା ସହିତ ତଲ୍ଲୀନ ହୋଇ ଏକ ଅପୂର୍ବ ଭାବବୋଧ ସୃଷ୍ଟି କରେ । ତେଣୁ ବର୍ଣ୍ଣନା ଓ ବ୍ୟଞ୍ଜନା, ବିଷୟ ଓ ଶୈଳୀ, ସୃଷ୍ଟି ଓ ସ୍ରଷ୍ଟା ଯେମିତିକି ଗୋଟିଏ ସ୍ରୋତରେ ଏକାତ୍ମ ହୋଇ ଗତିକରନ୍ତି । ଫର୍ମ, କଣ୍ଟେଣ୍ଟ ଓ ସେମାନଙ୍କର ଏକତ୍ୱ (Unity)କୁ ନେଇ ଶୈଳୀ ଜୀବନ୍ତ ହୋଇଉଠେ । ଗଳ୍ପ ଭିତରେ ଯେତେ ଉପାଦାନ ଥିଲେ ମଧ୍ୟ ସେସବୁକୁ ଶୈଳୀ କେନ୍ଦ୍ରାଭିମୁଖୀ କରିଦିଏ ଓ ସେହି କୈନ୍ଦ୍ରିକ ଶକ୍ତି ଫର୍ମ ଓ କଣ୍ଟେଣ୍ଟକୁ ଐକ୍ୟ ସୂତ୍ରରେ ଗୁନ୍ଥି ଦେଇ ଏକ ସାମଗ୍ରିକ ଭାବ-ଦ୍ୟୁତି ପ୍ରକାଶ କରେ । ଲେଖକର ସ୍ମୃତି ଏକ ଦର୍ପଣ ନୁହେଁ ଯାହା ସ୍ମୃତିକୁ ପ୍ରତିବିମ୍ବିତ କରାଇବ । ଏହା ସୃଜନାତ୍ମକ (Creative) ଓ ନିର୍ବାଚନାତ୍ମକ (Selective) । ଲେଖକ ସେହି ସ୍ମୃତିକୁ ବାସ୍ତବତା ଉପରେ ଏକ ଆକାର ଦିଏ ଓ ସେହି ସ୍ମୃତିକୁ ରୂପ ଦେଲାବେଳେ ଅତୀତକୁ ବର୍ତ୍ତମାନ ସହିତ ଯୋଡ଼ି ଦେଇ ଜୀବନ୍ତ କରିଦିଏ । ଏପରି ଅବସ୍ଥାରେ ମନସ୍ତାତ୍ତ୍ୱିକ କ୍ରିୟା ଯେତେବେଳେ କଳାତ୍ମକ ସୃଜନ ଭିତରେ ରୂପନିଏ ତାହା ହୋଇଯାଏ ଅନ୍ତରର ମୁକ୍ତି (Internal release) । ଏହା ଲେଖକର ଆତ୍ମସ୍ୱୀକୃତିମୂଳକ ଇଚ୍ଛା ଓ ଉତ୍ତେଜନାକୁ ଯେଉଁ ବ୍ୟକ୍ତିମାନଙ୍କ ସହିତ ତାର ନିବିଡ଼ ସମ୍ପର୍କ ଥାଏ ସେମାନଙ୍କର ଗଭୀର ଅନୁଭବ ଓ ପ୍ରତୀତି ସହିତ ଅଂଶୀଭୂତ କରିଦିଏ ଓ ସେହି ଭାବକୁ ତାର ଲେଖାରେ ପ୍ରକାଶ କରିଦିଏ । ତେଣୁ କଳା ବା ଗଳ୍ପରେ ଅବଚେତନ, ଚେତନ ଓ ଅତିଚେତନ ସବୁ କିଛି ଅନ୍ତର୍ଭୁକ୍ତ ହୋଇଯାଏ । ଗୋଟାଏ ନାନ୍ଦନିକ ମୂଲ୍ୟବୋଧ ଦୃଷ୍ଟିରୁ ଲେଖକ ତାର ଅନ୍ତର୍ଜ୍ଞାନ (Intuition)କୁ ପ୍ରକାଶ କରେ । କିଶୋରୀ ଚରଣଙ୍କ ଗଳ୍ପ ଏହି ଅବଚେତନ ଓ ଅନ୍ତର୍ଜ୍ଞାନର କଳାତ୍ମକ ପରିପ୍ରକାଶ । ସେ ନିଜେ ଜଣେ ଦକ୍ଷ ହିସାବ ରକ୍ଷକ, ଅନ୍ୟ ଅର୍ଥରେ ଜଣେ ଗଣିତଜ୍ଞ । ଗଳ୍ପରେ ସେ ଯୁକ୍ତି (Logic) ଉପରେ ଗୁରୁତ୍ୱ ନ ଦେଇ ନାନ୍ଦନିକତା ଉପରେ ଗୁରୁତ୍ୱ ଦେଇଛନ୍ତି । ଫରାସୀ ଗଣିତଜ୍ଞ ହେନେରୀ ପୋଇନକ୍ୟାର (Henry Poincare) ଓ ମାର୍କିନ ଗଣିତଜ୍ଞ ଏସ୍.ଏ.ପାପର୍ଟ (S.A. Papert) କହିଛନ୍ତି ଯେ ଗାଣିତିକ ମନ ତର୍କସର୍ବସ୍ୱ ନ ହୋଇ ଯେପରି ସୌନ୍ଦର୍ଯ୍ୟକୁ ଅନୁସରଣ କରେ, ଭାବ ସମଗ୍ର ଅବଚେତନରୁ ଚେତନକୁ ଗତି କରୁଥିବା ଯେପରି ସର୍ବଦା ଠିକ୍ ନୁହେଁ ଓ ଅବଚେତନର ସତ୍ୟ ସମ୍ପର୍କରେ ଯେପରି ନିର୍ଦ୍ଦିଷ୍ଟ ଯୁକ୍ତି ନାହିଁ ସେହିପରି କିଶୋରୀ ଚରଣ ଗଳ୍ପ ଲେଖିଲା ବେଳେ ଅବଚେତନକୁ ଗୁରୁତ୍ୱ ଦେଇ ଥିଲେ ମଧ୍ୟ ସେଥିରେ କୌଣସି ନିର୍ଦ୍ଦିଷ୍ଟତା ରଖିନାହାନ୍ତି । ସେ ସୌନ୍ଦର୍ଯ୍ୟବୋଧକୁ ଏକମାତ୍ର ମାନଦଣ୍ଡ ଧରି ଭାବ ଓ ବିମ୍ବ (Image)କୁ ଅବଚେତନରୁ ଚେତନ ସ୍ତରକୁ ଆଣିଛନ୍ତି । ‘ତାଙ୍କର ଅବଚେତନରେ ଯେଉଁ ଭାବ ଜନ୍ମ ନେଇଛି, ସଙ୍ଗଠିତ ହୋଇଛି ତାହା ନାନ୍ଦନିକ ଅଭିଜ୍ଞାରେ ଜାରିତ ହୋଇ ଚେତନ ସ୍ତରକୁ ଆସିଛି ଓ ଗଛରେ ନେଇଛି କଳାତ୍ମକ ରୂପ ।

 

ଉପରୋକ୍ତ ଦୃଷ୍ଟିକୋଣରୁ କିଶୋରୀ ଚରଣଙ୍କ ଗଳ୍ପକୁ ବିଚାର କଲେ ତାହାର ବର୍ଣ୍ଣନା-କୌଶଳ ଓ ବ୍ୟଞ୍ଜନା-ମାଧୁର୍ଯ୍ୟକୁ ଉପଲବ୍‌ଧି କରିହୁଏ । ଗଳ୍ପର ବର୍ଣ୍ଣନା ପାଇଁ ଗଳ୍ପ ରଚିତ ନୁହେଁ । ଗଳ୍ପର ଗଳ୍ପତ୍ୱ ସହିତ ବର୍ଣ୍ଣନା ଅଙ୍ଗୀଭୂତ ହୋଇଗଲେ ଗଛର ମହତ୍ତ୍ୱ ପ୍ରକାଶ ପାଏ । ବର୍ଣ୍ଣନା ଭିତରେ ବ୍ୟଞ୍ଜନା ଯେତିକି ସୁତୀବ୍ର ହୁଏ ବର୍ଣ୍ଣନାଟି ସେତିକି ସ୍ନିଗ୍ଧ ଓ ସୁନ୍ଦର ହୁଏ । କିଶୋରୀ ଚରଣ ଗଳ୍ପ ରଚନା କଲା ବେଳକୁ ଓଡ଼ିଆ ଗଳ୍ପ ଥିଲା ବାହ୍ୟ ଉପାଦାନର ବର୍ଣ୍ଣନା ମାତ୍ର । କଥାକାରମାନେ ଚରିତ୍ରମାନଙ୍କର ପୂର୍ଣ୍ଣ ବର୍ଣ୍ଣନା କରୁଥିଲେ, ସେମାନଙ୍କର ଆରମ୍ଭ, ବିକାଶ ଓ ପରିଣତିକୁ ଦେଖାଉଥିଲେ । ମଝିରେ ମଝିରେ ଦୀର୍ଘ ବର୍ଣ୍ଣନା ରହୁଥିଲା ପରିବେଶ ସମ୍ପର୍କରେ । ଫକୀର ମୋହନ ଯେଉଁ ବର୍ଣ୍ଣନାତ୍ମକ ଶୈଳୀଟି ପରୀକ୍ଷା କରିଥିଲେ ତାହାହିଁ ପ୍ରାୟ ଗତି କରିଥିଲା । ବସ୍ତୁ-ଉପାଦାନଟି ପ୍ରାୟତଃ ବାହାରର ହୋଇଯାଉଥିଲା । ଗଳ୍ପରେ ତାହାକୁ ଲେଖକ ବର୍ଣ୍ଣନା କରୁଥିଲା ମାତ୍ର । ତେଣୁ ଗଳ୍ପରୁ ଲେଖକଟି ଅଲଗା ହୋଇ ରହିଯାଉଥିଲା । ମାତ୍ର ୧୯୪୦ ମସିହା ବେଳକୁ ଓଡ଼ିଆ ଗଳ୍ପର ଯେଉଁ ପରିବର୍ତ୍ତନ ଘଟିଲା, ବ୍ୟକ୍ତି ସ୍ୱତନ୍ତ୍ର୍ୟକୁ ସେଥିରେ ଯେପରି ପ୍ରାଧାନ୍ୟ ଦିଆଗଲା, ସଚ୍ଚିଦାନନ୍ଦ ରାଉତରାୟ, ଗୋପୀନାଥ ମହାନ୍ତି, ସୁରେନ୍ଦ୍ର ମହାନ୍ତି, ପ୍ରାଣବନ୍ଧୁ କର, ମନୋଜଦାସ ଗଳ୍ପରେ ଗଳ୍ପତ୍ୱ ସହିତ ବର୍ଣ୍ଣନା ଓ ବ୍ୟଞ୍ଜନାକୁ ଯେପରି ଅଙ୍ଗୀଭୂତ କଲେ ସେହି ଅବବୋଧରେ ଆଉ ଏକ ନୂତନ ଚମକ ଖେଳାଇ କିଶୋରୀ ଚରଣଙ୍କର ହେଲା ସଶ୍ରଦ୍ଧ ଯାତ୍ରା । ତାଙ୍କର ଗଳ୍ପ ହେଲା ଅନ୍ତର୍ଯାତ୍ରା । ସେହି ଅନ୍ତର୍ଯାତ୍ରା ଏ ସମୟର ଅଭିଜାତ ବର୍ଗରହିଁ ମାନସ-ଯାତ୍ରା । ସେହି ଯାତ୍ରା ପଥରେ ଗତି କରୁ କରୁ ତାଙ୍କର ଅବଚେତନକୁ ଦୋହଲାଇ ଅସହାୟତାର ଦୀର୍ଘଶ୍ୱାସ ପ୍ରକାଶ ପାଇଛି, ବେଦନାବୋଧର ଅଶ୍ରୁବିନ୍ଦୁ ଢଳଢଳ ହୋଇ ଉଠିଛି, ସମବର୍ଗୀ ନରନାରୀଙ୍କର ହିପୋକ୍ରାସି ପ୍ରତି ପ୍ରକାଶ ପାଇଛି ତିର୍ଯ୍ୟକ ଦୃଷ୍ଟି । ଏହି କାରଣରୁ ତାଙ୍କର ଗଳ୍ପ ଏହି ଚଳିତ ଅର୍ଦ୍ଧଶତାବ୍ଦୀ ଭିତରେ ସ୍ୱତନ୍ତ୍ର ହୋଇଯାଇଛି । ଗଳ୍ପରୁ ଅ-ଗଳ୍ପ (Anti-story) ମଧ୍ୟ ଦେଇ ତାଙ୍କର ଗଳ୍ପକାରିତା ହୋଇଯାଇଛି ତେଣୁ ଅନନ୍ୟ ।

 

।। ୨ ।।

 

କିଶୋରୀ ଚରଣଙ୍କ ଗଳ୍ପର ମୂଳାଧାର (୧) ନିରୀକ୍ଷଣ (Observation) ଓ (୨) କଳ୍ପନା (Imagination) । ନିରୀକ୍ଷଣଟି ସୁତୀବ୍ର ହେଲେ ଅନୁଭୂତ ସତ୍ୟ ଜୀବନ୍ତ ହୋଇଉଠେ-। ଏହି ନିରୀକ୍ଷଣ ହେଉଛି ବୈଶ୍ଵାନର ଦୃଷ୍ଟିର ନିରୀକ୍ଷଣ । ଏହା ସହିତ ତୈଜସ ଦୃଷ୍ଟିକୁ ପରେ ସଂଯୁକ୍ତ କରିଦିଆଯାଏ । କଳ୍ପନା ସେହି ଅନୁଭୂତ ସତ୍ୟକୁ ଦିଏ କାନ୍ତ କମନୀୟ ରୂପ । କଳ୍ପନାରେ ମଧ୍ୟ ଚରିତ୍ରମାନେ ଆସନ୍ତି ମାତ୍ର ସେସବୁ ଚରିତ୍ର ପରିଚିତ ଜଗତର କୌଣସି ନା କୌଣସି ଚରିତ୍ରମାନଙ୍କ ସହିତ ସାଦୃଶ୍ୟ ରକ୍ଷା କରିଥାନ୍ତି । ସମ୍ପ୍ରତି ଜୀବନର ପୂର୍ଣ୍ଣଛବି ଆଙ୍କିବା ବା ଜଗତର ପୂର୍ଣ୍ଣ ରୂପ ପ୍ରଦାନ କରିବା ଆଉ ଗଳ୍ପରେ ବୈଶିଷ୍ଟ୍ୟପୂର୍ଣ୍ଣ ନୁହେଁ । ଜୀବନର ଭଗ୍ନାଂଶ ହିଁ ମୁଖ୍ୟ । ତାହାକୁ ଗଳ୍ପରେ ଏପରି ଭାବରେ ଉପସ୍ଥାପନ କରାଯାଏ ଯେ ତାହା ପୂର୍ଣ୍ଣତାର ବ୍ୟଞ୍ଜନା ସୃଷ୍ଟି କରେ । ଏହି ବୃହତ୍ତର ଜୀବନର ଚିତ୍ର ଦେବା ପାଇଁ ବିମ୍ବ ବା ଇମେଜର ସାହାଯ୍ୟ ନିଆଯାଏ । ଆଜିର ଜୀବନ ଜଟିଳ ଓ ସଂଘାତମୟ । ଏପରି ଜୀବନକୁ ଭାଷିକ ବର୍ଣ୍ଣନା ମାଧ୍ୟମରେ ପ୍ରକାଶ କରିବା ସମ୍ଭବ ନୁହେଁ । ତେଣୁ କିଶୋରୀ ଚରଣ ଯେତେବେଳେ ମଧ୍ୟବିତ୍ତ ବା ଉଚ୍ଚବିତ୍ତ ଆଧୁନିକ ଅଭିଜାତ ନରନାରୀଙ୍କ ମାନସ-ମନ୍ଥନ କରି ଅନୁଭୂତ ସତ୍ୟକୁ ରୂପ ଦେବାକୁ ଯାଆନ୍ତି ସେତେବେଳେ ତାହା ବର୍ଣ୍ଣନା ଉପରେ ଗୁରୁତ୍ୱ ନଦେଇ ବ୍ୟଞ୍ଜନା ଉପରେ ଗୁରୁତ୍ୱ ଦେଇଛି । ଫଳରେ ସେ ହୋଇଛନ୍ତି ଇଣ୍ଟ୍ରୋଭର୍ଟ । ତାଙ୍କର ଉଦ୍ଦେଶ୍ୟ ଡେସ୍‌କ୍ରିପ୍‍ସନ ନୁହେଁ । ଚରିତ୍ର, ପରିବେଶ ଓ ମନଃସ୍ଥିତିର ଉନ୍‍ଭୋକେସନ । ଏହି କ୍ଷେତ୍ରରେ ସତ ଥାଏ; ଥାଏ ମଧ୍ୟ ମିଛ । ଅଥଚ ତାହା ହୋଇଯାଏ ସତ୍ୟଭ୍ରମ ମହାମାୟା । କିଶୋରୀଚରଣ କହନ୍ତି ‘ଯେହେତୁ ମୋ ଜୀବନ ମଧ୍ୟବିତ୍ତ ଶ୍ରେଣୀର ଜଣେ ତଥାକଥିତ ଉଚ୍ଚବର୍ଗ ସରକାରୀ କର୍ମଚାରୀ ଜୀବନ, ମୋର ପ୍ରତ୍ୟକ୍ଷ ଅନୁଭୂତିର ପରିସର ସୀମିତ ବୋଲି କହିଲେ ଭୁଲ ହେବ ନାହିଁ । ତେଣୁ ନିରୀକ୍ଷଣ ଓ କଳ୍ପନା ମୋତେ ବୋଧହୁଏ ଉଚିତରୁ ଅଧିକ ଖୋରାକ ଯୋଗାଇଛି ମୋ କାହାଣୀକୁ ଗଢ଼ି ତୋଳିବା ଦିଗରେ ।’ (ସମୟ ନାହିଁ) । ଏହି କାରଣରୁ ସେ ତାଙ୍କର ଅନୁଭୂତ ସତ୍ୟକୁ ଗଳ୍ପରେ ରୂପ ଦେଇଛନ୍ତି । ଚାକିରିକାଳ ବ୍ୟାପୀ ଅଙ୍କ କଷୁଥିବା ମଣିଷଟି ଯେତେବେଳେ ଗଳ୍ପ ଲେଖନ୍ତି ସେତେବେଳେ ତାଙ୍କର ବ୍ୟକ୍ତିସଭାଟି ହିସାବ ଫର୍ଦ୍ଦରୁ ବାହାରି ଆସି କଳ୍ପନା ଜଗତକୁ ଉଡ଼ିଯାଏ ଓ ଅନୁଭୂତ ସତ୍ୟକୁ ସାଉଁଟି ଆଣି ଗଛରେ ରୂପ ଦେଇଦିଏ । ସେ କହନ୍ତି- “ଦୟା କରି ଅଙ୍କ ମିଳେଇବାକୁ ଚେଷ୍ଟା କରନ୍ତୁ ନାହିଁ ମୋ ଜୀବନରେ ଘଟିଥିବା ଏହିଭଳି ଗୋଟିଏ ଘଟଣା ଅଥବା ଚରିତ୍ରକୁ, ମୋ ଜୀବନରେ ଆସିଥିବା ଏହିଭଳି ଗୋଟିଏ ମଣିଷ ସାଙ୍ଗରେ ସେଥିରେ ବାସ୍ତବତାକୁ ସତେ ଚିହ୍ନି ନେଇ ପାରିଲା ପରି । ସେଭଳି ‘ଇଉରେକା’ ଭୟଭୋଗ୍ୟ ହୋଇପାରେ କିନ୍ତୁ ଅଧିକାଂଶରେ ତାହା ତୁମକୁ ଭୁଲବାଟରେ ନେଇଯିବା ବିଚିତ୍ର ନୁହେଁ । କାରଣ ଯଦିଓ ମୋ ସାହିତ୍ୟରେ ସମ୍ପର୍କ ରହିଛି ମୋର ତତ୍‌କାଳୀନ ପରିବେଶ, ଆଖିଦେଖା ଅବା ଅନୁଭୁତ ଘଟଣା ଏବଂ କେଉଁ ଚିହ୍ନା ଲୋକ ସହିତ, ତାହା ଏକାଧିକ ଚେନାଏ ଚିରୁଡ଼ାଏ ଚରିତ୍ରଯୁକ୍ତ ଘଟଣାର ସମ୍ମିଶ୍ରଣ, ତଦୁପରି ବିସ୍ତୃତ କଳ୍ପନା ଓ ନିରୀକ୍ଷଣରୁ ଉଦ୍‍ଭୁତ ପାଚନ । ଏବଂ ଶେଷକୁ ଏକ ଅପୂର୍ବ ଅନୁଭୂତି ସମ୍ଭାବିତ ସତ ମିଛର ସମ୍ଭାର, ଯାହା ମୁଁ ବାଢ଼ିଦେଲି ମୋର ଆଶାୟୀ ପାଠକପାଠିକାମାନଙ୍କ ବୌଦ୍ଧିକ ଉପଭୋଗ ପାଇଁ । (ସମୟ ନାହିଁ ଉପକ୍ରମଣିକା) ।

 

କିଶୋରୀ ଚରଣ ସତମିଛର ମିଶ୍ରରାଗ ସୃଷ୍ଟି କରିଛନ୍ତି ଗଳ୍ପ ଭିତରେ । ମିଛଟି ମିଛ ହୋଇନାହିଁ । ଅନୁଭୂତ ସତ୍ୟର ହୋଇଯାଇଛି ରମ୍ୟରୂପ । ପୂର୍ବରୁ ସୂଚାଇ ଦିଆଯାଇଛି ଯେ ଗଳ୍ପରେ କେବଳ ଅବଚେତନ କଥା ରହିଲେ ତାହା ଠିକ୍ ହୁଏ ନାହିଁ । ଅବଚେତନ ସହିତ ଆଲୋକିତ ଚେତନାକୁ ମିଶାଇବାକୁ ହୁଏ । ଲେଖକଙ୍କ ମତରେ- “ଯଦି ଜଣେ ଲେଖକ ତାର ମାନସ ଗୁହାର ପାଖ ନମାଡ଼ି ବାହାରୁ ଆସୁଥିବା ବିଭିନ୍ନ ଚେତନାର ଆଲୁଅରେ ସାହିତ୍ୟ ରଚନା କରେ, ତା’ହେଲେ ସେ ଗୋଟାଏ ଯନ୍ତ୍ର ବା ଫଟୋ କ୍ୟାମେରାରେ ପରିଣତ ହୋଇଯିବ । ଅପରପକ୍ଷରେ ସେ ଯଦି କେବଳ ତା’ର ଗୁହାର ଜନ୍ତୁମାନଙ୍କୁ ଖୋଜିଖୋଜି ଚିହ୍ନିବାକୁ ଚେଷ୍ଟା କରିବ ତା’ହେଲେ ସେ କେବଳ ଆଦିମ ବା ବାଳୁତ ହୋଇଯିବ । ତେଣୁ ମୋ ମତରେ ଜଣେ ଗଳ୍ପ ଲେଖକ ଅନ୍ଧାରୀ ଗୁହା ଓ ଆଲୋକିତ ଚେତନା କୌଣସିଟିକୁ ଛାଡ଼ି ଗଲେ ଚଳିବ ନାହିଁ । ତେଣୁ ତାକୁ ଏକାଧାରରେ _Macroscop[ic ଓ Microscopic_ ହେବାକୁ ପଡ଼ିବ ।’ (ଘରବାହୁଡ଼ା-ବକ୍ତବ୍ୟ) ମନ ଗହନର କଥାର ଆବିଷ୍କାର ଓ ତାର ରୂପାୟନ ହେଉଛି କିଶୋରୀ ଚରଣଙ୍କ ମୁଖ୍ୟ ଧର୍ମ । ପ୍ରତ୍ୟେକ ଗଳ୍ପର ଚରିତ୍ରମାନେ ପ୍ରାୟ ଅସହାୟ । ସର୍ବତ୍ର ଅଛି କିନ୍ତୁ ମୁକ୍ତିର ପ୍ରୟାସ । ସର୍ବତ୍ର ଅନୁଭୂତ ସତ୍ୟ ଭିନ୍ନ ଭିନ୍ନ । ନୀତି ଆଦର୍ଶ ବଡ଼ ନ ହୋଇ ମାନସିକ ସଙ୍କଟ, ଜିଜ୍ଞାସା ଓ ଆତ୍ମାର ଆକୁଳତା ହୋଇଯାଇଛି ବଡ଼ । ତାଙ୍କ ଗଳ୍ପରେ କଥାବସ୍ତୁ ବଡ଼ କ୍ଷୀଣ । ଏପରିକି ବେଳେ ବେଳେ ଦେଖାଯାଏ ଯେ ସେପରି କୌଣସି କଥାବସ୍ତୁଟିଏ ଗଳ୍ପ ଭିତରେ ଆଦୌ ନାହିଁ । ଅଥଚ ତାହା ଗଳ୍ପ ହୋଇଛି ଓ ସୃଷ୍ଟି କରିଛି ଚମତ୍କାରିତା । ଗନ୍ଧହୀନତା ଭିତରେ ଯେପରି ଧ୍ୱନିତ ହୋଇଛି ଅନେକ କଥା-ଗ୍ରନ୍ଥିର ମିଳିତ ଧ୍ୱନିଗ୍ରାମ । କବିତା ପରି ଗଳ୍ପ ବହିଯାଇଛି । ପାଠକର ଏକକ ଭାବବିନ୍ଦୁରେ ତାହା ଆଘାତ କରିଛି ଓ ପାଠକ ଚେଇଁ ଉଠି ସେହି ଗଳ୍ପ ଭିତରକୁ ପ୍ରବେଶ କରି ଆପଣାକୁ ଖୋଜିବାକୁ ଚେଷ୍ଟା କରିଛି । ତାଙ୍କ ଗଳ୍ପର ବୈଶିଷ୍ଟ୍ୟ ମାନସ-ବୀକ୍ଷା । ସେହି ବୀକ୍ଷାରୁ ଗଳ୍ପର ଜନ୍ମ । କେତେବେଳେ ତାହା କାହାଣୀହୀନ, ଅଥଚ ସର୍ବତ୍ର ରହିଛି ଚରିତ୍ରମାନଙ୍କର ଅନ୍ତର୍ବିପ୍ଳବ ଓ ଅନ୍ତର୍ଯାତ୍ରା । ‘ମୋ ସମୟ ମୋ ସାହିତ୍ୟ’ର ଆମୁଖରେ ସେ କହନ୍ତି- ‘ମୁଁ ମୋର ପାଠକ ପାଠିକାମାନଙ୍କୁ ବିନୟପୂର୍ବକ ସାବଧାନ କରିଦେବାକୁ ଚାହେଁ ଯେ ଏଇ ଲେଖାଗୁଡ଼ିକ ଭଳି ଭଳି ସାଜ ପିନ୍ଧି ପ୍ରାଙ୍ଗଣକୁ ଆସିଥିଲେ ମଧ୍ୟ ପ୍ରତ୍ୟେକ ମୋର ନିଜ କଥା କହିଲେ ଚଳେ, ଅର୍ଥାତ୍ ନୁଖୁରା ଅଭିମତରୁ ବଳି ମୋର ଆପଣା ଅନୁଭବରେ ରଞ୍ଜିତ (ହୁଏତ ଦୂଷିତ) ଚିନ୍ତା ବିଶେଷ ।’ ଅତଏବ କିଶୋରୀ ଚରଣଙ୍କ ଗଳ୍ପଗୁଡ଼ିକ ସମ୍ପୂର୍ଣ୍ଣ ନୈର୍ବ୍ୟକ୍ତିକ ନୁହେଁ । ତା’ ଭିତରେ ତାଙ୍କ ବ୍ୟକ୍ତିସତ୍ତାର ଖଣ୍ଡଖଣ୍ଡ ରୂପର ଉଦ୍‍ଭାସ ଦେଖିବାକୁ ମିଳେ । ଯେଉଁ କିଶୋରୀ ଚରଣ ଦୃଶ୍ୟମାନ ଜଗତର ଜଣେ ରକ୍ତମାଂସ ଦେହଧାରୀ ବ୍ୟକ୍ତି; ସେହି କିଶୋରୀଚରଣଙ୍କ ଅନ୍ତରାଳରେ ସଂଗୁପ୍ତ ଥିବା ଆରଜଣକ ଯେଉଁ କିଶୋରୀଚରଣ ସେହି ହଁ ଗଳ୍ପ ପରେ ଗଳ୍ପ ଲେଖିଛି-। ସେହି ହିଁ ଅଦୃଶ୍ୟ ନଟ । ଦୃଶ୍ୟମାନ କିଶୋରୀ ଚରଣ ଭିତରେ ସେ କାଳିସୀ ହୋଇଛି ଓ ଲେଖେଇଛି । ସେ ପୁଣି କହନ୍ତି- “ମୋ ସାରା ଜୀବନର ଅନୁଭୂତି, ଅଣୁବୀକ୍ଷଣ ନିରୀକ୍ଷଣ (ଆତ୍ମ ନିରୀକ୍ଷଣ ସମେତ) ଏବଂ ସର୍ବେକ୍ଷଣ ଠିକ୍ ଏଇ କଥା କହୁଛି । ଜୀବ ଜଗତର ଶ୍ରେଷ୍ଠ ପ୍ରାଣୀ ବୋଲାଉଥିବା ମଣିଷ ଅନ୍ୟତମ ପଙ୍କଜଟିଏ । ଯାହାର ସମ୍ପର୍କ ରହିଛି ଉଭୟ ପଙ୍କ ଏବଂ ସୂର୍ଯ୍ୟଙ୍କ ସାଙ୍ଗରେ । ସାହିତ୍ୟ ପ୍ରେମ ସେହି ବୈଚିତ୍ର୍ୟର ଲୀଳାଖେଳା, ପ୍ରଚେଷ୍ଟା ତଥା ଅପଚେଷ୍ଟା ଚିହ୍ନାଇ ଦିଏ ଏବଂ ସେଇଥିରେ ଖୁସିଟାଏ ହୁଏ ଏବଂ ପରୋକ୍ଷରେ କୁହେ ଯେ ଏହାର ଅପର ପାଖ ହେଉଛି ଅସହିଷ୍ଣୁତା, ଯାହା ଏକାଧାରରେ ଆତ୍ମଘାତୀ ଓ ଆବସାର୍ଡ । ଏଇ ପ୍ରେମର ଠିକଣା ନାଁ ହେଉଛି ସଂପ୍ରୀତି । ଏବଂ ଏଇ ଆନନ୍ଦର ଉତ୍ସ ହେଉଛି ଏକ କରୁଣାୟିତ ରସବୋଧ, ସନ୍ଧାନୀ ସମଦୁଃଖୀ ଭାଇ ଭଉଣୀଙ୍କୁ ନେଇ ।’ (ସାହିତ୍ୟର ଜୟଯାତ୍ରା) ।

 

କିଶୋରୀ ଚରଣ ନିମ୍ନଶ୍ରେଣୀର ଲୋକମାନଙ୍କ ସମ୍ପର୍କରେ ଆସି ନାହାନ୍ତି । ତେଣୁ ସେମାନଙ୍କୁ ସେ ଗଳ୍ପ ଭିତରେ ନେଇ ନାହାନ୍ତି । ତାଙ୍କର ଧାରଣା ଯେହେତୁ ସେମାନଙ୍କ ସମ୍ପର୍କରେ ସେ ଆସି ନାହାନ୍ତି ସେହିହେତୁ ଗଳ୍ପରେ ସେମାନଙ୍କ ବିଷୟରେ ଲେଖିଲେ ତାହା ମଧ୍ୟ ବିତ୍ତ ଦୋଷରେ ଦୂଷିତ ହୋଇଯିବ । ସେ ଯେଉଁ ବର୍ଗ ସହିତ ସଂପୃକ୍ତ ସେହି ବର୍ଗ କଥା କହିଛନ୍ତି । ବିଶେଷତଃ ସେମାନଙ୍କର ମନ ଗହନର ରହସ୍ୟକୁ ଉନ୍ମୋଚନ କରିଛନ୍ତି । ଏକ ସାକ୍ଷାତକାରରେ ସେ କହନ୍ତି - ‘ମୋର ଲେଖକ ଜୀବନରେ ମୁଁ ଅଭ୍ୟନ୍ତର ଅନୁସନ୍ଧାନରେ ଖଣତି ନେଇ କେତେ ତଥାକଥିତ ଆଦର୍ଶକୁ ସୁନା ନୁହେଁ, ମାଟି ମାଟି ମାଟି ବୋଲି କହିଛି, କିନ୍ତୁ ସମସ୍ତ ସତ ମିଛକୁ ଆଦରି ଯେଉଁ ମଣିଷଟି ବଞ୍ଚିଛି, ସେ ମୋରି ଭାଇ, ମୋରି ପରି ମରିବ ନାହିଁ ବୋଲି କେତେ ଉପାୟ ଖୋଜୁଛି, ଏହି ପରମାର୍ଥକୁ କେବେ ହେଲେ ଭୁଲିନାହିଁ ।” (ସାକ୍ଷାତକାର- ବିଭୂତି ପଟ୍ଟନାୟକ) । ସେ ପୁଣି କହନ୍ତି- ମୁଁ ଯେଉଁ ସମାଜରେ ଚଳପ୍ରଚଳ ହେଉଛି, ସେଥିରେ ଲୋକମାନେ ମଧ୍ୟ ବେଳେ ବେଳେ ମୋତେ ନିଜ ଅନୁଭୂତ ଜ୍ୱାଳାରୁ ଧାପେ ଦେଇଯାଆନ୍ତି । ସେଗୁଡ଼ିକ ଅନ୍ୟତମ ଉପାଦାନ । ତା’ପରେ ଆରମ୍ଭ ହୁଏ ସତମିଛର ଫ୍ୟାକ୍ଟରୀ । ମୁଁ ଯେଉଁ ନାୟକ ନାୟିକାମାନଙ୍କୁ ସୃଷ୍ଟି କରେ ସେମାନେ ମୋର ଅନ୍ତରଙ୍ଗ ହୋଇ ଉଠନ୍ତି । ମୁଁ ନିଜେ ସେହି ନାୟକ ଅଥବା ନାୟିକା ପାଲଟିଯାଏ, ଏକ ଅଭିନବ ଜ୍ୱାଳାର ଚମକ ଦେଖାଇବାକୁ ଚେଷ୍ଟା କରେ, ଯାହା ସତ କିମ୍ବା ସତ ହୋଇପାରନ୍ତା ।’ (ଅତ୍ରୈବ)

 

କିଶୋରୀ ଚରଣଙ୍କ ଗଳ୍ପର ବୈଶିଷ୍ଟ୍ୟ ଆନ୍ତରିକତା, ଚିନ୍ତା ଓ କରୁଣା । ତାଙ୍କ ଗଳ୍ପଗୁଡ଼ିକୁ ଅଧ୍ୟୟନ କଲେ ସର୍ବତ୍ର ଏହି ତିନୋଟି କଥାକୁ ଉପଲବ୍‌ଧି କରିହୁଏ । ମାନବ ଜାତି ପ୍ରତି କରୁଣା ବା ସହାନୁଭୂତି ହିଁ ତାଙ୍କ ଗଳ୍ପକୁ କରିଛି ପ୍ରାଣବନ୍ତ । ଦୁର୍ବୋଧ୍ୟ ପରି ଜଣାଯାଉଥିଲେ ହେଁ ତାଙ୍କ ଗଳ୍ପ ଦୁର୍ବୋଧ୍ୟ ନୁହେଁ । ଅଳ୍ପ କଥା ରହିଛି, ସଙ୍କେତ ରହିଛି; ଅଥଚ ତାହା ଜୀବନ-ଜିଜ୍ଞାସାକୁ ସ୍ପଷ୍ଟ କରିଦେଇଛି । ଆଜିର ସମାଜରେ ମଧ୍ୟବିତ୍ତ ବୁଦ୍ଧିଜୀବୀର ନିଷ୍କ୍ରିୟତା ଗୋଟାଏ ବଡ଼ ସମସ୍ୟା ହୋଇ ଦେଖାଦେଇଛି । ତାଙ୍କ ଗଳ୍ପରେ ସୂଚନା ଓ ସଙ୍କେତ ଥିବାରୁ ବକ୍ତବ୍ୟ ଶ୍ଳେଷଧର୍ମୀ ହୋଇଛି । ସେ ଯାହା କହନ୍ତି ଓ ଯାହା କରନ୍ତି, ଯାହା ଭାବନ୍ତି ଓ ଯାହା କୁହନ୍ତି, ଯାହା ପୁଣି ଭାବନ୍ତି ଓ ଯାହା ଭାବିବାକୁ ଚାହାନ୍ତି, ଯାହା ଉପର ମନରେ ଭାବନ୍ତି ଓ ଯାହା ଭିତର ମନରେ ନିଜ ଅଜାଣତରେ ସ୍ଥିର କରିନିଅନ୍ତି- ଏହି ପରସ୍ପର ବିରୋଧର ବୈଚିତ୍ର୍ୟରେ ସେ ମୁଗ୍ଧ ହୁଅନ୍ତି ଓ ସେହି ମୁଗ୍ଧତାକୁ ନେଇ ଗଳ୍ପ ଲେଖନ୍ତି । (ମୁଁ କାହିଁକି ଲେଖେ) କିଶୋରୀ ଚରଣଙ୍କ ଗଳ୍ପ ମୁଖ୍ୟତଃ ନଗରକେନ୍ଦ୍ରିକ ଅଭିଜାତ ନରନାରୀଙ୍କୁ ଉପାଦାନକରି ନେଇଥିଲେ ହେଁ କେତେକ ଗଳ୍ପରେ ଗାଁ ଜୀବନ ଓ ଗାଁ ପରିବେଶର ବର୍ଣ୍ଣନା ରହିଛି (ନିଜ ସଞ୍ଜ, ଦଶହରା ଭେଟି), କେତେକରେ ଅଛି ମାନବେତର ଚରିତ୍ର, କେତେକରେ ଶିଶୁ ଓ କିଶୋର ଚରିତ୍ର । ସର୍ବତ୍ର କିନ୍ତୁ ଆଧୁନିକ ମଣିଷର ମନର ସଂଘର୍ଷ ଓ ସ୍ଵବିରୋଧ ନିହିତ । ବିଶ୍ୱବ୍ୟାପୀ ମଣିଷର ଅସହାୟତା ସର୍ବତ୍ର ଯେପରି ଚିତ୍ରିତ । ଗୋଟାଏ ମାନବୀୟ ସମ୍ୱେଦନା ସର୍ବତ୍ର ପ୍ରକାଶ ପାଇ ଗଳ୍ପଗୁଡ଼ିକୁ କେବଳ ଚମତ୍କାରିତା ପ୍ରଦାନ କରିନାହିଁ ଅଧିକନ୍ତୁ ଆଧୁନିକ ମଣିଷର ମାନସିକ ଆଲୋଡ଼ନ ସୃଷ୍ଟି କରିବାରେ କ୍ଷମ ହୋଇପାରିଛି ।

 

।। ୩ ।।

 

କିଶୋରୀ ଚରଣ ମୋଟାମୋଟି ଭାବରେ ଶାନ୍ତିପ୍ରିୟ; ଭୀରୁ କିନ୍ତୁ ନୁହନ୍ତି । ସତତ ସେ ନିଷ୍ଫଳ କନ୍ଦଳ ଓ ଯୁକ୍ତିତର୍କ ବିମୁଖ । ଏପରି ସ୍ୱଭାବ ସହିତ ତାଙ୍କର ସୃଜନାତ୍ମାର ସମ୍ପର୍କ ନାହିଁ । (ସମୟ ନାହିଁ) ଫ୍ରଏଡଙ୍କ ମତରେ କଳା ପ୍ରବଣତା ମୁଖ୍ୟତଃ ସଂସାରର ବାସ୍ତବତାଠାରୁ ପଳାୟନ । ଲେଖକ କିନ୍ତୁ ନିଜେ ଇଣ୍ଟ୍ରୋଭର୍ଟ । ସେ ସଂସାରରେ ପଶି ଯାବତୀୟ ଦାୟିତ୍ୱ ନିର୍ବାହ କଲେ ମଧ୍ୟ ସଂସାରକୁ ଗ୍ରହଣ କରିପାରିଲେ ନାହିଁ । ଭାରତୀୟ ଦର୍ଶନର ମୁମୁକ୍ଷା ତାଙ୍କୁ ଆକର୍ଷଣ କରିଛି । ଏହି ମୁମୁକ୍ଷା ହୋଇଛି ତାଙ୍କର ଅହଂ (ego)ଠାରୁ ମୁକ୍ତି ପାଇ ସାହିତ୍ୟ ରଚନା ଭିତରେ ଆତ୍ମାର ଶାନ୍ତି ଖୋଜିବା । ବାଲ୍ୟ ଜୀବନରୁ ଏହି ଆତ୍ମମଗ୍ଧ ବ୍ୟକ୍ତି ପୁରୁଷଟି ୧୯୪୨ ମସିହା ବେଳକୁ ରେଭେନ୍‌ସା କଲେଜର ସର୍ବୋତ୍‌କୃଷ୍ଟ ଛାତ୍ର ରୂପେ ଘୋଷିତ ହୋଇଥିଲେ ମଧ୍ୟ ସେହି ମସିହାରେ ପ୍ରକାଶିତ ତାଙ୍କର ପ୍ରଥମ ଗଳ୍ପ “ପରଦାତଳେ’, ଯାହା ବ୍ରହ୍ମପୁରରୁ ପ୍ରକାଶିତ ‘ନବୀନ’ ପତ୍ରିକା ମଣ୍ଡନ କରିଥିଲା, ତାହା ହିଁ ତାଙ୍କ ଭିତରେ ଗୋଟାଏ ନୂଆ ବିଶ୍ୱାସ ଭରିଦେଇଥିଲା ଓ ସେହି ଗଳ୍ପରେ ହିଁ ତାଙ୍କ ଲେଖକ-ବ୍ୟକ୍ତିତ୍ୱର ଅରୁଣରାଗ ଉକୁଟି ଉଠିଥିଲା । ଆଧୁନିକ ମଣିଷର ଜୀବନଚର୍ଯ୍ୟାକୁ ନେଇ ନାନା ବିଭେଦର ଅବବୋଧ ହିଁ ଏହି ଗଳ୍ପର ମୁଖ୍ୟ ଆବେଦନ । ଏହି ଗଳ୍ପରେ ଲେଖକ ଦେଖାଇ ଦେଇଛନ୍ତି ଯେ ଦୁଃଖୀ ଦରିଦ୍ରଙ୍କ ପ୍ରତି ସାଧାରଣତଃ ସୁବିଧା ଉପଭୋଗ କରୁଥିବା ମଣିଷମାନେ ସହାନୁଭୂତି ଦେଖାଇ ଉଛୁଳି ଉଠନ୍ତି, ଯେତେବେଳେ ସେମାନେ ପରଦା ଉପରେ ସେହି ଦୁଃଖୀ ଦରିଦ୍ରଙ୍କ ଜୀବନର କଳାତ୍ମକ ରୂପାୟନ ଦେଖନ୍ତି । ଅଥଚ ସିନେମା ହଲରୁ ପଦାକୁ ବାହାରି ଆସିଲାପରେ ନିକୁଛିଆ କୁତ୍ସିତ ମାଗନ୍ତାମାନଙ୍କୁ ଦେଖିଲେ ନାକଟେକି ପଳାଇ ଯାଆନ୍ତି ଏଇ ସୁଖଭୋଗୀମାନେ । ତାଙ୍କର ପରବର୍ତ୍ତୀ ଗଳ୍ପ ‘ପୂର୍ବାପର’ ମଧ୍ୟ ଏହିପରି ମଣିଷ ଚରିତ୍ରର ଅନ୍ୟ ଏକ ଦିଗକୁ ବ୍ୟଞ୍ଜିତ କରେ । ଯେତେବେଳେ କୌଣସି ଯୁବକ ପାଖରେ ‘ପ୍ରଣୟିନୀ-ନାରୀ’ଟି ପହଞ୍ଚିଯାଏ ସେତେବେଳେ ସେ ଦୂରେଇଯାଏ ‘ଜନନୀ-ନାରୀ’ଟିଠାରୁ । ଏଧରଣର ଗଳ୍ପରେ ବର୍ଣ୍ଣନାହିଁ ସ୍ୱୟଂ ଗଳ୍ପ ଓ ବ୍ୟଞ୍ଜନା ତାହାର ଆତ୍ମା ହୋଇଯାଇଛି ।

 

‘ବୋମାପଡ଼ିବ’ ଗଳ୍ପର ନାୟକ ବ୍ୟାକୁଳ ହେଉଥିଲା ନିଜକୁ ଜଣେ ‘ବ୍ୟକ୍ତି’ ବୋଲି ଚିହ୍ନାଇବା ପାଇଁ, କାରଣ ସେ ଆତଙ୍କିତ ହୋଇଉଠୁଥିଲା ସମ୍ଭାବିତ ଓ ଆସନ୍ନ ବିନାଶ ଯେମିତିକି ତାକୁ ଘେରି ଆସୁଛି । ତାର ଦୁଃଖ ଓ କ୍ରନ୍ଦନ ପ୍ରକାଶ ପାଇଛି ଭିନ୍ନ ରୂପରେ । ଅଥଚ ସେ ବନ୍ଦୀ ହୋଇଯାଇଛି ତାର ‘ଇଗୋ’ ବା ବ୍ୟକ୍ତି-ମାନସ ଭିତରେ । ଏହି ଗଳ୍ପର ଅନୁଭୂତି ଲେଖକର ଏକାନ୍ତ ଅନ୍ତରଙ୍ଗ । ସେହି ଘଟଣାଟି ହେଉଛି ଲେଖକଙ୍କ ସାଙ୍ଗ ଶଶୀର ପାଟଣା ହସ୍‍ପିଟାଲରେ ହାର୍ଣ୍ଣିଆ ଅପରେସନକୁ ନେଇ । ଲେଖକ ଓ ତାଙ୍କର ଆଉ କେତେଜଣ ବନ୍ଧୁ ତାଙ୍କୁ ପାଳିକରି ଜଗୁଥିଲେ । ତାଙ୍କର ଜନୈକ ବନ୍ଧୁ ଏହି ସୁଯୋଗରେ ଡିଉଟିରେ ଥିବା ନର୍ସକୁ ପ୍ରେମ କରିବା ଆରମ୍ଭ କରିଦେଲା-। ଦିନେ ରାତିରେ ସେହି ବନ୍ଧୁଟି ଲେଖକଙ୍କୁ ଶଶୀ ପାଖରେ ବସାଇ ନର୍ସ ସହିତ ଚାଲିଗଲା ଅଭିସାର ରଚିବା ପାଇଁ । ସେମାନଙ୍କ ପକ୍ଷରେ ହୁଏତ ଜ୍ୟୋସ୍ନା ଉଛୁଳି ଉଠୁଥିଲା ମାତ୍ର ଏପଟରେ ଆଉ ଜଣେ ଆସନ୍ନ ମରଣମୁଖୀ ରୋଗୀ ବିଳାପ କରିଉଠୁଥିଲା । ଏହି ଅନୁଭୂତ ସତ୍ୟ ହିଁ ‘ବୋମାପଡ଼ିବ’ ଗର ମୂଳ ଉତ୍ସ । ଏଇ ଏକା ଅନୁଭବ ମଧ୍ୟ ‘ମୁଁ ଯେବେ ଜାଣିଲି ଯେ ମୁଁ ବନ୍ଦୀ’ ଗଳ୍ପର ଉତ୍ସ ।

 

କଟକ ସହରରେ ତାଙ୍କର ଜନ୍ମ । ଏହିଠାରେ ମଧ୍ୟ ତାଙ୍କର ଶିକ୍ଷା ଓ କୈଶୋର ଜୀବନ । ସ୍ଵାଧୀନତା ଲାଭ ବର୍ଷ ହିଁ ତାଙ୍କୁ ମିଳିଗଲା ସନ୍ତୋଷଜନକ ଭବିଷ୍ୟତ ବୃତ୍ତି ତଥା ବିବାହ । ଦେଶ ସ୍ଵାଧୀନ ହେଲା, ତାଙ୍କୁ କିନ୍ତୁ ମିଳିଗଲା ବାଞ୍ଛିତ ପରାଧୀନତା । ସେହି ପରାଧୀନତା ହିଁ ତାଙ୍କର ବିବାହ ଓ ସଂସାର ବନ୍ଧନ ଏବଂ ତା’ ସାଙ୍ଗକୁ ସରକାରୀ ଚାକିରୀ । ସ୍ଵାଧୀନତା ଦିବସରେ ସରକାରୀ କୋଠା ଓ ଲାଟସାହେବଙ୍କ କୋଠିରେ ତ୍ରିରଙ୍ଗା ପତାକା ଉଡ଼ିଲା । କେତେକେତେ ଉତ୍ସବ ହେଲା । ଅଥଚ ସାଧାରଣ ଜନତା ସେଥିରେ ଭାଗ ନେଇପାରିଲେ ନାହିଁ । ଏ ଘଟଣା ଲେଖକଙ୍କ ମନ ଭିତରେ ପ୍ରତ୍ରିକିୟା ସୃଷ୍ଟି କଲା । ଦେଶ ବ୍ୟାପୀ ଗୋଟାଏ ନୂଆ ହିପୋକ୍ରାସିର ହାଓ୍ୱା ବୋହିଲା । ନେତା ଓ ଅଫିସର ସେହି ହାଓ୍ୱାରେ ଭାସିଲେ । ଏହି ସମୟରେ ଲେଖକ ଏକ ଶିଶୁ କନ୍ୟାର ଜନକ ହେଲେ । ସେହି ଶିଶୁ କନ୍ୟା ହୀନୁ, ସେ ପୁଣି ବାଳିକା ହେଲା, କୁମାରୀ ହେଲା । ପିତୃହୃଦୟର ବାତ୍ସଲ୍ୟ ଝରି ପଡ଼ିଲା ତା ଉପରେ । ସେହି କନ୍ୟାର ସ୍ମୃତି ଓ ଜୀବନ୍ତ ଅନୁଭୂତି ନୂଆ ରୂପରେ ତାଙ୍କ ଗଳ୍ପ ଭିତରକୁ ଆସିଲା । ତିନୋଟି ଗଳ୍ପ ଲେଖିଲେ ଏହି ବାଳିକା ନାୟିକାକୁ ନେଇ । ସେମାନେ ସାତ ଆଠ ବର୍ଷରୁ ଚଉଦ ପନ୍ଦର ବର୍ଷ ବୟସଯାଏ । ତିନୋଟି ଯାକ ଗଳ୍ପର ନାୟିକା ଗୀତା । ସେହି ଗଳ୍ପ ତିନୋଟି ହେଲା ‘ଭଙ୍ଗା ଖେଳଣା’, ‘କାନ୍ଦୁରୀ’ ଓ ‘ନାଲିଗୁଲୁ ଗୁଲୁ ସାଧବ ବୋହୂ’ । ଲେଖକଙ୍କ ପହିଲି ସନ୍ତାନ ହୀନୁ ତାଙ୍କ ମନର ପ୍ରବଣତାକୁ ଦୀର୍ଘ କାଳ ଧରି ବାନ୍ଧି ରଖିଥିଲା । ସମୟ କ୍ରମେ ସେ ଗୀତା ନାମରେ ରୂପାନ୍ତରିତ ହୋଇ ତିନୋଟି ଗଳ୍ପରେ ରୂପ ନେଇଯାଇଛି । ହୀନୁକୁ ଗୀତା ଯେପରି ନକଲ କରିଛି । ଯେଉଁ ଗୀତା ‘ଭଙ୍ଗା ଖେଳଣା’ରେ ପ୍ରଜାପତି ପଛରେ ଗୋଡ଼େଇ ତାକୁ ଦୁଷ୍ଟ କହେ, ବୋଉ କାହିଁକି ବନୁଦାଦାକୁ ଭଲ ପାଏ ଓ ବନୁଦାଦାର ଉପହାରକୁ ଆଦରିନିଏ, ବାପା କାହିଁକି ବିରସ ରହନ୍ତି, ସେହି ଗୀତା ପୁଣି ନୂଆ ଆମେରିକାନ୍ ସାଙ୍ଗମାନଙ୍କୁ ପାଇ ଭୋଳ, ହୋଇଯାଇଛି ଓ ସେମାନଙ୍କର ହାବ ଭାବ ଦେଖି ବ୍ୟସ୍ତ ହୋଇଛି କାନ୍ଦୁରୀ’ ଗଳ୍ପରେ । ସେଇ ପୁଣି ‘ନାଲିଗୁଲୁ ଗୁଲୁ ସାଧବ ବୋହୂ’ ଗଳ୍ପରେ ସାଧବବୋହୂ ପୋକମାନଙ୍କୁ ଗୋଟେଇ ଡବାରେ ପୂରାଉଛି, ପିଲାଳିଆ ରାଗ ଦେଖାଇ ପୁଣି ତଳକୁ ଛାଡ଼ି ଦେଉଛି । ବାଳିକାମନସ୍ତତ୍ତ୍ୱ ଏପରି ଗଳ୍ପରେ ଜୀବନ୍ତ ହୋଇ ଉଠିଛି ।

 

‘ଭଙ୍ଗା ଖେଳଣା’ ଗଳ୍ପର ବର୍ଣ୍ଣନା ଓ ବ୍ୟଞ୍ଜନାର ମାଧୁର୍ଯ୍ୟ ବେଶ୍ ହୃଦୟସ୍ପର୍ଶୀ । ଏହାର ଆରମ୍ଭ ଏଇପରି-

 

ବଗିଚାର ଫାଳକରେ ଖରା । ଯେଉଁଠି ଧାଡ଼ିଏ ଗେଣ୍ଡୁଫୁଲ ଫୁଟିଛି ସେଇଠି ଖରା ଛିଡ଼ିଯାଇଛି । ଫୁଲ ଅଧେ ଖରାରେ, ଅଧେ ଛାଇରେ । ଅଧେ ଖରା ପାଉଁଛି; ଆର ଅଧକ ବିଚରା ଶୀତରେ ଥରିଯାଉଥିବ । ଏପାଖ ଫୁଲରେ ପ୍ରଜାପତି ବସିଛି- ଆର ପାଖକୁ ଯିବ ନାହିଁ ? ହେଇ ଗଲାଗଲା । ଦୁର, ପୁଣି ଫେରି ଆସିଲା । ଦୁଷ୍ଟ ! ଏ ପାଖ ଫୁଲ ହସୁଛି । ଗୋଟି ଗୋଟି କରି ସବୁ ପାଖୁଡ଼ା ଦେଖାଇ ହସୁଛି । ଆର ପାଖ ଫୁଲ ହସୁ ନାହିଁ । ଶୀତରେ ମେଞ୍ଚି ହୋଇ ଅନେଇଛି ତଳକୁ-। ହାତରେ ଧରିଲେ ହାତ ଥଣ୍ଡା ହୋଇଯିବ, ଫୁଲ ଉଷୁମ ହେବ ନାହିଁ ।” ବଗିଚାରେ ଫୁଟି ଥିବା ଗେଣ୍ଡୁ ଫୁଲକୁ ଦେଖି ସାନ ପିଲା ଗୀତାର ମାନସିକ ଭାବାବେଗ ବେଶ୍ ଜୀବନ୍ତ ହୋଇ ଉଠିଛି । ଏହା ହେଉଛି ନିଜର ଝିଅ ହୀନୁକୁ ପର୍ଯ୍ୟବେକ୍ଷଣ କରିଥିବାର କଳାତ୍ମକ ପ୍ରତିଶ୍ରୁତି । ଦଶବର୍ଷର ଗୀତା ବଡ଼ଦିନ ଛୁଟିର ଗୋଟିଏ ଦି’ପହରେ ବଗିଚାରେ ବୁଲି ବୁଲି ଫୁଲ ଆଉ ଖରାକୁ ଦେଖୁ ଦେଖୁ ତା’ ସ୍କଲର ମିସେସ୍ ଘୋଷାଲକୁ ଯେମିତି ସନ୍‌ପ୍ଲାଓ୍ୱାର ସହିତ ତୁଳନା କରିଛି ସେହି ବର୍ଣ୍ଣନା ଭିତରେ ବ୍ୟଞ୍ଜନା ପ୍ରକାଶ ପାଇ ଗଳ୍ପଟିକୁ ମାଧୁର୍ଯ୍ୟ ମଣ୍ଡିତ କରିଦେଇଛି । ସେଇ ଗୀତା ପୁଣି ବଗିଚାରେ ଉଡ଼ି ବୁଲୁଥିବା ପ୍ରଜାପତିକୁ ଦେଖି ଭାବୁଛି-

 

‘ହେଇରେ ଗୋଟିଏ ପ୍ରଜାପତି ! କେଡ଼େ ସୁନ୍ଦର ଚିତ୍ରିଆ ପ୍ରଜାପତି, ହଳଦିଆ ଦେହରେ କଳାଗାର । ଚିତ୍ରିଆ ପାଚିଲା କଦଳୀ । ଚିତ୍ରିଆ କାନା ଫୁଲ । ଯାଉଛି ଧରିବି । ଗଲା-ଗଲା, ଉଡ଼ିଗଲା । ଗଲା ତାଙ୍କ ଘରକୁ । ଡେଣାକୁ ଖାଲି ଉଠଉଛି, ପକଉଛି । ପପି ତା’ ଲାଙ୍ଗୁଡ଼ ହଲଉଛି ଯେମିତି । ଏକ- ଦୁଇ-ତିନି-ଚାର... ।’

 

ଏପରି ବର୍ଣ୍ଣନା ଗୋଟିଏ ଦଶବର୍ଷର ବାଳିକାର ମନସ୍ତତ୍ତ୍ୱକୁ ବେଶ୍ ଚମତ୍କାର ଭାବରେ ଦର୍ଶାଇଦେଇଛି । ଦର୍ଶବର୍ଷର ବାଳିକାର କୌତୁକ ଅଛି; ଅଛି ମଧ୍ୟ ଜିଜ୍ଞାସା । ପୁଣି ତା’ ଭିତରେ ନିଷ୍ପାପ ସଂଶୟ ସୃଷ୍ଟି ହୋଇଛି ବୋଉ ଓ ବନୁଦାଦାଙ୍କୁ ନେଇ । ବାପାର ବିଷର୍ଣ୍ଣତାରେ ସେ ବ୍ୟଥିତ-। ଅଥଚ କହିପାରୁ ନାହିଁ । ବୋଉ ପାଇଁ ବନୁଦାଦାର ଉପହାର ସହିତ ନିଜର ଉପହାରକୁ ତୁଳନା କରିଛି । ଅଥଚ ତା’ ହାତରୁ ବନୁ ଦାଦାର ଉପହାର ଖସିପଡ଼ି ଭାଙ୍ଗି ଯାଇଛି । ସେଇଟି ପୁଣି ତାଜମହଲ । ଗୀତା କ’ଣ ଜାଣେ ତାଜମହଲର ଅର୍ଥ ? ସିଏ ଯେ ବନୁଦାଦାର ପ୍ରେମଉପହାର ! ଏ ଗଳ୍ପର ନାଟକୀୟ ଗତି, ବର୍ଣ୍ଣନାର ଚମତ୍କାରିତା, ଗୀତାର ଅନ୍ତରୀଣ ସାଂଳାପିକ ବକ୍ତବ୍ୟ ଓ ତାର କୌତୂହଳ ପୂର୍ଣ୍ଣ ଜିଜ୍ଞାସା ବାସ୍ତବିକ ଓଡ଼ିଆ ଗଳ୍ପ କ୍ଷେତ୍ରରେ ସେତେବେଳେ ନୂତନତା ସୃଷ୍ଟି କରିଥିଲା-। ଏହିପରି ‘କାନ୍ଦୁରୀ’ ଓ ‘ନାଲିଗୁଲୁ ଗୁଲୁ ସାଧବବୋହୂ’ ବର୍ଣ୍ଣନାର ଚମତ୍କାରିତାରେ ମଧ୍ୟ ଭାସ୍ୱର । ଏହି ଦୁଇଟି ଗଳ୍ପରେ ଗୀତା ଟିକିଏ ବଡ଼ ହୋଇଥିଲେ ମଧ୍ୟ ମନସ୍ତାତ୍ତ୍ୱାକ ଆବେଦନରେ ପ୍ରାୟ ସମମର୍ମୀ । ତେବେ ଗୋଟିଏ ଗଳ୍ପର ଚାହାଣି ଆଉ ଚମକ ଅନ୍ୟ ଗଳ୍ପଠାରୁ ଭିନ୍ନ । ଏହି ଭିନ୍ନତାହିଁ କିଶୋରୀ ଚରଣଙ୍କ ଗଳ୍ପକୁ ଦେଇଛି ସ୍ୱତନ୍ତ୍ର ମର୍ଯ୍ୟାଦା ।

 

‘କାନ୍ଦୁରୀ’ ଗଛର ଗୀତା ଟିନ୍‌ଏଜର । ଆମେରିକାରେ ସେ ବାପା ମାଆଙ୍କ ସହିତ ରହେ । ଆମେରିକାରେ ତା’ ବୟସର ବା ତା’ଠାରୁ ଟିକେ ବେଶୀ ବୟସର ପୁଅ ଝିଅଙ୍କୁ ଦେଖି ତା’ ମନ ଭିତରେ ନାନା କଥା ଉଙ୍କିମାରେ । ଭଲ ପାଇବା କଥାଟି କ’ଣ ସେ ଠିକ୍ ଭାବରେ ଜାଣେନା । ଅଥଚ ସେଇ କଥାଟି ତା’ ମନ ଭିତରେ ଗୁଡ଼େଇ ତୁଡ଼େଇ ହୋଇ ଭାବ ଭାବାନ୍ତର ସୃଷ୍ଟି କରିଛି । ମାର୍ଥା, ଜର୍ଜ, ସୁନିଅପା, ଆର୍‍ମାନ୍ଦୋ ଆଦିଙ୍କୁ ଦେଖି ଓ ସେମାନଙ୍କର ହାବଭାବକୁ ଲକ୍ଷ୍ୟକରି ତା’ ଭିତରେ ଯେଉଁ କିଶୋରୀ କୌତୁକ ସୃଷ୍ଟି ହୋଇଛି ତାହାହିଁ ଏହି ଗଳ୍ପରେ ବର୍ଣ୍ଣିତ । ତା ଭିତରେ ଭାରତୀୟ ଝିଅର ସ୍ୱାଭିମାନ ଅଛି । ତେଣୁ ସେ ଆମେରିକାନ୍ ଝିଅ ପରି ହେବ ନାହିଁ ବୋଲି ଭାବୁଛି । ସେଦିନ ରାତିରେ ବର୍ଷା ହେଲା । ତା’ ସାଙ୍ଗରେ ପବନ । ସେ ମନେ ମନେ ଭାବିଲା ତା’ର ପିଲା ଦିନ ସରିଆସିଲା । ପୁଣି ତାର ମନେହେଲା ‘ତା’ର ପିଲା ଦିନ ସରିଛି ନା ସରିନାହିଁ ? ଏପରି ଭାବନା ଭିତରେ ବର୍ଷାକୁ ଦେଖି ଗୀତାର ମାନସିକ ଅବସ୍ଥାର ବର୍ଣ୍ଣନା ଦେଖନ୍ତୁ ‘ବର୍ଷା ମଝିରେ ମଝିରେ ଆସୁଛି ପାଗଳଙ୍କ ପରି । ପବନ ସାଙ୍ଗରେ ମିଶି କାଚ ଝରକା ଓ କାଠଘରକୁ କ’ଣ ଗୋଟିଏ ଜରୁରୀ କଥା ଜୋର କରି କହି ଚାଲିଯାଉଛି । ଫାୟାର ଇଞ୍ଜିନ୍ ପରି । ଘର ଭିତରେ ବସି ଗୀତାକୁ ମଜା ଲାଗିଲା ବର୍ଷାର ପାଗଳାମି ଦେଖିବାକୁ । ସେ ମନେ ମନେ ବର୍ଷାକୁ କହିଲା, - ପାଟି କର, ବାଡ଼େଇ ପିଟି ହୁଅ, କିଏ ମନା କରୁଛି । ପାଟି କରିବାକୁ ସମସ୍ତଙ୍କର ଅଧିକାର ଅଛି । ଆମେ ଏଇସବୁ ସତ୍ୟକୁ ସ୍ୱତଃସିଦ୍ଧ ବୋଲି ମାନିଛୁ ଯେ... ।” ମାନସିକ ଅବସ୍ଥାର ବର୍ଣ୍ଣନା ସଙ୍ଗେ ସଙ୍ଗେ ତାରି ଭିତରେ ପାଟି କରିବାର ଅଧିକାର ସମ୍ପର୍କରେ ଯେପରି ଉଲ୍ଲେଖ ଅଛି ତାହା ଚମତ୍କାର ବ୍ୟଞ୍ଜନା ସୃଷ୍ଟି କରୁଛି । ଆମେରିକାର ବଡ଼ପଣ ପ୍ରତି ମଧ୍ୟ ପ୍ରକାଶ ପାଇଛି ମୃଦୁ ତିର୍ଯ୍ୟକ ଦୃଷ୍ଟି ।

 

‘ଲକ୍ଷବିହଙ୍ଗ’ ଗଳ୍ପର ବର୍ଣ୍ଣନା-ମାଧୁରୀ ଓ ବ୍ୟଞ୍ଜନା ମଧ୍ୟ ଭାବଦ୍ୟୋତକ । ‘ଲକ୍ଷ ବିହଙ୍ଗ’ର ନାୟିକା ମିସେସ୍ ପୁରୀଙ୍କ ସମ୍ପର୍କରେ ବର୍ଣ୍ଣନା କରିବାକୁ ଯାଇ ଲେଖକ କହନ୍ତି-

 

‘ମିସେସ୍ ପୁରୀଙ୍କର ବେଡରୁମ୍ । ମିସେସ୍ ପୁରୀ ଶୋଇଛନ୍ତି । ନିଦରେ ଶୋଇନାହାନ୍ତି; ବର୍ତ୍ତମାନ ଦିନ ଏଗାରଟା । ତେଣୁ ବିଛଣା ଚାଦର ନୁହେଁ, ରଙ୍ଗୀନ ବେଡ୍ କଭର ଉପରେ ଶୋଇଛନ୍ତି । ରାତି ପିନ୍ଧାନୁହେଁ, ସିଲ୍‍କ ଶାଢ଼ୀ ପିନ୍ଧି ଶୋଇଛନ୍ତି ଏବଂ ସେହି ଶାଢ଼ୀରେ ଲକ୍ଷ ବିହଙ୍ଗ ଉନ୍ମୁଖ, ଉଦ୍ୟତ ଓ ଆଗ୍ରହୀ ।’

 

ମିସେସ୍ ପୁରୀ ଅଭିଜାତ ଗର୍ବର ନାରୀ । ଅଳସ ଆଳସ୍ୟରେ ସମୟ କଟେ । ତାଙ୍କ ଶାଢ଼ୀରେ ଲକ୍ଷ ବିହଙ୍ଗର ଶୋଭା । ସେମାନେ କେହି ଉଡ଼ି ଯିବାକୁ ଚାହୁଁ ନାହାନ୍ତି । ବରଂ ସେମାନେ ମିସେସ୍ ପୁରୀଙ୍କ ନିଷ୍କ୍ରିୟତାକୁ ବାହାବା କଲେ । ଏହି ଘଟଣା ଶୁନ୍ୟ ଚିନ୍ତାଶୂନ୍ୟ ଅଣଗପ ଓ ଓଡ଼ିଆ ଗଳ୍ପ ସାହିତ୍ୟରେ ଏହା ଗୋଟିଏ ମାଇଲଖୁଣ୍ଟି । ଏ ଗଳ୍ପର ନାୟିକା ପରିତୁଷ୍ଟା ଓ ନିଜକୁ ସୁଖୀ ମନେକରେ । ଶୋଇ ଶୋଇ ସେ ଜୋକ୍ ବହି ପଢ଼େ । ଖଟରେ ଶୋଇ ଶୋଇ ଆନନ୍ଦକୁ ଚାକୁଳାଏ । ବଞ୍ଚିବାର ଉପଯୋଗୀ ଛନ୍ଦ ଓ ଏକୁଟିଆ ଉପଭୋଗର ହସ ଭିତରେ ସେ ଜୀବନ କଟାଏ । ସାଢ଼େ ଏଗାରଟାରେ କଫି ଖାଏ । ଘରେ ପୂଝାରୀ ଚାକର । ପୂଝାରୀ ଜୟରାମ କଫି ଦେଲା । ମିସେସ୍ ପୁରୀ ତାକୁ ଚାହିଁଲେ । ଚାମୁଚ ଚାମୁଚ କଫି ପାଟିକୁ ନେଲେ । ତାଙ୍କର ମନେ ପଡ଼ୁଥିଲା ପୂର୍ବରୁ ପଢ଼ିଥିବା ଗୋଟିଏ ସେକ୍‍ସ-ଅମୋଦଗ୍ରସ୍ତ ଜୋକ୍ । ମନେ ପଡ଼ୁଥିଲା ଜଣେ ସମ୍ପର୍କୀୟାଙ୍କ ସହିତ ଜଣେ ଚିହ୍ନା ପୁରୁଷଙ୍କ ସମ୍ପର୍କ । ‘ଏବଂ କଳ୍ପନାରେ ଚିତ୍ରିତ ହେଲା ସେ ଦୁଇଜଣଙ୍କ ପାରସ୍ପରିକ ବ୍ୟବହାର । ସେ ଛବି ଅସ୍ପଷ୍ଟ; ସ୍ପଷ୍ଟ ହୋଇ ପାରନ୍ତା ନାହିଁ । କିନ୍ତୁ ଦୁଇଟି ସମ୍ବନ୍ଧବିହୀନ ପୁରୁଷ ସ୍ତ୍ରୀଙ୍କୁ ଏପରି ଭାବରେ ଏକାଠି କରିବାର କୃତିତ୍ଵ ଆଉ କେତେଜଣକର ଥାଇପାରେ ? ଏହାକୁହିଁ ତ ସୃଷ୍ଟି କହନ୍ତି ।’ ବର୍ଣ୍ଣନାର ଛନ୍ଦେ ଛନ୍ଦେ ବ୍ୟଞ୍ଜନାର ମୃଦୁସ୍ପର୍ଶ । ଏହାରି ଭିତରେ ନାରୀ-ପାତ୍ରର ଅନ୍ତର୍ନିହିତ ସ୍ୱରୂପ ଉଦ୍‌ଘାଟିତ । ଏହାହିଁ କିଶୋରୀ ଚରଣଙ୍କ ଗଳ୍ପଗୁଡ଼ିକର ସ୍ଵଧର୍ମ । କେବଳ ନାରୀ-ପାତ୍ର ନୁହନ୍ତି; ପୁରୁଷ-ପାତ୍ରଙ୍କ ଅନ୍ତର୍ନିହିତ ସ୍ଵରୂପ ଉଦ୍‌ଘାଟନ ଓ ସେହି ଅସହାୟ ବ୍ୟକ୍ତି-ସତ୍ତା ପ୍ରତି ବ୍ୟଞ୍ଜନା ମଧ୍ୟ ତାଙ୍କ ଗଳ୍ପର ଅନ୍ୟତମ ବୈଶିଷ୍ଟ୍ୟ ।

 

‘ଜୟରାମ ଷୋଳ ସତର ବର୍ଷର ଟୋକା । କଳା ମଚମଚ ବଳିଷ୍ଠ ଦେହ । ଖଣ୍ଡେ ଗେଞ୍ଜି ଓ ହାଫ୍ ପ୍ୟାଣ୍ଟ ପିନ୍ଧିଛି । ମୁଣ୍ଡରେ ଗୋଛାଏ ବାଳ, କପାଳରେ କେତୋଟି ଛୋଟ ଝାଳ ବିନ୍ଦୁ । ମୁହଁରେ ସ୍ଵର୍ଦ୍ଧା ଓ ଅଭିମାନର ଇଙ୍ଗିତ,- ଯେପରିକି ସେ କହିବାକୁ ଚାହେଁ ଯେ, ସେ ଜୟରାମ, ବୟସର ରଜା, ତା’ ହାତରେ ଥିବା ପରିବା ଥଳି ଅନ୍ୟ କିଛି ହୋଇ ପାରି ଥାଆନ୍ତା ।’- ଜୟରାମର ପୌରୁଷ ପ୍ରତି ମିସେସ୍ ପୁରୀଙ୍କ ନାରୀତ୍ୱର ଆକର୍ଷଣ । ଜୟରାମର ଫେରିଯାଉଥିବା ଚେହେରାକୁ ଅନାଇ ମିସେସ୍ ପୁରୀ ଭାବିଲେ- ‘ଟୋକା... ମଜଭୁତ୍’ । ଏହି ଶବ୍ଦ କେତୋଟି ଭିତରେ ଅବଚେତନର ଅବଦମିତ ଆକାଂକ୍ଷାଟି ଯେମିତି ଜାଗ୍ରତ ହୋଇ ଉଠିଲା । ଜୟରାମ ବଜାରକୁ ଚାଲିଗଲା ପରେ ମିସେସ୍ ପୁରୀଙ୍କ ଅବଚେତନକୁ ଦୋହଲାଇ ପଡ଼ିଶା ଘରର ସ୍ତ୍ରୀଲୋକ, ସମାଜ ସେବିକା, ମିସେସ୍ ଶ୍ରୀବାସ୍ତବ ଓ ଅଫିସରେ କାର୍ଯ୍ୟ କରୁଥିବା ନିଜ ସ୍ୱାମୀଙ୍କ କଥା ଉଙ୍କିମାରିଲା । ଅନ୍ୟମନସ୍କ ଭାବରେ ଦେଖିଲେ ରିଫ୍ରିଜିରେଟର ଉପରେ ମାଛିଟିଏ ଏକୁଟିଆ ବସିଛି । ତାଙ୍କର ଆଖି କ୍ରମଶଃ ବୁଜି ହୋଇ ଆସିଲା । ଏହା ଯେପରି ତାଙ୍କର କଳଙ୍କକୁ ଲୁଚେଇ ଦେବାର ଏକ ବ୍ୟଞ୍ଜନାତ୍ମକ ଇମେଜ । କିଶୋରୀ ଚରଣଙ୍କ ‘ମଣିହରା’ ଗଳ୍ପଟିକୁ ଆଲୋଚନା କଲେ ସେଥିରେ ମଧ୍ୟ ବର୍ଣ୍ଣନା ଓ ବ୍ୟଞ୍ଜନାର ବୈଶିଷ୍ଟ୍ୟ ଦେଖାଯାଏ । ତାଙ୍କର ପୁତ୍ରର ବିୟୋଗ ଜନିତ ଦୁଃଖ ଓ ପରବର୍ତ୍ତୀ ସମୟରେ ସେହି ଦୁଃଖର ଅବଲୁପ୍ତିରେ ପତ୍ନୀ ସହିତ ମିଳନ- ଏହି ଗଳ୍ପଟିକୁ ଦେଇଛି ଏକ ଭିନ୍ନ ସ୍ଵାଦ । ଏ ଗଳ୍ପର ପୃଷ୍ଠଭୂମି ସମ୍ପର୍କରେ ସେ କହନ୍ତି- “xxପ୍ରତି ମୁହୂର୍ତ୍ତରେ କେହି ନା କେହି ଯମ ଘରକୁ ଯାଉଛନ୍ତି କିନ୍ତୁ ତଥାପି ଅନ୍ୟମାନେ ବଞ୍ଚିବାକୁ ଚାହୁଁଛନ୍ତି, ଏହାଠାରୁ ବଳି ଆଶ୍ଚର୍ଯ୍ୟର କଥା କିଛି ନାହିଁ । ଅଛି, ଯେ ମୁଁ ମଧ୍ୟ ଠିକ୍ ଆଗଭଳି ବଞ୍ଚିବାକୁ ଚାହୁଁଛି । ଯେ ତା ମଣିକୁ ହରାଇଥିଲେ ମଧ୍ୟ ଫଣୀକୁ ବେଶି ସମୟ ଲାଗେ ନାହିଁ ଆଗ ଭଳି ଫଅଁ ଫଅଁ ହେବାକୁ, ଆଗ ଭଳି ସୁଖ କରିବାକୁ । ସତେକି ତାର କୋଉଧନ ହଜି ନାହିଁ । ହଜିଲା ଧନ ଆପେ ଆପେ ଫେରି ଆସିବ, ଶୂନ୍ୟସ୍ଥାନ ପୂରଣ ହୋଇଯିବ । x x x ଏହି ମର୍ମରେ ମୁଁ ନିଜକୁ ମାନେ ମଣିଷ ଦଶାକୁ ଉପହାସ କରିଥିଲି, ମୋର ବହୁ ଅନୂଦିତ ସୁବିଦିତ ‘ମଣିହରା’ ଗଳ୍ପରେ, ମୋ ଆଖିଲୁହ ଶୁଖିଯିବାର ଅନେକ ଦିନ ପରେ ।’ (ସମୟ ନାହିଁ) ଲେଖିକଙ୍କ ପୁତ୍ର ବିୟୋଗ ପରେ ପତ୍ନୀଙ୍କର ତାଙ୍କ ପ୍ରତି ବିରକ୍ତି, ଜୀବନ ପ୍ରତି ବିତୃଷ୍ଣା ଓ କିଛି ଦିନପରେ ପୁଣି ସବୁ ଭୁଲି ପତିଙ୍କ ସହିତ ମିଳନ – ଏହି ଅନୁଭୂତ ସତ୍ୟ ପରବର୍ତ୍ତୀ ସମୟରେ ମଣିହରା’ ଗଳ୍ପ-ରୂପ ନେଲା । ଗଳ୍ପ ନାୟକ ଉମେଶ ବାବୁ ଓ ଗଳ୍ପ ନାୟିକା ନିର୍ମଳାଙ୍କୁ ପୁତ୍ର ଶୋକ ଭୁଲି ପୁଣି ଏକା ଖଟରେ ମିଳନ ପାଇଁ ବେଶିଦିନ ଲାଗିନଥିଲା ।

 

ଗଳ୍ପ ନାୟକଙ୍କର ପୁତ୍ର କଥା ବାରମ୍ବାର ମନେ ପଡ଼ିଛି । ସିଏ ଯେମିତି ତାଙ୍କର ମଣି । ସେହି ମଣିଟି ଯେମିତି ହଜିଯାଇଛି । ପୁତ୍ରହରା ନିର୍ମଳା ଦେବୀଙ୍କ ମନକୁ ଭୁଲାଇବା ପାଇଁ ଉମେଶ ବାବୁ ନାନା ଉପାୟ କରିଛନ୍ତି । ତାଙ୍କୁ ବଜାର ବୁଲାଇ ନେଇଛନ୍ତି । ଏହି ବଜାରର ବର୍ଣ୍ଣନା ଦେଖନ୍ତୁ- ‘ବଜାର । କିଣାବିକାର ଚହଳ । ସେମାନଙ୍କ ପାଇଁ ସମୟର ଘଣ୍ଟା ଅଟକିଯାଇନାହିଁ । ଫୁଟପାଥର ଗୋଟିଏ ଜାଗାରେ ଶସ୍ତା ନାଲିନେଳି ରୁମାଲ୍ ଗଦା ହେଇଚି, ମଫସଲି ଝିଅଟିଏ ସେଥିରୁ ଗୋଟିଏ ହାତରେ ଧରି ଖୁସି ହେଉଚି, ତା’ ମାଆ ତାକୁ ପଛରୁ ଟାଣୁଚି । ଆଉ କେଉଁଠି ତିନିଚାରୋଟି ମଇନା ଚଢ଼େଇ ପିଞ୍ଜରା ଭିତରେ ଅସ୍ଥିର ହେଉଛନ୍ତି, ତାଙ୍କ ମାଲିକ ପିଞ୍ଜରାଗୁଡ଼ିକୁ ରହି ରହି ଚଲନ୍ତା ଲୋକମାନଙ୍କ ସାମନାରେ ହଲାଇ ଦେଉଚି । କେଉଁ ଶିଖ୍ ଭଦ୍ରଲୋକଙ୍କ ଜୁଡ଼ାବନ୍ଦା ଛୋଟପୁଅ ଭେଁକିନି କାନ୍ଦ ଛାଡ଼ୁଛି, ତାର ଲିପ୍‍ଷ୍ଟିକ-ନାଇଲନ ମାଆ ଦୋକାନରୁ ଦୌଡ଼ି ଆସୁଚି ତାକୁ ବୁଝାଇବା ପାଇଁ । କେଉଁଠି ବିଡ଼ିବଳା ଚାଲିଚି, କାରିଗର ଯୁବକ ଦୁଇଜଣ ତହିଁରୁ ଅସୀମ ଆନନ୍ଦ ପାଇଲାପରି ମନେ ହେଉଚି । ବୁଢ଼ାଟିଏ ଆମ୍ବ କିଣିବ ବୋଲି ବସିଚି, ମନୋଯୋଗ ସହ ପ୍ରତି ପାଚିଲା ଆମ୍ବକୁ ଚିପୁଚି ।’ ଏପରି ବର୍ଣ୍ଣନା ଜୀବନ୍ତ ଓ ସ୍ଵାଭାବିକ । ଏହାରି ମଧ୍ୟରେ ଗଳ୍ପ ନାୟକ ଓ ଗଳ୍ପ ନାୟିକା । ଏହା ଯେପରି ଚେତାଇ ଦେଉଛି ଯେ ମଣିଷର ଜୀବନ ଏଇ ବଜାର ପରି । ସବୁ ନିତ୍ୟ ନୈମିତ୍ତିକ । ଜୀବନ ଆଉ ମରଣ ମଧ୍ୟ ସେହିପରି ନିତ୍ୟ ନୈମିତ୍ତିକ । ନିର୍ମଳା ଦେବୀ ସ୍ୱାମୀଙ୍କ ସହିତ କୋଲଡଡ୍ରିଙ୍କ ଖାଇଛନ୍ତି । ଦିନପରେ ଦିନ ବିତିଯାଇଛି । ଆଗପରି ନିର୍ମଳା ଦେବୀ ପୁତ୍ର ଶୋକରେ ଅଧୀର ହେଉ ନାହାନ୍ତି । ସେ ଭାବୁଛନ୍ତି ‘ଭଗବାନ ! ଗୋଟିଏ ଖେଳଣା ପରେ ଆଉ ଗୋଟିଏ ଖେଳଣା । ଗୋଟିଏ ଫଳ ପରେ ଆଉ ଗୋଟିଏ ଫଳ । ମୁଁ ପିଲା ନୁହେଁ, ପ୍ରକୃତିର ଗଛ ନୁହେଁ । ମୁଁ ଜଣେ ମଣିଷ ।’ ଏହି ମଣିଷର ପ୍ରବୃତ୍ତି ଯୋଗୁ ଉମେଶବାବୁ ଓ ନିର୍ମଳା ଦେବୀ ଏକତ୍ର ଶୋଇଲେ ଗୋଟିଏ ଖଟରେ । ଦେହ ମନର ପ୍ରତି ଅଂଶକୁ ନେଇ ପରିପୂର୍ଣ୍ଣ ହେଲା ମିଳନ । ତଥାପି ସେ ପ୍ରଶ୍ନ କଲେ ସ୍ଵାମୀକୁ ‘ସେମାନେ ମୋ ପୁଅକୁ ପୋଡ଼ି ଦେଲେ ନା ପୋତି ଦେଲେ ? ତା’ର ଛୋଟିଆ ଜାମାର ଛାତି ପକେଟରେ ଗୋଟିଏ ଲଜେନ୍‍ସ ଥିଲା । ଦରଚୁଚୁମ ଲଜେନ୍‍ସ, ପକେଟର କୋଣରେ ଲାଖିଯାଇଥିବ । ଏହି ଗଳ୍ପଟି ଯେପରି ଏକ ପକ୍ଷରେ ପୁତ୍ର ବିୟୋଗ ବିଧିର ପିତୃମାତୃ ହୃଦୟର କରୁଣ ଆତ୍ମଲିପି ସେହିପରି ପ୍ରବୃତ୍ତି-ଦାସ ମଣିଷର ବାସ୍ତବ ଚିତ୍ର । ଏଥିରେ ବର୍ଣ୍ଣନା ଓ ବ୍ୟଞ୍ଜନାର ହୋଇଛି ମଧୁର ସମନ୍ୱୟ ।

 

କିଶୋରୀ ଚରଣଙ୍କର ଯାବତୀୟ ଗଳ୍ପ ବର୍ଣ୍ଣନାରେ ଯେପରି ଲଳିତ ଓ ମଧୁର ବ୍ୟଞ୍ଜନାରେ ସେହିପରି ଶାଣିତ ଓ ସୁତୀବ୍ର । ବର୍ଣ୍ଣନା କେଉଁ ଗଳ୍ପରେ ନୈର୍ବ୍ୟକ୍ତିକ; ଅଥଚ ତାରି ଭିତରେ ଅଛି ଲେଖକଙ୍କ ବ୍ୟକ୍ତି- ସତ୍ତାର ଚମତ୍କାର ରସ-ରୂପାୟନ । ନାନା ଚରିତ୍ର ଯେପରି ଲେଖକଙ୍କ ବ୍ୟକ୍ତିସତ୍ତାର ଖଣ୍ଡ ଖଣ୍ଡ ରୂପ ହୋଇଯାଇଛି, ସେହିପରି ହୋଇଯାଇଛି ମଧ୍ୟ ତାଙ୍କ ପତ୍ନୀ, ପୁତ୍ର, କନ୍ୟା, ବନ୍ଧୁ ଓ ସହକର୍ମୀଙ୍କ ବ୍ୟକ୍ତିତ୍ୱର ଭବ୍ୟ କଳାତ୍ମକ ପରିପ୍ରକାଶ । କେଉଁଠି ମଧ୍ୟ ସେ ଉତ୍ତମ ପୁରୁଷରେ ରଚନା କରିଛନ୍ତି ଗଳ୍ପ । ପ୍ରତ୍ୟକ୍ଷ ଭାବରେ ସେ ନିଜେହିଁ ହୋଇଯାଇଛନ୍ତି ଗଳ୍ପନାୟକ । ଅଥଚ ସେହି ଗଳ୍ପ ନାୟକ ଦୃଶ୍ୟମାନ କିଶୋରୀ ଚରଣ ନୁହନ୍ତି; ତାଙ୍କ ଭିତରର କିଶୋରୀ ଚରଣ । ସିଏ ଯେମିତି ମଣିଷ ଭିତରର ମଣିଷ । ନଗର ଜୀବନ ସହିତ ଗାଁ ଜୀବନ ମଧ୍ୟ ବର୍ଣ୍ଣିତ ହୋଇଛି କେତେବେଳେ । କଲିକତା, ଦିଲ୍ଲୀ ଇତ୍ୟାଦି ମହାନଗର ସହିତ ବିଦେଶର କେତେ ସହର ମଧ୍ୟ ଆସନ ଜମେଇଛନ୍ତି । ଅଧିକାଂଶ ଗଳ୍ପରେ କଟକ ନଗର ଧବଳ ଟଗର ପାରି ନେଇଛି ସଶ୍ରଦ୍ଧ ଆସନ । ‘ନିଜ ସଞ୍ଜ’ ଗପରେ ନାୟକ ଗୋପାଳ ବାବୁଙ୍କ ସହିତ ଲେଖକ ଯେମିତି ଏକାତ୍ମ ହୋଇଯାଇଛନ୍ତି । ନିଜ ଗାଁ ମାହାଙ୍ଗା ଅନ୍ତର୍ଗତ ଶୁକ୍ଳେଶ୍ଵର ହୋଇଥିଲେ ହେଁ ତାଙ୍କର ଜନ୍ମ କିନ୍ତୁ କଟକ ନଗରରେ । ଗାଁ ସହିତ ତାଙ୍କର ସମ୍ପର୍କ ନାହିଁ । ଆତ୍ମୀୟତା ନାହିଁ । ତଥାପି ଅଛି କେମିତି ଗୋଟାଏ ବୁନିୟାଦିର ଆକର୍ଷଣ । ଅନେକ ଦିନ ପରେ ଗୋପାଳ ବାବୁ ଯେମିତି ଗାଁକୁ ଯାଇଛନ୍ତି ଓ ତାଙ୍କୁ ଭଲ ଲାଗିଛି ଗାଁ ସେମିତି ଲେଖକଙ୍କୁ ମଧ୍ୟ ଭଲ ଲାଗିଛି । ଗୋପାଳବାବୁ ତାଙ୍କ ଆଡ଼କୁ ଗୁରୁଣ୍ଡି ଗୁରୁଣ୍ଡି ଆସୁଥିବା ଗୋଟାଏ ଲଙ୍ଗଳା ପିଲାକୁ ଦେଖି ଭାବୁଛନ୍ତି ... ମୁଁ ଯାହା ଆଡ଼କୁ ଅନେଇଛି ସେ ମୋ ପିଲା ନୁହେଁ । ମୋ ପିଲାର ପିଲା ନୁହେଁ, ମୋର କେହି ନୁହେଁ । ଏବଂ ତା’ ହସରେ ହସ ମିଳାଇଲା ବେଳେ ମୋର ଯେଉଁ ଆନନ୍ଦ ଆସୁଛି, ସେଥିରେ ମମତ୍ଵର ଧାପେ ନାହିଁ- ମମତ୍ଵର ମମତା, ତହୁଁପୀଡ଼ା, ଉଦ୍‌ବେଗ, ସୁଖଦୁଃଖର ଗଣ୍ଡଗୋଳ । ପରୋକ୍ଷରେ ମଧ୍ୟ ନାହିଁ, କେଉଁ ସ୍ମୃତିର ଜରିଆରେ, ଯାହା ମୋ ମନକୁ ଚହଲେଇଦେବ, କି ମୁଁ ତାକୁ ଆଙ୍କୁଡ଼ି ଧରିବି ।’ ଅନେକ ସମୟର ବ୍ୟବଧାନ ପରେ ଗାଁ ମାଟିରେ ପଦାର୍ପଣ ଓ ସେଇ ସମୟର ଅନୁଭବ ଆବେଶକୁ ଆଜିର ଆନନ୍ଦ ସହିତ ମିଶେଇ ଦେବାର ପ୍ରବଣତା ଗଳ୍ପଟିକୁ ବେଶ୍ ଆକର୍ଷଣୀୟ କରିଦେଇଛି ।

 

‘ଦଶହରାଭେଟି’ ଗଳ୍ପର ଯୁବ ଅଫିସରଙ୍କର ମାନସିକ ପ୍ରତିକ୍ରିୟା, ସ୍ମୃତି-ମନ୍ଥନ, ‘ବନମୟୂର’ ଗଳ୍ପର ବହୁସନ୍ତାନବତୀ ନାୟିକାର ବନମୟୂରୀର ନୃତ୍ୟ ଦେଖି ଡାକ୍ତରାଣୀଙ୍କ ଉପଦେଶକୁ ଭୁଲି ପୁଣି ସ୍ୱାମୀ ସହିତ ମିଳନ ଓ ପୁଣି ସନ୍ତାନବତୀ ହେବାର ଅଭିଳାଷ, ‘ତୁ କ’ଣ ରାମକୃଷ୍ଣ’ ଗଳ୍ପରେ ବନ୍ଧୁ-ସ୍ମୃତି, ‘ଧବଳଆକାଶ’ ଗଳ୍ପର ସେଇ ବନ୍ଧୁ-ସଂପ୍ରୀତି ଓ ଅତୀତର ସ୍ମୃତି ଚାରଣ, ‘ବୋମାପଡ଼ିବ’ ଗଳ୍ପର ନାୟକ ମାଧ୍ୟମରେ ମଣିଷର ସହଜାତ ପ୍ରବୃତ୍ତିର ରୂପାୟନ ଓ ସମ୍ଭାବିତ ବିନାଶର ଆଶଙ୍କାରେ ବ୍ୟାକୁଳତା, ‘ନିଶାପ’ ଗଳ୍ପର ନାୟକ ମାଧ୍ୟମରେ ପ୍ରେମ ପାଇଁ ଆତ୍ମହତ୍ୟା କରୁଥିବା ଆମ ବୁଦ୍ଧିଜୀବୀ ସମାଜ ପ୍ରତି ବିଦ୍ରୂପ, ‘ପୁଅ କାନ୍ଦୁଛି' ଗଳ୍ପର ନାୟକ ରାଧାନାଥର ବିଦେଶୀ ଭ୍ରାନ୍ତିରୁ ମୁକ୍ତି, ‘ଚୁମ୍ବନ’ ଗଳ୍ପରେ ପାଶ୍ଚାତ୍ୟ ଦେଶର ଜାନ୍ତବ ଚୁମ୍ବନ ସହିତ ମେକ୍‍ସିକୋ ସିଟିର ବୁଲଫାଇଟ ଦୃଶ୍ୟରେ ପୈଶାଚିକ ଉଲ୍ଲାସ ପ୍ରତି ବ୍ୟଙ୍ଗୋକ୍ତି, ‘ଘରବାହୁଡ଼ା’ ଗଳ୍ପରେ ବିଦେଶରୁ ସ୍ୱଦେଶକୁ ଫେରି ଆସୁଥିବା ଗଳ୍ପନାୟକଙ୍କର ମାନସିକ ଉତ୍କଣ୍ଠା, ‘ଗୋଟିଏ ଲାଲସନ୍ଧ୍ୟା’ ଗଳ୍ପ-ନାୟକର ତଳ ମଧ୍ୟବିତ୍ତ ବୁଦ୍ଧିଜୀବୀର ଉପରକୁ ଉଠିବାର ଅଭିଳାଷ, ‘ଘେରାଉ’ ଗଳ୍ପର ହାକିମି ମର୍ଯ୍ୟାଦା, ମଧ୍ୟବିତ୍ତ ଓ ହାଲୁକା ବାମପନ୍ଥୀ ଅଧୁକାରର ସଙ୍କଟ, ‘ଶହେ ପୁଅ’ ଗଳ୍ପରେ ବାହାରକୁ ବିପ୍ଳବୀ, ଛତରା ଜଣାଯାଉଥିବା ଯୁବକମାନଙ୍କର ପ୍ରକୃତର ସ୍ୱରୂପ ଜାଣିବା ପରେ ଗଳ୍ପନାୟକଙ୍କ ସହାନୁଭୂତି, ‘ଗଧମାନେ କଣ କରନ୍ତି’ ଗଳ୍ପରେ ଉପରକୁ ଉଠିବା ପାଇଁ ବ୍ୟାକୁଳ ହେଉଥିବା ହାକିମଙ୍କର ଅସହାୟତା, ‘ରାତିକୁକୁର’ ଗଳ୍ପରେ ନକ୍‍ସାଲ ଓ କଂସାଲକୁ ନେଇ କଲିକତାରେ ଲେଖକଙ୍କ ଅନୁଭୂତି, ‘ତନୟା’ ଗଳ୍ପରେ ପ୍ରବାସୀ ଭାରତୀୟ ଭାଇଭଉଣୀଙ୍କ ବୈଚିତ୍ର୍ୟ, ‘ଠାକୁରଘର’ ଗଳ୍ପରେ ମାଆର ଆରୋଗ୍ୟ କାମନାରେ ସାନଝିଅର ଆନ୍ତରିକତା ଓ ଠାକୁରଙ୍କ ପାଖରେ ପ୍ରାର୍ଥନା, ଅନ୍ୟ ଝିଅମାନଙ୍କର ପ୍ରତାରଣା, ଶିଳ୍ପ ସଭ୍ୟତାର ତାଡ଼ନାରେ ଯୌଥ ପରିବାରର ମୁଖା ଉନ୍ମୋଚନ, ‘ଗନ୍ଧ’ ଗଳ୍ପରେ ଆତ୍ମ ସମ୍ମାନକୁ ବଳି ଦେଇ ଉପରକୁ ଆରୋହଣ କରିବାର ଆକାଂକ୍ଷା, ‘ସାମାନ୍ୟ ସୂର୍ଯ୍ୟ’ ଗଳ୍ପରେ ଟିନ୍‌ଏଜରଙ୍କ ପ୍ରତି ଉଦାର ଉପହାସ, ‘ନିଆଁ ଓ ପାଉଁଶ’ ଗଳ୍ପରେ ନାରୀ ପୁରୁଷର ସମ୍ପର୍କର ବ୍ୟଞ୍ଜନା, ‘ପାହାଡ଼’ ଗଳ୍ପରେ ମଣିଷ ଭିତରେ ଥିବା ଭିନ୍ନ ବ୍ୟାକୁଳତାର ସ୍ଵର, ‘ଗୁରୁଦକ୍ଷିଣା’ ଗଳ୍ପରେ ଦକ୍ଷିଣ ଆଫ୍ରିକାରେ ଅନୁନ୍ନତ ସ୍ଵାଜିମାନଙ୍କ ଚାରିତ୍ରିକ ବୈଶିଷ୍ଟ୍ୟ, ‘ବିଭିନ୍ନ ପାଉଁଶ’ ଗଳ୍ପରେ ଚିନ୍ତାଶୂନ୍ୟ ଭୋଗୀ ଓ ବୁଦ୍ଧିଶୂନ୍ୟ ତ୍ୟାଗୀଙ୍କର ନିର୍ବୋଧତା, ଜନୈକା ପରିଣିତା ଶ୍ୱେତାଙ୍ଗିନୀର ହିମାଳୟର କୌଣସି ଗୁରୁଙ୍କ ପାଖରେ ଅବସ୍ଥାନ ଓ ମୃତ୍ୟୁ, ‘ଶୂନ ନେଇଗଲା ଡାମରା କାଉ’ ଗଳ୍ପରେ ଯାହା ନୈସର୍ଗିକ ତାହାକୁ ସବୁବେଳେ ସମାନ କହିବାର ଭ୍ରମ ପ୍ରତିପାଦନ, ସ୍ଵାର୍ଥ ସହିତ ଅଭିମାନ, ଈର୍ଷା ଓ ଘୃଣାର ସଂଘର୍ଷ, ‘ଧବଳ ଟଗର’ ଗଳ୍ପରେ କଟକ ସହର ପ୍ରତି ଗଳ୍ପନାୟକଙ୍କର ଘୃଣା ଥିଲେ ମଧ୍ୟ ପ୍ରେମ, ନାରୀ-ଭଉଣୀକୁ ଭଲପାଇବାର ସଂଘାତ, ‘ତ୍ରୟୋବିଂଶ ମୃତ୍ୟୁ’ ଗଳ୍ପରେ ନାରୀମାନଙ୍କୁ ଅନ୍ୟ ରୂପରେ ପରିକଳ୍ପନା ଇତ୍ୟାଦି ମଧ୍ୟଦେଇ କଥାକାର ଯେପରି ଗଳ୍ପ-ନିର୍ମାଣ କରିଛନ୍ତି ତାହା ତାଙ୍କର ବର୍ଣ୍ଣନା-ନୈପୁଣ୍ୟ ଓ ବ୍ୟଞ୍ଜନା-ବୈଚିତ୍ର୍ୟର ପରିଚୟ ଦେଇଥାନ୍ତି । ଗଳ୍ପଗୁଡ଼ିକର ଉତ୍ସ ଝରି ଆସିଛି ଅବଚେତନର ରହସ୍ୟମୟ ଅନ୍ଧାରୀ ଇଲାକାରୁ । ଚେତନ ସ୍ତର ସହିତ ଲୁଚକାଳି ଖେଳି ସ୍ମୃତି ଓ ଅଙ୍ଗେ ନିଭାଉଥିବା ଜୀବନ ସହିତ ଯୋଗସୂତ୍ର ରଖି କାବ୍ୟିକ ଭାବାବେଗରେ ପ୍ରବାହିତ ହୋଇଯାଇଛି । ଗଳ୍ପ ଗୁଡ଼ିକ ନିର୍ମିତୀ ଗଳ୍ପ ନୁହେଁ; ସ୍ଵୟଂ ସୃଷ୍ଟ ଓ ସ୍ରଷ୍ଟା- ପୁରୁଷ ସେହି ଗଳ୍ପକୁ ଅନୁଧାବନ କରିଛି ମାତ୍ର ।

 

।। ୪ ।।

 

କିଶୋରୀ ଚରଣଙ୍କ ଗଳ୍ପ-ଜଗତ ଆଧୁନିକ ନଗର କେନ୍ଦ୍ରିକ ଅଭିଜାତ ବର୍ଗର ବସ୍ତୁବାଦୀ ଜିଜ୍ଞାସାର ମନ୍ମୟରୂପ-ଚିତ୍ର ହେଲେ ମଧ୍ୟ ସେଥିରେ ଆଧୁନିକ ମଣିଷର ମନୋଜଗତ ପ୍ରମୁଖ ସ୍ଥାନ ଗ୍ରହଣ କରିଛି । ବେଳେ ବେଳେ ଆଧ୍ୟାତ୍ମିକ ଆଲୋକର ରଶ୍ମି ଗଳ୍ପ-ଗବାକ୍ଷ ଭିତର ଦେଇ ଗଳ୍ପ – ପ୍ରାଣସତ୍ତାକୁ ଆଲୋକିତ କରିଦେଇଛି । ବ୍ୟସ୍ତ ବିବ୍ରତ ସଂଘାତ ସଂକୁଳ ମଣିଷ ସ୍ନେହ ସୋହାଗ ଟିକିଏ ପାଇବା ପାଇଁ ଯେ କେତେ ବ୍ୟାକୁଳ ତାହା ତାଙ୍କର ଗଳ୍ପଗୁଡ଼ିକ ସୂଚାଇ ଦିଏ । ବ୍ୟଙ୍ଗ ଓ ବିଦ୍ରୂପର ସ୍ଵର ତାଙ୍କ ଗଳ୍ପ ଭିତରେ ଥିଲେ ମଧ୍ୟ ତାହା ଅନ୍ୟକୁ ଆଘାତ ଦେବା ପାଇଁ ଉଦ୍ଦିଷ୍ଟ ନୁହେଁ । ତାହାର ଲକ୍ଷ୍ୟ ହୋଇଛି ମାନବିକତାର ଆବିଷ୍କାର ଓ ଉଦଘୋଷଣ । ନିଜର ଅନୁଭୂତ ସତ୍ୟକୁ ସେ ରୂପ ଦେଇଛନ୍ତି ଗଳ୍ପରେ । ଯେଉଁ ସମାଜ ସହିତ ସେ ମିଶିଛନ୍ତି ସେହି ସମାଜ, ବ୍ୟକ୍ତି ଓ ପରିବେଶରୁ ଉପଲବ୍ଧ ଅଭିଜ୍ଞତାକୁ ଆପଣାର ପ୍ରଜ୍ଞାବୋଧରେ ଜାରିତ କରି ମନନଶୀଳ ଭାବରେ ରୂପଦେଇଛନ୍ତି ଗଳ୍ପରେ । ତାଙ୍କର ପ୍ରତ୍ୟେକଟି ଗଳ୍ପ ତାଙ୍କ ନିବିଡ଼ ଜୀବନାନୁଭୂତିର କଳାତ୍ମକ ରୂପଚିତ୍ର । ମଧ୍ୟବିତ୍ତର ସୁଖଦୁଃଖ, ଅସହାୟତା, ଆଶା ଆକାଂକ୍ଷା, ଛଳନା ଓ ସର୍ବୋପରି ବସ୍ତୁଗତ ଉତ୍ତରଣ ତାଙ୍କ ଗଳ୍ପର ଉପାଦାନ । ନିଜେ ସେହି ସମାଜର ଜଣେ ହୋଇ ଥିବାରୁ ଅନେକ ଗଳ୍ପରେ ସେ ନିଜକୁହିଁ ନାୟକ କରି ଦେଇଛନ୍ତି । ଗଳ୍ପର ଗତି ଭିତରେ ପରିବେଶଟି ଜୀବନ୍ତ ହୋଇ ଉଠିଛି । ସେହିପରିବେଶକୁ ଅବଲମ୍ବନ କରି ଗଳ୍ପ-ବର୍ଣ୍ଣିତ ଚରିତ୍ରମାନେ ହୋଇଛନ୍ତି ପ୍ରାଣବନ୍ତ ।

 

ଗଳ୍ପର ବିଷୟ ସେ ଖୋଜିନାହାନ୍ତି; ଆପେ ଆପେ ବିଷୟ ଅବତରି ଆସିଛି । ସେହି ବିଷୟ କୌଣସି ଧରାବନ୍ଧା ବିଷୟ ନୁହେଁ ବା ପୂର୍ବ ନିର୍ଦ୍ଧାରିତ ନୁହେଁ । ତାହା ସ୍ୱୟଂ ଅବତୀର୍ଣ୍ଣ । ତାଙ୍କର ମାନସ ପ୍ରଦେଶକୁ ଆଲୋକିତ କରି ଭାବ ସଞ୍ଚାରୀ ବିଷୟର ହୋଇଛି ଅବତରଣ । ବିଷୟ ରହିଛି ମାତ୍ର ତାହା କାହାଣୀହୀନ । ସୂକ୍ଷ୍ମ ମାନସ-ବୀକ୍ଷା ହିଁ ମୁଖ୍ୟ । ଚରିତ୍ରମାନଙ୍କର ଅନ୍ତର୍ବିପ୍ଳବ ଓ ଦ୍ୱନ୍ଦ୍ୱ ହୋଇଛି ଶକ୍ତିଶାଳୀ । ସେ କହନ୍ତି- ‘କିଛି ଅନୁଭୂତିକୁନେଇ ଚରିତ୍ର ମାଧ୍ୟମରେ ମୁଁ ଅଭିନୟ କରେ । ଯେ କୌଣସି ଲେଖା ପାଇଁ ଚିନ୍ତା, ଆନ୍ତରିକତା ଏବଂ ସାହସ ନ ଥିଲେ ସୃଷ୍ଟି ସଫଳ ହେବନି ଏବଂ ଏହି ଆନ୍ତରିକତା ଅସ୍ଥିମଜ୍ଜାଗତ ହେବା ଉଚିତ । ମୋର ଆଖପାଖର ମଣିଷଙ୍କୁ ମୁଁ ଯେପରି ଦେଖେ କଳ୍ପନାର ରଙ୍ଗ ଦେଇ ଆଉ ଟିକେ ବଢ଼ାଇ ଦିଏ । ଗୋଟିଏ ମଣିଷ ସହିତ ଆଉ ଗୋଟିଏ ମଣିଷର ଭାଗ୍ୟକୁ ଯୋଡ଼ି ତଉଲେ ଯେ ଏଇଟି ଅନ୍ୟଟି ପରି ହୋଇଥିଲେ ଏବଂ ସେଥିରୁ ଉପୁଜି ପାରୁଥିବା ମୋ ଅନୁଭୂତି ଦର୍ଶନର ଅଭିବ୍ୟକ୍ତି, ମୋର ଅନ୍ୟତମ ବକ୍ତବ୍ୟ, ଯାହାକୁ ମୁଁ ମୋ ପାଠକପାଠିକାମାନଙ୍କ ପାଖରେ ଉପସ୍ଥାପନ କରିବାକୁ ଚାହେଁ । ତା’ପରେ କଲମ ଧରିବା ପୂର୍ବରୁ ମୁଁ ପ୍ରଥମେ ମୋ ଗଳ୍ପର ପରିଣତି, ତା’ର ଶେଷ କଥା, କ୍ଲାଇମାକ୍‍ସ କିମ୍ବା ଆଣ୍ଟି କ୍ଲାଇମାକ୍‍ସକୁ ଉଜ୍ଜ୍ୱଳନକୁ ଠିକଣା କରିନିଏ, ଯେପରିକି ତାରି ମାଧ୍ୟମରେ ମୋର ଅଭିବ୍ୟକ୍ତି ଯଥାସମ୍ଭବ ସୂଚିତ ହୋଇପାରିବ । ସୁସ୍ପଷ୍ଟ ନୁହେଁ, ସୂଚିତ କାରଣ ମୋର ବକ୍ତବ୍ୟ ଅଧିକାଂଶରେ ବହୁମୁଖୀ ଏବଂ ପ୍ରଶ୍ନବାଚୀ, ତେଣୁ ଶ୍ଳେଷ (Irony)କୁ ଆଶ୍ରିଥାଏ ।’ (ଏକ ସାକ୍ଷାତକାର, ଓଡ଼ିଶା ସାହିତ୍ୟ ଏକାଡେମୀ, ୧୯୯୨)

 

କିଶୋରୀ ଚରଣଙ୍କ ଗଳ୍ପ ଅନୁଭୂତିର ଗନ୍ତାଘର । କଳ୍ପନା ସେହି ଅନୁଭୂତିକୁ ରୂପ ଦେଇଛି ଓ କରିଛି ଗତିଶୀଳ । ମଣିଷକୁ ଚିହ୍ନି ଚିହ୍ନାଇବା ତାଙ୍କର ବୈଶିଷ୍ଟ୍ୟ । ଭିତର ମଣିଷଟିକୁ ସେ ବାହାର କରି ଆଣିଛନ୍ତି । ସେ ଯେ ପ୍ରକୃତରେ କେତେ ଅସହାୟ ଓ କ୍ଷତ ବିକ୍ଷତ ତାହାକୁ ଦେଖାଇ ଦେଇଛନ୍ତି । ଭିତର ମଣିଷଟିକୁ ରୂପ ଦେଉଥିବାରୁ ସେହି ମଣିଷଟିର ଯେଉଁ ଭିତିରି ସଂଳାପ ସୃଷ୍ଟି ହେଉଥାଏ ତାହାକୁ ସେ କାନେଇ ଶୁଣିଛନ୍ତି । ତେଣୁ ଗଳ୍ପର ଷ୍ଟ୍ରକ୍‌ଚର ଭିତରେ ସଂଳାପ ନେଇଛି ଗୁରୁତ୍ୱପୂର୍ଣ୍ଣ ସ୍ଥାନ । ଏହା କେଉଁଠି ହୋଇଛି କଥୋପକଥନଧର୍ମୀ । କେଉଁଠି ପ୍ରଶ୍ନାୟିତ ଭଙ୍ଗୀରେ ହୋଇଛି ପ୍ରକଟିତ । କେଉଁଠି ମଧ୍ୟ ରହିଛି ସ୍ଵଗତୋକ୍ତି । ଏପରି କ୍ଷେତ୍ରରେ ସ୍ୱୟଂ ଲେଖକ ଯେପରି ତା’ ଅନ୍ତରାଳରେ ରହିଥାଆନ୍ତି । କେତେକ ସ୍ଥଳରେ ଉତ୍ତମ ପୁରୁଷ ଶୈଳୀରେ ବର୍ଣ୍ଣିତ ହୋଇଛି ଗଳ୍ପ । ‘ଚିତ୍ରାଙ୍ଗଦାର ଚିଟାଉ’ ପରି ଗଳ୍ପରେ ପତ୍ରଶୈଳୀ ପରିଲକ୍ଷିତ । କଥା ସାହିତ୍ୟରେ କଳା ଓ କାରୀଗରୀ’ (୧୯୯୦) ପୁସ୍ତକରେ ସେ କହନ୍ତି- “ଆରମ୍ଭ ଓ ଶେଷର ଦୈତ୍ୱ ହିଁ ଯଥେଷ୍ଟ, ମଧ୍ୟ ଦେଶୀୟ ଗଣ୍ଡଗୋଳ ଥାଉ ବା ନ ଥାଉ । ଉନ୍ମୋଚନ ଅବା ଅବଗୁଣ୍ଠନ ମଧ୍ୟ ଏକ ପରୀକ୍ଷିତ କଳାତ୍ମକ ପ୍ରକ୍ରିୟା ଯାହାର ମାଧ୍ୟମରେ ଗୋଲେଇର ଅନୁଭବ ମିଳିଯିବ । ଘଟଣା, ଚରିତ୍ର, ପରିବେଶର ସଂଯୋଜନା ଅର୍ଥାତ୍ ପ୍ଲଟରେ କନ୍ଦଳ ଅତ୍ୟାବଶ୍ୟକ ନୁହେଁ । ସାଧାରଣତଃ କନ୍ଦଳ (ଅପ୍ରତ୍ୟକ୍ଷରେ ହେଉ ଅବା ପରୋକ୍ଷରେ) ଆଣି ଦେଇପାରିଲେ ଗତି ସହଜରେ ମିଳିଯିବ ତୁମକୁ) ତାତିରୁ, ରଙ୍ଗ ଓ ରୋଷର ବାଟ ଫିଟିଯିବ, ଯାହାକି ପାଠକକୁ ତାର ‘ସମ୍ପୂର୍ଣ୍ଣ ସତ’ ଆଡ଼କୁ ନେଇଯିବାରେ ସାହାଯ୍ୟ କରିବ । ଏଇ ସୁପରୀକ୍ଷିତ ପନ୍ଥାର ଅନୁସରଣ ନ କଲେ ମଧ୍ୟ ସାର୍ଥକ ଗପ ଲେଖାଯାଇ ପାରିବ, ଯଥା ଉପରୋକ୍ତ ଉନ୍ମୋଚନ ବିଧି । କିନ୍ତୁ ସେଥିରେ ସଫଳତା ପାଇଁ ସୂକ୍ଷ୍ମ ଏବଂ ଚଳମାନ ଭାସ୍କର୍ଯ୍ୟର ଆବଶ୍ୟକ । ପ୍ରକାରାନ୍ତରେ ସ୍ଥାଣୁ, କିନ୍ତୁ ଅଜାଣତରେ ଦୂରରୁ ଦୂରକୁ ଟାଣିନେଇ ପାରିବାର କାରସାଦି । ଯାହା ତୁମର ନିଜସ୍ୱ ପ୍ରବଣତା ଛଡ଼ା ଯଥେଷ୍ଟ ଅଭ୍ୟାସ ଓ ଅଧ୍ୟବସାୟ ଉପରେ ନିର୍ଭର କରେ । ନ ହେଲେ ପାଠକ ତା’ର ସମତୁଲ ଅଣଗତିରେ ଢୁଳେଇପଡ଼ିବା ଅସମ୍ଭବ ନୁହେଁ । କନ୍ଦଳକୁ ଦୂରେଇ ଦେଲେ ଚଳିବ, କିନ୍ତୁ ସଂଘର୍ଷକୁ ନୁହେଁ । ଏଇଠି ମୁଁ ମଧ୍ୟ ଦର୍ଶନର ଭିତ୍ତିଭୂମିରେ ଠିଆ ହୋଇ ସ୍ପଷ୍ଟ ଭାବରେ କହିବାକୁ ଚାହେଁ ଯେ କର୍ମଗତ, ଭାବଗତ, ଅବା ଭାବନାଗତ ଯେକୌଣସି ‘ଜୀଅନ୍ତାପଣ’ରେ ସଂଘର୍ଷ ଅନିବାର୍ଯ୍ୟ । ଏଇ ସଂଘର୍ଷରେ ହିଂସା ନଥାଇ ପାରେ (ଯଦିଓ ତାତ୍ତ୍ୱିକ ଦୃଷ୍ଟିରେ କହିଲେ ଭୁଲ ହେବ ନାହିଁ ଯେ ସଂଘର୍ଷର ଅନ୍ୟ ନାମ ହେଉଛି ଜୀବନ ବନାମ ମୃତ୍ୟୁର ପାରସ୍ପରିକ ହିଂସା), କିନ୍ତୁ ବିରୋଧର ଘାତ ପ୍ରତିଘାତ ଏବଂ ତଦ୍ଜନିତ ଉତ୍ତେଜନା ରହିବାକୁ ବାଧ୍ୟ ।’ କିଶୋରୀ ଚରଣଙ୍କ ଗଳ୍ପର ଗତି-ପ୍ରବାହ ଭିତରେ ବାରମ୍ବାର ଦ୍ୱନ୍ଦ୍ୱ ବା ସଂଘର୍ଷକୁ ପାଠକ ଅନୁଭବ କରେ । ଏହି ସଂଘର୍ଷ ମାନସିକ ଓ ତାହା ଗଳ୍ପକୁ ଆଗେଇ ନେବାରେ ସାହାଯ୍ୟ କରିଛି । ତେଣୁ ଗଳ୍ପର ଗତାନୁଗତିକ ଫର୍ମୁଲାକୁ ଛାଡ଼ି କିଶୋରୀ ଚରଣ ମାନସିକ ଦ୍ଵନ୍ଦ୍ୱକୁ ଆଧାର କରି ଗଳ୍ପ ଲେଖିଛନ୍ତି । ବାହାର ମଣିଷକୁ ସେ ଉପେକ୍ଷା କରି ନାହାନ୍ତି; ଭିତରର ମଣିଷଟିକୁ ବେଶୀ ଗୁରୁତ୍ୱ ଦେଇଛନ୍ତି ।

 

ଗଳ୍ପର ଗତି-ପ୍ରବାହରେ ଚେତନାପ୍ରବାହ ଧାରା ନେଇଛି ପ୍ରମୁଖ ଭୂମିକା । ଏହା ଦ୍ଵାରା ଅବଚେତନର ରହସ୍ୟ ହୋଇଛି ଉନ୍ମୋଚିତ । ଏପରି ଶୈଳୀରେ ଘଟିଛି କବିତାର ଅନ୍ତରୀଣ ପ୍ରବାହ । ଭାଷା ହୋଇଛି ସୂଚନାତ୍ମକ ଓ ଶ୍ଳେଷାତ୍ମକ । ଗମନ, ଧବଳଟଗର, ମୂଷାବାବୁ ରାଗିଲେ କି, କୁମାରୀ, ଶୀତ ଲହରୀ, ଭିନ୍ନ ପାଉଁଶ, ରାତି କୁକୁର, ମଣିମାଙ୍କ ମହିମା, ବାଉଲି ଅପାଙ୍କ ଭୂତ, ଖେଳ ସରିନାହିଁ, କାଳିଗୋରୀ, ସ୍ୱପ୍ନ ସୁନ୍ଦରୀ, ଲେଉଟାଣି, ଗୋଟାଏ ଲାଲ ସନ୍ଧ୍ୟା, ନାଲିଗୁଲୁଗୁଲୁ ସାଧବ ବୋହୂ ଆଦି ନାନା ଗଳ୍ପ ଚେତନାପ୍ରବାହ ତତ୍ତ୍ୱ ଉପରେ ଆଧାରିତ । ତାଙ୍କର ଗଳ୍ପ ଗୁଡ଼ିକ ଅଣୁବୀକ୍ଷଣିକ (Microscopic) । ଗୋଟିଏ ଗୋଟିଏ ମୁହୂର୍ତ୍ତ ହିଁ ବ୍ୟଞ୍ଜିତ ତାଙ୍କ ଗଳ୍ପରେ । ସେହି ମୁହୂର୍ତ୍ତ ବା ସମୟ ଯେମିତି ହୋଇଯାଇଛି ଗଳ୍ପର ବିଷୟ । ସେ କହନ୍ତି ଯେ ବ୍ୟକ୍ତି-ମାନସରେ ରହିଛି ଏକ ଅନ୍ଧାରୀ ଗୁହା । ଏହାହିଁ ତାର ଅଦ୍ୱିତୀୟ ବ୍ୟକ୍ତିତ୍ୱ । ଏହି କାରଣରୁ ସେ ଅନ୍ୟ କାହାପରି ନୁହେଁ, ଏକନ୍ତ ଏକାକୀ ଓ ଏକୁଟିଆ । ଯଦିଜଣେ ଲେଖକ ତାର ମାନସ-ଗୁହାର ପାଖ ନମାଡ଼ି ବାହାରୁ ଆସୁଥିବା ବିଭିନ୍ନ ଚେତନାର ଆଲୋକରେ ସାହିତ୍ୟ ରଚନା କରେ ତେବେ ତାହା କେବଳ ଗୋଟିଏ ଯନ୍ତ୍ର ବା ଫଟୋ କ୍ୟାମେରା ହୋଇଯିବ । ଅନ୍ୟପକ୍ଷରେ ସେ ଯଦି ତାର ମାନସ ଗୁହାର ଜନ୍ତୁମାନଙ୍କୁ ଖୋଜି ଚିହ୍ନିବାକୁ ଚେଷ୍ଟା କରେ ତେବେ ସେ ଆଦିମ ଅଥବା ବାଳୁତ ହୋଇଯିବ । ତେଣୁ ଜଣେ କଥାକାର ଅନ୍ଧାରୀ ଗୁହା ଓ ଆଲୋକିତ ସ୍ତର ଉଭୟକୁ ଧରି ଗ ଲେଖିଲେ ଗନ୍ଧଟି ସାର୍ଥକ ହୁଏ । କିଶୋରୀ ଚରଣ ଏହି ଉଭୟର ଗଳ୍ପକାର । ତେଣୁ ସେ ଶାଣିତ ବ୍ୟଙ୍ଗ ଓ ଶ୍ଳେଷକୁ ବ୍ୟବହାର କରି ଭିତରେ ଛପିଥିବା ପ୍ରକୃତ ମଣିଷକୁ ବାହାର କରିଆଣିଛନ୍ତି । ବର୍ଣ୍ଣନା ପ୍ରସଙ୍ଗରେ ବ୍ୟବହାର କରିଛନ୍ତି ଚିତ୍ରକଳ୍ପ, ପ୍ରତୀକ, ମିଥ୍ । ଶ୍ଳେଷ ଓ ବ୍ୟଙ୍ଗ ମଧ୍ୟ ତାଙ୍କ ଗଳ୍ପକୁ କରିଛି ଜୀବନ୍ତ । କବିତା ମାଧ୍ୟମରେ ସେ ନିଜକୁ ଅଧିକ ବ୍ୟକ୍ତ କରୁଥିଲେ ମଧ୍ୟ ଗଳ୍ପ ତାଙ୍କର ପ୍ରିୟତମ ପ୍ରକାଶଭଙ୍ଗୀ । କବିତା ପ୍ରତି ଅନ୍ତରଙ୍ଗତା ଥିବାରୁ ଗଳ୍ପରେ କାବ୍ୟ ଧର୍ମିତାକୁ ସେ ଗୁରୁତ୍ୱ ଦିଅନ୍ତି । କେତୋଟି ଦୃଷ୍ଟାନ୍ତ ପ୍ରଦତ୍ତ :

 

(କ)

ପବନରେ ଅନ୍ଧାର ଥରୁଛି, କଥା କହୁଛି କିନ୍ତୁ ଆଲୁଅରେ କିଛି ହେଉନାହିଁ ବୋଉ ରହିଛି ଏକୁଟିଆ ଖୁଣ୍ଟପରି (ଭଙ୍ଗା ଖେଳଣା)

(ଖ)

ହେଇ, - ସେ କୋଣରେ ପୋଲିଶ ଲାଇନ୍ ପଡ଼ିଆ ଉପରେ ଜହ୍ନ । ଫାଳେ କଟିଯାଇଛି । ଛୁରୀଟାରେ କଟା ହେଲାପରି ନୁହେଁ, କିଏ ଛିଣ୍ଡେଇ ନେଲାପରି । (ଭଙ୍ଗା ଖେଳଣା)

(ଗ)

ଆକାଶ ନେଳିଆ । ଠିଆ ଠିଆ ଲମ୍ବା କୋଠାଗୁଡ଼ାକ ଚିକ୍ ଚିକ୍ କରୁଛି ଶେଷ ଆଲୁଅରେ, ସୁନା ପାଣି ଢଳା ହେଲାପରି । (ଆଇସ୍‌କ୍ରିମ୍)

(ଘ)

ଚେନାଏ ଖରା ମେଘରୁ ଛିଡିକି ପଡ଼ି ସେକ୍ରେଟେରୀଏଟ ରାସ୍ତା କଡ଼ରେ ଆଉଜି ଯାଇଥିବା ଗୋଟିଏ ଏକୁଟିଆ କଳା କାର୍ ଉପରେ ଚକ୍ କରୁଥାଏ । ଚିକଣ, ତେଲିଆ ବଦ୍ମାସଟାଏ, ତାକୁ ଆଖି ମାରି ଥଟ୍ଟା କରୁଛି । (ସାବିତ୍ରୀର ସୁଦିନ)

(ଙ)

ତା’ଛଡ଼ା ତା’ ଗୀତରେ ଅଛି ଗୋଟିଏ ନିବିଡ଼ ନିଷ୍ଠୁରତା, ଯାହା ମନେ ପକାଏ ଘନେଇ ଆସୁଥିବା ସନ୍ଧ୍ୟାର କଥା, ବାଟପାଉ ନଥିବା ବସାର କଥା, ନ ଫେରି ଆସିବାର ନିଶ୍ଚିତ ନିଷ୍ଠୁରତାର କଥା, ସେଥିପାଇଁ ସେ ମୁଖର, ବାହୟୁମଣ୍ଡଳ ଶୋଭା ପାଏ ନା । (ସରମାର ରୋମାନ୍‍ସ)

(ଚ)

ଆଶ୍ଚର୍ଯ୍ୟ ! ସନ୍ଧ୍ୟା ସାତଟା ନ ବାଜୁଣୁ ଏପରି ନିର୍ଜନ ହେବାର ତ ମୁଁ ଆଗରୁ କେବେ ଦେଖିନାହିଁ ତା’ଛଡ଼ା ମ୍ୟୁନିସ୍‍ପାଲିଟି ଆଲୁଅ ତଳେ ଧାପେ ଧାପେ ଛାଇ ଚାଲି ଆସୁଛି, ପୁଣି ଅନ୍ଧାରରେ ମିଶି ଯାଉଛି । ଇଏ କି ଲୁଚୁକାଳି ଖେଳ ? (ରାତି କୁକୁର)

(ଛ)

ଅନ୍ଧାର କଳା ନୁହେଁ, ଧୂସର, କୁତ୍ସିତ । ଯେହେତୁ କେତେ ପୁରୁଣା ମିଛର ସଂସ୍କାର ସତର ସଞ୍ଚାର ସହିତ ଗୋଳେଇ ହୋଇଯାଇଛି, ମରଣ ରାତିର ଅନ୍ଧାରକୁ କୁହୁଡ଼ିଆ କରି ଦେଇଛି । (ଠାକୁରଘର)

(ଜ)

କାନ୍ଥର କ୍ୟାଲେଣ୍ଡରରେ ତାଙ୍କର ଦୃଷ୍ଟି ଅଟକିଗଲା ନାହିଁ । କିମ୍ବା ଝରକା ଭିତର ଦେଇ ପେଟୁଆମେଘ, ଉଡ଼ନ୍ତା ଚଢ଼େଇ ବା ରାସ୍ତାର ଦୃଶ୍ୟରେ ସୀମିତ ହେଲା ନାହିଁ । (ଘେରାଉ) ।

 

ଏହିପରି ନାନା ଦୃଷ୍ଟାନ୍ତ ପ୍ରଦାନ କରାଯାଇପାରେ ଯେଉଁଥିରୁ କିଶୋରୀ ଚରଣଙ୍କ ବର୍ଣ୍ଣନା କୌଶଳର ପରିଚୟ ମିଳିଥାଏ । ଚିତ୍ରକାଳ୍ପିକ ବର୍ଣ୍ଣନା ଭିତରେ କାବ୍ୟିକ ପ୍ରବାହ ଲକ୍ଷ୍ୟ କରିହୁଏ । ପ୍ରସଙ୍ଗ କ୍ରମେ ପ୍ରତୀକାତ୍ମକ ପ୍ରୟୋଗ ମଧ୍ୟ ଗଳ୍ପକୁ ମହିମାନ୍ୱିତ କରିଥିବା ଦେଖାଯାଏ । “ସେ ଯାହା ହେଉ ରାଜଧାନୀର ବିଭିନ୍ନ ଅବିନାଶୀ ଚୁଟିଆ ମୂଷାମାନଙ୍କୁ ଖୁସ୍ ରଖିବା ବୁଦ୍ଧିମାନର ଲକ୍ଷଣ ? (ମଚାନ୍), ‘ହଠାତ୍ ମନରେ ପ୍ରଶ୍ନ ହେଲା- ସାପ କ’ଣ କେବେ ପ୍ରେମ କରିପାରେ ? (ଚୁମ୍ବନ) ଇତ୍ୟାଦି ପ୍ରୟୋଗରୁ ଲେଖକଙ୍କ ପ୍ରତୀକ-ପ୍ରବଣତା ଉପଲବ୍ଧ ହୁଏ । ପ୍ରତୀକ ସହିତ ମିଥ୍ ବା ପୁରାଣକଳ୍ପର ପ୍ରୟୋଗ ମଧ୍ୟ ତାଙ୍କର କେତେକ ଗଳ୍ପକୁ ଭାବ ସମୃଦ୍ଧ କରିଛି । ‘ଶହେପୁଅ’ ‘ବିଜୟା ଦଶମୀ’, ତ୍ରୟୋବିଂଶ ମୃତ୍ୟୁ’ ଇତ୍ୟାଦି ଗଳ୍ପ ପୁରାଣକଳ୍ପ ଆଧାରିତ ଓ ଶାଶ୍ଵତ ଜୀବନ ପ୍ରତି ଇଙ୍ଗିତାୟିତ । ଏହା ବ୍ୟତୀତ ଶ୍ଳେଷ ଓ ବ୍ୟଙ୍ଗ ମଧ୍ୟ କିଶୋରୀ ଚରଣଙ୍କ ଗଳ୍ପର ବଳିଷ୍ଠ ବିଭବ । ଆଇସ୍‌କ୍ରିମ୍, ସାବିତ୍ରୀର ସୁଦିନ, ରାତି କୁକୁର, ସ୍ୱପ୍ନ ସୁନ୍ଦରୀ, କାନ୍ଦୁରୀ, ଭଗବାନଙ୍କ ଛବି, ଘର ବାହୁଡ଼ା, ଘେରାଉ, ସଂଗୀତାର ବାପା ଆଦି ଗଳ୍ପରୁ ତାଙ୍କର ବ୍ୟଙ୍ଗାତ୍ମକ ଦୃଷ୍ଟିକୋଣର ପରିଚୟ ମିଳିଥାଏ । ଆଧୁନିକ ଅଭିଜାତ ନରନାରୀଙ୍କର ଭ୍ରାନ୍ତ ଆଭିଜାତ୍ୟ ଓ ‘ଅହଂ’ ପ୍ରତି ଯେପରି ବ୍ୟଙ୍ଗ ପ୍ରକାଶ ପାଇଛି ସେହିପରି ନିଜକୁ ଦେଖେଇହେବା ଓ ସଂସ୍କୃତିର ଅବକ୍ଷୟରେ ଭାଗୀଦାର ହେବା ଇତ୍ୟାଦି ନାନା କଥାକୁ ମଧ୍ୟ ବ୍ୟଙ୍ଗ ବିଦ୍ରୂପ କରିଅଛନ୍ତି । ତାଙ୍କର ଶବ୍ଦ ପ୍ରୟୋଗ ବୈଚିତ୍ର୍ୟ ମଣ୍ଡିତ । ଯେପରି ଲୋକ କଥିତ ଭାଷାକୁ ବ୍ୟବହାର କରି ଗଳ୍ପର ମାଧୁର୍ଯ୍ୟ ସୃଷ୍ଟି କରିଛନ୍ତି ସେହିପରି ମଧ୍ୟ ନାଟକୀୟ ପରିବେଶ ସୃଷ୍ଟିକରି ଚମତ୍କାରିତା ପ୍ରଦାନ କରିଛନ୍ତି । ଧ୍ୱନ୍ୟାତ୍ମକ ଶବ୍ଦ, ଢେଉଢେଉକା ଶବ୍ଦର ବ୍ୟବହାର ମଧ୍ୟ ତାଙ୍କ ଗଳ୍ପକୁ ଆହୁରି ସୌନ୍ଦର୍ଯ୍ୟମୟ କରିଦେଇଛି ।

 

କିଶୋରୀ ଚରଣଙ୍କ ଗଳ୍ପରେ ଖଣ୍ଡିତ ମଣିଷମାନେ କେବଳ ନାହାନ୍ତି; ଅଛନ୍ତି ମଧ୍ୟ ଦଣ୍ଡିତ ମଣିଷ । ସେହି ଦଣ୍ଡିତ ମଣିଷମାନଙ୍କର ବଡ଼ପଣକୁ ସେ ଖୋଜିଛନ୍ତି । ଚାହିଁଛନ୍ତି ମଧ୍ୟ ଟ୍ରାଜେଡ଼ିର ଗୁଣ ଗାଇବାକୁ । ଆଧୁନିକ ଜୀବନ ଜିଜ୍ଞାସାର ସ୍ଵର ଅନୁରଣିତ ହୋଇଛି ତାଙ୍କର ଗଳ୍ପମାନଙ୍କରେ । ସେହିସ୍ୱର ବଡ଼ ଆନ୍ତରିକ ଓ ହୃଦୟସ୍ପର୍ଶୀ । ପ୍ରତ୍ୟେକ ଗଳ୍ପ ନୂତନ ଚିନ୍ତାର ଦ୍ୟୋତକ । ଆଧୁନିକ ମଣିଷର ଆର୍ତ୍ତି ଓ ଆକୁଳତା, ବ୍ୟଥା ଓ ବ୍ୟର୍ଥତା ଭିତରୁ ସେ ସତ୍ୟଶିବ ସୁନ୍ଦର ମଣିଷଟିକୁ ଆବିଷ୍କାର କରିବାକୁ ଚାହିଁଛନ୍ତି । ଗଭୀରବେଦନା ବୋଧରୁ ତାଙ୍କର ଗଳ୍ପଗୁଡ଼ିକର ସୃଷ୍ଟି ଓ ବିକାଶ । ଅନୁଭୂତ ସତ୍ୟର ସେସବୁ ବାର୍ତ୍ତାବହ । ଆଧୁନିକ ମଣିଷର ଛଦ୍ମତା ଉନ୍ମୋଚନ ତାଙ୍କର ଲକ୍ଷ୍ୟ । ଏହି ଦୃଷ୍ଟିରୁ କିଶୋରୀ ଚରଣଙ୍କ ଗଳ୍ପ ଯେ ସ୍ୱତନ୍ତ୍ର ମର୍ଯ୍ୟାଦାର ଅଧିକାରୀ ସଂଦେହ ନାହିଁ । ତାଙ୍କର ବର୍ଣ୍ଣନା ଓ ବ୍ୟଞ୍ଜନା ଗଳ୍ପକୁ କରିଛି ପ୍ରାଣବନ୍ତ । ଅନ୍ୟ ଅର୍ଥରେ ତାଙ୍କ ଗଳ୍ପର ମହିମାହିଁ ବର୍ଣ୍ଣନା ଓ ବ୍ୟଞ୍ଜନା । ଆଧୁନିକ ମଣିଷର ଛଦ୍ମତା ଓ ହିପୋକ୍ରାସିର ମୁଖା ଖୋଲି ଦେଇ ଭିତରର ମଣିଷଟିକୁ ଆବିଷ୍କାର କରି ଦେଖାଇଛନ୍ତି ସତରେ ଏହି ମଣିଷଟି କେତେ ଅସହାୟ ଓ ଦୁଃଖୀ ! ହୃଦୟର ସକଳ ଦରଦ ଦେଇ ଏଇ ମଣିଷମାନଙ୍କୁ ଆଙ୍କିଛନ୍ତି ଗଳ୍ପମାନଙ୍କରେ । ସାମଗ୍ରିକ ଭାବରେ କିଶୋରୀ ଚରଣଙ୍କ ଗଳ୍ପ ଜଗତ ଯେ ବିଶ୍ୱବ୍ୟାପୀ ଆଧୁନିକ ମଣିଷର ଜଗତ; ଏକଥା କହିଲେ ହୁଏତ ସତ୍ୟର ଅପଳାପ ହେବନାହିଁ ।

 

ଅବସରପ୍ରାପ୍ତ ପ୍ରଫେସର

ଅପର୍ଣ୍ଣାନଗର, ଚାଉଳିଆଗଞ୍ଜ, କଟକ-୪

***

 

Unknown

କିଶୋରୀଚରଣଙ୍କ କଥାଗଢ଼ଣ କଳା

ଗୌରାଙ୍ଗ ଚରଣ ଦାଶ

 

କିଶୋରୀ ଚରଣ ଦାସଙ୍କ ଗଳ୍ପ ଗଢ଼ଣରୀତିର ସଂକ୍ଷିପ୍ତ ଗୌର ଚନ୍ଦ୍ରିକା ଭାବରେ ଏତିକି କୁହାଯାଇପାରେ ଯେ, ତାଙ୍କ କଥାକୁହା ବାଗ ଏତେ ସ୍ଵତନ୍ତ୍ର, ଅନେକ କଥକଙ୍କ ରଚନାର ଶୀର୍ଷକର ନାଁମାନଙ୍କୁ ଲିଭାଇ ଦେଇ, ସେମାନଙ୍କୁ ଏକାଠି କରି, ଜଣେ ସଚେତନ ପାଠକକୁ କିଶୋରୀ ଚରଣଙ୍କୁ ଚିହ୍ନାଇ ଦେବାକୁ କୁହାଗଲେ ମୋର ବିଶ୍ୱାସ, ସେ ସହଜରେ ତାଙ୍କ ବିଚିତ୍ରତାକୁ ଠାବ କରିପାରିବେ । ଲେଖା ବିଡ଼ାଭିତରୁ ଗୋଟିଏ ଉଠେଇ ଆଣିବେ ଏବଂ କହିବେ, ଏଇ, ଏଇ ଶ୍ରୀ କିଶୋରୀ ଚରଣ ଦାସ । ସବୁ ଲେଖକଙ୍କ କ୍ଷେତ୍ରରେ ଏହା ଲକ୍ଷ୍ୟ କରାଯାଏ ନାହିଁ । ଏବଂ କେଉଁମାନଙ୍କ କ୍ଷେତ୍ରରେ ଏହା ଘଟେ, ଉତ୍ତରରେ ଏତକି କହିବା ଉଚିତ ହେବ ଯେ- ଯେଉଁ ରଚନାରେ ପାଠକ / ଶ୍ରୋତା / ଦର୍ଶକ ସ୍ରଷ୍ଟାର ବର୍ତ୍ତମାନକୁ ଅନୁଭବ କରିପାରେ, ତା ସହିତ ଆଳାପ ବିଭୋର ହୁଏ, ମିତ୍ର ଜ୍ଞାନ କରେ, ତାକୁ ହିଁ ସେ କେବଳ ମନେରଖେ । ସେଠି ସୃଷ୍ଟି କେବଳ ଜଣେ ବ୍ୟକ୍ତି ପାଇଁ ନୁହେଁ, ସମାଜର ଏକ ଆବଶ୍ୟକୀୟ ସାଂସ୍କୃତିକ ଅମଳରେ ରୂପାନ୍ତରିତ ହୋଇଯାଏ ।

 

ପାଠକ କିଶୋରୀ ଚରଣଙ୍କୁ ନିଜ ଭିତରେ କାହିଁକି ଅନୁଭବ କରେ, ତାହାର ପ୍ରଧାନ କାରଣ ତାଙ୍କ ଭାବ ପ୍ରକାଶର କାରିଗରି । କାରିଗରି କହିଲେ, ତାଙ୍କ କାଳ ଚୟନ, କାଳ ସହିତ ଶବ୍ଦର ଯୋଡ଼ଣ, ବାକ୍ୟ ଗଢ଼ଣ ଏବଂ ବାକ୍ୟର ପାରାଗ୍ରାଫୀକରଣରେ ସାବଲୀଳ ଚମତ୍‌କାରିତା - ଯାହା ଅନ୍ୟମାନଙ୍କଠାରୁ ନିଆରା । ତାଙ୍କ କାରିଗରି କଳା ସହିତ ସେ କୋଉଠି ଶକ୍ତ ଧକ୍‌କା ଖାଏନି, ଜଖମ କି କ୍ଷତାକ୍ତ ହୁଏନି । ଆରମ୍ଭରୁ ଅଟକି ଅଟକି ଯାଇଁ ଶେଷରେ ପହଁଚେ ଏବଂ ପୁଣି ନେଉଟେ ଆରମ୍ଭକୁ । ଦିଅଁ ଦେଖା ଓ ବେଢ଼ା ପରିକ୍ରମା, ଭଭୟ କାର୍ଯ୍ୟ ଏକ ସମୟରେ ହିଁ ଚାଲିଥାଏ । ସମ୍ଭବତଃ ସେ ସ୍ରଷ୍ଟାଙ୍କୁ ମନେ ମନେ ଖୋଜୁଥାଏ । ପାଏ । ପାଖରେ ବସେଇ ତାକୁ କେତେ କଥା ପଚାରେ । ପଚାରେ- ତାପରେ କ’ଣ ହେଲା ?

 

ପାଠକ ଓ ଲେଖକଙ୍କ ମଧ୍ୟରେ ସମ୍ପର୍କ ଠିକ୍ ଏମିତି - ସେମାନେ ପରସ୍ପରକୁ ଖୋଜୁଥାନ୍ତି-। ପାଖରେ ପାଆନ୍ତି । ପରସ୍ପରକୁ ନିରବରେ ପ୍ରଶ୍ନ ପଚାରନ୍ତି ଏବଂ ସେଇ ନିରବତାରେ ହିଁ ପାଇଥାନ୍ତି ଉତ୍ତର । କିଶୋରୀ ଚରଣଙ୍କୁ ମୁଁ ଯେତେଥର ତାଙ୍କୁ ନିଜ ବିଷୟରେ ପଚାରିଛି, ସେ କହିଛନ୍ତି, ମୁଁ ଯାହା ଦେଖୁଚି, ତାହା କ’ଣ ମୋ ହାତଗଢ଼ା ? ଜାଣିନି । ଆପଣଙ୍କ ପରି ମୁଁ ବି ତା ପାଖରେ ବସିଛି, ତା ଭିତରେ ନିଜକୁ ଖୋଜୁଛି, ବିଭୋର ହେଉଛି । ତାକୁ ମୋ ସମ୍ପର୍କରେ, ତା ସମ୍ପର୍କରେ ଅନେକ ପ୍ରଶ୍ନ ପଚାରୁଛି । କାହା ପାଖରେ ଅଟକିଯାଇ ଜୀବନ ସମ୍ପର୍କରେ ପ୍ରଶ୍ନ ପରେ ପ୍ରଶ୍ନ ପଚାରିବା, ଉତ୍ତର ଲୋଡ଼ିବା ଏବଂ ପୁଣି ଚାଲିବା ଯଦି ଜୀବନ, ଜଣେ ନିଜ ଆଖିରେ ଦେଖୁଥିବା, ଆତ୍ମାରେ ଅନୁଭବ କରୁଥିବା ଜୀବନ ଚିତ୍ର ଓ ଗାଥା ସମ୍ପର୍କରେ ସବିଶେଷ ଓ ସର୍ବଶେଷ ଉତ୍ତର କଣ କେବେ ଦିଆଯାଇପାରେ ? ତାହା ତ କାଳ, ଭାଷା ଓ ଅନ୍ୟ ଅନେକ ଉପାଦାନରେ ସୁଗଠିତ ଅନୁଭବର ଏକ ଉତ୍ତରିତ ଚିତ୍ରରୂପ - ଯାହା ଅସମ୍ପୂର୍ଣ୍ଣ । ତେଣୁ ଗତିଶୀଳ, ଜୀବନ୍ତ, ସୁନ୍ଦର ଓ ନିକଟତମ । ଏକ ଉତ୍ସ- ଆନନ୍ଦାନୁଭୂତିର । ଉପର୍ଯ୍ୟୁକ୍ତ କାବ୍ୟାଦର୍ଶ ଆଧାରରେ କିଶୋରୀ ଚରଣଙ୍କର ନିର୍ମୋହ ଆକଳନ କରାଯାଇପାରେ ।

 

କିଶୋରୀ ଚରଣ ପ୍ରାୟ ଦୀର୍ଘ ପଚାଶ ବର୍ଷରୁ ଅଧିକ କାଳଧରି ଗପ ଲେଖିଛନ୍ତି, ମୃତ୍ୟୁ ପର୍ଯ୍ୟନ୍ତ ।୧ । ଏବଂ ମୋର ଯାହା ମନେହୁଏ, ତାଙ୍କ ବୟସ ଯେତିକି ଅଧିକ ପାକଳ ହେଉଥିଲା, ସେ ସେତିକି ଅଧିକ ଲେଖୁଥିଲେ । ଏହା ଏକ ବ୍ୟତିକ୍ରମ ନିଶ୍ଚୟ । ତାଙ୍କ ନାଁରେ କୋଡ଼ିଏ ଗପ ବହି, ସାତଟି ଉପନ୍ୟାସ, ଖଣ୍ଡିଏ କବିତା, ଭ୍ରମଣ କାହାଣୀ, ଆତ୍ମଜୀବନୀ ଏବଂ କେତେକ ରମ୍ୟ କଥନ ଧର୍ମୀ ଆଲୋଚନା ବି ରହିଛି । ଜଣେ ଯେ କେତେ ପରିମାଣର ଗଦ୍ୟ ଲେଖିପାରନ୍ତି, ଶ୍ରୀଯୁକ୍ତ ଚିତ୍ତରଞ୍ଜନ ଦାସ, ଗୋପୀନାଥ ମହାନ୍ତି ଓ କାହ୍ନଚରଣ ମହାନ୍ତିଙ୍କ ପରେ କିଶୋରୀ ଚରଣ ଆମ ଆଗରେ ଠିଆହେବେ । ସେ ସତରେ କେତେ ଲେଖିଛନ୍ତି ତାହା ସାଙ୍କେତିକ ରୀତିରେ କହିବା ପାଇଁ ମୁଁ ଦୁଇ ହାତ ପାପୁଲିକୁ ଯେତେ ଇଚ୍ଛା ସେତେ ଦୂରକୁ ଏବଂ ପୁନଶ୍ଚ ଆଞ୍ଜୁଳାୟିତ ମଧ୍ୟ କରିଦେଇପାରିବି । ସତେ ଯେପରି ତାଙ୍କ ମଥା ଏକ କନ୍ଥାର ଘର । କଲମ ଧଇଲେ, ସେମାନେ ପ୍ରମୂର୍ତ୍ତ ହୋଇଯାନ୍ତି । ଏବଂ ଏ କଥା ମଧ୍ୟ କହିବି, ତାଙ୍କର ଏତେ ଲେଖିବା ଦରକାର ନଥିଲା କିମ୍ବା ଏତିକି, ଏତିକି ଲେଖିଥିଲେ ବି ଯଥେଷ୍ଟରୁ ଅଧିକ ହୋଇଯାଇଥାନ୍ତା । ମାତ୍ର ସେ ଏତେ ଲେଖିଛନ୍ତି, ଭଲ କରିଛନ୍ତି, ଜଣେ ଆପଣା ଉପାର୍ଜନ ଓ ସମୟରୁ ଯେତେ ଇଚ୍ଛା ସେତେ ଖର୍ଚ୍ଚ କଲେ, କାହାର କ’ଣ ଭାସିଗଲା ସେଇଠଉ । ଏପରି ଏକ “ଆତ୍ମସାନ୍ତ୍ୱନାମୂଳକ’’ ପ୍ରଶ୍ନର ଉତ୍ତରରେ ଏ କଥା ମଧ୍ୟ କୁହାଯାଇପାରେ ଯେ, ସେ ଏତେ ବିପୁଳ ପରିମାଣର କାଗଜ, ଶ୍ରମ, ମଥା ଓ ଅର୍ଥ ଖର୍ଚ୍ଚ କରିବାର ଆବଶ୍ୟକତା ହେଲା ଏଇଥିପାଇଁ ଯେ, ତାଙ୍କ ହାତରେ ଆଉ କିଛି କାମ କରିବା ପାଇଁ ନଥିଲା କେବଳ ଲେଖିବା ଓ ପଢ଼ିବା ବ୍ୟତୀତ । ସେ ସଂସାରରେ ଶେଷ ଦିନ ପର୍ଯ୍ୟନ୍ତ ଆପଣା ମସ୍ତିଷ୍କକୁ ଜୀବନ୍ତ ରଖିଥିଲେ । ଏତେ ଲେଖିବା ମୂଳରେ ଥିଲା, ସେ ଅନୁଭୂତ ସତ୍ୟକୁ ପ୍ରତିଷ୍ଠା କରିବା ପାଇଁ ଐକାନ୍ତିକ ଶ୍ରଦ୍ଧା ଓ ଆନ୍ତରିକତା । ଏଥିପାଇଁ ସେ ଧନ୍ୟବାଦାର୍ହ ।

 

ଭଲ ଗପ କାହାକୁ କୁହନ୍ତି, ଏହି ପ୍ରଶ୍ନର ଏକ ନିର୍ଦ୍ଦିଷ୍ଟ ସନ୍ତୋଷଜନକ ଓ ସର୍ବଜନଗ୍ରାହ୍ୟ ଉତ୍ତର ଦେବା ସମ୍ଭବ ନୁହେଁ । ମାତ୍ର ଏପରି ଏକ ପାରମ୍ପରିକ ପ୍ରଶ୍ନର ଉତ୍ତରରେ ମୁଁ ସଂକ୍ଷେପରେ ଏତିକି କହିବି ଯେ, ଯେଉଁ ଗପ ପଢ଼ିଲା ବେଳେ ଗପର ଚରିତ୍ର ଏବଂ ସେମାନଙ୍କ ଜୀବନର ଘଟଣାମାନଙ୍କ ଭିତରେ ଲେଖକୀୟ ପ୍ରାଣସତ୍ତା ଅର୍ଥାତ୍ ସ୍ରଷ୍ଟାର ନୈର୍ବ୍ୟକ୍ତିକତା ବୋଧ ଭିତରେ ତା ବ୍ୟକ୍ତିସତ୍ତାର ବର୍ତ୍ତମାନତାକୁ ଅନୁଭବ କରିହୁଏ । କିଶୋରୀ ଚରଣଙ୍କୁ ପ୍ରାୟ ପ୍ରତ୍ୟେକ ଗପକୁ ଆମେ ସ୍ରଷ୍ଟା-ବ୍ୟକ୍ତିତ୍ୱର ନୈର୍ବ୍ୟକ୍ତିକୀକରଣ ଏବଂ ନୈର୍ବ୍ୟେକ୍ତିକତାବୋଧର ବ୍ୟକ୍ତିକରଣର ଗୋଟିଏ ଗୋଟିଏ ଉଦାହରଣ ରୂପରେ ଗ୍ରହଣ କରିପାରିବା । ତେଣୁ ସେଥିପାଇଁ ଜଣେ ତା ନିଜ ପାଖରେ ଦୁର୍ବୋଧ୍ୟ ହେଲାପରି, “ତା ଜାଣତରେ ଅଥବା ଅଜାଣତରେ ଗପ ବି ଦୁର୍ବୋଧ୍ୟ ହୋଇପଡ଼େ ଏବଂ ବେଳେ ବେଳେ ଭାରି ସହଜରେ ସେ ନିଜ ପାଖରେ ଧରା ଦେଉଥିଲା ପରି, ଗପଟି ମଧ୍ୟ ବୁଝି ହେବାଯାଏ, ସହଜ ବୋଧହୁଏ । କିଶୋରୀଚରଣଙ୍କ ବହୁସ୍ରାବୀ କଲମର କରାମତି ସେଇଥିପାଇଁ ବୈଚିତ୍ର୍ୟମୟ, ବୋଧ୍ୟ ଓ ଦୁର୍ବୋଧ୍ୟତାର ଏକ କୋଲେଜ, ଯାହା ଜଣେ ବିଶିଷ୍ଟ ସ୍ରଷ୍ଟାପ୍ରାଣର ଲକ୍ଷଣ ।

 

ତାଙ୍କ ସବୁ ଗପର ପ୍ରକାଶଭଙ୍ଗୀ ପ୍ରାୟ ଗୋଟିଏ ପ୍ରକାରର । ଗପରେ କାହାଣୀର ପ୍ରଲମ୍ବନତା ଓ ଦୌରାତ୍ମ୍ୟ ପ୍ରାୟତଃ ଅନୁଭୂତ ହୁଏ ନାହିଁ । ଅବଶ୍ୟ ତାଙ୍କ ଟୋକା ବୟସରେ ରଚିତ ଗପଗୁଡ଼ିକରେ, କାହାଣୀ କଥନର ଚମତ୍କାରିତା ରହିଛି । କାହାଣୀ ପ୍ରଧାନ ଅଧିକାଂଶ ଗପ ମଣିହରା ଭଙ୍ଗା ଖେଳନା ଏବଂ ପରିଣତ ବୟସର ‘ଠାକୁରଘର’ ଓ ନାଲିଗୁଲୁ ଗୁଲୁ ସାଧବ ବୋହୂ ସଙ୍କଳନସ୍ଥ ବହୁ ଗପ ତାହାର ଉଦାହରଣ । ମାତ୍ର କବିତା, ଗପ, ଉପନ୍ୟାସ ଓ ଭ୍ରମଣକାହାଣୀ, ଯେଉଁ ମାଧ୍ୟମରେ ସେ ଆପଣାକୁ ପ୍ରକାଶ କରନ୍ତୁ ନା କାହିଁକି, ତାଙ୍କ ପ୍ରକାଶମାନତା ଭିତରେ ସେ ବଞ୍ଚୁଥିବା ଦୃଶ୍ୟମାନ ବିଚିତ୍ର ଜଗତ ବାସ୍ତବତଃ ଯେ ଅଦୃଶ୍ୟ ଓ ଅବ୍ୟକ୍ତ ଏବଂ ପ୍ରତ୍ୟେକ ସେହି ଚରମର ଚିରନ୍ତନତାକୁ ଅଙ୍ଗେ ନିଭେଇବା ପାଇଁ ଯେ ସତତ ଉଚ୍ଚାଟିତ- ଯେ କୌଣସି ପାଠକ / ଶ୍ରୋତା ତାହା ଅନୁଭବ କରିପାରିବ । କ’ଣ ପାଇଁ ତାଙ୍କ ଚେତନାରେ ସଂସାରର ଯାବତୀୟ ବୈଚିତ୍ର୍ୟକୁ ଅନୁଭବ କରିବା ପାଇଁ ଏତେ ଉଚ୍ଚାଟନତା ଓ ବ୍ୟାକୁଳତା ତାଙ୍କୁ କେହି କେହି ହୁଏତ ଏହି ଗରୁତମ ପ୍ରଶ୍ନରେ ଅନ୍ୟମନସ୍କ କରିଦେଇଥିବେ । ମୋର ଅବଶ୍ୟ ତାଙ୍କ ସହିତ ଏକାଠି ବସିବାର ବିରଳ ସୁଯୋଗ କେବେ ଆସିନି । ମାତ୍ର, ତାଙ୍କ ଭିତରେ ଥାଇ ମୋତେ ଯଦି ଏପରି ଏକ ଅତ୍ୟନ୍ତ ଅବର୍ଜ୍ୟା ପ୍ରଶ୍ନର ଉତ୍ତର ଦେବାକୁ କୁହାଯାଏ, ସଂକ୍ଷେପରେ କେବଳ ଏତିକି କହିବି, କିଶୋରୀ ଚରଣ ମାନସିକ ସ୍ତରରେ ଜଣେ ଅସୁସ୍ଥ, ଅତୃପ୍ତ ଓ ଅସ୍ଥିର ବ୍ୟକ୍ତିସତ୍ତା - ଯାହାଙ୍କ ଚେତନାପକ୍ଷୀ ପ୍ରତି ମୁହୂର୍ତ୍ତରେ ଉଚ୍ଚାଟିତ ହେଉଥିଲା ଜୀବନର ସେଇ ଚରମ, ଦିବ୍ୟ ଓ ସର୍ବଶେଷ ଆନନ୍ଦକୁ ପ୍ରାଣଭରି ଅନୁଭବ, କରିବା ପାଇଁ । ତେଣୁ ତାଙ୍କ ରଚନା ଭିତରେ ଜୀବନ୍ତ ଥିଲା ଅମୂର୍ତ୍ତର “ମୂର୍ତ୍ତାୟନ ପାଇଁ ଚରମ ବ୍ୟାକୁଳତା ।’’ ମାତ୍ର ଗଳ୍ପକାରିତାରେ ବିଚିତ୍ରର ଚିତ୍ରମୟତା, ଦୁର୍ବୋଧ୍ୟର ବୋଧମୟତା, ଅଶ୍ରୁତର ଶ୍ରୁତିବୋଧ କ’ଣ ସମ୍ଭବ ? କିଶୋରୀ ଚରଣଙ୍କ କଥାମାନଙ୍କୁ ଏହି ଜଟିଳ ଓ ସମ୍ୱେଦନଶୀଳ ପ୍ରଶ୍ନ ପଚରା ଯାଇପାରେ ।

 

ମୁଁ କାହିଁକି ଲେଖେ- ଏହାର ଉତ୍ତର ପ୍ରସଙ୍ଗରେ ସେ ଥରେ କହିଥିଲେ, “ମଣିଷ ଯାହା କୁହେ, ଯାହା କରେ ଓ ଯାହା ଭାବିବାକୁ ଚାହେଁ, ଯାହା ଉପର ମନରେ ଭାବେ ଓ ଯାହା ଭିତର ମନରେ ନିଜ ଅଜାଣତରେ ସ୍ଥିର କରିନିଏ, ଏହି ପରସ୍ପର ବିରୋଧର ବୈଚିତ୍ର୍ୟ ମୋତେ ମୁଗ୍ଧ କରିଛି । ନା, ମୁଁ ଭୁଲ୍ କହିଲି- ମୁଗ୍ଧ କରି ନାହିଁ । ମୁଁ ମୋ ସାହିତ୍ୟ ମାଧ୍ୟମରେ ନିଜକୁ ଶାନ୍ତି ଦେବାକୁ ଚେଷ୍ଟା କରିଛି । ନିଜକୁ କହିଛି ବାବୁ, ଏହି ବୈଚିତ୍ର୍ୟକୁ ସ୍ୱୀକାର କରିନିଅ । ଅକାରଣରେ ଦୁଃଖୀ ଓ ଅଜାଣତରେ ଶଠମାନଙ୍କ ବ୍ୟକ୍ତିତ୍ୱକୁ ମାନି ନେଇ ମୃଦୁମୃଦୁ ହସୁଥାଏ । ଅନ୍ୟଥା ତୁ ସନ୍ନ୍ୟାସୀ ହୋଇଯିବୁ । କିମ୍ବା କ୍ରୋଧରେ କ’ଣ ବୋଲି କରିବସିବୁ । ମୋର ଏହି ଭୀରୁ ସ୍ୱୀକାରୋକ୍ତି ମୋର ଚରିତ୍ର ଚିତ୍ରଣରେ ଫୁଟିଉଠିଛି । ମୋର ଚରିତ୍ରମାନେ କେହି କେହି ଦ୍ୱନ୍ଦ୍ୱରେ ପୀଡ଼ିତ ହୋଇଛନ୍ତି, କିନ୍ତୁ ତାର ଆଦିମୂଳ ଜାଣିପାରି ସନ୍ନ୍ୟାସ ବା ମହାକ୍ରୋଧର ସୀମା ଛୁଇଁ ନାହାନ୍ତି । ପାଠକମାନେ ଯାହା ଦେଖିଛନ୍ତି, ସେମାନେ ଦେଖିବାକୁ ପାଇନାହାନ୍ତି । ତେଣୁ ମୋର ଅଧିକାଂଶ ଗପରେ ପରୋକ୍ଷ ଆମୋଦ ବା irony ସର୍ବପ୍ରଧାନ । ଭୁଲ୍ କରିଛି ? ଆପଣ କ’ଣ ଭାବୁନାହାନ୍ତି ଯେ ଏଥିରୁ ମୋର ସମ୍ୱେଦନା ସୂଚିତ ହେଉଛି ।” ପରେ ପରେ କହିଛନ୍ତି- ମୁଁ କାମ୍ୟୁକ ଆଉଟ୍‌ସାଇଡର ପରି ମୁରୁକି ମୁରୁକି ହସିପାରି ନାହିଁ ।୩ ଏବଂ ଶ୍ରୀଯୁକ୍ତ ବିଜୟ କୁମାର ଶତପଥୀଙ୍କ ସହିତ ଏକ ସାକ୍ଷାତ୍‌କାରରେ ଏ କଥା ବିହ କହିପକେଇଛନ୍ତି ଯେ, ଯେଉଁ ଚରିତ୍ରମାନଙ୍କ ସହିତ ମୋର ଯଥେଷ୍ଟ ସହାନୁଭୂତି (sympathy) କିମ୍ବା ବିଦ୍ୱେଷ (apathy) ଥିଲେ ଥାଉ ପଛେ । ଅନ୍ତରଙ୍ଗ ସହ-ଅନୁଭୂତି ଆସୁ ନାହିଁ । ଗପ କୃତ୍ରିମ ହୋଇପଡ଼ିବାର ଭୟରେ ସେମାନଙ୍କ ବିଷୟରେ ଲେଖୁନାହିଁ ।୪ ଏହି ଦୁଇଟି ଅବଶ୍ୟ ପରସ୍ପର ବିରୋଧୀ କଥା । ମୋ ଜାଣିବାରେ ଅନେକ ଆଉଟସାଇଡରମାନେ ଇ ଜଣେ ଜଣେ ଅଶାନ୍ତ, ଅତୃପ୍ତ- ଯେଉଁମାନେ ପଲ ଭିତରେ ଥାଇ ବି ସେଠି ନଥାନ୍ତି । ବାହାରେ କୌଣସି ବହି ବା ହାତଲେଖା କାଗଜର ମାର୍ଜିନ୍‍ରେ, ଯେଉଁମାନେ ଇ କେବଳ ସେମାନଙ୍କୁ ନିଜକୁ ବୁଝିଥାନ୍ତି ଏବଂ ସେମାନଙ୍କର ସକଳ ଅଶାନ୍ତି ଓ ଅତୃପ୍ତିବୋଧ ଦିବ୍ୟ ଆନନ୍ଦରେ ରୂପାନ୍ତରିତ ହୋଇଯାଇଥାଏ । ସେମାନେ ସଂସାର ଭିତରେ ଥାଇ ଜଣେ ଜଣେ ସନ୍ନ୍ୟାସୀ, କାହାପ୍ରତି ଉଦାସୀନ କି ଦୟାଶୀଳ ନୁହନ୍ତି, ତେଣୁ ଜୀବନକୁ ସତତ ଭଲ ପାଉଥିବା ସେଇ ମଣିଷମାନେ ଆଦୌ କାନ୍ଦନ୍ତି ନାହିଁ । ବିଷ ପିଇ, ଗୁଳି ଖାଇ, କ୍ରୁଶବିଦ୍ଧ ହୋଇ ମରନ୍ତି । ଏପରିକି ଫାଶୀ କାଠରେ ଯାଇ ବେକ ଦେଖାଇ ଦିଅନ୍ତି । କାରଣ ସେଇମାନେ ଇ ଜୀବନର ଆଇରନି ବା ଶ୍ଳେଷ, ଯାହାକୁ ଅନ୍ୟ ଶବ୍ଦରେ ‘ବୈଚିତ୍ର୍ୟ’ କୁହାଯାଇପାରେ, ତାହାକୁ ଅନୁଭବ କରିପାରିଥିବା ଜଣେ ଜଣେ ମଣିଷ । ଜଣେ ସମ୍ୱେଦନଶୀଳ ମଣିଷ ଅସଲ ସ୍ରଷ୍ଟା ହୋଇପାରିବ ନାହିଁ, ଜଣେ ମିତ୍ର/ସହୃଦୟ କେବଳ ଅନ୍ୟକୁ ଅନୁଭବ କରିପାରିବ, ଏବଂ ତାହାରି ହିଁ କେବଳ ଆପଣଙ୍କୁ ବ୍ୟକ୍ତି କରିବାର ଅଧିକାର ରହିଛି । କିଶୋରୀ ଚରଣ ନିଜ ଭିତରର ଏହି ଅସମ୍ପୂର୍ଣ୍ଣତାକୁ ଯେ ଅନୁଭବ କରିପାରିଛନ୍ତି ସେଥିପାଇଁ ସେ ସ୍ୱତନ୍ତ୍ର ।

 

ଏ କଥା କିଶୋରୀ ଚରଣଙ୍କ ଗପର ପ୍ରାରମ୍ଭତଃ ପ୍ରତ୍ୟେକ ପାଠକ ଓ ଆଲୋଚକ ସ୍ୱୀକାର କରନ୍ତି- ସେ ଜଣେ ସୂକ୍ଷ୍ମ ମନୋବିଜ୍ଞାନୀ ଏବଂ କଥକ ନିଜେ ମଧ୍ୟ ତାଙ୍କ ସମ୍ପର୍କିତ ଏହି ମନ୍ତବ୍ୟକୁ ପ୍ରାୟତଃ ମାନି ନେଇଛନ୍ତି । ମୁଁ ଏହି ପ୍ରାରମ୍ଭତଃ ଶବ୍ଦ ପ୍ରୟୋଗ କରିବାର କାରଣ- ମନ ହିଁ ଆମ ଚେତନାର ଗତିଶୀଳତା ଓ ସ୍ଥବିରତାର ହେତୁ । ମାତ୍ର ଚେତନାଲୋକର ଆଉ ଏକ ବିଭବ ରହିଛି ତାହା ପ୍ରାଣ । ଏହି ପ୍ରାଣକୁ ଭେଦିଥିବା ମଣିଷମାନେ ହିଁ ପ୍ରକୃତ ବ୍ରାହ୍ମଣ । ଅଥବା ଯବନ । କିଶୋରୀବାବୁଙ୍କର ସମ୍ପର୍କ, ତାଙ୍କ ଦୃଶ୍ୟମାନ ଜଗତ ଓ ଜଗତରେ ବିଚରଣକାରୀ ଜୀବନ୍ତମାନଙ୍କ ମନ ସହିତ, ପ୍ରାଣ ସହିତ ନୁହେଁ । ସେ ଚରିତ୍ରମାନଙ୍କ ପ୍ରତି ଅବଶ୍ୟ କରୁଣାଶୀଳ ହୋଇଛନ୍ତି । ଆଉ ଅଧିକ ଭିତରକୁ ଯିବା ପାଇଁ ସମ୍ଭବତଃ ଭରସିପାରି ନାହାନ୍ତି । ତେଣୁ ତାଙ୍କୁ ସଂସାରର ସବୁ ମଣିଷ ଆଦୌ ସମାନ ଦୁଶିନାହାନ୍ତି- ଏ କଥା ବି ସ୍ୱୀକାର କରିଛନ୍ତି । ତେବେ ତାଙ୍କ ବିଶେଷତା, ସେ ସେଇ ମଣିଷ ଓ ମଣିଷମାନଙ୍କର ମନୋମୟ ଜଗତକୁ, ଯାହାକୁ କବିମାନଙ୍କ ଭାଷାରେ “ଆରତ ନଳିନୀବନକୁ” ଦଳନ କରିବାକୁ ଚେଷ୍ଟା କରିଛନ୍ତି । ମଣିଷକୁ ଆବିଷ୍କରଣ ପ୍ରୟାସୀ ହୋଇଛନ୍ତି । ସେଠି ପାପପୁଣ୍ୟ, ପ୍ରେମ ପ୍ରତାରଣା, ଭୁଲ୍-ଠିକ୍, ମାୟା-ବାସ୍ତବତା, ଦାନବୀୟତାଦେବତ୍ୱ, ଏହି ପରସ୍ପର ବିରୋଧୀ ଭାବବୋଧକ ସତେ କେମିତି ଗୋଟିଏ ଭାଣ୍ଡର ବିଭବ । ଅର୍ଥାତ୍ ସବୁକିଛି ଏପରି ଭାବରେ ଏକ ଘନାଶ୍ରୟୀ ହୋଇଯାଇଥାଏ ଯେ, ଲାଗନ୍ତି, ଆମେ ଯେଉଁମାନଙ୍କୁ ଆମ ବର୍ତ୍ତମାନବୋଧ ଭିତରେ ଅନୁଭବ କରୁଛୁ, ସେମାନେ ଆଦୌ ସ୍ୱତନ୍ତ୍ର ନୁହନ୍ତି, କେବଳ ଜଣେ ଜଣେ ମଣିଷ । କାରଣ ପ୍ରତ୍ୟେକ ମଣିଷ ପାଇଁ ସେ ନିଜେ ଏବଂ ତା ବର୍ତ୍ତମାନର ଅନୁଭବ କେବଳ ହିଁ ସତ୍ୟ । ଏବଂ ଅନ୍ୟ ସବୁ ତଥାକଥିତ ଆଦର୍ଶବୋଧ, ଅତିକଳ୍ପିତ ବାସ୍ତବତା— ଯାହା ଜୀବନବିରୋଧୀ । ସଂସାରରେ ବଞ୍ଚୁଥିବା ପ୍ରତ୍ୟେକ ମଣିଷ ପ୍ରଥମତଃ ଜଣେ ଜଣେ ବ୍ୟକ୍ତି – ଯିଏ ଖାଲି ଆଖିରେ ଯେମିତି ଦୁଶେ, ଭିତରି ଆଖିରେ ଦେଖିଲେ, ପ୍ରଥମ ଦେଖାଠାରୁ କେତେ ବା କେତେ ଅଲଗା । ବେଳେବେଳେ ଗୋଟାପଣେ । ବେଳେ ବେଳେ ଝାପ୍‌ସା । ତେଣୁ ବ୍ୟକ୍ତିର ବିଚାର, ଅନୁଭବ, ଆଚରଣର ସେଇ ‘ଝାପ୍‍ସା’ ଚିତ୍ରକୁ ବାସ୍ତବାୟନ କଲାବେଳେ କିଶୋରୀ ଚରଣ ସମୂହ ବିଶ୍ୱାସ କରୁଥିବା ଅନେକ ଛଳ ବାସ୍ତବତା, ଛଳ ସୌନ୍ଦର୍ଯ୍ୟବୋଧ, ଛଳ ରୁଚିବୋଧ ସହିତ ଝଗଡ଼ିଥିବେ । ମୋର ମନେହୁଏ, ଆଘଣା ତିଆରି ଏକ ଗୁମ୍ଫାକୁ ଆପଦମୁକ୍ତ ଆୟତନ ମଣି, ତାରି ଭିତରେ ସମଗ୍ର ଜୀବନ ନିରାପଦ ଓ ନିରାମୟ ବିହାର-ପ୍ରତ୍ୟାଶୀ ବ୍ୟକ୍ତିର ଆଲୋକାୟନ କରିବା ପାଇଁ, କିଶୋରୀ ଚରଣ, ଶବ୍ଦମାନଙ୍କୁ ଅତ୍ୟନ୍ତ ବୋହେମିଆନ ଭାବରେ ବେଭାର କରିଛନ୍ତି । ସେ ଯେ ଶଙ୍କିଯାଇ ନାହାନ୍ତି ଥ ମାରି ଦଣ୍ଡେ ଅଟକିଯାଇ ନାହାନ୍ତି, ତାହା ମୁଁ କହୁନି । ଆପଣାକୁ ଅଭିଜାତବୋଧ କରୁଥିବା ସୃଷ୍ଟିଶୀଳ ମଣିଷ ଜଣକ, ତାଙ୍କ ମନକୁ ଘେନିଲା ଭଳି ପୋଷାକ ଅବଶ୍ୟ ପିନ୍ଧିଛନ୍ତି । ମାତ୍ର ଅନେକ ସମୟରେ ସେ ପୋଷାକ ମନେହୋଇଛି, କିମ୍ବଦନ୍ତୀର ବର୍ଣ୍ଣିତ ଚୀନ୍‍ର କୌଣସି ରଜାଙ୍କ ଦରବାରରେ ଉପସ୍ଥିତ ଅତି ସୂକ୍ଷ୍ମ ଲୁଗାଟିଏ ପରିଧାନ କରିଥିବା ଉତ୍କଳୀୟ ବୌଦ୍ଧ ଶ୍ରମଣ ପରି । ସେ ସନ୍ନ୍ୟାସୀ ଜଣକ ଅବଶ୍ୟ କିଛି ପିନ୍ଧିଥିଲେ । ମାତ୍ର ତାହାର କଳାତ୍ମକ ସୂକ୍ଷ୍ମତାରେ ବାସ୍ତବତାକୁ ଅନୁଭବ କଲାବେଳେ ଆମେ କ’ଣ ତାହାକୁ ଏକ ବସ୍ତ୍ର ବୋଲି କହିପାରିବା ? କିଶୋରୀଚରଣଙ୍କ ସୃଷ୍ଟିର ସମ୍ପଦମାନେ ଦେଖିବାକୁ ଠିକ୍ ସେମିତି । ସେଠି କେବଳ ବର୍ତ୍ତମାନ ଦୁଶେନି, ରୂପ ବି ଦୁଶେନି, ଅୟୁତ ବର୍ଷତଳର ଅତୀତ ସତେ ଯେମିତି ପ୍ରମୂର୍ତ୍ତାୟିତ ହୋଇଯାଏ ଏବଂ ଯେଉଁ କଥାମାନ ଉଚ୍ଚାରିତ ହେଉଥାନ୍ତି, ସେମାନେ ବି ସୂତ୍ରାୟିତ ଅତୀତରୁ ବର୍ତ୍ତମାନ ପର୍ଯ୍ୟନ୍ତ - ଯାହାକୁ ଅୟୁତ ବର୍ଷର ଭବିଷ୍ୟତ ଆଡ଼କୁ ପ୍ରଲମ୍ବିତ କରାଯାଇପାରିବ । ଅନ୍ୟ ଭାଷାରେ ଆମେ ଉପର୍ଯ୍ୟୁକ୍ତ ବିଚାରକୁ ଅନୁଭୂତ ସତ୍ୟ ମାଧ୍ୟମରେ ଅନନୁଭୂତ ରାଜ୍ୟ ଆଡ଼କୁ ନିୟତ ଗତିଶୀଳତା ବୋଲି କହିପାରିବା ।

 

‘ନିଜ କଥା’ ଏବଂ ମୁଁ କାହିଁକି ଲେଖେ’ ଏହି ଦୁଇ ଶୀର୍ଷକରେ ଆଲୋଚନା କାଳରେ ଏବଂ ପ୍ରାୟ ପ୍ରତ୍ୟେକ ସାକ୍ଷାତ୍‌କାରରେ, ବେଶ୍ ସ୍ପଷ୍ଟ ଶବ୍ଦରେ ମନୋବୈଜ୍ଞାନିକ ମାଧ୍ୟମ ମୋର ନିଜସ୍ୱ ମାଧ୍ୟମ ହୋଇପାରେ । ତାହା ଲେଖକୀୟ ବକ୍ତବ୍ୟର ଅନ୍ୟତମ ମାଧ୍ୟମ ଛଡ଼ା ଅନ୍ୟ କିଛି ନୁହେଁ ଏବଂ ‘‘ବୟସ ବଢ଼ିବା ସଙ୍ଗେ ସଙ୍ଗେ ବୁଝିପାରୁଛି ଯେକୌଣସି ମନସ୍ତାତ୍ତ୍ୱିକ ସତ୍ୟର ସନ୍ଧାନ ଓ ଆବିଷ୍କାର ମୂଳ ପ୍ରଶ୍ନକୁ ଆଡ଼େଇ ଦେଇ ରହିପାରିବ ନାହିଁ, ଯେ କାହିଁକି ମୁଁ ଏମିତି ବନ୍ଦୀ ହୋଇ ରହିଛି ଏବଂ ଛଟପଟ ହେଉଛି ଅଶାନ୍ତି ଜୀବନର ଉପଭୋଗ ଓ ଶାନ୍ତିମୟ ଅମୃତର ଉନ୍ମେଷ ଭିତରେ । ତେଣୁ ମୋର ସମସ୍ତ ଜିଜ୍ଞାସା ସେଇ ବ୍ରହ୍ମ ଜିଜ୍ଞାସାର ଅଧୀନ, ଯାହାର ଉତ୍ତର ନାହିଁ ମୋ ପାଖରେ, ହେଲେ, ମୁଁ ଯାହାକୁ ନମସ୍କାର ନ କରି ରହିପାରିବି ନାହିଁ ।” ଏବଂ ସେକାଳେ ପୃଥିବୀଯାକର ସ୍ପନ୍ଦନକୁ ଆବୁରିବାକୁ ଚାହିଁଛନ୍ତି ଆପଣାର ଦୁଃଖୀ ଚରିତ୍ରମାନଙ୍କ ଭିତର ଦେଇ । ଏହା କାଳେ “ମାୟାରୁ ଉପୁଜିଥିବା” “ଉଚ୍ଛୁଳପଣ” । ଜିଜ୍ଞାସୁଭାବ । ଆତ୍ମକୁ ଦୋସର କରିବଞ୍ଚିବାର ଅସହାୟତାବୋଧ । ମୁଁ ଏଠାରେ କିଶୋରୀ ଚରଣଙ୍କ ଉପର୍ଯ୍ୟୁକ୍ତ ଶବ୍ଦ ଓ ବିଚାରର ଦାର୍ଶନିକ ବ୍ୟାଖ୍ୟା ଆଦୌ କରିବି ନାହିଁ । ଆମେ ଦୈନନ୍ଦିନ ଜୀବନରେ ସାକ୍ଷାତ କରୁଥିବା ବୀରମାନେ ଆଦୌ ସେପରି ନୁହନ୍ତି । ସେମାନେ ଯଥାର୍ଥତଃ ଜଣେ ଜଣେ ଭୀରୁ । ଅନ୍ୟ ଶବ୍ଦରେ କହିଲେ “ଗୋଟାପଣେ ହଗୁରା, ଡରକୁଳା, ଯେଉଁମାନେ ସେମାନଙ୍କର ସାମ୍ରାଜ୍ୟ ଚାଲିଯିବା ଭୟରେ ଅତ୍ୟନ୍ତକରୁଣ ଭାବରେ ଅନ୍ୟର କାରୁଣ୍ୟକୁ ଦାଦା ବେଶରେ ଛିଗୁଲୋଉଥାନ୍ତି । ଜଗତ ବିଜୟୀର ଠେକା ମଥାରେ ଭିଡ଼ିଥାନ୍ତି । ଏବଂ ଆଉ ଦଳେ ସଂସାର ଶୋଷଣ ପାଇଁ ଅଥବା ସଂସାରର ଅନ୍ୟ ବହୁତଙ୍କୁ “ମାୟା-ଅଫିମ’ ନିଶାରେ ଆସକ୍ତ କରି ସନ୍ନ୍ୟାସ ନାମାବଳୀର ବେଢ଼ଣରେ ଯାବତୀୟ ଅମାନବୀୟ ଦାସମାନଙ୍କୁ ଗାଦିନାସୀନ କରୁଥାନ୍ତି । କେଉଁ ଭୋକ ଏବଂ ସେହି ଭୋକ ପୁଣି କେଉଁମାନଙ୍କର, ଯାହା ତାଙ୍କ ଭିତରେ ତ୍ରାସ ସୃଷ୍ଟି କରୁଥିଲା । ଏହି ଅଭଦ୍ରତମ ପ୍ରଶ୍ନ କେହି କେବେ, ତାଙ୍କୁ ପଚାରିଛି କି ନା, ତାହା ମୁଁ ଜାଣିନି; ମାତ୍ର କିଏ ପଚାରୁ ଅଥବା ନ ପଚାରୁ କିଏ ଏବଂ କେଉଁ ଜାତୀୟ ଜୀବମାନଙ୍କର ଅସନ୍ତୋଷବୋଧ ଓ ଗ୍ଲାନିକୁ ଅକ୍ଷରାୟନ କରିଛନ୍ତି – ତାହା ଅଛଦ୍ମରୀତିରେ ପ୍ରକାଶ କରିଛନ୍ତି ଆତ୍ମକଥନିକାମାନଙ୍କରେ ।

 

ଏ କଥା ପ୍ରାୟ ପ୍ରତ୍ୟେକ ସ୍ୱୀକାର କରିବେ, ଏବଂ କିଶୋରୀ ଚରଣ ନିଜେ ବି ସ୍ୱୀକାର କରିଛନ୍ତି – ସେ ଉଚ୍ଚ ମଧ୍ୟବିତ୍ତ ବର୍ଗର ମଣିଷମାନଙ୍କର ଅନ୍ତର୍ଲୋକର ବ୍ୟାଖ୍ୟାକାର । ସେହିମାନଙ୍କର ଅଦେଖା ମନଗହନର ଅଶୁଣା ଓ ଅକୁହା କଥାର ପ୍ରବାଚକ । ସେମାନେ ଉଚ୍ଚପଦସ୍ଥ ବୃଦ୍ଧିଜୀବୀ, ବ୍ୟବସାୟୀ, ଶିଳ୍ପପତି ଅଥବା ରାଜନୀତିଜ୍ଞ - ଯେଉଁମାନେ କୌଣସି ରାଷ୍ଟ୍ର ଅଥବା ସମାଜର ସାମ୍ବିଧାନିକ, ନ୍ୟାୟିକ, ଆର୍ଥିକ ବ୍ୟବସ୍ଥା ନିର୍ଦ୍ଧାରଣ କ୍ଷମତାର ନିୟନ୍ତ୍ରକ । ତେଣୁ ଅର୍ଥ, କ୍ଷମତା ଓ ନ୍ୟାୟ ମଧ୍ୟ ସେମାନଙ୍କ ବିଶାଳ ସାମ୍ରାଜ୍ୟର ଗୋତିବତ୍ । ସେମାନଙ୍କ ଜୀବନର ସ୍ଵପ୍ନ ମାନବତାବାଦର ପରିଚର୍ଯ୍ୟା ଏବଂ ସେବା ନୁହେଁ, କେବଳ ସମ୍ଭୋଗ । ସେମାନଙ୍କ ସ୍ୱପ୍ନମାନେ ବ୍ୟଭିଚାରୀ, ସେମାନଙ୍କ ମନମାନେ ଅପରିତୃପ୍ତ, ସେମାନଙ୍କ ଧନ ଦାରିଦ୍ର୍ୟ-ପୀଡ଼ିତ । ଆପଣା ଜୀବନର ଯାବତୀୟ ଦୁଃଖ, ଅସନ୍ତୋଷ, ଅପରିତୃପ୍ତିବୋଧ ଓ ଦୁଃସ୍ୱପ୍ନମାନଙ୍କୁ ଚିରାପ୍ଲୁତ କରିବା ପାଇଁ ସେମାନେ କାଳ କାଳ ଧରି ଭୋକିଲା ବାଘ କରି କେବଳ ହେଣ୍ଟାଳିଛନ୍ତି, ଅନେକଙ୍କ ମନରେ ତ୍ରାସ ସୃଷ୍ଟି କରିଛନ୍ତି ଏବଂ ଆଶ୍ଚର୍ଯ୍ୟ, ଏ ହେଣ୍ଟାଳ ଯେ ଅବଶିଷ୍ଟ କୋଟି ସଂଖ୍ୟକ ଦୁର୍ବଳମାନଙ୍କର ସୁରକ୍ଷା ପାଇଁ ଦାୟବଦ୍ଧ, ତତ୍ ସଂକ୍ରାନ୍ତ ରାଜକୀୟ ଇତିହାସ ଲେଖାଇ ଦେଇଛନ୍ତି ନିଜ ନିଜ ନାଁରେ-। ଏବଂ ସେମାନଙ୍କ ଉପଭୋଗ-ପ୍ରବଣ ଦରିଦ୍ର ମାନସିକତା କେବଳ ସେମାନଙ୍କୁ ନୁହେଁ, ପୃଥିବୀର ଅବଶିଷ୍ଟମାନଙ୍କୁ ମଧ୍ୟ ବ୍ୟାଧିଗ୍ରସ୍ତ କରିଛନ୍ତି । ପୃଥିବୀ ରୂପାନ୍ତରିତ ହୋଇଛି ଏକ ଉପଭୋଗ୍ୟ ପାଗଳଖାନାରେ । ନିଜ ନିଜ ପାଇଁ ସୀମାହୀନ ପାଗଳଖାନାରେ । ନିଜ ନିଜ ପାଇଁ ସୀମାହୀନ ସୁଖ ଖୋଜୁଥିବା ଏବଂ ଅନ୍ୟମାନଙ୍କୁ ଯାବତ୍ ଚନ୍ଦ୍ରାର୍କ ସୁଖବଞ୍ଚିତ କରି ରଖିବା ପାଇଁ ଜୀବନର ମୂଲ୍ୟବାନ ସମୟକୁ ଅତି ଦରିଦ୍ରଙ୍କ ପରି ଖର୍ବ କରୁଥିବା ମଣିଷମାନଙ୍କୁ ସମାଜବିଜ୍ଞାନୀ, ମନୋବିଜ୍ଞାନୀ ଓ ଦାର୍ଶନିକମାନେ ଜଣେ ଜଣେ ଗୋବର ଗଣେଶ । ହଲୋମ୍ୟାନ, ବିଡ଼ମ୍ବିତ ବ୍ୟକ୍ତିତ୍ୱ ଶବ୍ଦରେ ପରିଚର୍ଚ୍ଚା କରିଛନ୍ତି । ଏବଂ ଏହି ଅଲାଜୁକ ଅଭିଜାତ ବର୍ଗଙ୍କ ଜୀବନର “କୈବଲ୍ୟ” ହିଁ କିଶୋରୀ ଚରଣଙ୍କ ଗବେଷଣାର ସମ୍ପଦ ।

 

ଅନ୍ୟମାନଙ୍କୁ ଭୋକିଲା, ଲଙ୍ଗଳା ରଖି, ବନ୍ଦୀ କରି ଏବଂ ନିଜର ଇଚ୍ଛା ଓ ସ୍ଵପ୍ନକୁ ଆକାଶାୟିତ କରିବା ପାଇଁ ନିଜ ହାତରେ ନିଜକୁ ଲଙ୍ଗଳା କରି ତଥାପି ଧ୍ୱଜଭଙ୍ଗତା-ପୀଡ଼ିତ ଅତି ପୁଲକିତ (ତା)ମାନଙ୍କ ଜୀବନ ଚର୍ଯ୍ୟାର କଥାୟନରେ ଆପଣାର ପ୍ରବଣତା ସମ୍ପର୍କରେ କିଶୋରୀ ଚରଣ ଅନେକ ସ୍ଥାନରେ ସ୍ୱୀକାର କରିଛନ୍ତି । ତାଙ୍କ ଭାଷାରେ- ‘ସ୍ଵଚ୍ଛଳ ଅଭିଜାତ କୁଳରେ ଜନ୍ମ ହୋଇ, ଉତ୍ତମ ଛାତ୍ର ହୋଇଥିବାରୁ ଅନ୍ୟ ସମୟରେ ଉତ୍ତମ ରାଜସେବାରେ ନିଯୁକ୍ତ ହୋଇ ମୁଁ ଜୀବନର ଅନେକ ତରଙ୍ଗଯୁକ୍ତ ହେଇଯାଇଛି । ଅନେକ ଜୀବିକାର ଗଳିକନ୍ଦି ଦେଖିପାରି ନାହିଁ । ବିଶେଷତଃ ନିମ୍ନଶ୍ରେଣୀର ଲୋକମାନଙ୍କ ରଙ୍ଗରସ, ସୁଖଦୁଃଖ ନିକଟରେ ପହଞ୍ଚିପାରି ନାହିଁ । ସେମାନଙ୍କ ବିଷୟରେ କିଛି ଲେଖିବାର ସାହସ କରି ନାହିଁ, କାଳେ ମୁଁ ସେମାନଙ୍କୁ ରୋମାଣ୍ଟିକ୍ ଅଥବା ଉଦାର ଦୃଷ୍ଟିରେ ଦେଖିବି । ମୋର ମଧ୍ୟବିତ୍ତ ଦୋଷରେ ଦୂଷିତ କରି କିମ୍ଭୁତ କିମାକାର କରିଥୋଇବି ।୬ ଏବଂ ସମାଜର ସର୍ବନିମ୍ନ ଶ୍ରେଣୀର ଲୋକମାନଙ୍କୁ ମୋର ମୁଖ୍ୟ ଚରିତ୍ର କରିପାରି ନାହିଁ । କାରଣ ମୋର ଭୟ ହୋଇଛି ଯେ, ମୁଁ ତାଙ୍କ ମନ ଭିତରେ ପଶିପାରିବି ନାହିଁ, ତାଙ୍କ ପ୍ରତି ମୋର ଯଥେଷ୍ଟ ସହାନୁଭୂତି କିମ୍ବା ବିଦ୍ୱେଷ ଥିଲେ ଥାଉ ପଛେ ଅନ୍ତରଙ୍ଗ ସହ-ଅନୁଭୂତି ଆସୁ ନାହିଁ । + + + ମୋର ଭୟକୁ ମୁଁ ମିଛବାଘ ବୋଲି କହିପାରିବି ନାହିଁ ।୭ ନିଜ ସାହିତ୍ୟର ଆଭିମୁଖ୍ୟ ସମ୍ପର୍କରେ ସେ ଆଉ ଏକ ବିଶେଷ ମୁହୂର୍ତ୍ତରେ ଏ କଥା ବି କହିଛନ୍ତି ଯେ “ମୋର ସାହିତ୍ୟ ଅଭିଜାତ । ଆଭିଜାତ୍ୟର ଅର୍ଥ ନୁହେଁ, ଶ୍ରେଣୀଗତ ଉଚ୍ଚତା, ଯାହା କେତେକାଂଶରେ ଅନିବାର୍ଯ୍ୟ ଏବଂ ଯେଉଁଥିପାଇଁ ମୋର ସବୁଦିନିଆ ଦୁଃଖ ଯେ ମୋର ସାହିତ୍ୟର ପ୍ରାଙ୍ଗଣ ଯଥେଷ୍ଟ ବିସ୍ତୃତ ହୋଇପାରି ନାହିଁ । + + + ଏହି ଦୃଷ୍ଟିରୁ ମୁଁ ମାନିବାକୁ ପ୍ରସ୍ତୁତ ନୁହେଁ ଯେ, ମୋର ସାହିତ୍ୟକୁ ଆହୁରି ହାଲୁକା କରାଇବା ଉଚିତ । ଯଦ୍ୱାରା ମୁଁ ଅଧିକ ଉପଯୋଗୀ ଅବା ଆନନ୍ଦବର୍ଦ୍ଧକ ହୋଇପାରିଥାନ୍ତି । ଗଣମାନସକୁ ଛୁଇଁପାରିଥାନ୍ତି । ମୋ ବିଚାରରେ ‘ଗଣସାହିତ୍ୟ ଏକ ଅନ୍ତର୍ବିରୋଧୀ ଏବଂ ମାରାତ୍ମକ ଶବ୍ଦ । କାରଣ ସାହିତ୍ୟରେ ଏହି ପ୍ରକାର ବିଶେଷଣ ଯୋଡ଼ିଦେଲେ ସମଗ୍ର ମାନବ ଜାତି ପ୍ରତି ତାର ଦାୟିତ୍ୱ କମିଗଲା ଜାଣ ।’’ ୮

 

କିଶୋରୀ ଚରଣଙ୍କ ଉପର୍ଯ୍ୟୁକ୍ତ ସ୍ୱୀକାରୋକ୍ତି ନିଶ୍ଚିତ ଭାବରେ ପ୍ରୀତିପ୍ରଦ କାରଣ ପୃଥିବୀର ଦଳିତ ବସ୍ତିର ଯେଉଁ କୋଟି ସଂଖ୍ୟକ ମଣିଷ, ଯେଉଁମାନଙ୍କୁ ତାଙ୍କ ପରି ଜୀବମାନେ ପଲ କହନ୍ତି, ସେମାନଙ୍କ ସପନ ଓ ଭୋକକୁ ଗଳ୍ପାୟିତ କରିଥିଲେ ସେ ନିଶ୍ଚିତ ଭାବରେ ଜଣେ ଅପରାଧୀ ଭାବରେ ଚିତ୍ରିତ ହୋଇଥାନ୍ତେ । ତାଙ୍କ ବିଚାରରେ ସେ ଜଣେ ବୁଦ୍ଧିଜୀବୀ ଏବଂ ବୁଦ୍ଧିକୁ ଜୀବିକା କରିଥିବା ବିଶେଷ ଜାତୀୟ ଜୀବମାନେ ସ୍ୱଭାବତଃ ସ୍ୱାର୍ଥପର, ଅଭିମାନୀ ଏବଂ ଆତୁରତି ବିଭୋର । ତେଣୁ ଜଣେ ଯେଉଁ ବର୍ଗର ମଣିଷମାନଙ୍କ ସହିତ ଭାବ ଜଗତରେ ସୂତ୍ରାୟିତ ସେହିମାନଙ୍କର ଅନ୍ତର୍ଜୀବନର ଉଲ୍ଲଙ୍ଗାୟନ ଯେ ତାଙ୍କ ପକ୍ଷରେ ସ୍ୱାଭାବିକ ଏବଂ ଅନୁଭବ ଯେ ଜଣେ ବ୍ୟକ୍ତିର କଳାତ୍ମକ ଆତ୍ମପ୍ରକାଶର ଗୁଣସୂତ୍ର, କିଶୋରୀ ଚରଣ ମୋହମୁକ୍ତ ଭାବରେ ତାହା ସ୍ୱୀକାର କରିଛନ୍ତି । ଏବଂ ଗଣଜୀବନ ଓ ଗଣ ବଞ୍ଚୁଥିବା ସମାଜର ବାସ୍ତବତା ଓ ମନସ୍ତତ୍ତ୍ୱକୁ ସେ ଯେ କାହିଁକି ଭେଦିପାରି ନାହାନ୍ତି, ତତ୍ ସଂକ୍ରାନ୍ତ ସମାଲୋଚକୀୟ ବିଷବାଣର ମୁକାବିଲା ପାଇଁ ଆପଦମୁକ୍ତ ବାଟ ଖୋଲା ରଖିଛନ୍ତି । ଅବଶ୍ୟ କିଶୋରୀ ଚରଣ ଅନେକ ସ୍ଥଳରେ ତ୍ରାସ ସୃଷ୍ଟିକାରୀ ବୁର୍ଜୁଆଧର୍ମୀ ଭୀରୁମାନେ ଆଧ୍ୟାତ୍ମିକ ଆନନ୍ଦବୋଧରେ ଉତ୍ତାନପାଦ ବୋଲି ଘୋଷଣା କରିଛନ୍ତି । ହଁ, ଏହା କିଶୋରୀ ଚରଣଙ୍କ ଲେଖକ ଜୀବନର ବ୍ୟକ୍ତିକ ଅନୁଭବ ହୋଇପାରେ । ମାତ୍ର ଏ କଥା ସ୍ୱୀକାର କରିବା ପାଇଁ ଆମେ କୁଣ୍ଠିତ ହେବା ନାଇଁ ଯେ, ପୃଥିବୀର ବୁଦ୍ଧିଜୀବୀ ଓ ଅଭିଜାତ-ମନସ୍କ ମଣିଷମାନଙ୍କର ଅବଶିଷ୍ଟମାନଙ୍କ ପ୍ରତି “ସହୃଦୟତା” ଅନ୍ୟ କିଛି ନୁହେଁ, ବରଂ କାବ୍ୟିକ ‘‘କାରୁଣ୍ୟ”-

 

ତେଣୁ, କିଶୋରୀ ଚରଣଙ୍କ ପ୍ରତ୍ୟେକ ଗପ ବ୍ୟକ୍ତି ଜୀବନର କାରୁଣ୍ୟର ଅଭିବ୍ୟକ୍ତି । ସେମାନେ ପୁଣି ସମାଜର ଜଣେ ଜଣେ ବ୍ୟକ୍ତିବିଶେଷ, ଯେଉଁଠି ବିହାର କରିବାର ଗାରମାନ ଟାଣି ଦିଆଯାଇଛି, ମାତ୍ର ପ୍ରତ୍ୟେକଙ୍କ ଚେତନାରେ ବିହଙ୍ଗମ ପରି ଅନନ୍ତ ଆକାଶରେ ଉଡ଼ିବାର ବ୍ୟାକୁଳତା । ଏହା ଅବଶ୍ୟ ଗ୍ରହଣୀୟ ଯେ, ଜଣେ ବିଚିତ୍ର ଆକାଶ ଅଥବା ସମୁଦ୍ର ବିହାର ପ୍ରେମରେ ଫସିଗଲା ପରେ ତାକୁ ଭୂମି ଭାରି ଝାପ୍‍ସା ଦୁଶେ । ପରିତୃପ୍ତିବୋଧର ସୀମାବଦ୍ଧତା ତାକୁ ଭାରି ଯନ୍ତ୍ରଣା ଦିଏ । କାରଣ ସେ ଅନୁଭବ କରେ ତମାମ ତୃପ୍ତିବୋଧ ହିଁ ଏକ ମୁକ୍ତ ଆତ୍ମାର ସ୍ଥବିରତାର କାରଣ । ମୁକ୍ତି ପାଇଁ କିଏ ଠାକୁରଘର, କିଏ ମସ୍‍ଜିଦ୍‍, କିଏ ଚର୍ଚ୍ଚ, କିଏ ପାନଶାଳା, କିଏ ପତ୍ନୀ କିଏ ଆନନାରୀ, କିଏ ସନ୍ନ୍ୟାସୀ ତ କିଏ ଅର୍ଥ, କ୍ଷମତା, କର୍ତ୍ତ୍ୟତ୍ୱବୋଧର ଆବେଶରେ ସମାହିତ ହୋଇଯାଉଥାଏ ଏବଂ ବାସ୍ତବତାକୁ ସାମ୍ନା କଲାବେଳେ ସଂକ୍ରମିତ ହୋଇଯାଉଥାଏ ବିପରୀତ ଅନୁଭବର ବ୍ୟାଧି । ଗୋଟିଏ ଅନୁଭବର ଆୟନ ଅନେକ ଅନୁଭବର ଦଂଶନରେ ସତେ ଯେପରି ପୁଲକିତ ହେଉଥାଏ । ପ୍ରତ୍ୟେକ ନିଜ ନିଜର ଆୟତନରେ ଅତ୍ୟନ୍ତ ଦୟନୀୟ ଭାବରେ ବିହରୁଥାନ୍ତି । ଏବଂ ପ୍ରତ୍ୟେକ ପରସ୍ପରକୁ ଦୁଶୁଥାନ୍ତି ଉଲଗ୍ନ । ତେଣୁ ହେରେସା ଓ ଅଲାଜୁକ । ଏଠି ପ୍ରତ୍ୟେକ ମଣିହରା, ବିହଙ୍ଗେ, ବିଧର୍ମୀ, ରାତିର କୁକୁର- ଯେଉଁମାନେ ନିୟତ ଆପଣାର ଭଙ୍ଗା ଖେଳନାମାନଙ୍କୁ ସଂସାରର ଗଳି, କନ୍ଦିମାନଙ୍କରେ କେବଳ ଖୋଜୁଥାନ୍ତି । ଏହି ଖୋଜିବାର ଅନ୍ୟନାମ ହିଁ ଜୀବନ ଓ ଯାତ୍ରା । ଆପଣା କଥାର କଳା ଓ କାରିଗରୀ, ଆପଣା ଆତ୍ମାର ଦୁଃଖର ବ୍ୟାଖ୍ୟାନ କାଳରେ ଏଇ ଭିତରି କଥାକୁ ଭିନ୍ନ ଭିନ୍ନ ଶବ୍ଦରେ ଯାହା ପ୍ରକାଶ କରିଛନ୍ତି ।

 

କିଶୋରୀଚରଣ ଆପଣା ଗଳ୍ପକାରିତାର ଚମତ୍କାରିତା ସମ୍ପର୍କରେ ଚର୍ଚ୍ଚା କାଳରେ ଅବଶ୍ୟ ଗଳ୍ପର ତାତ୍ତ୍ୱିକ ବ୍ୟାଖ୍ୟା କରିଛନ୍ତି । ସେ ସ୍ପଷ୍ଟତଃ କହିବାକୁ ଚାହିଁଛନ୍ତି ମଣିଷର ଜୀବନ କେବଳ ଗପମୟ । ମାତ୍ର ପାଠକମାନଙ୍କର ଅଭିଯୋଗ ତାଙ୍କ ଗପରେ କାହାଣୀ ଖୋଜିଲେ କାଳେ ନିରାଶ ହେବାକୁ ପଡ଼େ । କାହାଣୀ ପ୍ରିୟ ପାଠକ କି କଥକ, କାହାକୁ କାଠଗଡ଼ାରେ ଠିଆ କରାଇବାକୁ ଚାହୁଁ ନାହିଁ । ମାତ୍ର କେଉଁ କାରଣରୁ ଏ ଉଭୟଙ୍କ ମଧ୍ୟରେ ଏପରି ଏକ ଅପ୍ରୀତିକର ହରତା ଦେଖାଦିଏ ତାର କାରଣ ସମ୍ପର୍କରେ ସଂକ୍ଷେପରେ କେବଳ ଏତିକି କହିବି- ସୂକ୍ଷ୍ମ ବୁଦ୍ଧିଜୀବୀ ଓ ଆପଣା ଅନୁଭବ-ବିଶ୍ଵାସୀ କିଶୋରୀ ଚରଣ ଆଦୌ ଅଧିକ ସଂଖ୍ୟାକ କଥାପ୍ରେମୀ ପାଠକମାନଙ୍କ ପାଇଁ ଗପ ଲେଖିନାହାନ୍ତି । ସେ ଆପଣାକୁ ବ୍ୟକ୍ତ କରିଛନ୍ତି ତାଙ୍କ ସମମନସ୍କ ଅଭିଜାତମାନଙ୍କ ମସ୍ତିଷ୍କ ସଞ୍ଚାଳନ ପାଇଁ । ଅର୍ଥାତ୍ ତାଙ୍କ ସହଯାତ୍ରୀମାନଙ୍କ ହାତରେ ସେ ଧରେଇ ଦେଇଛନ୍ତି ଜୀବନରେ ଘଟିଯାଇଥିବା ସତ୍ୟ ଓ ସ୍ଵପ୍ନମାନଙ୍କର ପାନପାତ୍ର । ପୁଣି ସେ ଭେଟୁଥିବା ମଣିଷମାନଙ୍କ ଜୀବନଚର୍ଯ୍ୟା ଅତ୍ୟନ୍ତ ଜଟିଳ । ଗଳ୍ପ ନୁହେଁ, ଗଳ୍ପମୟ । ଏହି ବ୍ୟକ୍ତି ଜୀବନରେ ଘଟୁଥିବା ଘଟଣାମାନ ତାତ୍‌କାଳିକ, ଆକସ୍ମିକ, ମାତ୍ର ଏହି ତାତ୍‌କାଳିକତା ଆଦୌ ଶୂନ୍ୟସମ୍ଭୂତ ନୁହେଁ, ତାହା ଅନୁଭବ ଇତିହାସର ନୂଆରୂପ ବା ଅଭିବ୍ୟକ୍ତି । ଅର୍ଥାତ୍ ଜଣେ ବ୍ୟକ୍ତି ଜୀବନରେ ଘଟିଯାଉଥିବା ବର୍ତ୍ତମାନର ଇତିହାସ ସହିତ ସୂତ୍ରାୟିତ ବର୍ତ୍ତମାନ ଆଉ ଏକ ଭବିଷ୍ୟତକୁ ଇତିହାସ ହୋଇଯିବା ପାଇଁ ଆହ୍ୱାନ ଦେଉଥାଏ । ଏବଂ ଇତିହାସ ହେବା ପାଇଁ ଅପେକ୍ଷା ରଖିଥିବା ଭବିଷ୍ୟତ ହିଁ ସବୁବେଳେ ‘ଆକସ୍ମିକ । ତେଣୁ ପାଠକ ତାକୁ ପଢ଼ିଲାବେଳେ ପର ମୁହୂର୍ତ୍ତରେ କ’ଣ ଘଟିବାକୁ ଯାଉଛି ତାହା ଆଦୌ କଳ୍ପନା କରିପାରେନା ଏବଂ ଗପଟି ଏମିତି ଏକ ଜାଗାରେ ଶେଷ ହୋଇଯାଏ ଯେ, ସେ ଶେଷ ହୋଇଗଲା ବୋଲି ଜାଣିପାରେନି । ଅର୍ଥାତ୍ ସେ କୂଳକିନାରା ପାଏନି କାହାଣୀର । ଥ ମାରିଯାଏ । ତାକୁ ଭାରି ଅଡ଼ୁଆ ଅଡ଼ୁଆ ଲାଗେ ଚରିତ୍ରମାନଙ୍କ ଅସଂଲଗ୍ନ ମାନସିକ ଅବସ୍ଥା ଏବଂ ସେମାନଙ୍କ ଆରପଣ । ସେ ଅବଶ୍ୟ ଅନୁଭବ କରେ- ଜୀବନ ଏକ ଅନ୍ତଃହୀନ ଯାତ୍ରା ଏବଂ କେବଳ ମୃତ୍ୟୁରେ ହିଁ ତାର ସେହି ଯାତ୍ରାର ପରିସମାପ୍ତି । ଏବଂ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ସମୟ ହିଁ କେବଳ ଅନୁଭବରେ ପରିସିଦ୍ଧ ଘଟଣାର ସମାହାର । ତେଣୁ କେବଳ ମୃତ୍ୟୁରେ ହିଁ ଯଦି ଜୀବନର ଘଟଣାମାନଙ୍କର ପରିସମାପ୍ତ, ସେହି ମୃତ୍ୟୁକାଳୀନ ମୁହୂର୍ତ୍ତର ଅନୁଭବ ଯଦି ଅବ୍ୟକ୍ତ ଏବଂ ତା ବ୍ୟକ୍ତିକ ଏବଂ ସାମୂହିକ ଜୀବନର ଅନୁଭବ ଯଦି ଅନନ୍ତ କାଳ ପାଇଁ ସ୍ମୃତିକୋଷର ସଞ୍ଚିତ ସମ୍ପତ୍ତି, ଏକ ଗତିଶୀଳ ଜୀବନକୁ ନିର୍ଦ୍ଦିଷ୍ଟ ପରିସମାପ୍ତିରେ ପ୍ରତୀକିତ କରିବା, କଳା ପ୍ରତି ଅମର୍ଯ୍ୟାଦା ବ୍ୟତୀତ ଅନ୍ୟ କ’ଣ ବା ହୋଇପାରେ ?

 

ତେଣୁ ମୋର ଏକଥା କହିବାରେ ଆଦୌ ଦ୍ୱିମତ ନାହିଁ ଯେ, ନାଁ କେବଳ ମୁଁ ନୁହେଁ, ସ୍ୱୟଂ ଲେଖକ ମଧ୍ୟ ଏହା ସ୍ୱୀକାର କରିଛନ୍ତି- ଏଠି ପ୍ରତ୍ୟେକ ବ୍ୟକ୍ତି ଆପଣା ଆପଣା ସ୍ୱପ୍ନାକାଶରେ ଲୋଟଣି ଭାଙ୍ଗୁଥିବା ଜଣେ ଜଣେ ଆନନ୍ଦ ଆକାଙ୍‍କ୍ଷୀ ଆତ୍ମା- ଯେଉଁ ଆନନ୍ଦର ପ୍ରତ୍ୟାଶା ଅନନ୍ତ ଅତୀତରୁ ଅନନ୍ତ ଭବିଷ୍ୟତ ପର୍ଯ୍ୟନ୍ତ ଗତିଶୀଳ ବର୍ତ୍ତମାନରେ ହିଁ ଅଭିବ୍ୟକ୍ତ । ତେଣୁ ତାଙ୍କ ଗୋଟିଏ ଗୋଟିଏ ଗପରେ ଥାଏ ଅନେକ ଗପ, ଅନୁଭବମାନଙ୍କର ଚିତ୍ରାତ୍ମକ ଅଭିବ୍ୟକ୍ତି । ଗପଗୁଡ଼ିକର ଅବଶ୍ୟ ଆରମ୍ଭ ଥାଏ, ଶେଷ ବି ଥାଏ, ମାତ୍ର ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗ- ଯେକୌଣସି ସ୍ଥାନରୁ ଏହାର ଆରମ୍ଭ ଓ ଶେଷ କରାଯାଇପାରେ । ଜୀବନର ଆରମ୍ଭ ଯେଉଁଠି, ଶେଷ ସେଇଠି ଏବଂ ଶେଷ ଯେଉଁଠି, ଆରମ୍ଭ ବି ସେଇଠି । ଅର୍ଥାତ୍ ଜୀବନର ଯଦି ଆରମ୍ଭ ନାହିଁ, କି ଶେଷ ବି ନାହିଁ, ଏହାର ଅନ୍ୟ ପରିଚିତି ଯଦି ଗତିଶୀଳତା- ତାହାକୁ ଯେକୌଣସି ମୁହୂର୍ତ୍ତରୁ ଆରମ୍ଭ ଓ ଶେଷ ମଧ୍ୟ କରାଯାଇପାରେ । ଗଳ୍ପମାନେ କାଳେ ଜୀବନର ପ୍ରତ୍ୟେକ ମୁହୂର୍ତ୍ତକୁ ଜୀଇଁବା ଅନୁଭବର ଅକ୍ଷରାୟନ । ସେଠି ଆଖିମିଟିକାରେ ତିଳମାନେ ତାଳ ଓ ତାଳମାନେ ତିଳରେ ସତେ ଯେପରି ରୂପାନ୍ତରିତ ହୋଇଯାଇଥାନ୍ତି । ତାଙ୍କ ପ୍ରତ୍ୟେକ ଗଳ୍ପ ଅନୁଭବମାନଙ୍କର ଆଭାସ, ସଙ୍କେତ, ଚିତ୍ରରୂପ- ଯାହାକୁ ବହୁ ଭାବରେ ବ୍ୟବଚ୍ଛେଦ କରାଯାଇପାରିବ । ମୁଁ ଅନେକ ସମୟରେ ଗଳ୍ପପ୍ରିୟପାଠକ । ସମୀକ୍ଷକମାନଙ୍କ ପାଖରୁ ଶୁଣିଛି- କିଶୋରୀଚରଣଙ୍କ ଗପରେ ନିର୍ଦ୍ଦିଷ୍ଟ ବକ୍ତବ୍ୟ ଖୋଜିଲେ ‘ବଡ଼ଆଳୁ ମିଳେ । ମୁଁ ସେମାନଙ୍କୁ ପୂରାପୂରି ଭୁଲ୍ କି ଠିକ୍, କହିପାରିବି ନାହିଁ । ମାତ୍ର ଏକଥା ଅବଶ୍ୟ କହିବି ଯେ, ସେହି ‘ବଡ଼ଆଳୁ, ଗୀର୍ବାଣ ଶବ୍ଦରେ କହିଲେ, “ବୃହତ୍ତ ଆଳୁ’ ମଧ୍ୟ ସୃଷ୍ଟିର ଏକ ସଂରଚନା । ତେଣୁ କଳାତ୍ମକ, ଆର୍ଟିଷ୍ଟିକ । ପୁଣି ତାହା ଏପରି ଏକ ଅନୁବାଶୂନ୍ୟତା- ଯାହାଭିତରେ ବିଶ୍ଵର ବୈଚିତ୍ର୍ୟକୁ ମଧ୍ୟ ଅନୁଭବ୍ୟ ।୯

 

ଅନେକ ସମୟରେ କାହାଣୀ ଖୋଜା ପାଠକମାନଙ୍କୁ ମୋର ପଚାରିବାକୁ ଇଚ୍ଛା ହୁଏ (କାହାଣୀ ମଧ୍ୟ ଶୂନ୍ୟତାର ଚିତ୍ରାୟନରେ ଅନ୍ୟତମ ଉପାଦାନ ନୁହେଁ ବୋଲି ଆମେ କହିପାରିବା କି-?) ସତରେ ଗପ / ସାହିତ୍ୟରେ ବକ୍ତବ୍ୟ ବୋଲି କିଛି ଥାଏ ? ଜଣେ ବ୍ୟକ୍ତି ପ୍ରେମ-ପ୍ରତାରଣା, ତ୍ୟାଗ-ରୋଗ, ଘୃଣା-କ୍ଷମା, ଲୋଭ-ନିର୍ଲୋଭ ଆଦି ପରସ୍ପର ବିରୋଧୀ ଭାବର ଏକ ଠୂଳୀଭୂତ କଳାତ୍ମକ ଅଭିବ୍ୟକ୍ତି, ଏକ କାବ୍ୟିକ ନାମାନ୍ତର , ଜଣେ ପାଠକ/ଶ୍ରୋତା/ଦର୍ଶକ କେଉଁ ରୂପ ଓ ଅନୁଭବରେ ସେଇ ବୃହତ ସତ୍ତାକୁ ନିଜ ଭିତରେ ସମ୍ପାଦେ ତାହା ତା’ର ବିଚାର ଓ ମାନସିକ ଅବସ୍ଥାର ଅଧୀନ । ଜଣେ ସ୍ରଷ୍ଟାକୁ ସେତିକିବେଳେ ଆମେ ସ୍ଵଚେତ କହୁ ଯେତେବେଳେ ଜଣକ ଅନ୍ତର୍ଲୋକର ଏଇ ବିଚିତ୍ରତାକୁ ଯେକୌଣସି ମାଧ୍ୟମରେ ଆଲୋଚନାରେ ସମର୍ଥ ହୁଏ ଏବଂ ଅନ୍ୟ ଜଣେ ଆପଣା ସକଳ ଇନ୍ଦ୍ରିୟମାଧ୍ୟମ ଦେଇ ଅନୁଭବ କରେ ତାର ରୂପ, ରସ, ଶବ୍ଦ, ଗନ୍ଧ ଓ ସ୍ପର୍ଶମୟତାକୁ । କିଶୋରୀଚରଣ ଠିକ୍ ତାହା ହିଁ କରିଛନ୍ତି ନିର୍ଦ୍ଦିଷ୍ଟ କରି କିଛି କହି ନାହାନ୍ତି – ମାତ୍ର ତାଙ୍କ ମନ୍ତବ୍ୟ ଅବୋଧ୍ୟ ହୋଇ ନାହିଁ । ଏକ ସମଗ୍ରକୁ ବ୍ୟକ୍ତ କରିବା ପାଇଁ ଶ୍ରଦ୍ଧାଶୀଳ ହୋଇଛି । ସେ ଯେମିତି ସୂଚେଇ ଦେବାକୁ ଚାହିଁଛନ୍ତି- କବି କର୍ମରେ ଯାହା ଆମକୁ ‘ବିଷୟ’ ପରି ଲାଗେ - ତାହା ବସ୍ତୁତଃ ଏକ ମାନସିକ ଭ୍ରମ । ପ୍ରତ୍ୟେକ ଟେକ୍‍ସେଟ୍, ପ୍ରସଙ୍ଗ ବା କନ୍‌ଟେକ୍‌ସଟ୍‍କୁ ନେବା ଗତିଶୀଳ ଏବଂ ଏହି କନ୍‌ଟେକ୍‌ସଟ୍ ହିଁ ସୃଜନ କର୍ମରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । କୌଣସି ଏକ ରଚନାର ଦୃଶ୍ୟମାନତାକୁ ଅତ୍ୟନ୍ତ ମୋହମୁକ୍ତ ଭାବରେ ଭାଙ୍ଗିଦେଲା ପରେ ଯାଇଁ ତାର ସ୍ୱରୂପ ସ୍ପଷ୍ଟ ହୋଇଯାଏ । ଏହି ସ୍ଵରୁପ ହିଁ ଗତିଶୀଳ କନ୍‌ଟେକ୍‌ସଟ୍ ସମୂହ, ଯେଉଁମାନଙ୍କୁ ଠିକ୍ ଭାବରେ ନ ଭେଦିଲେ, ଟେକ୍‍ସଟ ମଧ୍ୟ ଅସ୍ପଷ୍ଟ ହୋଇପଡ଼େ । ସଂକ୍ଷେପରେ ଏଠାରେ ଏତିକି କୁହାଯାଇପାରେ ‘ପ୍ରସଙ୍ଗମାନଙ୍କର’ ସମବାୟ ହିଁ ‘ବିଷୟ’ ବା ‘କୃତି’ ଏବଂ ପ୍ରସଙ୍ଗମାନଙ୍କର ସମବାୟୀକରଣ ପ୍ରକ୍ରିୟାର ଅନ୍ୟ ନାମ ପ୍ରକାଶରୀତି ବା ଶୈଳୀ (ଟେକ୍‍ସଚର) । ତେଣୁ କିଶୋରୀଚରଣ ଆପଣା ସୃଷ୍ଟିରେ ଯେଉଁମାନଙ୍କର ଜୀବନଚର୍ଯ୍ୟାର ଯେଉଁ ରହସ୍ୟ ଆଲୋଚନା ପ୍ରୟାସୀ ହୋଇଛନ୍ତି, । ଆଲୋକାୟନ ପ୍ରକ୍ରିୟାରେ ତାଙ୍କ ଚିତ୍ରକାରିତାର କୌଶଳ ମଧ୍ୟ ସମ ଆଦର୍ଶବତ୍ ଗତିଶୀଳ ହୋଇଛି । ତାଙ୍କ ଗପର ବିଷୟ, ପ୍ରସଙ୍ଗ ଓ ଗଠନରୀତି ପରସ୍ପର ସହିତ ମିତ୍ର ଭାବରେ ଗତିଶୀଳ ହୋଇଛନ୍ତି ।

 

ଗଳ୍ପର ରଚନା ଶୈଳୀ ସମ୍ପର୍କରେ କିଶୋରୀ ଚରଣଙ୍କ ମନ୍ତବ୍ୟ ବେଶ୍ ସ୍ପଷ୍ଟ । ତାଙ୍କ ଭାଷାରେ “ଗଠନ ମାତ୍ରେଇ ମଞ୍ଜିର ଗୃହ, ବିଦ୍ୟାଳୟ, କୌଣସି ସଭା ସରହଦ ଦୀର୍ଘ, ପ୍ରସ୍ତ, ଉଚ୍ଚତାର ବ୍ୟବସ୍ଥାଥିବା ଉଚିତ । କଳା ପ୍ରକୃତିରେ ନିୟମନ, ଲେଖକର ଭଗବାନତ୍ୱ । ତେଣୁ ଯେଉଁ ଲେଖାଟି ହାଉଆରେ ଉଡ଼ିଗଲା ପରି ଲାଗେ, ସେଥିରେ ସୃଷ୍ଟିର ଆନନ୍ଦ ମିଳେ ନାହିଁ । ଏହି ଆନନ୍ଦ- ଗପରେ ନିଜକୁ ଦେଖିବା ଓ ଅନୁଭବ କରିବା ଜନିତ ଆନନ୍ଦ । ଏବଂ ଏହି ଆନନ୍ଦ କାଳେ ଘଟଣାର ପ୍ରଗତି ଓ ପରିଣତିରେ ମିଳେ । କିନ୍ତୁ ଏହା ଅବଶ୍ୟ ସ୍ୱୀକାର୍ଯ୍ୟ ଯେ ଜଣେ କାହାଣୀପ୍ରିୟ ପାଠକ ଯେଉଁପରି ପରିଣତି ଖୋଜେ, ତାହା ତାଙ୍କ ଗପରେ ଦୁର୍ଲ୍ଲଭ । ଗପରେ ଅବଶ୍ୟ ଆନ୍ତରିକତା, ଅହମିକତାର ଲାଘୁତା, ଅଧ୍ୟୟନ ଓ ଅଭିଜ୍ଞତା ପ୍ରସ୍ତୂତ ଚିନ୍ତା, ମଣିଷ ଜାତି ପ୍ରତି କରୁଣା ଏବଂ ରହସ୍ୟମୟ, ଦ୍ଵନ୍ଦାତ୍ମକ । ବିଷମ ଭାବଯୁକ୍ତ ମନର ଅତିଗୋପନୀୟ ଗୁହାର କଥା ରହିଛି । ସହପାଠକ ଗପ ପଢ଼ୁ ପଢ଼ୁ ମଝିରେ ମଝିରେ ଅଟକି ଯିବାକୁ ବାଧ୍ୟ ହୋଇଛି । ଏବଂ ପାଠକକୁ ଅଟକେଇ ଦେଇ ପୁଣି ଗତିଶୀଳ କରାଇବା ହିଁ କିଶୋରୀଚରଣ ଗପର ଗଢ଼ଣ ରୀତିର ଅନ୍ୟତମ ବିଶେଷଣ । ପାଠକକୁ ଦଣ୍ଡେ ଅଟକି ଯିବାକୁ ବାଧ୍ୟ କରିବା ଗଳ୍ପଗଢ଼ଣର ଏକ ପ୍ରୀତିପ୍ରତ ଲକ୍ଷଣ କି-? ଏପରି ଏକ ପ୍ରଶ୍ନର ସନ୍ତୋଷଜନକ ଉତ୍ତର ନିଶ୍ଚିତ ଭାବରେ ଅସହଜ । ମାତ୍ର ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ, ସଂକ୍ଷେପରେ, ଏତିକି କୁହାଯାଇପାରେ ଯେ, ଜୀବନର ରହସ୍ୟ ଓ ଯାବତୀୟ ଉଦ୍ଭଟ ଠାବ ପ୍ରୟାସୀମାନେ ବାଟରେ ଅଟକିଯାଇ ଆତ୍ମସମୀକ୍ଷା କରିବାକୁ ଏକ ଆବଶ୍ୟକତା ରୂପରେ ଆପଣେଇ ନିଅନ୍ତି । ଗତିଶୀଳ ଜୀବନ ଯାତ୍ରା ବହୁମୁଖୀ, ପ୍ରଶ୍ନମୟ, ତେଣୁ ଶ୍ଳେଷାତ୍ମକ । ତାକୁ ଉଖାରି ଦେଖିବା ପାଇଁ ପ୍ରୟାସର ଅର୍ଥ ଚିରନ୍ତନ ରହସ୍ୟକୁ ଫାନ୍ଦରେ ଧରିବା ପାଇଁ ଶ୍ରଦ୍ଧା । ବେଳେବେଳେ ମୋର ମନେହୁଏ, ଜଣେ ହିସାବ-ସମୀକ୍ଷକର ବିରକ୍ତି, କ୍ଲାନ୍ତିକର ଓ ପ୍ରଶ୍ନପୂର୍ଣ୍ଣ ଜୀବନ ଭିତରେ ତଥାପି ଜଳୁଥିବା ଶାନ୍ତିପ୍ରଦ ଆନନ୍ଦକୁ, କିଶୋରୀଚରଣ, ସତେ ଯେପରି ଚରିତ୍ରମାନଙ୍କ ଜୀବନର ହିସାବ ନିକାସ ମାଧ୍ୟମରେ ପ୍ରକାଶ କରିବାକୁ ମନ କରିଛନ୍ତି । ଅନେକ ଗପର ସେ ନିଜେ ନାୟକ ଅଥବା ସହଯାତ୍ରୀମାନଙ୍କ ହାତ ଧରି ଚାଲୁଥିବା ଅନ୍ୟଜଣେ ଅନୁଭବୀ, ହୃଦୟବାନ । ଫଳତଃ ତାଙ୍କ ବହୁଗପ ଆତ୍ମକଥନମୂଳକ ବା ପ୍ରଥମ ପୁରୁଷୀୟ ଏବଂ ଯେଉଁଠି ସେ ‘ଛୁପାରୁସ୍ତମ’ ଅର୍ଥାତ୍ ଅନ୍ୟନାମୀ ଚରିତ୍ରମାନଙ୍କ ଭିତରେ ଆପଣା କା’ର ଆରୋପଣ ପ୍ରୟସୀ, ସେହି ଅନ୍ୟମାନେ ଯେ ତାଙ୍କ ଅନୁଭବ ସଂଜାତ- ତାହା ଆଦୌ ନୁଚି ରହେ ନାହିଁ । ତାଙ୍କ କଥା ମନ୍ଦିରର ଆତ୍ମା, ତାଙ୍କ ଅଭିଜାତବୋଧର କଳାତ୍ମକ ସଂରଚନା । ଜାଗାଏ, ନିଜକୁ ନିଜ ଗପର ନାୟକ ବୋଲି କହୁଥିବା କିଶୋରୀ, ଆଉ ଜାଗାଏ ‘ମୁଁ ହିରୋ ନୁହେଁ । ହିରୋମାନଙ୍କୁ ଚିହ୍ନିପାରି ନାହିଁ, ଦୁର୍ଭାଗ୍ୟ ।’ ବୋଲି କହିବା ବେଳେ, ମୋର ମନେହୁଏ ଛେପ ଢୋକି କହିପକେଇଛନ୍ତି- ତାଙ୍କ ସୃଷ୍ଟ ଚରିତ୍ରମାନେ ସମାଜରେ ବଞ୍ଚୁଥିବା ତାଙ୍କ ପରି ତାଙ୍କ ଭିତରେ ଚିର ବର୍ତ୍ତମାନ ଚରିତ୍ରମାନଙ୍କର ରୂପାନ୍ତର, ସେ ହୋଇ ନ ପାରନ୍ତି । ୧୦

 

କିଶୋରୀଚରଣଙ୍କ କଥା-ରାସ୍ତାର ଚରିତ୍ରମାନେ କାଳେ ସ୍ଥିତିବାଦୀ ଦାର୍ଶନିକ ଓ ସ୍ରଷ୍ଟାମାନଙ୍କର ଅନୁରୂପ ବୋଲି କେତେକ ଆଲୋଚକ ମନ୍ତବ୍ୟ ଦେବାର ମୁଁ ଶୁଣିଛି । ହଁ, ଏକଥା ଅବଶ୍ୟ ସ୍ୱୀକାର୍ଯ୍ୟ ଯେ, ତାଙ୍କ ସୃଷ୍ଟ ବହୁ ଚରିତ୍ର, ଆପଣା ଜୀବନ ବଞ୍ଚିବା ପାଇଁ ସଂଗ୍ରାମଶୀଳ ଜଣେ ଜଣେ ବ୍ୟକ୍ତି ଯେଉଁମାନେ ସମାଜସୃଷ୍ଟ ଯାନ୍ତ୍ରିକ ବ୍ୟବସ୍ଥାକୁ ସ୍ୱୀକାର କରିବା ପାଇଁ ପରାଙ୍‍ମୁଖ । ସେମାନେ ବିଶ୍ୱାସ କରନ୍ତି- ବ୍ୟକ୍ତି ଜୀବନର ପ୍ରତ୍ୟେକ ମୁହୂର୍ତ୍ତର ଅନୁଭବ ସୂଚିତ, ଅଭିନବ; ପାପପୁଣ୍ୟ, ଧର୍ମ-ଅଧର୍ମ, ମିଥ୍ୟ-ସତ୍ୟ, କର୍ମଫଳ ତା ଜୀବନଯାତ୍ରାରେ କାବ୍ୟିକ କଳ୍ପନା । ସେମାନେ ପୁଣି ଭାରି ନିଃସଙ୍ଗ, ଆପଣା ସ୍ୱପ୍ନ ଓ ବର୍ତ୍ତମାନଠାରୁ ବିଚ୍ଛିନ୍ନ ଏକ ଏକ ଜୀବନ୍ତ ସତ୍ତା, ଅର୍ଥହୀନ ବର୍ତ୍ତମାନର ବୋଝ ବୋହି ବୋହି ଗତିଶୀଳ ସିସିଫସ । ମାତ୍ର ଏକଥା କହିବା ପାଇଁ ମୁଁ ଆଦୌ କିନ୍ତୁ ମଣିବି ନାହିଁ ଯେ, କିଶୋରୀଚରଣଙ୍କ ନିଃସଙ୍ଗତାବୋଧ ଦସ୍ତୋଭସ୍କୀୟ, କାଫକୀୟ କି ସାର୍ତ୍ତୀୟ ନୁହେଁ ଏକାକୀତ୍ଵ ବୋଧ ନୁହେଁ । ତାଙ୍କ ଚରିତ୍ରମାନଙ୍କ ଯନ୍ତ୍ରଣା ଆତ୍ମସ୍ଥ, ବିଳାସ-ସମ୍ଭୂତ ଓ ଆକାଶୀ । ଭୀରୁତା ବୀଜାଣୁର ସଂକ୍ରମଣରେ ସେମାନେ ସୁଶୁପ୍ତ ଓ ଭୀତ । ଅନ୍ୟପକ୍ଷରେ ଅସ୍ଥିତ୍ୱବାଦୀମାନଙ୍କର ଚରିତ୍ର ବିପ୍ଳବୀ ଓ ଆଧ୍ୟାତ୍ମବାଦୀ, ଏକ ଈଶ୍ଵର-ମୃତ ରାଜ୍ୟରେ, ମଣିଷ ଭିତରେ ତାଙ୍କ ଅସ୍ତିତ୍ୱ ଅନ୍ୱେଷୀ । ପ୍ରତିବାଦ- ସେମାନଙ୍କ ପାଇଁ ଆୟସ କି ବିଳାସ ନୁହେଁ, ଜୀବନ-ଛଦ୍ମତାର କାବ୍ୟମୟ ନୁହେଁ- ଆବଶ୍ୟକତା, ସଂସାର- ଏକ ଗବାକ୍ଷହୀନ ଗମ୍ଭୀରା ନୁହେଁ ଆଲୋକିତ ଓ ମୁକ୍ତ । କିଶୋରୀଚରଣଙ୍କ କଥନରୀତି ଅବଶ୍ୟ ବେଳେ ବେଳେ ଅସ୍ତିତ୍ଵବାଦୀୟ ପରି ଲାଗେ, ମାତ୍ର ତାହା ଏକ ଭ୍ରମ । ଆପଣାର ଅଭିଜାତବୋଧର ଗୁମୁଟି ଭିତରେ ବିହାର କରୁଥିବା ଏବଂ ପ୍ରଚଣ୍ଡ ସୂର୍ଯ୍ୟାଲୋକକୁ ଭୟ କରୁଥିବା ମଣିଷମାନେ ତେବେ କ’ଣ ଜୀବନ ଓ ସମାଜର ବହୁ ପ୍ରସ୍ଥତାକୁ ଅନୁଭବ କରିପାରିବାରେ ସମର୍ଥ ହୋଇପାରନ୍ତି ! ସ୍ଥିତିବାଦ ଏକ ଜୀବନଦର୍ଶନ ଏବଂ ଜଣେ ଆଧୁନିକ ମଣିଷ ସେହି ଦର୍ଶନ ସଚେତନ ହୋଇପାରେ, ମାତ୍ର ସେ ଯେ ଦର୍ଶନ ଅବଗାହୀ ଓ ଅନୁରୂପ ଜୀବନ ବଞ୍ଚିବାକୁ ବାଧ୍ୟ – ଏହା ଆଦୌ ଏକ ଗ୍ରହଣୀୟ ସିଦ୍ଧାନ୍ତ ନୁହେଁ । କିଶୋରୀଚରଣଙ୍କ ଚେତନା ପଛରେ ଅବଶ୍ୟ ସ୍ଥିତିବାଦର ଛାଇ ପଡ଼ିଛି, ମାତ୍ର ସେ ଯେ ଛାଇ ସଂକ୍ରମିତ ଏବଂ ଅର୍ଥଗାହୀ – ଏହିପରି ମନ୍ତବ୍ୟକୁ ନିରାଟ ଭାବରେ ଗ୍ରହଣ କରିବା ତାଙ୍କ ପ୍ରତି ଅମର୍ଯ୍ୟାଦା ହେବ ବୋଲି ମୋର ବିଶ୍ୱାସ ।

 

ଶେଷରେ ମୁଁ କିଶୋରୀଚରଣଙ୍କ କଥାମନ୍ଦିରର କାରୁକାର୍ଯ୍ୟ ସମ୍ପର୍କରେ ସୂଚନା ଦେବି । ଏହି ପ୍ରସଙ୍ଗରେ ମୋ ବିଚାର ସହିତ ତାଙ୍କ ସହୃଦୟପାଠକମାନେ ପ୍ରାୟତଃ ଏକମତ ହେବେ ଯେ, ତାଙ୍କ ଅଭିବ୍ୟକ୍ତି ବେଶ୍ ସୂକ୍ଷ୍ମ, ପରିଚ୍ଛନ୍ନ ଓ ଅଭିଜାତବୋଧର କାବ୍ୟାୟନ । ମନ୍ଦିରରେ ଅଙ୍କିତ ଚିତ୍ରମାନେ ସତେ ଯେପରି ମନୋମୟ ଜଗତର ଆନ୍ଦୋଳନ । ବ୍ୟକ୍ତିକ ଓ ସାମୂହିକ ଅବଚେତନରୁ ସଞ୍ଚରୁ ଆସିଥିବା ଶବ୍ଦମାନେ ଆଦୌ ଭାବର ସମ୍ୱାହକ ନୁହନ୍ତି, ଏକ ଏକ ଭାବମୟ ପିଣ୍ଡ । ମନର ରୂପ ପରି ସେମାନେ ରହସ୍ୟମୟ ଏବଂ ଗଣ ପରି ଅତ୍ୟନ୍ତ ଜଟିଳ, ତେଣୁ କମନୀୟ । ତାଙ୍କ ଚରିତ୍ରମାନେ କାଳେ ମାନକ ଭାଷାରେ ଆଳାପନ କରନ୍ତି ବୋଲି ଆମ କାଳର ଆଉ ଜଣେ କଥାକାର ଶ୍ରୀ ଦାସ ବେନ୍‍ହୁର ଅନୁଭବ କରନ୍ତି । ଏବଂ ଅନୁରୂପ ପ୍ରଶ୍ନର ଉତ୍ତରରେ ସ୍ଵୟଂ କିଶୋରୀ ଚରଣ କୁହନ୍ତି “ମୋ ଚରିତ୍ରମାନଙ୍କ ମନର ଭାଷା ଓ ତାଙ୍କ କଥାକୁହା ଭାଷା ମଧ୍ୟରେ ପାର୍ଥକ୍ୟ ରହିଛି । ଭାଷଣ ନୁହେଁ, ନିତ୍ୟ ନୈମିତ୍ତିକ ସଂଳାପରେ ସାଧୁଶବ୍ଦ ସମ୍ୱଳିତ ଏବଂ ସଂଘଟିତ ଭାଷା ସ୍ୱଭାବିକ ନୁହେଁ, ମନର ଭାଷାରେ ଲେଖକର ପୂର୍ଣ୍ଣ ଅଧିକାର ଅଛି । ++ ଲେଖକୀୟ କଥାକୁହାର ସ୍ଵାଧୀନତା, ଚରିତ୍ରର କଥାକୁହାରେ ନାହିଁ, ଏବଂ ରହିବା ଉଚିତ ନୁହେଁ ।’’ ମାତ୍ର ଏଠାରେ ମୁଁ ସ୍ପଷ୍ଟ କରିଦେବାକୁ ଉଚିତ ମଣୁଛି ଯେ, କିଶୋରୀ-ସୃଷ୍ଟ ଚରିତ୍ରମାନଙ୍କ ଭାଷା ଏବଂ କାହାଣୀ ବର୍ଣ୍ଣିତ ଚରିତ୍ରମାନଙ୍କ ସମ୍ପର୍କରେ କିଶୋରୀ-କଥିତ ଭାଷା ମଧ୍ୟରେ ବ୍ୟବଧାନ ଅତ୍ୟନ୍ତ ସୂକ୍ଷ୍ମ । କାରଣ ତାଙ୍କ ସୃଷ୍ଟ ଚରିତ୍ରମାନେ ତାଙ୍କ ଅନୁଭବ ଓ ସମ୍ବନ୍ଧ-ସଂଜାତ । ତାଙ୍କ ପରି, ତାଙ୍କ ଶବ୍ଦମାନେ ଅଭିଜାତ ବର୍ଗୀୟ, ବାକ୍ୟମାନେ କେତେବେଳେ ସଂଯୁକ୍ତ ତ କେତେବେଳେ ବୃତ୍ତଗନ୍ଧୀୟ । ତେଣୁ, ପୂର୍ଣ୍ଣଚ୍ଛେଦ, କମା ଓ ହାଇଫେନ୍ ବହୁଳ - ଅଟକି ଅଟକି ଚାଲୁଥିବା ମଣିଷର ଜୀବନ ପରି । ଅଭିବ୍ୟକ୍ତି ପ୍ରତୀକାତ୍ମକ – ଆଧୁନିକ କବିତା ପରି ଅଧା ବୁଝା, ଅଧା ଅବୁଝା (୧୨) ଏବଂ ତାଙ୍କ ପାଠକମାନେ ତାଙ୍କ ପରି ଅଭିଜାତ-ବର୍ଗୀୟ ଅଥବା ଅଭିଜାତବର୍ଗୀ- ସ୍ଵପ୍ନ ସମାହିତ । ଅବଶ୍ୟ ସେମାନଙ୍କ ମାଧ୍ୟମ ଦେଇ ସମାଜରେ ବଞ୍ଚୁଥିବା ବିପୁଳ ସଂଖ୍ୟକ ସାଧାରଣ ମଣିଷମାନଙ୍କର ଅନ୍ତର୍ବେଦନାକୁ ଅନୁଭବ କରାଯାଇପାରେ କାରଣ ମଣିଷର ଏପରି କେତେକ ସୂକ୍ଷ୍ମ ମାନସିକ ସମସ୍ୟା ରହିଛି ଯାହା ସଂସାରର ସବୁ ମଣିଷଙ୍କ ଚେତନାରେ ସମଭାବରେ ଜୀବନ୍ତ-। କିଶୋରୀଚରଣ ଆପଣା କଳା କାରିଗରିରେ ଜୀବନର ଏହି ଚିରନ୍ତନ ସତ୍ୟ ଓ ଅନୁଭବମାନଙ୍କୁ ଚିତ୍ରଣ କରିବା ପାଇଁ ସତେ ଯେପରି ସାଧନା କରିଛନ୍ତି ।

 

ଏବଂ, କେବଳ ଗଳ୍ପକାରିତାରେ ନୁହେଁ, ଅଭିବ୍ୟକ୍ତିର ସକଳ ପ୍ରକରଣରେ କିଶୋରୀଙ୍କ ସମମାନସିକତା ଲକ୍ଷଣୀୟ । ସେ ଯେପରି କହିବାକୁ ଚାହାନ୍ତି, ରଚନାର ଫର୍ମ ଭିନ୍ନ ହୋଇପାରେ ଏବଂ ହେବା ଉଚିତ । ମାତ୍ର ବହୁ ପ୍ରକରଣରେ ଆପଣାର ଆଚରଣକୁ ପ୍ରକଟ କରୁଥିବା ଜଣେ ସ୍ରଷ୍ଟାର ସଂରଚନାର ଅନ୍ତଃସ୍ରୋତ ସବୁଠି ସମାନ, ଅଲଗା ହୋଇ ନ ପାରେ । ଅଲଗା ଅଲଗା ଖୋପରେ ଆପଣାକୁ ସମ୍ପାଦିବାରେ ସମର୍ଥ ଜଣେ ବ୍ୟକ୍ତି, ଖୋପବତ୍ ରୂପଟିଏ ଅବଶ୍ୟ ଦେଇପାରେ, ମାତ୍ର ରୂପ ଭିତରେ ଜୀବନ୍ତ ସତ୍ତାମାନଙ୍କର ସ୍ଵରୂପରେ ଭିନ୍ନତା ଦେଖାଦେବା କ’ଣ ସମ୍ଭବ ? ତେଣୁ ଶୈଳୀତାତ୍ତ୍ୱିକ ଦୃଷ୍ଟିରୁ ବିଚାର କରିବାକୁ ଗଲେ କଥାକାର, ଔପନ୍ୟାସିକ, ରମ୍ୟରଚକ, ଆତ୍ମଜୀବନୀକାର, ସାହିତ୍ୟ-ସମୀକ୍ଷକ, ଭ୍ରମଣକାରୀ ଏବଂ କବି କିଶୋରୀଚରଣ ଜମାରୁ ପରସ୍ପରଠାରୁ ଭିନ୍ନ ନୁହନ୍ତି - ସେମାନ ପ୍ରତ୍ୟେକ ଭିନ୍ନ ଭିନ୍ନ ଦୁଶୁଥିବା ଏକରୂପୀ କିଶୋରୀଚରଣ, ଯାହା ଭିତରେ ଏକ କୋଟିକମ-ମୁଖା-ବିହାରୀ ବ୍ୟକ୍ତିସତ୍ତାର ବିମୁକ୍ତୀକରଣ ଓ ରୂପାୟନ ପାଇଁ ସଶ୍ରଦ୍ଧ ପ୍ରଶ୍ନିଳ ଉନ୍ମୁଖତା ।

 

ନୋଟ୍ ଓ ଆକରସୂଚୀ

୧.

କିଶୋରୀ ଚରଣ ଦାସଙ୍କ ପ୍ରଥମ ଗପ ‘ପରଦା ତଳେ’ ପ୍ରକାଶ ପାଏ, ବ୍ରହ୍ମପୁରର ପ୍ରକାଶିତ ‘ନବୀନ’ ପତ୍ରିକାରେ (୧୯୪୨) ଏବଂ ୧୯୫୫ ମସିହା ଜୁଲାଇ ମାସ ଝଙ୍କାରରେ ପ୍ରକାଶିତ ‘ବଡ଼ଲୋକି’ ତାଙ୍କୁ ଅଧିକ ସଂଖ୍ୟକ ପାଠକଙ୍କ ପାଖରେ ପରିଚିତ କରାଏ । ସେତେବେଳକୁ ତାଙ୍କର ବୟସ ୩୧ ବର୍ଷ । ମୃତ୍ୟୁ ପର୍ଯ୍ୟନ୍ତ ତାଙ୍କ ଲେଖନୀ ସକ୍ରିୟ ରହିଛି ଏବଂ ପରିଣତ ବୟସରେ ତାଙ୍କ ସୃଷ୍ଟିର ପରିମାଣ ଆଶ୍ଚର୍ଯ୍ୟଜନକ ଭାବରେ ପ୍ରତୁଳ । ବୋଧହୁଏ, ଲେଖିବା ହିଁ ଥିଲା ତାଙ୍କର ଏକମାତ୍ର କାର୍ଯ୍ୟ । ତାଙ୍କ ପ୍ରଦତ୍ତ ପରିସଂଖ୍ୟାନକୁ ଆଧାର କରି ଆମେ ଏହା ସ୍ୱୀକାର କରିବା ଉଚିତ ହେବ ଯେ, ତାଙ୍କ ଗପର ସଂଖ୍ୟା ୨୧୯ ।

 

କିଶୋରୀ ଚରଣ ଦାସ : ସମୟ ନାହିଁ, ସମ୍ପାଦନା : ଡଃ ବିଜୟାନନ୍ଦ ସିଂହ, ପ୍ରକାଶକ ଓଡ଼ିଶା ବୁକ୍ ଷ୍ଟୋର୍ସ, କଟକ-୨୦୦୪, ପୃଷ୍ଠା ୨୫୮ ।

୨.

କିଶୋରୀ ଚରଣଙ୍କ ଗପ ଓ ଉପନ୍ୟାସର ପ୍ରକାଶକାଳ ୧. ଭଙ୍ଗାଖେଳନା (୧୯୬୧-ଶ୍ରୀ ରାମନାଥ ପଣ୍ଡାଙ୍କ ଉଦ୍ୟମରେ ଜୟପୁରରେ ପ୍ରତିଷ୍ଠିତ ବିକାଶ ପ୍ରତିଷ୍ଠାନ ଏହାର ପ୍ରକାଶକ, ୨. ଲକ୍ଷ ବିହଙ୍ଗ (୧୯୬୮), ୩. ଘରବାହୁଡ଼ା (୧୯୬୮), ମଣିହରା (୧୯୭୦), ଠାକୁରଘର (୧୯୭୫), ନାଲି ଗୁଲୁଗୁଲୁ ସାଧବ ବୋହୂ (୧୯୭୮), ଗମନ (୧୯୮୦), ଖେଳର ନାଁ ରଙ୍ଗ (୧୯୮୨), ଭିନ୍ନ ପାଉଁଶ (୧୯୮୪), ଶୀତଲହରୀ (୧୯୮୬), ତ୍ରୟୋବିଂଶ ମୃତ୍ୟୁ (୧୯୪୭), ଲେଉଟାଣି (୧୯୮୯), ନିଜ ସଞ୍ଜ (୧୯୯୨), ଧବଳ ଆକାଶ (୧୯୯୪), ଥରୁଟିଏ (୧୯୯୭), ତରଙ୍ଗ (୧୯୯୭), ଶେଷଗଳ୍ପ (୨୦୦୦), ପରଦା ତଳେ ଓ ଅନ୍ୟାନ୍ୟ ଗଳ୍ପ (୨୦୦୨), ଶାନ୍ତ ଅପରାହ୍ନ ( ୨୦୦୨), ନିଆଁ (୨୦୦୪), ଫ୍ରେଣ୍ଡସ୍ ପବ୍ଲିସର୍ସ କର୍ତ୍ତୃକ ପ୍ରକାଶିତ ‘ତିରିଶ ବର୍ଷ ଗଳ୍ପ ଓ ଆଳାପ’ (୧୯୮୮-୨୦୦୦)ର ଚାରିଗୋଟି ଭାଗରେ ପ୍ରକାଶିତ ଗପ ସଂଖ୍ୟା (ପ୍ରଥମ ଭାଗ : ୭୯, ଦ୍ୱିତୀୟ ଭାଗ ୪୨, ତୃତୀୟ ଭାଗ ୫୦, ଚତୁର୍ଥ ଭାଗ ୫୪) ଏକଶହ ପଞ୍ଚସ୍ତରୀ । ଉପନ୍ୟାସର ସଂଖ୍ୟା ସାତ । ଯଥା : ସାତୋଟି ଦିନର ସତୀ (୧୯୯୩), ନେତା ଓ ନେତ୍ରମଣି (୧୯୯୬), ସକଳ ସନ୍ତାନ (୧୯୯୮), ସ୍ଵର୍ଗସୀମା (୧୯୯୯), ବିଦେଶିନୀ (୨୦୦୦), ତୁମ ଆମ ଶତାବ୍ଦୀ (୨୦୦୨) ଏବଂ ଶେଷ ଅଙ୍କ, ପ୍ରଥମ ଦୃଶ୍ୟ (୨୦୦୩) : କବିତା- ମିନିକାମନା (୧୯୮୨) ଓ ସଞ୍ଜବତୀ (୨୦୦୧) : ଭ୍ରମଣକାହାଣୀ - ଚେନାଏଁ ପୃଥବୀ, ଛିଗୁଡୋଏ ଘର । ଆତ୍ମଜୀବନୀ- ସମୟ ନାହିଁ (୨୦୦୪) : ସାହିତ୍ୟ ତତ୍ତ୍ୱ ସଂକ୍ରାନ୍ତ ଆଲୋଚନା : ଲେଖକର ସଂସାର (ଲେ. ୧୯୮o/ପ୍ର. ୧୯୮୬), କଥା ସାହିତ୍ୟର କଳା ଓ କାରିଗରି (୧୯୯୦), ଲେଖକର ଦୁଃଖ (୧୯୯୫), ମୋର ତୁମେ (୧୯୯୭) ମୋ ସମୟ ମୋ ସାହିତ୍ୟ (ଲେ, ୧୯୯୫୮/ ପ୍ର. ୨୦୦୦), ସାହିତ୍ୟ ପ୍ରେମର ଶେଷକଥା (୨୦୦୪) । ତାଙ୍କର ବହୁ ଗପ ହିନ୍ଦୀ, ଇଂରାଜୀ, ବଙ୍ଗଳା, ଗୁଜୁରାଟୀ, ଅହମୀୟା ଓ ଊର୍ଦ୍ଦୁ, ମାଲାୟାଲାମ, କନ୍ନଡ, ତେଲୁଗୁ, ତାମିଲ, ମରାଠୀ ଆଦି ଭାରତୀୟ ଏବଂ ଆରବୀୟ, ସ୍ପାନିସ୍, ଋଷୀୟ ଓ ଫରାସୀ ଆଦି ବିଦେଶୀ ଭାଷାରେ ପ୍ରକାଶିତ । ମୋ ଜାଣିବାରେ ଓଡ଼ିଶା ବାହାରେ ସେ ଜଣେ ବହୁ ପ୍ରକାଶିତ କଥାକାର ।

୩.

‘ମୁଁ କାହିଁକି ଲେଖେ’ ଏହି ଶୀର୍ଷକରେ ବିଶ୍ୱଭାରତୀ ଶାନ୍ତି ନିକେତନରେ ( ୨୯ ମାର୍ଚ୍ଚ ୧୯୭୦) : ‘ସମୟ ନାହିଁ’ ଏବଂ ‘ନିଜ କଥା’ ଶୀର୍ଷକରେ ଓଡ଼ିଆ ବିଭାଗ, ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ପଠିତ ପ୍ରବନ୍ଧ (ଝଙ୍କାର, ଅଗଷ୍ଟ ୧୯୯୩) ଦ୍ରଷ୍ଟବ୍ୟ ।

୪.

ସାକ୍ଷାତ୍‌କାର : ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ଆୟୋଜିତ ତା ୨୯.୮.୯୦ ପ୍ରଶ୍ନକର୍ତ୍ତା : ଶ୍ରୀ ବିଜୟ କୁମାର ଶତପଥୀ, ଶ୍ରୀମତୀ ଅପର୍ଣ୍ଣା ମହାନ୍ତି ଏବଂ ଜିତେନ୍ଦ୍ର ନାରାୟଣ ପଟ୍ଟନାୟକ ।

୫.

ନୋଟ୍- ୩ ଦ୍ରଷ୍ଟବ୍ୟ ।

୬.

ସାକ୍ଷାତ୍‌କାର : ବିଭୂତି ପଟ୍ଟନାୟକ ମୁଦ୍ରିତ : ଗଳ୍ପ/ଅକ୍ଟୋବର - ଡିସେମ୍ବର-୧୯୭୨ / ଏହି ପ୍ରସଙ୍ଗରେ ଆମେ କିଶୋରୀ ଚରଣଙ୍କ ଜୀବନୀ ସମ୍ପର୍କରେ ମଧ୍ୟ ଆଲୋକପାତ କରିପାରିବା । ତାଙ୍କ ଜନ୍ମ (୧ ମାର୍ଚ୍ଚ, ୧୯୨୪) ଏକ ଧନାଢ଼୍ୟ ଓ ସାମନ୍ତବାଦୀ ପରିବାରରେ । କଟକର ଖଟବିନ୍ ସାହିରେ (ମାତ୍ର ପୈତୃକ ଘର ମାହାଙ୍ଗା) ବାପା ବିପ୍ରଚରଣ ଦାସ : ଜିଲ୍ଲା ଜଜ / ବଡ଼ବାପା ରାୟବାହାଦୁର ରାଧାଚରଣ ଦାସ । ଶିକ୍ଷାଗତ ଯୋଗ୍ୟତା ବି.ଏଲ୍ ଏବଂ ଏମ୍.ଏ. । ପାଟଣା ବିଶ୍ୱବିଦ୍ୟାଳୟ । ବାପାମା’ ଶିକ୍ଷକ ହେବାକୁ ଚାହୁଁଥିଲେ ସୁଦ୍ଧା ହାକିମ ବନିବା ପାଇଁ ତାଙ୍କ ଭୀତରେ ନିଶା । ପ୍ରଥମେ ଡେପୁଟି ଜିଲ୍ଲା ମାଜିଷ୍ଟ୍ରେଟ (୧୯୪୭) ଏବଂ ପରେ ଆଇ.ସି.ଏସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଇଣ୍ଡିଆନ୍ ଅଡିଟ୍ ଓ ଆକାଉଣ୍ଟସ ଚାକିରିରେ ଯୋଗଦାନ (୧୯୫୦) ଏବଂ ଏହି ଅବସରରେ ଭାରତର ବଡ଼ ବଡ଼ ସହର ଏବଂ ଆମେରିକା, ବ୍ରାଜିଲ, ଭିଏତ୍‌ନାମ, ଆର୍ଜେଣ୍ଟିନା, ଦକ୍ଷିଣ ଆଫ୍ରିକା ଆଦିରେ ତାଲିମ ଓ ଆଫ୍ରିକୀୟ ଦେଶଗୁଡ଼ିକରେ ରହଣି ଓ ପରିଭ୍ରମଣ । ଆକାଉଣ୍ଟାଣ୍ଟ ଜେନେରାଲ, ସେଣ୍ଟ୍ରାଲ୍ ରେଭେନ୍ୟୁଜ, ପଦବୀରେ ୩ ବର୍ଷ ଅଧିଷ୍ଠିତ ହେବା ପରେ ୧୮୮୨ ମସିହାରେ କାର୍ଯ୍ୟରୁ ଅବସର ଗ୍ରହଣ । ୧୯୪୭ ମସିହାରେ ବିବାହ, ପୁଣି ତତ୍କାଳୀନ ଓଡ଼ିଶାର ବିଖ୍ୟାତ ରାଜନେତା ଭୁବନାନନ୍ଦ ଦାସଙ୍କ ଝିଅ ସହିତ । କିଶୋରୀ ବାବୁ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ତଳକୁ ଆସିନାହାନ୍ତି, ସାଧାରଣ ମଣିଷମାନଙ୍କୁ ଭତିରି ଆଖିରେ ଦେଖିନାହାନ୍ତି । ତାଙ୍କ ସମଗ୍ର ଜୀବନ ଅୟସ ଅଧିକାର ଜାହିର କରିବା ଭିତରେ ଗତିଶୀଳ ।

୭.

ଦ୍ରଷ୍ଟବ୍ୟ : ନୋଟ୍ ୪ ।

୮.

ଗଣସାହିତ୍ୟ ସମ୍ପର୍କରେ ଆପଣାର ସ୍ପଷ୍ଟ ଅଭିମତ ଦେବା ପରେ ସେ ଏ କଥା ମଧ୍ୟ କହିଛନ୍ତି- ମୋ ଚିନ୍ତାରେ ଦାର୍ଶନିକତା ଅବଶ୍ୟ ରହିଛି + + + କିନ୍ତୁ ଦାର୍ଶନିକର ଚିନ୍ତା ନୁହେଁ, ଅନୁଭବୀର ଚିନ୍ତା + + ମୁଁ ମଧ୍ୟ ପଙ୍କଜ ହେବା ପାଇଁ ଚାହେଁ । + + ମୁଁ ଅଦ୍ୱିତୀୟ, କାରଣ ପ୍ରତ୍ୟେକ ସଚେତନ ମଣିଷ ଅଦ୍ୱିତୀୟ ହେବା ପାଇଁ ବାଧ୍ୟ । ଏପରିକି ତାଙ୍କ ଲେଖାରେ ବାସ୍ତବଧର୍ମୀ ବୌଦ୍ଧିକତା କିମ୍ବା ବୁର୍ଜୁଆଧର୍ମୀ ଭୀରୁତା ଅଛି (?) ବୋଲି ସେ ପ୍ରଶ୍ନ ଉଠାଇଛନ୍ତି । ( ଏକବିଂଶ ଶତାବ୍ଦୀର ଭୂତ : ଲେଖକର ଦୁଃଖ ସଙ୍କଳନରେ ସଂଯୋଜିତ : ଫ୍ରେଣ୍ଡ୍‍ସ ପବ୍ଲିସର୍ସ, କଟକ ୧୯୯୫)

୯.

ଏଥିରେ ‘କିଶୋରୀଚରଣ’ ଆପଣା ଗଳ୍ପକାରିତା ସମ୍ପର୍କରେ ଲେଖିଥିବା କେତେକ ରୋଚକ ମନ୍ତବ୍ୟ ଉଦ୍ଧାର କରାଯାଇପାରେ ।

 

(କ) କାହାଣୀ ପାଇଁ ଅନ୍ତତଃ ଚାଖଣ୍ଡେ ଜାଗା ଦରକାର, ଯେଉଁଠି ସେ ହାତଗୋଡ଼ ଚଳାଇପାରିବ । କଡ଼ ଲେଉଟାଇ ପାରିବ । ତା’ଛଡ଼ା ଅଙ୍ଗ ଚଳନାର-ପ୍ରବୃତ୍ତି ଓ ଅଧିକାଂଶ କଥାବସ୍ତୁକୁ ଆବୋରିବା ପାଇଁ । ମନେରଖ ଯେ, ଗପ ଯେତେ ଛୋଟ ହେଲେ ମଧ୍ୟ ବିନ୍ଦୁରେ ପର୍ଯ୍ୟବେଶିତ ହୋଇପାରିବ ନାହିଁ । ତା ପାଇଁ ଲୋଡ଼ା ଯତ୍ସାମାନ୍ୟ ପ୍ରବାହ ଓ ବିସ୍ତାର । (କଥାସାହିତ୍ୟର କଳା ଓ କାରିଗରି : ୧୯୯୦, ଇଷ୍ଟର୍ଣ୍ଣ ମିଡ଼ିଆ, ଭୁବନେଶ୍ଵର । ଏହି ଶୀର୍ଷକ ଆଲବମ୍‍ଗୁଡ଼ିକ ‘କଥା’ରେ ପ୍ରକାଶିତ) ଏବଂ ସ୍ଥିତିବାଦୀ ଦାର୍ଶନିକମାନଙ୍କ ପରି ଏକଥା ବି କହିଛନ୍ତି ‘ମୁଁ ସାହିତ୍ୟ ଲେଖୁଛି ଆପଣା ମୋକ୍ଷ ପାଇଁ । (ମୋ ସମୟ ମୋ ସାହିତ୍ୟ : ୨୦୦୦ । ଓଡ଼ିଶା ବୁକ୍ସ ଷ୍ଟୋରର୍ସ କଟକ), ପ୍ରତ୍ୟେକ ସ୍ରଷ୍ଟା ଭିତରେ ଥାଏ ମୁକ୍ତିଲାଭର ପ୍ରବଳ ଇଚ୍ଛା । ତାର ସୃଷ୍ଟି ସେଇ ମୁକ୍ତି କାମନାର ଉଚ୍ଚାରଣ (ଲେଖକର ଦୁଃଖ : ୧୯୯୫ : ଫ୍ରେଣ୍ଡ୍‍ସ ପବ୍ଲିସର୍ସ କଟକ) ।

୧୦.

“ମୋ ସମୟ ମୋ ସାହିତ୍ୟ’ ପୁସ୍ତକର ମୁଖବନ୍ଧରେ ସେ ସ୍ପଷ୍ଟ ଭାବରେ ପ୍ରକାଶ କରିଛନ୍ତି ଲେଖକ ଓ ତା ସୃଷ୍ଟ ଚରିତ୍ରମାନଙ୍କ ମଧ୍ୟରେ ‘‘ପାର୍ଥକ୍ୟର ସୀମାରେଖା ଅସ୍ପଷ୍ଟ”, ମୋ ଜୀବନଟା ହେଲା, ଏଇଆ, ଗୋଟାଏ ଦିଆନିଆ ଓଗାଳ ଉତାରର ଭେଳିକି । ଯେଉଁଥିରେ ମୋର ସବୁକିଛି କ୍ଷୟ ହୁଏ । ନଷ୍ଟ ହୋଇଯାଏ । ଅବା ଚାଲିଯାଏ ତା ହାତକୁ । ହେଲେ ମୁଁ ସ୍ଥିର କରିପାରୁନାହିଁ, ଏଇ କେଇପଦ କଥା କିଏ ଲେଖିଲା, ସେ ନା ମୁଁ ।

 

ଏବଂ ‘ଲେଖକର ସଂସାର’ ପୁସ୍ତକରେ ସେ ଏକଥା ମଧ୍ୟ ଲେଖିଛନ୍ତି- “ସଂସାର ଗଢ଼ାର ମୋହ ଛାଡ଼ିପାରୁ ନଥିଲା’’ ମୁଁ ଜଣେ ସାମାନ୍ୟ ଲେଖକ ତେଣୁ ମୁଁ ତୃତୀୟ ବ୍ୟକ୍ତି ହୋଇପାରିବି ନାହିଁ ।” + + କଥାର ଚରିତ୍ର : ଛାଇ ଆଲୁଅ ପରି ପରସ୍ପରକୁ କୋଳାକୋଳି ହେଲାପରି ।

୧୧.

କିଶୋରୀ ଚରଣଙ୍କ ଏହି ସ୍ଵୀକାରୋକ୍ତି ସହିତ, ଶ୍ରୀ ବିଜୟାନନ୍ଦ ସିଂହଙ୍କ ସହ ଏକ ସାକ୍ଷାତ୍‌କାର ଶବ୍ଦମାନଙ୍କ ଯୋଡ଼ି କୁହାଯାଇପାରେ ଯେ, ମାପିଚୁପି ଭାଷାର ବ୍ୟବହାର କରିବାର ଅର୍ଥ ନୁହେଁ ଯେ, ମୁଁ ଜାଣିଶୁଣି ଚେଷ୍ଟା କରି ନିଜକୁ ଅଟକାଇ ଦିଏ । ଆପେ ଆପେ ମୁଁ ଏମିତି ଲେଖିଆସିଛି । ଏହା ହିଁ ମୋ ଲେଖାର ସ୍ୱାଭାବିକ ଶୈଳୀ । ହୁଏତ ମୋ କଥାକୁହାର ଉଦ୍ଦେଶ୍ୟକୁ ସଫଳ କରିବା ଦିଗରେ କେବଳ ସେତିକିରୁ ଅଧିକ କିଛି କହିବାର କାରଣ ନଥିଲା ମୋ ପାଇଁ । (ନବଲିପି : ନବବର୍ଷ-୨୦୦୩)

୧୨.

କାହାଣୀର ପ୍ଲଟ୍ ଉପରେ ନୁହେଁ, ଚରିତ୍ରମାନଙ୍କ ‘ମୁଡ଼୍’ ଏକ ମୁହୂର୍ତ୍ତର ଆବେଗ ଓ ପ୍ରତିକ୍ରିୟା ଚିତ୍ରଣରେ ବିଶ୍ୱାସ କରୁଥିବା କିଶୋରୀ ଚରଣ ପ୍ରଥମତଃ ଜଣେ କବିତା ଲେଖୁଥିବା ମଣିଷ-। କବିତା ବୌଦ୍ଧିକତା ଓ ଅନୁଭବର ଏକ କଳାତ୍ମକ କମ୍ପୋଜିସନ ବା ସମବ୍ୟୟ । ତାଙ୍କ ପାଇଁ କଳା ସୁନ୍ଦର ଓ ସବୁଦିନର । ସେ ନିଜ ହାତରେ ନିଜ ରୁଚି ଓ ସୌନ୍ଦର୍ଯ୍ୟବୋଧରେ ତା ସଂସାର ତିଆରେ । ଏହା ‘ଭାଷା ଓ ଭାବର କାରସାଦି’ (ଲେଖକର ସଂସାର : ପୃ୫) । ଏକଥା ସେ ବାରମ୍ବାର ସ୍ୱୀକାର କରିଛନ୍ତି ଯେ – କବିତା ଲେଖାରୁ ମୋ ସ୍ରଷ୍ଟା ଜୀବନର ଖଡ଼ିପାଠ । ଯଦି ଆମେ ଗଦ୍ୟରଚନାକୁ ଜଣେ କବିର ସୃଜନଶୀଳ ଅଭିବ୍ୟକ୍ତିର କଷଟି ପଥର ଅର୍ଥରେ ଗ୍ରହଣ କରିବା – ଏହା ସ୍ୱୀକାର କଲେ ଆଦୌ ଭୁଲ୍ ହେବ ନାହିଁ ଯେ, କିଶୋରୀ ଚରଣ ପ୍ରଥମେ କବି, ତାପରେ କଥକ ।

 

ଆନନ୍ଦ ଆଶ୍ରମ, କୁଟାରିମୁଣ୍ଡା , ଖମାର, ଅନୁଗୋଳ

 

***

 

କିଶୋରୀ-କଥକତା

କଇଳାଶ ପଟ୍ଟନାୟକ

 

କିଶୋରୀ ଚରଣଙ୍କ ଗଳ୍ପ, ମନ ଓ ମନନର ଗଳ୍ପ । ପୃଥିବୀ ତାର ସମସ୍ତ ଜାଗତିକ ସୌନ୍ଦର୍ଯ୍ୟରେ ଉଭା ହେଇଥିବ, ଦିନଯାପନ କରୁଥିବେ ତାର ସକଳ ସନ୍ତାନ, ଜୀବନ ଗତି କରୁଥିବ ସାବଲୀଳ ଗତିରେ ଅଥଚ ଗାଳ୍ପିକ କିଶୋରୀ ସନ୍ତୁଷ୍ଟ ନଥିବେ ! ସନ୍ତୁଷ୍ଟ ନଥିବେ କାରଣ ବହିର୍ଜଗତର ଏ ବାସ୍ତବତା, ତାର ସମସ୍ତ ବିବିଧତା ଭିତରେବି ଅପୂର୍ଣ୍ଣ ବୋଲି ତାଙ୍କର ମନେହେଉଥିବ । ଏଇ ଅପୂର୍ଣ୍ଣତାକୁ ଖୋଜି ତାକୁ ରୂପ ଦବାର ଚେଷ୍ଟା କରୁଥିବେ କିଶୋରୀଚରଣ-। ଅଥଚ ସେ ରୂପାୟନ ଯେତେ ସୂକ୍ଷ୍ମ ହେଉନା କାହିଁକି, ଯେତେ ବିସ୍ତାରିତ ହେଉନା କାହିଁକି ସେ ଅପୂର୍ଣ୍ଣତାକୁ ଗୋଟାପଣେ ଧରିରଖିବା ସମ୍ଭବ ହେଉ ନଥିବ ଓ ସେଇଥିଲାଗି କିଶୋରୀଚରଣ ଲେଖିଚାଲିଥିବେ ଗୋଟିଏ ପରେ ଗୋଟିଏ ଗଳ୍ପ ।

 

ଏଇ ଲେଖୁଲେଖୁ ପ୍ରକାଶିତ ହୋଇଚାଲିଲା ତାଙ୍କର ସଙ୍କଳନମାନ, ଭଙ୍ଗାଖେଳନା (୧୯୬୧), ଲକ୍ଷବିହଙ୍ଗ (୧୯୬୮), ଘରବାହୁଡ଼ା (୧୯୬୮), ମଣିହରା (୧୯୭୦), ଠାକୁରଘର (୧୯୭୫), ନାଲିଗୁଲୁଗୁଲୁ ସାଧବ ବୋହୂ (୧୯୭୮), ଗମନ (୧୯୮୦), ଖେଳର ନାମ ରଙ୍ଗ (୧୯୮୨), ଭିନ୍ନ ପାଉଁଶ (୧୯୮୪), ଶୀତଲହରୀ (୧୯୮୬), ତ୍ରୟୋବିଂଶ ମୃତ୍ୟୁ (୧୯୮୭), ଲେଉଟାଣି (୧୯୮୯), ନିଜସଞ୍ଜ (୧୯୯୨), ଧବଳ ଆକାଶ (୧୯୯୪), ଥରୁଟିଏ (୧୯୯୭), ତରଙ୍ଗ (୧୯୯୭), ଶେଷଗଳ୍ପ, ପରଦା ତଳେ ।

 

କେଉଁ ଅପୂର୍ଣ୍ଣତା ଇଏ- ଯାହାକୁ ଦର୍ଶାଇବାକୁ କିଶୋରୀଚରଣ ଚେଷ୍ଟା କରିଚାଲିଛନ୍ତି ଅର୍ଦ୍ଧଶତାବ୍ଦୀ ଧରି ?* ଅର୍ଦ୍ଧଶତାବ୍ଦୀ - ଅଥଚ ସେ ଅପୂର୍ଣ୍ଣତା ଏତେ ବିଶାଳ, ଏତେ ଗଭୀର, ଏତେ ବିଚିତ୍ର ପୁଣି ଏମିତି ବାୟବୀୟ ଯେ କିଶୋରୀଙ୍କ ପରି ସମର୍ଥ ଗାଳ୍ପିକକୁ ବି ଚେଷ୍ଟା କରିବାକୁ ହୋଇଚି ଅର୍ଦ୍ଧଶତାବ୍ଦୀ ଧରି ? କିଶୋରୀଙ୍କ ଏକ ବକ୍ତବ୍ୟରେ ରହିଚି ଏହାର ଉତ୍ତର,

 

x x ବ୍ୟକ୍ତି ଚେତନା ମୂଳକ ଗଳ୍ପଗୁଡ଼ିକୁ ନେଇ x x ଆମେ ବେଶୀଦୂରକୁ ମାଡ଼ିଯାଇ ପାରୁ ନାହିଁ କାଳେ ଜିନିଷଟା ‘ଅସନା’ ଦିଶିବ । ଦେଉଁ ସେନ୍‍ସରକୁ ଭୟ କରି ନୁହେଁ, ଆମ ନିଜର ପରମ୍ପରାଗତ ଚେତନା ଅବା କେଉଁ ସାମାଜିକ ଅଚେତନ (collective unconscious)କୁହୁଡ଼ି ନ ପାରେ ।୧

 

କଣ ଏଇ ବ୍ୟକ୍ତିଚେତନା ? ଯାହାକୁ ରୂପାୟିତ କରିବାକୁ ଆମର ଗାଳ୍ପିକମାନେ ଅନାଗ୍ରହୀ ? କାହିଁକି ‘ପରମ୍ପରାଗତ ଚେତନା’ କି ଆମର ‘ ସାମଗ୍ରିକ ସଚେତନ’ର ଲକ୍ଷ୍ମଣରେଖା ଡେଇଁବା ଲାଗି ଗାଳ୍ପିକମାନ କୁଣ୍ଠିତ ? କାହିଁକି ସେମାନେ ‘କାଳେ ଜିନିଷଟା ଅସନା ଦିଶିବ’ ଭାବି ଭୀରୁ ସାଜୁଛନ୍ତି ? ସବୁବେଳେ କ’ଣ ପାରମ୍ପରିକ ନିୟମର ଶଗଡ଼ଗୁଡ଼ାରେ ଗଳ୍ପ ଚାଲିଥିବ ? ସେଇଥିଲାଗି କେହି

 

* କିଶୋରୀଚରଣଙ୍କ ପ୍ରଥମ ଗଳ୍ପର ପ୍ରକାଶ ୧୯୫୪ ମସିହାରେ ଓ ତାଙ୍କର ମୃତ୍ୟୁ ୨୦୦୪ ମସିହାରେ ।

 

୧.

ଶତାବ୍ଦୀର କଳାଦୃଷ୍ଟି : କ୍ଷୁଦ୍ରଗଳ୍ପ, ଗଦ୍ୟଶିଳ୍ପୀ କିଶୋରୀଚରଣ, ଭୁବନେଶ୍ୱର, ୧୯୯୯, ପୃ ୧୩ ।

 

କେହି ହୁଏତ ଚେଷ୍ଟା କରିଚନ୍ତି । କିନ୍ତୁ ସେ ଚେଷ୍ଟା ଯେତେବେଳେ ନିରଳସ, ଅନବରତ, ଏକନିଷ୍ଠ, ଏକମୁଖୀ ଗତି କରେ ସେତେବେଳେ ତାହା ହୁଏ କିଶୋରୀଚରଣଙ୍କ ଗଳ୍ପ । ଓଡ଼ିଆ ଗଳ୍ପର ବିଚିତ୍ରବର୍ଣ୍ଣା ପୃଥିବୀରେ ଯିଏ ବ୍ୟକ୍ତିଚେତନାକୁ ପୁଞ୍ଜି କରି ନିରଙ୍କୁଶ ଲେଖିଚାଲିଲେ ଗଳ୍ପ । ପୃଥିବୀ ତାର ସମସ୍ତ ଜାଗତିକ ସୌନ୍ଦର୍ଯ୍ୟରେ ଉଭା ହେଇଥିବ, ଦିନଯାପନ କରୁଥିବେ ତାର ସକଳସନ୍ତାନ, ଜୀବନ ଗତି କରୁଥିବ ସାବଲୀଳ ଗତିରେ - ତାରି ଭିତରେ ବ୍ୟକ୍ତିର ଏକାନ୍ତ ନିଜର ଜୀବନ, ଏକାନ୍ତ ଆପଣାର ଭାବନା, ଏକାନ୍ତ ନିଜସ୍ୱ ଦୃଷ୍ଟିଭଙ୍ଗୀ ନଥିବାଟା ବାରିଥିଲେ କିଶୋରୀଚରଣ । ସେଇଟି ତାଙ୍କର ହେଇଗଲା ଅନୁଶୀଳନର କ୍ଷେତ୍ର, ମନନର ଭୂମି ।

 

ସେ କ୍ଷେତ୍ର- ବ୍ୟକ୍ତି ମଣିଷର ଭିତରେ ଥିବା ବ୍ୟକ୍ତିମଣିଷ । ସମାଜ, ତାର ନୀତି ନିୟମ, ଶାସନ ଶୃଙ୍ଖଳା, ସଂସ୍କାର ଓ ପରମ୍ପରା ଯାହାକୁ ଛୁଇଁପାରେନା । ଭଲମନ୍ଦ, ପାପପୁଣ୍ୟର ବୋଧ ଯାହାକୁ ଦ୍ୱନ୍ଦ୍ୱ ମଥିତ କରିଦିଏନା । ଚେତନ-ଜଗତ ଯାହାକୁ ଆକୃଷ୍ଟ କରିପାରେନା । ସେ ସାଧାରଣ ପାଠକ ପାଖରେ ଅପରିଚିତର କ୍ଷେତ୍ର । ସେ ଭୂମି ଅନ୍ଧକାରର ଭୂମି । ସେଇ ଅପରିଚିତକୁ ପରିଚିତ କରାଇବାକୁ, ସେଇ ଅନ୍ଧକାରର ରହସ୍ୟକୁ ଆଲୋକାନ୍ୱିତ କରିବାକୁ ଦୀର୍ଘ ଅର୍ଦ୍ଧଶତାବ୍ଦୀ ଧରି ଲେଖନୀ ଚାଳନା କରିଚନ୍ତି କିଶୋରୀଚରଣ । ହେଲେ ଯାହା ଏତେ ସୂକ୍ଷ୍ମ, ଯାହା ଏତେ ଅଜ୍ଞାତ ତାର ଅବବୋଧତ କରାଇ ହେବ ନାହିଁ ସାଧାରଣ ରୂପରେ । ଲୋଡ଼ା ସେଇଥିଲାଗି ଭିନ୍ନ ଏକ ପ୍ରଚେଷ୍ଟା ଭିନ୍ନ ଧରଣର କଥାକୁହା । ଏଇ ପ୍ରସଙ୍ଗରେ କିଶୋରୀଚରଣ କୁହନ୍ତି-

 

ଆମ ଭିତରେ ଥିବା ‘inner furies’ର ଯଥାର୍ଥ ସତ୍ୟକୁ ମାନିବାକୁ ପ୍ରସ୍ତୁତ ହୋଇ ନାହୁଁ, କାଳେ ସେଥିରେ ଆମ ଆଦର୍ଶର ଅବମାନନା ହେବ । ମୁଁ କହୁଛି ଯେ ଏହି ଦୈତ୍ୟ ଦାନବମାନଙ୍କୁ ମାନିନିଅ, ସାମୟିକ ଦୁର୍ବଳତା ବୋଲି ଆଡ଼େଇ ଦିଅ ନାହିଁ । ବିଜ୍ଞାନ ଓ ଅନ୍ତର୍ଦୃଷ୍ଟି ସାହାଯ୍ୟରେ ମଣିଷର ପ୍ରକୃତ ସ୍ୱରୂପକୁ ଜାଣିବାକୁ ଚେଷ୍ଟା କର । ମୁଁ ଦାର୍ଶନିକ John Erskeni ଙ୍କ ସହିତ ଏକମତ ଯେ, ନୈତିକତାର ମୂଳମନ୍ତ୍ର ହେଉଛି ବୌଦ୍ଧିକତା । There is a supreme moral obligation to be intelligent. Affections divided us. Intelligent unites us with mankind. ଏହି ବୌଦ୍ଧିକତାର ପ୍ରଶ୍ରୟ ନେଇ ତୁମେ ଯଦି ମଣିଷ ମନର ଅସୁନ୍ଦର ନାରଖାର ପଣକୁ ଦେଖିବାକୁ ପାଅ ଓ ଛଟପଟ ହୁଅ, ତାହାହେଲେ ମୋତେ ଦୋଷ ଦିଅ ନାହିଁ । ସ୍ୱୀକାର କର ଯେ, ମୁଁ ତୁମକୁ ଅଶାନ୍ତି ଦେଇଛି ସିନା, ଠକେଇ ନାହିଁ ।’୨

 

କିଶୋରୀଚରଣ ସ୍ୱୀକାର କରୁଛନ୍ତି, ପାଠକଙ୍କୁ ସେ ‘ଅଶାନ୍ତି’ ଦେଇଛନ୍ତି । ଖାଲି ସେତିକି ନୁହେଁ ‘ତରୁଣ ଦାୟାଦମାନଙ୍କୁ ଆହ୍ଵାନ’ ଜଣାଇ ସେ କହନ୍ତି, ସେମାନେ ଏମିତି ଗଳ୍ପ ଲେଖନ୍ତୁ ଯେ ପାଠକ, ‘ତାକୁ ମନଦେଇ ପଢ଼ିବେ ଏବଂ ପଢ଼ିସାରି ଆନନ୍ଦିତ ହେବା ସହ ବିଚଳିତ ହେବେ ।୩ ଆଶ୍ଚର୍ଯ୍ୟ, ନିଜେ ତ ଦେଲେ ଅଶାନ୍ତି ଏଣେ ଆଶା କରୁଚନ୍ତି ତାଙ୍କର ଉତ୍ତର ଦାୟାଦଗଣ ପାଠକଙ୍କୁ ଦେବେ ବିଚଳନ ! କାହିଁକି ? କିଶୋରୀଚରଣ କ’ଣ ବିଶ୍ୱାସ କରନ୍ତି ନାହିଁ ସହଜ ସରଳ ଗପ ଲେଖାରେ ? ବିଶ୍ୱାସ କରନ୍ତି ନାଇଁ ଗଳ୍ପରୁ ତୃପ୍ତି ମିଳୁଥିଲେ, ଶାନ୍ତି ମିଳୁଥିଲେ ତାହା ଭଲ ଗଳ୍ପ ହେବ ନାଇଁ ? ଗଳ୍ପର ଉତ୍ତରଦାୟିତ୍ୱ ଏହାଦ୍ୱାରା ପୂର୍ତ୍ତ ହେବ ନାହିଁ ? ଏ ଅଶାନ୍ତି ଓ ବିଚଳନ ତେବେ କାହିଁକି ? କିଶୋରୀଙ୍କ ପାଖରେ ରହିଛି ତାର ଉତ୍ତର, ହୁଏତ ଶେଷକଥାର ‘ସନ୍ତୋଷ’

 

୨.

ମୁଁ କାହିଁକି ଲେଖେ, ପୂର୍ବୋକ୍ତ, ପୃ ୨୭ ।

୩.

ଗାଳ୍ପିକଙ୍କ ଦୃଷ୍ଟିଭଙ୍ଗୀରେ ସମାଜ ପୁନର୍ଗଠନର ଅଭୀପ୍‍ସା, ମୋ ସମୟ ମୋ ସାହିତ୍ୟ, କଟକ, ୨୦୦୦, ପୃ ୫୬ ।

 

ଆଣିଦେବାକୁ ଚାହୁଁ ପାଠକର ମନରେ ଏବଂ ସେ ଦୃଷ୍ଟିରୁ ଆମର ଉଦ୍ୟମ ସଫଳ ହୁଏ, କାରଣ ତାକୁ ଭଲଲାଗେ ସେଭଳି ଗପଟିଏ ପଢ଼ିବାକୁ, ହାରାହାରି ହିନ୍ଦୀ ଫିଲ୍ମ ଦେଖିଲା ପରି, କିନ୍ତୁ ସେ କେବେହେଲେ ଭାବିପାରେ ନାହିଁ ଯେ ସତରେ ଏମିତି ହୁଏ । x x x ଆମେ ବେଳେବେଳେ ଭୁଲିଯାଉ ଯେ ସମାଜ ନାମକ ସତ୍ତା ବ୍ୟକ୍ତିର ସମଷ୍ଟି ଏବଂ ପାରସ୍ପରିକ ସମ୍ପର୍କ ଛଡ଼ା ଆଉ କିଛି ନୁହେଁ । ଏହି ପରିପ୍ରେକ୍ଷୀରେ ଆମେ ବ୍ୟକ୍ତିମାନସର ଅଜ୍ଞତା ଅଥବା ଆତ୍ମଶଠତା ଉପରେ ଆଲୋକପାତ କରିବା ମଧ୍ୟ ଆବଶ୍ୟକ, ଏଇ ସାର କଥାଟିକୁ ପାଶୋରି ଦେଉ । ଫଳରେ ଗପଟି ଦୁର୍ବଳ ହୋଇପଡ଼େ ଏବଂ ତାହା ପାଠକର ମନକୁ ଚହଲାଇ ଦେଇପାରେ ନାହିଁ । x x (ଗଳ୍ପର) ଆନନ୍ଦ ହୋଇଥିବା ପଳାୟନଧର୍ମୀ ହାଲୁକା ଆନନ୍ଦରୁ ଉର୍ଦ୍ଧ୍ୱରେ ଥିବା ‘ବୌଦ୍ଧିକ ଆନନ୍ଦ’, ଯାହା x x ତାକୁ (ପାଠକକୁ) ଚହଲେଇ ଦେବ ବ୍ୟକ୍ତି ଓ ସମାଜ ବିଷୟରେ ଗୋଟିଏ ନୂଆ କଥା ଆବିଷ୍କାର କଲା ପରି x x |୪

 

ଗଳ୍ପପଢ଼ାରୁ ପାଠକର ମନ ଅଶାନ୍ତ ନ ହେଲେ, ବିଚଳିତ ନ ହେଲେ, ଗଳ୍ପର ଘଟଣା ବାସ୍ତବ ଜୀବନରେ ଘଟେ ଏ ବୋଧ ଆସିବ ନାଇଁ । ଜୀବନ ସତ୍ୟକୁ ସେ ଆବିଷ୍କାର କରି ପାରିବ ନାଇଁ । ଆଉ ଯଦି ଗଳ୍ପ, ପାଠକଠାରେ ଏଇ ମନୋଭାବ ସଞ୍ଚରିତ କରି ନ ପାରିଲା ତେବେ କି ଗଳ୍ପ ସିଏ ?

 

କିଶୋରୀଚରଣ ସେଇଥିଲାଗି ଜଣେ ସଚେତନ ଗାଳ୍ପିକ । ଯେ ନିଜ ଉଦ୍ଦେଶ୍ୟ ସମ୍ପର୍କରେ ନିଃସନ୍ଦେହ, ନିଜର ଲକ୍ଷ୍ୟ ସମ୍ପର୍କରେ ସ୍ଥିର ନିଶ୍ଚିତ । ଏଇ ସଚେତନ ପ୍ରୟାସରୁ ସେ ସୃଷ୍ଟି କରିପାରିଚନ୍ତି ରାଶି ରାଶି ଗଳ୍ପ । ଆଉ ସବୁ ଗଳ୍ପରେ ବ୍ୟକ୍ତିର ମାନସ-ସତ୍ତାର ନାନା ବୈଚିତ୍ର୍ୟ ଉଦ୍‌ଭାସିତ । ଏ ବୈଚିତ୍ର୍ୟ ଏକକ ବ୍ୟକ୍ତିର ଚିତ୍ରଣ ମାଧ୍ୟମରେ ଆସିଥାଏ, ଆସିଥାଏ ନାରୀ ପୁରୁଷର ସମ୍ପର୍କ ଗତ ବ୍ୟାଖାରେ । ଲକ୍ଷ୍ୟ ଯଦି ମନସତ୍ତାର ରୂପାୟନ, ତେବେ ଲୋଡ଼ା ମାଧ୍ୟମଟିଏ-। ସେ ମାଧ୍ୟମ ହୁଏ କେଉଁ ଚରିତ୍ର, କେଉଁ ଘଟଣା ବା କେଉଁ ସମ୍ପର୍କ । ବହିର୍ଜଗତର ଚିତ୍ର ଆଙ୍କୁ ଆଙ୍କୁ ବଡ଼ ସୁତରରେ କିଶୋରୀଚରଣ ଦେଖାଇଦିଅନ୍ତି ବ୍ୟକ୍ତି ଭିତରର ସେ ବ୍ୟକ୍ତିକୁ । ବହିର୍ଜଗତର ବିସ୍ତାରିତ ଜଡ଼ଜଗତ ଓ ଜୀବଜଗତ- ମାଧ୍ୟମ ସାଜନ୍ତି ମନୋଜଗତର ରୂପାୟନରେ ।

 

‘ବୋଉ ଲଙ୍କାମରିଚ ତୋଳୁଛି । ବନୁଦାଦା ଛିଡ଼ା ହୋଇଛନ୍ତି ସେଠି । ହସୁଛନ୍ତି । ବୋଉ ମୁହଁଟେକି କଣ କହିଲା । ବନୁଦାଦା ଆହୁରି ହସୁଛନ୍ତି । ବୋଉ ହସି ହସି ପଛକୁ ଚାଲିଗଲା । x x ଯୋଡ଼ାଏ ବତକ । ଏକାଠି ପଳାଇ ଆସୁଛନ୍ତି । ଏକାଠି କାଁ କାଁ କରୁଛନ୍ତି । ଭାଇଭଉଣୀ । ନାଇଁ, ବାପାବୋଉ । ବାପା-ବୋଉ । ଉହୁଁ । ନ ହେଲେ- ବନନୁଦାଦା ବୋଉ ? ନାଇଁ ଛି ।”

 

‘ଭଙ୍ଗାଖେଳନା’ ଗଳ୍ପର କିଶୋରୀ ଗୀତା ବହିର୍ଜଗତର ବତକଯୋଡ଼ାକ ନେଇ ଯେତେ ଯାହା ଭାବିଲା, ଭାବିଲା ଆଉ ଯୋଉ ବିନ୍ଦୁରେ ଅଟକି ଗଲା, ସେଇଠି ସମ୍ଭାବନାର ବିଜୁଳିଟିଏ ଲଟେଇଗଲା । ଉଦ୍‍ଭାସିତ କରିଦେଲା ଜାଗତିକ ସମ୍ପର୍କ ବାହାରର ଅଲଗା ଏକ ଚିତ୍ର । କାର୍ଯ୍ୟକାରଣର ନିବିଡ଼ ସମ୍ପର୍କର ସତ୍ୟରେ ପୃଥିବୀ ଆତଯାତ ହେଉଥିବା ବେଳେ ଗୀତା ଭିତରେ ବତକଯୋଡ଼ାଙ୍କୁ ଦେଖଇ ‘ବନୁଦାଦା ଓ ବୋଉ’ର ଭାବନା ଆସିବା ସତରେ କ’ଣ ଅପ୍ରତ୍ୟାଶିତ ?

 

ଦୃଶ୍ୟମାନ ବାସ୍ତବତା କେବଳ ବାସ୍ତବତାର ଏକକ ରୂପ ନୁହେଁ ! ଏଇ ବାସ୍ତବତା ବାଟ ଦେଇ ଭିନ୍ନ ଏକ ବାସ୍ତବତାର ଅଭାବନୀୟ ଜଗତରେ ବି ପାଦ ରଖାଯାଇପାରେ । କିଶୋରୀଚରଣଙ୍କ ଗଳ୍ପରେ ସେ ନମୁନା ସର୍ବତ୍ର । ଜନଗହଳି ଓ ପରିଚିତ ପୃଥିବୀରୁ ଦୂରରେ ନିଛାଟିଆ କେଉଁ ପାହାଡ଼ୀ

 

୪.

ଉପରୋକ୍ତ, ପୃ ୫୪-୫୫ ।

 

ଡାକବଙ୍ଗଳାରେ ଶାରୀରିକ ଭାବେ ଏକ ହେବାର ଉଗ୍ର କାମନାରେ ଯେଉଁ ଯୁବକଯୁବତୀ ଦୁଇଜଣ କଲିକତାକୁ ଦାର୍ଜିଲିଂ ଚାଲିଯାଇଥିଲେ, ସେଇ ମହୁଆ ନିଶାର ଆବେଶରେ ଟୁଳୁଟୁଳୁ ‘ପାହାଡ଼ ଗଳ୍ପଟିରେ ମିଳନର ଚରମ ମୁହୂର୍ତ୍ତରେ...

 

କିନ୍ତୁ ମୋର ଇନ୍ଦ୍ରିୟଗୁଡ଼ିକ ଶିଥିଳ ହୋଇଗଲା । ତରବାରି ଖୋଳରେ ପଶିରହିଲା । ମୁଁ କେବଳ ତାକୁ କୁଣ୍ଢେଇ ଧରିଲି ଏବଂ ତା’ ଦେହରେ ଲୋଟିଗଲି । ତା ଦେହରେ ମିଶିଯିବାକୁ ଚାହିଁଲି । ମୋର ମନେହେଲା ତାର ନିବିଡ଼ ଶ୍ୟାମତନୁ ପୁଲକିତ ହୋଇଉଠିଛି, ସହସ୍ର ସ୍ୱେଦକଣା ଝଳିଉଠୁଛି, ଅଗଣିତ ସବୁଜ ରୋମାଞ୍ଚ ବିନ୍ଦୁ ମୋତେ ଡାକୁଛି...ମାଆ ପରି... କହୁଛି ଆ, ଆ, ମିଶିଯାଆ, ଅସନା ସେକ୍‍ସକୁ ଫିଙ୍ଗିଦେଇ, ଅନାବଶ୍ୟକ ବକ୍ତବ୍ୟକୁ ଗୁଡ଼େଇ ଦେଇ ମୋର ଜଠର ଭିତରକୁ ଚାଲିଆ’ । କି ଅଭାବନୀୟ ଅନୁଭବ ? ଯେଉଁ ମୁହୂର୍ତ୍ତଟି ପାଇଁ ଏତେ ଦୂର ଧାଇଁ ଆସିଥିଲେ ସେମାନେ, ନିକାଞ୍ଚନ ସ୍ଥାନ, ଅନୁକୂଳ ବାତାବରଣ – ସେଇ ଚରମ ମୁହୂର୍ତ୍ତରେ ନାୟକ, ନିସର୍ଗକୁ ଅନୁଭବ କରୁଚି ନାୟିକା ସ୍ଥାନରେ ? ଦାର୍ଜିଲିଂର ଶ୍ୟାମନୀଳ ବିସ୍ତାର - ତୁଷାର ହିମର ଆୟୋଜନ ଏପରି ଆଚ୍ଛାଦିତ କରିଦେଇଚି ନାୟକକୁ ? ସେ ନିଜକୁ ସେଇ ନିସର୍ଗ ପ୍ରକୃତିରେ ସାମିଲ କରିଦେବାକୁ ଚାହିଁଚି – ବିସ୍ତାରିତ ଶ୍ୟାମଳିମାରେ, ତୁଷାର ହିମର ଆୟୋଜନରେ ନିଜକୁ ଏକୀଭୂତ କରିଦେବାକୁ ଚାହିଁଚି । ଏ ବିସ୍ତାରଣ ଆଗରେ ଦେହଜ କାମନାର ଆବେଦନ ସତେ କେତେ ଗୌଣ ! ନାୟିକାର ଶ୍ୟାମତନୁ ଏପରି ଭାବ ପରିବର୍ତ୍ତକ ସୋପାନ ହେଲା ଯେ ଆବାହନ କରିଥିଲା ନିସର୍ଗର ଶ୍ୟାମଳିମାକୁ । ମନସ୍ତତ୍ତ୍ୱରେ ଏହା stimuli ଭାବରେ ପରିଚିତ । ଯେ ଗୋଟିଏ ଭାବବୃତ୍ତରୁ ଅନ୍ୟ ଏକ ଭାବବୃତ୍ତ ପାଖକୁ ନେଇଯାଇଥାଏ ମନକୁ ।

 

ଏଇ ଭାବପରିବର୍ତ୍ତକ ସୋପାନ ବା stimuliର ଅନ୍ୟତମ ସାର୍ଥକ ପ୍ରୟୋଗ ମିଳିଥାଏ-। ‘ଧରାଶାୟୀ’ ଗଳ୍ପରେ । ଜଣେ ସୁପ୍ତ ପାରାଲାଇଜ୍‍ଡ ରୋଗୀର କଷ୍ଟ ମଳିନ ମୁହଁ ଦେଖି ଗଳ୍ପନାୟକ ଅଜୟବାବୁଙ୍କର ମନେପଡ଼ିଯାଇଚି ଜନୈକ ‘ଅକ୍ଷୟଭାଇ’ଙ୍କ କଥା । ରୋଗୀର ସେ ମୁହଁ stimuli ସାଜି ଅଜୟବାବୁଙ୍କ ପାଖକୁ ହସପିଟାଲ, ରୋଗୀ, ଔଷଧ ଗନ୍ଧର ଜଗତରୁ ସମ୍ପୂର୍ଣ୍ଣ ଭିନ୍ନ ଏକ ଜଗତ – ସହଜ ସୁନ୍ଦର ସ୍ମୃତିର ଜଗତକୁ ନେଇଆସିଥିଲା । ଏ ଉଭୟ ଜଗତର ସଂଯୋଗ ସେତୁଟି ଏତିକି ଯେ, ଅକ୍ଷୟଭାଇ ବି ଯକ୍ଷ୍ମା ଜୀବାଣୁ ହାଡ଼ ଭିତରେଧାଣ କରି ଶଯ୍ୟାଶାୟୀ ମାତ୍ର ଶୋଇଥିଲା ବେଳେ ବି ତାଙ୍କ ମୁହଁ ଥାଏ ‘ହସହସ’ ।

 

ବାହାରର ଜଗତରୁ କେଡ଼େ ସୁନ୍ଦର କିଶୋରୀଚରଣ ନେଇଯାଇପାରନ୍ତି ଭିତରର ଜଗତ ପାଖକୁ ! ସେଇ ଜଗତ - ଯେ ଥାଏ ଅପରିଚିତ, ଅଭାବିତ । ବହିର୍ବାସ୍ତବତାରୁ ଅନ୍ତର୍ବାସ୍ତବତା ପାଖକୁ ନେଇଯାଇ କିଶୋରୀଚରଣ ଜଣାଇ ଦିଅନ୍ତି ଅଛି ଆଉ ଏକ ଜଗତ, ଅଛି ଆଉ ଏକ ବାସ୍ତବତା, ଅଛି ଆଉ ଏକ ସତ୍ୟ ! ସେ ନଥିଲେ ଜଗତ ସଂସାର ଅପୂର୍ଣ୍ଣ ।

 

କିଶୋରୀଚରଣ ସଚେତନ ଯେ ସେ ଦେଖାଇବାକୁ ଚେଷ୍ଟା କରୁଚନ୍ତି ଅଲଗା ଏକ ଜଗତକୁ । ସେ ଜଗତ, ପାଠକମାନଙ୍କ ସହଜ ଅବବୋଧରୁ ଦୂରରେ । ସେ ଜଗତର ଚିତ୍ର ଦେଖିବାକୁ ପାଠକ ଅନଭ୍ୟସ୍ତ । ଅତଏବ ସେଇ ନୂଆ ବିଷୟର ଉପସ୍ଥାପନ ଲାଗି, ସେଇ ନୂଆ ବକ୍ତବ୍ୟର ଅବବୋଧ ଲାଗି ଏକ ଅଲଗା ପ୍ରକାଶଭଙ୍ଗୀ ବି ଲୋଡ଼ା । ଏମିତି ହେବ ସେ ପ୍ରକାଶଭଙ୍ଗୀ ଯେଉଁଠି ପାଠକ ସୂତ୍ର ପାଉଥିବ ନୂଆ ଜଗତକୁ ବୁଝିବାକୁ । ପଢ଼ୁ ପଢ଼ୁ ଠଉରେଇ ପାରୁଥିବ ଚରିତ୍ରର ମାନସାଙ୍କ । ସେଇମିତି ଏକ ପ୍ରକାଶଭଙ୍ଗୀ କିଶୋରୀଚରଣ ସୃଷ୍ଟି କରିପାରିଚନ୍ତି-। ଏହା ଏତେ ଅନନ୍ୟ ଯେ । କିଶୋରୀଚରଣଙ୍କ ବ୍ୟତୀତ ଆଉ କୌଣସି ଓଡ଼ିଆ ଲେଖକ ତାକୁ ଅନୁସରଣ, ଅନୁସୃଜନ କରିନାହାନ୍ତି । ସେ ହେଇଯାଇଚି କିଶୋରୀଚରଣଙ୍କ ଏକାନ୍ତ ନିଜସ୍ୱ ।

 

ବକ୍ତବ୍ୟରେ ଖାଲି ନୁହଁ ବକ୍ତବ୍ୟର ସଫଳ ଉପସ୍ଥାପନ ସମ୍ପର୍କରେ ବି କିଶୋରୀଚରଣ ଥିଲେ ସଚେତନ । ତାଙ୍କର ଗଳ୍ପ ସମ୍ପର୍କୀୟ ବିଭିନ୍ନ ରଚନାରେ ଏଇ ସଚେତନତାର ଝଲକ ଦେଖିବାକୁ ମିଳେ ।

 

ଏମିତି ଭାବେ କଥାଟିକୁ କହିବା ଯେ ମନେହେବ, ଲେଖକ, ଖାସ୍ ତୁମକୁ ହିଁ କହୁଛନ୍ତି ଏଇ ଗୋପନୀୟ ଅନ୍ତରଙ୍ଗ କଥା, ତେଣୁ ତାକୁ କଦାପି ମିଛ ମଣିବାର ନୁହେଁ ଏବଂ ଚରିତ୍ରମାନଙ୍କର ବାର୍ତ୍ତାଳାପରେ ମଧ୍ୟ ଯେଝାଯେଝା ଶ୍ରେଣୀ ଓ ବିଦ୍ୟାବୁଦ୍ଧିକୁ ଖାପ ଖାଇଲା ପରି ଶବ୍ଦ ଓ ବାକ୍ୟ ଆବଶ୍ୟକ, ସେଥିରେ ବ୍ୟାକରଣର ଶୁଦ୍ଧତା ମୋ ତର୍କର ସଙ୍ଗତି ଥାଉ ବା ନଥାଉ ।୫

 

ସେଇ ଗୋପନୀୟ ଅନ୍ତରଙ୍ଗ କଥା କହିବା ବେଳେ କିଶୋରୀଚରଣ ହୁଏତ ତୃତୀୟ ପୁରୁଷ ଶୈଳୀରେ ଗଳ୍ପର ବର୍ଣ୍ଣନା କରିଚାଲିଥିବେ, ଅପ୍ରତ୍ୟାଶିତ ବିଶେଷ ପ୍ରସଙ୍ଗରେ ବିଶେଷ ଭାବନାକୁ ଫୁଟାଇବାକୁ ପ୍ରଥମ ପୁରୁଷ ଶୈଳୀକୁ କେଇ ମୁହୂର୍ତ୍ତ ପାଇଁ ଚାଲିଆସନ୍ତି, ପୁଣି ଫେରିଯାଆନ୍ତି ପୂର୍ବଶୈଳୀକୁ । ଏଇଯେଉଁ shifting of style ଏହା ତାଙ୍କ ଗଳ୍ପରେ ବିଶେଷ ଭାବେ ଅନୁଭୂତ ହୁଏ ଓ କିଶୋରୀଙ୍କ ବର୍ଣିତ ଘଟଣା ବା ଚରିତ୍ରକୁ ବୁଝିବାକୁ ଏ ପ୍ରକ୍ରିୟା ପାଠକଙ୍କୁ ସାହାଯ୍ୟ କରିଥାଏ ।

 

ମିଷ୍ଟର ନବୀନ ‘ଗଧମାନେ କ’ଣ କରନ୍ତି’ ଗଳ୍ପରେ ବୋଡ ଅଫ୍ ଡାଇରେକ୍ଟର୍‍ସ ମିଟିଂ ଆଟେଣ୍ଡ କରିବା ବେଳେ ଅନୁଭବ କରୁଚନ୍ତି :

 

ତାଙ୍କର ଧାରଣା ହେଲା ଯେ, ସେ ଜଣଜଣ କରି ଅନ୍ୟ ଡାଇରେକ୍ଟରମାନଙ୍କୁ ମଧ୍ୟ ଉଠାଇ ଦେଇପାରିବେ, ଲୋଚାକୋଚା କରି ଫିଙ୍ଗିଦେଇ ପାରିବେ । କିନ୍ତୁ ମୁଁ ହୁଣ୍ଡା ନୁହେଁ, ବୁଝିବିଚାରି କାମ କରିବାକୁ ହେବ । ଉକ୍ତିଟିକୁ ଲକ୍ଷ୍ୟ କଲେ ଜଣାଯିବ, ନବୀନଙ୍କ ଭାବନା ସମ୍ପର୍କରେ ଲେଖକ ତୃତୀୟପୁରୁଷ ଶୈଳୀରେ ବର୍ଣ୍ଣନା କରିବାବେଳେ ଅପ୍ରତ୍ୟାଶିତ ପରବର୍ତ୍ତୀ ବାକ୍ୟରେ ପ୍ରଥମ ପୁରୁଷରେ ନବୀନଙ୍କ ଭାବନା ସମାନ୍ତରାଳ ଭାବେ ଫୁଟିଉଠେ । ତୃତୀୟ ଓ ପ୍ରଥମ ପୁରୁଷ ଶୈଳୀର ଏ ଯୁଗଳବନ୍ଦୀ ଓଡ଼ିଆ ଗଳ୍ପରେ ଏକ ନୂଆ ପ୍ରୟୋଗ । ‘ପୁରସ୍କାର’ ଗଳ୍ପରୁ ଅନ୍ୟ ଏକ ଉଦାହରଣ ଦେଇ ଏ ପ୍ରସଙ୍ଗକୁ ଅଧିକ ବିସ୍ତାରିତ କରାଯାଇପାରିବ ।

 

ରୂପକମାନଙ୍କୁ ସଜାଡ଼ୁ ସଜାଡ଼ୁ ବନବାସୀବାବୁଙ୍କୁ ଛାଇନିଦ ଲାଗିଆସିଲା । ନିଦ ଜରିଛି କି ନାହିଁ ସେ ଏକ ବିକଟ ଶବ୍ଦର ସଂଘାତରେ ଚମକି ଉଠିପଡ଼ିଲେ । ଉପରୁ ଗୋଟାଏ ଟାଣୁଆ ମୁନିଆଁ ସୁଟ୍‍କେଶ୍ ଖସିପଡ଼ି ମୋ ପୁରସ୍କାରକୁ ଭାଙ୍ଗି ଛତୁ କରିଦେଇଛି ।

 

କବି ବନବାସୀବାବୁ ଟ୍ରେନ୍‌ରେ ବସି ବସି କବିତାର ରୂପକମାନଙ୍କୁ ସଜାଡ଼ିବା ପ୍ରସଙ୍ଗ ତୃତୀୟ ପୁରୁଷ ବର୍ଣ୍ଣନାଶୈଳୀରେ ରହିଥିବା ବେଳେ ହଠାତ୍ ପରବର୍ତ୍ତୀ ବାକ୍ୟରେ ପ୍ରଥମପୁରୁଷରେ ନିଜ କାଚବନ୍ଧେଇ ପୁରସ୍କାରର ଘୋଷଣାପତ୍ରଟି ଭାଙ୍ଗିଯିବାର ଆଶଙ୍କା ପ୍ରକଟିତ ହେଇଚି । ଏହି ମିଶ୍ର ଶୈଳୀର ଅନ୍ୟତମ ଭଲ ଉଦାହରଣ ‘ରସଗୋଲ୍ଲା’ ।

 

କିଶୋରୀଚରଣଙ୍କ କଥା ଉପସ୍ଥାପନର ଅନ୍ୟ ଏକ ଶୈଳୀ ହେଉଛି ବିଶେଷ ବିଶେଷ କ୍ଷେତ୍ରରେ ସେ ନିଜ ବକ୍ତବ୍ୟକୁ ବନ୍ଧନୀ ମଧ୍ୟରେ ଉପସ୍ଥାପିତ କରନ୍ତି । ଏହି ବନ୍ଧନୀସ୍ଥ ବାକ୍ୟର ପ୍ରୟୋଗ ବହୁଭାବେ ଘଟିଥାଏ । ତାହା ହିଁ କିଶୋରୀୟ ଚମତ୍କାରିତା । କେତେବେଳେ ନାଟକୀୟ ବାତାବରଣ ଏହା ସୃଷ୍ଟି କରେ, କେତେବେଳେ ଜଣର ଅନ୍ୟ ପ୍ରତି ଭାବନା ଜଣାପଡ଼େ, କେତେବେଳ ବକ୍ତବ୍ୟର ନିର୍ଦ୍ଦିଷ୍ଟୀକରଣ ଘଟେ, କେବେ ସ୍ଵତନ୍ତ୍ର ବ୍ୟାଖ୍ୟା ନିର୍ଦ୍ଧାରିତ ହୋଇଥାଏ କେତେବେଳେ ବା

 

୫.

ଶତାବ୍ଦୀର କଳାଦୃଷ୍ଟି : କ୍ଷୁଦ୍ରଗଳ୍ପ, ପୂର୍ବୋକ୍ତ, ପୃ ୧୫ ।

 

ଭାବର ବିସ୍ତାରଣ ଘଟେ । ବନ୍ଧନୀର ଏବଂବିଧ ବହୁରୂପୀ ପ୍ରୟୋଗ ମାଧ୍ୟମରେ କିଶୋରୀଚରଣ ନାନା ଭାବେ ମଣିଷର ବିଚିତ୍ରବର୍ଣା ମନକୁ ଓ ତାର କାର୍ଯ୍ୟଧାରାକୁ ଦେଖାଇବାର ସୁଯୋଗ ସୃଷ୍ଟି କରିଥାନ୍ତି ।

 

କୌତୂହଳର ବିଷୟ ଏ ଶୈଳୀ ତାଙ୍କ ପ୍ରଥମ ସଙ୍କଳନ ଭଙ୍ଗା ଖେଳନାର ପ୍ରଥମ ଗଳ୍ପ ଭଙ୍ଗାଖେଳନାରେ ବିଶେଷ ଭାବେ ପ୍ରକାଶିତ ହୋଇଥିଲା । ଷୋହଳ ପୃଷ୍ଠାର ଏ ଗଳ୍ପରେ ବାଇଶଟି ବ୍ରାକେଟର ପୟୋଗ ଘଟିଛି । ଅଥଚ ସେ ସଙ୍କଳନ ବା ତା ପରବର୍ତ୍ତୀ ଲକ୍ଷବିହଙ୍ଗ, ଘରବାହୁଡ଼ା, ମଣିହରା ଆଦିରେ ଏ ଧାରାର ପ୍ରୟୋଗ ପ୍ରାୟତଃ ଘଟି ନାହିଁ । ଠାକୁରଘର ସଙ୍କଳନରୁ ଏହି ଧାରାର ପୁନରାଗମନ ଘଟେ । ପରବର୍ତ୍ତୀ ସଙ୍କଳନମାନଙ୍କରେ ଏହି ଧାରା ତାର ବିଚିତ୍ର ବିଭୂତି ଯଥାଯଥ ଭାବେ ପ୍ରକାଶ କରିପାରିଛି ।

 

ଯେଉଁ ବିଶେଷ ବିଶେଷ ଉଦ୍ଦେଶ୍ୟରେ ଏହି ଶୈଳୀର ଉପଯୋଗ କିଶୋରୀଚରଣ କରିଛନ୍ତି ସେଗୁଡ଼ିକର କେତୋଟି ନମୁନା ପ୍ରଦତ୍ତ ହେଲା :

 

କ)

ନାଟକୀୟ ବାତାବରଣ :

‘ସେ ମିଛ କହୁଛି ବାପା, ସେ ମୋତେ ମାଇଲା । ରାଜୁକୁ ପଚାର ।”

(ରାଜୁ ମୁଣ୍ଡ ଟୁଙ୍ଗାରିଲା । ବୋଉ ଗୀତାର କାନ ଧରିଲେ ।) –ଳକ୍ଷବିହଙ୍ଗ ।

ସେଇଠୁ ସେ ମୋତେ ପାଖକୁ ଟାଣି ଆଣିବେ । ଛିଃ ମୋତେ ଲାଜ ମାଡ଼ିବ । (କଳାହାଣ୍ଡିଆ ମେଘରୁ ପାଣି ଝରିଲା ଏବଂ ଟ୍ରେନ୍ ଧୀରେ ଧୀରେ ଗୋଟିଏ ଜଙ୍କସନ୍ ଷ୍ଟେସନରେ ଆସି ଛିଡ଼ାହେଲା ।) –ଚଳନ୍ତାଗାଡ଼ି

ଖ)

ଜଣକ ସମ୍ପର୍କରେ ଅନ୍ୟର ଭାବନା :

ସବିତା ଦେବୀ x x କହିଲେ, “ଶୁଣୁଛ ?

ସସ୍ମିତ ଉତ୍ତର ମିଳିଲା- ‘‘ୟେସ୍” ? (ମୋର ସୁନ୍ଦରୀ ସ୍ତ୍ରୀ କିଛି କହିବ ବୋଲି ଆସିଛି । କଥାବସ୍ତୁ ଅସାର ହେଲେ ମଧ୍ୟ କିଛି ଯାଏଆସେ ନାହିଁ । ଶୋଇବା ପୂର୍ବରୁ ଏହି ଦୁଇଜଣିଆ ସ୍ୱାମୀସ୍ତ୍ରୀ ଟୁଆଁଟୁଇଁ ଭାବ ବେଶ୍ ଭଲ ଦେଖାଯାଏ ।) – ତିନୋଟି ଦୃଶ୍ୟ

ଆଜ୍ଞାନା । ମୋର ସ୍ମରଣଶକ୍ତି ପ୍ରଖର । x x

(ଲୋକଟା ପାଗଳ ନା କଅଣ ? ଚୋରଙ୍କ ମୁହଁଟାଣ । କ’ଣ ତା’ର ମନେଅଛି ? ମୋ କଥା ତାର କଣ ମନେ ଅଛି ? ମିଛ, ସମ୍ପୂର୍ଣ୍ଣ ମିଛ ।) – ଦୋଷୀ

ଗ)

ଭାବ ବିସ୍ତାରଣ :

ଆଉ ମିଷ୍ଟର ଦତ୍ତ ବି ସେଇ ପ୍ରଗଳ୍‌ଭା ଶ୍ୟାମଳୀ, କେଟି ସାଙ୍ଗରେ (ରବୀନ୍ଦ୍ରନାଥଙ୍କର ‘ଶେଷର କବିତା’ ଛଳରେ ସେ ତାକୁ ‘କେଟି’ ଡାକୁଥିଲେ । xxx

- ଆଇସ୍‌କ୍ରିମ୍

ଶୀତଳବାବୁ ଅର୍ଦ୍ଧସ୍ଫୁଟ ପ୍ରତିବାଦ (ମୁଁ ଆଗେଇ ଆସିଛି, ଆଗେ ମୂଲେଇଛି... ) x x

-ରାତି କୁକୁର

ଘ)

ସ୍ୱତନ୍ତ୍ର ବ୍ୟାଖ୍ୟା :

ସରଳ (ସୁନ୍ଦର) ମୌଳିକ (ମହାନ) ଉଦ୍ଦେଶ୍ୟ ଦ୍ଵାରା ପ୍ରେରିତ ଓ ଧାବିତ ହୁଅନ୍ତି ।

-ସଙ୍ଗୀତର ବାପା

ଖୋଲା ହସରେ ସବୁତକ ଧଳାଦାନୀ ଝଟକି ଉଠୁଛି । (ବିଜୟ ଉଲ୍ଲାସରେ ଗର୍ଜିଉଠୁଛି) ।

- ମିଶ୍ରବାବୁ

 

କିଶୋରୀଚରଣ କେବଳ ଜଣେ ସଚେତନ ଗାଳ୍ପିକ ନୁହନ୍ତି ‘ଗଳ୍ପ’ର ଜଣେ ସଚେତନ ପାଠକ ଓ ଅନୁଶୀଳକ । ଗଳ୍ପ ସମ୍ପର୍କୀୟ ତାଙ୍କର ଧାରଣା ବିଭିନ୍ନ ପ୍ରସଙ୍ଗରେ ସେ ଉତ୍‌ଥାପିତ କରିଛନ୍ତି । ନିଜଗଳ୍ପ ସମ୍ପର୍କରେ ମଧ୍ୟ ତାଙ୍କର ମନ୍ତବ୍ୟ ବିଭିନ୍ନ ସ୍ଥାନରେ ସେ ଉପସ୍ଥାପିତ କରିଛନ୍ତି । କଥାସାହିତ୍ୟର କଳା ଓ କାରିଗରୀ (୧୯୯୦), ଲେଖକର ଦୁଃଖ (୧୯୯୫), ମୋ ସମୟ ମୋ ସାହିତ୍ୟ (୨୦୦୦)ର ଅନେକତ୍ର ତାଙ୍କର ବୀକ୍ଷା ଦୃଷ୍ଟି ଅନୁଭବ୍ୟ । ଅଥଚ ସେଇ କିଶୋରୀଚରଣ ବେଳେବେଳେ ଗଳ୍ପକୁ ବିବରଣାତ୍ମକ କରିଦେଇ ତାର ଗତିଶୀଳତା ଓ ଲକ୍ଷ୍ୟରେ ଶିଥଳତା ଆଣିଥାଆନ୍ତି । ଯେଉଁ ଲେଖକ ବିଶ୍ୱାସ କରନ୍ତି,

 

କ୍ରମର କ୍ରମଶୀଳତାକୁ ଜଗିଥାଆ, ଯେମିତିକି ଖଣ୍ଡେଦୂର ନ ଯାଉଣୁ ପାଠକ ଆଶ୍ୱସ୍ତ ହେବା ଯେ ଗଳ୍ପ ବହଳ ହୋଇ ବସିଯାଇ ନାହିଁ, ଚକାଭଉଁରୀ ଖେଳୁ ନାହିଁ, ପ୍ରବାହିତ ହେଉଛି ।୬। (ଗଳ୍ପରେ) ସାବଲୀଳ ଭଙ୍ଗୀର ପ୍ରୟୋଗ ଏକାନ୍ତ ଆବଶ୍ୟକ ।୭

 

ସେ ନିଜ ଗଳ୍ପର ‘କ୍ରମଶୀଳତାରେ’ ବାଧା ଆଣିଲା ପରି ପ୍ରବନ୍ଧପ୍ରାୟ ବିବରଣୀ ଦେବା ବାଞ୍ଛନୀୟ କି ! ସେ କଣ ସଚେତନ ନଥିଲେ ୟା ଫଳରେ ତାଙ୍କର ‘ସାବଲୀଳ ଭଙ୍ଗୀ’ ବାଧାପ୍ରାପ୍ତ ହେବ ? ଏଇ ଭାବ-ପ୍ରତିକୂଳତାର ନମୁନା ‘ପୃଥିବୀର ସବୁଠାରୁ ସୁନ୍ଦର ନାତି’ । ଯେଉଁଠି କାନାଡ଼ାସ୍ଥ ନାତି ପାଇଁ ଗଦ୍‍ଗଦ୍ ଲେଖକ, ନାତିର ସୁଖସମୃଦ୍ଧିର ସମ୍ଭାବନାରେ ସୁଖୀ ଅଜା କାନାଡ଼ାର ସ୍କୁଲ ଶିକ୍ଷା ସମ୍ପର୍କରେ ଲେଖିଚନ୍ତି ତେଇଶଟି ବାକ୍ୟର ଏତ ଦୀର୍ଘ ଅନୁଚ୍ଛେଦ । ତାରି କେତୋଟି ବାକ୍ୟ :

 

ଯାହାହେଉ, ଏଇ ସହରର କର୍ପୋରେସନ୍ ୧୯୮୯ ମସିହା ପାଇଁ ମୋଟ ୪୯, ୭୦୫,୦୦୦ ଡଲାର ଖର୍ଚ୍ଚ କରିବ ବୋଲି ଜଣାଇ ଦେଇଛି ଏବଂ ସେଥିରୁ ଶତକଡ଼ା ୩୦ ଭାଗ ଅର୍ଥାତ୍ ୧୫, ୨୧୧,୭୦୦ ଡଲାର କେବଳ ଶିକ୍ଷା (କଲେଜ ଶିକ୍ଷା ଏଥବରେ ଅନ୍ତର୍ଭୁକ୍ତ ନୁହେଁ) ପାଇଁ ନିର୍ଦ୍ଦିଷ୍ଟ ।

 

‘ଗଲାଣିତ ଗଲାକଥା’ ଏହିପରି ଅନ୍ୟ ଏକ ଗଳ୍ପ । ଯେଉଁଠି ପଚିଶଟି ବାକ୍ୟର ଗୋଟିଏ ଅନୁଚ୍ଛେଦରେ ଆଇନଷ୍ଟାଇନ, ଓ୍ୱାର୍ଣର ହାଇସେନବର୍ଗ ଆଦିଙ୍କ ତତ୍ତ୍ଵର ତର୍କଣା ରହିଛି । ସେହି ଗଳ୍ପରେ ପୁଣି ଠାଏ ଗୋଟିଏ ଅନୁଚ୍ଛେଦ ସ୍ମୃତିମାନଙ୍କର ବିଭାଗୀକରଣକୁ ଭିତ୍ତି କରିଛି । ଏଗୁଡ଼ିକ ଗଳ୍ପର ସହଜ ଗତିଶୀଳତା, ତାର ପ୍ରବାହରେ ଅନାକାଂକ୍ଷିତ ବାଧା ଆଣିଛି । କିଶୋରୀଚରଣ କେଜାଣି କେଉଁ ଭାବପ୍ରବଣତା କି ବୌଦ୍ଧିକ ଆବେଗରୁ ଏପରି ବିବରଣାତ୍ମକ ବର୍ଣ୍ଣନା ଦେବାକୁ ଚାହିଁଲେ !

 

ତଥାପି ବି, ଓଡ଼ିଆ ଗଳ୍ପରେ ଏକକ ଭାବେ ବ୍ୟକ୍ତି ସ୍ୱତନ୍ତ୍ର୍ୟଧର୍ମୀ ଗଳ୍ପ ରଚନା କରି, ଅଜ୍ଞାତ ବା ସ୍ଵଳ୍ପଜ୍ଞାତର ରହସ୍ୟକୁ ଉନ୍ମୋଚିତ କରି କିଶୋରୀଚରଣ ନିଜର ଏକ ଅନନ୍ୟ ସାଧାରଣ ସ୍ଥାନ ସୃଷ୍ଟି କରିପାରିଛନ୍ତି ।

 

 

ଟିଚର୍ସ ହଷ୍ଟେଲ

ପୂର୍ବପଲ୍ଲୀ, ଶାନ୍ତିନିକେତନ-୭୩୧୨୩୫, ପଶ୍ଚିମବଙ୍ଗ

 

୬.

କଥାସାହିତ୍ୟର କଳା ଓ କାରିଗରୀ, ଭୁବନେଶ୍ୱର, ୧୯୯୦, ପୃ ୨୧-୨୨ ।

୭.

ଉତ୍କୃଷ୍ଟ ଗଳ୍ପର କଖଗ, ମୋ ସମୟ ମୋ ସାହିତ୍ୟ, ପୂର୍ବୋକ୍ତ, ପୃ ୩୬ ।

 

***

 

Unknown

ଗାଳ୍ପିକ କିଶୋରୀଚରଣଙ୍କ ଆତ୍ମଜୀବନୀ

ଗୌରହରି ଦାସ

 

ଅନ୍ୟ ଗାଳ୍ପିକମାନଙ୍କଠାରୁ କିଶୋରୀଚରଣ ତାଙ୍କ ଗଳ୍ପରେ ଯେମିତି ଭିନ୍ନ ଅନ୍ୟ ସାହିତ୍ୟିକଙ୍କ ଆତ୍ମଜୀବନୀ ବା ଜୀବନସ୍ମୃତିଠାରୁ କିଶୋରୀଚରଣଙ୍କ ଆତ୍ମଜୀବନୀ ‘ସମୟ ନାହିଁ’ ସେମିତି ଟିକିଏ ଭିନ୍ନ । କିଶୋରୀଚରଣ ଏଇଥିପାଇଁ ଅନ୍ୟମାନଙ୍କଠାରୁ ଅଲଗା ବାରିହୋଇପଡ଼ନ୍ତି ଯେ, ତାଙ୍କ ସାହିତ୍ୟରେ ସାମାଜିକ ଚେତନା ଅପେକ୍ଷା ବ୍ୟକ୍ତିଚେତନା ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇ ଦିଶିଥାଏ । ଆତ୍ମଜୀବନୀ ବା ଜୀବନ ସ୍ମୃତିରେ ଲେଖକଟି ଯେ କେନ୍ଦ୍ରରେ ରହିବ, ଅନ୍ୟାନ୍ୟ ସମସାମୟିକ ଘଟଣା ରହିବ ତାହାର ପୃଷ୍ଠଭୂମି ହୋଇ, ଏକଥା ସ୍ଵାଭାବିକ ଭାବରେ ଆଶା କରାଯାଏ । ମାତ୍ର ତା’ ସତ୍ତ୍ୱେ କିଶୋରୀଚରଣଙ୍କ ‘ସମୟ ନାହିଁ’ ତାଙ୍କର ଗଳ୍ପ ଚରିତ୍ରଙ୍କ ବୟାନ ପରି ଭିନ୍ନ, ଏଣୁ ଉଲ୍ଲେଖନୀୟ ।

 

ନିଜର ଆତ୍ମଜୀବନୀର ନାଁ ‘ସମୟ ନାହିଁ’ ଦେଇ ଯେତେବେଳେ କିଶୋରୀଚରଣ ପାଣ୍ଡୁଲିପିଟି ପ୍ରସ୍ତୁତ କରୁଥିଲେ ସେତେବେଳେ ସେ କଦାପି କଳ୍ପନା କରିନଥିବେ ଯେ, ଏହି ନାଆଁଟି ଏପରି ତାତ୍ପର୍ଯ୍ୟପୂର୍ଣ୍ଣ ହୋଇପଡ଼ିବ । କାରଣ ସେ ନିଜେ ଏ ବହିର ଉନ୍ମୋଚନ ତାରିଖ ମଧ୍ୟ ସ୍ଥିର କରିଥିଲେ, କଟକ ଫେରି ତାହାର ଆୟୋଜନ କରିଥାଆନ୍ତେ । ମାତ୍ର କିଶୋରୀଚରଣ ଚାଲିଗଲେ ୧୭ ଅଗଷ୍ଟ ୨୦୦୪ ସକାଳେ, ନୂଆଦିଲ୍ଲୀରେ । ବହିଟିର ପୂର୍ଣ୍ଣାଙ୍ଗ ରୂପ ଦେଖିବା ଲାଗି ବାସ୍ତବରେ ତାଙ୍କ ପାଖରେ ସମୟ ନଥିଲା । ନିଜ ଆତ୍ମଜୀବନର ନାମକରଣ ଏକ ଦାର୍ଶନିକ ସତ୍ୟରେ ପରିଣତ ହୋଇଗଲା ।

 

କିଶୋରୀଚରଣ ଦାସ ଭିନ୍ନ ରାସ୍ତାର ଲେଖକ । ମଣିଷ ମନର ଅତଳତଳ ଗହୀରରେ ଯାହା ଯାହା ରହିଛି ତାହାକୁ ସେ ସର୍ବସମକ୍ଷକୁ ନେଇଆସିବା ଲାଗି ସଙ୍କୋଚ କରନ୍ତି ନାହିଁ କଦାପି - ସେଥିରେ ପଙ୍କ, କାଦୁଅ ଥାଉ କି ଥାଉ ରତ୍ନପଥର । ତାଙ୍କ ବକ୍ତବ୍ୟର ଉପାଦାନ ପରି ଭଙ୍ଗୀଟି ମଧ୍ୟ ଅଲଗା । ଧ୍ରୂପଦ ଶୈଳୀର ଲେଖକ ସେ । ସେଠି ଗ୍ରାମ୍ୟ ଯୁବତୀଟିଏ ପାଦର ଅଳତା ଛଡ଼େଇବା ଲାଗି ସକାଳ ପହରୁ ମଧ୍ୟାହ୍ନ ଯାଏ ପୋଖରୀ ତୁଠରେ ବସିଛି । ଆଞ୍ଜୁଳା ପରେ ଆଞ୍ଜୁଳା ପାଣିରେ ପାଦ ଭିଜେଇ ଶାଢ଼ି ପଣତରେ ଧୀରେ ଧୀରେ ମାଜୁଛି ନିଜର ପାଦ । ଅଳତା ଦାଗ ଲିଭିଲେ ତ ସିଏ ଉଠିବ । ନହେଲେ ଉପାୟ କ’ଣ ? ଏବଂ ଯଦି ସେ ପୋଖରୀ ତୁଠରେ ବସିବ ରାନ୍ଧୁଣୀ ଗାଧୁଆ ବେଳୁ ଦ୍ୱିପହରଯାଏ ତାହାହେଲେ ସେଇ ପୋଖରୀ କୂଳର କେତେ ନା କେତେ ଦୃଶ୍ୟ ତ ତାକୁ ଅବଶ୍ୟ ଦିଶିଯିବ । ବିଲରୁ ଫେରୁଥିବା ହଳିଆ, ହାଟରୁ ଫେରୁଥିବା ହାଟୁଆ, ପଡ଼ିଶାଘର ବୋହୂର ବାସନମଜା ଓ ଗୁରୁଗୁରୁ ହେବା, ବୋହୂ ଗଲା ପରେ ପରେ ଶାଶୁର ଉଚ୍ଚକଣ୍ଠ ବୟାନ ।

 

ମୋଟାମୋଟି କିଶୋରୀଚରଣଙ୍କ ଗଳ୍ପରୂପକ ନାୟିକା ଅଳତା ଦାଗ ଲିଭେଇବା ଲାଗି ଆଜିକାଲି ହାଟ ବଜାରରେ ମିଳୁଥିବା ରାସାୟନିକ ଦ୍ରବ୍ୟର ଉପଯୋଗ କରନ୍ତି ନାହିଁ କି ତତ୍‍କ୍ଷଣାତ୍ ସେ କାମ ସାରିପକାନ୍ତି ନାହିଁ । ସେମାନେ ଗୋପୀନାଥ ମହାନ୍ତିଙ୍କ ପରି ସବୁ କାମ କରନ୍ତି ଆପଣା ଭଙ୍ଗୀରେ, ଆପଣା ଛନ୍ଦରେ । ଏବଂ ଏହି ଶୈଳୀ ସେ ଶିକ୍ଷା କରିଛନ୍ତି । ପ୍ରକୃତିରୁ- ବର୍ଷାରୁ, ପବନରୁ, ଶିଶିରବିନ୍ଦୁ ସକାଳ ସୂର୍ଯ୍ୟକିରଣ ଓ ରାତିର ଜ୍ୟୋତ୍ସ୍ନାସ୍ନାତ ଆକାଶରୁ ।

 

‘ସମୟ ନାହିଁ’ ଯାହା କିଶୋରୀଚରଣଙ୍କ ପରଲୋକ ପରେ ଡକ୍ଟର ବିଜୟାନନ୍ଦ ସିଂହଙ୍କ ସମ୍ପାଦନାରେ ପ୍ରକାଶ ପାଇଛି ତାହାର ତିନିଟି ଭାଗ । ପ୍ରଥମ ଭାଗଟି ହେଉଛି କିଶୋରୀଚରଣଙ୍କ ଆତ୍ମଜୀବନୀ (ପୃଷ୍ଠ-୧ ରୁ ୨୪୮), ଦ୍ୱିତୀୟଟି କିଶୋରୀଚରଣଙ୍କ ସାହିତ୍ୟ ସାଧନାର ବିସ୍ତୃତ ବିବରଣୀ ଓ ତୃତୀୟଟି ତାଙ୍କ ସାହିତ୍ୟ ସମ୍ପର୍କରେ ବିଶିଷ୍ଟ ସମାଲୋଚକ ଓ ଲେଖକମାନ ଲେଖିଥିବା ଓଡ଼ିଆ ଏବଂ ଇଂରାଜୀ ପ୍ରବନ୍ଧମାଳା (ପୃ-୩୫୭-୫୩୧) । କିଛି କିଛି ପୁନରୁକ୍ତି ଓ ପୁନରାବୃତ୍ତି ସତ୍ତ୍ୱେ ଏ ବହିଟି କିଶୋରୀଚରଣ ବ୍ୟକ୍ତି ଓ ତାଙ୍କ କୃତି ସମ୍ବନ୍ଧରେ ଅଧିକ ଜାଣିବା ଲାଗି ଆଗ୍ରହୀ ପାଠକପାଠିକା ଏବଂ ଗବେଷକମାନଙ୍କ ଲାଗି ଉପାଦେୟ ହୋଇପାରିଛି ।

 

କିଶୋରୀଚରଣ ତାଙ୍କର ଜୀବନକାଳ ମଧ୍ୟରେ ସାତଟି ଉପନ୍ୟାସ ଲେଖଇଥିଲେ । ସେଗୁଡ଼ିକ ହେଲା- ‘ସାତଟି ଦିନର ସତୀ’, ‘ନେତା ଓ ନେତ୍ରମଣି’, ‘ସକଳ ସନ୍ତାନ’, ‘ସ୍ୱର୍ଗସୀମା’, ବିଦେଶିନୀ’, ‘ତୁମ ଆମ ଶତାବ୍ଦୀ’ ଓ ‘ଶେଷଅଙ୍କ ପ୍ରଥମ ଦୃଶ୍ୟ’ ଏବଂ ଆମକୁ ମନେରଖିବାକୁ ହେବ ଯେ ଏହି ସାତଟି ଉପନ୍ୟାସ ୧୯୯୩ରୁ ୨୦୦୩ ଏହି ଦଶବର୍ଷ ଭିତରେ ଲିଖିତ । ଏତେ ବିଳମ୍ବରେ, ଜୀବନର ଅପରାହ୍ନରେ ସେ କାହିଁକି ଉପନ୍ୟାସ ଲେଖିବା ଲାଗି ମନ ବଳେଇଲେ ତାହାର କାରଣ ଅବଶ୍ୟ ଜାଣିବାର ଉପାୟ ବା ପ୍ରୟୋଜନ ନାହିଁ । ଏହା ପୂର୍ବରୁ କିନ୍ତୁ କିଶୋରୀଚରଣ ବିଖ୍ୟାତ ହୋଇସାରିଥିଲେ ଓ ତାହାର ହେତୁ ତାଙ୍କର କୋଡ଼ିଏଟି ଗଳ୍ପ ସଙ୍କଳନ – ‘ଲକ୍ଷ ବିହଙ୍ଗ', ‘ଘରବାହୁଡ଼ା’, ‘ମଣିହରା’, ‘ଠାକୁରଘର', 'ନାଲିଗୁଲୁଗୁଲୁ ସାଧବ ବୋହୂ’, ‘ଗମନ’, ‘ଖେଳର ନାଁ ରଙ୍ଗ', ‘ଭିନ୍ନ ପାଉଁଶ’, ‘ଶୀତ ଲହରୀ’, ‘ତ୍ରୟୋବିଂଶ ମୃତ୍ୟୁ’, ‘ଲେଉଟାଣି’, ‘ନିଜ ସଞ୍ଜ’, ‘ଧବଳ ଆକାଶ’, ‘ଥରୁଟିଏ’, ‘ତରଙ୍ଗ', ‘ଶେଷ ଗଳ୍ପ’, ‘ପରଦା ତଳେ’ ଏବଂ ‘ଅନ୍ୟାନ୍ୟ ଗଳ୍ପ’, ‘ଶାନ୍ତ ଅପରାହ୍ନ’ ଓ ‘ନିଆଁ’ ଯୋଗୁ ଏବଂ ଏହିପ୍ରକାର ବିଖ୍ୟାତିର ସୁଖ୍ୟାତି ପାଇବାର କାରଣ ହେଲା ତାଙ୍କର ଗଳ୍ପଗୁଡ଼ିକ ଅଭିଜ୍ଞତାରେ ଉଜ୍ଜ୍ୱଳ ଏବଂ ଗଭୀର ଓ ଶୈଳ୍ପିକ ଦୃଷ୍ଟିରୁ ସାର୍ଥକ । ତାଙ୍କର ଅଧିକାଂଶ ଗଳ୍ପ ଅଶାନ୍ତଧର୍ମୀ । ସେ ନିଜେ କହିଯାଇଛନ୍ତି, ସାଧାରଣତଃ “ପାଠକମାନେ ଅଶାନ୍ତଧର୍ମୀ ଗଳ୍ପ ଲୋଡ଼ନ୍ତି ନାହିଁ । ଜଣେଅଧେ ପାଠକ ଅଶାନ୍ତ ହୋଇ ମଝି ନଈରେ ଉବୁଟୁବୁ ହେବାକୁ ଭଲପାଆନ୍ତି । କିନ୍ତୁ ଅଧିକାଂଶ ଭାବନ୍ତି ଯେ, କୂଳକିନାରା ନ ଦିଶିଲେ, ନୂତନ ମୂଲ୍ୟବୋଧର ଶ୍ୟାମରୂପ ଆଖିରେ ନ ପଡ଼ିଲେ ଲେଖକ ଧନ୍ୟବାଦର ପାତ୍ର ନୁହେଁ ।” କିନ୍ତୁ କିଶୋରୀଚରଣଙ୍କ ଅଶାନ୍ତଧର୍ମୀ ଗଳ୍ପଗୁଡ଼ିକ ଯେମିତି ‘ଭଙ୍ଗାଖେଳଣା’, ‘ବିଧର୍ମୀ’, ‘ମଣିହରା’, ‘ପୁଅ କାନ୍ଦୁଛି' ଓ ‘ଶହେ ପୁଅ’ ପାଇଁ ହିଁ ସେ ବିଶେଷ ରୂପେ ସ୍ମରଣୀୟ ରହିବେ । ଏବଂ ପ୍ରସିଦ୍ଧ କବି ୱାର୍ଡ଼ସଓ୍ୱର୍ଥ କହି ନଥିଲେ କି ଆମ ଜୀବନର ବିଷାଦଗ୍ରସ୍ତ ଅନୁଭବମାନଙ୍କୁ ଧରିରଖି ପାରିଥିବା ସାହିତ୍ୟ ହିଁ ମଧୁରତମ ସଙ୍ଗୀତ ।

 

କିଶୋରୀଚରଣଙ୍କର ଗଳ୍ପର ମୁଖ୍ୟଚରିତ୍ର ମଧ୍ୟବିତ୍ତ ସମାଜର ଚରିତ୍ର । ସେ ଜାଣିଶୁଣି ସମାଜର ନିମ୍ନବର୍ଗର ଚରିତ୍ରଙ୍କ ସମ୍ବନ୍ଧରେ ବେଶି ଲେଖିନାହାନ୍ତି କାହିଁକି ନା ସେ ସଚେତନ ଯେ କାଳେ ସେମାନଙ୍କୁ ସେ ରୋମାଣ୍ଟିକ୍ ଅଥବା ଉଦାର ଦୃଷ୍ଟିରେ ଦେଖିବେ ଏବଂ ପରିଣତିରେ ସେଗୁଡ଼ିକ କିମ୍ଭୂତ କିମାକାର ହୋଇ ଦିଶିବେ । ଅବଶ୍ୟ ଏନେଇ ତାଙ୍କର ଅବଶୋଷ କିଛି ଜଣା ନଥିଲା । “ସ୍ୱଚ୍ଛଳ ଅଭିଜାତ କୁଳରେ ଜନ୍ମ ହୋଇ ଉତ୍ତମ ଛାତ୍ର ହୋଇଥିବାରୁ ଅନାୟାସରେ ଉତ୍ତମ ରାଜସେବାରେ ନିଯୁକ୍ତ ହୋଇ ମୁଁ ଜୀବନର ଅନେକ ତରଙ୍ଗରୁ ଦୂରେଇଯାଇଛି । ଅନେକ ଜୀବିକାର ଗଳିକନ୍ଦି ଦେଖିପାରି ନାହିଁ । ବିଶେଷତଃ ନିମ୍ନଶ୍ରେଣୀର ଲୋକମାନଙ୍କ ରଙ୍ଗରସ ସୁଖଦୁଃଖ ନିକଟରେ ପହଞ୍ଚିପାରି ନାହିଁ’’ ବୋଲି ସେ ନିଜେ କହିଛନ୍ତି ।

 

କିଶୋରୀଚରଣଙ୍କ ସମ୍ପର୍କରେ ଯେଉଁମାନଙ୍କର ସାକ୍ଷାତକାର, ପ୍ରବନ୍ଧ ଓ ସମାଲୋଚନା ଏହି ସଙ୍କଳନରେ ପ୍ରକାଶ ପାଇଛି ସେମାନେ ସମସ୍ତେ ପ୍ରତିଷ୍ଠିତ ଏବଂ ସେମାନେ କିଶୋରୀଚରଣଙ୍କୁ ତନ୍ନତନ୍ନ ଭାବେ ଆଲୋଚନା କରିଛନ୍ତି । ଡକ୍ଟର ବିଭୂତି ପଟ୍ଟନାୟକ, ଶ୍ରୀମତୀ ଅପର୍ଣ୍ଣା ମହାନ୍ତି, ଦାଶ ବେନହୁର ଓ ଡକ୍ଟର ବିଜୟ ଶତପଥୀଙ୍କ ସାକ୍ଷାତକାର ସହ ଡଃ ଦାଶରଥି ଦାସ, ଡକ୍ଟର ବୈଷ୍ଣବ ଚରଣ ସାମଲ, ଡଃ ନଟବର ଶତପଥୀ, ଡଃ ପ୍ରସନ୍ନ କୁମାର ମିଶ୍ର, ଡଃ ସତ୍ୟାନନ୍ଦ ସ୍ୱାଇଁ, ଡଃ ସଂଘମିତ୍ରା ମିଶ୍ର, ଡଃ ଇନ୍ଦୁ ମିଶ୍ର, ଡଃ ବାଉରୀବନ୍ଧୁ କର, ଶ୍ରୀ ଦେବବ୍ରତ ମଦନରାୟ ଓ ଶ୍ରୀ ନିରଞ୍ଜନ ବେହୁରିଆ ପ୍ରମୁଖ କିଶୋରୀଚରଣଙ୍କ ପ୍ରବନ୍ଧ, ଗଳ୍ପ ଓ ଉପନ୍ୟାସ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି ।

 

ତେବେ ଏହି ଗ୍ରନ୍ଥର ମୁଖ୍ୟ ଏବଂ ଉଲ୍ଲେଖନୀୟ ଭାଗ ହେଉଛି ଏହାର ପ୍ରଥମ ଭାଗ, ଯାହା କିଶୋରୀଚରଣଙ୍କ ଆତ୍ମଜୀବନୀ ‘ସମୟ ନାହିଁ’ ଏବଂ ‘ସମୟ ନାହିଁ’ର ମୁଖ୍ୟ ବିଭାବଟି ହେଉଛି ସମ୍ପର୍କ । କିଶୋର କିଶୋରୀ ଚରଣ, ଲେଖକ କିଶୋରୀ ଚରଣ ଓ ପ୍ରଶାସକ କିଶୋରୀ ଚରଣଙ୍କ ଭିତରେ ଅହରହ ଆଉଟୁପାଉଟୁ ଗୋଟେ ଆତ୍ମଭୋଳା ଆତ୍ମରତା, ଯାହା ନିଜ ସହ ଅବଶିଷ୍ଟ ପୃଥିବୀକୁ ଯୋଡ଼ିବାକୁ ଚାହେଁ, ଅନବରତ । ସେଇଥିପାଇଁ ଏ ବହିଟି କେବଳ ଗୋଟିଏ କାହାଣୀ ନୁହେଁ, ବରଂ ତିନିଟି ସମାନ୍ତରାଳ କାହାଣୀ : ବ୍ୟକ୍ତି କିଶୋରୀ ଚରଣଙ୍କ ସାମାଜିକ କାହାଣୀ, ପ୍ରଶାସକ କିଶୋରୀଚରଣଙ୍କ ବୃତ୍ତିର କାହାଣୀ ଓ ଲେଖକ କିଶୋରୀ ଚରଣଙ୍କ ଜୀବନାନୁଭୂତି । ଏହା ଭିତର ଦେଇ ସେ ସମୟର ସାମାଜିକ-ରାଜନୈତିକ ଓ ସାଂସ୍କୃତିକ ଚିତ୍ର ସହଜରେ ଦେଖିହୁଏ ।

 

କିଶୋରୀ ଚରଣ ଗୋଟିଏ ସମ୍ଭ୍ରାନ୍ତ ପରିବାରର ଉତ୍ତରଦାୟାଦ ଥିଲେ ଯେଉଁ ପରିବାରର ପ୍ରତିଷ୍ଠା ନିରାପଦ କୈଶୋର ସାଙ୍ଗକୁ ଆଉ ଗୋଟିଏ ମହତ ଗୁଣ ମଧ୍ୟ ଉପହାର ଦେଇଥିଲା । ତାହା ହେଲା ସଚ୍ଚୋଟ ପଣିଆ । ତାଙ୍କର ବଡ଼ବାପା ରାୟ ବାହାଦୁର ରାଧାଚରଣ ଦାସ ଡାକବଙ୍ଗଳା ବଗିଚାର କାଗଜିଲେମ୍ବୁର ପଇସା ଭରଣ କରିବା କଥା ଆଜି ପ୍ରକୃତରେ ପରୀ କାହାଣୀ ପରି ମନେହୁଏ । କଳ୍ପନାବିଳାସିତା କୁହନ୍ତୁ କି ଅଭୁତ ପର୍ଯ୍ୟବେକ୍ଷଣ ଶକ୍ତି ତାହା କିଶୋରୀ ଚରଣ ସାଙ୍ଗରେ ଧରି ଆସିଥିଲେ । ତାଙ୍କ ଶୈଶବର ‘ବର୍ଷାଋତୁ’ ରଚନା ଏବଂ ସାହିତ୍ୟ ଶିକ୍ଷକଙ୍କ ତିରସ୍କାର ପ୍ରସଙ୍ଗ ଏ କଥାଟି ବୁଝେଇଦିଏ । ପ୍ରଥମେ କେମିତି ମେଘ ଘନେଇ ଆସେ, ତା'ପରେ ବିଜୁଳି ଏବଂ ଘାସ ଉପରେ ପଡ଼େ ଟପ୍‌ଟାପ୍ ବରକୋଳିଆ ଟୋପା ଇତ୍ୟାଦି । ଖାତାର କାଗଜ ସରିଯାଏ, କିନ୍ତୁ କଳ୍ପନାର ବୟାନ ସରେ ନାହିଁ । ଏଇଠୁ ଯେ ଆରମ୍ଭ ହୁଏ କିଶୋରୀ ଚରଣଙ୍କ ଦୁଇଟି ଯାତ୍ରା— ଗୋଟିଏ ସମସ୍ତେ ଯେମିତି ଦେଖୁଛନ୍ତି ମୁଁ ସେମିତି ଦେଖିବି ନାହିଁ ଏବଂ ଦ୍ୱିତୀୟ ମୁଁ ଗୁଳାପକା ରାସ୍ତାକୁ ମାନିନେବି ନାହିଁ । କେବେହେଲେ, ତାହା ଶେଷ ପର୍ଯ୍ୟନ୍ତ ଜାରି ରହିଥିଲା ।

 

କିଶୋରୀ ଚରଣ ଜନ୍ମ ହୋଇଥିଲେ ପରାଧୀନ ଭାରତରେ, ଚାକିରି କଲେ ସ୍ୱାଧୀନ ଭାରତରେ । ଦୁଇଟି ଶତାବ୍ଦୀକୁ ଅଙ୍ଗେ ନିଭେଇଥିଲେ । ଏହି ସୁଦୀର୍ଘ ଏବଂ ଘଟଣା ବହୁଳ ସମୟଖଣ୍ଡର ସୁନ୍ଦର ଚିତ୍ର ଅଛି ଏ ବହିରେ । କିଭଳି ୧୯୩୭ ମସିହାରେ ଓଡ଼ିଶା ବିଧାନସଭା ପାଇଁ କେନ୍ଦ୍ରାପଡ଼ା ଆସନର ପ୍ରାର୍ଥୀ ଯଦୁମଣି ମଙ୍ଗରାଜ ଓ ରାୟବାହାଦୁର ଲକ୍ଷ୍ମୀଧର ମହାନ୍ତିଙ୍କ ଲଢ଼େଇ । ଖିରିପୁରିରେ ଭସେଇ ଦେଇଥିବା ଲକ୍ଷ୍ମୀଧର କିନ୍ତୁ ଶେଷକୁ ହାରିଥିଲେ । ଯଦୁମଣି ଜିତିଥିଲେ । ଖାଲି ଯଦୁମଣି ନୁହେଁ ତ, ସବୁ ସ୍ୱାଧୀନଚେତା ମଣିଷ ଏପରିକି ଛାତ୍ର କିଶୋରୀ ଚରଣ-। ସେମିତି ୧୯୪୨ ଭାରତଛାଡ଼ ଆନ୍ଦୋଳନର କଥା । କିଶୋରୀ ଚରଣ ସେତେବେଳକୁ କେନ୍ଦ୍ରାପଡ଼ାରୁ କଟକ ରେଭେନ୍‌ସା କଲେଜ ଦେଇ ପହଞ୍ଚିଲେଣି ପାଟଣାରେ । ଗୋଟିଏ ପଣେ ରାଜନୈତିକ ସ୍ୱାଧୀନତା ପାଇଁ ଭାରତର ଲଢ଼େଇ, ଗୋଟିଏ ପଟେ ନିଜ ପରିଚୟ ନିର୍ମାଣ ପାଇଁ କିଶୋରୀ ଚରଣଙ୍କ ସାଧନା ଯଦିଓ ତା ଆଗରୁ ପ୍ରକାଶ ପାଇଥିଲା ତାଙ୍କର ପ୍ରଥମ ଗଳ୍ପ “ପରଦା ତଳେ” । ଏଇଠି ହିଁ ସାହିତ୍ୟିକ ଜୀବନର ଦୃଢ଼ ମୂଳଦୁଆ ପଡ଼ିଲା । କବି ଗୁରୁପ୍ରସାଦ ମହାନ୍ତି, ବନ୍ଧୁ ବିଧୁଭୂଷଣ ଦାସ ଓ ପ୍ରଫୁଲ୍ଲ ପତି ।

 

୧୯୪୭ରେ ଭାରତ ସ୍ୱାଧୀନ ହେଲା, ୧୯୪୭ ରେ କିଶୋରୀ ଚରଣ ବିବାହ କଲେ ଏବଂ ପ୍ରବେଶ କଲେ ପ୍ରୋବେସନାରୀ ଡେପୁଟି ମାଜିଷ୍ଟ୍ରେଟ୍ ଚାକିରିରେ । ପରବର୍ତ୍ତୀ ଜୀବନରେ ଯେଉଁ ଦୁଇ ବ୍ୟକ୍ତିଙ୍କର ଯଥେଷ୍ଟ ପ୍ରଭାବ ରହିଲା ସେ ଦି’ ଜଣ ହେଲେ ତାଙ୍କର ଶ୍ଵଶୁର ବିଖ୍ୟାତ ପାର୍ଲାମେଣ୍ଟାରିଆନ୍ ମିଷ୍ଟର ଭୁବନାନନ୍ଦ ଦାସ ଏବଂ ପତ୍ନୀ କୁମାରୀ ଦାସ । ସେମାନେ ଆସିଲେ । ଲେଖକଙ୍କ ଜୀବନକୁ । ଏମାନଙ୍କ ସହ କିଶୋରୀ ଚରଣଙ୍କ ସମ୍ପର୍କ ବିସ୍ତୃତ ଭାବରେ ଆଲୋଚିତ ହୋଇଛି ‘ସମୟ ନାହିଁ’ରେ ।

 

ସରକାରୀ ଚାକିରିକୁ ନେଇ ତାଙ୍କ ମୋହଭଙ୍ଗ ଘଟିଛି । ଗୋଟେ ଗାଁକୁ ଯାଇଛନ୍ତି, ଦୁଃଖ ଶୁଣିଛନ୍ତି, ଥୁରୁଥୁରିଆ ବୁଢ଼ା କହିଛି, “ଆସିବ ବାବୁ, ବେଶି ଡେରି କରିବ ନାହିଁ । ଏ ଗାଁ ଦୁଃଖ ତୁମକୁ ଲାଗିଲା ।” ଅଭୟ ପ୍ରତିଶ୍ରୁତି ଦେଇ ଫେରିଛନ୍ତି ଯୁବ ଅଫିସର । ଅଥଚ ଦପ୍ତରରେ ପହଞ୍ଚିବା ପରେ ତାଙ୍କୁ ଉପରିସ୍ଥ ଅଫିସର ପ୍ରାକ୍ଟିକାଲ ପରାମର୍ଶ ଦେଇଛନ୍ତି । “ଶୁଣ ୟଙ୍ଗମ୍ୟାନ୍ । ଯେତିକି କରିବା ଦରକାର, ତୁମକୁ ଦିଆହୋଇଥିବା କାମ ଅନୁଯାୟୀ, କେବଳ ସେତକ କରିବାକୁ ଶିଖ । ଅଯଥାରେ ଗହୀରକୁ ଯାଇ ବିପଦକୁ ଡାକିଆଣ ନାହିଁ ।”

 

ରାଜନୈତିକ ଏବଂ ପ୍ରଶାସନିକ ସ୍ତରର ମୋହଭଙ୍ଗ ପରେ ଜୀବନ ଶିଖେଇଛି ସେଇ ଅନିବାର୍ଯ୍ୟ ପାଠ - ମୋହ ମୁଦ୍‍ଗର । ଯେତେବେଳେ ଆଦରର ପୁଅଟି ଅକାଳରେ ବାହୁଡ଼ି ଯାଇଛି ୧୯୫୦ ଅପ୍ରେଲ ୯ରେ । ଏ ଦୁଃଖ ଅମର ହୋଇଛି ଗଳ୍ପ ‘ମଣିହରା’ରେ । ମାତ୍ର ତା’ ଆଗରୁ ସଂସ୍କୃତର ଛାତ୍ରଙ୍କ ମନ ଆଗରେ ଯକ୍ଷର ପ୍ରଶ୍ନ ଉତ୍ତୋଳିତ ହୋଇଛି- ସବୁଠୁ ଆଶ୍ଚର୍ଯ୍ୟ କ’ଣ ? : ଅହ୍ୟନହନି ଭୂତାନି ଗଳ୍ପନ୍ତି ଯମସ୍ୟାଳୟଂ । ଅପରେ ସ୍ଥାତୁମିଚ୍ଛନ୍ତି, କିମାଶ୍ଚର୍ଯ୍ୟମ୍ ଅତଃପରମ୍-୧୫୯

 

ଚାକିରି ଜୀବନର ବିସ୍ତୃତ ଅନୁଭୂତି କିଶୋରୀ ଚରଣ ସୁନ୍ଦର ଭାବରେ ଲେଖିଛନ୍ତି । ମାନ୍ଦ୍ରାଜରୁ ପାଟନା, କଲିକତା, ଦିଲ୍ଲୀ, ଜୟପୁର, ଭିଏତ୍‌ନାମର ରାଜଧାନୀ ସାଏଗନ୍, ଆମେରିକା, ଆଫ୍ରିକା, ଅଷ୍ଟ୍ରେଲିଆ- ସୁଦୀର୍ଘ ଭୂଗୋଳ ହୋଇଛି ତାଙ୍କ ପ୍ରଶାସକ ଓ ସାହିତ୍ୟିକ ଜୀବନର ଚାରଣଭୂମି । ସେ ଯେତେବେଳେ ଆମେରିକା ଯାଇଥିଲେ, ସେତେବେଳେ ପୁଣି ଯାଇଥିଲେ ଜଳ ଜାହାଜରେ - ଯାତ୍ରାର ଅବଧି ମାସେ କାଳ ହୋଇଥିବ । ପରିବାର ସହ ସେହି ଜଳଯାତ୍ରାର ଅନୁଭୂତି ରହିଛି ଏହି ବହିରେ । ତା’ଛଡ଼ା କାନାଡ଼ା, ମେକ୍ସିକୋ, ଚିଲି, ବ୍ରାଜିଲ ଭ୍ରମଣ ଅନୁଭୂତି ଲେଖିବା ସମୟରେ ଲେଖକ ତାଙ୍କ ନିଜର ପ୍ରତିକ୍ରିୟା ବି ଲେଖିଛନ୍ତି ।

 

ସମ୍ପର୍କ ଓ ସାନ୍ନିଧ୍ୟକୁ ଗଭୀର ଭାବେ ଭଲପାଉଥିବା କିଶୋରୀ ଚରଣ ଦାସଙ୍କ ଜୀବନସ୍ମୃତିର ଶେଷ କିଛି ପୃଷ୍ଠା, ବିଶେଷତଃ ନିଜ ଝିଅ ବିଶ୍ୱଜିତାର ଆକସ୍ମିକ ମୃତ୍ୟୁକୁ ନେଇ ଅତ୍ୟନ୍ତ କରୁଣ ହୋଇଉଠିଛି । ଏହା ଏତେ କରୁଣ ଯେ ପାଠକର ଆଖି ଆପେ ଓଦା ହୋଇଯାଏ । ବିଶ୍ୱଜିତା ‘ଟାର୍ଗେଟ’ କିଶୋର ପତ୍ରିକାର ସମ୍ପାଦିକା ଥିଲେ- ଯିଏ ଖୁବ୍ ଭଲଶିଶୁ ସାହିତ୍ୟିକା ଥିଲେ । ଯାହାର ଲେଖାରେ ହାତୀ ଭାଇର କାନ କାହିଁକି କୁଲା ପରି ହେଲା, ଫୁଲେଇ ଠେକୁଆ ଝିଅର ପାଉଡ଼ର ପପ୍‍କୁ କେମିତି ତା’ ଲାଞ୍ଜରେ ଖଞ୍ଜି ଦିଆଗଲା, ଟାଉନ୍‍ବସ୍ କେମିତି ସବୁଦିନେ ଦୌଡ଼ି ଦୌଡ଼ି ଅବଶେଷରେ ପଳେଇଲା କୁଆଡ଼େ ରୂପ ନେଇଥିଲା । ବିଶ୍ୱଜିତାର ଏହିସବୁ କଥା ଲେଖିଲା ବେଳେ, କନ୍ୟାହରା ଲେଖକ ପିତାଟିଏ କିଭଳି ଯନ୍ତ୍ରଣା ଭୋଗୁଥିବେ ମର୍ମେ ମର୍ମେ ତାହାକୁ ପ୍ରକାଶ କରିବାର ଶକ୍ତି ନାହିଁ ମୋର ଏବଂ ସେଇ ମାଆର ଦୁଃଖ, କିଛିବର୍ଷ ତଳେ ଯେଉଁ ଝିଅକୁ କନିଆଁ ବେଶରେ ସଜେଇ ବାହା ଦେଇଥିଲେ, ତାକୁ ଅହ୍ୟ ସୁଲକ୍ଷଣୀ ବେଶରେ ମଶାଣିକୁ ପଠାଇବା ବେଳେ ।

 

ଏଭଳି ମାନସିକତାରେ ସନ୍ତୁଳି ହେଲାବେଳେ ବନ୍ଧୁ ଓ କବି ରମାକାନ୍ତ ରଥଙ୍କ ପଦୁଟିଏ କଥା ତାଙ୍କୁ ଗଭୀର ସାନ୍ୱନା ଦେଇଛି । ରମାକାନ୍ତ କହିଛନ୍ତି, “ବୁଝୁନାହାନ୍ତି କିଶୋରୀବାବୁ, କେବଳ ଆମକୁ ହିଁ ଏଭଳି ଶାସ୍ତି ଭୋଗିବାକୁ ହୁଏ ।’’ ଉହ୍ୟ ରହିଗଲା ଯେ ବିଧାତା ସହିପାରେ ନାହିଁ ଲେଖକର ସୃଷ୍ଟି କରିବାର ଆସ୍ପର୍ଦ୍ଧାକୁ ।

 

ଅଥଚ ଲେଖକ ପାଖରେ ସେଇ ଆସ୍ପର୍ଦ୍ଧା ଟିକକ ଭିନ୍ନ ଆଉ କ’ଣ ବା ଥାଏ ! ବେକେଟ୍ କହିଲା ପରି Words are all we have ଏବଂ ସେହି ଶବ୍ଦ ହିଁ ହୁଏ ଲେଖକର ପରମ ସାନ୍ତ୍ୱନା ।

 

କିଶୋରୀଚରଣ ଜୀବନର ଧ୍ରୂପଦ ଭାଷ୍ୟକାର । ଗୋପୀନାଥ ମହାନ୍ତିଙ୍କ ପରି । ସେଥିପାଇଁ ଗୋପୀନାଥ ତାଙ୍କର ପ୍ରିୟ । ଯାହାଙ୍କଠାରୁ ସେ ଶିଖିଛନ୍ତି କାଦୁଅର ବି ରଙ୍ଗ ଅଛି, ଘାସର ଅଛି ବାସ୍ନା । ସୁଖ ହେଉ କି ଦୁଃଖ ହେଉ ସବୁକିଛି ସେ ସେହିଭଳି ଢଙ୍ଗରେ ରୂପ ଦେଇଛନ୍ତି-। କେବେ ରାତାରାତି ଲୋକପ୍ରିୟତା କି ଗଣଆବେଦନକୁ ଗୁରୁତ୍ୱ ଦେଇନାହାନ୍ତି । ଜୀବନର ସାଧାରଣ ଅନୁଭବକୁ ସେ ଦେଖିଛନ୍ତି ଅସାଧାରଣ ଦୃଷ୍ଟିରେ । ସେଥିପାଇଁ ସେ ନିଜେ ଲେଖିଯାଇଛନ୍ତି, ‘‘ମୁଁ ଏକାଧାରରେ ସାଧାରଣ ପୁଣି ଅଦ୍ଵିତୀୟା । ସାଧାରଣ ଏହି ହିସାବରେ ଯେ, ହାରାହାରି ମଣିଷର ଯେତେକ ଦୋଷ ଦୁର୍ବଳତା ଅକ୍ଷମତା, ସବୁ ଅଳ୍ପ ବହୁତ ଅଛି ମୋ’ଠାରେ । + + କିନ୍ତୁ ମୁଁ ଅଦ୍ୱିତୀୟ, କାରଣ ପ୍ରତ୍ୟେକ ସଚେତନ ମଣିଷ ଅଦ୍ୱିତୀୟ ହେବାକୁ ବାଧ୍ୟ । ମୋର ସଚେତନତା ଯେଉଁ ଛାଇ ଆଲୁଅରେ ଚିତ୍ରିତ ଏବଂ ଠିକ୍ ଯେତିକି ଡିଗ୍ରୀର କୋଣରେ ଅଣେଇ ହୋଇଯାଇଛି ଜୀବନ ଆଡ଼କୁ, ତାହା ନିଶ୍ଚୟ ଆଉ କାହାରି ହୋଇ ନଥିବ ।” ସେଇଥିପାଇଁ କିଶୋରୀ ଚରଣ ଆମ ଗହଣରୁ ବିଦାୟ ନେଇଥିଲେ ବି ସାହିତ୍ୟ ଆକାଶରୁ ବିସ୍ମୃତ ହେବେ ନାହିଁ କଦାପି ଏବଂ ଦିନୁଦିନ ଅଧିକରୁ ଅଧିକ ଉଜ୍ଜ୍ୱଳି ଉଠୁଥିବେ ।

 

 

‘ଅନୁଭବ’

୩୭୮ ବରମୁଣ୍ଡା, ଭୁବନେଶ୍ୱର-୭୫୧୦୦୩

 

***

 

କିଶୋରୀଚରଣଙ୍କ କ୍ଷୁଦ୍ରଗଳ୍ପ : ଶିଳ୍ପବିଧି

ଡକ୍ଟର ବିଜୟ କୁମାର ଚୌଧୁରୀ

 

କଥାଶିଳ୍ପୀ କିଶୋରୀଚରଣ ଦାସ (୧୯୨୪-୨୦୦୪) ଓଡ଼ିଆ କ୍ଷୁଦ୍ରଗଳ୍ପ ଜଗତରେ ଉତ୍ତର-ପଚାଶ କାଳର ଏକ ଶକ୍ତିଶାଳୀ ପ୍ରତିଭା । ଅନେକ ଶିଳ୍ପୀଙ୍କ ପରି କିଶୋରୀଚରଣ ତାଙ୍କ ସାହିତ୍ୟିକ ଜୀବନର ପ୍ରାକ୍ କାଳରେ ‘କବିତା’ ରଚନାରେ ହାତ ଦେଇଥିଲେ ସୁଦ୍ଧା ପରବର୍ତ୍ତୀ କାଳରେ ‘ଗଳ୍ପ’ ରଚନାରେ ନିଜକୁ ଅଧିକ ସଂଶ୍ଳିଷ୍ଟ କରାଇଛନ୍ତି । କିଶୋରୀଚରଣଙ୍କ କାବ୍ୟିକ-ଜୀବନରୁ ଗାଳ୍ପିକ ଜୀବନକୁ ଏଇ ଲମ୍ଫ ପ୍ରଦାନ ହିଁ ତାଙ୍କୁ ପରବର୍ତ୍ତୀ କାଳରେ ମୁଖ୍ୟତଃ ଜଣେ ଅନ୍ୟତମ ଶ୍ରେଷ୍ଠ ସଫଳ ଗାଳ୍ପିକ ଭାବରେ ପରିଚିତ କରାଇବା ସହିତ ତାଙ୍କ ସୃଷ୍ଟି ପ୍ରଧାନତଃ ଗଳ୍ପମୁଖର ହୋଇଉଠିଛି । ସେଇ କଲେଜ ଜୀବନରୁ ସେ ଆମ ସାହିତ୍ୟକୁ ଦୀର୍ଘବର୍ଷ ଧରି ଗପ କହିଚାଲିଲେ– ବିଭିନ୍ନ ସମୟରେ, ଭିନ୍ନ ଭିନ୍ନ ଅନୁଭୂତି ଓ ପରିବେଶକୁ ଆଧାର କରି, ଆତ୍ମବିସ୍ମୃତିର ନୁହେଁ - ଆତ୍ମସଚେତନତାର ।

 

କିଶୋରୀଚରଣଙ୍କ ଗାଳ୍ପିକ ଜୀବନର ଆଦ୍ୟକାଳରେ ରଚିତ ‘ଭଙ୍ଗାଖେଳଣା’ (୧୯୬୦) ସେଦିନ ଅଗଣିତ ପାଠକ ମନରେ ଯେଉଁ ନୂତନ ପ୍ରତ୍ୟୟ ଓ ସମ୍ଭାବନା ସୃଷ୍ଟି କରିଥିଲା,ସେଇ ଭାବନା ଓ ଦୃଷ୍ଟିଭଙ୍ଗୀ ତାଙ୍କ ରଚିତ ପ୍ରାୟ ଦୁଇଶତାଧିକ ଗଳ୍ପରେ ଅଧିକ ବ୍ୟାପକ ଓ ପରିପୃକ୍ତ । ଆଧୁନିକ ଶିକ୍ଷିତ ମଧ୍ୟବିତ୍ତ ଶ୍ରେଣୀ ସମ୍ପ୍ରଦାୟର ସାମାଜିକ ଜୀବନ, ସ୍ନେହ ପ୍ରେମ ରହିତ ଉପର ଠାଉରିଆ ପାରିବାରିକ ଜୀବନ, ମାନସିକ, ଯନ୍ତ୍ରଣା, ଅସହାୟତା ଯେତେସବୁ ଛଳନା ଓ ଆତ୍ମପ୍ରତାରଣା ଆଦିର ଚିତ୍ର ଓ ଚରିତ୍ର ଆମ ଆଖି ଆଗରେ ଉଭା ହୁଏ - ଏ ଗଛଗୁଡ଼ିକ ସେସବୁକୁ ତୋଳିଧରିବାରେ ଏକାନ୍ତ ସକ୍ଷମ ।

 

କିଶୋରୀ ଗଳ୍ପଜଗତ କେବଳ ଜଡ଼ବାଦୀ ସଭ୍ୟତାର ଅସାରତାର ଜଗତ ନୁହେଁ, ଆଧ୍ୟାତ୍ମିକଆଲୋକର କ୍ଷୀଣ ଧାରାଟିଏ ମଧ୍ୟ ସେଠି ପ୍ରବାହିତ । ନିରାଶା ଓ ଅସହାୟତାକୁ ସେ ବିଭିନ୍ନ ବାଗରେ ଓ ବିଭିନ୍ନ ବାଟରେ ଭେଟିଛନ୍ତି । ଭେଟିଛନ୍ତି ବୋଲି ତ ସିଏ ଆଶା ଓ ଆଶ୍ୱାସନାର ଗପ କହିଛନ୍ତି । ହୁଏତ କେଉଁଠି କେମିତି କିଛିଟା ଅବୋଧ ରହିଯାଇଛି ସତ, କିନ୍ତୁ ସବୁଠି ସେଇ ବିଚିତ୍ର ମଣିଷମାନଙ୍କର କୋଳାହଳ । ସବୁଠାରେ ସେ ଖୋଜିଛନ୍ତି ସେଇ ଚିରନ୍ତନ ମଣିଷଟିକୁ ଓ ପ୍ରକୃତ ମଣିଷପଣିଆକୁ । ସେ କେବଳ ‘ଲକ୍ଷ ବିହଙ୍ଗ’ର ମଣିଷ ନୁହେଁ ‘ଘରବାହୁଡ଼ା’ର ମଣିଷ । ମଣିହରା’ କିମ୍ବା ‘ବିଧର୍ମୀ’ର ମଣିଷ ନୁହେଁ – ଠାକୁରଘର’ର ମଣିଷ । ସେଇ ବ୍ୟକ୍ତି ମଣିଷଟି କେଉଁଠି ଅଟକି ଯାଇନି- ‘ଗମନ’ ତା’ର ଚିର ଲକ୍ଷ୍ୟ । ଜୀବନର ଚଲାପଥରେ ଆସୁ ଯେତେ ଝଡ଼ଝଞ୍ଜାର ‘ଶୀତଲହରୀ’ । ସେ ସବୁକୁ ତାର ଖାତିର ନାହିଁ । ଏପରିକି ‘ତ୍ରୟୋବିଂଶ ମୃତ୍ୟୁ’କୁ ମଧ୍ୟ ସେ ସ୍ୱାଗତ କରେ ଓ ଅପେକ୍ଷା ରଖେ । ‘ମୃତ୍ୟୁର ପାଉଁଶ’କୁ ସେ ସାଧାରଣ ଦୃଷ୍ଟିରେ ନ ତଉଲି ଭିନ୍ନ ଦୃଷ୍ଟିରେ ଦେଖେ । ମଣିଷର ସକଳ କର୍ମ ସଂଘାତ, ଦ୍ୱନ୍ଦ୍ୱ ଓ ସଂଘର୍ଷପୂର୍ଣ୍ଣ ହୋଇଥିଲେ ହେଁ କିଶୋରୀଚରଣ ଗଳ୍ପମାନସ ଏହାକୁ ଖେଳୁଆଡ଼ ଭାବରେ ରଙ୍ଗ ଦେବାକୁ ଆଗ୍ରହ ପ୍ରକଟ କରିଛି । ପୁଣି ଏଇ ସଂଘାତ ମଣ୍ଡିତ ବ୍ୟସ୍ତ ବିଧୃତ ମଣିଷ ‘ନାଲି ଗୁଲୁଗୁଲୁ ସାଧବ ବୋହୂ’ର ସ୍ନେହ ସୋହାଗ ଟିକିଏ ପାଇବା ପାଇଁ ତା’ର ‘ଲେଉଟାଣି’କୁ ତକେଇଥାଏ । ସମୟ କାହାକୁ ଅପେକ୍ଷା କରେ ନାହିଁ । ଫଳରେ ସବୁ ଆଶା ଭରସାର ତାଜ୍‌ମହଲଟି ‘ଭଙ୍ଗା ଖେଳଣା’ ପ୍ରାୟ ତଳେ ପଡ଼ି ଛତରଛାଳ ହୋଇଯାଏ । ପୁଣି ବ୍ୟକ୍ତି ମଣିଷଟି ଦୟନୀୟ ସ୍ଥିତି ଭିତର ଦେଇ ‘ନିଜସଞ୍ଜ’ର ଛାଇଆଲୁଅ, ଆନନ୍ଦ, ବିଷାଦ, ପାଇବା ନ ପାଇବାର ଶୁଭ୍ରଶିଖରରେ ପହଞ୍ଚିଲେ ମଧ୍ୟ ହାହାକାର – ନିଃସ୍ୱ । ନିଃସଙ୍ଗତା ଭିତରେ ‘ଆଶ୍ଚର୍ଯ୍ୟବତ୍’ ଦଣ୍ଡାୟମାନ । ଏଇତ ଜୀବନ ଆଉ ଜଗତ । ଏଇ ରହସ୍ୟର ଲୁଚକାଳି ଖେଳର ମର୍ମ ଉଦ୍‌ଘାଟନ କରିବାରେ କିଶୋରୀ ଚରଣ ଗଳ୍ପ-ମାନସ ଖୁବ୍ ସିଦ୍ଧହସ୍ତ । ତାଙ୍କ ଗଳ୍ପ ଜଗତରେ ସମାଜର କୁସଂସ୍କାର, ପରମ୍ପରା ନାଆଁରେ ନିଛକ ଭଣ୍ଡାମି ଓ ସଂସ୍କୃତି ନାଁରେ ମୂଲ୍ୟବୋଧର ବିପର୍ଯ୍ୟୟକୁ ସେ ମାନିନେଇ ନାହାନ୍ତି । ତେଣୁ ବ୍ୟଙ୍ଗ ଓ ବିଦ୍ରୂପର ସ୍ୱର ଶୁଭିଛି । କିନ୍ତୁ ଏ ବ୍ୟଙ୍ଗ ଅନ୍ୟକୁ ଆଘାତ କରିବା କିମ୍ବା ଘୃଣା କରିବା ଲାଗି ଅଭିପ୍ରେତ ନୁହେଁ; ପରନ୍ତୁ ଆପଣା (ମଧ୍ୟବିତ୍ତ) ଗୋଷ୍ଠୀର ସଂଶୋଧନ ପାଇଁ ଏକ ବୃହତ୍ତର ସମାଜ ଜୀବନର ସାଧନ ପାଇଁ, ମାନବିକତାର ଉଦ୍‌ଘୋଷଣ ପାଇଁ ଉଦ୍ଦିଷ୍ଟ । ଏଇ ମଣିଷ ମନର ବୈଚିତ୍ର୍ୟ ଉଦ୍‌ଘାଟନ ହିଁ କିଶୋରୀ ଗଳ୍ପ ଜଗତର ଅଧିକ ଗୁରୁତ୍ୱପୂର୍ଣ୍ଣ ବିଷୟ ।

 

ଗାଳ୍ପିକ ନିଜ ଅଭିଜ୍ଞତା ଦ୍ଵାରା ବହିଃଲୋକରୁ ଅର୍ଥାତ୍ ସମାଜ, ବ୍ୟକ୍ତି ଓ ତା’ର ପରିବେଶକୁ ଉପଲବ୍ଧ ଜ୍ଞାନକୁ ଅନ୍ତର୍ଲୋକର ପ୍ରଜ୍ଞାଶୀଳ ବିଚାରବୋଧ ଓ ମନନଶୀଳତା ଦ୍ଵାରା ଗଳ୍ପର ଶିଳ୍ପସୌଧ ନିର୍ମାଣ କରେ । ବହିଃଲୋକ ଓ ଅନ୍ତର୍ଲୋକର ସମନ୍ୱୟ ଯେତେ ମଧୁର ଓ ଶିଳ୍ପସମ୍ମତ ହେବ ଗଛ ସେତିକି କାଳଜୟୀ ଓ ରସୋତ୍ତୀର୍ଣ୍ଣ ହୋଇପାରିବ । ଅନୁଭୂତି ଯେଉଁଠାରେ ଦୁର୍ବଳ, କଳ୍ପନା ମଧ୍ୟ ସେଇଠାରେ ନିରାଶ୍ରୟ । କଳ୍ପନାରୁ ଅନୁଭୂତି ଜନ୍ମ ନିଏ ନାହିଁ, ଅନୁଭୂତିର ସ୍ଵଚ୍ଛ ଜଳଧାରରେ କଳ୍ପନାର ଶତଦଳ ପ୍ରସ୍ଫୂଟିତ ହେଲେ ତାହା ବାସ୍ତବତାର ଉଜ୍ଜ୍ୱଳ ଆଲେଖ୍ୟକୁ ମ୍ଲାନ କରିଦିଏ । ସାହିତ୍ୟରେ ବାସ୍ତବତା ଓ କଳ୍ପନାର ସମନ୍ୱୟ ଯେତିକି ନିବିଡ଼ ହେବ, ତାହାର ସାର୍ଥକତା ସେତିକି ଜୀବନ୍ତ ଓ ଅନ୍ତର୍ଭେଦୀ ହୋଇପାରିବ । ଲେଖକର ବ୍ୟକ୍ତିଗତ କଳ୍ପନା, ବାସ୍ତବତାର ଉଜ୍ଜ୍ୱଳ ସ୍ପର୍ଶରେ ପାଠକ ଚିତ୍ତରେ ବିସ୍ମୟ ସୃଷ୍ଟି ନ କରି ଜୀବନର ପ୍ରବାହ ହିଁ ସୃଷ୍ଟି କରିପାରିବ । ଏଇଥିପାଇଁ ଲେଖକର ଚିତ୍ତରେ ଭାବନାବିଳାସ ଅପେକ୍ଷା ଭାବାଦର୍ଶ ଅଧିକସ୍ଥାନ ଅଧିକାର କରିବା ଉଚିତ । ରୋମାଣ୍ଟିକ୍ କବି ନିକଟରେ ଯେପରି କଳ୍ପନା ହିଁ ଅନ୍ତର୍ଦୃଷ୍ଟି, କଳ୍ପନା ହିଁ ଯେପରି ତାଙ୍କର ଉପାସ୍ୟ ଦେବତା, ଗାଳ୍ପିକ ନିକଟରେ ସେହିପରି ଅନୁଭୂତିସିଦ୍ଧ ବୁଦ୍ଧିଦୀପ୍ତ କଳ୍ପନା ହେଲା ପ୍ରଧାନ କଥା । ସାଧାରଣ ଲେଖକ ନିଜ ସୃଷ୍ଟିରେ ସର୍ବକାଳୀନ ମଣିଷର ଚିତ୍ର ଓ ଚରିତ୍ରକୁ ସ୍ଥାନ ଦେଇଥାଏ । ଜୀବନ-ଜିଜ୍ଞାସା ପ୍ରତ୍ୟେକ କାଳଜୟୀ-ସୃଷ୍ଟିର ବିଚାରର ମାନଦଣ୍ଡ । ଜୀବନର ଯେତେ ଗଭୀରତମ ସ୍ଥାନକୁ ଯାହାର ଜିଜ୍ଞାସା ଅଭିପ୍ରେତ, ତାହାର ସୃଷ୍ଟି ସେତେ ଶାଶ୍ୱତ ଓ ରସସିକ୍ତ । ‘ଯେ ପକ୍ଷୀ ଉଡ଼େ ଯେତେ ଦୂର’ ଆଖି ଆଗରେ ଯାହା ଘଟେ ଓ କେବଳ ମାତ୍ର ସେତିକି ଯେ ଦେଖିପାରେ ଓ ସୃଷ୍ଟିରେ ତାକୁ ଧରିପାରେ - ସେ ଲେଖକ, ଶିଳ୍ପୀ ନୁହେଁ । ପ୍ରକୃତ ଶିଳ୍ପୀ ବହୁତ ଦୂର ଦେଖିପାରେ- ତାହାର ଦୃଷ୍ଟି ବ୍ୟାପକ ଓ ଅନ୍ତର୍ଭେଦୀ । କୌଣସି ବାହ୍ୟବସ୍ତୁ ତାଙ୍କ ଦୃଷ୍ଟି ପାଇଁ ପ୍ରତିବନ୍ଧକ ସୃଷ୍ଟି କରିପାରେ ନାହିଁ । କାଳର ଦୁର୍ଭେଦ୍ୟ ପ୍ରାଚୀର ଭେଦ କରି ଜୀବନର ଅନ୍ତଃହୀନ ଅନ୍ତଃସ୍ଥଳକୁ ଯାହାର ରଚନା ଯେତେ ବେଶୀ ସ୍ପର୍ଶ କରିପାରେ- ତାହାର ସାହିତ୍ୟ ସେତେବେଶୀ ସଚେତନ । କାଳଜୟୀ ଶିଳ୍ପୀ ଜୀବନ-ଶିଳ୍ପ ନିର୍ମାଣରେ କର୍ମରତ । ସାହିତ୍ୟ କଥାର କଥା ନୁହେଁ, ଜୀବନର କଥା । କେବଳ ବିଷୟବସ୍ତୁର ପରିଚର୍ଚ୍ଚା ପାଇଁ ସାହିତ୍ୟ ସୃଷ୍ଟି ନ କରି ଶିଳ୍ପୀ ଜୀବନର ମୂଳସୂତ୍ର ଓ ଧାରାର ପରିଚର୍ଚ୍ଚା ଉଦ୍ଦେଶ୍ୟରେ ସାହିତ୍ୟ ସୃଷ୍ଟି କରେ । ମଣିଷର ସରଳ ଜୀବନ-ପ୍ରବାହର ଅନ୍ତରାଳରେ କେତେ ଅଜଣା ମଣିମାଣିକ୍ୟର ଖଣି ରହିଛି, ତାହାର ସଂଧାନ ସାହିତ୍ୟିକ ଆଣିଦିଏ ।

 

ସୃଷ୍ଟି ସହିତ ସ୍ରଷ୍ଟାର ସମ୍ପର୍କ ପରମ ପ୍ରୀତିପୂର୍ଣ୍ଣ । ବିଜ୍ଞାନର ରୁକ୍ଷବାସ୍ତବତା ଓ ଦର୍ଶନର ନୀତିଜ୍ଞାନ ତଥା ଜୀବନ ସତ୍ୟ ପ୍ରୀତିର ମହନୀୟ ସ୍ପର୍ଶରେ ବ୍ୟକ୍ତି ହୃଦୟରେ ଏକୀଭୁତ ହୋଇଯାଏ-। କଥାକାର ତାହାର ଚରିତ୍ରମାନଙ୍କୁ ଭଲପାଇ ନ ପାରିଲେ ଓ ନିଜର ନିର୍ଦ୍ଦିଷ୍ଟ ବକ୍ତ୍ୟରେ ପ୍ରୀତିର ମାଙ୍ଗଳିକ ଶୁଣେଇ ନ ପାରିଲେ, କଳାର ଚିରନ୍ତନ ମୂଲ୍ୟକୁ ଉପେକ୍ଷା କରିବା ହିଁ ତା’ ପକ୍ଷରେ ସାର ହେବ । ଜୀବନ ଓ ଜୀବନର ବିନ୍ୟସ୍ତ ରୂପ ଏବଂ ନୈତିକ ସମସ୍ୟାକୁ ପ୍ରୀତିର ଧାରାରେ ଲେଖକ ରସସିକ୍ତ କରିପାରେ । ସମାଲୋଚକମାନଙ୍କ ମତରେ – “If your insights are to grow into understandings, we must see human life as a whole. A vision of man in his wholeness becomes possible when science and philosophy are brought together within the perspective of love.’’୧

 

କିଶୋରୀ ଚରଣଙ୍କ ସମସ୍ତ ଗଳ୍ପ ତାଙ୍କ ନିବିଡ଼ ଜୀବନାନୁଭୂତିର ସାହିତ୍ୟିକ ରୂପଚିତ୍ର ମାତ୍ର-। ପ୍ରତ୍ୟେକ ଘଟଣା ଓ ଚରିତ୍ର ସହ ଶିଳ୍ପୀ କିଶୋରୀ ଚରଣ ଦୈହିକ ଓ ମାନସିକ ସ୍ତରରେ ସଂଯୁକ୍ତ । କଥାଶିଳ୍ପୀ କିଶୋରୀ ଚରଣ ସମାଜ ଜୀବନ ଓ ଜଗତର ମହାସାଗରର ତଟ ଦେଶରେ ଏକ ଅନାସକ୍ତ ଦର୍ଶକ ନୁହଁନ୍ତି । ଚାକିରୀ ଉପଲକ୍ଷେ ସେ ଯେଉଁଠାରେ ଅବସ୍ଥାନ କରିଛନ୍ତି, ସେଠାକାର ସମାଜ ଜୀବନ, ପାଣିପବନ, ଚାଲିଚଳଣି ଓ ପରିବେଶ ସହିତ ସେ ନିବିଡ଼ ଭାବରେ ସଂଶ୍ଳିଷ୍ଟ ହୋଇଯାଇଛନ୍ତି । ସାମାଜିକ ମହାସ୍ରୋତରେ ନିଜକୁ ଅନ୍ତରଙ୍ଗ ସହକାରେ ହଜେଇ ଦେଇଛନ୍ତି । ତାଙ୍କ ସାହିତ୍ୟର ମୂଳସୂତ୍ର ହେଉଛି ମଧ୍ୟବିତ୍ତ ଶ୍ରେଣୀଜୀବନର ଅନ୍ତରଙ୍ଗ ଐକତାନ ଓ ବିଚିତ୍ର ଜୀବନାନୁଭୂତି । ଏହାକୁ ଶିଳ୍ପୀ କିଶୋରୀ ଚରଣ ପରିଚିତ ସମାଜଜୀବନରୁ ନିପୁଣ ଭାବରେ ସଂଗ୍ରହ କରିଛନ୍ତି । କଳ୍ପନାର ମାୟାଜାଲରେ ଭାସିବୁଲି ସେ କେବେ ଚରିତ୍ରମାନଙ୍କ ଜୀବନର ଉତ୍ତାପଠାରୁ ଦୂରେଇଯାଇ ନାହାନ୍ତି । ତେଣୁ ମଧ୍ୟବିତ୍ତ ସମ୍ପ୍ରଦାୟର ସୁଖ, ଦୁଃଖ, ବ୍ୟକ୍ତ, ଅବ୍ୟକ୍ତ, ଭିତର ବାହାର ସବୁକିଛି ତାଙ୍କ ପାଇଁ ଅମୃତ କଣିକା - ଜୀବନ ରସର ଉପାଦାନ । ସ୍ରଷ୍ଟା କିଶୋରୀଚରଣ ସସ୍ନେହ ଦୃଷ୍ଟିରେ ସମାଜ ଜୀବନ ମଧ୍ୟରେ ଅବଗାହନ କରିଛନ୍ତି । ସେମାନଙ୍କ ପାପପୁଣ୍ୟ, ଆନନ୍ଦ ବିଷାଦ, ଭଲମନ୍ଦ, ଦିନରାତି ସହିତ ନିଜକୁ ସାମିଲ କରି ନେଇଛନ୍ତି । ଫଳରେ ଚରିତ୍ରମାନେ ଲେଖକର ଜୀବନରସରେ ଆପ୍ଲୁତ ହୋଇ ପଡ଼ିଛନ୍ତି । କିଶୋରୀଚରଣ ସେମାନଙ୍କର ଆତ୍ମାର ବାଣୀ ଖୁବ୍ ଅନ୍ତରଙ୍ଗ ଭାବରେ ଗ୍ରହଣ କରିଛନ୍ତି । “ଏଇ ଦୃଷ୍ଟିରୁ ଶିଳ୍ପକଳାକୁ ପ୍ରକାଶରେ ମାଧ୍ୟମ ଓ ସୌନ୍ଦର୍ଯ୍ୟର ବାହକ ରୂପେ ଗ୍ରହଣ କରାଯାଇପାରେ । ପ୍ରଥମଟିରେ ସ୍ରଷ୍ଟା ଅନୁଭୂତିରେ ଅଂଶୀଦାର ହେବାକୁ ଚାହେଁ ନାହିଁ, ମାତ୍ର ଦ୍ଵିତୀୟଟିରେ ତାହା ସାର୍ଥକ ଭାବେ ପ୍ରତିଫଳିତ । ଦ୍ୱିତୀୟଟି ପ୍ରକାଶପକ୍ଷ (Expressive), ମାତ୍ର ପ୍ରଥମଟି ନୁହେଁ । ଯେତେବେଳେ ଅନ୍ୟର ଦୁଃଖସୁଖର ଅନୁଭୂତିରେ ବ୍ୟକ୍ତିଟି ଅଂଶୀଦାର ହେବାକୁ ଚାହେଁ, ସେତେବେଳେ କାର୍ଯ୍ୟଟି ପ୍ରକାଶକ୍ଷମ ହୁଏ । ଆଘାତ ପାଇ ଶିଶୁଟି କାନ୍ଦିଲେ ସେ କାନ୍ଦଣା କେବଳ ତାହାର ଅବସ୍ଥାରୁ ମୁକ୍ତିର ସୂଚନା ଦିଏ । ସେତେବେଳେ ଶିଶୁଟି କେବଳ ତା’ର ଅବସ୍ଥାକୁ ସୂଚାଇଥାଏ । କିନ୍ତୁ ଯେତେବେଳେ କେବଳ ନିଜର ଅନୁଭବ (Feeling)କୁ ପ୍ରକାଶ କରିବା ପାଇଁ ଶିଶୁଟି ନ କାନ୍ଦି- ତା’ ମାର ଦୃଷ୍ଟିକୁ ଆକର୍ଷଣ କରିବା ପାଇଁ କାନ୍ଦେ ଓ ନିଜର ଦୁଃଖରେ ମାଆକୁ ଅଭିଭୂତ କରିବାର ପ୍ରୟାସ ରଖେ, ସେତେବେଳେ ଶିଶୁର କାନ୍ଦଣା ପ୍ରକାଶକକ୍ଷମ ।’’(୨)

 

ଶିଳ୍ପକଳା ଲେଖକଙ୍କ ଅଭିବ୍ୟକ୍ତିର ମାଧ୍ୟମ । ଲେଖକ ନିଜର ସୃଷ୍ଟିକୁ ସାର୍ଥକ ଓ ସଫଳ କରିବା ପାଇଁ କେଉଁ ଉପାଦାନରୁ କେତେ ପରିମାଣରେ ଗ୍ରହଣ କରିବେ, ତାହା ତାଙ୍କ ନିର୍ବାଚନ ପଦ୍ଧତି ଓ ଆଭିମୁଖ୍ୟ ଉପରେ ନିର୍ଭର କରେ । କଳା ବାସ୍ତବତାର ସ୍ଵପ୍ନମୟ ଜଗତ (Illusion of Reality) ସୃଷ୍ଟି କରେ । ପାଠକ ଏହି ଜଗତ କିପରି ସୃଷ୍ଟି ହୋଇଛି, ତାହା ହିଁ ଦେଖେ । କେତେକ ସମାଲୋଚକ କ୍ଷୁଦ୍ରଗଳ୍ପକୁ “A Slice of Life" କହିଥାନ୍ତି । ଶିଳ୍ପକଳା ‘Act of slicing’ରେ କିପରି ଜୀବନ ପରିସ୍ଫୂଟ, ତାକୁ ହିଁ ଦେଖାଇଥାଏ । ଲେଖକ ଜୀବନର ସମସ୍ତ ଘଟଣାକୁ ତା’ ସୃଷ୍ଟି ସମୂହରେ ନିଖୁଣ ଭାବରେ ଗ୍ରହଣ କରେ ନାହିଁ । କାରଣ ତାହା ‘ଆତ୍ମଜୀବନଚରିତ’ ହୋଇଯିବାର ଯଥେଷ୍ଟ ସମ୍ଭାବନା ଥାଏ । ଏଣୁ ଶିଳ୍ପୀ ତା’ର ଆଭିମୁଖ୍ୟକୁ କେବଳ ପରିପୁଷ୍ଟ କରିପାରୁଥିବା ଏବଂ ସୃଷ୍ଟି ପାଇଁ ଉପଯୁକ୍ତ (Appropriate) ମନେହେଉଥିବା ଜୀବନର କେତେକ ଘଟଣାକୁ ରୂପାୟିତ କରିଥାଏ । ଶିଳ୍ପକଳା ମାଧ୍ୟମରେ ଉପସ୍ଥାପିତ ଏହି ଚିତ୍ରଗୁଡ଼ିକ କିପରି ପ୍ରାଣଧର୍ମ ଓ ଜୀବନ୍ତ ହୋଇଛି ତାହାର ସୂଚନା ମିଳିଥାଏ । ତେଣୁ ନିର୍ବାଚନ କଳା ଓ ସଜ୍ଜୀକରଣର ଇଙ୍ଗିତ ଶିଳ୍ପକଳା ମାଧ୍ୟମରେ ମିଳିଥାଏ । ଏହି ସଜ୍ଜୀକରଣ କେତେଦୂର ମୂଳ ଉଦ୍ଦେଶ୍ୟକୁ ପରିପୁଷ୍ଟ କରୁଛି, ତାହା ଶିଳ୍ପକଳାରୁ ଜଣାପଡ଼େ । ସାର୍ଥକ ଉପସ୍ଥାପନ କୌଶଳରେ ସାଧାରଣ ଘଟଣା ଓ ବ୍ୟକ୍ତିଗତ କାହାଣୀ ସାମୂହିକ ଜୀବନଧାରାର ସ୍ପର୍ଶ ଆଣିଦିଏ । ସାଧାରଣ ଘଟଣାଟିଏ ସମ୍ଭାବ୍ୟ ଘଟଣାରେ ପରିଣତ ହୁଏ ।

 

ଉନ୍ନତ ଶିଳ୍ପକଳାରେ ଶିଳ୍ପୀସତ୍ତା ଜୀବନ୍ତ ଅବସ୍ଥାରେ ଥାଏ । ଗଳ୍ପର ଆଙ୍ଗିକ ବିଭବ ଯଦି ଆତ୍ମିକ ରୂପବିଭବକୁ ପରିପୁଷ୍ଟ କରିପାରେ ଓ ଗଳ୍ପ ବର୍ଣ୍ଣିତ ସମସ୍ତ ଘଟଣାକୁ ଆତ୍ମସ୍ଥ କରିପାରେ ତେବେ ତାହା ଉନ୍ନତ ଶିଳ୍ପକଳାର ପରିଚୟ ଦିଏ । ସମାଲୋଚକଙ୍କ ମତରେ- “The best form is that which makes the most of its subjects- there is no other definition of the meaning form in fiction. The well-made book is the book in which the subject and the form coincide and are indistinguishable- the book in which the matter is all matter.” (୩) ଯଦି ଶିଳ୍ପକଳା ମାଧ୍ୟମରେ ଲେଖକ ଉଦ୍ଦେଶ୍ୟକୁ ପରସ୍ଫୁଟ କରି ନ ପାରେ, ତେବେ ତାହାର ସାଧାରଣତଃ ଏକ ଚାଲବାଜି (Trickery) ବୋଲି ଧରିନିଆଯାଇପାରେ । ପାଠକ ଗଳ୍ପରେ ଜୀବନ ସମ୍ପର୍କରେ ଲେଖକର ଅନୁଭବ ଓ ଅଭିବ୍ୟକ୍ତି ଆଶା କରେ । ଗଳ୍ପର କଳାକୌଶଳ ମାଧ୍ୟମରେ ଏହାର ସମ୍ପୂର୍ଣ୍ଣ ଧାରଣା ପାଠକ ଚାହେଁ । ବାହ୍ୟତଃ ଗଳ୍ପରେ ଗାଳ୍ପିକ ପ୍ରତିନିଧି ଶ୍ରେଣୀୟ ଘଟଣା ଓ ଚରିତ୍ର ଅବତାରଣା କରିଥିଲେ ହେଁ ପ୍ରକୃତରେ ତାହାର ଅନ୍ତରାଳରେ ଗାଳ୍ପିକର ଏକ ନୈତିକ ବାର୍ତ୍ତା (Edifying message) ଥାଏ । ଏଥିରୁ ଗାଳ୍ପିକ ବା ସ୍ରଷ୍ଟା ପୁରୁଷର ଜୀବନ ପ୍ରତି ଥିବା ଦୃଷ୍ଟିଭଙ୍ଗୀ ଜଣାପଡ଼େ ।

 

ଅଙ୍ଗସଜ୍ଜା ଓ ଦୃଷ୍ଟିଭଙ୍ଗୀ ଦ୍ଵାରା ଗଳ୍ପବର୍ଣ୍ଣିତ ବିଷୟମାନଙ୍କ ମଧ୍ୟରେ ଏକ ଅଖଣ୍ଡ ସମ୍ପୂର୍ଣ୍ଣତାର ଆଭାସ ଥାଏ । ଏକ ପରିପୂର୍ଣ୍ଣ ରସୋପଲବ୍ଧି ପାଠକ ମନରେ ଗଭୀର ପରିଚୟର ଭାବ ମୁଦ୍ରିତ କରିଦିଏ । ଗଳ୍ପ ପଢ଼ି ଆମର ମନେହୁଏ ଯେ, ଗଳ୍ପବର୍ଣ୍ଣିତ ଚରିତ୍ରମାନଙ୍କ ପରସ୍ପର ସମ୍ପର୍କର ସମସ୍ତ ଜଟିଳତା, ସମସ୍ତ ବିଚିତ୍ର ବହୁମୁଖୀନତା ଆମର ଆୟତ୍ତାଧୀନ ହୋଇଛି, ସେମାନଙ୍କର ପରସ୍ପର ସଂଘାତରେ ଯେଉଁ ଜୀବନ ରସ ଘନୀଭୂତ ହୋଇଉଠିଛି, ସମସ୍ତଙ୍କୁ ଆମେ ଶୋଷି ନେଇଛେ । ଜୀବନର ଖଣ୍ଡାଂଶ ଗଳ୍ପର ବୃହତ୍ତର ଐକ୍ୟ ମଧ୍ୟରେ ସମଗ୍ର ଭାବରେ ଆମ ନିକଟରେ ପ୍ରତିଭାତ ହୁଏ । ସଫଳ ଲେଖକ ବୃହତ୍ତର ଐକ୍ୟକୁ ଉନ୍ନତ ଶିଳ୍ପକଳା ମାଧ୍ୟମରେ ପ୍ରକାଶ କରେ ।

 

କିଶୋରୀଚରଣଙ୍କ ଗଳ୍ପଗୁଡ଼ିକ ମୁଖ୍ୟତଃ ମଧ୍ୟବିତ୍ତ ସମାଜ ଜୀବନର ସୂକ୍ଷ୍ମାତିସୂକ୍ଷ୍ମ ସ୍ୱାକ୍ଷର ବହନ କରିଛି । ସେଥିରେ ସ୍ନେହ ପ୍ରବଣ ଶିଳ୍ପୀମାନସର ଅଫୁରନ୍ତ ପରିପ୍ରକାଶ ଘଟିଛି । କୌଣସିଠାରେ କୃତ୍ରିମତାର ସୁରାକ ନାହିଁ । ତାଙ୍କ ଗଳ୍ପଗୁଡ଼ିକରେ ମଧ୍ୟବିତ୍ତ ଚିତ୍ର ଓ ଚରିତ୍ରଗୁଡ଼ିକ ଯେପରି ଭାବେ ସ୍ଥାନିତ, ଓଡ଼ିଆ ସାହିତ୍ୟରେ ଅନ୍ୟ କୌଣସି କଥାକାରଙ୍କ ସୃଷ୍ଟିରେ ଏପରି ଜୀବନ୍ତ ଏବଂ ଅନ୍ତରଙ୍ଗ ଭାବରେ କୁହାଯାଇପାରିନି । ଭାବକାତର ସ୍ନେହପ୍ରବଣ ସ୍ରଷ୍ଟାପୁରୁଷ କିଶୋରୀ ଚରଣଙ୍କ ସଂସ୍ପର୍ଶରେ ଯେ ଥରେ ଆସିଥିବ, ସିଏ ନିଶ୍ଚୟ ଏଇ ଉକ୍ତିଟିର ସତ୍ୟତା ଉପଲବ୍ଧ କରିପାରିବେ । ଏହି ସ୍ନେହୀ, ବିନୟୀ, ଦରଦୀ, ଭାବକାତର ମନ ଯୋଗୁଁ କଥାଶିଳ୍ପୀ କିଶୋରୀ ଚରଣଙ୍କ ବର୍ଣ୍ଣିତ ଚରିତ୍ରଗୁଡ଼ିକ କାଳ୍ପନିକ ନୁହଁନ୍ତି; ଜୀବନ ରସରେ ଆର୍ଦ୍ର । ଜୀବନ କାଳ ଭିତରେ ସେ ଯେଉଁ ଅଗଣିତ ବାସ୍ତବ ଚରିତ୍ରମାନଙ୍କ ସଂସ୍ପର୍ଶରେ ଆସିଛନ୍ତି, ସେଇମାନେ ହିଁ ନାନା ଲକ୍ଷ୍ୟ ଓ ଉପଲକ୍ଷରେ ତାଙ୍କ ରଚିତ ଗଳ୍ପଗୁଡ଼ିକ ଭିତରେ ଚରିତ୍ରୀଭୂତ ହୋଇଯାଇଛନ୍ତି । ବାସ୍ତବ ପରିବେଶ ଭିତରେ ଅସଂଖ୍ୟ ଜୀବନ୍ତ ଚରିତ୍ରମାନଙ୍କୁ ଗାଳ୍ପିକ ଆପଣାର ଗଳ୍ପବୃତ୍ତ ଭିତରେ ଧରି ରଖିବାରେ ସଫଳ ହୋଇଛନ୍ତି । ସେକ୍ସପିଅରଙ୍କ ମତରେ- “Art was holding a mirror upto nature; but it would be more accurate to say that it is a looking glass in which you see your own face ? For this interesting reason, that until you do, you do not know who you are. A story or a novel is the writers attempt to create a clear self-image.’’ (୪) ଲେଖକ ଆପଣା ସୃଷ୍ଟିରେ ନିଜକୁ ପ୍ରକାଶ କରେ । ଆପଣା ସୃଷ୍ଟିରେ ଚରିତ୍ରଗୁଡ଼ିକ ବର୍ଣ୍ଣନା କରୁ କରୁ ନିଜକୁ ଚରିତ୍ରାୟିତ କରିଦେଇଥାଏ । ତା’ପାଇଁ ସୃଷ୍ଟି ଏକ ସ୍ଵଚ୍ଛ ଦର୍ପଣ । ଏଥିରେ ସ୍ରଷ୍ଟାର ଆତ୍ମପ୍ରତିଫଳନ ଦେଖାଯାଏ । ସ୍ରଷ୍ଟା-ବ୍ୟକ୍ତିତ୍ୱର ପ୍ରତିଫଳନ ସାହିତ୍ୟରେ ଦେଖାଦେବା ସ୍ୱାଭାବିକ । ଆମେ ଦର୍ପଣରେ ନିଜର ପ୍ରତିଚ୍ଛବି ଦେଖୁ; ମାତ୍ର କଳାତ୍ମକ ସୃଷ୍ଟିରେ ଆମ ଆତ୍ମାର ପ୍ରତିଫଳନ ଦେଖୁ । ସାର୍ଥକ ସୃଷ୍ଟିରେ ସ୍ରଷ୍ଟାର ନିଜ ସତ୍ତା ଆତ୍ମପ୍ରକାଶ କରେ । ଜୀବନର ସତ୍ୟ ଆବିଷ୍କାର କରିବା ପ୍ରତ୍ୟେକ ସତଲେଖକର ମୂଳ ଉଦ୍ଦେଶ୍ୟ । ଲେଖକ ଯଦି ନିଷ୍ଠାର ସହ ଜୀବନକୁ ଅନୁଭବ କରିଥାଏ ଓ ଜୀବନର ସତ୍ୟକୁ ନିର୍ମମ ଏବଂ ହୃଦୟର ସହ ଆତ୍ମସ୍ଥ କରିପାରିଥାଏ, ତେବେ ନିଜ ରଚନା ମାଧ୍ୟମରେ ତାହାର ଯଥାଯଥ ଉପସ୍ଥାପନରେ କ୍ଷମ ହୋଇପାରେ । ପ୍ରତ୍ୟେକ ସତ୍କଳା ଅନୁଭୂତିର ଉତ୍ସବ ପାଳନ (celebration of experience) ଅଟେ । ପ୍ରତ୍ୟେକ ଅନୁଭୂତି ସାଧାରଣ ଅଥବା ବିଶିଷ୍ଟ ହେଉପଛେ, ଜୀବନର ଏକ ଘଟଣା ବିଶେଷ । କେଉଁ ଘଟଣାଟି କାହା ପାଇଁ ସାଧାରଣ ଅଥବା ବିଶିଷ୍ଟ ତାହା କହିବା ସହଜସାଧ୍ୟ ନୁହେଁ । ବ୍ୟକ୍ତିବିଶେଷର ବିଚାରଧାରାର ଗୁଣାତ୍ମକ ଦିଗରୁ ଘଟଣାର ବିଶିଷ୍ଟତା ବିଚାରଯୋଗ୍ୟ । କିନ୍ତୁ ଜୀବନର ଅର୍ଥ ଖୋଜିବା ବ୍ୟକ୍ତିର ମାନସିକତା ଓ ପରିବେଶ ଉପରେ ନିର୍ଭର କରେ । ଥରେ ଏହି ପରିବେଶ (ଯାହା ଆମକୁ ଗଭୀର ଭାବରେ ଉଦ୍‌ବୁଦ୍ଧ କରେ)କୁ ଜାଣିପାରିଲେ ଓ ତାହାର ଗଭୀରତାକୁ ଜାଣିପାରିଲେ, ଆମେ ଆମ ଜୀବନର ପ୍ରକୃତ ଅନ୍ତଃସଂଘର୍ଷର ସ୍ୱରୂପ ଜାଣିପାରିବା । ଜୀବନର ଗଭୀର ନିଗୁଢ଼ ଅର୍ଥ ଖୋଜିବା ପାଇଁ ଆମକୁ ଏହି ଅନ୍ତଃସଂଘର୍ଷଗୁଡ଼ିକୁ ଉଦ୍‌ଘାଟନ କରିବାକୁ ହୋଇଥାଏ । ଗାଳ୍ପିକ ଏଗୁଡ଼ିକୁ ଗଛର ଉପାଦାନ ରୂପେ ଗ୍ରହଣ କରି ଜୀବନର ସତ୍ୟ ଦେଖାଇଥାନ୍ତି । ଫଳରେ ଲେଖକର ଚିନ୍ତା ଓ ଭାବନାଧାରା ପାଠକ ଜାଣିପାରେ । ସ୍ରଷ୍ଟାର ତରଙ୍ଗାୟିତ ଭାବନାର ବିମଳ ସ୍ପର୍ଶ ଓ ଉଦ୍ଦେଶ୍ୟ ସମ୍ପର୍କରେ ପାଠକ ସଚେତନ ହୁଏ ।

 

ଆଙ୍ଗିକ ବିଭବ ଗଳ୍ପର ଆତ୍ମିକ ବିକାଶର ଶକ୍ତି (Spirit) ଓ ପରିକଳ୍ପନା (Design) । ପରିକଳ୍ପନାର ଦୁଇଟି ଅର୍ଥ ଅଛି । ଗୋଟିଏ ଅର୍ଥରେ ଏହା ଏକ ଛାଞ୍ଚ (Pattern), ଯାହା ମାଧ୍ୟମରେ ସ୍ରଷ୍ଟାର ଏକାଧିକ ସୃଷ୍ଟିର ଆକୃତି (shape) ଜଣାପଡ଼େ । ଯେତେବେଳେ ସୃଷ୍ଟିର ସମସ୍ତ ଅବୟବ ସ୍ରଷ୍ଟାର ପ୍ରକୃତ ଅନୁଭବକୁ ନିର୍ଦ୍ଦିଷ୍ଟ ଆଭିମୁଖ୍ୟ ସହ ପ୍ରକାଶ କରେ, ସେତେବେଳେ ଆଙ୍ଗିକର ପରିପୂର୍ଣ୍ଣତା ଆସେ । ବିଶିଷ୍ଟ କଥାକାର ମନୋଜ ଦାସଙ୍କ ମତରେ- “ଅନୁଭୂତି ଓ କଳ୍ପନା - ଏ ଉଭୟଙ୍କଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ଓ ଅପରିହାର୍ଯ୍ୟ ହେଲା ପ୍ରେରଣା । ପ୍ରେରଣା ଯେତେବେଳେ ରୂପ ଗ୍ରହଣ କରେ ସେତେବେଳେ ଉଭୟ ଅନୁଭୂତି ଓ କଳ୍ପନାକୁ ବ୍ୟବହାର କରିଥାଏ । କିନ୍ତୁ ବିନା ପ୍ରେରଣାରେ କେବଳ ଅନୁଭୂତି ଓ କଳ୍ପନା ବା ଉଭୟଙ୍କ ମିଶ୍ରଣ ଦ୍ଵାରା ଗଭୀର ସାହିତ୍ୟ ସୃଜନ ସମ୍ଭବ ନୁହେଁ । ସମସ୍ତ ପ୍ରେରଣାର ଉତ୍ସ ହେଲା ଏକ ଊର୍ଦ୍ଧ୍ୱଚେତନା । ତେବେ ପ୍ରେରଣା ଯେତେବେଳେ ଅଭିବ୍ୟକ୍ତ ହୁଏ, ସେ ଚରିତ୍ର, ଘଟଣା, ସ୍ଥାନ ଓ କାଳକୁ ଅବଲମ୍ବନ କରିଥାଏ । ଛୋଟବଡ଼ ଯେକୌଣସି ଘଟଣା ବିଦ୍ୟୁତ୍ ଭଳି ସଂକ୍ରମିତ ହୋଇ ତାକୁ ସାହିତ୍ୟରେ ରୂପାନ୍ତରିତ କରିପାରେ । କିନ୍ତୁ ଘଟଣା ଓ ଚରିତ୍ର ଯେତେ ଚମତ୍କାର ହେଉନା କାହିଁକି ତାହା ପ୍ରେରଣା ରହିତ ହୋଇଥିଲେ ସାହିତ୍ୟ ଦୃଷ୍ଟିରୁ ହେବ ନିଷ୍ପ୍ରାଣ ।’’(୫)

 

ଗାଳ୍ପିକର ରସାତ୍ମା ବା ତା’ ଅନ୍ତରର ଭାବପୁରୁଷଟି ତା’ର ରଚନା ଶୈଳୀଟି ଭିତରେ ହିଁ ସହଜ ଓ ପ୍ରାଣବନ୍ତ ଭାବେ ପ୍ରକଟିତ ହୋଇଥାଏ । ଜୀବନକୁ ଖୋଜିବାର ଅଭୀପ୍‌ସା ନେଇ ସେ ଆଗେଇ ଚାଲିଥାଏ । ଅନୁଭୂତିର ଆଲିଙ୍ଗନ ଗଳ୍ପ-ଲେଖକ-କଳାକୁ ଅଧିକ ରମଣୀୟ କରିବାରେ ସାହାଯ୍ୟ କରିପାରେ । କଥ୍ୟବସ୍ତୁ ଯେତେ ଶକ୍ତିଶାଳୀ ହୋଇଥାଉନା କାହିଁକି, ଯଦି ଲେଖକଙ୍କୁ ଲେଖନକଳା ଜଣା ନାହିଁ, ତାହାହେଲେ ବର୍ଣ୍ଣିତ ଗଳ୍ପଟି ନିରସ ହୋଇଯିବାର ଯଥେଷ୍ଟ ସମ୍ଭାବନା ଥାଏ । ‘କହି ଜାଣିଲେ କଥା ସୁନ୍ଦର’ ଭଳି ଲେଖକ ‘ଲେଖି ଜାଣିଲେ ଲେଖା ସୁନ୍ଦର ଓ ସୁରସ’ । ଏପରିକି ଅତି ସାଧାରଣ ଓ ସାମାନ୍ୟ ଘଟଣା ଯଦି ଜଣେ ଶକ୍ତିଶାଳୀ ଲେଖକଙ୍କ ଲେଖନୀରେ ରୂପ ପାଇଲା ଏବଂ ତାହା ଯଦି ଅଭିନବ କୌଶଳ ଓ ଚମତ୍କାରିତାରେ ରଞ୍ଜିତ ହେଲା, ତାହାହେଲେ ସେ ଏକ ରସୋତ୍ତୀର୍ଣ୍ଣ ଗଳ୍ପ ହେବାରେ କୌଣସି ପ୍ରତିବନ୍ଧକ ନଥାଏ । ଅବଶ୍ୟ ଦରକାର କାରୁକାର୍ଯ୍ୟର କୌଶଳ । ଯେଉଁ ଗଳ୍ପରେ ଏଇ ଉଦାସୀନତା ପ୍ରକାଶ ପାଏ, ତାହା ଯେପରି ଏକ ଗୋଷ୍ଠୀଛଡ଼ା ରୋଗଗ୍ରସ୍ତ ଅବହେଳିତ ପଦାର୍ଥ ହୋଇଥାଏ । ସଜେଇ କହିବା ଓ ଲେଖିବା ଏବେ ଗାଳ୍ପିକର ପ୍ରଧାନ କାରିଗରୀ କୌଶଳ । ଓଡ଼ିଆ ସାହିତ୍ୟର ବିଶିଷ୍ଟ ଗାଳ୍ପିକ ମହାପାତ୍ର ନୀଳମଣି ସାହୁଙ୍କ ମତରେ- “ଗଳ୍ପ ସାହିତ୍ୟର ବିଶେଷତ୍ୱଟି ହେଲା ତା’ର ରଚନାଶୈଳୀର ବିଚିତ୍ରତା ଓ ବିବିଧତା । ତା’ର ଆଙ୍ଗିକରେ ବହୁରୂପିତା । ପ୍ରତିଟି ମଣିଷ ଯେମିତି ଅନ୍ୟ ମଣିଷଠାରୁ ପୃଥକ୍, ପ୍ରତିଟି ଗାଳ୍ପିକର କୃତି ସେମିତି ଅନ୍ୟ ଗାଳ୍ପିକଟିର କୃତିଠାରୁ ଆଙ୍ଗିକ ଓ ଶୈଳୀରେ ପୃଥକ୍ । ଏପରିକି ଜଣେ ଜଣେ କୃତିତ୍ଵବାନ ଗାଳ୍ପିତ ତାଙ୍କର ଶତାଧିକ ଗଳ୍ପରେ ଶତାଧିକ ରଚନାଶୈଳୀ ଓ ଆଙ୍ଗିକର ପ୍ରୟୋଗ କରିଥାନ୍ତି । + + + ବିଶ୍ୱ ସାହିତ୍ୟରେ ଗାୟ ଦି ମେପାଁସାଙ୍କ ଗଳ୍ପଲିଖନ ଶୈଳୀ ଓ ଟେକ୍ନିକ୍, ମାକସିମ ଗର୍କିଙ୍କର ଗଳ୍ପଲିଖନ ଶୈଳୀ ଓ ଟେକ୍‌ନିକ୍‌ଠାରୁ ପୃଥକ୍ । ପ୍ରେମଚନ୍ଦ୍ରଙ୍କର ଗଳ୍ପନର ରଚନାଶୈଳୀ ଓ ଟେକ୍‍ନିକ୍‍ଠାରୁ ରବୀନ୍ଦ୍ରନାଥଙ୍କ ଗଳ୍ପର ରଚନାଶୈଳୀ ଓ ଟେକ୍‌ନିକ୍ ଖୁବ୍ ପୃଥକ୍ । ବସ୍ତୁତଃ ଏଇ ରଚନାଶୈଳୀ ଓ ଟେକ୍‌ନିକ୍ ଗଳ୍ପର କେବଳ ବାହ୍ୟ ବିଭାବ ମାତ୍ର ନୁହେଁ; ଏହା ଗଳ୍ପର ବିଷୟବସ୍ତୁ ସଙ୍ଗେ ଘନିଷ୍ଠ ଭାବେ ସମ୍ପର୍କିତ । କାରଣ- ଏହା ଗଳ୍ପର ବିଷୟବସ୍ତୁକୁ ଓ ଗାଳ୍ପିକର ମେସେଜ୍ ବା ଜୀବନ ବେଦ ବା ଜୀବନ-ବାଣୀକୁ ଧାରଣ କରିଥାଏ । ଗଳ୍ପଟିର ପ୍ରଫେସୀ ବା ଜୀବନର ଅର୍ଥ ଏହାରି ମାଧ୍ୟମରେ ହିଁ ଅଭିବ୍ୟକ୍ତି ଲାଭ କରିଥାଏ । (୬) ଭିନ୍ନ ଦେଶ ସାହିତ୍ୟରେ କଥନ କୌଶଳ ଭିନ୍ନ ହୋଇପାରେ । ‘ନଈକେ ବାଙ୍କ୍ ଦେଶକେ ଫାଙ୍କ୍’ ନ୍ୟାୟରେ ଲେଖନ କଥନଭଙ୍ଗୀ, ରୀତି ଭିନ୍ନ ହେବା ସ୍ଵାଭାବିକ୍ । ସମୟ ସ୍ରୋତରେ, ପରିବର୍ତ୍ତିତ ମୂଲ୍ୟବୋଧ ଓ ପରିବେଶରେ କଥନରୀତି ବଦଳିବା ସ୍ୱାଭାବିକ କିନ୍ତୁ ଯାହା ସତ୍ୟ, ତାହା ହିଁ କଥ୍ୟ । କହିବା ଭଙ୍ଗୀ ବଦଳିପାରେ, କିନ୍ତୁ ସତ୍ୟକଥନ ସାହିତ୍ୟରେ ନିଶ୍ଚିତ । ସତ୍ୟକଥନ ପ୍ରତି ଯେଉଁ ଲେଖକ ଉଦାସୀନ, ତା’ର ସୃଜନକଳା ଯେପରି ଏକ କଳ୍ପନା ପରୀ । ଏଣୁ ବସ୍ତୁର (object) ଯଥାର୍ଥ ଚିତ୍ର ଅଙ୍କନ କରିବା ଜଣେ ସଫଳ କଳାକାରର ପ୍ରଧାନ ଗୁଣ । କୌଣସି ବସ୍ତୁ, ଚରିତ୍ର ବା ଦୃଶ୍ୟ କେବଳ ‘Narration’ ବା ବର୍ଣ୍ଣନା କରିବସିଲେ ତାହା ରୁଚିପୂର୍ଣ୍ଣ ହୋଇପାରେ ନାହିଁ; ବରଂ ବର୍ଣ୍ଣନା ମାତ୍ରାଧିକ ହୋଇପଡ଼େ । ଯେତିକି ଦରକାର ସେତିକି ଉଦ୍ଧାର କରିବା ହିଁ ଚାତୁରୀ । ଅଧିକ ନୁହେଁ କି କମ୍ ବି ନୁହେଁ । ଯଥାର୍ଥ କଥନ ବରଂ ଅଧିକ ପ୍ରଭାବଶାଳୀ ହୁଏ । ଜଣେ ଶିକ୍ଷିତ ଓ ଜଣେ ଅଶିକ୍ଷିତ ଲୋକର କହିବା ଭାଷା ମଧ୍ୟରେ ଥିବା ପାର୍ଥକ୍ୟକୁ ଯିଏ ବୁଝିପାରେ ନାହିଁ ବା ଧରିପାରେ ନାହିଁ ସେ ଲେଖକର ଲେଖା ଯେ ଅସଫଳ ହେବ, ଏଥିରେ କେହି ଅମତ ହୋଇ ନ ପାରନ୍ତି । ପ୍ରତିଭାବାନ ଗାଳ୍ପିକ ତା’ର ରଚନାଶୈଳୀ ଦ୍ୱାରା ହିଁ ଅତି ସାଧାରଣ ମାମୁଲି ଘଟଣା ଓ ଚରିତ୍ର ଆଦିକୁ ଖୁବ୍ ଚମତ୍କାର ଭାବରେ ପାଠକର ମନୋଭୂମିକରେ ମୂର୍ତ୍ତିମନ୍ତ କରାଇବାରେ ସଫଳ ହୋଇଥାନ୍ତି ।

 

ଜୀବନ୍ତ ମାନବର ‘ଅଙ୍ଗ’ ଆଉ ‘ଆତ୍ମା’ ଅପରିହାର୍ଯ୍ୟ ଅବସ୍ଥା ବିଶେଷ କରି ପ୍ରାଣସ୍ପର୍ଶୀ ସଫଳ ସାହିତ୍ୟ ପାଇଁ ଏ ଉଭୟର ଏକାନ୍ତ ଆବଶ୍ୟକତା ରହିଛି । ଅଙ୍ଗ ଆଉ ଆତ୍ମା ବିନା ଜୀବନର ପରିକଳ୍ପନା ଯେପରି କରାଯାଇପାରିବ ନାହିଁ ସେହିପରି ସାହିତ୍ୟ ସୃଷ୍ଟି କ୍ଷେତ୍ରରେ ଏହା ମଧ୍ୟ ଅକଳ୍ପନୀୟ ଓ ଅସଫଳ ହୋଇଥାଏ । ସାହିତ୍ୟରେ ଅଙ୍ଗ ଓ ଆତ୍ମା ନଥିଲେ ବାସ୍ତବିକ ଏହାର କଳ୍ପନା ମନେହୁଏ ଅବାସ୍ତବ, ଅଳୀକ । ଗଳ୍ପ, ଉପନ୍ୟାସ ଏବଂ କାବ୍ୟ-କବିତା ସବୁରି କ୍ଷେତ୍ରରେ ଏହି ଦୁଇଟିର ଆବଶ୍ୟକତାକୁ କେହି ଅସ୍ୱୀକାର କରିପାରିବେ ନାହିଁ । ଗୋଟିକର ବିନା ଆରଟି ଯେପରି ଅନାବଶ୍ୟକ, ସେହିପରି ଅଗ୍ରହଣୀୟ ମଧ୍ୟ ।

 

କ୍ଷୁଦ୍ରଗଳ୍ପକୁ ‘ଆଙ୍ଗିକ’ (ଆଧାର) ଏବଂ ‘ଆତ୍ମିକ’ (ଆଧେୟ) ଏହିପରି ଦୁଇ ଭାଗରେ ବିଭକ୍ତ କରାଯାଇପାରେ । ଆତ୍ମିକ ପର୍ଯ୍ୟାୟରେ ଚରିତ୍ର, କଥାବସ୍ତୁ, ଜୀବନଦର୍ଶନ ଆଦି ସ୍ଥାନ ପାଇଥିଲାବେଳେ ଆଙ୍ଗିକ ପର୍ଯ୍ୟାୟରେ ଭାଷାଶୈଳୀ ଶିଳ୍ପରୀତି ଆଦି ସ୍ଥାନ ପାଇଥାଏ । ଅଙ୍ଗବିନା ଆତ୍ମାର ସ୍ଥିତି ନାହିଁ କି ଆତ୍ମା ବିନା ଅଙ୍ଗର ସୌକୁମାର୍ଯ୍ୟ ସମ୍ଭବ ନୁହେଁ କି ବିକାଶ ମଧ୍ୟ ଅକଳ୍ପନୀୟ-। ଏଇଥିପାଇଁ କ୍ଷୁଦ୍ରଗଳ୍ପରେ ‘ଅଙ୍ଗ’ ଆଉ ‘ଆତ୍ମା’ ଉଭୟର ଉପସ୍ଥିତି ଏକାନ୍ତ ଭାବରେ ବରଣୀୟ । ଏ ଉଭୟର ମଧୁର ସମନ୍ୱୟ କ୍ଷୁଦ୍ରଗଳ୍ପରେ ଘଟିଥାଏ । କିଶୋରୀ ଚରଣଙ୍କ କ୍ଷୁଦ୍ରଗଳ୍ପଗୁଡ଼ିକ ବିଚାର ବିଶ୍ଳେଷଣ କଲାବେଳେ ଏହି ଦିଗ ଅବଶ୍ୟ ଆଲୋଚନା ପରିସରଭୁକ୍ତ ।

 

 

ସହାୟକ ପୁସ୍ତକାବଳୀ :

୧.

William A.Sadler- Existence and Love- Preface, P-XI.

୨.

ସାହୁ ଡକ୍ଟର କାର୍ତ୍ତିକେଶ୍ଵର - ଗୋପୀନାଥ ମହାନ୍ତିଙ୍କର ଉପନ୍ୟାସରେ ଶିଳ୍ପକଳା - ୧୯୯୨, ପୃ-୧୬ ।

୩.

Percy. Lubbock - The Craft of Finction- P-40

୪.

Colin Wilson - The Craft of the Novel- P-21

୫.

ଦାସ ମନୋଜଙ୍କ ସହ ଏକ ସାକ୍ଷାତ୍କାର - ପ୍ରଜାତନ୍ତ୍ର ସାପ୍ତାହିକୀ-୧୯୮୭

୬.

ସାହୁ ମହାପାତ୍ର ନୀଳମଣି - ଆମ କଥାସାହିତ୍ୟର କଥା ଓ ରମ୍ୟରଚନା- ୧୯୮୫, ପୃ୮

 

ମହାନଦୀ ବିହାର, କଟକ

***

 

କଥାସାହିତ୍ୟ ଶିଳ୍ପୀ କିଶୋରୀଚରଣ

କୃଷ୍ଣଚନ୍ଦ୍ର ସୁଆର

 

ଓଡ଼ିଆ କଥା ସାହିତ୍ୟକୁ ଋଦ୍ଧିମନ୍ତ କରିଥିବା ପ୍ରଥିତଯଶା କଥାକାରମାନଙ୍କ ମଧ୍ୟରେ କିଶୋରୀଚରଣ ଦାସ ହେଉଛନ୍ତି ଅନ୍ୟତମ । ଦୀର୍ଘ ଚାଳିଶବର୍ଷରୁ ଊର୍ଦ୍ଧ୍ୱକାଳ ନିରବଚ୍ଛିନ୍ନ ସାଧନା କରି ସେ ଓଡ଼ିଆ କଥା ସାହିତ୍ୟକୁ ଆନ୍ତର୍ଜାତୀୟ ସ୍ତରରେ ମର୍ଯ୍ୟାଦା ଦେଇଛନ୍ତି ।

 

ଏକାଧାରରେ ସେ ଥିଲେ ଜଣେ ଔପନ୍ୟାସିକ ଗାଳ୍ପିକ, କବି, ସୁପ୍ରଶାସକ, ଓଡ଼ିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଭାପତି ଓ ମିଷ୍ଟଭାଷୀ ଭାବରେ ସର୍ବଜନ ପ୍ରଶଂସିତ ।

 

ଏହି ପ୍ରତିଭା ସମ୍ପନ୍ନ ବ୍ୟକ୍ତିଙ୍କର ଆବିର୍ଭାବ ହୁଏ କଟକର ଖଟ୍‌ବିନ୍ ସାହି ତା ୧.୩.୧୯୨୪ ମସିହାରେ । ତାଙ୍କ ପିତାଙ୍କ ନାମ ବିପ୍ରଚରଣ ଦାସ । ସେ ଥିଲେ ଜିଲ୍ଲା ଜଜ୍ ଓ ମାତାଙ୍କ ନାମ ସୀତାମଣି ଦେବୀ ।

 

ଓଡ଼ିଆ ଗଳ୍ପ ସଙ୍କଳନ ‘ମଣିହରା’ ପାଇଁ ସେ ୧୯୭୬ ରେ ଓଡ଼ିଶା ସାହିତ୍ୟ ଏକାଡେମୀ, ୧୯୭୪ରେ ପ୍ରଜାତନ୍ତ୍ର ‘ଝଙ୍କାର' ପୁରସ୍କାର, ୧୯୭୬ରେ ‘ଠାକୁରଘର’ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ଓ ୧୯୮୬ରେ ‘ଭିନ୍ନ ପାଉଁଶ’ ପାଇଁ ଶାରଳା ପୁରସ୍କାର ପ୍ରାପ୍ତ ସମେତ ୧୯୯୨ ମସିହାରେ ତାଙ୍କର ସାମଗ୍ରିକ ସାହିତ୍ୟ କୃତି ପାଇଁ ସେ ‘ବିଷୁବ’ ପୁରସ୍କାର ପାଇଥିଲେ । ଏ ଏତଦ୍‌ବ୍ୟତୀତ ଉତ୍କଳ ବିଶ୍ଵବିଦ୍ୟାଳୟ ଏକ ସ୍ଵତନ୍ତ୍ର ଉତ୍ସବରେ ତାଙ୍କୁ ଡି.ଲିଟ୍ ଉପାଧି ପ୍ରଦାନ କରିଥିଲେ । ତାଙ୍କର କେତୋଟି ଗଳ୍ପ ଇଂରାଜୀ, ଫ୍ରେଞ୍ଚ ଓ ସ୍ପାନିସ୍ ଭାଷାରେ ଅନୂଦିତ ହୋଇ ତାଙ୍କୁ ଦେଶରେ ଓ ଦେଶ ବାହାରେ ବିପୁଳ ଯଶର ଅଧିକାରୀ କରାଇଛି ।

 

ବିଶେଷକରି ତାଙ୍କ ଗଳ୍ପରେ ମଧ୍ୟବିତ୍ତ ପରିବାର ଓ ତାର ସମାଜ ଆର୍ଥନୀତିକ ଓ ମନସ୍ତାତ୍ତ୍ୱିକ ସମସ୍ୟାବଳୀକୁ ଅତି ମନନଶୀଳ ଭାଷା ଓ ବିଶ୍ଳେଷଣାତ୍ମକ ରୀତିରେ ପ୍ରକାଶ କରିଛନ୍ତି-। ଏ ସମସ୍ତ ଅତ୍ୟନ୍ତ ହୃଦ୍ୟ, ସୁଖପାଠ୍ୟ ତଥା ବୌଦ୍ଧିକ ପାଠକପ୍ରାଣକୁ ଗଭୀର ଭାବେ ଆସକ୍ତ ଓ ଆଚ୍ଛନ୍ନ କରି ରଖେ ।

 

‘ମଣିହରା’ ଗଳ୍ପ ସଙ୍କଳନ ହେଉଛି ତାଙ୍କର ଏକ ସୁନ୍ଦର ସୃଷ୍ଟି । ଏହା ୧୯୭୦ ମସିହାରେ ପ୍ରଥମେ ପ୍ରକାଶ ପାଇଥିଲା । ଗ୍ରନ୍ଥଟିର ପ୍ରଥମ ଗଳ୍ପ ‘ମଣିହରା’ ନାମାନୁସାରେ ଏହି ସଙ୍କଳନର ନାମକରଣ ହୋଇଥିବା ଜଣାଯାଏ । ମଣିହରା ସର୍ପ ନୁହେଁ ପ୍ରତିଶୋଧ ପରାୟଣା କୌଣସି ବଞ୍ଚିତା ପ୍ରେମିକା ନୁହେ, ସେ ସନ୍ତାନହରା ଜନନୀ । କରୁଣ ଓ ବାତ୍ସଲ୍ୟ ରସ ଭାବୋଚ୍ଛ୍ୱାସ ଅତ୍ୟନ୍ତ ହୃଦୟସ୍ପର୍ଶୀ । ନିର୍ମଳା ଦେବୀଙ୍କର ଲୁହବୋଳା ଆଖିରୁ ଯେଉଁ ନିର୍ଗତ ହୋଇଛି ନିଆଁ, କୌଣସି ସାନ୍ତ୍ୱନା ତାକୁ ନିଭାଇ ପାରିନାହିଁ ଥମିଯିବା ପାଇଁ । କିନ୍ତୁ ସେ ଯେତେବେଳେ ବୁଝି ପାରିଛନ୍ତି ମୃତ୍ୟୁ ସମ୍ମୁଖରେ ମଣିଷ କିପରି ଅସହାୟ, ସେ ଧନୀମାନୀ ଯେ କେହି ହୋଇଥାନ୍ତୁ ନା କାହିଁକି... ପ୍ରକୃତି କୋଳରେ ଅଛି କେବଳ ଏ ଅଭିନବ ସୃଷ୍ଟିର ଆନନ୍ଦ, ସେତେବେଳେ ସେ ନିଜ ଆଖିରୁ ନିଗୁଡ଼ୁଥିବା ଲୁହ ଓ ବୁକୁଫଟା କୋହ ବ୍ୟତିରେକେ ନିଜ ହୃଦୟର ଶାନ୍ତି ଫେରି ପାଇଛନ୍ତି ।

 

ତାଙ୍କର ଜନନୀ ପ୍ରାଣ ପୁନର୍ଜୀବନ ଲାଭ କରିଛି । ତାଙ୍କର ପଥହରା ଜୀବନ ନୂଆ ପଥ ପାଇଛି, ସେ ଚଲାପଥ ଜୀବନ ଓ ଜୀବିକାର... ସେ ଥରେ ଭରପୁର ଅଛି ସାହସ, ଦୃତ ମନବଳ ଆଉ ବଞ୍ଚିବାର ନୂତନ ଉଦ୍ଦୀପନା ।

 

କିଶୋରୀ ଚରଣ ସିଧା ସଳଖ ଭାବରେ ବିଷୟର ଅବତାରଣା କରନ୍ତି, କୌଣସି ବାକ୍‍ଜାଲ ବିସ୍ତାର ପାଇଁ ପ୍ରୟାସୀ ନୁହନ୍ତି । ତାଙ୍କ ଗଳ୍ପରେ ରହିଛି ନୂଆ ନୂଆ ଅଭିଯୋଜନ, ନୂତନ ଆଙ୍ଗିକ ଓ ଆତ୍ମିକ ବିଭବ । ବହୁ ସଂଖ୍ୟାରେ ଗଳ୍ପ ଲେଖିଥିଲେ ବି ପ୍ରତ୍ୟେକ ଗଳ୍ପରେ ରହିଛି ଅଜସ୍ର ମୌଳିକତା ଓ ନବଦିଗନ୍ତର ସନ୍ଧାନ...

 

ଗାଳ୍ପିକଙ୍କର ‘ଶୀତ ଲହରୀ’ ହେଉଛି ଏକ ଉଲ୍ଲେଖନୀୟ ସୃଷ୍ଟି । ଏଥିରେ କଥାକାର ତରଙ୍ଗାୟିତ ମନୁଷ୍ୟ ମନର ବିଚିତ୍ର ବ୍ୟବଚ୍ଛେଦ କରିଛନ୍ତି । ଦଶଟି ଗଳ୍ପରେ ସନ୍ନିବେଶିତ ଏହି ସଙ୍କଳନରେ ଲେଖକଙ୍କର ଦାର୍ଶନିକ ଦୃଷ୍ଟିଭଙ୍ଗୀ ବେଶ୍ ହୃଦୟସ୍ପର୍ଶୀ । ଗଳ୍ପ ଗୁଡ଼ିକରେ ଏକ ଅଦୃଶ୍ୟ ଭାବସୂତ୍ର ପରିଲକ୍ଷିତ, ଯାହାକି ଲେଖକଙ୍କ ବିଷୟରୁ ବିଷୟାନ୍ତରକୁ ଭାସିଯାଉଥିବା ମନକୁ ପୁଣି ଥରେ ଏକତ୍ରିତ କରିଦିଏ । ବଦଳିଯାଉଥିବା ସମୟର ସ୍ଵର, ମୂଲ୍ୟବୋଧର କଥା ଓ ଅଗାଧ ବିଶ୍ଵାସରେ ଭରପୁର କେତେକ ଚରିତ୍ର ମଧ୍ୟରେ ଭାବନାର ଭିନ୍ନ ଭିନ୍ନ ସ୍ତରର ଏକତ୍ର ସମାବେଶ ଦୃଷ୍ଟିଗୋଚର ହୁଏ । ଏଥିରେ ସନ୍ନିବେଶିତ ହୋଇଥିବା ଗଳ୍ପଗୁଡ଼ିକ ମଧ୍ୟରେ ଶୀତଲହରୀ, ଇନ୍ଦିରା, ନିଧନ, ସୁଡ଼ଙ୍ଗ, ରାଜବେଶ, ଖେଳସରି ନାହିଁ, ବନ୍ୟା ଓ ଟୁରଣା, ଆପଣାସୁନା, ଧବଳଟଗର ଓ ଧୋରେ ବାୟା ଧୋ ପ୍ରଭୃତି ପ୍ରଧାନ ।

 

‘ଶୀତଲହରୀ’ ଗଳ୍ପର ନାମ ଅନୁସାରେ ସଙ୍କଳନଟି ନାମିତା ଗଳ୍ପନାୟକ କାର୍ତ୍ତିକ ବାବୁଙ୍କ ଜୀବନ ସମ୍ପର୍କୀୟ ଅଭିଜ୍ଞତା ଓ ଅନୁଭୂତିକୁ ପାଥେୟ କରି ଏ ଗଛ ରଚିତ । ବୟୋଜ୍ୟେଷ୍ଠ ଓ ଉଦାରତା ଅଟନ୍ତି କାର୍ତ୍ତିକବାବୁ । ତାଙ୍କ ପରିବାରରେ ଏକଦା ଗହଳ ଚହଳ ଲାଗି ରହିଥିଲା । ହୋ ହାଲ୍ଲାରେ ଘର ପୂରି ଉଠୁଥିଲା । ପିଲାମାନେ ଦେଶ ବିଦେଶରେ ପ୍ରତିଷ୍ଠିତ ଓ ପତ୍ନୀଙ୍କ ତିରୋଧାନ ହେତୁ ଘର ଆଜି ଖାଁ ଖାଁ, କୋକୁଆ ଭୟ । ସବୁ ନୀରବ, ନିଷ୍ପନ୍ଦ । ପରିଣତ ବୟସରେ ପହଁଚି ନିଃସଙ୍ଗ ରହୁଥିଲେ ମଧ୍ୟ କାର୍ତ୍ତିକବାବୁ ମନେକରନ୍ତି ସେ ସୁସ୍ଥ ଓ ପରମୁଖାପେକ୍ଷୀ ନୁହନ୍ତି । ପଡ଼ୋଶୀ ସଦାବିହାରୀ ବାବୁ ବହୁ କୁଟୁମ୍ୱୀ ଓ ତାଙ୍କର ପତ୍ନୀ ରୁଗ୍ଣା । ସେ ଡି. ଏସ୍.ପି. ଭାବରେ କାର୍ଯ୍ୟ କରି ସମ୍ପ୍ରତ୍ତି ଅବସର ନେଇଛନ୍ତି । ପତ୍ନୀଙ୍କ ସ୍ୱାସ୍ଥ୍ୟ ଖରାପ ନେଇ ସେ ଚିନ୍ତିତ । ସ୍ୱାସ୍ଥ୍ୟ ନିମିତ୍ତ ସପରିବାର ପୁରୀ ଆସିବା ଅବସରରେ ସଦାବିହାରୀ ବାବୁଙ୍କ ପିଲାମାନଙ୍କ ସହିତ ପରିଚୟ ସମୟରେ ସେ ମାଳିନୀ ନାମ୍ନୀ କିଶୋରୀର ଚଞ୍ଚଳତାରେ ଆକୃଷ୍ଟ ହୋଇଛନ୍ତି । ଛୁଟି କଟାଇବାକୁ ଆସିଥିବା ନିଜ ନାତି ରମୁର ଅନାସକ୍ତ ଜୀବନଧାରା ଉପରେ ମନ୍ତବ୍ୟ ଦେଇଛନ୍ତି । ଏକ ଷ୍ଟାମ୍ପ ଆଲବମ୍ ସେ ମାଳିନୀକୁ ଉପହାର ଦେଇଛନ୍ତି । କିନ୍ତୁ ପରମୁହୂର୍ତ୍ତରେ ସେ ରମୁ ସହିତ ମାଳିନୀକୁ ସମୁଦ୍ର କୂଳରେ ଆବିଷ୍କାର କରି ତଟସ୍ଥ ହୋଇଛନ୍ତି । ପୁନଶ୍ଚ ଖୁବ୍ କମ୍ ଦିନ ପରେ ସମୁଦ୍ର କୂଳରେ ଏକାକୀ ରମୁକୁ ଚିନ୍ତାଗ୍ରସ୍ତ ଦେଖି ସେ ବୁଝି ପାରିଛନ୍ତି ଯେ ମାଳିନୀ ପୁରୀ ଛାଡ଼ିଯାଇଛି । ଏଥିରେ ସେ କିନ୍ତୁ ବିବ୍ରତ ନୁହନ୍ତି । କାରଣ ଏ ଧରଣର ପ୍ରେମର ଚିରସ୍ଥାୟିତ୍ୱ ଉପରେ ସେ ଆଦୌ ବିଶ୍ଵାସ କରନ୍ତି ନାହିଁ ।

 

‘ନିଧନ’ ଗଳ୍ପ ସାମ୍ବାଦିକ ରଜନୀ ସାମନ୍ତ ଓ ତାଙ୍କର ପତ୍ନୀ ପ୍ରତିଭା ସାମନ୍ତଙ୍କୁ ନେଇ ରଚିତ । ‘ସୁଡ଼ଙ୍ଗ’ ଗଳ୍ପରେ ଓଡ଼ିଆ ଶ୍ରମିକର ଦୀନହୀନ ଜୀବନ ଯାତ୍ରାର ପ୍ରତିଚ୍ଛବି ପରିବେଷିତ ହୋଇଛି । ୧୮ ନମ୍ବର ଶାନ୍ତନୁବାଗ୍ର ପିଲାଖେଳକୁ ନେଇ ‘ଖେଳ ସରିନାହିଁ’ ଗଳ୍ପ ରଚିତ ଧୋରେ ବାୟା ଧୋ’ ସାମ୍ପ୍ରତିକ ରାଜନୀତିକୁ ଭିତ୍ତିକରି ରଚିତ । ବିଶେଷକରି ସହରୀ ମଣିଷର ଜୀବନ ପ୍ରତି ଦୃଷ୍ଟିଭଙ୍ଗୀ, ଜଟିଳ ଓ ସୂକ୍ଷ୍ମ ମନସ୍ତତ୍ତ୍ୱ, ରାଜନୀତି ସଚେତନତାକୁ କେନ୍ଦ୍ରକରି ଗଳ୍ପ ଗୁଡ଼ିକ ଯେ ସୁଖପାଠ୍ୟ ଓ ବେଶ୍ ବଳିଷ୍ଠ ଏଥିରେ ସନ୍ଦେହ ନାହିଁ ।

 

ତାଙ୍କର ପୁରସ୍କୃତ ପୁସ୍ତକ ‘ଭିନ୍ନ ପାଉଁଶ’ରେ ମଧ୍ୟବିତ୍ତ ମଣିଷ ଜୀବନର ଚିତ୍ର ଓ ଓଡ଼ିଶା ଭିନ୍ନ ଅନ୍ୟ ପ୍ରାନ୍ତରର ଜୀବନର ଚିତ୍ର ମଧ୍ୟ କେତୋଟି ଗଳ୍ପରେ ପ୍ରତିଭାତ । ଏହି ସଙ୍କଳନଟିରେ ଏଗାର ଗୋଟି ଗଳ୍ପ ସନ୍ନିବେଶିତ ଓ ଏହାର ୧୯୮୪ ମସିହାରେ ପ୍ରକାଶିତ । ଏଥିରେ ସ୍ଥାନିତ ହୋଇଥିବା ଗୋଟିଏ ଗଳ୍ପର ନାମାନୁସାରେ ସଙ୍କଳନଟିର ନାମକରଣ ଯେ କରାଯାଇଛି ଏହା ନିଃସନ୍ଦେହ ।

 

‘ଭିନ୍ନ ପାଉଁଶ’ ଗଳ୍ପରେ ଜଣେ, ଅଷ୍ଟ୍ରେଲିଆନ୍ ଝିଅ ମ୍ୟାରିଲିନର ଭାରତରେ ମୃତ୍ୟୁ ହେବା ଓ ତାର ପାଉଁଶକୁ ସଂଗ୍ରହ କରି ତା’ ନିକଟରେ ପହଞ୍ଚାଇ ଦେବାର ଦାୟିତ୍ୱ, ସମ୍ପର୍କୀୟାଙ୍କ ଆବେଗ ବେଶ୍ ହୃଦ୍ୟ । ପନ୍ଦର ବର୍ଷ ଲାୱାରିସ୍‌ର ଯେଉଁ ପାଉଁଶ, ହୁଏତ ପଇଁତିରିଶ ବର୍ଷିଆ ମ୍ୟାରିଲିନର ସେଇ ପାଉଁଶ । ଦେହ ପୋଡ଼ିଗଲେ ପାଉଁଶର ଆଉ ପରିଚୟ କ’ଣ ? ସବୁ ପାଉଁଶ ସମାନ । ତେଣୁ ମ୍ୟାରିଲିନର ବୁଢ଼ୀମାଆକୁ ଭୁଲାଇ ଦେବାର ପ୍ରଶ୍ନ କେଉଁଠି ? ପାପ କେଉଁଠି ? ପାଉଁଶ ! ଭିନ୍ନ ପାଉଁଶ ବା କିଏ ? ଭଗବାନଙ୍କ ଦୃଷ୍ଟିରେ ସବୁ ଆତ୍ମା ସମାନ । ଯୁଗେ ଯୁଗେ ଭାରତବର୍ଷ ଶାନ୍ତି ଓ ମୁକ୍ତିର ପୀଠ ଭୂମି । ସେଇ ବିଶ୍ୱାସରେ ଦେଶ ବିଦେଶରୁ ସମୁଦ୍ର ପାରି ହୋଇ ଏଠିକି ପର୍ଯ୍ୟଟକ ଆସନ୍ତି । ଭାରତୀୟ ମନ୍ତ୍ରରେ ଦୀକ୍ଷିତ ହେବା ସଙ୍ଗେ ଏଠାରେ ଇହଲୀଳା ସମ୍ବରଣ କରିବାକୁ ମଧ୍ୟ ଶ୍ରେୟ ମଣିଥାନ୍ତି । ଯେଉଁ ବିଶ୍ୱାସ ଅଷ୍ଟ୍ରେଲିଆନ୍ ଝିଅ ମ୍ୟାରିଲିନର ବଦ୍ଧପରିକର ଥିଲା-

 

‘ଚିତ୍ରାଙ୍ଗଦାର ଚିଟାଉ’ ଗଳ୍ପ ମଣିପୁରକୁ କେନ୍ଦ୍ରକରି ପରିକଳ୍ପିତ ଓ ପରିପୁଷ୍ଟ । ତାଙ୍କ ଲେଖନୀକୃତ ଏବଂ ଅତିରିକ୍ତ ଗଳ୍ପର କଥାବସ୍ତୁ ସମ୍ପୂର୍ଣ୍ଣ ପାରିବାରିକ ହେଲେ ହେଁ ସାମ୍ପ୍ରତିକ ଯୁବମାନସର ପ୍ରତିକ୍ରିୟା ଏଥିରେ ପ୍ରତିଫଳିତ । ମଣିଷ ଜୀବନରେ ଢେର ପ୍ରତିପତ୍ତିଶାଳୀ ହୋଇପାରେ ସତ, ମାତ୍ର ଜାତୀୟତା ଜୀବନର ସଙ୍ଗଠନ କ୍ଷେତ୍ରରେ ଅଂଶୀଦାର ହୋଇନଥିଲେ, ସେ ହୋଇଯାଏ ଅଫାକ୍ତେୟ । କିନ୍ତୁ ଯେଉଁମାନଙ୍କର ପରକୁ ଆପଣାର କରିବାର ଶକ୍ତି ଥାଏ ଅତ୍ୟଧିକ ଓ ମନବଳ ଥାଏ ଉତ୍ସର୍ଗୀକୃତ, ତ୍ୟାଗମୟ; ସେ ହୋଇଯାଆନ୍ତି ଅବିସ୍ମରଣୀୟ । ଏହିଭଳି ଏକ ଚିନ୍ତାଧାରାକୁ ଆଧାର କରି ତାଙ୍କ ସଂରଚିତ ଏବଂ ଅତିରିକ୍ତ ଗଳ୍ପ । ଏହା ଇସ୍ତାହାର’ର ପୂଜାସଂଖ୍ୟା, ୧୯୮୩ରେ ମଧ୍ୟ ପ୍ରକାଶ ପାଇଥିଲା ।

 

ତାଙ୍କ ଗଳ୍ପ ଜଗତ ଉପରେ ଆଲୋଚନା କରିବାକୁ ଯାଇ ଅଧ୍ୟାପକ ବୃନ୍ଦାବନ ଚନ୍ଦ୍ର ଆଚାର୍ଯ୍ୟ କହନ୍ତି- “ଅବଚେତନ ମନର ସୂକ୍ଷ୍ମାତିସୂକ୍ଷ୍ମ ବିଶ୍ମେଷଣ ଓ ମନସ୍ତାତ୍ତ୍ୱିକ ଚିତ୍ରଣ କିଶୋରୀ ଚରଣଙ୍କ ଗଳ୍ପ ଗୁଡ଼ିକର ବିଶେଷତ୍ଵ । ଆଧୁନିକ ମଣିଷ ମନର କଠୋରତା ଓ ସ୍ନେହ ମମତାହୀନ ପରିବାର ପରିସର ମଧ୍ୟରେ ମୂଲ୍ୟବୋଧହୀନ, ବ୍ୟଥିତ, ବିକଳାଙ୍ଗ ନାରୀ ପୁରୁଷର ମନସ୍ତାତ୍ତ୍ୱିକ ବିଶ୍ଳେଷଣରେ ତାଙ୍କର ସଫଳତା ନିହିତ । ସାମାଜିକ ଓ ପାରିବାରିକ ଜୀବନର ନାନା ବିଚିତ୍ର ଅନୁଭୂତି ତାଙ୍କ ଗଳ୍ପ ଗୁଡ଼ିକର ଉପଜୀବ୍ୟ । ତାଙ୍କ ଗଳ୍ପର ଚରିତ୍ରସବୁ ବୌଦ୍ଧିକତା-ପୀଡ଼ିତ, ଆତ୍ମସଚେତନ ଏବଂ ଅହଂପ୍ରବଣ । ଆଧୁନିକ ମଣିଷର ଅସହାୟତା, ନିଃସଙ୍ଗତା ଓ ଦୁର୍ବଳତା ତାଙ୍କ ଗଳ୍ପଗୁଡ଼ିକରେ ନିଖୁଣ ଭାବରେ ଚିତ୍ରିତ । ଆହରଣଗତ କୃତ୍ରିମତା ଅପେକ୍ଷା ସହଜ ସରଳ ନିଜସ୍ୱତାରେ ଋଦ୍ଧିମନ୍ତ ଏକ ଅନାଡମ୍ବର ଗଳ୍ପଶୈଳୀ ତାଙ୍କର ବିଶେଷତ୍ୱ ଓ ଏହା ଯେପରି ମଧୁର, ସେହିପରି ଅନାବିଳ ସମ୍ଭ୍ରାନ୍ତ ।’’ (ଓଡ଼ିଆ ସାହିତ୍ୟର ସଂକ୍ଷିପ୍ତ ପରିଚୟ, ପୃ. ୨୮୨)

 

ଶ୍ରୀ ଦାସ ୧୯୪୨ ମସିହାରେ ରେଭେନ୍‌ସା କଲେଜରୁ ସର୍ବୋତ୍କୃଷ୍ଟ ଗ୍ରାଜୁଏଟ୍ ଭାବେ ଉତ୍ତୀର୍ଣ୍ଣ ହେବା ପରେ ୧୯୪୪ରେ ପାଟଣା ବିଶ୍ୱବିଦ୍ୟାଳୟରୁ ପ୍ରଥମ ଶ୍ରେଣୀ ଏମ.ଏ.ଇତିହାସରେ ପାସ୍ କରିଥିଲେ । ୧୯୪୭ ମସିହାରେ ଓଡ଼ିଶା ଆଡମିନ୍‌ଷ୍ଟ୍ରେଟିଭ୍ ଚାକିରିରେ ନିଯୁକ୍ତି ପାଇଥିଲେ । ତତ୍ପରେ ପରେ ସେ ବିଖ୍ୟାତ କଂଗ୍ରେସ ନେତା ତଥା ସଂସଦସଭ୍ୟ ସ୍ୱାମୀ ଭୁବନାନନ୍ଦ ଦାସଙ୍କ କନ୍ୟା କୁମାରୀ ଦେବୀଙ୍କୁ ବିବାହ କରିଥିଲେ । ୧୯୫୦ରେ ସର୍ବ ଭାରତୀୟ ପରୀକ୍ଷା ମାଧ୍ୟମରେ ଇଣ୍ଡିଆନ୍ Audit and Accounts ଚାକିରିରେ ଯୋଗଦାନ କରିଥିଲେ । କର୍ମଜୀବନରେ ସେ ଦେଶ ବିଦେଶରେ ବହୁ ଉଚ୍ଚ ପଦପଦବୀରେ ଅବସ୍ଥାପିତ ହୋଇ କଲିକତା, ଦିଲ୍ଲୀ, ଲଣ୍ଡନ ଓ ନିୟୁୟର୍କ ଆଦିନାନା ସ୍ଥାନରେ କାର୍ଯ୍ୟ କରି ବହୁ ଅନୁଭୂତି ସଂଚୟ କରିଥିଲେ । ୧୯୮୦ ଅଷ୍ଟ୍ରେଲିଆର ଆଡ଼ିଲେଡଠାରେ ଅନୁଷ୍ଠିତ ଆନ୍ତର୍ଜାତିକ ଲେଖକ ସପ୍ତାହରେ ଭାରତର ପ୍ରତିନିଧିତ୍ୱ କରିଥିଲେ । ୧୯୮୨ ମସିହାରେ Additional deputy controller ଏବଂ A.G. India ନୂଆ ଦିଲ୍ଲୀ ପଦବୀରୁ ଅବସର ଗ୍ରହଣ କରି କଟକଠାରେ ସ୍ଥାୟୀ ଭାବରେ ରହି ଆସୁଥିଲେ । ସେ ଥିଲେ ଜଣେ ଦକ୍ଷ ଓ ସଚ୍ଚୋଟ ଅଫିସର । ଓଡ଼ିଆ ଭାଷା ସାହିତ୍ୟର ଶ୍ରୀବୃଦ୍ଧି ସାଧନ ନିମନ୍ତେ ଲେଖାଲେଖି କରିବା ସାଙ୍ଗକୁ ବହୁ ସାଂସ୍କୃତିକ ଅନୁଷ୍ଠାନର ଆନୁଷ୍ଠାନିକ କାର୍ଯ୍ୟରେ ଦିଗ୍‌ଦର୍ଶନ ମଧ୍ୟ ଦେଉଥିଲେ । ପିଲାଦିନୁ ସାହିତ୍ୟ ପ୍ରତି ତାଙ୍କର ଏକ ଅନୁରାଗ ଥିଲା । ସେ ରଚନା କରୁଥିବା ଗଳ୍ପ, କବିତା ଗୁଡ଼ିକ ସେହି ସମୟରେ ନବୀନ, ଶଙ୍ଖ, ସହକାର, ଚତୁରଙ୍ଗ ଇତ୍ୟାଦି ପତ୍ରିକାରେ ପ୍ରକାଶିତ ହେଉଥିଲା । ୧୨.୭.୯୪ ଠାରୁ ୧୨.୭.୯୭ ପର୍ଯ୍ୟନ୍ତ ସେ ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଭାବେ କାର୍ଯ୍ୟ କରିଥିଲେ । ତାଙ୍କ ପ୍ରଥମ ଗଳ୍ପ ସଙ୍କଳନ ‘ଭଙ୍ଗା ଖେଳନା’ ୧୯୬୧ ମସିହାରେ ପ୍ରକାଶିତ ହୋଇଥିଲା ।

 

ତାଙ୍କ ଲେଖନୀକୃତ ଗଳ୍ପ ଗ୍ରନ୍ଥ ମଧ୍ୟରେ- ଭଙ୍ଗା ଖେଳନା, ଘରବାହୁଡ଼ା, ଲକ୍ଷ ବିହଙ୍ଗ, ମଣିହରା, ଠାକୁର ଘର, ନାଲିଗୁଲୁଗୁଲୁ ସାଧବ ବୋହୂ, ଭିନ୍ନ ପାଇଁଶ, ଶୀତ ଲହରୀ ଓ ଇଂରାଜୀରେ Death of an Indian and other stories’’ ପ୍ରକାଶିତ । ଉପନ୍ୟାସ ମଧ୍ୟରେ- ସାତଦିନର ସତୀ, ନେତା ଓ ନେତ୍ରମଣି, ସକଳ ସନ୍ତାନ, ସ୍ଵର୍ଗସୀମା, ବିଦେଶିନୀ, ଶେଷଅଙ୍କ ପ୍ରଥମ ଦୃଶ୍ୟ ଅନ୍ୟତମ । ଭ୍ରମଣ କାହାଣୀ- ଚେନାଏ ପୃଥିବୀ, ଚିରୁଡ଼ାଏ ଘର । ସମାଲୋଚନା- ଲେଖକର ସଂସାର । କବିତା ସଙ୍କଳନ ମିନି-କାମନା । ଏତଦ୍‌ବ୍ୟତୀତ ‘ଘାସଫୁଲ’ ଛଦ୍ମ ନାମରେ କେତେକ କବିତା ‘ଝଙ୍କାର’ ଓ ‘ଜୀବନରଙ୍ଗ’ରେ ପ୍ରକାଶିତ । ‘ମଶାଣିଫୁଲ ଏବଂ ଅନ୍ୟାନ୍ୟ ଗଳ୍ପ’ ସଚ୍ଚି ରାଉତରାୟଙ୍କ ୩୧ ଟି ଗଳ୍ପର ସଙ୍କଳନ ମଧ୍ୟ କରିଥିଲେ । ଏ ସମସ୍ତ ଆଧୁନିକ ଓଡ଼ିଆ ସାହିତ୍ୟର ଗୋଟିଏ ଗୋଟିଏ ମାଇଲଖୁଣ୍ଟ ।

 

ସେ ଥିଲେ ସରଳ, ନିଷ୍କପଟ ଓ ମଣିଷପରି ମଣିଷଟିଏ । ୧୯୮୨ରେ ସରକାରୀ ଚାକିରିରୁ ଅବସର ନେଇଥିଲେ ସୁଦ୍ଧା ଶେଷ ନିଃଶ୍ୱାସ ତ୍ୟାଗ ପର୍ଯ୍ୟନ୍ତ ସାହିତ୍ୟ ସାଧନାରେ ବ୍ରତୀ ଥିଲେ । ସାହିତ୍ୟର ପ୍ରାୟ ପ୍ରତ୍ୟେକ ବିଭାଗରେ ସେ ଲେଖନୀ ଚାଳନା କରିଥିଲେ । ତାଙ୍କର ଅପ୍ରକାଶିତ ରଚନାବଳୀ ଲୋକଲୋଚନକୁ ଆସିବା ଉଚିତ । ଆଜି ସେ ଆମରି ଗହଣରେ ନାହାନ୍ତି ସତ, ହେଲେ ରଖିଦେଇ ଯାଇଛନ୍ତି ଚିରନ୍ତନ ସ୍ମୃତି । ତାଙ୍କ ଭଳି ଯଶସ୍ୱୀ, କାଳଜୟୀ ଶିଳ୍ପୀ ବାସ୍ତବରେ ଅମର ।

 

ଏମ୍. ଆଇ.ଜି.ୱାନ୍, ୪୨/୧,

ଚନ୍ଦ୍ରଶେଖର ପୁର ହାଉସିଂ ବୋର୍ଡ କଲୋନୀ,

ଭୁବନେଶ୍ୱର-୧୬

***

 

ଏକାଡେମୀ ସମାଚାର

 

ପ୍ରଖ୍ୟାତ ଗାଳ୍ପିକ ଅଚ୍ୟୁତାନନ୍ଦ ପତିଙ୍କ ସହ ସାକ୍ଷାତ୍‌କାର କାର୍ଯ୍ୟକ୍ରମ ଆୟୋଜିତ :

ଭୁବନେଶ୍ୱର, ୮।୧୧ : ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ପ୍ରଖ୍ୟାତ ଗାଳ୍ପିକ ତଥା ବରେଣ୍ୟ ସାରସ୍ୱତ ସାଧକ ଶ୍ରୀ ଅଚ୍ୟୁତାନନ୍ଦ ପତିଙ୍କ ସହିତ ଏକ ଲେଖକ ସାକ୍ଷାତକାର କାର୍ଯ୍ୟକ୍ରମ ଏକାଡେମୀର ସଭାପତି ବିଶିଷ୍ଟ କବି ଶ୍ରୀ ଦୀପକ ମିଶ୍ରଙ୍କ ସଭାପତିତ୍ୱରେ ଏକାଡେମୀ ସଭାଗୃହରେ ତା ୬.୧୧.୨୦୦୪ ରିଖ ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି ।

 

ଉକ୍ତ ସାରସ୍ୱତ ଅନୁଷ୍ଠାନରେ ଓଡ଼ିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ବରିଷ୍ଠ ସାହିତ୍ୟିକ ଶ୍ରୀ ସହଦେବ ସାହୁ ମୁଖ୍ୟ ଅତିଥି, ବରିଷ୍ଠ ପ୍ରଶାସକ ତଥା ସଂସ୍କୃତିବିଦ୍ ଶ୍ରୀ ମଧୁସୂଦନ ପାଢ଼ୀ ଆଇ. ଏ. ଏସ୍., ନିର୍ଦ୍ଦେଶକ, ପର୍ଯ୍ୟଟନ ଓ ସଂସ୍କୃତି ସମ୍ମାନନୀୟ ଅତିଥି । ଯୁବ ସାହିତ୍ୟିକ, କଥାକାର ତଥା ସମାଲୋଚକ ଡକ୍ଟର ପ୍ରକାଶ କୁମାର ପରିଡ଼ା ଓ ବିଶିଷ୍ଟ କବି, ଶିକ୍ଷାବିତ୍ ଡକ୍ଟର ଶତ୍ରୁଘ୍ନ ପାଣ୍ଡବ ସଂଯୋଜକ ଭାବରେ ଯୋଗଦାନ କରି ଶ୍ରୀ ଅଚ୍ୟୁତାନନ୍ଦ ପତିଙ୍କ ସାରସ୍ୱତ ସାଧନା ତଥା ସିଦ୍ଧି ସମ୍ପର୍କିତ ବିଭିନ୍ନ ଦିଗ ଉପରେ ପ୍ରଶ୍ନମାନ ଉତ୍‍ଥାପନ କରିଥିଲେ ।

 

ପ୍ରାରମ୍ଭରେ ମୁଖ୍ୟ ଅତିଥି ଶ୍ରୀ ସହଦେବ ସାହୁ ପ୍ରଦୀପ ପ୍ରଜ୍ୱଳନ କରି ସାରସ୍ଵତ ଆସରଟିକୁ ଉଦ୍‌ଘାଟନ କରିଥିଲେ । ଏକାଡେମୀର ସମ୍ପାଦକ ତଥା ବିଶିଷ୍ଟ ଗାଳ୍ପିକ ଶ୍ରୀ ଚନ୍ଦ୍ରଶେଖର ଦାସବର୍ମା ଅତିଥିମାନଙ୍କର ପରିଚୟ ପ୍ରଦାନ କରି ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ-। ସେ ତାଙ୍କର ଅଭିଭାଷଣରେ ଏକାଡେମୀ ପକ୍ଷରୁ ଆଗାମୀ ଦିନମାନଙ୍କରେ ଅନୁଷ୍ଠିତ ହେବାକୁ ଥିବା ସାରସ୍ୱତ କାର୍ଯ୍ୟକ୍ରମମାନଙ୍କ ସମ୍ପର୍କରେ ଆଲୋକପାତ କରିଥିଲେ ।

 

ଉତ୍ସବର ସମ୍ମାନୀୟ ଅତିଥି ସଂସ୍କୃତି ନିର୍ଦ୍ଦେଶକ ଶ୍ରୀ ମଧୁସୂଦନ ପାଢ଼ୀ ଏକାଡେମୀର କାର୍ଯ୍ୟାବଳୀ ସମ୍ପାଦନରେ ଅର୍ଥ ଅନ୍ତରାୟ ସୃଷ୍ଟି କରିବ ନାହିଁ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ । ଏହି ଭଳି କାର୍ଯ୍ୟକ୍ରମମାନ ଆୟୋଜନ କରି ସାଂସ୍କୃତିକ ଧାରାକୁ ପ୍ଳାବିତ କରିବା ପାଇଁ ସେ ଏକାଡେମୀକୁ ପରାମର୍ଶ ଦେଇଥିଲେ ।

 

ମୁଖ୍ୟ ଅତିଥି ଶ୍ରୀ ସହଦେବ ସାହୁ ଶ୍ରୀ ପତିଙ୍କୁ ଓଡ଼ିଆ କଥାସାହିତ୍ୟର ଜଣେ ଅନନ୍ୟ ସାଧକଭାବରେ ଚିତ୍ରଣ କରି ତାଙ୍କ ଲେଖନୀରେ ସମାଜର ବାସ୍ତବଚିତ୍ର କିଭଳି ପରିସ୍ଫୁଟ ହୋଇଛି ତାହା ବିଶଦ୍‌ଭାବରେ ବର୍ଣ୍ଣନା କରିଥିଲେ ।

 

ସଂଯୋଜକ ଦ୍ୱୟ ଗାଳ୍ପିକ ଶ୍ରୀ ପତିଙ୍କ ସାରସ୍ୱତ ସାଧନା, କୃତି ଓ କୀର୍ତ୍ତି ତଥା ଜୀବନାଦର୍ଶ ସମ୍ପର୍କରେ ଟିକିନିକି ବିଶ୍ଳେଷଣ କରି ପ୍ରଶ୍ନମାନ ଉତ୍ଥାପନ କରିଥିଲେ । ଶ୍ରୀ ପତି ଏହି ସାରସ୍ୱତ ସମ୍ପର୍କିତ ଜିଜ୍ଞାସାଗୁଡ଼ିକର ଉତ୍ତର ଅତି ସାବଲୀଳ ଓ ମନୋଜ୍ଞ ଢଙ୍ଗରେ ନିଚ୍ଛକ ଘଟଣାବଳୀର ଅବତାରଣା କରି ଉତ୍ତର ଦେଇଥିଲେ ।

 

ଉତ୍ସବରେ ପୌରୋହିତ୍ୟ କରି ବିଶିଷ୍ଟ କବି ତଥା ଏକାଡେମୀର ସଭାପତି ଶ୍ରୀ ଦୀପକ ମିଶ୍ର ଏହିଭଳି କାର୍ଯ୍ୟକ୍ରମମାନ ଆୟୋଜନ କରାଗଲେ ଲେଖକଙ୍କ ସହିତ ପାଠକର ସମ୍ପର୍କ ଆହୁରି ନିବିଡ଼ତର ହେବ ଏବଂ ପାଠକୀୟ ରୁଚି ମୁତାବକ ଲେଖକମାନେ ଯତ୍ନଶୀଳ ହେବେ ବୋଲି ମତ ପ୍ରଦାନ କରିଥିଲେ ।

 

ଏହି ଅବସରରେ ଏକାଡେମୀର ଚାରିଗୋଟି ପୁସ୍ତକ ଯଥାକ୍ରମେ : ଓଡ଼ିଆ ଲେଖକ ପରିଚୟ, କୃଷ୍ଣ ଚରିତ, ଆତ୍ମାଭୋଗ ଓ ଫଟୋ ଏବଂ କୋଣାର୍କ ପତ୍ରିକାର ୧୩୪ତମ ସଂଖ୍ୟା ଉନ୍ମୋଚନ ହୋଇଥିଲା ।

 

ପରିଶେଷରେ ଏକାଡେମୀର ସହସମ୍ପାଦକ ଶ୍ରୀ ଅତ୍ରାହୀ ଭଞ୍ଜନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ସାହିତ୍ୟିକ, ସାମ୍ବାଦିକ ତଥା ପାଠକ ଯୋଗଦାନ କରି ଅଚ୍ୟୁତାନନ୍ଦଙ୍କ ସହିତ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମଟିକୁ ଉପଭୋଗ କରିଥିଲେ ।

 

ଡକ୍ଟର ମାୟାଧର ମାନସିଂହ ଜୟନ୍ତୀ

ଓଡ଼ିଶା ସାହିତ୍ୟ ଏକାଡେମୀ ଓ ମାନସିଂହ ପାଠାଗାର, ନନ୍ଦଳାଙ୍କ ମିଳିତ ଆନୁକୁଲ୍ୟରେ ସାରସ୍ୱତ ସାଧକ ଡକ୍ଟର ମାୟାଧର ମାନସିଂହଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ ଅବସରରେ ତା ୧୩.୧୧.୨୦୦୪ ରିଖ ଅପରାହ୍ନ ୩ ଘଣ୍ଟା ସମୟରେ ନନ୍ଦଳାସ୍ଥିତ ମାୟାଧର ମାନସିଂହ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଏକ ସାରସ୍ୱତ ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଏକାଡେମୀର ସମ୍ପାଦକ ଚନ୍ଦ୍ରଶେଖର ଦାସବର୍ମା ମାନସିଂହଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇ ଏକାଡେମୀର କାର୍ଯ୍ୟ ପ୍ରଣାଳୀ ଉପରେ ସମ୍ୟକ୍ ସୂଚନା ସହ ଉପସ୍ଥିତ ଅତିଥିମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।

 

ସମ୍ମାନିତ ବକ୍ତା ‘‘ଚିର ସନ୍ଧାନ’ର ସମ୍ପାଦକ ଅଧ୍ୟାପକ ପାର୍ଥସାରଥି ଅଜୟ ବାରିକ୍, ବାଲ୍ଲୀକି ରାମାୟଣ, ଶ୍ରୀମଦ୍ ଭାଗବତ ଓ ଇଂରାଜୀ କବି ଓ୍ୱାର୍ଡସ୍ ଓ୍ୱାର୍ଥଙ୍କ ଲେଖନୀରୁ ବହୁ ଅଂଶ ଉଦ୍ଧାର କରି କବି ମାନସିଂହଙ୍କ ବିଷୟରେ ଏକ ତୁଳନାତ୍ମକ ଆଲୋଚନା ସହ ଉପସ୍ଥିତ ଜନତାଙ୍କୁ ମୁଗ୍ଧ କରାଇଥିଲେ । ଅନ୍ୟତମ ବକ୍ତା ଡକ୍ଟର ପ୍ରସନ୍ନ କୁମାର ସ୍ୱାଇଁ ମାନସିଂହଙ୍କୁ ଜଣେ ପ୍ରେମ ପ୍ରଣୟର କବି ବୋଲି କହିଥିଲେ । ଶିକ୍ଷାବିତ୍ ବାନାମ୍ବର ଜେନାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ଶ୍ରୀ କେଦାରନାଥ ଦାସ ଓ ସ୍କୁଲର ଛାତ୍ରଛାତ୍ରୀମାନେ ଭାଷଣ ପ୍ରଦାନ କରିଥିଲେ । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

 

ଶ୍ରୀପାଦ ବଳଦେବ ବିଦ୍ୟାଭୂଷଣ ଜୟନ୍ତୀ

ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ରେମୁଣା ସାହିତ୍ୟ ସଂସଦଙ୍କ ସହଯୋଗରେ ଭାଷ୍ୟକାର ଶ୍ରୀପାଦ ବଳଦେବ ବିଦ୍ୟାଭୂଷଣଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ ପାଳନ ଅବସରରେ ତା ୨୦.୧୧.୨୦୦୪ ରିଖ ପବିତ୍ର ଅଁଳା ନବମୀ ଦିନ ଅପରାହ୍ନ ୩ଘଣ୍ଟା ସମୟରେ ରେମୁଣା ହାଇସ୍କୁଲ ପରିସରରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି ।

 

ଏହି ସାରସ୍ୱତ ସଭାରେ ସ୍ଥାନୀୟ ବିଧାୟକ ଶ୍ରୀ ପ୍ରତାପଚନ୍ଦ୍ର ଷଡ଼ଙ୍ଗୀ ମୁଖ୍ୟ ଅତିଥି, ପ୍ରଫେସର ଶ୍ରୀ ରାଜକିଶୋର ମିଶ୍ର ସମ୍ମାନୀୟ ଅତିଥି, ଡକ୍ଟର ଶ୍ରୀଚରଣ ଦାସ ମୁଖ୍ୟବକ୍ତା ଓ ଡକ୍ଟର ଭାଗବତ ପ୍ରସାଦ ଦାସ ସମ୍ମାନୀୟ ବକ୍ତା ଭାବରେ ଯୋଗଦାନ କରି ବଳଦେବ ବିଦ୍ୟାଭୂଷଣଙ୍କ ସଂସ୍କୃତ ସାହିତ୍ୟରେ ଥିବା ପାଣ୍ଡିତ୍ୟ ତଥା ଭାଷ୍ୟ ରଚନା ସମ୍ୱନ୍ଧରେ ଆଲୋଚନା କରିଥିଲେ ।

 

ଶ୍ରୀ ଦୟାଲଚନ୍ଦ୍ର ଦାଶ ଏହି ସଭାରେ ପୌରୋହିତ୍ୟ କରିଥିଲେ । ଏକାଡେମୀର ସମ୍ପାଦକ । ଶ୍ରୀ ଚନ୍ଦ୍ର ଶେଖର ଦାସବର୍ମା ପ୍ରାରମ୍ଭିକ ସୂଚନା ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ।

 

ଜାତୀୟ କବି ବୀରକିଶୋର ଜୟନ୍ତୀ

ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଜାତୀୟ କବି ବୀରକିଶୋର ସ୍ମୃତି ସମିତିଙ୍କ ମିଳିତ ଆନୁକୂଲ୍ୟରେ ତା ୨୩.୧ ୧.୨୦୦୪ରିଖ ସନ୍ଧ୍ୟା ୫ ଘଣ୍ଟା ସମୟରେ ଜାତୀୟ କବି ବୀରକିଶୋରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ ଅବସରରେ ପୁନଙ୍ଗସ୍ଥ ଜାତୀୟ କବି ବୀରକିଶୋର ସ୍ମୃତି ଉଦ୍ୟାନ, ଚାରିପୋଲିଆଠାରେ ଏକ ସାରସ୍ଵତ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି ।

 

ଏହି ଉତ୍ସବରେ ଓଡ଼ିଶା ସାହିତ୍ୟ ଏକାଡେମୀ ସାଧାରଣ ପରିଷଦର ସଦସ୍ୟ ଇଂଜିନିୟର ପ୍ରଭାକର ସ୍ୱାଇଁ ଓ ଡକ୍ଟର ହୁସେନ୍ ରବି ଗାନ୍ଧୀ ସମ୍ମାନନୀୟ ଅତିଥି ଏବଂ ଡକ୍ଟର କୁଳମଣି ଜେନା ସମ୍ମାନନୀୟ ବକ୍ତା ଭାବରେ ଯୋଗଦାନ କରି ବୀରକିଶୋରଙ୍କ ଜ୍ୱାଳାମୟୀ କବିତାବଳୀ ପରାଧୀନ ଭାରତର ମୁକ୍ତିକାମୀ ଜନମାନସରେ ଯେଉଁ ଆଲୋଡ଼ନ ସୃଷ୍ଟି କରିଥିଲା ସେ ସମ୍ୱନ୍ଧରେ ଆଲୋକପାତ କରିଥିଲେ । ଏହି ସଭାରେ ଜାତୀୟ କବି ବୀରକିଶୋର ସ୍ମୃତି ସମିତିର ସଭାପତି ଶ୍ରୀଯୁକ୍ତ ପ୍ରିୟନାଥ ଦେ ପୌରୋହିତ୍ୟ କରିଥିଲେ । ଏକାଡେମୀର ସମ୍ପାଦକ ଶ୍ରୀ ଚନ୍ଦ୍ରଶେଖର ଦାସ ବର୍ମା ପ୍ରାରମ୍ଭିକ ସୂଚନା ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ।

 

***